ନିଜର କିଛି ଗୋଟାଏ କଥା ଯଦି କୌଣସି ବିଖ୍ୟାତ ବ୍ୟକ୍ତିଙ୍କ ସହ ଖାପ ଖାଇଗଲା, ତା’ହେଲେ ମନ ଉଲ୍ଲସିତ ହୋଇଉଠେ । ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାର ଉପର ଓଠ ପରି ଧନଶ୍ରୀର ଉପର ଓଠ ସ୍ପିତ । ସଂବିତ୍ ତେଣୁ ଥଟ୍ଟା କରି କହେ- ପ୍ରିୟଙ୍କା ଚୋପ୍ରାର ଗୋଲାପି ଓଠକୁ କୌଣସି ଗୋଟେ ଫୁଲର ପାଖୁଡ଼ା ମନେକରି ମହୁମାଛିଟିଏ ମଧୁ ଚୁମିବାକୁ ଆସି ଯେତେବେଳେ ନିରାଶ ହୋଇଛି, ରାଗିଯାଇ ନାହୁଡ଼ ବିନ୍ଧି ଦେଇଥିବାରୁ ତା’ ଓଠର ଏ ଅବସ୍ଥା । ତୁମର ଧନଶ୍ରୀ ସେଇଆ ହୋଇଛି ନା କ’ଣ?
ପ୍ରିୟଙ୍କା ଚୋପ୍ରାର ଓଠ ସହ ତା’ ଓଠର ସାମଞ୍ଜସ୍ୟ ରହିଛି ବୋଲି ମନ ମଧ୍ୟରେ ଗର୍ବ ଅନୁଭବ କରୁଥିଲା ଧନଶ୍ରୀ । କାରଣ ଏପରି ଓଠ ଖୁବ୍ ବିରଳ । ତା’ ସାଙ୍ଗସାଥୀ ଏପରିକି ତାଙ୍କ ୟୁନିଭରସିଟିରେ ତା’ ଜାଣତରେ କାହାରି ଓଠ ଏପରି ନୁହେଁ । ଯେତେବେଳେ ସଂବିତ୍ ପରି ଜଣେ ମେଧାବୀ ଛାତ୍ର ତା’ର ପ୍ରଶଂସା କଲା, ଧନଶ୍ରୀର ମନ ଆଉ ଟିକେ ଫୁଲି ଉଠିଲା ।
ସଂବିତ୍ର କଥାସବୁ ଏମିତି ରୋମାଣ୍ଟିକ୍ । ଯେତେ ଦୁଃଖରେ ଥାଅନା କାହିଁକି, ସେ ଆସିଗଲେ ଆସର ଜମିଉଠେ । ସବୁବେଳେ ହସହସ ମୁହଁ । ହସ ହସ ମୁହଁ ତ ସବୁକାଳେ ଦିଗ୍ବିଜୟୀ । ଶତ୍ରୁ ବି ମିତ୍ର ହୋଇଯିବ ଅଚିରେ ।
ସଂବିତ୍ର ଥଟ୍ଟାମଜା ବେଶି ନାରୀମାନଙ୍କୁ ନେଇ । ଖୁବ୍ ମଜାଦାର ତା’ର ତର୍ଜମା । ଗତ ସପ୍ତାହରେ ଆସି ପଚାରିଲା- ନାରୀର ବିପରୀତ କ’ଣ କୁହ ତ?
ସମସ୍ତେ ଏକ ସ୍ୱରରେ କହିଲେ- ଓଃ, ଇଏ ଗୋଟାଏ ପ୍ରଶ୍ନ? ଡବଡବି ଊର୍ମିଳା କହିଲା- ଆଜି ବୋଧେ ବାବୁ କୌଣସି କାରଣରୁ ପ୍ରସ୍ତୁତ ହୋଇପାରିନାହାନ୍ତି । ସେଇଥିଲାଗି ଗୋଟାଏ ଯାହିତାହି ପ୍ରଶ୍ନ ପଚାରିଦେଲେ ଟାଇମ୍ ପାସ୍ କରିବାକୁ ।
-ହଉ ତେବେ, ଡବଡବି ମହୋଦୟା! ଆପଣ ସେଇ ଯାହିତାହି ପ୍ରଶ୍ନର ଉତ୍ତର ଆଗେ ଦିଅନ୍ତୁ । ଏହାପରେ ଆମେ ଏକ ଓଜନଦାର ପ୍ରଶ୍ନ ପଚାରିବା ।
ଲେଡିଜ୍ ହଷ୍ଟେଲର ଗୋଟେ ରୁମ୍ରେ ଧନଶ୍ରୀ ସହ ରହୁଥିବା ତିନି ଝିଅଙ୍କ ମଧ୍ୟରେ ଊର୍ମିଳାଟା ଟିକେ ଗପୁଡ଼ି । ସବୁ କଥାରେ ସେ ନାକ ପୂରେଇବ । ଡିପାର୍ଟମେଣ୍ଟର ପ୍ରତିଟି ଛୋଟମୋଟ କଥାରେ ମଧ୍ୟ ପାଟି ନ ଖୋଲି ସେ ରହିପାରେ ନାହିଁ । ସେଇଥିଲାଗି ସଂବିତ୍ ତା’ ନାଁ ଦେଇଛି ଡବଡବି । ଆଉ କିଏ ଏପରି କହିଥିଲେ ଊର୍ମିଳା ହୁଏତ ତା’ଠି ଦାନ୍ତ ଲଗେଇ ଦେଇଥାନ୍ତା । କିନ୍ତୁ ଏ ଯେ ସଂବିତ୍! କେହି ତା’ ଉପରେ କେବେ ରାଗି ପାରିବେ ନାହିଁ । ତୁମେ ରାଗିଲେ ତ ସାଙ୍ଗେ ସାଙ୍ଗେ ହାତ ଯୋଡ଼ିଦେବ । ଆଉ ରାଗ ନା ଫାଗ!
