ପାହାନ୍ତା ପହର ଡାକରା
ସକାଳ ନହେଉଣୁ ଗାଁର ସେଇ ମୁଣ୍ଡରୁ ଗୋଟିଏ ସ୍ତ୍ରୀଲୋକର ବିକଳ କ୍ରନ୍ଦନ ଆଉ ବିଳାପ ଶୁଭୁଥିଲା-ପ୍ରାୟ ପ୍ରତିଦିନ । ସେ ବିଳାପର ଭାଷା ମୋ ପିଲାକାନକୁ ଥିଲା ସଂପୂର୍ଣ୍ଣ ଦୁର୍ବୋଧ୍ୟ । ମୋ ନିଦ ଭାଙ୍ଗୁଥିଲା ଠିକ୍ ସେତିକିବେଳେ ଯେତେବେଳେ ବିଳାପ ପାଲଟୁଥିଲା ଆର୍ତ୍ତନାଦକୁ ଆଉ ତା ସହିତ ମିଶୁଥିଲା ଏକ ପୁରୁଷକଣ୍ଠର ଚିତ୍କାର- “ଚୁପ୍!ଚୁପ୍ ହ କହୁଛି! ପାଟି ବନ୍ଦ କରିବୁନା ଦେଖିବୁ ଅଇଛା!”
ପାହାନ୍ତା ପହରର ଘମାଘୋଟ ନିଦ ମୋର ସେଇ ରଡ଼ିରେ ଭାଙ୍ଗିଯାଏ । ପ୍ରଥମେ ପ୍ରଥମେ ଚମକି ପଡ଼ି ଉଠି ବସିପଡ଼ୁଥିଲି ଆଉ ନିଜେ ବି କାନ୍ଦି ଉଠି ମୋ ବୋଉକୁ ଡାକ ପକଉଥିଲି ଡ଼ରରେ, ସେ ଭୈରବ ରଡ଼ି ମୋ ପିଲା କାନରେ ବାଜିବା ମାତ୍ରେ । ପରେ ପରେ ସେଇଟା ଦେହସୁହା ହୋଇଗଲା । ମୋ ନିଦ ଭାଙ୍ଗିଗଲା ପରେ ମୁଁ ଆଉ ବୋଉକୁ ଡାକିଲି ନାଇଁ । ଚୁପ୍ଚାପ୍ ଶେଯରେ ପଡ଼ିରହି, ଆଖିବୁଜି, ସେଇ ବିକଳ କାନ୍ଦଣା ଆଉ ଭୀମରଡ଼ିକୁ ଶୁଣିଲି ଆଉ ସହ୍ୟକରି ଶିଖିଲି ।
ବଡ଼ ହେବା ପରେ ମୁଁ ଆଗ ଗାଁର ସେଇ ନିତ୍ୟନୈମିତିକ ‘ଉଷାବନ୍ଦନା’ର ଭାବାର୍ଥ ବୁଝିବାକୁ ସକ୍ଷମ ହେଲି । ତା’ ପୂର୍ବରୁ ବୋଉ ମତେ ସେଇ ଭାବାର୍ଥ ସଂପର୍କରେ ଅନେକବାର ସୂଚନା ଦେଇସାରିଥାଏ । କିନ୍ତୁ, ମୋ ପିଲାମନ ସେଇ ଜଟିଳ ମାନବିକ ବ୍ୟାପାରଟି ବିଷୟରେ ଆଦୌ କିଛି ଧାରଣା କରିବାକୁ ସମର୍ଥ ହୋଇପାରିନଥିଲା । ବୋଉର କଥାରୁ ମୁଁ କେବଳ ଏତିକି ବୁଝିବାକୁ ସମର୍ଥ ହେଇଥିଲି ଯେ, ପୁଅମାନେ ବଡ଼ ହୋଇ ବାହାସାହା ହେଲା ପରେ ବାପା, ମା’ଙ୍କ ଉପରେ ଗୋଟାଏ ଦଶା ପଡ଼େ । ବଡ଼ ଦୁଷ୍ଟ ଶକ୍ତି ସେ ଦଶା । ବାପା, ମା’ ଘରୁ ତଡ଼ା ଖାଆନ୍ତି । କାନ୍ଦନ୍ତି ବୋବାନ୍ତି । ଦୟା ମୂଳିଆ ମା’ ଶରଦୀ ଚାଷୁଣୀ ଉପରେ ସେଇ ଦଶା ପଡ଼ିଛି । ସେ କାନ୍ଦୁଚି ବୋବାଉଛି । ତା ପୁଅ ଦୟା ତାକୁ ଚୁପ୍ ହବାକୁ କହୁଛି । କିନ୍ତୁ, ଶରଦୀ ଚାଷୁଣୀ ବୁଢ଼ୀ ଚୁପ୍ ହେଉନାହିଁ । ସେଥିପାଇଁ ଦୟା ତାକୁ ରାଗୁଛି । ଗାଳି ଦଉଚି । ତୁ ଶୋଇପଡ଼ । ତାଙ୍କ ଘରକଥାରେ ତୁ କାଇଁକି ଡ଼ରି ଯାଉଚୁ? ଚମକି ପଡ଼ି ଉଠିବସୁଚୁ । ଯା ଶୋଇପଡ଼ ଧନ, ଶୋଇପଡ଼ ।
