ଏଥର ମୁହଁ ଖୋଲିଲେ ସୁରମା, ତୃତୀୟ ପୁରୁଷ ନୁହେଁ ତ ତମେ ଆଉ କ’ଣ? ତମ ସହ ତାଙ୍କର କିଛି ସମ୍ପର୍କ ଅଛି । ତମେ ଦିନ ସାଢ଼େ ନଅରୁ ଯିବ ଯେ ଫେରିବ ରାତି ସାଢ଼େ ବାର । ଗୋଟେ ଗୋଟେ ସପ୍ତାହରେ ତମ ସହ ତାଙ୍କର ଦେଖା ମଧ୍ୟ ହୁଏ ନାଇଁ । କିଛି ବୁଝ ସେମାନଙ୍କ ଖବର? ଯଦି ସେ ଡେରି ରାତିରେ ବୁଲି ନିର୍ଭୟରେ ଫେରିଲା, ତମେ ତାକୁ ଶାସନ କଲ ନାହିଁ? ଦି’ ଚାପୁଡ଼ା କଷିଦେଲ ନାହିଁ? ସେମାନେ ଦୋଷ କରିବେ, ତମେ ତୃତୀୟ ପୁରୁଷ ଭଳି ଚୁପ୍ ହୋଇ ବସି ରହିବ । ଏଥିରେ ଉଦ୍ଧତ ହେବାର ସାହସ ସେ ପାଇବେ ନାହିଁ?
ସବୁଦିନ ପରି ସେଦିନ ମଧ୍ୟ ସ୍ୱାମୀଙ୍କର ମଶାରି ଝାଡ଼ିବାକୁ ଗଲାବେଳେ ଅବିନାଶବାବୁ ଅଳସ କଣ୍ଠରେ କହିଲେ, ବସ ନା ଟିକେ, କଥା ଅଛି ।
ସାରାଦିନର ପରିଶ୍ରମ ପରେ ରାତି ସାଢ଼େ ବାରଟାରେ ସ୍ୱାମୀଙ୍କ ସହ ଆଳାପ କରିବାର ଇଚ୍ଛା ସୁରମାଙ୍କର ଟିକେ ମଧ୍ୟ ନଥିଲା । ସେ ଖୁବ୍ ବେଶି କ୍ଲାନ୍ତି ଅନୁଭବ କରୁଥିଲେ ଓ ବାରମ୍ବାର ହାଇ ମାରୁଥିଲେ । ନିଜର ମଶାରି ଝାଡୁ ଝାଡୁ ସେ କହିଲେ ଜାଣେ, କି କଥା ତମର ଥାଏ । ସେଇ ଝିଅ ବାହାଘର, ପୁଅ ପଢ଼ାପଢ଼ି କଥା ଏଇ ତ?
ଅବିନାଶ ବାବୁ ସୁରମାଙ୍କୁ ମୁହଁଟେକି ଚାହିଁ ହସିଲେ । କହିଲେ, ଦେଖୁଚି ସେ କଥା ବି ତମ ମୁଣ୍ଡରେ ଖେଳୁଚି । କିନ୍ତୁ ସେକଥା ପରେ । ଆଗ କହତ, ସନ୍ଧ୍ୟା ବେଳେ ଲମ୍ବା ଗସ୍ତରେ କୁଆଡ଼େ ଯାଇଥିଲ?
