ଦକ୍ଷପ୍ରଜାପତିଙ୍କ କନିଷ୍ଠା କନ୍ୟା ସତୀ ଶିବଙ୍କୁ ବର ରୂପେ ଗ୍ରହଣ କଲେ । ଶିବ ଅନାର୍ଯ୍ୟ ପୂଜିତ ଯୋଗୁ ତାଙ୍କୁ ଦେବତାଙ୍କ ମାନ୍ୟତା ଓ ଯଜ୍ଞର ହବି ଭାଗ ଦିଆଯାଉନଥିଲା । ଦକ୍ଷ ତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞକୁ ସବୁ ଦେବତାଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ଶିବଙ୍କୁ ନିମନ୍ତ୍ରଣ ଦେଲେ ନାହିଁ । ଯଜ୍ଞ ପାଇଁ ପିତ୍ରାଳୟକୁ ଆସିବାକୁ ସତୀ ଶିବଙ୍କୁ ବହୁ ଅନୁନୟ ବିନୟ ପ୍ରାର୍ଥନା କଲେ ମଧ୍ୟ ସେ ଅନୁମତି ଦେଲେ ନାହିଁ । ଏଥିରେ ସତୀ ଭୟଙ୍କର କ୍ରୋଧାନ୍ୱିତା ହେଲେ । ଏହା ଦେଖି ଭୂତନାଥ ଶିବ ମଧ୍ୟ ଭୟଭୀତ ହୋଇ ପଳାୟନ ଉଦ୍ୟତ ହେଲେ । କିନ୍ତୁ ସତୀଙ୍କଠାରୁ ସୃଷ୍ଟ ସତୀଙ୍କ ଦଶବିଧ ମୂର୍ତ୍ତି ଦଶଦିଗରୁ ତାଙ୍କର ପଥରୋଧ କଲେ । ସେମାନେ ଦଶ ମହାବିଦ୍ୟା ନାମରେ ପୂଜିତ ହେଲେ । ଭଗବାନ ବିଷ୍ଣୁଙ୍କର ଦଶ ଅବତାର ଭଳି ଏହି ଦଶ ମହାବିଦ୍ୟା ଜୀବ ଉଦ୍ଧାରକାରିଣୀ ଓ ଜଗତର ମଙ୍ଗଳକାରିଣୀ ଭାବରେ ଖ୍ୟାତ ।
କାଳୀ ତାରା ମହାବିଦ୍ୟା ଷୋଡ଼ଶୀ ଭୁବନେଶ୍ୱରୀ
ଭୈରବୀ ଛିନ୍ନମସ୍ତାଚ ବିଦ୍ୟା ଧୂମାବତୀ ତଥା
ବଗଳା ସିଦ୍ଧି ବିଦ୍ୟାଚ ମାତଙ୍ଗୀ କମଳାତ୍ମିକ
ଏତାଦଶ ମହାବିଦ୍ୟା ସିଦ୍ଧି ବିଦ୍ୟା ନମୋ ନମଃ । (ଚାମୁଣ୍ଡା ତନ୍ତ୍ର)
ଅନ୍ଧକାର ଦୂରିଭୂତ ହେବା ପାଇଁ ଆକାଶରେ ତାରା ପ୍ରକାଶିତ ହେଲା ଭଳି ଅଜ୍ଞାନତାର ଅନ୍ଧକାର ଦୂର କରିବା ପାଇଁ ମହାକାଳୀଙ୍କ ପରେ ତାରାଙ୍କର ସ୍ଥାନ ।
ଉପରୋକ୍ତ ପୌରାଣିକ କଥାବସ୍ତୁକୁ ଛାଡ଼ିଦେଲେ ଐତିହାସିକ ତଥ୍ୟ ଅନୁଯାୟୀ ପ୍ରାଚୀନ ଆର୍ଯ୍ୟାବର୍ତ୍ତ ବା ଅଖଣ୍ଡ ଭାରତର ବିସ୍ତାର ତିବ୍ୱତ, ଆଫାଗାନୀସ୍ଥାନ ଓ ଚୀନ ପ୍ରଭୃତି ରାଜ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା । ଚୀନରେ ପ୍ରଥମେ ତାରାଙ୍କର ଆବିର୍ଭାବ ହୋଇଥିଲା । ପ୍ରଚଳିତ ଧର୍ମମାନଙ୍କ ମଧ୍ୟରେ ସନାତନ ହିନ୍ଦୁଧର୍ମକୁ ଛାଡ଼ିଦେଲେ ଜୈନ ଓ ବୌଦ୍ଧଧର୍ମ ପ୍ରାଚୀନ ଧର୍ମ ଥିଲା । ବୌଦ୍ଧଧର୍ମର ଶେଷ ପର୍ଯ୍ୟାୟରେ ଏହା ବଜ୍ରଯାନରେ ନାମିତ ହୋଇଥିଲା ଏବଂ ଏହି ଧର୍ମ ଥିଲା ତନ୍ତ୍ରଭିତ୍ତିକ । ତନ୍ ତ୍ରାୟତେ ଇତି ତନ୍ତ୍ର ଭଳି ଯେ ତାରଣ କରନ୍ତି ବା ଶରୀରକୁ ବିପଦରୁ ରକ୍ଷା କରନ୍ତି ସେ ହେଉଛନ୍ତି ତାରା । ତନ୍ତ୍ରାଚାରର ମୁଖ୍ୟକେନ୍ଦ୍ର ଥିଲା ଉଡ୍ଡୀୟାନ ଦେଶ ବା ବର୍ତ୍ତମାନର ଓଡ଼ିଶା । ଓଡ଼ିଶାରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ସର୍ବାଧିକ ଥିଲା । ତେଣୁ ତନ୍ତ୍ରଶାସ୍ତ୍ରର ପ୍ରଚଳନ ଓ ସାଧନା ସଙ୍ଗେ ସଙ୍ଗେ ତାରାଙ୍କର ପୂଜା ଆରାଧନା ପ୍ରଚଳିତ ହେଲା ।
ତେବେ ଗବେଷକମାନଙ୍କ ମତ ଯେ ଓଡ଼ିଶାରେ ପୂଜିତ ତାରା ବୌଦ୍ଧଧର୍ମର ଦେବୀ ତାରାଙ୍କ ମଧ୍ୟରେ ଅନେକ ପ୍ରଭେଦ ଅଛି । ତାରାଙ୍କର ମଧ୍ୟ ଦୁଇରୂପ ପ୍ରସିଦ୍ଧ । ଯେ ଭୀଷଣ ବିପଦରୁ ତତ୍କ୍ଷଣାତ୍ ରକ୍ଷା କରନ୍ତି ସେ ଉଗ୍ରତାରା ରୂପେ ପୂଜିତା । ପୁଣି ତାଙ୍କର ସୌମ୍ୟମୂର୍ତ୍ତି ଅଛି । ସେ ବାକ୍ଶକ୍ତି ଦାୟିନୀ ନୀଳ ସରସ୍ୱତୀ ଭାବେ ପୂଜିତା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କୁଳଗୁରୁ ବଶିଷ୍ଟ ଥିଲେ ତାରାଙ୍କ ଉପାସକ । ତାଙ୍କର ସାଧନା ଦ୍ୱିବିଧ ଥିଲା । (୧) ବାମାଚାର, (୨) ଦକ୍ଷିଣାଚାର ।
ବାମାଚାର ମାର୍ଗରେ ସିଦ୍ଧି ଶୀଘ୍ର ହୁଏ । ଦକ୍ଷିଣାଚାର ମାର୍ଗରେ ସିଦ୍ଧି ବିଳମ୍ବରେ ହୁଏ । ବାମାଚାର ମାର୍ଗରେ ପଞ୍ଚ ମ’କାର ଯଥା- ମଦ୍ୟ, ମାଂସ, ମୈଥୁନ, ମତ୍ସ୍ୟ ଓ ମୁଦ୍ରାର ପ୍ରୟୋଗ ଥିବାରୁ ଏହି ମାର୍ଗର ସାଧନା ଲୋକପ୍ରିୟତା ହରାଇଛି । ଦକ୍ଷିଣାଚାର ମାର୍ଗରେ ଭକ୍ତି ଓ ଶରଣାଗତି ଭାବଥିବାରୁ ଏହା ଅଧିକ ଆଦୃତ ହେଉଅଛି ।
