ଦେବରାଜ… । ଦେବରାଜ ବାରିକ । ବିଶେଷ ପାଠପଢ଼ି ନାହିଁ, ଗାଁ ବିଦ୍ୟାଳୟରେ ମାଇନର ପରେ ପୋଥିରେ ଡୋରିବାନ୍ଧି କୌଳିକ ବୃତ୍ତିକୁ ଆବୋରି ନେଲା । ଜଜମାନ ମାନଙ୍କ ସେବା । ଖାଲି ନିଜ ଗାଁରେ ନୁହେଁ ଆଖପାଖ ପାଞ୍ଚଖଣ୍ଡ ଗାଁରେ । ଏକୁଟିଆ ଦେବରାଜର ବାପା କରୁଥିଲା, ପୁଅ ବଡ଼ହେବା ପରେ ସାଥିରେ ନେଲା । ଆସ୍ତେ ଆସ୍ତେ ବିବାହ, ବ୍ରତ, ଶ୍ରାଦ୍ଧ, ମେଳା ମଉତ୍ସବ ସବୁ କାମରେ ଧୁରନ୍ଧର ହୋଇଉଠିଲା ଦେବରାଜ, କିନ୍ତୁ ସେତିକିରେ ସେ ସନ୍ତୁଷ୍ଟ ନଥିଲା, ସମୟର ଠିକ୍ ବିନିଯୋଗ ଓ ଅଧିକ କିଛି ରୋଜଗାର ପାଇଁ, ମହୁଲଗଡ଼ ହାଟ ବଜାରରେ ସେଲୁନଟିଏ ଖୋଲିଥିଲା । ବଳକା ସମୟଟା ସେ, ସେଲୁନ୍ରେ ହିଁ କଟେଇ ଦିଏ, ଭଲ ଦି’ପଇସା ଉପୁରି ମଧ୍ୟ ମିଳିଥାଏ ।
ମହୁଲଗଡ଼ ପଞ୍ଚାୟତରେ ମହୁଲଗଡ଼ ହିଁ ସବୁଠାରୁ ବଡ଼ଗାଁ ଏବଂ ଏହା ରେଭିନୁ୍ୟଭିଲେଜ୍’ର ମାନ୍ୟତା ପାଇଥିବାରୁ ସବୁ ଅଫିସିଆଲ୍ କାର୍ଯ୍ୟାଳୟ ଏହି ନାମରେ ହିଁ କରାଯାଇଥିଲା । ଗାଁଠାରୁ ଅଳ୍ପ ଦୂରରେ ଛୋଟିଆ ବଜାରଟିଏ ଥିଲା । ଏଠାରେ ସପ୍ତାହରେ ଦୁଇଦିନ ହାଟ ବସେ । ସୋମବାର ଓ ଶନିବାର । ଏଣୁ ଏହାକୁ ସ୍ଥାନୀୟ ଲୋକେ ହାଟବଜାର ବୋଲି କହନ୍ତି । କେହି କେହି ଗଡ଼ ବଜାର ବୋଲି ମଧ୍ୟ କହନ୍ତି । ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏଇ ହାଟ ଓ ବଜାର ଉପରେ ହିଁ ନିର୍ଭର କରିଥାନ୍ତି । ହାଟ ବଜାରରେ ମାତ୍ର ଗୋଟିଏ ସେଲୁନ୍ ଥିଲା ଦେବରାଜର । ଅନ୍ୟ ସମସ୍ତେ ଗଛ ତଳର ଭଣ୍ଡାରୀ, ଏଣୁ ଭଲ ବେପାର ହେଉଥିଲା ଦେବରାଜର । ତା’ଛଡ଼ା, ଶିକ୍ଷାଗତ ଯୋଗ୍ୟତା ବିଶେଷ ନଥିଲେ ବି, ତାର ବାହ୍ୟଜ୍ଞାନ ପ୍ରବଳ ଥିଲା । ସଂସାରର ପ୍ରତ୍ୟେକ ବିଷୟରେ ଜାଣିବାର ଆଗ୍ରହ ଥିଲା ଏବଂ ଜାଣିଥିଲା ମଧ୍ୟ । ସେଇଥିପାଇଁ ସେ ସମୟର ଲୋକପ୍ରିୟ ସମ୍ବାଦପତ୍ର ‘ସମାଜ’ ମଗାଉଥିଲା । ସମାଜ ପଢ଼ିବା ପାଇଁ କିଛି ପାଠକ ମଧ୍ୟ ପ୍ରତ୍ୟହ ଆସୁଥିଲେ । ଦେବରାଜର ସୁନ୍ଦର ସ୍ୱାସ୍ଥ୍ୟ ଥିଲା । ଉଚ୍ଚତା ପାଖାପାଖି ଛଅଫୁଟ ସହିତ ଗୋରା ତକ୍ତକ୍ ବଳିଷ୍ଠ ବପୁ । ତା’ସହିତ ବ୍ୟାକ୍ପଟୁ । କଥା କହିବାର କଳା ତା’ ପାଖରେ ଭରପୂର ହୋଇ ରହିଥିଲା । କଥା କଥାକେ ସେ ଶତ୍ରୁକୁ ମଧ୍ୟ ଆପଣାର କରି ନେଉଥିଲା ।
ସେଦିନ ଶନିବାର… । ହାଟ ପାଳିଥିଲା, ଏଣୁ ଖୁବ୍ ସକାଳୁ ନିତ୍ୟକର୍ମ ସାରି, ପଖାଳ ଗଣ୍ଡେ ପକାଇ ସାତଟା ସୁଦ୍ଧା ଗଡ଼ ବଜାରକୁ ଚାଲିଆସିଲା ଦେବରାଜ । ଦେଖିଲା କୋଡ଼ିଏ ପଚିଶ ବର୍ଷର ଜଣେ କନେଷ୍ଟବଳ, ଧଳାକାଗଜରେ କ’ଣ ସବୁ ଲେଖାଥିବା ପ୍ରାଚୀରପତ୍ର ବୁଲି ବୁଲି ଏଠି ସେଠି ମାରୁଛି । ସାଥିରେ ତା’ର ଅଛି ସାଇକେଲଟିଏ । ପଛ କ୍ୟାରିୟରରେ ଗଦାଏ ପ୍ରାଚୀରପତ୍ର, ହ୍ୟାଣ୍ଡଲରେ ବଡ଼ ଆକବର ଖାଁର ଖାଲି ଗୁଡାଖୁ ଡବାରେ ମଇଦା ଅଠା ଓ ଫୁଲ୍ଝାଡୁର ଛୋଟ ବ୍ରସ୍ ।
ପାଖକୁ ଯାଇ ପ୍ରାଚୀରପତ୍ର ପଢ଼ିଲା ଦେବରାଜ । ମଝିରେ ଲମ୍ବା ଲମ୍ବା ଦାଢ଼ି, ବାଳ ଥିବା ଏକ ରୁକ୍ଷ ଚେହେରାର ଛବି । ତା’ ଉପରକୁ ଗାଢ଼ କଳା ଅକ୍ଷରରେ ଲେଖାଥିଲା- ‘ମୋଷ୍ଟ ୱାଣ୍ଟେଡ୍’ ଏବଂ ତଳକୁ ଲେଖାଥିଲା- ‘ଫେରାର ଅପରାଧୀ ରୁଦ୍ରପ୍ରତାପଙ୍କ ସଂପର୍କରେ ନିକଟସ୍ଥ ଥାନାରେ କିମ୍ବା ଫାଣ୍ଡିରେ… ସୂଚନା ପ୍ରଦାନ କଲେ, ନାମ ଗୋପନ ରଖାଯିବା ସହିତ ସୂଚନା ପ୍ରଦାନକାରୀଙ୍କୁ କୋଡିଏ ହଜାର ଟଙ୍କା ପୁରସ୍କାର ଦିଆଯିବ । ଊଣେଇଶି ଶହ ସତାବନ ମସିହାର ଘଟଣା ଇଏ, ଏଣୁ କୋଡ଼ିଏ ହଜାର ଟଙ୍କାର ମୂଲ୍ୟ ସେତେବେଳେ ଯଥେଷ୍ଟ ଥିଲା ଏଥିରେ- ସନେ୍ଦହ ନାହିଁ ।
ଏଇ ‘ମୋଷ୍ଟ ୱାଣ୍ଟେଡ’ ଅପରାଧୀ ବୀରପ୍ରତାପ, ମହୁଲଗଡ଼ର ସ୍ୱର୍ଗତଃ ଜମିଦାର ଭାନୁପ୍ରତାପଙ୍କ ଏକମାତ୍ର ପୁତ୍ର । ଦେଶ ସ୍ୱାଧୀନ ପରେ ଜମିଦାରୀ ଉଚ୍ଛେଦ ହୋଇଗଲା ସିନା, ଭାନୁପ୍ରତାପଙ୍କ ଭଳି କେତେଜଣ ‘ନିମକ ହାରାମ’ ଜାଗିରୀ ଖିଆ ଜମିଦାରଙ୍କ ପ୍ରତି ପ୍ରୀତି ଉଣା ହୋଇଯାଇନଥିଲା । ସ୍ୱାଧୀନତା ପରେ ମଧ୍ୟ ସେମାନେ ସେମାନଙ୍କ ଅହଙ୍କାରକୁ ଜାବୁଡି ଧରିଥିଲେ । ଯାହାର ପ୍ରଭାବ ଉତ୍ତରାଧିକାରୀମାନଙ୍କ ଉପରେ ପଡ଼ିଥିଲା । ଭୁଲ ବୁଝିଲା ବେଳକୁ ସବୁ କିଛି ସରି ଯାଇଥିଲା । ନେଡିଗୁଡ଼ ବୋହି ଯାଇଥିଲା- କହୁଣି ଆଡକୁ ।
