ମଣିଷ ରକ୍ତ ପାଇଲେ ଗଛମାନେ ହାଉ ହାଉ ବଢ଼ନ୍ତି । କନ୍ଧଙ୍କ ମଗଜରେ କେଉଁ ଡୁମା ପୂରେଇଦେଲା ଏ ଇଲମ । ଧାଙ୍ଗଡ଼ାର ଉଷୁମ ରକ୍ତରେ ଭିଜିଲା ମାଟି ଦେବତା-ତାଡ଼ାପେନୁ । ଯାହାର ଯେତେ ହଳଦୀ ବାଡ଼ି ତା’ର ସେତେ ବଢ଼ତି । ଆହୁରି ହଳଦୀ, ଆହୁରି ବଢ଼ତି ପାଇଁ ଲୋଡ଼ା ଚାଲିଲା ଆହୁରି ମୁଣ୍ଡ, ଆହୁରି ମେରିଆ, ଆହୁରି ବଳି ।
ଆସିଲେ ବ୍ରିଟିଶ, ସେମାନଙ୍କ ପାଇଁ ଗୋଟିଏ ଆଇନ୍, ନେଟିଭ୍ମାନଙ୍କ ପାଇଁ ଆଉ ଗୋଟିଏ । ମାର୍ ଧର ହାଣ କାଟ ଦମନରେ ଉଠିଲା ବଳି । ରକ୍ତ ବଦଳରେ ଉଠିଲା ରକ୍ତାକ୍ତ ମେରିଆ ।
ଦେଢ଼ଶହ ବର୍ଷ ପରେ ବଜାରର ଗରାଖ ଖୋଜୁଛି ସେଇ ରକ୍ତ ଭିଜା ଜମିର ହଳଦୀ । ଗରାଖ ଆସି ଚାଖିବାକୁ ଚାହେଁ ସେଇ ପୁରୁଣା ରକ୍ତର ସୁଆଦ । ହୁ ହୁ ବଢ଼ିଲା ବଜାରରେ କନ୍ଧମାଳ ହଳଦୀର ଡିମାଣ୍ଡ । କନ୍ଧମାଳ ନାଁରେ ବେଶ୍ ବଢ଼ିଲା ହଳଦୀ ବେପାର ।
ମଶା, ଡାଆଁଶ, ସାପ ସୁପା, ଜଙ୍ଗଲି ଜନ୍ତୁଜୁନ୍ତାଙ୍କ ଭୟ ଭିତରେ, ପାହାଡ଼ ପେଟର ଜଙ୍ଗଲ ଭିତରେ ସେ ତା’ ପିଲାକବିଲା ନେଇ ଲୁଚି ବସିଥିଲା । ପିନ୍ଧା ଶାଢ଼ି ବିଛେଇ ତା’ ସ୍ତ୍ରୀ ଝିଅପୁଅ ଶୋଇଥିଲେ । ତା’ ଆଖିରେ ନିଦ ନଥିଲା । ତା’ ଦି’ମାଣ ଛନଛନିଆ ହଳଦୀ କିଆରି ତା’ ଆଖି ଆଗରେ ଲହରୁ ଥିଲା । ତା’ ଭିତରେ ଖେଳିଗଲା ଆକ୍ରୋଶ ।
– ଏବେ ଏଠୁ ଯେଉଁ ହଳଦୀ ବଜାରକୁ ଯିବ ଲୋକଙ୍କ ହାଡ଼ ମାଉଁସ ସଦ୍ୟ ଖତରୁ ଅମଳ ହଳଦୀ । ସେ ହଳଦୀ ତରକାରି କ’ଣ ଆହୁରି ହେବ ସୁଆଦ? ସେ ହଳଦୀର ରଙ୍ଗ କ’ଣ ହେବ ଆହୁରି ଗାଢ଼? ହଳଦୀଆରୁ ଆହୁରି ଗେରୁଆ?
ଗେରୁଆ ରଙ୍ଗ ହଳଦୀରୁ ତାକୁ ଦିଶିଲା ସେ ଛାଡ଼ିଆସିଥିବା ରାସ୍ତାକଡ଼ ଦୋକାନ ବଜାର, ଛକ, ବାଛି ବାଛି ଘରକୁ ଘରକୁ ଘର- ସବୁଠି ଉଡୁଥିଲା ମାଳ ମାଳ ଗେରୁଆ ପତାକା । ହାଇୱେ କଡ଼ ଚୂନ ଧଉଳା ବଜରଙ୍ଗବାଲି ମନ୍ଦିର ହେଉ କି ଖଣ୍ଡିଆ ଖାବଡ଼ା ଚର୍ଚ୍ଚର କ୍ରସ୍ ଉପରେ କିଏ ଉଡ଼େଇଥିଲା ଗେରୁଆ ଝଣ୍ଡା ।
ଏ ଦେଶରେ ଯେ ଗୋଟିଏ ଜାତୀୟ ପତାକା ଅଛି- ଏ କଥା ସମସ୍ତେ ଭୁଲି ଚାଲିଥିଲେ । ଗୋଟିଏ ଦଳ ତ୍ରିରଙ୍ଗାରୁ ଅଶୋକ ଚକ୍ର ହଟେଇ ସେଠି ତାଙ୍କ ଦଳର ପ୍ରତୀକ ଛାପିଦେଇଥିଲା । ଆହୁରି ସବୁ ସବୁଜ, ନୀଳ, ଗେରୁଆ, ଲାଲ୍ ପତାକାମାନେ ସୁଯୋଗ ପାଇଲା ମାତ୍ରେ ଫର୍ ଫର୍ ଡରାଉଥିଲେ ।
ସେ ବୁଝିପାରୁଥିଲା- ତା’ ଅଞ୍ଚଳରେ ଗେରୁଆ- ଲାଲ ପତାକା ଭିତରେ ଲଢ଼େଇ ଚାଲିଥିଲା । ସେସବୁ ପତାକାର ଜାବରେ ହଜାର ହଜାର ଗାଁ ଲୋକ ଘରହରା ଗାଁ ହରା ହେଇ ପ୍ରାଣ ବିକଳରେ ଜଙ୍ଗଲରେ ଲୁଚିଥିଲେ । ସେମାନେ ଅଧା ପାହାଡ଼ରୁ ତଳକୁ ଚାହୁଁଥିଲେ । ପାହାଡ଼ ତଳ ଗାଁ ପୋଡ଼ିର ଧୂଆଁ, ଗଛ ଉହାଡ଼ରୁ ଆକାଶକୁ ମୋଡ଼ି ମାଡ଼ି ଉଠୁଥିଲା । ସେମାନଙ୍କ ଭିତରେ ଉଦ୍ବେଗ କମ୍ ନଥିଲା- କାଳେ ସେମାନେ ଜଙ୍ଗଲକୁ ଖୋଜିବାକୁ ଆସି ପହଞ୍ଚିଯିବେ ସେପାଇଁ ଜଖମ ଆଖିର ଡୋଳାମାନ ଅହରହ ପାହାଡ଼ ତଳକୁ ଚାହିଁ ରହିଥିଲା ।
ସେମାନେ ଗାଁକୁ ଗାଁ ଛାରଖାର୍ କରି କ୍ଲାନ୍ତ ହୋଇଯାଇଥିବେ । ତାଙ୍କ ଭିତରୁ ଲୁଟ୍ମାଲ୍ ଧରି ବୋହିନେଇ ଚାଲିଥିବେ କିଛି ଲୋକ, ସେମାନେ ଆଖପାଖ ୧୦/୧୫ କିଲୋମିଟର ଦୂର ଗାଁରୁ ପାହାଡ଼ ଜଙ୍ଗଲ ଡେଇଁ ଆସିଥିବେ । ପୁଣି ସେମାନଙ୍କର ଅନ୍ୟ କେଉଁ ଗାଁ ଭଙ୍ଗା ପାଇଁ ଯିବାର ଥିବ । ସେମାନେ କ’ଣ ଆଉ ପାହାଡ଼ ଚଢ଼ି ଜଙ୍ଗଲରେ ସେମାନଙ୍କୁ ଖୋଜିବେ?