ଓଡ଼ିଆମାନଙ୍କର ଆରାଧ୍ୟ ତ୍ରିମୂର୍ତ୍ତି ହେଉଛନ୍ତି ଶ୍ରୀବଳଭଦ୍ର, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥ । ଶାକ୍ତ ମତରେ ବଳଭଦ୍ର ହେଉଛନ୍ତି ଉଗ୍ରତାରା, ସୁଭଦ୍ରା- ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥ ହେଉଛନ୍ତି ଦକ୍ଷିଣ କାଳିକା । ଉଗ୍ରତାରା ଶୂଳପାଣି, ସୁଭଦ୍ରା ଭୁବନେଶ୍ୱରୀ, ନୀଳାଦ୍ରୌ ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳିକା । ତନ୍ତ୍ରମାର୍ଗରେ ଶୀଘ୍ର ସିଦ୍ଧି ପ୍ରାପ୍ତ ହୁଏ । ଅସମ୍ଭବ କାର୍ଯ୍ୟ ସହଜରେ ସାଧ୍ୟ ହୋଇଥାଏ । ସାଂପ୍ରତିକ ସମୟରେ ତନ୍ତ୍ର ମାର୍ଗ ଏହାର ପ୍ରସିଦ୍ଧି ହରାଇଛି । ତନ୍ତ୍ର ସାଧନାର ଉତ୍ତମ ଅଧିକାରୀ ଗୁରୁ ଶିଷ୍ୟଙ୍କ ଅଭାବ ତଥା ତନ୍ତ୍ର ନାମରେ ବ୍ୟଭିଚାର ଏହାକୁ ଏକ ଘୃଣ୍ୟ ପନ୍ଥାରେ ପରିଣତ କରିଛି । ଶ୍ରୀମନ୍ଦିରରେ ବହୁ ତାନ୍ତ୍ରିକ ପୂଜାବିଧି ପ୍ରଚଳିତ ଅଛି । ଏହା ଦୈନକ ରୀତି ସହିତ ଏପରି ମିଳିତ ହୋଇଯାଇଛି ଯେ ତାହା ଜାଣିବା କଷ୍ଟ ।
ଓଡ଼ିଶାର ବହୁ ସ୍ଥାନରେ ତାରାଙ୍କର ପୂଜାପୀଠ ଅଛି । ତନ୍ମଧ୍ୟରେ ଖୋର୍ଦ୍ଧା ଜିଲା ଭୁଷଣ୍ଡପୁରସ୍ଥ ମା’ ଉଗ୍ରତାରା ସର୍ବପ୍ରସିଦ୍ଧ । ତେବେ ଏହି ପୀଠ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ କି ନୁହେଁ ତାହା ଜାଣିବାର କୌଣସି ତଥ୍ୟ ମିଳିନାହିଁ । ତେବେ ପ୍ରତିଷ୍ଠିତ ମୂର୍ତ୍ତିଙ୍କୁ ଦେଖିଲେ ସେ ହିନ୍ଦୁଧର୍ମର ତାରା ଭାବରେ ପ୍ରତୀୟମାନ ହୁଅନ୍ତି । କାରଣ ସେ ଶିବଙ୍କ ଉପରେ ଦଣ୍ଡାୟମାନା । ଦେବୀଙ୍କ ବାମ ପାଦ ଶିବଙ୍କ ବକ୍ଷରେ ଓ ଦକ୍ଷିଣପାଦ ଶିବଙ୍କ ଜଙ୍ଘରେ ରହିଛି । ତାଙ୍କ ଗଳାରେ ନରମୁଣ୍ଡମାଳ ଲମ୍ବିତ । ବାମ ହସ୍ତରେ ଖଡ୍ଗ ଏବଂ କର୍ତ୍ତରିକା ଏବଂ ଦକ୍ଷିଣ ହସ୍ତରେ ପଦ୍ମ ଓ ପାତ୍ର ଧାରଣ କରିଛନ୍ତି । ବୌଦ୍ଧଧର୍ମର ମୂଳମନ୍ତ୍ର ଅହିଂସା ହୋଇଥିବାରୁ ବୌଦ୍ଧତାରା ଖଡ୍ଗ, କତୁରୀ ଓ ନରମୁଣ୍ଡମାଳ ଧାରଣ କରିବା ଯୁକ୍ତିଯୁକ୍ତ ଲାଗେ ନାହିଁ । ସେ ବ୍ୟାଘ୍ରଚର୍ମ ପରିହିତା । ବାହୁ ଓ ହାତରେ ନାଗଭୂଷଣ ରହିଛି । ବୌଦ୍ଧତାରା ଦଣ୍ଡାୟମାନ ନହୋଇ ସୁଖାସନରେ ବସିଥାନ୍ତି । ମା’ ଉଗ୍ରତାରାଙ୍କ ବିଜେସ୍ଥଳ ଭୁଷଣ୍ଡପୁର ଏକ ତନ୍ତ୍ରପୀଠର ସମସ୍ତ ସ୍ୱାତନ୍ତ୍ର୍ୟ ବହନ କରିଥିଲେ ମଧ୍ୟ ଏହାର ମନୋରମ ପ୍ରାକୃତିକ ପରିବେଶ ସମସ୍ତଙ୍କୁ ମୁଗ୍ଧ କରିଥାଏ । ‘ତାରା କର୍ପୂର’ ମତରେ ତନ୍ତ୍ରପୀଠ ନଦୀ ଓ ସିନ୍ଧୁ ନିକଟସ୍ଥ ଏକ ପାହାଡ଼ ପର୍ବତ ବେଷ୍ଟିତ ସ୍ଥାନ ହେବା ବାଞ୍ଛନୀୟ । ନିକଟରେ ଶ୍ମଶାନ ଓ ଜନବସତି ରହିଛି । କେହି ସିଦ୍ଧ ତାନ୍ତ୍ରିକ କିମ୍ବା ବଶିଷ୍ଟ ଓ ନାଗାର୍ଜୁନଙ୍କ ଶିଷ୍ୟ ଭକ୍ତ ଏ ସମସ୍ତ ପ୍ରାକୃତିକ ଲକ୍ଷଣ ଦେଖି ପୀଠ ସ୍ଥାପନ କରିଛନ୍ତି ।
ପୀଠର ପାଶ୍ୱର୍ ଦେବଦେବୀ ମଧ୍ୟରେ ଦଶ ମହାବିଦ୍ୟା, ନବଗ୍ରହ, ଗଣେଶ, ହନୁମାନ, ବରାହୀ, ନାରସିଂହୀ ଏବଂ ଚାମୁଣ୍ଡା ବିଦ୍ୟମାନ । ମା’ଙ୍କ ମନ୍ଦିର ସଂଲଗ୍ନ ଦୁଇଟି ପୁଷ୍କରିଣୀ । ଗୋଟିଏ ମା’ଙ୍କ ସେବାରେ ବ୍ୟବହୃତ ହୁଏ । ଅନ୍ୟଟି ସର୍ବସାଧାରଣ ବ୍ୟବହାର କରନ୍ତି ।
ମା’ଙ୍କ ମନ୍ଦିର ଦକ୍ଷିଣମୁଖା । ଏହି ମନ୍ଦିର ସାମ୍ନାରେ ଶିବ ମନ୍ଦିର (ଗ୍ରାମେଶ୍ୱର), ଯଜ୍ଞ ମଣ୍ଡପ ଏବଂ ଅଳ୍ପଦୂରରେ ହାତୀଆଶୁଣୀ (ଗଜଲକ୍ଷ୍ମୀ) ମନ୍ଦିର ଅବସ୍ଥିତ । ଉକ୍ତ ପୀଠର ନିକଟବର୍ତ୍ତୀ ଗ୍ରାମରେ ରାଜ ପ୍ରତିଷ୍ଠିତ ଶିବମନ୍ଦିର ରହିଛି, ଯାହା ଅଷ୍ଟଶମ୍ଭୁ ନାମରେ ପରିଚିତ ।
