ହଠାତ୍ ନିଦଟା ଭାଙ୍ଗିଗଲା ଶ୍ରୀମୟୀଙ୍କର । କିଏ ଯେମିତି ତାଙ୍କୁ ହାତମାରି ଉଠେଇଦେଇ ଗଲା । କିଏ?? ଉଠି ବସିପଡ଼ିଲେ ସେ । ସହଜେ ତ ଶୁଭକାନ୍ତ ଗଲାଦିନୁ ଆଖିରୁ ତାଙ୍କର ନିଦ ହଜିଯାଇଛି । ଆଜି କିନ୍ତୁ କ୍ଲାନ୍ତ ଲାଗୁଥିଲା ବୋଲି ସେ ଟିକିଏ ଶୀଘ୍ର ହିଁ ଶୋଇବାକୁ ଚେଷ୍ଟା କରିଥିଲେ ।
ପାଣିବୋତଲଟା ଖୋଜିବାକୁ ଯାଇ ଚାହିଁଲେ ଘର ଭିତରଟାକୁ । କେହି ନାହିଁ । ଅଥଚ ତାଙ୍କର ଠିକ୍ ମନେ ଅଛି କିଏ ତାଙ୍କ ପିଠିରେ ହାତମାରି ଉଠେଇଲା । ଘଣ୍ଟାକୁ ଚାହିଁଲେ… ଗୋଟାଏ ବାଜୁଛି । ମଝିରାତି । ଶୂନ୍ଶାନ୍ । ଜିରୋ ବଲ୍ବର ନିଷ୍ପ୍ରଭ ନୀଳାଭ ଆଲୁଅରେ ଗାଧେଇ ହୋଇ ତାଙ୍କର ଏଇ ଏକଣା ଘରଟା ଅଭିମାନିନୀ ଝିଅଟିଏ ଭଳି ମନମାରି ବସିଛି ସତେକି । ଝରକା ସେପଟେ କର୍ମମୁଖର ବାଂଗାଲୁର ସହର ତା’ର ସଦାଚଞ୍ଚଳ କର୍ମଜୀବୀ ମଣିଷଙ୍କୁ ନେଇ ଶୋଇପଡ଼ିଛି । ଏତେବଡ଼ ଚାରିମହଲା ଫ୍ଲାଟ୍ଟାରେ ଟିକିଏ ବି ସୋରଶବ୍ଦ ନାହିଁ । ପାଖଘରେ ମିମିକୁ ନେଇ ଦିବ୍ୟ ଆଉ ରୀମା ଶୋଇଯାଇଛନ୍ତି । ନହେଲେ ତ ଦିବ୍ୟ ପ୍ରାୟତଃ ରାତିଅଧ ଯାଏ ନେଟ୍ ଖୋଲି ବସିଥାଏ- କାମ ଚାଲିଥାଏ ତା’ର । ମଝିରେ ମଝିରେ ଉଠିଆସି ତାଙ୍କୁ ଦେଖିଯାଏ କିମ୍ବା ବାଉଳି ଚାଉଳି ହେଉଥିଲେ ଉଠେଇ ଦେଇ ପାଣି ଗ୍ଲାସେ ବଢ଼େଇ ଦିଏ ହାତକୁ । ଆଜି ହାଇଦ୍ରାବାଦ ଯିବ କହୁଥିଲା ତ ଟୁର୍ରେ । ସାତଟା ବେଳର ଫ୍ଲାଇଟ୍ ଧରିବାକୁ ସଅଳ ତାକୁ ଉଠିବାକୁ ପଡ଼ିବ । ସମସ୍ତଙ୍କର ଭାତନିଦ । ବୋତଲ ଖୋଲି ଢକଢକ କରି ପାଣି ପିଇଗଲେ ଶ୍ରୀମୟୀ । ପାଣି ପିଉ ପିଉ ଭାବିଲେ, କିଏ ଆଉ କାହିଁକି ତାକୁ ଉଠେଇଲା ଯେ?
ବୋତଲର ଠିପି ବନ୍ଦ କରି ଟେବୁଲ୍ ଉପରେ ଥୋଇବାକୁ ଯାଇ ସାମ୍ନା କାନ୍ଥ ଉପରେ ଆଖି ତାଙ୍କର ସ୍ଥିର ରହିଗଲା । ସେଠି ଶୁଭକାନ୍ତଙ୍କର ଫଟୋ ଝୁଲୁଛି । ତାଙ୍କର ଯେମିତି ମନେହେଲା ଫଟୋ ଭିତରୁ ଶୁଭକାନ୍ତ ହସୁଛନ୍ତି ତାଙ୍କୁ ଚାହିଁ । ଆଉ ଟିକିଏ ନିର୍ଦ୍ଦିଷ୍ଟ ଭାବେ ସେ ଚାହିଁଲେ । ସତେ ତ, ଶୁଭକାନ୍ତ କ’ଣ ଯେମିତି କିଛି କହିବାକୁ ଚାହୁଁଛନ୍ତି । ଏବଂ ତାଙ୍କ ବେକର ଯୂଇଫୁଲ ମାଳଟା ହଲୁଛି । ହଲିଲା ଭଳି ତ ଦିଶୁଛି । ଉପରକୁ ଚାହିଁଲେ, ନା, ଫ୍ୟାନ୍ ବି ଚାଲୁନି । ଆହୁରି ନିବିଷ୍ଟ ଭାବେ ନିଜ ଦୃଷ୍ଟିକୁ କେନ୍ଦ୍ର କଲେ ଶୁଭକାନ୍ତଙ୍କ ଉପରେ ।
କେତେ ସମୟ ଧରି ସେ ଚାହିଁଥିଲେ କେଜାଣି, ଖିଆଲ ନାହିଁ । ହୁଏତ ନିଜ ଅସ୍ମିତାକୁ ଭୁଲିଯାଇଥିଲେ । ହଠାତ୍ ତାଙ୍କୁ ଲାଗିଲା କିଏ ଜଣେ ଠିଆ ହୋଇଛି ତାଙ୍କ ଆଗରେ ଛାଇଛାଇଆ ହୋଇ? କିଏ? ତାଙ୍କର ଦୃଷ୍ଟିଦୋଷ ନୁହେଁ ତ! ଆଖିମଳି ପୁଣି ଚାହିଁଲେ.. ଆରେ! ଶୁଭକାନ୍ତ ପରା ଠିଆ ହୋଇଛନ୍ତି ତାଙ୍କ ଆଗରେ । ଅଥଚ ସେ ଭାବୁଛନ୍ତି କିଏ ଅଚିହ୍ନା ମଣିଷ! କେଡେ ବୋକୀ ସେ! ଏଇତ ଶୁଭକାନ୍ତ । ତାଙ୍କ ଓଠରେ ସେଇ ରହସ୍ୟମୟ ହସ । କୌତୁକଭରା ମିଟ୍ମିଟ୍ ଆଖି । ସେଭ୍କରା ନିର୍ମଳ ସଫାମୁହଁ । ସଦା ପ୍ରଫୁଲ୍ଲ ଠିକ୍ ଏଭାରେଡି ବ୍ୟାଟେରି ଭଳି । ଛ’ଫୁଟିଆ ମଣିଷଟା ଆଜି କାହିଁକି ତାଙ୍କ ଆଖିକୁ ଆହୁରି ଲମ୍ବା ଦିଶୁଛନ୍ତି ତ । ଫିନ୍ ଫିନ୍ ଧଳା ପାଇଜାମା କୁର୍ତ୍ତା ପିନ୍ଧିଛନ୍ତି ବୋଲି? କେଜାଣି, ତେବେ ଇୟେ କୁଆଡ଼େ ହଠାତ୍ ଆସି ପହଞ୍ଚିଗଲେ?
