ନଦୀ, ନାରୀ ଏବଂ ନୌକା
ମଧ୍ୟରାତ୍ରିରେ ହଠାତ୍ ନିଦ ଭାଙ୍ଗିଗଲା ପରେ ମୁଁ ଦେଖିଲି, ଡଙ୍ଗା ଭାସିଯାଇଛି ମଝି ନଈକୁ । ସେ ମଝି ନଈରେ ମୋ କୋଳରେ ତୁ ମୁହଁ ରଖି ଚେଇଁ ଶୋଇଚୁ, ପଇଁତିରିଶ ବର୍ଷ ତଳେ ପ୍ରଥମେ ଭୂମିଷ୍ଠ ହେଲା ବେଳେ ଯେପରି ତୁ ଅନାବୃତ, ଅନାବିଳ, ଦିଗମ୍ବରୀ ହୋଇ ଜନ୍ମ ହୋଇଥିଲୁ, ସେଦିନ ମଧ୍ୟ ତୁ ସେଇଭଳି ଆବରଣହୀନା। ତୋର ନଗ୍ନ-ନିର୍ଜ୍ଜନ ଦେହ ଉପରେ ପୂର୍ଣ୍ଣମୀ ତିଥିର ଜହ୍ନ ଆଲୁଅ ଢେଉ ଭାଙ୍ଗୁଛି। ତୋର ପଇଁତିରିଶ ବର୍ଷର ଯୌବନର ପ୍ରତିବିମ୍ବ ଢେଉଢେଉକା ନଈ ପାଣିରେ ଚତୁର୍ଦ୍ଦିଗକୁ ସଞ୍ଚାରିତ ହୋଇଯାଉଛି। ମୁଁ ଆଖି ଖୋଲିବା ମାତ୍ରେ ମୋ ଆଖି ଦୁଇଟି ନିଜ ହାତ ପାପୁଲିରେ ଚାପି ରଖି ତୁ କହୁଛୁ- ଛି, ଆଖି ଖୋଲନାହିଁ।
ତୋ ସହିତ ମୋର କୌଣସି ଦିନ ଦେଖା ହେବାର ନଥିଲା। ମୁଁ ଏକ ବନ୍ଧନହୀନ ଯାଯାବର। ତୁ ନଈଘାଟରେ ବନ୍ଧା ହୋଇ ପଡ଼ି ରହିଥିବା ନୌକା। ତୁ କୌଣସି ଦିନ ଚାହିଁଲେ ମଧ୍ୟ ପବନର ଆହୁଲାରେ ମଝି ନଈକୁ ଭାସିଯାଇପାରିବୁ ନାହିଁ, ମୁଁ ମଧ୍ୟ ଇଚ୍ଛା କଲେ ତତେ ଆଶ୍ରା କରି ଏ ସମୟର ସ୍ରୋତସ୍ୱିନୀକୁ ପାର ହୋଇ ଆରକୂଳରେ ପହଞ୍ଚି ପାରିବି ନାଇଁ।
ଦିନେ ତୋ ସହିତ ସେ ଖରସ୍ରୋତା ନଦୀକୂଳରେ ଦେଖା ହେଲା। ଆକାଶରେ ଜହ୍ନ ଥିଲା, ନଦୀରେ ଜଳ ଥିଲା। ମୋର ନଈ ଆରପାରି ସୋରିଷ କିଆରିକୁ ଯିବାର ଥିଲା।
ମୁଁ କହିଲି- ନୌକା! ମତେ ଟିକିଏ ନଈ ପାର କରିଦେବ? ମୁଁ ମୋର ମାମୁଘର ଗାଁକୁ ଯିବି, ଦୋଳଯାତ୍ରା ଦେଖିଆସିବି। ନଈ ଆରପାରି ସୋରିଷ କିଆରି, ତା’ପରେ ଯେଉଁ ଅଙ୍କାବଙ୍କା ସରୁ ସଡ଼କ କିଆରି କଡ଼େକଡ଼େ ଲମ୍ବିଯାଇଛି, ସେଇ ସଡ଼କ ଶେଷରେ ଗୋଟାଏ ଅଧାତୋଳା ମନ୍ଦିର, ସେଇ ମନ୍ଦିର ପାଖ ପଡ଼ିଆରେ ଦୋଳମେଲଣ ହୁଏ, ବୁଟ, ମିଠେଇ, ପୁଆ ମିଠେଇ ଦୋକାନ ବସେ। ବେଲୁନ ଆଉ ପେଁକାଳି ବାଲା ରଙ୍ଗିନ ବେଲୁନ ଉଡ଼ାଇ, ପେଁକାଳି ବଜାଇ ବଣିଜ କରୁଥାଆନ୍ତି। ଅନେକ ଦିନ ହେଲା ମୁଁ ଆକାଶରେ ବେଲୁନ ଉଡ଼ାଇନାହିଁ। ପେଁକାଳି ବଜାଇନାହିଁ। ଦୋଳ ପୂନେଇ ଜହ୍ନ ଆଲୁଅରେ ଗୁଡ଼ ପାଗ ହୋଇଥିବା ବୁଟ ମିଠେଇ କି ପୁଆ ମିଠେଇ ଖାଇନାହିଁ । ମତେ ଟିକିଏ ନଈ ପାର କରିଦେବୁ?
