ନୀଳାଚଳରେ ବିରାଜିତ ଦାରୁବ୍ରହ୍ମରୂପୀ ଚତୁର୍ଦ୍ଧା ବିଗ୍ରହଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥ ମହୋତ୍ସବ ହିଁ ସର୍ବଶ୍ରେଷ୍ଠ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ କରାଯାଇଛି । ପୁରାଣର ବର୍ଣ୍ଣନାନୁଯାୟୀ ସଂପୂର୍ଣ୍ଣ ରଥୋତ୍ସବକୁ ତିନି ଭାଗରେ ବିଭକ୍ତ କରାଯାଏ । ଯଥା- ଉତ୍ତରାଭିମୁଖୀ ଯାତ୍ରା, ଆଡପମଣ୍ଡପରେ ଅବସ୍ଥାନ ଏବଂ ଦକ୍ଷିଣାଭିମୁଖୀ ଯାତ୍ରା । ସାଧାରଣ ଭକ୍ତ ଜନତା ଶ୍ରୀଗୁଣ୍ଡିଚା ଯାତ୍ରାକୁ ରଥ ଓ ବାହୁଡ଼ା ଯାତ୍ରାରେ ସୀମିତ ବୋଲି ଭାବିଥାନ୍ତି । କିନ୍ତୁ ରଥ ମହୋତ୍ସବଟି ବାରଗୋଟି ଚରଣଯୁକ୍ତ ବା ପର୍ଯ୍ୟାୟ ଅଟେ । ତନ୍ମଧ୍ୟରେ (୧) ଶ୍ରୀପଞ୍ଚମୀ (ମାଘ ଶୁକ୍ଳ ପଞ୍ଚମୀ- ରଥ କାଠ ଅନୁକୂଳ ପୂଜା), (୨) ଚୈତ୍ର ଶୁକ୍ଳ ଅଷ୍ଟମୀ ଯୁକ୍ତ ନବମୀରେ ରଥକାଠ ଚିରା ଅନୁକୂଳ, (୩) ଅକ୍ଷୟ ତୃତୀୟା- ରଥ ନିର୍ମାଣ ଶୁଭାରମ୍ଭର ଅନୁକୂଳ ପୂଜା, (୪) ଜ୍ୟେଷ୍ଠ ପୂର୍ଣ୍ଣିମା- ରଥ ନିର୍ମାଣର ଚାରି ନାହାକା ସ୍ଥାପନ, ସ୍ନାନ ଯାତ୍ରା, (୫) ଆଷାଢ଼ କୃଷ୍ଣ ପ୍ରତିପଦାଠାରୁ ଆଷାଢ଼ ଅମାବାସ୍ୟା- ଅନବସର କାଳ, (୬) ଆଷାଢ଼ ଶୁକ୍ଳ ପ୍ରତିପଦାରେ ନେତ୍ରୋତ୍ସବ, (୭) ଆଷାଢ଼ ଶୁକ୍ଳ ଦ୍ୱିତୀୟା- ଶ୍ରୀଗୁଣ୍ଡିଚା ରଥଯାତ୍ରା, (୮) ଆଷାଢ଼ ଶୁକ୍ଳ ଷଷ୍ଠୀ- ହେରାପଞ୍ଚମୀ, (୯) ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ- ରଥର ଦକ୍ଷିଣମୋଡ଼ ଓ ନବମୀ ସନ୍ଧ୍ୟା ଦର୍ଶନ, (୧୦) ଆଷାଢ଼ ଶୁକ୍ଳ ଦଶମୀ- ବାହୁଡ଼ା ଯାତ୍ରା, (୧୧) ଆଷାଢ଼ ଶୁକ୍ଳ ଏକାଦଶୀ- ବଡ଼ ତଢ଼ାଉ ବେଶ (ସୁନାବେଶ), (୧୨) ଆଷାଢ଼ ଶୁକ୍ଳ ତ୍ରୟୋଦଶୀ- ନୀଳାଦ୍ରିବିଜେ । ସୁତରାଂ ଶ୍ରୀଗୁଣ୍ଡିଚା ମହୋତ୍ସବ ଶ୍ରୀପଞ୍ଚମୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।
ବାମଦେବ ସଂହିତାର ୧୬ ଅଧ୍ୟାୟସ୍ଥିତ ୨୮, ୨୯ ଶ୍ଳୋକରେ କୁହାଯାଇଛି ଯେ, ଉତ୍ତରାଭିମୁଖୀ ଯାତ୍ରାରେ ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗମନ କରୁଥିବା ବେଳେ ରଥରେ ବିରାଜମାନ କରିଥିବା ସଙ୍କର୍ଷଣରୂପୀ ଶ୍ରୀବଳଭଦ୍ର, ବାମନରୂପୀ ଶ୍ରୀଜଗନ୍ନାଥ ଓ ଭଦ୍ର ପ୍ରଦାୟିନୀ ଦେବୀ ସୁଭଦ୍ରାଙ୍କୁ ଯେଉଁମାନେ ବନ୍ଧୁବର୍ଗଙ୍କ ସହ ଦର୍ଶନ କରନ୍ତି ସେମାନେ ନିଶ୍ଚିତ ଭାବରେ ବୈକୁଣ୍ଠଲୋକକୁ ପ୍ରାପ୍ତ ହୁଅନ୍ତି, ଯେଉଁଠାରେ ପ୍ରତ୍ୟାବର୍ତ୍ତନ କରି ମନୁଷ୍ୟ ଏହି ଲୋକରେ ପୁଣି ଜନ୍ମଲାଭ କରିନଥାନ୍ତି । ବର୍ଣ୍ଣନା ଅଛି ଯେ, ଗୁଣ୍ଡିଚା ମଣ୍ଡପରେ ଏକ ସପ୍ତାହ ବ୍ୟାପୀ କାଳ ଅବସ୍ଥାନ କରିବା ସମୟରେ ଯେଉଁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି ସେମାନେ ପୂର୍ବ ସପ୍ତପୁରୁଷଙ୍କ ସହ ନିଜେ ବୈକୁଣ୍ଠ ଲୋକରେ ଚିରକାଳ ପର୍ଯ୍ୟନ୍ତ ନିବାସ କରିଥାନ୍ତି ।
ବୈଦିକ ମହୋତ୍ସବମାନଙ୍କରେ ରଥର ପ୍ରଚଳନ ଥିଲେ ହେଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାରମ୍ପରିକ ପ୍ରବାହ, ସାଂସ୍କୃତିକ ସୌରଭ, ଗଣପର୍ବର ଗୌରବ ଓ ବିଶ୍ୱାତ୍ମାବୋଧର ବୈଶିଷ୍ଟ୍ୟରେ ବୈଦିକ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତରିତ କରିପାରିଛି । ରଥଯାତ୍ରାର ଯେତେ ଗୁଡିଏ ନାମ ଆମର ଦୃଷ୍ଟିଗୋଚର ହୁଏ, ସେହିସବୁ ନାମ ତତ୍ତ୍ୱ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଗୁଡ଼ିକ ହେଲା- (୧) ଗୁଣ୍ଡିଚା ଯାତ୍ରା (୨) ଘୋଷଯାତ୍ରା (୩) ପତିତପାବନ ମହୋତ୍ସବ (୪) ଦଶାବତାର ଯାତ୍ରା (୫) ଦକ୍ଷିଣାଭିମୁଖୀ ଯାତ୍ରା, (୬) ଅନ୍ତର୍ବେଦୀ ମହୋତ୍ସବ (୭) ଆଡ଼ପ ଯାତ୍ରା (୮) ନବଦିନାତ୍ମକ ଯାତ୍ରା (୯) ଉତ୍ତରାଭିମୁଖୀ ଯାତ୍ରା ଇତ୍ୟାଦି ଅନ୍ୟତମ ।