ସେ ନିଜ ଭିତରେ ସାନ୍ତ୍ୱନା ତିଆରି କରୁଥିଲା । ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ମହୁଲ ଗଛ ମଝିରେ ଯେଉଁଠି ବଣବୁଦା ନଥିଲା ଏଠି ସେଠି ପାଞ୍ଚ ଦଶଟା ପରିବାର ଜାକିଜୁକି ହୋଇ ରହିଥିଲେ । କାହା ମୁହଁ କାହାକୁ ଅଲଗା ଦିଶୁନଥିଲା । ସମସ୍ତେ ଭୟ ଆତୁର ଜଙ୍ଗଲୀ ଅନ୍ଧାରରେ କଳା ଜନ୍ଦା ଭଳି ଖୁସ୍ମୁସ୍ ହେଉଥିଲେ ।
ଗୋଟେ ଦିନ, ଗୋଟେ ରାତି ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କାହା ପେଟରେ ଖାଦି ନଥିଲା । ଚାଉଳ ହାଣ୍ଡି ଚୁଲି- ସବୁ ନିଆଁରେ ଯାଇଥିଲା । କେବଳ ଧାଇଁବା, ଜଙ୍ଗଲରେ ଝରଣାର ପାଣି ପିଇବା ଭିତରେ ସେମାନେ ଭୁଲି ଯାଇଥିଲେ ପିଲାମାନଙ୍କ ଭୋକ କଥା । ଭୋକିଲା ପିଲାମାନଙ୍କ ରଡ଼ିକୁ ମାଇଜୀମାନେ ମୁହଁରେ ଲୁଗା ଚାପି ବନ୍ଦ କରିଦେଉଥିଲେ । ସେମାନଙ୍କର ସେଠି ଉପସ୍ଥିତିର ଯେକୌଣସି ଶବ୍ଦ ଜୀବନ ପ୍ରତି ପୁଣି ନୂଆ ବିପଦ ଆଣିଦେଇପାରେ । ବଳିଥିବା ଜୀବନ ପାଇଁ ସେମାନେ ସମସ୍ତେ ଥିଲେ ସତର୍କ ।
ମରଣ ମୁହଁରୁ କୌଶଳରେ ହଟାଇ ଆଣି ଜଙ୍ଗଲରେ ପହଞ୍ଚାଇ ଦେଇଥିବା ତା’ ପରିବାରକୁ ବେଳେ ବେଳେ ସେ ଚମକି ପଡ଼ି ଚାହୁଁଥିଲା । ପଥକ୍ଲାନ୍ତ, ଭୋକ ପେଟରେ ସେମାନେ ନିର୍ଜୀବ ହୋଇପଡ଼ିଥିଲେ । ତା’ ସ୍ତ୍ରୀ କୋଳରେ ରୋଗିଣା ପୁଅ, ମାଆ ପୁଅ ଶାଢ଼ି ଘୋଡ଼େଇ ଶୋଇଥିଲେ । କେବଳ ଝିଅ ମୁହଁ ଖୋଲା ଥିଲା, ତା’ ମୁହଁ ଉପରେ ମଶା ଭଣ ଭଣ ହେଉଥିଲା । ସେ ମଶା ହୁରୁଡେଇ ଝିଅ ମୁହଁକୁ ଆଉଗୋଟିଏ ଶାଢ଼ିରେ ଘୋଡ଼େଇଦେଲା । ସେ ଯେ ବେଘର, ଜୀବନ ବଞ୍ଚେଇବା ପାଇଁ ଜଙ୍ଗଲରେ ଲୁଚି ବୁଲିବ, ତା’ ପିଲାମାନଙ୍କୁ ଏପରିି ଜାଗାରେ ଶୁଆଇ ପକେଇବ- ଏସବୁ ଥିଲା ତା’ର ସ୍ୱପ୍ନର ବାହାରେ ।
ସେ ଦୁଇ ତିନିଦିନ ଆଗରୁ ଜାଣୁଥାଏ- କିଛି ଗୋଟାଏ ବିପଦ ମାଡ଼ି ଆସୁଛି । ପାଖ ଗାଁ ଟିଆଙ୍ଗିଆରେ ଗୋଟେ ରାତିଅଧିଆ ଗୁପ୍ତ ମିଟିଂ ସରିଥିଲା । ତାଙ୍କ ଗାଁ ଜୋସେଫ୍ ଦିଗାଲକୁ ମିଳି ସାରିଥିଲା ବେନାମୀ ଚିଠି- ଜୋସେଫ୍! ତୁ ଯଦି ତୋ ପିଲାମାନଙ୍କୁ ଧରି ବଞ୍ଚିବାକୁ ଚାହୁଁଛୁ ତୋ ପାଷ୍ଟର କାମ ଛାଡ଼ । ତୋ ପ୍ରଚାର କାର୍ଯ୍ୟ ତ୍ୟାଗ କର । ଏହି ଖବର ତୁରନ୍ତ ହିନ୍ଦୁ ସମାଜକୁ ଜଣା, ତୋ ଜୀବନ ବଞ୍ଚା । ସମୟ ଅତି ଅଳ୍ପ- ଜୟହିନ୍ଦ୍ ।
ସେଦିନ ରାତିରେ ପାଖ ଗାଁ ଟିଆଙ୍ଗିଆରେ ଚାଲିଲା ସେମାନଙ୍କ ନିଆଁ ଖେଳ । ସେମାନଙ୍କ ହୋଇରେ ହୋଇରେ ରଡ଼ିରେ ବଣଜଙ୍ଗଲରେ ଛାତି କମ୍ପୁଥିଲା । ଟିଆଙ୍ଗିଆକୁ ସାବାଡ଼ କରି ସେମାନେ ଆହୁରି ଉତ୍ତେଜିତ, ଆହୁରି ରକ୍ତମୁଖା ହୋଇ ଭୋର୍ ଭୋର୍ ତାଙ୍କ ଗାଁକୁ ତିନିପଟ ପାହାଡ଼ରୁ ଶହ ଶହ ମାଡ଼ିଆସିଲେ । ଧାଙ୍ଗଡ଼ା ଧାଙ୍ଗେଡୀ ମାଇଜୀ ଗାଁ ଗହଳିରେ ଦୋକାନ ଲଗେଇଥିବା ଉପକୂଳିଆ ଓଡ଼ିଆମାନେ ସେମାନଙ୍କ ସବା ଆଗରେ ଥିଲେ । ସମସ୍ତେ କୋଡ଼ି, କୋଦାଳ, ତେଣ୍ଟା ସାବଳ, ଖଣ୍ଡା, ଫାର୍ସା, ହାମର, କିରୋସିନି, ପେଟ୍ରୋଲର ଜାର୍ ଧରିଥିଲେ ।
ତାଙ୍କ ଲିଙ୍ଗଗଡ଼ ଗାଁରେ ଦୁଇଟା ଉପାସନା ଘର । ଗୋଟେ କ୍ୟାଥେଲିକ୍ଙ୍କର ଅନ୍ୟଟି ବାପ୍ଷ୍ଟିକ୍ଙ୍କର । ଉପାସନା ଘରର ଆଜ୍ବେଷ୍ଟସ୍ ଉପରେ ଚଢ଼ି ଦଳେ ହାମରରେ ଆଜବେଷ୍ଟ୍ ଭାଙ୍ଗି କଣା କରିଦେଲେ । ଆଉ ଦଳେ ଉପାସନା ଘର ଭିତରେ ଖ୍ରୀଏଷ୍ଟଙ୍କ ଫଟୋ, ବାଇବେଲ, ମହମବତି ପ୍ରାର୍ଥନା ପାଇଁ ବାଜୁଥିବା ବାଦ୍ୟ, ସତରଂଜି, ଚେୟାର ବେଞ୍ଚ ଗୋଟିଏ ଜାଗାରେ ଠୁଳ କରି ନିଅାଁ ଲଗାଇ ତା’ ଉପରେ ପେଟ୍ରୋଲ ଘିଅ ପରି ଢାଳିଲେ । ଉପାସନା ଗୃହ ଉପରେ ସିମେଣ୍ଟ ପିଲରରେ ଲୁହାର ଯେଉଁ କ୍ରସ୍ ଲାଗିଥିଲା ସେଠି ଦି’ ଚାରିଜଣ ଚଢ଼ିଥିଲେ । ହାମରରେ ପିଲରକୁ ଭାଙ୍ଗି କ୍ରସ୍ର ଦୁଇଡେଣାକୁ ଉପରକୁ ବଙ୍କେଇ ତ୍ରିଶୂଳ ପରି କରିଦେଲେ ଓ ତଳେ ଜଳୁଥିବା ନିଅାଁକୁ ଫିଙ୍ଗିଦେଲେ ।
ଗାଁସାରା ସବୁ ଛାଡ଼ି ଜୀବନ ନେଇ ପଳେଇ ଯିବାକୁ ଆଗରୁ ସମସ୍ତେ ପ୍ରସ୍ତୁତ ହୋଇସାରିଥିଲେ । ପିଲାଛୁଆ, ବୋହି ପାରୁଥିବା ପେଡ଼ି ପୁଟୁଳା ଧରି ସେମାନେ ଜଙ୍ଗଲ ଆଡ଼େ ଧାଇଁ ପଳେଇଲେ ।
କେବଳ ସେ ଘର ଛାଡ଼ି ଯିବାକୁ ପ୍ରସ୍ତୁତ ନଥିଲା । ସେ ପାଇଁ ଘରର ସାମ୍ନା ଗ୍ରିଲ କବାଟ ଭିତର ପଟୁ ବନ୍ଦ କରି ଗୋଟିଏ ରୁମ୍ରେ ସେ ପରିବାର ସହ ପଶିଥିଲା ।
ସେ ସାମ୍ନାକୁ ଚାହିଁଲା ଜହ୍ଲାଦଙ୍କ ମେଳରେ ଛିଡ଼ା ହେଇଥିଲା ଗୋବର୍ଦ୍ଧନ ପ୍ରଧାନ ଓ ଆହୁରି ଅନେକ । ସବୁ ତା’ର ଚିହ୍ନା ଜଣା । ତା’ରି ଭିତରେ ତା’ରି ସାହିର ଦଶ ବାରଜଣ ଥିଲେ । ସେମାନଙ୍କର ଘର ଉପରେ ଗେରୁଆ ପତାକା ଉଡ଼ି ସେମାନେ ସୁରକ୍ଷାରେ ଥିଲେ । ସେଇଥିପାଇଁ ସେମାନେ ବାହାରିଆ ଲୋକଙ୍କ ସହିତ ମିଶି ନିଜ ଗାଁର ଧ୍ୱଂସର ନାଟକ ଦେଖିଥିଲେ । ଓକିଲାତିରେ ସେ ସମସ୍ତଙ୍କ ପାଇଁ ଲଢ଼ିଥିଲା । ତା’ ପକ୍ଷ ନେବାକୁ କେହି ନଥିଲେ । ଦେଖିଲା ଏ ଚକ୍ରବୁ୍ୟହରୁ ତା’ର ରକ୍ଷା ନାହିଁ । ସେ ଆତୁର ହୋଇ ଗୋବର୍ଦ୍ଧନ ପ୍ରଧାନର ଗୋଡ଼ ତଳେ ପଡ଼ି ଭୋ ଭୋ କାନ୍ଦି ଉଠିଲା- ମୋ ପରିବାରକୁ ରକ୍ଷା କର ବାବୁବୁଆ । – କିଏ କାହାକୁ ରକ୍ଷା କରିବ? ହଉ ତୁ ଯଦି ଆମ ସହିତ ମିଶିବୁ, ତେବେ ଚାଲ୍ ଆମ ସହିତ ଘର ଭାଙ୍ଗ, ନିଆଁ ଲଗା ।
