ମହାଚୋର
ଅନେକ ଦିନ ପରେ ସତ୍ୟାନନ୍ଦ ସହିତ ଦେଖା ହୋଇଗଲା ରାଜଧାନୀର ଗୋଟାଏ ଝୁମ୍ପୁଡ଼ି ହୋଟେଲରେ । ରାଜଧାନୀରେ ଏବେ ଏପରି ହୋଟେଲମାନଙ୍କର ନାହିଁନଥିବା ଚାହିଦା । ଦହି, ପଖାଳ, ଶାଗ, ବଡ଼ିଚୂରା, ଆଳୁ ଚଟଣି, ସଜନାଛୁଇଁ ବେସର, ମାଛଭଜା, ମାଛ ପତ୍ରପୋଡ଼ା, ଶୁଖୁଆ ଭଜାଠାରୁ ଆରମ୍ଭ କରି ମାଟିହାଣ୍ଡି ରନ୍ଧା ଅସଲି ମଟନ ତର୍କାରି, ମଟନ କଷା, ଚିକେନ ପୋଡ଼ା ପର୍ଯ୍ୟନ୍ତ ସବୁ ମିଳୁଛି ଏଠି । ଷ୍ଟାର୍ ହୋଟେଲମାନଙ୍କରେ ଖାଇଖାଇ ପେଟ ଓ ପାଟିକୁ ଅରୁଚି ଧରିବାରୁ ବାବୁଭାୟାମାନେ ଦି’ଚକିଆ, ଚାରିଚକିଆ ଧରି ମୁହାଁଇଛନ୍ତି ଏଇ ଝୁମ୍ପୁଡ଼ି ଆଡ଼େ ।
ସତ୍ୟାନନ୍ଦକୁ ଆପଣ ଯୋଗୀ ଫୋଗୀ, ବାବା ଫାବା କି ସ୍ୱାମୀ ଫ୍ୱାମୀ ବୋଲି ଭାବିବେନି । ତାକୁ ଯାଇତାଇ ଲୋକ ବି ଭାବିବା ଅନୁଚିତ । ହଁ, ତାକୁ ସରଳ ବିଶ୍ୱାସୀ ଓ ନିରୀହ ବୋଲି ଭାବିବା ବୋଧହୁଏ ଠିକ୍ ହେବ । ତା’ ଢଳଢଳ ଆଖିକୁ ଦେଖିଲେ ବିଶ୍ୱାସ ଆସିବ ଯେ ଲୋକଟି ଅତ୍ୟନ୍ତ ସାଧୁ ପ୍ରକୃତିର ଓ ସ୍ଥିତପ୍ରଜ୍ଞ । ଏତେ ଚୁପିଚୁପି ସେ କଥା କହେ ଯେ ଲାଗେ ତା’ ପାଟିର କଥା କାଳେ ବ୍ୟାଘାତ ସୃଷ୍ଟି କରିପକାଇବ କି ପୃଥିବୀର ସାବଲୀଳତାରେ! ଏତେ ଧୀରେ ସେ ଚାଲେ ଯେ କାଳେ ବାସୁକି ମୁଣ୍ଡ ଉପରୁ ଖସି ପଡ଼ିବ କି ଧରିତ୍ରୀ!
ସତ୍ୟାନନ୍ଦ ବିଷୟରେ ଏତେ କଥା, ପୁଣି ଏମିତି ବନେଇ ଚୁନେଇ କହିବାର ଉଦେ୍ଦଶ୍ୟ କ’ଣ? ସତ୍ୟାନନ୍ଦ କିଏ? କ’ଣ ତା’ର ବିଶେଷତ୍ୱ? ଜୟନ୍ତ ମତରେ କୌଣସି ବିଶେଷତ୍ୱ ନଥିବା ଜଣେ ବିଶେଷ ମଣିଷ ହେଉଛି ସତ୍ୟାନନ୍ଦ, ଯାହା ସହିତ ଅନେକ ବର୍ଷ ପରେ, ସେଦିନ ଅକସ୍ମାତ ଦେଖା ହୋଇଗଲା ରାଜମହଲ ଛକ ପାଖ ଗୋଟାଏ ଝୁମ୍ପୁଡ଼ି ହୋଟେଲରେ ।
“ଆରେ ସତ୍ୟାନନ୍ଦ ତୁ…!
