ରୋଷେଇଘର ସାମନାରେ ମୁଁ ଦେଖିଲି ମୋର ଗୋଟିଏ ବ୍ୟାଗ ରହିଛି । ଚିହ୍ନିପାରିଲି, ଗତକାଲି ଏ ବ୍ୟାଗଟି ମୁଁ ଦେଇଥିଲି ରହିମକୁ, ତା’ ପୁଅ ଲାଗି । କୈଳାସ ଆସିଲା ପାଖକୁ । କହିଲା, ସଞ୍ଜରେ ରହିମ ଡାକ୍ତରଖାନାରୁ ଏଠିକି ଆସିବା ବେଳେ ବ୍ୟାଗଟି ଧରି ଆସିଥିଲା । ତଟକା ଫଳରସ ଗୋଟିଏ କାଚ ଗ୍ଲାସରେ ଢ଼ାଳି, ଟ୍ରେ’ରେ ସଜାଡି ରଖୁରଖୁ, କୈଳାସ କହିଥିଲା, ଏହସାନ ବ୍ୟାଗଟା ପାଇ ବହୁତ ଖୁସି ହୋଇଯାଇଥିଲା, ଓଲଟପାଲଟ କରି ଦେଖିଥିଲା । ତା’ପରେ କହିଥିଲା, ଅବ୍ବା, ଏଥିରେ କାହାର ନାଆଁ ଲେଖା ଅଛି ? ତୁମ ସାର୍ଙ୍କର ? ମୋ ନାଆଁ କାହିଁ ? ସାରଙ୍କୁ କହିବ, ସେ ମୋ’ ଲାଗି ଗୋଟେ ନୂଆ ବ୍ୟାଗ କିଣିଦେବେ, ଯୋଉଥିରେ ନାଆଁ ଲେଖାଥିବ : ‘ଏହସାନ’ ।
ଅତିଥିମାନଙ୍କର ତାଲିକା ଉପରେ ଆଉଥରେ ଆଖି ପକାଉଛି, କୈଳାସ ଆସି କହିଲା : ରହିମ କାଲି ଆସିପାରିବ ନାହିଁ ।
କହିବାକୁ ଯାଉଥିଲି ବାଜେ କଥା କହି ମତେ ବର୍ତ୍ତମାନ ବିରକ୍ତ କର ନାହିଁ, କିନ୍ତୁ ତା’ କଥା ଶୁଣି ମୋର ବିରକ୍ତି ଆହୁରି ବଢ଼ିଗଲା । କହିଲି, ଆସିବ ନାହିଁ କାହିଁକି?
କୈଳାସ କିଛି ନ କହି ଚୁପ ରହିଲା ।
: ଜାଣିଚି, ସେଇ ବାହାନା । ପୁଅ ଦେହ ଖରାପ ।
କୈଳାସ ଟେବୁଲ ପାଖକୁ ଆସି ନୀରବରେ ମୋର ଅଇଁଠା ଚା କପ୍ ଉଠାଇ ନେଲା ।
: ସେ ଅପଦାର୍ଥ, ଜାଣିବା କଥା କାଲି ତା’ର ଆସିବା କେତେ ଜରୁରୀ । ପୁଅର ଚିକିତ୍ସା ପାଇଁ ପଇସା ଯେ ଦରକାର, ସେକଥା ସେ କ’ଣ ବୁଝିନାହିଁ !
ଚା କପ୍ ଧରି କୈଳାସ ବାହାରିଯିବା ଆଗରୁ ମୁଁ କହିଲି, ଆଉ ଗୋଟେ କପ୍ । ବ୍ଲାକ, ହାଫ ଚାମଚ ଚିନି ।
ସେ ପଚାରିଲା, ନୀଳଗିରି, ଟେମୀ ନା ଦାର୍ଜିଲିଂ?