କିନ୍ତୁ, ମତେ ଆଉ ନିଦ ହଉନଥିଲା । ବୋଉକୁ ସେଇ ପିଲାଦିନେ ବି ପଚାରି ବୁଝିବାକୁ ଚେଷ୍ଟା କରୁଥିଲି ସେ ଦୁଷ୍ଟଦଶା ସମ୍ପର୍କରେ । ପଚାରୁଥିଲି “ମୁଁ ବଡ଼ ହୋଇ ବାହା ହେଲା ପରେ ତୁ କଣ ଏମିତି ଭୋର ପାହାନ୍ତାରେ କାନ୍ଦିବୁ?”
ବୋଉର ହସ ଏଯାଏ ବି ମନେ ପଡ଼ିଯାଏ ମୋର । ମତେ କୋଳକୁ ଜାକି ନେଇ ସେଇ ଶେଯ ଉପରେ ସେ ହସି ହସି ବେଦମ ହୋଇ ପଡ଼ୁଥିଲା । ମୋ ପିଲାଦିନର ଦୁଃଖ ଓ ବିସ୍ମୟକୁ ଖାତିର ନକରି ସେ ମତେ ଉପହାସ କରୁଥିଲା । ପଚାରୁଥିଲା, “ତୁ କ’ଣ ସଂସାରରୁ ଭିନ୍ନେ? “ ମଣିଷ ମାତ୍ରକେ ଏଇ ଦଶା ଭୋଗିବାକୁ ବାଧ୍ୟରେ ଧନମଣି । ହେଲେ ତୋ ଘର ପିଣ୍ଡାରେ ବସି କାନ୍ଦିବାକୁ ବାହୁନିବାକୁ ମୁଁ କ’ଣ ବଞ୍ଚôଥିବି କି?”
“କାଇଁ ବଞ୍ଚିବୁ ନାଇଁ” ?
“ନାଇଁରେ ବାବୁ । ମୋର କ’ଣ ସେତେ ଆୟୁଷ ଅଛି? ମୋର ସବୁତକ ଆୟୁଷ ପରା ଝାଡ଼ିଝୁଡ଼ି ଦେଇ ସାରିଚି ମୁଁ ତତେ!” ବୋଉ ହସୁଥାଏ ଆଉ ମତେ ବୁଝେଇବାକୁ ଚେଷ୍ଟା କରୁଥାଏ ଯେ ସଂସାର ବଡ଼ ଦୁଃଖମୟ । ମଣିଷ ଜୀବନ ବଡ଼ କଷ୍ଟକର ଜିନିଷ । ଏ ସଂସାରରୁ ଦୁଃଖ କଷ୍ଟ କ’ଣ କେବେ ଯିବ? ସେଥିପାଇଁ ଦୁଃଖକଷ୍ଟକୁ ବରଦାସ୍ତ କରି ଶିଖିବାଟା ହେଲା ମଣିଷ ପଣିଆ । ମଣିଷ ହ, ଢେର ଢେର ଯୁଗ ଜୀଇଁ ରହ ବାପାଟି ମୋର ।” ମୋ ମୁଣ୍ଡକୁ ଆଉଁଷି ଆଉଁଷି ପୁଣି ଶୁଏଇ ପକେଇବାକୁ ଚେଷ୍ଟାକରେ ସେ ତାପରେ । କିନ୍ତୁ, ମୋ ଆଖିକୁ ଆଉ ନିଦ ଆସେନା ।
