ଯେଉଁ ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ଶ୍ରୀମନ୍ଦିରରୁ ଲୀଳା ବିଳାସରେ ଅଣତିରିଶଟି ପାହାଚ ଡେଇଁ ଏ ଜାତିର ପରମ ଆରାଧ୍ୟ ଅଧିଦେବ ଜଗତର ନାଥ ଶ୍ରୀଜଗନ୍ନାଥ ଶରଧାବାଲିରେ ପ୍ରତୀକ୍ଷିତ ନନ୍ଦିଘୋଷରେ ଆରୂଢ଼ ହୁଅନ୍ତି ଆଉ ଦୀର୍ଘ ତିନି କିଲୋମିଟର ଲମ୍ବା ପ୍ରଶସ୍ତ ପଥରେ ଯାତ୍ରା କରନ୍ତି, ସେଇ ଉତ୍ସବମୁଖର ଯାତ୍ରାକୁ ଆମେ କହୁ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା । ଗୁଣ୍ଡିଚା ମନ୍ଦିରଟି ଉଚ୍ଚବେଦୀ ଉପରେ ଅଧିଷ୍ଠିତ ଏବଂ ଅପେକ୍ଷାକୃତ ଏକ ଅନୁଚ୍ଚ ମନ୍ଦିର । ମର୍ତ୍ତ୍ୟମଣ୍ଡଳରେ ପ୍ରଥମେ ପ୍ରଭୁଙ୍କର ଏଇ ସ୍ଥାନଟି ହେଉଛି ଯଜ୍ଞନୃସିଂହଙ୍କ ରୂପରେ ଆବିର୍ଭୂତ ହୋଇଥିବା ଏକ ପାବନ କ୍ଷେତ୍ର । ଶାସ୍ତ୍ରରେ ଏଇ ସ୍ଥାନକୁ ଶ୍ରୀନୃସିଂହ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଯେଉଁ ଏକ ସପ୍ତାହ ବ୍ୟାପି ଶ୍ରୀଚତୁର୍ଦ୍ଧା ମୂର୍ତ୍ତି ଏଇ ମନ୍ଦିରର ଗର୍ଭଗୃହରେ ଥିବା ସିଂହାସନ ଉପରେ ବିରାଜମାନ କରନ୍ତି, ତାକୁ କୁହାଯାଏ ଆଡ଼ପ ବିଜେ । ଗୁଣ୍ଡିଚା ମନ୍ଦିରର ନାମାନ୍ତର ଆଡପ ମଣ୍ଡପ ।
ଆଜି ରଥ ଯାତରା, ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଦେବ ନକ୍ଷତ୍ର ପୁଷ୍ୟା ସଂଯୋଗରେ କର୍କଟ ରାଶି ଚକ୍ରରେ ଚନ୍ଦ୍ର ରହି ପଞ୍ଚଭୂତର ଅସଂଖ୍ୟ ସୂକ୍ଷ୍ମସତ୍ତା ଏବଂ ଦେବଗଣଙ୍କୁ ପୁରୁଷୋତ୍ତମ କ୍ଷେତ୍ରର ଏଇ ମହାନ୍ ବ୍ରହ୍ମୋତ୍ସବରେ ସହଭାଗୀ ହେବା ପାଇଁ ନଭୋମଣ୍ଡଳରୁ ନିମନ୍ତ୍ରଣ କରିସାରିଲେଣି । ଅପସୃତ ରାଜତନ୍ତ୍ରର ପ୍ରତିଭୂ ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ତଥା ସର୍ବମାନ୍ୟ ଆଦ୍ୟ ସେବକଙ୍କର ଏ ସମୟଖଣ୍ଡ ହେଉଛି ୫୯ତମ ବର୍ଷ । ଭାରତର କୋଣ ଅନୁକୋଣରୁ ଏବଂ ଭାରତ ବାହାରୁ ଅସଂଖ୍ୟ ଭକ୍ତ ଓ ଦର୍ଶନାର୍ଥୀ ବଡ଼ଦାଣ୍ଡରେ ସମବେତ ହୋଇ ଏକ ଅଭିନବ ଜନସମୁଦ୍ରର ଭ୍ରାନ୍ତି ସୃଷ୍ଟି କରିସାରିଲେଣି ।