ଅଭିଶପ୍ତା ନୌକା ହଠାତ୍ ମୋ ମଧୁର ବଚନ ଶୁଣି ନାରୀ ହୋଇଗଲା; ଅପୂର୍ବ ସୁନ୍ଦରୀ ନାରୀ ।
କହିଲା- ମୁଁ ତ ତୁଠରେ ବନ୍ଧା ହୋଇଥିବା ନାରୀ, ଲୁହା ଜଞ୍ଜିରରେ ବାନ୍ଧି ନାଉରୀ ତାଲା ପକାଇ ଦେଇଯାଇଛି। ସେ ତାଲାର ଚାବି ମୁଁ ହଜାଇ ଦେଇଛି ଗହୀର ନଈର ଗଣ୍ଡରେ, ମୁଁ ନିଜକୁ ନିଜେ ମୁକୁଳାଇ ପାରୁନାହିଁ। ତମକୁ ଉଦ୍ଧାର କରିପାରିବି କିପରି?
ତତେ ଦେଖି ମୁଁ ମାମୁଘର ଗାଁ ଦୋଳଯାତ୍ରା କଥା ଭୁଲିଗଲି। ଲାଲ, ନୀଳ ବେଲୁନ ଫାଟି ଠୋ ହୋଇଗଲା, ହଠାତ୍ କେମିତି ମୋର ମନେହେଲା, ଏ ଶିକୁଳି ଛିଡ଼ାଇ ତତେ ମୁଁ ଏଠାରୁ ନେଇଯିବା ଦରକାର। ଏ ଚଉତିରିଶ ବର୍ଷ ଧରି ତୁ ଯେପରି ମୋର ଅପେକ୍ଷାରେ ହିଁ ଥିଲୁ।
ମୁଁ କହିଲି- ମୁଁ ଦାନ୍ତରେ ଏ ଲୁହା ଶିକୁଳିକୁ ଛିଡ଼ାଇ ତତେ ମୁକ୍ତ କରିଦେବି। ନଈ ଗଣ୍ଡରେ ହଜିଥିବା ଚାବି ଆଉ କୌଣସି ଦିନ ମିଳିବ ନାହିଁ। ଶିକୁଳିର ତାଲା ଖୋଲିବ ନାହିଁ, ଦାନ୍ତ ଲଗାଇ ଏ ଶିକୁଳି ଛିଣ୍ଡାଇବାକୁ ହେବ।
ମୋ କଥା ଶୁଣି ତୁ ଜିଭ କାମୁଡ଼ି ପକାଇଲୁ।
କହିଲୁ- ଛି, ଛି, ମୋ ପାଇଁ ତମେ ଲୁହାର ଶିକୁଳି ଦାନ୍ତରେ ଛିଡ଼ାଇବ? ଲୁହାର ଶିକୁଳି ଦାନ୍ତରେ ଛିଣ୍ଡେ ନାହିଁ, ସ୍ନେହର ବନ୍ଧନ ଖଣ୍ଡାରେ କଟେନାହିଁ। ମୁଁ ନୌକା ହୋଇ ସୁଖରେ ଥିଲି, ତମେ ମତେ ଛୁଇଁଦେଇ ନାରୀ କରିଦେଲ କାହିଁକି? ମୁଁ ଯଦି ତମ ସାଙ୍ଗରେ ଚାଲିଯାଏ, ସେ ଅଦୃଶ୍ୟ- ନାଉରୀ ଦିନେ ଆସି ମତେ ଏଠି ଖୋଜି ନପାଇ ତମକୁ ଅଭିଶାପ ଦେବ। ପରନାରୀ ହରଣ କରିବା ପାପରେ ତମେ ଅବଶିଷ୍ଟ ଜୀବନ ଦଗ୍ଧ ହେବ। ମୁଁ ନିଜ ସୁଖ ପାଇଁ ତମର କୌଣସି ଅନିଷ୍ଟ ଚିନ୍ତା କରିପାରିବି ନାହିଁ । ହେ ଦୂର ବିଦେଶୀ! ତମେ ମୋ ପାଖରୁ ଚାଲିଯାଅ।