ରଥ ନିର୍ମାଣ : ପବିତ୍ର ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିବସଠାରୁ ରଥାନୁକୂଳ ପୂଜା ହୋଇ ତିନିଗୋଟି ସୁଉଚ୍ଚ ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ତିନିଗୋଟି ରଥ ହେଉଛି ଷୋଳଚକ ବିଶିଷ୍ଟ ନନ୍ଦିଘୋଷ ରଥ, ଚଉଦଚକ ବିଶିଷ୍ଟ ତାଳଧ୍ୱଜ ରଥ, ୧୨ଚକ ବିଶିଷ୍ଟ ଦର୍ପଦଳନ ବା ଦେବଦଳନ ରଥ । ରଥତ୍ରୟ ନିର୍ମାଣର ଇଷ୍ଟଦେବୀ ହେଉଛନ୍ତି ଶ୍ରୀନହର ସମ୍ମୁଖସ୍ଥ ମା’ ଚର୍ଚ୍ଚିକା ଦେବୀ । ଅର୍ଥାତ୍ ମା’ ଚର୍ଚ୍ଚିକାଙ୍କ ଆଜ୍ଞାରେ ହିଁ ଶିଳ୍ପ ଶାସ୍ତ୍ର ବିଧିରେ ରଥ ନିର୍ମାଣ ହୋଇଥାଏ । ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର, ଚିତ୍ରକାର, ଓଝା ମହାରଣା, ଅମିନ ମହାରଣା, କରତିଆ ଓ ଦରଜୀ ପ୍ରମୁଖ ସେବକମାନେ ନିୟୋଜିତ ହୋଇଥାନ୍ତି । ଭଉଁରୀ ଯାତ୍ରାଠାରୁ ସ୍ନାନ ପୂର୍ଣ୍ଣିମା ମଧ୍ୟରେ ତିନି ରଥର ସମସ୍ତ ୪୨ଟି ଚକ, ଅଖ, ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ପରମ୍ପରା ମୁତାବକ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନିରଥର ଚାରି ନାହାକା ସଂସ୍ଥାପନ ହୁଏ । ଅର୍ଥାତ୍ ଚାରି ନାହାକା ବା ଚାରିଗୋଟି ଖୁଣ୍ଟିର ଉପରେ ରଥର ଉପର ଅବୟବ ଗଢ଼ାଯାଏ । ଛାତର ବିଭିନ୍ନ ସ୍ତର ରହିଛି ଯଥା ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ, ତୃତୀୟ ଭୂଇଁ, ପ୍ରଥମ ପୋଟଳ, ପାରାଭାଡ଼ି, ଦ୍ୱିତୀୟ ପୋଟଳ, ଖପୁରୀ, ଅଁଳାଶ୍ରୀ ଉପରେ ପିତଳ କଳସ ଓ ଧ୍ୱଜ ଇତ୍ୟାଦି ଅନ୍ୟତମ ଅଟେ । ପ୍ରତି ରଥରେ ନଅଗୋଟି ଲେଖାଏଁ ପାଶ୍ୱର୍ଦେବତା, ଦୁଇ ମୂର୍ତ୍ତି ଦ୍ୱାରପାଳ, ଏକ ମୂର୍ତ୍ତି ସାରଥୀ ସ୍ଥାପିତ ହୁଏ । ଏହା ବ୍ୟତୀତ ରଥରେ କାଷ୍ଠ ନିର୍ମିତ ଧ୍ୱଜ ଦେବତା ପ୍ରତିଷ୍ଠା ହୁଅନ୍ତି । ରଥ ନିର୍ମାଣ ଶେଷ ପରେ ବିଭିନ୍ନ ରଙ୍ଗ ଯଥା ହଳଦିଆ, ନାଲି, ନେଳି, କଳା ରଙ୍ଗର କନାରେ ରଥର ମଣ୍ଡଣି ଓ ଚାନ୍ଦୁଆ ଇତ୍ୟାଦି ପାରମ୍ପରିକ ଭାବେ ଦରଜୀ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ରଥତ୍ରୟକୁ ସୁସଜ୍ଜିତ କରାଯାଇଥାଏ ।
ରଥ ପ୍ରତିଷ୍ଠା : ଶ୍ରୀଗୁଣ୍ଡିଚା ପୂର୍ବଦିନ ସକାଳ ଧୂପ ଶେଷ ହେବା ପରେ ତିନି ଠାକୁରଙ୍କର ତିନିରଥ ନିମନ୍ତେ ତିନି ବାଡ଼ରୁ ଆଜ୍ଞାମାଳମାନ ଘଣ୍ଟ, ଛତା, କାହାଳି ଆଦି ସହ ରଥ ନିର୍ମାଣ ସ୍ଥାନକୁ ପ୍ରେରିତ ହୋଇ ରଥମାନଙ୍କରେ ସ୍ଥାପନ କରାଗଲା ପରେ ରଥଗୁଡ଼ିକ ଟଣାଯାଇ ସିଂହଦ୍ୱାରଠାରେ ରଖାଯାଇଥାଏ । ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ରଥ ପ୍ରତିଷ୍ଠା କରାଯିବାର ଶାସ୍ତ୍ରୀୟ ବିଧି ନିର୍ଘଣ୍ଟ ଥିଲେ ମଧ୍ୟ ଏହି ବ୍ୟବସ୍ଥା ପ୍ରକୃତ ପକ୍ଷେ ଆଷାଢ଼ ଶୁକ୍ଳ ଦ୍ୱିତୀୟାର ପ୍ରତୁ୍ୟଷରେ ସମ୍ପନ୍ନ କରାଯାଇଆସୁଅଛି । ରଥ ପ୍ରତିଷ୍ଠା ନିମନ୍ତେ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଚତୁଦ୍ୱର୍ାର ବିଶିଷ୍ଟ ଏକ ଯଜ୍ଞଶାଳାର ବ୍ୟବସ୍ଥା ରହିଛି । ଏହାର ଅଧୁନାତନ ନାମ ହେଉଛି ଚାହାଁଣୀ ମଣ୍ଡପ । ଏହି ଯଜ୍ଞଶାଳା ମଧ୍ୟରେ ବେଦୀ ପ୍ରସ୍ତୁତ କରାଯାଇ ତହିଁରେ ବିଧିଜ୍ଞ ପଣ୍ଡିତ ବ୍ରାହ୍ମଣମାନଙ୍କ ଦ୍ୱାରା ମଣ୍ଡଳ ସ୍ଥାପନ କରାଯାଏ । ତିନି ରଥର ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ହୁଅନ୍ତି ଦେଉଳ ପୁରୋହିତ ବଂଶଜ ୩ଜଣ ଆଚାର୍ଯ୍ୟ । ପୂର୍ବ ଦିଗକୁ ମୁଖ କରି ଆଚାର୍ଯ୍ୟମାନେ ରଥ ପ୍ରତିଷ୍ଠା କାର୍ଯ୍ୟ କରିଥାନ୍ତି । ପ୍ରତିଷ୍ଠା ଯଜ୍ଞର ତତ୍ତ୍ୱାବଧାରକ ହେଉଛନ୍ତି ବ୍ରହ୍ମା । ବର୍ତ୍ତମାନର ବ୍ୟବସ୍ଥାରେ ଦେଉଳ ପୁରୋହିତଙ୍କ ବ୍ୟତୀତ ୨୧ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ବରଣ ହୋଇ ରଥ ପ୍ରତିଷ୍ଠା କାର୍ଯ୍ୟରେ ସହଯୋଗ କରିଥାନ୍ତି । ବିଧିମୁତାବକ ଯଜ୍ଞାନୁଷ୍ଠାନ କାର୍ଯ୍ୟ ପରେ ଛତ୍ର, କାହାଳୀ ବାଦ୍ୟ ସହ ସୁଶୋଭିତ ବର୍ଣ୍ଣାଢ଼୍ୟ ପରିବେଶରେ ଆଚାର୍ଯ୍ୟତ୍ରୟ, ଚରୁ, ସମିଧ ଆଚାର୍ଯ୍ୟ ରଥର ଦେବତା, ତାଙ୍କର ଆୟୁଧଙ୍କୁ ସ୍ୱହସ୍ତରେ ବିଜେ କରାଇ, କୁମ୍ଭ ସଙ୍ଗରେ ନେଇ ସମସ୍ତ ବରଣୀୟ ବ୍ରାହ୍ମଣ ପଣ୍ଡିତଙ୍କ ସହିତ ରଥତ୍ରୟ ଉପରକୁ ଗମନ କରିଥାନ୍ତି । ସେଠାରେ ଗରୁଡ଼ ସୂକ୍ତ ପାଠ ପୂର୍ବକ କ୍ରମାନ୍ୱୟରେ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥରେ ଧ୍ୱଜ ଏବଂ କଳସଙ୍କର ଅଭିମନ୍ତ୍ରଣ କରିସାରି ରଥ ଦେବତା ଓ ତାଙ୍କର ଆୟୁଧଙ୍କୁ ରଥପୀଠ ଉପରେ ସ୍ଥାପନ କରନ୍ତି । ସାଧାରଣତଃ ବେଦଧ୍ୱନି, ଶଙ୍ଖନାଦ, ପୁରୁଷସୂକ୍ତ, ଶ୍ରୀସୂକ୍ତାଦି ମନ୍ତ୍ରୋଚ୍ଚାରଣ ମଧ୍ୟରେ ଧ୍ୱଜ ରଥମାନଙ୍କ ଉପରେ ସ୍ଥାପନ କରାଯାଏ । ଏହାପରେ କୁମ୍ଭରେ ଥିବା ଜଳକୁ ମନ୍ତ୍ରୋଚ୍ଚାରଣ ପୂର୍ବକ ରଥର ଉପରୁ ଚତୁର୍ଦ୍ଦିଗକୁ ପ୍ଳାବନ କରି ସାରି ରଥତ୍ରୟକୁ ନମସ୍କାର କରି ଶାକୁନ ସୂକ୍ତ ପାଠ ପୂର୍ବକ ଆଚାର୍ଯ୍ୟ ଓ ବରଣୀୟ ବ୍ରାହ୍ମଣମାନେ ରଥ ଉପରୁ ଓହ୍ଲାଇ ପୁନଶ୍ଚ ଯଜ୍ଞସ୍ଥଳକୁ ପ୍ରତ୍ୟାବର୍ତ୍ତନ କରି ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।
ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ : ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧା ବିଗ୍ରହଙ୍କର ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ ଓ ଖେଚେଡ଼ି ଭୋଗ, ମଙ୍ଗଳାର୍ପଣ, ବନ୍ଦାପନା ଇତ୍ୟାଦି ନୀତି ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ତିନିରଥ ଉପରକୁ ବିଜେ କରାଯାଇଥାଏ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଭିତର ବେଢ଼ାସ୍ଥ ସାତ ପାହାଚ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିବା ସମୟରେ ଶ୍ରୀମସ୍ତକରେ ଫୁଲ, ତୁଳସୀ, ବାଉଁଶ ପାତିଆ, ସୋଲ, ଜରି ଇତ୍ୟାଦିରେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ଟାହିଆ, ଚୂଳ ଇତ୍ୟାଦି ସଂସ୍କାର ପୂର୍ବକ ଲାଗି ହୋଇଥାଏ । ପ୍ରଥମେ ସୁଦର୍ଶନ, ତତ୍ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପରିଶେଷରେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ପୂର୍ବକ ରଥାରୂଢ଼ ହୋଇଥାନ୍ତି । ତାଳଧ୍ୱଜ ରଥରେ ଶ୍ରୀବଳଭଦ୍ର ଓ ଚଳନ୍ତି ପ୍ରତିମା ଦ୍ୱୟ ରାମ, କୃଷ୍ଣ, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଏବଂ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ଓ ତାଙ୍କର ଚଳନ୍ତି ବା ବିଜେ ପ୍ରତିମା ଶ୍ରୀମଦନମୋହନ ଅଧିଷ୍ଠିତ ହୋଇଥାନ୍ତି । ପହଣ୍ଡିବିଜେରେ ମୁଖ୍ୟତଃ ଦଇତାପତି, ସୁଆର ମହାସୁଆର, ପ୍ରତିହାରୀ, ପୂଜାପଣ୍ଡା ପ୍ରଭୃତି ସେବକ ଗୋଷ୍ଠୀ ଅଂଶଗ୍ରହଣ କରିଥାନ୍ତି । ଏହି ବିଜେରେ ଖୁଣ୍ଟିଆ ସେବକ ଓ ପ୍ରତିହାରୀ ସେବକ ଗୌରୀବେତ ଧରି ଆଗେ ଆଗେ ଗମନ କରିଥାନ୍ତି । ଏହି ସମୟରେ ଖୁଣ୍ଟିଆ ସେବକମାନେ ପୁଷ୍ପ ବୃଷ୍ଟି ସମେତ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦପାଠ ଗାନ କରାଯାଇଥାଏ । ରାସ୍ତାରେ ବିଭିନ୍ନ ସ୍ଥାନରେ ଠାକୁରମାନଙ୍କ ଉଦେ୍ଦଶ୍ୟରେ ପନ୍ତି ଭୋଗମାନ ଅନୁଷ୍ଠିତ ହୋଇଥାଏ । ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ରୁନ୍ଧା, ବେଶ, ସୋଲ ଚିତା ସଂସ୍ଥାପନ ଇତ୍ୟାଦି ନୀତି ସମାପନ ହୁଏ ।
ଛେରାପହଁରା : ସମଗ୍ର ବିଶ୍ୱରେ ସୁପ୍ରସିଦ୍ଧ ଲାଭ କରିଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କର ତିନିରଥ ଉପରେ ଛେରାପହଁରା ସେବା । ଏହି ଛେରାପହଁରା ନୀତିକୁ ଅବଲୋକନ କରିବା ପାଇଁ ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ଛେରାପହଁରା ସେବା ନିମନ୍ତେ ଗଜପତି ମହାରାଜା ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତ୍ତା ଓ ପଗଡ଼ି, ଖଣ୍ଡା, ଗଳାରେ କୌସ୍ତୁଭ ମାଳା ଇତ୍ୟାଦି ପରିଧାନ ପୂର୍ବକ ରାଜକୀୟ ପରିପାଟୀରେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା (ତାମଯାନ୍)ରେ ବିଜେ କରିଥାନ୍ତି । କାହାଳୀ, ବଜନ୍ତରୀ ବାଦ୍ୟ, ଛତି, ତରାସ ସହ ଶୋଭାଯାତ୍ରାରେ ଯାଇ ଗଜପତି ପ୍ରଥମେ ତାଳଧ୍ୱଜ ରଥରେ ରଥସ୍ଥ ଦେବତାଙ୍କୁ ଦଣ୍ଡ ପ୍ରଣାମ ଜଣାଇଥାନ୍ତି । ତତ୍ପରେ ସ୍ୱର୍ଣ୍ଣ ନିର୍ମିତ ଆଳତି ଦାନୀରେ କର୍ପୂର ଦେଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି । ଏହି ସମୟରେ ରାଜଗୁରୁ ଆଳତି ଦାନୀକୁ ସଂସ୍କାର କରିଥାନ୍ତି । ଗଜପତି ରଥସ୍ଥ ଦେବତାଙ୍କୁ ଆଳତି କରି ପୁନଶ୍ଚ ସଂସ୍କାରିତ ସୁନାବେଣ୍ଟ ଚାମର ଓ ଆଲଟ ସେବା କରିଥାନ୍ତି । ତତ୍ପରେ ସୁନା ଖଡ଼ିକା ଧରି ରଥ ଉପର ଚାରିପାଶ୍ୱର୍ ମାର୍ଜନ ସେବା କରନ୍ତି । ଏହାପରେ ଘଟୁଆରୀ ସେବକଙ୍କ ପ୍ରଦତ୍ତ ରୁପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ଗଜପତି ରଥ ଉପର ଚତୁଃପାଶ୍ୱର୍ରେ ସିଞ୍ଚନ କରିଥାନ୍ତି । ଏ ସମସ୍ତ କର୍ମ ପରେ ଗଜପତି ରଥ ଉପରେ ପୁନର୍ବାର ମହାପ୍ରଭୁଙ୍କୁ ପ୍ରଣାମ ଜଣାଇ ଶ୍ରୀନଅର ଅଭିମୁଖେ ବାହୁଡ଼ିଥାନ୍ତି । ପୂର୍ବେ ଛେରାପହଁରା ଶୋଭାଯାତ୍ରାରେ ହସ୍ତୀମାନେ ସାମିଲ ହେଉଥିଲେ । ବିଗତ ଅନେକ ବର୍ଷ ଧରି ଏହି ପରମ୍ପରାର ବିଲୁପ୍ତି ଘଟିଛି ।
ରଥଟଣା: ଛେରାପହଁରା ନୀତି ଶେଷ ହେବା ପରେ ଭୋଇ ସେବକମାନଙ୍କ ଦ୍ୱାରା ରଥରେ ସଂଯୋଜିତ ହୋଇଥିବା ଚାରମାଳ ଖୋଲାଯାଇ ଅଶ୍ୱଙ୍କୁ ଆରୋହଣ କରାଯାଇ ରୂପକାର ସେବକମାନଙ୍କ ଦ୍ୱାରା ଅଶ୍ୱମାନଙ୍କୁ ରଥ ସମ୍ମୁଖରେ ଦଉଡ଼ି ଦ୍ୱାରା ବାନ୍ଧିଥାନ୍ତି । ପ୍ରତି ରଥରେ ୪ଟି ଲେଖାଏଁ ଦଉଡ଼ି ବନ୍ଧା ଯାଇଥାଏ । ଏହି ଦଉଡ଼ିର ମାପ ହେଉଛି ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ୍ ଲମ୍ବ । ସର୍ବପ୍ରଥମେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ତାଳଧ୍ୱଜ ରଥ ଟଣା ଯାଇଥାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି । ସର୍ବ ଧର୍ମମତ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଦ୍ୱିତୀୟରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସର୍ବଶେଷରେ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥାଏ । ପୋଲିସ୍, ମାଜିଷ୍ଟ୍ରେଟ୍, ମନ୍ଦିର ଅଧିକାରୀ, କର୍ମଚାରୀ, ଭୋଇ, ରୂପକାର, ମହାରଣା, ଘଣ୍ଟୁଆ, କାହାଳିଆ, ଡାହୁକ ଇତ୍ୟାଦି ସେବକ ବୃନ୍ଦ ଏଥିରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥାନ୍ତି । ଶ୍ରୀଗୁଣ୍ଡିଚା ଅନୁରୂପ ବାହୁଡ଼ା ଯାତ୍ରାରେ ମଧ୍ୟ ଏହି କ୍ରମରେ ରଥମାନ ଟଣାଯାଇଥାଏ ।