ଅବିନାଶ ବାବୁଙ୍କର ଏହି କଥା ଶୁଣୁଶୁଣୁ ସୁରମା ରାଗରେ ଫଅଁଫଅଁ ହୋଇ ଉଠିଲେ । କହିଲେ, ଯାଇଥିଲି ଚୁଲିକି? ଏତେ ବଡ଼ ଘର କିପରି ଚଳୁଛି, କେତେ ବେଳେ କ’ଣ ହେଉଚି, ନ ହେଉଚି, କିଛି ଜାଣୁଛ ତମେ? ଗୋଟାଏ ଲୋକ ମୁଁ କାମକରା ମେସିନ୍ ଯେ ସକାଳ ଛଅରୁ ରାତି ଗୋଟାଏ ଯାଏଁ ଖଟୁଥିବି? ପୂଝାରୀ, ଚାକର, ଧୋବାଠାରୁ ଆରମ୍ଭ କରି ମାଳି ଓ ଦର୍ଜୀ ପର୍ଯ୍ୟନ୍ତ ସବୁ କାମ ତ ତମ ଘରେ କଲି । ଖାଲି ଯାହା ବାରିକ କାମଟା ବାକି ରହିଗଲା ।
ଅବିନାଶ ବାବୁ ହୋ ହୋ ହେଇ ହସି ଉଠିଲେ ।
ସୁରମା ତାଙ୍କ ଶଯ୍ୟାଧାରରେ ବସି କହିଲେ, ହସୁଛ କ’ଣ? ସବୁକଥା ଖାଲି ହସରେ ଉଡାଇଦେବା ଜାଣିଛ । ତମ ପିଅନମାନେ ତ ଆସୋସିଏସନ ଗଢ଼ି ଘରୋଇ କାମ କରିବେ ନାହିଁ ବୋଲି ଆନେ୍ଦାଳନ କରିବେ, ଆଉ ତମେ ଅଫିସ୍ରୁ ଫେରି ରାତି ବାରଟା ଯାଏଁ କ୍ଲବ୍ରେ ଆଡ୍ଡା ନଦେଲେ, ତମ ଅଫିସର ପଣିଆ କୁଆଡ଼େ ରହୁନି । ଯେଉଁ ଲୋକଟି ଭାଗ୍ୟକୁ ଜୁଟିଛି ତା’ ହାତରେ ଖଡ଼ା ବି ସିଝିବ ନାହିଁ । ଘର ଗୋଟାକର ମାର୍କେଟିଂ କରିବ କିଏ? ତମର ବି.ପି. ମେଡିସିନ ସରିଥିଲା । ବୁଲୁର ଟନିକ, ଟୁଲୁର ହର୍ଲିକ୍ସ, ନୀଲୁର ଜନ୍ମଦିନ ପାଇଁ ପୋଷାକ ଆସିବା କଥା । ତା’ଛଡ଼ା ତେଲ, ସାବୁନ, ଛୁଞ୍ଚିସୂତା ଠାରୁ ନିତିଦିନିଆ ପରିବା ମାଛ ପର୍ଯ୍ୟନ୍ତ, ଏସବୁ କିଣାକିଣି କରେ କିଏ? ତମେ? ଦିନେ ବି?
ଅବିନାଶ ବାବୁ ସୁରମାଙ୍କ ପିଠି ଥାପୁଡି କହିଲେ, ବାଃ, ଏକ୍ବାର ସୁଗୃହିଣୀ । ସୁନାଦର ହୁହୁ ବଢ଼ିଯାଉଚି ବୋଲି ଆଖିବୁଜି ଖାଲି ଝିଅ ପାଇଁ ସୁନା କିଣିବାରେ ଲାଗ । ଝିଅ ତେଣେ ନର୍କକୁ ଯାଉ…
ହଠାତ୍ ଚମକି ପଡ଼ିଲେ ସୁରମା, ଅବିନାଶଙ୍କୁ ଚାହିଁ କହିଲେ, କାହା କଥା କହୁଚ ତମେ? ଆମ ରୀନା?
ଅବିନାଶ ବାବୁ କହିଲେ, ହଁ, ହଁ ତମରି ଗେହ୍ଲାଝିଅ ରୀନା । ଆଜି ଟିକେ ଶୀଘ୍ର ଫେରିଲି ବୋଲି ଦେଖିଲି! ରାତି ସାଢ଼େ ନଅଟା ଯାଏ କୁଆଡ଼େ ସେ ବୁଲୁଥିଲା । ଏ ସଣ୍ଠଣା କ’ଣ ମୁଁ ଶିଖାଇବି?