ମା’ ଉଗ୍ରତାରାଙ୍କ ପୀଠ ପ୍ରଥମେ ମାଳତୀବୃକ୍ଷ ପରିବେଷ୍ଟିତ ଏକ ଚାଳ ଗୃହ ଥିଲା । ପଞ୍ଚଦଶ ଶତାବ୍ଦୀରେ ଗଜପତି ମହାରାଜା କପିଳେନ୍ଦ୍ର ତାଙ୍କ ରାଜ୍ୟ ବିସ୍ତାର ସମୟରେ ମା’ଙ୍କ ଦର୍ଶନ ଲାଭ କରିଥିଲେ । ସେହିଦିନଠାରୁ ମା’ ଲୋକଲୋଚନକୁ ଆସିଲେ ଓ ତାଙ୍କର ମହିମା ପ୍ରଚାରିତ ହେଲା । ରାଜା ମା’ଙ୍କର ସେବାପୂଜା ପାଇଁ ଜମିଜମା, ସେବାୟତ ତଥା ସୁରକ୍ଷା କାର୍ଯ୍ୟ ପାଇଁ ପାଇକ ସେବାୟତ ନିୟୋଜିତ କରିଥିଲେ । ଶ୍ରୀକ୍ଷେତ୍ର ପରିବେଷ୍ଟିତ ଅଷ୍ଟକୀଳା ମଧ୍ୟରୁ ଉଗ୍ରତାରା ଏକ ଦେବୀ । ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରୁ ପୂର୍ବରୁ ଦଶହରା ସମୟରେ ମା’ଙ୍କ ପାଇଁ ପାଟପତନି ଏବଂ ଚନ୍ଦନ କାଠ ଆସୁଥିଲା ।
ମା’ଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରେ ବାସନ୍ତିକ ଦୁର୍ଗାପୂଜା, ଶାରଦୀୟ ଦୁର୍ଗାପୂଜା, ପଣା ସଂକ୍ରାନ୍ତି, ରଜ ଉତ୍ସବ, କାଳୀ ପୂଜା, ସରସ୍ୱତୀ ପୂଜା ଏବଂ ଜାଗର ଉତ୍ସବ ପାଳିତ ହୋଇଥାଏ ।
ପ୍ରତ୍ୟହ ମା’ଙ୍କ ମନ୍ଦିର ପ୍ରାତଃ କାଳରେ ଖୋଲାଯାଇଥାଏ । ସ୍ନାନାନ୍ତେ ମା’ଙ୍କ ବେଶରେ ବାର ଅନୁଯାୟୀ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ଲାଗି କରାଯାଇଥାଏ । ପ୍ରଥମେ ମା’ଙ୍କ ମଙ୍ଗଳ ଆଳତୀ, ମାଜଣା ପରେ ବାଳଭୋଗ ନୈବେଦ୍ୟ ଅର୍ପଣ କରାଯାଏ । ସକାଳ ଆଳତୀ ପରେ ସର୍ବସାଧାରଣ ଦର୍ଶନ, ମଧ୍ୟାହ୍ନ ସମୟରେ ଅନ୍ନପ୍ରସାଦ ଭୋଗ ଏବଂ ମଧ୍ୟାହ୍ନ ଆଳତୀ ପରେ ପହୁଡ଼ ଓ ପରେ ଦର୍ଶନ । ସଂଧ୍ୟା ସମୟରେ ବାଳଭୋଗ ହୋଇ ଆଳତୀ ହୋଇସାରିବା ପରେ ମନ୍ଦିର ବନ୍ଦ ହୋଇଯାଏ । ମା’ଙ୍କ ନୈବେଦ୍ୟରେ ବିଭିନ୍ନ ଜାତିର ଫଳ, ଚୁଡାଘସା, ମିଷ୍ଟାନ୍ନ ଓ ସାଦା ଅନ୍ନପ୍ରସାଦ ସହିତ ପୋଡ଼ାମାଛ,ମାଛ ବେସର, ପାୟସ, ଦହିପଖାଳ, କାକରାପିଠା, ଡାଲି, ଖଟା ଇତ୍ୟାଦି ଲାଗି କରାଯାଏ ।
