କୁହୁକୁହୁ
ତୁ କି ମନ୍ତ୍ର ଜାଣିଛୁ କିଲୋ! ଗୋଟିଏ ଥର ଦେଖାରେ ଭାଇଙ୍କୁ ମୋର କିମିଆ କରିଦେଲୁ! ସେ ଏବେ ତୋ ଲାଗି ପାଗଳ । …ହଉ, ଘରେ ପହଞ୍ଚି ମୋତେ ଫୋନ୍ କରିବୁ । ବଢ଼ିଆ କଥାସବୁ ଅଛି । – ଟୁଇଙ୍କିଲ୍ ଫୋନ୍ କାଟିଦେଲା । ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ସୁପର୍ଣ୍ଣା । କ’ଣ କରିବ, କ’ଣ କରିବ, ଅଥଳ ସାଗରରେ ଭାସୁଥିଲା ବେଳେ ବସ୍ ଆସି ପହଞ୍ଚିଗଲା ଓ ସେ ହାତ ଦେଖାଇ ଉଠିପଡ଼ିଲା ବସ୍ ମଧ୍ୟକୁ ।
ଗାଁକୁ ଯିବା ଲାଗି ବାଣୀବିହାର ଛକରେ ପହଞ୍ଚି ଟିକେ ଛାଇରେ ଠିଆ ହେବା ଉଦେ୍ଦଶ୍ୟରେ ଏଣେତେଣେ ଆଖିବୁଲାଇଲା ସୁପର୍ଣ୍ଣା । କିନ୍ତୁ ଛାଇ କାହିଁ? ସରକାରଙ୍କ ତରଫରୁ ଯେଉଁ ରେଷ୍ଟସେଡ୍ଟି ତିଆରି ହୋଇଛି, ତାହା ଛକଠୁ ଦୂରରେ । ସେଠି କେବଳ ନୂଆ ପ୍ରଚଳନ ହୋଇଥିବା ‘ମୋ ବସ୍’ ଅଟକେ । ଅନ୍ୟସବୁ ବସ୍ ପାସେଞ୍ଜର ଉଠାନ୍ତି ଓଭରବ୍ରିଜ୍ ତଳ ତ୍ରିଛକିରୁ ।
ସମସ୍ତେ ଜାଣନ୍ତି ଶୀତ ପରେ ଆସେ ବସନ୍ତ । କିନ୍ତୁ ଏ ବର୍ଷ କ’ଣ ହେଲା କେଜାଣି, ବସନ୍ତ ଛପିଗଲା କୁଆଡ଼େ । ଅବଶ୍ୟ କୋଇଲିର କୁହୁତାନ କେତେଥର ଶୁଣିଲାଣି ସୁପର୍ଣ୍ଣା । କହନ୍ତି, କୋଇଲି କୁଆଡ଼େ ବସନ୍ତର ଦୂତ । ହେଲେ, ଦୂତ ଆସିଲେ ବି ବସନ୍ତ କାହିଁ?
ପିଲାବେଳେ ପଢ଼ିଥିଳା- ଫାଲ୍ଗୁନ ଚୈତ୍ର ବସନ୍ତରେ, ମୃଦୁ ମଳୟ ମନ ହରେ । ବର୍ତ୍ତମାନ କିନ୍ତୁ ନାଁଟା ଖାଲି ଫଗୁଣ । ଦୋଳ-ହୋଲି ଆହୁରି ପ୍ରାୟ ପନ୍ଦର ଦିନ ଥିଲେ ବି, କି ଖରାଲୋ ମା’ !
ବିଗତ କିଛିବର୍ଷ ଧରି ଶୀତ ବେଶୀ ଅନୁଭୂତ ହେଉନଥିଲା । ପରିବେଶବିତ୍ଙ୍କ ମତ ହେଲା, ଏହା କାଳେ ପ୍ରକୃତିର ପ୍ରତିଶୋଧ । ମନୁଷ୍ୟ ଯେପରି ଅବିଚାରିତ ଭାବେ ମାଟି, ପାଣି, ପବନକୁ ଦୂଷିତ କରିଚାଲିଛି, ପ୍ରକୃତି ଆଉ କେତେ ସହିବ ଯେ! ଋତୁଚକ୍ର ଅବ୍ୟବସ୍ଥିତ ହେବ ହିଁ ହେବ ।
ଏ ବର୍ଷ କିନ୍ତୁ ଶୀତଋତୁଟା ଠିକ୍ଠାକ୍ ତା’ର କାର୍ୟ୍ୟ ସମ୍ପାଦନ କରିଥିଲା । ଏତେ ଶୀତ ଯେ ବୁଢ଼ା-ବୁଢ଼ୀଙ୍କ ଭାଷାରେ ‘ବାଘୁଆ ଜାଡ଼’ । ସ୍ୱେଟର ପିନ୍ଧିବାକୁ ଆଦୌ ଭଲ ଲାଗୁନଥିଲେ ବି ସୁପର୍ଣ୍ଣା ବାଧ୍ୟ ହେଲା ପିନ୍ଧିବାକୁ । ସ୍ୱେଟରଟି ଗାଁରେ ରହିଯାଇଥିବାରୁ ଆଉ ଖଣ୍ଡେ କିଣିବାକୁ ପଡ଼ିଲା । ସହଜେ ସେ ଖଣ୍ଡକ ବହୁ ପୁରୁଣା । ଥାଉ ଗାଁରେ, କେତେବେଳେ କେମିତି କାମରେ ଲାଗିବ । ତା’ ସାଙ୍ଗ ଟୁଇଙ୍କିଲ୍ କିନ୍ତୁ ଶୀତ ହେଉ କି ନହେଉ, ପ୍ରତିବର୍ଷ ଖଣ୍ଡେ ଲେଖାଁ ସ୍ୱେଟର କିଣିପକାଏ । ଧନୀଘରର ଝିଅ ତ! ହେଲେ, ପଇସା ଅଛି ବୋଲି ତା’ର ଅପବ୍ୟବହାର କରିବ, ଏକଥା ଠିକ୍ ନୁହେଁ କେବେ । ପଇସାର ସଦୁପଯୋଗ କରିବା ଏକ ସାମାଜିକ ନ୍ୟାୟ ।
ଖାଲି ଯେ ସ୍ୱେଟର, ତା’ ନୁହେଁ; ଡ୍ରେସ୍ ବି ଗଣ୍ଡାଗଣ୍ଡା । ‘କାହିଁକି ଏତେ ଡ୍ରେସ୍ପତ୍ର କିଣୁଛୁ?’ – ଏକଥା ଥରେ ଟୁଇଙ୍କିଲ୍କୁ କହିବାରୁ ସେ ତା’ ଗାଲ ଟିପିଦେଇ କହିଲା- ଆଲୋ, ତୋଭଳି ମୁଁ କ’ଣ ‘ବିଉଟି କ୍ୱିନ୍’ ହୋଇଛି ଯେ, ଯାହା ପିନ୍ଧିଦେଲେ ଚଳିବ? ଟିକେ ସଜବାଜ ନହେଲେ ଆମ ଆଡ଼େ ଅନେଇବ କିଏ?
ଟୁଇଙ୍କିଲ୍ କିନ୍ତୁ ଅସୁନ୍ଦରୀ ନୁହେଁ । ସୁପର୍ଣ୍ଣାକୁ ଲାଗେ, ତା’ଠୁ ଟୁଇଙ୍କିଲ୍ ସୁନ୍ଦରୀ । ଆଖି ଦି’ଟା ଟିକେ ଛୋଟ ସିନା, ନ ହେଲେ ଆଉ କେଉଁଥିରେ ବାରିବାକୁ ନାହିଁ । ଆଜିକାଲି କସ୍ମେଟିକ୍ ସର୍ଜରୀ ବଳରେ ଚେପା ନାକକୁ ତିଖ କରିହେଉଛି, ସରୁ ଓଠକୁ ବି ପୁଷ୍ଟ କରିହେଉଛି, ଉଚ୍ଚା ମାଢ଼ି ମଧ୍ୟ ହୋଇଯାଉଛି ସମତୁଲ । ଏମିତି କେତେ ସବୁ କଥା ବିଭିନ୍ନ ପତ୍ରପତ୍ରିକାରୁ ପଢ଼ିଛି ସୁପର୍ଣ୍ଣା । କିନ୍ତୁ ଛୋଟ ଆଖିକୁ ବଡ଼ କରିବା କଥା ସେ ପଢ଼ିନି କି ଶୁଣିନି କାହାଠୁ । ଏପରି ହେଉଥିଲେ ଟୁଇଙ୍କିଲ୍ ଛାଡ଼ି ନଥାନ୍ତା କେବେ ।
ସୁପର୍ଣ୍ଣାର ଆଖି କି ଖୁବ୍ ପ୍ରଶଂସା କରେ ଟୁଇଙ୍କିଲ । କହିବ, ତୋଭଳି ମୋ ଆଖି ଦୁଇଟା ଯଦି ହୋଇଥାନ୍ତା ନା, କେତେ ଟୋକାଙ୍କୁ ମୁଁ ନଚଉଥାନ୍ତିଲୋ !
ସୁପର୍ଣ୍ଣା କିନ୍ତୁ ଏଯାବତ୍ ନଚେଇପାରିନି କାହାକୁ । ଏଥିଲାଗି ଟୁଇଙ୍କିଲ୍ ତାକୁ କହେ ‘ୟୁସ୍ଲେସ୍’ ।
ସେମିତି ଦେଖିବାକୁ ଗଲେ, ସେ ୟୁସ୍ଲେସ୍ ନୁହେଁ ତ ଆଉ କ’ଣ! ତା’ ଦାଦାଝିଅ ଭଉଣୀ ତା’ଠୁ ଦୁଇବର୍ଷ ସାନ ହେଲେ ବି ଗୋଟେ ଗଭ୍ମେଣ୍ଟ ଇଞ୍ଜିନିଅରକୁ ବାହାହୋଇଗଲା ଭଲପାଇ । କଣ୍ଟାକ୍ଟ୍ରି କରି ଦାଦାଙ୍କ ଅବସ୍ଥା ବେଶ୍ ସ୍ୱଚ୍ଛଳ । ତେଣୁ ଯାନିଯୌତୁକ ଦେଇ ସେ ଖୁବ୍ ଧୁମ୍ଧାମ୍ରେ ବାହାଘର କରିପାରିଥାନ୍ତେ । ଝିଅ ଲଭ୍ ମ୍ୟାରେଜ୍ କରିବା ଫଳରେ ବଞ୍ଚିଗଲା ତାଙ୍କର ଟଙ୍କା । ବୋଉ ତେଣୁ କହିଲା- ସେ କାଳୀଟେ ହୋଇ ରାଜାପୁଅ ପରି ପିଲାକୁ ବାହା ହୋଇପଡ଼ିଲା, ତୋ ଆଖିରେ କେହି କ’ଣ ପଡୁନାହାନ୍ତି?