ସୁରମା କହିଲେ ଚିନ୍ତିତ ହୋଇ, ସେ ତ କୁଆଡ଼େ ଯାଏନା । ପଡ଼ିଶା ଘରକୁ ଯାଇଥିବ କ’ଣ କାମରେ ।
ଏଥର ଅବିନାଶ ବାବୁ ରାଗିଗଲେ, କହିଲେ ପଡ଼ିଶା ଘରକୁ ଯିବାର ମଧ୍ୟ ଏକ ସମୟ ଅଛି । ରାତି ସାଢ଼େ ନଅଟା ଯାଏଁ ଝିଅ ଘର ଛାଡ଼ି ବାହାରେ ରହିବ, ରୁଚିକୁ ତମର ଟିକେ ବାଧୁନାହିଁ? ଅନେକଥର ମୁଁ ତାକୁ ଏଠି ସେଠି ଦେଖିଲିଣି ।
ପଂଝାଏ ଝିଅଙ୍କ ସାଙ୍ଗେ ଖାଲି ହେଁ, ହେଁ ଫେଁ ଫେଁ, ପାଠପଢ଼ାର ନାମଗନ୍ଧ ନାହିଁ । ସୁରମା ଚୁପ୍ ହୋଇ ରହିଗଲେ । ତାଙ୍କ ପାଖରେ କୌଣସି ଉତ୍ତର ନଥିଲା । ଝିଅ କଥା ଶୁଣିଲା ବେଳୁ ତାଙ୍କ ନିଦ, କ୍ଲାନ୍ତି ସବୁ ଛାଡ଼ି ଯାଇଥିଲା । ଛାତିଟା କମ୍ପି ଉଠୁଥିଲା ଭୟରେ । ସତରେ ଆଜିର ସମୟ ଜମା ଭଲ ନୁହଁ । ଏ ଯୁଗରେ ପୁଅଝିଅର ମାଆ ହେବା ମାନେ, ଖାଲି ଆଶଙ୍କାରେ ରହିବା ଦୁର୍ଗତି ଯେତିକି, ଦୁର୍ଘଟଣା ତତୋଃଧିକ । କାହିଁ, ତାଙ୍କ ଅମଳରେ ତ ଏମିତି ନଥିଲା? ସେ କ’ଣ ଝିଅ ହେଇ ନଥିଲେ, ନା ସ୍କୁଲ କଲେଜ ଯାଇନଥିଲେ? ତାଙ୍କ ବୋଉ ଦିନେ ତ ତାଙ୍କ ପାଇଁ ଏମିତି ବ୍ୟସ୍ତ ହେଇନାହିଁ? ଅଥଚ ଆଜି… ବଡ଼ ପୁଅ ନୀଲୁ କଲେଜ ଗଲାଦିନୁ ତା’ ନାଁରେ ଶୁଣିଶୁଣି ସେ ଛାତିକୁ ପଥର କଲେଣି । କୁସଙ୍ଗରେ ପଡ଼ି ଯାଇଚି, ଯେତେ କହିଲେ ଶୁଣୁନି । ସେମାନେ ତା’ର ଅତି ପ୍ରିୟ । ବାକି ଝିଅ, ସେ ଯଦିଓ ଖୁବ୍ ଭଲ ପିଲା, ତଥାପି, ଭାବିଲେ ତାଙ୍କ ଛାତି କ’ଣ ହେଇଯାଏ ।
ଅବିନାଶ ବାବୁ ଖଟ ବାଡାକୁ ଆଉଜି ବସି, ସୁରମାଙ୍କ ଭାବାନ୍ତରକୁ ଲକ୍ଷ୍ୟ କରୁଥିଲେ । ଟିକେ ପରେ କହିଲେ, ଭାବୁଚ ଆଉ କ’ଣ? ତମେ ତ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବ ଧାରା ଘର ସାରା ଖେଳାଇବ । ଛେନାରେ ଭଳି ଭଳି ମିଠା ତିଆରି କରି ବାହାବା ନବ । ଟିକେ ବେଳ ମିଳିଲା ତ ସୁନାଦର ବଢ଼ିଲା କି କମିଲା, ତା’ ଖବର ରଖିଲ, ଭଲ ବଣିଆ ଦୋକାନର ସନ୍ଧାନ ନେଲ । ପିଲାଙ୍କୁ ଦେଖିବାକୁ ତମର ବେଳ କାହିଁ?
