ସୁଦତ୍ତାର ପ୍ରେମ ପାଇବାଟା କୌଣସି ଯୁଦ୍ଧର ବିଜୟଠାରୁ କମ୍ ନୁହେଁ । ଅନ୍ୟସବୁ ପ୍ରେମରେ ମୁଁ ଥିଲି ଏକକ ଛତ୍ରପତି, ଯେଉଁଠାରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବାଜିମାତ୍ କରିବାର ସୁଯୋଗ ନଥିଲା । କିନ୍ତୁ ସୁଦତ୍ତା କ୍ଷେତ୍ରରେ ପ୍ରବଳ ଦାବିଦାରମାନଙ୍କୁ ପଛରେ ପକାଇ ହୃଦୟ ଜିଣିବାର ଆନନ୍ଦ ଅନନ୍ୟ । ମୁଁ ମୋର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଜାଣେ, ଜାଣେ ବି ତାଙ୍କର ଶକ୍ତିକୁ, ସାମର୍ଥ୍ୟକୁ । ମାତ୍ର ସାହସୀ ହିଁ କେବଳ ଜିଣିପାରେ ଯୁଦ୍ଧ । ସେ ବୋଧହୁଏ ଭାବାବେଗରେ ଆହୁରି ବିମୁକ୍ତ ହୋଇଯାଇଥାଆନ୍ତେ, କିନ୍ତୁ ତାଙ୍କୁ ସେଥିରୁ କ୍ଷାନ୍ତ କରି ସୁଦତ୍ତା କଥାର ମୋଡ଼ ବଦଳାଇ ଦେଲେ ଏବଂ କହିଲେ ପ୍ରେମରେ ବିଜୟ ଓ ପରାଜୟ ବୋଲି କିଛି ନଥାଏ ।
ମୋର ତମକୁ କିଛି କଥା କହିବାର ଅଛି, ହେଲେ ମୁଁ ତାକୁ ଏମିତି ମୁହାଁମୁହିଁ କହିପାରିବି ନାହିଁ, କେବଳ ଚିଠିରେ ଲେଖି ଜଣାଇବି ।
କ’ଣ ଏମିତି କହିବାର ଅଛି ଯେ ସାମ୍ନାରେ କହିପାରିବନି, ଚିଠିରେ ଲେଖିବ?
ସାମ୍ନାସାମ୍ନି କହି ହେବନି ବୋଲିତ ଚିଠିରେ ଲେଖିବି ବୋଲି କହୁଛି ।
ହଉ ମୁଁ ତମର ଚିଠିକୁ ଅପେକ୍ଷା କଲି । ମୋ ବସ୍ଟି ଷ୍ଟାଣ୍ଡ ଛାଡୁଥିଲା, ତେଣୁ ମୁଁ ଆଉ ଅପେକ୍ଷା ନକରି ସୁଦତ୍ତାଠାରୁ ବିଦାୟ ନେଲି । ବସ୍ ଭିତରେ ସାରା ରାତି ମୁଁ ଭାବି ଚାଲିଥିଲି ସେହି ଗୋଟିଏ କଥା- ମୋତେ ଏବେ କ’ଣ କହିବାକୁ ଚାହୁଁଛି ସୁଦତ୍ତା? କ’ଣ କିଛି ରହିଯାଇଛି କି । ତା’ ପାରିବାରିକ ଜୀବନର ଗୋପ୍ୟ ଦୁଃଖ, ଯାହାକୁ ପ୍ରକାଶ କରି ସେ ହାଲ୍କା ହେବାକୁ ଚାହୁଁଛି? ଯଦି ବି ଥାଏ ତେବେ ତାକୁ ପ୍ରକାଶ କରିବାକୁ ମୋତେ କାହିଁକି ବାଛିଲା? ତା’ର ସେ ଗୋପନୀୟ ସତ୍ୟପାଠରେ ମୋର କିଛି ଭୂମିକା ଅଛି କି? ଯଦିଓ ଏମିତି ନାନା ପ୍ରଶ୍ନ ମୋତେ ଆନେ୍ଦାଳିତ କରୁଥିଲା, ତଥାପି କୌଣସି ନିଶ୍ଚିତ ସିଦ୍ଧାନ୍ତରେ ମୁଁ ପହଞ୍ଚି ପାରୁନଥିଲି ।
ସୁଦତ୍ତା- ମୋର ସ୍ମୃତିରେ ଗଭୀର ଆବେଗରେ ସାଇତା ଏକ ସ୍ମରଣୀୟ ପରିଚ୍ଛେଦ । ଯାହାକୁ ନିଜେ କେବଳ ପଢ଼ିହୁଏ କାହାକୁ ପଢ଼ାଇ ହୁଏନି । ସୁଦତ୍ତାର ସ୍ମୃତି ଯେ ବାରମ୍ବାର ମୋର ମନକୁ ନଆସିଛି କହିଲେ ସତ୍ୟର ଅପଳାପ ହେବ । ହେଲେ ଯେତିକି ସଂପର୍କକୁ ଆଜି ଯାଏଁ ମୁଁ ସ୍ମୃତି କରି ସାଇତି ରଖିଛି, ତା’ର ପରିଭାଷା କ’ଣ? ତାହା କ’ଣ ପ୍ରେମ?
