ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବାରର ଐଶ୍ୱର୍ଯ୍ୟର ପରିଚାୟକ । ମହିଳାମାନେ ସୁସ୍ଥ ରହି ସାରା ପରିବାରକୁ ସୁସ୍ଥ ରଖିଲେ ହିଁ ପରିବାର ଓ ସମାଜ ସୁନ୍ଦର ଦିଶିଥାଏ । ତେବେ ମହିଳାମାନେ ଘରର ସମସ୍ତଙ୍କର ଯତ୍ନ ନେଉ ନେଉ ନିଜର ଯତ୍ନ ନେବାକୁ ଭୁଲିଯାଆନ୍ତି । ଅନ୍ୟମାନଙ୍କ ପାଇଁ ରାନ୍ଧିବାଢ଼ି ଖାଦ୍ୟ ପରଷୁ ପରଷୁ ସବୁ ସମୟ ଚାଲିଯାଏ ସିନା ନିଜେ ଠିକ୍ରେ ଖାଇପାରନ୍ତି ନାହିଁ । ବେଳେବେଳେ ଜଳଖିଆ ସମୟ ପହଞ୍ଚିଯାଏ ଭାତ ଖାଇବା ସମୟରେ ଏବଂ ଭାତ ଖାଇବା ସମୟ ପହଞ୍ଚେ ରାତିରେ, ସେଥିପାଇଁ ମା’ମାନେ ରୁଗ୍ଣ ହୋଇପଡ଼ନ୍ତି ଏବଂ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଯେତିକି ସଚେତନ ନାରୀମାନେ ସେତିକି ସଚେତନ, ନୁହଁନ୍ତି, ପୁଣି ପୁରୁଷ ଓ ମହିଳାଙ୍କର ‘ନ୍ୟୁଟ୍ରିସନାଲ୍ ନିଡ଼୍’ ବା ଖାଦ୍ୟ ପ୍ରାଣର ଚାହିଦା ମଧ୍ୟ ସଂପୂର୍ଣ୍ଣ ଭାବରେ ଅଲଗା ।
‘ନାରୀ ସ୍ୱାସ୍ଥ୍ୟ’ କହିଲେ ପ୍ରଜନନକ୍ଷମ ମହିଳା ବା ୧୫ ରୁ ୪୯ ବର୍ଷ ବୟସର ମହିଳାମାନଙ୍କର ସ୍ୱାସ୍ଥ୍ୟ ବିଷୟ ମନକୁ ଆସିଥାଏ । କିନ୍ତୁ ପ୍ରକୃତରେ ଏହା ଗୋଟିଏ ନାରୀର ‘ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷା’କୁ ହିଁ ବୁଝାଇଥାଏ । ତେଣୁ ସେ ଯେଉଁ ରୋଗ ଭୋଗୁଛି, କେବଳ ରୋଗଟିକୁ ଭଲ ନ କରି ତାକୁ ସଂପୂର୍ଣ୍ଣରୂପେ ଭଲ କରିବା ଉଚିତ । ଏହା କେବଳ ସନ୍ତାନକ୍ଷମ ମହିଳାଙ୍କର ସ୍ୱାସ୍ଥ୍ୟକୁ ନ ବୁଝାଇ ନାରୀର ସଂପୂର୍ଣ୍ଣ ସ୍ୱାସ୍ଥ୍ୟର ଯତ୍ନ ଉପରେ ଜୋର୍ ଦେଇଥାଏ । ତେଣୁ ଏହା ମାତୃ ମୃତ୍ୟୁହାର କମାଇବା ତଥା ପରିବାର ନିୟନ୍ତ୍ରଣରେ ସୀମାବଦ୍ଧ ନ ହୋଇ ଏକ ବୃହତ୍ ପରିସରର ଅନ୍ତର୍ଭୁକ୍ତ ହେବା ଜରୁରୀ । ଏହାର ସୀମା ସ୍ତ୍ରୀରୋଗ ଓ ପ୍ରସୂତି ରୋଗକୁ ଅତିକ୍ରମ କରି ସ୍ୱାସ୍ଥ୍ୟର ଏକ ନୂତନ ଦିଗନ୍ତ ସ୍ପର୍ଶ କରିଛି । ଯଦିଓ ନିରାପଦ ପ୍ରସବ ଓ ମାତୃତ୍ୱ ଏହାର ଏକ ଅଂଶବିଶେଷ କିନ୍ତୁ ଏହା ନାରୀର ବିଭିନ୍ନ ପର୍ଯ୍ୟାୟକୁ ଯଥା : ଶିଶୁ କନ୍ୟାଠାରୁ ବୃଦ୍ଧା ପର୍ଯ୍ୟନ୍ତ, ସମସ୍ତଙ୍କର ସ୍ୱାସ୍ଥ୍ୟକୁ ବୁଝାଇଥାଏ ।
ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କର ବିଭିନ୍ନ ବୟସରେ ଖାଦ୍ୟପ୍ରାଣର ଚାହିଦା କ’ଣ ? ଗୋଟିଏ ମହିଳାର ଜୀବନକାଳ ଭିତରେ ତା’ ଶରୀରରେ ବହୁତ ପରିବର୍ତ୍ତନ ହୋଇଥାଏ । ଶିଶୁକନ୍ୟାଠାରୁ ଆରମ୍ଭ କରି କିଶୋରୀ କନ୍ୟା, ପୂର୍ଣ୍ଣ ବୟସ୍କା ନାରୀ ତଥା ପ୍ରୌଢ଼ ମହିଳା ଏହିଭଳି କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ସମୟରେ ତା’ର ଖାଦ୍ୟ ପ୍ରାଣର ଚାହିଦା ମଧ୍ୟ ପରିବର୍ତ୍ତିତ ହୋଇଥାଏ । ଏହି ଖାଦ୍ୟ ପ୍ରାଣର ଗୁରୁତ୍ୱ ଉପଲବ୍ଧି କରି ସବୁ ବୟସର ମହିଳାମାନଙ୍କୁ ପୁଷ୍ଟିସାର ଖାଦ୍ୟ ଦେବା ଉଚିତ, କାରଣ ମହିଳାମାନେ ହିଁ ସବୁପ୍ରକାର ଦାୟିତ୍ୱ ବହନ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥାଆନ୍ତି । ତାଙ୍କ ପାଇଁ ଅବହେଳା କଲେ ସାରା ପରିବାର ଓ ସମାଜ ଅବହେଳିତ ହୋଇଯାଏ । ନାରୀ ସୁରକ୍ଷାର ପ୍ରଥମ ସୋପାନ ଶିଶୁକନ୍ୟା । ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ଶିଶୁକନ୍ୟାଟିଏ ବିଶେଷ ଭାବରେ ଅବହେଳିତ ହୋଇଥାଏ । ତା’ର ଶାରୀରିକ ଓ ମାନସିକ ବର୍ଦ୍ଧନ ପାଇଁ ଖାଦ୍ୟପେୟ ଖୁବ୍ ଜରୁରି । ଏହି ସମୟରେ ଝିଅଟିକୁ ସୁଷମ ଖାଦ୍ୟ, ବିଶେଷଭାବରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ତଥା ଭିଟାମିନ୍ସ୍ ଓ ମିନେରାଲ୍ସ୍ ଠିକ୍ ପରିମାଣରେ ଦେଲେ ତା’ର ବର୍ଦ୍ଧନ ଠିକ୍ ହୋଇଥାଏ । ମସ୍ତିଷ୍କ ପାଇଁ ଖାଦ୍ୟ ପଦାର୍ଥର ପରିମାଣ ଠିକ୍ ଥିଲେ ତା’ର ‘ଇଣ୍ଟେଲିଜେଣ୍ଟ କୋସେଣ୍ଟ’ ମଧ୍ୟ ବଢ଼ିଥାଏ, ତେବେ ଏହି ସମୟରେ ତାକୁ ସ୍ୱାସ୍ଥ୍ୟର ସୁରକ୍ଷା ବେଶୀ ମିଳିନଥାଏ । ତେଣୁ ଥଣ୍ଡା, କାଶ, ଜ୍ୱରର ଚିକିତ୍ସା ସହ ଇମ୍ୟୁନାଇଜେସନ୍ ଠିକ୍ଭାବେ ଦେବା ଜରୁରି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁଯାୟୀ ଶତକଡ଼ା ୧୦ ରୁ ୧୫ ଭାଗ ମହିଳା ଓ କିଶୋରୀମାନେ ରକ୍ତହୀନତା ରୋଗ ଭୋଗିଥାନ୍ତି । କିଶୋରୀ କନ୍ୟା ଓ ପ୍ରଜନନକ୍ଷମ ମହିଳାଙ୍କୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟଗୁଡ଼ିକ ହେଲା – ପ୍ରୋଟିନ୍ ଓ ଆମିନୋଏସିଡ଼୍ ବା ପୁଷ୍ଟିସାର ଖାଦ୍ୟ । କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଓ ଭିଟାମିନ୍ ‘ଡି’, ଯାହାକି ମହିଳାମାନଙ୍କର ମାସିକ ଋତୁସ୍ରାବର ବିରତି ପରେ ହାଡ଼କୁ ଶକ୍ତ କରିଥାଏ । ଓମେଗା ଥ୍ରୀ ଫ୍ୟାଟିଏସିଡ଼୍ ପ୍ରୌଢ ଓ ବୃଦ୍ଧ ବୟସରେ ହୃତ୍ପିଣ୍ଡ ଓ ସ୍ନାୟୁଗୁଡ଼ିକୁ ସକ୍ରିୟ ରଖିôବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ଅନ୍ୟାନ୍ୟ ଭିଟାମିନ୍ ଓ ଖାଦ୍ୟପ୍ରାଣ ମଧ୍ୟ ମହିଳାମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
କିଶୋରୀମାନଙ୍କ ପାଇଁ ଖାଦ୍ୟ ପ୍ରାଣ : କିଶୋର ବୟସରେ କିଶୋରୀ ବା ଯୁବତୀମାନଙ୍କର ଶରୀରରେ ବହୁତ ପରିବର୍ତ୍ତନ ହୋଇଥାଏ ଆଜିର କନ୍ୟା ଆସନ୍ତାକାଲିର ଜନନୀ । ଏହି ବୟସରେ ଝିଅଟିର ଶରୀର ମାତୃତ୍ୱ ପାଇଁ ପ୍ରସ୍ତୁତ ହୋଇଥାଏ ଏବଂ ଝିଅଟି ଖୁବ୍ ଶୀଘ୍ର ବଢ଼ିଯାଇଥାଏ (ଗ୍ରୋଥ୍ସ୍ପର୍ଟ) । ତେଣୁ ତା’ର ଲୌହସାର ଖାଦ୍ୟ ବା ଆଇରନ୍ ଓ ପୁଷ୍ଟିସାର ଖାଦ୍ୟ ଦରକାର ହୋଇଥାଏ । ପୁଷ୍ଟିସାର କେବଳ ଶରୀରର ବିକାଶ ପାଇଁ ସାହାଯ୍ୟ କରିନଥାଏ, ଏହା ଉପରେ ଝିଅଟିର ପ୍ରତ୍ୟେକ କାର୍ଯ୍ୟକଳାପର ବୌଦ୍ଧିକ ବିକାଶ ମଧ୍ୟ ନିର୍ଭର କରିଥାଏ । ଶରୀରର ପ୍ରତ୍ୟେକଟି ଅନ୍ତଃସ୍ରାବୀରସ ବା ହର୍ମୋନ୍ରେ ପ୍ରୋଟିନ୍ ଥିବାରୁ ଏହା ହର୍ମୋନ୍ର ସନ୍ତୁଳନ ମଧ୍ୟ ରକ୍ଷା କରିଥାଏ । ଏହି ଜରୁରି ମୁହୂର୍ତ୍ତରେ ଦୈନିକ ଖାଉଥିବା ପ୍ରୋଟିନ୍ର ପରିମାଣ କମିଗଲେ ଝିଅଟିର ଶାରୀରିକ ବୃଦ୍ଧି ମଧ୍ୟ କମିଯାଇଥାଏ । ପୁଷ୍ଟିସାର ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ତେଣୁ ସୁସ୍ଥ ଶରୀର ପାଇଁ ଉତ୍ତମ ଗୁଣାତ୍ମକମାନର ପୁଷ୍ଟିସାର, ବିଶେଷ ଭାବରେ ପ୍ରାଣିଜ ଖାଦ୍ୟ ଦରକାର । ପ୍ରତି ୧ କେ.ଜି ଓଜନକୁ ୧ ଗ୍ରାମ୍ ପ୍ରୋଟିନ୍ ଖାଇବା ଉଚିତ । ଏହି ବୟସରେ ଲୌହସାର ଖାଦ୍ୟ ଖୁବ୍ ଜରୁରି । ଲୌହସାର ପରିମାଣ କମିଗଲେ ଦେହରୁ ହିମୋଗ୍ଲୋବିନ୍ କମିଯାଇ ରକ୍ତହୀନତା ହୁଏ । ଏହାଦ୍ୱାରା ମସ୍ତିଷ୍କର ନିୟନ୍ତ୍ରଣ ଶକ୍ତି କମିଯାଏ, ଚିିଡ଼ିଚିଡ଼ା ଲାଗିଥାଏ, ପଢ଼ିବାକୁ ବା କାମ କରିବାକୁ ଇଚ୍ଛା ହୁଏ ନାହିଁ, ତେଣୁ ପରୀକ୍ଷାରେ ଫଳାଫଳ ଖରାପ ହୁଏ । ଭାରତର ଶତକଡ଼ା ପ୍ରାୟ ୫୬ ଭାଗ ଝିଅ ରକ୍ତହୀନତା ଭୋଗିଥାନ୍ତି । ତେଣୁ ସେମାନଙ୍କର ଦୈନନ୍ଦିନ ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଉଚିତ ।
