ମାଡାମ୍ କହିଲେ ମେନେଜରଙ୍କୁ । ମେନେଜର କହିଲେ ମୋତେ । ଗଛକଟା ବନ୍ଦକର । ଏତିକି କହି ଆଉ ଯାହା ସେ ଯୋଡ଼ିଲେ ତା’ର ଯଥେଷ୍ଟ ଗୁରୁତ୍ୱ ଥିଲା । ସେ କହିଲେ, “ମାଲିକ ସି. ନାଗୀ ରେଡ୍ଡୀ ଏବେ ଡାକ୍ତରଖାନାରେ । ଚେତା ଫେରିନି । ଭୟଙ୍କର ସଡକ ଦୁର୍ଘଟଣା ।” ସେ ପୁଣିଥରେ ବରଗଛକୁ ଜୁହାର ହେଲେ । ମଥା ଉପରେ ଚେଁ ଚାଁ ଫଡ୍ ଫଡ୍ ଶବ୍ଦ ହେଲାରୁ ରଘୁବାବା ଉପର ମୁହାଁ ହେଲେ । ଗୁଡାଏ ଚଢ଼େଇ ନିଜ ଭିତରେ କଥା ଭାଷାହବା ପରି ଗହଳି କରୁଥିଲେ । ଫେରିଆସିଥିଲେ ଚଢ଼େଇମାନେ ।
ନଈ କଣ୍ଡିଆସ୍ଥିତ ବରଗଛ ମୂଳେ ରଘୁବାବା ଧାରଣାରେ ବସିବା ଘଟଣାଟି ଆଖପାଖ ଚାରିପାଞ୍ଚଖଣ୍ଡି ଗାଁର ବହୁଳାଂଶ ଲୋକଙ୍କ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲେ ମଧ୍ୟ କିଛିଟା ହଟଚମଟ ଯେ ରଚିନଥିଲା, ସେପରି କଥା ନୁହଁ । ଅସଲରେ, ବରଗଛ ଛାଇରେ ପଥର ପିଣ୍ଡି ଉପରେ ଚକାପାରି ବସିବା ଓ ନିୟମିତ ପାଣି, ରୁଟିସନ୍ତୁଳା ଗ୍ରହଣ କରିବା ବ୍ୟାପାରଟିକୁ ‘ଧାରଣା’ କୁହାଯିବ କି ନାହିଁ, ଏଇ ମୌଳିକ ପ୍ରଶ୍ନ ଉପରେ ଅଳ୍ପ କେତେକ ଟୋକା ଯାହା ମଥା ଖେଳଉଥିଲେ । କାହିଁକି ରଘୁବାବା ଧାରଣାରେ ବସିଚି, ସେ କଥା ଠିକ୍ରେ ଜଣାନଥିଲା ବେଶୀ ଲୋକଙ୍କୁ । ଆଉ ଯେଉଁମାନଙ୍କୁ ଜଣାଥିଲା ସେମାନଙ୍କ ପାଇଁ ବିଶେଷ ଓଜନ ନଥିଲା ସେ କଥାରେ । ହଃ କି କଥା ଯେ!
ଜଣେ ଯୁବକ – ନାଁ ତା’ର ବାଇନ ଦାସ, ସେ ବୁଲି ବୁଲି ଯାହାକୁ ଦେଖୁଥିଲା ରଘୁବାବାର ଧାରଣାର ଔଚିତ୍ୟ ସମ୍ପର୍କରେ ଅନର୍ଗଳ ଗପୁଥିଲା । ସେଇ ବାଇନ ଦାସ ପ୍ରାୟ ଦଶବର୍ଷ ତଳେ ମେଟି୍ରକ ପରୀକ୍ଷା ପାଇଁ ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେଇନଥିଲା ଏବଂ ଆଡ୍ମିଟ୍କାର୍ଡ୍ ଖଣ୍ଡିକ ପକେଟରେ ରଖିଥିଲା ସବୁବେଳେ । ପୋଲ ଓ ନଈବଂଧ ତିଆରି କରୁଥିବା ଆନ୍ଧ୍ର କଣ୍ଟ୍ରାକ୍ଟର ସି.ନାଗୀ ରେଡ୍ଡୀର ପ୍ରମୁଖ ସୁପରଭାଇଜରର ସେ ଥିଲା ଖାସ୍ ଲୋକ ଏବଂ ଏକ ରାଜନୈତିକ ଦଳର ପଞ୍ଚାୟତସ୍ତରୀୟ ଦୁଇନମ୍ବର ନେତା ଥିବାରୁ ଗାଉଁଲି ଲୋକଙ୍କ ପାଖରେ ସେ ବେଶ୍ ଖାତିରଦାର ଥିଲା । ସେ ଯାହା କହୁଥିଲା, ଲୋକେ କେବଳ ସମ୍ମତି ସୂଚକ ମୁଣ୍ଡନାଡୁଥିଲେ । ତା’ ମୁହଁ ଉପରେ ପ୍ରତିକୂଳ ମନ୍ତବ୍ୟ ଦେବାକୁ କାହାର ସାହସ ନଥିଲା ।
“ହଁ ସେଇଆ । ରଘୁବାବା ଠିକ୍ କରୁନାହିଁ ।” – କେହି କେହି ଏତକ କହି ତା’ଠୁ ସରିଯାଉଥିଲେ ।
ଆଉ ଟୋକାଦଳ? ସେମାନେ ବାଇନ୍ ଦାସର ଖାସ୍ ଅନୁଗତ । ସେ ଧଅ କହିଲେ ସେମାନେ କାମୁଡ଼ି ପକେଇବେ ।
“ରଘୁବାବାର ଧାରଣା ବେକାର । ସରକାର କୋଉ ଶୁଣିବା ଲୋକ ହେଇଚି ।” – ଜଣେ ଟୋକା ମନ୍ତବ୍ୟଦେଲା ।
“ଆଚ୍ଛା ବାଇନ ବାବୁ, ପୋଲିସ୍ ଯେବେ ରଘୁବାବାର ଦାଢ଼ି ଝିଙ୍କେ?” – ଅନ୍ୟ ଜଣେ ଟୋକା ନିଜ ପ୍ରଶ୍ନର ଉତ୍ତର ଯାହା ହବ ଓ ରଘୁବାବା ଯେମିତି ବେଜ୍ଜିତ ହବ ସେଇଆ କଳନା କରିନେଇ ଠୋ ଠୋ ହସୁଥିଲା । ତା’ ଦେଖାଦେଖି ହସୁଥିଲେ ଅନ୍ୟଟୋକାଏ ।
ଗଲାକାଲିରୁ ରଘୁବାବାର ଧାରଣା ଚାଲିଥିଲା ବରଗଛ ମୂଳେ । ଧାରଣା ଦେଖିବାକୁ ଅଣସ୍ତରି ବର୍ଷ ବୟସ୍କା ମାତାଜୀ ବ୍ୟତୀତ ଜଣେ ଦି’ଜଣ ଯଦି ଥିବେ ବଡ଼କଥା । ଅସଲରେ ଧାରଣା କ’ଣ ଓ କାହିଁକି ମାତାଜୀ ଜାଣିନଥିଲେ । ତାଙ୍କୁ ପ୍ରାୟ ଶୁଭେନା ।
“ମୁଁ ପଚାରୁଚି, ଇଏ କି ପ୍ରକାର ଧାରଣା? ପାଣି ପିଇବ, ରୁଟି ସନ୍ତୁଳା ଖାଇବ, ସେଥକୁ ଧାରଣା? କଣ୍ଡିଆ ଭିତରେ ପୁଣି ବରଗଛ ମୂଳେ କେହି ଧାରଣାରେ ବସେ! ଯଦି ଧାରଣା ଦବ, କଲେକ୍ଟର ଅଫିସ କିମ୍ବା ଗାନ୍ଧୀମୂର୍ତ୍ତି ସାମନାରେ ଧାରଣା ଦଉନ । ଆମେ ତ ପୁଣି ଧାରଣା ଦଉ । ହଁ ନା ନାଇଁ?” – ବାଇନ ଦାସର ପାଟି ଉଞ୍ଚା ହବା ସହିତ ତାର ଡାହାଣ ହାତ ବିଭିନ୍ନ ଦିଗକୁ ନିଦେ୍ର୍ଦଶକଲା । ତା ଦୁଇ ଆଙ୍ଗୁଳି ସନ୍ଧିରେ ଲାଖିଥିଲା ସିଗ୍ରେଟ୍ ।
“କାଇଁକି ଫାଲତୁ କଥାରେ ମୁଣ୍ଡଖେଳଉଚ ବାଇନ ବାବୁ? ପୋଲିସ ରାତିରେ ଆସି ଯେତେବେଳେ ବାବାଜୀକୁ ଟେକିନେଇ କାଚିଦବ ସେତେବେଳେ ମଜା ଛାଡ଼ି ଯିବ ।” – ଅନୁଗତ ଟୋକାଟିଏ ହାତ ଛିଞ୍ଚାଡ଼ି କହିଲା ।
