ଶ୍ମଶାନ ଘାଟରେ ହୁ ହୁ ହୋଇ ଜଳୁଥିଲା ପାରୋମିତାର ଜୁଇ । ତନ୍ମୟ ଧୀରେ କରି ତା ବ୍ୟାଗ୍ରୁ ବାହାର କଲା ଚାରି ତଉତା ହୋଇ ଚିକ୍ ଚିକ୍ ଜରି କାଗଜରେ ଗୁଡା ହୋଇଥିଲା ଏକ ସୁନ୍ଦର ଗିଫ୍ଟ । ଯାହା ଉପରେ ସେ ଶ୍ରଦ୍ଧାରେ ନିଜେ ଲେଖିଥିଲା- ଟୁ ପାରୋମିତା ୱିଥ୍ ଲଭ୍ ଫ୍ରମ୍ ତନ୍ମୟ । ତାହା ଥିଲା ଏକ ଇଂଲିଶ୍ ଟୁ ଓଡିଆ ଟୁ ବେଙ୍ଗଲି ଶିକ୍ଷା ବହି । ଓଡିଆ ଶିଖିବାକୁ ଆଗ୍ରହୀ ଥିବା ପାରୋମିତା ପାଇଁ ଏହା ଥିଲା ତନ୍ମୟର ଉପହାର । ସବୁବେଳେ ସେ ଖଣ୍ଡି ଓଡିଆରେ ତନ୍ମୟକୁ ମେସେଜ୍ ଦେଉଥିଲା ଓ କହୁଥିଲା ତାକୁ ଓଡିଆ ଶିଖେଇବାକୁ । ଓଡିଆ ଶିଖିଲେ ସେ ତନ୍ମୟକୁ ଭଲ କରି ପ୍ରେମ କରିପାରିଥାନ୍ତା ।
ପାରୋମିତାର ମୁହଁଟି ଦିଶୁଥିଲା ଓଡିଆ ଫିଲ୍ମର କୌଣସି ଏକ ସାଇଡ୍ ହିରୋଇନ୍ର ମେକପ୍ ଦିଆ ମୁଖମଣ୍ଡଳ ପରି । ସୁନ୍ଦରୀ ନୁହେଁ କିମ୍ବା ଅସୁନ୍ଦରୀ ବି ନୁହେଁ । ମେନ୍ ହିରୋଇନ୍ ହୋଇ ପାରିବନି କିମ୍ବା ହିରୋଇନ୍ର ମାଆ ରୋଲ୍ରେ ବି ଫିଟ୍ ହେବନି । ସେ କେବଳ ହିରୋର ଭଉଣୀ ହୋଇପାରିବ । ଯିଏ ଅନେକ ସମୟରେ ଭିଲେନ୍ ଦ୍ୱାରା ଅପହରଣ କିମ୍ବା ଧର୍ଷଣର ଶିକାର ହୁଏ । ଷ୍ଟୋରିରେ କ୍ଲାଇମାକ୍ସ ଦେବାକୁ ଯେଉଁ ଚରିତ୍ରକୁ ଲେଖକ ବା ଡାଇରେକ୍ଟର ବଳି ଚଢାଏ ।
“ତନ୍ମୋୟ ! ତୁମି ଏ ରକମ୍ ବୋଲ୍ବେ ନା । ତୁମି କି ଆମାଏ ଭାଲୋବାସୋ ନା ? ୟୁ ଆର୍ ବିହେଭିଂ ନଟି ।’
ତନ୍ମୟ ପାଖକୁ ଫେସ୍ବୁକ୍ ମେସେଜ୍ ବକ୍ସରେ ନିଜର ଏକ ପୁରୁଣା ଫଟୋ ପଠେଇଥିଲା ପାରୋମିତା । ତାଆରି ଉପରେ କମେଂଟ୍ ଦେଇ ତନ୍ମୟ ଲେଖିଥିବା ଦୁଇଧାଡି ପଢି ପାରୋମିତା ମିଛି ମିଛିକା ରାଗି ଯାଇଥିଲା । କହିଥିଲା- “ତୁମାର ସାଥେ ଆମି ଆର୍ କଥା ବୋଲ୍ବୋ ନା । ଦୁଷ୍ଟ ।’
ପାରୋମିତା କୋଲକାତାର ଝିଅ । ସେଇ କୋଲକାତାରେ ହିଁ ପିଲା ପରିବାର ସଂସାର । ସ୍ୱାମୀ କୋଲକାତା ୟୁନିଭର୍ସିଟିରେ କିରାଣୀ । ପୁଅ ସପ୍ତମରେ ପଢୁଛି । ତନ୍ମୟ ତାକୁ ଫେସ୍ବୁକ୍ରେ କେମିତି ଓ କେବେ ପାଇଲା ତା’ର ଠିକ୍ ମନେନାହିଁ । କିନ୍ତୁ ଦିନେ ହଠାତ୍ ସକାଳୁ ଉଠି ଫେସ୍ବୁକ୍ ଖୋଲେ ତ ଦେଖେ ଗୋଟେ ମେସେଜ୍ ଆସିଛି । ସେଥିରେ ଲେଖାଅଛି- ତୁମି ଭୁଲି ତେ ପାରୋ, କିନ୍ତୁ ଆମି ନା ।
ମେସେଜ୍ଟି ପଠେଇଥିଲା ପାମେଲା ନାମ୍ନୀ କିଏ ଜଣେ ମହିଳା । ଏ ପାମେଲା ପୁଣି କିଏ ? ତନ୍ମୟ ପାମେଲା କିଏ ଜାଣି ନଥିଲା । ସେ ତାକୁ ଫ୍ରେଣ୍ଡ ରିକଏଷ୍ଟ ପଠେଇଥିଲା ନା, ପାମେଲା ତାକୁ ପଠେଇଥିଲା ତା ବି ତନ୍ମୟର ମନେ ନଥିଲା । କିନ୍ତୁ ଚିହ୍ନା ନାହିଁ କି ପରିଚୟ ନାହିଁ, ତା’ର ଏମିତି ହଠାତ୍ ଏକ ଆତ୍ମୀୟ ମେସେଜ୍ ପଠେଇବା ତନ୍ମୟକୁ ଆଶ୍ଚର୍ଯ୍ୟ କରିଥିଲା । ଏ ପାମେଲା ସତରେ କିଏ ଯେ ?
ତନ୍ମୟ ପାମେଲାର ଟାଇମ୍ ଲାଇନ୍କୁ ଗଲା । ତା ଠିକଣା ଦେଖିଲା । ତା ସହ ଫେସ୍ବୁକ୍ରେ ବନ୍ଧୁତା କରିଥିବା ଲୋକମାନଙ୍କୁ ଚିହ୍ନିବାକୁ ଚେଷ୍ଟା କଲା । ସେମାନଙ୍କୁ କାହାକୁ ସେ ଚିହ୍ନିଥିବା ପରି ମନେହେଲା ନାହିଁ । ସମସ୍ତେ ପ୍ରାୟ ପଶ୍ଚିମବଙ୍ଗର ବେଙ୍ଗଲି ଲୋକ । ପାମେଲା ତା ପୋଷ୍ଟରରେ ଗୋଟେ ସୁନ୍ଦର ଛେଳିଛୁଆର ଚିତ୍ର ରଖିଥିଲା । ଯେଉଁଥିରେ ଲେଖା ଥିଲା- ୟୁ କ୍ୟାନ୍ ଇଗ୍ନୋର୍ ଓ ଚାଇଲ୍ଡ, ବଟ୍ ନଟ୍ ଦି ଚାଇଲ୍ଡହୁଡ୍ ଆଣ୍ଡ ଇଟ୍ସ ଇଗ୍ନୋରାନ୍ସ । ବାଃ !! କେଡେ କଥାଟିଏ କୁହାଯାଇଛି ସତରେ ! ତନ୍ମୟ ଏ ଇଂରାଜୀ ଧାଡିଟିରେ ତନ୍ମୟ ହୋଇଗଲା । ଆପଣ ପିଲାଟିଏକୁ ଏଡେଇ ଦେଇ ପାରନ୍ତି, କିନ୍ତୁ ପିଲାଦିନ ଓ ଏହାର ଅଜ୍ଞତାକୁ ନୁହେଁ । ପାମେଲା କ’ଣ କୌଣସି ଅନାଥାଶ୍ରମର କର୍ମଚାରୀ ? ହେଇଥିବ ।
ପାମେଲା ତା ପ୍ରୋଫାଇଲ୍ରେ ଗୋଟେ ଗୁଲୁଗୁଲିଆ ସୁନ୍ଦର ଛୁଆର ଫଟୋ ରଖିଥିଲା । ପିଲାଟି ନିଶ୍ଚିତ ତା ନିଜର ହେଇନଥିବ । ଫଟୋଟି ଇଂଟରନେଟ୍ରୁ ଡାଉନ୍ଲୋଡ୍ ହୋଇଥିବା ଏକ ଛବି । ତନ୍ମୟ ତା’ର ସବୁ ଘରଦ୍ୱାର ଅଣ୍ଡାଳିଲା, ତା ବନ୍ଧୁମାନଙ୍କୁ ଚିହ୍ନିବାକୁ ଚେଷ୍ଟା କଲା । କିନ୍ତୁ କୌଣସି ସୂତ୍ରରୁ ବି ତଥ୍ୟ ପାଇଲା ନାହିଁ ଯେ, ଏ ମହିଳା କିଏ ।
ତା ପରେ ତନ୍ମୟ ପାମେଲାକୁ କିଛିଦିନ ଭୁଲିଗଲା । ଭାବିଲା ଏଟା ଫେକ୍ ଆଇଡି ବି ହୋଇଥାଇ ପାରେ । ସୋସିଆଲ୍ ମିଡିଆରେ ଏ ଫେକ୍ ଆଇଡି ଅତି ସାଧାରଣ । ତାକୁ ଲାଗେ, ଟୋଟାଲ୍ ଗାଏମୋଟ ଯେତେ ଆଇଡି ଏ ପୃଥିବୀରେ ଅଛି, ସେଥିରୁ ଅଧିକ ପ୍ରତିଶତ ଫେକ୍ ବା ନକଲି । ପାମେଲା ସେଇଥିରୁ ବି ଗୋଟେ ହେଇପାରେ । ତଥାପି ସେ ଭାବିଚିନ୍ତି ପାମେଲାକୁ ଗୋଟେ ମେସେଜ୍ ଛାଡିଲା ।
“ରିଲେସନ୍ ଷ୍ଟାଣ୍ଡ୍ସ ଅନ୍ ୱାର୍ଡସ, ବଟ୍ ଲଭ୍ ଷ୍ଟାଣ୍ଡ୍ସ ଅନ୍ ଫିଲିଂସ୍ ।’
ଏତକ ମେସେଜ୍ ପଠେଇ ଦେଇ ତନ୍ମୟ ପାମେଲାକୁ ଭୁଲି ଯାଇଥିଲା । ତା ଭିତରେ ତନ୍ମୟ ରହୁଥିବା ସହରର ରାସ୍ତାରେ ଅନେକ ଗାଡି ଗଡି ସାରିଥିଲା ଓ ବର୍ଷା ଦିନ ଆସି ସାରିଥିଲା । ପ୍ରାୟ ପନ୍ଦର ଦିନ ପରେ ପୁଣି ପାମେଲା ଗୋଟେ ମେସେଜ୍ ଦେଲା ଫେସ୍ ବୁକ୍ରେ ।
“ତୁମିି କି ଆମାର୍ ବନ୍ଧୁ ହବେ ?’
ତନ୍ମୟର ପୁଣି ମନେପଡିଲା ପାମେଲା । କିଏ ଏ ରହସ୍ୟମୟୀ ? ଚିନ୍ତା କଲା ଆଜି ତାକୁ ଜଗିବ ଏବଂ ତା’ର ଗୁମର ଖୋଲିବ । ଯେତେବେଳେ ଅନ୍ ଲାଇନ୍ ଆସିବ ସେ ତାକୁ ମାଡି ବସିବ । ତେଣୁ ଅଫିସ୍ରେ ଅଧିକ ସମୟ ଧରି ରହିଲା । ସଂଧ୍ୟା ଗଡି ଗଲା । ରାତି ଠିକ୍ ଆଠଟା ପନ୍ଦରରେ ଅନ୍ଲାଇନ୍ ଆସିଲା ପାମେଲା । ସେତେବେଳକୁ ତନ୍ମୟ ପାମେଲାର ମେସେଜ୍ ବକ୍ସରେ ପାଖାପାଖି କୋଡିଏ ଧାଡି ନାନା ପ୍ରକାର ମେସେଜ୍ ଦେଇ ସାରିଥିଲା । ତାକୁ କହିଥିଲା, ତମେ ରହସ୍ୟମୟୀ ମହିଳା । ତମେ ପ୍ରକୃତରେ ମହିଳା କି ପୁରୁଷ ତାହା ଠିକ୍ ନାହିଁ । ଏମିତି ଟିକେ ଟିକେ ମେସେଜ୍ ପଠେଇ କୁଆଡେ ଗାଏବ୍ ହୋଇଯିବାର ଅର୍ଥ କ’ଣ ?
ପାମେଲା ତା ଜୀବନର ଗୁମର ଖୋଲିଲା । କହିଲା- ସେ ପ୍ରକୃତରେ ପାମେଲା ନୁହେଁ, ପାରୋମିତା । ପାରୋମିତା ରୟ । କଲିକତା ବାସିନୀ ।
ତନ୍ମୟ ପଚାରିଲା- ତେବେ ପାମେଲା ନାଁରେ କାହିଁକି ଅଛ ?
ପାମେଲା ଓରଫ୍ ପାରୋମିତା କହିଲା- ମୋ ସ୍ୱାମୀ ଚାହାଁନ୍ତିନି ମୁଁ ସୋସିଆଲ୍ ମିଡିଆରେ ବିଭିନ୍ନ ଲୋକଙ୍କ ସହ ଗପ କରେ । ତାଙ୍କ ଧାରଣା ସ୍ତ୍ରୀ ଲୋକଟିଏ ଅଚିହ୍ନା ଲୋକଙ୍କ ସହ ବନ୍ଧୁତା କରିବା ଠିକ୍ ନୁହେଁ ।
ତନ୍ମୟ କହିଲା- ସେ ତ ଠିକ୍ କହୁଛନ୍ତି । ଆପଣ କୌଣସି ଅଜଣା ଲୋକଙ୍କ ସହ ବନ୍ଧୁତା କରିବାକୁ କାହିଁକି ଚାହୁଁଛନ୍ତି ?
ପାରୋମିତା କହିଲା- ଶେର୍ ଜୀ କନ୍ଜରଭେଟିଭ୍ ଟାଇପ୍ କା ଆଦ୍ମୀ ହୈ । ମୁଁ କାହିଁକି ଯେ ଘରେ ବାନ୍ଧି ହୋଇ ରହିବି ? ତାଙ୍କ ପରି ମୁଁ ବି ପାଠ ପଢିଛି, କିନ୍ତୁ ଚାକିରି କରିବାକୁ ସେ ମତେ ମନା କଲେ । ଗୋଟେ ସ୍କୁଲରେ ଟିଚର ଚାକିରି ବି କରୁଥିଲି, ସେତକ ବି ମନା କରିଦେଲେ । ତାଙ୍କର ହଠାତ୍ ଧାରଣା ହେଲା, ମୁଁ ସେ ସ୍କୁଲର ପ୍ରିନ୍ସିପାଲ୍ ସହ ପ୍ରେମରେ ମାତି ଯାଇଛି । କିନ୍ତୁ ତାହା ଡାହା ମିଛ ।
ତନ୍ମୟ ଜାଣି ପାରୁନଥିଲା ପାରୋମିତା ତା ସ୍ୱାମୀକୁ ଶେର୍ କାହିଁକି କହୁଛି । ସେ କ’ଣ ଏତେ ଭୟଙ୍କର ସ୍ୱଭାବର ?
ପାରୋମିତା କହିଲା- ନା ଯେ କିନ୍ତୁ ତାଙ୍କ ଆଚରଣ ସେମିତି । ସେ ନିଜେ ମୋ ଫେସ୍ବୁକ୍ ଆକାଉଣ୍ଟ ଖୋଲି ମୁଁ କି କି ଫଟୋ ଛାଡିଛି ଚେକ୍ କରିବେ, ମୋ ଫ୍ରେଣ୍ଡଲିଷ୍ଟରେ କିଏ ଅଛି ସେମାନଙ୍କୁ ଦେଖିବେ । ଏମିତିକି ପାରୋମିତା ରୟ ନାଁରେ ମୋର ଯେଉଁ ଆକାଉଣ୍ଟଟା ଅଛି ତା’ର ପାସ୍ୱାର୍ଡ ବି ତାଙ୍କ ପାଖରେ ଅଛି । ହି ଇଜ୍ ସୋ ପଜେସିଭ୍ । ତେଣୁ ମୁଁ ପାମେଲା ନାଁରେ ଆଉଗୋଟେ ଆକାଉଣ୍ଟ ଖୋଲି ବନ୍ଧୁଙ୍କ ସହ କଥା ହୁଏ । ଆପଣ ମୋ ପାରୋମିତା ଆକାଉଣ୍ଟକୁ ଯାଇ ମୋର ଅରିଜିନାଲିଟି ଚେକ୍ କରିପାରିବେ ।
ତନ୍ମୟ ପାରୋମିତା ରୟ ଆକାଉଣ୍ଟକୁ ଗଲା । ସେଠି ତା ବିଷୟରେ ସବୁ ଚେକ୍ କଲା । ତା ଫଟୋ ଦେଖିଲା । ମଧ୍ୟବୟସ୍କା ମହିଳା ଜଣେ । ପାରୋମିତା ସତ କହୁଥିଲା । ଆହାଃ ! କି ଅବସ୍ଥା ଆମ ସମୟର ନାରୀଟିଏର ! ନିଜ ପାଇଁ ଗୋଟିଏ ଜାଗା ବି ନାହିଁ ! ତନ୍ମୟ ମନରେ ବିଦ୍ରୋହ ଆସି ଯାଉଥିଲା । ଇଏ ତ ସରାସର୍ ନିର୍ଯାତନା ।
ପାରୋମିତା କହିଲା- ତମେ ଜାଣ ତନ୍ମୟ, ଶେର୍ ଆମ ଘରେ ଘରଜୋଇଁଆ ଅଛି । ମୋ ବାପାଙ୍କର ପୁଅ ନାହିଁ, ଆମେ ତିନି ଝିଅ । ତେଣୁ ସେ ନିଜ ସଂପତ୍ତିକୁ ଆମ ତିନି ଭଉଣୀଙ୍କ ଭିତରେ ସମାନ କରି ବାଂଟି ଦେଇଛନ୍ତି । ଆଉ ଇଏ ମହାଶୋୟ ଆମ ସଂପତ୍ତିି ଖାଇ ମୋ ଉପରେ ହାକିମାତି ଦେଖାଉଛନ୍ତି ।
ତନ୍ମୟର ଇଚ୍ଛା ହେଉଥିଲା ପାରୋମିତାକୁ କହିବାକୁ, ତୁ ମହିଳା କମିଶନ ଯାଇ ସ୍ୱାମୀ ବିରୋଧରେ ନାଲିସ୍ କର । ଭାରତୀୟ ନାରୀର ରୂପ ସେ ଥରେ ଦେଖୁ । କିନ୍ତୁ ସେମିତି କିଛି କହିପାରିଲା ନାହିଁ । ସେ ଅନ୍ୟମନସ୍କ ରହିଲା ଓ ଅଫିସ୍ ଛାଡି ଘରକୁ ଫେରିଲା ।
ଘରେ ପତ୍ନୀ ରୁଟି ଡାଲମା କରିଥିଲେ । ଡାଲମାରେ ଚୂନା ଚୂନା କାଟି ଧନିଆଁ ପତ୍ର ପକେଇଥିଲେ । ତନ୍ମୟ ପତ୍ନୀଙ୍କୁ ପଚାରିଲା- ଯଦି ମୁଁ ତମକୁ ନିର୍ଯାତନା ଦିଏ ତେବେ ତମେ ମୋ ବିରୋଧରେ ମହିଳା କମିଶନ ଯିବ ?
ପତ୍ନୀ ନିଜ କାମରେ ବ୍ୟସ୍ତ ଥିଲେ । କହିଲେ- ତମ ମୁଣ୍ଡ ଖରାପ ହେଇଯାଇଛି । ଖାଇକି ଶୋଇପଡ । ଅଧରାତି ଯାଏ ସେ ମୋବାଇଲ୍ ଟକ ଟକ କରି ତମ ମୁଣ୍ଡ ବିଗିଡି ଗଲାଣି ।
ତନ୍ମୟ ରୁଟି ଖାଇ ସାରି ମନେମନେ ହସିଲା । କହିଲା, ଏ ମାଇକିନା ଯାକ ସବୁଆଡେ ସମାନ । ଆଜି ଟିକେ ବ୍ୟାଗ୍ ସଜାଡି ଦିଅ, କାଲି ମୁଁ କଲିକତା ଯିବି । ଅଫିସ୍ କାମରେ ।
ଢ ଢ ଢ
କୋଲକାତା ସାଉଥ୍ ସିଟି ବିଗ୍ ବଜାର ପାଖରେ ପ୍ରବଳ ଲୋକ ଭିଡ । ଏଟା ଇଲାଇଟ୍ ଏରିଆ ପରି ଜଣାପଡୁଛି । ରାସ୍ତାର ଦୁଇକଡରେ ଚା ଦୋକାନ ଭର୍ତ୍ତି । ତନ୍ମୟ ଗୋଟେ ମାଟି କୁଡୁଆରେ ଚା ପିଇଲା ଓ ପାରୋମିତାକୁ ଅପେକ୍ଷା କଲା । ପାରୋମିତା କହିଥିଲା, ଏଇ ଜାଗାକୁ ହିଁ ଆସିବ । ଏଇଠି କୋଉଠି ଗୋଟେ କଲୋନୀରେ ତା ଘର । ଏଇ ପାଖ ସ୍କୁଲରେ ସେ ତା ପୁଅକୁ ଛାଡିବା ପରେ ସ୍କୁଲ ଛୁଟି ହେଲା ଯାଏ ସେ ଏଇ ଜାଗାରେ ହିଁ ଅପେକ୍ଷା କରେ । ଏଇଠିକୁ ସେ ତା ଅଧିକାଂଶ ଫେସ୍ବୁକ୍ ବନ୍ଧୁଙ୍କୁ ଡାକେ ।
ତନ୍ମୟ କହିଥିଲା- ଇଏ କି ଅଜବ ନିଶା ତମର ? ଫେସ୍ବୁକ୍ର ଅଜଣା ବନ୍ଧୁମାନଙ୍କୁ ଭେଟିବାକୁ ଡାକିଲେ ବିପଦ ବି ଥାଇପାରେ?