ସୁରମା ଅଭିମାନିଆ କଣ୍ଠରେ କହିଲେ, ହଁ ସବୁ ତ ମୋରି ଦୋଷ! ପିଲାଏ ବଦମାସୀ କଲେ, ବଦନାମ ଆଣିଲେ ଦୋଷହୁଏ ମାଆର । ପିଲାଏ ସୁନାମ ଅର୍ଜିଲେ, ବାପା ଛାତି ପିଟି କହେ, ମୋ ପୁଅ । ସେଠି ମାଆର ତିଳେ ଅବଦାନ ନଥାଏ । ଏହାହିଁ ଆମର ଚଳଣି । ପାଣି କ୍ଷୀର କିଣି ଖାଆନ୍ତ, ଗାଈ ରଖି ଦୁଧ ଘିଅ ଟିକେ କଲି କି ବାରିରେ ଶାଗ ସବଜି ଦି’ଟା କଲି ଏଇଟା ମୋର ଦୋଷ? ଏଇ ଉଲଗୁଣା ସବୁବେଳେ ଦଉଚ?
ଅବିନାଶ ବାବୁ କହିଲେ, ଦୋଷ ଅଦୋଷ ନୁହେଁ ରମା ଯାହା ଦେଖିଲି ତା ହିଁ କହୁଚି । ନୀଲୁଟା ତ ଜାଣି କୁସଙ୍ଗରେ ପଡ଼ି ବାତରା ହୋଇଗଲା, ହେଲେ ରୀନା, ସେ ଗୋଟେ ଝିଅ ପିଲା । ପ୍ଲସ୍ ଟୁ ପରୀକ୍ଷା ଦବ, ରାତି ପାହିଲେ ବରଖୋଜା ହେବ । ସେ ଏମିତି ମନଇଚ୍ଛା ଅଧରାତିଯାଏ ବୁଲିବ? ଅନେକଥର କଲେଜ ଆୱାରରେ ମୁଁ ତାକୁ ମ୍ୟାଟିନ୍ ସୋ’ ଯିବାର ଦେଖିଚି । ଏଗୁଡା ଭାରି ଭଲ କଥା? ତା’ପରେ କହିଲେ ଖାଲି କ’ଣ ରୀନା? ଏ ବୁଲୁ, ଟୁଲୁ ଦି’ଟା ଯାକ ବି ଗଲେଣି । ଆଜି ଟିକେ ଶୀଘ୍ର ଫେରିଲି କେହି ଜଣେ ପଢ଼ୁଥିବାର ଦେଖିଲି କି? ବୁଲୁ କମ୍ପୁ୍ୟଟରରେ ଓ ଟୁଲୁ ମୋବାଇଲରେ ମୁହଁ ମାଡ଼ି ବସିଥିଲେ । ଗାଳି ଦେବାରୁ ବହି ଧରି ବସିଲେ । ହେଲେ ବହି ଭିତରୁ ଖସି ପଡ଼ିଲା, ସିନେମା ମାଗାଜିନ୍ । ଅଙ୍କ ପଚାରିଲି ଆସିଲା, ନା ସାହିତ୍ୟ? ଫକୀର ମୋହନ କିଏ ବୋଲି ପଚାରିବାରୁ କହିଲା, ମୁଁ ଜାଣେନି । ଉକ୍ରଳମଣି କିଏ ସେ ଜାଣେନି । ସେ ଜାଣେ କ୍ରିକେଟ୍ ଷ୍ଟାର ଓ ସିନେମା ଷ୍ଟାରଙ୍କ କଥା । ଅବିନାଶ ବାବୁ ଟିକେ ଦମ୍ ନେଲେ ତା’ପରେ କହିଲେ ଶୁଣିଲ ତ ତମ ଚାରି ରତ୍ନଙ୍କର କଥା । ଗୋଟାଏ ବାଳୁଙ୍ଗା ପ୍ରଡକ୍ସନ ଆମର । ଭାବିଲେ ଛାତି କ’ଣ ହେଇଯାଉଚି ।
ଦୀର୍ଘଶ୍ୱାସ ଛାଡ଼ି ସୁରମା କହିଲେ, ମୋରି ଛାତିଟା କଂକ୍ରିଟ୍ ବୋଲି ଭାବିଚ ନା? ନା ମୁଁ ବସି ବସି ତମର ଅନ୍ନଧ୍ୱଂସ କରୁଚି । ରୀନା ପ୍ଲସ୍ ଟୁ ଦବ । ତାକୁ ଟିଉସନ ଦେଲି । ଟୁଲୁ, ବୁଲୁଙ୍କୁ ମଧ୍ୟ ଟିଉସନ ଦେଲି । ମୁଁ ଆଉ କେତେ ଦେଖିବି । ଘର ଗୋଟାକର ଜଞ୍ଜାଳ । ଗାଈ, କୁକୁଡ଼ା, ଶୁଆ, ସାରୀ, ଗୋଟାଏ ଚିଡ଼ିଆଖାନା । ମରିବାକୁ ମତେ ବେଳ ଅଛି?