“ତା ତ ହବ, କିନ୍ତୁ ମୁଁ ପଚାରୁଚି ଇଏ କି ପ୍ରକାର ଧାରଣା । ମୁଁ ଜ୍ଞାନ କଥା କହୁଚି ।” – ଦଶ ବାରଜଣ ଲୋକ ଆସୁଥିବା ଦେଖି ବାଇନ ଦାସ ଉତ୍ସାହିତ ଦିଶିଲା ଓ ନେତାସୁଲଭ ଡାଇଲଗ୍ ମାରିଲାମିତି କହିଲା, ଯେମିତି ଆସୁଥିବା ଲୋକଙ୍କ ପାଖରେ ଜଣ ଜଣ କରି ପହଞ୍ଚôବ ତା କଥା ।
ମାତ୍ର ପରମୁହୂର୍ତ୍ତରେ ବାଇନଦାସ ଚମକି ପଡ଼ିଲା । ଚମକିବାର ହେତୁ ଜଣେ ବୃଦ୍ଧ । ଧୀର ପଦରେ ସେ ଆସୁଥିଲେ । ଲୋକେ ତାଙ୍କୁ ଗୁରୁଜୀ ଭାବେ ସମ୍ବୋଧନ କରନ୍ତି । ସେ ସମ୍ମାନାସ୍ପଦ । ସେ ଆସିଲେ ଓ ଟୋକାଦଳଙ୍କ ସାମନାରେ ଅଟକିଲେ ।
“କାହାକୁ ପଚାରୁଚ ବାଇନ? – ପ୍ରାଥମିକ ସ୍କୁଲର ଅବସରପ୍ରାପ୍ତ ହେଡ୍ପଣ୍ଡିତ ଶିବ ପରିଡ଼ା କହିଲେ ।
ଏଥର ବାଇନ ଦାସ ଘାବେରଇଲା । ସେ ପ୍ରଥମ କରି ଶୁଣୁଥିଲା ତା ମୌଳିକ ପ୍ରଶ୍ନର ଜବାବ୍ । ପୁଣି ତା ମୁହଁ ଉପରେ । ଏଇ କଥାଟି ଯେବେ ଆଉ କେହି କହିଥାନ୍ତା ସେ ଇଂରାଜୀ ମିଶା ଓଡ଼ିଆ ପ୍ରୟୋଗ କରିଥାନ୍ତା । ଦୋଅକ୍ଷରୀ ଗାଳି ଦବାକୁ ସେ ମୋଟୁରୁ ହେଳା କରିନଥାନ୍ତା । ମାତ୍ର ଏବେ ତାହା ସମ୍ଭବ ନୁହଁ । ଗୁରୁଜୀ ଶିବ ପରିଡ଼ା ଗୁଣୀ ଓ ବର୍ଷିୟାନ । ପାଞ୍ଚଖଣ୍ଡ ଗାଁରେ ମାନ୍ୟବର । ସେ ଉତ୍ତର ଖୋଜି ହେଲା ।
“ମୋ କଥା ଶୁଭିଲା? କାହାକୁ ପଚାରୁଚ?” – ଗୁରୁଜୀ ନିଜ କଥାର ପୁନରାବୃତ୍ତି କଲେ । ସେ ତଳେ ବଙ୍କୁଲି ବାଡ଼ି ଠେସ ଦେଇ ଠିଆ ହୋଇ ରହିଲେ ।
ବାଇନ ଦାସ ବଳ ସଂଗ୍ରହକଲା ଓ କହିଲା, “ଜନତାକୁ ସାର୍ । ଜନତାକୁ ସଚେତନ କରାଇବା ଆମର କର୍ତ୍ତବ୍ୟ ନୁହଁକି?”
“ଆମ ବାଇନ ବାବୁଙ୍କ ଜୀବନ କଟିଗଲା ସେଇଆ କରିକରି… ହେଁ… ହେଁ” – ଜଣେ ଟୋକା ଚାହିଁଲା ଅନ୍ୟଟୋକାଙ୍କ ଆଡେ । ତା’ କଥାରୁ ବୁଝିହେଉନଥିଲା ଛବିଶ ବର୍ଷର ଯୁବକ ବାଇନ ଦାସର ଜୀବନ କଟିଗଲା କେତେବେଳେ ।
ବୃଦ୍ଧ ଶିବ ପରିଡ଼ା ହସିଲା ପରି ଲାଗିଲେ । କହିଲେ, “ଜନତାକୁ ସଚେତନ କରୁଚ! ଭଲ । ଆଚ୍ଛା ବାଇନବାବୁ, ଯେଉଁ ଜ୍ଞାନ କଥା ଉଠେଇଲ ସେଇଟା କ’ଣ?”
ଇତିମଧ୍ୟରେ ବାଇନ ଦାସ ସହଜ ହୋଇସାରିଥିଲା । ଖଞ୍ଜିଲା ପରି ସେ ଉତ୍ତର ଦେଲା, “ସାର୍ ଆପଣ ନିଜେ ଦେଖନ୍ତୁ, କି ଫେଚକାମି ଚାଲିଚି ଏଠି । ଅଲେଖିଆ ବାବାଜୀ ରଘୁବାବା ଧାରଣାରେ ବସିଚନ୍ତି ବରଗଛ ମୂଳେ । ପାଣି ପିଉଚନ୍ତି, ରୁଟି ସନ୍ତୁଳା ଖାଉଚନ୍ତି – ମୁଁ ହଲପକରି କହିପାରେ ସାର୍ । ଅସଲକଥା କ’ଣ ଜାଣନ୍ତି? ସେ ଏଠି ସଡ଼କ କରେଇଦେବେନି । ଆପଣ ତାଙ୍କୁ ବୁଝାନ୍ତୁ । ଆମେ ସିନା କିଛି କହିବୁନି, କିନ୍ତୁ ସରକାର ଯେବେ ଆସି ଗୋଟାପଣ ଟେକିନେଇ ତାଙ୍କୁ କେଉଁଠି ଫୋପାଡ଼ିଦିଏ । ଯେତେ ହେଲେ ଏଇ ମଠ ଓ ରଘୁବାବା ଜନତାର । ସେପରି ହେଲେ ଆମର ଇଜ୍ଜତ ରହିବ?” ବାଇନ ଦାସ ସରକାରକୁ ପ୍ରବଳ ପରାକ୍ରମୀ ମଣିଷଟିଏ ଜ୍ଞାନକରି ସରକାର ଶବ୍ଦ ଉପରେ ଜୋର ଦେଲା ।
ଉପସ୍ଥିତ ଟୋକା, ଅଧା ବୃଦ୍ଧ, ମଫସଲିଲୋକ ଅନ୍ଦାଜ କୋଡ଼ିଏ ସରିକି, ଅଧାନେତା ବାଇନ ଦାସ ଓ ଗୁରୁଜୀ ଶିବ ପରିଡାଙ୍କ ମଧ୍ୟରେ କଥୋପକଥନକୁ ମନଦେଇ ଶୁଣୁଥିଲେ । ଅନେକଙ୍କୁ ବାଇନଦାସଙ୍କ କଥା ୱାଜିବ୍ ମନେହେଉଥିଲା । ରଘୁବାବା ସଡ଼କ କରେଇଦେବେନି ! ଏଡେ ବହପ!! ହେଲେ ଗୁରୁଜୀ ଶିବ ପରଡ଼ା ତ ଆଉ ଅବଜ୍ଞା କରାଯିବା ପରି ମଣିଷ ନୁହଁନ୍ତି । ବସ୍ତୁତଃ, ସେ କ’ଣ କହୁଥିଲେ କେହି ବୁଝିପାରୁନଥିଲେ ।
ଝରଝର, ଦୁମ୍ଦାମ୍, ଘଡ୍ଘଡ୍ ଶବ୍ଦ ଶୁଭୁଥିଲା ଡାହାଣପଟରୁ କେତୋଟି ଟ୍ରକ୍ ପୂର୍ବପଟ କଣ୍ଡିଆରୁ ବାଲିଆମାଟି ଆଣି ଜମା କରୁଥିଲେ । ଆଉ କେତୋଟି ପଥର ଓ ମୋରମ୍ ବୋହିଆଣି କୁଢ଼ କରୁଥିଲେ । ବରହମପୁର ଆଡ଼ର ଶ୍ରମିକ- ରେଜା ବେଶୀ ପୁରୁଷ କମ୍- ବିଭିନ୍ନ କାମରେ ଲାଗିଥିଲେ । ସେମାନଙ୍କ ସାନ ସାନ ଛୁଆ ମହାଦେବ ମନ୍ଦିର କଡ଼ ଛାଇରେ ଖୁମ୍ପୁରା ଖୁମ୍ପୁରି ହଉଥିଲେ, ଧୂଳି ଖେଳୁଥିଲେ । କୋଡ଼ ଛୁଆ କେତୋଟି ଫଟା କବଟା ଉପରେ ତଳୁଟାରେ ଶୋଇ ଗୋଡ଼ ଛାଟୁଥିଲେ । ସାନ ବଡ଼ ସିଲିଭର ଡେକିଚି କେତୋଟି ଝୁଲୁଥିଲେ ଆମ୍ବଗଛ ଡାହିରୁ । ବୋଧେ ପଖାଳ ଭାତ ରହିଥିଲା ସେଥିରେ । ଉଠାଣିବେଳେ ଖିଆହବ ।
