ଆଖି ଖୋଲିବା ମାତ୍ରେ ଦୃଷ୍ଟି ପହଁରିଗଲା କାନ୍ଥଘଣ୍ଟା ଉପରେ । କଣ୍ଟା କହୁଥିଲା ସମୟ ସକାଳ ଆଠଟା ବାଜି ତିରିଶ ମିନିଟ । ଆତତାୟୀ ପରି ମେଞ୍ଚାଏ ଖରା ଝରକା ଫାଙ୍କ ଦେଇ ଘରକୁ ପଶି ଆସି ନିସ୍ତବ୍ଧରେ ଚେକା ମାଡି ବସି ଥିଲା ଖଟ ଧାରରେ । ଝରକା ସେପଟେ ବଢ଼ିଥିଲା କୋଳାହଳ । କଲୋନୀ ରାସ୍ତାରୁ ଶୁଭୁଥିଲା ପରିବାବାଲାର ଡାକ ଆଉ ଅଳିଆ ଆବର୍ଜନା ନେବାକୁ ଆସୁଥିବା ମୁ୍ୟନିସିପାଲିଟି ଗାଡ଼ିର ଘନ ଘନ ଶବ୍ଦ । କଲୋନୀ ଗେଟ୍ ସେପଟେ ସ୍କୁଲ ବସ୍ଟି ଘୁଁ ଘୁଁ କରୁଥିଲା । ସନତ ନିଜ ଭିତରେ ନିଜେ ଚମକି ଉଠିଲା । ଆରେ ବେଳ ଆସି ଏତେ ହେଲାଣି । ସିଏ ଏବେ ଯାଏଁ ଶୋଇଛି କେମିତି? ଆଉ ଆଲାର୍ମ… ଆଲାର୍ମଟା କ’ଣ ଆଜି ବାଜିନି ନା କ’ଣ? ନା ଆଲାର୍ମ ବାଜି ବାଜି ବନ୍ଦ ହେଇଯାଇଛି ହେଲେ ତା’ର ନିଦ ଭାଙ୍ଗିନି । ଆଉ ମିତା, ସିଏ କେମିତି ଏବେ ଯାଏଁ ତାକୁ ଉଠେଇନି । ଏତେ ବେଳ ଯାଏଁ ଶୋଇଲେ ତ ସିଏ ମୁହଁରେ ପାଣି ଢାଳେ ଢାଳି ଦେବା କଥା ।
ସନତ୍ ବଡ଼ ସନ୍ତର୍ପଣରେ ଆଖି ବୁଲେଇ ଆଣିଲା ଚାରିଆଡେ । କାହିଁ କେହି ତ ଦିଶୁ ନାହାନ୍ତି । ସିଏ ଟିକେ କାନେଇଲା । କାଇଁ ଶୁଭୁନି ତ ଚୁଡିର ରୁଣୁଝୁଣୁ କି ବାଥ୍ରୁମ୍ରୁ ଟେପ୍ର ପାଣିର ଝର୍ ଝର୍ ଶବ୍ଦ କି କିଚେନ୍ର ହାଣ୍ଡିଚଟୁ ଖଡ଼ ଖଡ଼ । ଓଃ… ହଠାତ୍ ତା’ର ମନେ ପଡ଼ିଗଲା । “ଆରେ ମିତା ପରା ତା’ ବାପଘରକୁ ଯାଇଛି । କାଲି ରାତିରେ ସିଏ ଷ୍ଟେସନ ଯାଇ ନିଜେ ତାକୁ ଟ୍ରେନ୍ରେ ବସେଇ ଦେଇ ଆସିଛି ।”
ବଡ଼ ଆଶ୍ୱସ୍ତିର ନିଶ୍ୱାସଟିଏ ବାହାରିଗଲା ତା’ର ନାକପୁଡା ଦେଇ । କିଏ ଗୋଟେ ଠିକ୍ କହିଥିଲା ଏଇ ସ୍ତ୍ରୀଗୁଡା ହେଲେ ସତକୁ ସତ ଗୋଡ଼ର ବେଡ଼ି । ନୁହେଁ ଆଉ କ’ଣ? କେତେ ହାଲୁକା ଲାଗୁଛି ଆଜି । ଯେମିତି ଲାଗେ ରାମଦୋଳିରେ ତଳକୁ ଖସିଲା ବେଳେ । ସିଏ ଏକ ଦର୍ପ ଚାହାଣି ଘୂରେଇ ଆଣିଲା ଚାରିଆଡେ । କୋଠରି ସାରା ଜିନିଷ ସବୁ ଯେ ଯାହା ଜାଗାରେ ଅଛନ୍ତି । ଖାଲି ଯାହା ବଦଳି ଯାଇଛି ଏମାନଙ୍କ ଉପରେ ରାଜୁତି କରୁଥିବା ମଣିଷର ଚେହେରା । ଏବେ ସିଏ ରାଜା ଏଠିକାର । ତା’ର ନାବିକ ସେଲୁ୍ୟକସ୍ କଥା ମନେପଡ଼ିଲା । ତାର ଆଖି ପାଉଥିବା ସାରାଟା ଅଞ୍ଚଳର ସିଏ ଥିଲା ଏକମାତ୍ର ଅଧୀଶ୍ୱର । ସନତ ଟିକେ ସଜାଡି ହେଇ ବସିଲା ଖଟ ଉପରେ । ପିଠି ପଛପଟେ ନେଇ ରଖିଲା ତକିଆ । ଦୁଇ ହାତକୁ ମୁଣ୍ଡ ଉପରେ ଛନ୍ଦି ଦେଇ ଆରାମରେ ବସିଲା । ପୁଣି ହାତ ତଳକୁ କଲା । ଦୁଇ ହାତକୁ ଦେହର ଦୁଇ କଡ଼ରେ ଲମ୍ବେଇ ରଖିଲା । ଗୋଡକୁ ଗୋଡ଼ ଉପରେ ଛନ୍ଦିଲା । ଗୋଟେ ପୁରୁଣା ହିନ୍ଦୀ ଗୀତ ଗୁଣୁ ଗୁଣେଇଲା । ବାଁପଟ କାନ୍ଥକୁ ଲାଗି ଥୁଆ ହେଇଥିବା ଡ୍ରେସିଂ ଟେବୁଲ କାଚରେ ନିଜର ଚେହେରା ଦେଖିଲା । ବାଁ ହାତରେ ବାଳ ସାଉଁଳେଇଲା । ଜିଭ କାଢ଼ି ନିଜକୁ ନିଜେ ଖତେଇ ହେଲା । ପୁଣି ଦୁଇ ହାତରେ ବାଳକୁ ଅଡୁଆ କଲା… । ସିଏ ଯେ ସମ୍ପୂର୍ଣ୍ଣ ସ୍ୱାଧୀନ । ତା’ ଉପରେ ଆଉ କାହାରି କର୍ତ୍ତୃତ୍ୱ ନାହିଁ ସେ କଥା ନିଜକୁ ବୁଝେଇବାକୁ ଚେଷ୍ଟା କଲା ।
ମିତାର ସବୁଦିନ ବଡିଭୋର୍ରୁ ଉଠିବା ଅଭ୍ୟାସ୍ । ସିଏ ସବୁବେଳେ ମୋବାଇଲ୍ରେ ଆଲାର୍ମ ଦେଇ ଶୁଏ । ଭୋର ପାଞ୍ଚଟାରେ ଆଲାର୍ମ ବାଜେ । ପୁଣି କାଳେ ନିଦ ନ ଭାଙ୍ଗିବ ସେଥିପାଇଁ ପାଞ୍ଚଟା ପନ୍ଦର, ପାଞ୍ଚଟା ତିରିଶ ଏମିତି ପନ୍ଦର ପନ୍ଦର ମିନିଟ୍ ଛାଡି ଆଲାର୍ମ ସେଟ୍ କରିଥାଏ । ଆଉ ଶେଷ ଆଲାର୍ମ ଥାଏ ଛ’ଟାରେ । ଛ’ଟା ହେଉଛି ଶେଷ ଘଣ୍ଟି । ଶେଷ ଘଣ୍ଟି ପରେ ଶୋଇବା ନିଷେଧ । ସିଏ ପ୍ରଥମ ଆଲାର୍ମରୁ ହିଁ ଉଠିଯାଏ । ଆଉ ବାକି ଆଲାର୍ମଗୁଡିକ ଥାଏ ସନତ ପାଇଁ । ହେଲେ ଡେରିରେ ଶୋଇବା ଆଉ ଡେରିରେ ଉଠିବା ସନତର ଚିରଦିନର ଅଭ୍ୟାସ । ଭୋଅର୍ ଭୋଅର୍ର ନିଦଟା ତାକୁ ରାଜକୀୟ ବିଳାସ ପରି ଲାଗେ । ସିଏ ଚାହେଁ ଘୋଡେଇ ପୋଡେଇ ହେଇ ଡେରିଯାଏଁ ଶୋଇବାକୁ । ହେଲେ ମିତା ତ ଯେମିତି ତା’ର ଏଇ ସୁଖର ଶତ୍ରୁ । ଛ’ଟା ବାଜିଲେ ସିଏ ଆଉ ବିଛଣାରେ ଶୋଇବାକୁ ଦେବନି । ତା’ର ଯୁକ୍ତି ହେଲା ସକାଳୁ ଉଠିବା, ଦେହ ଓ ମନ ଉଭୟ ପାଇଁ ଲାଭଦାୟକ । ସକାଳୁ ଉଠି ବାହାରେ ବୁଲିଲେ ଦେହକୁ ଭିଟାମିନ ଡି’ ମିଳେ । ପ୍ରଚୁର ବିଶୁଦ୍ଧ ଅମ୍ଳଜାନ ମିଳେ । ଶିରାପ୍ରଶିରାରେ ରକ୍ତପ୍ରବାହ ବଢ଼େ ଇତ୍ୟାଦି ଇତ୍ୟାଦି । ଏମିତି କେତେ କ’ଣ… । ମିତାର ଏସବୁ କଥା ସନତକୁ ଭାଷଣବାଜି ପରି ଲାଗେ । ଶଳା ବାହା ହେଇନି ତ ଗୋଟେ ମାଷ୍ଟ୍ରାଣୀକୁ ଆଣି ବେକରେ ବାନ୍ଧିଛି । ଯେତେବେଳେ ଦେଖ ଛାତ୍ରକୁ ପାଠ ପଢ଼େଇଲା ପରି ବୋଲିବାଣୀ କଲା । ହଉ ଛାଡ, ମନକୁ ବୁଝେଇଲା ସନତ । ଏବେ ତ ସିଏ ନାହିଁ, ଆଉଟ୍ ଅଫ୍ ସାଇଟ୍, ଆଉଟ୍ ଅଫ୍ ମାଇଣ୍ଡ । କାଇଁ ତା’ କଥା ମନେ ପକେଇ ଟାଇମ୍ ୱେଷ୍ଟ କରୁଛି । ଆଜି ଦିନଟା ତ ସିଏ ଫ୍ରି । ନା କେହି ରୋକିବାବାଲା ନା କେହି ଟୋକିବାବାଲା, ଯାହା ଇଚ୍ଛା କରିବି । ଯେମିତି ଇଚ୍ଛା ସେମିତି ବଞ୍ଚିବି । ଚାଲ ଆଜି ଦିନଟିକୁ ନିଜ ଇଚ୍ଛା ମୁତାବକ ବଞ୍ଚାଯାଉ । କେବଳ ନିଜ ଇଚ୍ଛା ମୁତାବକ । ଏତିକି ଚିନ୍ତା କରିବା କ୍ଷଣି ତା’ର ମନଟା ହାଲ୍କା ହେଇଗଲା ଓ ଛୋଟ ହସଟିଏ ଉକୁଟି ଉଠିଲା ତା’ର ଓଠ ଧାରରେ । ‘ଜୟ ବଜରଙ୍ଗବାଲୀ’ କହି ସିଏ ରେଜେଇଟାକୁ ଟାଣି ଆଣିଲା କାନ ଯାଏ । ପୁଣି ତା’ର ମନେ ପଡ଼ିଲା “ମୋବାଇଲ୍ଟା ତ ଅନ୍ ଅଛି । ମିତା ଫୋନ୍ କରିପାରେ । ଜାଣିବା ପାଇଁ ଠିକ୍ ଟାଇମ୍ରେ ଉଠିଛି କି ନାହିଁ । ଜଳଖିଆ ଖାଇଛି କି ନାହିଁ । ଶଳା, ସ୍ତ୍ରୀ ନୁହେଁ ତ, ଜୀ କା ଜଞ୍ଜାଲ ।’ ସନତ ପ୍ରୋଫାଇଲ୍କୁ ଯାଇ ମୋବାଇଲ୍କୁ ସାଇଲେଣ୍ଟ ମୋଡରେ ରଖିଲା । ମୋବାଇଲ୍ଟାକୁ ତକିଆ ତଳେ ରଖି ଦେଇ ଘୋଡେଇ ପୋଡେଇ ହେଇ ଶୋଇ ପଡ଼ିଲା ।
ନିଦ ଭାଙ୍ଗିଲା ବେଳକୁ ବାରଟା । ସନତ ଅଳସ ଭାଙ୍ଗି ବଡ଼ ହାଇଟେ ମାରିଲା । ତଉଳିଆ ପାଲଟି ବାଥ୍ରୁମ୍ରେ ପଶିଲା । ଏମିତିରେ ତା’ର ବହୁତ ସମୟ ବାଥ୍ରୁମ୍ରେ ରହିବା ଅଭ୍ୟାସ । ଅଭ୍ୟାସ କ’ଣ ମଜବୁରୀ କୁହନ୍ତୁ । ମଳକଣ୍ଠକ ରୋଗଟା ତାକୁ ଜମାରୁ ସ୍ୱସ୍ତିରେ ବାଥ୍ରୁମ୍ରୁ ବାହାରିବାକୁ ଦିଏନି । ଆଜି ଆହୁରି ଅଧିକ ସମୟ ବସିବାକୁ ପଡ଼ିବ ତାକୁ । କାରଣ ସିଏ ଗତକାଲି ରାତିରେ ଉଷୁମ କ୍ଷୀର ଖାଇବାକୁ ଭୁଲିଯାଇଛି । ମିତା କହିକି ଯାଇଥିଲା “ହଟ୍କେସ୍ରେ ରାତିର ଖାଇବା ରଖି ଦେଇଛି । କ୍ଷୀର ଆଉଟି ଫ୍ରିଜ୍ରେ ରଖିଛି । ଖାଇ ସାରିଲା ପରେ ଉଷୁମ କରି ପିଇନେବ । ନହେଲେ ସକାଳୁ ହଇରାଣ ହେବ । ହେଲେ ମିତାକୁ ଛାଡ଼ି ସାରିଲା ପରେ ସିଏ ଟିକେ ଖଟି ଆଡେ ମାଡି ଯାଇଥିଲା ସେଠୁ ଫେରୁ ଫେରୁ ରାତି ବାର । ଆଉ କ୍ଷୀର ପିଇବ କ’ଣ । ସିଏ ସିଧା ଆସି ଢେର୍ ହେଇଗଲା ବିଛଣା ଉପରେ ।
କହିବାକୁ ଗଲେ ସନତ ଗୋଟେ ଅସଜଡା ମଣିଷ । ଆଉ ମିତା ଲାଗି ପଡି ତାକୁ ରୀତିମତ ସଜାଡିବାକୁ ଲାଗିଛି । ଛୋଟ ବେଳେ ସନତକୁ ବହୁତ ସମୟରେ ଜର ହେଉଥିଲା । ଜର ହେଲେ ଭାତ ଖାଇବା ବନ୍ଦ । ପାଉଁରୁଟି କ୍ଷୀର ହେଉଛି ଖାଦ୍ୟ । ବାପା ଅଫିସ୍ ଗଲା ବେଳେ ମାଆକୁ କହିକି ଯାଉଥିଲେ ।
“ତାକୁ ଆଜି ଭାତ ଦବନି । ଠିକ୍ ଟାଇମ୍ରେ ଔଷଧ ଦେବ । ଆଗକୁ ପରୀକ୍ଷା ଅଛି । ବେଶି ଦିନ ଜରରେ ପଡ଼ିଗଲେ ପାଠ ମାରା ହେବ ।”
ମାଆ ପାଉଁରୁଟିକୁ ତାୱାରେ ସେକି, କ୍ଷୀର ସହିତ ଆଣି ଥୋଉଥିଲା । ଥାଳିକୁ ଚାହିଁ ସନତ କହୁଥିଲା “ୟାକୁ କିଏ ଖାଇବ?”