ତା’ରି ପଞ୍ଚାୟତର ଗୋବର୍ଦ୍ଧନ ପ୍ରଧାନ ଛୋଟକାଟିଆ ନେତା ଥିଲା । ଘର ପୋଡ଼ିବାକୁ ଆସିଥିବା ଲୋକମାନଙ୍କୁ ସେ ଗାଁ ସାରା ବୁଲି ଘର ଚିହ୍ନଉଥିଲା । କେଉଁ ଘରେ ଗେରୁଆ ପତାକା ଉଡିବ, କେଉଁ ଘର ପୋଡ଼ିଯିବ- ସେ ସ୍ଥିର କରୁଥିଲା । ଘର ଭିତରେ ଥାଇ ସେ ଭାବୁଥିଲା- ସେ ଯେହେତୁ ପଞ୍ଚାୟତର ଏକମାତ୍ର ଓକିଲ, ସେମାନେ ତା’ର କିଛି କରିବେନି । ସେ ଗୋବର୍ଦ୍ଧନ ପ୍ରଧାନକୁ ସମ୍ମାନରେ ବାବୁବୁଆ ବୋଲି ଡାକୁଥିଲା । ତହସିଲରେ ସେ ତା’ର ଜମି ଜମାର କାଗଜପତ୍ର ଠିକ୍ କରି ଦେଇଥିଲା । ଗାଁରେ ଯେକୌଣସି କୋର୍ଟ କଚେରି କାମରେ ସେ ବିନା ଫିସ୍ରେ କାମ କରୁଥିଲା । ସେ ସେମାନଙ୍କ ବାହାଘର ଭୋଜି ଭାତକୁ ଯାଉଥିଲା, ସେମାନଙ୍କ ପୂଜା ପର୍ବର ଖୁସିରେ ସାମିଲ ହେଉଥିଲା । ସେମାନେ ମଧ୍ୟ ବଡ଼ଦିନର କେକ୍ ଫଳମୂଳ ଖାଇବାକୁ ଆସୁଥିଲେ । ତା’ ଭିତରେ କିଏ ତା’ର ହିସାବରେ ଥିଲେ ଦାଦା, ମାମୁ, ମଉସା, ଖୁଡୀ, ଭାଉଜ । ସେ କାହାର ଜୀବନରେ କ୍ଷତି କରିନଥିଲା । କାହା ଜମି ହଡ଼ପ କରିନଥିଲା, କାହାକୁ ଅସୁବିଧାରେ ପକେଇନଥିଲା । ନିଜେ ପାଠଶାଠ ପଢ଼ି ସେ ତହସିଲରେ ଛୋଟମୋଟ ଓକିଲାତି ଧନ୍ଦା ଓ ଜମିବାଡ଼ି ଚାଷବାସରେ ଦୁଃଖେସୁଖେ ତା’ କୁଟୁମ୍ବ ଚଳଉଥିଲା । ସାରା ପଞ୍ଚାୟତରେ ଓଣେ ଓକିଲ ଭାବେ ଲୋକେ ତାକୁ ଚିହ୍ନିଥିଲେ, ସମ୍ମାନ ଦେଉଥିଲେ ।
ହଁ, ତା’ର ଏକମାତ୍ର ଅପରାଧ ଯେ ସେ ଖ୍ରୀଷ୍ଟିଆନ୍ ଥିଲା । ସେଇଟା କ’ଣ ତା’ର ଦୋଷ! କେବଳ ତା’ର ଜେଜେବାପା ଶହେ ବର୍ଷ ତଳେ କନ୍ଧରୁ ଖ୍ରୀଷ୍ଟିଆନ୍ ହୋଇଥିଲା । ସେ ଘର ଭିତରେ ନିଜର ଆତ୍ମରକ୍ଷା ପାଇଁ ନିଜ ଭିତରେ ଓକିଲାତି ଯୁକ୍ତି ଜାରି ରଖିଥାଏ- ଏହା ଭିତରେ ତାଙ୍କ ଘର ଖ୍ରୀଷ୍ଟିଆନ ଭାବେ ତିନିଟା ଜେନେରେସନରେ ପହଞ୍ଚି ସାରିଥିଲା । ହେଲେ ଏଇ ପାଞ୍ଚ ଦଶ ବର୍ଷ ଭିତରେ ଯେଉଁ ଆଦିବାସୀ ହିନ୍ଦୁ ହୋଇଯାଇଥିଲେ- କାହିଁକି ଆଉ କିପରି ହେଲେ ସେସବୁ ତା’ ଭିତରେ ପ୍ରଶ୍ନ ହୋଇ ଦୋହଲୁଥିଲା । କାହିଁକି ଆମେ ଖ୍ରୀଷ୍ଟିଆନ୍ ହେଲୁ? କାହିଁକି ଆମେ ହିନ୍ଦୁ ହେଲୁ? ଆମେ ଆଦିବାସୀ । ଆମେ ହିନ୍ଦୁ ନୋହୁଁ କି ଖ୍ରୀଷ୍ଟିଆନ୍ ନୋହୁ । କିଏ କେଉଁ ବାଗରେ, କେଉଁ ଲୋଭ ଦେଖେଇ ଆମକୁ ଦି’ ଭାଗରେ ବାଣ୍ଟିଦେଲା । କେଉଁମାନେ ଲଗେଇଦେଲେ ଆଦିବାସୀ ବିରୁଦ୍ଧରେ ଆଦିବାସୀର ରକ୍ତ ଖେଳ ।
ମଣିଷର ମଗଜରେ ଯେତେବେଳେ ନିଆଁ ଲାଗିବାକୁ ନିଆଁ କୁହୁଳେ ସେଠି ସବୁବେଳେ ସେମାନେ ଅନ୍ୟର ଆବେଦନ, ନିବେଦନ, ଯୁକ୍ତିକୁ ଗୋଇଠାମାରି ଆଗେଇ ଯାଆନ୍ତି । ସେଇଆ ହେଲା । ସେମାନେ ହାମରରେ, ଶାବଳରେ ତା’ ଘରର ଗ୍ରୀଲ୍ ଭାଙ୍ଗିବାର ଶବ୍ଦ ଶୁଭିଲା ।
ଘର ଭିତରେ ତା’ର ଯେପରି ପଂଜରା ହାଡ଼ ଭାଙ୍ଗିଯିବାର ରକ୍ ରକ୍ ଶବ୍ଦ ହେଲା । ଗ୍ରୀଲ୍ ତାଡ଼ି, କବାଟ ଭାଙ୍ଗି ସେମାନେ ଘର ଭିତରକୁ ପଶି ଆସିଲେ । ସେତେବେଳକୁ ତା’ କଲେଜ ପଢ଼ୁଆ ଝିଅ, ତା’ ରୋଗିଣା ସାନପୁଅ ତା’ ଦୁଇ ପାଖରେ ଦୁଇହାତ ଧରି ଛିଡ଼ା ହେଇଥିଲେ । ତା’ ସ୍ତ୍ରୀ ତା’ ପଛପାଖରେ ଛିଡ଼ା ହେଇ ତା’ କାନ୍ଧ ଉପରେ ହାତ ରଖି ଜାବ ପଡ଼ିଯାଇଥିଲା । ଚାରିଟା ଟୋକା ତା’ ପିଲାମାନଙ୍କ କବ୍ଜାରୁ ତାକୁ ଘର ଭିତରୁ ସାଇଦାଣ୍ଡକୁ ଘୋଷାଡ଼ି ନେଲେ । ତା’ ଆଖି ଆଗରେ ତା’ ଗାଁକୁ ଖିନ୍ଭିନ୍ କରାଯାଉଥିଲା । ତା’ ଆଜ୍ବେଷ୍ଟସ୍ ଘର ଉପରେ ମାଙ୍କଡ଼ ଭଳି ଚଢ଼ିଥିଲେ ଦଳେ । ହାମର୍ରେ ଚୁନା କରୁଥିଲେ ଆଜ୍ବେଷ୍ଟସ ସିଟ୍ । ଦଳେ କୋଠାଘରର ପାରାପେଟ୍ ଭାଙ୍ଗି ଗ୍ରୀଲ୍ ତାଡୁଥିଲେ । କାହା ପୁରୁଣା ଚାଳ ଘର ହୁ ହୁ ହୋଇ ଜଳୁଥାଏ । ଆଉ ଦଳେ ଘରକୁ ପଶି ଲୁଟ୍ କରିବାକୁ ପାଗଳ ଭଳି ଖେଳେଇ ଚାଲିଥିଲେ ଘରକରଣା । ସେମାନେ ହାତବାକ୍ସ, ଟେବୁଲ୍ ଫ୍ୟାନ୍, ଟିଭି ମୁଣ୍ଡେଇ, ଦାମିକା ଘରକରଣାର ବୋକ୍ଚା ସବୁ ଧରି ଧାଇଁ ପଳଉଥିଲେ । ଜଣେ ଲୁଟେରା କାହା ଘରର ଛେଳି ମୁଣ୍ଡ କାଟି ଭୋଜି ପାଇଁ କାନ୍ଧରେ ଗଣ୍ଡି ପକେଇ ଧାଇଁ ଯାଉଥିଲା ।
ତା’ ଘର ସାମ୍ନାରେ ଶହେ ଦେଢ଼ଶହ ଲୋକ ତାକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ସାହିର ଅନ୍ୟମାନେ କେହି ଗାଁରେ ନଥିଲେ । ତାଙ୍କ ଭିତରୁ ଜଣେ କିଏ ତା’ର ବେକଶଣ୍ଢାରେ ମାରିଲା ଗୋଟିଏ ମୁଥି । ପଚାରିଲା- ମରିବାକୁ ଚାହୁଁଛ ନା ବଞ୍ଚିବାକୁ?
– ବଞ୍ଚିବାକୁ ।
ତା’ ଆଖିରୁ ଉଷୁମ ଲୁହ ନିଗିଡ଼ି ପଡ଼ିଲା, ତା’ ଦି’ ହାତ ସମସ୍ତଙ୍କ ପାଇଁ ଯୋଡ଼ି ହେଇ ରହିଲା ।
– ତେବେ ଆମେ ଯାହା କହିବୁ ମାନିବୁ ତ?
– ହଁ ହଁ ମାନିବି ।
– ତେବେ ତୁ ଗୋବର୍ଦ୍ଧନ ଆଜ୍ଞାକୁ କ୍ଷମା ମାଗ୍, ଗୋଡ଼ତଳେ ପଡ଼, ନାକ ଘଷ୍ ।
ସେ ସାମ୍ନାକୁ ଚାହିଁଲା ଜହ୍ଲାଦଙ୍କ ମେଳରେ ଛିଡ଼ା ହେଇଥିଲା ଗୋବର୍ଦ୍ଧନ ପ୍ରଧାନ । ତା’ ସ୍ତ୍ରୀ ମୂଳା ପ୍ରଧାନ, ନିରାକାର ସାହୁ, ବିଭୂତି ପ୍ରଧାନ, ବିଶ୍ୱନାଥ ମଳିକ, ମୁନା ମଳିକ, ବାବିନା ପ୍ରଧାନ, ଦୁଃଶାସନ ନାଏକ- ଆହୁରି ଅନେକ । ସବୁ ତା’ର ଚିହ୍ନା ଜଣା । ତା’ରି ଭିତରେ ତା’ରି ସାହିର ଦଶ ବାରଜଣ ଥିଲେ । ସେମାନଙ୍କର ଘର ଉପରେ ଗେରୁଆ ପତାକା ଉଡି ସେମାନେ ସୁରକ୍ଷାରେ ଥିଲେ । ସେଇଥିପାଇଁ ସେମାନେ ବାହାରିଆ ଲୋକଙ୍କ ସହିତ ମିଶି ନିଜ ଗାଁର ଧ୍ୱଂସର ନାଟକ ଦେଖିଥିଲେ । ଓକିଲାତିରେ ସେ ସମସ୍ତଙ୍କ ପାଇଁ ଲଢ଼ିଥିଲା । ତା’ ପକ୍ଷ ନେବାକୁ କେହି ନଥିଲେ । ଦେଖିଲା ଏ ଚକ୍ରବୁ୍ୟହରୁ ତା’ର ରକ୍ଷା ନାହିଁ । ସେ ଆତୁର ହୋଇ ଗୋବର୍ଦ୍ଧନ ପ୍ରଧାନର ଗୋଡ଼ ତଳେ ପଡ଼ି ଭୋ ଭୋ କାନ୍ଦି ଉଠିଲା- ମୋ ପରିବାରକୁ ରକ୍ଷା କର ବାବୁବୁଆ ।
– କିଏ କାହାକୁ ରକ୍ଷା କରିବ? ହଉ ତୁ ଯଦି ଆମ ସହିତ ମିଶିବୁ, ତେବେ ଚାଲ୍ ଆମ ସହିତ ଘର ଭାଙ୍ଗ, ନିଆଁ ଲଗା ।
ସେ ଗୋବର୍ଦ୍ଧନ ପ୍ରଧାନର ଦୁଇପାଦ ଜାବୁଡ଼ି ଧରିଲା- ବାବୁବୁଆ! ତମେ ଜାଣିଛ ମୁଁ ଓକିଲ, ମୁଁ ଆଇନ୍ ପାଇଁ କାମ କରୁଛି, ଆଇନ୍କୁ କେମିତି ନିଜ ହାତକୁ ନେବି?
ତା’ରି ଆଡ଼େ ଆଙ୍ଗୁଠି ଦେଖା ପଙ୍ଗତଙ୍କ ଭିତରେ ଥିଲା ଗୋବର୍ଦ୍ଧନ ପ୍ରଧାନର ସ୍ତ୍ରୀ ମୂଳା । ସେ ଖତେଇ ହେଲା ।
– ତୋ ସ୍ତ୍ରୀ କାହିଁକି ଘରେ ଲୁଚିଛି, ସେ ଆମ ସହିତ ଚାଲୁ ।
ସେ ମୂଳାରାଣୀର ପାଦ ପାଖକୁ ଚାଲିଗଲା- ବାବୁମାଇଜୀ ଗୋ ତମେ ତ ଜାଣ ମୋ ସ୍ତ୍ରୀ ସରକାରୀ ୟୁ.ପି. ସ୍କୁଲର ମାଷ୍ଟର ଅଛି । ଜଣେ ଟିଚର କ’ଣ , କାମ କରିପାରିବ? ସେ କାହାଘର ଭାଙ୍ଗିବ? ଏ ସାହିରେ ତ ତା’ର ସବୁ ଷ୍ଟୁଡେଣ୍ଟ, ସେ କାହାଘର ପୋଡ଼ିବ?
– ତେବେ ତୋ ଝିଅ ଆସୁ । ଗହଳିରୁ ଜଣେ କିଏ ଚିଲେଇଲା ।
– ମୋ ଝିଅ +୩ କଲେଜରେ ପଢ଼ୁଛି, ପାଠ ପଢ଼ୁଥିବା ପିଲା, ଏ କାମ କ’ଣ ସେ କରିବ?
– ତେବେ ତୋ ପୁଅ ଆମ ସହ ଚାଲୁ ।
– ମୋ ପୁଅ ରୋଗିଣା, ନିଆଁ ପାଣିକୁ ଡରେ । ବଡ଼ ଶବ୍ଦ, ପାଟିତୁଣ୍ଡକୁ ଡରେ । ନାବାଳକ ପୁଅ କ’ଣ ଏ କାମ କରିପାରିବ?
– ତୁ ଶାଲା ଚାଲାକ୍ ଅଛୁ । ପାଠଶାଠ ପଢ଼ି ତୋର ବୁଦ୍ଧି ହୋଇଯାଇଛି । ତୁ ଓକିଲ ଅଛୁ । ସେଇଥିପାଇଁ ଇଆଡୁ ସିଆଡୁ କହୁଛୁ ।
ସେ ସିଆଡ଼େ ଚାହିଁଲା । ତା’ରି ଗାଁର ମୂର୍ଖ, ଅପାଠୁଆ, ତାରି ସାଙ୍ଗ ସାରା ଜୀବନରେ ସେ ଶଳାଟି ତା’ ପାଠ, ତା’ ଓକିଲାତିକୁ ନାକ ଟେକିଛି । ତା’ ଭଲରେ ଚଳିବାକୁ ଈର୍ଷା କରିଛି । ସେ ସେମାନଙ୍କ ସହିତ ମିଶି ତାକୁ ଅପମାନ ଦେବାକୁ ଏପରି ସୁଯୋଗ ପାଇଯାଇଥିଲା ।
ସେ ଯେତେ ଖ୍ରୀଷ୍ଟିଆନ ବୋଲି ନୁହେଁ, ଏଇ ମଉକାରେ ସମସ୍ତେ ଝଡ଼ଉଥିଲେ କାହାରି ନା କାହାରି ତା’ ପ୍ରତି ବ୍ୟକ୍ତିଗତ ରାଗ । ଏତେବେଳ ଯାଏ ସେ ସମସ୍ତଙ୍କ ଗୋଡ଼ତଳେ ପଡୁଥିଲା । ଏଥରକ ଛିଡ଼ା ହେଲା । ଛିଡ଼ା ହେଉ ହେଉ ତା’ ଗାଣ୍ଡିକୁ ହାଣିଲା କିଏ ଗୋଟେ ଗୋଇଠା ।
-ଆମର ଏତେ କଥା ନାହିଁ, ଏତେ ମାଡ଼ପିଟ୍ ଖୁନ୍ ଖରାପି ନାହିଁ । ତୁ ହିନ୍ଦୁ ହୋ, ତମ ପରିବାରରେ ସମସ୍ତେ ହିନ୍ଦୁ ହୁଅ, ନହେଲେ ପରିବାରରେ ନିଆଁ ଲାଗିବ ।
ତା’ ଭିତରୁ ଜଣେ ଉପକୂଳିଆ ଓଡ଼ିଆ ବେପାରୀ ତାକୁ ଶୁଣେଇଦେଲା ଶେଷ ନିଷ୍ପତ୍ତି ।
– ହଁ । ମୁଁ ହିନ୍ଦୁ ହେବି ।
– ତେବେ ଗୋବର ପାଣି ପିଇ ।
ତା’ ନାକ ଟିଣ୍ଟିଣେଇ ଉଠିଲା । ତଥାପି ସେ ରାଜି ହେଲା ।
– ହଁ ମୁଁ ଗୋବରପାଣି ପିଇବି ।
ସେଠି ଗୋଟେ ହସ ଉଠିଲା । କିଏ ଗୋଟେ ପାଟିକରି କାହାକୁ ଅର୍ଡର ଦେଲା । ଜଣେ ପ୍ଲାଷ୍ଟିକ୍ ମଗରେ ଅଧମଗ ଗୋବର ପାଣି ଆଣି ତା’ ହାତରେ ଧରେଇଦେଲା ।
ସେତକ ସେ ଢକ ଢକ କରି ପିଇଦେଲା ।
ବଞ୍ଚିବା ପାଇଁ ସେହି ଅଦ୍ଭୁତ ସର୍ତ୍ତମାନଙ୍କ ପଛେ ଅନ୍ଧ ଭଳି ଧାଉଁଥିଲା ସେ । ହେଲେ ତା’ ପ୍ରତି ସେମାନଙ୍କର ବିଶ୍ୱାସ ନଥିଲା । ତା’ ବିଶ୍ୱାସ ଉପରେ ସେମାନେ କଲେ ହାମରିଂ- ତୁ ଯଦି ହିନ୍ଦୁ ହେଲୁ ତେବେ ଘରୁ ବାଇବେଲ୍ ଧରି ଆ । ଆମ ଆଗରେ ତାକୁ ନିଆଁରେ ପକା ।
ଗୋଟେ ସେକେଣ୍ଡ ସେ ଗୁମ୍ ଖାଇଗଲା- ତମକୁ କୁହାଯାଇଥାନ୍ତା ଗୀତାକୁ ନିଆଁରେ ପକାଅ, ତମେ ପାରିବ? ତା’ ଭିତରେ ଘୋଟି ଆସୁଥିଲା ବିଦ୍ରୋହ, ସେ ନିଜ କ୍ରୋଧକୁ ନିଜେ ବୁଝେଇଲା- ହଁ ମୋ ପରି ସେମାନଙ୍କ ଭିତରୁ ଅନେକ ଅଛନ୍ତି । ବଞ୍ଚିବା ପାଇଁ, ପରିବାର ପାଇଁ ସେମାନେ ମୋ ପରି ଅବସ୍ଥାରେ ଥିଲେ ନିଶ୍ଚେ ଗୀତାକୁ ନିଅାଁକୁ ଫିଙ୍ଗିଥାନ୍ତେ । ସେ ସେଇଆ କାହଁକି କରିପାରିବନି? କୁଇ ଭାଷାରେ ଲେଖା ହୋଇଥିବା ସଂକ୍ଷିପ୍ତ ବାଇବେଲ୍ଟିଏ ତା’ ଘରେ ଥିଲା । ସେତକ ଆଣିବାକୁ ସେ ଘର ଭିତରକୁ ପଶିଲା । ତା’ ଆଗରୁ ତା’ ଡ୍ରଇଁରୁମ୍ରେ ପଶି ଗୋଟେ ୧୯/୨୦ ବର୍ଷ ବୟସର କିଶୋର ସିମେଣ୍ଟ ବସ୍ତା ବ୍ୟାଗ୍ରେ ତା’ ଟେବୁଲ୍ ଉପର ପେନ୍ଷ୍ଟାଣ୍ଡ, ଟେବୁଲ୍ କ୍ଲଥ୍୍, କାନ୍ଥରୁ ମହାତ୍ମା ଗାନ୍ଧୀଙ୍କର ଫଟୋ, ପିତ୍ତଳ ଫ୍ଲାୱାର ବେସ୍ ପୂରେଇ ସାରି ତା’ ଟେବୁଲ୍ ଡ୍ରୟାର ବହି ଥାକରେ ଟଙ୍କା ପଇସା ଅଣ୍ଡାଳି ଚାଲିଥିଲା । ଘର ସାରା ତା’ ଓକିଲାତି ବହିପତ୍ର ଖେଳେଇ ମେଳେଇ ପଡ଼ିଥିଲା । ସିଙ୍ଗିଲ୍ ଖଟର ଗଦି ମଧ୍ୟ ସେ ଓଲଟେଇ ପକେଇଥିଲା । ଗଡ୍ରେଜ୍ ଭାଙ୍ଗିବା ପାଇଁ କସରତ ଚଳେଇଥିଲା ।