ପବନ ବହିଆସୁଥିଲା ପୂର୍ବଦିଗରୁ ଓ ସବୁକିଛିକୁ ସାଉଁଳେଇ ଚାଲିଯାଉଥିଲା । ଖରା ଟାଣ ନଥିଲା ।
ଟ୍ରକ୍ଗୁଡ଼ିକର ବିକଟ ଶବ୍ଦ କାନରେ ଅତଡ଼ା ପକଉଥିଲା । ଛାତିରେ ଦାଉଁ ଦାଉଁ ପିଟିହଉଥିଲା ସେ ଶବ୍ଦ । ଅସ୍ପଷ୍ଟ କରିଦଉଥିଲା ବହୁକଥାକୁ । ନାଲି ପତାକା ପୋତାହୋଇ ସୀମା ତିଆରି ହେଇଥିବା ସ୍ଥାନରେ ରେଜା ମାନେ ସିଇରା ଓ ଲୁହାକଡ଼େଇ ମୁଣ୍ଡରେ ହାତରେ ଧରି ବିନା କଥାରେ ଯନ୍ତ୍ର ମାନବ ପରି ବୁଲଚାଲ କରୁଥିଲେ ।
ଏପଟେ ପଶ୍ଚିମ ପଟେ ପାଦଚଲା ରାସ୍ତାଉପରେ ମୁହାଁମୁହିଁ ଠିଆହୋଇଥିଲେ ଗୁରୁଜୀ ଶିବ ପରିଡ଼ା ଓ ଅଧାନେତା ବାଇନ ଦାସ । ସେମାନଙ୍କ ଚାରିପଟେ ଗାଉଁଲି ଲୋକ, ଟୋକା, ବାଟଗଲା ପରିବା ଓ କ୍ଷୀର ବିକାଳି… ।
ତିରିଶ ହାତ ଖଣ୍ଡେ ତଫାତ୍ରେ ଅରାଏ ଜମି ଉପରେ ଛଣଛାଆଣି ଦୁଇ ବଖୁରିଆ ମଠ । ବାଡ଼ଘେରା । ଘେରା ଭିତରେ ଛନ ଛନିଆ ତେଲାଣ୍ଟିଆ ପତ୍ର ହଲାଉଥିବା ଝାଙ୍କରା ବରଗଛଟି ଠିଆହେଇଥିଲା ଦର୍ପିତ ଭଙ୍ଗୀରେ । ତା’ ମୂଳରେ ନୀରବରେ ବସିଥିଲେ ସତୁରି ବର୍ଷ ବୟସ୍କ ରଘୁବାବା, କେଇବିଡ଼ା ଛଣର ଆସନ ଉପରେ । ତାଙ୍କ ପାଟି ଚୁପ୍, ମାତ୍ର ଆଖି କାନ୍ଦ କାନ୍ଦ । ପର୍ଯ୍ୟାୟ କ୍ରମେ ସେ ଚାହୁଁଥିଲେ ଗଛକୁ ଓ ସଡ଼କ ତିଆରିରେ ଲାଗିଥିବା ଶ୍ରମିକ ମାନଙ୍କୁ । ମନ ମଧ୍ୟରେ ଧାଡ଼ିଏ କଥା- ହେ ବୃକ୍ଷ ଦେବତା! ତୁ ନିଜେ ନିଜକୁ ରକ୍ଷାକର!!
କେବେଠୁ ବରଗଛକୁ ପିନେ୍ଧଇ ଦିଆଯାଇଚି ନାଲା ବେଢ଼ାଣଟିଏ । ସିନ୍ଦୂର ବୋଳି ଦିଆଯାଇଛି ତା’ ଗଣ୍ଡିରେ । ଫୁଲମାଳାଟିଏ ଝୁଲୁଥିଲା ମୂଳ ପାଖା ପାଖି ଏକ ଖେଣ୍ଟାରୁ । ଏଇପରି ଗୋଟିଏ ବୋଦା କ୍ଷେତ୍ରରେ କରାଯାଇଥିଲେ, ସେଇଟି ଠାକୁରାଣୀ ପାଖରେ ବଳି ପଡିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାଯାଇଥାନ୍ତା । ହଁ, ଅନେକାଂଶରେ କଥାଟି ସେଇଆ । ଘାତକ ଠାକୁରାଣୀ ପାଖକୁ ଟାଣିଟାଣି ନେଉଥିବା ବୋଦା ହିଁ ବରଗଛ । ବଳିପଡ଼ିବ ।
କେବେ? ଯେକୌଣସି ଦିନ ନୁହଁ, ଯେକୌଣସି ମୁହୂର୍ତ୍ତରେ । ଦୁରଭୁଷ ହେଇ କଚାଡ଼ି ହେଇ ପଡ଼ିବ ଗଛ ଭୂଇଁ ଉପରେ ଛତା ବିତା ହେଇ ।
ରଘୁବାବା ବସିଛନ୍ତି ବରଗଛ ମୂଳେ । କେଇବିଡ଼ା ଛଣର ଆସନ ଉପରେ । ମଥାର ଜଟା ତାଙ୍କର କାଲିଠୁ ଖୋଲା ହୋଇନି । ଗୋଟଳା ଜଟାଟି ଶିବଲିଙ୍ଗ ପରି ମୁହଁ କରିଚି ଗଛ ଆଡ଼େ! ସତେବା ସୂକ୍ଷ୍ମ ସମ୍ପର୍କ ଜାରି ରଖିଚି ଗଛ ସହ ।
ଗୁରୁଜୀ ଶିବ ପରିଡ଼ା ଅଧାନେତା ବାଇନ ଦାସଙ୍କ କଥା ଶୁଣିବା ଅବସରରେ ଚାହିଁ ରହିଥିଲେ ବାଁ ହାତି କଣ୍ଡିଆ ଆଡ଼େ । ତାଙ୍କ ଦୁର୍ବଳ ଦୃଷ୍ଟି ଯେତିକି ବାଟ ଦେଖେଇ ଦେଉଥିଲା, ସେ ଦେଖୁଥିଲେ ଠାଏ ଠାଏ ଅରଖ, ଭୂଇଁ ବରକୋଳି ଓ କାଶତଣ୍ଡୀ ବୁଦା । ଏବଂ ସୁଦୁ ଧଳା ବାଲି । ଗଲା ଭୀଷଣ ବନ୍ୟା କଣ୍ଡିଆରେ ଜମା କରିଚି ଫୁଟେ ଖଣ୍ଡେ ପାତି ବାଲି । ବନ୍ୟା ପରଠୁ ସେ ମୋଟୁରୁ ଆସି ନଥିଲେ ଇଆଡ଼େ । ଆଜି ଆସିଚନ୍ତି ରଘୁବାବାଙ୍କ ବ୍ୟାପାର ଶୁଣି । ବାଁ ପଟ କଣ୍ଡିଆ ମରୁଭୂମିର ଭ୍ରମ ସୃଷ୍ଟି କରୁôଥିଲା ତାଙ୍କଠାରେ ।
“ସାର୍, ଆପଣ ରଘୁବାବାଙ୍କୁ ବୁଝାନ୍ତୁ । ଧାରଣାରୁ ତାଙ୍କୁ ଉଠେଇ ଦିଅନ୍ତୁ । ସୁରୁଖୁରୁରେ ସଡ଼କ ତିଆରି ହେଇଯାଉ । ରଘୁବାବା ଆପଣଙ୍କ କଥା ମାନିବେ ସାର୍” – କହିଲା ବାଇନଦାସ ।
ଗୁରୁଜୀ ମୁହଁ ସିଧା କଲେ । କହିଲେ, “ଶ୍ରୀମାନ୍ ବାଇନ! ଆଜି ତୁମର ଜ୍ଞାନରୁ ଧାରଣାର ଅର୍ଥ ବୁଝିଲି । ଆଉ ଦିନେ ଅନଶନର ଅର୍ଥ ବୁଝିବି । କିନ୍ତୁ ମତେ କୁହ ବାଇନ, ସଡ଼କ ତିଆରି କିଏ ବନ୍ଦ କଲା? କେତେବେଳେ ? ହେଇପରା ଶ୍ରମିକ ଲାଗିଚନ୍ତି ।”
ପୁଣିଥରେ ହଡ଼ବଡ଼େଇଲା ବାଇନ ଦାସ । କହିଲା, “ରଘୁବାବାଙ୍କ ଧାରଣା… । ସଡ଼କ ବନ୍ଦପାଇଁ ନୁହଁତ ଆଉ କଅଣ । ସଡ଼କ ତିଆରି ବନ୍ଦ ହୋଇନି ଠିକ୍, ବନ୍ଦ ହବ । ରଘୁବାବାଙ୍କ ଧାରଣା ଇମିତି ସିମିତି କଥା ନୁହଁ ଆଜ୍ଞା!” ସେ ରାଜନୀତିଆ ବୁଦ୍ଧି ପ୍ରୟୋଗ କଲା ।
“ରଘୁବାବା କାହିଁକି ଧାରଣାରେ ବସିଚନ୍ତି ଜାଣିଚ ବାଇନ?” – ଗୁରୁଜୀ ପଚାରିଲେ ।