କାଳଚକ୍ର ଗଡ଼ିଚାଲେ । ଦୟାମୁଲିଆ ଆଉ ତା ମା’ ଶରଦୀଚାଷୁଣୀଙ୍କ ପାହାନ୍ତପହର ରଡ଼ିରୋଦନ ଆଉ ଶୁଭୁନି ସେ ଗାଁରେ, ଯାହାକୁ ଅନେକ ବର୍ଷ ତଳେ ପଛରେ ଛାଡ଼ି ଆସି ମୁଁ ରହିଲିଣି ଏ ସହରରେ । ମୋ ବୋଉ ବି ସତରେ ତା ପ୍ରତିଜ୍ଞା ରକ୍ଷା କରି ବିଦାୟ ନେଇ ସାରିଥାଏ ଏ ଦୁଃଖମୟ ସଂସାରରୁ-ମୋ ବିବାହର ଢ଼େର ଢ଼େର ବର୍ଷ ପୂର୍ବରୁ । ତାର ପ୍ରଶ୍ନ- “ତୁ କ’ଣ ସଂସାରରୁ ଭିନେ?” ଏହାର ପ୍ରମାଣ ନବାକୁ ସେ ଚାହିଁଲା ବି ନାହିଁ । ଚାଲିଗଲା-ତାର ସବୁତକ ଆୟୁଷ ତା ପିଲାମାନଙ୍କ ମୁଣ୍ଡ ଉପରେ ଝାଡ଼ିଝୁଡ଼ି ଦେଇ ।
ସେଦିନୁ, ଏଇ ପ୍ରାୟ ପଚାଶ ବର୍ଷ ଭିତରେ, ରାତିର ପାହାନ୍ତା ପହର ଗୁଡ଼ାକ ମୋର ଏକ ପ୍ରକାର ସୁନିଦ୍ରାରେ ଇ କଟି ଚାଲିଥିଲା ।
କିନ୍ତୁ, ଦିନେ ହଠାତ୍ ଭୋର ଚାରିଟାରେ ଚାଉଁକିନା ନିଦ ଭାଙ୍ଗିଗଲା ମୋର । କାନରେ ବାଜିଲା-ଜଣେ ସ୍ତ୍ରୀ ଲୋକର ବିକଳ କ୍ରନ୍ଦନ ଆଉ ବିଳାପ । ଧଡ଼ପଡ଼ ହୋଇ ଉଠି ବସିଲି ଶେଯ ଉପରେ । କାନେଇ ଶୁଣିଲି-ଅବିକଳ ସେଇ ସ୍ୱର! ସତେକି ଶରଦୀ ଚାଷୁଣୀ ବୁଢ଼ୀ ଆମର ଏହି ସହରକୁ ଆସି ପୁଣି ସେଇ ବିକଳ କାନ୍ଦଣା କାନ୍ଦିଲାଣି ।
ଠିକ୍ ତା’ରି ପରେ ପରେ ଶୁଣାଗଲା ଏକ ରୁକ୍ଷ ପୁରୁଷ କଣ୍ଠସ୍ୱର, “ଚୁପ୍! ଚୁପ୍ ହ କହୁଛି! ପାଟି ବନ୍ଦ କରିବୁ ନା ଦେଖିବୁ!”
ରୁକ୍ଷସ୍ୱରଟା ମଧ୍ୟ ଅବିକଳ ସେଇ ପିଲାଦିନର ପରିଚିତ କଣ୍ଠର । ରୁମ ଟାଙ୍କୁରି ଉଠିଲା ଦିହ ତମାମ-ଏ କ’ଣ ଦୟା ମୂଳିଆର ଭୂତର ଡାକ? ମା’, ପୁଅ ଦୁହେଁ ତ ମଲେଣି କୋଉ କାଳୁ! କ’ଣ ଭୁତ ପାଲଟି, ଗାଁ ଶ୍ମଶାନରୁ ଚାଲିଆସିଛନ୍ତି ସେ ଦୁହେଁ ସହରକୁ, ଏଠିକି, ଆମ ଘରପାଖ ଅନ୍ୟ ଗୋଟାଏ ଘରକୁ ।
ଭଲକରି କାନ ଡ଼େରିଲା ପରେ ଶବ୍ଦର ଉତ୍ସକୁ ଧରିହେଲା । ଶବ୍ଦଗୁଡ଼ାକ ଶୁଭୁଥାଏ-ଅନ୍ୟ କେଉଁଠୁ ନୁହେଁ; ଆମରି ଛ’ ତାଲା ଫ୍ଲାଟ୍ର କୋଉ ଗୋଟିଏ ଫ୍ଲାଟ୍ ଭିତରୁ । ପୁରୁଷ କଣ୍ଠର ସ୍ୱରଟାକୁ ମଧ୍ୟ ଚିହ୍ନି ହେଲା । ଆରେ! ଏ ତ ଜୀମୂତ ବାବୁଙ୍କ ସ୍ୱର! କାହାକୁ ଗାଳି ଦଉଚନ୍ତି ଜୀମୂତ ତ୍ରିପାଠୀ ଏ ଭୋର ପାହାନ୍ତାଟାରେ? କିଏ କାନ୍ଦୁଚି? ଜୀମୂତଙ୍କ ମା’ ବୁଢ଼ୀ?