ଏଥର ଶୁଭକାନ୍ତ ଧୀରେ ଧୀରେ ଆସି ସାମାନ୍ୟ ଦୂରତା ରଖି ଠିଆ ହୋଇଗଲେ ତାଙ୍କ ଆଗରେ । – କ’ଣ ଇମିତି ଚାହିଁଛୁ ମ, ମୁଁ ପରା, ବିଶ୍ୱାସ ହେଉନି ନା?’ ହସି ହସି ପଚାରିଲେ ।
– କିମିତି ହେବ ଯେ, ଏଇ ପୋଷାକରେ ତ ମୁଁ ତମକୁ କେବେ ଦେଖିନି । ଏଇ ଡ୍ରେସ ତମକୁ ସାଜେନି । ତମ ପ୍ୟାଣ୍ଟସାର୍ଟ କାହିଁ? ତମେ ସବୁବେଳେ ଇନ୍ କରି ପିନ୍ଧତ, ସେଇଥିରେ ମୁଁ ଅଭ୍ୟସ୍ତ । ସେଇଥି ପାଇଁ ମୋତେ ଅଡୁଆ ଲାଗୁଛି । କାହିଁକି ପିନ୍ଧିଛ ଏଇ ଡ୍ରେସ୍?
– ମୁଁ ଜାଣିଥିଲି ତୁ ବିଶ୍ୱାସ କରିବୁନି । ସବୁକଥାରେ ତୋର ସନେ୍ଦହ କରିବା ସ୍ୱଭାବ । କିମିତି ଛାଡିବୁ । ଏବେ ବିଶ୍ୱାସ ହେଲା କି ନାହିଁ?
– ତମେ ଏତେ ଦିନଯାଏ କୁଆଡ଼େ ଯାଇଥିଲ କି? ଆଖିରେ ବିସ୍ମୟ ନେଇଁ ପ୍ରଶ୍ନ କଲେ ଶ୍ରୀମୟୀ ଶୁଭକାନ୍ତଙ୍କୁ । ତା’ଛଡ଼ା ଏ’ ଡ୍ରେସ୍ ତମକୁ କିଏ ଦେଇଛି ଯେ?
– ବାହାରକୁ ଯାଇଥିଲି କାମରେ । ଡେରି ହେଲା ଫେରିବାକୁ । ସେଇମାନେ ଦେଇଛନ୍ତି ଏଇ ପୋଷାକ । ସେଠିସବୁ ଏଇ ପୋଷାକ ପିନ୍ଧନ୍ତି ତ ମୁଁ ବି ପିନ୍ଧିଦେଇଛି । ଛାଡ଼ ସେକଥା କହିଲୁ ତମେ ସବୁ ଏଠି ଠିକ୍ଠାକ୍ ଅଛ ତ?
– ମୁହଁ ଶୁଖେଇ କହିଲେ ଶ୍ରୀମୟୀ- ଠିକ୍ଠାକ୍ ଆଉ କ’ଣ, ତୁମେ ନଥିଲେ କ’ଣ ଭଲ ଲାଗେ କାହାକୁ । ଚଳିବାକୁ ବାଧ୍ୟ ବୋଲି ଚଳିବା କଥା । ସବୁବେଳେ ଅପେକ୍ଷା ତମବାଟକୁ । ଏଇ ଆସିବି ବୋଲି ଗଲ ଯେ, ଗଲ ଖବରଅନ୍ତର ନାହିଁ କିଛି । ଏମିତି ଦାୟିତ୍ୱହୀନ ତ ତମେ ନଥିଲ । କହିଲା ବେଳେ ଅଭିମାନରେ ଫାଟି ପଡୁଥିଲା ତାଙ୍କ ମୁହଁ । ହେଲେ, କୋଉଥିରେ ଆସିଲ ଏଇ ଅବେଳରେ? ଆଜିକୁ ଯାଇ ମନେ ପଡ଼ିଲା ।
ମଣିଷ ଜୀବନ ତ କର୍ମ ପାଇଁ । କର୍ମ ହିଁ ଆମକୁ ବଞ୍ଚେଇ ରଖିଛି । ଭଲ କାମ କଲେ ସମସ୍ତେ ଆଦର କରିବେ । ଈଶ୍ୱର ବି ତାକୁ ଆପଣାର କରିନେବେ- ମଣିଷର କେବେ ବି ବିଶ୍ରାମ ନାହିଁ । ତୁ ବ୍ୟସ୍ତ ହ’ନା । ପିଲାଙ୍କୁ ମଧ୍ୟ ଉଠାନା ନିଦରୁ । ମୁଁ ଏବେ ଚା’ ଖାଇବିନି । ସକାଳ ହେଉ, ତୁ ଗାଧୋଇସାରି ଚା’ କରିଦେବୁ ଯେ, ମୁଁ ଖାଇବି । ମୋର ଅନେକ କାମ ଅଛି, ମୋତେ ସେପଟେ ଖୋଜୁଥିବେ । ମୋ କଥା ମନେ ରହିଲା ତ ମା’ ପାଇଁ ମଲ୍ଲୀମାଳ, ସିନ୍ଦୂର ଆଉ ପାନଖଣ୍ଡେ । ଭୁଲିବୁନି । ମୁଁ ଟିକିଏ ଆସୁଛି…. ତୁ ଟିକିଏ ଶୋଇପଡ଼, କହି ଯିବା ପାଇଁ ବୁଲି ପଡ଼ିଲେ ଶୁଭକାନ୍ତ ।
ସବୁଦିନ ଭଳି ଦୁଷ୍ଟାମିର ହସ ହସି ଶୁଭକାନ୍ତ କହିଲେ- “ସାଏଁ କରି ଉଡ଼ି ଆସିଲି ପବନରେ । ଅଭିନୟ କରି ଦେଖେଇଦେଲେ ହାତରେ । ଆଜିକାଲି ମୁଁ ଯୁଆଡେ ଚାହିଁବି ସିଆଡେ ଯାଇପାରିବି ନିମିଷକରେ । ମୋ ଗତି ଜଳ, ସ୍ଥଳ, ଆକାଶ, ପାତାଳ ସବୁଆଡେ । କେହି ଆଉ ରୋକିପାରିବେନି । ସେଥିପାଇଁ ଆସିପାରିଲି ନା… ।”
– ମୋତେ ଏତେ ବୋକା ଭାବନି । ତମ ଫୁଟାଣି ସବୁ ମୁଁ ଜାଣେ । ତମକୁ ସବୁବେଳେ ମଜା ଲାଗେ ମୋତେ ଚିଡ଼େଇବାକୁ । ମୁଁ ସରଳ ବିଶ୍ୱାସୀ, ମୋତେ ତମେ ଠକିବନି ତ କାହାକୁ ଠକିବ? ମୁଁ ଡରିଯାଏ, ତମକୁ ମଜାଲାଗେ । ଏବେ ମ୍ୟାଜିସିଆନ ହେଇଯାଇଛ ମନଇଚ୍ଛା ଉଡି ପାରିବ, ବୁଡ଼ିପାରିବ । ଯେତେସବୁ ନଖରାମି । କହିବ ତ ଫ୍ଲାଇଟ୍ରେ ଆସିଲି । ଛାଡ଼ ତ ସେ କଥା- କହିଲ କିଛି ଖାଇଛ କି ନାହିଁ?”