ମୁଁ କହିଲି, ଟେମୀ ।
ମୋର ଏବେ ଚିନ୍ତା କରିବାର କଥା । ଯଦି ରହିମ କାଲି ନ ଆସେ, ବଡ଼ ଅସୁବିଧା ହୋଇଯିବ ।
ଡିନରର ସବୁଠୁ ବାଞ୍ଛନୀୟ ଖାଦ୍ୟ କାଲି ସେ ହିଁ ପ୍ରସ୍ତୁତ କରିବ । ଦୁଇଟା ଚାଇନିଜ, ଗୋଟିଏ ଡିଜର୍ଟ ଓ ହାଇଦ୍ରାବାଦୀ ବିରିୟାନି । ସବୁଠୁ ବଡ଼ ଜିନିଷ ବିରିୟାନି, ସେ ଯେମିତି ସ୍ୱାଦିଷ୍ଟ ବିରିୟାନି ବନାଏ, ସେମିତି କାହାକୁ ଆସିବ ନାହିଁ ।
ମୁଁ ଚା ପିଉଛି, ରହିମ ଆସିଗଲା । ଭଲହେଲା ।
ମୁଁ କହିଲି, ରହିମ, କାଲି ଏଗାର ଜଣ ଗେଷ୍ଟ ଆସୁଛନ୍ତି ।
ସେ କିଛି କହିଲା ନାହିଁ । କୈଳାସ ଏକଥା ତା’କୁ ଆଗରୁ କହିସାରିଛି ।
– ତୁମକୁ ଆସିବାକୁ ହେବ । କିଛି କଥା ଶୁଣା ହେବ ନାହିଁ ।
ମୋର ବିରକ୍ତିର କାରଣ ଥିଲା । ଦୁଇ ମାସ ତଳେ ମୋ’ ବସ ଆସିଥିଲେ ମୁମ୍ବାଇରୁ । ଘରକୁ ଡାକିଥିଲି ଡିନର ପାଇଁ । ରହିମ ଶେଷ ମୁହୂର୍ତ୍ତରେ ମନା କଲା, ଆସିଲା ନାହିଁ । ମୁଁ ବସଙ୍କୁ ନେଇଥିଲି ହୋଟେଲକୁ । ଖାଉ ଖାଉ ବସ କହିଥିଲେ, ତୁମ ଖାନସାମା ପରା ଭାରି ଭଲ ବିରିୟାନି କରେ କହୁଥିଲ, ତା’ ହାତରନ୍ଧା ତ ମିଳିଲା ନାହିଁ !
ମୁଁ କହିଥିଲି ତା’ ପୁଅ ବେମାର ଅଛି । ଆସନ୍ତା ଥର ଯେବେ ଆସିବେ, ମୋ ଘରେ ଅତିଥି ହେବେ । ତା’ ହାତର ବିରିୟାନି ଚାଖିବେ ।
ଆହୁରି ଦୁଇଥର ଏମିତି ଅପଦସ୍ଥ ହୋଇଛି ମୁଁ । ବନ୍ଧୁଙ୍କୁ ପ୍ରସ୍ତାବ ଦେଇଛି ଆମ ଘରକୁ ଆସ ବିରିୟାନି ଖାଇବ । କିନ୍ତୁ ରହିମ ଛୁଟି ମାଗେ, ଆସିପାରିବ ନାହିଁ, ପୁଅର ଦେହ ଟିକିଏ ବେଶି ଖରାପ ଅଛି ।
ତା’ ଚାରି ବର୍ଷ ପୁଅର ଜନ୍ମଗତ ରୋଗ ରହିଛି । କଞ୍ଜେନିଟାଲ ହାର୍ଟ ଡିଜିଜ । ବହୁତ ପଇସା ଦରକାର ତା’ର ଚିକିତ୍ସା ପାଇଁ । ସେଇ ପଇସା ପାଇଁ ସେ ଖଟୁଥାଏ ନାନା ଜାଗାରେ, ସକାଳୁ ରାତି ଯାଏ । ମୁଁ କିଛି ମନ୍ଦ ପାରିଶ୍ରମିକ ଦିଏ ନାହିଁ । ସବୁଦିନେ ଦେଢ଼ ଘଣ୍ଟା ପାଇଁ ଆସେ, ଭୋଜିଭାତ ଥିଲେ ଅଧିକା ସମୟ, ଅଧିକା ପଇସା ।