ଅବିନାଶ ବାବୁ କହିଲେ, ମରିବାକୁ ମତେ ହିଁ ଖାଲି ବେଳ ଅଛି । ଅଫିସ୍ରେ ଏସି ରୁମ୍ରେ ବସି ଆରାମ କଲି ଯେ ତମ ପିଲାଙ୍କୁ ଦେଖିଲି ନାହିଁ? ଗଲା ପରୀକ୍ଷାରେ କପି କରି ଧରାପଡ଼ି ଓଲଟି ଇନ୍ଭିଜିଲେଟରଙ୍କୁ ମାଡ଼ ମାରି ଯେଉଁ ଗଣ୍ଡଗୋଳ ହେଇଥିଲା ସେଥିରେ ପରା ନୀଲୁ ମୁଖ୍ୟ ଥିଲା । ପୋଲିସ୍ ଧରିଥିଲା ତାକୁ । କେତେ ଧାଁଧପଡ଼, ଲାଞ୍ଚ ଦେଇ ମୁଁ ତାକୁ ଖସେଇ ଆଣିଚି, ସେ କଥା ତମେ ଜାଣ ନା?
ସୁରମା କହିଲେ, ଜାଣେ ନା କାହିଁକି? କେତେ ତାକୁ ବୁଝାଇଛି । ଅଭିମାନ କରିଚି । ଦେହ ଛୁଅାଁଇ ଶପଥ କରାଇଛି, ତେବେ ବି ସେ ସେମାନଙ୍କ ସାଙ୍ଗ ଛାଡ଼ି ପାରୁନାହିଁ । ପ୍ରତିଦିନ ତା’ର ଦଶ ପଚାଶ ଟଙ୍କା ଦରକାର । ତା’ର ଗାଡ଼ି ଦର୍କାର, ଦାମୀ ମୋବାଇଲ ଦରକାର । ଏତେ ପଇସା କେଉଁଠୁ ଆସିବ, ସେ କ’ଣ ପିଲା ହେଇଚି ଜାଣିପାରୁନି?
ଅବିନାଶ ବାବୁ କହିଲେ, ଛେନାଗୁଡ଼ ଜାଣୁଚି ସେ ! ଆଜି ସନ୍ଧ୍ୟାରେ ମୁଁ ତାକୁ ସାଙ୍ଗମାନଙ୍କ ସହ ଚାଇନିଜ ରେଷ୍ଟୁରାଣ୍ଟରେ ଦେଖିଲି । ମତେ ଦେଖିଲା ସେ, ତଥାପି ଶୀଘ୍ର ଘରକୁ ଫେରିଲା ନାହିଁ । ଏତେ ବେଖାତିର, ମୁଁ ତାକୁ ବାରଣ୍ଡାରେ ଅପେକ୍ଷା କରି ବସିଲି । କେତେବେଳେକେ ଏପଟୁ ଆସିଲା ରୀନା, ଆରପଟୁ ନୀଲୁ । ନିଶ୍ଚିନ୍ତରେ, ନିର୍ଭୟରେ ଦୁହେଁ ଗେଟ୍ ଖୋଲି ଚାଲିଗଲେ । ଦେଖିଲେ ବାପା ବସିଚନ୍ତି, ତହିଁକୁ ତାଙ୍କର ଭୟ ନାହିଁ, ଖାତିର ନାହିଁ । ଚୁପ୍ ହୋଇବସି ମୁଁ ସେମାନଙ୍କୁ ଦେଖିଲି ତୃତୀୟ ପୁରୁଷ ପରି ।
