ମକର ସଂକ୍ରାନ୍ତି । ଓଡ଼ିଶାରେ ଶୁଭ ନବବର୍ଷର ଅୟମାରମ୍ଭ । ଏମିତି ପ୍ରତି ବର୍ଷ ମକର ସଂକ୍ରାନ୍ତି ଆସେ- ଗୁଡ଼ି ଉଡ଼େ । ସେଦିନ ଗୁଡ଼ି ଉଡ଼େ- ନୀଳ ଆକାଶର ବଉଦ କୋଳରେ । ସେଦିନ ଆସିଲେ ମନେପଡ଼ନ୍ତି- ସେକାଳର ଓଡ଼ିଆ ଚଳଚ୍ଚିତ୍ର ନିଦେ୍ର୍ଦଶକ ନିତାଇ ପାଲିତ- ଯାହାଙ୍କୁ ଆମେମାନେ ସ୍ନେହରେ ଡାକୁଥିଲୁ- ନିତାଇ ଦା’ । ମନେପଡ଼େ ସଙ୍ଗୀତ ନିଦେ୍ର୍ଦଶକ ଅକ୍ଷୟ ମହାନ୍ତି- ଖୋକା । ମନେପଡନ୍ତି କଟକ ସେମିନାରୀ ସ୍କୁଲ୍ ପାଖରେ ଥିବା ମୁସଲମାନ ସାହିର ଭାଇମାନେ- ସିକନ୍ଦର, କରିମ, ମୋଟୁ ଉଜିର ମିଆ ମହମ୍ମଦ ଅଲ୍ଲି । ସେଇମାନେ ହିଁ ଗୁଡ଼ି ଗୀତ ଲେଖିବା ପାଇଁ ମତେ ସହଯୋଗ କରିଥିଲେ- ପ୍ରେରଣା ଦେଇଥିଲେ ।
ଆଜି ସେଦିନ ସବୁ ଅତୀତର ସ୍ମୃତି । ସେଇ ସ୍ମୃତି ସବୁକୁ ମୁଁ ମକର ସଂକ୍ରାନ୍ତି ଆସିଲେ ମନେମନେ ରୋମନ୍ଥନ କରେ । ଆଜି ବି କରୁଛି ।
୧୯୨୮ ମସିହାର କେଉଁ ଏକ ଫଗୁଣ ସନ୍ଧ୍ୟା । ନିତାଇ’ଦା ଘରେ ବସି ଗୁଲିଗପ କରୁକରୁ ସେ କହିଲେ- ଆଜି ଧୀର ଆସିଥିଲା । ଧୀରେନ୍ଦ୍ରନାଥ ବିଶ୍ୱାଳ । ଓଡ଼ିଆ ଚଳଚ୍ଚିତ୍ରର ଏକ ନାମୀ ଅଭିନେତା । ପ୍ରଯୋଜକ ମଧ୍ୟ । ସେ କହିଯାଇଛନ୍ତି- ପଞ୍ଚସଖା ପିକଚର୍ସର ଆଗାମୀ ଚଳଚ୍ଚିତ୍ର ‘କିଏ କାହା’ ପାଇଁ କାମ ଆରମ୍ଭ କରିବାକୁ । ଭାବୁଛି- ଏଥର ଅକ୍ଷୟ ସଙ୍ଗୀତ ନିଦେ୍ର୍ଦଶନା ଦବ- ତୁମେ ଗୀତ ଲେଖିବ । ସେଇ ଚଳଚ୍ଚିତ୍ରରେ ‘ଗୁଡ଼ି’ ଉପରେ ଗୋଟିଏ ଗୀତ ରଖିବାକୁ ମୋର ଇଚ୍ଛା । ତେଣୁ ଏବେଠାରୁ ଅକ୍ଷୟ ଓ ତମେ ମିଶି ସେମିନାର ସ୍କୁଲ ପାଖ ମୁସଲମାନ ବସ୍ତିକୁ ଯାଇ ସେଠାରେ ଗୁଡ଼ି ଉଡ଼ାଉଥିବା ପିଲାମାନଙ୍କ ସହ ମିଶ । ଉଜିର, ସିକନ୍ଦର, ଅକ୍ଷୟ ଓ ତମେ ସେଇ ପିଲାମାନଙ୍କ ଠାରୁ ଗୁଡ଼ି ଉଡ଼ାଇବାର ଭାଷା, ଉଡ଼ାଇବାର ଟେକ୍ନିକ୍ ଆୟତ୍ତ କର ଓ ତାକୁ ଗୀତରେ ପ୍ରୟୋଗ କର । ଏବେଠାରୁ ଅକ୍ଷୟ ଓ ତମେ ଗୀତ ଲେଖା ଓ ସୁରର ଦାୟିତ୍ୱ ନିଅ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଗୀତ ରେକର୍ଡିଂ କରିବାକୁ ଧୀର କହିଯାଇଛି ।
ପରଦିନ- ଅର୍ଥାତ୍ ଏକ ରବିବାର ଅପରାହ୍ଣରେ ଆମେ ଚାଲିଲୁ ସେମିନାରୀ ସ୍କୁଲ୍ ଛକ ପାଖ ମୁସଲମାନ ବସ୍ତି ଆଡ଼େ । ସିକନ୍ଦର କେଶରପୁରରେ ରହୁଥିବାରୁ ଏବଂ ତା’ର ସାଇ ପିଲାଙ୍କ ସାଥୀରେ ଦୋସ୍ତିଥିବାରୁ ଆମେ ତାକୁ ମଧ୍ୟ ସାଥୀରେ ନେଇ ଗୁଡ଼ି ଗୀତ ଲେଖିବାର ଅଭିଯାନ ଆରମ୍ଭ କଲୁ ।
ପ୍ରଥମ ଦିନ ସାଇ ପିଲାଙ୍କ ସାଥୀରେ ଦୋସ୍ତି ଜମେଇଲୁ । ଅକ୍ଷୟ ସେମିନାରୀ ସ୍କୁଲ୍ ପାଚେରି ଭିତରେ ଥିବା ଘାସ ପଡ଼ିଆରେ ବସି ଗୀତ ଗାଇଲା । ଉଜିର ମିଆଁ ମାଉଥ ଅରଗାନ ବଜାଇ ଗୀତରେ ସହଯୋଗ କଲା । ସିକନ୍ଦର ଓ ମୁଁ ମଝିରେ ମଝିରେ ପାଳି ଧରିଲୁ । ସାଇ ପିଲାମାନେ ଆମକୁ ବେଢ଼ିଗଲେ । ଏତିକିବେଳେ ଆସିଲା କରମ ମିଆଁ । ତା’ ହାତରେ ଥିଲା ନଟେଇ ଓ ଗୁଡ଼ି । ଅକ୍ଷୟ ମତେ କହିଲା- ଆରେ କବି- ଲେଖି ଦେ ଭାଇ ଗୁଡ଼ି ଉପରେ ଗୋଟିଏ ଗୀତ । ସେଦିନ ଗୀତର ମୁଖଡ଼ା ବା ସ୍ଥାୟୀ ତିଆରି କରିବାରେ ବେଳ ଚାଲିଗଲା । ସନ୍ଧ୍ୟା ହେଲା । ଆମେ ସମସ୍ତେ ଚାଲିଲୁ ନ୍ୟାସନାଲ ମୁ୍ୟଜିକ ଆସୋସିଏସନ୍ । ସେଠାରୁ ଆକାଶବାଣୀ ଷ୍ଟୁଡିଓକୁ ଯାଇ କିଛି ସମୟ ବସି ଅକ୍ଷୟ ଗୋଟିଏ ଅନ୍ୟ ଗୀତ ସୁର କଲା । ରାତି ୯ଟା ପରେ ଆମେ ସମସ୍ତେ ଯେ ଯାହା ଘରକୁ ଫେରିଗଲୁ ।
ତା’ପର ଦିନ ସ୍କୁଲ ଓ ଅଫିସ୍ ଛୁଟି ପରେ ଆମେ ପୁଣି ଯାଇ ସେମିନାରୀ ସ୍କୁଲ୍ ପଡ଼ିଆରେ ହାଜର ହେଲୁ । ମନରେ ଗୁଡ଼ି ଗୀତ ଲେଖିବାର ନିଶା ଲାଗିଛି । ମୁଁ ଦୁଇ ତିନିଟା ମୁଖଡ଼ା ବା ସ୍ଥାୟୀ ପଦ ଲେଖି ନେଇଥିଲି । ଅକ୍ଷୟକୁ ପଦଗୁଡ଼ିକ ଦେଖାଇ କୋଉଟା ଠିକ୍ ହବ ବାଛିବାକୁ କହିଲି । ସେ ପସନ୍ଦ ମୁତାବକ ମୁଖଡ଼ା ସବୁ ସୁର କରିବାକୁ ଲାଗିଲା । ପାଖରେ ହାରମୋନିୟମ ନଥାଏ । ଖାଲି ଉଜିର ମହମ୍ମଦ ମାଉଥ ଅରଗାନ ବଜାଇ ଆମକୁ ସହଯୋଗ କରୁଥାଏ । ସେତିକିବେଳେ ଦଳେ ପିଲା ହାତରେ ଗୁଡ଼ି ଓ ନଟେଇ ଧରି ଗୁଡ଼ି ଉଡ଼ା ପ୍ରାକ୍ଟିସ୍ କରିବାକୁ ସେମିନାରୀ ସ୍କୁଲ୍ ହତାରେ ପଶିଲେ । ମୁଁ ଗୋଟିଏ କାଗଜ ଠୁଙ୍ଗାରେ କିଛି ଭଜା ଚିନାବାଦାମ ନେଇଥିଲି । ଆମେ ସବୁ ମିଶି ଚିନାବାଦାମ ଖାଇଲୁ ଓ ସେ ପିଲାମାନଙ୍କୁ ମୁଠାଏ ମୁଠାଏ ଭଜା ଚିନାବାଦାମ ଦେଇ ଆପ୍ୟାୟିତ କଲି । ସେମାନେ ଖୁସି ହୋଇ ଗୁଡ଼ି ଉଡ଼ା ପ୍ରାକ୍ଟିସ୍ କଲେ । ମୁଁ ତାଙ୍କ କଥିତ ଭାଷାକୁ ଲକ୍ଷ୍ୟ କରି ଖାତାରେ ଟିପି ରଖିଲି । ସେଦିନ ତାଙ୍କ ଭାଷାରୁ “ଗୁଡ଼ି କାନି ଖାଇବା’ ଓ ‘ଲଚକମାଣୀ’ ଦୁଇଟି ଶବ୍ଦ ଜାଣିଲି । ଘରକୁ ଆସି ସେଦିନ ରାତିରେ ଗୁଡ଼ି ଗୀତର ମୁଖଡ଼ାରେ ଆବଶ୍ୟକୀୟ ପରିବର୍ତ୍ତନ କରି ସେଇ ଶବ୍ଦ ଦୁଇଟା ମୁଖଡ଼ାରେ ପ୍ରୟୋଗ କଲି । ଏମିତି ଦୁଇଦିନ ବିତିଗଲା ।
ତୃତୀୟ ଦିନ କିଛି ବୁଟଭଜା କିଣି ନେଇ ସେମିନାରୀ ସ୍କୁଲ୍ ହତାରେ ପହଞ୍ଚିଲି । ସେତେବେଳକୁ ଅଫିସ୍ କାମ ସାରି ଅକ୍ଷୟ ଭୁବନେଶ୍ୱରରୁ କଟକ ଫେରିପାରି ନଥିଲା । ସନ୍ଧ୍ୟା ପରେ ଆମେ ସମସ୍ତେ ଏକାଠି ହେଲୁ ନିତାଇ ଦା’ ଘରେ । ସେଦିନ ଆସରରେ ଅକ୍ଷୟ ହାରମୋନିୟମ ସହଯୋଗରେ ଦୁଇ ତିନୋଟି ସ୍ଥାୟୀ ପଦ ଗାଇ ଶୁଣେଇଦେଲା । ନିତାଇ ଦା’, ଧୀରଭାଇ, ରାମକୃଷ୍ଣ ତ୍ରିପାଠୀ ଓ ଗୋରାଚାନ୍ଦ ମିଶ୍ର ସେଇ ସ୍ଥାୟୀ ପଦକୁ ପସନ୍ଦ କଲେ, ଯାହା ଗୁଡ଼ି ଗୀତ ରେକର୍ଡିଂ ବେଳେ ବ୍ୟବହୃତ ହୋଇଛି ।