ତୋତେ ପା’ ଜର । ବାପା କହିଯାଇଛନ୍ତି ୟାକୁ ଖାଇସାରିଲେ ଔଷଧ ଖାଇବୁ? ସନତ ମୁହଁକୁ ଦରକାରଠାରୁ ଆହୁରି ଉଦାସ କରିଚାହୁଁଥିଲା ମାଆକୁ । ସ୍ୱରକୁ ଆହୁରି ଉଦାସିଆ କରି କହୁଥିଲା- “ତୁ ନିଜେ କହିଲୁ ମାଆ ଜରୁଆ ପାଟିକୁ ଏ କ୍ଷୀର ପାଉଁରୁଟି କ’ଣ ଭଲ ଲାଗିବ ୟାକୁ ଖାଇଲେ ମୋର ସାଙ୍ଗେ ସାଙ୍ଗେ ବାନ୍ତି ହେଇଯିବ । ଆଉ ବାନ୍ତି ହେଲେ କେତେ ଦୁର୍ବଳିଆ ଲାଗିବ ତୁ ତ ଜାଣିଛୁ?”
“ଆଉ ତେବେ କହ କ’ଣ ଖାଇବୁ? ଚୁଡା ଭଜା ଖା’ ।
“ନା ନା ମାଆ ତୁ ମୋତେ ଭାତ ଦେ । ଦେଖିବୁ ମୁଁ ସନ୍ଧ୍ୟା ବେଳକୁ ପୂରା ଚାଙ୍ଗା ହେଇଯିବି ।”
ମାଆ ପ୍ରଥମେ ନା’ ନୁକର କଲେ । ହେଲେ ସନତର ସେଇ ଉଦାସିଆ ଜିଦ୍ ଆଗରେ ମାଆ ମୁଣ୍ଡ ନୁଅାଁଏ ।
ସନତକୁ କେବେ ହେଲେ ଶଗଡ଼ଗୁଳାରେ ଚାଲିବାକୁ ଭଲ ଲାଗେନା । ଖରା ଦିନେ ଘୋଡେଇ ହେଇ ଶୋଇବାକୁ ଭଲ ଲାଗେ । ଶୀତ ରାତିରେ କେବଳ ହାତକଟା ଗେଞ୍ଜି ପିନ୍ଧି ଛାତରେ ବୁଲିବାକୁ ଭଲ ଲାଗେ । ଭଲ ଲାଗେ ବର୍ଷା ଦିନେ ଧାରା ଶ୍ରାବଣରେ ଭିଜି ଭିଜି କଲେଜରୁ ଫେରିବାକୁ । ତାକୁ ଭଲ ଲାଗେ ସ୍ୱାଧୀନ ଭାବରେ ବଞ୍ଚିବାକୁ । ହେଲେ ମିତା, ମିତା ତ ଯେମିତି ତା’ର ସ୍ୱାଧୀନତାର ଦୁଶମନ୍ । ସିଏ ସବୁବେଳେ ତାକୁ ବିଭିନ୍ନ ବାଧାବନ୍ଧନରେ ବାନ୍ଧି ରଖିବାକୁ ଚେଷ୍ଟା କରେ ।
ହଉ ଛାଡ । ସନତ ଏସବୁ ଭାବନାକୁ ମୋଡ଼ିମାଡ଼ି ଡଷ୍ଟବିନ୍ରେ ପକେଇଲା । ଜିନ୍ସ ଟି’ସାର୍ଟ ପିନ୍ଧି ରେଡ୍ଡି ହେଇଗଲା । ଆଜି ତା’ର କାର୍ ବା ବାଇକ୍ ନେବାକୁ ଇଚ୍ଛା ହେଲାନି । ଆଜି ସିଏ ଦିନସାରା ପବ୍ଲିକ୍ ଟ୍ରାନ୍ସପୋର୍ଟରେ ବୁଲିବ । ଅଟୋ, ଟାଉନ୍ ବସ୍ ବା କ୍ୟାବ୍ରେ ।
କବାଟରେ ଲକ୍ ପକେଇ ବାହାରିଲା ସନତ । ଆପାର୍ଟମେଣ୍ଟ ଗେଟ୍ ବାହାରକୁ ବାହାରିଗଲା ପରେ ତା’ର ମନେ ପଡ଼ିଲା ଯେ ସିଏ ଚା’ ପିଇନି ସକାଳୁ । ଡାହାଣ ପଟ କପାଳଟା ଟିକେ ଟିକେ ବିନ୍ଧିବା ଆରମ୍ଭ କଲାଣି । କଡକ୍ ଚା’ କପେ ନିହାତି ଦରକାର । ସିଏ ଗେଟ୍ର ଡାହାଣ ପଟକୁ ଚାହିଁଲା । ଗେଟ୍ ଠାରୁ କିଛି ଦୂରରେ ଗୋଟେ ଝୁମ୍ପୁଡି ଚା’ ଦୋକାନ । ଦୋକାନର ଗୋଟେ ପଟକୁ ଗୋଟେ କାଠ ବେଞ୍ଚ । ତେଲ ପିଇ ପିଇ କଳା ପଡି ଗଲାଣି । ଦୋକାନ ସାମ୍ନାରେ ଉଠା କୋଇଲା ଚୁଲୀ । ଦିକ୍ ଦିକ୍ ହେଇ ଜଳୁଛି କୋଇଲା । ଚୁଲୀ ଉପରେ କଳା କେଟଲୀ । କେଟଲୀର ଉପର ଢାଙ୍କୁଣୀ ଓ ସଂଯୁକ୍ତ ନଳୀର ଅଗ୍ର ଭାଗକୁ ଚାହିଁଲେ ହିଁ ଜାଣି ହେବ ଯେ କେଟଲୀଟା ସିଲ୍ଭର୍ରେ ତିଆରି । ନହେଲେ କୋଇଲା ଆଞ୍ଚରେ ଜଳି ଜଳି କଳା ପଡ଼ିଯାଇଛି କେଟ୍ଲୀର ରଙ୍ଗ । ସନତ ମୋଟା, ପେଟା, କାଳିଆ ଚା’ ଦୋକାନୀକୁ ଅନେଇ କହିଲା “ଭାଇ କପେ କଡ଼ା ଚା’ । ଚା’ଟା ଟିକେ ଭଲକି ଫୁଟେଇବ । କହି ସାରି ସିଏ ବସି ପଡ଼ିଲା ସେଇ ବେଞ୍ଚ ଉପରେ । ଚା’ ଦୋକାନରେ ବାଜୁଥିଲା ଏଫ୍ଏମ୍ ରେଡିଓର ଗୀତ । ଅକ୍ଷୟ ମହାନ୍ତିଙ୍କର ସେଇ ପୁରୁଣା ଗୀତ ‘ଭସା ମେଘ ଭାସି ଯାଏ… ସନତ ଟିକେ ଅନ୍ୟମନସ୍କ ହେଇପଡ଼ିଲା । ଚା’ ଦୋକାନୀର ପିଲାଟି କାଚ ଗ୍ଲାସ୍ରେ ବଢ଼େଇ ଦେଲା କପେ ଚା’ ତା’ ହାତକୁ । ହଠାତ୍ ତାକୁ ଚା’ ସହିତ ପଞ୍ଚ କରି ସିଗାରେଟ୍ ପିଇବାକୁ ଇଚ୍ଛା ହେଲା । ସିଏ ହାତ ଠାରି ଡାକିଲା ସେଇ ଦୋକାନ ପିଲାଟିକୁ । କହିଲା “ସିଗାରେଟ୍ ଅଛି, ଆଣିଲୁ ଗୋଟେ ।’ ପିଲାଟି ତା’ର ମାଲିକ ପାଖକୁ ଯାଇ ଗୋଟେ ସିଗାରେଟ୍ ଆଉ ଦିଆସିଲି ଧରି ଫେରିଲା । ସନତ କଡେ ଧୂଅାଁ ଭକ୍ ଭକ୍ କରି ଶୂନ୍ୟକୁ ଛାଡ଼ି ଦେଇ ଚଟ୍ କରି ଗ୍ଲାସ୍ରୁ ଢୋକେ ଚା’ ପିଇନେଲା । କେମିତି ଏକ ଧୂଅାଁଟିଆ ମିଠା ସ୍ୱାଦ ସଞ୍ଚରି ଗଲା ତା’ର ସାରା ଶରୀରରେ । ନାକ ଓ ପାଟିରୁ ଲମ୍ବା ହେଇ ବାହାରୁ ଥିବା ଧୂଅାଁ କ୍ରମେ ଗୋଲାକାର ହେଇ ହଜି ଯାଉଥିଲା ପବନରେ । ସନତର ଇଚ୍ଛା ହେଲା ଧୂଅାଁ ପିଠିରେ ଲାଉ ହେଇ ବୁଲିବାକୁ । ମିଳେଇ ଯିବାକୁ ପବନରେ, ଇଥର୍ରେ.. ଶୂନ୍ୟରେ…