ବୋଉ ସିନା ଏତିକି କହି ମନର ବେଦନା ସୁଚାଇଦେଲା, କିନ୍ତୁ ପରୋକ୍ଷରେ ସେ କ’ଣ ଜଣାଇଦେଲାନି ଯେ ତା’ ଝିଅ ଗୋଟେ ଅପଦାର୍ଥ ବୋଲି?
କ’ଣ ଏବେ କରିବ ସୁପର୍ଣ୍ଣା । ରୋଷେଇ ଶିଖିବା ପାଇଁ ପର୍ୟ୍ୟାପ୍ତ ବହି ମିଳୁଛି ବଜାରରେ । ରୂପଚର୍ୟ୍ୟା ଲାଗି ବି ଗଦାଗଦା ବହି । କିପରି ଧନୀ ହେବ, ତା’ର ସୂତ୍ର ବି ବତାଇ ଦିଆଗଲାଣି । ହେଲେ ପ୍ରେମ କିପରି କରିବ, ଏମିତି ବହିଟିଏ କିଏ ଲେଖୁନାହାନ୍ତି କାହିଁକି? ଲେଖାଯାଇଥିଲେ ବି ସୁପର୍ଣ୍ଣା କ’ଣ ଅନ୍ୟ ବହି ପରି ଏଇଟିକୁ ମାଗି ପାରିବ ଦୋକାନୀକୁ? ଯିଏ ଏକାଏକା ସାନିଟାରୀ ନାପ୍କିନ୍ଟେ କିଣିପାରେନି ବୋଲି ସାଥିରେ ଜଣକୁ ନେଇକରି ଯାଏ, ସେ ପୁଣି ମାଗିବ ପ୍ରେମ କିପରି କରିବ ପୁସ୍ତକ! ହେଃ!
ଅବଶ୍ୟ ସାନିଟାରୀ ନାପ୍କିନ୍ ସହଜରେ ପାଇବା ପାଇଁ ଏୟାରପୋର୍ଟ ଓ ବଡ଼ବଡ଼ ରେଲୱେ ଷ୍ଟେସନରେ ଭେଣ୍ଡିଙ୍ଗ୍ ମେସିନ୍ ବସାଗଲାଣି । ତେବେ ସେଠିକି ତ ଆଉ ସମସ୍ତେ ଯାଇପାରିବେନି । ତେଣୁ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗ୍ରାମୀଣ ମହିଳାଙ୍କୁ ଏହା ଯୋଗାଇଦେବାର ବ୍ୟବସ୍ଥା କଲେଣି । ଏବେ ପୁଣି ସ୍କୁଲ୍ରେ ପଢ଼ୁଥିବା ଝିଅମାନଙ୍କୁ ମାଗଣାରେ ଏହା ଯୋଗାଇ ଦିଆଯାଉଛି ତିନିମାସକୁ ଅଠରଟି ହିସାବରେ । ତଥାପି କାହିଁକି ୟାକୁ କିଣିଲାବେଳେ ସଙ୍କୁଚିତ ହୋଇଯାଏ ସୁପର୍ଣ୍ଣା ।
ଟିକକ ପୂର୍ବରୁ ଅଟୋରେ ଆସିଲା ବେଳେ ସେ ସେମିତି ଅଣନିଃଶ୍ୱାସୀ ହୋଇଗଲା । ରେଲୱେ ଷ୍ଟେସନ ପାଖେ ତାଙ୍କ ଅଫିସ୍ । ଶୀଘ୍ର ଅଫିସ୍ ଯାଇ କିଛି ଜରୁରୀ କାମ ସାରି ଏଗାରଟା ବେଳେ ଅଟୋ ଧରି ବାଣୀବିହାର ଛକ ଆସିଲା ବେଳକୁ ଆଗେ ଆଗେ ଚାଲିଛି ଏକ ବିରାଟ ଶୋଭାଯାତ୍ରା । ପତାକାରୁ ଜଣାଗଲା ଯେ ଏହା ଏକ ରାଜନୈତିକ ଦଳର ।
ଏ ରାଜନୀତି ଫାଜନୀତିରେ ଆଦୌ ରୁଚି ନାହିଁ ସୁପର୍ଣ୍ଣାର । ଯାହା ବା ଟିକେ ଥିଲା, ଏଥିମଧ୍ୟରେ ମନରୁ ପୋଛି ହୋଇଯାଇଛି ପୂରା । କାରଣ ଅଧିକାଂଶ ରାଜନେତାଙ୍କର ନୀତି ବୋଇଲେ କିଛି ନାହିଁ । ଦିନେ ଯାହାଙ୍କ ଗଇ ଖୋଜୁଥିଲେ, ସ୍ୱାର୍ଥ ହାସଲ ଲାଗି ତାଙ୍କର ଭୂୟସୀ ପ୍ରଶଂସା କରି ତାଙ୍କ ପଟକୁ ଆଉଜିଯିବା ଲାଗି ଟିକେ ବି ଦ୍ୱିଧା ନାହିଁ ମନରେ । ଏ ଦଳରୁ ସେ ଦଳ ଡିଆଁଡେଇଁ ପର୍ବ ଏପରି ଚାଲିଛି ଯେ ଲଜ୍ୟା-ସରମ ଭଳି ଶବ୍ଦ ଅର୍ଥହୀନ ହୋଇଗଲାଣି । ତେଣୁ ଆଜିର ଶୋଭାଯାତ୍ରା ବିଷୟରେ ଜାଣିବାକୁ ସୁପର୍ଣ୍ଣାର ଆଦୌ ଆଗ୍ରହ ନଥିଲା । କିନ୍ତୁ ତା’ ପାଖରେ ବସିଥିବା ଟୋକାଟାକୁ ଦେଖିବ କ’ଣ! ଅଟୋର ଗତି ଟିକେ ଧିମେଇଗଲେ ସେ କେତେବେଳେ ଡାହାଣପଟକୁ ତ କେତେବେଳେ ବାଁପଟକୁ ଝୁଙ୍କିପଡ଼ି ପଥଚାରୀଙ୍କୁ ଏ ବିଷୟରେ ପ୍ରଶ୍ନ କରୁଥିଲା ବାରମ୍ବାର ।
ଅଟୋର ବାମପଟେ ବି ବସିଥିଲା ଜଣେ ଝିଅ । ଅଟୋରେ ସେ ଉଠିଲା ସମୟରେ ସୁପର୍ଣ୍ଣା ତାକୁ ପ୍ରସ୍ତାବ ଦେଇଥିଲା ତା’ ପାଖରେ ଆସି ବସିବାକୁ । ଝିଅଟି କିନ୍ତୁ ମନା କଲା । କହିଲା, ସାଇଡ୍ରେ ବସିବ । ମଝିରେ ବସିଥିବା ଟୋକାଟି ଯେତେବେଳେ ଡାହାଣ ପଟକୁ ଅର୍ଥାତ୍ ସୁବର୍ଣ୍ଣାପଟକୁ ଝୁଙ୍କି ପଡୁଥିଲା, ବିଚାରୁ ନଥିଲା ଯେ ଜଣେ ଝିଅ ଉପରେ ଲଦି ହୋଇପଡ଼ୁଛି । ଖୁବ୍ ଅସ୍ୱସ୍ତି ଲାଗୁଥିଲେ ବି କିଛି କହିପାରୁନଥିଲା ସୁପର୍ଣ୍ଣା । ସେ କିନ୍ତୁ ଲକ୍ଷ୍ୟ କଲା, ବାମପଟ ଝିଅଟି ଉପରେ ଲଦି ହେଲେ ବି ସେ ଥିଲା ସଂପୂର୍ଣ୍ଣ ନିର୍ଲିପ୍ତ ।
ଟୋକାଟା ଏତେ ଉତ୍ସାହିତ ଥିଲା ଯେ ଅଟୋ ଅଟକାଇ ଓହ୍ଲାଇଗଲା ଅଧବାଟରେ । ଓହୋ! ସୁପର୍ଣ୍ଣା ଟିକେ ନିଃଶ୍ୱାସ ମାରିଲା ଶାନ୍ତିରେ ।
ଏଇଟା ପୁଣି ଗୋଟାଏ ‘ପିଙ୍କ ଅଟୋ’ । ମହିଳାମାନଙ୍କ ସୁବିଧା ଲାଗି ରେଲୱେ ଷ୍ଟେସନ ଓ ବଡ଼ ବଡ଼ ଛକମାନଙ୍କରେ ପିଙ୍କ୍ ଅଟୋର ବ୍ୟବସ୍ଥା କରିଥିଲେ ସରକାର । କିନ୍ତୁ ବାସ୍ତବରେ ଏହାର କାର୍ୟ୍ୟକାରିତା କିଛି ନାହିଁ । ଥରେ ଜଣେ ଅଟୋବାଲାକୁ ଏ ବିଷୟରେ ପ୍ରଶ୍ନ କରିବାରୁ ଉତ୍ତର ମିଳିଲା- ଦିଦି, କେବଳ ମହିଳା ପାସେଞ୍ଜର ବସାଇଲେ ଆମ ମଜୁରି କଥା ଛାଡ଼, ତେଲ ଖର୍ଚ୍ଚ ବି ଉଠିବନି । ସହଜେ ତ ଏକକାଳୀନ ଚାରିଜଣ ମହିଳା ମିଳିବେନି, ଆଗରେ ମଧ୍ୟ ଆମେ ଜଣକୁ, ସ୍ଥଳବିଶେଷରେ ଦୁଇଜଣଙ୍କୁ ବସାଇ ନେଉଛୁ । ମହିଳା ହେଲେ ବସାଇ ପାରିବୁ କି? ସରକାର ଖାଲି ଯୋଜନା କରିଦିଅନ୍ତି, କିନ୍ତୁ ତା’ର କାର୍ୟ୍ୟକାରିତା ସମ୍ବନ୍ଧରେ ବିଚାର କରନ୍ତିନି । ଯୋଜନା ତେଣୁ କେବଳ କାଗଜ କଲମରେ । ଲୋକେ ଜାଣିବାକୁ ମହିଳାଙ୍କ ସୁରକ୍ଷା ଲାଗି ସରକାର କେଡ଼େ ଯତ୍ନଶୀଳ!