ନିର୍ଦ୍ଦିଷ୍ଟ ଭାବେ ଊର୍ମିଳାକୁ ଯେତେବେଳେ ପ୍ରଶ୍ନ ପଚରାଗଲାଣି, ସେ ତେଣୁ କହିଲା- ଗୋଟେ ଚତୁର୍ଥ ପଞ୍ଚମ ଶ୍ରେଣୀର ପିଲା ବି ଅକ୍ଳେଶରେ କହିପାରିବ ଯେ ନାରୀର ବିପରୀତ ନର । ମୋ ବିଚାରରେ ଏଭଳି ପ୍ରଶ୍ନ ପଚାରିବା ଅର୍ଥ ଆମକୁ ହେୟଜ୍ଞାନ କରିବା ।
ଧନଶ୍ରୀ କିନ୍ତୁ ଅଲଗା କିଛି ଚିନ୍ତା କରୁଥିଲା । ସଂବିତ୍ର ବେକ ଚାରିପାଖେ ବୁଦ୍ଧି । ତା’ ପ୍ରଶ୍ନର ଉତ୍ତର କେବେହେଲେ ଏଡେ ସାଦାସିଧା ହୋଇନଥିବ । ଭୁଲ୍ ଉତ୍ତର ଦେଲେ ମଜା କରିବା ଲାଗି ସେ ସଙ୍ଗେ ସଙ୍ଗେ ତା’ ଖଦଡ଼ ଝୁଲାମୁଣିରୁ ଛୋଟ ଗୋଲାଆଳୁଟିଏ ବାହାର କରି ବଢ଼ାଇଦେବ ତୁମକୁ, ଯାହାର ଅର୍ଥ ଜିରୋ, ମାନେ ଶୂନ । ସେଥିଲାଗି ନିରବ ରହିଥିଲା ଧନଶ୍ରୀ ।
ସଂବିତ୍ର ଆଖି କିନ୍ତୁ ତାରି ଠେଇଁ । ତେଣୁ ଆଉ ସାଙ୍ଗଜଣକୁ କିଛି ନ ପଚାରି ଧନଶ୍ରୀ ଉଦେ୍ଦଶ୍ୟରେ ସେ କହିଲା- ତୁମର ଉତ୍ତର ସେଇ ନର, ନା ଆଉ କିଛି?
ଧନଶ୍ରୀ କିଛି ନ କହିବାରୁ ସଂବିତ୍ ପଚାରିଲା- ଓଠ ଖୋଲୁନ କାହିଁକି, ପୁଣି କ’ଣ ମହୁମାଛିଟିଏ ବାଉଳା ହୋଇ ଓଠକୁ ବିନ୍ଧିଦେଇଛି ନା କ’ଣ?
ଓଠ ଉପରେ ହାତ ଘଷି ଆଣି ହସି ହସି ଧନଶ୍ରୀ କହିଲା- ନାଇଁ ମ, ମହୁମାଛି କାହିଁକି ବାଉଳା ହେବ, ବାଉଳା ହୋଇଛ ତୁମେ । ପୁଅ ପିଲାଙ୍କର ଖାଲି ଝିଅମାନଙ୍କ ଆଖି, ଓଠ, ଛାତି ଉପରେ ଆଖି । ଏସବୁକୁ ଦେଖି ସେମାନେ ବାଉଳା ହୋଇଯାନ୍ତି, ଆଉ ସେଇ ବାଉଳାପଣରୁ କଥାକଥାକେ କବିତ୍ୱ ଫୁଟିଉଠେ । କେତେ ଯେ ଉପମା ନାରୀର ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଲୋ ମା ! କିଏ ଆଖିକୁ ତୁଳନା କଲାଣି ଫଡ଼ା ପୋଟଳ ସହ ତ କିଏ ଦାନ୍ତକୁ ପାଚିଲା ଡାଳିମ୍ବର ଦାନା ସହ । କିଏ…
– ହଉ ବାବା, ଥାଉ ଥାଉ, ପୁଅମାନଙ୍କ ବିରୁଦ୍ଧରେ ଆଉ କଥା ଲମ୍ବାଅନି । ତୁମ ଓଠ ଯଦି ଠିକ୍ ଅଛି ତା’ହେଲେ ଅବିଳମ୍ବେ ମୋ’ ପ୍ରଶ୍ନର ଉତ୍ତର ଦିଅ ।
– ଆସୁନି ବୋଲି ତ ନିରବ ରହିଛି । – ହସି ହସି ଧନଶ୍ରୀ କହିଲା ।
– ଏ କଥା ମୁଁ ବିଶ୍ୱାସ କରିପାରୁନି । ତୁମେ ଜାଣିଛ, ପ୍ରଶ୍ନ ଯେତେବେଳେ ପଚାରିଛ, ଉତ୍ତର କ’ଣ ମୋତେ ଅଜଣା ଥିବ? ପରିଶେଷରେ ଉତ୍ତରଟି ମୁଁ କହିବି ହିଁ କହିବି ।- ଏଇୟା ଭାବି ତୁମେ ଆଦୌ କିଛି ଚିନ୍ତା କରୁନ ।
– ଅପ୍ସନ ଦିଅ ତା’ହେଲେ ।- ଧନଶ୍ରୀ କହିଲା ।
– କେଉଁ ପଣ୍ଡିତ ମୁଣ୍ଡରୁ ଏ ଅପ୍ସନ୍ କଥାଟା ବାହାରିଲା କେଜାଣି! କୌଣସି ବିଷୟରେ ଚିନ୍ତା କରିବାର କ୍ଷେତ୍ରକୁ ଏହା ଅତ୍ୟନ୍ତ ସଙ୍କୁଚିତ କରିଦେଲା । ଚାରିଟା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଗୋଟିକୁ ବାଛିବ । କେତେ ସହଜରେ ବାବା! ଏଥିରେ ବି କୃତକାର୍ଯ୍ୟ ହୋଇପାରୁନାହାନ୍ତି ସମସ୍ତେ । ହଉ ତା’ହେଲେ ଅପ୍ସନ ଦେଉଛି-
୧- ଆମର ଜାତୀୟ ଫଳ ଆମ୍ବ
୨- ଶ୍ରୀଫଳ ନାରିକେଳ
୩- ପୂଜାପୂଜିରେ ଆବଶ୍ୟକ ପଡୁଥିବା ଗୁବାକ
୪- ମୁଖ ସୁଗନ୍ଧିକାରକ ଜାଇଫଳ
ଏଥର ଧନଶ୍ରୀ ସମେତ ଅନ୍ୟମାନେ ବୁଡ଼ିଗଲେ ଗଭୀର ଚିନ୍ତାରେ । କିନ୍ତୁ କେହି କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ । ଏ ଫଳଗୁଡ଼ିକ ମଧ୍ୟରୁ ନାରୀର ବିପରୀତ କିଏ କେମିତି ହେବ, କିଛି ବୁଝା ପଡୁନଥିଲା ।
ବିଳମ୍ବ ହେବାରୁ ଧନଶ୍ରୀକୁ ଚାହିଁ ସଂବିତ୍ କହିଲା- କ’ଣ ଫେଲ୍ ମାରିଲ?