ସନତର ଚାରିପଟେ କ୍ରମେ ବଢ଼ୁଥିଲା କୋଳାହଳ । ରାସ୍ତାରେ ବସ୍, କାର୍, ଟ୍ରକ୍, ମଟର ସାଇକେଲ ଧାଉଁଥିଲେ ଅବିରାମ ଗତିରେ । ସମସ୍ତଙ୍କ ମନରେ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବାର ବ୍ୟଗ୍ରତା । ଅନ୍ୟକୁ ପଛରେ ପକେଇ ଧାଇଁବାର ବ୍ୟାକୁଳତା । ସତରେ ଏଇ ବ୍ୟଗ୍ରତାର, ବ୍ୟାକୁଳତାର ଅନ୍ତ କେଉଁଠି? ବୁଝିପାରେନି ସନତ । ବେଳେବେଳେ ସନତକୁ ଲାଗେ ସିଏ ରେସ୍କୋର୍ସର ଘୋଡା । ବିଭିନ୍ନ ସମୟରେ ବିଭିନ୍ନ ଜକି ତା’ ଉପରେ ସବାର ହେଉଛନ୍ତି । ଆଉ ଚାବୁକ୍ ମାରି ତାକୁ ଦୌଡ଼ିବାକୁ ବାଧ୍ୟ କରୁଛନ୍ତି । କେବେ ବାପାମାଆ, କେବେ ଶିକ୍ଷକ, କେବେ ସ୍ତ୍ରୀ । ସମସ୍ତେ ଚାହାଁନ୍ତି ସିଏ ଆହୁରି… ଆହୁରି ଜୋର୍ରେ ଦଉଡୁ । କମ୍ରୁ କମ୍ ସମୟ ମଧ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁ । ହେଲେ କେହି ତାକୁ ପଚାରେନି ତା’ର ଦୌଡିବାକୁ ଇଚ୍ଛା ହେଉଛି କି ନାହିଁ । ଯେଉଁ ଲକ୍ଷ୍ୟସ୍ଥଳ ତା’ ପାଇଁ ସ୍ଥିର କରାଯାଇଛି ସେଇଠି ପହଞ୍ଚିବାର ବ୍ୟଗ୍ରତା ତା’ ମଧ୍ୟରେ ଅଛି କି ନାହିଁ?
ତାକୁ ଲାଗେ ଏଇ ଜୀବନ, ଏଇ ଶରୀର ଯେମିତି ତା’ର ନୁହେଁ । କିମ୍ବା ତା’ ଉପରେ ତାର ନିଜର କିଛି ଅଧିକାର ନାହିଁ । ସିଏ କେବଳ ଗୋଟେ ଶରୀରକୁ ବୋହି ବୋହି ଚାଲିଛି ଯାହା । ସିଏ କେମିତି ବଞ୍ଚିବ, କେମିତି ଜୀବନ କାଟିବ ତାହା ନିର୍ଦ୍ଧାରଣ କରିବାର ଅଧିକାର ନାହିଁ ତା’ର । ତା’ପାଇଁ ଅନେକ ଆଗରୁ ରାସ୍ତାଟିଏ, ମାର୍ଗଟିଏ ନିର୍ଦ୍ଧାରିତ ହୋଇ ରହିଛି । ସିଏ କେମିତି ଚାଲିବ, କଣ ଖାଇବ, କ’ଣ ପିନ୍ଧିବ ଏ କଥା ମଧ୍ୟ ତା’ ଚାରିପାଖରେ ଥିବା ମଣିଷମାନେ ହିଁ ଠିକ୍ କରିବେ । ଏ କିପରି କଥା… ସନତକୁ ବିଦ୍ରୋହ କରିବାକୁ ଇଚ୍ଛା ହୁଏ… ହେଲେ ସିଏ କରିପାରେନି ବିଦ୍ରୋହ । ଏକ ବିରାଟ ଅସହାୟତା ତାର ଗୋଡ଼, ହାତକୁ ବାନ୍ଧି ପକାଏ । ତା’ହେଲେ କ’ଣ ପରାଧୀନତା ହିଁ ଏକମାତ୍ର ସତ୍ୟ । ସ୍ୱାଧୀନତା ଏକ ଛଳନା ମାତ୍ର । ତା’ର ନିଜ ଉପରେ ଦୟା କରିବାକୁ ଇଚ୍ଛା ହୁଏ । କାସ୍… ସିଗାରେଟ୍ଟା ଜଳି ଜଳି ଆସି ଛୁଇଁ ହେଇଗଲା ଚାଉଁକିନା ଆଙ୍ଗୁଳିରେ । ତା’ର ଅଜାଣତରେ ତା’ର ଓଠ ଫାଙ୍କ ଦେଇ ବାହାରି ଆସିଲା ଆଃ ଟିଏ । ସିଗାରେଟ୍ର ଶେଷ ଖଣ୍ଡଟିକୁ ଦୁଇ ଆଙ୍ଗୁଳି ମଧ୍ୟରେ ରଖି ଆଉ ଏକ ଆଙ୍ଗୁଳି ଅଗରେ ଏକ କିକ୍ ମାରିଲା ସନତ । ସିଗାରେଟ୍ ଟୁକୁଡାଟି ଛିଟିକି ପଡ଼ିଲା ଦୂରକୁ । ଦୋକାନୀ ହାତକୁ ଦଶ ଟଙ୍କିଆ ନୋଟ୍ଟିଏ ବଢ଼େଇ ଦେଇ ସନତ ଉଠିଲା କାଠ ବେଞ୍ଚରୁ ।
ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ? ସିଏ ଯେ ଆଜି ପୂରାପୂରି ସ୍ୱାଧୀନ ସେ କଥା ହାତେ ହାତେ, ଶିରେ ଶିରେ ଅନୁଭବ କରିବା ପାଇଁ କ’ଣ କରାଯାଇପାରେ? ହୁଁ… ମାର୍କେଟ୍… ପାର୍କ… କୌଣସି ବନ୍ଧୁ ଘରକୁ.. ଖଟିକୁ । ନା ଆଉ କିଛି । ଶେଷରେ ସିଏ ଠିକ୍ କଲା ସିଏ ସିନେମା ହଲ୍ରେ ଯାଇ ସିନେମା ଦେଖିବ । ପୁଣି ଇଂଲିସ୍ ସିନେମା । ସିଏ ଅନେକ ଦିନ ହେଲା ଇଂଲିସ୍ ସିନେମା ଦେଖିନି । ବାହାଘର ପରେ ପରେ ସନତ ଥରେ ମିତାକୁ ପ୍ରସ୍ତାବ ଦେଲା “ମିତା, ଚାଲ ଆଜି ଶ୍ରୀୟାରେ ଇଂଲିସ ମୁଭି ଦେଖିବା” । ଗୋଟେ ବଢ଼ିଆ ମୁଭି ପଡିଛି ।
ତା’ କଥା ଶୁଣି ଚିହିଁକି ଉଠିଲା ମିତା । “କ’ଣ କହିଲ ଇଂଲିସ୍ ମୁଭି ଦେଖିବ । ସେଇ ଅଧା ନଙ୍ଗୁଳି ଝିଅମାନଙ୍କୁ ଦେଖିବାକୁ ଯିବ । ଛି ! ଛି! ଯଦି ମୁଁ ଆଗରୁ ଜାଣିଥାନ୍ତି ଯେ ତୁମେ ସେଇ ସବୁ ମୁଭି ଦେଖ ବୋଲି ତେବେ ତ ମୁଁ ତୁମକୁ ବାହା ହେବାକୁ ସିଧାସିଧା ମନା କରିଦେଇଥାନ୍ତି । ମାନସିକ ରୋଗୀମାନେ ହିଁ ସେଇ ସବୁ ମୁଭି ଦେଖନ୍ତି ।
“ଆରେରେ, ସେମିତି ଜମା ନୁହେଁ ମିତା । ଇଂଲିସ ମୁଭିମାନେ ପର୍ନ ମୁଭି ନୁହେଁ, ଦୁଇଟି ପୂରାପୂରି ଅଲଗା ଜିନିଷ । ତୁମେ ଯେମିତି ଓଡ଼ିଆ ହିନ୍ଦୀ ମୁଭି ଦେଖୁଛ ଇଂଲିସ୍ ମୁଭି ବି ସେମିତି ଇଂରାଜୀ ଭାଷାର ମୁଭି, ପର୍ନ ନୁହେଁ । ସିଏ ମିତାକୁ ବୁଝେଇବା ଛଳରେ କୁହେ । ହେଲେ ମିତା କି ବୁଝିବା ଲୋକ । ସିଏ ଆମ ଶିକ୍ଷା, ସଂସ୍କୃତି, ଐତିହ୍ୟ ଉପରେ ଏକ ଲମ୍ବାଚୌଡ଼ା ଭାଷଣ ଦେବା ସୁରୁ କରିଦିଏ । ଅଗତ୍ୟା ମୁହଁରେ ତୁଣ୍ଡି ବନ୍ଧା ଗାଈ ପରି ସିଏ ଚୁପ୍ ରହିବାକୁ ଶ୍ରେୟସ୍କର ମଣେ ।
ତା’ହେଲେ ଆଜି ଗୋଟେ ଇଂଲିସ୍ ମୁଭି ଦେଖାଯାଉ । ସନତ ଗୋଟେ ଅଟୋକୁ ହାତ ହଲେଇ ଅଟକେଇଲା । ସାମ୍ନାରେ ଡ୍ରାଇଭର ପାଖରେ ବସି ପଡ଼ି କହିଲା ‘ଶ୍ରୀୟା, ଶୀଘ୍ର ।’ ଅଟୋଟି ଶ୍ରୀୟା ଟକିଜରେ ପହଞ୍ଚିଲା ପରେ ସିଏ ଯାଇ ଲାଇନ୍ରେ ଛିଡ଼ା ହୋଇ ଟିକେଟ୍ କାଟିଲା । ଲାଇନ୍ରେ ଅଧିକାଂଶ କଲେଜ ପଢ଼ୁଆ ପୁଅ ଓ କିଛି ଝିଅ । ଯେତେକ ଝିଅ ସମସ୍ତେ ନିଜ ନିଜର ବୟଫ୍ରେଣ୍ଡ ସାଙ୍ଗରେ ଅଛନ୍ତି । ସନତର ବି କଲେଜ ଦିନ ସବୁ ମନେପଡ଼ିଲା । ରବିବାରିଆ ଏମିତି ଝିଅପୁଅ ମିଶି ଯାଉଥିଲେ ସିନେମା ଦେଖି । ସିନେମା ଦେଖିଯିବାର ପୂର୍ବଦିନ ରାତିରେ ସନତ ଏକଦମ୍ ଶୋଇପାରୁନଥିଲା । ଏକ ଅଦ୍ଭୁତ ବିଭୋରପଣ ତାକୁ ସାରାରାତି ଆକ୍ରାନ୍ତ କରି ରଖୁଥିଲା । ସକାଳୁ ଉଠି ସିଏ ବାରମ୍ବାର ବାଥ୍ରୁମ୍ରେ ଥିବା ମିରରରେ ନିଜ ଚେହେରାକୁ ପରଖୁଥିଲା । ନିଶ, ଦାଢ଼ି ସାଇଜ୍ କରୁଥିଲା । ମୁହଁକୁ ଘସି ଘସି ଫେସ୍ୱାସରେ ଧୋଉଥିଲା । ବାଳକୁ ଆଣ୍ଟି ଡେଣ୍ଡ୍ରଫ୍ ସାମ୍ପୋ ଲଗେଇ ସଫା କରୁଥିଲା । ଯେମିତି କି ସିଏ ଝିଅଙ୍କ ସାଙ୍ଗରେ ମିଶି ସିନେମା ଦେଖି ଯାଉଛି; ଗାର୍ଲଫ୍ରେଣ୍ଡକୁ ଡେଟିଂରେ ନେଇ କି ଯାଉଛି ।
ମୁଭି ଭାଙ୍ଗିଲା ବେଳକୁ ପାଞ୍ଚଟା ବାଜି ଯାଇଥିଲା । ସୂର୍ଯ୍ୟକିରଣ ନିସ୍ତେଜ ହୋଇପଡ଼ିଥିଲା । ପରେ ପରେ ସିଏ ଅନୁଭବ କଲା ଯେ ସୂର୍ଯ୍ୟକିରଣ ନିସ୍ତେଜ ହୋଇନି । ପରନ୍ତୁ ଏକ କଳା ବାଦଲ ଘୋଡାଇ ପକେଇଛି ସୂର୍ଯ୍ୟଙ୍କୁ । ଶୋଷି ନେଇଛି ସୂର୍ଯ୍ୟଙ୍କର ସବୁ କିରଣକୁ । ହଠାତ୍ ବଡ଼ ବଡ଼ ବରକୋଳି ଟୋପା ପରି ମେଘ ପଡ଼ିବାକୁ ଲାଗିଲା । ସନତ ଦଉଡି ଯାଇ ପଶିଗଲା ସିନେମା ହଲ୍ର ବାଁ କଡ଼କୁ ଥିବା ମଲ୍ ଭିତରେ । ମଲ୍ ଭିତରେ ଭିଡ଼ ଟିକେ କମ୍ । ଏଇ ସମୟରେ ସାଧାରଣତଃ ଘରୋଇ ଲୋକ ଆସିନଥାନ୍ତି । ଯେଉଁମାନେ ବି ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ବୁଲିବାକୁ, କିଣାକିଣି କରିବାକୁ ଆଉ ହାତ ଧରାଧରି ହେଇ କିଛି ସୁନ୍ଦର ମୁହୂର୍ତ୍ତ କାଟିବା ପାଇଁ ଏଇ ସମୟଟା ହିଁ ସର୍ବୋକ୍ରୃଷ୍ଟ । ସନତ ବେଳେବେଳେ ଭାବେ ଋଷିମୁନିଠାରୁ ଆରମ୍ଭ କରି ମହାପୁରୁଷମାନେ କହି ଆସିଛନ୍ତି ଯେ “ପ୍ରେମ ହିଁ ମହାର୍ଘ ଅନୁଭୂତି” । ତେବେ ପୁଅଝିଅଙ୍କର ପ୍ରେମକୁ ନେଇ ଏତେ ଭୟ ଭ୍ରାନ୍ତି କ’ଣ ପାଇଁ? ପୁରୁଷ ଓ ନାରୀଙ୍କ ମଧ୍ୟରେ ଆକର୍ଷଣ ଯଦି ଚିରନ୍ତନ ସତ୍ୟ ତେବେ ପ୍ରେମର ଶତ୍ରୁ ଏଇ ସାରା ଦୁନିଆ କ’ଣ ପାଇଁ? କେଜାଣି? ଏମିତି ବି ହେଇପାରେ ଯେହେତୁ ପ୍ରେମକୁ ଉପଲବ୍ଧି କରିବାର ପଥ ଏତେ କଣ୍ଟକିତ ସେଇଥିପାଇଁ ପ୍ରେମ ଏତେ ସୁନ୍ଦର ଓ ଆକର୍ଷଣୀୟ ।