ଦରମା ସହିତ ମୁଁ ତା’କୁ ଆଉ କିଛି ସାହାଯ୍ୟ ବି କରେ । ପୁରୁଣା ବା ଛୋଟ ହୋଇ ଆସିଥିବା ଡ୍ରେସ, ପୁରୁଣା କଲମ, ଛତା, ମୋବାଇଲ, ବଳି ଯାଇଥିବା ଖାଦ୍ୟ ଏମିତି ଅନେକ କିଛି । ମୁଁ ବି ସନ୍ତୁଷ୍ଟ, ଘରର ଅଦରକାରୀ ଜିନିଷ ଖାଲି ହୋଇଗଲା ।
ରହିମ ଯାହା କହିବ ମୁଁ ଜାଣିଥିଲି । ସେ କହିଲା, ମୋ ପୁଅ ଦେହ ଭଲ ନାହିଁ କାଲିଠୁ ।
ଟିକିଏ ରହି କହିଲା, ଡାକ୍ତର କହୁଛନ୍ତି ହସ୍ପିଟାଲରେ ଆଡ଼ମିଟ କଲେ ଭଲ ହେବ ।
ପିଲାଟି ଅନେକଥର ଆଗରୁ ହସ୍ପିଟାଲ ଯାଇଛି । ବହୁତ ଖର୍ଚ୍ଚ ହୋଇଯାଏ ରହିମର । ମୋ’ଠୁ ଧାର ନିଏ କିଛି, କିଛି ଶୁଝେ, କିଛି ଦରମାରୁ କଟା ହୁଏ ଧୀରେଧୀରେ ।
– କ’ଣ ପିଲାକୁ ଡାକ୍ତରଖାନା ନେବ?
ସେ କହିଲା, ନିଅନ୍ତି । ପଇସା ସୁବିଧା ହୋଇପାରିଲେ ।
ମୁଁ ପର୍ସରୁ କିଛି ଟଙ୍କା ବାହାର କରି ତା’ ହାତରେ ଦେଲି । ସେ ନେଲା, କିନ୍ତୁ ତା’ ଦ୍ୱିଧା କଅଣ ମୁଁ ବୁଝିପାରିଲି । ଯଦି ସେ ପିଲାକୁ ଧରି ଡାକ୍ତରଖାନା ଯାଏ, ଏଠିକି କାଲି ଆସିବା ସମ୍ଭବ ନୁହେଁ ।
– କ’ଣ ଆଜି ହିଁ ଡାକ୍ତରଖାନା ନେବା ଜରୁରୀ?
ଏ ପ୍ରଶ୍ନର ଉତ୍ତର ତା’କୁ ଜଣା ନଥିଲା । ସେ କହିଲା, ଏକ୍ସରେ ରିପୋର୍ଟ ଦେଖିଲେ ଜଣାପଡିବ ।
ମୁଁ ତା’କୁ କାଲିର ମେନ୍ୟୁ ସମ୍ପର୍କରେ କିଛି କହିବାକୁ ଚାହୁଁଥିଲି । ସେ କହିଲା ଏବେ ସେ ଏକ୍ସ-ରେ ରିପୋର୍ଟ ଆଣିବାକୁ ଯାଉଛି । ଡାକ୍ତର ଦେଖିବେ ସଞ୍ଜରେ ।
– ଠିକ ଅଛି, ରିପୋର୍ଟ ଧରି ଫେରିବା ବାଟରେ ଦେଖା କରିଯିବ ।
ସେ ଆସିଥିଲା ଦୁଇ ଘଣ୍ଟା ପରେ । ହାତରେ ଧରିଥିଲା ରିପୋର୍ଟ ।
ମୁଁ କହିଥିଲି, କାଲି ମୁମ୍ବାଇରୁ ଆମ ଏମ.ଡ଼ି ସାହେବ ଆସୁଛନ୍ତି, ଏଇ ବର୍ତ୍ତମାନ ତାଙ୍କ ଫୋନ ପାଇଲି । ଗତଥର ତାଙ୍କୁ ଘରକୁ ଡାକି ପାରିଲିନି, ତୁମେ ଛୁଟିରେ ରହିଗଲ, ପୁଅ ଦେହ ଖରାପ କହି । ଏଥର ଭଲ ଭାବେ ସବୁ ହେବ । ଡିଜର୍ଟରେ ‘ବାକାଲାଭା’ କରିବା ?