ଭକ୍ତମାନଙ୍କର ବ୍ୟାକୁଳ ଆହ୍ୱାନ ଓ ସମଗ୍ର ମାନବ ଜାତିର ଆହ୍ୱାନ ଆଜି ମେଘନାଦ ପ୍ରାଚୀର ଓ କୂର୍ମପ୍ରାଚୀର ଭେଦି ଜ୍ୱରମୁକ୍ତ ତଥା ନବଯୌବନପ୍ରାପ୍ତ ପତିତପାବନଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଜନସମୁଦ୍ରରେ ତରଙ୍ଗାୟିତ ହେଉଛି ଜୟଜଗନ୍ନାଥ ଧ୍ୱନି ।
ତିନୋଟି ଚଳମାନ ଦାରୁମନ୍ଦିର- ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ଦେବଦଳନ ବା ଦର୍ପଦଳନ ବା ପଦ୍ମଧ୍ୱଜ ଏବଂ ତାଳଧ୍ୱଜ ବା ଲଙ୍ଗଳଧ୍ୱଜ ଏଇ ତିନୋଟି ରଥ ସିଂହଦ୍ୱାରରେ ପ୍ରତୀକ୍ଷାରତ । ଚଉଦ ଚକ ଓ ପଇଁଚାଳିଶ ଫୁଟ ଉଚ୍ଚତା ବିଶିଷ୍ଟ ଲଙ୍ଗଳଧ୍ୱଜ ରକ୍ତ ଓ ନୀଳବର୍ଣ୍ଣର ବସ୍ତ୍ରାବରଣରେ ଅଳଙ୍କୃତ ହୋଇଛନ୍ତି । ଦଧିନଉତି ଉପରେ ଚନ୍ଦ୍ର, ସୂର୍ଯ୍ୟ ଓ ବିଦୁ୍ୟତ୍ ତିନୋଟି କଳସ ରୂପରେ ଶୋଭା ପାଉଛନ୍ତି ଏବଂ ଚାରିଟି କୃଷ୍ଣବର୍ଣ୍ଣର ଦାରୁଅଶ୍ୱ ରଥଲାଗି ହେବା ପାଇଁ ଅପେକ୍ଷା କରିଛନ୍ତି । ଏଇ ରଥରେ ବିରାଜିବେ ଶ୍ରୀବଳଭଦ୍ର, ସାଥୀରେ ରାମ ଓ କୃଷ୍ଣ । ସାରଥି ମାତଳୀ ମଧ୍ୟ ପ୍ରସ୍ତୁତ ହୋଇରହିଛନ୍ତି । ରଥରୁ ଭୂମି ପର୍ଯ୍ୟନ୍ତ ଲମ୍ବି ଆସିଛି ଚାରମାଳ ଯାହା ଉପର ଦେଇ ବଡ଼ଠାକୁର ବଳଭଦ୍ରଙ୍କୁ ଦଇତାପତିମାନେ ସାବଧାନରେ ନେଇ ରଥାରୂଢ଼ କରାଇବେ । ମଝି ରଥ ଦର୍ପଦଳନ ବା ଦେବଦଳନ ବା ପଦ୍ମଧ୍ୱଜ । ବାରଚକ ଓ ଚଉରାଳିଶ ଫୁଟ୍ ଛ’ଇଞ୍ଚ ଉଚ୍ଚତା ବିଶିଷ୍ଟ, କଳା ଓ ନାଲିରଙ୍ଗର ବସ୍ତ୍ରାବରଣରେ ଆବୃତ ଏଇ ଦେବଦଳନ ରଥରେ ଆସୀନ ହେବେ ଭଦ୍ରଦାୟିନୀ ଏକାନଂଶା ଆଦ୍ୟାଶକ୍ତି ସ୍ୱରୂପିଣୀ ଦେବୀ ସୁଭଦ୍ରା, ନୀଳାଦ୍ରିନାଥଙ୍କର ତେଜୋଦ୍ଦୀପ୍ତ ସ୍ତମ୍ଭରୂପୀ ଶ୍ରୀସୁଦର୍ଶନଙ୍କ ସହିତ । ରଥଧ୍ୱଜାରେ ଅଛନ୍ତି ତ୍ରିପୁରାସୁନ୍ଦରୀ ଓ ଦଧିନଉତି ଉପରେ ଥିବା ତିନିଟି କଳସ ହେଉଛି ପରା, ଅପରା, ବୈଖରୀ । ନାଲି ରଙ୍ଗର ଚାରିଟି ଦାରୁଅଶ୍ୱ ରଥରେ ଲାଗିହେବା ପାଇଁ ପ୍ରସ୍ତୁତ ଅଛନ୍ତି । ସାରଥି ଅର୍ଜୁନ ମଧ୍ୟ ଅପେକ୍ଷାରତ । ରଥରୁ ଭୂଲଗ୍ନ ହୋଇଛି ଚାରମାଳ ।