ଦହି ପଖାଳ, ବଡ଼ିଚୂରା ଓ ଆଳୁ ଚଟଣିର ଭୋଜନପାତ୍ର ଉପରୁ ମୁହଁ ଉଠାଇ ସତ୍ୟାନନ୍ଦ ଜୟନ୍ତକୁ ଚାହିଁଲା ଏବଂ ତା’ ସାମ୍ନାର ମଣିଷଟି ସହିତ ସତେ ଯେପରି ତା’ର ବିଶେଷ ପରିଚୟ ନାହିଁ, ସେହିପରି ଅଳ୍ପ ହସି, ଅଳ୍ପ ମୁଣ୍ଡ ହଲାଇ, କିଛି ନକହି ଖାଇବାରେ ମନ ଦେଲା ।
ଜୟନ୍ତ ଅପମାନିତ ବୋଧକଲା । ସତ୍ୟାନନ୍ଦର ଏଇ ଗୁଣଟା ଜମା ଭଲ ଲାଗେନାହିଁ ତାକୁ । କିହୋ, ଏତେ ଗ୍ରାଭିଟି କ’ଣ ପାଇଁ? କ’ଣଟା ଏମିତି ହୋଇଗଲୁ କି ତୁ? ମଣିଷ ଜୀବନ, ଆଜି ଅଛି କାଲିକୁ ଥିବ ବୋଲି କିଛି ଗ୍ୟାରେଣ୍ଟି ଅଛି? ଏ ଗୁଣଟା ବୋଧହୁଏ ସତ୍ୟାନନ୍ଦର ଜନ୍ମଗତ । କଲେଜବେଳଠାରୁ ତାକୁ ଏହିପରି ଦେଖିଆସୁଛି ଜୟନ୍ତ ।
ବି.ଏ. ଶେଷବର୍ଷର ଶେଷଦିନ । ପଢ଼ାପଢ଼ି ସରିଯାଇଥାଏ । ଆଗକୁ ପରୀକ୍ଷା । ତା’ପରେ କିଏ କୁଆଡ଼େ ଚାଲିଯିବେ । ଏତେ ବଡ଼ ପୃଥିବୀରେ କେଉଁ କୋଣରେ କିଏ କୋଉଠି ହଜିଯିବେ କେହି କାହାର ଖୋଜଖବର ରଖିପାରିବେନି । ଓଡ଼ିଆ ପ୍ରଫେସର୍ ଗାଙ୍ଗୁଲି ସାର୍ କ୍ଲାସ୍ରେ ବସି ପିଲାମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ । କାହା ଜୀବନର ଲକ୍ଷ୍ୟ କ’ଣ, ସେ କଥା ଜଣଜଣ କରି ସବୁ ପିଲାମାନଙ୍କୁ ପଚାରୁଥିଲେ ।
ଅଧ୍ୟାପନା କରିବି… ସିଭିଲ ସର୍ଭିସ୍ ପାଇଁ ଚେଷ୍ଟା କରିବି… ପୋଲିସ୍ରେ ଭର୍ତ୍ତି ହେବି…. ନିଜ ନିଜ ଯୋଜନା ଓ ସ୍ୱପ୍ନ ବିଷୟରେ ପିଲାମାନେ ଖୁବ୍ ଆଗ୍ରହର ସହିତ କହିଚାଲିଥିଲେ । ସତ୍ୟାନନ୍ଦର ପାଳିପଡ଼ିଲା । ସେ ଠିଆ ହୋଇ କିଛି ସମୟ ଭାବିଲା ପରେ କହିଲା, ସେମିତି କିଛି ନିର୍ଦ୍ଦିଷ୍ଟ ଯୋଜନା ମୁଁ କରିନାହିଁ ସାର୍! କଲେ ବି ସେପରି ଯେ ହୋଇପାରିବି, ତା’ର କିଛି ନିର୍ଦ୍ଦିଷ୍ଟତା ଅଛି କି?
– ତଥାପି କ’ଣ ହେବାକୁ ବା କରିବାକୁ ତୁମର ଇଚ୍ଛା ଅଛି? – ଗାଙ୍ଗୁଲି ସାର୍ ଅଳ୍ପ ହସି ପଚାରିଲେ ।
“ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଅଛି । ହୋଇପାରିବି କି? କ୍ଷମା କରିବେ ସାର୍, ମଣିଷ ଯାହା ଇଚ୍ଛା କରେ, ତାହା କ’ଣ ହୋଇପାରେ ନା ପାଇପାରେ? କିନ୍ତୁ ମୁଁ ଭାବିଛି, କିଛି ଗୋଟାଏ ଭଲ କାମ କରିବି । ଯାହା କରିବି ତାହା ମୋତେ ସନ୍ତୋଷ ଦେବା ସହିତ ଅନ୍ୟମାନଙ୍କୁ ଆନନ୍ଦ ଦେଉଥିବ ।”
ଗାଙ୍ଗୁଲି ସାର୍ ଗମ୍ଭୀର ହୋଇଯାଇଥିଲେ ସତ୍ୟାନନ୍ଦର କଥା ଶୁଣି ।
ଜୟନ୍ତ ଏବେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଜଣେ ପ୍ରାଶାସନିକ ଉଚ୍ଚ ଅଧିକାରୀ । କୋଡ଼ିଏ ବର୍ଷ ବିତିଗଲାଣି ଚାକିରିରେ । ଏ ସହରରେ ତା’ର ଦୁଇଦୁଇଟା ସୁଦୃଶ୍ୟ କୋଠା, ଦାମୀ କାର୍, ମୋଟା ଅଙ୍କର ଜମା ରାଶି, ସୁନ୍ଦରୀ ସ୍ତ୍ରୀ, ଡଉଲଡାଉଲ ଦୁଇଟି ଛୁଆ । ଘରେ ଓ ଅଫିସ୍ରେ ପିଅନ । ଅଖଣ୍ଡ କ୍ଷମତା ଓ ପ୍ରତିପତ୍ତି । ପ୍ରଚୁର କାର୍ଯ୍ୟବ୍ୟସ୍ତତା । ପ୍ରଚୁର ଅର୍ଥ ରୋଜଗାର ।
