ସହିଦ ପତିଙ୍କ ଚଲାପଥେ ରଣାଙ୍ଗନରେ ବୀରାଙ୍ଗନା
ଭାରତର ସୀମାନ୍ତରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନଙ୍କ ପାଇଁ ଦେଶର ଜନତା ଶାନ୍ତିରେ ନିଦ୍ରା ଯାଇଥାନ୍ତି । କିନ୍ତୁ ସେମାନେ ସହିଦ ହେବା ପରେ ସେମାନଙ୍କ ପରିବାର ଲୋକେ ବିନିଦ୍ରା ରହିବାକୁ ବାଧ୍ୟ ହୋଇଥାନ୍ତି । ପୃଥିବୀର ଦ୍ୱିତୀୟ ବୃହତ୍ ସେନାବାହିନୀର ଯବାନଙ୍କ ପରିବାରର ଏପ୍ରକାର ଅସହାୟତା ୧୯୯୮ ପର୍ଯ୍ୟନ୍ତ ଜାରି ରହିଥିଲା । କିନ୍ତୁ ସେମାନଙ୍କ ପତ୍ନୀମାନଙ୍କ ପାଇଁ ନିଯୁକ୍ତିର ମାର୍ଗ ଉନ୍ମୁକ୍ତ ହେବା ପରେ ନୂଆ ଆଶାର ସଞ୍ଚା ହେଲା । ସହିଦପତିଙ୍କ ପଦାଙ୍କ ଅନୁସରରଣ କରି ବୀରାଙ୍ଗନା ପତ୍ନୀମାନେ ଏବେ ସେନାର ତିନିବାହିନୀରେ ଯୋଗଦାନ କରି ଦେଶରକ୍ଷାର ସଂକଳ୍ପରେ ସାମିଲ ହୋଇଛନ୍ତି । ଦଶଲକ୍ଷରୁ ଅଧିକ ଭାରତୀୟ ସେନାବାହିନୀରେ ସ୍ଥାନ ପାଇବା ଲାଗି ଏହି ବୀରାଙ୍ଗନାମାନଙ୍କୁ ମଧ୍ୟ ପ୍ରଶିକ୍ଷଣର କଠୋର ନିୟମ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଯିବାକୁ ହେଉଛି । ଭାରତର ସେନାବାହିନୀରେ ଯୋଗଦାନ କରିଥିବା ଏହପରି କିଛି ବୀରାଙ୍ଗନାମାନଙ୍କ ସଂପର୍କରେ
ରବିନ୍ଦର ଜିତ୍ ରାନ୍ଧୱା
ସନ୍ତ୍ରାସ ସହ ସଂଘର୍ଷରେ ସାମିଲ ସହିଦମାନଙ୍କ ପରିବାର କେବଳ ପଦକ ଓ ପେନ୍ସନ୍ରେ ଯେ ସନ୍ତୁଷ୍ଟ ହୋଇଥାନ୍ତି ତା’ ନୁହେଁ । ଅନେକ ପରିବାର ଲୋକେ ସହିଦଙ୍କ ବୀରତ୍ୱକୁ ସମ୍ାମନ ଜଣାଇବା ସହ ସେହି ପଥରେ ପୁନର୍ବାର ଚାଲିବାକୁ ଶ୍ରେୟ ମଣିଥାନ୍ତି । ଏମିତି ଜଣେ ମହିଳା ହେଲେ ୨ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିଅନର ସହିଦ ମେଜର ସୁଖୱିନ୍ଦର ଜିତ୍ ରାନ୍ଧୱାଙ୍କ ପତ୍ନୀ ରବିନ୍ଦର ଜିତ୍ ରାନ୍ଧୱା । ୧୭ ଜୁନ୍ ୧୯୯୭ରେ ତାଙ୍କ ସ୍ୱାମୀ ସୁଖୱିନ୍ଦରଙ୍କ ବାଟାଲିଅନ ଜାମ୍ମୁ-କାଶ୍ମିରରେ ନିୟୋଜିତ ଥିବା ସମୟରେ ଅନନ୍ତନାଗ ଜିଲ୍ଲାର କାଶିପୋରା ଗ୍ରାମରେ ସନ୍ତ୍ରାସବାଦୀମାନେ ଲୁଚିଥିବା ନେଇ ଖବର ମିଳିଲା । ସୁଖୱିନ୍ଦରଙ୍କ ଦଳ କାଶିଫୋରାଠାରେ ସନ୍ତ୍ରାସବାଦୀଙ୍କ ସହ ମୁକାବିଲା କରିବା ସମୟରେ ତାଙ୍କ ଶରୀରରେ ଗୁଳି ବାଜିଥିଲା । ହେଲେ ସେଥିପ୍ରତି ସେ ଖାତିର ନ କରି ଗ୍ରେନେଡ୍ ଫିଙ୍ଗୁଥିବା ଅନ୍ୟ ଜଣେ ସନ୍ତ୍ରାସବାଦୀଙ୍କୁ ଖତମ କରିଥିଲେ । କିନ୍ତୁ ପ୍ରବଳ ରକ୍ତସ୍ରାବ ଯୋଗୁ ସୁଖୱିନ୍ଦର ସେଠାରେ ସହିଦ ହୋଇଥିଲେ । ତାଙ୍କ ବୀରତ୍ୱ ପାଇଁ ସରକାର ତାଙ୍କୁ ଦେଶର ଦ୍ୱିତୀୟ ବୀର ସମ୍ମାନ କୀର୍ତ୍ତିଚକ୍ରରେ ସମ୍ମାନିତ କରିଥିଲେ । ସୁଖୱିନ୍ଦରଙ୍କ ସମ୍ମାନଙ୍କୁ ତାଙ୍କ ପତ୍ନୀ ରବିନ୍ଦର ଏପ୍ରିଲ୍ ୧୯୯୮ରେ ଗ୍ରହଣ କରିଥିଲେ । ସେହି ସମୟରେ ସେ ସେନାବାହିନୀର ଅଫିସର୍ସ ଟ୍ରେନିଂ ଏକାଡେମୀରେ ଶିକ୍ଷାର୍ଥୀ ଥିଲେ । ସହିଦ ସ୍ୱାମୀଙ୍କ ପରମ୍ପରାକୁ ଆଗେଇ ନେବାରେ ରବିନ୍ଦର ଥିଲେ ପ୍ରଥମ ମହିଳା ଅଧିକାରୀ । କାରଣ ସ୍ୱାମୀଙ୍କ ମୄତ୍ୟୁବେଳକୁ ରବିନ୍ଦର ଗୃହିଣୀ ଥିଲେ ଏବଂ ସେନାରେ ଚାକିରି କରିବା ବୟସ ସୀମା ସେତେବେଳେ ୨୫ ଥିଲା ବେଳେ ତାଙ୍କୁ ୨୮ ବର୍ଷ ହୋଇଥିଲା । ସେ ସେନାବାହିନୀରେ ଯୋଗ ଦେବାକୁ ଇଚ୍ଛା କଲା ବେଳେ ନିୟମ ପ୍ରତିବନ୍ଧକ ସାଜିଥିଲା । କିନ୍ତୁ ତତ୍କାଳୀନ ସେନାମୁଖ୍ୟ ବେଦପ୍ରକାଶ ମାଲିକଙ୍କ ପତ୍ନୀ ରଞ୍ଜନା ମାଲିକ ଏହି ସମସ୍ୟାଟିକୁ ପ୍ରତିରକ୍ଷା ବିଭାଗ ଦୃଷ୍ଟିକୁ ଆଣିବା ପରେ ତାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିଲା । ୧୯୯୭ରେ ସେ ଏସ୍ଏସ୍ବି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାର୍ଚ୍ଚ ୧୯୯୮ରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ଯୋଗ ଦେଇଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହେବା ପରେ ଅର୍ଡିନାନ୍ସ କର୍ପସରେ ଯୋଗ ଦେଇଥିଲେ । ପରେ ସେ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲ୍ଓସି)ରୁ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍ଏସି) ଯାଏଁ ସବୁଠି ସେବା ଦେଇଛନ୍ତି । ପୟ୍ଜାବର ତରନ୍ତରନ ଜିଲ୍ଲା ଅନ୍ତର୍ଗତ ଚୌତାଲା ଗ୍ରାମରେ ଜନ୍ମିତା ରବିନ୍ଦରଙ୍କ ପିତା ଥିଲେ ରାଜ୍ୟ ପର୍ଯ୍ୟଟନ ବିଭାଗର କର୍ମଚାରୀ । ସେନାବାହିନୀରେ ଲେଫ୍ଟନାଣ୍ଟ ଜେନେରାଲ ଥିବା ରବିନ୍ଦରଙ୍କ ସିମରନ ନାମରେ ଏକ ଝିଅ ଅଛି, ଯିଏକି କାନାଡାରୁ ଶିକ୍ଷା (ସ୍ନାତକ) ଶେଷ କରି ଭାରତ ଫେରିଛି ।
ଏକଦା ସେନା ପତ୍ନୀ କଲ୍ୟାଣ ସଂଗଠନର ଦାୟିତ୍ୱରେ ଥିବା ରଞ୍ଜନା ମାଲିକ ଏବେ ବି ରବିନ୍ଦରଙ୍କ ସାହସକୁ ପ୍ରଶଂସା କରି ମନେପକାଇଥାନ୍ତି । ରବିନ୍ଦର ତାଙ୍କୁ କାର୍ଯ୍ୟାଳୟରେ ଭେଟି କହିଥିଲେ, “ମୁଁ ମୋ ସ୍ୱାମୀଙ୍କ ପେନସନଙ୍କୁ ଭରସା କରି ସାରାଜୀବନ ବଞ୍ଚିବାକୁ ଚାହୁଁନାହିଁ । ମୁଁ ତାଙ୍କ ପୋଷାକ ପିନ୍ଧିବାକୁ ଚାହୁଁଛି । ରବିନ୍ଦରଙ୍କ ସହ ଅନ୍ୟ ଜଣେ ସହିଦଙ୍କ ବିଧବା ପତ୍ନୀ ସବିନା ସିଂହ (୨୫) ମଧ୍ୟ ସାଙ୍ଗରେ ଥିଲେ । କିନ୍ତୁ ଏହି ଦୁଇଜଣଙ୍କ ମନୋବଳକୁ ଦେଖି ରଞ୍ଜନା ଆଚମ୍ବିତ ହୋଇଥିଲେ । ସେହିଠାରୁ ବୀର ନାରୀଙ୍କୁ ସେନାବାହିନୀରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ହେଲା । ପ୍ରଥମେ ପ୍ରଥମେ ସ୍ଥଳସେନା ନିଯୁକ୍ତି ହେବା ପରେ ଏବେ ଜଳସେନା ଏବଂ ବାୟୁସେନା ସେଥିରେ ଯୋଗ ଦେଲେ । ଏବେ ପ୍ରାୟ ୫୦ଜଣ ବୀର ନାରୀ ନିଜର ଶିକ୍ଷା ଓ ଦକ୍ଷତାନୁଯାୟୀ ସେନାବାହିନୀରେ ନିଯୁକ୍ତି ପାଇଛନ୍ତି । ରବିନ୍ଦରଙ୍କ ମନୋବଳ ପରେ ଅନ୍ୟମାନଙ୍କ ପାଇଁ ନୂଆ ସକାଳ ହୋଇଛି ।
କ୍ୟାପଟେନ୍ ରିୟା ନେହର
ଡେରାଡୁନର କ୍ୟାପଟେନ୍ ରିୟା ନେହେରାଙ୍କ ସ୍ୱାମୀ ସୋମେଶ ଶ୍ରୀବାସ୍ତବ ଥିଲେ ସୀମାସଡ଼କ ସଂଗଠନର ଜଣେ ସିଭିଲ ଇଞ୍ଜିନିୟର । ଭାରତ-ଚୀନ ସୀମାର ପଗଲାଙ୍ଗ ଲାଗିରିପଥ ନିର୍ମାଣ ଦାୟିତ୍ୱ ତାଙ୍କ ଉପରେ ରହିଥିଲା । ପ୍ଲାଟୁନ୍ କମାଣ୍ଡର ଭାବେ ଶ୍ରୀବାସ୍ତବ କାର୍ଯ୍ୟରତ ଥିଲା ବେଳେ ମନାଲି-ଲେହ ବରଫାବୃତ୍ତ ସଡ଼କର ସଫେଇ କାର୍ଯ୍ୟ ସମୟରେ ୪ ମାର୍ଚ୍ଚ ୨୦୦୧ରେ ଏକ ଦୁର୍ଘଟଣାରେ ମୄତ୍ୟୁବରଣ କରିଥିଲେ । ତାଙ୍କ ଗାଡ଼ି ବରଫାବୃତ୍ତ ସଡ଼କ ଉପରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ମାଡ୍ରାସ ସାପର୍ସର ୧୫ ଇଞ୍ଜିନିୟର ରେଜିମେଣ୍ଟର କ୍ୟାପଟେନ୍ ଇଞ୍ଜିନିୟର ଶ୍ରୀବାସ୍ତବଙ୍କ ମୄତ୍ୟୁ ବେଳକୁ ରିୟା ସ୍ନାତକୋତ୍ତର ପରୀକ୍ଷା ଦେବାକୁ ଯାଉଥିଲେ । ସ୍ୱାମୀଙ୍କ ପାର୍ଥିବ ଶରୀରକୁ ପାଟନା ବିମାନ ବନ୍ଦରରେ ଗ୍ରହଣ କଲା ବେଳେ ତାଙ୍କ ପାଦତଳୁ ମାଟି ଖସିଯାଉଥିବାର ସେ ଅନୁଭବ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ମନକୁ ଦୃଢ଼ କରି ସ୍ୱାମୀଙ୍କ ପଦାଙ୍କ ଅନୁସରରଣ କରି ଭାରତୀୟ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଲେ । ତାଙ୍କର ନିଷ୍ପତ୍ତିରେ ତାଙ୍କ ଉଭୟ ପରିବାର ଲୋକେ ସମର୍ଥନ ଜଣାଇଲେ । ୨୦୦୧ରେ ସେ ସର୍ଭିସ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାର୍ଚ୍ଚ ୨୦୦୨ରେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ଯୋଗ ଦେଲେ । ସେପ୍ଟେମ୍ବର ୨୦୦୨ରେ ଲେଫ୍ଟନାଣ୍ଟ ନେହେରା ଉତ୍ତୀର୍ଣ୍ଣ ହେବା ପରେ ଦିଲ୍ଲୀର ଅର୍ଡିନାନ୍ସ କର୍ପସରେ ନିଯୁକ୍ତି ପାଇଥିଲେ । ସେନାରେ ଅଳ୍ପ କାଳ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପାଇଥିବା ନେହେରା ୨୦୦୮ (ଅକ୍ଟୋବର) କ୍ୟାପଟେନ୍ ଭାବେ ଅବସର ନେଇଥିଲେ । ଅର୍ଡିନାନ୍ସ କର୍ପସରେ ଥାଇ ଜମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶର ସୁଦୂର ଅଞ୍ଚଳ ଗୁଡ଼ିକରେ ସେନାର ଭଣ୍ଡାର ଏବଂ ପରିବର୍ତ୍ତନ ପରିଚାଳନା ଦାୟିତ୍ୱରେ ଥିଲେ । ସଂପ୍ରତି ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ବଜିକ ପରାମର୍ଶଦାତା ଅଛନ୍ତି ।
ମେଜର ଗୀତାଞ୍ଜଳି ଚୌଧୁରୀ
ଗୀତାଞ୍ଜଳି ଚୌଧୁରୀଙ୍କ ଜନ୍ମ ଅମୃତସରରେ । ତାଙ୍କ ପିତା କୋଲେନେଲ ଶ୍ୟାମଲାଲ ଡୋଗ୍ରା ସେଠାରେ ନିଯୁକ୍ତ ଥିଲେ । ଗୀତାଞ୍ଜଳିଙ୍କ ଭିଣୋଇ ୧୩ ଗଡ଼ୱାଲ ରାଇଫଲ୍ସରେ ନିଯୁକ୍ତ ଥିଲେ । ସେ ମେଜର ସଞ୍ଜିତ ଚୌଧୁରୀଙ୍କ ଜାଣିଥିଲେ । ତାଙ୍କଠାରୁ ବିବାହ ପ୍ରସ୍ତବା ପାଇ ୪ ନଭେମ୍ବର ୧୯୯୨ରେ ଗୀତାଞ୍ଜଳି ପ୍ରଥମେ ସଞ୍ଜିତଙ୍କୁ ସାକ୍ଷାତ କରିଥିଲେ । ପରେ ୪ ଡିସେମ୍ବର ୧୯୯୨ରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା । ସଞ୍ଜିତ ବିବାହ ପରେ ରାଜସ୍ଥାନର ସୁରଟଗଡ଼, ପରେ ବଙ୍ଗୋର ଜାତିସଂଘ ଶାନ୍ତି ସେନାବାହିନୀ କାର୍ଯ୍ୟ ପରେ ଭାରତକୁ ଫେରି ଡେଲହାଉସିରେ ନିଯୁକ୍ତି ପାଇଥିଲେ । ଫେବୃଆରୀ ୧୯୯୬ରେ ତନିସା ନାମ୍ନୀ ଝିଅଟିଏ ମଧ୍ୟ ସଞ୍ଜିତଙ୍କର ଜନ୍ମ ହୋଇଥିଲା । ୧୯୯୬ ଶେଷବେଳକୁ ଶ୍ରୀନଗରରେ ସଞ୍ଜିତ ନିଯୁକ୍ତି ପାଇଥିଲେ । ୩୧ ଅକ୍ଟୋବର ୧୯୯୭ ଦିନ ଥିଲା ଦୀପାବଳି । ୧୩ ଗଡ଼ିୱାଲ ରାଇଫଲ୍ସରେ ନିଯୁକ୍ତିଥିବା ସଞ୍ଜିତଙ୍କଠାରୁ କୌଣସି ଫୋନ୍ ପାଇନଥିଲେ । ଗୀତାଞ୍ଜଳି, ପରଦିନ ସକାଳ ୧୦ଟାରେ ଶ୍ରୀନଗରରେ ସେନା ଡାକ୍ତରଖାନାରୁ ଫୋନ୍ ପାଇଥଲେ ଯେ ଆଇଇଡି ବିସ୍ଫୋରଣରେ ସଞ୍ଜିତଙ୍କ ସମେତ ପାଞ୍ଚଜଣଙ୍କର ମୄତ୍ୟୁ ହୋଇଛି । ପୂର୍ବଦିନ ସଞ୍ଜିତ ପ୍ରତିରକ୍ଷା ସେନା ଟ୍ରେନିଂ କଲେଜରେ ଏକ ପରୀକ୍ଷାରେ ଉଚ୍ଚ ପଦବୀ ପାଇଥିବା କଥା ଗୀତାଞ୍ଜଳିଙ୍କ ଜଣାଇଥିଲେ । ସଞ୍ଜିତଙ୍କ ଶେଷ କୃତ୍ୟ ବିହାରର ବେଗୁସରାଇଡାରେ ହୋଇଥିଲା । ଗୀତାଞ୍ଜଳିଙ୍କ ପିତାମାତା ନାଗପୁର ନିକଟସ୍ଥ ତୁମସାରଠାରେ ରହୁଥିଲେ । ଗୀତାଞ୍ଜଳି ପ୍ରାୟ ମାସେ କାଳ ନିଜଘରୁ ବାହାରକୁ ବାହାରିନଥିଲେ । ପିତାମାତାଙ୍କ ପରାମର୍ଶକ୍ରମେ ସେ କିଛିଦିନ ପାଇଁ ନର୍ସରୀ ପିଲାମାନଙ୍କୁ ଶିକ୍ଷାଦାନ କଲେ । ପରେ ଏମ୍ବିଏ ଶିକ୍ଷା ପାଇଁ ଦିଲ୍ଲୀ ଗଲେ । ସେନାରେ ଯୋଗ ଦେବା ପାଇଁ ମନସ୍ଥ କରି ସେ ଏସ୍ଏସ୍ବି ପରୀକ୍ଷା ଲାଗି ପ୍ରସ୍ତୁତି ଉଦେ୍ଦଶ୍ୟରେ ଚଣ୍ଡିଗଡ଼ କଲେ । ଜୁନ୍ ୧୯୯୮ରେ ବାଙ୍ଗାଲୋରସ୍ଥିତ ଏସ୍ଏସ୍ବିକୁ ଗଲା ବେଳେ ତାଙ୍କ ବୟସ ୨୫ ବର୍ଷରୁ ଅଧିକ ହୋଇସାରିଥିଲା । କିନ୍ତୁ ତାଙ୍କୁ ବୟସ ଦୃଷ୍ଟିରୁ ସୁବିଧା ପ୍ରଦାନ କରାଯାଇଥିଲା । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚେନ୍ନାଇର ଓଟିଏରେ ପ୍ରଶିକ୍ଷଣ ନେଇଥିଲେ । ମାର୍ଚ୍ଚ ୧୯୯୯ରେ ଅର୍ଡିନାନ୍ସ କର୍ପସ, ଫୁଲଗାଓଁ, ମହାରାଷ୍ଟ୍ରରେ ତାଙ୍କର ନିଯୁକ୍ତି ମିଳିଥିଲା । ସେହି ସମୟରେ ତାଙ୍କ ଝିଅ ତନିସା ଅଜା-ଆଈଙ୍କ ପାଖରେ ତୁମସାରଠାରେ ରହିଥିଲା । ପ୍ରତି ସପ୍ତାହରେ ଥରେ ଗୀତାଞ୍ଜଳି ଗାଡ଼ି ନେଇ ତାକୁ ଦେଖିବାକୁ ଆସୁଥିଲେ ।