ଠିକ୍ ଅରୁଣସ୍ତମ୍ଭ ପାଖାପାଖି ରହିଛନ୍ତି ଷୋଳଚକ ଓ ପଇଁଚାଳିଶ ଫୁଟ୍ ଛ’ ଇଞ୍ଚ ଉଚ୍ଚତା ବିଶିଷ୍ଟ ନନ୍ଦିଘୋଷ ବା ଚକ୍ରଧ୍ୱଜ ବା ଗରୁଡ଼ଧ୍ୱଜ ରଥ । ଏହି ରଥରେ ବିଜେ କରିବେ ନୀଳଶୈଳାଧିପତି, ପୁରୁଷୋତ୍ତମ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ । ହଳଦିଆ ଓ ନାଲି ବସ୍ତ୍ରାବରଣରେ ସୁସଜ୍ଜିତ ନନ୍ଦିଘୋଷ । ପତିତପାବନ ଶ୍ରୀଜଗନ୍ନାଥଙ୍କୁ ସାହଚର୍ଯ୍ୟ ପ୍ରଦାନ କରିବେ ଶ୍ରୀମଦନମୋହନ । ହିରଣ୍ୟଗର୍ଭ ନାମକ ଦଧିନଉତି ଉପରେ ତିନୋଟି କଳସ ହେଉଛି ନଭ, ଆକାଶ ଓ ମହାବ୍ୟୋମର ପ୍ରତୀକ । ରଥ ଧ୍ୱଜାରେ ଶ୍ରୀହନୁମାନ ବିଜେ କରିଛନ୍ତି । ସାରଥି ଦାରୁକ ଓ ଶ୍ୱେତବର୍ଣ୍ଣର ଚାରିଟି ଦାରୁଅଶ୍ୱ ପ୍ରତୀକ୍ଷାରତ । ଚାରମାଳ ରଥରୁ ଲମ୍ବି ଆସି ଭୂଲଗ୍ନ ହୋଇଛି ଦାରୁବ୍ରହ୍ମଙ୍କର ରଥାରୋହଣକୁ ସୁଗମନ କରିବା ପାଇଁ ।
ନୂତନ ମନ୍ଦିରର ପ୍ରତିଷ୍ଠା କର୍ମ ଭଳି ତିନି ଦାରୁମନ୍ଦିର (ରଥ)ର ପ୍ରତିଷ୍ଠା କାର୍ଯ୍ୟ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପନ୍ନ କରାଗଲାଣି । ଅଣସର ପିଣ୍ଡିରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସମସ୍ତ ଗୁପ୍ତନୀତି ଯଥା ବାହୁକଣ୍ଟ, ସେନାପଟା ଓ ଶୁକ୍ଳ ସଜ ଲାଗି ପ୍ରଭୃତି କାର୍ଯ୍ୟ ଓ ପ୍ରାତଃକୃତ୍ୟ ଯଥା ମଙ୍ଗଳ ଆରତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବେଶ ପରିଧାନ ଓ ମଙ୍ଗଳାର୍ପଣ ଇତ୍ୟାଦି ନୀତି ସମାପ୍ତ ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଏବଂ ନୀଳାଦ୍ରିନାଥ ଶ୍ରୀଜଗନ୍ନାଥଙ୍କର ଧାଡ଼ି ପହଣ୍ଡି ଉଦେ୍ଦଶ୍ୟରେ ବିଜେ କାହାଳୀ ବାଜି ଉଠିଲାଣି । ଘଣ୍ଟ ଓ ପଖଉଜ ଆଦି ବାଦ୍ୟ, ମଣିମା ଡାକ, ଜୟ ଜଗନ୍ନାଥ ଧ୍ୱନି, ବେଦ ଧ୍ୱନି, ହରିବୋଲ ହୁଳହୁଳି ଧ୍ୱନିରେ ପରିସର ବେଶ୍ ମୁଖରିତ । ସାତ ପାହାଚ ଦେଇ ଓହ୍ଲାଇଲା