– କେତେବେଳେ ଆଉ ଖାଇଲି । ରାତିରେ ଖାଇ ଶୋଇଥିଲି ତ …, ହଠାତ୍ କହୁ କହୁ ଅଟକି ଗଲେ ଶୁଭକାନ୍ତ ।
ଶ୍ରୀମୟୀ କିନ୍ତୁ କଥା ମଝିରୁ ଅଟକେଇ ପଚାରିଲେ- ତମ କଥାର ମାନେ କିଛି ମୁଁ ବୁଝି ପାରିଲିନି । ଏବେ ତ ରାତି ପୁଣି… ମୋତେ କଥାରେ ମିଛ ସତ କହି ଭୂଅାଁ ବୁଲଉଛ ନାଇଁ । ତମକଥାର ଢଙ୍ଗ ମୁଁ ଜାଣିଛି । ହଉ, ତୁମେ ଆଗ ଏଇ ଡ୍ରେସ୍କୁ ବଦଳେଇଲ, ମୋତେ ଭଲ ଲାଗୁନି ତମକୁ ଏଇ କୁର୍ତ୍ତା ପାଇଜାମାରେ । ଗୋଡ଼ହାତ ଧୋଇଆସ, କ’ଣ ଟିକିଏ ଖାଇବ ।
– ତୁ ଏତେ ବ୍ୟସ୍ତ ହୁଅନା, ସକାଳ ହଉ ବଦଳେଇବି । ତରବର ହୋଇ ଚାଲିଆସିଲି ତ, ଗୋଟେ କଥା ମନେପଡ଼ିଗଲା ହଠାତ୍ ତୋତେ କହିବା ପାଇଁ । ରାତି ପାହିଲା ବେଳକୁ ଡେରି ହୋଇଯିବ, ସେଇଥି ପାଇଁ.. ।
– ମାନେ, ଇମିତି କି ଜରୁରୀ କଥା ଯେ, ସକାଳ ପର୍ଯ୍ୟନ୍ତ ତର ସହିଲାନି । ବ୍ୟସ୍ତ ହୋଇ ସେ ପଚାରିଲେ । କି କଥା ଯେ, ମୋର ତ କାହିଁ ମନେ ପଡୁନି ସିମିତି ।
– ମୁଁ ଜାଣିଥିଲି ଯେ, ତୋର ମୋଟେ ମନେନଥିବ, ମୁଁ ତ ନାହିଁ, ତୁ କାହିଁକି ମନେ ପକେଇବୁ? ମୁଁ ଠିକ୍ ଜାଣିଥିଲି, ସେଇଥିପାଇଁ ତ ଆସିଲି ତରବର ହୋଇ । ମନେ ମନେ ସ୍ୱଗତୋକ୍ତି କଲେ ଶ୍ରୀମୟୀ କ’ଣ କଥା ଯେ ମୋର ମନେନାହିଁ, ଇମିତିକି ଦିବ୍ୟର ମଧ୍ୟ ମନେ ନାହିଁ । କାହିଁ ସିଏ ବି ତ କିଛି କହିନି ।
– ନା, ସିଏ ବି ମନେ ରଖିନି । ତାର ମନେ ରଖିବା କଥା ନୁହଁ ବୋଲି ଭାବିନେଇଛି ତ । ତା’ଛଡ଼ା ନୂଆ ନୂଆ ସଂସାରର ଦାୟିତ୍ୱ ନେଇଛି ସେ । ମୋ କଥା କିନ୍ତୁ ଠିକ୍ ସେ ମନେ ରଖିଛି, ମନେ ରଖିବ ମଧ୍ୟ । ହସିଲେ ଶୁଭକାନ୍ତ ।
– ପୁଣି ମୋତେ ରହସ୍ୟଘେରରେ ପକେଇଦେଲ । ତମକଥା ପୁଣି କ’ଣ? ମୁଁ କିଛି ବୁଝିପାରୁନି ତ । ଇମିତି ଅବାଗିଆ କଥା ସବୁ କାହିଁକି କୁହ । ସିଧାସଳଖ, ସହଜ ଭାବେ କଥା କହିପାରନା? ସବୁବେଳେ ଖାପଛଡ଼ା କଥା କହି ଗୋଲକ ଧନ୍ଦାରେ ପକେଇଦବ । ବେଶି ସସ୍ପେନ୍ସ ନରଖି ଏଥର କୁହ କି କଥା କହିବ, କି କଥା ଅଛି ସକାଳ ପାଇଁ? ପୁଣି ମନେ ମନେ ଭାବିଲେ, ଲୋକଟା କିମିତି ଅନ୍ତର୍ଯ୍ୟାମୀ ଭଳି ତାଙ୍କ ଭାବୁଥିବା କଥା ସବୁ ଜାଣି ପକଉଛନ୍ତି ଯେ, ଅବାକ୍ ଲାଗୁଛି ।
ଶୁଭକାନ୍ତ ଚାହିଁଥାନ୍ତି ଶ୍ରୀମୟୀ ମୁହଁକୁ ଏକାଲୟରେ । ବିଚାରୀ ସବୁବେଳେ ବୋକୀଟା । ଜଟିଳ କଥା ମୋଟେ ବୁଝିପାରେନା । ଏଥର ଆଉ ବେଶି ସମୟ ଉକ୍ରଣ୍ଠାରେ ରଖିବେନି । କହିଦେବେ । “ଆଚ୍ଛା ଶ୍ରୀ ଏଇଟା ବୈଶାଖ ତ… ଏଇ ବୈଶାଖରେ ମା’ଙ୍କ ଶ୍ରାଦ୍ଧ ପଡ଼େନା?