ଏତେସବୁ ଭିତରେ ସତ୍ୟାନନ୍ଦର କଥା କେବେ ଦିନେ ବି ଆସିନଥିଲା ଜୟନ୍ତ ମନକୁ । ସେଇ ସତ୍ୟାନନ୍ଦ ଆଜି ଝୁମ୍ପୁଡ଼ି ହୋଟେଲରେ, ଦିନ ଦ୍ୱିପ୍ରହରରେ । ଶାଗ ପଖାଳ ଖାଇସାରି ସତ୍ୟାନନ୍ଦ ହାତ ଧୋଇଲା ଏବଂ ବିଲ୍ ପୈଠ କରି ବାହାରି ଯିବା ସମୟରେ ଜୟନ୍ତ ଗଲା ତା’ ପାଖକୁ ।
: ଚିହ୍ନି ପାରୁଛ ସତ୍ୟାନନ୍ଦ! – ଜୟନ୍ତ ପଚାରିଲା ।
‘ଚିହ୍ନି ନପାରିବାର କୌଣସି କାରଣ ନାହିଁ ।’- ସତ୍ୟାନନ୍ଦ ଧୀର କଣ୍ଠରେ କହିଲା- “କୋଡ଼ିଏ ବର୍ଷ କ’ଣ ଏତେ ଲମ୍ବା ସମୟ ଯେ ଜଣେ ଆଉ ଜଣକୁ ଚିହ୍ନିପାରିବ ନାହିଁ! ତମେ ଜୟନ୍ତ ନିଶ୍ଚୟ ।
ଜୟନ୍ତ ଖୁସିହେଲା । ଯଦିଓ ଖୁସି ହେବାର ବିଶେଷ କିଛି କାରଣ ନଥିଲା । ଏତେ କର୍ମ ଜଞ୍ଜାଳ, ଏତେ ଦାୟିତ୍ୱ ଭିତରେ ଥାଇ ବି ଯଦି କୋଡ଼ିଏ ବର୍ଷ ପରେ ପ୍ରଥମ ଦେଖାରେ ସେ ସତ୍ୟାନନ୍ଦକୁ ଚିହ୍ନିପାରିଲା, ସିଏ ଏମିତି କିଏ ଯେ ତାକୁ ଚିହ୍ନିପାରିବନି?
ପୁଣି ସେଇ ଗମ୍ଭୀରତା । ଜୟନ୍ତ ପୁଣି ପଚାରିଲା- “କଲେଜ ଛାଡ଼ିବା ପରଠାରୁ ଆମ ଭିତରେ ଆଉ ଦେଖାସାକ୍ଷାତ ହୋଇନାହିଁ । ମୁଁ ଏବେ ଏଠାରେ ସବ୍-କଲେକ୍ଟର ଅଛି । ତୁମେ ଏବେ କେଉଁଠି କ’ଣ କରୁଛ?”
ସତ୍ୟାନନ୍ଦର ମାମୁଲି ବେଶ ପୋଷାକ ଓ ଘର୍ମାକ୍ତ ମଳିନ ମୁହଁକୁ ଦେଖି ଜୟନ୍ତ ଠିକ୍ ଅନୁମାନ କରିନେଇଥିଲା ଯେ ସେ ଜୀବନରେ ବେଶି କିଛି ଆଗେଇ ପାରିନାହିଁ । ଯେଉଁଠି ଥିଲା ସେଇଠି ଅଟକି ଯାଇଛି । ଏକଥା ସେ ଅନୁମାନ କରୁଥିଲେ ମଧ୍ୟ ଖୋଦ୍ ସତ୍ୟାନନ୍ଦ ମୁହଁରୁ ଶୁଣିବାକୁ ଚାହୁଁଥିଲା ତା’ ଜୀବନର ବିଫଳତାର କାହାଣୀ । ଜୟନ୍ତ ଭୁଲି ପାରିନଥିଲା- ସେଦିନ ଓଡ଼ିଆ ପ୍ରଫେସର ଗାଙ୍ଗୁଲି ସାର୍ଙ୍କ ଆଗରେ ସତ୍ୟାନନ୍ଦ କହିଥିବା କଥା । ବାପ୍ରେ, କି ଅହଂକାର! କି ଦାର୍ଶନିକ ସୁଲଭ କଥା! ସତେଅବା ଜଣେ ମହାଜ୍ଞାନୀ! ଚେତନାର ସାଗରରେ ଉବୁଟୁବୁ ଜଣେ ମହାପଣ୍ଡିତ! ସେ ଏବେ ନିଜ ମୁହଁରେ କହୁ । କ’ଣ କରି ସେ ସନ୍ତୋଷ ପାଉଛି ଓ ଅନ୍ୟକୁ ସୁଖ ବିତରଣ କରୁଛି!
– “ଅଛି ସୁଖେଦୁଃଖେ ଗୋଟେ ପ୍ରକାର! – ସତ୍ୟାନନ୍ଦ କହିଲା ଏବଂ ଜରୁରୀ କାମ ଥିବା ପରି ଯିବାକୁ ତରତର ହେଲା ।
ଜୟନ୍ତ ଜାଣିପାରିଲା, ସତ୍ୟାନନ୍ଦ ଖସି ଯିବାକୁ ଚାହୁଁଛି ତା’ ଉପସ୍ଥିତିରୁ । ସେ ବି ନଛୋଡ଼ବନ୍ଦା । କହିଲା- ଇୟେ କି କଥା? କିଛି ତ ନିଶ୍ଚେ କରୁଥିବ! “ନଚେତ୍ ବଞ୍ଚିଛ କେମିତି?”
“ଭଗବାନଙ୍କ ଏ ପୃଥିବୀରେ ମୋ’ ପରି କ୍ଷୁଦ୍ର ଜୀବନଟିଏ ବଞ୍ଚି ରହିବା ଏମିତି କିଛି ଆଶ୍ଚର୍ଯ୍ୟକର କଥା ନୁହେଁ । ପଶୁପକ୍ଷୀ, କୀଟପତଙ୍ଗ ତ ପୁଣି ବଞ୍ଚିଛନ୍ତି ନା ନାଇଁ !
ଏସବୁ ସହ୍ୟ କଲା ଜୟନ୍ତ । ବିଶ୍ୱବିଖ୍ୟାତ ଦାର୍ଶନିକଟାଏ ତ! ମୁଁ ତୋତେ ଯାହା ପଚାରୁଛି ତା’ର ଉତ୍ତର ନଦେଇ ମତେ ଭୂତୋଉଛୁ କାହିଁକି? କହୁନୁ, ଚୋରି କରି କି ଭିକମାଗି ଅବା ମୂଲମଜୁରି ଲାଗି କଷ୍ଟେମଷ୍ଟେ ଚଳିଯାଉଛି ବୋଲି! ଲୁଚିଛି ନା ଗୋଡ଼ଦି’ଟା ଦିଶୁଛି! ତୁ ନକହିଲେ ବାପଧନ, ତୋର ଏମନ୍ତ ରୂପଭେକ ଦେଖି ମୁଁ କ’ଣ ଜାଣିପାରୁନି ତୋର ଦୟନୀୟ ଅବସ୍ଥା କଥା! ଯାହା ହେଲେ ବି ତୋ’ ପାଟିରୁ କଥା ବାହାର ନକରି ମୁଁ ଆଜି ତୋତେ ଛାଡ଼ୁନିରେ ପୁଅ…
ସତ୍ୟାନନ୍ଦ ଆହୁରି ତରତର ହେଲା ଏବଂ ତା’ର ସେହିପରି ଅପ୍ରସ୍ତୁତ ଅବସ୍ଥା ଆନନ୍ଦ ଦେଲା ଜୟନ୍ତକୁ । ସେ ଜାଣିଥିଲା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସଦାନନ୍ଦ ତରତର ହେଉନାହିଁ, ବରଂ ତା’ ଉପସ୍ଥିତିରୁ ଖସିଯିବା ପାଇଁ ସେ ଅସ୍ଥିର ହୋଇପଡୁଛି । ରହରେ ଧନ, ଆଜି ତୋର ଦିନେକୁ ମୋର ଦିନେ । ତୋ’ ମୁହଁରୁ କଥା ବାହାର ନକରି ଆଜି ମୁଁ ତୋତେ ଛାଡୁନି । ତୁ ଡାଳେଡାଳେ ଗଲେ ମୁଁ ପତ୍ରେପତ୍ରେ ଯିବା ଲୋକ । ତୁ ପତ୍ରେପତ୍ରେ ଗଲେ ମୁଁ ଶିରାରେ ଶିରାରେ ଯିବା ଲୋକ…
ସତ୍ୟାନନ୍ଦ କହିଲା, “ଛାଡ଼ ଭାଇ, ଏ ସଂସାରରେ କୋଟିକୋଟି ମଣିଷଙ୍କ କୋଟିକୋଟି କାମ ଭିତରୁ ମୋ କଥାଟା ଅତି ନଗଣ୍ୟ । ପ୍ରଣିଧାନ ଅଯୋଗ୍ୟ । ତୁମପରି ବଡ଼ ହାକିମଙ୍କ ଆଗରେ ସେକଥା କହିବାକୁ ମୁଁ ଉଚିତ ମଣୁନାହିଁ ।
ତା’ର ଅର୍ଥ ନୁହେଁ ଯେ ମୋ କାମକୁ ମୁଁ ଛୋଟ ମଣୁଛି ! ମୁଁ ଯେଉଁ କାମ କରୁଛି, ଭାବୁଛି ସେଥିରେ ତୁମର କିଛି ଦେଣନେଣ ନାହିଁ । ସେଇଥିପାଇଁ ତୁମକୁ ମୁଁ କହିବାକୁ ଚାହୁଁନାହିଁ ।
“ଇୟେ ଗୋଟେ କଥା!” – ଜୟନ୍ତ କହିଲା- “ତୁମେ ମୋର ଦୀର୍ଘ କୋଡ଼ିଏ ବର୍ଷର ବନ୍ଧୁ । ତୁମ କାମରେ ମୋର ଦେଣନେଣ ନରହିବ କାହିଁକି? ମୁଁ ତ ପୁଣି ମୋର କାମକାର୍ଯ୍ୟ ବିଷୟରେ ତୁମ ଆଗରେ ସବୁ କହିଗଲି! ତୁମେ ଲୁଚାଉଛ କାହିଁକି? ଇୟେ କି ନ୍ୟାୟ? ଏହା କ’ଣ ବନ୍ଧୁତ୍ୱର ସଂଜ୍ଞା?