ଠିକ୍ ସେହି ଅବସ୍ଥା ଘଟିଥିଲା ବୀରପ୍ରତାପର । ବାଲ୍ୟକାଳରୁ ତା’ ପିତା ରଙ୍ଗମହଲରେ ଜମାଉଥିବା ସୁରାସାକିର ଆସର ତା’ ମନକୁ ବେଶ୍ ପ୍ରଭାବିତ କରିଥିଲା । ବିଦେଶରେ ଇଂରାଜୀ ମିଡିୟମ୍ରେ ଅଧ୍ୟୟନ କରିଥିଲେ ସୁଦ୍ଧା ପାଠପଢ଼ା ଅଧାରେ ଛାଡ଼ି ବାପ ସାଥିରେ ଅୟସ କରିବା ପାଇଁ ଗଡ଼କୁ ଫେରିଆସିଲା ବୀରପ୍ରତାପ । ଗୁଡାଏ ଗୁଣ୍ଡାହୁଣ୍ଡାଙ୍କୁ ହାତରେ ଧରି, ଆକଣ୍ଠ ମଦ୍ୟପାନ କରି ମହୁଲଗଡ଼ରେ ଅରାଜକତା ସୃଷ୍ଟି କରିବାରେ ଲାଗିଲା । ମଦ୍ୟପାନ, ଜୁଆଖେଳ, ଝିଅ ବୋହୂମାନଙ୍କ ପ୍ରତି ଅସଦାଚରଣ, ଦାଦାଗିରି ସବୁଥିରେ ପାରଙ୍ଗମ ହୋଇଉଠିଲା ସେ । ନିରୀହ ଲୋକମାନେ ସବୁ ଜାଣୁଥିଲେ କିନ୍ତୁ ଭୟରେ ଥାନାକୁ ଯାଇପାରୁନଥିଲେ । ତଥାପି, ଜନଆକ୍ରୋସ ଭିତରେ ଭିତରେ ଜମାଟ ବାନ୍ଧୁଥିଲା, କେହି ନଜାଣିଲେ ବି ଜାଣିପାରିଥିଲେ ବୃଦ୍ଧ ଜମିଦାର ଭାନୁପ୍ରତାପ । ସେ ପୁତ୍ରକୁ ଯଥା ସମ୍ଭବ ଆକଟ କରିବା ପାଇଁ ଚେଷ୍ଟା କଲେ, ମାତ୍ର ଫଳ କିଛି ହେଲା ନାହିଁ । ପୁତ୍ର କଥା ଚିନ୍ତା କରି ମାତା ସ୍ୱର୍ଗବାସ କରିଗଲେ । ପତ୍ନୀ ଭାନୁମତୀଙ୍କ ସ୍ୱର୍ଗବାସ ପରେ ଜମିଦାର ଭାନୁପ୍ରତାପଙ୍କ ଚେତା ପଶିଗଲା । ପୁତ୍ରକୁ ବାଟକୁ ଆଣିବା ପାଇଁ ଏକ ସୁନ୍ଦର ତଥା ବଂଶଜ କନ୍ୟା ସହିତ ତା’ର ବିବାହ କରାଇବା ପାଇଁ ଚେଷ୍ଟା କଲେ ଜମିଦାର, କିନ୍ତୁ ବୀରପ୍ରତାପକୁ କୌଣସି ଜମିଦାର କନ୍ୟା ଦେବା ପାଇଁ ରାଜିହେଲେ ନାହିଁ । ଶେଷରେ ଜଣେ ସାଧାରଣ ଜମିଦାର ବୋଲାଉଥିବା ଗାଁ ସାଉକାର ଘରୁ ଝିଅଟିଏ ଆଣିଲେ ଭାନୁପ୍ରତାପ । ଝିଅଟି ସୁନ୍ଦରୀ ଏବଂ ସଚରିତ୍ରା ଥିଲା । କିନ୍ତୁ ବେଶିଦିନ ରହିପାରିଲା ନାହିଁ ବୀରପ୍ରତାପ ପାଖରେ । ତା’ ବ୍ୟବହାରରେ ଅତିଷ୍ଠା ହୋଇ ବାପଘରକୁ ଚାଲିଗଲା ଯେ, ଆଉ ଫେରିଲା ନାହିଁ । ଫେରାଇବାକୁ ଚେଷ୍ଟା କରି ଅପମାନରେ ମୁହଁ କଳାପଡ଼ି ଯାଇଥିଲା ଜମିଦାର ଭାନୁପ୍ରତାପଙ୍କର । ଶେଷକୁ ବୀରପ୍ରତାପ ଏବଂ ତା’ର ଚାରିଜଣ ଅନୁଚର ଏପରି ଅମାନୁଷିକ କାଣ୍ଡ କରିବସିଲେ, ଖାଲି ମହୁଲଗଡ଼ ନୁହେଁ ସାରା ଓଡ଼ିଶା ମଧ୍ୟ ଥରିଉଠିଲା ।
“ଦେବରାଜ ନନା… କ’ଣ ଏମିତି ଚାହିଁଛ? କାଲିର ପେପର କ’ଣ ପଢ଼ିନାହଁ?” ଏପର୍ଯ୍ୟନ୍ତ ବୀରପ୍ରତାପ ସଂପର୍କରେ ଭାବି ଚାଲିଥିଲା ଦେବରାଜ । ଯୁବ କନେଷ୍ଟବଳ ଡାକରାରେ ତା’ର ଧ୍ୟାନ ଭଙ୍ଗ ହେଲା । ଯୁବ କନେଷ୍ଟବଳଟି ସ୍ଥାନୀୟ ଅଞ୍ଚଳର ଏବଂ ଦେବରାଜଠାରୁ ବୟସରେ ସାନ ।
ସ୍ୱପ୍ନରୁ ଉଠିଲା ପରି ଦେବରାଜ କହିଲା- “ହଁ ପଢ଼ିଛି । କୋର୍ଟରୁ ଜେଲ୍କୁ ଫେରିଲା ବେଳେ, ଠିକ୍ ଜେଲ୍ ସାମ୍ନାରେ ପୋଲିସ ରିଭଲଭରରେ ଇନ୍ଚାର୍ଯ୍ୟ ଅଫିସର ଜିପ୍ ଡ୍ରାଇଭର ଓ ଆଉ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି, ପୋଲିସ୍ ଜିପ୍ ଧରି ଫେରାର ହୋଇଛି ବୀରପ୍ରତାପ । ଜଙ୍ଗଲ ଭିତରୁ ପୋଡାଜିପ୍ର ଅବଶିଷ୍ଟାଂଶ ମିଳିଛି । କିନ୍ତୁ ବୀରପ୍ରତାପର ନୁହେଁ । ସେଇଥିପାଇଁ… ।”
କଥାକାଟି ନେଲା ଯୁବକ- “ହଁ ଏ ପ୍ରାଚୀରପତ୍ର ସେଇଥିପାଇଁ । ଜୀବନ୍ତ ଅଥବା ମୃତ.. ମୁଣ୍ଡର ମୂଲ୍ୟ କୋଡିଏ ହଜାର । ହେଲେ କିଏ ଖବର ଦେବ? ଏ ମଣିଷ ଖିଆ ବାଘ ବେକରେ କିଏ ଘଣ୍ଟି ବାନ୍ଧିବ?” କିଛି ଉତ୍ତର ଦେଲା ନାହିଁ ଦେବରାଜ । କିନ୍ତୁ ସେ ଜାଣିଥିଲା ଘଣ୍ଟିବାନ୍ଧିବାକୁ ଲୋକ ଅଛନ୍ତି । ଖାଲି ସୁଯୋଗ ମିଳିଲେ ହେଲା ।
ପୁଣିଥରେ ଧ୍ୟାନଭଙ୍ଗ କଲା କନେଷ୍ଟବଳ- “ଠିଆ ହେଲ- କାହିଁକି ନନା? ଚାଲ, ତମ କ୍ୟାବିନରେ ଦୁଇ-ତିନିଟା, ପୋଷ୍ଟର ମାରିଦେବା ।” ଚମକି ଉଠିଲା ଦେବରାଜ- “ଆରେ ନା… ନା.. ମୋ ସେଲୁନରେ ନାହିଁ, ଯାଅ ଆଉ କୋଉଠି ଦେଖ ।” ପ୍ରତିବାଦ କଲା କନେଷ୍ଟବଳ, କହିଲା- “ସେମିତି ହୋଇପାରିବନି ନନା, ଖୋଦ୍ ବଡ଼ବାବୁଙ୍କ ଆଦେଶ । କେଉଁଠି କେଉଁଠି ମରା ହେବ, ସେ ତାଲିକା ଦେଇଛନ୍ତି । ତା’ ଭିତରେ ତମ ସେଲୁନ ଯାଉଛି, କ’ଣ ବୁଝିଲ?”