ଏ ସେ ପିଲାକୁ, ସେ ଆକୁ ଦେଖି ଦୁହେଁ ଗୋଟେ ସେକେଣ୍ଡ ଥମ୍ ହେଇଗଲେ । କାହା ମୁହଁରେ ଭାଷା ନଥିଲା ।
ସେମାନଙ୍କ ସାଙ୍ଗରେ ସେ ଲୁଟ୍ କରିବା ପାଇଁ ଆସିଥିଲା । ଆହୁରି ସହଜରେ ଘର ଭିତରୁ ଟଙ୍କା ସୁନା ରୁପା ଘର କରଣା ହାଲ୍କା ଜିନିଷକୁ ବୋହିନେବାର ଚକରରେ ଥିଲା । ସେଠି ସେ ଘର ମାଲିକର ଉପସ୍ଥିତି ତାକୁ ଅଡୁଆରେ ପକଉଥିଲା । ଅନ୍ୟମାନେ ଘରଦ୍ୱାର ଛାଡ଼ି ଜଙ୍ଗଲ ପଳେଇ ସାରିଥିଲେ, ଏ କାହିଁକି ପଛରେ ରହିଗଲା! ସେ ଟୋକା ୟା’ ଉପରେ ବିରକ୍ତ ହେଲା । ତାକୁ ଆଙ୍ଗୁଠି ହଲେଇ କହିଲା- ଜୀବନ ବଞ୍ଚେଇବାକୁ ଚାହଁ ଯଦି ଏ ଗାଁ ଏ ଘର ଛାଡ଼ି ପଳା । ସେମାନେ ପ୍ଲାନ୍ କରି ଆସିଛନ୍ତି । ତତେ ହିନ୍ଦୁ କରିବେ । ସେମାନେ ଜାଣିଛନ୍ତି ତୁ କେବେ ବି ପ୍ରାଣରେ ହିନ୍ଦୁ ହେବୁନୁ । ତୋରି ଧର୍ମକୁ ତୋରି ଦ୍ୱାରା ଅପମାନିତକରାଇ ତୋତେ ମାରିବେ, ତୋ ସ୍ତ୍ରୀ ଝିଅକୁ ରେପ୍ କରିବେ, ତୋ ପୁଅକୁ ନିଆଁକୁ ଫିଙ୍ଗିଦେବେ ।
ସେ ବାଇବେଲ୍ ନେବାକୁ ଆସିଥିଲା । ଲୁଟ୍ କରୁଥିବା ପିଲା ସେମାନଙ୍କ ଯୋଜନା କଥା କହି ତା’ ଭିତରେ ଆତଙ୍କର ବାତାବରଣଟିଏ ତିଆରି କରିଦେଲା । ସେ ଥରି ଉଠିଲା । ଏ ଘର ସେ ଘର ହୋଇ ଦରାଣ୍ଡି ବୁଲିଲା । କେଉଁଠି ତା’ ସ୍ତ୍ରୀ ପିଲାମାନେ? ସେମାନେ ଘରଭିତରେ ନଥିଲେ । ବାଡ଼ି କବାଟ ଠିଆ ମେଲା ହୋଇଥିଲା । ସେ ବାଡ଼ିପଟରେ ଯାଇ ତା’ ପୁରୁଣା ବଖୁରିଆ ଚାଳଘର ଭିତରେ, ଗୁହାଳ ଭିତରେ ଅଣ୍ଡାଳି ପକାଇଲା । ସେମାନେ ଗାଈମାନଙ୍କ ପେଟ ତଳେ ଲୁଚିଥିଲେ । ସେ ଗାଈ ବାଛୁରୀଙ୍କୁ ଆଗେ, ସେମାନଙ୍କ ବେକରୁ ପଘା ଫିଟାଇଦେଲା । ରୋଗିଣା ପୁଅକୁ କାଖେଇଲା । ଝିଅର ହାତ କସ୍ କରି ଧରିଲା । ତା’ ସ୍ତ୍ରୀକୁ ଡାକିଲା- ଆଉ ରହିବାର ନୁହେଁରେ, ପଳେଇ ଚାଲ ।
ଘରର ପଛପଟ ହଳଦୀ କିଆରି ଦେଇ ପାହାଡ଼ ପାଖ ଜଙ୍ଗଲ ଆଡକୁ ସେ ଧାଉଁଥିଲା । ସାରା ପରିବାରକୁ ତା’ରି ତାଳରେ ଦଉଡ଼ଉଥିଲା । ସେତେବେଳକୁ ଫର୍ଚ୍ଚା ଆଲୁଅ ଫିଟି ଆସୁଥାଏ । ନିଙ୍ଗାଗଡ଼ ପାହାଡ଼ ଜଙ୍ଗଲରେ ପଶି ଗାଡ଼ିଆକଲ ଗାଁ ଦେଇ ଜାକଣା ବଣ ଦେଇ ନିଲୁଙ୍ଗିଆ ପହଞ୍ଚିିଲା ବେଳକୁ ଝିଅ ମୂର୍ଚ୍ଛା ହେଇଗଲା । ଝିଅ ମୁହଁରେ ପାଣି ଛାଟି ସାଷ୍ଟାଙ୍ଗ କଲାବେଳକୁ ସେଠାରେ ସନ୍ଧ୍ୟା । ନିଲୁଙ୍ଗିଆରେ ବାଛି ବାଛି ଘର ଜଳି ପାଉଁଶ ହୋଇଯାଇଥିଲା । ଯେଉଁ ଘର ରକ୍ଷା ପାଇଯାଇଥିଲା ସେ ଘରେ କେହି ନଥିଲେ । କବରଖାନା ଭୌତିକତା ଓ ଜିଅନ୍ତା ମଣିଷଙ୍କ ଭୟରେ ପୁଣି ସେ ଆସି ନିଲୁଙ୍ଗିଆ ଜଙ୍ଗଲ ଭିତରରେ ପହଞ୍ଚି ସାରିଥିଲା ।
ସେ କାଳ ରାତି ପାହି ପାହି ଆସୁଥାଏ ।
ନିଲୁଙ୍ଗିଆ ଜଙ୍ଗଲରେ ଏଠି ସେଠି ଶୋଇଥିବା ଲୋକମାନେ ଉଠି ନିତ୍ୟକର୍ମ ପାଇଁ ଝରଣା ଖୋଜୁଥିଲେ । ଦିନ ବଢ଼ୁଥିଲା । ଜଙ୍ଗଲ ଟପି ପାହାଡ଼ରୁ ଓହ୍ଲେଇ ସମତଳ ଭୂଇଁ ଆଡକୁ ଆସ୍ତେ ସମସ୍ତେ ଓହ୍ଲଉଥିଲେ । ସେ ବି ସେ ପଟୁଆରରେ ପରିବାର ଧରି ସାମିଲ ହୋଇଗଲା ।
ଜି.ଉଦୟଗିରି ସହର ଧରିବା ବେଳକୁ ସେ ଜାଣିଲା ସେମାନେ କେଇଜଣ ମାତ୍ର ଥିଲେ । ତାଙ୍କ ଭଳି ସହସ୍ର ଲୋକ ଯେଉଁମାନେ ରାତିରେ ଜଙ୍ଗଲରେ ଲୁଚିଥିଲେ, ସମସ୍ତେ ସହରର ଚାରିପାଖ ପାହାଡ଼ରୁ ରାସ୍ତା ଉପରକୁ ଓହ୍ଲେଇ ଆସିଥିଲେ । ପେଡ଼ି ପୁଟୁଳା ଜାକି ରଖିଥିବା ଆଟାଚି, ଟିଣବାକ୍ସ, ଘରକରଣା ଭର୍ତ୍ତି ଡ୍ରମ୍ ମୁଣ୍ଡାଇ, ଆଦରରେ ଶୁଆ ପଞ୍ଜୁରି ଧରି ସେମାନେ ବେଦୁଇନ ଭଳି ସହର ସାରା ଭର୍ତ୍ତି ହୋଇ ସାରିଥିଲେ ।
ସେ ଭିଡ଼ ଭିତରେ ତା’ ପରିବାର ସହ ଠିକ୍ରେ ଚାଲି ପାରୁନଥିଲା । ଝିଅ ଗୋଡ଼ରେ ଫୁଟି ବାହାର କରାଯାଇଥିଲା ଗୋଟିଏ ବିଷାକ୍ତ ଜଙ୍ଗଲୀ କଣ୍ଟା । ସେ ଛୋଟେଇ ଛୋଟେଇ ଚାଲୁଥିଲା । ରାସ୍ତାକଡ଼ର କଳରୁ ଆଗେ ସେମାନେ ପେଟେ ପାଣି ପିଇଲେ । ସେ ବିସ୍କୁଟ ପ୍ୟାକେଟ୍ କିଣି ସମସ୍ତଙ୍କ ହାତରେ ଧରେଇ ଦେଲା ।
ପଡ଼ିଆରେ ଯେଉଁ କ୍ୟାମ୍ପ ଲାଗିଥିଲା ସେଠି ପୋଲିସ୍ ସିଆର୍ପିଏଫ୍ ଯବାନ, ବିଡ଼ିଓ, ତହସିଲଦାରମାନେ ଫୁର୍ତ୍ତି ହେଇ କାମରେ ଲାଗିଥିଲେ । କ୍ୟାମ୍ପରେ ଭର୍ତ୍ତି ହୋଇ ତମ୍ବୁଟିଏ ପାଇବା ପାଇଁ ଲୋକ ସେଠି ଠେଲାପେଲା ଲଗେଇଥିଲେ । ତା’ ନାଁ ରେଜିଷ୍ଟ୍ରେସନ୍ ପାଇଁ ଅନୁମତି ପତ୍ରଟିଏ ଧରି ସେ ରିଫୁ୍ୟଜି ଦୁନିଆ ଭିତରକୁ ପଶିଗଲା ।