ଏଥର ମୁହଁ ଖୋଲିଲେ ସୁରମା, ତୃତୀୟ ପୁରୁଷ ନୁହେଁ ତ ତମେ ଆଉ କ’ଣ? ତମ ସହ ତାଙ୍କର କିଛି ସମ୍ପର୍କ ଅଛି । ତମେ ଦିନ ସାଢ଼େ ନଅରୁ ଯିବ ଯେ ଫେରିବ ରାତି ସାଢ଼େ ବାର । ଗୋଟେ ଗୋଟେ ସପ୍ତାହରେ ତମ ସହ ତାଙ୍କର ଦେଖା ମଧ୍ୟ ହୁଏ ନାଇଁ । କିଛି ବୁଝ ସେମାନଙ୍କ ଖବର? ଯଦି ସେ ଡେରି ରାତିରେ ବୁଲି ନିର୍ଭୟରେ ଫେରିଲା, ତମେ ତାକୁ ଶାସନ କଲ ନାହିଁ? ଦି’ ଚାପୁଡ଼ା କଷିଦେଲ ନାହିଁ? ସେମାନେ ଦୋଷ କରିବେ, ତମେ ତୃତୀୟ ପୁରୁଷ ଭଳି ଚୁପ୍ ହୋଇ ବସି ରହିବ । ଏଥିରେ ଉଦ୍ଧତ ହେବାର ସାହସ ସେ ପାଇବେ ନାହିଁ?
ଅବିନାଶ ବାବୁ କହିଲେ, ଆଃ, କେତେ ପାଟି କରୁଛ, ସେ ଘରେ ସେମାନେ ଅଛନ୍ତି । ତା’ପରେ ଚୁପ୍ଚୁପ୍ କହିଲେ, ଚାପୁଡ଼ାଟାଏ ପକାଇଦବାକୁ ମୋର ବୁଦ୍ଧି ନଥିଲା? ଯିଏ ଏତେ ଦୂର ଯାଇଚି ସେ କ’ଣ ଚାପୁଡ଼ାରେ ଶାସନ ହୁଏ? ବରଂ ଫଳ ହୁଏ ଓଲଟା । ମୋର ସାଙ୍ଗ ସାମନ୍ତରାୟ କ’ଣ ଗାଳିଗୁଲଜ କଲା ବୋଲି ତା’ ପୁଅ ଆଠଦିନ ହେବ ଘରଛାଡ଼ି ଉଭାନ । କେତେ ଖୋଜାଖୋଜି ସରିଲାଣି, ଆଜି ଚାପଡ଼ାଟାଏ ପକାଇ ଦେବି, କାଲି ତମ ଗୁଣମଣି କ’ଣ କରିବେ, କିଏ ଜାଣେ? ରାସ୍ତାରେ ମୁଣ୍ଡ ଟେକି ମୁଁ ଚାଲନ୍ତି ତ? ନାଁ, ଏଇ ପୁଅଝିଅମାନଙ୍କ ପାଇଁ ମୋର ଇଜ୍ଜତ୍ ମହତ କିଛି ନାହିଁ ।
ସୁରମା ଆବୃତ୍ତି କଲାପରି କହି ଲାଗିଲେ, ଦୋଷ ତମରି, କେବଳ ତମରି । ପିଲାଦିନୁ ସେମାନଙ୍କୁ ଘନିଷ୍ଠତା ଦେଇଥିଲେ, ସ୍ନେହରେ ଶାସନ କରିଥିଲେ, ଆଜି ସେ ଏମିତି ହୁଅନ୍ତେ? ତମେ ତ ଦିନ ନଅଟାରେ ଶେଯ ଛାଡ଼ିବ, ଜଳଖିଆ ଖାଇ ଅଫିସ୍ ଯିବ, ସେଇଠି କି ଯିବ ତମ ଲଞ୍ଚ । ଅଫିସ୍ରୁ ସିଧାସଳଖ କ୍ଲବ୍ ଯାଇ ମନଇଚ୍ଛା ଡି୍ରଙ୍କ କରି ଘରକୁ ଆସିବ । ନିଦ ନମାଡ଼ିଲେ ମନେପଡ଼ିବ ପୁଅଝିଅଙ୍କ କଥା । ନେଡିଗୁଡ଼ କହୁଣିକୁ ବହିଗଲାଣି । ଏକା ମୁଁ କେମିତି ସମ୍ଭାଳିବି ଏସବୁ?