– ହଁ ତ ଶ୍ରୀମୟୀ ଚମକି ପଡ଼ିଲେ ନିଜ ଭିତରେ । ଏତେ କାମ ଭିତରେ ବି ମଣିଷଟା ମା’ଙ୍କ ଶ୍ରାଦ୍ଧକଥା ଭୁଲିନାହାନ୍ତି । ଆଉ ସିଏ ଶ୍ରାଦ୍ଧ କରିବେନି ବୋଲି ନିଜେ ସିଦ୍ଧାନ୍ତ କରିସାରିଛନ୍ତି । ଶୁଣିଲେ ମନକଷ୍ଟ କରିବେ ନିଶ୍ଚୟ । ହେ ଭଗବାନ ।
– କାଲି ପରା ମା’ଙ୍କ ଶ୍ରାଦ୍ଧ, ତୁ ଭୁଲିଗଲୁ କିମିତି? ତୋର ତ ମନେରହିବା କଥା । ମୁଁ ଯେତେବେଳେ ଏଠି ନାହିଁ, ସେଇ ଦାୟିତ୍ୱ ତୋର ଏବେ ।
ଶ୍ରୀମୟୀଙ୍କୁ ଅପରାଧୀ ଅପରାଧୀ ଲାଗିଲା । ନିଜ ଭାବନାକୁ ଆଉ ଲୁଚେଇ ରଖି ପାରିଲେନି । ମଣିଷଟା ସବୁ ତ ଜାଣିପାରୁଛି- କୋଉଠି ଆଉ ଲୁଚେଇବେ ଭାବନାକୁ । ଶୁଭକାନ୍ତ ମା’ଙ୍କୁ ଖୁବ୍ ଭଲପାନ୍ତି । ମା’ଙ୍କର ଦେହାନ୍ତ ହେଲାଦିନୁ, ସେ ତାଙ୍କର ଦିନରେ ଯୋଉଠି ଥିଲେବି ଆସି ପହଞ୍ଚିଯିବେ- ତାଙ୍କର ମନେରଖିବା ଉଚିତ୍ ଥିଲା । ଏଥର ଶ୍ରୀମୟୀ ମୁଣ୍ଡଟେକି ଚାହିଁଲେ ଶୁଭକାନ୍ତଙ୍କ ମୁହଁକୁ- କହିଲେ, ମୁଁ ଭୁଲିନି.. ମୁହୂର୍ତ୍ତେ ଚୁପ୍ ରହି କହିଲେ, ସତ କହିଲେ- ତମେ ଯେତେବେଳେ ଏଠି ନାହଁ, ସବୁ ଯୋଗାଡ଼ି ଦେଇପାରିବି- ମୁଁ ସାହସ କରିପାରିଲିନି । ମୋ ଦେହ ବି ତ ଭଲ ନାହିଁ । ଆଣ୍ଠୁଗଣ୍ଠି ସବୁ ଦରଜ ଚାଲିପାରୁନି । ଦିବ୍ୟ ଟୁର୍ରେ ଚାଲିଯିବ ସକାଳୁ- ସେ ବ୍ୟସ୍ତ ଅଛି । ମୁଁ ସିନା ଗାଁରେ ଥିଲେ ଘରେ ସବୁ ବ୍ୟବସ୍ଥା କରିପାରିଥାନ୍ତି । ଏଇ ବିଦେଶ ମାଟିରେ ମୁଁ କ’ଣ ବି ଜାଣିଛି ଯେ, ସେଇଥିପାଇଁ ଭାବିଲି… ଅନେକ ବର୍ଷ ତ ହେଇଗଲାଣି.. ପୁଣି ତମେ ବି ରହୁନ ମୁଁ ତ ଏଠି, ଘରେ ଚାବି ପଡ଼ିଛି…
…ସେଇଥିପାଇଁ ଭାବିଲୁ ଆଉ କିଛି କରିବୁନି, କି ମା’ଙ୍କୁ ମନେ ପକେଇବୁନି? କେଜାଣି ଏ କଥା ମୁଁ କିମିତି ଭାବିପାରିଲି; ଥାଉ ଚାଲିଆସିଲି କହିବାକୁ । ତୁ ଜାଣୁ ମା’ଙ୍କର ମଲ୍ଲୀଫୁଲ କେତେ ପ୍ରିୟ; ତା’ ସହିତ ପାନଖଣ୍ଡେ । ମୁଁ ବୁଝିପାରୁଛି । ତୋର କଷ୍ଟ, ତୋର ଅଭିମାନ ତଥାପି… ସେମାନେ ଗୁରୁଜନ, ପିତୃପୁରୁଷ । ମା’ଙ୍କର ତୋ ଉପରେ ଭରସା ଥିଲା ଶ୍ରୀମୟୀ । କିଛି ନହେଲେ ମା’ଙ୍କର ଫଟୋଟାକୁ ପୋଛିପାଛି ସିନ୍ଦୂର ଚନ୍ଦନ ଲଗେଇ ତାଙ୍କ ପ୍ରିୟ ମଲ୍ଲିଫୁଲ ମାଳ ଆଉ ମନପସନ୍ଦର ପାନଖଣ୍ଡେ ତାଙ୍କ ଫଟୋ ଆଗରେ ଥୋଇ ଦେଇ କ୍ଷମା ମାଗିନେବୁ କିଛି କରିପାରିନି ବୋଲି- ପାରିବୁନି? ପାରିବୁ ମୁଁ ଜାଣେ, ହେଲେ ତୋର ତ ଅଭିମାନ- ମୁଁ ନାହିଁ ବୋଲି । ମୁଁ କିମିତି ଥାନ୍ତି କହତ? ମୁଁ କ’ଣ ମୋ ଆୟତ୍ତରେ ଅଛି? ଆମେ ତ ମଣିଷ । ଆମର ନିଜ ଇଚ୍ଛା ବୋଲି କିଛି ନାହିଁ । ସବୁ ତା’ ହାତରେ । ଆମକୁ ଯେତେବେଳେ ଯେଉଁ କାମରେ ସେ ପଠେଇବ ଆମକୁ ତା’ର ସେଇ ଆଦେଶ ମାନିବାକୁ ହିଁ ପଡ଼ିବ । ମଣିଷ ପାଇଁ ସମୟ ଅସମୟ କିଛି ନାହିଁ । ତୁ ମୋଟେ ଦୁଃଖ କରନା । ମୁଁ ଅଛି ସବୁବେଳେ । ଦରକାର ପଡ଼ିଲେ ଚାଲି ଆସିବି ଏମିତି, ମନେ ପକେଇଦେବି । ତେବେ ସବୁ ତ ଦେଖିଛୁ, ଶିଖିଛୁ ମଧ୍ୟ । ମୋ ଅବର୍ତ୍ତମାନରେ ତୁମେମାନେ ସେଇକାମଟା ଯିମିତି କରିନେବ । ପରମ୍ପରା ଚାଲିଥିବ । ବଂଶର ମର୍ଯ୍ୟାଦା ବଢ଼ୁଥିବ । ବୁଝିପାରିଲୁ ତ ମୁଁ କ’ଣ କହୁଛି?
– ବୁଝିଲି, ତମେ ଯେତେବେଳେ କହୁଛ, ମୁଁ ନିଶ୍ଚୟ ତା’ର ବ୍ୟବସ୍ଥା କରିବି । ଏବେ ତମେ ଲୁଗାପଟା ବଦଳେଇ ଟିକିଏ ବିଶ୍ରାମ ନିଅ । ମୁଁ ଉଠଉଛି ରିମାକୁ । ତମ ପାଇଁ କପେ ଚା’ କରିଦେବ । ସକାଳ ହେଲେ ପଛେ ଗାଧୋଇବ । ଦିନ ରାତି ତ ତମ ପାଇଁ ଖାଲି କାମ ଆଉ କାମ । ମୁହୂର୍ତ୍ତେ ବସିଲନି । ଖଟି ଖଟି କ୍ଲାନ୍ତ ଦିଶୁଛ । ଯୁ’ ଆଡ଼େ ଗଲେ ଖଟଣି । କେବେ ଆଉ ଶୋଇ ବସି ହାଲିଆ ଭାଙ୍ଗିବ?