ବସ୍ତୁତଃ ଅଧାନେତା ବାଇନ ଦାସ ଜାଣିନଥିଲା । କଣ୍ଟ୍ରାକ୍ଟର ସୁପରଭାଇଜରଙ୍କଠୁ ଶୁଣିଥିଲା, ଅଲେଖିଆ ବାବାଜୀ ରଘୁବାବା ସଡ଼କ ତିଆରି ବନ୍ଦ କରିବା ପାଇଁ ମସୁଧା କରୁଚି । ସେଥିପାଇଁ ଧାରଣା ଦେଇଚି ସେ । ବାଇନ ଦାସ ତା’ର ଟୋକାଙ୍କ ସହାୟତାରେ ରଘୁବାବାକୁ ସାବାଡ୍ କରି ଦେଉ ଏବଂ ବରଗଛମୂଳୁ ଉଠେଇ ଦେଉ- ଏଇ ସର୍ତ୍ତରେ ସୁପରଭାଇଜର ଗୋପନ ବୁଝାମଣା କରିଥିଲା ବାଇନ ଦାସ ସହ । ବାଇନ ଦାସ ତା’ ନେତୃତ୍ୱର ଖୋଜା ପଡ଼ିଛି ଭାବି ଖୁସି ହେଇଥିଲା ଓ ସେମନ୍ତ କାର୍ଯ୍ୟ ତା ବାଁ ହାତର ଖେଳ କହି ପ୍ରତିଶ୍ରୁତି ଦେଇଥିଲା ସୁପରଭାଇଜରକୁ । ଖାଲି ପ୍ରତିଶ୍ରୁତି ନୁହଁ, ତଦନୁରୂପ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲା । ମାତ୍ର, ଏବେ ପରିସ୍ଥିତି ଜଟିଳ ମନେ ହେଉଚି । ସେ ଦେଖୁଚି, ଗୁରୁଜୀ ଶିବ ପରିଡ଼ାଙ୍କର ଆବିର୍ଭାବ ଘଟିଚି ସମସ୍ତ ଘଟଣାକ୍ରମରେ । ସେ ବାଧକ ସାଜୁଚନ୍ତି । ସେ ଚିନ୍ତିତ ହେଲା । ହେଲେ ସେ ସଠିକ୍ ଜାଣିନଥିଲା, ରଘୁବାବା କାଇଁକି ବରଗଛ ମୂଳେ ଧ୍ୟାନ କଲାପରି ବସିଚି । ଯେତିକି ତଥ୍ୟ ତା ପାଖରେ ଥିଲା, ତାହା ସୁପରଭାଇଜରଙ୍କ ପରିବେଷିତ ଜ୍ଞାନ ।
“ନା, ଜାଣିନେଇଁ ସାର୍ ।” – ବାଇନ ଦାସ ପାଟିରୁ ସତ ବାହାରି ପଡିଲା ।
“ଚାଲୁନ ତାଙ୍କ ପାଖକୁ । ବୁଝିବା । କାଲି ସକାଳୁ ସେ ଗଛମୂଳେ ଧାରଣା ଦେଇଚନ୍ତି ।” – ପରାମର୍ଶ ଦେଲେ ଗୁରୁଜୀ ।
ସାମାନ୍ୟ ଉଚ୍ଚÿବାଚ ନକରି ଟୋକାଦଳ ଅଧାନେତା ବାଇନ ଦାସର ନେତୃତ୍ୱରେ ଗୁରୁଜୀଙ୍କୁ ଅନୁସରଣ କଲେ । ସେଇ ରାତିର ବିଳମ୍ବିତ ପ୍ରହରରେ ତାର ଅନୁଗତଙ୍କ ଦ୍ୱାରା ରଘୁବାବାକୁ ଗୋଟାପଣ ଟେକି ଦେଇ ନଈ ବାଲିରେ ଫୋପାଡ଼ି ଦେବା ଯୋଜନାଟି ତାର ବେକାର ଯିବ ବୋଧେ ।
ସମୁଦାୟ ଘଟଣାକ୍ରମଟି ସଂକ୍ଷେପରେ ଏଇପରି:
ଫି ବର୍ଷ ବୈତରଣୀ ନଈରେ ବନ୍ୟା ଆସିବା ଥିଲା ଏକ ଧରାବନ୍ଧା ଘଟଣା । ଗୋଟେ ଗୋଟେ ବର୍ଷ ଲଗାତର ଦୁଇ ତିନୋଟି ବନ୍ୟା ଆସିବାର ଦେଖାଯାଇଚି । ଇମିତି କୋଉବର୍ଷ ନାଇଁ, ଯେବେ ନଈ ଦି’ତିନିଟା ମୁଣ୍ଡ ନ ନେଇଚି । ନଈ ମୁଣ୍ଡ ନେବା କଥା ଜନତା ଦେଖିୁଥିଲା, କିନ୍ତୁ କ’ଣ ଆଉ କରାଯିବ ? ନଈ ପାଣିକୁ ବଳ କାହାର । ଡଙ୍ଗା ଏକ ମାତ୍ର ଭରସା । ପାଞ୍ଚ ବର୍ଷ ତଳେ ଏପରି ଏକ ଘଟଣା ଘଟିଲା, ଯାହା ସାରା ରାଜ୍ୟର ମଞ୍ଜ ଥରେଇ ଦେଲା । ଗୋଟେ ଡଙ୍ଗା ବୁଡ଼ି ହେଲା । ଏକାଥରେ ଛବିଶଜଣ ଗାଉଁଲି ଲୋକଙ୍କର ସଲିଳ ସମାଧି ହେଲା । ଭୁବନେଶ୍ୱରରୁ ଧାଇଁ ଆସି ଘଟଣାସ୍ଥଳରେ ପହଞ୍ଚôବାକୁ ରାଜ୍ୟ ମୁଖ୍ୟଙ୍କୁ ତର ସହିଲାନି । ପ୍ରବଳ ଜନ ଗହଳି ଭିତରେ ସେ ଢେର୍ ଆହା ଚୁ ଚୁ କଲେ । ଗାଲିହସ ହସି ଦେଇ ସେ ଘୋଷଣା କଲେ, ସେଇଠି ଦୁର୍ଘଟଣା ସ୍ଥଳରେ ନଈ ଉପରେ ପୋଲ ତୟାର ହବ । ଘୋଷଣା ତାଙ୍କର ସହସା କାର୍ଯ୍ୟକାରୀ ହେଲା । ପୋଲ ତୟାର ଇତିମଧ୍ୟରେ ଚଉଦଣା ଶେଷ ହୋଇଚି । ବାକି ରହିଚି ପୋଲର ଉତ୍ତର ମୁଣ୍ଡରୁ କଣ୍ଡିଆ ମଧ୍ୟ ଦେଇ ନଈ ଆରପାରି ଗାଁ ପର୍ଯ୍ୟନ୍ତ ସଂଯୋଗ ସଡ଼କ ।
କଣ୍ଟ୍ରାକ୍ଟର ବିଦେଶୀ । ଆନ୍ଧ୍ରର ସି.ନାଗୀ ରେଡ୍ଡୀ । ବଡ଼ ଏବଂ ବିରାଟ ।
ଦିନକର କଥା । ଜଣେ ଯନ୍ତ୍ରୀ, ଅମିନ, ଚେନ୍ ମେନ୍ ଓ ଶ୍ରମିକଙ୍କ ଗହଣରେ ଆସି ପହଞ୍ଚôଗଲେ କଣ୍ଡିଆରେ । ପୋଲର ଉତ୍ତର ମୁଣ୍ଡରୁ ମଣିନାଥପୁର ପର୍ଯ୍ୟନ୍ତ ଅଠରଫୁଟ ଉଚ୍ଚÿତାର ସଡ଼କ ନିର୍ମାଣ ହେବ । ମାପଚୁପ ହେଲା । ସଡ଼କ ପାଇଁ ସୀମା ନିର୍ଦ୍ଧାରଣ କରି ନାଲି ପତାକା ପୋତି ଦିଆଗଲା । ସୁପରଭାଇଜରକୁ ଚିହ୍ନେଇ ଦିଆଯାଇ କୁହାଗଲା ଏତିକି ଭାଗ ମାପରେ ଏତିକି ଓସାର ଏତିକି ଉଞ୍ଚର ସଡ଼କ ତୟାର କର । କାମ ସାର ଦୁଇମାସ ଭିତରେ । ବର୍ଷା ସିଜିନ୍ ପୂର୍ବରୁ । ଜଲ୍ ଦି ।
ଅସଲ କଥା ହେଲା, ଅଲେଖିଆ ବାବାଜୀ ରଘୁବାବାଙ୍କ ମଠ ପରିସରରୁ ଅନ୍ଦାଜ ଅଧା ଜାଗା ବାହାରିଗଲା ସଡ଼କ ପାଇଁ । ରଘୁବାବା ଆପତ୍ତି କଲାନାଇଁ । କାଇଁକି କରିଥାନ୍ତା? ସଡ଼କ ହବ । ଲୋକେ ପୋଲ ଦେଇ ଗତାଗତ କରିବେ । ଭଲ କଥା । ତା’ଛଡ଼ା ଅନାବାଦି ଜାଗା । ମଠର ସମ୍ପତ୍ତି ନୁହଁ ।