ତିନିବର୍ଷ ପରେ ତାଙ୍କ ନିଯୁକ୍ତି ଜାମ୍ମୁର ନାଗ୍ରୋଟାରେ ହୋଇଥିଲା । ତନିସା ଡେଲ୍ହାଉସୀର ବୋର୍ଡିଂ ସ୍କୁଲରେ ପାଠ ପଢ଼ିବାକୁ ବାଧ୍ୟ ହୋଇଥିଲା । ପରେ ଗୀତାଞ୍ଜଳି ବଦଳି ହୋଇ ଦିଲ୍ଲୀକୁ ଆସିବା ପରେ ମାଆ ଝିଅ ମିଶି ରହିବାର ସୁଯୋଗ ପାଇଲେ । ଗୀତାଞ୍ଜଳି ଝିଅ ତନିସା ନୂଆଦିଲ୍ଲୀରେ ଏମ୍ବିଏ ପାଠ ପଢ଼ିବା ବେଳେ ଗୀତାଞ୍ଜଳି ଜଣେ ସଫଳ ମେଜର ଭାବେ ସେନାମୁଖ୍ୟଙ୍କ ନିକଟରୁ ପ୍ରଶଂସାପତ୍ର ଲାଭ କରିଛନ୍ତି ।
କ୍ୟାପ୍ଟେନ୍ ନୀତା ଦେଶୱାଲ
ଅନ୍ୟ ବୀରନାରୀଙ୍କ ପରି ନୀତା ଦେଶୱାଲଙ୍କ ଜୀବନ ମଧ୍ୟ ସଂଘର୍ଷମୟ ହୋଇଛି । ଡେରାଡୁନବାସୀ ନୀତାଙ୍କ ପରିଚୟ ୨୦୦୨ରେ ଲେପ୍ଟନାଣ୍ଟ ଅମିତ ଦେଶୱାଲଙ୍କ ସହ ହୋଇଥିଲା । ନୀତା ପାହାଡ଼ି ଠାକୁର ଥିଲେ ଏବଂ ଅମିତ ହରିୟାନା ଟଟ୍ରର ଜାଟ୍ଟ ଥିଲେ । ନୀତାଙ୍କ ପିତା ଆସାମ ରାଇଫଲ୍ସରେ ପୂର୍ବରୁ କାର୍ଯ୍ୟ କରିଥିବା ହେତୁ କିଛି ଅସୁବିଧା ହୋଇନଥିଲା ସାମରିକ କର୍ମଚାରୀଙ୍କ ସହ ବିବାହକ୍ଷେତ୍ରରେ । ଜାନୁଆରୀ ୨୦୧୧ରେ ଅମିତ ୨୧ ପାରା (ସ୍ପେଶାଲ ଫୋର୍ସ) କମାଣ୍ଡୋ ବାହିନୀରେ ଯୋଗ ଦେଇଥିଲେ । ଘଟକ କମାଣ୍ଡୋ ପ୍ରଶିକ୍ଷଣରେ ସେ ଥିଲେ ସବୁଠୁ ଭଲ ଶିକ୍ଷାର୍ଥୀ । ଜାନୁଆରୀ ୨୦୧୬ରେ ତାଙ୍କର ନିଯୁକ୍ତି ମିଣିପୁରରେ ହୋଇଥିଲା । ଅପରେସନ ହିଫାଜତ-୨ରେ ସେ ସାମିଲ ହୋଇଥିଲେ ।
ଏପ୍ରିଲ୍ ୨୦୧୬ରେ ନାଗା ବିଦ୍ରୋହୀ ଲୁଚିଥିବା ଖବର ପାଇଁ ମେଜର ଅମିତ ଦଳକୁ ନେଇ ବିଚ୍ଛିନ୍ନତାବାଦୀଙ୍କୁ ସାମ୍ନା କରିବା ପାଇଁ ବାହାରିଲେ । ଜାତୀୟ ରାଜପଥ ୩୬ରୁ ୩୦ କିମି ଦୂରରେ ଏକ ଘଞ୍ଚଜଙ୍ଗଲରେ ବିଦ୍ରୋହୀ ଗୋଷ୍ଠୀ ଲୁଚି ରହିଥିଲେ । ସେମାନଙ୍କୁ ଠାବ କଲା ପରେ ଅମିତଙ୍କ ଦଳ ଅପରେସନ କରି ଜଣେ ବିଦ୍ରୋହୀକୁ ଶେଷ କରିବା ସହ ଏକ ଏକେ-୪୭ ରାଇଫଲ ଜବତ କରିଥିଲେ । ଅନ୍ୟମାନେ ଜଙ୍ଗଲକୁ ଖସିଯାଇଥିଲେ । ସେହିଦିନ ସନ୍ଧ୍ୟାରେ ଦ୍ୱିତୀୟ ଥର ପାଇଁ ଉଗ୍ରବାଦୀ ଗୋରୀଙ୍କ ସହ ପୁନର୍ବାର ମୁହାଁମୁହିଁ ହେବାକୁ ପଡ଼ିଲା । ଅମିତ ନିଜ ଦଳର ନେତୃତ୍ୱ ନେଉଥିବା ହେତୁ ସମ୍ମୁଖରେ ଥିଲେ । ଅପରେସନ ସମୟରେ ତାଙ୍କ ଶରୀରରେ ଦୁଇଟି ଗୁଳି ବାଜିବାରୁ ତାଙ୍କର ମୄତ୍ୟୁ ହେଲା ।
ଅମିତଙ୍କ ମୃତୁ୍ୟର ମାତ୍ର ଦୁଇମାସ ପରେ ନୀତା ସେନାରେ ଯୋଗ ଦେବାଲାଗି ଦିଲ୍ଲୀ ଚାଲି ଆସିଲେ । ଦିଲ୍ଲୀରେ ପରୀକ୍ଷା ପ୍ରସ୍ତୁତି ପାଇଁ ସେନା ପକ୍ଷରୁ ତାଙ୍କୁ ରହିବା ପାିଁ ଘରେ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଗଲା । ଅମିତ ମୃତୁ୍ୟର ଛଅମାସ ମଧ୍ୟରେ ନୀତାଙ୍କୁ ସେନାର ସୀମିତ ସମୟ ସେବା ନିମନ୍ତେ ବଛାଗଲା । ଭୋପାଳସ୍ଥିତ ବୋର୍ଡ ତାଲିକାର ଶୀର୍ଷରେ ସେ ଥିଲେ । ଚେନ୍ନାଇର ଟ୍ରେନିଂ ଏକାଡେମୀରେ ୩୪ ବର୍ଷ ବୟସରେ ସେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି ହେଲେ । ସମସ୍ତ ପ୍ରକାର କଠୋର ପ୍ରଶିକ୍ଷଣ ୋଷ କରି ୨୦୧୮ରେ ସେ ସେନାରେ ଯୋଗଦେଲେ । ନୀତା ଏବେ ଡୋରଡୁନସ୍ଥିତ ଅର୍ଡିନାନ୍ସ କର୍ପସରେ ନିଯୁକ୍ତ ଥିବା ସହ ନିଜ ୯ବର୍ଷର ପୁଅର ଦାୟିତ୍ୱ ନେଉଛନ୍ତି ।