‘ଚୋରି କରୁଛି ।’ – ସତ୍ୟାନନ୍ଦ କହିଲା ଏବଂ କାଳବିଳମ୍ବ ନକରି ତା’ ପୁରୁଣା ସାଇକେଲଟି ଚଢ଼ି ଚାଲିଗଲା ତା’ ବାଟରେ ।
ଚୋର କ’ଣ କେବେ କୁହେ ଯେ ସେ ଚୋରି କରୁଛି ବୋଲି? ଅଥଚ ସତ୍ୟାନନ୍ଦ ରୋକ୍ଠୋକ୍ କହିଦେଇ ଚାଲିଗଲା! ଏହା କ’ଣ ତା’ର ଅପରିଣାମଦର୍ଶିତା ନା ସ୍ପଷ୍ଟବାଦିତା? ତା’ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ଆବେଗରେ ଓଦା ହୋଇଗଲା ଜୟନ୍ତର ମନ । କ’ଣ ଦରକାର ଥିଲା ତା’ ଆଗରେ ନିଜର ବଡ଼ପଣ ଜାହିର କରିବା? କି ଦରକାର ଥିଲା ତା’ର କାର୍ଯ୍ୟ ବିଷୟରେ ଜାଣିବାର ଅହେତୁକ ଆଗ୍ରହ ପୋଷଣ କରିବା? ସଂସାରରେ ଯେଝାବାଟରେ ଯିଏ । କିଏ କାହାକୁ ଦଉଛି ନା ନଉଛି? ଏଠି ବିପଦ ଆପଦରେ କିଏ କାହା ପିଠିରେ ପଡୁଛି? ଅତଏବ ସତ୍ୟାନନ୍ଦ ନାମକ ଏଇ ଯେଉଁ ତା’ର କଲେଜ ବେଳର ବନ୍ଧୁ ଜଣକ ଯଦି ତା’ ଜୀବନରେ ଯେକୌଣସି କାମରେ ନିଜକୁ ସଂଯୋଜିତ କରି ସଂସାରରେ ତିଷ୍ଠି ରହିଲା, ସେଥିରେ କାହାର କ’ଣ ଅସୁବିଧା ହୋଇଗଲା?
ୟା’ପରେ ଜୟନ୍ତ ଅନେକବାର ଆସିଛି ସେଇ ଝୁମ୍ପୁଡ଼ି ହୋଟେଲକୁ । କିନ୍ତୁ ଆଉ କେବେ ଥରେ ମଧ୍ୟ ଦେଖା ହୋଇନାଇଁ ସତ୍ୟାନନ୍ଦ ସହିତ । ସମୟ ଆଗକୁ ବଢ଼ିଛି । ତା’ ସହିତ ବଢ଼ିଛି ବି ଜୟନ୍ତର ଗୁରୁଭାର । ପିଲାମାନେ ବଡ଼ ହୋଇଗଲେଣି । ଉଚ୍ଚଶିକ୍ଷା ପାଇ ଯେ ଯାହାର ଧନ୍ଦା ଧରିଲେଣି । ପତ୍ନୀ ରୀତାଙ୍କ ପତଳା ଶରୀରରେ ଚର୍ବି ଢେଉ ଭାଙ୍ଗିଲାଣି । ତା’ର ତ ପେଟ ଆଗକୁ ବାହାରିଲାଣି ଦଶଇଞ୍ଚ । ଧନଜନ ଗୋପଲକ୍ଷ୍ମୀ, କେଉଁଥିରେ ଅଭାବ ନାହିଁ । ଯାହାକୁ କହନ୍ତି ସଫଳ ଓ ସୁଖୀ ଜୀବନ ।
ସୁଖୀ ଜୀବନ! ଝୁଣ୍ଟିପଡ଼େ ଜୟନ୍ତ । ସୁଖ କ’ଣ? କିପରି ତା’ର ସ୍ୱରୂପ? ସବୁ ଜିନିଷ ବିନା କଷ୍ଟ ଓ ଦ୍ୱିଧାରେ ହାତ ପାହାନ୍ତାରେ ମିଳିଯିବା କ’ଣ ସୁଖ? ଧନ ପ୍ରାଚୁର୍ଯ୍ୟରେ ଉବୁଟୁୁବୁ ହେବା, ଉଡ଼ାଜାହାଜରେ ପୃଥିବୀ ବୁଲିବା, ମଦ ମାତ୍ସର୍ଯ୍ୟରେ ବୁଡ଼ି ରହିବା କ’ଣ ସୁଖ? ଜୟନ୍ତ ବେଳେବେଳେ ନିଜକୁ ଭାରି ଅସହାୟ ମନେକରେ । ଏଇ ଯେଉଁ ମଣିଷମାନେ ଏବେ ତା’ ଚାରିପାଖରେ ଚକ୍କର କାଟୁଛନ୍ତି, ଆଜ୍ଞା ହଜୁର କହି ବୁଲୁଛନ୍ତି, ସେମାନେ ସତରେ କ’ଣ ତାକୁ ଭଲ ପାଉଛନ୍ତି? ସମ୍ମାନ କରୁଛନ୍ତି? କାଲିକୁ ତାଙ୍କ ହାତରୁ କ୍ଷମତା ଚାଲିଗଲା ପରେ ସେମାନେ ଆଉ ଆସିବେ ତ ତାଙ୍କ ପାଖକୁ? ସେପରି ସମ୍ମାନ କରିବେ ତ! ବୋଝ ପରି କିଛି ଗୁଡାଏ ଅଜାଡ଼ି ହୋଇପଡ଼େ ଜୟନ୍ତ ମୁଣ୍ଡ ଉପରେ । ଅଫିସ୍ର ଶୀତତାପ ନିୟନ୍ତ୍ରିତ କୋଠରି ଭିତରେ ବସିଥିବାବେଳେ ଏକ ମାନ୍ଦାପଣ ମାଡ଼ିବସେ ତାକୁ । ଆରାମଦାୟକ କାର୍ରେ ବୁଲିବୁଲି ଅଣ୍ଟାପିଠି ବେକ ବଥା ହେଉଛି ଯେ କାହିଁରେ କ’ଣ । ସାରା ରାତି ଏ.ସି. ଘରେ ଶୋଇଶୋଇ ସକାଳୁ ଉଠିବାବେଳକୁ ଦେହହାତ ଦରଜ ଧରିଯାଏ ଯେ ବିଛଣାରୁ ଉଠିହୁଏନା । କୋଲେଷ୍ଟୋରାଲ, ବ୍ଲଡ ସୁଗାର, ହାଇ ବ୍ଲଡପ୍ରେସର ଆଦି ମାରାତ୍ମକ ରୋଗମାନେ ଶରୀରରେ ବସାବାନ୍ଧି ଆସ୍ଥାନ ଜମେଇଲେଣି ଅନେକ ଦିନ ଧରି ।
“ତୁମେ ଜୟନ୍ତ, ମର୍ଣ୍ଣିଂୱାକ୍ରେ ଯାଉଛ ନା ନାଇଁ? – ଦିନେ ପଚାରିଲା ବନ୍ଧୁ ମୋହିତ ।”
“ଯାଉଛି ଯେ, ହେଲେ ସେଥିରୁ କିଛି ଲାଭ ହେଉଛି ବୋଲି ଲାଗୁନାହିଁ । ଓଜନ ତ ଦିନକୁ ଦିନ ହୁହୁ ହୋଇ ବଢ଼ୁଛି । ନିଦ ବି ହେଉନାହିଁ ଠିକ୍ ଭାବରେ । ବେଳେବେଳେ ଛାତିଟା ଜଳିଲା ପରି ଲାଗୁଛି । ଭାରି ଅବସନ୍ନ ଓ କ୍ଲାନ୍ତ ଲାଗୁଛି । ଆଟାକ ଫାଟାକ୍ ହୋଇଯିବ କି ଆଉ?”