***
ତୁ ମତେ ତଡ଼ିଦେଲୁ, ମୁଁ କିନ୍ତୁ ତତେ ଛାଡ଼ି ଗଲିନାହିଁ, ମୋର କେମିତି ମନେହେଲା ଦୀର୍ଘଦିନ ଧରି ତତେ ମୁଁ ମନେମନେ ଖୋଜୁଥିଲି, ନିୟତି ହିଁ ମତେ ତୋ ପାଖକୁ ହାତ ଧରି ନେଇଆସିଛି।
ଆଉ ଦିନେ ମୋର କାହିଁକି ମନେହେଲା, ତତେ ଜଣେ କେହି ପ୍ରାଣଭଳି ଭଲପାଇବା ଦରକାର, ପ୍ରଥମେ ପ୍ରଥମେ ଧାରଣା ଥିଲା, ତୋର ଏପରି ଜଣେ କେହି ଥିବ- ତୋଭଳି ସୁନ୍ଦରୀ ନାରୀର ଜଣେ କେହି ପ୍ରେମିକ ନଥିବ- ଏକଥା ଭାବିଲା ବେଳକୁ ମତେ ଖୁବ୍ କଷ୍ଟ ହେଉଥିଲା। କିନ୍ତୁ ତୁ ମୋ ମନରୁ ସେ ଭୁଲ୍ ଧାରଣାର ମାଟି କଣ୍ଢେଇକୁ ଧୀରେଧୀରେ ଭାଙ୍ଗିଦେଲୁ, ଯେଉଁ ନାଉରୀ ତତେ କୂଳରେ ବାନ୍ଧି ଚାଲିଯାଇଛି, ସେ ତୋର ପିତା କିମ୍ବା ପ୍ରେମିକ ନୁହଁନ୍ତି- ସେ ତୋର ମନ୍ଦ-କପାଳ! ମୋ ମନ ଭିତରୁ ସେ ସନେ୍ଦହର ଖେଳନା କଣ୍ଢେଇ ତଳେ ପଡ଼ି ଭାଙ୍ଗିଗଲା ପରେ ମୋ ମନ ଭିତରେ ତୋର ଏକ ଅଭଙ୍ଗା ମୂର୍ତ୍ତି ଗଢ଼ି ହୋଇଗଲା। ଏହି ଅଭଙ୍ଗା ମୂର୍ତ୍ତିର ନାମ ପ୍ରେମ!
***
ତୁ ମତେ ଭଲପାଉ ବୋଲି କେବେ କହିନାହୁଁ। କିନ୍ତୁ କଥାରେ, ହସରେ, ଆକଟରେ, ଆନ୍ତରିକତାରେ ତୁ ମୋର ଖୁବ୍ ପାଖକୁ ଚାଲିଆସିଛୁ, ଏତେ ପାଖ ଯେ ହାତ ବଢ଼ାଇଲେ ଛୁଇଁ ହୋଇଯିବ ତୋର ହୃଦୟ। କିନ୍ତୁ ମୁଁ ହାତ ପକେଟରେ ଭର୍ତ୍ତି କରି ସେଇ ସମୟ- ସ୍ରୋତସ୍ୱିନୀର ବାଲୁକାମୟ ତଟଭୂମିରେ ଠିଆ ହୋଇଛି; ଆଉ ତୁ ତୋର ଦୁଇ ଗୋଡ଼କୁ ଦୁଇ ହାତରେ ଛନ୍ଦି ଜାକିଜୁକି ହୋଇ ବସିରହିଛୁ!