ପାରୋମିତା କହିଲା- ହଁ ନିଶ୍ଚୟ ଅଛି । ଥରେ ଗୋଟେ ପିଲା ତା ସାଙ୍ଗରେ ତା ଘରକୁ ଯିବାକୁ କହିଲା । ଆଉଜଣେ ତା ହୋଟେଲ୍ ରୁମ୍ ଯିବାକୁ ବାଧ୍ୟ କରୁଥିଲା । ମନା କଲାରୁ ସେ ମୋ ଟାଇମ୍ ଲାଇନ୍ରେ ଅନେକ ଅଶ୍ଳୀଳ ଫଟୋ ଛାଡିଲା ଓ ମୋବାଇଲ୍ ଫୋନ୍କୁ ଲଭ୍ ମେସେଜ୍ ପଠେଇଲା ।
ତନ୍ମୟ- ତଥାପି…
ପାରୋମିତା- ତଥାପି ମୁଁ ସେମାନଙ୍କ ସହ ବନ୍ଧୁତା କରେ ଓ ହସ ଖୁସି କରେ । ସମସ୍ତେ କିନ୍ତୁ ମତେ ଖରାପ ଭାବେ ଗ୍ରହଣ କରନ୍ତି ।
ତନ୍ମୟ- ସ୍ତ୍ରୀ ଲୋକଟିଏ ଏମିତି ବ୍ୟବହାର କଲେ ଆମ ସୋସାଇଟି ତାକୁ ସେମିତି ହିଁ ଭାବିବ ନା…
ପାରୋମିତା- କିନ୍ତୁ ମୁଁ ଜାଣିଛି ତମେ ଖୁବ୍ ଭାଲୋ ତନ୍ମୋୟ… ଖୁବ୍ ବିଶ୍ୱାସୀ… ଖୁବ୍ ମିଶାଣିଆ…
ତନ୍ମୟ- ନା…ଆମି ଦୁଷ୍ଟ…
ପାରୋମିତା- ଆଚ୍ଛା ବୋଲୋ ତ..କି ରକମ୍ ଦୁଷ୍ଟାମି କରବୋ ତୁମି…
ତନ୍ମୟ- ଆଇ ୱିଲ୍ କିସ୍ ୟୁ ଆଣ୍ଡ ହଗ୍ ୟୁ…
ପାରୋମିତା- ଓଏ..ପବ୍ଲିକ୍ ପ୍ଲେସେର୍ ଏ ରକମ୍ କର୍ବେ ନା…
ପାରୋମିତା ସହ ୟା ଭିତରେ ତନ୍ମୟର ଘନିଷ୍ଠତା ଖୁବ୍ ବଢି ଯାଇଥିଲା । ତେଣୁ ସେ ତା କୋଲକାତା ଟୁର୍ଟା ହାତଛଡା କରିବାକୁ ଚାହିଁଲାନି । ଅନେକ ଦିନ ତଳୁ ସେ ପାରୋମିତାକୁ ଭଣ୍ଡେଇ ଆସୁଥିଲା, ସେ ଖୁବ୍ଶୀଘ୍ର କୋଲକାତା ଯାଉଛି ବୋଲି । କିନ୍ତୁ ବିଭିନ୍ନ କାରଣରୁ ସୁଯୋଗ ଯୁଟୁ ନଥିଲା । ସେଦିନ ଯେତେବେଳେ ଅଫିସ୍ ତରଫରୁ କଥାଟା ଉଠିଲା, ତନ୍ମୟ ଚଟ୍ କରି କହିଲା, କୋଲକାତା ଟୁର୍ ପାଇଁ ମୋ ନାଁଟା ପକେଇ ଦିଅନ୍ତୁ । ମୋର ନିଜର ଟିକେ ପର୍ସନାଲ କାମ ବି ଅଛି । ସବୁବେଳେ ଟୁର୍କୁ ଆଭଏଡ୍ କରୁଥିବା ତନ୍ମୟର କୋଲକାତା ଟୁର୍ କଥା ଶୁଣି ଅଫିସ୍ରେ ସମସ୍ତେ ଥଟ୍ଟାମଜା କଲେ । ସିନିୟର ମ୍ୟାନେଜର ଷଡଙ୍ଗୀ ବାବୁଙ୍କ ଷ୍ଟେନୋ ରେଖା କହିଲା- କ’ଣ ତନ୍ମୟ ବାବୁ ବାଙ୍ଗାଲି ମେୟେର୍ ସାଥେ ପ୍ରେମ ଚାଲିଛି କି ?’