ପରିବେଶ ଥିଲା ଶାନ୍ତ, ଶୀତଳ । ବାସ୍, କିଛି ଆଖିର ଇସାରା, କିଛି ଚୁପିଚୁପି କଥା ଆଉ କିଛି ନିଶ୍ୱାସ/ପ୍ରଶ୍ୱାସର ଶବ୍ଦ । ଯୁବକ ବନ୍ଧୁଟି ମାନିକ୍ୱେନ୍ ଆଡକୁ ଅନେଇ ଫିସ୍ ଫିସ୍ କରି କହୁଥିଲା । ରାଣୀ ଏଇ ଡ୍ରେସ୍ଟି ତୁମକୁ ଖୁବ୍ ମାନିବ । ତୁମର ପ୍ରତ୍ୟେକଟି ଅଙ୍ଗପ୍ରତ୍ୟଙ୍ଗ ଏଥିରେ ଫୁଟି ଦିଶିବ । ଏକଦମ୍ ସ୍କିନ୍ ଟାଇଟ୍ । ଝିଅଟି ଅଳ୍ପ ହସି କହେ “ଆରେ ନା’ ନା’, ମୋ ବୋଉ ଦେଖିଲେ ମୋତେ ବାଡେଇ ପକେଇବ ।”
“ଆରେ ତୁମେ ୟାକୁ ବୋଉ ସାମ୍ନାରେ କାହିଁକି ପିନ୍ଧିବ ଯେ ! ଯଉ ଦିନ ତୁମର ମୋର ନିରୋଳାରେ ଭେଟ ହେବ ସେଇଦିନ ତୁମେ ୟାକୁ ପିନ୍ଧିବ । ଇସ୍ ଡ୍ରେସ୍ଟା କି ସେକ୍ସି ହେଇଛି ।
ସନତକୁ ପରିବେଶଟା ଖୁବ୍ ରୋମାଣ୍ଟିକ୍ ମନେ ହେଲା । ତା’ର ହୃଦୟର ଶୁଖିଲା ପଡ଼ିଆଟା ଯେମିତି ହଠାତ୍ ସାବ୍ଜା ପଡ଼ିଗଲା ବସନ୍ତର ଆଗମନରେ । ତାକୁ ଲାଗିଲା ମଲ୍ ଭିତରେ ସମସ୍ତେ, ଏପରିକି ଜିନିଷପତ୍ରମାନେ ବି ନିଜ ନିଜ ଭିତରେ ପ୍ରେମାଳାପ କରିବାରେ ମସ୍ତ ଅଛନ୍ତି । କାହାର କାହାରିକୁ ଚାହିଁବାର ଫୁରସତ୍ ନାହିଁ । ସନତକୁ ଟିକେ ଏକୁଟିଆ ଲାଗିଲା । କାସ୍… କାସ୍.. କାସ୍… ତା’ପାଖରେ ବି କେହି ଜଣେ ଥା’ନ୍ତା ସନତ ଚାଲି ଚାଲି ଫ୍ଲୋର୍ ପରେ ଫ୍ଲୋର୍ ପାରି କରିବାକୁ ଲାଗିଲା । ଫୋର୍ଥ ଫ୍ଲୋର୍ । ଶାଢ଼ି ସେକ୍ସନ । ଏଠି ଅପେକ୍ଷାକୃତ କମ୍ ଭିଡ଼ । କିଛି ମହିଳା ଓ ଜଣେ/ଦି’ଜଣ ଝିଅ ଶାଢ଼ି ଦେଖିବାରେ ବ୍ୟସ୍ତ । ସନତ ବି ଶାଢ଼ି ସବୁ ଦେଖିବାକୁ ଲାଗିଲା । ସିଲ୍କ… ସିଫନ୍, ଚନେ୍ଦରୀ, ବୋମକେଇ… ବନାରସୀ ବିଭିନ୍ନ ରଙ୍ଗ ଲାଲ୍, ନାରଙ୍ଗୀ, ଶାଗୁଆ, ଗୋଲାପୀ.. । ସେଲ୍ସମ୍ୟାନ୍ ତା’ ଆଗରେ ଶାଢ଼ି ସବୁ ଖୋଲି ମେଲେଇ ଚାଲିଥିଲା । ସନତ ମନରେ ଶାଢ଼ି କିଣିବା ସେମିତି କିଛି ଖାସ୍ ଇଚ୍ଛା ନଥିଲା । ସିଏ ତ ଖାଲି ସମୟ କାଟିବାକୁ ଚାହୁଁଥିଲା । ସେଲ୍ସମ୍ୟାନ ତା’ର ଅନ୍ୟମନସ୍କତା ଦେଖି କହିଲା “ସାର୍ କହୁ ନାହାନ୍ତି କାହା ପାଇଁ ନେବେ? ଆପଣଙ୍କର କେମିତି ଶାଢ଼ି ଦରକାର? ଆହୁରି ବହୁତ ଭେରାଇଟିର ଶାଢ଼ି ଅଛି । ନୂଆ ଷ୍ଟକ୍ ପରା ଗତକାଲି ଆସିଛି ।”
“ନା’ ନା’, ଭାଇ ବ୍ୟସ୍ତ ହୁଅନି । ମୁଁ ଦେଖୁଛି । ପସନ୍ଦ ହେଲେ କହିବି ।”
ସନତର ବାଁ କଡ଼ରେ ଗୋଟେ ଝିଅ ଠିଆ ହେଇ ଶାଢ଼ି ଦେଖୁଥାଏ । ମଝିରେ ମଝିରେ କହୁଥାଏ ସେଇ ସେଇ ଫାଷ୍ଟ ରୋ’ର ସେକେଣ୍ଡ ସେଲ୍ଫ… ପିସ୍ତା ଗ୍ରୀନ୍ କଲରର ଶାଢ଼ିଟା ଟିକେ କାଢ଼ିଲେ.. ହଁ ଆଉ ସେଇ ଫିରୋଜି କଲରର ଶାଢ଼ିଟା ବି ଟିକେ ବାହାର କରିବେ । ଡେନିମ୍ ଜିନ୍ସ ଉପରେ ଗୋଟେ କାଶ୍ମିରୀ ଷ୍ଟିଚର ଧଳା କୁର୍ତ୍ତି ପିନ୍ଧିଥିଲା ଝିଅଟି । ତା’ର ପତଳା, ଲମ୍ବା ପଣତକୁ ଡ୍ରେସ୍ଟା ମାନୁଥିଲା ଖୁବ୍ । ତା’ଦେହର ଡିଓର ବାସ୍ନା ଘୂରି ବୁଲୁଥିଲା ପବନରେ ।
“ଏକ୍ସକୁ୍ୟଜ୍ ମି ପ୍ଲିଜ୍… ।” ସନତ ଫିସ୍ ଫିସ୍ କରି କହିଲା ଝିଅଟିର କାନ ପାଖରେ ।
ଝିଅଟି କିଛି ଉତ୍ତର ନଦେଇ କେବଳ ବୁଲି ଚାହିଁଲା ତା’ଆଡେ । ଝିଅଟିର ଚେହେରାରେ ଝୁଲୁଥିଲା ଏକ ପ୍ରଶ୍ନବାଚୀ । କ’ଣ, କେମିତି କହିବ ଭାବି ସନତ ଟିକେ ଥ’ ଥ’, ମ’ ମ’ ହେଲା । ଝିଅଟା ତାକୁ ଭୁଲ ବୁଝିବନି ତ । ସହରୀ ଝିଅ, ଯଦି ତା’ର ଏମିତି ଉପରେ ପଡ଼ି, କଖାରୁ ବଡ଼ି ହେବାଟାକୁ ପସନ୍ଦ ନକରେ । ବଜାରୀ, ଛତରା କହି ଯଦି ଗାଳିଗୁଲଜ କରେ, ତେବେ..? ସନତ ସିନା ସାହସ ବାନ୍ଧି ଡାକିଦେଲା । ହେଲେ ଏବେ କ’ଣ କହିବ ଭାବି ଟିକେ ହଡବଡେଇ ଗଲା ।
ତାକୁ ଏମିତି ଚୁପ୍ ରହିବାର ଦେଖି ଝିଅଟି କହିଲା “କୁହନ୍ତୁ, ଆପଣ କ’ଣ ପାଇଁ ଡାକିଲେ?”