ସୁଦତ୍ତା ମୋତେ ଭଲ ଲାଗୁଥିଲା । ମାତ୍ର ଭଲ ଲାଗିବା ଓ ଭଲ ପାଇବାଟା ଏକା କଥା ନୁହେଁ । ଭଲ ଲାଗିବାରୁ ଭଲ ପାଇବା ଯାଏଁ ଯେତିକି ସମୟର ଆବଶ୍ୟକତା ଥିଲା ତାହା ବୋଧହୁଏ ଆମ ଉଭୟଙ୍କ ପାଖରେ ନଥିଲା । ଏକଥା ବି ହୋଇପାରେ ପ୍ରେମ ପରି ପିଚ୍ଛିଳ ରାସ୍ତାରେ ସନ୍ତର୍ପଣରେ ପାଦ ପକାଉ ପକାଉ ଆମ ଉଭୟଙ୍କର ସ୍ୱୀକାରୋକ୍ତିରେ ବିଳମ୍ବ ହୋଇଗଲା କିମ୍ବା ସୁଦତ୍ତା ଏକତରଫା ଭାବେ ଭାବିନେଲା ଯେ ମୋ ସହ ତା’ର ଗଢ଼ି ଉଠିଥିବା ନିରବ ପ୍ରେମର ଆୟୁଷ ବିବାହ ଯାଏ କେବେ ବଳବତ୍ତର ରହିବ ନାହିଁ । ତେଣୁ ବେଳହୁଁ ସାବଧାନ ନୀତିରେ ସେ ଆଗରୁ ବାଟ ଧରିନେଲା ।
ଭାଗ୍ୟର ବିଡମ୍ବନା ଦେଖ ପ୍ରେମିକାର ପ୍ରେମବିବାହରେ ମୁଁ ହିଁ ଥିଲି ରାଜସାକ୍ଷୀ : ଏମ୍.ଏ. ପରୀକ୍ଷା ଦେଇସାରି ଘରକୁ ନଫେରି ଚିନ୍ତାମଣିଶ୍ୱର ଠାରେ ଗୋଟିଏ ଛୋଟିଆ ଘରଭଡ଼ା ନେଇ ମୁଁ ବିଭିନ୍ନ ଚାକିରି ପାଇଁ ଈଣ୍ଟରଭୁ୍ୟ ଦେବାକୁ ପଢ଼ାପଢ଼ି କରୁଥାଏ । ଏବେ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଓ ପଚିଶବର୍ଷ ତଳର ଚିନ୍ତାମଣିଶ୍ୱର ଏରିଆ ଭିତରେ ଥିଲା ଆକାଶ ପାତାଳ ଫରକ । ମୁଁ ରହୁଥିବା ଅଞ୍ଚଳଟି ଯଦିଓ ସହରର କେନ୍ଦ୍ରସ୍ଥଳରେ ଥିଲା ତଥାପି ଗ୍ରାମୀଣ ପରିବେଶରୁ ମୁକୁଳି ନଥିଲା । ମାଳମାଳ ପୋଖରୀ ଓ ଗଡ଼ିଆ, ମଇଁଷିଙ୍କ ଖଟାନ୍ ଏବଂ ଗାଈଗୁହାଳ ପରିବେଷ୍ଠିତ ଅଞ୍ଚଳଟି ଘରଭଡ଼ା ଦୃଷ୍ଟିରୁ ଅନ୍ତତଃ ବ୍ୟୟବହୁଳ ନଥିଲା ଏବଂ ମୋ ଭଳି ନିମ୍ନମଧ୍ୟବିତ୍ତ ପରିବାରରୁ ଆସିଥିବା ଚାକିରି ଆଶାୟୀ ଭଡ଼ାଟିଆ ପାଇଁ ତାହାଥିଲା ଆପାତତଃ ନିର୍ଭରଯୋଗ୍ୟ । ମୋର ସୌଭାଗ୍ୟ ଯେ କ୍ରମବର୍ଦ୍ଧିଷ୍ଣୁ ଭୁବନେଶ୍ୱରର ଅଭିବୃଦ୍ଧିକୁ ଦୂରଦୃଷ୍ଟିରେ ରଖି ସେକ୍ରେଟାରୀଏଟ୍ରେ ଚାକିରି କରୁଥିବା ମୋର ଘର ମାଲିକ ଜଣକ ତାଙ୍କର ସେ ସ୍ଥାନରେ କିଣିଥିବା ଜାଗାଟିକୁ ଅନତିକ୍ରମଣରୁ ରକ୍ଷା କରିବା ପାଇଁ କେବଳ ପାଚେରି ଘେରାଇ ନଥିଲେ ବରଂ ତା’ ଉପରେ ଦୁଇବଖରିଆ ଆଜ୍ବେଷ୍ଟସ୍ ଘରଟିଏ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଭୃତ୍ୟ ଆବାସରେ ପରିଣତ କରାଯାଇ ପାରିବ । ତେଣୁ ନାମମାତ୍ର ଭଡ଼ାରେ ସେ ମୋତେ ସେହି ଘରଟିକୁ ଭଡ଼ା ଦେଇ ପ୍ରକାରାନ୍ତରେ ତାଙ୍କର ସେ ଜାଗା ଓ ଘର ବେଛପରି ନହେବା ଭୟରୁ ଥିଲେ ନିଶ୍ଚିନ୍ତ ।
ରାତି ସେତେବେଳକୁ ଦଶ ପାଖାପାଖି ହେବ । ହିଟର ଉପରେ ବସିଥିଲା ଭାତ ଓ ତା’ ଭିତରେ ପଡ଼ିଥିଲା ଦୁଇଟି ଆଳୁ । ଗୋଟିଏ ଫିତା ଷ୍ଟୋଭ୍ ଉପରେ ବସିଥିଲା ଡାଲି । ମୁଁ ନିଶ୍ଚିନ୍ତରେ ଗୋଟିଏ କମ୍ପିଟେଟିଭ୍ ବହି ଧରି ପେଟେଇକି ପଢ଼ୁଥାଏ ମୋ ଖଟ ଉପରେ । ଏହି ସମୟରେ ଗେଟ୍କୁ କିଏ ବାଡାଇବାର ଶବ୍ଦ ହେଲା । ଶବ୍ଦଟି ଅନ୍ୟ କେଉଁଠୁ ଆସୁଥିବ ଭାବି ପ୍ରଥମେ ପ୍ରଥମେ ମୁଁ ତା’ ଉପରେ ଗୁରୁତ୍ୱ ନଦେଇ ମୋ ପଢ଼ାପଢ଼ିରେ ଥିଲି ମଗ୍ନ । କ୍ରମଶଃ ଶବ୍ଦଟି ଟିକିଏ ଜୋର୍ରେ ଓ ଦ୍ରୁତରେ ହେଲା । ମୁଁ ଯେତେବେଳେ ନିଶ୍ଚିତ ହେଲି ଯେ ଶବ୍ଦଟି ଏଘରର ପାଚେରିରେ ଲାଗିଥିବା ଗେଟ୍ର, କିଏ ବୋଲି ଜାଣିବାକୁ ବାହାର ଲାଇଟ୍ ଜଳାଇଲି । ମାତ୍ର ବାହାରେ ଜଳୁଥିବା ବଲ୍ବଟିରେ ପ୍ରଖରତା ଏତେ ନଥିଲା ଯେ ସେଇ ଲାଇଟ୍ରେ ଗେଟ୍ ପାଖର ଲୋକଙ୍କୁ ଚିହ୍ନି ହେବ । ତେଣୁ ମୁଁ ପିଣ୍ଢା ଉପରୁ ଠିଆ ହୋଇ ପ୍ରଶ୍ନ କଲି- କିଏ?
ମୁଁ… ଆମେ…
ମୁଁ ପୁନଶ୍ଚ ପ୍ରଶ୍ନ କଲି କିଏ?
ମୁଁ ସୁଦତ୍ତା ।
ସୁଦତ୍ତା ! ମୁଁ ବିସ୍ମୟ ହୋଇ ପ୍ରଶ୍ନଟି ପଚାରି ଦେଇ ଘର ଭିତରକୁ ପଶିଗଲି ଟର୍ଚ୍ଚ ପାଇଁ । ଟର୍ଚ୍ଚଟି ମାରି ମାରି ଗେଟ୍ ପାଖକୁ ଆସି ଯାହା ଦେଖିଲି ସେଥିରେ ମୋର ଆଶ୍ଚର୍ଯ୍ୟ ନହେବାର ଅବକାଶ ନଥିଲା ।
ସୁଦତ୍ତା ! ତମେ? ଏତେ ରାତିରେ?
କ’ଣ ଗେଟ୍ ବାହାରେ ଠିଆ କରାଇ ସବୁ ପ୍ରଶ୍ନର ଉତ୍ତର ଶୁଣିବ ନା ଗେଟ୍ ଖୋଲି ଭିତରକୁ ଡାକିବ?
ହଁ, ହଁ, ତମେ ଭିତରକୁ ଆସ ।
ସୁଦତ୍ତା ଗେଟ୍ ଭିତରକୁ ପଶୁ ପଶୁ ତା’ ସାଥିରେ ଆସିଥିବା ବ୍ୟକ୍ତିଜଣକୁ ଡାକିଲା, ଆସ ଭିତରକୁ ଆସ ଅନ୍ଧାରରେ ଛିଡ଼ା ହୋଇ ରହିଲ କାହିଁକି?