ନିଦ ଭାଙ୍ଗିସାରିଥାଏ । ଶୋଇପଡ଼ିବାର ସମ୍ଭାବନା ତ ନଥାଏ । ଖଟରୁ ଓହ୍ଲେଇ ଘରକାବଟ ଖୋଲିଲି ଆସ୍ତେ କରି । ସ୍ତ୍ରୀ ପିଲାଙ୍କ ନିଦ ନଭାଙ୍ଗୁ, ଏଥିପାଇଁ ଖୁବ୍ ଧୀରେ ଲୁଗା ବଦଳାଇ, ଚଟି ପିନ୍ଧି ଆସ୍ତେ ଆସ୍ତେ ବାହାରିଗଲି ମୁଁ ଆମ ଫ୍ଲାଟ୍ରୁ । ଷ୍ଟେୟାର କେଶ୍ ଲ୍ୟାଣ୍ଡିଂରେ ଠିଆ ହେଲି । କାନେଇଲି । ସେତେବେଳକୁ ସେ ସ୍ୱରସବୁ ଚୁପ୍ ପଡ଼ିଯାଇଥାଏ । କିନ୍ତୁ, ଜୀମୂତ ତ୍ରିପାଠୀ ତଳ ମହଲା ପ୍ଲାଟ୍ ପାଖରେ କାହାର କଥାବାର୍ତ୍ତା ବେଶ୍ ଶୁଣାଯାଉଥାଏ ।
ଆସ୍ତେ ଆସ୍ତେ ସିଢ଼ିର ପାହାଚ ଦେଇ ଗ୍ରାଉଣ୍ଡ ଫ୍ଲୋରରେ ପହଞ୍ଚି ଦେଖିଲି-ଜୀମୂତ ତ୍ରିପାଠୀ ଠିଆ ହୋଇଛନ୍ତି ତାଙ୍କ ଫ୍ଲାଟ୍ର ଦାଣ୍ଡ କବାଟ ଆଗରେ । ସ୍ତ୍ରୀଲୋକଟିଏ ଜାକିଜୁକି ହୋଇ ବସିଛି ବାରଣ୍ଡା କଣରେ । କେତେଜଣ ପଡ଼ିଶାଘର ଭଦ୍ରଲୋକ ଆଉ ଭଦ୍ରମହିଳା ମଧ୍ୟ ଜମିଥାନ୍ତି ସେ ଦୃଶ୍ୟରଚନାର ଅଂଶୀଦାର ଭାବେ । ସମସ୍ତଙ୍କର ବେଶଭୂଷା କେଶବାସ ବିପର୍ଯ୍ୟସ୍ତ, ସଦ୍ୟଉଠି ପଡ଼ିଥାନ୍ତି ନିଶ୍ଚେ ଗଭୀର ନିଦରୁ ମୋରି ଭଳି-ସେଇ ଧର୍ମଛଡ଼ା ଆର୍ତ୍ତଚିତ୍କାର ର ଜ୍ୱାଳାର ଅସ୍ଥିରତାରେ ।
ମତେ ଦେଖି ଜୀମୂତ ବାବୁ ପୁଣିଥରେ ସଫେଇ ଆରମ୍ଭ କଲେ ନିଜ ଆଡ଼ୁ, “ଗାଉଁଲି ଲୋକ ତ! ବୁଝିପାରୁନାହିଁ ଜମାରୁ । ପାଟିକରି ଚିଲୋଉଛି କେମିତି ଶୁଣୁଚନ୍ତି ତ? ମୁଁ ତାକୁ ଯେତେ ବୁଝାଉଛି-ରୋଗଟା ଆଉ ଭଲ ହେବ ନାହିଁ, ଖାଲି ଶେଯରେ ପଡ଼ି ପଡ଼ି ସହିନେବା ଛଡ଼ା ଅନ୍ୟ ଉପାୟ ନାହିଁ-କିଛି ବୁଝୁନାଇଁ । କାନ୍ଦୁଚି, ବୋବାଉଛି । ବୃଥାଟାରେ ବୋହୁକୁ ତାର ଗାଳି କରୁଚି । ଅଭିଯୋଗ କରୁଚି । ଆମକୁ ଅଭିଶାପ ଦଉଚି-କୁଳବୁଡ଼ିଯାଉ ବୋଲି । ଏମିତି ଲୋକକୁ ଘରେ ରଖିବ କିଏ କହନ୍ତୁ-ମା’ ହେଲେ ବି!”