ତା’ପର ଦିନ ୫ଟା ବେଳେ ମୁଁ ପୁଣି ସେମିନାରୀ ସ୍କୁଲ୍ ପଡ଼ିଆକୁ ଧାଇଁଲି । ସାଙ୍ଗରେ ଥିଲେ ସିକନ୍ଦର, ଉଜିର ଓ ଅକ୍ଷୟ । ସେଦିନ ଜଳଖିଆ ଆସିଲା ବରା, ଆଳୁଚପ୍, ପିଆଜି । ଆମେ ଖାଇଲୁ । ଗୁଡ଼ି ଉଡ଼ାଇବାକୁ ଆସିଥିବା ସାଇ ପିଲାମାନେ ମଧ୍ୟ ଖାଇଲେ । ପୁଣି ଚାଲିଲା ଗୁଡ଼ି ଉଡ଼ା । ଏତିକିବେଳେ ଜଣେ ଉଡ଼ାଉଥିବା ଗୁଡ଼ିର ସୂତା ଛିଡ଼ିଗଲା । ଅନ୍ୟ ପିଲାମାନେ କହିଲେ- ସେ ଗୁଡ଼ିର ସୂତା ନମ୍ବରୀ ସୂତା ନୁହେଁ । ମାଞ୍ଜା ମଧ୍ୟ ଠିକ୍ ସେ ଦିଆ ହୋଇନାହିଁ । ତେଣୁ ତା’ ଗୁଡ଼ି ସୂତା ଛିଡ଼ିଗଲା । ସେଦିନ ଦୁଇଟି ଶବ୍ଦ ମୁଁ ଶିଖିଲି । ତାହା ଥିଲା ‘ନମ୍ବରୀ ସୂତା’ ଓ ‘ମାଞ୍ଜା’ । ମାଞ୍ଜା କ’ଣ ବୋଲି ପଚାରିବାରୁ ପିଲାମାନେ କହିଲେ ଏକ ନମ୍ବର ସୂତାରେ କାଚଗୁଣ୍ଡ ଓ ଅଠା ଦେଇ ଖରାରେ ଶୁଖାଇ ମାଞ୍ଜା ଦବାକୁ ପଡ଼େ । ମାଞ୍ଜା ଠିକ୍ ଦିଆ ହୋଇଥିଲେ ଅନ୍ୟ ଲୋକ ଉଡ଼ାଉଥିବା ଗୁଡ଼ିର ସୂତାକୁ କାଟିଦିଏ ଓ ତା’ ଗୁଡ଼ିଟି କାନି ଖାଇ ଦୋହଲି ଦୋହଲି ତଳକୁ ଖସିପଡ଼େ ।
ସେଦିନ ସନ୍ଧ୍ୟା ପରେ ନିତାଇ ଦା’ ଘରେ “କିଏ କାହାର” ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ଆସର ବସିଲା । ଆଉ ଗୋଟାଏ ଗୀତ ପାଇଁ ସୁର ହେଲା । ନିତାଇ ଦା’ ମତେ ସେ ଗୀତର ସ୍ଥାନ, କାଳ, ପାତ୍ର ବୁଝାଇ ଦେଇ ଗୀତ ଲେଖିବାକୁ କହିଲେ । ଦୁଇ ତିନିଦିନ ପରେ ମୁଁ ସେଇ ଗୀତଟିକୁ ଲେଖି ସନ୍ଧ୍ୟାରେ ଆସରରେ ଅକ୍ଷୟକୁ ଦେଲି ଓ ସେ ସୁର ଦେଇ ଗୀତଟିକୁ ସମସ୍ତଙ୍କୁ ଶୁଣାଇ ଦେଲା । ତାହା ଥିଲା-