ଏକଥାର କ’ଣ ବା ଉତ୍ତର ଆଉ ଅଛି? ଆଜି ସେମିତି ଏଇ ଶୋଭାଯାତ୍ରା । ଶୋଭାଯାତ୍ରା କରିବ ବୋଲି କ’ଣ ରାସ୍ତାକୁ ପୂରା ଅବରୋଧ କରି? ରାସ୍ତା ଟିକେ ଜାମ୍ ନହେଲେ ସେଇଟା କି ଶୋଭାଯାତ୍ରା! – ଏଇୟା ବୋଧେ ଆୟୋଜକଙ୍କର ବିଚାର । ତେଣୁ ଏଇ ଶୋଭାଯାତ୍ରା ଯୋଗୁଁ ଦଶ ମିନିଟ୍ର ବାଟକୁ ଲାଗିଗଲା ପାଖାପାଖି ଅଧଘଣ୍ଟା ।
ରାଜଧାନୀରେ ଏମିତି ଅଚାନକ ଟ୍ରାଫିକ୍ ଜାମ୍ ଯୋଗୁଁ କେଉଁଠିକି ଯିବାର ଥିଲେ ହାତରେ ଯଥେଷ୍ଟ ସମୟ ରଖି ସବୁବେଳେ ବାହାରିଥାଏ ସୁପର୍ଣ୍ଣା । ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବେଳେ ତାଙ୍କ ଇଂଲିଶ ବହିରେ ଗୋଟେ ବିଷୟ ଥିଲା ପଙ୍କଚୁଆଲିଟି । ଗାନ୍ଧୀଜୀଙ୍କ ସମୟାନୁବର୍ତ୍ତିତା ସମ୍ବନ୍ଧରେ କୁହାଯାଇଥିଲା ସେଥିରେ । ସେହି କଥାଟି ଖୁବ୍ ପ୍ରଭାବିତ କରିଥିଲା ସୁପର୍ଣ୍ଣାକୁ ଓ ସେହି ନିୟମକୁ ସେ ପାଳନ କରିଚାଲିଛି । ସତରେ, ସମୟାନୁବର୍ତ୍ତିତାର ମୂଲ୍ୟ କାହିଁରେ କ’ଣ! ବେଳେବେଳେ ଗୋଟାଏ ମୁହୂର୍ତ୍ତର ବିଳମ୍ବ ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ମଣିଷକୁ । ଆଜି ଯଦି ସେ କଣ୍ଟାକଣ୍ଟି ସମୟରେ ବାହାରିଥାନ୍ତା ତେବେ ବସ୍ ଫେଲ୍ ହୋଇଥାନ୍ତ ନିଶ୍ଚୟ ।
ତାଙ୍କ ଗାଁ ବସ୍ ଆସିବାକୁ ଆହୁରି ଦଶ ମିନିଟ୍ ବାକି । ଖରା ପ୍ରକୋପରୁ ରକ୍ଷା ପାଇବା ଲାଗି ଉତ୍ତରୀରେ ମୁଣ୍ଡକୁ ଘୋଡ଼ାଇନେଲା ସୁପର୍ଣ୍ଣା । ପତଳା କାନିଖଣ୍ଡିକ କାମ ଦେବନି କିଛି, ତଥାପି… ।
ଜଣେ ସାଙ୍ଗର ବାହାଘର ଲାଗି ସେ ଗାଁକୁ ଯାଉଛି । ଏକାଠି ପଢ଼ୁଥିଲେ ହାଇସ୍କୁଲ୍ରେ । ସେ ଯାଇ ନଥାନ୍ତା, ନ ଯିବାର ମୁଖ୍ୟ କାରଣ ହେଉଛି ବୋଉର ପ୍ରଶ୍ନ ପ୍ରତି ଭୟ । କିନ୍ତୁ ସେଇ ସାଙ୍ଗ ଜଣକ ଫୋନ୍ରେ ଏତେ ନେହୁରା ହୋଇ କହିଲା ଯେ, ତା’ କଥା ଭାଙ୍ଗିହେଲାନି ।
ଗାଁରେ ତା’ ସାଙ୍ଗର ସବୁ ଝିଅ ବାହା ହୋଇଗଲେଣି । ଏକା ସେ ରହିଛି । ବାପାଙ୍କ କଥା କ’ଣ କେଜାଣି, ବୋଉର କିନ୍ତୁ ଭାରି ମନ ଦୁଃଖ ଏଥିଲାଗି । ଭଲ ପଢ଼ୁଥିଲା ବୋଲି ବି.କମ୍ ପରେ ଏମ୍.ବି.ଏ. କରି ଚାକିରିଟିଏ କରିଥିଲେ ବି ବୋଉ ସନ୍ତୁଷ୍ଟ ନୁହେଁ ସେଥିରେ । ଭଲ ଜ୍ୱାଇଁଟେ ପାଇଗଲେ ତା’ର ଚିନ୍ତା ଯିବ । କିନ୍ତୁ ଝିଅର ସମାସ୍କନ୍ଧ ପାତ୍ରଟିଏ ମିଳିଲେ ତ? ଥରେ ବାପାଙ୍କୁ ବୋଉ ଗାଳି ଦେଉଥିବା ସେ ଶୁଣିଛି । “କାହିଁକି ଏତେ ପାଠ ପଢ଼ାଉଥିଲ ଝିଅକୁ? କ’ଣ ଜାଣିନଥିଲ ଆମର ଅବସ୍ଥା? ଚାଷବନ୍ଦି ଘର । ଯେତିକିର ମଣିଷ ସେତିକି ବାଟ ଯାଏ ଚାହିଁବ ସିନା । ଆଗକୁ ମାଡ଼ିଗଲେ ହିନସ୍ତା ହେବନି ତ ଆଉ କ’ଣ?”