“ଏ ଆପଣଙ୍କ ମା’ ? କ’ଣ ହେଇଚି ୟାଙ୍କର? କି ରୋଗ?” ଛାତି ଥରି ଗଲା-ପଚାଶ ବର୍ଷ ତଳେ ଯୋଉ ଶବ୍ଦ ସବୁ ଏ ଯାବତ୍ ଡୁବି ଯାଇଥିଲେ ସ୍ମୃତିର ଅତଳଗର୍ଭକୁ ସେଇ ଶବ୍ଦମାନ ପୁଣି ଭୁଟୁ ଭୁଟୁ ହେଇ ପଙ୍କତଳୁ ପଦାକୁ ବାହାରି ଆସୁଥାନ୍ତି । ଶୁଭିଗଲା ବୋଉର ସ୍ୱର-
“ତୁ କ’ଣ ସଂସାରରୁ ଭିନେ?…. ସଂସାର ବଡ଼ ଦୁଃଖମୟ! ମଣିଷ ଜୀବନ ବଡ଼ କଷ୍ଟକର । ଏ ସଂସାରରୁ ଦୁଃଖକଷ୍ଟ କ’ଣ କେବେ ଯିବ?”
ମୋ ପ୍ରଶ୍ନର ଉତ୍ତର ଜୀମୂତ ତ୍ରୀପାଠଙ୍କ ବଦଳରେ ଶୁଣାଗଲା ସେଇ ଶୀର୍ଣ୍ଣକାୟା ରୁଗ୍ଣା ସ୍ତ୍ରୀ ଲୋକଟି ମୁହଁରୁ ।
“ହଁରେ ବାପ! ମୁଁ ୟାର ମା! ଦଶମାସ ଗର୍ଭରେ ଧରିଥିଲି । କୋଡ଼ର କାଖରକରି ମଣିଷ କରିଥିଲି । କେଡ଼େ ଭଲ ଥିଲା ମୋ ସୁନା ଧନ । କେବେ ତା ପାଟିରୁ ମାଛିକୁ ବି ମ’ କହିବା ଶୁଣିନଥିଲି । ଏବେ କିଏ ତା ତୁଣ୍ଡରେ ଏ ଅଧର୍ମ ବାକ୍ୟ ପୂରେଇଲା ବାପରେ-ମତେ ଯାଉଁଣୁ ଆସୁଣୁ ପୁଅବୋହୂ ପଚାରୁଛନ୍ତି, ‘କହ, ସତ କହ, କେବେ ମରିବୁ ତୁ’? ବାପରେ ମତେ ଦୂରାରୋଗ୍ୟ ବ୍ୟାଧିଘୋଟି ସାରିଚି । ମୁଁ ତ ଗୋଡ଼ଟେକି ବସିଛି । ମତେ କ’ଣ ମରଣ ଡ଼ର ବାଧୁଛି କି ବାପ ମାନେ? ଏଇ କ୍ଷିଣା ହେଲେ ଏ ପିଣ୍ଡରୁ ପ୍ରାଣ ଛାଡ଼ିଯାନ୍ତା!”