କ୍ୟାମ୍ପରେ ତାକୁ ଯେଉଁ ତମ୍ବୁ ମିଳିଥିଲା ସେଇ ତାରପୋଲିନ୍ ତମ୍ବୁ ଭିତରେ ଦରି ବିଛେଇ ଦିଆଯାଇଥିଲା । ସେଇ ଛୋଟିଆ ତମ୍ବୁର ପାଞ୍ଚ ଛ’ ପରିବାରର ପଚିଶ ତିରିଶ ଲୋକ ଛୁଆପିଲା ଧରି ଗେଞ୍ଜିଗାଞ୍ଜି ହୋଇ ରହିଥିଲେ । ଆ’ ପରିବାରକୁ ଟିକେ, ତା’ ପରିବାରକୁ ଟିକେ ଘୁଞ୍ଚେଇ ନିଜ ପରିବାରର ଚାରିଜଣଙ୍କ ପାଇଁ କେବଳ ବସିବା ଆଉ ଶୋଇବାର ଜାଗା ସେ ଠିକ୍ କରିଦେଲା ।
ନିଜ ଗାଁଠୁ, ଜଙ୍ଗଲଠୁ ରିଲିଫ୍ କ୍ୟାମ୍ପ ନିରାପଦ ଥିଲା । ଧ୍ୱଂସକାରୀମାନଙ୍କର ପୋଲିସ୍, ବିଡିଓ, ତହସିଲଦାରଙ୍କ ପ୍ରତି ଭୟ ନଥିଲା । ସେମାନେ ସେମାନଙ୍କୁ ସଖୀ କଣ୍ଢେଇ ଭଳି ନଚଉଥିଲେ । କେବଳ କ୍ୟାମ୍ପମାନଙ୍କରେ କିଛି ସିଆର୍ପିଏଫ୍ ଯବାନମାନେ ଜଗାରଖାରେ ଥିଲେ ବୋଲି ସେମାନେ କ୍ୟାମ୍ପ ବାହାରେ ଚାପିଚୁପି ହୋଇ ରହୁଥିଲେ । ନଚେତ୍ କ୍ୟାମ୍ପ ଉପରେ ସେମାନଙ୍କର ଚଢ଼ଉ ବିଚିତ୍ର ନଥିଲା ।
କ୍ୟାମ୍ପ ଚାରିକଡ଼ରେ ତା’ର ବାଡ଼ ଦିଆଯାଇଥିଲା । ବେଳେବେଳେ କ୍ୟାମ୍ପ ବାହାରର ତାରବାଡ଼ ସେପାଖରେ ସେମାନଙ୍କର ମୋଟରସାଇକେଲ ଅଟକୁ ଥିଲା । ସେମାନେ ଦେଖୁଥିଲେ ଦଶଟା କୋଡିଏଟା ଗାଁ ହରା ଲୋକ କିପରି ଗୋଟିଏ ଛୋଟ ପଡ଼ିଆରେ ପୋକମାଛି ପରି ଜୀବନ ବିତାଉଛନ୍ତି । ସେମାନେ ନିଜ ଭିତରେ କଥାବାର୍ତ୍ତା ହସାହସି ହେଉଥିଲେ ।
ହଟୋ ହଟୋ କହି ସେମାନଙ୍କୁ ହଟାଇଦେଉଥିଲା ସିଆର୍ପିଏଫ୍ ଯବାନ । କ୍ୟାମ୍ପରେ ଲୋକମାନଙ୍କୁ ସେମାନେ ଶୁଣେଇ ଦେଇଯାଉଥିଲେ ଧମକ ।
– କେତେଦିନ ଆଉ ମିଲିଟାରୀ ତମକୁ ଜଗିବେ?
– କେତେଦିନ ରିଲିଫ୍ କ୍ୟାମ୍ପରେ ଭାତ ଡାଲମା ଖୁଆଇ ସରକାର ତମକୁ ରଖିପାରିବେ? ପୁଣି ତ ଗାଁକୁ ଫେରିବ । ସେଇଠି ତୁମର ଆମର ଦେଖାଦେଖି ।
କ୍ୟାମ୍ପ ବାହାରେ ପେଟ ବାହାର କରି ଢିପେଇ ଢିପେଇ ଚାଲିଥିଲା ରାଜନୀତି । ଅତ୍ୟାଚାର ବିରୁଦ୍ଧରେ ଚାଲିଥିଲା ଅତ୍ୟାଚାରୀର କୁମ୍ଭୀର କାନ୍ଦଣା । ଚାଲିଥିଲା ଶାନ୍ତି ଶୋଭାଯାତ୍ରା । ଭଙ୍ଗାରୁଜା ଗାଁ, ପଶୁ ଖୁଆଡ଼ ପରି ପଡ଼ିଥିବା ରିଲିଫ୍ କ୍ୟାମ୍ପକୁ ଥରକୁ ଥର ତଥ୍ୟ ସନ୍ଧାନରେ ଆସୁଥିଲେ ବିଶେଷଜ୍ଞ । ଦେଶୀ ବିଦେଶୀ ମେଡ଼ିଆର ସୁଅ ଛୁଟିଥିଲା । ନେତା ମନ୍ତ୍ରୀଙ୍କ ସରକାରୀ ଦପ୍ତରରେ ବିରାମ ନଥିଲା ।
– ଆମେ ବାବାଜୀକୁ ମାରିଛୁ, ଏଥିରେ ଖ୍ରୀଷ୍ଟିଆନଙ୍କ ହାତ ନାହିଁ- ମାଓମାନେ ସେମାନଙ୍କର ଅଣ୍ଡରଗ୍ରାଉଣ୍ଡ ଛପା ଲିଫ୍ଲେଟ୍ ସବୁ ବାଣ୍ଟୁଥିଲେ ।
ସେପାଖରେ ସେମାନେ ସେକଥାକୁ ମାନୁନଥିଲେ- ହିନ୍ଦୁ କଲ୍ଚରକୁ ଧ୍ୱଂସ କରିବାକୁ ଏହା ଏକ ଆନ୍ତର୍ଜାତିକ ଷଡ଼ଯନ୍ତ୍ର । ଖ୍ରୀଷ୍ଟିଆନ୍ ଗୁଣ୍ଡାଙ୍କ କାରନାମା ।
ଚାଲିଥିଲା କୋଉଠି ନା କୋଉଠି ଘରପୋଡ଼ା । କୋଉଠି ଲୋକଙ୍କୁ ଜଗାରଖା କରୁଥିବା ସିଆର୍ପିଏଫ୍ ଯବାନଙ୍କ ମୁଣ୍ଡକଟା । କ୍ୟାମ୍ପ ବାହାର ଜଗତର କିଛି ଲୋକ ହୋ ରେ ମାତିଥିଲେ ।
ସେ ସେତେବେଳେ କ୍ୟାମ୍ପରୁ ବାହାରି ଆସିଲା । ଗୋଟେ କାମ ସାରି ଘଣ୍ଟାକ ଭିତରେ ସେ ଫେରିଆସିବ ବୋଲି ତମ୍ବୁ ତଳେ ତା’ ସ୍ତ୍ରୀକୁ କହିଆସିଲା । ଗେଟ୍ପାସ୍ ଖାତାରେ ଦସ୍ତଖତ କରି ରାସ୍ତାକୁ ଛୁଇଁବା ବେଳେ ତା’ ଭିତରେ ଦ୍ୱନ୍ଦ୍ୱ ଖେଳୁଥିଲା ।
– ଯଦି ସେଠିକି ସେ ଯାଏ ତା’ପରେ ତ ସିଏ ଏଫ୍ଆଇଆର୍ ଲେଖିବ, ମାନନୀୟ ଶ୍ରୀଯୁକ୍ତ… ।
ସେଥିରେ ମୁଦାଲାମାନଙ୍କ ନାଁ ଲେଖିବ । ତା’ÿର ଘରପୋଡ଼ି ଓ ଜିନିଷ ଲୁଟ୍ର ବିବରଣୀ ଲେଖିବ । ଅନୁରୋଧ କରିବ ମୁଦାଲାମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ।
କାର୍ଯ୍ୟାନୁଷ୍ଠାନ କ’ଣ ହେବ?
ସେ ଏମିତି ଏକ ସମୟରେ ରହିଥିଲା । ଯେଉଁଠି ନ୍ୟାୟ ଉପରେ ତା’ର ସନେ୍ଦହ ଥିଲା, ତଥାପି ସେ ଥାନା ବାଉଣ୍ଡାରି ଭିତରକୁ ପଶିଲା । ସେ ଓକିଲ ବୋଲି ଏ ଥାନା କୋର୍ଟ କଚେରି କ୍ୟାମ୍ପସ୍କୁ ତା’ର ଭୟ ନଥିଲା । ସେଠି ବରଗଛର ଗୋଟେ ଚାନ୍ଦିନୀରେ ଘୋଡ଼େଇ ହେଇ ଦି’ଜଣ ବସିଥିଲେ । ସେମାନେ ଘୁମାଉଥିଲେ କି ଚେଇଁ ଶୋଇଥିଲେ ଜଣାପଡୁନଥିଲା । ଭାବିଲା- ହେଇଥିବ କିଏ ଆମପରି । ବଡ଼ବାବୁ ସ୍ପେଶାଲ ଡୁ୍ୟଟିରେ ବାହାରେ ବୁଲୁଥିଲେ । ଥାନା ଭିତରେ ସେକେଣ୍ଡ ଅଫିସ୍ର ଓ ଦୁଇ ତିନୋଟି କନେଷ୍ଟବଳ ଥିଲେ । ଥାନା ବାରଣ୍ଡାରେ ସାତ ଆଠ ଜଣ ଲୋକ ଏଫ୍ଆଇଆର୍ ଲେଖିବାକୁ କାଗଜ ଖୋଜୁଥିଲେ, କଲମ ଖୋଜୁଥିଲେ, ଓକିଲ ଖୋଜୁଥିଲେ । ସେଠି ରଜନୀ ପ୍ରଧାନ ବେପାର ଲମ୍ବେଇଥିଲା । ସେ ପାଞ୍ଚଟଙ୍କିଆ କଏନଟି ନେଇ ଦୁଇଫର୍ଦ୍ଦ କାଗଜ ବାହାର କରୁଥିଲା ଓ ପ୍ରଥମେ ଲେଖୁଥିଲା ମାନନୀୟ ଶ୍ରୀଯୁକ୍ତ… । ତା’ପରେ କହୁଥିଲା କ’ଣ ହୋଇଛି କୁହ, ମୁଦାଲମାନଙ୍କ ନାଁ କୁହ ।
ସେ ସେଠି ଛିଡ଼ା ହୋଇ ସେଇ ରିପୋର୍ଟ ଡକାର ବିବରଣୀକୁ ଶୁଣିଲା । ସମସ୍ତେ ତା’ରି ଭଳି ଅବସ୍ଥା ଭୋଗିଥିଲେ । ସମସ୍ତଙ୍କ ବିପୋର୍ଟର ବିଷୟ ସମାନ ଥିଲା- ସେମାନେ ଶହ ଶହ ସଂଖ୍ୟାରେ ହାତରେ ଅସ୍ତ୍ରଶସ୍ତ୍ର ଧରି ଆସି ମାଡ଼ ମାରିଲେ, ଘର ପୋଡ଼ିଲେ, ଲୁଟ୍କଲେ । ମୁଦାଲାମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର କଥା ସେଥିରେ ରହିଥିଲା ।
କ’ଣ କିଛି କାର୍ଯ୍ୟାନୁଷ୍ଠାନ ହୁଏ?