ସ୍ୱରକୁ ଅପେକ୍ଷାକୃତ ନରମ କରି କହିଲା ସନତ “ପ୍ରକୃତରେ ମୋର ଗୋଟେ ଶାଢ଼ି ନବାର ଥିଲା । ହେଲେ ଜାଣି ପାରୁନି କଉଟା ନେଲେ ଭଲ ହେବ । ଆପଣ ଯଦି ମୋତେ ଟିକେ ସହଯୋଗ କରନ୍ତେ… ।”
ଝିଅଟି ନିଜ ହାତରେ ଧରି ଦେଖୁଥିବା ଶାଢ଼ିଟିକୁ ତଳେ ଥୋଇ ଦେଇ ବଡ଼ ଆଗ୍ରହରେ କହିଲା “ହଁ… ହଁ.. ନିଶ୍ଚୟ । ଆପଣ ଶାଢ଼ି କାହା ପାଇଁ ନେବେ । କେମିତି ଶାଢ଼ି ନେବେ କୁହନ୍ତୁ । ମୁଁ ପସନ୍ଦ କରିଦେବି ।
“ମୋର ପତ୍ନୀ… ।” ପତ୍ନୀ ପାଇଁ ବୋଲି କହିବାକୁ ଯାଉଥିଲା ସନତ । ହେଲେ କ’ଣ ଭାବି ଜିଭକୁ ବ୍ରେକ୍ ଦେଲା । କହିଲା “ମୋର ସାନ ଭଉଣୀ ପାଇଁ । ଆଗକୁ ତା’ର ଜନ୍ମଦିନ ଅଛି ତ । ଶାଢ଼ିଟିଏ ନେଇ କି ଗଲେ ସିଏ ଭାରି ଖୁସି ହେବ । ସିଏ ପିଜି କରି ସାରିଲା ପରେ ଏବେ ଗୋଟେ ପ୍ରାଇଭେଟ୍ କଲେଜରେ ଚାକିରି କରୁଛି ।”
“ଦେଲ ଭାଇ, ସେଇ ବ୍ଲୁ ଆଉ ପିଙ୍କ୍ କମ୍ବିନେସନର ଲେହେଙ୍ଗା ଶାଢ଼ିଟା ।” ଝିଅଟି ସେଲ୍ସମ୍ୟାନ ଆଡକୁ ଚାହିଁ କହିଲା ।
ଝିଅଟି ଗୋଟିଏ ଶାଢ଼ିକୁ ଦେହରେ ଗୁଡେଇ ଦେଖଉଥାଏ ସନତକୁ । କହୁଥାଏ “ମନେ କରନ୍ତୁ, ମୋ ଜାଗାରେ ଆପଣଙ୍କର ଭଉଣୀ ଅଛନ୍ତି ।” ଦେଖି କି କୁହନ୍ତୁ ମୋ ଜାଗାରେ ସିଏ ଥିଲେ ତାକୁ କଉ ଶାଢ଼ିଟା ମାନିଥାନ୍ତା ।”
ସନତ ବୁଲି ବୁଲି ସବୁ ଏଙ୍ଗେଲ୍ରୁ ଝିଅଟିକୁ ଦେଖିଲା । ହେଲେ ଶେଷରେ କହିଲା- “ମୋତେ ତ ସବୁ ଶାଢ଼ି ଭଲ ଲାଗୁଛି । ଆପଣ ହିଁ ବାଛି ଦିଅନ୍ତୁ କଉଟା ଠିକ୍ ଲାଗୁଛି ।”
ସନତର ମନରେ ତ ଶାଢ଼ି କିଣିବାର କିଛି ପ୍ରବଣତା ହିଁ ନଥିଲା । ଶାଢ଼ି କିଣିବା ବାହାନାରେ ସିଏ କିଛି ରୋମାଞ୍ଚକର ମୁହୂର୍ତ୍ତ କାଟିବାକୁ ଚାହୁଁଥିଲା ଝିଅଟି ସହିତ ।
ଝିଅଟି ଗୋଟେ ଶାଢ଼ି କାଉଣ୍ଟରକୁ ପଠେଇ ଦେବାକୁ କହି ସନତ ଆଡକୁ ଚାହିଁ କହିଲା, “ଆପଣ ସିନା ବାହା ହେଇନାହାନ୍ତି, ହେଲେ କେବେ କ’ଣ ବରଯାତ୍ରୀ ଯାଇନାହାନ୍ତି । ପତ୍ନୀ ପାଇଁ ନହେଲା ନାଇଁ । ଆଉ କ’ଣ କେବେ କାହା ପାଇଁ ଶାଢ଼ି କିଣି ନାହାନ୍ତି । ଯଦି ବା କିଣି ନାହାନ୍ତି ଏବେ କିଣିବା ଅଭ୍ୟାସ କରି ନିଅନ୍ତୁ । ନହେଲେ ବାହାଘର ପରେ ହଇରାଣ ହେବେ । କାରଣ ସବୁ ସ୍ତ୍ରୀ ଚାହାନ୍ତି ସ୍ୱାମୀମାନେ ତାଙ୍କ ପସନ୍ଦର ଶାଢ଼ି କିମ୍ବା ଡ୍ରେସ୍ କିଣନ୍ତୁ ସେମାନଙ୍କ ପାଇଁ । ଝିଅଟିର ସ୍ୱରରେ ଥିଲା ଟିକେ ଆତ୍ମୀୟତା ।
ସନତ କଥାରେ ଆହୁରି ଆତ୍ମୀୟତା ପୁଟ ଦେଇ କହିଲା “ଆପଣଙ୍କ ସହିତ ମିଶି ଆଉ ଥରେ/ଦୁଇଥର ଯଦି ଶାଢ଼ି କିଣିଯାଏ ତେବେ ତ ମୁଁ ନିଶ୍ଚତ ଭାବରେ ଓସ୍ତାଦ ହେଇଯିବି ଏଥିରେ ।” କହି ସାରି ହୋ’ ହୋ’ ହେଇ ହସିଲା ସନତ ।
“ଆଚ୍ଛା ଆପଣଙ୍କୁ ଆଉ ଏକ ଅନୁରୋଧ କରିବି ରଖିବେ?” ଝିଅଟିକୁ ଚାହିଁ କହିଲା ସନତ ।
“ଆରେ ଏତେ ଔପଚାରିକତା କ’ଣ… କହୁ ନାହାନ୍ତି କ’ଣ କହିବାକୁ ଚାହୁଁଛନ୍ତି ।”
ମୁଁ କ’ଣ କହୁଥିଲି କି “ଚାଲୁ ନାହାନ୍ତି କପେ କପେ କଫି ପିଇବା । ମଲ୍ର ତଳ ଫ୍ଲୋର୍ରେ କଫିସପ୍ ଅଛି । ସେଇଠି କିଛି ସମୟ ବସିବା । ଆଜି ପାଗଟା ବି ଖୁବ୍ ସୁନ୍ଦର ହେଇଛି । ବର୍ଷା ଛାଡିଗଲାଣି । ହେଲେ ଏବେବି ପବନରେ ମହକୁଛି ମାଟିର ବାସ୍ନା । ତା’ପରେ ଆପଣଙ୍କ ପରି ଜଣେ ସୁନ୍ଦରୀ ବାନ୍ଧବୀ ସହିତ କଫି ପିଇବାର ମଜା । ସତରେ ଖୁବ୍ ରୋମାଣ୍ଟିକ୍… ।