ବେଳେ ରାଘବ ଦାସ ମଠରୁ ଆସିଥିବା ଟାହିୟା ମଥାଭରଣ ଠାକୁରମାନେ ଲାଗି ହେଲେଣି । ଶ୍ରୀସୁଦର୍ଶନ ଓ କାତ୍ୟାୟନୀ ସୁଭଦ୍ରାଙ୍କୁ ଦଇତାପତିମାନେ ଯଥାକ୍ରମରେ ନେଇ ଦେବଦଳନ ରଥରେ ସ୍ଥାପନ କଲାପରେ ବଡ଼ଠାକୁର ଓ ପତିତପାବନ ଶ୍ରୀଜଗନ୍ନାଥଙ୍କର ପହଣ୍ଡି ଭରପୂର ଉଲ୍ଲାସରେ ଆରମ୍ଭ ହୋଇଗଲାଣି ।
ଏବେ ତାଳଧ୍ୱଜ ରଥରେ ବିରାଜମାନ କଲେଣି ଶ୍ରୀବଳଭଦ୍ର ଓ ତା’ପରେ ପରେ ବିଚିତ୍ର ନାଟ୍ୟାୟନରେ ଢଳି ଢଳି ରଥାରୂଢ଼ ହେଉଛନ୍ତି ବହୁ ପ୍ରତୀକ୍ଷିତ ପତିତପାବନ ଶ୍ରୀଜଗନ୍ନାଥ । ସମବେତ ଜନତାର ଆଖି ଲାଖି ଗଲାଣି ସେଇ ଚକାଡୋଳାରେ । କି ଅଚିନ୍ତନୀୟ ଆକର୍ଷଣ! ଜନସମୁଦ୍ର ଉଛୁଳି ଉଠୁଛି ଦିବ୍ୟ ଉନ୍ମାଦରେ । କିଛି କ୍ଷଣପରେ ପୁଷ୍ପାଳକ ମହାଜନମାନଙ୍କ ଦ୍ୱାରା ଆନୀତ ଶ୍ରୀରାମକୃଷ୍ଣ ଏବଂ ଶ୍ରୀ ମଦନମୋହନ ଯଥାକ୍ରମେ ତାଳଧ୍ୱଜ ଓ ନନ୍ଦିଘୋଷରେ ଆସି ବିଜେ ହେବା ଜନତା ଲକ୍ଷ୍ୟ କଲେଣି । ଆଉ ମଧ୍ୟ ଲକ୍ଷ୍ୟ କଲେଣି କିଭଳି ତିନି ରଥରେ ସୋଲ, ଚିତା ଲାଗି ଓ ରୁନ୍ଧା ଆଦି କାର୍ଯ୍ୟ ଦଇତାପତିମାନେ ଦକ୍ଷତାର ସହିତ କରୁଛନ୍ତି ।
ଏବେ ସମସ୍ତଙ୍କର ପ୍ରତୀକ୍ଷା ଶ୍ରୀଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତି ମହାରାଜାଙ୍କର ଶୁଭାଗମନକୁ । ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତ୍ତା ଓ ପଗଡ଼ି ଆଦି ପାରମ୍ପରିକ ପୋଷାକ ପରିଧାନ କରି ସେ ରାଜନଅରର ଅଧିଷ୍ଠାତ୍ରୀ ଦେବୀ କନକଦୁର୍ଗାଙ୍କୁ ପ୍ରଣତି ଜଣାଇ ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ସୁସଜ୍ଜିତ ମେହେନାରେ ଜନସମୁଦ୍ର ଭିତରେ ଲହଡ଼ି ଭାଙ୍ଗିଭାଙ୍ଗି ଆଗେଇ ଆସୁଛନ୍ତି ବିହ୍ୱଳିତ ଆବେଗରେ । ତାଙ୍କ ସାଙ୍ଗରେ ବିରାଟ ପଟୁଆର ।
ତାଳଧ୍ୱଜ ରଥ ନିକଟରେ ମେହେନା ବା ତାମଯାନରୁ ଓହ୍ଲାଇ ରାଜପରିବାରର ସଦସ୍ୟ, ରାଜଗୁରୁ ଓ ନିର୍ଦ୍ଦିଷ୍ଟ ସେବାୟତଙ୍କ ଗହଣରେ ଗଜପତି ବିଧିପୂର୍ବକ ଶ୍ରୀବଳଭଦ୍ରଙ୍କ ସମ୍ମୁଖରେ କର୍ପୂର ଆଳତି, ସୁନା ଚାମର ସେବା ଆଲଟ କରିସାରି ସୁନା ଖଡ଼ିକା ଧରି ରଥାରୂଢ଼ ବଳଭଦ୍ରଙ୍କର ରଥର ଚାରିପଟେ (ରଥ ଚକଡ଼ା) ଛେରାପହଁରା କରିସାରିଲେଣି ।