ସେଇ ପୁରୁଣା ପ୍ରଶ୍ନ ତାକୁ ଛନ୍ଦି ଦେଲା । ଏମିତି ଦେଖିଲେ ଗୋଟିଏ ଗୋଟିଏ ଏଫ୍ଆଇଆର୍ରେ କୋଡ଼ିଏ ପଚିଶ ଜଣ ମୁଦାଲାଙ୍କ ନାଁ ରହିଥିଲା । ଏମିତି ସବୁ ଥାନାରେ ଦିଆ ହୋଇଥିବା ରିପୋର୍ଟ ସେଥିରେ ହଜାର ହଜାର ମୁଦାଲାଙ୍କ ଉପରେ କେତେ କେସ୍ । କେତେବର୍ଷ ଚାଲିବ ସେ କେସ୍ ।
ସେମାନଙ୍କୁ ମାନନୀୟ ଶ୍ରୀଯୁକ୍ତ ଲେଖି ଲାଭ କ’ଣ? ସେଠି କିଛି ହୁଏନାହିଁ କିଛି ହେବନାହିଁ । ସେ ସେଠୁ କ୍ୟାମ୍ପ ଆଡ଼େ ଫେରି ଆସୁଥିଲା । ବରଗଛ ଚାନ୍ଦିନୀ ଉପରେ ଘୋଡେଇ ହେଇ ବସିଥିବା ସେ ଦି’ଜଣଙ୍କ ଉପରେ ତା’ ନଜର ପଡ଼ିଲା ତ ସେ ସେମାନଙ୍କ ପାଖକୁ ଗଲା । ସେଠି ବାପ ଝିଅ ବସିଥିଲେ । ପରସ୍ପର କଥା ହେବାକୁ ଯେମିତି ସେ ଦି’ଜଣଙ୍କ ତାକତ୍ ନଥିଲା ।
ସେ ପଚାରିଲା- ତମେ କ’ଣ ଥାନାରେ ରିପୋର୍ଟ ଦେଇ ତା’ର କପି ଆଣିଲଣି?
ଗୋଟିଏ ଡୋରିଆ ବେଡ୍ସିଟ୍କୁ ଚାଦର ଭଳି ଘୋଡେଇ ଅଧାମୁଣ୍ଡ ଢାଙ୍କି ସେ ଲୋକ ବସିଥିଲା । ମୁଣ୍ଡ ହଲାଇ ମନାକଲା । ଗଣଗଣିଆ ସ୍ୱରରେ କହିଲା- ମୁଁ ଗୋଟେ ରିପୋର୍ଟ ଦିଅନ୍ତି ବୋଲି ଭାବି ଏଠି ବସିଛି । କାଗଜ ଓ ଲେଖାଳି ପାଇଁ ପାଞ୍ଚଟଙ୍କା କ’ଣ ପାଞ୍ଚ ପଇସା ମୋ ପାଖରେ ନାହିଁ ।
ତା’ ଘର ରଦାଙ୍ଗିଆ । ସେ ଖ୍ରୀଷ୍ଟଦାସ ନାଏକ । ପିନ୍ଧିବା ଲୁଗା ଓ ବାପ ଝିଅଙ୍କ ଘୋଡେଇ ହେବା ପାଇଁ ଦି’ଟା ବେଡ୍ସିଟ୍ ଛଡ଼ା ତା’ର ସବୁ ନିଅାଁରେ ଯାଇଥିଲା ।
– ମୋ ପାଖରେ କାଗଜ କଲମ ଅଛି । ନିଅ ଏସବୁ, ତମ ରିପୋର୍ଟ ଲେଖ । ସେ ତା’ ଛୋଟ ପୋର୍ଟଫୋଲିଓ ବ୍ୟାଗ୍ର କାଗଜ କାଢ଼ିଲା । କିନ୍ତୁ ଖ୍ରୀଷ୍ଟଦାସ ବେଡ୍ସିଟ୍ ଭିତରୁ କାଢ଼ି ଦେଖେଇଲା ତା’ ଡାହାଣ ହାତ । ବ୍ୟାଣ୍ଡେଜ୍ ବନ୍ଧା ହୋଇଥିଲା । ଏତକ ଦେଖାଇ ତା’ ହାତ ପୁଣି ବେଡ୍ସିଟ୍ ଭିତରକୁ ନେଇଗଲା ।
ସେମାନେ ତା’ ହାତ ଭାଙ୍ଗି ଦେଇଥିଲେ । ସେ ହା ଚୁ ଚୁ କଲା ।
– ହଉ ମୁଁ ଆରମ୍ଭ କରୁଛି ତମେ ରିପୋର୍ଟ ଡାକ ।
ଖ୍ରୀଷ୍ଟଦାସ ଆରମ୍ଭ କଲା- ମାନନୀୟ ଶ୍ରୀଯୁକ୍ତ…
ସେଇଠି ସେ ତାକୁ ରୋକିଲା- ଆଚ୍ଛା ତମେ କ’ଣ ଭାବୁଛ ଏ ମାନନୀୟ ଶ୍ରୀଯୁକ୍ତ ମାନଙ୍କୁ ଆବେଦନ କଲେ କିଛି କାର୍ଯ୍ୟାନୁଷ୍ଠାନ ହୁଏ?
– କିଏ ଜାଣେ, କ’ଣ କାର୍ଯ୍ୟାନୁଷ୍ଠାନ ହବ କି ନହବ । ହେଲେ ସେଥିରୁ ମତେ ମିଳିବ କ’ଣ? ଏଫ୍ଆଇଆର୍ କପି ଖଣ୍ଡକ ମୋର ଦରକାର । ସାରା ଜୀବନ ମୁଁ ତାକୁ ପାଖରେ ରଖିବି । ଯେତେବେଳେ ଇଚ୍ଛା ହବ ମୋର ରିପୋର୍ଟକୁ ମୁଁ ପଢ଼ିପାରିବି । ସେଇ କାଗଜ ଖଣ୍ଡିକ ମୋ ସ୍ମୃତି ଶକ୍ତିକୁ ଆହୁରି ତେଜ କରିବ ।
ଅତ୍ୟାଚାର କେମିତି ସୁସ୍ଥ ମଣିଷର ମଗଜକୁ ଓଲମ ବିଲମ କରିଦିଏ ସେ କଥା ସେ ଖ୍ରୀଷ୍ଟଦାସକୁ ଚାହିଁ ଭାବୁଥିଲା । ତା’ର ବାର ତେର ବର୍ଷ ବୟସର ଝିଅ ଚାଦର ଘୋଡେଇ ତା’ ଆଡେ ମୁଡୁମୁଡୁ ହେଇ ଚାହିଁଥାଏ । କାହାରି ମୁହଁରେ ଭାଷା ନଥାଏ ।
ସେ ପଚାରିଲା- ଏଠି ତ ତିନିଟା ରିଲିଫ୍ କ୍ୟାମ୍ପ ଲାଗିଛି, ତମେ କେଉଁ କ୍ୟାମ୍ପରେ ଅଛ?
– ଏପର୍ଯ୍ୟନ୍ତ ମୁଁ କେଉଁ କ୍ୟାମ୍ପରେ ନାହିଁ । ମୁଁ ଗୋଟେ ରିପୋର୍ଟ ଲେଖିବା ପାଇଁ ଏଠି ବସିଛି । ତା’ପରେ ମୁଁ ଏଠି ନଥିବି ।
-ତେବେ ତମେ କେଉଁଠି ଯାଇ ରହିବ? କୋଉ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କ ଘରେ ରହିବ ବୋଧେ!
– ସବୁ ସଂପର୍କ ପାଉଁଶ ହୋଇ ଯାଇଛି । ଆମେ ବାପଝିଅ ଏ ମାଳ ଅଞ୍ଚଳ ଛାଡ଼ିବୁ । ଆମ ମନ ଯୁଆଡ଼େ ଚାହିଁବ ସିଆଡେ ବାହାରିଯିବୁ ।
– ତା’ହେଲେ ଥାନାରେ ଏଫ୍ଆଇଆର୍ ତମର କୋଉ କାମରେ ଲାଗିବ?