ଏମିତି ଅସହ୍ୟ ନିରବତା, ମନକଥା କେହି କାହା ଆଗରେ କହିନପାରିବାର ଦୁର୍ବଳତା ଭିତରେ କଟିଯାଇଛି, କେତେଦିନ, କେତେ ମାସ!
ମୁଁ ଜାଣେ, ତୋ’ ଛାତି ଫାଟିଗଲେ ବି ତୁ ତୋର ମନର ଅକୁହା କଥା କେବେ ମୁହଁ ଖୋଲି କହିବୁନାହିଁ। ସେଥିପାଇଁ ମତେ ସେଦିନ ମୁହଁ ଖୋଲି ପଚାରିବାକୁ ହେଲା- ତୋର ଏ ହାତ ମତେ ଦେବୁ?
ମୋର ଭୟ ଥିଲା, ତୁ ତୋର ସଂପ୍ରସାରିତ ହାତ ଜାକି ନେଇ କହିବୁ- ନା, ନା, ଏ ହାତ ମତେ କାହାକୁ ଦେବା ପାଇଁ ମନା- ସେ ନିଷେଧାଜ୍ଞା ଭାଙ୍ଗିବା ପାଇଁ ମତେ କୁହନାହିଁ। ମୁଁ ପାରିବିନାହିଁ-
କିନ୍ତୁ ତୁ କେତେ ଭଲ!
ଗୋଡ଼ରେ ଛନ୍ଦିଥିବା ଡାହାଣ ହାତ ସାଙ୍ଗେସାଙ୍ଗେ କାଢ଼ି ବଢ଼ାଇ ଦେଲୁ ନିଃସଙ୍କୋଚରେ। ମୋ ହାତ ପାପୁଲିରେ ଝାଳେଇଗଲା ତୋର କମ୍ପିତ ପାପୁଲି।
ତା’ପରେ ମୁହଁ ତଳକୁ ପୋତି ଗୋଡ଼ର ନଖରେ ନଈ ବାଲିରେ ଗାର କାଟୁକାଟୁ କହିଲୁ- ମତେ ମୋର ଏ ହାତ ଆଉ ଛାଡ଼ି ଫେରସ୍ତ ଦିଅନାହିଁ- ମୋର ହାତ ଧରି – ଛାଡ଼ନାହିଁ।
ଜଣେ ପୁରୁଷ ପାଖରେ ଏଇ ତ ନାରୀର ନିଃସର୍ତ୍ତ ଆତ୍ମସମର୍ପଣ!
ତା’ପରଠାରୁ ତୁ ଧୀରେଧୀରେ ମୋ ପାଖକୁ ପାଖକୁ ଏତେ ଘୁଞ୍ଚିଆସିଛୁ ଯେ, ତୋ ଉଷ୍ମ ନିଃଶ୍ୱାସରେ ମୋର ମୁହଁ ତାତି ଯାଇଛି। ତୁ ପୁଣି ତଟ ଛାଡ଼ି ନଦୀଗର୍ଭକୁ ଫେରିଯିବା କଥା କହିଲେ ମୋ ଛାତି ଭିତରେ ପବନ ଅଟକିଯାଉଛି। ମୋ ପାଦ ଚୋରାବାଲିରେ ତଳକୁ ତଳକୁ ଖସିଗଲା ଭଳି ଲାଗୁଛି!
ମୁଁ ଜାଣେ, ତୁ ଭାବପ୍ରବଣତାର ଏକ ଆଗ୍ନେୟ ପ୍ରତିମା। ତୋ ଭିତରେ ଅନେକ ଦ୍ୱିଧା, ଅନେକ ପ୍ରଶ୍ନବାଚକ ଚିହ୍ନ, ଅନେକ ସନେ୍ଦହ। ତୁ ମତେ ବିଶ୍ୱାସ କରିପାରୁନାହୁଁ; ଅବିଶ୍ୱାସ କଲେ ମଧ୍ୟ ଶାନ୍ତି ପାଉନାହୁଁ। ତତେ ସେମାନେ ମନ୍ତ୍ର ପଢ଼ି ବଶୀଭୂତ କରିଦେଇଛନ୍ତି। ତତେ ବୁଝାଇ ଦେଇଛନ୍ତି; ଦୀପର ସଳିତା ଭଳି ଜଳିଜଳି ଲିଭି ଯିବା ପାଇଁ ତୋର ଜନ୍ମ। ଅନ୍ୟ ଜଣେ ଅନ୍ଧାରରେ ବାଟ ଅଣ୍ଡାଳି ହେଉଥିବା ପଥଭ୍ରଷ୍ଟ ପଥିକର ପଥକୁ ଆଲୋକରେ ଉଦ୍ଭାସିତ କରିବା ତୋର ଦାୟିତ୍ୱ ନୁହେଁ!