ଆଜି ବୋଉକୁ ଗୋଟେ ମିଛକଥା କହି କିଛିକାଳ ପାଇଁ ବର୍ତ୍ତିଯିବ କି! କହିବ କି ଗୋଟେ ପୁଅ ତା’ ପିଛାରେ ପଡ଼ିଛି ଏଇ ଅଳ୍ପଦିନ ହେଲା!
ବୋଉ ନିଶ୍ଚୟ ଖୁବ୍ ଖୁସି ହୋଇଯିବ ଓ ଆଗ୍ରହ ପ୍ରକାଶ କରିବ କଥାଟା ଶୁଣିବାକୁ । ‘କିଏ ସେ?’
କିନ୍ତୁ ଏ ପ୍ରଶ୍ନର ଉତ୍ତର କ’ଣ ସହଜ! କ’ଣ କହିବ ସୁପର୍ଣ୍ଣା?
କହିବ କି ଟୁଇଙ୍କିଲ୍ର ଭାଇ ଶ୍ରେୟାନ୍ କଥା । ନିକଟରେ ଟୁଇଙ୍କିଲ୍ର ଜନ୍ମଦିନକୁ ଯାଇଥିଲା ସୁପର୍ଣ୍ଣା । ସନ୍ଧ୍ୟାବେଳେ ପହଞ୍ଚି ଦେଖିଲା, ଟୁଇଙ୍କିଲ୍ ତା’ ରୁମ୍ରେ ନାହିଁ । ପରଦା ଆଡ଼େଇ ବାହାରକୁ ଠିକ୍ ଆସିଲା ବେଳକୁ ମୁହାଁମୁହିଁ ହୋଇଯାଇଥିଲା ତା’ ଭାଇ ଶ୍ରେୟାନ୍ଙ୍କ ସହ । ସେ ବୋଧେ ତରତରରେ ସେହି ଘର ଭିତରକୁ ଆସୁଥିଲେ ।
ଧକ୍କା ହେବାରୁ ରକ୍ଷା ପାଇବା ପାଇଁ ସୁପର୍ଣ୍ଣାର ଦୁଇ ବାହୁକୁ ସେ ଧରିନେଇଥିଲେ କେଇ ମୁହୂର୍ତ୍ତ ପାଇଁ । ଚମକି ପଡ଼ିଥିଲା ସୁପର୍ଣ୍ଣା ଏବଂ ଲାଜଲାଜ ହୋଇ ନିଜକୁ ମୁକୁଳାଇ ଆଣିଥିଲା । ତା’ପରେ କ’ଣ ହେଲା କେଜାଣି, କିପରି ଏକ ଆନମନା ଭାବ ଗ୍ରାସିଯାଇଥିଲା ତାକୁ । ଡାଇନିଙ୍ଗ ହଲ୍ରେ ଖାଇଲା ବେଳେ ସେ ଲକ୍ଷ୍ୟ କଲା ଯେ ଶ୍ରେୟାନ୍ ତା’ ଆଡ଼େ ଚାହୁଁଛନ୍ତି ବାରମ୍ବାର ।
ବେଶ୍ ସେତିକି । ତେବେ ଏଇତକରେ କ’ଣ ଗୋଟେ ପ୍ରେମ କାହାଣୀ ହୋଇଗଲା? ବୋଉକୁ ଆଉ କିଛି କଥା ଫାନ୍ଦିଫୁନ୍ଦି ନ କହିଲେ ପ୍ରେମ ନା ଫ୍ରେମ!
ଶ୍ରେୟାନ ରହନ୍ତି ଦିଲ୍ଲୀରେ । ଟୁଇଙ୍କିଲ୍ଠୁ ସେ ପାଞ୍ଚବର୍ଷ ବଡ଼ । ତେଣୁ ତାଙ୍କ ବୋଉ ବି ପୁଅର ବାହାଘର ଲାଗି ବ୍ୟସ୍ତ । ପୁଅ ପରେ ଯାଇ ଟୁଇଙ୍କିଲ୍ କଥା । ଶ୍ରେୟାନ୍ କିନ୍ତୁ ରାଜି ନୁହନ୍ତି ବିବାହ ଲାଗି । ତେବେ ସେ କେଉଁଠି ଟୁଇଙ୍କିଲ୍କୁ ପଚାରୁଥିଲେ ତା’ ଜନ୍ମଦିନର ପରଦିନ- ଆଲୋ, ତୋର ସେ ସାଙ୍ଗଜଣକ କିଏ କି? ଖୁବ୍ ଚୁପ୍ଚାପ!