କିଶୋରାବସ୍ଥାରେ ଅନେକଗୁଡ଼ିଏ ପରିବର୍ତ୍ତନ ଦେଖାଯାଏ, ଯଥା : ମାନସିକ ପରିବର୍ତ୍ତନ, ଶାରୀରିକ ପରିବର୍ତ୍ତନ, ଅନ୍ତଃସ୍ରାବୀ ରସର ପରିବର୍ତ୍ତନ, ଜୈବିକ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ ଇତ୍ୟାଦି । ଏହି ବୟସରେ ଝିଅମାନଙ୍କର ପ୍ରଥମ ଋତୁସ୍ରାବ ଆରମ୍ଭ ହୋଇଥାଏ । ସାଧାରଣତଃ ୧୨ ରୁ ୧୪ ବର୍ଷ ଭିତରେ ପ୍ରାୟତଃ ଝିଅମାନଙ୍କର ଋତୁସ୍ରାବ ହୋଇଥାଏ । ଦଶ ବର୍ଷ ଆଗରୁ ମାସିକ ଋତୁସ୍ରାବ ହେଲେ ତାକୁ ଅପରିଣତ ପ୍ରଥମ ଋତୁସ୍ରାବ ବା ପ୍ରିକୋସିୟସ୍ ପ୍ୟୁବର୍ଟି କୁହାଯାଏ । ଏହା ପ୍ରାୟତଃ ଅନ୍ତସ୍ରାବୀ ରସର ଅସନ୍ତୁଳନ ପାଇଁ ହୋଇଥାଏ । ତେବେ ଆଜିକାଲି ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର ଖାଦ୍ୟର ପ୍ରାଚୁର୍ଯ୍ୟ ଯୋଗୁଁ ଉଚ୍ଚ ଶ୍ରେଣୀର ବା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଝିଅମାନଙ୍କର ଅଳ୍ପ ବୟସରେ ମାସିକ ଋତୁସ୍ରାବର ଆରମ୍ଭ ହୋଇଥାଏ ।
ଅନିୟମିତ ଋତୁସ୍ରାବ : ସାଧାରଣତଃ ପ୍ରଥମ ଋତୁସ୍ରାବ ପରେ ପରେ ଓଭ୍ୟୁଲେସନ୍ ଠିକ୍ ଭାବରେ ନ ହୋଇ ‘ଆନ୍ଓଭୁଲେଟରୀ ସାଇକଲ’ ହୋଇଥାଏ । ତେଣୁ ଅନେକଙ୍କର ଅନେକ ଦିନ ଧରି ଆଦୌ ଋତୁସ୍ରାବ ହୋଇନଥାଏ କିମ୍ବା ପ୍ରାୟ ୪୫ ରୁ ୫୦ ବା ୯୦ ଦିନ ବ୍ୟବଧାନରେ ହୋଇଥାଏ । ଏହା କେତେକ ସ୍ଥଳରେ ଅତ୍ୟଧିକ ମୋଟା ଝିଅମାନଙ୍କ କ୍ଷେତ୍ରରେ ଦେଖା ଦେଇଥିବାବେଳେ ଆଉ କେତେଜଣଙ୍କର ‘ପଲିସିଷ୍ଟିକ୍ ଓଭାରିଆନ୍ ଡିଜିଜ୍’ ବା’ ମାସିକ ଋତୁସ୍ରାବ ନିୟନ୍ତ୍ରିତ କରୁଥିବା ଅନ୍ତଃସ୍ରାବୀ ରସର ଅସନ୍ତୁଳନ ପାଇଁ ହୋଇଥାଏ । ଟେଷ୍ଟୋଷ୍ଟେରନ୍ର ବେଶି ହେଲେ ବା ଥାଇରଏଡ଼୍ ହରମୋନ୍ ଅଭାବ ହେଲେ କିମ୍ବା ପ୍ରୋଲାକ୍ଟିନ୍ ହରମୋନ୍ ବେଶିଥିଲେ ଏହା ହୋଇଥାଏ । କେତେ ଜଣଙ୍କର ନିଶ, ଦାଢ଼ି, ମଧ୍ୟ ବଢ଼ିଯାଇଥାଏ । ଏଥିପାଇଁ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ପେଟର ଅଲ୍ଟ୍ରାସାଉଣ୍ଡ କରି ଓ ହର୍ମୋନ୍ ଏଷ୍ଟିମେସନ୍ କରି ଚିକିତ୍ସା କରାଯାଇଥାଏ ।
ଅତ୍ୟଧିକ ଋତୁସ୍ରାବ : ଅଧିକାଂଶ କିଶୋରୀ କନ୍ୟାମାନଙ୍କର ପ୍ରଥମ ଋତୁସ୍ରାବ ଆରମ୍ଭ ହେବାପରେ ପରବର୍ତ୍ତୀ ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତକ୍ଷରଣ ହୋଇଥାଏ ଏବଂ ଏଥିପାଇଁ ମା’ମାନେ ଖୁବ୍ ଭୟଭୀତ ହୋଇପଡ଼ନ୍ତି । ତେବେ ଗାଁ ଗହଳରେ ପ୍ରଚୁର ରକ୍ତସ୍ରାବ ହେଲାବେଳେ ଏହା ମନକୁ ମନ ଭଲ ହୋଇଯିବ ଭାବି ତାକୁ ଅବହେଳା କରିଥାନ୍ତି, ଫଳରେ ଝିଅଟିର ଅତ୍ୟଧିକ ରକ୍ତହୀନତା ହୋଇଥାଏ ଏବଂ ଶେଷକୁ ହସ୍ପିଟାଲରେ ଆଡ଼ମିଶନ ସହ ରକ୍ତ ନେବାକୁ ପଡ଼ିଥାଏ । ବିଶ୍ରାମ ଓ ଆଇରନ୍ ବଟିକାରେ ଯଦି ରକ୍ତସ୍ରାବ ନ କମେ, ତୁରନ୍ତ ସ୍ତ୍ରୀରୋଗ ବିଶେଷଜ୍ଞଙ୍କର ତତ୍ତ୍ୱାବଧାନରେ ଚିକିତ୍ସା କରାଇବା ଜରୁରୀ ।
ରକ୍ତ ପରୀକ୍ଷା : ରକ୍ତର ଗ୍ରୁପିଂ, ଆର୍.ଏଚ୍. ଟାଇପିଂ, ହିମୋଗ୍ଲୋବିନ୍, ବ୍ଲିଡ଼ିଂ ଟାଇମ୍, କୋଆଗୁଲେସନ୍ ଟାଇମ୍, ପ୍ଲେଟଲେଟ କାଉଣ୍ଟ ଥାଇରଏଡ଼୍ ଫଙ୍କସନ୍ ଟେଷ୍ଟସ୍ ଯଥା ଟି୩, ଟି୪, ଟି.ଏସ୍. ଏଚ୍ ଇତ୍ୟାଦି । ଯଦି ଉପରୋକ୍ତ ରକ୍ତ ପରୀକ୍ଷାରେ କିଛି ଅସୁବିଧା ଦେଖାଦିଏ, ତେବେ ତୁରନ୍ତ ତା’ର ଚିକିତ୍ସା କରିବା ଜରୁରୀ ।
ଅଲ୍ଟ୍ରାସୋନୋଗ୍ରାଫ୍ ବା ସ୍କାନିଂ : ଆଦ୍ୟ ଯୌବନ ବୟସରେ ଏହିଭଳି ପ୍ରଚୁର ରକ୍ତସ୍ରାବ ହେଲେ ପେଲଭିସ୍ ବା ବସ୍ତିଦେଶ ଏବଂ ସଂପୂର୍ଣ୍ଣ ପେଟର ସ୍କାନିଂ ବା ଅଲ୍ଟ୍ରାସାଉଣ୍ଡ କରିବା ଅତି ଜରୁରୀ । ଏହି ବୟସରେ ମଧ୍ୟ ଡିମ୍ବକୋଷର ଅର୍ବୁଦ ବା ଟ୍ୟୁମର ବା ଗର୍ଭାଶୟର ଟ୍ୟୁମରର ଭୟକୁ ଏଡ଼ାଇ ଦିଆଯାଇ ନ ପାରେ । ଯଦି କିଛି ଅସୁବିଧା ନ ଥାଏ ତେବେ ଅନ୍ତଃସ୍ରାବୀରସର ଅସନ୍ତୁଳନ ବା ହର୍ମୋନାଲ୍ ଇମ୍ବାଲାନ୍ସ ବୋଲି ଧରି ନେବାକୁ ପଡ଼ିବ । ସେଥିପାଇଁ ପ୍ରୋଜେଷ୍ଟେରୋନ୍ (ମେଡ୍ରୋକ୍ସି ପ୍ରୋଜେଷ୍ଟେରୋନ୍ ଏସିଟେଟ୍ ବା ନର୍ ଏଥିଷ୍ଟେରୋନ୍ ବଟିକା) ଦିନକୁ ୩ଥର ଲେଖାଏଁ ନବାକୁ ହେବ । ରକ୍ତସ୍ରାବ କମିଲା ପରେ ସେହି ବଟିକା ୫ ରୁ ୨୫ ଦିନ ଯାଏଁ ଦେବାକୁ ପଡ଼ିବ । ଏଭଳି ୩ ମାସ ଦେଲେ ଝିଅଟି ଭଲ ହୋଇଯାଏ, କିନ୍ତୁ ସ୍ଥଳ ବିଶେଷରେ ଇଷ୍ଟ୍ରୋଜେନ୍ ହର୍ମୋନ୍ ମଧ୍ୟ ମିଶାଇବାକୁ ପଡ଼ିଥାଏ ।
ମାସିକ ଋତୁସ୍ରାବ ସମୟରେ ତଳିପେଟରେ ବ୍ୟଥା : ଏହାକୁ କେହି କେହି ‘ପେନ୍ଫୁଲ୍ ମେନ୍ଷ୍ଟ୍ରୁଏସନ୍’ ମଧ୍ୟ କହନ୍ତି । ଏହା ପ୍ରାୟ ଅନେକ ଝିଅମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ ଏବଂ ୫ ରୁ ୧୦ ପ୍ରତିଶତ ଝିଅ ଏଥିପାଇଁ ଅକର୍ମଣ୍ୟ ହୋଇପଡ଼ନ୍ତି ।
ଅଳ୍ପ ବୟସରେ ମାତୃତ୍ୱ : ସାରା ବିଶ୍ୱର ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି କିଶୋରୀ । ଭାରତରେ ୧୦ ରୁ ୧୯ ବର୍ଷ ମୟସ ମଧ୍ୟରେ ପ୍ରାୟ ୧୯୦ ନିୟୁତ କିଶୋରୀ ବାସ କରନ୍ତି ଏବଂ ବିକାଶୋନ୍ମୁଖୀ ଦେଶରେ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ, ତନ୍ମମଧ୍ୟରୁ ୨୦ ବର୍ଷ ତଳକୁ ପ୍ରାୟ ଶତକଡ଼ା ୨୦ ରୁ ୬୦ ଭାଗ ଗର୍ଭଧାରଣ ଓ ପ୍ରସବ ଅବାଞ୍ଛିତ ହୋଇଥାଏ । ଭାରତରେ ବର୍ଷକୁ ୪.୦୫ ନିୟୁତ ବିବାହ ମଧ୍ୟରୁ ପ୍ରାୟ ୩୦ ଲକ୍ଷ ହେଉଛନ୍ତି କିଶୋରୀ କନ୍ୟା ଏବଂ ତନ୍ମଧ୍ୟରୁ ଶତକଡ଼ା ୪୩ ଭାଗର ମୃତ୍ୟୁ ଗର୍ଭଧାରଣ ଓ ପ୍ରସବ କାରଣରୁ ହୋଇଥାଏ । ସେମାନେ ନିରକ୍ଷରତା, ଦୁର୍ବଳ ପ୍ରଜନନକ୍ଷମ ସ୍ୱାସ୍ଥ୍ୟ, ଆଜୀବନ ଆର୍ଥିକ ନିର୍ଭରଶୀଳତା, ଅଳ୍ପବୟସରୁ ବିବାହ ତଥା ବାରମ୍ବାର ଗର୍ଭଧାରଣର ବୁଢ଼ିଆଣି ଜାଲରେ ବାନ୍ଧି ହୋଇପଡ଼ନ୍ତି ।
ଅଳ୍ପ ବୟସରେ ମାତୃତ୍ୱ ହେଲେ ଅଧିକାଂଶ କିଶୋରୀ କନ୍ୟାମାନଙ୍କର ଗର୍ଭପାତ, ଅବୈଧ ଗର୍ଭଧାରଣ ଯୋଗୁଁ ବଳପୂର୍ବକ ବା ଅନିଚ୍ଛାକୃତ ବିବାହ, ଅବାଞ୍ଛିତ ମାତୃତ୍ୱ, ତ୍ୟଜ୍ୟ ସନ୍ତାନ ଏବଂ ତଜ୍ଜନିତ ମାନସିକ ଦୁଃଶ୍ଚିନ୍ତା ଆଦି ବେଶୀ ପରିମାଣରେ ଦେଖାଦିଏ । ଫଳରେ ଏଭଳି ପରିସ୍ଥିତିରେ ଝିଅଟି ବିଷାଦଗ୍ରସ୍ତ ହୋଇପଡ଼େ ଏବଂ ସ୍ଥଳବିଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ । କିଶୋରୀ କନ୍ୟାଟିଏ ଗର୍ଭଧାରଣ କରିବା ମାତ୍ରେ ଭୀଷଣ ମାନସିକ ଅସନ୍ତୁଳନ ଭୋଗିଥାଏ ଏବଂ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କର ପାଖକୁ ଯିବାକୁ ଡେରି କରିଦିଏ ଏବଂ ଗର୍ଭନଷ୍ଟ କରିବ କି ନାହିଁ ଏହି ସିଦ୍ଧାନ୍ତ ନେବାରେ ମଧ୍ୟ ବିଳମ୍ବ କରିଦିଏ ।
ଗର୍ଭନଷ୍ଟ : କିଶୋରୀ କନ୍ୟାମାନଙ୍କର ଅବୈଧ ଗର୍ଭଧାରଣ ହେଲେ ସେମାନେ ଆଇନ୍ ଅନୁମୋଦିତ ଏମ୍.ଟି.ପି. ସେଣ୍ଟରକୁ ନ ଯାଇ ଗାଁ ଗହଳିରେ ଅଣତାଲିମ୍ ପ୍ରାପ୍ତ କ୍ୱାକ୍ ବା ଧାଈମାନଙ୍କଠାରୁ ତୁଟୁକା ତୁଟୁକି ଔଷଧ ଓ ଚେରମୂଳି ବ୍ୟବହାର କରନ୍ତି, ଫଳରେ ବିଷାକ୍ତ ଗର୍ଭପାତ ବା ସେପ୍ଟିକ୍ ଆବୋର୍ନ୍ର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି । ବର୍ତ୍ତମାନ ଶତକଡ଼ା ଦଶଭାଗ ମାତୃମୃତ୍ୟୁର ମୁଖ୍ୟ କାରଣ ହେଉଛି ବିଷାକ୍ତ ଗର୍ଭପାତ । ଅନେକ ଝିଅ ମୃତ୍ୟୁମୁଖରେ ନ ପଡ଼ିଲେ ମଧ୍ୟ ନିଜର ଜରାୟୁ ହରାଇ ଆଜୀବନ ଅକର୍ମଣ୍ୟ ହୋଇପଡ଼ନ୍ତି । ଅନେକେ ଗର୍ଭପାତ ପରେ ବନ୍ଧ୍ୟାତ୍ୱ ଦୋଷ ଭୋଗନ୍ତି କିମ୍ବା ସେମାନଙ୍କର ବାରମ୍ବାର ଗର୍ଭପାତ ହୁଏ ଏବଂ ଅପରିଣତ ଶିଶୁ ଜନ୍ମ ହୁଏ । ଚିକିତ୍ସାବିତ୍ ଲିପର ଏଟ୍. ଅଲ୍. (୧୯୭୮) ଗର୍ଭପାତ ପରେ ପ୍ରାୟ ପଚାଶ ଜଣ କିଶୋରୀ କନ୍ୟାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଅନୁଧ୍ୟାନ କରି ଜାଣିଛନ୍ତି ଯେ, ତନ୍ମଧ୍ୟରୁ ଶତକଡ଼ା ୮୦ ଭାଗ ଝିଅଙ୍କର ଗର୍ଭନଷ୍ଟ କରିଥିବା ହେତୁ କୌଣସି ପ୍ରକାର ମାନସିକ ଅସ୍ଥିରତା ଦେଖାଦେଇ ନଥାଏ । ବାକି ୨୦ ଭାଗ କିଶୋରୀ କନ୍ୟା ଗର୍ଭନଷ୍ଟ ପୂର୍ବରୁ ଓ ପରେ ମାନସିକ ଅସ୍ଥିରତା ଭୋଗିଥାନ୍ତି ।
ପ୍ରସବ ସମସ୍ୟା : ଏଥିରେ ପ୍ରସବ ଜନିତ ସମସ୍ୟାଗୁଡ଼ିକ ହେଉଛି ଦାରିଦ୍ର୍ୟ, ଗର୍ଭାବସ୍ଥାରେ ସୁଷମ ଖାଦ୍ୟର ଅଭାବ ଏବଂ ଗର୍ଭଧାରଣ ପୂର୍ବରୁ ଝିଅଟିର ଦୁର୍ବଳ ସ୍ୱାସ୍ଥ୍ୟ । ଏହି ସମୟରେ ଝିଅଟିର ନିଜ ଶରୀରର ବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଦରକାର ହେଉଥିବା ବେଳେ ପୁଣି ଶିଶୁଟି ପାଇଁ ମଧ୍ୟ ବେଶୀ ପୁଷ୍ଟିସାର ଖାଦ୍ୟ ଦରକାର ହୋଇଥାଏ, ଫଳରେ ଝିଅଟି ଗର୍ଭାବସ୍ଥାରେ ରକ୍ତହୀନତା ଭୋଗିଥାଏ । ଏହାଛଡ଼ା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରକ୍ତସ୍ରାବ, ସଙ୍କୁଚିତ ବସ୍ତିଦେଶ (କେଫାଲୋ ପେଲ୍ଭିକ୍ ଡିସ୍ପ୍ରୋପରସନ୍), କଷ୍ଟସାଧ୍ୟ ପ୍ରସବ ଏବଂ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଓ ବାତ ଏହି ବୟସରେ ବେଶୀ ଦେଖାଦିଏ ।
କୈଶୋରରୁ ଯୌବନ ଏକ ସୁସ୍ଥ ପଦକ୍ଷେପ : ବୟସ ବଢ଼ିବା ସଙ୍ଗେସଙ୍ଗେ ନାରୀମାନଙ୍କର ଜୀବନ ପ୍ରତି ଦୃଷ୍ଟିକୋଣ ବଦଳିଯାଏ । ଦ୍ରୁତ ପରିବର୍ତ୍ତିତ ତଥା ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପୃଥିବୀରେ ଗତି କରୁ କରୁ ନାରୀ ପାଇଁ ଜୀବିକା ପ୍ରଥମ ଏବଂ ପ୍ରମୁଖ ସ୍ଥାନ ଅଧିକାର କରୁଥିବାବେଳେ ସ୍ୱାସ୍ଥ୍ୟ ଓ ଜୀବନ ଅନ୍ତିମପର୍ଯ୍ୟାୟଭୁକ୍ତ ହୋଇପଡ଼େ । ଭାରତରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି ଏବଂ ପ୍ରାୟ ୩ ଜଣ ଉଚ୍ଚ ଶିକ୍ଷାସମ୍ପନ୍ନ ମହିଳାଙ୍କ ମଧ୍ୟରୁ ଜଣେ ସଂପୂର୍ଣ୍ଣ ସମୟ କର୍ମଜୀବୀ ମହିଳା ଭାବରେ ଜୀବନ ଅତିବାହିତ କରୁଛନ୍ତି । ତେଣୁ ଏଇ କର୍ମଜୀବୀ ମହିଳାଙ୍କର ଖାଦ୍ୟ ପାଇଁ ଦୃଷ୍ଟିଦେବା ନିହାତି ଦରକାର, ୨୪ ଘଣ୍ଟା କାମକରିବା ସହ ଆଜିକାଲି ଝିଅମାନେ ପତଳା ହେବାପାଇଁ କ୍ରାଶ୍ ଡାଏଟିଂ କରୁଛନ୍ତି ଏବଂ ସୁଷମ ଖାଦ୍ୟ ଖାଉନାହାନ୍ତି କି ଗୋଟିଏ କାର୍ଯ୍ୟକ୍ଷମ ଶରୀର ପାଇଁ ସୁଷମ ଖାଦ୍ୟର ମୂଲ୍ୟ ବୁଝୁନାହାନ୍ତି, ତେଣୁ ଏଇ ସମୟରେ ଜରୁରୀ ଭିଟାମିନ୍ ତଥା ଅନେକ ପଦାର୍ଥ ବିଶେଷ ଭାବରେ କ୍ୟାଲ୍ସିୟମ୍ ଆଦି ଖାଇବାରୁ ବଞ୍ଚିତ ହେଉଛନ୍ତି । ଏ.ସି.ଇ. ଭିଟାମିନ୍ସ୍- ଭିଟାମିନ୍ ସାଧାରଣତଃ ଦୁଇ ପ୍ରକାରର, ପ୍ରଥମଟି ହେଉଛି – ଆଣ୍ଟି (ଆଣ୍ଟିଅକ୍ସିଡେଣ୍ଟ୍ ଭିଟାମିନ୍ ଏ.ସି. ଏବଂ ଇ) ଏବଂ ଅନ୍ୟଟି ଭିଟାମିନ୍ ବି କମ୍ପେ୍ଲକସ୍ । ଏ.ସି.