ତୋର ଏ ଧାରଣା ସତ୍ୟ ନୁହେଁ ବୋଲି ଯେତେ ବୁଝାଇଲେ ମଧ୍ୟ ବୁଝିନାହୁଁ। ବୁଝି ମଧ୍ୟ ଅବୁଝା ହୋଇ ରହିଯାଇଛୁ। ନିଜ ମନ କଥାକୁ ଓଠରେ ଚାପି ଧରି ମୋ ପାଖରୁ ନିଜକୁ ଗୋପନ କରିବାକୁ ଚେଷ୍ଟା କରିଛୁ।
ମୁଁ ତତେ ଭଲ କରି ଜାଣେ ବୋଲି ତୋ ଭଲପାଇବାକୁ ଭୁଲ୍ ବୁଝିନାହିଁ। ବରଂ ମୋ ମନରେ ଧାରଣା ଦୃଢ଼ୀଭୂତ ହୋଇଛି ଯେ, ତୋ ଭିତରେ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ମତେ ଆହୁରି ନିଜକୁ ଯୋଗ୍ୟ କରି ଗଢ଼ି ତୋଳିବାକୁ ହେବ ।
***
ଆଜି ଦୋଳ ପୂର୍ଣ୍ଣମୀ।
ଖରାବେଳ ଖୁବ୍ ଅସରାଏ ବର୍ଷା ହୋଇ ଛାଡ଼ିଯାଇଥିଲା। ଓଦା ମାଟିର ବାସ୍ନା ଭାସୁଥିଲା ପବନରେ। ଆଜି ମାମୁଙ୍କ ଗାଅାଁରେ ଦୋଳ ମେଳଣ ଉତ୍ସବ ଲାଗିରହିଥିବ, ଦିନେ ନଈ ପାରି ହୋଇ ସେ ଅଧାତୋଳା ମନ୍ଦିର ପାଖ ମେଳଣ ପଡ଼ିଆକୁ ଯାତ୍ରା ଦେଖିବାକୁ ମୋର ଯିବାର ଥିଲା, ଯାଇନାହିଁ।
ସେ ମେଳଣ ଯାତ୍ରାରୁ ବେଲୁନ୍ କିଣି ଆକାଶରେ ଉଡ଼ାଇବାର ଥିଲା; ଉଡ଼ାଇନାହିଁ।
ଆଜି ତୁ ମୋ ମନର ଆକାଶରେ ବର୍ଣ୍ଣିଳ ବେଲୁନ୍ ହୋଇ ଭାସିବୁଲୁଛୁ, କାଳେ ଧରି ପକାଇଲେ ଫାଟି ରବର- ମେଞ୍ଚା ହୋଇଯିବ ବୋଲି ମୁଁ ସେ ସ୍ୱପ୍ନର ବେଲୁନ୍ ଆଡକୁ ହାତ ବଢ଼ାଇନାହିଁ।
ଆଜି ସକାଳୁ ନଈ ତୁଠରେ ତୋ ସହିତ ଦେଖା ହୋଇଥିଲା। ତୁ ନଦୀରେ ସ୍ନାନ ସାରି ଓଦା ଶାଢ଼ି ପିନ୍ଧି ତରତର ହୋଇ ଚାଲିଯାଉଥିଲୁ। ମୁଁ ତୋ ନାମ ଧରି ଡାକିଦେଲା ମାତ୍ରେ ତୁ ପଛକୁ ବୁଲିପଡ଼ି କହିଲୁ- ଗାଧୋଇ ସାରି ଓଦା ଲୁଗାରେ ନଈରୁ ଫେରୁଥିବା ନାରୀକୁ ଅନେଇବା ମନା। ଅନ୍ୟମାନେ ଦେଖିଦେଲେ ଚାରିଆଡ଼େ ଡେଙ୍ଗୁରା ବାଜିଯିବ।
ମୁଁ ଦୁଇହାତ ପାପୁଲିରେ ନିଜ ଦୁଇ ଆଖି ଚାପି ଧରି କହିଲି-