ହେରାପଞ୍ଚମୀ : ଗୁଣ୍ଡିଚା ମନ୍ଦିରଠାରେ ଥିବା ତିନି ରଥରୁ ଠାକୁରମାନଙ୍କୁ ପହଣ୍ଡିରେ ସିଂହାସନରେ ଅଧିଷ୍ଠିତ କରାଯିବା ପରେ ଆଷାଢ଼ ଶୁକ୍ଳ ଷଷ୍ଠୀଦିନ ହେରାପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ । ‘ଯାତ୍ରା ଭାଗବତ’ରେ କୁହାଯାଇଛି-
“ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରାପଞ୍ଚମୀ ଭବତି ।”
ରଥଚକଡ଼ାରୁ ଜଣାଯାଏ ଯେ, କପିଳେନ୍ଦ୍ର ଦେବ ଯାତ୍ରାର ୫ମ ଦିବସରେ ସୁବର୍ଣ୍ଣ ଲକ୍ଷ୍ମୀ ପ୍ରତିମା ନିର୍ମାଣ କରାଇ ହେରାଗୋହରୀ ବସାଇ ଆଡମ୍ବରରେ ପଞ୍ଚ ପାଣ୍ଡବଙ୍କୁ ନେଇ ହେରାପଞ୍ଚମୀ କଲେ । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ହେରାପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି । ଏହାପରେ ବନକ ଲାଗି, ପାଟଶାଢ଼ି, ଅଳଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ାଇଥାନ୍ତି । ବିମାନବଡୁ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ବିମାନରେ ବିଜେ କରାଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପାଖରେ ରଖନ୍ତି । ସେଠାରେ ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର, ଆଲଟ, ଘସା, ବିଡ଼ିଆ ଓ ଦହିପଟି ମଣୋହି କରାନ୍ତି । ଏହାପରେ ଲକ୍ଷ୍ମୀଠାକୁରାଣୀ ଗୁଣ୍ଡିଚା ମନ୍ଦିର ଜଗମୋହନର ଜୟ ବିଜୟ ଦ୍ୱାର ଠାକୁ ଆସିଥାନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବା ସମେତ ଭିତରଚ୍ଛ ମହାପାତ୍ର ବନ୍ଦାପନା ଓ ଦହିପଟି ମଣୋହି ବଢ଼ାଇଥାନ୍ତି । ପରମ୍ପରା ଅନୁଯାୟୀ ଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥକାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରାଗୋହରୀ ସାହି ବାଟେ ଲକ୍ଷ୍ମୀଠାକୁରାଣୀଙ୍କୁ ଶ୍ରୀମନ୍ଦିରକୁ ବାହୁଡ଼ାବିଜେରେ ଅଣାଯାଇଥାଏ । ଏହିପରି ଭାବେ ହେରାପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ ।
ଦକ୍ଷିଣମୋଡ଼ : ପ୍ରାଚୀନ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରୁ ତିନିରଥ ଟଣାଯାଇ ନାକଚଣା ଦ୍ୱାର ଠାରେ ରଖାଯାଇଥାଏ । ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବପ୍ରଥମେ ଟଣାଯାଇ ଦକ୍ଷିଣମୋଡ଼ କରାଯାଏ । ତତ୍ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଯାଇଥାଏ । ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରହିଥାଏ । ଅତୀତରେ କଳାବେଠିଆ ସେବକମାନେ ଏହି ଦକ୍ଷିଣ ମୋଡ଼ କାର୍ଯ୍ୟରେ ନିୟୋଜିତ ହେଉଥିଲେ । ଏହି ସେବାର ବିଲୁପ୍ତି ଘଟିବାରେ ଏହି ଶ୍ରେଣୀୟ ସେବକଙ୍କ ସଂପୃକ୍ତି ନାହିଁ । ସଂପ୍ରତି ପୋଲିସ ଫୋର୍ସ, ଭୋଇ, ମହାରଣା, ଅଧିକାରୀ, କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ସାଧାରଣତଃ ରଥର ଦକ୍ଷିଣମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ ।