ତନ୍ମୟ ଲାଜେଇ ଯାଇଥିଲା । ତା ପାଟିରୁ ବାହାରି ଆସୁଥିଲା- “ହଁ ହଁ ପାରୋମିତାର ପ୍ରେମରେ ପଡିଛି । ଦୁଇବର୍ଷର ଫେସ୍ବୁକ୍ ବନ୍ଧୁତା ପରେ ତାକୁ ଟିକେ ଭେଟିବାକୁ ଚାହୁଁଛି ।’
ପାଖାପାଖି ଘଣ୍ଟାଏ କାଳ ଅପେକ୍ଷା କରିବା ପରେ ବି ପାରୋମିତାର ଦେଖା ନଥିଲା । ହ୍ୱାଟ୍ସଆପ୍ରେ ପାରୋମିତା ପଠେଇଥିବା ଠିକଣାଟା ସେ ଆଉଥରେ ଚେକ୍ କରି ନେଲା । ହଁ ଏଇ ହିଁ ସେ ଜାଗା । ସାଉଥ୍ ସିଟି ବିଗ୍ ବଜାର । ତନ୍ମୟ ପାରୋମିତାକୁ ହ୍ୱାଟ୍ସଆପ୍ରେ ଆଉଗୋଟେ ମେସେଜ୍ ପଠେଇଲା ।
“ୱେଟିଂ ଫର୍ ୟୁ ପାରୋମିତା ।’
ତନ୍ମୟ ରହୁଛି ଏଠୁ ଅନେକ ଦୂରରେ ରେଳବାଇର ଗୋଟେ ଗେଷ୍ଟ ହାଉସ୍ରେ । ତା’ର ଜଣେ ଚିହ୍ନା ପରିଚୟ ଲୋକ ସହ କଥା ହୋଇ ସେ ସେଠି ମାଗଣାରେ ରହୁଛି । କୋଲକାତାରେ ସେ ନୂଆ । ବହୁ ପୂର୍ବରୁ ଅନେକ ଦିନ ତଳେ ସେ କଲେଜରେ ପଢୁଥିବା ବେଳେ ଥରେ ଆସିଥିଲା କୋଲକାତା, ଯେତେବେଳେ ଏ ସହରର ନାଁ ଥିଲା କଲିକତା । ଏଠି ତା ଗାଁର ଗୁଡାଏ ଲୋକ ସେତେବେଳେ ରୋଷେଇ କାମ କରୁଥିଲେ । ଏବେ ଏ ସହର ଅନେକ ବଦଳି ଯାଇଛି । ସରକାର ବଦଳିଛି, ପରିବେଶ ବଦଳିଛି, ଲୋକଙ୍କ ଚାହାଣି ଛଟକ ବଦଳିଛି । କୋଲକାତା ଆଉ ଦେଶର ପ୍ରମୁଖ ବ୍ୟବସାୟ ପେଣ୍ଠ ହୋଇ ରହିନାହିଁ । କିନ୍ତୁ ଗୋଟିଏ କଥା କୋଲକାତାରେ ବଦଳିନି, ତାହା ହେଲା ଏମାନଙ୍କ ସଂସ୍କୃତି ।
ତନ୍ମୟ ଭାବିଲା, ଆଉ ଅପେକ୍ଷା କରିବନି । ଫେରିଯିବ ତା ଗେଷ୍ଟ ହାଉସ୍କୁ । ପାରୋମିତାର ବୋଧେ କିଛି ଅସୁବିଧା ହେଲା । ସେ ନ ଆସିବାର ଅନେକ କାରଣ ତନ୍ମୟ ବାହାର କଲା ମନେମନେ । ତାକୁ ଜର ହୋଇଥାଇ ପାରେ । କିମ୍ବା ତା ସ୍ୱାମୀ ପାଖରେ କଥାଟା ଧରା ପଡିଯାଇଥାଇ ପାରେ । କିମ୍ବା ତନ୍ମୟ ପରି ଅନ୍ୟ ରାଜ୍ୟର ଜଣେ ଅଚିହ୍ନା ପିଲାକୁ ଦେଖା କରିବାକୁ ପାରୋମିତା ସାହସ କୁଳେଇ ପାରୁ ନଥାଇପାରେ । କିମ୍ବା ହୁଏତ, ପାରୋମିତା ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟ ହୋଇଥାଇ ପାରେ । କ’ଣ ହୋଇଥାଇ ପାରେ କାରଣ ?
ତନ୍ମୟ ଟ୍ରାମ୍ରେ ବସିଲା । ଏଇ ଗାଡିଟା ତାକୁ ଖୁବ୍ ଭଲ ଲାଗେ କୋଲକାତାରେ । ମଝିରେ ଏଟାକୁ ବନ୍ଦ କରିବାକୁ କାଳେ ଗୁଡାଏ ଲୋକ ପ୍ରସ୍ତାବ ଦେଉଥିଲେ । କିନ୍ତୁ କୋଲକାତା ବାସୀ ଏହାକୁ ଦୃଢ ବିରୋଧ କରିଥିଲେ । କହିଥିଲେ, କୋଲକାତା ଓ ଅନ୍ୟ ସହର ଭିତରେ ତ ଏଇ ଗୋଟିଏ ତଫାତ୍ । ଟ୍ରାମ୍ ।
ଟ୍ରାମ୍ ଝରକାରୁ ଅପରାହ୍ଣର କୋଲକାତା ସହର ଦିଶୁଥିଲା ଏକ ଚଳଚଂଚଳ ମେଳା ପଡିଆ ପରି । ଗାଁ ମୁଣ୍ଡରେ ବର ପହଂଚିବା ଖବର ପାଇଗଲା ପରେ ଯେମିତି ଦିଶେ କନ୍ୟାଘର । ସଂଧ୍ୟା ଓ ରାତି ଆସିବା ଆଗରୁ ବ୍ୟସ୍ତ କୋଲକାତା ନିଜକୁ ପ୍ରସ୍ତୁତ କରୁଥିଲା । ତନ୍ମୟକୁ ଖୁବ୍ ବ୍ୟସ୍ତ ଲାଗୁଥିଲା । ପାରୋମିତା ତାକୁ କ’ଣ ଧୋକ୍କା ଦେଲା ? ଏଇ ଧୋକ୍କା ଶବ୍ଦଟିକୁ ତନ୍ମୟ ସହଜରେ ଗ୍ରହଣ କରିପାରେନି । କେହି କାହାକୁ ଠକିବା ଓ କେହି କାହାଦ୍ୱାରା ଠକି ହେବା ଏ ଦୁନିଆର ଗୋଟେ ଚିରନ୍ତନ ପ୍ରକ୍ରିୟା । ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଲା, ଅନ୍ୟକୁ ଠକୁଥିବା ଲୋକଟି ମଧ୍ୟ ଆଉ କାହାଠାରୁ ଠକି ହେଉଥିବ । ତନ୍ମୟ ଠିକ୍ କଲା ସେ ଆଉ ପାରୋମିତା କଥା ଭାବିବନି । କାଲି ଗାର୍ଡେନ୍ ରିଚ୍ରେ ତା’ର ଅଫିସ୍ କାମ ସାରିବ । ତା ପରଦିନ ଆଉ ଗୋଟିଏ ଦିନ ତା ହାତରେ ଥିଲା । ସେଦିନ ଟିକେ ୟାଡେ ସ୍ୟାଡେ ବୁଲାବୁଲି କରିବା ପରେ ସଂଧ୍ୟାରେ ଟ୍ରେନ୍ ଧରିବ ଭୁବନେଶ୍ୱର । ସେ ତା ହ୍ୱାଟ୍ସ ଆପ୍ରୁ ପାରୋମିତାର ଆଇଡି ଡିଲିଟ୍ କରିଦେଲା । ଫେସ୍ବୁକ୍ ଆକାଉଣ୍ଟକୁ ଡିଆକ୍ଟିଭ୍ କରି ରଖିଲା । ଧୀରେ ଧୀରେ ପାରୋମିତା ସହ ତା’ର ଭର୍ଚୁଆଲ୍ ରିଲେସନ୍ ସବୁ ବ୍ଲକ୍ ହେଇ ଯାଉଥିଲା । ଅଢେଇ ବର୍ଷ ଧରି ଦୁହିଁଙ୍କ ଭିତରେ ଚାଲିଥିବା ଭର୍ଚୁଆଲ୍ ରିଲେସନ୍ ଆଜି ବାସ୍ତବ ରୂପ ନେବାକୁ ଯାଉଥିଲା । କିନ୍ତୁ ହେଲାନି । ନହେଉ ।