ସୁଦତ୍ତା ସହିତ ଚନ୍ଦନଙ୍କୁ ଦେଖିବା ପରେ ମୋର ବିସ୍ମୟ ଆହୁରି ବଢ଼ିଗଲା । ମୋ ମୁହଁର ଭାବକୁ ଠିକ୍ ରୂପେ ପଢ଼ି ନେଇ ସୁଦତ୍ତା କହିଲା- ବ୍ୟସ୍ତ ହୁଅନି, ସବୁ କଥା କହିବୁ, ତମ ଘରକୁ ଚାଲ ।
ଘର ଭିତରେ ପହଞ୍ଚୁ ପହଞ୍ଚୁ ସୁଦତ୍ତା କହିଲା- ମୁଁ ଓ ଚନ୍ଦନ ବିବାହ କରି ଦେଲୁ । ଆଜି ପୁରୀ ଯାଇ ବିବାହ କରିଆସିଛୁ । ଏବେ ଆଉ କ’ଣ ପଚାରିବାକୁ ଅଛି ତମେ ପଚାରି ପାର । ହଁ, ତମେ ଭାବୁଥାଇ ପାର ବିବାହ ପରେ ଆମେ ଏଠାକୁ କାହିଁକି ଆସିଚୁ ବୋଲି? ଏଇଥି ପାଇଁ ଯେ ଆମକୁ ଆତ୍ମଗୋପନ କରିବାକୁ ଏକ ନିରାପଦ ସ୍ଥାନର ଆବଶ୍ୟକତା ଥିଲା । ପୁରୀ ଓ ଭୁବନେଶ୍ୱର ଭିତରେ ଯେକୌଣସି ହୋଟେଲ୍ରେ ରହିଥିଲେ ମୋ ଭାଇ ନିଶ୍ଚୟ ଆମକୁ ଖୋଜି ବାହାର କରି ଦେଇଥାଆନ୍ତା । ତେଣୁ କୌଣସି ସମ୍ଭାବ୍ୟ ଝମେଲାକୁ ଏଡାଇବା ପାଇଁ ଆମେ ଏଠାକୁ ଚାଲିଆସିଛୁ ।
ତମର ଭାଇ ଏଥିରେ ଅରାଜି କାହିଁକି?
ମୁଁ ଚାକିରି କରିଗଲିଣି ତ, ଭାଇଙ୍କର ଗୋଟିଏ ଭ୍ରମ ରହିଯାଇଛି ଯେ ଚାକିରିଆ ଝିଅମାନଙ୍କୁ ବାହା ହେବା ପାଇଁ ରାଜକୁମାରମାନେ ଆସିବେ ।
ଚନ୍ଦନ ବାବୁ ତ ରୂପରେ ଊଣା ନୁହନ୍ତି?
ହଁ, ହେଲେ ତାଙ୍କର ଇତିହାସ ତାଙ୍କର ରୂପକୁ ଗୌଣ କରିଦେଇଛି ।
ମୁଁ ଜାଣିଥିଲି ଚନ୍ଦନ ବାବୁଙ୍କର ଇତିହାସ । ବହୁ ଝିଅଙ୍କୁ ପ୍ରେମ କରିବାର ଖିଆଲି ମିଜାଜ୍ । ସାର୍ଟ ପ୍ୟାଣ୍ଟ ବଦଳାଇବା ପରି ସେ ପ୍ରେମିକା ବଦଳାଉଥିଲେ । ମୁଁ ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲି ଯେ ଚନ୍ଦନ ବାବୁଙ୍କ ବିଷୟରେ ସବୁ ଜାଣି ଶୁଣି ସୁଦତ୍ତା କିପରି ଏଡେ ବଡ଼ ନିଷ୍ପତ୍ତିଟିଏ ନେଇପାରିଲା ।
ମୋର ଅନ୍ୟମନସ୍କ ଭାବ ଦେଖି ସୁଦତ୍ତା କହିଲା- ତମେ ଭାବୁଛ ନା ଚନ୍ଦନଙ୍କର ଇତିହାସ ଜାଣି ମୁଁ କିପରି ତାଙ୍କୁ ଗ୍ରହଣ କଲି? ଜାଣ ଇତିହାସ କେବେ ନୂଆ ଜିନିଷ ସୃଷ୍ଟି କରେନା, ଯାହାଥିଲା ତାହାର କେବଳ ଅବତାରଣା କରେ । ଯେଉଁଠୁ ଇତିହାସ ସରିଯାଏ ସେଇଠୁ ଆରମ୍ଭ ହୁଏ ବର୍ତ୍ତମାନ । ଚନ୍ଦନବାବୁ ଇତିହାସକୁ ନଜର ନେଇ ବର୍ତ୍ତମାନରେ ବଞ୍ଚିବାକୁ ପ୍ରତିଶ୍ରୁତି ଦେବାରୁ ମୁଁ ରାଜି ହୋଇଗଲି । ଏତଦ୍ ବ୍ୟତୀତ ମୋତେ ଭଲ ଲାଗିଲା ନିଜ ପ୍ରେମର ଇତିହାସକୁ ନେଇ ତାଙ୍କର ସ୍ୱୀକାରାକ୍ତି ଏବଂ ସ୍ୱୀକାରୋକ୍ତିରେ ସ୍ପଷ୍ଟବାଦିତା । ପ୍ରେମରେ ନିଜକୁ ପ୍ରକାଶ କରିପାରୁନଥିବା ପୁରୁଷମାନଙ୍କୁ ମୁଁ ଘୃଣା କରେ, ସେହି ଦୃଷ୍ଟିରୁ ଚନ୍ଦନ ବାବୁଙ୍କର ପ୍ରେମରେ ନିଜକୁ ବିମୁକ୍ତ କରିବାର କଳାଟି ମୋର ପସନ୍ଦ ହେଲା ।
ମୁଁ ମନେ ମନେ ଆଶଙ୍କିତ ହେଲି ଯେ ପ୍ରେମକୁ ନେଇ ସୁଦତ୍ତାର ଏ ବିହ୍ୱୋଳଭାବ ଦୀର୍ଘସ୍ଥାୟୀ ହେବ ତ?