– ନା, ମୁଁ ତୋର ଓଦା ଶାଢ଼ିକୁ ଅନାଇନାହିଁ, ତୁ ମୋ ଆଡ଼କୁ ଥରେ ପଛ କରି ଠିଆ ହୁଅ, ମୁଁ ତୋ ପିଠି ଉପରେ ପଡ଼ିଥିବା ରାଶି ରାଶି ଓଦା କେଶର ସୌନ୍ଦର୍ଯ୍ୟ ଦେଖିନିଏ।
ତୁ କିନ୍ତୁ ମୋ କଥା ମାନି ମୁହୂର୍ତ୍ତେ ସୁଦ୍ଧା ଠିଆ ହେଲୁ ନାହିଁ, କହିଲୁ- ବୋଉ ଖୋଜୁଥିବ। ଆଜି ମୋର ଜନ୍ମଦିନ।
ଦୋଳ ପୂର୍ଣ୍ଣମୀ ତିଥିରେ ତୋର ଜନ୍ମଦିନ- ଏଇ ପଦକ କଥା ଶୁଣି ଦେଲା ମାତ୍ରେ ମୋ ଦେହ ଏକ ଅପୂର୍ବ ଆନନ୍ଦରେ ଶିହରି ଉଠିଥିଲା।
ମୁଁ ଦିନେ ତୋ’ ପାଖରେ ନତଜାନୁ ହୋଇ ପ୍ରାର୍ଥନା କରିଥିଲି- ତୋ’ ଓଠରେ ଜିଭ ଛୁଅାଁଇବା ପାଇଁ।
ତୁ ଭୂତ ଦେଖିଲା ଭଳି ଚମକି ଉଠି କହିଥିଲୁ-
– ଛି, ଛି, କି ଲଜ୍ଜାର କଥା। ଆଉ ଥରେ ଏମିତି କଥା କହିଲେ ତମ ସହିତ ମୋର କଟି। ଆଉ ଥରେ ଏ ପାପକଥା କହିବ ନାହିଁ।
ମୁଁ କିନ୍ତୁ ତୋ ପଛେପଛେ ଚାଲିଥିଲି।
କହିଥିଲି- ଯଦି ତୁ ତୋ ଓଠରେ ମତେ ଜିଭଛୁଇଁବାକୁ ନଦେବୁ, ତେବେ ମୁଁ ନଈର ଅତଳ ଗର୍ଭରେ ଝାସଦେବି।
ତୁ ସାଙ୍ଗେସାଙ୍ଗେ ଭୟ ପାଇ ଯାଇ କହିଥିଲୁ- ନା, ନା, ସେମିତି କଥା କହିବ ନାହିଁ। ତମ ପାଇଁ ପାପ କରି ମୁଁ ନର୍କକୁ ଯିବା ପାଇଁ ରାଜି-
ମୁଁ ଖୁବ୍ ଆଶାନ୍ୱିତ ହୋଇ କହିଥିଲି- ତାହା ହେଲେ ଏଇଠି ଥରେ ମାତ୍ର।
ତୁ ଦୌଡ଼ିଦୌଡ଼ି ଦୂରକୁ ପଳାଇ ଯାଉଯାଉ କହିଥିଲୁ- ଆଜି ନୁହେଁ- ମୋର ଜନ୍ମଦିନ- ଯେଉଁଦିନ ଚଉତିରିଶ ପୂରି ମତେ ପଇଁତିରିଶ ଛୁଇଁ ଦେବ- ସେଇଦିନ।
ସେଦିନ ତୁ ମତେ ତୋ’ ଜନ୍ମଦିନର ତିଥି କିମ୍ବା ତାରିଖ କହିନଥିଲୁ। ମଝିରେ ମୁଁ ଯେତେଦିନ ତୋ’ ଜନ୍ମ ତାରିଖ ପଚାରିଛି, ତୁ ହସି ଦେଇ କହିଛୁ- ଏତେ ବ୍ୟସ୍ତ, ବ୍ୟାକୁଳ କାହିଁକି? ଜନ୍ମଦିନ ତିଥି ଆସିଗଲେ ବୋଉ ମତେ ସକାଳୁ ନଈକୁ ଗାଧୋଇ ପଠାଇବ। ଗାଧୋଇ ଆସିଲେ ମତେ ନୂଆ ଶାଢ଼ି ପିନ୍ଧାଇଦେବ। ମୋ କପାଳରେ ଦେବ ଟିପିଟିପି ଚନ୍ଦନ ଟୋପା। ମୁଁ କାଠ ପିଢ଼ାରେ ବସିବି- ସେ ମାଛ ତରକାରି, ଭାତ, ପିଠା ଗୋଟିଏ ଥାଳିରେ ରଖି; ମୋ ମୁଣ୍ଡରେ ଅରୁଆ ଚାଉଳ, ଦୂବ, ବରକୋଳି ପତ୍ର ପକାଇ ପୂଜା କରିବ। ହୁଳହୁଳି ପକାଇବ- ମୁଁ ତମକୁ ସେଦିନ ଖବର ଦେବି।