ଧନଶ୍ରୀ ଭାବିଲା, ଅପ୍ସନ ମଧ୍ୟରେ ଉତ୍ତର ଯେହେତୁ ଅଛି, ସେ ଚୁପ୍ ରହିବ କାହିଁକି? ଯାହା କିଛି କହି ଭାଗ୍ୟ ପରୀକ୍ଷା ଏବେ କରାଯାଉ । କମ୍ପିଟେଟିଭ୍ ପରୀକ୍ଷା ପରି ଭୁଲ୍ ଉତ୍ତର ଦେଲେ ଏଥିରେ କେଉଁ ମାଇନସ୍ ମାର୍କିଙ୍ଗ୍ ଅଛି ଯେ ଡର ଲାଗିବ? ସେ ତେଣୁ ଉତ୍ତର ଦେଲା- ଶ୍ରୀଫଳ!
ସଂବିତ୍ କିଛି କହିବା ପୂର୍ବରୁ ଊର୍ମିଳା କହିଲା- ତୋ ନାଁ ଧନଶ୍ରୀରେ ଶ୍ରୀ ଅଛି ବୋଲି ତୁ ଶ୍ରୀଫଳ ବାଛିଲୁ ନା କ’ଣ?
ତା’ର ଏ ମନ୍ତବ୍ୟରେ ଧନଶ୍ରୀ ଟିକେ ଲାଜରା ହୋଇଗଲା । କିନ୍ତୁ ସାବାସି ଜଣାଇ ସମ୍ବିତ୍ ଯେତେବେଳେ ହସି ହସି କରମର୍ଦ୍ଦନ କରିବା ଲାଗି ତା’ ଆଡେ ହାତ ବଢ଼ାଇଲା, ଚକିତ ହୋଇଗଲେ ସମସ୍ତେ । ତେବେ ସଂବିତ୍ ପୁଣି ଯେତେବେଳେ ଏହାର କାରଣ ବୁଝାଇଦେବାକୁ କହିଲା ଅକଡ଼ରେ ପଡ଼ିଗଲା ଧନଶ୍ରୀ । ହେଲେ ସେ ହାରିଗଲାନି ।
ଭୁରୁଡିମାରି କହିଲା- ପରୀକ୍ଷାରେ ଉତ୍ତର ପାଶ୍ୱର୍ରେ କେବଳ ଟିକ୍ ମାରିବାକୁ କୁହାଯାଇଥାଏ, ବୁଝାଇବାକୁ ନୁହେଁ ।
– ସେଇଥିଲାଗି ତ ଏ ପ୍ରଥାକୁ ମୁଁ ସର୍ବଦା ବିରୋଧ କରିଥାଏ । ଅର୍ଜୁନ ପରି ଧନୁର୍ବିଦ୍ୟାରେ ଅତି ନିପୁଣ ନ ହୋଇ ମଧ୍ୟ ଜଣେ ଯଦି ତୀର ବିନ୍ଧୁ ବିନ୍ଧୁ ଅକସ୍ମାତ ଲକ୍ଷ୍ୟଭେଦ କରିଗଲା । ତା’ହେଲେ ଦ୍ରୌପଦୀକୁ ସେ ବାଜିମାରି ନେବ । ବିଚରା ଅର୍ଜୁନ ଭକୁଆ ହୋଇ ଚାହିଁଥିବ ତାକୁ । ଏବେ ଜଣାଗଲା ଠାସକୁ ମାରି କହିଥିଲ ତୁମେ, ଶେଷରେ ଧରାପଡ଼ିଗଲ ।
ସାଥୀଙ୍କ ଭିତରୁ କୌଣସି କଥାରେ ଜଣେ କେହି ଶ୍ରେୟଃ ନେଇଯିବ, ଏ କଥା ସହଜରେ ହଜମ କରିପାରନ୍ତିନି ଝିଅମାନେ । ତେଣୁ ଗୋଡ଼ ଟଣାଟଣି ସ୍ୱଭାବଟା ସେମାନଙ୍କ କ୍ଷେତ୍ରରେ ବେଶି । ଧନଶ୍ରୀ ସପକ୍ଷରେ ସେଥିଲାଗି କେହି ଯୁକ୍ତି କଲେନି । ବରଂ ମନେ ମନେ ଆମୋଦିତ ହେଲେ ସଂବିତ୍କୁ ପ୍ରକାରାନ୍ତରେ ସମର୍ଥନ ଜଣାଇ ।