ଇ. ଭିଟାମିନ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଦେହ ଭିତରେ ବଢ଼ୁଥିବା ‘ଫ୍ରି ରାଡ଼ିକାଲ୍’କୁ ନଷ୍ଟ କରିଦିଏ । କାରଣ ଏଇ ଫ୍ରି ରାଡ଼ିକାଲ୍’କୁ ନଷ୍ଟ କରିଦିଏ କାରଣ ଏଇ ଫ୍ରି ରାଡ଼ିକଲ ମାନେ ହିଁ ମଣିଷର ବୟସ ବଢ଼ାଇ ଦେବାସହ (ପ୍ରମୋଟ୍ ଏବଂ ପ୍ରସେସ୍) ହୃଦ୍ରୋଗ ମଧ୍ୟ ବଢ଼ାଇଥାନ୍ତି । ଭିଟାମିନ୍ ‘ଏ’ ଆଖି, ଚମ ଓ ସୂକ୍ଷ୍ମ ତନ୍ତୁମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାବେଳେ ଭିଟାମିନ୍ ‘ସି’ ଓ ଭିଟାମିନ୍ ‘ଇ’ ବୟସ ବୃଦ୍ଧିକୁ ରୋକିବା ସହ ହୃତ୍ପିଣ୍ଡର ତନ୍ତୁକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତି । ‘ବି’ ଭିଟାମିନ୍ ଲୋହିତ ରକ୍ତକଣିକା ତିଆରି କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ, ଏହାଛଡ଼ା ଏଗୁଡ଼ିକ ମଧ୍ୟ ଶରୀରର ସବୁ ସୂକ୍ଷ୍ମକୋଷ ତିଆରି କରିବା ସହ ମଣିଷ ଦେହର ପ୍ରତ୍ୟେକଟି ଅଂଶ ଯଥା ଚମ, କେଶ ଓ ନଖ ତଥା ସମସ୍ତ ଅଙ୍ଗର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହଯ୍ୟ କରିଥାଏ । ଏହାର ଅନ୍ୟନାମ ‘ସୌନ୍ଦର୍ଯ୍ୟ ଭିଟାମିନ୍’ । କେବଳ କ୍ରୀମ୍ ବା ପ୍ରସାଧନ ସାମଗ୍ରୀ ଦେହରେ ଲଗାଇଲେ ସୌନ୍ଦର୍ଯ୍ୟ ବଢ଼ିଯାଏ ନାହିଁ । ଏହି ସୌନ୍ଦର୍ଯ୍ୟ ଶରୀର ଭିତରୁ ହିଁ ତିଆରି ହୋଇଥାଏ । ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ବାହ୍ୟ ସୌନ୍ଦର୍ଯ୍ୟ ଏହାର ମିଶ୍ରଣରେ ହିଁ ନାରୀଟିର ସୌନ୍ଦର୍ଯ୍ୟ ପ୍ରସ୍ଫୁଟିତ ହୋଇଥାଏ । ଏକ ଭାରତୀୟ ଗବେଷଣାରୁ ଜଣାଯାଇଛି ଯେ, ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ କେବଳ ଜଣେ ହିଁ ନିଜକୁ ଫିଟ୍ ରଖି ସୌନ୍ଦର୍ଯ୍ୟମୟୀ ହୋଇ ପାରିଥାନ୍ତି, ତେଣୁ ପୁଷ୍ଟିକର ଖାଦ୍ୟ ଯେ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଜରୁରି ଏଥିରେ ସନ୍ଦେହ ନାହିଁ । ଆମ ଶରୀର ଭିତରେ ଯେତେସବୁ ତନ୍ତୁକୋଷର ପରିବର୍ତ୍ତନ ଚାଲିଛି, ତା’ ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ହାଡ଼ର ପୁନର୍ଗଠନ । ତେଣୁ ପ୍ରାୟ ୩୦ ବର୍ଷ ବେଳକୁ ହାଡ଼ର ସାନ୍ଦ୍ରତା ଓ ବର୍ଦ୍ଧନ ଶେଷ ହୋଇଥାଏ । କ୍ୟାଲ୍ସିୟମ୍, ଭିଟାମିନ୍ ଡି, ମ୍ୟାଗ୍ନେସିୟମ୍ ମହିଳାମାନଙ୍କର ହର୍ମୋନ୍ ଟେଷ୍ଟୋଷ୍ଟେରୋନ୍ ହାଡ଼ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥାନ୍ତି । ତେଣୁ ମହିଳାମାନେ ଅତି ଅଳ୍ପ ବୟସରୁ ହାଡ଼ର ଯତ୍ନ ନେବା ଦରକାର । ଯଥେଷ୍ଟ ପରିମାଣର କ୍ୟାଲ୍ସିୟମ୍ ଭିଟାମିନ୍ ଡ଼ି ଏବଂ ମ୍ୟାଗ୍ନେସିୟମ୍ ଅସ୍ଥିର ସ୍ୱାସ୍ଥ୍ୟ ଅତୁଟ ରଖିବାରେ ସାହାଯ୍ୟ କରିଥାଏ ।
ଗର୍ଭାବସ୍ଥାର ନିରାପତ୍ତା : ଭରତ ଭଳି ଏକ ବିକାଶୋନ୍ମୁଖୀ ଦେଶର ମାତୃ ମୃତ୍ୟୁହାର ଏକ ଉଦ୍ବେଗର ବିଷୟ, ଏଠାରେ ପ୍ରତି ୫ ମିନିଟ୍ରେ ଗୋଟିଏ ମା’ର ମୃତ୍ୟୁ ଘଟିଥାଏ, ସାରା ବିଶ୍ୱରେ ମାତୃ ମୃତ୍ୟୁକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ, ସମଗ୍ର ମାତୃ ମୃତ୍ୟୁର ଶତକଡ଼ା ୨୫ ଭାଗ ମୃତ୍ୟୁ ଭାରତର ହିଁ ଘଟିଥାଏ । ଯେଉଁ ଦେଶ ବିକାଶଶୀଳ ସେ ଦେଶ ଜରୁରିକାଳୀନ ପ୍ରସୂତି ଚିକିତ୍ସା ସୂଚାରୁ ରୂପେ ସମ୍ପନ୍ନ କରିପାରେ ଏବଂ ଏହା ମାତୃ ମୃତ୍ୟୁହାର କମାଇବରେ ସାହାଯ୍ୟ କରେ । ଗାଁ ଗହଳରେ ଏହି ଚିକିତ୍ସା ଗୋଟିଏ ତାଲିମପ୍ରାପ୍ତ ଧାଈ, ସେବିକା ବା ପ୍ରସୂତି ବିଶେଷଜ୍ଞଙ୍କର ଦ୍ୱାରା ରୋଗିଣୀର ଘର ପାଖରେ ପହଞ୍ଚାଇ ଦେଇ ପାରିଲେ ଅନେକ ମୂଲ୍ୟବାନ୍ ମା’ର ଜୀବନ ରକ୍ଷା କରାଯାଇପାରନ୍ତା, ତେଣୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞମାନେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଧାଈ, ସେବିକା ତଥା ଡାକ୍ତରମାନଙ୍କୁ ଏ ବିଷୟରେ ତାଲିମ୍ ଦେବା ଉଚିତ । ତେଣୁ ଜିଲ୍ଲା ହସ୍ପିଟାଲ୍ ଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ଫାଷ୍ଟ୍ ରେଫରାଲ୍ ୟୁନିଟ୍ ମଧ୍ୟ ମହିଳାଙ୍କୁ ସେହି ସ୍ତରର ଚିକିତ୍ସା ଦେଇପାରିବ । ଗର୍ଭାବସ୍ଥାରେ ଗର୍ଭନଷ୍ଟ, ରକ୍ତହୀନତା, ହୃଦ୍ରୋଗ, ଅସ୍ଥାନିକ ଗର୍ଭଫୁଲ, ରକ୍ତଚାପ, ବ୍ୟାହତ ପ୍ରସବ ଓ ପ୍ରସବ ପରବର୍ତ୍ତୀ ରକ୍ତକ୍ଷରଣ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟିକରେ, ତେଣୁ ହାଇରିସ୍କ୍ ପ୍ରେଗ୍ନାନ୍ସି ପାଇଁ ହସ୍ପିଟାଲ୍ରେ ଡେଲିଭରି କରାଇବା ଉଚିତ ।
ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଖାଦ୍ୟ : ନାରୀ ଜୀବନରେ ମାତୃତ୍ୱ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଯେଉଁ ସମୟରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ଖାଇବା ଖୁବ୍ ଜରୁରୀ । ଏହି ସମୟରେ ମା’ ଯାହା ଖାଏ ତାହା ଶିଶୁର ସ୍ୱାସ୍ଥ୍ୟକୁ ସିଧାସଳକ ଭାବରେ ପ୍ରଭାବିତ କରିଥାଏ । ଏହି ସମୟରେ ପୁଷ୍ଟିସାର ଓ ଶକ୍ତିଯୁକ୍ତ ଖାଦ୍ୟର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଯଥା ପ୍ରତି ୧ କେ.ଜି ଓଜନରରେ ୧ : ୧ ଗ୍ରାମ୍ ପ୍ରୋଟିନ୍ ଖାଇଲେ ଶିଶୁର ମାନସିକ ଓ ଶାରୀରିକ ବର୍ଦ୍ଧନ ଭଲ ଭାବରେ ହୋଇଥାଏ । ଗର୍ଭାବସ୍ଥାରେ କେତେକ ସୂକ୍ଷ୍ମ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଯଥା ଫୋଲିକ୍ ଏସିଡ଼୍ ଆଇରନ୍ ବା ଲୌହସାର ଖାଦ୍ୟ, କ୍ୟାଲ୍ସିୟମ୍ ଏବଂ ଭିଟାମିନ୍ ଡି ଖାଇଲେ ଶିଶୁ ବିକଳାଙ୍ଗ ହୁଏ ନାହିଁ । ଗର୍ଭାବସ୍ଥାରେ ମା’ର ଓଜନ କମ୍ ଥିଲେ ବା ଭଲ ଭାବରେ ଓଜନ ନ ବଢ଼ିଲେ ଶିଶୁର ହୃତ୍ପିଣ୍ଡ ଓ ତତ୍ଜନିତ ଜଟିଳତା ଦେଖାଦିଏ, ତେଣୁ ସୁଷମ ଖାଦ୍ୟ ସହ ପ୍ରୋଟିନ୍ ଓ ମାଇକ୍ରୋନିଉଟ୍ରିଏଣ୍ଟ ବା ସୂକ୍ଷ୍ମ ପୋଷକତତ୍ତ୍ୱ ଖାଇଲେ ଗର୍ଭାବସ୍ଥାରେ ତଥା ସ୍ତନ୍ୟପାନ ସମୟରେ ମା’ ଓ ଶିଶୁ ଦୁହିଁଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ବୟସ୍କା ମହିଳାମାନଙ୍କର ସ୍ୱାସ୍ଥ୍ୟ : ମେନୋପଜ୍ ବା ମାସିକ ଋତୁସ୍ରାବର ବିରତି, ସାଧାରଣତଃ ଜୀବନର ବିରତି । ଏହା ନାରୀ ଜୀବନରେ ଏକ ପର୍ଯ୍ୟାୟ, ଏକ ପରମ ପ୍ରୀତିମୟ ପର୍ଯ୍ୟାୟ କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ଅନ୍ତଃସ୍ରାବୀରସର ଅସନ୍ତୁଳନ ଯୋଗୁଁ ଏହା ହୋଇଥାଏ । କିନ୍ତୁ ମହିଳାମାନଙ୍କର ଆୟୁକାଳ ବଢ଼ିଯିବାରୁ ମେନୋପଜ୍ ପରେ ଆହୁରି ୩୦ ବର୍ଷ (୫୦ରୁ ୮୦ ବର୍ଷ) ନାରୀଟିଏ ଜୀବନ ଅତିବାହିତ କରୁଛି । ଏହି ସମୟରେ ସେ ଉଷ୍ମହୁଳା, ଚିଡ଼ିଚିଡ଼ା, ରାଗ ଓ ଅସହାୟ ଭାବ ଭୋଗିଲେ ମଧ୍ୟ କିଛି ବର୍ଷପରେ ହାଡ଼ପୋରିଆ ବା ଓଷ୍ଟିଓ ପୋରୋସିସ୍ ହୃଦ୍ରୋଗ, ଅଷ୍ଟିଓ ପୋରୋସିସ୍ ଏବଂ ବେଳେବେଳେ ସ୍ତନକର୍କଟ ରୋଗ, ଜରାୟୁଗ୍ରୀବା କର୍କଟରୋଗ ଭୋଗିବାର ସମ୍ଭାବନା ଥାଏ । ସେଥିପାଇଁ ସଚେତନତା ସୃଷ୍ଟି କରିବା ଖୁବ୍ ଜରୁରୀ ।
ପ୍ରତିବର୍ଷ ବୟସ୍କା ମହିଳାମାନଙ୍କର ରକ୍ତଚାପ, ଲିପିଡ଼ ପ୍ରୋଫାଇଲ୍ ମଧୁମେହ ରୋଗ ପାଇଁ ରକ୍ତଶର୍କରା ପରୀକ୍ଷା, ଚକ୍ଷୁ ପରୀକ୍ଷା, ଜରାୟୁଗ୍ରୀବା ରସର ପରୀକ୍ଷା, ବା ପାପ୍ଟେଷ୍ଟ ପେଟର ଅଲ୍ଟ୍ରାସାଉଣ୍ଡ ତଥା ବ୍ରେଷ୍ଟସେଲ୍ଫ ପାଲପେସନ୍ ବା ନିଜେ ନିଜର ସ୍ତନ ପରୀକ୍ଷା କରାଇବା ଖୁବ୍ ଜରୁରୀ, ତେବେ ଏଥିପାଇଁ ପରିବାରର ସଦସ୍ୟ ଯଥା ସ୍ୱାମୀ, ପୁଅ, ଝିଅ, ହାତ ବଢ଼ାଇବା ଖୁବ୍ ଜରୁରୀ ।