ସନ୍ଧ୍ୟାଦର୍ଶନ : ପବିତ୍ର ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପି ଅବସ୍ଥାନ କରିଥାନ୍ତି, ତାହାକୁ ‘ଆଡ଼ପ ମଣ୍ଡପ’ କୁହାଯାଇଥାଏ । ବିଭିନ୍ନ ପୁରାଣ ଶାସ୍ତ୍ରର ବର୍ଣ୍ଣନାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସନ୍ଧ୍ୟାଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ । ‘ନୀଳାଦ୍ରି ମହୋଦୟ’ ଗ୍ରନ୍ଥରେ ବର୍ଣ୍ଣିତ ପ୍ରକାରେ, ନୀଳାଚଳସ୍ଥିତ ଶ୍ରୀମନ୍ଦିରରେ ଦଶବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା ସମୟରେ ଭକ୍ତ ସାଧାରଣ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ସେହିପରି ଜନସାଧାରଣରେ ବହୁଳ ପ୍ରଚାରିତ ‘ନୀଳାଦ୍ରୌ ଦଶ ବର୍ଷାଣି ଆଡ଼ପେ ମଣ୍ଡପେ ଦିନେ’ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟାଦର୍ଶନ ଦିନ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ, ଦୀପ ପ୍ରଜ୍ଜ୍ୱଳନ, ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିବାର ପରମ୍ପରା ପ୍ରଚଳିତ ରହିଛି ।
ବାହୁଡ଼ା ଯାତ୍ରା : ଶ୍ରୀବିଗ୍ରହମାନଙ୍କର ବାହୁଡ଼ା ବିଜେ ଯାତ୍ରାକୁ ପୁରାଣ ଶାସ୍ତ୍ରାଦିରେ ‘ଦକ୍ଷିଣାଭିମୁଖୀ ଯାତ୍ରା’ ଭାବେ ଅଭିହିତ କରାଯାଇଛି । ଆଷାଢ଼ ଶୁକ୍ଳ ଦଶମୀ ଦିନ ଠାକୁରମାନଙ୍କର ମଙ୍ଗଳ ଆଳତୀ ଠାରୁ ଖେଚେଡି ଭୋଗ, ସେନାପଟା ଲାଗି, ମଙ୍ଗଳାର୍ପଣ, ବନ୍ଦାପନା ଇତ୍ୟାଦି ନୀତି ଶେଷ ହେବା ପରେ ଡୋରି ଲାଗି, ପୁଷ୍ପାଞ୍ଜଳି ନୀତି ଅନୁଷ୍ଠିତ ହୋଇ ବିଜେ କାହାଳୀ ବାଜିଥାଏ । ଏହାପରେ ଠାକୁରମାନଙ୍କୁ ଧାଡ଼ି ପହଣ୍ଡିରେ ରଥାରୂଢ଼ କରାଯାଇଥାଏ । ରାମ, କୃଷ୍ଣ, ମଦନମୋହନ ଦେବ ଚଳନ୍ତି ପ୍ରତିମାମାନଙ୍କୁ ମହାଜନ ସେବକମାନେ ସ୍ୱହସ୍ତରେ ରଥ ଉପରକୁ ମଧ୍ୟ ବିଜେ କରାଇଥାନ୍ତି । ତତ୍ପରେ ରୁନ୍ଧା, ବେଶ ଓ ଛେରାପହଁରା ଇତ୍ୟାଦି ନୀତି ଶେଷ ହେବା ପରେ ରଥଟଣା ଯାଇ ସିଂହଦ୍ୱାର ଅଭିମୁଖେ ଯାତ୍ରା କରିଥାଏ । ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ୱାରଠାରେ ପହଞ୍ଚବା ପରେ ନନ୍ଦିଘୋଷ ରଥକୁ ଟଣାଯାଇ ଶ୍ରୀନଅର ସମ୍ମୁଖରେ ରଖାଯାଇଥାଏ । ଏହି ସମୟରେ ଶ୍ରୀମନ୍ଦିରରୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଲିଙ୍କିରେ ବିଜେ କରାଯାଇ ଗଜପତି ମହାରାଜା, ଭିତରଚ୍ଛ, ପତି ମହାପାତ୍ର ପ୍ରମୁଖ ସେବକଙ୍କ ଉପସ୍ଥିତିରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥାଏ । ତତ୍ପରେ ନନ୍ଦିଘୋଷ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ଅଣାଯାଇଥାଏ ।
ସୁନାବେଶ : ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଅତ୍ୟନ୍ତ ଆକର୍ଷଣୀୟ ସୁନା ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ‘ବଡ଼ତଢ଼ାଉ ବେଶ’ ନାମରେ ମଧ୍ୟ ସୁପରିଚିତ ଅଟେ । ସାଧାରଣତଃ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଠାକୁରମାନଙ୍କୁ ବିଭିନ୍ନ ରତ୍ନ ଅଳଙ୍କାରରେ ମଣ୍ଡିତ କରାଯାଇଥାଏ । ଏହି ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, କଦମ୍ବମାଳି, ବାଘନଖି ମାଳି, ଘାଗଡ଼ା ମାଳି, ତିଳକ, ଚନ୍ଦ୍ରିକା, ଅଳକା, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, ଶଙ୍ଖ, ଚକ୍ର, ହଳ, ମୂଷଳ, ତଡ଼ଗି, ସେବତି ମାଳି ପ୍ରଭୃତି ଅନ୍ତର୍ଭୁକ୍ତ ।