ଝିଅଟି ହସିଲା । କହିଲା “ଆପଣ ମଜାକ୍ ବି ଖୁବ୍ ସୁନ୍ଦର କରନ୍ତି ।”
କଫି ସପ୍ରେ ସନତ ଓ ସେଇ ଝିଅଟି ସାମ୍ନାସାମ୍ନି ବସିଥିଲେ । ଏମିତି ବି ଝିଅମାନେ ଟିକେ ଅଧିକ ଗପୁଡି । ଝିଅଟି ନିଜ ବିଷୟରେ ଅନେକ କଥା ଗପୁଥିଲା । ଏଇ ଯେମିତି ସିଏ ଏଇଠି ଗୋଟେ ଇଂଜିନିୟରିଂ କଲେଜରେ ପାଠପଢ଼େ । ଏଇଟା ସେକେଣ୍ଡ ଇଅର । ହଷ୍ଟେଲରେ ରହେ । ଆଗକୁ କଲେଜର ଆନୁଆଲ୍ ଫଙ୍କସନ୍ ଅଛି । ସେଇଥିପାଇଁ କିଛି ମାର୍କେଟିଂ କରିବାକୁ ଆସିଥିଲା । ସନତ ଝିଅଟିର ହସ, ପ୍ରଗଳ୍ଭତାକୁ ମନଭରି ଉପଭୋଗ କରୁଥିଲା । ତା’ର ସେଇ କଲେଜ ଦିନ ସବୁ ମନେ ପଡ଼ିଯାଉଥିଲା ।
ହଠାତ୍ ଝିଅଟି ଉଠି ପଡ଼ିଲା । କହିଲା “ମୁଁ ଯାଉଛି- ମୋର କାମ ହେଇଗଲା ।” ସନତ ଝିଅଟିର ଏପରି ଆକସ୍ମିକତାରେ ଆଶ୍ଚର୍ଯ୍ୟ ହେଇଗଲା । ସିଏ ବି ଛିଡା ହେଇ ପଡ଼ିଲା ଚେୟାରଟାକୁ ଅଳ୍ପ ଠେଲି ଦେଇ । ପଚାରିଲା- ଏମିତି ହଠାତ୍… ଉଠିପଡ଼ିଲ ଯେ? ଆଉ… ତୁମର କେଉଁ କାମ ହେଇଗଲା?”
ଝିଅଟି ଯାହା କହିଲା ତାହା ଏହିପରି-
ଝିଅଟିର ବୟଫ୍ରେଣ୍ଡ କିଛିଦିନ ହେଲା ଅନ୍ୟ ଏକ ଝିଅ ସହ ବୁଲାବୁଲି କରୁଥିଲା । ପର ଝିଅଟି ଏ ବିଷୟରେ ଅନେକ ଥର ଚେତେଇ ଥିଲେ ମଧ୍ୟ ସିଏ ତା’ର କଥାକୁ ଗୁରୁତ୍ୱର ସହିତ ନେଉନଥିଲା । ତେଣୁ ଝିଅଟି ତାକୁ ଜଣେଇ ଦେବାକୁ ଚାହୁଁଥିଲା ଯେ ତୁ ଯଦି ମୋତେ ଧୋକା ଦେଇ ଅନ୍ୟ ଝିଅ ସହ ବୁଲିପାରିବୁ, ଟାଇମ୍ ପାସ୍ କରି ପାରିବୁ ତେବେ ମୁଁ ମଧ୍ୟ ଅନ୍ୟ ପୁଅ ସହ ଟାଇମ୍ପାସ୍ କରିପାରିବି । ଆଉ ସିଏ ତା’ର ପ୍ଲାନ୍ରେ ସଫଳ ହେଇଯାଇଛି । ସିଏ ଏବେ ଏବେ ଦେଖିଛି ତା’ର ବୟଫ୍ରେଣ୍ଡ କଫି ସପ୍ ବାହାରେ ଛିଡ଼ା ହେଇ ସେମାନଙ୍କୁ ଚାହିଁଥିଲା । ଆଉ ଝିଅଟିକୁ ସନତ ଦେଖି ଈର୍ଷାରେ ଜଳୁଥିଲା । ଆଉ ଏଇଆ ତ ଚାହୁଁଥିଲା ସିଏ । ଆଉ ତା’ର ପ୍ଲାନ୍ ଫୁଲ୍ଟୁ ସକ୍ସେସ୍ ।
ଝିଅଟି ଖୁସିର ଆତିଶଯ୍ୟରେ ଝୁମି ଉଠୁଥିଲା । ଯେମିତି ସିଏ ଗଡ଼ ଜୟ କରିଯାଇଛି । ସନତକୁ ସେମିତି ବୋକାଙ୍କ ପରି ଛିଡ଼ା ହେବାକୁ ଛାଡି ଦେଇ ଝିଅଟି କଫିସପ୍ର ଦରଜାକୁ ଠେଲି ଦେଇ ଝଡ଼ ପରି ବାହାରିଗଲା ବାହାରକୁ ।
ଫ୍ଲାଟ୍ର କବାଟ୍ ଖୋଲି ଭିତରକୁ ପଶିଲା ସନତ । ସିଧା ଯାଇ ଶୋଇ ପଡ଼ିଲା ଖଟ ଉପରେ । ହଠାତ୍ ତା’ର ମନେ ପଡ଼ିଗଲା, ସିଏ ଗଲା ବେଳେ ମୋବାଇଲ ଫୋନ୍ଟାକୁ ତକିଆ ତଳେ ଥୋଇ ଦେଇ ଯାଇଥିଲା । ତକିଆଟାକୁ ଠେଲି ଦେଇ ସିଏ ତା’ ତଳୁ ଟାଣି ଆଣିଲା ଫୋନ୍ଟିକୁ । କଲ୍ ରେକର୍ଡକୁ ଯାଇ ଦେଖିଲା ପଚିଶଟି ମିସ୍ଡ କଲ୍ । ଅଧିକାଂଶ ତା’ର ସ୍ତ୍ରୀ ମିତାର । ସାରାଦିନର ଘଟଣା ଗୋଟି ଗୋଟି ମନେ ପଡ଼ିଗଲା ତା’ର । ସିଏ ଖଟ କଡ଼ରେ ଥୁଆ ହେଇଥିବା ଟି’ପଏ ଉପରୁ ପାଣି ବୋତଲ୍ଟିକୁ ନେଇ ଢକ ଢକ କରି ପେଟେ ପାଣି ପିଇଗଲା । ଯେମିତି କି ସାରା ଦିନର ଖଟା-ମିଠା ଅନୁଭୂତିକୁ ସିଏ ପାଣି ସହିତ ମିଶେଇ ଗର୍ଭସ୍ଥ କରିନେଲା । ତା’ପରେ ସିଏ ନମ୍ବର ମିଳେଇବାକୁ ଲାଗିଲା.. ତା’ର ସ୍ତ୍ରୀ ମିତାକୁ ।