“ଆଟାକ୍ ହେଉ ତୁମ ଶତ୍ରୁକୁ ।’ – ମୋହିତ କହିଲା-” ସେମିତି କାହିଁକି ତୁମେ ଭାବୁଛ? ଯେତେ ସବୁ ଅସୁବିଧା ତୁମେ ନିଜେ ହିଁ ତିଆରି କରୁଛ । ସବୁବେଳେ ତ ଖାଲି କାମ ଓ କାମ! ଚୁପ୍ଚାପ୍ ବସିଲ । କାହା ସାଙ୍ଗରେ ମିଶିଲ ନାହିଁ । ତୁମକୁ ଗୋଟେ କଥା କହିବି, ମାନିବ?
କଥାଟିକୁ ଶୁଣିବାକୁ ମୋହିତର ମୁହଁକୁ ଆଗ୍ରହର ସହ ଅନାଇଲା ଜୟନ୍ତ ।
: ମୋ ସାଙ୍ଗରେ ଗୋଟିଏ ସ୍ଥାନକୁ ଯିବ, ସନ୍ଧ୍ୟାବେଳେ?
: କେଉଁଠିକୁ, କହୁନା? – ଜୟନ୍ତ ଜାଣିବାକୁ ଚାହିଁଲା ।
: ସେକଥା ସେଠିକୁ ଯିବାପରେ ଜାଣିବ । ତୁମ ଘରଠାରୁ ମାତ୍ର ପାଞ୍ଚ ଛ’ କିଲୋମିଟର ବାଟ! – ମୋହିତ କହିଲା ।
: ସେଠାରେ ମୋର କି କାମ?
: ତୁମେ ଏତେ ଅଧୈର୍ଯ୍ୟ କାଇଁକି? ସେଠାକୁ ଗଲେ ଜାଣିିବ । କାମଦାମ କିଛି ନାହିଁ । ମାତ୍ର ଅଧଘଣ୍ଟା କେବଳ ବସିବ । ବସିବାକୁ ଇଚ୍ଛା ନହେଲେ ଉଠି ଚାଲିଆସିବ ।
: କେବେ ଯିବା? ଜୟନ୍ତ ପଚାରିଲା ।
: କାଲି ସନ୍ଧ୍ୟାବେଳେ । – ମୋହିତ ଉତ୍ତର ଦେଲା ।
ତା’ପରଦିନ ସନ୍ଧ୍ୟା ସାତଟା ବେଳେ ମୋହିତର ହୋଣ୍ଡାସିଟି କାର୍ ଲାଗିଲା ଜୟନ୍ତ ଘର ଆଗରେ । ସେଦିନ ଟିକେ ଶୀଘ୍ର ଅଫିସ୍ରୁ ଫେରିଥାଏ ଜୟନ୍ତ । ସାମାନ୍ୟ ଜଳଯୋଗ ପରେ ସେମାନେ ବାହାରି ପଡ଼ିଲେ । ଜୟନ୍ତ ସେତେବେଳ ପର୍ଯ୍ୟନ୍ତ ଜାଣିନଥାଏ ସେମାନଙ୍କର ଗନ୍ତବ୍ୟସ୍ଥଳ କୁଆଡ଼େ ।
ଆଚାର୍ଯ୍ୟବିହାର ପାଖ ଗୋଟେ ଖୋଲାପଡ଼ିଆ । ଅନେକ ଲୋକ ଜମା ହୋଇଥିଲେ ସେଠାରେ । ପଡ଼ିଆ ଉପରେ ବସିଯାଇଥିଲେ ସମସ୍ତେ । ମୋହିତ ଓ ଜୟନ୍ତ ବି ବସିପଡ଼ିଲେ ।
“ଇୟେ ବୋଧେ ମୋତେ କେଉଁ ସାଧୁବାବାଙ୍କ ପ୍ରବଚନ ଶୁଣାଇବା ପାଇଁ ଡାକି ଆଣିଛି!” ଜୟନ୍ତ ମନେମନେ ବିରକ୍ତ ହେଲା । ବାବା ପ୍ରବଚନ ଇତ୍ୟାଦିରେ ତା’ର ଆଦୌ ଆସ୍ଥା କି ବିଶ୍ୱାସ ନଥିଲା । ଯଦିଓ ସେ ନାସ୍ତିକ ନୁହେଁ, ତଥାପି ଧର୍ମକୁ ନେଇ ରାସ୍ତାଘାଟରେ ନିଲାମ କରିବାର ଏଇ ଯୋଉ ପନ୍ଥା, ସେସବୁକୁ ସେ ଆଦୌ ପସନ୍ଦ କରିପାରେନା । ଷ୍ଟେଜ୍ ଉପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥାଏ । ଖୁବ୍ ବିରକ୍ତ ଲାଗୁଥିଲେ ମଧ୍ୟ ଦାନ୍ତ ଚିପି ଜୟନ୍ତ ବସିରହିଥିଲା ସେଠାରେ । ଆସିଛି ତ! ଅଧଘଣ୍ଟା ଘଣ୍ଟେ ବସି ଚାଲିଗଲେ ଯାଏ! କାଲିକୁ ନଆସିଲେ ଗଲା । ଯଦି ମୋହିତ ବାଧ୍ୟ କରେ, କାମର ବାହାନା ଦେଖାଇ ତା’ କଥାକୁ ଟାଳିଦେଲେ ଯାଏ!