ନିଃସ୍ପୃହ ଉଦାସୀନ ସ୍ୱରରେ ସେ ମୋ ସହିତ ମେନ୍ୟୁ ଆଲୋଚନା କଲା । କଥାବାର୍ତ୍ତାରେ ସେ ଅବଶ୍ୟ ଥିଲା ସମ୍ପୂର୍ଣ୍ଣ ପ୍ରଫେସନାଲ, ଯାହା ମୁଁ ପସନ୍ଦ କରିଥାଏ ।
ସେ ଯିବା ବେଳେ ମୁଁ ତା’ ହାତରେ ଗୋଟିଏ କନଫରେନ୍ସ ବ୍ୟାଗ ଦେଲି, ଏ ସବୁ ମୋତେ ମିଳିଥାଏ ଅପର୍ଯ୍ୟାପ୍ତ, ରଖିବାକୁ ଜାଗା ନଥାଏ ଘରେ । କହିଲି, ପୁଅ ପାଇଁ ।
ସେ କିଛି ନ କହି, ମୁଣ୍ଡ ନୁଆଁଇଲା, ସଲାମ ମାରି ଚାଲିଗଲା ।
ପରଦିନ ସେ ଡେରିକଲା ଆସିବାକୁ ।
ମୁଁ କୈଳାସକୁ କହିଲି ବ୍ୟଗ୍ର ହୋଇ । ରହିମ ଆସିଲା ନାହିଁ ଯେ! ତା’କୁ ଫୋନ କର, ଶୀଘ୍ର ଆସିବ ।
କୈଳାସ କହିଲା, ଚାରିଥର ଡାକି ସାରିଲିଣି । ଚାରିଥର ଯାକ ଫୋନ ଅଫ୍ ।
– ଦାୟିତ୍ୱହୀନ ଲୋକଟେ । ସେଇ ଦାୟିତ୍ୱହୀନତା ଯୋଗୁ ତ ଦେଶର ଏଇ ଅବସ୍ଥା ।
କୈଳାସ ସନ୍ତର୍ପଣରେ ସୂଚନା ଦେଇଥିଲା ଯେ ରହିମର ଫୋନ ବେଳେବେଳେ ଡେଡ଼ ହୋଇଯାଏ । ଅଟୋମେଟିକ୍ ସ୍ୱିଚ ଅଫ ।
ରହିମକୁ ଫୋନଟା ମୁଁ ଦେଇଥିଲି, ଗୋଟେ ଆଇଫୋନ କିଣିବା ପରେ ।
ମୁଁ କିଛି କହି ନଥିଲି । କୈଳାସ ମନ୍ଦ କୁକ୍ ନୁହେଁ । ଚଳେଇ ନେବ । ତା’ ସାଙ୍ଗେ ବାହାରୁ କିଛି ମଗେଇ ଆଣିବି ।
ଟିକିଏ ପରେ, ରହିମ ଫୋନ କରିଥିଲା, ତା’ ଭାଇର ଫୋନରୁ । କହିଥିଲା ସେ ହସ୍ପିଟାଲରେ ଅଛି, ପୁଅକୁ ଧରି ଆସିଛି । ସେ ଆସିବ ସମୟ କରି, ସବୁ ପ୍ରକାର ରାନ୍ଧିବ ଯଥା ସମୟ ପୂର୍ବରୁ । ସେ କୈଳାସକୁ କେତେକ ପରାମର୍ଶ ଦେଇଥିଲା ରନ୍ଧା ପ୍ରସ୍ତୁତି ସମ୍ପର୍କରେ ।
ମୋର ଭରସା ଥିଲା ରହିମ ଉପରେ । ସେ ଭାରି କାମିକା, ଚଟପଟ ତା’ର ହାତ । ରାତି ନଅଟା ଆଗରୁ ଆମର ଖାଇବାର ନାହିଁ । କକଟେଲର ଅବଧି ତ ଅନିର୍ଦ୍ଦିଷ୍ଟ ।