ମଠ ପରିସରରେ ଆମ୍ବ, ପଣସ, ପିଜୁଳି, ନଡ଼ିଆ ଆଦି ଗଛ ପୋତି ସେ ପରିସରଟିକୁ ତୋଟା ସଦୃଶ କରିଦେଇଥିଲେ । ଗଛ ଗୁଡିକ ପାଣିମାଡ଼ ସହି ତିଷ୍ଠିଥିଲେ ଏବଂ ପା’ଭାଗ ଖୁଣ୍ଟ ମୋଟର ହେଇ ମଥା ଉଞ୍ଚାକରିଥିଲେ ଓ ତେଲାଣ୍ଟିଆ ଦିଶୁଥିଲେ । କେତୋଟି ନଡ଼ିଆ ଗଛ ଚାପିଥିଲେ ମଧ୍ୟ । କୁଆଡୁ କୁଆଡୁ ଚଢ଼େଇ ଆସି ଅଲେଖିଆ ତୋଟାକୁ ଅଭୟସ୍ଥଳ ମନେକରି ମଉଛବ କରୁଥିଲେ । ଉଡ଼ିଯାଉଥିଲେ ଓ ଫେରୁଥିଲେ । ବସା ଗଢୁଥିଲେ ଓ ଭାଙ୍ଗୁଥିଲେ । ରଘୁବାବାଙ୍କୁ ଜଣେ ଭରସାଯୋଗ୍ୟ ମଣିଷ ଭାବେ ବିଚାରି ନିର୍ଭୟ ହଉଥିଲେ । ଚଢ଼େଇଙ୍କ ବାଦ ନେଉଳ କେତୋଟି ଥିଲେ ପରିସରର ବାସିନ୍ଦା । ବାଲିଆ ଘାସ ଉପରେ ସମୟାନ୍ତରେ ସାଜନ ଭାଙ୍ଗୁଥିଲେ ଓ ଦିଲଛେଚା ହେଇ ବୁଲୁଥିଲେ । ଗଛ ମୂଳ ବାଲିଆ ମାଟିରେ ଗାତ ସେମାନଙ୍କ ଘର । ଏଇମାନେ ହିଁ ରଘୁବାବାର ପରିବାର ।
ପରିସରର ଠିକ୍ ମଝାମଝି ଥିଲା ଅଲେଖ କୁଣ୍ଡ । ସବୁବେଳେ ଧୂଆଁ ଉଠୁଥିଲା ସେଥିରୁ । କୁଣ୍ଡ ପାଖରେ ସେ ଯେତେବେଳେ ଉଦୟ ଓ ଅସ୍ତ ସୂର୍ଯ୍ୟଙ୍କୁ ପ୍ରଣାମ ହଉଥିଲେ, ଆସନ କରୁଥିଲେ ଓ ଖଞ୍ଜଣି ବାଡ଼େଇ ଅଲେଖ ଭଜନ ଗାଉଥିଲେ, ରଘୁବାବାଙ୍କ ମନେ ହେଉଥିଲା ତାଙ୍କର ସେମନ୍ତ ଉପାସନାର ଦର୍ଶକ ହେଉଚନ୍ତି ଚଢ଼େଇ ଓ ନେଉଳମାନେ । କେତେକ ଭକ୍ତ ଓ ଦେଖଣାହାରୀଙ୍କୁ ଅବଶ୍ୟ ସକାଳେ ସଞ୍ଜ ଦେଖିବାକୁ ମିଳୁଥିଲା, ତେବେ ସେମାନେ ଥିଲେ ସାମୟିକ ।
ଏବେ ଯେଉଁଠି ଅଲେଖ କୁଣ୍ଡ ଅଛି, ଦଶବର୍ଷ ତଳେ ସେଠି ନଥିଲା । ଥିଲା ଏକପାଖିଆ ଗୋଟେ ଛିଟାଣିକୁ । କୁଣ୍ଡକୁ ମଝିକୁ ଉଠେଇ ଅଣାଗଲା ପରେ ପୁରୁଣା କୁଣ୍ଡଟି ପରିତ୍ୟକ୍ତ ହୋଇଗଲା । କାଳକ୍ରମେ ଅରମାବୁଦା ଉହାଡ଼ରେ ଲୁଚିଗଲା କୁଣ୍ଡଟି । ହଠାତ୍ ଦିନେ ରଘୁବାବା ଦେଖିଲେ ସେଇ ପୁରୁଣା କୁଣ୍ଡରେ ଉଠିଚି ଏକ ବରଗଛ । ସେ ଲଗେଇ ଯନô ନେଉଥିବା ଗଛ ମାନଙ୍କଠୁ ଛାଁକୁ ଛାଁ ଉଠିଥିବା ବରଗଛଟି ସାଇଁ ସାଇଁ ବଢୁଥିବାର ସେ ଲକ୍ଷ୍ୟକଲେ । ତାଙ୍କ ଅନ୍ତରାତ୍ମା କହିଲା ଗଛଟି ଦିବ୍ୟତାର ସନ୍ତକ । ସେ ଖୁସି ହେଲେ । ଅବିକାକୁ ସେଇ ଗଛ ଏକ ଦ୍ରୁମ – ଓହଳମାନଙ୍କ ଠେସ ଦ୍ୱାରା ଖୁବ୍ ଦମ୍ଭିଲା । ଚାରିପଟେ ଚଉଖୁଣ୍ଟିଆ ପଥର ବିଛେଇ ମଣିଷ ବସି ପାରିଲାମିତି, ଏକ ପିଣ୍ଡି ସେ ତୟାର କରିଦେଇଚନ୍ତି । ତାରି ଉପରେ ବସି ସେ ଧ୍ୟାନ କରନ୍ତି । ବରଗଛକୁ ଶୂନ୍ୟପୁରୁଷଙ୍କ ସାକାରରୂପ ମନେକରି ପୂଜା କରନ୍ତି ।
ଗଲା ସପ୍ତାହ ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଥିଲା । ଅସୁବିଧା ସୃଷ୍ଟି ହେଲା, ଯେତେବେଳେ ସଡ଼କ ତିଆରି ପାଇଁ ନାଲିପତାକା ପୋତି ଦିଆଗଲା । ରଘୁବାବା ଜାଣିଗଲେ ଗୁଡ଼ିଏ ଗଛ କଟା ହେବ । ହେଲା ମଧ୍ୟ । ବାବାଙ୍କ ହାତ ଆଉଁଶା ପାଇ ଯେଉଁ ଗଛଗୁଡିକ ଫୁଲି ଫୁଲି ଉଠୁଥିଲେ, ସେଗୁଡିକୁ ଲୋକ ଲଗେଇ ସୁପରଭାଇଜର କଟେଇ ଦେଲା । ରଘୁବାବାଙ୍କ ମନରେ ପ୍ରଚଣ୍ଡ ଦୁଃଖ ହେଲା । ହେଲେ କ’ଣ ଆଉ କରାଯିବ! ସଡ଼କ ତ ଲୋକଙ୍କର ନିହାତି ଦରକାର । ଲୋକଙ୍କ ପାଇଁ କିଛି ଗଛ ବଳି ପଡିଲେ କ୍ଷତିନାଇଁ – ସେ ନିଜକୁ ବୁଝେଇଲେ ।
ଏତେକଥା ଭିତରେ ଗୋଟେ କଥା ରଘୁବାବାଙ୍କୁ ଖୁସି ଦଉଥିଲା । ଯେ – ବରଗଛଟି ହଣାରୁ ବର୍ତ୍ତି ଯାଇଥିଲା । ନାଲି ପତାକା ସୀମାଠୁ ଚାରି ହାତରୁ କମ୍ ଦୂରତାରେ ରହିଥିଲା ଗଛଟି । ବଳି ପଡିବାରୁ ରିହାତି ପାଇଥିଲା ।
ତିନିଦିନ ତଳେ । ସକାଳ । ସେଇ ମାତ୍ର ରଘୁବାବାଙ୍କର ସୂର୍ଯ୍ୟ ନମସ୍କାର ଓ ଜଣାଣ ସରିଚି । ସେ ବସିଚନ୍ତି ଗଛ ତଳେ, ପଥର ପିଣ୍ଡି ଉପରେ । ଜଣେ ଲୋକ ଆସି ବାବାଙ୍କୁ ଜୁହାର ହେଇ ତାକୁ ସୁପରଭାଇଜର ପଠେଇଚନ୍ତି ବୋଲି କହିଲା । ଏବଂ ସିନ୍ଦୂର ବୋଳା ଗଛଗଣ୍ଡି ଓ ନାଲିଆ ବେଢ଼ାଣକୁ ବାରବାର ଚାହିଁଲା ।
“କାହିଁକି ପଠେଇଚନ୍ତି?” – ରଘୁବାବା ପଚାରିଲେ, “କିଛି ଖାସ୍ କାମ?”
ଲୋକଟି କୁନ୍ଥୁ କୁନ୍ଥୁ ହେଲା ଅବଶ୍ୟ ତେବେ ସ୍ପଷ୍ଟ କହିଲା- ବାବୁ ପଠେଇଲେ ତୁମକୁ ଜଣେଇବାକୁ ।
– କୋଉ କଥା?