– ମଣିଷ ଜୀବନ ତ କର୍ମ ପାଇଁ । କର୍ମ ହିଁ ଆମକୁ ବଞ୍ଚେଇ ରଖିଛି । ଭଲ କାମ କଲେ ସମସ୍ତେ ଆଦର କରିବେ । ଈଶ୍ୱର ବି ତାକୁ ଆପଣାର କରିନେବେ- ମଣିଷର କେବେ ବି ବିଶ୍ରାମ ନାହିଁ । ତୁ ବ୍ୟସ୍ତ ହ’ନା । ପିଲାଙ୍କୁ ମଧ୍ୟ ଉଠାନା ନିଦରୁ । ମୁଁ ଏବେ ଚା’ ଖାଇବିନି । ସକାଳ ହେଉ, ତୁ ଗାଧୋଇସାରି ଚା’ କରିଦେବୁ ଯେ, ମୁଁ ଖାଇବି । ମୋର ଅନେକ କାମ ଅଛି, ମୋତେ ସେପଟେ ଖୋଜୁଥିବେ । ମୋ କଥା ମନେ ରହିଲା ତ ମା’ ପାଇଁ ମଲ୍ଲୀମାଳ, ସିନ୍ଦୂର ଆଉ ପାନଖଣ୍ଡେ । ଭୁଲିବୁନି । ମୁଁ ଟିକିଏ ଆସୁଛି…. ତୁ ଟିକିଏ ଶୋଇପଡ଼, କହି ଯିବା ପାଇଁ ବୁଲି ପଡ଼ିଲେ ଶୁଭକାନ୍ତ ।
– ଦି’ପଦ କଥା ହେଇଛ କି ନାହିଁ, ପୁଣି କୁଆଡ଼େ ଯାଉଛ ଯେ, ବସିଲନି ବି ମୁହୂର୍ତ୍ତେ ଆଶ୍ଚର୍ଯ୍ୟ ମଣିଷ! କହୁ କହୁ.. ଉଠିପଡ଼ିଲେ
… ଚାଉଁକିନି ନିଦଭାଙ୍ଗିଗଲା । ନିଦ ମଳମଳ ଆଖି ଖୋଲି ହେଉନଥିଲା । କି ବିଚିତ୍ର! ଏତେ ସମୟ ଧରି କିଏ ଯେମିତି ତାଙ୍କୁ ଆଚ୍ଛନ୍ନ କରି ରଖିଥିଲା । ସ୍ୱପ୍ନ ଆଉ ଜାଗରଣର ମଝାମଝି ଅବସ୍ଥା । ସତମିଛ ପରଖିବାର ସ୍ଥିତି ନଥିଲା । ଅଥଚ ଶୁଭକାନ୍ତଙ୍କ ଦେହର ବାସ୍ନାକୁ ସେ ଯେମିତି ଆଘ୍ରାଣ କରିପାରିଛନ୍ତି । ଏଇଠି ତ ସେ ଠିଆ ହୋଇ ତାଙ୍କ ସହିତ କଥା କହୁଥିଲେ । ଆଖି ତାଙ୍କର ଘର ଭିତରଟା ଯାକ ପାଗଳଙ୍କ ଭଳି ଖୋଜିଗଲା । ଆଶ୍ଚର୍ଯ୍ୟ! କେହି କୁଆଡ଼େ ନାହିଁ । ଦୁଆର ବି ସେମିତି ଦରଆଉଜା । ସେଇମିତି ଝୁଲୁଛି ଶୁଭକାନ୍ତଙ୍କ ଫଟୋ କାନ୍ଥରେ ଫୁଲ ଚନ୍ଦନ ପିନ୍ଧି । ତାଙ୍କ ଓଠର ସେଇ ରହସ୍ୟମୟ ହସ ଆହୁରି ରହସ୍ୟମୟ ଜଣାପଡୁଛି ଜିରୋ ବଲବର ନୀଳାଭ ଆଲୁଅରେ ।
ଉତ୍ତେଜନାରେ ତାଙ୍କ ଗଳା ଶୁଖିଆସୁଥିଲା । ହାତବଢ଼େଇ ଟେବୁଲ୍ ଉପରୁ ପାଣି ବୋତଲକୁ ଉଠେଇ ଆଣି ଢକଢକ କରି ପିଇଗଲେ । ଟିକିଏ ସାଷ୍ଟାମ ଲାଗିଲା । ଝରକାର ପରଦା ଘୁଞ୍ଚେଇ ବାହାରକୁ ଚାହିଁଲେ । ରାତି ଶୋଇଛି । ଘଣ୍ଟାକୁ ଚାହିଁଲେ ଅଢ଼େଇଟା ବାଜୁଛି । ଲମ୍ବା ନିଃଶ୍ୱାସ ନେଇ ତକିଆ ଉପରେ ଆଉଜି ପଡ଼ିଲେ ଏବଂ ଟିକିଏ ଆଗରୁ ଘଟିଯାଇଥିବା ଘଟଣାକୁ ବିଶ୍ଳେଷଣ କରିବାକୁ ଲାଗିଲେ ।
ଆଚ୍ଛନ୍ନଭାବ କଟିଯାଇଥିଲା । ବେଶ୍ ହାଲୁକା ଲାଗୁଥିଲା ମନଟା । ଯେମିତି ଅନେକ ଦିନର ସଂଚିତ ରୁଦ୍ଧ ଅଭିମାନକୁ ଉଗାଳି ପକେଇଛନ୍ତି । ସ୍ୱୀକାର କରିଛନ୍ତି ନିଜର ଅପରାଧବୋଧକୁ ଶୁଭକାନ୍ତଙ୍କ ଆଗରେ । ତାଙ୍କର ଆଉ କିଛି ଦୁଃଖ ନାହିଁ କି ଅଭିଯୋଗ ନାହିଁ ।
ସତ କହିବାକୁ ଗଲେ- ମା’ଙ୍କର ଶ୍ରାଦ୍ଧ କଥା ସେ ଭୁଲିନଥିଲେ । କିନ୍ତୁ ସେ ନେଇ ସେ ତତ୍ପର ନଥିଲେ । ଭାବିଥିଲେ କିଛି କରିବେନି ଆଉ । ଅନେକ ବର୍ଷ ତ ହୋଇଗଲା ଏଣିକି… ଶୁଭକାନ୍ତଙ୍କ ପାଇଁ ଏଇ ଦିନଟି ଖୁବ୍ ମହତ୍ୱପୂର୍ଣ୍ଣ ଥିଲା । ଶ୍ରଦ୍ଧା ଓ ନିଷ୍ଠାର ସହିତ ସେ ପାଳନ କରୁଥିଲେ । ଆଗଦିନ ରାତିରୁ ସବୁ ଯୋଗାଡ଼ି ରଖିଥିବେ । ବିଶେଷ କରି ମଲ୍ଲୀଫୁଲ, ମା’ଙ୍କର ଅତି ପ୍ରିୟ ଫୁଲ । ସବୁ ଫୁଲ ହିଁ ତାଙ୍କର ପ୍ରିୟ ।