‘ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ- ଯାଏରେ
ଝୁରି ଝୁରି ଝରିଯାଏ ।’
ପରେ ପରେ ଦିନେ ଦୁଇଦିନ ଅନ୍ତରରେ ପ୍ରାୟ ୭/୮ ଥର ମୁଁ, ଅକ୍ଷୟ, ଆଲାମ ଓ ଉଜିର ସେମିନାରୀ ସ୍କୁଲ ପଡ଼ିଆକୁ ଯାଇଛୁ । ଗୁଡ଼ି ଗୀତ ଲେଖାରେ ସାଇ ପିଲାମାନେ ଆମକୁ ସାହାଯ୍ୟ ସହଯୋଗ କରିଛନ୍ତି । କେତୋଟି ଭିନ୍ନ ଭିନ୍ନ ଶବ୍ଦ ମଧ୍ୟ ମୁଁ ତାଙ୍କ ପାଖରୁ ଶିଖିଛି । ସେଇ ଶବ୍ଦଗୁଡ଼ିକ ହେଲା- କଲିକତି ନଟେଇ, ପେଞ୍ଚ ପଡ଼ିବା, ସୁରକି ଦବା, ଲୋଟଣୀ ଖାଇବା ଇତ୍ୟାଦି । ସେଠାରେ ମୁଁ ଜାଣିବାକୁ ପାଇଛି ଗୁଡ଼ିର ବିଭିନ୍ନ ନାମ । ଯଥା- ଠିକିରି, ପଟାଦାର, ସାପ, ଗଙ୍ଗାଯମୁନା ଇତ୍ୟାଦି ।
ଶେଷରେ ଗୁଡ଼ି ଗୀତ ଲେଖା ଶେଷ ହେଲା । ଗୁଡ଼ି ଉଡ଼ାଉଥିବା ଚରିତ୍ରରେ କିଏ ଅଭିନୟ କରିବେ ସେକଥା ଆଲୋଚନା ହେଲା । ବହୁ ହାସ୍ୟ ଅଭିନେତାଙ୍କ ନାମ ଉଠି ଶେଷରେ ଦିନେ ସନ୍ଧ୍ୟା ଆସରରେ ସର୍ବସମ୍ମତିକ୍ରମେ ହାସ୍ୟ ଅଭିନେତା ସାଗର ଦାସଙ୍କ ନାମ ସ୍ଥିର ହେଲା । ସପ୍ତାହକ ପରେ ଆମେ ସବୁ ଧୀରଭାଇଙ୍କ ସାଙ୍ଗରେ ଚାଲିଲୁ କଲିକତାର ଟେକ୍ନିସିଆନ୍ ଷ୍ଟୁଡ଼ିଓ । ରେକର୍ଡିଂ ପରେ ଆମେ ସବୁ ଶୁଣିଲୁ ସେ ଗୀତ । ଅନ୍ୟ କାର୍ଯ୍ୟ ଉପଲକ୍ଷେ ଶାରଦା ପ୍ରସନ୍ନ ନାୟକ ଓ ବଙ୍ଗଳାର ବିଶିଷ୍ଟ ଅଭିନେତା ଉତ୍ତମ କୁମାର ସେଦିନ ଟେକ୍ନିସିଆନ ଷ୍ଟୁଡିଓରେ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ଗୀତଟିକୁ ୨/୩ଥର ଶୁଣିଲେ । ସମସ୍ତେ ବହୁତ ପସନ୍ଦ କଲେ ଗୀତଟିକୁ । ଉତ୍ତମ କୁମାର ମନ୍ତବ୍ୟରେ କହିଲେ- ଗାନ୍ଟା ଦାରୁନ ହିଟ୍ କରବେ- ଦାଦା । ସେକଥା ସବୁ ଏବେବି ମୋର ମନେପଡ଼େ ।