ଶାରଦୀୟ ଦୁର୍ଗାପୂଜା ମା’ଙ୍କର ମୂଳାଷ୍ଟମୀଠାରୁ ସହସ୍ର କୁମ୍ଭ ବରଣ ହୋଇ ପୀଠରେ କଳସ ସ୍ଥାପନ ହୋଇ ଷୋଳପୂଜା ହୋଇଥାଏ । ସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ରାତ୍ର ମହାପୂଜା ଅନୁଷ୍ଠିତ ହୋଇଥାଏ । ସପ୍ତମୀ ପୂଜା ରାତ୍ରରେ ହରିପୁରସ୍ଥ ମା’ ବଘେଇଙ୍କ କଳସ ଏବଂ କାଶୀପୁରସ୍ଥ ମା’ ଭୈରବୀଙ୍କ ଆଜ୍ଞାମାଳ ଆସି ପୀଠରେ ସ୍ଥାପନ ହେବା ପରେ ମା’ଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଥାଏ ।
ମହାଷ୍ଟମୀରେ ମା’ଙ୍କ ସନ୍ଧିପୂଜା ସହିତ ପାଇକ ସେବାୟତମାନେ ସମ୍ମାନିତ ହୋଇଥାଆନ୍ତି । ମହାନବମୀରେ ଶାନ୍ତିପୂଜା ହୋଇଥାଏ ଏବଂ ବିଜୟାଦଶମୀ ଦିନ ମା’ଙ୍କ ବର୍ଦ୍ଧନୀ କଳସ ପାଇକ ସେବାୟତମାନଙ୍କ ଦ୍ୱାରା ନିକଟସ୍ଥ ପାଇକପଦାକୁ ଶୋଭାଯାତ୍ରାରେ ଯାଇଥାଏ । ପାଇକପଦାଠାରେ ମା’ଙ୍କ ହୋମ ପୂଜାପାଠ ହୋଇଥାଏ ଏବଂ ମା’ଙ୍କ କଳସ ବିସର୍ଜନ କରାଯାଇଥାଏ । ମା’ଙ୍କ ବିଜେସ୍ଥଳି ହେଉଛି ମୂଳଝରଗଡ଼ ଯାହାକି ଖୋର୍ଦ୍ଧାର ବିଭିନ୍ନ ଗଡ଼ ମଧ୍ୟରୁ ଅନ୍ୟତମ । ପାଇକ ବିଦ୍ରୋହ ସମୟରେ ଗଡ଼ର ବିଶେଷତ୍ୱ ଇତିହାସରେ ଲିପିବଦ୍ଧ ହୋଇରହିଛି । ଏହି ସ୍ମୃତିରେ ପରମ୍ପରାକୁ ବଜାୟ ରଖି ପାଇକ ଆଖଡ଼ା କଳା ପ୍ରଦର୍ଶନ କରାଯାଇଥାଏ ।
ହିନ୍ଦୁଧର୍ମରେ ପୂଜିତା ତାରାଙ୍କର ରୁଦ୍ରଜାମଳ ତନ୍ତ୍ର ମତରେ ହିମାଳୟରୁ ଉତ୍ପତ୍ତି । ଦେବୀ, ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ଖ୍ୟାତା । ସେ ବୁଦ୍ଧି, ଜ୍ଞାନ ଓ କବିତ୍ୱର ପ୍ରତୀକ । ବୃହସ୍ପତି ଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ତାରା । ତାଙ୍କର ଭୈରବ ହେଉଛନ୍ତି ‘ଅକ୍ଷୋଭ୍ୟ’ ଅର୍ଥାତ୍ ଯେ ସ୍ଥିର ଅବିଚଳିତ । ମା’ଙ୍କର ମୁଣ୍ଡମାଳ ବାସ୍ତବରେ ୫୦ଟି ବର୍ଣ୍ଣର ପ୍ରତୀକ । ସେ ଜ୍ଞାନାମୃତର ପାତ୍ର ଧରିଛନ୍ତି । ସେ ମୋହାନ୍ଧକାରକୁ ଖଡ଼ଗରେ ନାଶ କରନ୍ତି । ଅଜ୍ଞାନକୁ କର୍ତ୍ତରିକାରେ କାଟି ଜ୍ଞାନାମୃତ ବିତରଣ କରନ୍ତି ।
ପୂଜକ