ମୋତେ ଅଧିକ ସମୟ ଚିନ୍ତା କରିବାକୁ ନଦେଇ ସୁଦତ୍ତା କହିଲେ- ଆମେ ମନ୍ଦିରରେ ବିବାହ କରି ଦେଇଆସିଛୁ ସତ କିନ୍ତୁ , ବିବାହକୁ ଆଇନ୍ ସମ୍ମତ କରିବାକୁ ଆସନ୍ତାକାଲି କୋର୍ଟରେ ବିବାହ କରିବୁ । ଏଠିତ କେହି ଚିହ୍ନାଲୋକ ନାହାନ୍ତି ଯେ ଆମ ପାଇଁ ସାକ୍ଷୀ ପଡ଼ିବ, ତେଣୁ ତମକୁ ଏ କାର୍ଯ୍ୟଟି କରିବାକୁ ପଡ଼ିବ ।
ମୁଁ ମନେ ମନେ ଭାବିଲି- ହଁ ଭାଗ୍ୟର ବିପର୍ଯ୍ୟୟ ବେଳେ ବର ବି ବରଯାତ୍ରୀ ହୁଏ ।
ସୁଦତ୍ତା ପୁଣି କହିଲେ- କ’ଣ ପଡ଼ିବ ତ?
ଏଥିରେ ମନା କରିବାର କ’ଣ ଅଛି?
ଚନ୍ଦନ ବାବୁ କହିଲେ- କ’ଣ ଗୋଟେ ପୋଡ଼ି ଯିବାର ବାସ୍ନା ହେଉଛି ।
ଆରେ ହଁ ତ- ହିଟର ଉପରେ ଭାତ ଓ ଷ୍ଟୋଭ୍ ଉପରେ ଡାଲି ବସିଥିଲା, ଆମର ଏ ଗପସପ ଭିତରେ ତାହା ପୋଡ଼ିଗଲା ବୋଧେ ।
ବୋଧେ କ’ଣ, ପୋଡ଼ି ତ ଯାଇସାରିଲାଣି, ଦେଖୁନ ସେ ରୋଷେଇ ଘରଟି କିପରି ଧୂଅାଁରେ ଭର୍ତ୍ତି ହୋଇଛି ।
ହଉ ଯାଉ ।
ଏବେ ତମେ ରାତିରେ ଖାଇବ କ’ଣ?
ତମେମାନେ କ’ଣ ଖାଇ କରି ଆସିଛ?
ହଁ, ଜଣେ ଠେଙ୍ଗୁଆ ଲୋକର ବସାକୁ ରାତି ଦଶଟାରେ ଆସିବା ବେଳେ କ’ଣ ରାତ୍ରଭୋଜନ ମିଳିବାର ଭରସା କରିଆସିଥାଆନ୍ତୁ?
ହଉ, ତମେମାନେ ଯଦି ଖାଇ କରି ଆସିଛ ଆଜି ରାତିକ ନଖାଇଲେ ମୋର ସେମିତି କିଛି ଅସୁବିଧା ହେବନି ।
ନା, ନା, ତମକୁ ଉପାସ ରହିବାକୁ ପଡ଼ିବନି, ଆମ ବ୍ୟାଗ୍ ଭିତରେ ପୁରୀର ପ୍ରସାଦ ଅଛି, ଆମ ବିବାହର ଭୋଜି ନହେଲା ନାହିଁ, ତମକୁ ଅନ୍ତତଃ ପ୍ରସାଦ ତ ଖୁଆଇ ପାରିବୁ ।
ପ୍ରସାଦ ସେବନ ପରେ ଆସିଲା ରାତି କଟାଇବାର ବେଳ । ମୋର ଇଚ୍ଛା ଥିଲା ମୋର ଏକମାତ୍ର କୋଠରିଟିକୁ ସେମାନଙ୍କ ଶୟନ ପାଇଁ ଛାଡ଼ି ଦେଇ, କୌଣସି ସାଙ୍ଗର ବସାକୁ ମୁଁ ଚାଲିଯିବା ପାଇଁ, ମାତ୍ର ରାତି ସେତେବେଳକୁ ଏତେ ଅଧିକ ହୋଇସାରିଥିଲା ଯେ ଏଭଳି ଏକ ଚିନ୍ତା ଅସ୍ୱାଭାବିକ ମନେହେଲା । ସୁଦତ୍ତା ବୋଧହୁଏ ମୋ ଚିନ୍ତାର ରହସ୍ୟକୁ ଉପଲବ୍ଧି କରି ପାରିଲେ, ତେଣୁ ତାଙ୍କ ତରଫରୁ ସେ ପ୍ରସ୍ତାବ ଦେଲେ- ଆଜି ସାରାରାତି ଆମେ ସବୁ ଗପି ଗପି କଟାଇବା । ନିଜର ପ୍ରସ୍ତାବକୁ ସମର୍ଥନ କରାଇବାକୁ ଚନ୍ଦନଙ୍କ ଆଡକୁ ଚାହିଁ ପଚାରିଲେ- ତମେ କ’ଣ କହୁଛ?