ଲେଫ୍ଟନାଣ୍ଟ କମାଣ୍ଡାର ସନ୍ଧ୍ୟା ୱାଧୱା
ସନ୍ଧ୍ୟା ୱାଧୱାଙ୍କ ଜନ୍ମ ଏକ ନୌସେନା ପରିବାରରେ ହୋଇଥିଲା । ତାଙ୍କ ପିତା ଥିଲେ ନୌସେନା କମାଣ୍ଡାର । ସନ୍ଧ୍ୟାଙ୍କ ଶିକ୍ଷା କୋଚି ନୌସେନା ଘାଟୀ ମଧ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିଲା । ପରେ ତାଙ୍କ ପିତା ନୂଆଦିଲ୍ଲୀରେ ନିଯୁକ୍ତି ପାଇଲା ବେଳେ ସେ ସ୍ଥାନୀୟ ଗାର୍ଗି କଲେଜରୁ ନିଜର ଶିକ୍ଷା ଶେଷ କରିଥିଲେ । ୨୦୦୧ରେ ନୀତାଙ୍କ ନିବାହ ଲେଫ୍ଟନାଣ୍ଟ କମାଣ୍ଡର କୁନ୍ତଳ ୱାଧୱାଙ୍କ ସହ ହୋଇଥିଲା । ଦିଲ୍ଲୀସ୍ଥିତ ନୌସେନାର ବିଦ୍ୟାଳୟରେ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ନୀତାଙ୍କ ବିବାହ ପରେ ସେ ମୁମ୍ବାଇ ଚାଲି ଆସିଥିଲେ । କାରଣ କୁନ୍ତଳାଙ୍କୁ ଆଇଏନ୍ଏସ୍ ମୁମ୍ବାଇରେ ନିଯୁକ୍ତି ମିଳଥିଲା । ପରେ ସେ ପୁନେ ଏବଂ ବିଶାଖାପାଟଣାରେ କାର୍ଯ୍ୟ କରି ଆଇଏନ୍ଏସ୍ କୋଲକାତାର ଇଞ୍ଜିନିୟରିଂ ଅଧିକାରୀ ଭାବେ ଯୋଗ ଦେଇ ମୁମ୍ବାଇକୁ ଫେରିଥିଲେ । ସନ୍ଧ୍ୟା ଏକ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ନକିନ ଏବଂ ଜିୟା ନାମରେ ତାଙ୍କର ଦୁଇଟି ପୁଅଝିଅ ଥିଲେ । ୭ ମାର୍ଚ୍ଚ ୨୦୧୪ରେ ନିଜର ପିଲା ଦୁଇଜଣଙ୍କୁ ସ୍କୁଲରେ ଛାଡ଼ି ନିଜ ବିଦ୍ୟାଳୟକୁ ଆସିଥିଲେ । ଏହି ସମୟରେ ଆଇଏନ୍ଏସ୍ କୋଲକାତାରେ ଦୁର୍ଘଟଣା ଘଟିଥିବା ସଂପର୍କରେ ସୂଚନା ତାଙ୍କ ସ୍ୱାମୀଙ୍କ ଜଣେ ସହକର୍ମୀଙ୍କଠାରୁ ପାଇଥିଷଲ । କୁନ୍ତଳ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ପରୀକ୍ଷା ଚଳାଇଥିବା ସମୟରେ ଦୁର୍ଘଟଣା ହୋଇ ଗ୍ୟାସ ନିର୍ଗତ ହୋଇଥିଲା । ସେ ମଥାରେ ଆଘାତ ପାଇଥିଲେ । ନିଜର ସହକର୍ମୀମାନଙ୍କୁ ବାହାରି ଯିବା ପାଇଁ କହି ସେ ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ଆଣିଥିଲେ । କିନ୍ତୁ ଇତିମଧ୍ୟରେ ତାଙ୍କ ଶାସ୍ୱନଳୀ ମଧ୍ୟ ଦେଇ ଯେଉଁ ଅଙ୍ଗାକାମ୍ଳ ଗ୍ୟାସ ଶରୀରକୁ ପ୍ରବେଶ କରିଥିଲା ତାହା ତାଙ୍କୁ ଅଚେତ କରିଥିଲା । ସେହି ଅବସ୍ଥାରେ ତାଙ୍କର ମୄତ୍ୟୁହେଲା । କୁନ୍ତଳଙ୍କ ସାହସପୂର୍ଣ୍ଣ ବୀରତ୍ୱ ପାଇଁ ତାଙ୍କୁ ନୌସେନା ମେଡାଲ ପ୍ରଦାନ କରାଯାଇଥିଲା ।
ସ୍ୱାମୀଙ୍କ ମୃତୁ୍ୟର ତିନିଦିନ ପରେ ସେ ଆଇଏନ୍ଏସ୍ କୋଲକାତାର କମାଣ୍ଡିଂ ଅଫିସରଙ୍କୁ ସେନାରେ ଯୋଗ ଦେବା ପାଇଁ ନିଜର ଇଚ୍ଛା ପ୍ରକାଶ କରି ଜଣାଇଥିଲେ । ନୌସେନାରେ ଯୋଗ ଦେବାଲାଗି ବୟସ ସୀମା ୨୫ ଥିଲା ବେଳେ ସନ୍ଧ୍ୟାଙ୍କୁ ୪୧ ବର୍ଷ ହୋଇଥିଲା । ତାଙ୍କ ମାମଲାକୁ ସ୍ୱତନ୍୍ରତ ଭାବେ ଧରାଯାଇ ଆବେଦନ କରିବାକୁ ଅନୁମତି ମିଳିଥିଲା ।
ଆବେଦନ କରିବାର ମାସକ ମଧ୍ୟରେ ସେ ବେଙ୍ଗାଲୁରୁସ୍ଥିତ ଏସ୍ଏସ୍ମିରୁ ଡକରା ପାଇଥିଲେ । ସେଠାରେ ପ୍ରଶିକ୍ଷଣ ପାଇଁ ଏଝିମାଲାସ୍ଥିତ ଭାରତୀୟ ନୌସେନା ଏକାଡେମୀରେ ଯୋଗ ଦେଇଥିଲେ । ସନ୍ଧ୍ୟାଭ୍କ ସହ ପ୍ରଶିକ୍ଷଣ ନେଉଥିବା ଶିକ୍ଷାର୍ଥୀମାନେ ତାଙ୍କଠାରୁ ଅଧା ବୟସର ଥିଲେ ହେଁ ସମସ୍ତ ତାଙ୍କୁ ଉତ୍ସାହିତ କରୁଥିଲେ । ନୌସେନା ଏକାଡେମୀର ଶିକ୍ଷା ପରେ ଆଇଏନ୍ଏସ୍ ହମଲାରେ ପ୍ରାଥମିକ ପ୍ରଶିକ୍ଷଣ ନେଇଥିଲେ । ବିଶାଖାପାଟଣାଠାରେ ସନ୍ଧ୍ୟା ଏବେ ନୌସେନା ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ପୁଅ ନଳିନ ଆଇଆଇଟି ଦିଲ୍ଲୀରେ ବିଟେକ୍ ପାଠ୍ୟକ୍ରମରେ ଯୋଗ ଦେଇଛନ୍ତି ।