ସେତେବେଳେ ସେଦିନଗୁଡ଼ିକରେ ଅଫିସ୍ ପରେ ସନ୍ଧ୍ୟାରେ କେତେବେଳେ କବିଚନ୍ଦ୍ର କାଳୀଚରଣଙ୍କ ଘରେ, କେତେବେଳେ ନ୍ୟାସନାଲ ମୁ୍ୟଜିକ୍ ଆସୋସିଏସନ୍, କଳାବିକାଶ କେନ୍ଦ୍ର ବା କଟକ ମଧୁପୁର କୋଠି ଆକାଶବାଣୀ ଭବନରେ ଆମର ସନ୍ଧ୍ୟା ଆସର ବସୁଥିଲା । ଗୀତ ଲେଖିବା, ସୁର କରିବା, ସେକେଣ୍ଡ ସୋ’ ସିନେମା ଦେଖିବା ଓ ରାତି ଦଶଟା ପରେ ଦରଘା ବଜାର ଆଧୁନିକ ମିଷ୍ଟାନ୍ନ ଭବନ ସାମ୍ନା ରାସ୍ତାରେ ଠିଆ ହୋଇ କଫି ପିଇବାରେ ଯେଉଁ ଆନନ୍ଦ- ତାହା ଆଜି ଆଉ ଖୋଜିଲେ ମିଳୁନି । ଆଜି ଆଧୁନିକ ମିଷ୍ଟାନ୍ନ ଭଣ୍ଡାର ଭାଙ୍ଗି ଗଲାଣି । ମଧୁପୁର କୋଠିରୁ ଆକାଶବାଣୀ ତା’ର ନିଜସ୍ୱ ଭବନକୁ ସ୍ଥାନାନ୍ତରିତ ହେଲାଣି । ସେଦିନର ଲେଖା ଗୁଡ଼ି ଗୀତ, ସାପୁଆ କେଳା ଗୀତ, ଗୁରୁବାର ଲୋ ଗୁରୁବାରୀ, ଚିତାକୁଟା ପଲ୍ଲୀସ୍ୱର ଗୀତ ସବୁ ଆଜି ସ୍ମୃତି ହୋଇ ରହିଯାଇଛି । କଟକ ଆକାଶବାଣୀ ମଧ୍ୟ ପଲ୍ଲୀସ୍ୱର ଗୀତ ଆଉ ପ୍ରାୟ ବଜାଉ ନାହାନ୍ତି । ପୁରୁଣା ସ୍ମୃତି, ପୁରୁଣା ଐତିହ୍ୟ ସବୁ ଲୋପ ପାଇବାକୁ ବସିଲାଣି ।
କାଳର କରାଳ ଗର୍ଭରେ ଲୀନ ହୋଇଗଲେଣି କବିତଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ସଙ୍ଗୀତ ସୁଧାକର ବଳାକୃଷ୍ଣ ଦାଶ, ପଣ୍ଡିତ ଭୁବନେଶ୍ୱର ମିଶ୍ର, ନରସିଂହ ମହାପାତ୍ର, ପରଶୁରାମ ପଟ୍ଟନାୟକ, ଗୋବିନ୍ଦ ରଥ, ଅକ୍ଷୟ ମହାନ୍ତି, ଶ୍ରୀବତ୍ସ ପଟ୍ଟନାୟକ, ସିକନ୍ଦର ଆଲାମ- ଏମିତି କେତେ କଳାକାର, ଗୀତିକାର, ସଙ୍ଗୀତକାରମାନେ । ହେଲେ ଏବେବି ମୁଁ ଜୀବନ ଗୁଡ଼ିର ସୂତାରେ ସ୍ମୃତିର ମାଞ୍ଜା ଦେଇ ଅତୀତକୁ ଖୋଜୁଛି । ହେଲେ ମରମ ତଳେ ଅତୀତ ଯେ ‘ମରେନା- ଦହନ ଯେ ସରେନା’ । ହାୟରେ ଜୀବନ । ହାୟରେ- ମୋର ଅଭୁଲା ଅତୀତ ।
[…] […]