ବିଚାରୀ ଧନଶ୍ରୀ ଏବେ କରେ କ’ଣ? ସମର୍ଥନ ନପାଇ ତା’ ହସ ମଉଳି ଆସୁଥିଲା । ତେବେ ପରିବେଶକୁ ଅଧିକ ମଉଳିବାକୁ ନ ଦେଇ ଚତୁର ସଂବିତ୍ କହିଲା- ଠିକ୍ ଅଛି, ଶୁଣ ତା’ହେଲେ । ପ୍ରଥମତଃ ନାରୀ ସହ ନାରିକେଳର ଧ୍ୱନିଗତ ସାମଞ୍ଜସ୍ୟ ରହିଛି । ଦ୍ୱିତୀୟତଃ ନାରୀର ଉପର ଅର୍ଥାତ୍ ତ୍ୱକ୍ ଖୁବ୍ କୋମଳ; କିନ୍ତୁ ଭିତର କଠିନ । ନାରିକେଳ ଠିକ୍ ଓଲଟା, ଏହାର ବାହାର ସିନା କଠିନ, ଭିତର କିନ୍ତୁ କୋମଳ । ତେଣୁ ନାରୀର ବିପରୀତ ନାରିକେଳ ।
ସଂବିତ୍ର ଏ ତର୍ଜମା କୁତୁକୁତୁ କରିଦେଲା ସମସ୍ତଙ୍କୁ ଏବଂ କିରିକିରି ହସ ମଧ୍ୟରେ ଊର୍ମିଳା ଯେତେବେଳେ କହିଲା- “ମା’ଲୋ, ମୁଁ ମୁତି ପକାଇଲାଣି” ସଂବିତ୍ ବି ସାମିଲ ହୋଇଗଲା ସେମାନଙ୍କ ସହ ।
ଯେଉଁଦିନ କୌଣସି କାରଣରୁ କ୍ଲାସ୍ ବାତିଲ ହୋଇଯାଏ, ନିକଟସ୍ଥ କ୍ୟାଣ୍ଟିନ୍ରେ ଚା’ କିମ୍ବା କୋଲ୍ଡ ଡ୍ରିଙ୍କ୍ ପିଇବା ଲାଗି ଧନଶ୍ରୀ ହେରିକା ଚାରି ଚଉକି ପଡ଼ିଥିବା ଗୋଟେ ଟେବୁଲ୍ ପାଖେ ବସି ତାଙ୍କ ଆସର ଜମାନ୍ତି । ଖାଲି ପଡୁଥିବା ଚତୁର୍ଥ ଚଉକିଟି ଥାଏ ସଂବିତ୍ ଲାଗି ସଂରକ୍ଷିତ । ସବୁବେଳେ ସେ ଯେ ଆସେ, ତା ନୁହେଁ । କିନ୍ତୁ ଯେଉଁଦିନ ଆସେ, ସମୟ କେମିତି କଟିଯାଏ, ଜଣାପଡ଼େନି କାହାକୁ ।
ସିଏ ଯେ ଜଣେ ଖୁସିବାସିଆ ରମଜିଆ ପିଲା, ଏକଥା ଜଣାପଡ଼ିଯାଇଥିଲା ପ୍ରଥମ ଦିନରୁ । ହସ ହସ ମୁହଁରେ ତା’ର ପ୍ରଥମ ଉଚ୍ଚାରିତ ବାକ୍ୟଟି ଥିଲା- ‘ସର୍ବେ ଭବନ୍ତୁ ସୁଖିନଃ’ ଏବଂ ଏ ଧାରା ଏବେବି ଅବ୍ୟାହତ । ପ୍ରଥମ ଦେଖାରେ ସଂବିତ୍ ସେମାନଙ୍କୁ ଜଣ ଜଣ କରି ପରିଚୟ ମାଗିଥିଲା ଓ ସେମାନଙ୍କ ରୁଚି ସମ୍ବନ୍ଧରେ ପଚାରିଥିଲା । ଧନଶ୍ରୀର ପାଳି ପଡ଼ିଲା ପ୍ରଥମେ । ଶେଷକୁ ଅବା ଥିଲେ, ସାଙ୍ଗ ଦୁଇଜଣଙ୍କ ରୁଚିକୁ ଲକ୍ଷ୍ୟ କରି ଉତ୍ତର ଦେବା ସହଜ ହୋଇଥାନ୍ତା । ଏଭଳି ପ୍ରଶ୍ନ ପୁଣି ତା’ ଲାଗି ପ୍ରଥମ । କ’ଣ କରିବ ଏବେ!