ସେ ଏଇ ଘରକୁ ବୋହୂ ହୋଇ ଆସିଲା ଦିନୁ ଦେଖିଆସିଛନ୍ତି- ବିନା ଫୁଲରେ କେବେ ବି ମା’ ମୁଣ୍ଡ ବାନ୍ଧନ୍ତିନି । ଯେକୌଣସି ଫୁଲ ହେଉ ତାଙ୍କ ମୁଣ୍ଡରେ ଖୋସି ହୋଇଥିବ ।
ଯୋଉ ଋତୁରେ ଯୋଉ ଫୁଲ । ମା’ କହିଲେ ତାଙ୍କ ଆଗରେ ହାତଭର୍ତ୍ତି ଚୁଡ଼ି, କପାଳରେ ସିନ୍ଦୂର, ମୁଣ୍ଡରେ ଫୁଲ, ପାନଖିଆ ନାଲିଓଠ ଆଉ ନାଲି ଧଡ଼ିଆ ପାଟ ଶାଢ଼ି ମୁଣ୍ଡରେ ଓଢ଼ଣା ଥିବା ପାଞ୍ଚ ଫୁଟିଆ ନାରୀଟିଏ ଠିଆ ହେଇଯାଏ । ଶ୍ରୀମୟୀଙ୍କର ମନେ ପଡ଼ିଯାଉଥିଲା ପୁରୁଣା ଦିନର କଥାସବୁ ।
ମା’ଙ୍କର ଇଚ୍ଛା ସବୁବେଳେ ସେ ବି ସେମିତି ସଜେଇ ହେଇଥାଉ ଘରର ଲକ୍ଷ୍ମୀ ସେ । ହେଲେ ଘର ଜଞ୍ଜାଳରେ ସମୟ ନଥାଏ କାରଣ ଘରକରଣା ଶିଖିବାର ବେଳ ସେଇଟା ।
ସେତେବେଳର ବ୍ୟବସ୍ଥା ବି ସେମିତି ନଥିଲା ନୂଆବୋହୂମାନଙ୍କ ପାଇଁ । ନଣନ୍ଦମାନେ ଥିଲେ, ତା’ପରେ ପିଲାଏ ଆସିଗଲେ ଜୀବନ ଭିତରକୁ । ମା’ କାମରେ ଚଞ୍ଚଳ, ପରିଷ୍କାର ଏବଂ ପରିଚ୍ଛନ୍ନ ସବୁବେଳେ । କିଛି ନହେଲେ ବାଡ଼ିରୁ ଯୂଇଫୁଲ ତୋଳି ଠାକୁର ପିନ୍ଧିବେ ଓ ମା’ ପିନ୍ଧିବେ । ମା’ ନାହାନ୍ତି କିନ୍ତୁ ସେଇ ଯୂଇଗଛ ଅଛି ଆଜିବି ।
ବେଶିଦିନ ସେ ଘର କରିପାରିନି ମା’ଙ୍କ ସାଙ୍ଗରେ । ମାତ୍ର ଛ’ବର୍ଷର ଘରକରଣା । ହଠାତ୍ ମା’ଙ୍କ ଦେହାନ୍ତ ହେଲା । ମୁହୂର୍ତ୍ତକରେ ଆଖିବୁଜିଦେଲେ । ଘର ଦାୟିତ୍ୱ ମୁଣ୍ଡେଇବାକୁ ପଡ଼ିଲା । ଜଞ୍ଜାଳ ବଢ଼ିଲା କ୍ରମଶଃ
ତା’ ସତ୍ତ୍ୱେ ପ୍ରତ୍ୟେକ ବର୍ଷ ଶ୍ରାଦ୍ଧଦିବସ ଆସିଲେ ଶୁଭକାନ୍ତଙ୍କୁ ମା’ଙ୍କର ଏଇ ମଲ୍ଲୀମାଳ ଏବଂ ପାନର ସଉକି ମନେ ପଡ଼ିଯାଏ । ଦେଖୁ ଦେଖୁ ତିରିଶ ବର୍ଷ ପୂରିଗଲା- ବାପା ବି ଚାଲିଗଲେ । ଶ୍ରାଦ୍ଧଶ୍ରାନ୍ତି ଭୁରିଭୋଜନର ଜାକଜମକ ସିନା ବନ୍ଦ ହୋଇଗଲା ହେଲେ ମା’ଙ୍କର ଦିନରେ କାଚସିନ୍ଦୂର, ପାନ ଆଉ ମଲ୍ଲୀମାଳର ବ୍ୟବସ୍ଥା କେବେ ବନ୍ଦ ହୋଇନଥିଲା ।
ଶ୍ରୀମୟୀ ମନେପକେଇଲେ- ଗୋଟାଏ ବର୍ଷ ମା’ଙ୍କର ଶ୍ରାଦ୍ଧ ବେଳକୁ ଶୁଭକାନ୍ତ ଅସୁସ୍ଥ ଥିଲେ । ଆକ୍ସିଡେଣ୍ଟ ଯୋଗୁଁ ଗୋଡ଼ରେ ଆଘାତ ଲାଗିଥିଲା । ବାହାରକୁ ଯାଇ ସବୁ ଜିନିଷ ଯୋଗାଡ଼ କରିବା ସମ୍ଭବ ନଥିଲା । ରାଧାମାଧବଙ୍କ ମନ୍ଦିରରେ ବ୍ରାହ୍ମଣଭୋଜନ ଯେମିତି ହେବା କଥା ହେବ ବୋଲି ସ୍ଥିର ହୋଇଥିଲା- ହେଲେ ଶୁଭକାନ୍ତଙ୍କ ମନ ମାନିନଥିଲା, ମଲ୍ଲୀମାଳଟେ ନିହାତି ଦରକାର । ସେ ନିଜେ କମ୍ ଯୁକ୍ତି କରିନି ସେଥର । ବାଡ଼ିରେ ଏତେ ଯୂଇଫୁଲ ଫୁଟିଛି- ମା’ କ’ର ମାଳ କରିଦେଲେ ପିନ୍ଧିବେନି?