ଜୀମୂତ ତ୍ରିପାଠୀ ଆଉ ସହ୍ୟ କରିବା ଅବସ୍ଥାରେ ନଥିଲେ । ତାଙ୍କର ଗୋଟାଏ ଗୋଡ଼ ଉଠିଗଲା ଉପରକୁ । ତେବେ ସେ ନିୟନ୍ତ୍ରଣ କରିନେଲେ ନିଜ କ୍ରୋଧକୁ, ବଡ଼ ହାକିମ ଅଫିସରମାନେ କର୍ମଚାରୀମାନଙ୍କ ଧର୍ମଘଟ, ସତ୍ୟାଗ୍ରହ ବେଳେ ଯେମିତି ନିୟନ୍ତ୍ରିତ ସଂଯମ କରିନିଅନ୍ତି ନିଜର ଅନିୟନ୍ତ୍ରିତ କ୍ରୋଧକୁ । ଠିକ୍ ସେହିଭଳି ସଂଯମ ପ୍ରଦର୍ଶନ କଲେ ସେ । ଘର ଭିତରକୁ ପଶିଯାଇ ଧଡ଼କରି କବାଟ ବନ୍ଦ କରିଦେଲେ ଭିତରପଟୁ ।
ବୁଢ଼ି ବସିଥାଏ ପିଣ୍ଡା କଣରେ ଏକୁଟିଆ । ତାକୁ ମୁଁ ଆଉ ଅନ୍ୟମାନେ କହିଲୁ, “ଆମ ଘରକୁ ଚାଲି ଆସ ମାଉସୀ । ପୁଅ ରାଗିଯାଇଛି । ରାଗ ଥମିଲେ ପୁଣି ଆସିବ ନାଇଁ ତମକୁ ନବାକୁ?”
ସ୍ୱାଭିମାନୀ ସ୍ତ୍ରୀଲୋକଟି ଆମ ସମସ୍ତଙ୍କ ଅନୁରୋଧକୁ ଟାଳିଦେଲା । କାନିପାରି ଲୋଟିପଡ଼ିଲା ପୁଅଘର ଆଗରେ ଏଡ଼େ ଟିକେ ପିଣ୍ଡା ଉପରେ ଚୁପ୍ଚାପ୍ ।
ଆମ ଗାଁରେ ଅଶିକ୍ଷିତ ଦୟାମୂଳିଆର ଚାଷୁଣୀ ମା’ ଠିକ ଏଇ ଭଳି କାନିପାରି ଶୋଇପଡ଼େ ତା’ ପୁଅବୋହୂଙ୍କ କୁଡ଼ିଆ ଘର ମାଟି ପିଣ୍ଡାରେ-ପାଟିତୁଣ୍ଡ ହୋଃ ହାଃ କନ୍ଦାକଟା ସରିଗଲା ପରେ ରାତି ପାହାନ୍ତା ପହରରେ । ତା’ର ସାଥି ଥିଲେ କେତୋଟି ଛେଳି । ଏଇ ଛେଳିଙ୍କୁ ନେଇ ସକାଳୁ ସଂଜ ବିଧବା ଶରଦୀ ଚାଷୁଣୀ ବିଲ ପାଖ ଦଣ୍ଡାରେ ବୁଲେ । ରାତିରେ ତା ପାଇଁ ଘରେ ଯାଗା ହୁଏନା । ତା’ର ଘର ସେଇ ମାଟି ପିଣ୍ଡା-ଖରାବର୍ଷା ଶୀତ କାକର ବାରମାସ । ମଝିରେ ମଝିରେ ଶରଦୀ ଚାଷୁଣୀ ଚିତ୍କାର କରେ, ବିଳାପ କରେ, କାନ୍ଦେ ବାହୁନେ ଉଚ୍ଚକଣ୍ଠରେ-ବେଶୀକରି ରାତି ପାହାନ୍ତାରେ ।
ପଚାଶବର୍ଷ ପରେ ସେଇ ଶବ୍ଦ ସେଇ ଦୃଶ୍ୟର ପୁଃନରାବୃତ୍ତି ଆମ ସହରର ଛ’ ମହଲା ଫ୍ଲାଟ୍ରେ….! ଅସହ୍ୟ ହୋଇ ପଡ଼ିଲା ସବୁଟା ।
ବୁଢ଼ୀକୁ ମୁଁ ମୋ ଦୁଇ ବାହୁରେ ତଳୁ ଉଠେଇ ନେଇ ଛାତିରେ ଜାକି ଧପ୍ କରି ପାହାଚ ଚଢ଼ିଚାଲିଥାଏ ଯେତେବେଳେ ତଳୁ କିଏ କହିଲା, “କ୍ୟାନସର ପେସେଣ୍ଟ୍ । କେଇଦିନ ବଞ୍ଚିବ ଆଉ । ଛାଡ଼ି ଦିଅନ୍ତୁ ତାକୁ ତା ପୁଅ ଘର ବାରଣ୍ଡାରେ । ସେଇଠି ବରଂ ମରୁ । ସମସ୍ତେ ତ ମରିବେ ଦିନେ ନା ଦିନେ । ଏ ବୃଥା ଲୋକ ଦେଖାଣିଆ ମାୟାରେ ଛନ୍ଦି ହଉଚନ୍ତି କାହିଁକି ଗୋପବନ୍ଧୁ ବାବୁ?”
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