“ଏଇ ବରଗଛଟି କଟାହେବ ।”
– କାଇଁକି? ସଡ଼କ ସୀମା ଭିତରେ ତ ପଡୁନାଇଁ ।
“ମୁଁ କହିପାରିବିନି । ସେ ମତେ ପଠେଇଲେ ଜଣେଇ ଦବାକୁ ।” – ଗଛ ଆଡେ ଚାହିଁ ସେ ପୁଣି କହିଲା, “ଠାକୁର ଗଛ । ନହାଣିଲେ ଚଳନ୍ତା । ବାବା, ତୁମେ ସୁପରଭାଇଜରଙ୍କୁ ଦେଖାକର ।” ଲୋକଟି ବରଗଛକୁ ଆଉଥରେ ଜୁହାର ହୋଇ ଚାଲିଗଲା ।
ରଘୁବାବାଙ୍କ ମୁଣ୍ଡରେ ବଜ୍ର ପଡିଲା ଯେମିତି । ସେ ସାଙ୍ଗେ ସାଙ୍ଗେ ଉଠିଲେ । ପହଞ୍ଚôଗଲେ ସୁପରଭାଇଜର ପାଖରେ । ତାଙ୍କୁ ଦେଖୁ ଦେଖୁ ସୁପରଭାଇଜର କହିଲା, “ବାବା, ତୁମର ଠାକୁର ଗଛଟିକୁ ରକ୍ଷାକରି ହେଉନି । ଦୁଃଖିତ ।”
– କାଇଁକି ବାବୁ । ଗଛଟି ସଡ଼କ ସୀମା ବାହାରେ ଅଛି ।
“ସଡକର ସୀମା ବାହାରେ ଅଛି ଠିକ୍, କିନ୍ତୁ ସଡକର ଗଡ଼ାଣି ମାନେ ସ୍ଲୋପ ବରଗଛ ସେପଟ ପର୍ଯ୍ୟନ୍ତ ଚାଲିଯିବ । କାଳେ ଇଞ୍ଜିନିୟରି ପାଠ କହୁଚି, ବରଗଛର ଶିଅ ସଡ଼କକୁ ଫଟେଇ ମେଲା କରିଦବ ।” ସୁପରଭାଇଜର କହିଲା ।
ରଘୁବାବା କାନ୍ଦ କାନ୍ଦ ହେଲେ । କହିଲେ, “ଯେଉଁ ବାଟେ ହେଉ ବରଗଛକୁ ରକ୍ଷାକରନ୍ତୁ । ବାବୁ, ମୋ ପାଇଁ ଗଛଟି ହେଉଚି ଶୂନ୍ୟପୁରୁଷ ।”
ସୁପରଭାଇଜର କିଛି ଭାବିଲେ । କହିଲେ, “ମୁଁ ମାଲିକଙ୍କୁ ପଚାରିବି । ସବୁ କଥା କହିବି । କ’ଣ କହିଲଟି – ହଁ, ଶୂନ୍ୟପୁରୁଷ କଥା କହିବି । ତୁମେ ମୋତେ କାଲି ଦେଖାକର ।” ସେ ରଘୁବାବାଙ୍କ ମନକଥା ବୁଝିଲାପରି ମନେହେଲେ ।
ସେଇ ରାତିରେ ଶୋଇପାରିଲେନି ରଘୁବାବା । ତୁମେ ସତରେ ଚାଲିଯିବ ଶୂନ୍ୟପୁରୁଷ! ପ୍ରାୟ ଶହେ ପାଖାପାଖି ଗଛ ଚାଲିଯାଇଥିଲେ, ସେତେ ଦୁଃଖ ହୋଇନଥିଲା, କାଇଁକିନା ଜନତାର ମଙ୍ଗଳ ସେଥିରେ ନିହିତ ଥିଲା । ମାତ୍ର ତୁମେ! ତୁମେ ଆପକୁ ଆପ ଆସିଚ । ସଡ଼କ ତିଆରିରେ ବାଧକ ତୁମେ ନୁହଁ । କାହିଁକି ତେବେ ଏପରି ଯୁକ୍ତି! ତେଲୁଗୁ ମାଲିକ ରାଜି ହୋଇଯାଆନ୍ତା କି! ହଁ, ବୁଢ଼ା ବାବାଜୀଟିଏ ତୁମକୁ ପୂଜା କରୁଚି ବୋଲି ସେ ନିଶ୍ଚିତ ଶୁଣିବେ । ଶୁଣିଲେ ନିଶ୍ଚେ ନିଷ୍ପତ୍ତି ବଦଳେଇବେ । ଏଇପରି ଅସ୍ତି ଓ ନାସ୍ତି ସୂଚକ ଚିନ୍ତା ତାଙ୍କୁ ରାତି ତମାମ କାବୁକରି ରଖିଲା । ରାତି ପାହିଲା । ସେ ଉଠିଲେ ଓ ସୂର୍ଯ୍ୟ ନମସ୍କାର କଲେ । ସୂର୍ଯ୍ୟଙ୍କୁ ଗୁହାରି କଲେ- ଆଖି ଦେଖା ଠାକୁର ତୁ । ତୁଇ ବରଗଛକୁ ରକ୍ଷାକର । ବରଗଛ ତଳେ କିଛି ସମୟ ଧ୍ୟାନରେ ସେ ବସିଲେ । ଧ୍ୟାନ ଠିକ୍ରେ ହୋଇପାରିଲାନି । ସେ ଉଠିଲେ । ଚାଲିଲେ ସୁପରଭାଇଜର ପାଖକୁ ।
“କାହିଁକି ଆସିଲେ?” – ଦେଖୁଦେଖୁ ସୁପରଭାଇଜର କହିଲା, କେମିତିକା ଗୋଟେ ଗଳାରେ ।
– ତୁମେ କହିଥିଲ ପରା ।
“କହିଥିଲି? ଆଚ୍ଛା । କ’ଣ କହୁଥିଲଟି – ହଁ ଶୂନ୍ୟପୁରୁଷ – ତାକୁ ବଞ୍ଚେଇ ହବନି । ମାଲିକଙ୍କ ନିଦେ୍ର୍ଦଶରେ ମୁଁ କାମ କରିବି ନା ନାହିଁ ? ସେଇ ଶୂନ୍ୟପୁରୁଷ ଗଛଟାକୁ ହଟା – ସେ କହିଲେ । ମତେ ପଚାରୁଥିଲେ ଶୂନ୍ୟପୁରୁଷ କିଭଳିଆ ଗଛ । ହଉ ତୁମେ ଗୋଟେ କାମ କର ବାବା । ନୂଆ ଗୋଟେ ଗଛ ପୋତିଦିଅ । ବର୍ଷ ପାଞ୍ଚଟା କଥା । ବୁଝିଲ? ଯାଆ ।” – ସେ ଉପସ୍ଥିତ ଶ୍ରମିକ ନେତାକୁ ସଡ଼କ କାମ ସଂପର୍କରେ କିଛି କହିଲା ଓ ବରଗଛ ହାଣିବାକୁ ନିଦେ୍ର୍ଦଶ ଦେଲା ।
ରଘୁବାବାଙ୍କୁ ରକ୍ତ ପ୍ରବାହ ବନ୍ଦ ହେଲା ଭଳି ଲାଗିଲା । ତେବେ ଖୁବ୍ଶୀଘ୍ର ସେ ଦୃଢ଼ ହେଲେ । କହିଲେ – ଶୁଣବାବୁ, ଏବେଠାରୁ ମୁଁ ଗଛ ମୂଳେ ବସିରହିବି । ତୁମର କୁରାଢ଼ି ଚୋଟ ମୋତେ ଆଘାତ ନକରି ଗଛ ଦିହରେ ବସିପାରିବନି ।
– ତା’ମାନେ ଧାରଣା ଦେବ?