– ଆମେ ଯେଉଁଠି ଥିଲେ ବି ଏ ରିପୋର୍ଟ ଏଠି ଛାଡ଼ି ଯାଉଛୁ, ସେମାନେ ଏତିକି ଜାଣନ୍ତୁ- ଏଠି ଆମେ ଜନ୍ମ ହେଇଥିଲୁ । ସେମାନଙ୍କ ସାମ୍ନାରେ ଆମେ ସବୁ ହରେଇଲୁ, ଆମେ ଏଠି ଆଉ ନାହୁଁ ବା କେବେ ନଥିବୁ ।
ଖ୍ରୀଷ୍ଟଦାସର ପେଜୁଆ ଆଖିରେ ଲୁହ ନଥିଲା । ସେ କେବଳ କଷ୍ଟକର ନିଃଶ୍ୱାସ ପ୍ରଶ୍ୱାସ ନେଉଥିଲା । ଇଆଡେ ତା’ର ପରିବାର କ୍ୟାମ୍ପରେ ଅପେକ୍ଷା କରି ବସିଥିଲେ । ସେ ତରବର ହୋଇ ଉଠିଲା । ଭାବିଲା- ଯଦି ଗୋଟେ ଦରଖାସ୍ତର ଭାଷା ଜଣକ ମନକୁ ଯେଉଁଠି ଓ କେତେବେଳେ ବଦଳେଇ ଦେଇପାରେ, ସେହି କାମଟି ସାରିବାକୁ ସେ କାଗଜ କଲମ ଧରି ଖ୍ରୀଷ୍ଟଦାସକୁ କହିଲା- ହଉ, ଏଥର ଡାକ ।
– ମାନନୀୟ
ଶ୍ରୀଯୁକ୍ତ ଥାନା ଭାରାପ୍ରାପ୍ତ ଅଧିକାରୀ, ଜି. ଉଦୟଗିରି, କନ୍ଧମାଳ
ମହାଶୟ,
ମୁଁ ଖ୍ରୀଷ୍ଟଦାସ ନାୟକ । ବ୍ରୟସ ୫୫, ପିତା ୰ଜଗକୃଷ୍ଣ ନାୟକ । ଗ୍ରାମ- ରୁଦାଙ୍ଗିଆ, ଥାନା- ଜି. ଉଦୟଗିରି, ଜିଲ୍ଲା- କନ୍ଧମାଳ । ଆଜି ତା. ୩୦.୦୯.୦୮ ରିଖ ମଙ୍ଗଳବାର ଏହି ରିପୋର୍ଟ ଲେଖି ଜଣାଉଛି କି- ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ମୃତୁ୍ୟକୁ ନେଇ କିଛିଦିନ ରୁଦାଙ୍ଗିଆ ଓ ଗଂଜାବୁଡ଼ା ଏହାର ଆଖପାଖ ଗ୍ରାମରେ ଥିବା ଲୋକମାନଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରି ଜି. ଉଦୟଗିରି ସହରରେ ନାଗେ ପୃଷ୍ଟି, ପିତା- ଭୀମରାଜ ପୃଷ୍ଟି, ଭୀମସେନ ପ୍ରଧାନ, ପିତା- ବୋଦା ପ୍ରଧାନ, ଲକ୍ଷଣ ଆଚାର୍ଯ୍ୟ, ପିତା- ପତିତପାବନ ଆଚାର୍ଯ୍ୟ, ନଟବର ପଣ୍ଡା, ପିତା- ସତ୍ୟବାଦୀ ପଣ୍ଡା, ବିଭିନ୍ନ ସମୟରେ ଆମ ଗ୍ରାମ ତଥା ଗ୍ରାମ ପାଖ ଗମାନଂଜୁ, ଡମାଗୁଡ଼ା, ଲୋବଗୁଡ଼ା, କଂଜୁଗୁଡ଼ାରେ ରହୁଥିବା ଲୋକମାନଙ୍କୁ ଜୀବନରେ ମାରିଦେବାକୁ, ଘରଦ୍ୱାର ଜାଳିଦେବାକୁ ପ୍ରବର୍ତ୍ତାଉଥିଲେ । ଏଣୁ କିଛିଦିନ ହେବ ଆମ ଗାଁ ଲୋକ ମିଶି ନିଜ ନିଜର ଘରକୁ ଜଗୁଥିଲେ । ମୁଁ ଗତକାଲି ତା. ୨୯.୦୯.୦୮ରିଖ ରାତିରେ ମୋ ସ୍ତ୍ରୀ ରମଣୀ ନାୟକ, ମୋ ଝିଅ ସହ ଘର ସାମ୍ନାରେ ବସି ଘରକୁ ଜଗୁଥିଲୁ । ଗ୍ରାମର ଅନ୍ୟ ଲୋକମାନେ ମଧ୍ୟ ନିଜ ନିଜ ଘରକୁ ଜଗୁଥିଲେ । ଆଜି ତା ୩୦.୦୯.୦୮ ରିଖ ସକାଳ ପ୍ରାୟ ୬ଘଣ୍ଟା ସମୟରେ ହଠାତ୍ ଆଖପାଖ ଗ୍ରାମର ପ୍ରାୟ ଏକହଜାର ଲୋକ ଯୋଜନାବଦ୍ଧ ଭାବରେ ବନ୍ଧୁକ, ଟାଙ୍ଗିଆ, ବର୍ଚ୍ଛା, ତେଣ୍ଟା, ବୋମା ଦ୍ୱାରା ସଜ୍ଜିତ ହୋଇ କିରୋସିନ୍, ପେଟ୍ରୋଲ ଧରି ଆମ ଗ୍ରାମକୁ ପାହାଡ଼ର ଚାରିପାଖରୁ ଘେରି ଆସିଲେ । ମୋ ଘରକୁ ଭାଙ୍ଗି ନିଅାଁ ଲଗେଇଦେଲେ । ମୋ ସ୍ତ୍ରୀ ବିରୋଧ କରିବାରୁ ପାନ୍ଧାଗଡ଼ା ଗ୍ରାମର ସଂଜୀବ ପ୍ରଧାନ ଗୋଟେ ବର୍ଚ୍ଛା ଦ୍ୱାରା ତା’ ବାମ କାନରେ ଭୂଷିଦେଲା । ମୋ ସ୍ତ୍ରୀ ତଳେ ପଡ଼ିଯିବାରୁ ଆମ ଗ୍ରାମର ବାମଦେବ ପ୍ରଧାନ କଟୁରୀ ଦ୍ୱାରା ମୋ ସ୍ତ୍ରୀର ମୁଣ୍ଡକୁ, ପାନ୍ଧଗୁଡ଼ା ଗାଁର ନେତ୍ରମଣି ପ୍ରଧାନ ଗୋଟିଏ ଟାଙ୍ଗିଆରେ ମୋ ସ୍ତ୍ରୀର ପିଠିକୁ ହାଣିଲା । ପଣ୍ଡେ ପ୍ରଧାନ, ବାଲାଜୀ ପ୍ରଧାନ ଠେଙ୍ଗା ଓ ବାଡ଼ି ଦ୍ୱାରା ପିଟି ପକାଇଲେ । ମୋ ସ୍ତ୍ରୀର ମୁଣ୍ଡ, ପିଠି, କାନତଳ, ହାତ ଇତ୍ୟାଦି ଇତ୍ୟାଦି କଟିଗଲା । ସେ ରକ୍ତାକ୍ତ ହୋଇ ତଳେ ପଡ଼ିଲେ । ଭୟରେ ମୁଁ କିମ୍ବା ମୋର ଝିଅ ତାକୁ ରକ୍ଷା କରିପାରିଲୁ ନାହିଁ । ତା’ପରେ ସମସ୍ତ ମୁଦାଲାମାନେ ଲେବଗୁଡ଼ା, କଂଜୁଗୁଡ଼ା, ପଦଗୁଡ଼ା, ଯମାଗୁଡ଼ା ଗାଁ ଯାଇ ଘରଦ୍ୱାର ନିଅାଁ ଲଗାଇଦେଲେ । ଜିନିଷପତ୍ର ଭାଙ୍ଗିଦେଲେ । ଗୋପାଳ ପ୍ରଧାନ, ସୁରମତୀ ନାୟକ, ରୁଲୁ ନାୟକ, ହାଉନା ନାୟକ, ଅଭିନାଶ ନାୟକ, ଇଆସିନୀ ନାୟକ, ମନ୍ଦାକିନୀ ନାୟକ, ଲାଜି ନାୟକ, ଶତପଥୀ ନାୟକ, ଜୁନେଶ ନାୟକ ଇତ୍ୟାଦି ରକ୍ତାକ୍ତ ହେଲେ । ସେମାନଙ୍କ ଅବସ୍ଥା ସଂକଟପୂର୍ଣ୍ଣ । ଉକ୍ତ ସମୟରେ ପୁଲିସିବାବୁମାନେ ପହଞ୍ଚିବାରୁ ମୁଦାଲାମାନେ ସେମାନଙ୍କୁ ନମାନି ରାଗରେ ତାଣ୍ଡବ ଲୀଳା ସୃଷ୍ଟି କଲେ । ମୋ ସ୍ତ୍ରୀର ମୁଣ୍ଡ, କାନତଳ, ପିଠି ଇତ୍ୟାଦିରେ ଧାରୁଆ ଅସ୍ତ୍ର ଦ୍ୱାରା ଗଭୀର କ୍ଷତମାନ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଗଲା । ଏଣୁ ଏ ରିପୋର୍ଟ ଲେଖିଦେଲି କି ଦରକାର ବେଳେ କାର୍ଯ୍ୟରେ ଆସିବ ।
। ।ଇତି । ।
ଆପଣଙ୍କର ବିଶ୍ୱସ୍ତ
ଖ୍ରୀଷ୍ଟଦାସ ପାଇଁ ରିପୋର୍ଟ ଲେଖୁଥିବା ହାତ କମ୍ପି ଉଠିଲା । ସେ ସିନା କୌଶଳରେ ନିଜ ଜୀବନ ବଞ୍ଚେଇ ଲୁଚି ପଳେଇ ଆସିଥିଲା । ସେ ବଦ୍ଧଭୂମିରେ ଖ୍ରୀଷ୍ଟଦାସ, ସବୁ ହରେଇ ହାରି ଏଠି ବସିଥିଲା । ସେ ମନେକଲା ସେ ହିଁ ଖ୍ରୀଷ୍ଟଦାସ । ତା’ ଭିତରେ ସେହି କ୍ଷୟକ୍ଷତି । ତା’ଭିତରେ ସେହି କମ୍ପନ ।
ଖ୍ରୀଷ୍ଟଦାସ ସେମିତି ଅବିଚଳିତ ଭାବେ ତା’ ଛାତିରେ ଶୁଖିଯାଇଥିବା ତା’ ସ୍ତ୍ରୀର ରକ୍ତଟି ତାକୁ ଚାଦରରେ ଢଙ୍କେଇ ବସିଥିଲା ।
ରିପୋର୍ଟ ଶେଷରେ ସେଥିରେ ଦରକାର ହେଉଥିଲା ଖ୍ରୀଷ୍ଟଦାସର ଦସ୍ତଖତ । ଦସ୍ତଖତ କରିବାକୁ ଥିବା ତା’ ଡାହାଣ ହାତକୁ ସେମାନେ ଅକାମୀ କରିଦେଇଥିଲେ ।
ଘୋଡେଇ ହେଇଥିବା ଚାଦର ଭିତରୁ ଖ୍ରୀଷ୍ଟଦାସ ବାହାର କରିଆଣିଲା ତା’ ବାଁ ହାତ । ତା’ ହାତରୁ ନେଲା କଲମ । ବଙ୍କାତେଢ଼ା ଅକ୍ଷରରେ ବାଁ ହାତରେ ସେ କାଗଜରେ ଦସ୍ତଖତଟିଏ କଲା ।