ଏକଥା ଫୋନ୍କରି ଟୁଇଙ୍କିଲ୍ ଯେତେବେଳେ କହିଲା, ଚମକ ଖେଳିଯାଇଥିଲା ସୁପର୍ଣ୍ଣା ମନରେ । ଖୁବ୍ ଚୁପ୍ଚାପ୍ । ଖୁବ୍ ଚୁପ୍ଚାପ୍, ଖୁବ୍ ଚୁପ୍ଚାପ… ଏଇ କଥା ପଦକ ମନ ମଧ୍ୟରେ ଗୁଞ୍ଜରି ଉଠିଥିଲା ଦିନସାରା! କେଉଁଥିରେ ଆଉ ମନ ଲାଗିନଥିଲା ତା’ର ।
– କ’ଣ ଉତ୍ତର ଦେଲୁ ତୁ?- ପଚାରିଲା ସୁପର୍ଣ୍ଣା ।
– କହିଲି, ସେ ତ ଏକନମ୍ବର ଚାବୁରୀଟେ । ବକ୍ତୃତା ଦେଇ ଆମ କଲେଜରେ ଫାଷ୍ଟ ହୋଇଥିଲା । ଆଉ ତୁମେ କହୁଛ କ’ଣ ନା ଚୁପ୍ଚାପ୍!
– ବଡ଼ ଫାଜିଲ୍ ତୁ । ଏମିତି ଡାହା ମିଛ କହିଲୁ କିପରି? … ହଉ, ତା’ପରେ କ’ଣ କହିଲେ ସେ?
– କହିଲେ…, ନା ଥାଉ, କହିଲେ ତୋ ମନ ଦୁଃଖ ହେବ ।
ସୁପର୍ଣ୍ଣା ଯେତେ ସାକୁଲାସାକୁଲି କଲେ ବି ଟୁଇଙ୍କିଲ୍ ଆଉ ଅଧିକ କିଛି କହି ନଥିଲା । ଆଦୌ ମନ ଦୁଃଖ କରିବିନି ବୋଲି ରାଣନିୟମ ପକାଇବାରୁ ପରେ କହିବ ବୋଲି କହି ଟାଳିଦେଲା କଥାକୁ ।
କାଲି ଫୋନ୍ କରିଥିଲା ଟୁଇଙ୍କିଲ୍ । ସୁପର୍ଣ୍ଣା ଭାବିଥିଲା, ତା’ ଭାଇ କହିଥିବା କଥା ସେ କହିବ । କିନ୍ତୁ ନା, ସେ ବିଷୟରେ ସେ କିଛି ବି କହିଲାନି । କେବଳ କହିଲା, ବୋଉ ଦିଲ୍ଲୀ ଯାଇଛି; ଫେରିଲାବେଳକୁ ଆମ ଦୁହିଁଙ୍କ ପାଇଁ କେଉଁ ରଙ୍ଗର ଡ୍ରେସ୍ ଆଣିବ ବୋଲି ପଚାରୁଥିଲା । ଆଚ୍ଛା, ତୋର କେଉଁ ରଙ୍ଗ ପସନ୍ଦ?
ଟୁଇଙ୍କିଲ ଲାଗି କେତେଥର ଡ୍ରେସ୍ ବାଛିଚି ସୁପର୍ଣ୍ଣା । କିନ୍ତୁ ପ୍ରଥମଥର ଲାଗି ମାଉସୀ ତା’ ଲାଗି ଡ୍ରେସ୍ କିଣିବା କଥା ଶୁଣି ଆଶ୍ଚର୍ୟ୍ୟ ହେଲା ସେ । ତେବେ, ସହଜଭାବେ ସେ ଉତ୍ତର ଦେଲା- ଆଲୋ, ମୋ ପାଇଁ କାହିଁକି? ତୁ କ’ଣ ଜାଣିନୁ ମୁଁ କେତେ ଡ୍ରେସ୍ ପ୍ରିୟ? ମାଉସୀଙ୍କି ମନା କରିଦେ ।
– ମୁଁ କାହିଁକି ମନାକରିବି? ତୁ ମନାକରି ଦେଉନୁ…
– ବଡ଼ ସିହାଣୀ ତ…, ମୋତେ କ’ଣ ସେ ପଚାରିଛନ୍ତି?- ସୁପର୍ଣ୍ଣା କହିଲା ।
– ତା’ହେଲେ ମୁଁ କହିଦେଉଛି, ତୋତେ ସେ ପଚାରିବ ।
– ନାଇଁ ନାଇଁ ପ୍ଲିଜ୍ । ମାଉସୀ ଖରାପ ଭାବିବେ ।
– ତା’ହେଲେ କହୁନୁ କେଉଁ ରଙ୍ଗ…?