ପରେ ପରେ ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରାଙ୍କ ରଥରେ ବିଧିପୂର୍ବକ ଛେରାପହଁରା ସେବା ସାରି ପଟୁଆରରେ ତାମଯାନରେ ବସି ପ୍ରଭୁଙ୍କର ଆଦ୍ୟସେବକ ଗଜପତି ମହାରାଜା ଏବେ ଶ୍ରୀନଅର ଅଭିମୁଖେ ବାହୁଡ଼ିଗଲେଣି । ଛେରାପହଁରା ପୂର୍ବରୁ ଗୋବର୍ଦ୍ଧନ ପୀଠର ଶ୍ରୀ ଶଙ୍କରାଚାର୍ଯ୍ୟ ତିନି ରଥରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ସାରି ସ୍ୱୀୟ ପୀଠକୁ ଫେରିଗଲେଣି ।
ଭୋଇସେବକମାନେ ରଥମାନଙ୍କରୁ ଚାରମାଳ ଖୋଲିଲା ପରେ ସାରଥି ଓ ଅଶ୍ୱଗଣ ରଥରେ ପ୍ରସ୍ତୁତ ହେଲେଣି । ରୂପକାର ସେବକମାନେ ସେମାନଙ୍କୁ ଦୃଢ଼ ଭାବରେ ବାନ୍ଧିସାରିଲେଣି । ରଥରେ ଡାହୁକମାନେ ଏବେ ଯୋଡ଼ିବେତ ହଲେଇ ‘ରଥବୋଲି’ ଗୀତ ଗାନ କରି ବେଶ୍ ଉଲ୍ଲସିତ ହେଉଛନ୍ତି ।
ପ୍ରତି ରଥରେ ଆଠଇଞ୍ଚ ଗୋଲ ବିଶିଷ୍ଟ ଦୁଇଶହ କୋଡ଼ିଏ ଫୁଟ ଲମ୍ବର ଚାରିଟି କତା ଦଉଡ଼ି ଲାଗିଥାଏ । ଏଇ ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ଓ ଟାଣିବା ପାଇଁ ଭକ୍ତମାନଙ୍କର ଅଶେଷ କ୍ରଣ୍ଠା ଓ ଆଗ୍ରହ ଥାଏ । ଘଣ୍ଟୁଆମାନଙ୍କର ଐକତାନିକ ଘଣ୍ଟବାଦ୍ୟ, ଜନସମୁଦ୍ରରୁ ଭାସିଆସୁଥିବା ହୁଳହୁଳି, ହରିବୋଲ ଓ ଜୟଧ୍ୱନିର ନିନାଦରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ କ୍ରମାନ୍ୱୟରେ ଆଗେଇ ଚାଲନ୍ତି ଶ୍ରୀଗୁଣ୍ଡିଚାମନ୍ଦିର ଅଭିମୁଖେ ।
ବଡ଼ଦାଣ୍ଡରେ ପରମ ବିସ୍ମୟ ପତିତପାବନ ଶ୍ରୀଜଗନ୍ନାଥଙ୍କର ମାନବଲୀଳାର ପ୍ରତ୍ୟେକ ମୁହୂର୍ତ୍ତ ଭକ୍ତଗଣଙ୍କ ମନରେ ଅଫୁରନ୍ତ ଉଲ୍ଲାସର ନିର୍ଝର ସୃଷ୍ଟି କରୁଥାଏ । ହାତ ବଢ଼େଇ ଦେଲେ ଛୁଇଁ ହୋଇଯାଉଥାଏ, ଆଖିରେ ଆଖି ମିଶି ଯାଉଥାଏ, ମନ ଭିତରର ଅସ୍ପଷ୍ଟ ଭାବ-ଭାଷାର ପ୍ରତୁ୍ୟତ୍ତର