ପ୍ରଦୂଷଣ ଓ କୃତ୍ରିମ କେଶ ପ୍ରସାଧନ ସାମଗ୍ରୀ ଯୋଗୁଁ ଆମର କେଶରୁ ହଜିଯାଉଛି ପ୍ରାକୃତିକ ତୈଳ, ପୁଷ୍ଟିତାତ୍ତ୍ୱିକ ଗୁଣ । ଅଣ୍ଡାକୁ ବ୍ୟବହାର କରି ଆମେ ଏପରି ଏକ ପରିବେଶରେ କେଶର ଆର୍ଦ୍ରତା ରକ୍ଷା କରିବା ସଙ୍ଗେ ସଙ୍ଗେ ଟେକ ମଧ୍ୟ ରଖିପାରିବା । ଅଣ୍ଡାରେ ଥିବା ପୁଷ୍ଟିସାର ଓ ବାୟୋଟିନ୍ କେଶକୁ ଅପପୁଷ୍ଟିରୁ ରକ୍ଷା କରିବା ସହିତ ଦୀର୍ଘଦିନ ଧରି ଅବହେଳିତ କେଶରାଶିରେ ଚମକ ଆଣିବା ପାଇଁ ସମର୍ଥ ।
ସମଗ୍ର ବିଶ୍ୱରେ ଅଣ୍ଡା ବ୍ୟବହାର କରି କେଶଚର୍ଯ୍ୟା କରାଯିବାର ଏକ ପାରମ୍ପରିକ ପଦ୍ଧତି ଆଜିବି ବଞ୍ଚିରହିଛି । ଆଜି ଯେଉଁଠି ଦେଖିବେ ପ୍ରଦୂଷଣ ଓ କୃତ୍ରିମ କେଶ ପ୍ରସାଧନ ସାମଗ୍ରୀ । ଏଇଥିପାଇଁ ତ ଆମର କେଶରୁ ହଜିଯାଉଛି ପ୍ରାକୃତିକ ତୈଳ, ପୁଷ୍ଟିତାତ୍ତ୍ୱିକ ଗୁଣ । ଅଣ୍ଡାକୁ ବ୍ୟବହାର କରି ଆମେ ଏପରି ଏକ ପରିବେଶରେ କେଶର ଆର୍ଦ୍ରତା ରକ୍ଷା କରିବା ସଙ୍ଗେ ସଙ୍ଗେ ଟେକ ମଧ୍ୟ ରଖିପାରିବା । ଅଣ୍ଡାରେ ଥିବା ପୁଷ୍ଟିସାର ଓ ବାୟୋଟିନ୍ କେଶକୁ ଅପପୁଷ୍ଟିରୁ ରକ୍ଷା କରିବା ସହିତ ଦୀର୍ଘଦିନ ଧରି ଅବହେଳିତ କେଶରାଶିରେ ଚମକ ଆଣିବା ପାଇଁ ସମର୍ଥ । ଅକାଳରେ ଝଡ଼ି ଯାଉଥିବା କିମ୍ବା ଛିଣ୍ଡିଯାଉଥିବା କେଶ ଉପଚାର ସହିତ ନୂତନ କେଶ ସୃଷ୍ଟି ପାଇଁ ଅଣ୍ଡାର ଅନେକ ଅବଦାନ । ଆସନ୍ତୁ, ଅଣ୍ଡା ବ୍ୟବହାର କରି କେଶ ଉପଚାର ସଂପର୍କିତ ୫ଟି ଉପାୟ ସମ୍ବନ୍ଧରେ ଜାଣିବା ।
୧. ଘିକୁଆଁରୀ-ଅଲିଭ୍ ତେଲ : ଆମେ ସମସ୍ତେ ଘିକୁଆଁରୀ (ଘୃତକୁମାରୀ) ବା ଆଲୋଭେରାର ଅନେକ ସୁଗୁଣ ସଂପର୍କରେ ଜାଣିଛେ । ମାତ୍ର ତ୍ୱଚା ଏବଂ ସ୍ୱାସ୍ଥ୍ୟଗତ ଔଷଧୀୟ ଗୁଣ ସହିତ ଘିକୁଆଁରୀ ଯେ କେଶ ପାଇଁ ବରଦାୟୀ, ଏହା ଅନେକେ ହୁଏତ ଜାଣିନଥିବେ । ଆମର କେଶକୁ ଶକ୍ତ କରିବା ପାଇଁ ଏହା ଅତି ଉପାଦେୟ । ଅଲିଭ୍ ତେଲ ସହ ଏହାର ପ୍ରାୟୋଗ ହେଲେ ମଉଳି ଯାଉଥିବା ଅପପୁଷ୍ଟି ଦୁର୍ବଳ କେଶ ମଧ୍ୟ ନବଯୌବନ ଲାଭକରିପାରେ । ହଁ, ଆପଣଙ୍କ କେଶ ତେଲିଆ ଦିଶୁଥିଲେ ଘି-କୁଆରୀ ରସରେ ଅଲିଭ୍ ତେଲ ବଦଳରେ ଯୋବା ତେଲ ବ୍ୟବହାର କରିପାରନ୍ତି ।
