ନାରୀ କେତେବେଳେ ମା’, କେବେ ପତ୍ନୀ, ଆଉ ପୁଣି କେବେ ଭଗିନୀ । ଏଭଳି ଭିନ୍ନ ଭିନ୍ନ ଭୂମିକାରେ ଥିବା ମହିଳାମାନେ ସେମାନଙ୍କ ଦକ୍ଷତା, ନିଷ୍ଠାପରତା, ଏକାଗ୍ରତା ସେବା, ସ୍ନେହ ପାଇଁ ସ୍ମରଣୀୟା ହୋଇଥାନ୍ତି । ସମାଜ ଭିତରେ ସ୍ୱତନ୍ତ୍ର ପ୍ରେରଣା ସୃଷ୍ଟିକାରିଣୀ ଏଭଳି କିଛି ମହିଳାଙ୍କ ବିଷୟରେ ଶୋଭନାର ଏହି ଆଲେଖ୍ୟ ।
‘ଡକ୍ଟର ଦାଦି’ ଭକ୍ତି ଯାଦବ
ସେବାର ଯେମିତି ସୀମିତତା ନଥାଏ, ସେମିତି ନଥାଏ ବୟସର ପରିସୀମା । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏଭଳି ଜଣେ ୯୧ ବର୍ଷିୟା ସ୍ତ୍ରୀରୋଗ ବିଶେଷଜ୍ଞ ହେଲେ ଡାକ୍ତର ଭକ୍ତି ଯାଦବ । ବୟସାଧିକ ଯୋଗୁ ଏବେ ତାଙ୍କ ହାତ ଥରିବାରେ ଲାଗିଛି, ହେଲେ ସେବା ଭାବନା ମନରୁ କମିନାହିଁ । ଆର୍ଥକ ଦୃଷ୍ଟିରୁ ଦୁର୍ବଳ ଥିବା ୩-୪ ଜଣ ମହିଳାଙ୍କୁ ସେ ପ୍ରତିଦିନ ଚିକିତ୍ସା କରିବା ସହ ପ୍ରସବ କରାଇଥାନ୍ତି । ଚିକିତ୍ସାପାଇଁ ସେ କୌଣସି ଫିସ୍ ମଧ୍ୟ ନେବାକୁ ଚାହାନ୍ତି ନାହିଁ । ୧୯୪୮ ମସିହାରୁ ଆଜିଯାଏ ୬୯ବର୍ଷ ଧରି ସେ ଟିକିତ୍ସା କରି ଆସୁଛନ୍ତି । ମଧ୍ୟପ୍ରଦେଶର ଶିଳ୍ପ ନଗରୀ ଇନ୍ଦୋର ସହରର ସେ ହେଉଛନ୍ତି ପ୍ରଥମ ଡିଗ୍ରୀଧାରୀ ମହିଳା ଡାକ୍ତର । ତାଙ୍କ ସ୍ୱାମୀ ଚନ୍ଦ୍ରସିଂହ ଯାଦବ ଜଣେ ସମର୍ପିତ ସେବା ଭାବର ଡାକ୍ତର ଥିଲେ । ସେ ସରକାରୀ ଚାକିରି ନକରି ଇନ୍ଦୋରର ଏକ ଡାକ୍ତରଖାନାରେ କାର୍ଯ୍ୟକରିବାକୁ ପସନ୍ଦ କରିଥିଲେ । ଲୋକେ ତାଙ୍କୁ ଶ୍ରଦ୍ଧାରେ ମଜଦୁରଙ୍କ ଡାକ୍ତର ବୋଲି ଡାକୁଥିଲେ । ଚନ୍ଦ୍ରସିଂହଙ୍କ ପ୍ରତି ଲୋକଙ୍କ ମନରେ ଥିବା ଶ୍ରଦ୍ଧା ଭକ୍ତି ଯାଦବଙ୍କୁ ସେବାବ୍ରତୀ ହେବାଲାଗି ପ୍ରେରଣା ଦେଇଥିଲା । ଇନ୍ଦୋରର ବାତ୍ସଲ୍ୟ ନର୍ସିଂ ହୋମ ତାଙ୍କ ଘରେ ହିଁ ଆରମ୍ଭ କରି ଆଜିଯାଏ ସେ ଚିକିତ୍ସା କରି ଆସୁଛନ୍ତି । ଲୋକେ ତାଙ୍କୁ ଶ୍ରଦ୍ଧାରେ ଡାକ୍ତର ଦାଦି ଡାକିଥାନ୍ତି । ସେବାକୁ ଧର୍ମ ଭାବେ ଗ୍ରହଣ କରିଥିବା ସେଠାରେ ଭକ୍ତି ଯାଦବଙ୍କୁ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ଯୋଦ୍ଧା ଗୁରୁମା ମୀନାକ୍ଷୀ ଆମ୍ମା
ଭାରତୀୟ ସମରକଳାର ବୟସ୍କା ପ୍ରଶିକ୍ଷିକା ୭୭ବର୍ଷିୟା ମୀନାକ୍ଷୀ ଆମ୍ମାଙ୍କୁ ଏବେ ଖଣ୍ଡାଧରି ଲଢିବା ମୁଦ୍ରାରେ ଯିଏ ଦେଖିବ ସେ ଚକିତ ହେବ । ସେଥିପାଇଁ ତାଙ୍କର ଏକ ଭିଡିଓ ୟୁଟୁ୍ୟବରେ ୧୨ଲକ୍ଷ ଲୋକ ଦେଖି ପସନ୍ଦ କରିଥିଲେ । ଆମ୍ନା କେରଳର ପ୍ରସିଦ୍ଧ ସମରକଳା କଲାରୀପୟଟ୍ଟୁର ସବୁଠୁ ବୟସ୍କା ପ୍ରଶିକ୍ଷିକା । ଦୀର୍ଘ ୬୮ବର୍ଷ ଧରି ସେ ଏହି କଳା ସଂପର୍କରେ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ତାଙ୍କ ପ୍ରଶିକ୍ଷଣ କେନ୍ଦ୍ର କଲାରୀ ସଂଗମରେ ଏବେ ୧୫୦ରୁ ଅଧିକ ଶିକ୍ଷାର୍ଥୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରୀ । ଜୁନ୍ରୁ ସେପ୍ଟେମ୍ବର ଯାଏ ଏଠାରେ ପ୍ରତିବର୍ଷ ଦିନରେ ତିନିଥର ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ୭ବର୍ଷ ବୟସରୁ ଏହି କଳା ଶିକ୍ଷାକରି କଳାର ବିକାଶ ଓ ପ୍ରସାରରେ ଆମ୍ମା ଆଜିଯାଏ ନିଜକୁ ଉତ୍ସର୍ଗ କରି ଆସିଛନ୍ତି । ତାଙ୍କର ଏକନିଷ୍ଠ କଳା ସାଧନା ଓ କଳାର ବିକାଶ ପାଇଁ ସହଯୋଗ ଯୋଗୁ ଭାରତ ସରକାର ଆମ୍ମାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ।
ଶିକ୍ଷାପାଇଁ ସମର୍ପିତା ନିବେଦିତା ଭିଡେ
ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଜନ୍ମିତା ଜଣେ ଯୁବତୀ ସୁଦୂର ଉତ୍ତର ପୂର୍ବାଞ୍ଚଳରେ ଶିକ୍ଷାର ଆଲୋକ ଜଳାଇ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଯେ ହେବେ ତାହା କେହି ମନେ କରିନଥିଲେ । ୧୯୭୭ରେ ତାମିଲନାଡୁର କନ୍ୟାକୁମାରୀଠାରେ ପ୍ରତିଷ୍ଠିତ ବିବେକାନନ୍ଦ କେନ୍ଦ୍ରରେ ସର୍ବଭାରତୀୟ ସମ୍ପାଦିକା ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ମାର୍ଗଦର୍ଶନରେ ୧୯୭୮ରୁ ୧୯୮୫ ପର୍ଯ୍ୟନ୍ତ ଦକ୍ଷିଣ ତାମିଲନାଡୁର ସୁଦୂର ଗ୍ରାମଗୁଡିକରେ ଶିକ୍ଷାର ପ୍ରସାର ହୋଇଥିଲା । ୧୯୯୩ରୁ ୨୦୦୦ ମଧ୍ୟରେ ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ ୪୭ରୁ ଅଧିକ ବିଦ୍ୟାଳୟ ଖୋଲି ସେ ଶିକ୍ଷାର ପ୍ରସାର କରିଥିଲେ । ଆଜି ସେଠାରେ ୬୫ଟି ସ୍କୁଲ ହେଲାଣି । ନିବେଦିତାଙ୍କ ରଚିତ ସ୍ୱାମୀ ବିବେକାନନ୍ଦ ଇନ ଆମେରିକା, ଲାଇଫ ଏଣ୍ଡ ମେସେଜ ଅଫ୍ ସ୍ୱାମୀ ବିବେକାନନ୍ଦ । ଗୀତା ଫର ଡେଲି ଲାଇଫ ଆଦି ପୁସ୍ତକଗୁଡିକ ବହୁଚର୍ଚ୍ଚିତ ସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରିଥିବା ୫୯ ବର୍ଷିୟା ନିବେଦିତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ଅଲମ୍ପିକ ରାଣୀ ଦୀପା କର୍ମକାର
ପ୍ରଥମ ଭାରତୀୟ ଆଥଲେଟ ଭାବେ ଫାଇନାଲରେ ପ୍ରବେଶକରି ୪ର୍ଥସ୍ଥାନରେ ରହିବା ସତ୍ତ୍ୱେ ୨୩ବର୍ଷିୟା ଦୀପା କର୍ମକାର ସାରାଦେଶର ଆକର୍ଷଣ ପାଲଟିଯାଇଛନ୍ତି । ତ୍ରିପୁରାର ଅଗରତଲାରେ ରହୁଥିବା ଦୀପାଙ୍କ ଏହି ସଂଘର୍ଷ କିଛି ସହଜସାଧ୍ୟ ନଥିଲା । ସେ ଅଭ୍ୟାସ କରୁଥିବା ଜିମ୍ରେ ଭୋଲଟିଂ ଟେବୁଲ ନଥିଲା । ଆରମ୍ଭରୁ ଏକ ସ୍କୁଟର ଗଦିକୁ ନେଇ ସେ ଅଭ୍ୟାସ କରିଥିଲେ । ତଳେ ପଡିଗଲେ ହାତଗୋଡ ଭାଙ୍ଗିଯିବାର ସମ୍ଭାବନା ଥିଲା । ଏପରି ସ୍ଥିତିରେ ଜଣେ ୪ରୁ ୫ଥର ଅଭ୍ୟାସ କରିପାରିବ । ମାତ୍ର ଦୀପା ୭୫ରୁ ୮୦ ଭୋଲଟ୍ ଅଭ୍ୟାସ କରୁଥିଲେ । ବର୍ଷାଦିନେ ଜିମ୍ରେ ପାଣି ଭରିଗଲା ପରେ ମୂଷା, ଅସରପା ରାଜ କରୁଥିଲେ । ତଥାପି ସେଥିପ୍ରତି ଦୃଷ୍ଟି ନଦେଇ ସେ ତାଙ୍କ ଅଭ୍ୟାସ ଜାରି ରଖୁଥିଲେ ।
କୋଚ ବିଶେଶ୍ୱର ନନ୍ଦି ଦୀପାଙ୍କୁ ଯେବେ ପ୍ରୋଡୁନୋଭା ଭୋଲଟମାରି ଅଭ୍ୟାସ କରିବାକୁ କହିଲେ ଜିମ୍ରେ ସେଥିପାଇଁ ଫୋମଯୁକ୍ତ ଗଦିନଥିଲା । ତେଣୁ ତଳେ ଚଟେଇପାରି ଅଭ୍ୟାସ କରିବାକୁ ହେଉଥିଲା । କେନ୍ଦ୍ର କ୍ରୀଡାମନ୍ତ୍ରୀ ସର୍ବାନନ୍ଦ ସୋନା ୱାଲ ଏକଦା ଅଗରତାଲା ଆସିଥିବା ସମୟରେ ବିମାନବନ୍ଦରକୁ ଯାଇ ଅସୁବିଧା ବିଷୟରେ କହିଲାପରେ ସେ ଦିଲ୍ଲୀକୁ ଆସି ଅଭ୍ୟାସ କରିବାକୁ କହିଲେ । ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରିଦେଲେ । ଫଳରେ ଅଲମ୍ପିକ ପୂର୍ବ ୯୦ଦିନରେ ୧୦୦୦ ସମରସଲଟ କରିବାକୁ ସେ ସକ୍ଷମ ହୋଇଥିଲେ । ସାମାନ୍ୟ ତ୍ରୁଟିରେ ଦୀପା ଅଲମ୍ପିକରେ ୪ର୍ଥ ସ୍ଥାନ ହାସଲ କରିଥିଲେ ହେଁ ଜିମ୍ନାଷ୍ଟିକରେ ସେ ଫାଇନାଲକୁ ଯାଇ ୫୨ବର୍ଷର ଇତିହାସରେ ପ୍ରଥମ ଖେଳାଳି ହେବାର ଗୌରବ ଅର୍ଜନ କରିପାରିଥିଲେ । ଆଜି ଦୀପାଙ୍କ ପାଇଁ ଅନ୍ୟ ପ୍ରଦେଶମାନଙ୍କରେ ଅନେକ ଜିମ୍ନାଷ୍ଟିକ୍ସକୁ ଆସିବାପାଇଁ ଇଛା ପ୍ରକାଶ କଲେଣି ।
ମାଛଧରା ପ୍ରଶିକ୍ଷିକା ସୁହାସିନୀ
ତାମିଲନାଡୁର ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟରେ ୨୦୧୦ରେ ଗଢାଯାଇଥିଲା ନାମ ଫାଉଣ୍ଡେସନ । ମାଗଣା ରାଜ୍ୟ ତାମିଲନାଡୁରେ ଲୋକଙ୍କ ଦାରିଦ୍ର୍ୟରୁ ନେତାମାନେ ବେଶ ରାଜନୀତିକ ଲାଭ ହାସଲ କରୁଥିବାସ୍ଥଳେ ସେମାନଙ୍କୁ ସ୍ୱାଭିମାନୀ ଓ ଆତ୍ମନିର୍ଭର କରି ଗଢି ତୋଳିବାଲାଗି ଯଦି କେହି ପ୍ରୟାସ କରୁଥାଏ ସେ ହେଉଛି ନାମ ଫାଉଣ୍ଡେସନ । ପାରିବାରିକ ଓ ସାମାଜିକ ସମସ୍ୟାର ସମାଧାନ କରି ମହିଳାମାନଙ୍କୁ ସଶକ୍ତ କରିବାପାଇଁ ୫୫ ବର୍ଷିୟା ସୁହାସିନୀ ମଣିରତ୍ନମ୍ ଏଥିପାଇଁ ନିରନ୍ତର ପ୍ରୟାସ କରିଚାଲିଛନ୍ତି । ବିଶେଷ କରି ଉତ୍ପୀଡନରୁ ରକ୍ଷାପାଇବାପାଇଁ ସଂସ୍ଥା ମହିଳାଙ୍କୁ ଆତ୍ମନିର୍ଭର କରାଉଛି । ସେମାନଙ୍କୁ ପରିବାର ମଧ୍ୟରେ ସ୍ୱାଭିମାନର ସହ ବଞ୍ଚିବାର ରାସ୍ତା ଦେଖାଉଛି ।
ଏଡ୍ସ ରୋଗର ଗବେଷିକା ସୁନୀତି ସୋଲୋମନ
ବୋଧହୁଏ ଅନେକଙ୍କୁ ଜଣାନଥିବ ଯେ ୧୯୮୫ରେ ପ୍ରଥମକରି ଭାରତରେ ଏଡ୍ସରୋଗକୁ ଚିହ୍ନଟ କରିଥିଲେ ଡାକ୍ତର ସୁନୀତି ସୋଲୋମନ, ସେବେଠାରୁ ଜୀବନର ଶେଷଯାଏ ସେ ତାମିଲନାଡୁର ଚେନ୍ନାଇଠାରେ ୱାଇ. ଆର. ଗାୟତୋଣ୍ଡେ କେନ୍ଦ୍ର ସ୍ଥାପନା କରି ଭାରତରେ ଏଡ୍ସରୋଗର ନିୟନ୍ତ୍ରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଏଡ୍ସ ରୋଗ ସଂପର୍କରେ ସଚେତନତା ଓ ଚିକିତ୍ସା ସେ ତାଙ୍କର କାର୍ଯ୍ୟ ଜାରି ରଖିଥିଲେ ।
ମାତୃରୂପା ଅନୁରାଧା କୋଇରାଲା