ଚନ୍ଦନ ପରିସ୍ଥିକୁ ହୃଦୟଙ୍ଗମ କରି କହିଲେ- ଏମିତି ଅବସର ଜୀବନରେ ଖୁବ୍ କମ୍ ମିଳେ ।
ସାରା ରାତି ଗପ । ବ୍ୟକ୍ତିଗତ ଜୀବନରୁ କଲେଜ ଜୀବନ ଯାଏଁ ଲମ୍ବିଥିଲା ଗପର ଖିଅ । ନିଜର ପ୍ରେମ ଜୀବନକୁ ନେଇ ଖୁବ୍ ସ୍ପର୍ଶକାତର ଥିବା ଚନ୍ଦନ କିନ୍ତୁ ମୋ ଅପେକ୍ଷାଠାରୁ ଅଧିକ ଉନ୍ମୁକ୍ତ ଥିଲେ ଚର୍ଚ୍ଚାରେ । ଅତୀତର ସମସ୍ତ ପ୍ରେମିକାମାନଙ୍କ ଅବତାରଣା କରି ସୁଦତ୍ତା ପାଖରେ ପହଞ୍ଚି ସେ ଅଟକୁ ଥିଲେ ଭାବନାକୁ ବିମୁକ୍ତ କରିବାକୁ । କଥା ଉହ୍ୟ ରଖି କହିଲେ- ସୁଦତ୍ତାର ପ୍ରେମ ପାଇବାଟା କୌଣସି ଯୁଦ୍ଧର ବିଜୟଠାରୁ କମ୍ ନୁହେଁ । ଅନ୍ୟସବୁ ପ୍ରେମରେ ମୁଁ ଥିଲି ଏକକ ଛତ୍ରପତି, ଯେଉଁଠାରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବାଜିମାତ୍ କରିବାର ସୁଯୋଗ ନଥିଲା । କିନ୍ତୁ ସୁଦତ୍ତା କ୍ଷେତ୍ରରେ ପ୍ରବଳ ଦାବିଦାରମାନଙ୍କୁ ପଛରେ ପକାଇ ହୃଦୟ ଜିଣିବାର ଆନନ୍ଦ ଅନନ୍ୟ । ମୁଁ ମୋର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଜାଣେ, ଜାଣେ ବି ତାଙ୍କର ଶକ୍ତିକୁ, ସାମର୍ଥ୍ୟକୁ । ମାତ୍ର ସାହସୀ ହିଁ କେବଳ ଜିଣିପାରେ ଯୁଦ୍ଧ । ସେ ବୋଧହୁଏ ଭାବାବେଗରେ ଆହୁରି ବିମୁକ୍ତ ହୋଇଯାଇଥାଆନ୍ତେ, କିନ୍ତୁ ତାଙ୍କୁ ସେଥିରୁ କ୍ଷାନ୍ତ କରି ସୁଦତ୍ତା କଥାର ମୋଡ଼ ବଦଳାଇ ଦେଲେ ଏବଂ କହିଲେ ପ୍ରେମରେ ବିଜୟ ଓ ପରାଜୟ ବୋଲି କିଛି ନଥାଏ । ଯେଉଁ ପ୍ରେମର ପ୍ରାପ୍ତିକୁ ନେଇ ଜଣେ ବିଜିତ ବୋଲି ମନେ କରେ, ସେ ପ୍ରାପ୍ତି ପରେ ହିଁ ସେ ଭୁଲିଯାଏ ପ୍ରେମକୁ, ମାତ୍ର ଯିଏ ପରାଜିତ ହୋଇଥାଏ ସେ ହିଁ କେବଳ ସାଇତି ରଖିଥାଏ ପ୍ରେମକୁ ସ୍ମୃତିରେ ସ୍ମୃତିରେ । ପ୍ରେମଟା ଯଦି କେବଳ ଦେହ ହୋଇଥାଏ ତେବେ ବିଜିତର ଗର୍ବ କରିବା ପାଇଁ କିଛି ଥାଏ, ମାତ୍ର ଯୁଗେ ଯୁଗେ ତ ପ୍ରେମ ଦେହାତୀତ ।
କିଛି ସମୟ ଯାଏଁ ଗପସପର ଆସରରେ ନିରବତା ରାଜୁତି କଲା । ମୁଁ ନିରବତା ଭଙ୍ଗ କରି ପଚାରିଲି- ଏହାପରେ ତମର ଭବିଷ୍ୟତ କାର୍ଯ୍ୟସୂଚୀ କ’ଣ?