ପ୍ରତିବାଦ କରିବାର ସାହସ ହେଲା ନାହିଁ ଦେବରାଜର । ଇଂରେଜ ସରକାର ସିନା ଚାଲିଯାଇଛି, ହେଲେ ବିଲାତି ଠାଣି ଶିଖେଇ ଯାଇଛି ପୁରୁଣା ପୋଲିସ ଅଫିସରମାନଙ୍କୁ । ଛାଟିଆଟିଏ ଗାଁକୁ ଆସିଲେ ମଧ୍ୟ କୋକୁଆ ଭୟ ହୋଇଯାଉଛି । କନେଷ୍ଟବଳକୁ ତା’ କାମ କରିବା ପାଇଁ ଛାଡ଼ି ଦେଇ, ନିଜ ସେଲୁନ ଖୋଲିଲା ଦେବରାଜ । ସଫାସୁତରା କରି ଧୂପ ଲଗାଇଲା, ତା’ପରେ ପ୍ରସ୍ତୁତ ହୋଇପଡ଼ିଲା ନିଜ କୌଳିକ ବୃତ୍ତି ପାଇଁ ।
ସମୟ ବଢ଼ିବା ସହିତ ଆସ୍ତେ ଆସ୍ତେ ହାଟବଜାର ଜନସମାଗମ ହୋଇଉଠିଲା । ପ୍ରଥମେ ଦୂର ଦୂରାନ୍ତରୁ ଛୋଟବଡ଼ ବେପାରୀ ଆସନ୍ତି, ଶସ୍ୟ ପଦାର୍ଥ ସହିତ ନିଜ ନିଜର ହାତିତିଆରି ଗୃହୋପକରଣ ଧରି, ତା’ପରେ କ୍ରେତାମାନଙ୍କର ଆଗମନ ହୁଏ । ପୂର୍ଣ୍ଣ ଜନସମାଗମ ହୁଏ ମଧ୍ୟାହ୍ନରୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ।
ଗ୍ରାହକ ଆସିନଥିଲେ । ଡେଙ୍ଗା ଚେୟାର ଉପରେ ବସି ସୋ’କେଶ ଉପରେ, କାନ୍ଥରେ ଟଙ୍ଗା ଯାଇଥିବା ଲମ୍ବା ଦର୍ପଣକୁ ଚାହିଁଲା ଦେବରାଜ । ଦର୍ପଣରେ ତା’ ମୁଖମଣ୍ଡଳ ବଦଳରେ, ଝଲସି ଉଠିଲା ବୀରପ୍ରତାପର ଭୟଙ୍କର ଚେହେରା । ଫେରିଗଲା ସେ ଛଅ ମାସ ତଳକୁ । ଯେଉଁ ଅମାନୁଷିକ କାର୍ଯ୍ୟ ଏବଂ ବର୍ବରତା ପାଇଁ, ଆଜି ଜମିଦାର ବୀରପ୍ରତାପ ମହୁଲଗଡ଼ର ଘରେ ଘରେ ଚର୍ଚ୍ଚିତ । ପ୍ରତ୍ୟେକ ମଣିଷର ଘୃଣା ଏବଂ ହିଂସାର ପାତ୍ର । ସେ ଘଟଣାର ପୃଷ୍ଠଭୂମି ହେଲା- ମହୁଲଗଡ଼ର ଜଣେ ସଂପନ୍ନ ଚାଷୀ ବିମ୍ବାଧର ପାଇକରାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲା । ପୁଅ ସହରରେ ପାଠ ପଢ଼ୁଥିଲା ବେଳେ, ଝିଅ ଗାଁ ବିଦ୍ୟାଳୟରେ ପଞ୍ଚମ ପାସ୍ କରି ଘର କାମରେ ମାଆଙ୍କୁ ସାହାଯ୍ୟ କରୁଥିଲା ।
ଝିଅର ନାମ କେତକୀ । ସେ ଯେତେବେଳେ ଷୋହଳ ବର୍ଷରେ ପାଦ ଦେଲା, ସେତେବେଳେ ଗୋଟାଏ ଚିତ୍ର ପ୍ରତିମା ପରି ଦେଖାଗଲା । ମହୁଲଗଡ଼ରେ ସେ ଥିଲା ସର୍ବାଧିକ ସୁନ୍ଦରୀ । ଖାଲି ସେତିକି ନୁହେଁ ତା’ର ହସ, ଚାଲି, ମିଠା ମିଠା କଥା ସବୁ କିଛିରେ ଥିଲା ସ୍ୱତନ୍ତ୍ରତା । ବହୁ ଯୁବକ ତା’ର ସାନ୍ନିଧ୍ୟ ଲାଭ କରିବାକୁ ଚାହୁଁଥିଲେ, କିନ୍ତୁ- ସେ ମନେ ମନେ ଭଲ ପାଉଥିଲା ତାଙ୍କରି ଭଳି ଏକ ଆଦର୍ଶ ପରିବାରର ଯୁବକ କମଳାକ୍ଷକୁ । ସେମାନେ ପରସ୍ପରକୁ ବିବାହ କରିବା ପାଇଁ ଚାହୁଁଥିଲେ ଏବଂ ଏଥିରେ ଦୁଇ ପରିବାରର ସମ୍ମତି ଥିଲା । କମଳାକ୍ଷ ଶିକ୍ଷା ସମାପ୍ତ ପରେ ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଲା । ତା’ରି ଆଦର୍ଶରେ ଅନୁପ୍ରାଣିତ ହୋଇ କେତକୀର ଭାଇ କେଶବ ମଧ୍ୟ ସହର ଯାଇ ପାଠ ପଢ଼ୁଥିଲା ।
କେତକୀ ଆଉ କମଳାକ୍ଷର ଶାରଦୀୟ ଆକାଶରେ ହଠାତ୍ ଏକ ଖଣ୍ଡିଆ ଭୂତ ଭଳି ଆର୍ବିଭାବ ହେଲା ବୀର ପ୍ରତାପ । ପତ୍ନୀହରା ହୋଇଥିଲେ ବି, ଜଣେ ପୁରୁଷ ପାଇଁ ତିରିଶ ବର୍ଷ ବିଶେଷ କିଛି ଅଧିକ ନଥିଲା । କେତକୀର ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ ବୀରପ୍ରତାପ, ଦିନେ, ଚାମଚାମାନଙ୍କୁ ସାଥିରେ ଧରି, ନିଜେ ନିଜର ବିବାହ ପ୍ରସ୍ତାବ ନେଇ ଉପସ୍ଥିତ ହେଲା କେତେକୀ ଘରେ । ତା’ର ଅହଙ୍କାର ଥିଲା, ସେ ଜମିଦାର ବଂଶଜ, ଜମିଦାରୀ ଗଲେ ବି ପ୍ରତିପତ୍ତି ରହିଛି । ତା’ର ଏ ପ୍ରସ୍ତାବକୁ ସାମାନ୍ୟ ଗୋଟିଏ କୃଷକ ଅଗ୍ରାହ୍ୟ କରିପାରିବ ନାହିଁ । ନିଶ୍ଚୟ ରାଜି ହେବ । କିନ୍ତୁ ଫଳ ହେଲା ଓଲଟା । କେତକୀର ପିତା ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହିତ ନାନା ପ୍ରକାରର କଟୁ କଥା କହି, ଭର୍ତ୍ସନା କରି, ବୀରପ୍ରତାପ ଓ ତା’ର ଅନୁଚରମାନଙ୍କୁ ଏକପ୍ରକାର ତଣ୍ଟିଆ ମାରି ଘରୁ ବାହାର କରି ଦେଇଥିଲେ ।
ବୀରପ୍ରତାପର ଜମିଦାରୀ ରକ୍ତ ଟକ୍ମକ୍ ହୋଇ ଫୁଟିବାରେ ଲାଗିଲା । ସେ, କେତକୀର ପିତାଙ୍କ ଅଗ୍ରାହ୍ୟକୁ ଏକ ଚାଲେଞ୍ଜ ପରି ଧରିଲା ଏବଂ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଲା । ନିଜ ଯୋଜନା ଅନୁସାରେ କିଛିଦିନ ନିରବ ରହିଗଲା ସେ । କେତକୀ ପରିବାରର ସଦସ୍ୟମାନେ ଭାବିଲେ, ନିଜ ପାପ ନିଜକୁ ଖାଇଛି, ଏଣୁ ଆଉ ଫଣା ଟେକି ପାରିବ ନାହିଁ । କିନ୍ତୁ ତାଙ୍କର ଏ ଧାରଣା ଭୁଲ ଥିଲା ।
କୁମାର ପୂର୍ଣ୍ଣିମୀର ପୂର୍ବଦିନ, ରାତ୍ରୀ ସାତଟା ସମୟରେ ସାପ୍ତାହିକ ହାଟରୁ ବାପ, ଝିଅ ଲୁଗାପଟା ଓ ସଉଦା ଖରିଦ କରି ଫେରୁଥିଲା ବେଳେ, ହାଟ ଓ ଗାଁ ମଝିରେ ପଡୁଥିବା ଛୋଟିଆ ଜଙ୍ଗଲ ଭିତରେ ଲୁଚି ରହିଥିବା ବୀରପ୍ରତାପ ଓ ତା’ର ଚାରିଜଣ ଅନୁଚର କେତକୀର ପିତାକୁ ମରଣାନ୍ତକ ଆକ୍ରମଣ କରି କେତକୀକୁ ଅପହରଣ କରି ନେଇଥିଲେ । ଅଳ୍ପ ବ୍ୟବଧାନରେ ହାଟରୁ ଫେରୁଥିବା ପଥଚାରୀମାନେ ବିମ୍ବାଧର ପାଇକରାଙ୍କ ପାଖରେ ପହଞ୍ଚିଲା ବେଳକୁ ତାଙ୍କର ପ୍ରାଣପକ୍ଷୀ ଉଡିଯାଇଥିଲା କେତେକୀର ଭାଇ କେଶବ ଓ କମଳାକ୍ଷ ସହରରେ ଥିବାରୁ ଦେବରାଜ କେତେଜଣ ଯୁବକଙ୍କୁ ଏକାଠି କରି କେତକୀକୁ ବହୁତ ଖୋଜିଲା, କିନ୍ତୁ ରାତ୍ରୀ ହେତୁ ସନ୍ଧାନ ପାଇପାରିଲା ନାହିଁ । ସକାଳେ ତା’ର କ୍ଷତବିକ୍ଷତ ନିର୍ଜୀବ ଶରୀର ଜଙ୍ଗଲ ଭିତରୁ ମିଳିଲା ।