ସଙ୍ଗେ ସଙ୍ଗେ ମିଳିଯାଉଥାଏ । ଭକ୍ତଙ୍କଠାରୁ ଅଧିକ ପ୍ରମତ୍ତ, ପ୍ରଗଳ୍ଭ ହୋଇପଡୁଥାନ୍ତି ତୈ୍ରଲୋକ୍ୟମୋହନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ । ସେ ଆଜି ଶ୍ରୀମନ୍ଦିରର ନୀତି-କାନ୍ତି ଶୃଙ୍ଖଳରୁ ମୁକ୍ତ । ଭୋକଶୋଷ ନାହିଁ । ଷାଠିଏ ପଉଟି ଭୋଗ ଓ ଅନ୍ନବ୍ୟଞ୍ଜନ ଆଉ ଲୋଡ଼ା ନାହିଁ । ଅନ୍ତରୀକ୍ଷର ଦେବଗଣ ହତବାକ୍ ହୋଇ ପରଂବ୍ରହ୍ମଙ୍କର ଏଇ ଅପୂର୍ବ ଲୀଳା ଦେଖୁଛନ୍ତି । ମହୋଦଧିର ଉତ୍ତାଳ ନିର୍ଘୋଷ ଆଉ ବଡ଼ଦାଣ୍ଡରେ ପହଞ୍ଚି ପାରୁନାହିଁ ।
ପ୍ରଭୁ ଶ୍ରୀମନ୍ଦିରର ନୀତିକାନ୍ତି ପାଶୋରି ଉପାସ ନ ରହନ୍ତୁ ବୋଲି ସେବକଗଣ ରଥାରୂଢ଼ ଠାକୁରଙ୍କ ପାଖରେ ଗୋପାଳବଲ୍ଲଭଠାରୁ ଆରମ୍ଭ କରି ସବୁ ଧୂପରେ ରଥକୋରା, ବଲ୍ଲଭ ଖଇ, ଗଜାମୁଗ, ନଡ଼ିଆ ପାତି, ବିଭିନ୍ନ ଫଳ ଓ ଶାକର ଆଦି ସମର୍ପଣ କରୁଛନ୍ତି । ବିଭିନ୍ନ ମଠ, ବିଶେଷତଃ ଜଗନ୍ନାଥବଲ୍ଲଭ ମଠ ରଥଯାତ୍ରା କାଳରେ ପନ୍ତିଭୋଗର ଆୟୋଜନ ମଧ୍ୟ କରିଛନ୍ତି ।
ପ୍ରାୟ ହଜାର ବର୍ଷରୁ ଊଦ୍ଧ୍ୱର୍ ହେବ ଶ୍ରୀନୀଳାଦ୍ରିନାଥଙ୍କର ଏଇ ବ୍ରହ୍ମୋତ୍ସବ ରଥଯାତ୍ରା ମହୋତ୍ସବ ବିପୁଳ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାବେଶରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଆସୁଛି । ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ପୂର୍ବେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଶ୍ରୀମନ୍ଦିରରୁ ନଦୀକୂଳ ପର୍ଯ୍ୟନ୍ତ ତିନିରଥ ଏବଂ ନଦୀର ଅପରପାଶ୍ୱର୍ରେ ଆଉ ତିନିଟି ରଥର ବ୍ୟବସ୍ଥା ଥିବା କଥା ଜନଶ୍ରୁତିରେ ଅଛି । ପଥ ମଧ୍ୟରେ ମାଉସୀମାଆ ମନ୍ଦିର ନିକଟରେ ରଥ ଅଟକି ଯାଇ ସେଠାରେ ପୋଡ଼ପିଠା ଲାଗି ହେବା ଏକ ବହୁ ପ୍ରଚଳିତ ପରମ୍ପରା । ସେହିପରି ପରମଭକ୍ତ ସାଲବେଗଙ୍କର ସମାଧି ପୀଠ ନିକଟରେ ନନ୍ଦିଘୋଷ ସ୍ମୃତିବିଜଡ଼ିତ ମୁହୂର୍ତ୍ତରେ କ୍ଷଣକ ପାଇଁ ଅଟକି ଯା’ନ୍ତି । କୌଣସି ଅତି ପ୍ରିୟ ଭକ୍ତଙ୍କ ପ୍ରତୀକ୍ଷାରେ ନନ୍ଦିଘୋଷ ଗୁଣ୍ଡିଚା ଯାତ୍ରା ଦିନ ଆଉ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରନ୍ତି ନାହିଁ । ଅପେକ୍ଷା କରନ୍ତି ସେହି ଭକ୍ତିଲୀନ ଭକ୍ତକୁ ।