ଏବେଠୁ ସେ ବିଷୟରେ ଚିନ୍ତା କରିନୁ । ମୁଁ ସ୍କୁଲ୍ରୁ ପନ୍ଦର ଦିନ ଛୁଟି ନେଇଛି, ଛୁଟି ସରିବା ବେଳକୁ ଏ କଥାର କିଛି ଗୋଟେ ସମାଧାନ ହୋଇଯାଇଥିବ ।
କେଉଁ କଥାର ସମାଧାନ?
ଏଇ ଆମ ଉଭୟଙ୍କ ପରିବାରରେ ଆମର ଗ୍ରହଣୀୟତାକୁ ନେଇ ଉଠିଥିବା ସମସ୍ୟା ।
ମୁଁ ତ ଭାବୁଛି ତମେ ଉଭୟ ଯେଉଁଟାକୁ ସମସ୍ୟା ବୋଲି ଭାବି ଏ ମାର୍ଗ ଧରିଲ, ଆଉ ଟିକିଏ ଚେଷ୍ଟା କରିଥିଲେ ତାହା ବୈଦିକ ରୀତିରେ ହୋଇପାରିଥାଆନ୍ତା ।
ଆମେ ସେ କଥା କରିବା ପାଇଁ ଚେଷ୍ଟା କରିନୁ ବୋଲି ତମେ କାହିଁକି ଭାବୁଛ? ଆମେ ଉଭୟ ଯେତେବେଳେ ଉପଲବ୍ଧି କଲୁ ସେ ବାଟରେ ନୁହେଁ ବୋଲି ତ ଏ ବାଟକୁ ଆସିଲୁ । ପ୍ରଥମେ ପ୍ରଥମେ ସେମାନେ ଚେଷ୍ଟା କରୁଥିଲେ ନ କରାଇ ଦେବା ପାଇଁ, ଏବେ ଯେତେବେଳେ ହୋଇ ସାରିଲାଣି ବାହାଘର, ସେତେବେଳେ ଅନ୍ୟ ଉପାୟ ନପାଇ ହୁଏତ ସେମାନେ ଏହାକୁ ସ୍ୱୀକାର କରିଯିବେ ବୋଲି ମୁଁ ଭାବୁଛି ।
ଏମିତି ଗପୁ ଗପୁ ରାତି ପାହି ସକାଳ ହେଲା । କୋର୍ଟରେ ମୁଁ ସାକ୍ଷୀ ପଡ଼ିଲି ସେମାନଙ୍କ ବିବାହର । ତା’ପରେ ସେମାନେ ବିଦାୟ ନେଇ ଚାଲିଗଲେ ।
କିଛିଦିନ ପରେ ଶୁଣିଲି, ସେମାନଙ୍କର ଫେରିବା ପରେ ଉଭୟ ପରିବାର ତାକୁ ଗ୍ରହଣ କରି ନେଇ ବୈଦିକ ମତରେ ବିବାହ କରାଇ ଗୋଟେ ବଡ଼ ଭୋଜିଭାତର ଆୟୋଜନ କରିଥିଲେ ।
ଏହା ଭିତରେ ଅନେକ ବର୍ଷ ବିତିଗଲାଣି । ଏମିତି କଥା ନୁହେଁ ଯେ ମୋର ସେମାନଙ୍କ ସହ ଆଉ ଦେଖା ହୋଇନି ବୋଲି । ଦେଖା ହୋଇଛି, ମାତ୍ର ସେ ସାକ୍ଷାତର ପର୍ବ ସବୁ ଏତେ ଶିଥିଳ ଆବେଗରେ ଭରିଥାଏ ଯେ ଲାଗେ ଯେମିତି ଆମେ କେହି କାହାରି ଘନିଷ୍ଟ ନଥିଲୁ, ଏମିତି ରାସ୍ତାରେ ଯାଉ ଯାଉ ଚିହ୍ନା ପରିଚୟ ପରି । ତେଣୁ ଆମମାନଙ୍କ ଭିତରର ସଂପର୍କ ଶିଥିଳ ହୋଇଯିବାଟା ଥିଲା ସ୍ୱାଭାବିକ । ମୁଁ ବି ଧୀରେ ଧୀରେ ଭୁଲି ଯାଇଥିଲି ଯେ ସୁଦତ୍ତା ନାମରେ କେହି ଜଣେ ଥିଲା ଯାହା ସହ ଥିଲା ମୋର ଆବେଗିକ ସଂପର୍କ, ଯାହାକୁ ନେଇ ଦେଖାଯାଇଥିଲା ଅନେକ ସ୍ୱପ୍ନ ।
ଅନେକ ବର୍ଷ ପରେ ଏକ ନିରୋଳା ଅଥଚ ସଂକ୍ଷିପ୍ତ ସମୟ ପାଇଁ ଦେଖା ହୋଇଥିଲା ସୁଦତ୍ତା ସହ, ଯେତେବେଳେ ସେ କହିଥିଲା ତମକୁ ମୋର ଅନେକ କଥା କହିବାର ଅଛି, କିନ୍ତୁ ଯାହା କହିବାର ଅଛି, ଏମିତି ମୁହାଁମୁହିଁ କହିହେବନି, କେବଳ ଚିଠିରେ ଲେଖି ଜଣାଇବି । ଆଉ ଆଜି ଆସିଛି ସେ ଚିଠି ।