ପ୍ରଣାଳୀ : ଗୋଟିଏ ପାତ୍ରରେ ଅଣ୍ଡାର କେଶର ୨-୩ ଚାମଚ ନେଇ ସେଥିରେ ୪-୫ ଚାମଚ ଘିକୁଆରୀ ରସ ମିଶାନ୍ତୁ । ୧ ଚାମଚ ଅଲିଭ୍ ତେଲକୁ ନଖଉଷୁମ କରି ଏହି ପାତ୍ରରେ ରଖନ୍ତୁ । ଭଲ ରୂପେ ମିଶ୍ରଣକୁ ଗୋଳାଇ କେଶ ମୂଳଠାରୁ ଅଗଯାଏ ମାଲିସ୍ କରନ୍ତୁ । ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ ।
୨. ପାଚିଲା କଦଳୀ- ମହୁ : ଏହି ମିଶ୍ରଣ ସମସ୍ତ କେଶ ସମସ୍ୟାର ସମାଧନା କରିବାକୁ ସମର୍ଥ । ଅଣ୍ଡାର ପୌଷ୍ଟିକତତ୍ତ୍ୱ କେଶ ପାଇଁ ପୁଷ୍ଟି ଯୋଗାଇବାକୁ ସମର୍ଥ ହୋଇଥିଲା ବେଳେ ବହୁ ଓ ପାଚିଲା କଦଳୀର ଚକଟା କେଶକୁ ଆର୍ଦ୍ର ରଖି ଅଣ୍ଡାରୁ ମିଳୁଥିବା ପୁଷ୍ଟିସାର ଯେପରି କେଶ-ସ୍ୱାସ୍ଥ୍ୟରକ୍ଷା ପାଇଁ କାମରେ ଆସିବ, ତାହାର ବ୍ୟବସ୍ଥା କରିଥାଆନ୍ତି । ଅଲିଭ୍ ତେଲ, ଗୋ-ଦୁଗ୍ଧର ମିଶ୍ରଣ କେଶକୁ ଚମକ ଦିଅନ୍ତି, ନଷ୍ଟ ହୋଇଯାଇଥିବା କେଶକୁ ଶକ୍ତ କରନ୍ତି । ସର୍ବାଧିକ ଲାଭ ପାଇବା ପାଇଁ ସପ୍ତାହକୁ ଦୁଇ-ତିନିଥର ଏହାକୁ ପ୍ରୟୋଗ କରନ୍ତୁ ।
ପ୍ରଣାଳୀ : ଗୋଟିଏ ଅଣ୍ଡାର ଲାଳ ଓ କେଶର, ଗୋଟିଏ ପାଚିଲା କଦଳୀର ଚକଟା, ୩ ଚାମଚ ଗୋ-ଦୁଗ୍ଧ, ୩ ଚାମଚ ମହୁ ଓ ୫ ଚାମଚ ଅଲିଭ୍ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଗୋଟିଏ ପାତ୍ରରେ ଏହି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ମିଶ୍ରଣକୁ ମଥାଠାରୁ ସାରା କେଶ ପ୍ରଲେପ ଦିଅନ୍ତୁ । ଘଣ୍ଟାଏ ଯାଏଁ ଏହା ଆଚ୍ଛାଦନ କରି ରହୁ । ତା’ପରେ ଆରାମରେ କେଶ ଧୋଇ ନିଅନ୍ତୁ । ସାମ୍ପୋ ମଧ୍ୟ ବ୍ୟହାର କରିପାରନ୍ତି ।
୩. ନଡ଼ିଆ ତେଲ-ଆଲମଣ୍ଡ ତେଲ: କେଶ ଶୁଖିଲା ଓ ନୁଖୁରା ଦେଖାଯାଉଥିଲେ ବଜାରରେ ମିଳୁଥିବା ଦାମୀ କସ୍ମେଟିକ୍ସ ପଛରେ ନଧାଇଁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଘରୋଇ ଉପଚାର ଆପଣାନ୍ତୁ । କେଶର ପ୍ରାକୃତିକ ଗହଳ, ଚମକ ପାଇଁ ନଡ଼ିଆ ତେଲ- ଆଲମଣ୍ଡ ତେଲ ଅଣ୍ଡାର ମିଶ୍ରଣ ଚମକ୍ରାର ‘ମଶ୍ଚରାଇଜର’ର କାମ ଦେବ । ଅଣ୍ଡାରେ ଥିବା ଉପାଦାନ ପ୍ରାଣଦାନ କରିବା ବେଳେ ନଡ଼ିଆ-ଆଲମଣ୍ଡ ତେଲର ମିଶ୍ରଣ ଦେବ ଚମକ ।