ଭାରତ ଓ ନେପାଳର ସୀମାନ୍ତରେ ଥିବା ସଡକ ଦେଇ ପ୍ରତିବର୍ଷ ପ୍ରାୟ ୧୦,୦୦୦ ମହିଳାଙ୍କୁ ·ଲାଣ ହୋଇଥାଏ । ଭାରତ ଏବଂ ଭାରତ ବାହାରେ ଏମାନଙ୍କୁ ଯୌନ କର୍ମୀଭାବେ ବ୍ୟବହାର କରିବାଲାଗି ଅପହରଣ କରାଯାଇଥାଏ । ଏହି କନ୍ୟା ଓ ମହିଳା ତସ୍କର ମାନଙ୍କ ବିରୁଦ୍ଧରେ ନେପାଳର ଗୁମଜାତାରଠାରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ମାଇତି ନେପାଳ ଗଠନ କରି କାର୍ଯ୍ୟ କରୁଛନ୍ତି ୬୮ବର୍ଷିୟା ଅନୁରାଧା କୋଇରାଲା । ଚୋରଙ୍କ କବଳରୁ ସେ ପ୍ରାୟ ୪୫,୦୦୦ ଝିଅଙ୍କୁ ରକ୍ଷାକରି ପାରିଛନ୍ତି । ୧୨,୦୦୦ ମହିଳାଙ୍କୁ ଯୌନକର୍ମରୁ ମୁକ୍ତ କରିଛନ୍ତି । ତାଙ୍କର ଦୃଢସଂକଳ୍ପ, ଅଦମ୍ୟସାହସ, ଉପେକ୍ଷିତା ଓ ପୀଡିତାଙ୍କ ପ୍ରତି ସମ୍ବେଦନଶୀଳତାକୁ ନଦେଖିଲେ କେବି ବୁଝିପାରିବନାହିଁ ତାଙ୍କ ସମର୍ପଣ ଭାବକୁ । ନେପାଳ-ଭାରତ ସୀମାନ୍ତର ରାସ୍ତାରୁ କନ୍ୟା·ଲାଣକାରୀଙ୍କଠାରୁ ଝିଅମାନଙ୍କୁ ମୁକ୍ତ କରିବାପରି ସାହସୀ କାର୍ଯ୍ୟ ପାଇଁ ସେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
ଶବ’ର ସେବିକା ଶ୍ରୁତି ରେଡ୍ଡୀ
ସଫଟ୍ୱେର ଇଞ୍ଜିନିୟର ଶ୍ରୁତି ଯେତେବେଳେ ଶବସେବା କଥା ଚିନ୍ତାକଲେ ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ କେହି ଏହାକୁ ଗ୍ରହଣ କରି ପାରିଲେ ନାହିଁ । ଶବର ସତ୍କାର ପାଇଁ ଆମ ଦେଶରେ ଭଲ ବ୍ୟବସ୍ଥା ନଥିବା ଲକ୍ଷ୍ୟ କରି ଶ୍ରୁତି ଅନ୍ତ୍ୟେଷ୍ଟି ଫୁନେରାଲ ସର୍ଭିସେସ ନାମକ ଏକ ଷ୍ଟାର୍ଟ ଅପ୍ ଅନୁଷ୍ଠାନ କୋଲକାତାରେ ଆରମ୍ଭ କଲେ । ୩୧ ବର୍ଷିୟା ଶ୍ରୁତି ଶ୍ମଶାନ ନିକଟରେ ଖୋଜ ଖବର ନେବା ପାଇଁ ଯିବା ସମୟରେ ଏ କ୍ଷେତ୍ରରେ ପୂର୍ବରୁ କାମକରୁଥିବା ଲୋକେ ତାଙ୍କୁ ସନ୍ଦେହ କଲେ । କାରଣ ଶବବୁହା ଗାଡି, ଭ୍ୟାନ ପରିଚାଳକ ଓ ଶୀତଳୀକରଣ ବାକ୍ସ ଦେଉଥିବା ଲୋକେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କଲେ । ଏବେ ଏହି ନୂଆକାର୍ଯ୍ୟ ପାଇଁ ସେ ଖୁସି ଅଛନ୍ତି । ୨୪ଘଣ୍ଟିଆ ଶବସେବା ପ୍ରଦାନ କରିବା ଲକ୍ଷ୍ୟରେ ସେ କାର୍ଯ୍ୟ କରୁଛନ୍ତି ।