ଏଠି ପଢ଼ିବାକୁ ରାଜ୍ୟର କେତେ କୁଆଡୁ ପିଲାସବୁ ଆସିଛନ୍ତି । ନିଜକୁ ନିଜେ ଟେକାଟେକି କରି ନ କହିଲେ, କେହି ଆଡ ଆଖିରେ ଚାହିଁବେନି ତୁମକୁ । ଅନେକ ପ୍ରତିଷ୍ଠିତ ଲୋକଙ୍କର ରୁଚି ହେଉଛି ବହି ପଢ଼ିବା । ସେ ତେଣୁ କହିଲା, ବହି ପଢ଼ିବା ଓ କବିତା ଲେଖିବା ମୋର ରୁଚି ।
ତେବେ, ଧନଶ୍ରୀର ସାହିତ୍ୟ ପ୍ରୀତି ନଥିଲା ବୋଲି କୁହାଯାଇପାରିବନି । ତାଙ୍କ ଗାଁ ସ୍କୁଲର ସୁବର୍ଣ୍ଣଜୟନ୍ତୀ ସ୍ମରଣିକାରେ ତା’ର ପ୍ରଥମ କବିତା ଛପା ହୋଇଥିଲା । ଏହାକୁ ପଢ଼ି ତାଙ୍କ ସାହିତ୍ୟ ଦିଦି ତାକୁ ଉତ୍ସାହିତ କରିଥିଲେ ଲେଖାଲେଖି କରିବାକୁ । ସେ ତେଣୁ କେତୋଟି କବିତା ରଚନା କରିଥିଲା ସେତିକି ବେଳେ । ଦିଦି ମଧ୍ୟ ଟିକେଟିକେ ସଂଶୋଧନ କରିଦେଇଥିଲେ ସେସବୁ । କଲେଜରେ ପଢ଼ିଲା ବେଳେ କଲେଜ ମାଗାଜିନ୍ରେ ମଧ୍ୟ ପ୍ରତିବର୍ଷ ତା’ର କବିତା ପ୍ରକାଶ ପାଇଛି । ଏଠିକୁ ଆସିବା ପରେ ସ୍କୁଲ ସମୟର ସେହି କବିତାଗୁଡ଼ିକୁ ବିଭିନ୍ନ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଲାଗି ସେ ପଠାଇଥିଲା । ଗୋଟେ ଦୁଇଟିକୁ ଛାଡ଼ିଦେଲେ ଅନ୍ୟସବୁ ପ୍ରକାଶ ପାଇଛି ।
ଯେକୌଣସି କଥା ହେଉ, ଅଭ୍ୟାସ ଜାରି ନରଖିଲେ ତାହା କ୍ରମେ ମରି ମରି ଯାଏ । ଏହା ଗଛ ଲାଗି ଠିକ୍ ଜଳ ସଦୃଶ । ଧନଶ୍ରୀ କ୍ଷେତ୍ରରେ ଏଇୟା ଘଟିବାକୁ ଯାଉଥିଲା । କିନ୍ତୁ ଭାଗ୍ୟକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ହୋଇଯାଇଛି ତାଙ୍କ ଲେଡିଜ୍ ହଷ୍ଟେଲ୍ର ମାଗାଜିନ୍ ସେକ୍ରେଟେରୀ । ପ୍ରତିଷ୍ଠା ତ ବୃଦ୍ଧି ପାଇଲା, ତା’ ସହ ସେ ଟିକେ ଚେଙ୍ଗା ହୋଇଯାଇଛି ଲେଖାଲେଖି ବାବଦରେ ।
ବେଶ୍, ଏଇ ପ୍ରଥମ ଦେଖାରୁ ହିଁ ସଂବିତ୍ ଲାଗି ଧନଶ୍ରୀ ହୋଇଯାଇଛି ଜଣେ କବୟିତ୍ରୀ । ଧନଶ୍ରୀ ଲାଜେଇଯାଏ ତା’ରି ଏପରି ସମ୍ବୋଧନ ଶୁଣି । ମାତ୍ର ଯେଉଁଦିନ ସଂବିତ୍ ପରୋକ୍ଷ ଭାବେ ତା’ ଓଠର ପ୍ରଶଂସା କଲା, ମନ ତା’ର ଉଡିବୁଲିଲା ଗଗନ ପବନରେ! ସେଦିନ ରାତିରେ କେତେକେତେ କାବ୍ୟ କବିତା ଆସିଗଲା ତା’ ମନକୁ । କିଏ ନାୟିକାର ମୁଖମଣ୍ଡଳକୁ, କିଏ ବା ବକ୍ଷଦେଶକୁ, କିଏ ଚକ୍ଷୁଦ୍ୱୟକୁ, ଆଉ କିଏ ବା ନାଭିପ୍ରଦେଶ ଅବା ପଦଯୁଗଳକୁ ନାନା ଉପମା ଦେଇ ଚମକ ସୃଷ୍ଟି କରିଛନ୍ତି । କେହି ବି ଅଧର ଅବା ଓଷ୍ଠର ରଙ୍ଗକୁ ନେଇ ବର୍ଣ୍ଣନା କରିଥିଲେ ମଧ୍ୟ ଏହାର ଆକାର ସମ୍ବନ୍ଧରେ କିଛି କହିଥିଲା ପରି ଧନଶ୍ରୀର ଖିଆଲକୁ ଆସୁନଥିଲା । ତେଣୁ ସମ୍ବିତ୍ର କଥା ତାକୁ ଶିହରିତ କରିଥିଲା ବେଶି । ଏ ଘଟଣାର ପରେ ପରେ ଦିନେ ଗୋଟେ ପେପର୍ କଟିଙ୍ଗ୍ ଆଣି ଧନଶ୍ରୀ ହାତକୁ ବଢ଼ାଇ ଦେଇ ସେ କହିଲା- ନିଅ, ଏଥିରେ ଓଠର ପ୍ରାକୃତିକ ଉପଚାର ନିମନ୍ତେ ପରାମର୍ଶ ଦିଆଯାଇଛି । ଘରମରା ନଡ଼ିଆ ତେଲରେ ମହୁ ଓ ବାଦାମୀ ଚିନି ମିଶାଇ ଓଠରେ ଧୀରେ ଧୀରେ ଘଷିଲେ ମୃତକୋଷ ବାହାରିଯିବ ଓ ଓଠ ପ୍ରାକୃତିକ ଆର୍ଦ୍ରତା ପାଇବ । ଆଉ ବି ସାମୁଦ୍ରିକ ଲୁଣରେ ନଡ଼ିଆ ତେଲ ମିଶାଇ ଓଠରେ ଘଷିଲେ ଓଠ କୋମଳ ରହିବ । ଲେମ୍ବୁରସ ସହ ମହୁ ଓ ଚିନି ମିଶାଇ ଘଷିଲେ ବି ଉପକାର ମିଳେ । …ଏମିତି ଆଉ କେତେ କଥା । ତେବେ ଅନ୍ୟ ସବୁ ଜିନିଷ ସିନା ବଜାରରେ କିଣିବାକୁ ମିଳିଯିବ, ଘରମରା ନଡ଼ିଆତେଲ ମିଳିବନି । ସେଥିଲାଗି ମୁଁ ସେଥିରୁ ପଚାଶ ମିଲି ଗ୍ରାମ ନେଇଆସିଛି । – ଏହା କହି ସତକୁ ସତ ଛୋଟ ଶିଶିଟିଏ ତା’ ଝୁଲାରୁ ବାହାର କରି ସେ ଧରାଇଦେଲା ଧନଶ୍ରୀକୁ ।
ଆସନ୍ତା ଛୁଟିରେ ଗାଁକୁ ଯାଇ ତା’ ବୟସର କେତେଜଣ ଝିଅ ଓ ଅଳ୍ପବୟସ୍କା ଭାଉଜଙ୍କୁ ପ୍ରିୟଙ୍କା ଚୋପ୍ରାର ଓଷ୍ଠ ସମ୍ବନ୍ଧରେ କହି ପରୋକ୍ଷରେ ନିଜ ଲାଗି ପ୍ରଶଂସା ଜୁଟେଇବ ବୋଲି ସ୍ଥିର କଲା ଧନଶ୍ରୀ । ଗାଁରେ ଏବେ ଘରେ ଘରେ ଟିଭି । ଫିଲ୍ମ କ’ଣ, ସିରିଅଲ୍ରେ ଅଭିନୟ କରୁଥିବା ନାୟକ-ନାୟିକାଙ୍କ ମୁହଁ ମଧ୍ୟ ଗାଁ ଝିଅ-ବୋହୂଙ୍କ ନଖଦର୍ପଣରେ । କିନ୍ତୁ ନିରାଶ ହୋଇଥିଲା ଧନଶ୍ରୀ । କେହି ତ ପ୍ରଶଂସା କଲେନି, ବରଂ ଓଲଟା ମନ୍ତବ୍ୟ ଦେଇଥିଲେ, ମୁହଁରେ ନହେଲେ ବି ପଛରେ । “ଉପର ଓଠଟା ମୋଟା ହେଲେ ଯେଉଁ ତ ଅପୂର୍ବ ଦିଶିବ!”
ତେବେ ଓଠକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଥିଲେ ବି ତା’ ବର୍ଣ୍ଣକୁ ନେଇ କେହି କେବେ ନାପସନ୍ଦ କରିନଥିଲେ । ତା’ ଜେଜେମା’ ଭାଷାରେ- ପାଚିଲା ପାଟକପୁରା କଦଳୀଟାଏ ତ, ଟୋକାଙ୍କ ପାଟିରୁ ଖାଲି ଲାଳ ବୋହୁଥିବ!
କିନ୍ତୁ ଜେଜେମା’ର ଏହି ମନ୍ତବ୍ୟ ଉପରେ ସମ୍ବିତ୍ ଆଜି ନାଲି ଛକିଟିଏ କାଟିଦେଲା । ତୋଫା ଗୋରୀ ନୁହେଁ, ଶ୍ୟାମଳୀମାନେ ହିଁ ବେଶି ଆକର୍ଷଣୀୟା! ତା’ ପୁଣି ସେଇ ଫିଲ୍ମଷ୍ଟାର୍ ପ୍ରିୟଙ୍କା ଚୋପ୍ରାର ବୟାନକୁ ଭିତ୍ତିକରି । ପ୍ରିୟଙ୍କା କାଳେ ଶ୍ୟାମଳୀ! ନିଜେ ପ୍ରିୟଙ୍କା ଏକଥା ପ୍ରକାଶ କରିଛନ୍ତି ଏକ ସାକ୍ଷାତକାରରେ । ଶ୍ୟାମଳୀରୁ ଗୋରୀ ପାଲଟିବା ଲାଗି କେତେକେତେ ଫେୟାରନେସ୍ କ୍ରିମ୍ ବ୍ୟବହାର କରିଥିଲେ ବି ସେ ସଫଳ ହୋଇପାରି ନାହାନ୍ତି । ଗୋଟେ କ୍ରିମ୍ କମ୍ପାନୀର ବିଜ୍ଞାପନ ମାଧ୍ୟମରେ ମିଥ୍ୟା ପ୍ରଚାରର ଭାଗୀଦାର ହୋଇଥିବାରୁ ସେ ଏବେ ପଶ୍ଚାତ୍ତାପ କରୁଛନ୍ତି । ଅର୍ଥ ପାଇଁ ବିଜ୍ଞାପନର ଅଂଶବିଶେଷ ବନି, ସରଳା କିଶୋରୀ ଯୁବତୀଙ୍କୁ ଭଣ୍ଡାଇଥିବାରୁ ସେ ଖୁବ୍ ଦୁଃଖିତ । ତାଙ୍କ ମତରେ ନିଜ ତ୍ୱଚାର ବର୍ଣ୍ଣକୁ ନେଇ ଚିନ୍ତିତ ହେବା ବଦଳରେ ସନ୍ତୁଷ୍ଟ ହେବାକୁ ଶିଖ । ଦେହର ରଙ୍ଗ କେବେହେଲେ ବ୍ୟକ୍ତିତ୍ୱର ଏକ ଅଂଶ ହୋଇନପାରେ । କ୍ଲିଓପାଟ୍ରାଙ୍କ ଭଳି ଅପରୂପା ବି ଶ୍ୟାମଳୀ ଥିଲେ । ମହାଭାରତର ଦ୍ରୌପଦୀ ବି ଶ୍ୟାମଳୀ, ସେଇଥିଲାଗି ତାଙ୍କର ଅନ୍ୟ ନାମ କୃଷ୍ଣା ।
ଆଣିଥିବା ଏକ ପେପର୍ କଟିଙ୍ଗରୁ ସଂବିତ୍ କେବଳ ଏତିକି କହିଥିଲେ ଦେହକୁ ନେଇନଥାନ୍ତା ଧନଶ୍ରୀ । ସେ କିନ୍ତୁ ଯୋଡ଼ିଦେଲା ଆଘାତ ଦେଲାପରି କଥା ପଦେ । “ମତେ ବି ଗୋରୀ ଝିଅଙ୍କ ଅପେକ୍ଷା ଶ୍ୟାମଳୀ ଭଲ ଲାଗନ୍ତି ।” ଖାଲି କହିଲାନି ଯେ, ଡବଡବି ଊର୍ମିଳା ଆଡ଼େ ଚାହିଁ ଟିକେ ହସିଦେଲା ।
ଊର୍ମିଳାର ଛାତି ଏଥିରେ ପ୍ରସାରିତ ହୋଇଯିବନି? “ଦେଖେଇଁ କ’ଣ ଲେଖିଛି ପ୍ରିୟଙ୍କା ଚୋପ୍ରା ।” ଏହା କହି ସଂବିତ୍ ଧରିଥିବା କାଗଜଖଣ୍ଡିକୁ ସେ ଝିଙ୍କି ନେଇଗଲା ଅତ୍ୟନ୍ତ ଉତ୍ଫୁଲ୍ଲ ହୋଇ ।
ନିଜେ ତ ମନେମନେ ପଢ଼ିଥାନ୍ତୁ, ପାଟି କରି ପଢ଼ିବାର କାରଣ କ’ଣ? ଓଃ! ମନେ ମନେ ବିଶ୍ୱସୁନ୍ଦରୀ!- ଧନଶ୍ରୀ ଏକଥା କିନ୍ତୁ ତୁଣ୍ଡ ଖୋଲି କହି ପାରିଲାନି । ଖାଲି ଜଳିଲା ଭିତରେ ଭିତରେ ।
ଏହାପରଠୁ କେଉଁଥିରେ ଆଉ ମନ ଲାଗିଲାନି ଧନଶ୍ରୀର । କଲେଜରୁ ଫେରି ହାତ-ଗୋଡ଼ କିଛି ଧୁଆଧୋଇ ନ କରି ଲମ୍ବ ହୋଇ ସେ ପଡ଼ିଗଲା ଖଟିଆ ଉପରେ । ଏଥର ତା’ହେଲେ ଊର୍ମିଳାର ଭାଉ ବଢ଼ିଗଲା । ସେଇ ପେପର୍ କଟିଙ୍ଗକୁ ସେ ବୁଲିବୁଲି ଦେଖାଇବ ସମସ୍ତଙ୍କୁ । ତା’ ସହ ବି ବୁଲେଇ ବାଙ୍କେଇ ଯୋଡ଼ି ଦେଇପାରେ ସଂବିତ୍ର ମନ୍ତବ୍ୟ । ଏଥର ଟୋକୀ କେତେ ଆଖି ନଚେଇ କଥା କହିବ!
ସତରେ କ’ଣ ସଂବିତ୍କୁ ଶ୍ୟାମଳୀ ଝିଅ ଭଲ ଲାଗନ୍ତି? ସଂବିତ୍ କହେ- ଝିଅମାନଙ୍କୁ ବୁଝିବା ଭାରି କଷ୍ଟ । ‘ନର ମାୟା ନାରାୟଣଙ୍କୁ ଅଗୋଚର’ ବୋଲି ଯେଉଁ ମହାପୁରୁଷ ଲେଖିଥିଲେ ତାହା ପ୍ରକୃତରେ ନର ନୁହେଁ ନାରୀ । ପ୍ରିଣ୍ଟିଙ୍ଗ୍ ମିଷ୍ଟେକ୍ ମାନେ ମୁଦ୍ରଣଗତ ତ୍ରୁଟି ଯୋଗୁଁ ନାରୀଟା ନର ହୋଇଯାଇଛି ।
ତେବେ ସେ ଯାହା ହେଉନା କାହିଁକି, ସଂବିତ୍କୁ ବୁଝିବା ଭାରି କଷ୍ଟ । ତାଙ୍କ ସାଥୀ ଗେଡୀ ସୁଲୋଚନାକୁ ଥରେ ସେମିତି ପ୍ରଶଂସାରେ ପୋତି ପକାଇଲା । କହିଲା- ଗେଡୀ ଝିଅ ବୁଢ଼ୀ ହୁଅନ୍ତିନି । ମଲାଯାଏ ଯୌବନ ଲାଖି ରହିଥିବ ତାଙ୍କ ତନୁରେ । ଡେଙ୍ଗୀଙ୍କର ଅଣ୍ଟା ନଇଁଯିବାରୁ ଶୀଘ୍ର ବୁଢ଼ୀ ହୋଇଯାଆନ୍ତି ।