ଚିଠିଟି କୌଣସି ପ୍ରହେଳିରୁ କମ୍ ନୁହେଁ । ଦୀର୍ଘ ଚିଠିଟିରେ ଆମ ସଂପର୍କ ଆରମ୍ଭରୁ ଆଜିଯାଏଁର ଏକ ଧାରା ବିବରଣୀ । ମୁଁ ଚିଠିଟି ପଢ଼ିବା ବେଳେ ଭାବୁଥିଲି- କ’ଣ ଆବଶ୍ୟକତା ରହିଛି ସେହି ପୁରୁଣା ପାଠର ଆଲୋଚନା କରି? ଜୀବନ ଏହା ଭିତରେ କେତେ ମୋଡ଼ ନେଲାଣି, କ’ଣ ଲାଭ ହେବ ଭାବପ୍ରବଣତାର ସେହି କେତୋଟି ମୁହୂର୍ତ୍ତକୁ ହୃଦୟରେ ସାଇତି ରଖିବାରେ? ମାତ୍ର ଚିଠିର ଶେଷରେ ଥିଲା ହିଁ ମଂଜ, ଯେଉଁଠି ସୁଦତ୍ତା ଖୁବ୍ ସତର୍କ ଓ ସନ୍ତର୍ପଣରେ ଉଲ୍ଲେଖ କରିଥିଲେ- ଆମ ବିବାହ ପରେ ତମ ସହ ସଂପର୍କ ଶିଥିଳ ହୋଇଯିବାର କାରଣ କ’ଣ ଜାଣ? ଈର୍ଷା । ପୁରୁଷମାନେ ଯେ ଏପରି ଈର୍ଷାପରାୟଣ ମୁଁ ପ୍ରଥମ କରି ଅନୁଭବ କଲି ଚନ୍ଦନଙ୍କୁ ଦେଖି । ତମ ନାଅାଁ ପଡ଼ିଲେ ତାଙ୍କ ଦେହରେ ଲାଗୁଥିଲା ନିଅାଁ ଏବଂ ଥରେ ସେ ନିଅାଁ ଲାଗିଲେ ତାହା ଜଳୁଥିଲା ଅନେକ ଦିନ ଯାଏଁ ତାଙ୍କ ଭିତରେ । ଏଥିପାଇଁ ଅନେକ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥିଲା । ଶେଷରେ ମୁଁ ବାଧ୍ୟ ହୋଇ ନିଷ୍ପତ୍ତି ନେଲି ମୋର ଦାମ୍ପତ୍ୟ ଓ ପରିବାରକୁ ସୁରକ୍ଷିତ ରଖିବାକୁ ହେଲେ ତମର ସ୍ମୃତି କେବଳ ନୁହେଁ ତମ ନାଅାଁଠାରୁ ମଧ୍ୟ ଦୂରେଇ ରହିବାକୁ ପଡ଼ିବ । ତେଣୁ ଦୂରେଇ ରହିଲି । ତମ ମନରେ ଏବେ ପ୍ରଶ୍ନ ଉଠିପାରେ ପୁଣି ଏତେ ବର୍ଷ ପରେ ଏ ସ୍ୱୀକାରୋକ୍ତି କାହିଁକି? ହଁ ଉଠିବା ସ୍ୱାଭାବିକ ମଧ୍ୟ । ଏବେ ଆମେ ପରିଣତ ବୟସରେ, ଏବେ ଆଉ ତାରୁଣ୍ୟର ତରଙ୍ଗ ନାହିଁ ଯେ ଭାଙ୍ଗିଦେବ ପରିବାରର ବନ୍ଧ । ମାତ୍ର ଭିତରେ ଚାପି ହୋଇ ରହିଥିବା ଏ କଥାଟି ମୋତେ ଏମିତି ରୁନ୍ଧି ଚାଲିଥିଲା ଯେ ସ୍ୱୀକାରୋକ୍ତିଟି ନଦେଇଥିଲେ ହୁଏତ ଏହା କେତେବେଳେ ମୋ ଛାତି ଫଟାଇ ବାହାରି ଆସିଥାଆନ୍ତା । ମୁଁ ଜାଣେ ମୁଁ ଦ୍ରୌପଦୀ ନୁହେଁ ଯେ ମୋ ସ୍ୱୀକାରୋକ୍ତିରେ ପକ୍ୱ ହେବ ସତ୍ୟଆମ୍ବ, ମାତ୍ର ଏତିକି ଜାଣେ ଯେ ମୋର ଏ ସ୍ୱୀକାରୋକ୍ତି ଅନ୍ତତଃ ତମ ଛାତି ଭିତରେ ସାଇତା ମୋର ଧୂମିଳ ଚିତ୍ରପଟରୁ ପୋଛି ନେବ ଅଳନ୍ଧୁର ଆସ୍ତରଣ । ଯଦି ସେତକ ହୁଏ ମୁଁ ଖୁସି ହେବି- ହେବନା?