କେତକୀର କ୍ଷତବିକ୍ଷତ, ବିଭତ୍ସ ଶରୀର ଦେଖିଲେ ବୀରପ୍ରତାପ ଓ ତା’ର ଅନୁଚରମାନେ କେତେ ଅମାନୁଷିକ, କେତେକ ଲମ୍ପଟ ତାହା ସ୍ପଷ୍ଟ ବାରି ହେଉଥିଲା । ପୋଲିସ ତା’ କାମରେ ଲାଗିଗଲା । ମହୁଲଗଡ଼ରେ ଏଭଳି ଘଟଣା ପ୍ରଥମ । ତାହା ସିଧାସଳଖ ବୀରପ୍ରତାପ ଏବଂ ତା’ର ଅନୁଚରମାନଙ୍କ ଆଡକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଥିଲା । କେଶବ, କମଳାକ୍ଷ, କମଳାକ୍ଷର ପିତା ଏବଂ ଦେବରାଜ, ପୂର୍ବାପର ଘଟଣାର ସୂଚନା ଦେଇ ବୀରପ୍ରତାପ ବିରୋଧରେ ସାକ୍ଷ୍ୟ ପ୍ରଦାନ କଲେ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, କେତେକୀ ପାପୀମାନଙ୍କ ଅପକର୍ମର ଶିକାର ହେବା ପୂର୍ବରୁ ମୃତୁ୍ୟବରଣ କରିସାରିଥିଲା । ସତୀ କନ୍ୟା ନିଜ ଇଜ୍ଜତ ରକ୍ଷା ପାଇଁ କଳୁଷିତା ହେବା ପୂର୍ବରୁ ଆତ୍ମବଳି ଦେଇଥିଲା ।
ପୋଲିସ ସକ୍ରିୟ ହୋଇଉଠିଲା । ଇଂରେଜ ସରକାର ଚାଲି ଯାଇଥିଲେ ସୁଦ୍ଧା ବିଶେଷ କରି ଥାନାଗୁଡାକରେ ପୋଲିସ କାଇଦା କଟକଣା ଭରପୂର ହୋଇ ରହିଥିଲା । ପୋଲିସ ତତ୍ପର ହୋଇଉଠିଲା ବୀରପ୍ରତାପ ଓ ତା’ ଅନୁଚରମାନଙ୍କୁ ଧରିବା ପାଇଁ । ଜମିଦାରୀ ଚାଲିଯାଇଥିଲା, ବୀରପ୍ରତାପ ନିଜର କାର୍ଯ୍ୟକଳାପ ପାଇଁ ସଂପୂର୍ଣ୍ଣ ଘୃଣିତ ହୋଇଯାଇଥିଲା ମହୁଲଗଡ଼ରେ । ମାତା ସ୍ୱର୍ଗବାସ କରିଯାଇଥିଲେ, ଏ ଘଟଣା ପରେ ଭାନୁପ୍ରତାପ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ ।
ପୋଲିସ ଆଉ ବୀରପ୍ରତାପ ଭିତରେ ଛକାପଞ୍ଝା ଖେଳ ଚାଲିଲା । ମହୁଲଗଡ଼ ଚାରି ପାଖରେ ଛୋଟବଡ଼ ଅନେକ ଜଙ୍ଗଲ ଥିଲା । ସେହି ଜଙ୍ଗଲ ଭିତରେ ଚାରିଜଣ ଅନୁଚରମାନଙ୍କ ସହିତ ଲୁଚି ରହିଥିଲା ବୀରପ୍ରତାପ । ପାଖାପାଖି ମାସେ ପରେ, ଅନୁଚରମାନଙ୍କ ଶବକୁ ପୋଲିସ ଗୋଟିଏ ଜଙ୍ଗଲରୁ ଆବିଷ୍କାର କଲା । ପାଖରେ ଅନୁଚରଗୁଡାକ ରହିଲେ ଏ ପୋଲିସ ଆଖିରେ ଧୂଳି ଛାଟି ରାଜ୍ୟ ବାହାକୁ ଯାଇହେବନାହିଁ ଭାବି, ସେ ଦେଶୀ ମଦରେ ବିଷ ମିଶେଇ ଅନୁଚରମାନଙ୍କୁ ପିଇବାକୁ ଦେଇ ହତ୍ୟା କରିଥିଲା ।
ଏ ଘଟଣା ପରେ, ପୋଲିସ ଆହୁରି ସକ୍ରିୟ ହୋଇଉଠିଲା । ଗଡ଼ ବାହାରକୁ ଯାଇଥିବା ସମସ୍ତ ରାସ୍ତା ସିଲ୍ କରିଦେଲା । ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାହାରିଲା ବୀରପ୍ରତାପ ସଂପର୍କରେ । ଖବରଦାତା ପାଇଁ ଦଶହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଗଲା । ତଥାପି, ବୀରପ୍ରତାପ ପୋଲିସ ହାତକୁ ଆସିଲା ନାହିଁ ।
ଦୁଇମାସ ପରେ… । ହାତ ସଂପୂର୍ଣ୍ଣ ରୂପେ ଖାଲି ହୋଇଯିବାରୁ କିଛି ଟଙ୍କା ପଇସା ଓ ସୁନାରୁପା ନେବା ପାଇଁ ନିଶାର୍ଦ୍ଧରେ ନିଜ ଉଆସରେ ଲୁଚିଛପି ପ୍ରବେଶ କରିଥିଲା ବୀରପ୍ରତାପ । ଶଯ୍ୟାଶାୟୀ ପିତାଙ୍କୁ ଧମକଚମକ ଦେଇ, ଶୂନ୍ୟ ଉଆସରେ ସୁନା ରୁପା ଖୋଜୁଥିଲା ବେଳେ, ପଇସା ଲୋଭରେ ହେଉ ବା ମାନବିକତାର ଦୃଷ୍ଟିକୋଣରୁ ହେଉ କେହି ଖବର ଦେଇଥିଲା ନିକଟସ୍ଥ ଫାଣ୍ଡିକୁ । ଜମିଦାରଙ୍କ ଗଡ଼କୁ ରେଡ୍ କରି, ରାତ୍ରୀର ଅନ୍ତିମ ପ୍ରହରରେ ବୀରପ୍ରତାପକୁ ମହୁଲଗଡ଼ ପୋଲିସ ଆରେଷ୍ଟ କଲା ଏବଂ ସକାଳେ ଜନସଚେତନା ପାଇଁ ତା’ ହାତଗୋଡ଼ରେ ବେଡ଼ି ପକାଇ ଗଡ଼ଦାଣ୍ଡରେ ଏକ ରକମ ଘୋଷାରି ଘୋଷାରି ନେଲା । ସମସ୍ତେ ଭାବିଥିଲେ ଗୋଟାଏ ରାକ୍ଷସର ଅନ୍ତ ହେଲା, ବୀରପ୍ରତାପକୁ ନିଶ୍ଚୟ ଫାଶୀ କିମ୍ବା ଆଜୀବନ କାରାଦଣ୍ଡ ହୋଇଯିବ, କିନ୍ତୁ, ଠିକ୍ ଛଅମାସ ପରେ…
“ଆରେ, ଦର୍ପଣକୁ ଚାହିଁ କ’ଣ ଏକୁଟିଆ ସବୁ ଭାବିଚାଲିଛୁ? ଧୂପ ଦିଆ ହେଲା ନା ନାହିଁ?” ଜଣେ ଗ୍ରାହକଙ୍କ ଡକରାରେ ଅତୀତରୁ ଫେରିଆସିଲା ଦେବରାଜ । ଧୂପ ଦିଆସରିଥିଲା, ଏଣୁ ସେ ଆସନରୁ ଉଠି ଆସି, ଗ୍ରାହକଙ୍କୁ ବସେଇ ନିଜ କୌଳିକ ବୃତ୍ତି ଆରମ୍ଭ କରିଦେଲା । ହାଟର କୋଳାହଳ ବଢ଼ିବା ସହିତ ଦେବରାଜର ଗ୍ରାହକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ପାଖାପାଖି ଦୁଇଟା ପରେ ସେଲୁନ ଖାଲି ହେଲା । କ୍ଷୁଧା ଅନୁଭବ କରୁଥିଲା ଦେବରାଜ । ସେଲୁନ ବନ୍ଦ କରି ଘରକୁ ଆସିଲା । ମଧ୍ୟାହ୍ନ ଭୋଜନ ସାରି ଟିକିଏ ବିଶ୍ରାମ ନେଲା । ଅପରାହ୍ନ ଚାରିଟାକୁ ପୁଣି ଫେରିଲା ତା’ ସେଲୁନକୁ । ଅନ୍ୟଦିନମାନଙ୍କରେ ସେ ସମୟ କାଟିବା ପାଇଁ ସେଲୁନ୍କୁ ଆସେ । ଗ୍ରାହକ ପ୍ରାୟ ନଥା’ନ୍ତି । କିନ୍ତୁ ହାଟପାଳି ଦିନ ସାତଟା ପର୍ଯ୍ୟନ୍ତ ଗୋଟେ ଗୋଟେ ଗ୍ରାହକ ଆସନ୍ତି । ହାଟୁଆଳୀମାନେ କାରବାର ସାରି ଫେରିଲା ବେଳେ ଦେବରାଜ ପାଖରେ ଟିକିଏ ଫ୍ରେସ୍ ହୋଇଯାଆନ୍ତି ।
ହାଟପାଳି ଦିନ ଘରକୁ ଫେରିଲା ବେଳକୁ ଆଠଟା ଉପରେ ହୋଇଯାଏ, ଏଣୁ ରାତ୍ରୀରେ ବୁଢ଼ୀ ମା’ଟାକୁ ହଇରାଣ ନ କରିବା ପାଇଁ ପଥିକ ବନ୍ଧୁ ହୋଟେଲରେ ହିଁ ଖିଆପିଆ ସାରି ଦେଇଥାଏ । ଇଚ୍ଛା ହେଲେ ବେଳେବେଳେ ରାତ୍ରୀରେ ରହିଯାଏ ମଧ୍ୟ । ସେଦିନ ମଧ୍ୟ ସେଇଆ କଲା । ପଥିକ ବନ୍ଧୁ ହୋଟେଲରେ ଖିଆପିଆ ସାରି ସେଲୁନ୍କୁ ଫେରିଆସିଲା ଦେବରାଜ । ହୋଟେଲରୁ ଦୁଇଜଣ ହାଟୁଆଳୀ ସାଙ୍ଗ ହୋଇଗଲେ । ଦୁହେଁ ଯୁବକ । ଗୋପାଳ ଆଉ ଶଙ୍କର । ଜଣେ ବଢ଼େଇ ଆଉ ଜଣେ କମାର । ସେମାନେ ନିଜ ନିଜର ହାତ ତିଆରି ଜିନିଷ ବିକ୍ରି କରିବା ପାଇଁ ହାଟକୁ ଆଣନ୍ତି । ଭଲ ବିକ୍ରି ମଧ୍ୟ ହୁଏ । ଯୁବକ ହେତୁ ଦେବରାଜ ସହିତ ବନ୍ଧୁତ୍ୱ ଆସିଯାଇଥିଲା । ଯଦି କେବେ ରାତି ହେଇଯାଏ ତେବେ ଘରକୁ ନଫେରି ଦେବରାଜ ସେଲୁନ୍ରେ ରହିଯାଆନ୍ତି । ଇଚ୍ଛା ହେଲେ ଦେବରାଜ ତାଙ୍କ ସାଥିରେ ମିଶିଯାଏ ନହେଲେ ଚାବି ଦେଇଦିଏ । ସେଲୁନ୍ରେ ଚୋରି ହେଲା ଭଳି ଜିନିଷ କିଛି ନଥିଲା, ଏଣୁ ଦେବରାଜ ନିଶ୍ଚିନ୍ତ ଥାଏ ।
ତିନିବନ୍ଧୁ ସେଲୁନ୍ ଭିତରେ ପଶିଲେ । ଭିତରେ ପଡ଼ିଥିବା ଲମ୍ବା ବେଞ୍ଚ ଉପରେ ବସିଲେ, ବିଡିଟାଣି ସୁଖଦୁଃଖ ହେଲେ । ଦର୍ପଣ ପାଖରେ ଛୋଟ ସୋକେଶ ଉପରେ ଲଣ୍ଠନଟିଏ ଜଳୁଥିଲା । ପାଶ୍ୱର୍ ଦେଶରେ କାଠ ହ୍ୟାଙ୍ଗରରେ ବାଳକଟା ଗାମୁଛା, ହାତପୋଛା, ଆଉ ଦେବରାଜର ଲୁଙ୍ଗି, ବାନିଅନ, ତଉଲିଆ, ଫତେଇ, ଇତ୍ୟାଦି ଝୁଲୁଥିଲା । କଥାବାର୍ତ୍ତା ହେଉ ହେଉ, ଗୋପାଳର କ’ଣ ମନ ହେଲା କେଜାଣି, କହିଲା- “ଦେବରାଜ, ମୋ ଦାଢ଼ିଟା ଟିକିଏ କାଟି ଦିଅନ୍ତୁନି? ସକାଳେ ଆଦୌ ସମୟ ହେଉନି, ପୁଣି ଗୋଟାଏ ବନ୍ଧୁଘର ଯିବାର ଅଛି ।”
ଠୋ ଠୋ ହୋଇ ହସି ଉଠିଲା ଦେବରାଜ- “ପାଗଳ ହେଲୁନା କ’ଣ? ଏତେ ରାତ୍ରୀରେ କିଏ ଦାଢ଼ି କାଟେ? କ୍ଷୁର ବାଜି ଯିବ ଯଦି?” ପ୍ରତିବାଦ କଲା ଗୋପାଳ, କହିଲା- “କିଛି ହେବନାହିଁ, ତୋ ହାତର କମାଲ ମୁଁ ଜାଣେ, ଲଣ୍ଠନ ନଥିଲେବି, ଅନ୍ଧାରରେ ତୁ ଦାଢ଼ି କାଟି ଦେବୁ ।”
ସାଥୀର ଅନୁରୋଧକୁ ଏଡେଇ ପାରିଲା ନାହିଁ ଦେବରାଜ । ଦାଢ଼ି କାଟିବାକୁ ରାଜି ହେଲା । ସାବୁନରେ ବ୍ରସ୍କୁ ଗୋଳେଇ ଘଷିବାରେ ଲାଗିଲା ଗୋପାଳ ଗାଲରେ । କ୍ଷୁରକୁ ଘଷା ପଥରରେ ଘଷି, ଦାଢ଼ି କାଟିବାକୁ ଉଦ୍ୟତ ହେଉଛି, ଶୁଣାଗଲା ଏକ କର୍କଶ କଣ୍ଠସ୍ୱର- “ଦେବରାଜ!!”
ଦେବରାଜ ଘୂରି ଚାହିଁଲା । ସେଲୁନ୍ର ଦ୍ୱାର ଦେଶରେ ଠିଆ ହୋଇଥିଲା ଏକ ଅଦ୍ଭୁତ ମଣିଷ । ଫୁଙ୍ଗୁଳା ଦେହ, ହାତରେ ଗୋଟାଏ କନା ପୁଟୁଳି, ରୁକ୍ଷ ଚେହେରା, ମୁହଁରେ ମେଞ୍ଚାଏ ଦାଢ଼ି, ଲମ୍ବା ଲମ୍ବା ବାଳ । ଚୋର କି ତସ୍କର ନୁହେଁ ତ? କିନ୍ତୁ, କଣ୍ଠସ୍ୱର ଶୁଣିଲା ପରି ମନେ ହେଲା ।
ପୁଣି ଶୁଣାଗଲା ସେଇ ଫଟା ଘଣ୍ଟ ନାଦ… । “ଦେବରାଜ… ।” ଦେବରାଜ ଚମକି ଉଠିଲା । ସେଇ ସ୍ୱର… । ଲଣ୍ଠନକୁ ଉଠେଇ ନେଇ ଦ୍ୱାର ଦେଶକୁ ଗଲା । ଭଲ ଭାବରେ ଚାହିଁଲା ଆଗନ୍ତୁକକୁ । ତା’ପରେ ତା’ କଣ୍ଠରୁ ବାହାରି ଆସିଲା- “ଜମିଦାର ସାହେବ… ଆପଣ?” ଚିକ୍ରାର କଲା ଆଗନ୍ତୁକ- “ଚୁପ୍.. ଏକଦମ୍ ଚୁପ୍… କିଏ ଜମିଦାର? ମୋ ବେଶ ପୋଷାକ କ’ଣ ଗୋଟାଏ ଜମିଦାର ପରି ଦେଖାଯାଉଛି? ମୁଁ ଗୋଟାଏ ପାଗଳ… ବଦ୍ଧ ପାଗଳ ।”
“ମୋଷ୍ଟ ୱାଣ୍ଟେଡ” ପ୍ରାଚୀରପତ୍ରଟା ଗଡ଼ର ସମସ୍ତ ଅଧିବାସୀମାନଙ୍କ ମନରେ ଛାପ ପକାଇ ସାରିଥିଲା । ଗୋପାଳ ଓ ଶଙ୍କର ଆଗନ୍ତୁକଙ୍କୁ ଚିହ୍ନି ସାରିଥିଲେ । ବିପଦର ଆଶଙ୍କା କରି ବେଞ୍ଚ ଉପରେ ବସିଥିବା ଶଙ୍କର ପ୍ରଥମେ ଧାଇଁଲା, ତା’ ପଛେ ପଛେ, ମୁହଁରେ ସାବୁନ ଫେଣ ଥିବା ଅବସ୍ଥାରେ ଗୋପାଳ । ଆଖି ପିଚ୍ଛୁଳାକେ ଦୁହେଁ ଅଦୃଶ୍ୟ ହୋଇଗଲେ ।
ମୈଦାନ ଖାଲି ହେବା ପରେ ଭିତରକୁ ପଶିଆସି ନିଜେ କ୍ୟାବିନକୁ ଭିତରୁ ଲକ୍ କରିଦେଲା ବୀରପ୍ରତାପ, ତା’ପରେ ଆସି ଡେଙ୍ଗା ଚେୟାର ଉପରେ ବସିଲା । ଦର୍ପଣ ଉପରେ ଝଲସି ଉଠିଲା ତା’ର ପ୍ରତିଛବି । ନିଜ ଚେହେରା ତାକୁ ଖୁବ୍ ଭୟଙ୍କର ଦେଖାଗଲା, ଠିକ୍ ଗୋଟାଏ ରାକ୍ଷସ ଭଳି । ଚିକ୍ରାର କଲା ବୀରପ୍ରତାପ- “ଏ, ଭଣ୍ଡାରି ଟୋକା, ମୁଁ ଦାଢ଼ି ବନେଇବାକୁ ଏଇଠି ବସିନାହିଁ, ଏ ଆଇନା ଉପରେ ଗାମୁଛା ପକା, ପକା ଗାମୁଛା ।”