ଭକ୍ତଗଣ ପ୍ରଭୁଙ୍କର ଯାତ୍ରାକାଳୀନ କ୍ଲାନ୍ତି ଦୂର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତି । ଓଡ଼ିଶାର ବିବିଧ ଲୋକ-ସଂସ୍କୃତିର ତୁଙ୍ଗିମା ପ୍ରଭୁଙ୍କର ରଥ ଆଗରେ ପ୍ରଦର୍ଶନ କରନ୍ତି । ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ, ଅଗ୍ନି ପିଣ୍ଡୁଳାରେ ବନାଟି ନୃତ୍ୟ, ବିବିଧ ବେଶରେ କୌତୁକ ପ୍ରଦର୍ଶନ, ନାମକୀର୍ତ୍ତନ, ରଥ ଅଟକୁଥିବା ସ୍ଥାନ ଆଗରେ ଦୀପଦାନ ଓ ଅଶ୍ରୁଳ ଆରତି ଆଦି ଓଡ଼ିଆ ଜାତିର ପ୍ରାଣକୁ ଏଇ ମହୋତ୍ସବ କିଭଳି ସ୍ପନ୍ଦିତ ଓ ପ୍ରଚୋଦିତ କରିପାରିଛି ତାହାର ଏକ ଅନାବିଳ ନିଦର୍ଶନ ମାତ୍ର ।
“ମେଘ କଲା ଘଡ଼ଘଡ଼ି / ଜଗନ୍ନାଥେ ଗଲେ ଗୁଣ୍ଡିଚାବାଡ଼ି / ଷୋଳ ଚକ ଗଲା ଗଡ଼ି” (ଶ୍ରୀଜଗନ୍ନାଥ ଜ୍ଞାନକୋଷ, ପୃ-୧୮୮) । ବିଧି ମୁତାବକ ପହଣ୍ଡି ସାରି ଠାକୁରମାନେ ଏବେ ଆଡପମଣ୍ଡପର ରତ୍ନସିଂହାସନରେ ଉପବିଷ୍ଟ ହେଲେଣି । ସପ୍ତାହବ୍ୟାପୀ ଅବସରରେ ଗୁଣ୍ଡିଚା ନିବାସ ପ୍ରଭୁଙ୍କର ଏକ ନିଆରା ଲୀଳାବିଳାସ । ଭକ୍ତମାନଙ୍କର ହାରିଗୁହାରି ଶୁଣିବାରେ ସେ ଅଧିକ ଉକ୍ରର୍ଣ୍ଣ, ସାତ ଦିନ କାଳ ଭକ୍ତମାନଙ୍କୁ ସୌଭାଗ୍ୟ ଓ ମୁକ୍ତି ପ୍ରଦାନ କରିବାରେ ସତେ ଯେପରି ସେ ମୁକ୍ତହସ୍ତ । ଦିନ ଦର୍ଶନ ଅପେକ୍ଷା ରାତିରେ ତାଙ୍କୁ ଦର୍ଶନ କଲେ ଦଶଗୁଣ ଅଧିକ ପୁଣ୍ୟ ମିଳେ ବୋଲି ପୁରାଣକାରମାନେ କହିଯାଇଛନ୍ତି । ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ’ । ଶ୍ରୀକ୍ଷେତ୍ରରେ ଶହେ ବର୍ଷ ରହଣିରେ ଯେଉଁ ପୁଣ୍ୟଫଳ ମିଳେ, ମହାବେଦୀ ବା ଆଡପ ମଣ୍ଡପରେ ମାତ୍ର ଦିନଟିଏ ଦର୍ଶନରେ ସେହି ଫଳ ମିଳେ । ବାହୁଡ଼ା ଯାତ୍ରାର ପୂର୍ବ ସନ୍ଧ୍ୟା ଅର୍ଥାତ୍ ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ ଦର୍ଶନ ସର୍ବାଧିକ ପୁଣ୍ୟପ୍ରଦ ବୋଲି ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି ।