ତୋ’ର ସେ ଖବରକୁ ଅପେକ୍ଷା କରି କରି ଅନେକଦିନ ବିତିଯାଇଛି। ସେ କଥା ମୁଁ ପ୍ରାୟ ଭୁଲିଯିବାକୁ ବସିଥିଲି, ହଠାତ୍ ତୁ ସେକଥା ମନେପକାଇ ଦେଇ ମତେ ଚମକାଇ ଦେଲୁ। ମୋ ସ୍ନାୟୁ ଓ ଶିରାରେ ନିଅାଁ ଧରାଇଦେଲୁ। ତୋ’ ଓଠରେ ଜିଭ ଛୁଅାଁଇ ପାପ କରିବା ପାଇଁ ମୁଁ ଉଦ୍ଗ୍ରୀବ, ଉକ୍ରଣ୍ଠିତ ହୋଇ ଠିଆ ହୋଇଛି, ତୁ ଓଦା ଶାଢ଼ି ପିନ୍ଧି କେଉଁ ହୃଦୟହୀନା ପାଷାଣୀ ରମଣୀ ଭଳି ଆଖିପିଛୁଳାକେ ଉଭାନ୍ ହୋଇଗଲୁ!
***
ଦିନ ଗଡ଼ି ଯାଇ ରାତି ହେଲା।
ଦୋଳ ପୂର୍ଣ୍ଣମୀର ରାତି। ତତେ ଅପେକ୍ଷା କରି ମୋର ଜିଭ ଶୁଖି ଆସିଲା, ତଣ୍ଟି ଅଠାଅଠା। ତଥାପି ତୋର ଉଷ୍ମ କୋମଳ ଓଠରେ ଜିଭ ଛୁଅାଁଇ ପ୍ରଥମ ପାପ କରିବା ଲାଗି ଆମନ୍ତ୍ରଣ ଆସିନଥିଲା।
ତତେ ଚଉତିରିଶ ପୂରି ପଇଁତିରିଶ ହୋଇଗଲା।
ମୁଁ ମୋର ପତ୍ର କୁଡ଼ିଆରେ ଝରକା ଖୋଲା ରଖି ଶୋଇଯାଇଥିଲି, ତୁ କେତେବେଳେ ଝରକା ବାଟେ ପାଦ ଚିପିଚିପି ଆସି ମତେ ଚାପାକଣ୍ଠରେ ଡାକି କହିଦେବୁ- ଏ, ମୁଁ ଆସିଛି- କବାଟ ଖୋଲ- ମୁଁ ମୋର ଓଠ ବଢ଼ାଇଦେଉଛି- ମୋ ଓଠକୁ ଅଇଁଠା କରିଦିଅ- ସେଥିପାଇଁ ଚାହିଁଚାହିଁ ମୁଁ ଶୋଇଯାଇଥିଲି। ତଥାପି ତୋର କୁଣ୍ଠିତ କଣ୍ଠସ୍ୱରରେ ପ୍ରଥମ ପାପ କରିବାର ଆମନ୍ତ୍ରଣ ଆସିନଥିଲା।