– ମୋର ସେମିତି କିଛି ନିର୍ଦ୍ଦିଷ୍ଟ ରଙ୍ଗ ନାହିଁ କହିଦେ, ମାଉସୀ ତାଙ୍କ ପସନ୍ଦରେ ଯାହା ଆଣିବେ…
– ଆଲୋ, ବୋଉର କ’ଣ କିଛି ପସନ୍ଦ ଅଛି? ତା’ର ତ ସେଇ ଗୋଟିଏ ରଙ୍ଗ ନାଲି । ସେ ରଙ୍ଗର ପିନ୍ଧିଲେ, ଛତରା ଟୋକାଏ କେମିତି ବୁଲେଇ ବାଲେଇ କମେଣ୍ଟ ମାରିବେ ତୁ କ’ଣ ଜାଣିନୁ । କହିବେ, ନାଲି ଲଙ୍କାରେ ଛୁଙ୍କ, କେଡ଼େ ରାଗ ଲୋ ମା’…
ଟୁଇଙ୍କିଲ୍ର କଥାସବୁ ଏମିତି ମଜାଳିଆ । କାନ୍ଦିବା ଲୋକ ବି ହସିପକାଇବ ।
– ଠିକ୍ ଅଛି ତା’ହେଲେ, ମାଉସୀ ତ ପୁଅଙ୍କ ସହ ବଜାରକୁ ଯିବେ । କହିଦେ, ପୁଅଙ୍କ ପସନ୍ଦରେ ଯାହା ଆଣିଲେ ବି…
କିରିକିରି ହସରେ ଫାଟିପଡ଼ିଲା ଟୁଇଙ୍କିଲ୍ ଏବଂ କହିଲା- ଜାଣିଲି, ଜାଣିଲି; ସେ ବାବାଜି ସହ କେଉଁ ସୂତ୍ରରେ ତୋର ପ୍ରେମ ହୋଇଗଲାଣି ପରା…!
– କେଡେ ଛତରୀଟା କିଲୋ… । ଅଧିକ ଥଟ୍ଟାମଜା କ’ଣ ଅବା ହୋଇଥାନ୍ତା, ଏତିକିବେଳେ ମ୍ୟାନେଜର କୌଣସି କାର୍ୟ୍ୟରେ ରୁମ୍ ଭିତରକୁ ପଶି ଆସିବାରୁ ଫୋନ୍ ରଖିଦେଲା ସୁପର୍ଣ୍ଣା ।
ବାହା ହେବାକୁ ରାଜି ହେଉନଥିବାରୁ ଟୁଇଙ୍କିଲ ତା’ ଭାଇଙ୍କୁ ବେଳେବେଳେ ବାବାଜି ବୋଲି କହେ । ବସ୍ ଅପେକ୍ଷାରେ ଠିଆ ହୋଇ ଗତକାଲିର କଥା ଭାବୁଥିଲା ବେଳେ ମୋବାଇଲ୍ ରିଙ୍ଗ ହେବାରୁ ସୁପର୍ଣ୍ଣା ଦେଖିଲା ଯେ ଟୁଇଙ୍କିଲ୍ ଫୋନ୍ କରିଛି ।
– କେଉଁଠି; ଅଫିସ୍ରେ ତ?
– ନା, ଗାଁକୁ ଯିବା ଲାଗି ବସ୍ ଅପେକ୍ଷାରେ ବାଣୀବିହାର ଛକରେ ଏବେ ।
– ତୁ କି ମନ୍ତ୍ର ଜାଣିଛୁ କିଲୋ! ଗୋଟିଏ ଥର ଦେଖାରେ ଭାଇଙ୍କୁ ମୋର କିମିଆ କରିଦେଲୁ! ସେ ଏବେ ତୋ ଲାଗି ପାଗଳ । …ହଉ, ଘରେ ପହଞ୍ଚି ମୋତେ ଫୋନ୍ କରିବୁ । ବଢ଼ିଆ କଥାସବୁ ଅଛି । – ଟୁଇଙ୍କିଲ୍ ଫୋନ୍ କାଟିଦେଲା ।
ସ୍ତବ୍ଧ ହୋଇଗଲା ସୁପର୍ଣ୍ଣା । ସତରେ କ’ଣ ବାବାଜି ଶ୍ରେୟାନ୍ ମନ ବଦଳାଇଛନ୍ତି? ଯଦିବା ବଦଳାଇଛନ୍ତି, ସେ ଜାଣି ନଥିବେ ଯେ ତାଙ୍କ ଭଉଣୀର ସାଙ୍ଗ ଗୋଟେ ସାଧାରଣ ଚାଷୀଘରର ଝିଅ । ଯେତେବେଳେ ସେ ଏକଥା ଜାଣିବେ, ତାଙ୍କ ମନ ବଦଳିଯିବ ନିଶ୍ଚୟ । ଅପଦସ୍ତ ହେବା ପୂର୍ବରୁ ମିଛରେ ସୁପର୍ଣ୍ଣା କହିଦେବ କି ତା’ର ବିବାହ ଅନ୍ୟତ୍ର ଠିକ୍ ହେବା ଉପରେ ।
ହେଲେ, ମିଛର କପଡ଼ା ଘୋଡ଼ାଇବ କେତେଦିନ? ଦ୍ୱିତୀୟ କଥା ଆଜି ପୁଣି ଗାଁରେ ପହଞ୍ଚି ବୋଉକୁ ସେ କେଉଁ କାହାଣୀ ଶୁଣାଇବ? ଆଉ ଗୋଟେ ଶ୍ରେୟାନ୍ ପାଇଲେ ତ!
ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ସୁପର୍ଣ୍ଣା । କ’ଣ କରିବ, କ’ଣ କରିବ, ଅଥଳ ସାଗରରେ ଭାସୁଥିଲା ବେଳେ ବସ୍ ଆସି ପହଞ୍ଚିଗଲା ଓ ସେ ହାତ ଦେଖାଇ ଉଠିପଡ଼ିଲା ବସ୍ ମଧ୍ୟକୁ ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