ନା, ଶୁଭକାନ୍ତ କୌଣସି ପ୍ରକାରେ ଯାଇ ଖୋଜି ଆଣିଥିଲେ ମଲ୍ଲୀମାଳ । ମନେଅଛି ତାଙ୍କର ।
… ଏଇ ମାତ୍ର ଦି’ବର୍ଷ ହେଲା, ନିଜେ ଶୁଭକାନ୍ତ ଅବେଳରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ଏକୁଟିଆ ହେଇଗଲେ ସେ । ଘରେ ଚାବି ଦେଇ ଚାଲିଆସିଲେ ଏଇ ବାଙ୍ଗାଲୋରକୁ ଦିବ୍ୟ ସାଥିରେ । ସବୁ ପୂଜାପର୍ବ ବିଧିବିଧାନ ବନ୍ଦ ହୋଇଗଲା । ନିଜେ ତ ସେ ସମ୍ଭାଳି ପାରିନଥିଲେ ନିଜକୁ । ଏଇ ବର୍ଷ ଟିକିଏ ସାଧାରଣ ସ୍ଥିତାବସ୍ଥା ଫେରିଆସିଛି । ତଥାପି ବି ସେ ଗାଁକୁ ଯାଇପାରିନାହାନ୍ତି । ତେବେ ଘରର ଭଲମନ୍ଦରେ ନିଜକୁ ସାମିଲ କରିବାକୁ ପ୍ରୟାସ କରିଛନ୍ତି । ଏଇ ବୈଶାଖ ପଶୁପଶୁ ହିଁ ମନେପଡ଼ିଯାଇଛି ମା’ଙ୍କ ଶ୍ରାଦ୍ଧ କଥା । କେମିତି ବି ମନେ ନପଡ଼ିବ; ଦୀର୍ଘ ତିରିଶ ବର୍ଷର ଅଭ୍ୟାସ ପୁଣି ତା’ ସହିତ ଶୁଭକାନ୍ତ ଘନିଷ୍ଠ ଭାବେ ଜଡ଼ିତ । ମନେ ପଡ଼ିବା କଥା ।
କିନ୍ତୁ ତାଙ୍କର ଅଭିମାନ ହେଲା ମା’ ବାପାଙ୍କ ଉପରେ । କେତେ ସ୍ୱାର୍ଥପର ସେମାନେ । ନିଜ ସୁଖ ସୁବିଧା ପାଇଁ ପୁଅଟାକୁ ନେଇଗଲେ ପାଖକୁ- ଏଇ ମଣିଷଙ୍କ କଥା ଥରେ ଭାବିଲେନି । ତାଙ୍କ ଅବର୍ତ୍ତମାନରେ ଏଠି କେତେ ଯେ ଅସୁବିଧା ସେ କଥା କ’ଣ ସେମାନଙ୍କୁ ଅଜଣା! ତାଙ୍କ ବିନା ଯେ ସବୁ ଶୂନ୍ୟ । ନା, ସେ କିଛି କରିବେନି ମା’ଙ୍କ ପାଇଁ ।
କିଏ ଅଛି ଯେ ଟିକିନିଖି କରି ସବୁ ସଜାଡ଼ିଦେବ । ମଲ୍ଲୀର ଗଜରା ଆଣି ପିନେ୍ଧଇଦେବ ତାଙ୍କୁ । ସେ ତ ଏଇ ଦୂର ବିଦେଶ ମାଟିରେ ଅସହାୟଙ୍କ ଭଳି ପଡ଼ିଛନ୍ତି । ସେମାନେ ବି ଚାବିଦିଆ ଘର ଭିତରେ ଅନ୍ଧାରରେ ପଡ଼ିଥାନ୍ତୁ ସେମିତି ଭୋକ ଉପାସରେ । ସେଇ ତାଙ୍କର ଶାନ୍ତି । ମୋତେ ଏତେ ଦୁଃଖ ଯନ୍ତ୍ରଣା ଭିତରେ ଛାଡ଼ିଦେଇଛନ୍ତି ଯେତେବେଳେ, ମୁଁ କିଛି କରିବିନି- ମନେ ମନେ ସ୍ଥିର କରି, ଆଉ ପ୍ରସ୍ତୁତ ହୋଇନଥିଲେ ସକାଳ ପାଇଁ । ଭାବୁ ଭାବୁ ଶ୍ରୀମୟୀ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ । ଅବଶ୍ୟ ଏଇ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ ଦିନ ଅନେକ ରାତି ନିଦ ସହିତ ଯୁଦ୍ଧ କରିବାକୁ ପଡ଼ିଛି । ବେଳେବେଳେ ଅପରାଧୀ ଅପରାଧୀ ମନେ ହୋଇଛି ମଧ୍ୟ ନିଜକୁ । କାହାକୁ ବି କହିବେ ନିଜ ମନର କଥା । ସମସ୍ତେ ସ୍ୱାର୍ଥପର, ଶୁଭକାନ୍ତ ବି କିଛି କମ୍ ନୁହଁନ୍ତି । ଅଥଚ… ଶୁଭକାନ୍ତ ଏଡେ ଗେଲବସର ପୁଅ ଯେ, ସେପୁରରେ ଥାଇ ବି ଭୁଲିନାହାନ୍ତି ମା’ଙ୍କର ସଉକି । କୋଉ ଛଟକରେ ଆସି ତାଙ୍କୁ ବଚନବଦ୍ଧ କରି ଚାଲିଗଲେ । ସେ ଏବେ ଅଗତ୍ୟା । କଥା ଦେଇଛନ୍ତି ଶୁଭକାନ୍ତଙ୍କୁ- ଅମାନ୍ୟ କରିପାରିବେନି ବି ।
ରାତିର ନିଦ ଭାଙ୍ଗିଲା ବୋଧେ । ପାଖ ଫ୍ଲାଟ୍ର ଲିଫ୍ଟରେ ଚଢ଼ାଉତୁରାର ଶବ୍ଦ ଶୁଭୁଛି । ଆଖିର ଲୁହ ପୋଛି ଘଣ୍ଟାକୁ ଚାହିଁଲେ ପାଞ୍ଚଟା ବାଜିବାକୁ ଯାଉଛି । ଏଥର ଉଠିବାକୁ ହେବ- ନିତ୍ୟକର୍ମ ସାରି ମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ କରିବେ ନିଜକୁ । ଦିବ୍ୟ ବି ଉଠିବ; ଏୟାରପୋର୍ଟ ଯିବା ପାଇଁ ନିଜେ ପ୍ରସ୍ତୁତ ହେବ । ଝରକା ପୂରା ଖୋଲିଦେଲେ । ଥଣ୍ଡାପବନ ପଶି ଆସି ଦେହମନକୁ ଆଉଁଶି ଦେଲା । ଦିବ୍ୟ ଉଠିଲାଣି ବୋଧେ । ସେ ଏକାବେଳକେ ଏୟାରପୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇ ଦୁଆର ଖୋଲିଲା । ତାକୁ ମନେ ପକେଇଦେଲେ, ଆଜି ମା’ ଦିନ ବାହାରେ ନିରାମିଷ ଖାଇବୁ । ରିମା କଫି କରି ଦିବ୍ୟ ହାତକୁ ବଢ଼େଇ ଦେଇ କହିଲା- ଚା’ ସରିଯାଇଛି ମମି, ମନ୍ଦିରକୁ ଗଲାବେଳେ ନେଇଆସିବ ପାଖ ଦୋକାନରୁ ।