ଜୀବନ ବିକଳରେ କାଠ ହ୍ୟାଙ୍ଗରରେ ଝୁଲୁଥିବା ଗାମୁଛାକୁ ଟାଣିଆଣି, ଦର୍ପଣ ଉପରେ ପକାଇ ଦେଲା ଦେବରାଜ । ଚାହିଁଲା- ବୀରପ୍ରତାପ, ହ୍ୟାଙ୍ଗରରେ ଝୁଲୁଥିଲା ଦେବରାଜର ଲୁଙ୍ଗି ଆଉ ଫତେଇ । ଏଇ ଦୁଇଟି ତା’ ପାଇଁ ଠିକ୍ ହେବ ଭାବି, ସେ କାଖରେ ଜାକିଥିବା କନାପୁଟୁଳି ଖୋଲି ତା’ ଭିତରୁ ରିଭଲଭରଟିଏ ବାହାର କରି ଆଣି ଦର୍ପଣ ସାମ୍ନାରେ ରଖିଲା, ତା’ପରେ ପୁଟୁଳିକୁ ଦେବରାଜ ଆଡକୁ ଫିଙ୍ଗି ଦେଇ କହିଲା- “ରଖିଥା ଏ ନମ୍ବର ଦିଆ ସରକାରୀ କାମିଜ୍କୁ । ତୁ ସରକାରଙ୍କ ଚାମଚା ପରା, ସରକାରଙ୍କୁ ଦେଖାଇଲେ, ଇନାମ୍ ମିଳିବ ଇନାମ୍… ।”
ବୀରପ୍ରତାପ ହାତ ବଢ଼ାଇ ହ୍ୟାଙ୍ଗର ଉପରୁ ଦେବରାଜର ଫତେଇକୁ ଟାଣି ନେଇ ପିନ୍ଧିଲା । ଦର୍ପଣ ପାଖରୁ ରିଭଲଭର ଉଠାଇ ଆଣି ଫତେଇ ପ୍ୟାକେଟ୍ରେ ରଖିଲା । ଦେବରାଜର ଫତେଇଟା ଖୁବ୍ ମାନିଲା ବୀରପ୍ରତାପକୁ । କାରଣ ଦେବରାଜର ଚେହେରା କୌଣସିଗୁଣରେ ବୀରପ୍ରତାପଠାରୁ ଊଣା ନଥିଲା । ହୃଷ୍ଟପୁଷ୍ଟ, ବଳିଷ୍ଠ, ପାଇକ ଆଖଡ଼ା ଖେଳାଳି, ମନରେ ସାହସ, ଶରୀରରେ ଶକ୍ତି । କେବଳ ପ୍ରତିବନ୍ଧକ ଥିଲା ବୀରପ୍ରତାପ ପୋଲିସ ଅଫିସରଙ୍କୁ ହତ୍ୟା କରି ଛଡେଇ ଆଣିଥିବା ମାରଣାସ୍ତ୍ରଟି, ନଚେତ୍ ସେ ଏତେ ବେଳକୁ କିଛି ଗୋଟାଏ କରିସାରନ୍ତାଣି ।
ଦୁହେଁ ଦୁହିଁଙ୍କ ଚିନ୍ତାରେ ମଗ୍ନ ଥିଲେ । ଫତେଇ ପକେଟରୁ ରିଭଲଭର ବାହାର କରି, ହାତରେ ଧରି, ନଚେଇ ନଚେଇ ବୀରପ୍ରତାପ କହିଲା- “ଦେଖିପାରୁଛୁ ଏ ମାରଣାସ୍ତ୍ରକୁ? ଅଟୋମେଟିକ୍, ୟା ଭିତରେ ଆହୁରି ଚାରିଟା ଗୁଳି ମହଜୁଦ୍ ଅଛି । ଶଳା, ମତେ ଗୁଳି କରିବ? ସିଂହଛୁଆକୁ ଜବତ କରିବ? ଦେଲି… ସବୁ ଖତମ୍ କରିଦେଲି… ।” କହୁ କହୁ ଠୋ ଠୋ ହୋଇ ହସି ଉଠିଲା ବୀରପ୍ରତାପ, ହସ ବନ୍ଦ କରି ପୁଣି କହିଲା- “ଗଡ଼ ସହିତ ମୋର ସବୁ ସଂପର୍କ ତୁଟି ଯାଇଛି, ହେଲେ ମୁଁ ପୁଣିଥରେ ପଳାତକ ସାଜିଛି, କ’ଣ ପାଇଁ ଜାଣିଛୁ ? ସେ ବିଭୀଷଣଟାକୁ ଖୋଜି ବାହାର କରିବା ପାଇଁ, ଯାହାଠାରୁ ଖବର ପାଇ ପୋଲିସ ମତେ ଧରିବା ପାଇଁ ସକ୍ଷମ ହୋଇପାରିଥିଲା ।”
ଦେବରାଜ କୌଣସି ମନ୍ତବ୍ୟ ପ୍ରକାଶ ନକରି ଚୁପ୍ ରହିଲା । ତାକୁ ଚୁପ୍ ରହିବା ଦେଖି ଚିକ୍ରାର କଲା ବୀରପ୍ରତାପ- “ଆବେ ଶଳା ନାପିତ, ମୁହଁ ଖୋଲିବାକୁ ଭୟ ଲାଗୁଛି? ପୋଲିସ ପାଖକୁ ଖବର ପଠାଇଲା ବେଳେ, ଏ ଚିନ୍ତା କ’ଣ ତୋ ମୁଣ୍ଡରେ ପଶିନଥିଲା?”
ଏକ ଶୀତଳ ଲହରୀ ଖେଳିଗଲା ଦେବରାଜର ସର୍ବାଙ୍ଗରେ । ବୀରପ୍ରତାପ ତାକୁ ସନ୍ଦେହ କରିଛି । ଏହାର ଫଳାଫଳ କିଛି ଭଲ ହେବ ନାହିଁ । କିଛି ଗୋଟାଏ କରିବାକୁ ହେବ । ନିଜକୁ ଯଥାସମ୍ଭବ ସଂଜତ କରି ଶାନ୍ତ ସ୍ୱରରେ ଦେବରାଜ ଉତ୍ତର ଦେଲା “ସାନ ସାଆନ୍ତେ, ମୋ ଭଳି ଗୋଟାଏ ସାମାନ୍ୟ ଅଇଁଠାଖିଆ ଭଣ୍ଡାରିର ପିତ କେତେ ଯେ, ଆପଣଙ୍କ ବିଷୟରେ ପୋଲିସକୁ ଖବର ଦେବ? ବାକି ରହିଲା କେତକୀ କଥା, ଖାଲି ତା’ ଘରେ ନୁହେଁ ସମସ୍ତଙ୍କ ଘରେ ମୋର ସମାନ ଭାବ । ଆମ ଜାତିଟା ପରା ଏଇଆ । ତା’ଛଡ଼ା ତା’ ଭାଇଟା ମୋର ପିଲାଦିନ ସାଙ୍ଗ, କେତକୀ ମୋ ବଡ଼ ଭଉଣୀର ବଉଳ । ତା’ ବାପର ମନ ଧରିଥିଲି ବୋଲି, ସେଲୁନ୍ ପାଇଁ ସାମାନ କିଣିବାକୁ ବୁଢ଼ା ମତେ ଦୁଇଶହ ଟଙ୍କା କରଜ ଦେଇଥିଲା । ସୁଧମୂଳ କରି ନେଇଥାନ୍ତା । ହେଲେ ଏବେ ସୁଧ ତ ସୁଧ, ମୂଳ ମାଗିବାକୁ କିଏ ନାହିଁ । ସେଇ ଦିନଠାରୁ ମୋ ବାପା ମତେ ଆକଟ କରି ଦେଇଛି, କାହାଦୁଆର ମାଡିବା ଦରକାର ନାହିଁ, ଜଜମାନଙ୍କ କଥା ମୁଁ ବୁଝିବି, ତୁ ସେଲୁନ୍ କଥା ଦେଖ । ଭଣ୍ଡାରି ଜାତି ସାଆନ୍ତେ, ଯାହାହେଲେବି, ବର୍ତ୍ତନଟା ରଖିବାକୁ ପଡ଼ିବ ନା, ନାଇଁ?”
ଧ୍ୟାନ ଦେଇ ଶୁଣୁଥିଲା ବୀରପ୍ରତାପ, ପଚାରିଲା- “ତୁ, ମିଛ କହୁନାହୁଁ ତ?” ଦୁଇ କାନକୁ ଧରି ପକାଇଲା ଦେବରାଜ- “ନାଇଁ ହଜୁର, ହଲପ୍ କରି କହୁଛି ।” ପୁଣି ପ୍ରଶ୍ନ କଲା ବୀରପ୍ରତାପ- “ଏ କାମ ତେବେ କେତକୀର ଭାଇ କିମ୍ବା ସେ ରସିକିଆ ପ୍ରେମିକ ପ୍ରବର କମଳାକ୍ଷର ହୋଇପାରେ, କାରଣ ପରଦିନ ଯେତେବେଳେ ପୋଲିସ ମତେ ଗାଁଦାଣ୍ଡରେ ବେଡି ପକାଇ ନେଉଥିଲା, ମୁଁ ସେ ହଳଙ୍କୁ ଦେଖିଛି, ଦୁଆର ମୁହଁରେ ଠିଆ ହୋଇ ଦାନ୍ତ ଦେଖାଇ ହସୁଥିଲେ ।”
“ନାଇଁ ସାଆନ୍ତେ, ମତେ ବିଶ୍ୱାସ କରନ୍ତୁ, ଏ କାମ, କେଶବ କିମ୍ବା କମଳାକ୍ଷର ନୁହେଁ, ହୋଇଥିଲେ ମୁଁ ନିଶ୍ଚୟ ଜାଣିଥାନ୍ତି ।” ଟିକିଏ ଚିନ୍ତା କରି ସେ ପୁଣି କହିଲା- “ସାହସ ଦେଲେ, ମୁଁ ମୋ ସନେ୍ଦହ ପ୍ରକାଶ କରନ୍ତି… ।” ମଥା ହଲାଇଲା ବୀରପ୍ରତାପ- “ହଁ, କହ… କ’ଣ କହିବାକୁ ଚାହୁଁଛୁ କହ… ।” କାନ କୁଣ୍ଡେଇ କୁଣ୍ଡେଇ ଦେବରାଜ କହିଲା- “ଘର ଢିଙ୍କି କୁମ୍ଭୀର । ଆପଣ ଯେଉଁ ଗୃହଭେଦୀ ବିଭୀଷଣକୁ ଖୋଜୁଛନ୍ତି ସେ ନିଶ୍ଚିତ ଭାବରେ ଆପଣଙ୍କ ପୁରୁଣା ନୌକର ନଚେତ ତା’ ପୁଅମାନଙ୍କ ଭିତରୁ କେହି । ବୁଢ଼ା ସାଆନ୍ତେ ସ୍ୱର୍ଗବାସ କରିଗଲା ପରେ ପୁରନ୍ଦର କକାର ମତିଗତି ବଦଳି ଯାଇଛି । ତା’ଛଡ଼ା ଆପଣ ସେଦିନ ଉଆସକୁ ଆସିବେ ବୋଲି ଅନ୍ୟମାନେ ଜାଣିବେ କାହିଁକି?”