ରୁମ୍ରେ ପହଂଚି ତନ୍ମୟ ଗୋଟେ ଚା ମଗେଇଲା । ଚା ପିଉ ପିଉ ଡ୍ରେସ୍ ବଦଳେଇଲା ଓ ସଂଧ୍ୟାର କାଗଜ ପଢିଲା । ବାଥ୍ ରୁମ୍ ଯାଇ ଫ୍ରେସ୍ ହେଲା ଓ ଘର ଭିତରେ ରୁମ୍ ଫ୍ରେସନର୍ ଉଡେଇଲା । ଏବଂ ଟିଭି ଖୋଲି ବସିପଡିଲା । ତନ୍ମୟ ଅଳ୍ପ ଅଳ୍ପ ବଙ୍ଗଳା ବୁଝେ । ତେଣୁ ସେ ଗୁଡାଏ ନ୍ୟୁଜ୍ ଚାନେଲ୍ ଦେଖିଲା ଏବଂ ମହାନଗରୀର ଖବର ଜାଣିବାକୁ ଚେଷ୍ଟା କଲା । କେତେ କେତେ ଖବର, ପଶ୍ଚିମବଙ୍ଗ ରାଜନୀତି, ବଙ୍ଗଳା ସଂସ୍କୃତି, ସିଟି ଲାଇଫ୍, କ୍ରାଇମ୍ ଫାଇଲ୍ । ସହରରେ ଏବେ ସାଇବର କ୍ରାଇମ୍ ବଢି ଯାଇଛି । ଫେସ୍ବୁକ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ଏକ ବଡ ଗ୍ରୁପ୍କୁ ପୋଲିସ୍ ଧରିଛି । ଅଧିକାଂଶ ବଙ୍ଗଳା ଚ୍ୟାନେଲ୍ରେ ଏ ଖବରଟି ବଡ ହୋଇ ପ୍ରସାରଣ ହେଉଛି ।
ତନ୍ମୟକୁ ଏ ଖବରଟି ଆଚ୍ଛନ୍ନ କରି ରଖିଲା । ମନେ ମନେ ଭାବିଲା, ପାରୋମିତା ଆଉ ସେଇ ଗ୍ରୁପ୍ର ଜଣେ ସଦସ୍ୟ ନୁହେଁ ତ ? ସେ ଆଉ ତାକୁ ଠକି ନଥାନ୍ତା ତ ? କିଏ ଜାଣେ ? ନିଜକୁ ଖୁବ୍ ବୋକା ବୋଲି ମନେକଲା ତନ୍ମୟ । ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ରେ ଗୋଟେ ମହିଳାର ପରିଚୟକୁ ବିଶ୍ୱାସ କରି ଏତେବାଟ ଆସିଗଲା ସେ ? ଥରେ ଦୁଇଥର ଫୋନ୍ରେ ବି ସେ ପାରୋମିତା ସହ କଥା ହୋଇଛି ସତ, କିନ୍ତୁ ସେ ଯେ ବିଶ୍ୱାସ କଲାପରି ଜଣେ ମହିଳା, ଏହାକୁ କେମିତି ଯୁକ୍ତିଯୁକ୍ତ ବୋଲି କହିହେବ ? ହୁଏତ ଏହା ପାରୋମିତାର ଗୋଟେ ଚାଲ୍ ହୋଇଥାଇ ପାରେ । ତନ୍ମୟର ଦେହ ଶୀତେଇ ଉଠିଲା । ଖୁବ୍ ଭଲ ହେଲା ପାରୋମିତା ତା’ର ଦେଖା ହେଲାନି । ଯଦି ସେଇ ଜାଗାରେ ଦୁଇ ଚାରିଜଣ ଲୋକ ଆସି ତାକୁ ଅପହରଣ କରି ନେଇଥାନ୍ତେ, ତେବେ କିଏ ରକ୍ଷା କରିଥାନ୍ତା ତାକୁ ? ଏମିତି ବି ହୋଇ ପାରିଥାନ୍ତା, ପାରୋମିତା ନିଜେ ଆସି ତାକୁ ହଠାତ୍ ଚାର୍ଜ କରିଥାନ୍ତା ଓ ବଡପାଟିରେ କହିଥାନ୍ତା, ଇଏ ମୋ ଇଜ୍ଜତ ଲୁଟିବାକୁ ଉଦ୍ୟମ କରୁଛି ବୋଲି !! ତେବେ କିଏ ରକ୍ଷା କରିଥାନ୍ତା ତନ୍ମୟକୁ ।
ସେ ଖୁବ୍ ଡରି ଯାଇଥିଲା । ଟିଭି ବନ୍ଦ କରି ସେ ଅନେକ ସମୟ ଧରି ପାରୋମିତା ସହ ସଂପର୍କ ବିଷୟରେ ଭାବୁଥିଲା । ଏମିତି ଭାବୁ ଭାବୁ ସେ ଶୋଇ ପଡିଥିଲା ନିଘୋଡ ନିଦରେ । ରାତିର ଡିନର ସେମିତି ଅଖିଆ ରହିଥିଲା ଥାଳିରେ । ତାକୁ ଆଚ୍ଛନ୍ନ କରି ରଖିଥିଲା ପାରୋମିତାର ଭୟ ।
ତନ୍ମୟର ନିଦ ଭାଙ୍ଗିଲା କଲିଂ ବେଲ୍ର ଶବ୍ଦରେ । ସେ ଧଡପଡ ହୋଇ ଉଠିଲା ଓ ତରତର ହୋଇ ବାଥ୍ରୁମ ଭିତରକୁ ଯାଇ ମୁହଁ ଧୋଇଲା ଓ ସାର୍ଟ ଗୋଟେ ଦେହରେ ଗଳେଇ କବାଟ ଖୋଲିଲା । ସାମ୍ନାରେ ଠିଆ ହୋଇଥିବା ଦୁଇଜଣଙ୍କୁ ତନ୍ମୟ ଚିହ୍ନି ପାରିଲାନି । ଏମାନେ କିଏ ? ଜଣେ ବୟସ୍କ ଓ ଆର ଜଣକ ବାଳକ ।
“କାହାକୁ ଖୋଜୁଥିଲେ ?’ ଆଖି ମଳି ମଳି ପଚାରିଲା ତନ୍ମୟ ।
“ଆପନାର୍ ଜନ୍ନ ତନ୍ମୋୟ ?’ ବୟସ୍କ ଲୋକଟି ପଚାରିଲା ।
ତନ୍ମୟ ଭୁଲି ଯାଇଥିଲା ଯେ ସେ କୋଲକାତାରେ ଅଛି । ତେଣୁ ସେ ଓଡିଆରେ ପଚାରି ଦେଲା ।
“ହାଁ ମେଁ ତନ୍ମୟ ହୁଁ । ଆପ୍ ଲୋଗୋକୋ ପେହେଚାନା ନେହିଁ !!’
“ଆପ୍ ହମ୍ ଲୋଗୋକୋ ପେହେଚାନ୍ ନେହିଁ ପାଏଙ୍ଗେ । ଡୁ ୟୁ ନୋ ପାରୋମିତା ? ପାରୋମିତା ରୟ ? ଇଓର୍ ଫେସ୍ବୁକ୍ ଫ୍ରେଣ୍ଡ ?’
ପାରୋମିତା ନାଁ ଶୁଣି ତନ୍ମୟ ଚମକି ପଡିଲା । ସେମାନଙ୍କୁ ଘର ଭିତରକୁ ଡାକି ବସେଇଲା । ଉକ୍ରଣ୍ଠାର ସହ ପଚାରିଲା- କ୍ୟା ହୁଆ ଉନ୍କୋ ? ଏନି ପ୍ରବ୍ଲେମ୍ ? ହାଓ ୟୁ ପିପୁଲ୍ ଆର୍ ରିଲେଟେଡ୍ ଟୁ ହର୍ ?