ମଧ୍ୟରାତ୍ରିରେ ହଠାତ୍ ନିଦ ଭାଙ୍ଗିଗଲା ପରେ ମୁଁ ଦେଖିଲି, ଡଙ୍ଗା ଭାସିଯାଇଛି ମଝି ନଈକୁ। ସେ ମଝି ନଈରେ ମୋ କୋଳରେ ତୁ ମୁହଁ ରଖି ଚେଇଁ ଶୋଇଚୁ, ପଇଁତିରିଶ ବର୍ଷ ତଳେ ପ୍ରଥମେ ଭୂମିଷ୍ଠ ହେଲା ବେଳେ ଯେପରି ତୁ ଅନାବୃତ, ଅନାବିଳ, ଦିଗମ୍ବରୀ ହୋଇ ଜନ୍ମ ହୋଇଥିଲୁ, ସେଦିନ ମଧ୍ୟ ତୁ ସେଇଭଳି ଆବରଣହୀନା। ତୋର ନଗ୍ନ-ନିର୍ଜ୍ଜନ ଦେହ ଉପରେ ପୂର୍ଣ୍ଣମୀ ତିଥିର ଜହ୍ନ ଆଲୁଅ ଢେଉ ଭାଙ୍ଗୁଛି। ତୋର ପଇଁତିରିଶ ବର୍ଷର ଯୌବନର ପ୍ରତିବିମ୍ବ ଢେଉଢେଉକା ନଈ ପାଣିରେ ଚତୁର୍ଦ୍ଦିଗକୁ ସଞ୍ଚାରିତ ହୋଇଯାଉଛି।
ମୁଁ ଆଖି ଖୋଲିବା ମାତ୍ରେ ମୋ ଆଖି ଦୁଇଟି ନିଜ ହାତ ପାପୁଲିରେ ଚାପି ରଖି ତୁ କହୁଛୁ- ଛି, ଆଖି ଖୋଲନାହିଁ। ପଇଁତିରିଶ ବର୍ଷର ବୟସ୍କା ବାଳିକାର ଅନାବୃତ ଦେହ ଦେଖିବା ପାପ । ତମେ ଖାଲି ଥରେ ମୋ ଓଠରେ ତମ ଜିଭ ଛୁଇଁ ଦିଅ- ତା’ପରେ ମୁଁ ମଝିନଈକୁ ଡେଇଁ ପଡ଼ିବି।
ମୁଁ କ୍ଷୀଣ କଣ୍ଠରେ ଚିକ୍ରାର କରି ଉଠିଲି-
– ମତେ ଛାଡ଼ି ତୁ ସ୍ୱର୍ଗ, ମର୍ତ୍ତ୍ୟ ପାତାଳ- କୁଆଡ଼େ ହେଲେ ଯାଇପାରିବୁ ନାହିଁ। ତତେ ଛାଡ଼ି ମୁଁ ଗୋଟିଏ ହେଲେ ମୁହୂର୍ତ୍ତ ବଞ୍ଚିପାରିବି ନାହିଁ।
ମୋ ଛାତିରେ ତୋ’ ମୁହଁ ଘଷି ତୁ ଖୁବ୍ ମୃଦୁ କଣ୍ଠରେ କହିଲୁ- ତମକୁ ଛାଡ଼ି ମୁଁ ଯିବି କୁଆଡ଼େ? ତମ ହାତ ଧରି ମୁଁ ନଈକୁ ଡେଇଁ ପଡ଼ିବି- ଆକାଶରେ ଜହ୍ନ ଥିବ- ତମେ ପହଁରା ଜାଣିନଥିବ- ଏ ନଈ, ଏ ଜ୍ୟୋତ୍ସ୍ନା, ଏ ମଳୟ ପବନ- ସମସ୍ତେ ସାକ୍ଷୀ ଥିବେ- ଆମେ ଦୁହେଁ କେଉଁ ରୂପକଥାର ଦୁଇଟି ରୁପେଲି ମାଛ ଭଳି ମଝି ନଈର ଅଥୟ, ଅଥଳ ଜଳରେ ବୁଡ଼ିଯିବା।
ନୌକା ମଝି ନଈରେ ଓଲଟି ପଡ଼ିବା ଆଗରୁ ସ୍ୱପ୍ନଦେଖା ଶେଷ ହୋଇଗଲା। ମୁଁ ବିଛଣାରେ ଉଠି ବସିପଡ଼ିଲି।
ଝରକା ତଥାପି ଖୋଲା ଥିଲା।
ଦୁଇ ଆଞ୍ଜୁଳା ଜହ୍ନ ଆଲୁଅ ମୋ ବିଛଣାର ଗୋଟିଏ ଅଂଶରେ ଅଜାଡ଼ି ହୋଇ ପଡ଼ିଥିଲା, ବିଛଣାର ଯେଉଁ ଅଂଶ ମୁଁ ତୋ ପାଇଁ ଖାଲି ରଖି ଶୋଇଯାଇଥିଲି!
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