ନୌସେନାରେ ଯୋଗ ଦେବା ପରେ ୨୦୧୫ ସାଧାରଣତନ୍ତ୍ର ଦିବସ ପରେଡରେ ୧୪୪ ମହିଳା ଅଧିକାରୀଙ୍କ ଦଳରେ ସନ୍ଧ୍ୟା ସ୍ଥାନ ପାଇ ବାରାକ ଓବାମାଭ୍କ ଉପସ୍ଥିତିରେ ପରେଡ୍ରେ ଅଂଶଗ୍ରହଣ କରିଥିଲେ । ସେହି ବର୍ଷ ଆଇଏନ୍ଏସ୍ ବିରାଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁନ୍ତଳଙ୍କୁ ପ୍ରଦତ୍ତ ନୌସେନା ମେଡାଲ ଗ୍ରହଣ କରିଥିଲେ ।
ଲେଫ୍ଟନାଣ୍ଟ ନିକିତା କାଉଲ
କାଶ୍ମିରୀ ପରିବାରରେ ନିକିତା କାଉଲଙ୍କ ଜନ୍ମ । ତାଙ୍କ ପିତା ବିଏସ୍ଏନ୍ଏଲ୍ରେ ଫରିଦାବାଦରେ (ହରିୟାଣା) ଚାକିରି କରୁଥିଲେ । ସେ ବିଟେକ୍ ଏବଂ ଏମ୍ବିଏ ଶିକ୍ଷା ଶେଷ ହେଲା ପରେ ନୋଏଡାର ଆଇଟି କମ୍ପାନୀରେ ଚାକିରି କରୁଥିଲେ । ତେବେ ଡେରାଡୁନରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ପାଠପଢ଼ୁଥିବା ବିମୂତି ଶଙ୍କର ଧୌାଣ୍ଡିୟାଲଙ୍କ ସହ ନିକିତାଙ୍କ ସାାତ ପରେ ସେମାନଙ୍କର ବିବାହ ହୋଇଥିଲା । ଡେରାଡୁନବାସୀ ଧୌଣ୍ଡିୟାଲ ୧୭ ସେପ୍ଟେମ୍ବର ୨୦୧୧ରେ ଶିକ୍ଷା ୋଷ କରି ଭାରତୀୟ ସେନାରେ ଯୋଗଦାନ କରିଥିଲେ । ତାଙ୍କର ନିଯୁକ୍ତି ୫୫ ରାଷ୍ଟ୍ରୀୟ ରାଇଫଲ୍ସ ପୁଲୱାମାଠାରେ ହୋଇଥିଲା । ୧୪ ଫେବୃାରୀ ୨୦୧୯ରେ ସିଆରପିଏଫ୍ର ଗାଡ଼ି ଉପରେ ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣ ହେବା ପରେ ସେନାବାହିନୀ ସଜାଗ ରହିଥିଲା । ୧୭ ଫେବୃଆରୀ ୨୦୧୯ ଦିନ ସନ୍ତ୍ରାସବାଦୀ ଲୁଚି ରହିଥିବା ଖବର ପାଇଁ ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ-କାଶ୍ମୀରର ସ୍ପେଶାଲ ଅପରେସନ ଫୋର୍ସର ମିଳିତ ପ୍ରାୟାସରେ-ପିଙ୍ଗଲାନଠାରେ ଯାଞ୍ଚ ଅଭିଯାନ ଚାଲିଥିଲା । ଏହା କାକାପୋରାର ନିକଟବର୍ତ୍ତୀ ସ୍ଥାନ ଥିଲା । ସିଆର୍ପି ଗାଡ଼ିକୁ ଧକ୍କା ଦେଇ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିବା ଅଭିଯୁକ୍ତର ଗ୍ରାମ ଖୁବ୍ ନିକଟରେ ଥିଲା ।
ପିଙ୍ଗଲାନଠାରେ ବ୍ରିଗେଡିଆର ହରବୀର ସିଂହ ଯାଞ୍ଚ ଅଭିଯାନ ଚଳାଇଥିଲେ । ଉକ୍ତ ଦଳର ଜଣେ ସଦସ୍ୟ ଥିଲେ ଧୌଣ୍ଡିଆଲ ସେମାନେ ସନ୍ତ୍ରାବାସୀଙ୍କୁ ଦେଖିଲା ପରେ ମୁହାଁମୁହିଁ ଗୁଳିଚାଳନା ହେଉଥିଲା । ବିଭୂତି ହରବୀରଙ୍କ ସହ ଥିଲେ । ସେମାନଙ୍କ ଦୃଷ୍ଟି ସନ୍ତ୍ରାବାସୀଙ୍କ ଉପରେ ପଡ଼ିଲାକ୍ଷଣି ଗୁଳିମାଡ଼ ଆରମ୍ଭ ହୋଇଗଲା । ଯାହା ପ୍ରାୟ ୨୦ ଘଣ୍ଟା ଧରି ଚାଲିଲା । ଅନେକ ସନ୍ତ୍ରାସବାଦୀ ନିହତ ହେବା ସହ ପ୍ରାୟ ୧୧ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ବିଭୂତି ରହିଥିଲେ । ଚିକିତ୍ସା ଚାଲିଥିବା ଅବସ୍ଥାରେ ବିଭୂତିଙ୍କର ମୄତ୍ୟୁ ହୋଇଥିଲା । ପରବର୍ଷ ତାଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଗଲା ।
ବିଭୂତି କାଶ୍ମିରରେ ଥିଲା ବେଳେ ନିକିତା ତାଙ୍କ ନିଜ ପିତାମାତାଙ୍କ ସହ ଫରିଦାବାଦରେ ରହୁଥିଷଲ । ବିଭୂତିଙ୍କ ମୃତୁ୍ୟର ତିନିମାସ ପରେ ିକିତା ନିଜ ଶାଶୁ ସରୋଜ ଧୌଣ୍ଡିୟାଲଙ୍କୁ ସାଙ୍ଗରେ ଧରି ତେଲେଙ୍ଗାନାର ସିକନ୍ଦରାବାଦଠାରେ ଥିବା ମିଲିଟାରୀ କଲେଜ ଅଫ୍ ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟରରେ ପହଞ୍ଚିଥିଲେ । ସେଠାରେ ବିଭୂତିଙ୍କ ନାମରେ ଏକ ବ୍ଲକର ନାମକରଣ ହୋଇଥିଲା । ଶିକନ୍ଦରାବାଦରେ ବିଭୂତିଙ୍କ ପ୍ରତି ଯବାନମାନେ ଶ୍ରଦ୍ଧା ଭାବ ଦେଖି ନିକିତାଙ୍କ ମନରେ ସେନାରେ ଯୋଗ ଦେବା ଲାଗି ଆଗ୍ରହ ସୃଷ୍ଟି ହେଲା । ତାଙ୍କ ପିତାମାତ ଉଭୟେ ତାଙ୍କୁ ପ୍ରୋତ୍ସାହିତ କଲେ ।