ବୟସ୍କ ବ୍ୟକ୍ତି ଖୁବ୍ ଚିନ୍ତିତ ଜଣା ପଡୁଥାନ୍ତି । ପିଲାଟି ଖୁବ୍ ଅବୁଝା । ବାହାରେ କୋଲକାତା ମହାନଗରୀରେ ଧୀରେ ଧୀରେ ବୟସ୍କ ହେଉଥାଏ ସକାଳ । ଏମାନେ କ’ଣ ପାରୋମିତାର ପରିଚିତ ? ଇଏ ତା ସ୍ୱାମୀ ନୁହଁନ୍ତି ତ ? ଶେର୍ ? ତନ୍ମୟର ଡର ଆରମ୍ଭ ହେଲା । ଏ ପିଲାଟି ନିଶ୍ଚିତ ପାରୋମିତାର ପୁଅ । ସେ ନିଜ ପରିବାରର ଯାହା କିଛି ବର୍ଣ୍ଣନା ଦେଇଥିଲା, ପ୍ରାୟ ପ୍ରାୟ ଏମାନେ ତା ସହ ମେଳ ଖାଉଛନ୍ତି । ଖୁବ୍ ବିଷମ ସମସ୍ୟାରେ ଗୋଳେଇ ହେଲା ତନ୍ମୟ ।
“ମୈ ପାରୋମିତା କୀ ହଜ୍ବ୍ୟାଣ୍ଡ । ୟେ ହମାରି ବେଟା ।’
ଓହୋ । କଥାଟା ତେବେ ସତ । ଏବେ କ’ଣ କରିବ ତନ୍ମୟ ? କଥା ତ ଏମିତି ନଥିଲା ? ତା ବଦଳରେ ସ୍ୱାମୀ ଓ ପିଲା ଆସିବେ ବୋଲି ତ ପାରୋମିତା କହି ନଥିଲା ? ଇଏ ପୁଣି କି ଫିକର ଯେ ? ମଲା ମଣିଷ । ପାରୋମିତାର ସ୍ୱାମୀ କ’ଣ ଜାଣେ ତନ୍ମୟ ସହ ପାରୋମିତାର କେମିତି ସଂପର୍କ ? ଇଏ କ’ଣ ତନ୍ମୟକୁ ଧମକ ଦେବାକୁ ଆସିଛି ଯେ, ଦୟାକରି ତୁ ମୋ ସ୍ତ୍ରୀଠାରୁ ଦୂରେଇ ଯା, ନହେଲେ ତା’ର ପରିଣାମ ଭୋଗିବୁ ? ଲୋକଟି କ’ଣ ଜାଣେ ଯେ, ତନ୍ମୟ ତା ସ୍ତ୍ରୀକୁ କେତେଥର “ଆଇ ଲଭ୍ ୟୁ, କିସ୍ ୟୁ, ହଗ୍ ୟୁ’ ବୋଲି କହିଛି ଫେସ୍ବୁକ୍ ମେସେଜ୍ରେ ? ଜାଣିଛି କି ତନ୍ମୟ ଓ ପାରୋମିତା ପରସ୍ପର ଭିତରେ ଦୁଇ ତିନିଥର ଅଶ୍ଳୀଳ ଫଟୋ ଦିଆନିଆ ହୋଇଛନ୍ତି ବୋଲି ? କଳ୍ପନାରେ ପରସ୍ପର ପରସ୍ପର ସହ ଅନେକଥର ରମଣ କରିଛନ୍ତି ? ଜାଣିଥିଲେ ସାଂଘାତିକ ।
“ପାରୋମିତା ମେରେ ଆଚ୍ଛି ଦୋସ୍ତ ହେ । ଆଇ ରେସ୍ପେକ୍ଟ ହର ଫିଲିଙ୍ଗ୍ସ । ଓ ଆପ୍ ଲୋଗୋ କୋ ବାରେ ମୈ ଭି ବହୁତ୍ ବାର୍ ମୁଝେ ବୋଲେ ଥେ । ବେଟେ କେ ବାରେ ମୈ ଭି । ସି ୟୁଜୁଆଲି ଟେଲ୍ସ ସି ଗଟ୍ ଏ ଗୁଡ୍ ଫ୍ୟାମିଲି ।’
ତନ୍ମୟ ଅଳ୍ପ ମିଛ କହିଲା, ପାରୋମିତା ବିଷୟରେ, ତା ସ୍ୱାମୀକି ଡରିକି । ପ୍ୟାଚ୍ ପକେଇବାକୁ । କଥା ଥିଲା, ପାରୋମିତା ଆସିବ ତନ୍ମୟର ରୁମ୍କୁ । ପ୍ରଥମ ଦିନ ସେମାନେ କେବଳ ଭେଟିବେ ପରସ୍ପରକୁ । ନିଜ ଭିତରେ ବିଶ୍ୱାସ ଜନ୍ମେଇବା ପାଇଁ । ଦ୍ୱିତୀୟ ଦିନ ପାରୋମିତା ଆସିବ ତନ୍ମୟ ସହ ତା ରୁମ୍କୁ । ଦୁହେଁ ପରସ୍ପରକୁ ଆଲିଙ୍ଗନ କରି କିଛି ସମୟ ବିତେଇବେ ଓ ଅଧିକ କିଛି ଇଚ୍ଛା ହେଲେ କରିବେ । କିନ୍ତୁ ଏ ସବୁ କଥା ଯଦି ସ୍ୱାମୀ ଶେର୍ ଜୀ ଜାଣିଥିବେ ତେବେ ସାଂଘାତିକ କଥା ।
ପାରୋମିତାର ସ୍ୱାମୀ ଗୁମ୍ ହୋଇ ବସିଥିଲେ । ପିଲାଟା ଟିଭିରେ କାର୍ଟୁନ୍ ଦେଖୁଥିଲା ।
“ବଟ୍ ହୋୟାର୍ ଇଜ୍ ପାରୋମିତା ? କୁଛ୍ ପ୍ରବ୍ଲେମ୍ ହୁଆ କ୍ୟା ? ଇସ୍ ମେଁ ଫିକର୍ କର୍ନେ କି କୋଇ ବାତ୍ ନେହି ସାହେବ୍ ଜୀ । ମୁଝେ ବୁଲା ଲେତେ ଘର୍ । ଆପ୍ ଲୋଗ୍ କ୍ୟୁଁ ଆନେ କି କଷ୍ଟ କି ?’