ମେନୋପଜ୍ ବା ମାସିକ ଋତୁସ୍ରାବର ବିରତି ସମୟରେ ଖାଦ୍ୟ : ମେନୋପଜ୍ ବା ମାସିକ ଋତୁସ୍ରାବର ବିରତି ହେଉଛି ମହିଳାମାନଙ୍କର ପ୍ରଜନନ ଜନିତ ୍ ସ୍ୱାସ୍ଥ୍ୟର ଅନ୍ତିମ ପର୍ଯ୍ୟାୟ, ଏହି ସମୟରେ କେବଳ ମହିଳାମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ମାନସିକ ଓ ଭାବପ୍ରବଣତାର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ । ପାଶ୍ଚାତ୍ୟ ମହିଳାଙ୍କ ପରି ଭାରତୀୟ ମହିଳାମାନେ ମଧ୍ୟ ଉଷ୍ମ ବା ଉଷ୍ମହୁଳା, ଘନଘନ ଝାଳବୋହିବା ଘନ ଘନ ମାନସିକ ପରିବର୍ତ୍ତନ ଓ ଶଙ୍କାକୁଳ ଭାବ ତଥା ଅସ୍ଥିରତା ଓ ଆଣ୍ଠୁଗଣ୍ଠିରେ ବ୍ୟଥା ଅନୁଭବ କରିଥାନ୍ତି, ଅନେକେ ଭାବନ୍ତି ଏହା ବୟସ ଅନୁଯାୟୀ ହେଉଥିବାରୁ ତାକୁ… ପଡ଼ିଥାଏ, କିନ୍ତୁ ଉପଯୁକ୍ତ ଖାଦ୍ୟ ଖାଇଲେ ଏହା କମିଯାଇଥାଏ । ଆଇସୋଫ୍ଲାଭୋନ୍ ବା ଫାଇଟୋଇଷ୍ଟ୍ରୋଜେନଗୁଡ଼ିକ ଇଷ୍ଟ୍ରୋଜେନ ହର୍ମୋନ ପରି ହୋଇଥିବାରୁ ଏହା ଖାଇଲେ ଉପରୋକ୍ତ ଲକ୍ଷଣଗୁଡ଼ିକ କମିଯାଇଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କର ହାଡ଼ପୋରିଆ ବା ଅଷ୍ଟିଓପୋରୋସିସ୍ ରୋଗ ବେଶୀ ହୋଇଥାଏ । ମହିଳାମାନଙ୍କର ହର୍ମୋନ୍ ଇଷ୍ଟ୍ରୋଜେନ୍ ହାଡ଼ରେ କ୍ୟାଲ୍ସିୟମ୍କୁ ବାନ୍ଧି ରଖିଥାଏ ଓ ସାନ୍ଦ୍ରତା ବଢ଼ାଇଥାଏ । ଇଷ୍ଟ୍ରୋଜେନ୍ କମିଯିବା ପରେ ହାଡ଼ ସାନ୍ଦ୍ରତା କମିଯାଇ ହାଡ଼ପୋରିଆ ରୋଗ ହୁଏ ଓ ମନକୁ ମନ ଭାଙ୍ଗିଯାଇଥାଏ, ତେଣୁ କ୍ୟାଲସିୟମ୍ ଓ ଭିଟାମିନ୍ ‘ଡି’ ପ୍ରଚୁର ପରିମାଣରେ ଖାଇବା ଉଚିତ ।
ସାଧାରଣତଃ ବୟସ୍କା ମହିଳାମାନଙ୍କର ରକ୍ତରେ ଚର୍ବି ଅଂଶ ବଢ଼ିଯାଇ ଥାଏ, ତେଣୁ ଓମେଗାଥ୍ରୀ ଫ୍ୟାଟିଏସିଡ଼୍ ଖାଇଲେ ରକ୍ତରେ ଚର୍ବି ପରିମାଣ କମିଯାଇ କରୋନାରୀ ହାର୍ଟଡିଜିଜ୍ ହେବା ରିସ୍କ ମଧ୍ୟ କମିଯାଇଥାଏ । କର୍ମଜୀବୀ ମହିଳାଟିର ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟ ପାଇଁ ଯେତିକି ଯତ୍ନବାନ୍ ହେବା ଦରକାର, ଗୃହିଣୀଟିଏ ମଧ୍ୟ ନିଜ ସ୍ୱାସ୍ଥ୍ୟ ଓ ଖାଦ୍ୟ ପାଇଁ ସେତିକି ସଚେତନ ହେବା ଜରୁରୀ । ନିଜେ ଚାକିରି କରୁନଥିବାରୁ ଓ ଉପାର୍ଜନକ୍ଷମ ହୋଇନଥିବାରୁ ହୀନମନ୍ୟତା ତାଙ୍କୁ ଆବୋରି ବସେ । ତା’ଛଡ଼ା ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଖାଦ୍ୟ ସଜାଡ଼ୁ ସଜାଡ଼ୁ, ନିଜ ଖାଇବା କଥା ଭୁଲିଯାଆନ୍ତି ।
ନିଜର ସବୁଠାରୁ ମୂଲ୍ୟବାନ୍ ସମୟକୁ ଜଳାଞ୍ଜଳି ଦେବାଠୁ ଭଳି ଆଉ କିଛି ସ୍ୱାର୍ଥତ୍ୟାଗ ଏ ଦୁନିଆରେ ନାହିଁ, ଯାହା ଗୃହିଣୀଟିଏ ତା’ର ପରିବାରକୁ ଦାନ ସୂତ୍ରରେ ଦେଇଥାଏ । ତେଣୁ ତାକୁ ହେୟ ନ ମଣି ତା’ର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନନେବା ଉଚିତ । ଗୋଟିଏ ଗୃହକର୍ତ୍ତାଙ୍କ ସଫଳ କର୍ମ ଜୀବନ ପଛରେ ଗୃହିଣୀର ଦାୟିତ୍ୱଶୀଳତା ଥାଏ ।
ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ୱାର୍ଥତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରି ତୋଳେ । ତେଣୁ ସର୍ବାନ୍ତକରଣରେ ଗୃହିଣୀଟିକୁ ସମ୍ମାନ ଓ ସୁରକ୍ଷା ଦେବା ସାରା ପରିବାରର କର୍ତ୍ତବ୍ୟ । ଗୋଟିଏ ସୁସ୍ଥ ନାରୀ ହିଁ ଗୋଟିଏ ସୁସ୍ଥ ଓ ସୁଖୀ ପରିବାର ଗଢ଼ିତୋଳିଥାଏ । ନିଜ ଖାଦ୍ୟ, ଚାଲିଚଳଣ ଓ ଜୀବନଶୈଳୀରେ ପରିବର୍ତ୍ତନ କଲେ ନାରୀ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହି ସ୍ୱାମୀ ଓ ସନ୍ତାନସନ୍ତତି, ସାରା ପରିବାର ତଥା ସମାଜକୁ ସୁସ୍ଥ ରଖିପାରିବ ।
ଲିଙ୍କ୍ ରୋଡ୍, କଟକ – ୧୨