ବୀରପ୍ରତାପ ପରିବାରର ବିଶ୍ୱସ୍ତ ନୌକର ପୁରନ୍ଦର । ବୁଢ଼ା ଜମିଦାରଙ୍କ ସମସାମୟିକ । ପ୍ରକୃତରେ ପୁରନ୍ଦର ବିଶ୍ୱାସଘାତକତା କରିନଥିଲା, କିନ୍ତୁ ତାକୁ ଥୋପ କରି ଦୁଇଜଣ ଯୁବକଙ୍କୁ ବୀରପ୍ରତାପର କୋପଦୃଷ୍ଟିରୁ ରକ୍ଷା କରିବା ସହିତ, ଦେବରାଜ ସାନ ସାଆନ୍ତର ବିଶ୍ୱାସଭାଜନ ହୋଇପାରିଲା । ମାଛ ଥୋପ ଗିଳୁଛି ଜାଣିପାରି, ଦେବରାଜ ପୁଣି କହିଲା- “ସାନ ସାଆନ୍ତେ… ମୋ କଥାକୁ ଆପଣ ମିଛ ଭାବୁ ନାହାନ୍ତି ? ଛୋଟ ମୁହଁରେ ବଡ଼ କଥା, ହେଲେ ସତଟା ସତ… ଲୋକମାନେ ଯାହା ଫୁସୁରୁ ଫାସର ହେଉଥିଲେ… ।”
“ନା… ନା.. ଦେବରାଜ ତୁ ଠିକ୍ କହିଛୁ । ମୋ ଆଖି ଖୋଲି ଦେଇଛୁ । ଅଯଥାରେ ମୁଁ ତୁମମାନଙ୍କୁ ସନେ୍ଦହ କରୁଥିଲି । ଅସଲ ବିଭୀଷଣ ପୁରନ୍ଦର କକା । ତା’ ବିଶ୍ୱାସଘାତକତାର ଫଳ ସେ ଅବଶ୍ୟ ପାଇବ ।”
“କିନ୍ତୁ ସାଆନ୍ତେ ବର୍ତ୍ତମାନ ନୁହେଁ, ଆପଣ ପ୍ରଥମେ ଟିକିଏ ସୁସ୍ଥ ହୁଅନ୍ତୁ । ରାତ୍ରୀଟା ଯାକ ପଡ଼ିଛି । ଆପଣଙ୍କୁ ନିଶ୍ଚୟ ଭୋକ ଲାଗିବଣି, କିଛି ଖାଇବାକୁ ଆଣିବି?” ଶାନ୍ତ ସ୍ୱରରେ ପଚାରିଲା ଦେବରାଜ । ସତରେ ଭୋକ ଲାଗୁଥିଲା ବୀରପ୍ରତାପକୁ । ଦେବରାଜର ନିଛକ ଅଭିନୟ ତାକୁ ଏକଦମ୍ ସହଜ କରିଦେଲା । ସେ, ଇଚ୍ଛା ପ୍ରକାଶ କଲା କିଛି ଖାଇବାକୁ । ଦେବରାଜ ତା’ ଉପରେ ଭରସା ଜନ୍ମାଇ ବାହାରକୁ ଚାଲିଗଲା । କିନ୍ତୁ ପୋଲିସରେ ଖବର ଦେବାକୁ ନୁହେଁ, ସତରେ କିଛି ଖାଦ୍ୟ ପଦାର୍ଥ ଆଣିବାକୁ । ସେଲୁନ୍ର ଦ୍ୱାରଦେଶରେ ଠିଆ ହୋଇ ତା’ ଗତିବିଧିକୁ ଲକ୍ଷ୍ୟ କଲା ବୀରପ୍ରତାପ । ଏକ ଖପର ଘରେ ପଶିଗଲା ଦେବରାଜ । ତାହା ଏକ ଭୋଜନାଳୟ ବୋଲି ଜାଣିଥିଲା ବୀରପ୍ରତାପ । ଏଣୁ ନିଶ୍ଚିତ ହୋଇ କବାଟ ଲକ୍ କରି ଚେୟାର ଉପରେ ବସିଲା ।
ପଥିକ ବନ୍ଧୁ ହୋଟେଲରେ ଯାହା କିଛି ବଳକା ବଳକି ଖାଦ୍ୟ ଥିଲା, ଜଣେ ଲୋକ ଖାଇଲା ଭଳି ଯୋଗାଡ଼ କରୁଥିଲା ବେଳେ, ନିଜର ଆଗାମୀ ଯୋଜନା ପ୍ରସ୍ତୁତ କଲା ଦେବରାଜ । ଏଠାରୁ ଚାଲିଗଲା ପରେ ବୀରପ୍ରତାପ ନିଶ୍ଚୟ ହତ୍ୟା କରିବ ପୁରନ୍ଦର କକାଙ୍କୁ । ବିଚାରା କୌଣସି ଦୋଷ ନକରି ପ୍ରାଣଦେବ । ତାଙ୍କୁ ଯେମିତି ହେଉ ରକ୍ଷା କରିବାକୁ ହେବ । ଈଶ୍ୱର ଚାହିଁଲେ ତା’ ଯୋଜନା ନିଶ୍ଚୟ ସଫଳ ହେବ ।
ବେଞ୍ଚ ଉପରେ ଖାଦ୍ୟ ଏବଂ ପାଣି ଲୋଟା ଆଣି ରଖିଲା ଦେବରାଜ । ଅତି ଆଦରରେ ଡାକିଲା- “ସାନ ସାଆନ୍ତେ, ଛୋଟ ମୁହଁରେ ବଡ଼ କଥା… ।” ବିରକ୍ତ ହେଲା ବୀରପ୍ରତାପ- “ଆବେ, ଯାହା କହିବୁ କହ, ଏତେ ଫେଣାନା… ।” ଛେପ ଢୋକି ଦେବରାଜ ପୁଣି କହିଲା- “ଗଡ଼ସାରା ଆପଣଙ୍କ ଫଟୋ ଲାଗିଛି । ଏଇ ଚେହେରା, ନୁଖୁରା ଦାଢ଼ି, ବାଳ । ଆପଣ ଏଇ ରୂପରେ ରହିଲେ ଯେଉଁଠି କି ଯାଆନ୍ତୁ ନା କାହିଁକି, ସମସ୍ତଙ୍କ ଦୃଷ୍ଟି ହଠାତ୍ ଆପଣଙ୍କ ଉପରକୁ ଚାଲିଆସିବ ଏଣୁ ମୋ କହିବା କଥା, ବାଳଟା ସାଇଜ୍ କରି, ଦାଢ଼ିଟା କାଟି ପକାନ୍ତୁ, ଚେହେରା ବଦଳି ଯିବ ।”
ଦେବରାଜର ପରାମର୍ଶ ବୀରପ୍ରତାପକୁ ପ୍ରଭାବିତ କଲା ବୋଧହୁଏ । ଦର୍ପଣ ଉପରୁ ସେ ଗାମୁଛା କାଢ଼ି ଦେଲା । ଲଣ୍ଠନକୁ ଆଉଟିକିଏ ପାଖକୁ ଘୁଞ୍ଚେଇ ଦେଇ, ନିଜକୁ ନିଜେ ଚାହିଁଲା ସେ । ଦାଢ଼ିଟା କୁଣ୍ଡେଇ ହେଲା । ରାମ୍ପିଲା ମୁହଁକୁ । ରାମ୍ପି, ରାମ୍ପି ରକ୍ତ ବାହାର କରିଦେଲା । ସୁଯୋଗ ମିଳିଗଲା ଦେବରାଜକୁ । ଦର୍ପଣକୁ ଚାହିଁ ସେ କହିଲା- “ସାଆନ୍ତେ, ତିନିମାସ ହେଲା ଦାଢ଼ି କାଟି ନାହାନ୍ତି, ଭିତରେ ଘା’ ହୋଇଗଲାଣି । ଏଇ ଘା’ଗୁଡାକ ଭାରି ମାରାତ୍ମକ । ଅନୁମତି ଦେଲେ ମୁଁ ଦାଢ଼ି କାଟି ଦିଅନ୍ତି । ଏଇଠୁ ଗଲାପରେ ଆଉ ଆପଣଙ୍କୁ ଭଣ୍ଡାରି ମିଳିବେ ନାହିଁକି, କାଟିବାକୁ ସୁବିଧା ହେବନି । ଦାଢ଼ି କାଟି ଫିଟିକିରି ମାରିଦେଲେ ଫ୍ରେସ୍ ଲାଗିବ, ଖାଇବାକୁ ମଧ୍ୟ ଶାନ୍ତି ଲାଗିବ । ଭାତ ଆଉ ଚାରିଟା ଭାକୁର ମୁଣ୍ଡ ଆଣିଛି ।”
“ତୁ ଠିକ୍ କହୁଛୁ, ଲୋକଙ୍କ ଦୃଷ୍ଟିରୁ ଲୁଚିବାକୁ ହେଲେ, ଏ ଦାଢ଼ି, ନିଶ ସବୁ କାଟି ଦେଇ ପୂରା କ୍ଲିନ୍ ହେବାକୁ ପଡ଼ିବ । ନିଶ ଦୁଇପଟ ମଧ୍ୟ ଉଡେଇ ଦିଏ, ଯେମିତି ହଠାତ୍ କେହି ଦେଖିଲେ ମତେ ଜମିଦାର ବୀରପ୍ରତାପ ମନେ କରିବେ ନାହିଁ । ସବୁତ ଗଲା, ଆଉ ଏ ନିଶରେ କ’ଣ ଅଛି? ଆ’ ତୋ ହାତର କମାଲ ଦେଖେଇ ଦେ ।”
ଏକ କୁଟୀଳ ହସ ଖେଳିଗଲା ଦେବରାଜ ଅଧରରେ । କିନ୍ତୁ ବୀରପ୍ରତାପର ସେ ଆଡକୁ ନଜର ନ ଥିଲା । ସେ ସ୍ୱାଭାବିକ ଭାବରେ ବସିଲା ଏବଂ ଫତେଇ ପକେଟରୁ ରିଭଲଭର ବାହାର କରି କୋଳରେ ଥୋଇଲା । ତା’ ଉପରେ ଦୁଇହାତ ରଖି କାମ ଆରମ୍ଭ କରିବା ପାଇଁ ଆଦେଶ ଦେଲା ଦେବରାଜକୁ ।
ଦେବରାଜ ଜୀବନରେ ସେହି ସମୟଟି ଥିଲା ସର୍ବଶ୍ରେଷ୍ଠ ମୂଲ୍ୟବାନ ସମୟ । ମନେ ମନେ ଇଷ୍ଟ ଦେବୀଙ୍କୁ ସ୍ମରଣ କରି ତା’ ଅଭିଯାନ ଆରମ୍ଭ କଲା । ବୀରପ୍ରତାପକୁ ଭଲ ଭାବରେ ଘୋଡେଇ କହିଲା- “ପ୍ରଥମେ ନିଶ ଦାଢ଼ି କାଟି ଦେଉଛି, ତା’ପରେ ବାଳ ସାଇଜ୍ କରିବା ।” ମଥା ହଲାଇ ସମ୍ମତି ପ୍ରଦାନ କଲା ବୀରପ୍ରତାପ । ସାବୁନରେ ବ୍ରସ୍ ଘଷି ଭଲ ଭାବରେ ଫେଣ କଲା ସେ । ତା’ପରେ ସେ ଫେଣ ଫେଣିଆ ବ୍ରସ୍କୁ ବୀରପ୍ରତାପ ଦାଢ଼ିରେ ଘଷି ଘଷି ତା’ ମୁହଁଟାକୁ ପୂରାପୂରି ଫେଣରେ ଛାଇଦେଲା । ଅଳ୍ପ ସମୟ ପୂର୍ବେ କ୍ଷୁରକୁ ପଜେଇ ଥିଲା, କିନ୍ତୁ ଆଉଥରେ ପଜେଇବା ଦରକାର ଭାବି ସେ, ଘଷା ପଥରରେ ପୁଣି ଘଷିଲା ।
ନିସ୍ତବ୍ଧ ରଜନୀରେ ଖୁର ପାତିଆର ଘଷା ଶବ୍ଦଟା ଖସ୍ ଖସ୍ ହୋଇ ଏକ ଭୌତିକ ପରିବେଶ ସୃଷ୍ଟି କରୁଥିଲା । ଗୋଟାଏ ବଧ ହେବାକୁ ଥିବା ଛାଗଳ ପରି ବସିଥିଲା ବୀରପ୍ରତାପ, ଆଉ ଘାତକ ଭଳି ଖୁର ପଜେଇବାରେ ଲାଗିଥିଲା ଦେବରାଜ । ଦୁହେଁ ଦୁହିଁଙ୍କ ଚିନ୍ତାରେ ମଗ୍ନ ଥିଲେ ।
“ଆରେ କେତେ ଘଷୁଛୁ, ସେତିକି ଥାଉ ।”
“ନାଇଁ ସାଆନ୍ତେ ଟିକିଏ ଭଲ କରି ସାହାଣ ନକଲେ, ଦାଢ଼ିଗୁଡାକ ମୂଳରୁ କଟିବନି ।” ସ୍ୱାଭାବିକ ଗଳାରେ ଉତ୍ତର ଦେଲା ଦେବରାଜ । କ୍ଷୁରକୁ ଘଷିବା ସହିତ ତା’ ମନରେ ସଞ୍ଚିତ ହୋଇ ରହିଥିବା ଦାବାନଳ ଧୀରେ ଧୀରେ କୁହୁଳି ହୋଇ ଉଠୁଥିଲା, କ୍ଷୁରକୁ ଭଲଭାବରେ ଧାରୁଆ କରି ଫେରିଆସିଲା ଚେୟାର ପାଖକୁ । ପୁଣିଥରେ ଇଷ୍ଟଦେବତା ଓ ଦେବୀଙ୍କୁ ଧ୍ୟାନ କରି ମଥାରେ କ୍ଷୁର ଲଗାଇ ଦାଢ଼ି କାଟିବା କାମ ଆରମ୍ଭ କଲା ।
ପ୍ରଥମେ, ମୁହଁର ବାମ ପାଖର କାନ ମୂଳଠାରୁ ଧୀରେ ଧୀରେ ଦାଢ଼ି ଚାଞ୍ଛି ଆଣିଲା ଥୋମଣି ପର୍ଯ୍ୟନ୍ତ । ସେଇଠି ଦାଢ଼ିକୁ ଛାଡ଼ିଦେଇ ବୁଲି ପଡ଼ିଲା ଡାହାଣ ପାଖକୁ । ଡାହାଣ ପାଖର କାନମୂଳ ଠାରୁ ଥୋମଣି ପର୍ଯ୍ୟନ୍ତ ଟାଣି ଆଣିଲା କ୍ଷୁରକୁ । ବର୍ତ୍ତମାନ ରହିଲା ତଳଭାଗ, ଅର୍ଥାତ୍ ଥୋମଣିଠାରୁ ଗଳାର ଶେଷ ପର୍ଯ୍ୟନ୍ତ ।
ଏହି ସମୟରେ ଦେବରାଜ ମନ ଭିତରେ ଜଳୁଥିବା ଦାବାନଳ ଖୁବ୍ ଜୋରରେ ପ୍ରଜ୍ଜ୍ୱଳିତ ହେବାକୁ ଲାଗିଲା । ସେ ଗଳା ଉପରେ ଦାଢ଼ି ସଫା କରୁ କରୁ ହଠାତ୍ ବାମହାତରେ ବୀରପ୍ରତାପର ଲମ୍ବା ଲମ୍ବା ବାଳକୁ ଚେୟାରର ପିଠି ଉପରେ ଖୁବ୍ ଜୋରରେ ଚାପି ଧରିଲା, ତା’ପରେ ଡାହାଣ ହାତରେ ଧରିଥିବା ତୀକ୍ଷ୍ଣ କ୍ଷୁରକୁ, ତା’ର ସମସ୍ତ ଶକ୍ତି ଖଟାଇ ବସାଇ ଦେଲା ବୀରପ୍ରତାପର ଗଳା ଉପରେ । ସେ ଅସ୍ତ୍ରାଘାତ ଏତେ ଶକ୍ତ ଥିଲା ଯେ, କଣ୍ଠନଳୀ ଛେଦନ କରି ସିଧାଚାଲିଆସିଲା ଗର୍ଦ୍ଦନ ପର୍ଯ୍ୟନ୍ତ । ଗର୍ଦ୍ଦନରେ ହାଡ ନଥିଲେ ମୁଣ୍ଡଟା ସେଇଠି ଗଣ୍ଡିରୁ ଅଲଗା ହୋଇଯାଇଥାନ୍ତା ।
ଚକ୍ଷୁ ପିଛୁଳାକେ ସବୁ କିଛି ଘଟିଗଲା । ଏପରି ଅପ୍ରତ୍ୟାଶିତ ଭାବରେ ଘଟିଲା ଯେ, ରିଭଲଭର ଉଠେଇବା ଦୂରର କଥା, ଚିକ୍ରାର କରିବାକୁ ମଧ୍ୟ ସୁଯୋଗ ପାଇଲା ନାହିଁ ବୀରପ୍ରତାପ । କେବଳ ସ୍ୱାଭାବିକ ଭାବେ, ତା’ ହାତ ଦୁଇଟା ଉଠି ଆସିଲା ଗଳା ପାଖକୁ । ପର ମୁହୂର୍ତ୍ତରେ ଦେବରାଜ ତା’ ଚୁଟିକୁ ଝିଙ୍କିଆଣି ଚେୟାର ସହିତ ତଳେ ପକାଇ ଦେଲା ।
କିଛି କହିବା ପାଇଁ ବୀରପ୍ରତାପ ପାଖରେ ଶକ୍ତି ନଥିଲା, କାରଣ ତା’ କଣ୍ଠନଳୀ କଟିଯାଇଥିଲା । କେବଳ କେତୋଟି ମୁହୂର୍ତ୍ତ ଜଳ ଜଳ ହୋଇ ଚାହିିଁଲା, ତା’ପରେ ଆଖିବୁଜି ଦେଲା ସବୁଦିନ ପାଇଁ । ଘୃଣାରେ ତା’ ଉପରେ ନେଣ୍ଡାଏ ଛେପ ପକାଇ ଦେବରାଜ କହିଲା- “ଗଲାପାଳି ପୋଳିସକୁ ମୁଁ ତୋ ଜୀବନ୍ତ ଶରୀରକୁ ଧରାଇଥିଲି । ଏଥର ଧରେଇବି ତୋ ଲାସ୍କୁ । ତୋ “ମୋଷ୍ଟ ୱାଣ୍ଟେଡ୍” ଶରୀରକୁ । ଏତକ କରିନଥିଲେ ମୋ କେତକୀ ଅପାର ଆତ୍ମା କେବେ ଶାନ୍ତି ପାଇନଥାନ୍ତା । ତୁ ତା’ ନିର୍ଜୀବ ଶରୀରଟାକୁ ଖଣ୍ଡ ଖଣ୍ଡ କରିଥିଲୁ । ମୁଁ ତୋ’ ଜୀଅନ୍ତା ଶରୀରକୁ ଖଣ୍ଡ ଖଣ୍ଡ କରିଦେଲି ।” ଦି’ ଗୋଇଠା ପକାଇଲା ସେ ବୀରପ୍ରତାପର ଲାସ୍କୁ ।
ତଥାପି ସନ୍ତୁଷ୍ଟ ହେଲା ନାହିଁ ଦେବରାଜ । ସେଲୁନ୍ ଖୋଲି, ଦୁଇହାତରେ ବୀରପ୍ରତାପର ଚୁଟିକୁ ଧରି, ଟାଣି ଟାଣି ବାହାକୁ ଆଣିଲା, ତା’ପରେ ଚିକ୍ରାର କଲା- “କିଏ କେଉଁଠି ଅଛ ଆସ.. ଦେଖିବ ଆସ, ପାପର କେମିତି ଅନ୍ତହୁଏ ଦେଖିବ ଆସ ।” ଭୟରେ କିନ୍ତୁ କେହି ପାଖକୁ ଆସିଲେ ନାହିଁ ।
ସେଥିପ୍ରତି ଦୃଷ୍ଟି ନଥିଲା ଦେବରାଜର । ଗୋଟାଏ ପାଗଳ ପରି ବୀରପ୍ରତାପର ଚୁଟିକୁ ଧରି, ଘୋଷାରି ଘୋଷାରି ଫାଣ୍ଡି ଆଡେ ଧାଇଁଲା ସେ । ଫାଣ୍ଡି ପାଖରେ ପହଞ୍ଚିବା ପୂର୍ବରୁ, ବାଟରେ କେଉଁଠି ଗଣ୍ଡିଟା ଛିଣ୍ଡିଯାଇ ଦେବରାଜ ହାତରେ କେବଳ ବୀରପ୍ରତାପର ମୁଣ୍ଡଟା ଥିଲା, ସେଥିପ୍ରତି ଖିଆଲ ନଥିଲା ତା’ର ।