ତନ୍ମୟ ପାରୋମିତାର ସ୍ୱାମୀକୁ ଚା ମଗେଇ ପିଇବାକୁ ଦେଲା । ପିଲା ପାଇଁ ଚକୋଲେଟ୍ ମଗେଇଲା । ନିଜେ ସାର୍ଟ ପ୍ୟାଣ୍ଟ ପିନ୍ଧିଲା । କିନ୍ତୁ ପାରୋମିତାର ସ୍ୱାମୀ ସେମିତି ଗୁମ୍ ହୋଇ ବସିଥିଲେ ପ୍ରାୟ ଅଧ ଘଣ୍ଟା ଧରି । ତାଙ୍କର ଗୁମ୍ ହେବାର ସମୟ ଯେତେ ବଢୁଥିଲା, ତନ୍ମୟର ଭୟ ସେତେ ବଢୁଥିଲା । ଆତଙ୍କିତ ଭାବେ ସେ କେବଳ ୟାଡୁ ସ୍ୟାଡୁ ଗପୁଥିଲା । ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲା ଯେ, ପାରୋମିତା ଓ ସେ ମିଶିକି କିଛି ଅପରାଧ କରିନାହାଁନ୍ତି । ଏହା ହୋଇଥାନ୍ତା ସେମାନଙ୍କ ଜୀବନର ପ୍ରଥମ ସଶରୀରେ ସାକ୍ଷାତ ।
“ସି ଇଜ୍ ନୋ ମୋର୍ ତନ୍ମୟ ବାବୁ । ସି ହାଜ୍ କମିଟେଡ୍ ସୁଇସାଇଡ୍ ୟେଷ୍ଟର ଡେ ।’
ଭଦ୍ର ଲୋକ ଭୋ ଭୋ ହୋଇ କାନ୍ଦି ଉଠିଲେ । ତନ୍ମୟ ହଠାତ୍ କିଛି ବୁଝି ପାରିଲାନି । ସେ ଭଦ୍ରଲୋକଙ୍କ ପାଖକୁ ଦଉଡି ଆସିଲା ଗୋଟିଏ ଖେପାରେ ।
“ହୁ ଇଜ୍ ନୋ ମୋର୍ ସାର୍ ? ପାରୋମିତା ? ହ୍ୱାଟ୍ ହାପେନ୍ ଟୁ ହର୍ ? ହ୍ୱାଏ ସି କମିଟ୍ ସୁଇସାଇଡ୍ ?’
ତନ୍ମୟ ହତବାକ୍ ହେବା ଆରମ୍ଭ କରିଥିଲା ।
“ବଟ୍ ସି ହାଜ୍ କମିଟେଡ୍ ଟୁ ମିଟ୍ ମି ସାର୍ !! ହାଓ କମ୍ ଇଟ୍ ପଶିବଲ୍ ? କ୍ୟା ହୁଆ ଥା ଉନ୍କୋ ?’
ତନ୍ମୟର କୌଣସି ପ୍ରଶ୍ନର ଉତ୍ତର ଦେବା ଅବସ୍ଥାରେ ଭଦ୍ରଲୋକ ନଥିଲେ । ପିଲାଟିଏ ପରି ସେ ଭୋ ଭୋ ହୋଇ କାନ୍ଦୁଥିଲେ । ଛୋଟ ପିଲାଟି ହୁଏତ କିଛି ବୁଝି ପାରୁ ନଥିଲା । କିମ୍ବା ସେ ହୁଏତ ତା ମାଆ ସୁଇସାଇଡ୍ କରିବାର ଖବର ପାଇ ନଥିଲା । ସେ ଚକୋଲେଟ୍ ଖାଇ କାର୍ଟୁନ୍ ଦେଖୁଥିଲା ।
ତନ୍ମୟକୁ ଚାରିଦିଗ ଅନ୍ଧାର ଦିଶୁଥିଲା । ସେ କୋଠରିର ଏପାଖରୁ ସେପାଖ ଏପଟ ସେପଟ ହେଉଥିଲା ଓ ଭଦ୍ରଲୋକଙ୍କୁ ତୁନି କରିବାକୁ ଚେଷ୍ଟା କରୁଥିଲା । କ’ଣ ହେଲା ପାରୋମିତାର ? କାହିଁକି ସେ ଏମିତି କଲା ? ସ୍ୱାମୀ ତାକୁ ବେଶି ନିର୍ଯାତନା ଦେଲା କି ? ପିଲାଟା ମୁହଁକୁ ତ ଅନେଇବାର ଥିଲା ନା ।
କାନ୍ଦୁ କାନ୍ଦୁ ଭଦ୍ରଲୋକ ଧୀର କଣ୍ଠରେ କହିଲେ- ସାୟଦ୍ ମେରେ କାରଣ ସି ହାଜ୍ କମିଟେଡ୍ ସୁଇସାଇଡ୍ । ଓ ଏକ୍ ଖୋଲି ଜିନେ୍ଦଗୀ ଚାହାତି ଥି । ମେଁ ହିଁ ଉନ୍କୋ ବନ୍ଦୀ ବନାକେ ରଖା ଥା ।
ତନ୍ମୟ ହତବାକ ହୋଇ ବସିଥିଲା ଖଟ ଉପରେ । ଚେଷ୍ଟା କରୁଥିଲା ପାରୋମିତାକୁ ବୁଝିବାକୁ । ଚେଷ୍ଟା କରୁଥିଲା ତା ସ୍ୱାମୀଙ୍କୁ ବୁଝେଇବାକୁ, ପରସ୍ପରକୁ ବାନ୍ଧି ରଖିଲେ ସଂସାର ସୁଖରେ ଚାଲେନି ସାର୍, ପରସ୍ପରକୁ ପ୍ରଚଣ୍ଡ ସ୍ୱାଧିନତା ଦେଲେ ହିଁ ସଂସାର ଆପେ ଚାଲେ ଖୁସି ଖୁସି ।
ଶ୍ମଶାନ ଘାଟରେ ହୁ ହୁ ହୋଇ ଜଳୁଥିଲା ପାରୋମିତାର ଜୁଇ । ତନ୍ମୟ ଧୀରେ କରି ତା ବ୍ୟାଗ୍ରୁ ବାହାର କଲା ଚାରି ତଉତା ହୋଇ ଚିକ୍ ଚିକ୍ ଜରି କାଗଜରେ ଗୁଡା ହୋଇଥିଲା ଏକ ସୁନ୍ଦର ଗିଫ୍ଟ । ଯାହା ଉପରେ ସେ ଶ୍ରଦ୍ଧାରେ ନିଜେ ଲେଖିଥିଲା- ଟୁ ପାରୋମିତା ୱିଥ୍ ଲଭ୍ ଫ୍ରମ୍ ତନ୍ମୟ । ତାହା ଥିଲା ଏକ ଇଂଲିଶ୍ ଟୁ ଓଡିଆ ଟୁ ବେଙ୍ଗଲି ଶିକ୍ଷା ବହି । ଓଡିଆ ଶିଖିବାକୁ ଆଗ୍ରହୀ ଥିବା ପାରୋମିତା ପାଇଁ ଏହା ଥିଲା ତନ୍ମୟର ଉପହାର । ସବୁବେଳେ ସେ ଖଣ୍ଡି ଓଡିଆରେ ତନ୍ମୟକୁ ମେସେଜ୍ ଦେଉଥିଲା ଓ କହୁଥିଲା ତାକୁ ଓଡିଆ ଶିଖେଇବାକୁ । ଓଡିଆ ଶିଖିଲେ ସେ ତନ୍ମୟକୁ ଭଲ କରି ପ୍ରେମ କରିପାରିଥାନ୍ତା । କିନ୍ତୁ ସବୁକିଛି ରହିଗଲା ଅଧାରେ ।
ତନ୍ମୟ ସେ ଜରିମଡା ବହିଟିକୁ ଧୀରେ କରି ପକେଇ ଦେଲା ହୁ ହୁ ଜଳୁଥିବା ପାରୋମିତାର ଜୁଇରେ । ତା ଆଖିରୁ ଦୁଇ ଟୋପା ଲୁହ ଝରି ପଡିଲା ତା ଗାଲରେ ।
ସେ ଗୁଣୁଗୁଣୁ ହେଇ କହିଲା- ଆମି ତୁମାକେ ଭାଲୋବାସୀ ପାରୋମିତା ।