ସଞ୍ଜ ଛଅଟା ବେଳ ପର୍ଯ୍ୟନ୍ତ ସେ ଯେତେବେଳେ ଆସିଲା ନାହିଁ, ମୁଁ ବଡ଼ ବିରକ୍ତ ହୋଇଥିଲି । ତା’କୁ ଫୋନ କଲି । ଫୋନ ଯାହା ହେଉ ଲାଗିଗଲା ।
– କେତେବେଳେ ଆସିବ? ମୋର ସଂକ୍ଷିପ୍ତ ପ୍ରଶ୍ନ ।
ସେ କହିଲା, ଏବେ ସେ ବାହାରୁଚି । ଆଉ ପଦେ ବି କଅଣ କହୁଥିଲା, ଶୁଭୁ ନ ଥିଲା ଭଲ ଭାବେ । ମୁଁ ଫୋନ କାଟିଦେଲି ।
ଅତିଥିମାନେ ଆସିବା ଆରମ୍ଭ କରିଥିଲେ ସନ୍ଧ୍ୟା ସାଢ଼େ ଛଅଟା ପରେ ପରେ । ଡ୍ରଇଂରୁମର ଗହଳି ବଢ଼ିଲା ଧୀରେଧୀରେ । ପାନୀୟର ବ୍ୟବସ୍ଥା କରୁ କରୁ କୈଳାସ ମୋତେ ଖବର ଦେଇଥିଲା, ରହିମ ଆସି ଯାଇଛି । କାମ ଆରମ୍ଭ କରିଦେଇଛି ।
ଚମକ୍ରାର ଡିନର ଥିଲା ଆମୂଳଚୂଳ । ସବୁ ଅତିଥି ଖୁସି ହୋଇଥିଲେ, ବିରିୟାନି ଓ ଡିଜର୍ଟର ଭୂୟସୀ ପ୍ରଶଂସା । ଏମ.ଡ଼ି. ସାହେବ କହିଥିଲେ ‘ୟୁ ଆର୍ ସୋ ଲକି ଟୁ ହାଭ ଏ କୁକ୍ ଲାଇକ ଦିସ !’ ତୁମର ଭାଗ୍ୟ ଏମିତି କୁକ୍ଟିଏ ପାଇଛ ।
ବିଳମ୍ବିତ ରାତି ଯାଏ ଗପସପ, କକଟେଲ ଓ ଭୁରି ଭୋଜନ ହେତୁ ପରଦିନ ମୋର ଡେରି ହୋଇଥିଲା ନିଦରୁ ଉଠିବାରେ । ବିଛଣାରେ ଥାଇ ସକାଳର ଚା’ ପିଉ ପିଉ ନଅଟା ପଚିଶ । ହାଙ୍ଗ-ଓଭର ତଥାପି ରହିଥିଲା, ଭାରି ଭାରି ମୁଣ୍ଡ । ଦ୍ୱିତୀୟ କପ ଚା’ ବାରଣ୍ଡାରେ ବସି ମୁଁ ପିଉଥିବା ସମୟରେ, କୈଳାସ କହିଥିଲା, ଏହସାନ ଚାଲିଗଲା, ରହିମର ପୁଅ ।
ସେ କହିଲା ଏମିତି ଢଙ୍ଗରେ, ଯେମିତି ଏ ଖବରରେ ମୋର କିଛି ଯାଏ ଆସେ ନାହିଁ । ଖାଲି ମୋର ଏ କଥା ଜାଣିବା ଦରକାର । ଖବର ସମ୍ପୂର୍ଣ୍ଣ କଲାଭଳି ସେ ପୁଣି କହିଲା, କାଲି ରାତି ବାରଟା ବେଳେ ।
ବାରଟାରେ ! ସେତେବେଳେ ତ ରହିମ ଥିଲା ଏଇଠି । ଡିଜର୍ଟ ସେ ସର୍ଭ କରିଥିଲା ରାତି ସାଢ଼େ ଏଗାରଟା ବେଳକୁ । ମୁମ୍ବାଇରୁ ଏମ.ଡି. ଆସିଥିଲେ ଡେରିରେ, ଫ୍ଲାଇଟ ବିଳମ୍ବ ହୋଇଥିଲା ।