“ଧାରଣା କ’ଣ ମୁଁ ଜାଣେନା । ପହିଲୁ ମତେ ହାଣ । ତାପରେ ଗଛ ହାଣିବ । ଗଛ ସହ ମୁଁ ଚାଲିଯାଏ ।” – ରଘୁବାବା ଫେରି ଆସିଲେ ।
“ଏଇ ଧେଡ଼ିଆ ବାବାଜୀର ଗଉଁ ତ କମ୍ ନୁହଁ? ଆଚ୍ଛା ଦେଖିବା” – ସେ ବରବର ହେଲେ ଓ ବାଇନ ଦାସକୁ ଡକେଇ ପଠେଇଲେ । ଭିତିରି ବୁଝାମଣା ସେମାନଙ୍କ ଭିତରେ କ’ଣ ହେଲା ଜଣାନାଇଁ ।
ସେଇ ମୁହୂର୍ତ୍ତରୁ ରଘୁବାବା ଓ ବାଇନ ଦାସ ଯେଝା ଢଙ୍ଗରେ କାର୍ଯ୍ୟକରି ଚାଲିଚନ୍ତି । ରଘୁବାବା ବରଗଛମୂଳେ ନିରବରେ ଧାରଣା ଦେଇଥିବା ବେଳେ ବାଇନ ଦାସ ନିଜ ଅନୁଚରମାନଙ୍କୁ ନେଇ ରଘୁବାବାଙ୍କ ବିରୋଧରେ ଲୋକମତ ଯୋଗାଡ଼ କରୁଚି ।
ଇତିମଧ୍ୟରେ ଘଟଣା କ୍ରମରେ ଗୁରୁଜୀ ଶିବ ପରିଡ଼ାଙ୍କ ପ୍ରବେଶ ବହୁତ କିଛି ଗୋଳମାଳ କରିଦେଇଥିଲା । ରଘୁବାବା ବସିଥିଲେ ଚକାପାରି ଗଛ ମୂଳେ । ସେ ନୀରବ ।
ଅଧାନେତା ବାଇନ ଦାସ ଓ ତା’ର ଟୋକାଦଳ ଏବଂ ଗୁରୁଜୀ ଅଲେଖ ମଠ ପରିସରରେ ପ୍ରବେଶ କଲେ । ବରଗଛ ନାଲି ବେଢ଼ାଣ ଓ ସିନ୍ଦୂର ପିନ୍ଧି ଦିଶୁଥାଏ ଦେବୀଟିଏ ପରି । ଫଡ୍ଫଡ୍ ହଉଥାଏ ଦୁଇ ପାପୁଲିଠୁ ବଡ ଆକାରର ତେଲାଣ୍ଟିଆ ପତ୍ର ଓ ସରୁ ସରୁ ଡାଳ । ଚଢ଼େଇମାନେ ନଥିଲେ କି ନେଉଳମାନଙ୍କର ଦେଖାନଥିଲା । କୁଆଡ଼େ ଗଲେ କେଜାଣି? ରଘୁବାବା ବସିଥାନ୍ତି ଚକାପାରି । ପ୍ରାୟ ଗଛକୁ ଲାଗି ।
ଗୁରୁଜୀ ବରଗଛକୁ ଜୁହାର ହବା ପରେ ବସିଗଲେ ପଥର ପିଣ୍ଡି ଉପରେ । ତାଙ୍କ ଦେଖାଦେଖି ବାଇନ ଦାସ ଗଛକୁ ଜୁହାର ହେଲେ । ନେତାଙ୍କ ଦେଖାଦେଖି ଟୋକାମାନେ । ସଭିଁଏ ବସିଲେ ଭୂଇଁ ଉପରେ ।
ଆଜି ରଘୁବାବାଙ୍କ ଧାରଣାର ଦ୍ୱିତୀୟ ଦିନ । ଅଣସ୍ତରୀ ବର୍ଷ ବୟସ୍କା ମାତାଜୀ ନୀଚା ଛଣଘର ପିଣ୍ଡାରେ ବସି ଜୁଳୁ ଜୁଳୁ ଚାହିଁ ରହିଥାନ୍ତି । ସେ ଦେଖୁଥାନ୍ତି କିନ୍ତୁ ବୁଝିପାରୁନଥାନ୍ତି କିଛି । ତାଙ୍କର ଅନୁମାନ ବାବା ଅଖଣ୍ଡଧ୍ୟାନରେ ବସିଚନ୍ତି । ବିଗତ ଘଟଣାକ୍ରମ ସମ୍ପର୍କରେ କାଲୁଣୀ ମାତାଜୀ କେମିତି ବା ଜାଣନ୍ତେ!
ରଘୁବାବା ଦେଖୁଥିଲେ ଗୁରୁଜୀ ଓ ଟୋକାଦଳେ ଆସି ଗଛ ତଳେ ବସିଲେ । ସେ କିଛି କହିଲେ ନାଇଁ । ଗୁରୁଜୀ କ’ଣ କହିବେ କହିବେ ହେଇ କିଛି କହିପାରୁନଥିଲେ । ବାଇନ ଦାସ ଓ ଟୋକାଦଳ ଥିଲେ ଚୁପ୍ ।
ଟ୍ରକ୍ଗୁଡ଼ିକର ଘାଡୁଘାଡୁ ଶବ୍ଦ ଥିଲା ଅବିରାମ । ମାଟି ଓ ମୋରମ ପଡ଼ିବାର ଦୁର୍ଭୁଷ ଶବ୍ଦ ଥିଲା ଯଥାରୀତି । ସଡ଼କ ତିଆରି କାମ ଆଗେଇ ଚାଲିଥିଲା । ଖରା ଟାଣ ହେଲାଣି ।
ଅଧାନେତା ବାଇନ୍ ଦାସ ଚାହିଁରହିଥିଲା ରଘୁବାବାଙ୍କ ଦାଢ଼ିଆ ମୁହଁକୁ । ସେ ମୁହଁଟି କେମିତି କଠୋର ଦିଶୁଥିଲା । ସତେବା ପ୍ରଚଣ୍ଡ ଶକ୍ତି ନିର୍ଗତ ହେଉଥିଲା ସେ ମୁହଁରୁ । ସେ ବେଶୀ ସମୟ ଚାହିଁ ପାରିଲାନି । ଦୃଷ୍ଟି ବଦଳେଇଲା ବରଗଛ ଆଡ଼େ । ବରଗଛ ପିନ୍ଧିଚି ନାଲି ବେଢ଼ାଣ । ସିନ୍ଦୂର ଜକ ଜକ କରୁଚି ଗୋଟେ ଥାନରେ । ତାକୁ ଲାଗିଲା, ସେ ଠାକୁରାଣୀଙ୍କୁ ଦେଖୁଚି । ହଁ, ବରଗଛ ହିଁ ଠାକୁରାଣୀ । ଅନେକ କିଛି ଏପଟ ସେପଟ ହୋଇଯାଉଥିଲା ତା’ ଭିତରେ ।
ରଘୁବାବାଙ୍କୁ ବରଗଛ ମୂଳୁ ହଟେଇବାର ପଥ ପରିଷ୍କାର କରିବା ପାଇଁ ସେ ସୁପରଭାଇଜରକୁ କଥା ଦେଇଚି । ତା’ର ଟୋକାମାନଙ୍କୁ ସେ ସଂଘବଦ୍ଧ କରି କାଲି ରାତିରେ ସେମାନଙ୍କୁ ଖିଆ ପିଆରେ ମସ୍ତି କରେଇଚି । ବାବାଜୀ ବୁଢ଼ାକୁ ଟେକିନେଇ ଦୂରରେ ଫୋପାଡ଼ି ଦେବାକୁ ସେ ଖୋଲା ନିଦେ୍ର୍ଦଶ ଦେଇଚି । ମାତ୍ର ଇଏ କ’ଣ? ରଘୁବାବାଙ୍କ ଆଖିକୁ ମୁହଁକୁ ସେ ଚାହିଁ ପାରୁନି କାହିଁକି? ବାବାଜୀକୁ କ’ଣ ଉଠେଇ ନେଇହବ! ଏଇପରି କାମ ଅତୀତରେ ସେ କେତେ କରିଚି । କିନ୍ତୁ ଆଜି କାହିଁକି ସେ ନିଜକୁ ଶକ୍ତିହୀନ ମନେକରୁଚି? ସେ ଚାହିଁଲା ତା ଅନୁଚର ଟୋକାମାନଙ୍କୁ । ସେମାନଙ୍କ ମୁହଁରେ ସେ ପଢ଼ିଲା କାକୁସ୍ଥ ଭାବ । ତା’ମାନେ ସେମାନେ ମଧ୍ୟ ତାପରି… । ସମୟ ବିତିଚାଲିଥିଲା ।
ରଘୁବାବା ଗଲା କାଲିରୁ ଅସହାୟ ହୋଇ ବରଗଛ ମୂଳେ ବସିଥିଲେ । ଭାବନାରେ ତାଙ୍କର ଏକ ହିଁ ଜଣାଣ- “ତୁ ବୃକ୍ଷ ଦେବତା । ତୁ ଶୂନ୍ୟପୁରୁଷ । ତୁ ସାକାର ଓ ନିରାକାର । ଏଇ ଅଧମ ପାରିଲାନାହିଁ । ତୁ ନିଜେ ନିଜକୁ ରକ୍ଷାକର ।” ସେ ଅନ୍ତର ମଧ୍ୟରେ କାନ୍ଦୁଥିଲେ ।
ଆଜି ବଡି ଭୋ’ରୁ ସୂର୍ଯ୍ୟ ନମସ୍କାର ଉତ୍ତାରୁ ସେ ଧ୍ୟାନରେ ବସିଥିଲେ । ତାଙ୍କୁ ଶୁଭାଗଲା କେହି ଜଣେ କେଉଁଠି କିଛି କହୁଚି । ସେଇ ଗୋଟିଏ କଥାକୁ ସେ ଶୁଣିଲେ କେଇବାର ।
…କାଇଁକି ମନ ଊଣା କରୁଚୁ ? ତୁ ଯେଉଁ ଗଛଗୁଡ଼ିକୁ ନିଜେ ପୋତିଥିଲୁ, ବଢ଼େଇଥିଲୁ, ରଖିପାରିଲୁ? ମୋତେ ତ ତୁ ପୋତିନୁ । ମୁଁ ଆପେ ଆପେ ଆସିଚି । ମୋତେ କେହି ଜୋରକରି ହଟେଇ ପାରିବେନି ।
କିଏ କହିଲା? ବୃକ୍ଷଦେବତା! ଶୂନ୍ୟପୁରୁଷ!! ନା ମୋ ନିଜର ଚିନ୍ତାନୁରୂପ କଥାଗୁଡିକ ମୋତେ ଶୁଭିଯାଇଚି? ଦ୍ୱନ୍ଦ୍ୱ ଆସିଲା ରଘୁବାବାଙ୍କ ମନରେ । ଏଇପରି ଦ୍ୱନ୍ଦ୍ୱରେ ଥିବା ଅବସ୍ଥାରେ ସେ ପୁଣି ଶୁଣିଲେ ତୋର- ସନେ୍ଦହ ଆସୁଚି, ନୁହଁ? ନା, ସନେ୍ଦହ ମନକୁ ଆଣେନା । ମୁଁ ଯାଉନି…
ଆଜି ସକାଳର ଧ୍ୟାନସ୍ଥ ଅବସ୍ଥାରେ ଶୂନ୍ୟବାଣୀକୁ ସେ ତର୍ଜମା କରି ଲାଗିଲେ ମନ ମଧ୍ୟରେ । ସେ ଖୁବ୍ ଆନମନା ହୋଇ ଉଠିଲେ । ସେଇ ଅବସ୍ଥାରେ ହିଁ ସେ ଦେଖିଲେ ଗୁରୁଜୀ ଓ ଅନ୍ୟମାନେ ଆସି ଗଛତଳେ ବସିଲେ । ଭାବଭୋଳ ଅବସ୍ଥାରେ ଥିବାରୁ ସେ କିଛି କହିପାରିନଥିଲେ । କେତେବେଳେକେ ସେ ପ୍ରକୃତିସ୍ଥ ହେଲେ । ଆରେ ଗୁରୁଜୀଙ୍କୁ ସେ ପର୍ଯ୍ୟନ୍ତ ସେ କିଛି କହିନାହାଁନ୍ତି ।
“ଗୁରୁଜୀ… ।” – ରଘୁବାବାଙ୍କର ସ୍ୱର କ୍ଷୀଣ ।
– ହଁ ରଘୁବାବା ।
ପୁଣି ନିରବତା ।
– କିଛି କହିବ ବାବା!