ପ୍ରଣାଳୀ : ଆଲମଣ୍ଡ ମଞ୍ଜିକୁ ବତୁରାଇ, ତାହାକୁ ବାଟି ଦେଇ ଚିପୁଡି ଦେଲେ ଆଲମଣ୍ଡ ଦୁଗ୍ଧ ପ୍ରସ୍ତୁତ ହୁଏ । ଏଥିରୁ ୫ ଚାମଚ, ଅଣ୍ଡାର ଧଳା ଅଂଶ ୪ ଚାମଚ, ୧-୨ ଚାମଚ ନଡ଼ିଆ ତେଲକୁ ଏକାଠି ଗୋଟିଏ ପାତ୍ରରେ ଭଲଭାବେ ଫେଣ୍ଟି କେଶର ମୂଳଠାରୁ ଶେଷଯାଏଁ ପ୍ରଲେପ ଦିଅନ୍ତୁ । କଣ୍ଡିସନର ବ୍ୟବହାର କରିବେ ନାହିଁ । ସପ୍ତାହକୁ ୨-୩ଥର ପ୍ରଲେପ ଦେଲେ ଶୁଷ୍କ କେଶ ହୋଇଉଠିବ ପ୍ରାଣବନ୍ତ ।
୪. ଦହି : ଉପୁଡି ଯାଉଥିବା କେଶ ସମସ୍ୟା ପାଇଁ ଦହି-ଅଣ୍ଡା ମିଶ୍ରଣ ଅତି ଉପାଦେୟ । ଅଣ୍ଡାର ସୁଗୁଣ ବିଷୟରେ ଆମେ ଆଗରୁ ଜାଣିଛେ । ନେକ ଉପାକରୀ ଗୁଣ ମଧ୍ୟରୁ କେଶ ପାଇଁ ଦହିର ଏକାଧିକ ଅବଦାନ ରହିଛି । ଦହି-ରୂପିନାଶକ ଏବଂ କଣ୍ଡିସନର ରୂପେ କାମ କରେ । କୋଶ ଝଡୁଥିଲେ, ଦହି ବାଧକ ହୁଏ । ଏଣୁ ଅଣ୍ଡା-ଦହିର ମିଶ୍ରଣ ଏକାଠି ନିଜ ନିଜର କାମ କରିଚାଲନ୍ତି ।
ପ୍ରଣାଳୀ : ଗୋଟିଏ ଅଣ୍ଡା ୩-୪ ଚାମଚ ବସାଦହି ଓ ଏକଚାମଚ ଲେମ୍ବୁରସ ମିଶାଇ ଭଲ ରୂପେ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ କେଶମୂଳରେ ପ୍ରୟୋଗେ କରନ୍ତୁ ଓ ଘଣ୍ଟାଏ ପରେ ଧୋଇଦିଅନ୍ତୁ । ଲେମ୍ବୁରସ କେଶମୂଳର ମଇଳା ସଫା କରିଦେବ ଓ ଅଣ୍ଡା-ଦହିର ମିଶ୍ରଣକୁ ସକ୍ରିୟ ଭାବେ କାମ କରିବାକୁ ସୁବିଧା ଦେବ ।
୫. ଜଡ଼ା ତେଲ : ଚନ୍ଦାପଣର ଉପଚାର ପାଇଁ ଜଡ଼ାତେଲ-ଅଣ୍ଡାର ମିଶ୍ରଣ ମହୌଷଧି । କେଶ ଲମ୍ବ ହେବା ପାଇଁ ଏହାର ତୁଳନା ନାହିଁ ।
ପ୍ରଣାଳୀ : ଦୁଇଟି ଅଣ୍ଡାର କେଶର ଓ ଲାଳ ସହିତ ଏକ ଚାମଚ ଜଡ଼ାତେଲ ମିଶାଇ ଭଲଭାବେ ଘାଣ୍ଟି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । କେଶମୂଳ ଅଞ୍ଚଳରେ ଏହାକୁ ଆରାମରେ ମାଲିସ କରି ଅଧଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ । କଣ୍ଡିସନର ବ୍ୟବହାର କରିବେ ନାହିଁ ।
ଆପଣ କେଶବତୀ ହୋଇ ରହନ୍ତୁ, ଏତିକି କାମନା ଆମେ ନିଶ୍ଚୟ କରିବୁ ।