ପଡ଼ିଆ ସାରା ଅନ୍ଧାର । ସ୍ଥାୟୀ ଭାବରେ ନିର୍ମିତ ଚଉତରା ଉପରେ ଜଳୁଥାଏ ଉଜ୍ଜ୍ୱଳ ବତୀଟିଏ । ଷ୍ଟେଜ ଉପରକୁ ଆସିଲେ ଜଣେ ବ୍ୟକ୍ତି । ଏମିତି ଢଙ୍ଗରେ ଆସିଲେ ଯେ ଦର୍ଶକମାନେ ଠୋ ଠୋ ହସି ଉଠିଲେ । ଲୋକଟିର ଅଦ୍ଭୂତ ପ୍ରକାର ଚାଲି ଦେଖି ଜୟନ୍ତ ମଧ୍ୟ ହସିପକାଇଲା । ଖୁବ୍ ସାଧାସିଧା ନିତିଦିନିଆ ପୋଷାକ । ଲୋକଟି ଆସିଲା ଏବଂ କିଛି ଗୋଟାଏ ଜରୁରୀ କାମ ଛାଡ଼ି ଆସିବା ପରି ତରବର ହୋଇ ଫେରିଯାଉଥିବାର ଦୃଶ୍ୟ ହର୍ଷରୋଳ ସୃଷ୍ଟି କଲା ଦର୍ଶକ ମହଲରେ । ଦର୍ଶକମାନଙ୍କ ହସରେ ଲୋକଟି ସତେ ଯେପରି ଅପ୍ରତିଭ ହୋଇଉଠି ନିଜର ଯାବତ୍ୟ ଜରୁରୀ କାର୍ଯ୍ୟକୁ ଜଳାଞ୍ଜଳି ଦେଇ ଅଧାବାଟରୁ ଫେରି ଆସିଲା । ମାତ୍ର ଆଠଦଶ ପାହୁଣ୍ଡ ବାଟ ଅତିକ୍ରମ କରିବା ଭିତରେ ଲୋକଟି ଏପରି ହାସ୍ୟୋଦ୍ଦୀପକ ଅଙ୍ଗଭଙ୍ଗୀ କରୁଥିଲା, ଦର୍ଶକମାନେ ହସି ହସି ବେଦମ ହୋଇଯାଉଥିଲେ । ଜୟନ୍ତ ବି ସମ୍ଭାଳି ପାରୁନଥିଲା ନିଜକୁ ।
ପ୍ରାୟ ଅଧଘଣ୍ଟା କାଳ ବିନା କଥୋପକଥନରେ ଲୋକଟି ନିରାଡ଼ମ୍ବର ସେଇ ପେଣ୍ଡାଲ ଉପରେ ଏପରି ଅଭିନୟ କରି ଚାଲିଥିଲା ଯେ ଦର୍ଶକମାନଙ୍କର ପେଟ ଦରଜ ହୋଇଯାଉଥିଲା ହସିହସି । କେହିକେହି ନିଜ ହସକୁ ସମ୍ଭାଳି ନପାରି ପେଟକୁ ଚାପି ଧରି ଗଡୁଥିଲେ ଘାସ ପଡ଼ିଆରେ । ହସିହସି କାହାକାହା ଆଖିରୁ ଲୁହ ବାହାରିଯାଉଥିଲା । ଜୟନ୍ତ ଅବସ୍ଥା ମଧ୍ୟ ତଦୃଶ । ଅନେକ ବର୍ଷ ଧରି ସେପରି ହସ ସେ ହସିନଥିଲା । ହସି ହସି ତା’ ପେଟ ପିଠି ଦରଜ । ଲାଗୁଥିଲା ସତେ ଯେପରି ଅନେକ ଦିନ ହେବ ଜମା ହୋଇରହିଥିବା ଦେହ ଭିତରର ଅନେକ ଆବର୍ଜନା ଧୋଇ ହୋଇଯାଉଛି! ଏକ ଅଦ୍ଭୂତ ହାଲ୍କାପଣରେ ସେ ଭାସିଯାଉଥିଲା । ଫାଙ୍କାଫାଙ୍କା ଲାଗୁଥିଲା ଛାତି । ପୂର୍ଣ୍ଣିମା ରାତିର ସ୍ନିଗ୍ଧ ଚନ୍ଦ୍ରକିରଣ ଗୁଡାଏ ସତେକି ଝରିପଡୁଥିଲା ତା’ ଅଭ୍ୟନ୍ତରରେ! ଯିବା ଏଥର? ପଚାରିଲା ମୋହିତ ।
“ଯିବା ତ! ବସ ଆଉ ଘଡ଼ିଏ । ଲୋକଟା ଏମିତି କମେଡ଼ି କରୁଛି ଯେ ଛାଡ଼ିଯିବାକୁ ମନ ହେଉନାହିଁ । ଆଚ୍ଛା, ଅସଲ କାର୍ଯ୍ୟକ୍ରମ କେତେବେଳେ ଆରମ୍ଭ ହେବ? – ଜୟନ୍ତ ଜାଣିବାକୁ ଚାହିଁଲା ।