ନମଦାବୁଣାର ବିଶେଷଜ୍ଞ ଆରିଫାଜାନ
ବୁଣାକାରମାନଙ୍କ ହସ୍ତକଳା ମଧ୍ୟରୁ ଅନ୍ୟତମ କାଶ୍ମୀରର ନମଦା କଳା ଅନ୍ୟତମ । ଏହାକୁ ବଞ୍ଚାଇ ରଖିବା ସହ ସମୟ ସହ ତାଳ ଦେଇ ଏଥିରେ ଉନ୍ନତି ଆଣି ଯିଏ ସଫଳ ହୋଇଛନ୍ତି ସେ ହେଲେ ଶ୍ରୀ ନଗରର ଆରିଫାଜାନ । ୩୧ବର୍ଷିୟା ଆରିଫା ଶ୍ରୀନଗରର ନବାକଦଳ ଅଞ୍ଚଳରେ ରୁହନ୍ତି । ଏହି ସ୍ଥାନ ହିଂସା, ପଥରମାଡ, ଅଗ୍ନିକାଣ୍ଡ, ଲୁଟପାଟପାଇଁ କୁଖ୍ୟାତି ଅର୍ଜନ କରିଛି । କିନ୍ତୁ ଏକ ହସ୍ତଶିଳ୍ପ କଳାରେ ପ୍ରଶିକ୍ଷଣ ନେବାପରେ ତାଙ୍କୁ ନମଦାକଳାର ସୁରକ୍ଷା ଓ ବିକାଶର ଦାୟିତ୍ୱ ମିଳିଥିଲା । ୫୦ବର୍ଷ ଧରି ଏହି କଳାର ବିକାଶ ବେଶି କିଛି ହୋଇନଥିଲା । ବହୁକଷ୍ଟରେ ଆରିଫା ନିଜର ହସ୍ତତନ୍ତ୍ର ୟୁନିଟ ଆରମ୍ଭ କରିଥିଲେ । ଏବେ ପ୍ରାୟ୨୫ ଜଣ ବୁଣାକାର ତାଙ୍କ ୟୁନିଟ୍ରେ କାର୍ଯ୍ୟ କରୁଛନ୍ତି । ବୁଣାକାର ପରିବାରର ସମ୍ମାନ ସମାଜରେ ଭଲନାହିଁ । ସେଥିରେ ପରିବର୍ତ୍ତନ ଆଣିବାଲାଗି ଆରିଫା ପ୍ରୟାସ ଚଳାଇଛନ୍ତି ।
ପରୀକଥାର ଅନ୍ୟନାମ ଜ୍ୟୋତି ରେଡ୍ଡୀ
ଇଛାଶକ୍ତି ଥିଲେ ମଣିଷ ଅନେକ କିଛି କରିପାରେ, ସଫଳତାର ଶୀର୍ଷକୁ ଯାଇପାରେ । ଏହାର ପ୍ରମାଣ ଜ୍ୟୋତି ରେଡଡୀ । ଆନ୍ଧ୍ରପ୍ରଦେଶର ୱାରାଙ୍ଗାଲ ଜିଲ୍ଲାର ଛୋଟଗ୍ରାମ ମୌଲାରମର ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାରିଦ୍ର୍ୟ ଯୋଗୁ ତାଙ୍କୁ ଅନାଥାଳୟରେ ରହି ପାଠ ପଢିବାକୁ ହୋଇଥିଲା । ୧୦ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲାପରେ ବିବାହ । ବିବାହ ପରେ ଦୁଇଟି ଝିଅଙ୍କର ସେ ମାଆ ହୋଇଥିଲେ । ୧୮ବର୍ଷରେ ଦୁଇଟି ପିଲାର ମାଆ ହେବାପରେ ପିଲାଙ୍କ ପାଇଁ ଚିନ୍ତାକରି ସେ ଚାଷ ଜମିରେ ଶ୍ରମିକ ହେବାକୁ ବାଧ୍ୟ ହେଲେ । ଦିନକୁ ମାତ୍ର ୫ଟଙ୍କା ସେବେ ମିଳୁଥିଲା । ପରେ ନେହେରୁ ଯୁବକେନ୍ଦ୍ରର ବୟସ୍କ ପ୍ରଶିକ୍ଷଣ ନେଇ ମାସିକ ୧୨୦ଟଙ୍କା ବେତନରେ କାର୍ଯ୍ୟକଲେ । ସ୍ୱେଚ୍ଛାସେବୀ ଭାବେ ମାସିକ ୧୯୫ଟଙ୍କାରେ କାର୍ଯ୍ୟ କରିଥିଲେ ।