ନୀଳାଚଳର ରତ୍ନସିଂହାସନରେ ନଅଦିନ କାଳ ଚତୁର୍ଦ୍ଧାମୂର୍ତ୍ତି ନଥିଲେ ମଧ୍ୟ ପ୍ରଭୁଙ୍କ ନିଦେ୍ର୍ଦଶକ୍ରମେ ଏହା ଶୂନ୍ୟ ମନ୍ଦିର କେବେ ହେବ ନାହିଁ । ତାଙ୍କର ଅବର୍ତ୍ତମାନରେ ସେଠାରେ ଶ୍ରୀଦେବୀ (ଲକ୍ଷ୍ମୀ), ଧରାଦେବୀ ବା ଭୂଦେବୀ ଏବଂ ଶ୍ରୀମାଧବଙ୍କ ପୂଜାର୍ଚ୍ଚନା ଜାରି ରହିବ ବୋଲି ‘ନୀଳାଦ୍ରି ମହୋଦୟ’ରେ ସ୍ପଷ୍ଟ ଉଲ୍ଲେଖ ଅଛି ।
ଶ୍ରୀକ୍ଷେତ୍ରରେ ରହି ସାତଦିନ କାଳ ପ୍ରତ୍ୟହ ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଭକ୍ତି ସହକାରେ ବାରମ୍ବାର ଦର୍ଶନ କଲେ ଅସୁମାରି ପୁଣ୍ୟ ଲାଭ ହୁଏ ବୋଲି ଇନ୍ଦ୍ରଦୁ୍ୟମ୍ନ ମହାରାଜାଙ୍କୁ ପ୍ରଭୁ କହିଥିଲେ । ଆଉ ମଧ୍ୟ କହିଥିଲେ ଯେଉଁମାନେ (ବ୍ୟସ୍ତତା, ଅସୁସ୍ଥତା ବା ବୟସାଧିକ୍ୟ ବା ଦୂରରେ ଥିବା ହେତୁ) ଏ ସୁଯୋଗରୁ ବଞ୍ଚିତ ସେମାନେ ନିଜ ନିଜ ସ୍ଥାନରେ ରହି ଧ୍ୟାନସ୍ଥ ହୋଇ ଖାଲି କୁହନ୍ତୁ “ମୁଁ ମହାବେଦୀରେ ପ୍ରଭୁଙ୍କୁ ଦର୍ଶନ କରିବି”- ଏତିକି ମାତ୍ର ସାତ୍ତ୍ୱିକ କାମନା ହିଁ ହଜାରେ ଅଶ୍ୱମେଧ ଯଜ୍ଞର ଫଳ ସାଙ୍ଗେ ସମାନ ହେବ ।
ମହାବେଦ୍ୟାମହଂ ଦ୍ରକ୍ଷ୍ୟେ ମନସା ଚିନ୍ତୟେତ୍ତୁ ଯଃ
ସୋଽଶ୍ୱମେଧ ସହସ୍ରସ୍ୟ ଫଳଂ ପ୍ରପ୍ନୋତି ମାନବଃ ।
(ନୀଳାଦ୍ରି ମହୋଦୟ ୧୬/୭୫)
ପୂର୍ବାଚାର୍ଯ୍ୟଗଣ ପ୍ରଭୁଙ୍କର ଏହି ମାନବଲୀଳାକୁ ନିଜ ଅନ୍ତଃକରଣରେ, ନିଜ ଭିତରେ, ଅନ୍ତର୍ଚକ୍ଷୁରେ ଦର୍ଶନ କରି ସମତୁଲ୍ୟ ଫଳପ୍ରାପ୍ତିର ସମ୍ଭାବନାକୁ ଅଧିକ ଜୀବନ୍ତ କରି ତୋଳିଛନ୍ତି । “ଆତ୍ମାନଂ ରଥିନଂ ବିଦ୍ଧି’ । ନିଜେ ପବିତ୍ର ରଥଟିଏ ପାଲଟି ଗଲେ, ନିଜ ଭିତରର ରଥସ୍ଥ ସିଂହାସନ କେବେ ହେଲେ ଶୂନ୍ୟ ହେବ ନାହିଁ । ପ୍ରଭୁ ଆପେ ଆପେ ରଥାରୂଢ଼ ହେବେ ଓ ନୟନପଥଗାମୀ ହେବେ ।