କୈଳାସ କହିଥିଲା, ଏହସାନ ବହୁତ ଖୋଜୁଥିଲା ବାପାକୁ । ସଞ୍ଜ ବେଳୁ । ଅପେକ୍ଷା କରିଥିଲା, ବାପା କେତେବେଳେ ଆସିବେ, ଗପ କହିବେ ।ଆଜି ସକାଳୁ ସକାଳୁ ରହିମ ଫୋନ କରିଥିଲା କୈଳାସକୁ । ମୋର ସେହି ପୁରୁଣା, କେବେ କେବେ ଆପେ ଆପେ ବନ୍ଦ ହୋଇ ଯାଉଥିବା ଫୋନରେ । ସେମାନେ ନିଶ୍ଚୟ କଥା ହୋଇଥିବେ ଅନେକ ସମୟ ଧରି । ସେମାନେ ଭାରି ଗପନ୍ତି ସମୟ ପାଇଲେ ।
ମୋତେ କିନ୍ତୁ କୈଳାସ ଆଉ କିଛି କହିଲା ନାହିଁ । ମୋ ଲାଗି ଜଳଖିଆ ତିଆରି କରିବାକୁ ରୋଷେଇ ଘରକୁ ଗଲା । ରୋଷେଇ ଘରେ ଗଲା କାଲିର ଖାଦ୍ୟ ଅନେକ ଥିଲା । ମୁଁ କିନ୍ତୁ ବାସି ଖାଦ୍ୟ ଖାଇବାକୁ ପସନ୍ଦ କରେ ନାହିଁ । ଗନ୍ଧଟା ବିରକ୍ତିକର ।
ରୋଷେଇଘର ସାମନାରେ ମୁଁ ଦେଖିଲି ମୋର ଗୋଟିଏ ବ୍ୟାଗ ରହିଛି । ଚିହ୍ନିପାରିଲି, ଗତକାଲି ଏ ବ୍ୟାଗଟି ମୁଁ ଦେଇଥିଲି ରହିମକୁ, ତା’ ପୁଅ ଲାଗି । ରହିମ କ’ଣ ଛାଡ଼ିଗଲା ଭୁଲରେ !
କୈଳାସ ଆସିଲା ପାଖକୁ । କହିଲା, ସଞ୍ଜରେ ରହିମ ଡାକ୍ତରଖାନାରୁ ଏଠିକି ଆସିବା ବେଳେ ବ୍ୟାଗଟି ଧରି ଆସିଥିଲା ।
ଜୁସରରୁ ତଟକା ଫଳରସ ଗୋଟିଏ କାଚ ଗ୍ଲାସରେ ଢ଼ାଳି, ଟ୍ରେ’ରେ ସଜାଡି ରଖୁରଖୁ, କୈଳାସ କହିଥିଲା, ଏହସାନ ବ୍ୟାଗଟା ପାଇ ବହୁତ ଖୁସି ହୋଇଯାଇଥିଲା, ଓଲଟପାଲଟ କରି ଦେଖିଥିଲା ।
ତା’ପରେ କହିଥିଲା, ଅବ୍ବା, ଏଥିରେ କାହାର ନାଆଁ ଲେଖା ଅଛି? ତୁମ ସାର୍ଙ୍କର? ମୋ ନାଆଁ କାହିଁ ?
ମୁଁ ଆରବର୍ଷ ସ୍କୁଲ ଯିବି । ସାରଙ୍କୁ କହିବ, ସେ ମୋ’ ଲାଗି ଗୋଟେ ନୂଆ ବ୍ୟାଗ କିଣିଦେବେ, ଯୋଉଥିରେ ମୋ ନାଆଁ ଲେଖାଥିବ : ‘ଏହସାନ’ । ଅବଶ୍ୟ ଯଦି ସେ ମତେ ପ୍ରକୃତରେ ଭଲ ପାଉଥିବେ…
୧୩୭, ଲୁଇସ ରୋଡ଼, ବିଜେବି ନଗର, ଭୁବନେଶ୍ୱର