ଘର ଠାକୁରଙ୍କ ପୂଜା ସାରି ଶ୍ରୀମୟୀ ମନ୍ଦିରକୁ ବାହାରିଲେ । ଗୋଡ଼ରେ ଦମ୍ଭ ନଥିଲା, ତଥାପି ଧୀରେ ଧୀରେ ପାଦ ପକେଇ ଚାଲିବାକୁ ଲାଗିଲେ । ମନ୍ଦିର ବେଶି ଦୂରବାଟ ନୁହଁ । ମନରେ ମଲ୍ଲୀମାଳ କଥା ଭାବି ଚାଲିଛନ୍ତି । ମନ୍ଦିରକୁଗଲେ ହିଁ କିଛି ଗୋଟାଏ ବ୍ୟବସ୍ତା କରିପାରିବେ । ମଲ୍ଲୀ ହେଉ କି ଅନ୍ୟଫୁଲ । ଅନ୍ୟମନସ୍କ ହେଇ ଚାଲୁ ଚାଲୁ ହଠାତ୍ ତାଙ୍କ ଦୃଷ୍ଟି ପଡ଼ିଲା ଗ୍ରସୋରି ଦୋକାନ ଆଡେ । ଆଶ୍ଚର୍ଯ୍ୟ!! କି ବିଚିତ୍ର ସତରେ, ଦୋକାନ ଭିତରୁ ଫୁଲବାଲା ଲମ୍ବା କାଠିରେ ମଲ୍ଲୀମାଳ ଝୁଲେଇ ଓହ୍ଲାଉଛି ।
ଶ୍ରୀମୟୀଙ୍କ ମନ ଉଲ୍ଲସି ଉଠିଲା । ମା’ ନିଜ ପାଇଁ ବ୍ୟବସ୍ଥା କରିଦେଲେ । ତାଙ୍କର ଆଜି ବି ମଲ୍ଲୀଫୁଲର ସଉକି ମଉଳିନି । ଫୁଲବାଲାକୁ ହାତଠାରି ଡାକିଲେ ପାଖକୁ । ଆଉ କିଛି ନଭାବି ପଚାଶ ଟଙ୍କାର ନୋଟ୍ଟିଏ ବଢ଼େଇ ଦେଲେ । ଫୁଲବାଲା ମଲ୍ଲୀମାଳ ଦି’ଖଣ୍ଡ ହାତକୁ ବଢ଼େଇଦେଇ ଖୁଚୁରା ପଇସା ଫେରଉଛି, ସଧବା ସ୍ତ୍ରୀଲୋକଟି ପାଖକୁ ଆସି ଠିଆ ହେଇ ତାଙ୍କୁ ଅଭିବାଦନ କରି କହିଲା କନ୍ନଡ ଭାଷାରେ ‘ଖୁବ୍ ସୁନ୍ଦର ହେଇଛି ମାଳଟି’ । ଶ୍ରୀମୟୀ କହିଲେ ମନ୍ଦିର ଯାଉଛି ତମେ ଆସିବ ଯଦି ଆସ ମୋ ସହିତ ।
ସ୍ତ୍ରୀଲୋକଟି ବି ଚାଲିଲା ମନ୍ଦିରକୁ ଖୁସିରେ । ଶିବଙ୍କୁ ମଲ୍ଲୀମାଳ ଖଣ୍ଡେ ଦେଇସାରି ଆର ଖଣ୍ଡକ ସ୍ତ୍ରୀଲୋକକୁ ବଢ଼େଇ ଦେଇ କହିଲା ‘ନିଅ ତମେ ପିନ୍ଧିବ । ଖୁସି ହେଇ ସ୍ତ୍ରୀଲୋକଟି ସାଙ୍ଗେ ସାଙ୍ଗେ ନିଜ ଖୋସାରେ ଗୁଡେଇ ଦେଲା । ଶ୍ରୀମୟୀ ଏଥର ସିନ୍ଦୂର ଫରୁଆ ସହ ଟଙ୍କା କୋଡ଼ିଏଟି ବଢ଼େଇ ଦେଇ କହିଲେ ହିନ୍ଦୀରେ- ଆଜି ମୋ ଶାଶୂଙ୍କର ପବିତ୍ରଦିନ । ସ୍ତ୍ରୀଲୋକଟି ଫରୁଆ ଖୋଲି ସିନ୍ଦୂର ପିନ୍ଧିନେଲେ । ତୁରନ୍ତ ଅବଶ୍ୟ ଏଇଟା ଦକ୍ଷିଣ ଭାରତୀୟ ନାରୀମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ସିନ୍ଦୂର ପିନ୍ଧା ବ୍ୟବସ୍ଥା ।
ପାଖରେ ଠିଆ ହେଇଥିବା ପୂଜକ ସ୍ତ୍ରୀଲୋକଟିକୁ ନିଜ ଭାଷାରେ ସବୁ ବୁଝେଇ ଦେଲା ମଧ୍ୟ । ସ୍ତ୍ରୀଲୋକଟି ତାଙ୍କ ପାଦଛୁଇଁ ପ୍ରଣାମ କରି ନିଜ ଗନ୍ତବ୍ୟ ପଥରେ ଚାଲିଗଲା ।
ମୁହୂର୍ତ୍ତେ ବସିପଡ଼ି ଶ୍ରୀମୟୀ ଭାବିବସିଲେ- ଘଟିଚାଲିଥିବା ଆକସ୍ମିକ ଘଟଣାଗୁଡ଼ିକୁ ନିଜ ବିଚାରରେ ବିଭିନ୍ନ ବାଟରେ ବ୍ୟାଖ୍ୟା କରିବାକୁ ଚେଷ୍ଟା ବି କରୁଥିଲେ । ରାତିର ଘଟଣାଠୁ ଅଦ୍ୟାବଧି ଘଟିଯାଇଥିବା ଘଟଣାଗୁଡ଼ିତ ସତେ ଯେମିତି ଗୋଟାଏ ଗୋଟାଏ ସଂଯୋଗ! ଅବଶ୍ୟ, ରାତିର ଘଟଣାକୁ ସେ ନିଜ ଅନ୍ତଃମନର ପରିପ୍ରକାଶିତ, ଅବଚେତନର ଏକ ଗୋପନ ବ୍ୟାଖ୍ୟା ଭାବେ ହିଁ ଗ୍ରହଣ କରିଛନ୍ତି ଏବଂ ଆନୁସଙ୍ଗିକ ଭାବେ ଘଟିଚାଲିଥିବା ଈପ୍ସିତ ଅଥଚ ଅଭାବନୀୟ ସଂଯୋଗ ସବୁକୁ ସେ କ’ଣ ବୋଲି ଭାବିବେ ଯେ?? ମନେ ମନେ ମା’ଙ୍କୁ ପ୍ରଣାମ କରି କହିଲେ- ଯଦି ମୋତେ ଏତେ କଷ୍ଟଦେଲ, ତାହେଲେ ଏମିତି ଛାଇ ଭଳି ପାଖରେ ଥାଇ ପିଲାଙ୍କୁ କଲ୍ୟାଣ କରୁଥାଅ ନହେଲେ ମୁଁ ଏକା ହୋଇଯିବି ।
ଏଥର ଘରକୁ ଫେରିଲେ ଶ୍ରୀମୟୀ । ରିମା ହାତରେ ପ୍ରସାଦ ବଢ଼େଇ ଚା’ କରିବା ପାଇଁ ସେ ରୋଷେଇ ଘର ଭିତରକୁ ପଶିଲେ । ରିମା କହିଲା- ମୁଁ ଚା’ କରିଦେଉଛି ମମି ତମେ ଟିକିଏ ବସିପଡ଼ ନା, ଏଇତ ଆସିଲି… ସେ କିନ୍ତୁ ନିଜେ କରିବାକୁ ଚାହିଁଲେ । ରିମା ଚକିତ ହେଇ ତାଙ୍କ ମୁହଁକୁ ଚାହିଁଲା । ହସିଦେଇ କହିଲେ, କାଲି ବାବା ପରା କହିଯାଇଛନ୍ତି- ମୁଁ ଚା’ କରିଦେଲେ ସେ ପିଇବେ ।
ରିମା ଅବୋଧ୍ୟ ପ୍ରଶ୍ନବାଚୀ ତୋଳି ଶାଶୂଙ୍କୁ ଚାହିଁ ରହିଥିଲା ।