: ଅସଲ କାର୍ଯ୍ୟକ୍ରମ ବୋଲି କିଛି ନାହିଁ ବନ୍ଧୁ । ଏଇ ହେଉଛି ଆରମ୍ଭ ଓ ଶେଷ କାର୍ଯ୍ୟକ୍ରମ! କେମିତି ଲାଗୁଛି? – ଜୟନ୍ତ ମୁହଁକୁ ଚାହିଁ ପଚାରିଲା ମୋହିତ ।
“ଆରେ ବାପ୍ରେ! ୟେ ମଣିଷ ନା ଗୋଟାଏ ହସ ମେସିନ! ବିନା କଥାବାର୍ତ୍ତାରେ ସେ ଯେମିତି କମେଡ଼ି କରୁଛି, ହସିହସି ମଣିଷ ବେଦମ! ଲୋକମାନେ ତ କ’ଣ ଉଠି ଚାଲିଯିବାକୁ ବସିଲେଣି! ସତରେ କ’ଣ ଏଠି ଆଉ କିଛି କାର୍ଯ୍ୟକ୍ରମ ନାହିଁ? – ଜୟନ୍ତ କହିଲା ।
“କାର୍ଯ୍ୟକ୍ରମ ବୋଇଲେ ଏତିକି । ବାସ୍ । ସେ ଲୋକଟି ସବୁଦିନ ସନ୍ଧ୍ୟାବେଳେ ଏଠାରେ ଅଧଘଣ୍ଟାଏ ଲୋକଙ୍କୁ କେବଳ ହସାଏ । ତା’ପରେ ତା’ ବାଟରେ ଚୁପ୍ଚାପ୍ ଚାଲିଯାଏ ।”
“ଏଥିପାଇଁ ସେ କିଛି ପାରିଶ୍ରମିକ ନିଏ ନା ନାହିଁ? – ଜୟନ୍ତ ପଚାରିଲା ।
– ନା! – ମୋହିତ କହିଲା ଏବଂ ତାକୁ ଡାକିନେଲା ଷ୍ଟେଜ୍ ପାଖକୁ । ସେଠାରେ ଲଗାଯାଇଥିବା ଏକ ପୋଷ୍ଟରରେ ଲେଖାଥିଲା “ଏଠାରେ ବିନା ମୂଲ୍ୟରେ ହସ ମିଳେ” ।
ଲାଇଟ୍ ଲିଭାଇ ଲୋକଟି ଯେତେବେଳେ ଯିବାକୁ ବସିଲା, ତାକୁ ପାଖରୁ ଦେଖି ହଠାତ୍ ଚମକି ପଡ଼ିଲା ଜୟନ୍ତ!
ଆରେ, ଏ ଯେ ସତ୍ୟାନନ୍ଦ!
ନାନା ହାସ୍ୟୋଦ୍ଦୀପକ ଅଙ୍ଗଭଙ୍ଗୀ କରି ଶହଶହ ଦର୍ଶକମାନଙ୍କୁ ହସାଇ ହସାଇ ବେଦମ କରୁଥିବା, ବିଭୋର କରୁଥିବା ଏ କଳାକାରଟି ତେବେ ତା’ କଲେଜ ବେଳର ଚୁପ୍ଚାପ୍, ଗୁମ୍ସୁମ୍ ବନ୍ଧୁ ସତ୍ୟାନନ୍ଦ…!!
ସତ୍ୟାନନ୍ଦକୁ ଦେଖା ନ କରି ଫେରିଆସିଲା ଜୟନ୍ତ । ଫେରି ଆସିବା ସମୟରେ ମନକୁ ମନ କହୁଥିଲା, “ସତ୍ୟାନନ୍ଦ, ସେଦିନ ତୁ କହୁଥିଲୁ ଚୋରି କରୁଛୁ ବୋଲି! ତୁ ମାମୁଲି ଚୋର ନୁହଁରେ ସତ୍ୟାନନ୍ଦ! ଶହଶହ ଲୋକଙ୍କ ଅନ୍ତର ଭିତରୁ ଅଳ୍ପ ସମୟ ପାଇଁ ହେଉପଛେ ଦୁଃଖ ଚୋରି କରି ସେମାନଙ୍କ ମୁହଁରେ ହସ ଫୁଟାଉଥିବା ମଣିଷଟି କ’ଣ ସାମାନ୍ୟ ଚୋର ହୋଇପାରେ? ତୁ ଗୋଟେ ମହାଚୋର… ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