ସୁନାବେଶରେ ଭକ୍ତମାନେ ପ୍ରାୟ ୬/୭ ଘଣ୍ଟା ଧରି ଦର୍ଶନ କରିଥାନ୍ତି । ଏହି ବେଶ ଥାଇ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ବଡ଼ସିଂହାର ବେଶ, ଧୂପ ଓ ବଲ୍ଲଭ ବଡ଼ସିଂହାର, ଶୟନ ଠାକୁରମାନଙ୍କ ରଥ ଉପରକୁ ବିଜେ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ସୂଚନାଯୋଗ୍ୟ ଯେ ଏହି ଦିନ ରଥ ଉପରେ ଦୁଇଥର ବଡ଼ସିଂହାର ବେଶ ଓ ଭୋଗ କରାଯାଏ । ଏ ଦିନ ମଧ୍ୟ ଶୟନ ଏକାଦଶୀ ନୀତି ପାଳିତ ହୋଇଥାଏ ।
ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ବିଗତ ୧୫ ବର୍ଷ ଧରି ସୁନାବେଶ ଦିନ ସବୁଠାରୁ ଅଧିକ ସଂଖ୍ୟକ ଭକ୍ତ ଶ୍ରୀକ୍ଷେତ୍ରକୁ ଆଗମନ ପୂର୍ବକ ଠାକୁରମାନଙ୍କ ଚିତ୍ତାକର୍ଷକ ସୁବର୍ଣ୍ଣ ବେଶ ଦର୍ଶନ କରି ନିଜକୁ କୃତାର୍ଥ ମଣିଥାନ୍ତି ।
ଅଧରପଣା : ବାହୁଡ଼ା ଯାତ୍ରା ଓ ସୁନାବେଶ ପରେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ତିନିରଥ ଉପରେ ଅଧରପଣା ଭୋଗ ନୈବେଦ୍ୟ ହୋଇଥାଏ । ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦେ୍ଦଶ୍ୟରେ ଅଧରପଣା ଭୋଗ ହୋଇ ରଥର ପାଶ୍ୱର୍ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପ୍ରୀତ୍ୟାର୍ଥେ ଅଧରହାଣ୍ଡି ଭଙ୍ଗା ଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ଅଧରହାଣ୍ଡି, ପଣା ସାମଗ୍ରୀମାନ ଉକ୍ତଦିନ ଯୋଗାଯାଇଥାଏ । ପଣା ସାମଗ୍ରୀ ମଧ୍ୟରେ ଛାଚି, ସର, ପାଚିଲା କଦଳୀ, ଛେନା, କ୍ଷୀର, ଗୋଲମରିଚ ଗୁଣ୍ଡ, କର୍ପୂର ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରତ୍ୟେକ ରଥରେ ତିନୋଟି ଲେଖାଏଁ ଅଧରହାଣ୍ଡି ଭୋଗ ହୋଇଥାଏ । ମହାସୁଆର ସେବକ ଉକ୍ତ ପଣାକୁ ପ୍ରସ୍ତୁତ କରିଥାନ୍ତି ଓ ପୂଜାପଣ୍ଡାମାନେ ପଞ୍ଚୋପଚାର ବିଧିରେ ପଣା ଭୋଗ କରିଥାନ୍ତି । ଅଧରପଣା ନୀତି ଦେଖିବା ପାଇଁ ସ୍ଥାନୀୟ ସିହଦ୍ୱାରଠାରେ ହଜାର ହଜାର ସଂଖ୍ୟକ ଭକ୍ତ, ଦର୍ଶନାର୍ଥୀ ସମବେତ ହୋଇଥାନ୍ତି ।
ନୀଳାଦ୍ରିବିଜେ : ତତ୍ତ୍ୱବିତ୍ମାନଙ୍କ ମତରେ ବାହୁଡ଼ା ଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ଯଜ୍ଞପୁରୁଷ ତଥା ନୃସିଂହ ରୂପେ ରଥ ଉପରେ ପୂଜିତ ହେଉଥିବା ଦୃଷ୍ଟିରୁ ଏହି ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଇଥାଏ । ନୀଳାଦ୍ରିବିଜୟ ଉତ୍ସବ ରଥ ମହୋତ୍ସବର ଶେଷ ଉତ୍ସବ ଅଟେ । ଆଷାଢ଼ ଶୁକ୍ଳ ତ୍ରୟୋଦଶୀରେ ଶ୍ରୀବିଗ୍ରହମାନେ ରଥ ଉପରୁ ଅବତରଣ କରି ପରମ ଗୁହ୍ୟ କ୍ଷେତ୍ରସ୍ଥ ରତ୍ନ ସିଂହାସନକୁ ବିଜେ ଉତ୍ସବକୁ ନୀଳାଦ୍ରି ବିଜୟ ଯାତ୍ରା ବା ବିଜେ କୁହାଯାଇଥାଏ । ନୀଳାଦ୍ରିବିଜେ ଦିନ ତିନି ରଥରେ ସନ୍ଧ୍ୟା ଧୂପ ସରିବା ପରେ ତିନି ରଥରେ ଚାରମାଳ ବନ୍ଧା କାର୍ଯ୍ୟ ସମାପନ କରାଯାଏ । ମୁଦିରସ୍ତ ସେବକଙ୍କ ଦ୍ୱାରା ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ପରିଶେଷରେ ଦର୍ପଦଳନ ରଥରେ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି ନୀତି ଶେଷ ହେବା ପରେ କାହାଳିଆ ସେବକ ଦ୍ୱାରା ବିଜେ କାହାଳି ବାଜିବା କ୍ଷଣି ଚଳନ୍ତି ପ୍ରତିମା ଓ ଶ୍ରୀବିଗ୍ରହମାନଙ୍କର ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ । ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି ବିଜେ ହୋଇ ରତ୍ନ ସିଂହାସନଠାରେ ଅଧିଷ୍ଠିତ କରାଯାଏ । ଏହାପରେ ନନ୍ଦିଘୋଷ ରଥରେ ବିଜେ କାହାଳୀ ବାଜିବା ପରେ ଦଇତାପତିଙ୍କ ଦ୍ୱାରା ସ୍ୱତନ୍ତ୍ର ଭକ୍ତିପୂଜା ଓ ସମର୍ପଣ ଭାବର ସହ ଶ୍ରୀଜଗନ୍ନାଥଙ୍କୁ ରଥର ଚାରମାଳ ଉପରେ ବିରାଜମାନ କରାଯାଇଥାଏ । ସେଠାରେ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ମସ୍ତକରେ ଲାଗି କରାଯାଇଥାଏ । ଏହି ସମୟରେ ମହାଜନ ସେବକଙ୍କ ହସ୍ତରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପଠାରେ ଥିବା ଡମ୍ବରୁ ଉପରେ ବିଜେ ହୋଇଥାନ୍ତି । ଜଗନ୍ନାଥ ମହାପ୍ରଭୁଙ୍କର କର୍ପୂର ଆଳତି, ଦୁର୍ବାକ୍ଷତ ବନ୍ଦାପନା, ଦହିପଟି, ଘଷା, ବିଡ଼ିଆ ପାନ ମଣୋହି ହୋଇଥାଏ । ସେହି ସମୟରେ ଭେଟ ମଣ୍ଡପଠାରେ ଭିତରଚ୍ଛ ମହାପାତ୍ର ଲକ୍ଷ୍ମୀ ଠାକୁରାଣୀଙ୍କ ନିଦେ୍ର୍ଦଶରେ ସିଂହଦ୍ୱାର ଦରଜା ବନ୍ଦ କରିଦିଆଯାଇଥାଏ ଏବଂ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭଣ୍ଡାର ଘର ଦ୍ୱାର ଘଟ ଉପରେ ବିଜେ କରାଯାଏ । ପରବର୍ତ୍ତୀ ସମୟରେ ମହାପ୍ରଭୁ ପହଣ୍ଡି ବିଜେରେ ସିଂହଦ୍ୱାର ଦରଜା ସମ୍ମୁଖରେ ପହଞ୍ଚିଲେ କିଛିକ୍ଷଣ ପରେ ଦରଜା ଖୋଲି ଦିଆଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡିରେ ବାଇଶି ପାହାଚ, ଆନନ୍ଦବଜାର, ସାତ ପାହାଚ ଅତିକ୍ରମ କରି ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭ ନିକଟରେ ପହଞ୍ଚିବା ପରେ ସେଠାରେ ଦକ୍ଷିଣାଭିମୁଖୀ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ । ଏଠାରେ ମଧ୍ୟ ଜୟ ବିଜୟ ଦ୍ୱାରକୁ ଲକ୍ଷ୍ମୀ ଠାକୁରାଣୀଙ୍କ ନିଦେ୍ର୍ଦଶରେ ବନ୍ଦ କରିଦିଆଯାଏ । ସାଙ୍ଗରେ ନେଇ ନଥିବାରୁ କ୍ରୋଧ ଜର୍ଜରିତା ମହାଲକ୍ଷ୍ମୀଙ୍କ ପକ୍ଷରୁ ଦେବଦାସୀ ଓ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ବାଡ଼ଗ୍ରାହୀ ଓ ବାଡ଼ ଭାଗାରି ଦଇତାମାନଙ୍କ ଦ୍ୱାରା ବଚନିକା ଆରମ୍ଭ ହୋଇଥାଏ । ଭବିଷ୍ୟତରେ ଏହାର ପୁନରାବୃତ୍ତି ନ ହେବାର ପ୍ରତିଶ୍ରୁତି ପାଇ ପରେ ଜୟବିଜୟ ଦ୍ୱାର ଖୋଲାଯାଇଥାଏ । ଶ୍ରୀଜଗନ୍ନାଥଙ୍କୁ ଭଣ୍ଡାର ଘର ପାଖକୁ ଉତ୍ତରାଭିମୁଖୀ କରାଇ ଓ ଲକ୍ଷ୍ମୀ ଠାକୁରାଣୀଙ୍କୁ ଦକ୍ଷିଣାଭିମୁଖୀ କରାଇ ପରସ୍ପର ଅବଲୋକନ କରାଯାଏ । ତାହାପରେ ଋକ୍ମିଣୀ ବିବାହର ଗଇଁଠାଳ ବସ୍ତ୍ର ଭିତରଚ୍ଛ ମହାପାତ୍ର ଫିଟାଇଥାନ୍ତି । ଉଭୟ ଲକ୍ଷ୍ମୀ ଠାକୁରାଣୀ ଓ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା ଓ ମାନଭଞ୍ଜନ ପାଇଁ ରସଗୋଲା ଭୋଗ କରାଯାଇଥାଏ । ଏହି ଭୋଗ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ । ବର୍ଷର ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ଭିତରଚ୍ଛଙ୍କ ଦ୍ୱାରା ରସଗୋଲା ଭୋଗ ହେବାର ପରମ୍ପରା ରହିଛି । ରସଗୋଲା ଭୋଗ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦଇତାପତିମାନେ ପହଣ୍ଡିବିଜେରେ ରତ୍ନସିଂହାସନରେ ଅଧିଷ୍ଠିତ କରାଇଥାନ୍ତି । ଏହିପରି ଭାବେ ନୀଳାଦ୍ରି ବିଜୟ ଉତ୍ସବର ପରିସମାପ୍ତି ଘଟିଥାଏ ।
ମହାପ୍ରଭୁଙ୍କର ଏହି ଯାତ୍ରା ବିଷୟରେ ଯେଉଁମାନେ ଶ୍ରବଣ କରନ୍ତି ସେମାନେ ଯାତ୍ରାର ଫଳକୁ ପ୍ରାପ୍ତ ହୋଇଥାନ୍ତି । ଜଗଦୀଶ୍ୱର ଶ୍ରୀଜଗନ୍ନାଥଙ୍କର ଏହି ଯାତ୍ରା ବିଧିକୁ ଯେଉଁମାନେ ପାଠ କରନ୍ତି ଓ ଅନ୍ୟକୁ କହିଥାନ୍ତି ସେମାନେ ମଧ୍ୟ ପ୍ରଭୁଙ୍କର ପରମଧାମକୁ ଯାଇଥାନ୍ତି ।