ଅଳ୍ପ କେଇମାସର ପ୍ରସ୍ତୁତି ପରେ ନଭେମ୍ବର ୨୦୧୯ରେ ପ୍ରୟାଗରାଜଠାରେ ସର୍ଭିସ ସିଲେକ୍ସନ ବୋର୍ଡର ପରୀକ୍ଷା ଦେଇ ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ କଲେଜରେ ପ୍ରଶିକ୍ଷଣ ଲାଗି ଭର୍ତ୍ତି ହେଲେ । ୨୯ ବର୍ଷ ବୟସରେ ବହୁ ସାନ ପିଲାଙ୍କ ସହ ପ୍ରଶିକ୍ଷଣରେ ଯୋଗ ଦେଇ ନିକିତା ସଫଳ ହେଲେ । ସେଠାରେ ପ୍ରଥମ ପ୍ରୟାସରେ ସେ ସମସ୍ତ ଶାରୀରିକ ପରୀକ୍ଷାରେ ସଫଳ ହେଲେ । ଏକାଡେମୀରେ ସେ ଥିଲେ ବାଟାଲିଅନର ପ୍ରଥମ ମହିଳା ଯିଏକି ଏହି ପ୍ରଥମ ପ୍ରୟାସରେ ଏପରି ସଫଳତା ପାଇଥିଲେ । ତାଙ୍କୁ ପ୍ରଶିକ୍ଷଣ ଦେଉଥିବା ସମସ୍ତେ ନିକିତାଙ୍କ ନିଷ୍ଠା ଏବଂ ଦକ୍ଷତାରେ ବେଶ୍ ପ୍ରଭାବିତ ହୋଇଥିଲେ ।
ମଇ ୨୦୨୧ରେ ଚେନ୍ନାଇରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଅର୍ଡିନାନ୍ସ କର୍ପସରେ ଯୋଗ ଦେଲେ । ତାଙ୍କ ସଫଳତାରେ ପ୍ରଭାବିତ ହୋଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି ଲେଖିଥିଲେ “ଲେପ୍ଟନାଣ୍ଟ ନିକିତା କାଉଲ, ଭାରତର ନାରୀ ଶକ୍ତି ପାଇଁ ତୁମେ ନିଷ୍ଠା, ସଂକଳ୍ପ ଯୁକ୍ତ, ସମର୍ପଣର ମୂର୍ତ୍ତ ପ୍ରତୀକ, ତୁମ କାନ୍ଧରେ ତାରକାକୁ ଦେଖି ମେଜର ବିଭୂତି ଧୌଣ୍ଡିୟାଲ ଆନନ୍ଦ ଓ ଗୌରବରେ ଆଜି ହସୁଥିବେ ।”
ନିକିତାଙ୍କ ଶାଶୂ ସରୋଜ ନିଜ ବୋହୂ ସଂପର୍କରେ କୁହନ୍ତି, “ସେ ପ୍ରଥମରୁ ଜଣେ ଟାଣୁଆ ମହିଳା, ସେଥିପାଇଁ ମୁଁ ତଶଙ୍କୁ ସେନାରେ ଯୋଗ ଦେବାଲାଗି ପଚାରିଥିଲି, ପ୍ରଶିକ୍ଷଣ କାଳରେ ମୋ ପୁଅର ଅନୁଭୂତି ସବୁ ତାକୁ ଶୁଣାଇଥିଲି, ଯାହା ତାକୁ ଢ଼େର ସହାୟକ ହୋଇଥିଲା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଶୌର୍ଯ୍ୟଚକ୍ର ସମ୍ମାନ ଗ୍ରହଣ କରିବା ପାଇଁ ଶାଶୁ ସରୋଜଙ୍କ ସହ ନିକିତା ରାଷ୍ଟ୍ରପତି ଭବନ ଯାଇଥିଲେ ।
ବିଭୂତିଙ୍କ ଉଦେ୍ଦଶ୍ୟରେ ନିକିତା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଯାହା ଲେଖିଥିଲେ ତାହା ବେଶ୍ ଉଲ୍ଲେଖନୀୟ- “ତୁମେ ମୋତେ ଭଲ ପାଅ ବୋଲି କହୁଥିଲ, କିନ୍ତୁ କଥା ହେଲା ତୁମେ ଦେଶକୁ ସବୁଠୁ ଅଧିକ ଭଲ ପାଉଥିଲ । ପ୍ରକୃତରେ ମୁଁ ବେଶ ଗୌରବାନ୍ୱିତ । ଆମେ ସମସ୍ତେ ତୁମକୁ ଭଲ ପାଉ । ଅନ୍ୟମାନଙ୍କୁ ତୁମର ଭଲ ପାଇବା ଥିଲା ଭିନ୍ନ- ତୁମେ ଯେଉଁ ଲୋକମାନଙ୍କୁ କେବେ ଦେଖିନଥିଲ ସେମାନଙ୍କ ପାଇଁ ।ତ୍ମବଳୀ ଦେଲ । ତୁମ ପରି ଜଣେ ସାହସୀ ବ୍ୟକ୍ତିକୁ ସ୍ୱାମୀ ଭାବେ ପାଇଁ ମୁଁ ନିଜେ ବେଶ ଗର୍ବ ଅନୁଭବ କରୁଛି । ମୋ ଶେଷ ନିଶ୍ୱାସ ଥିବା ଯାଏ ମୁଁ ତୁମକୁ ଭଲ ପାଉଥିବି । ମୋ ଜୀବନ ତୁମ ପାଖରେ ୬ଣୀ । ଏହାକୁ କୁହନ୍ତି ବୀରନାରୀ ।
କ୍ୟାପଟେନ୍ ସୁସ୍ମିତା ପାଣ୍ଡେ
ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଏକ ମଧ୍ୟିତ୍ତ ବ୍ରହ୍ମଣ ପରିବାରରେ ସୁସ୍ମିତାଙ୍କ ଜନ୍ମ । ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲା ବେଳେ ୨୦୧୦ରେ ମେଜର ନୀରଜ ପାଣ୍ଡେଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ସୁସ୍ମିତା ନୀରଜଙ୍କ ଚାକିରିସ୍ଥଳୀ ଶ୍ରୀନଗରକୁ ଯାଇଥିଲେ । ପରେ ନୀରଜ ରାଜସ୍ଥାନର ଅଲୱରକୁ ବଦଳି ହୋଇଥିଲେ । ୨୦୧୩ରେ ତାଙ୍କ ପୁଅ ରୁଦ୍ରାଂଶ ଜନ୍ମ ନେଇଥିଲା । ସେଠାରୁ ନୀରଜଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଥିଲା । ‘ଅପରେସନ୍ସ ରାଇନୋ’ ନାମରେ ବିଚ୍ଛିନ୍ନତାବାଦୀ ବିରୋଧୀ ଅଭିଯାନ ସେନାବାହିନୀ ପକ୍ଷରୁ ସେଠାରେ ଜାରିଥିବା ବେଳେ ୧୭ ମାର୍ଚ୍ଚ ୨୦୧୬ରେ ଭାରତ-ଚୀନ ସୀମାବର୍ତ୍ତୀ ଏକ ସ୍ଥାନରେ ପାହାଡ଼ ଧସିଯିବାରୁ ମେଜର ନୀରଜ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୄତ୍ୟୁବରଣ କରିଥିଲେ ।
ନୀରଜଙ୍କ ମୃତୁ୍ୟବେଳକୁ ତାଙ୍କୁ ୩୨ ବର୍ଷ ହୋଇଥିଲା । ଆସାମ ରାଇଫଲ୍ସ ୟୁନିଟ୍ ସହ ତାଙ୍କର ଗସ୍ତ ହେଉଥିଲା । ସିପ୍ରାଠାରେ ସେନାବାହିନୀର ଗାଡ଼ିସବୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୁଣ୍ଡରେ ଆଘାତ ପାଇବା ଯୋଗୁ ତାଙ୍କର ମୄତ୍ୟୁଅଳ୍ପ ସମୟରେ ହୋଇଥିଲା ।
ନୀରଜ ମୄତ୍ୟୁ ବେଳକୁ ସୁସ୍ମିତାଙ୍କ ବୟସ ଥିଲା ୩୧ବର୍ଷ । ସୁସ୍ମିତା ସେନାରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେବା ପରେ ତାଙ୍କର ପିତାମାତା ସନେ୍ଦହରେ ରହିଥିଲେ । ନାତିର ଦାୟିତ୍ୱ ସହ ଝିଅ କେତେଦୂର ଏହି କାର୍ଯ୍ୟ ଠିକ୍ ଭାବେ କରିପାରିବ ସେ ନେଇ ତାଙ୍କ ମନରେ ସନେ୍ଦହ ରହିଥିଲା । କିନ୍ତୁ ସୁସ୍ମିତା ନିଜ ପରିବାର ଲୋକଙ୍କୁ କଠୋର ନିଷ୍ପତ୍ତି ଶୁଣାଇଲା ପରେ ସମସ୍ତେ ତାଙ୍କୁ ସମର୍ଥନ କରିଥିଲେ ।
ନୀରଜଙ୍କ ମୄତ୍ୟୁର ଛଅମାସ ପରେ ସୁସ୍ମିତା ଏସ୍ଏସ୍ବି ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଦିଲ୍ଲୀରେ ଭାଇଙ୍କ ନିକଟରେ ରହିଥିଳେ । ୨୦୧୭ରେ ସେ ଚେନ୍ନାଇସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଦେଇ ୨୦୧୮ରେ ନୀରଜଙ୍କ ନିଜ ରେଜିମେଣ୍ଟରେ କର୍ପସ ଅଫ୍ ସିଗନାଲରେ ସେନା ଯୋଗାଯୋଗ ଅଧିକାରୀ ଭାବେ ନିଯୁକ୍ତ ହେଲେ ।
ଚେନ୍ନାଇରେ ଶାରୀରିକ ପ୍ରଶିକ୍ଷଣ ତାଙ୍କ ପାଇଁ ଆରମ୍ଭରେ କଷ୍ଟକର ହୋଇଥିଲା । ବିଦ୍ୟାଳୟ ଜୀବନରେ ସେ ନିଜ କ୍ରୀଡ଼ାବିତ୍ ଥିଲେ । କିନ୍ତୁ ପୁଅର ଜନ୍ମ ପରେ ତାଙ୍କ ଶରୀରର ଓଜନ ଅଧିକ ବଢ଼ିଯାଇଥିଲା । ତେଣୁ ନିୟମିତ ପ୍ରଶିକ୍ଷଣରେ ପ୍ରାୟ ୨୦ କିଗ୍ରା ଓଜନ ସେ ହ୍ରାସ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ପ୍ରଶିକ୍ଷଣ ବେଳେ ଅନ୍ୟ କମ୍ ବୟସର ଶିକ୍ଷାର୍ଥୀମାନଙ୍କ ତୁଳନାରେ ସୁସ୍ମିତାଙ୍କ ପ୍ରଦର୍ଶନ ବେଶ୍ ଭଲ ଚାଲିଥିଲା । ପ୍ରଶିକ୍ଷଣରେ ପ୍ରଥମ ଛଅମାସ ମଧ୍ୟରେ ସେ ନିଜ ପୁଅ ସହ କଥା ବେହକାୁ ସମୟ ପାଉନଥିଲେ । କିନ୍ତୁ ପ୍ରତିଦିନ ତା’ ପାଇଁ ଚିଠି ଲେଖୁଥିଲେ । ସେନା ପକ୍ଷରୁ ତଶଙ୍କୁ ରହିବା ପାଇଁ ଦିଲ୍ଲୀରେ ଯେଉଁ ଘର ଯୋଗାଇ ଦିଆଯାଇଥିଲା । ସେଠାରେ ତାଙ୍କ ପିତାମାତା ତାଙ୍କ ପୁଅ ସହ ରହୁଥିଲେ । ପ୍ରଶିକ୍ଷଣ ଶେଷ ହେବା ପରେ ଇନେ୍ଦାର (ମଧ୍ୟପ୍ରଦେଶ) ନିକଟସ୍ଥ ମଉଠାରେ ଥିବା ମିଲିଟାରୀ କଲେଜ ଅଫ୍ କମ୍ୟୁନିକେସନ ଇଞ୍ଜିନିୟରିଂଠାରେ ସୁସ୍ମିତା ଏବେ କ୍ୟାପଟେନ୍ ପଦରେ ନିଯୁକ୍ତ ଥିଲା ବଳେ ନିଜର ୯ବର୍ଷର ପୁଅକୁ ମଉସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲରେ ପଢ଼ାଉଛନ୍ତି । ତେବେ ତାଙ୍କ ପୁଅ ମଧ୍ୟ ତା’ ପିତାଙ୍କୁ ଅନୁସରଣ କରି ସେନାରେ ଯୋଗ ଦେବ ବୋଲି ତାଙ୍କର ଆଶା ରହିଚି ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