ଆରେ ବାବୁ, ବୁଢ଼ା-ବୁଢ଼ୀ କାଳେ କ’ଣ ରୂପର ମାପ କରାଯାଏ? ରୂପର ମାପ ହୁଏ ଯୌବନ ସମୟରେ । କେଇଟା ଗେଡୀ ଝିଅକୁ କିଏ ପସନ୍ଦ କଲେଣି? ବାହା ବଜାରରେ ଡେଙ୍ଗୀଙ୍କ ଭାଉ ଅଧିକା । ଟିକେ ଡେଙ୍ଗା ଦିଶିବା ଲାଗି ଝିଅଙ୍କ ବ୍ୟାକୁଳତା ଲକ୍ଷ୍ୟ କରି ତ ଜୋତା କମ୍ପାନୀ ହାଇହିଲ୍ ଜୋତା ପ୍ରସ୍ତୁତ କରୁଛନ୍ତି ।
ତେଣୁ ସଂବିତ୍ ଯେତେବେଳେ ଗେଡୀଙ୍କ ସପକ୍ଷରେ ତା’ର ମତାମତ ଦେଲା, ତାକୁ ବିଶେଷ ଗୁରୁତ୍ୱ ଦେଇନଥିଲା ଧନଶ୍ରୀ । ଆଜି ତେଣୁ ତ୍ୱଚାର ବର୍ଣ୍ଣ ବିଷୟରେ ତା’ର ମନ୍ତବ୍ୟକୁ ସେ ଏତେ ଗୁରୁତ୍ୱ ଦେଇ ଛଟପଟ ହେଉଛି କାହିଁକି? ସଂବିତ୍କୁ ସେ କେଉଁ ପ୍ରେମ କରୁଚି ନା କ’ଣ, ଏମିତି ଯାହା ଥଟ୍ଟାମଜାର ସଂପର୍କ । ଏଇଥିରେ ସେ ବାଉଳି ହେବ କାହିଁକି ଯେ! ଊର୍ମିଳାକୁ ସଂବିତ୍ ଭଲପାଉ ଏବେ… । – ନିଜକୁ ନିଜେ ଏଥର ବୁଝାଇଲା ଧନଶ୍ରୀ ।
କୌଣସି ଏକ ସାଧୁବାଣୀରେ ସେ ଶୁଣିଥିଲା, ବର୍ଣ୍ଣ ବିଦ୍ୱେଷର ରାଜୁତି କେତେବେଳେ ସିନା ରହିଥିଲା, ଏବେ ତାହା ଅଚଳ ମୁଦ୍ରା ତୁଲ୍ୟ । ଇଂରେଜମାନଙ୍କର ବର୍ଣ୍ଣ ବିଦ୍ୱେଷ ନୀତି ହିଁ ଭାରତର ସ୍ୱାଧୀନତା ସଂଗ୍ରାମର ମୂଳ ଭିତ୍ତି ପକାଇଥିଲା । ତେଣୁ ବର୍ଣ୍ଣର ନୁହେଁ, ଗୁଣର ପୂଜାରୀ ହେବା ଆବଶ୍ୟକ ।
ନିଜକୁ ନିଜେ ସାନ୍ତ୍ୱନା ଦେଇ ଧନଶ୍ରୀ ଉଠିପଡ଼ିଲା ଏଥର । ମନର ଭାରି ଭାରି ଭାବ କ୍ରମେ ଅପସରି ଯାଉଥିଲା ।
କବିତାଟେ ଅଧା ଲେଖା ହୋଇ ପଡ଼ିଛି କାଲିଠୁ, ନ ସାରିଲେ ପଡ଼ି ରହିଯିବ ସେମିତି । ପୋଷାକ ବଦଳାଇ ବାଥରୁମ୍ ଆଡ଼େ ସେ ମୁହାଁଇଲା ବେଳକୁ ତା’ ମୋବାଇଲ୍ ବାଜି ଉଠିଲା ।
ସଂବିତ୍ର ଫୋନ୍!! ଆଶ୍ଚର୍ଯ୍ୟ ହୋଇଗଲା ଧନଶ୍ରୀ । କାରଣ ସଂବିତ୍ର ନମ୍ବର ଫିଡିଙ୍ଗ୍ କରିଥିଲେ ବି କେବେ ତା’ ସଙ୍ଗେ କଥା ହୋଇନାହିଁ ଫୋନ୍ରେ । ଏହା ହେଉଛି ପ୍ରଥମ । ନ ଜାଣିଲା ପରି ସେ ତେଣୁ କଲ୍ ରିସିଭ୍ କରି କହିଲା- ହ୍ୟାଲୋ!
– ସଂବିତ୍ କହୁଛି ।
– ଆରେ ସଂବିତ୍! କ’ଣ ହେଲା?
– ରାଗିଯାଇଛ ମୋ ଉପରେ ନା…?- ସଂବିତ୍ ପଚାରୁଥିଲା ହସି ହସି ।
– କାଇଁ ନାଇଁ ତ… ।
– ମୁଖ ହିଁ ମଣିଷର ମନ-ଦର୍ପଣ । କ୍ୟାଣ୍ଟିନ୍ରୁ ଫେରିଲା ବେଳେ ମୁଁ ତୁମ ଶୁଖିଲା ମୁହଁରୁ ଜାଣିପାରିଛି ସବୁ । ତେଣୁ କ୍ଷମା ଚାହୁଁଛି । ମୋପରି ଜଣେ ଭୋପାଳିଆର କଥାକୁ ଗୁରୁତ୍ୱ ଦେବନି । ନିରୋଳା ଥଟ୍ଟାମଜାରେ ସେସବୁ ଗ୍ରହଣ କରିବ; ପ୍ଲିଜ୍ ।
ଏହାପରେ ଚିରାଚରିତ ଶୈଳୀରେ ‘ସର୍ବେ ଭବନ୍ତୁ ସୁଖିନଃ’ କହି ସଂବିତ୍ ଫୋନ୍ କାଟିଦେଲା ।