ଗୋଟିଏ ବିଦ୍ୟାଳୟରେ କ୍ରାଫ୍ଟ୍ ଶିକ୍ଷୟିତ୍ରୀ ଭାବେ ମାସିକ ୩୯୮ଟଙ୍କା ବେତନରେ ଚାକିରି କରି ୧୯୯୨ ବେଳକୁ ସ୍ଥାୟୀ ହେବା ଯୋଗୁ ୨୭୦୦ଟଙ୍କା ବେତନ ପାଇଲେ । ଏଣେ ଶିକ୍ଷା ମଧ୍ୟ ଜାରି ରଖିଲେ । ୧୯୯୬ ବେଳକୁ କନ୍ୟାଶିଶୁ ବିକାଶ ଅଧିକାରୀକୁ ପଦୋନ୍ନତି ହେଲା । ୨୦୦୦ବେଳକୁ ଜଣେ ବାନ୍ଧବୀ ମାଧ୍ୟମରେ ସେ ଆମେରିକାକୁ ଚାଲିଯାଇଥିଲେ । ସେଠାରେ ପେଟ୍ରୋଲ ପମ୍ପ, ଭିଡିଓ ଦୋକାନ, ଫିନିକ୍ସ ସହରରେ ଆୟାଭାବେ ମଧ୍ୟ କାର୍ଯ୍ୟକଲେ । ସାଉଥ କାରୋଲିନାରେ ସଫଟ୍ୱେର ରିକ୍ରୁଟର ଏବଂ ପରେ ଭର୍ଜିନିଆରେ ଏକ କମ୍ପାନୀରେ ସେହି ପଦବୀରେ କାର୍ଯ୍ୟ କଲେ ।
୨୦୦୨ରେ ଫିନିକ୍ସରେ କୀ ସଫ୍ଟୱେର ସଲୁ୍ୟସନ ନାମରେ ନିଜର ଏକ କମ୍ପାନୀ ଖୋଲିଲେ । ଆରମ୍ଭରେ ଜଣେ ଗୁଜରାଟୀ ଯୁବକକୁ ନେଇ ସେ କାର୍ଯ୍ୟାରମ୍ଭ କଲେ । ଆଉ ଆଜି ପ୍ରାୟ ୧୦୦ଜଣ କର୍ମଚାରୀ ତାଙ୍କ ପାଖରେ ଅଛନ୍ତି । ଆରିଜୋନା ଓ ଫିନିକ୍ସରେ ତାଙ୍କର ଦୁଇଟି ଦୋକାନ ରହିଛି । ବାର୍ଷିକ ୧୪ରୁ ୧୫ ମିଲିଅନ୍ ଡଲାରର ବ୍ୟବସାୟ ହେଲାଣି । ୪୭ବର୍ଷ ବୟସରେ ଜ୍ୟୋତି ଢେର ସଫଳତା ଲାଭ କଲେଣି । ୯୨ଟି ଦେଶରେ କାର୍ଯ୍ୟରତ ଆନ୍ତର୍ଜାତିକ ଯୁବ ଫେଲୋସିପ୍ର ସେ ରାଜଦୂତ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରତବର୍ଷ ତେଲେଙ୍ଗାନାରେ ୧,୦୦,୦୦୦ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରୁଛନ୍ତି । ମାନସିକ ରୂପେ ଦୁର୍ବଳ ୨୪୦ ପିଲାଙ୍କ ଲାଳନପାଳନ ଖର୍ଚ୍ଚ ସେ ଦେଉଛନ୍ତି । ୱାରଙ୍ଗଲର ୬୦ଟି ସ୍ୱେଚ୍ଛାସେବୀ ସଂଗଠନର ସେ ଉପଦେଷ୍ଟା ଭାବେ ରହିଛନ୍ତି । ଟାଇମସ୍ ନାଓ ଚାନେଲ ପକ୍ଷରୁ ତାଙ୍କୁ ଗ୍ଲୋବାଲ ଇଣ୍ଡିଆନ୍ ପୁରସ୍କାର ପ୍ରଦାନ କରାଯାଇଛି । ସମୟଥିଲା ସେ ୬ରୁ ୧୦ମ ଶ୍ରେଣୀଯାଏ ଜୋତାହଳେ ପିନ୍ଧିବାକୁ ପାଇନଥିଲେ । କିନ୍ତୁ ଆଜି ସେ ହଜାର ହଜାର ପିଲାଙ୍କୁ ଜୋତା କିଣି ଦେଇପାରୁଛନ୍ତି । ଏହାହିଁ ତାଙ୍କ ପାଇଁ ଆନନ୍ଦର ବିଷୟ ।