“ଗୁରୁଜୀ, ଆଜି ବରଗଛ ହଣା ହବ । ଗଛ ସହ ମୁଁ ମଧ୍ୟ ହଣାରେ ଯିବି । ମୁଁ ଗଲାପରେ ଏଇ ପରିସରରେ ମୋତେ ପୋତିବ । ଗାଦିଟିଏ କରିବ । ତା’ ଉପରେ ବରଗଛଟିଏ ପୋତିବ । ପାରିବ ଗୁରୁଜୀ?” – ଗୁରୁଜୀଙ୍କୁ ଲାଗିଲା, ରଘୁବାବା ନୁହଁନ୍ତି, ତାଙ୍କ ମୁହଁରେ ଆଉ ଜଣେ କିଏ କହୁଚି ।
– “କାଇଁକି ସେପରି କହୁଚ ରଘୁବାବା?” ଗୁରୁଜୀଙ୍କ ଗଳା ଓଦା ।
ହଠାତ୍ ଘଟଣାଟିଏ ଘଟିଲା । ବାଇନ ଦାସ ହୁଦସ୍ ଠିଆହୋଇପଡିଲା । ତା’ର ଗଳା ଉଞ୍ଚା । କାଳେସି ଲାଗିଲା ପରି ସେ ଦୋହରେଇ ଚାଲିଲା – ନା, ଗଛ ହଣାଯାଇ ପାରିବନି । କଦାପି ନୁହଁ । ମୁଁ ହଣେଇ ଦେବି ନାହିଁ । ସୁପରଭାଇଜରକୁ ତା’ର ଟଙ୍କା ଫେରେଇ ଦେବି ।”
ସୁପରଭାଇଜର! ଟଙ୍କା ଫେରସ୍ତ!! ମାନେ?
ବାଇନ ଦାସ ଆଡ଼େ କେବଳ ଚାହିଁରହିଲେ ଗୁରୁଜୀ ଓ ରଘୁବାବା ।
ଇତିମଧ୍ୟରେ କେତେବେଳେ ସଡ଼କ ତିଆରି ବନ୍ଦ ହୋଇ ଯାଇଥିଲା । ଶ୍ରମିକମାନଙ୍କର ଦେଖାନଥିଲା । ଟ୍ରକଗୁଡିକ ହଲଚଲ ନହୋଇ ଯେଉଁଟା ଯେଉଁଠି ଯେଉଁ ଅବସ୍ଥାରେ ଥିଲା ସେଇଠି ଠିଆହୋଇ ରହିଥିଲା । ଏପରି କାହିଁକି ହେଲା? ଏଗାର ବାଜିନି, ଅଥଚ କାମ ବନ୍ଦ! ଆଶ୍ଚର୍ଯ୍ୟ!!
…ନା, ଗଛକଟା ଯାଇପାରିବନି । ମୁଁ କରେଇଦେବିନି । ଏଇଲାଗେ ମୁଁ ସୁପରଭାଇଜର ଟଙ୍କା ଫେରସ୍ତ ଦେବି… ମଠ ପରିସରରେ ନାଚିଲାଭଳି ବୁଲିବୁଲି କହୁଥିଲା ବାଇନ ଦାସ ।
“ନା, ଫେରେଇବାକୁ ପଡ଼ିବନି ବାଇନ ବାବୁ ।” – ସୁପରଭାଇଜର ମଠ ପରିସରକୁ ପଶୁଥିବାର ସମସ୍ତେ ଦେଖିଲେ ।
ହଁ, ସୁପରଭାଇଜର ଆସୁଥିଲେ । ମୁହଁରେ ଗାମ୍ଭୀର୍ଯ୍ୟ ନାହିଁ, ଚାଲିଲେ କ୍ଷୀପ୍ରତା ନାହିଁ । ମୁହଁରେ ଆତଙ୍କ ଫୁଟିଉଠୁଚି । ସତେବା ଚାଲିବାକୁ ତାଙ୍କୁ ବହୁତ କଷ୍ଟ ଉଠେଇବାକୁ ପଡୁଚି । ସେ ସିଧା ଆସି ବରଗଛକୁ ଜୁହାର ହେଲା । ତାପରେ ରଘୁବାବାଙ୍କୁ ଓ ଗୁରୁଜୀଙ୍କୁ । ସମସ୍ତେ ବିସ୍ମୟ ଚକିତ ।
“ମାଡାମ୍ କହିଲେ ମେନେଜରଙ୍କୁ । ମେନେଜର କହିଲେ ମୋତେ । ଗଛକଟା ବନ୍ଦକର ।” – ଏତିକି କହି ଆଉ ଯାହା ସେ ଯୋଡ଼ିଲେ ତା’ର ଯଥେଷ୍ଟ ଗୁରୁତ୍ୱ ଥିଲା । ସେ କହିଲେ, “ମାଲିକ ସି. ନାଗୀ ରେଡ୍ଡୀ ଏବେ ଡାକ୍ତରଖାନାରେ । ଚେତା ଫେରିନି । ଭୟଙ୍କର ସଡକ ଦୁର୍ଘଟଣା ।” ସେ ପୁଣିଥରେ ବରଗଛକୁ ଜୁହାର ହେଲେ ।
ମଥା ଉପରେ ଚେଁ ଚାଁ ଫଡ୍ଫଡ୍ ଶବ୍ଦ ହେଲାରୁ ରଘୁବାବା ଉପର ମୁହାଁ ହେଲେ । ଗୁଡାଏ ଚଢ଼େଇ ନିଜ ଭିତରେ କଥା ଭାଷାହବା ପରି ଗହଳି କରୁଥିଲେ । ଫେରିଆସିଥିଲେ ଚଢ଼େଇମାନେ ।
“ଦେଖ ତ ଗୁରୁଜୀ ।” – ରଘୁବାବା ଗଛ ଉପରକୁ ଇଙ୍ଗିତ କଲେ ।
“ଚଢ଼େଇ ମାନେ ଖୁସି ।” – ସଂକ୍ଷିପ୍ତ ମନ୍ତବ୍ୟ ଗୁରୁଜୀଙ୍କର ।
ଲୋକ ଗହଳିକୁ ଖାତିର ନକରି ନେଉଳଟିଏ ରଘୁବାବାଙ୍କ ଦିହରେ ଘଷିହେଇ ଚାଲିଗଲା । ଅଳ୍ପ ତଫାତ୍ରେ ପଛ ଗୋଡ଼ରେ ଠିଆହୋଇ ସ୍ଥିରଭାବେ ଚାହିଁରହିଲା । ରଘୁବାବା କହିଲେ- ଫାଜିଲ୍ । ଚଢ଼େଇ ଓ ନେଉଳ ଲେଉଟି ଆସିବାପରି ରଘୁବାବାଙ୍କ ମୁହଁକୁ ହସ ଲେଉଟି ଆସିଲା ।
‘ଶତାବ୍ଦୀ’, ନରଣପୁର, କୋଦଣ୍ଡପୁର
ଯାଜପୁର ଟାଉନ୍-୭
ମୋ:୮୨୪୯୬୯୩୩୦୮