ସବୁ କଥା ଭିତରେ ଏଇ ଡ୍ରିଙ୍କ କଥା ଶୁଣିଲେ ଅବିନାଶ ବାବୁ ଖୁବ୍ ରାଗିଯାନ୍ତି । ଶୁଣୁ ଶୁଣୁ ସେ ରାଗି ଉଠିଲେ । କହିଲେ କାହିଁକି ଡ୍ରିଙ୍କ ଡ୍ରିଙ୍କ ହେଉଚ? ଏଡେ ପାଟି କରୁଛ? କିଏ ଡ୍ରିଙ୍କ କରୁନାହିଁ? ତମେ ତ ଦିନକୁ ସାତକପ୍ ଚା’ ଡି୍ରଙ୍କ କରୁଚ, ଗାଁରେ ନନା ମଧ୍ୟ ନିତି ଭରିଏ ଲେଖାଏଁ ଭାଙ୍ଗ ଅଧଗ୍ଲାସ୍ ପାଣିରେ ଡ୍ରିଙ୍କ କରନ୍ତି । ତମ ସ୍ୱର୍ଗର ଦେବତାମାନେ ମଧ୍ୟ ସୋମରସ ଡ୍ରିଙ୍କ କରୁଥିଲେ । ମୁଁ ଆଉ ଅଧିକ କ’ଣ ବେଆଡ଼ା କାମ କଲି ଯେ ଘର କମ୍ପଉଛ?
ହୁଁ… ସୁରମା ରାଗରେ ଗରଗର ହେଲେ । କହିଲେ ରାତିରେ ନିଦ ନ ଆସିଲେ ଏମିତି ମୋ ସାଙ୍ଗରେ ଝକର ଝକର ଲଗେଇଥିବ । କ’ଣ କଲେ ପିଲାଏ ସୁଧୁରି ଯିବେ, ବାଟକୁ ଆସିବେ ତା’ର କିଛି କାର୍ଯ୍ୟ କେବେ କରୁଛ? ଟିକେ ଯତ୍ନ କରୁଛ? ଖାଲି ମତେ ଦୋଷ ଦେବା କଥାଟି ଜାଣ । କାଣି ବିଲେଇ କୁଜି ଅସରପା ଉପରେ ତୋଡ଼ କାଢ଼େ । ସୁରମା ନିଜ ଖଟକୁ ଉଠି ଆସି ଶୋଇବାର ଉପକ୍ରମ କଲେ ।
ଏକା ଆଖିରେ ଅବିନାଶ ସୁରମାକୁ ଚାହିଁଲେ । କାନ୍ଥ ପଟକୁ ମୁହଁ କରି ସେ ଶୋଇଚନ୍ତି । ତକିଆରେ ମୁହଁ ଗୁଞ୍ଜି କାନ୍ଦୁଚନ୍ତି ପରା । ବିଚାରୀ ପିଲାଗୁଡ଼ାଙ୍କ ପାଇଁ ନିଜକୁ ତିଳ ତିଳ ଦାନ କରି ଦେଇବି ସଫଳ ହେଇ ପାରିଲା ନାହିଁ । ଜୀବନର ଅଧେ କାଳ କଟିଗଲା । ତଥାପି ପିଲାଏ ତାକୁ ବୁଝୁନାହାନ୍ତି କି ତାକୁ ଟିକେ ଶାନ୍ତି ଦେଉନାହାନ୍ତି । ଅବିନାଶ ବାବୁଙ୍କ ମନ ଆର୍ଦ୍ର ହୋଇ ଉଠିଲା । ସେ ସୁରମାଙ୍କ ପାଖକୁ ଯାଇ ଡାକିଲେ ରମା, ଶୁଣ, ଶୁଣ ।
ସୁରମା କୌଣସି ଉତ୍ତର ଦେଲେ ନାହିଁ । ସୁଁ ସୁଁ ହୋଇ ସେମିତି କାନ୍ଦିବାରେ ଲାଗିଲେ । ଅବିନାଶ ବାବୁ ସୁରମାଙ୍କ କାନ୍ଧରେ ହାତ ରଖି କହିଲେ, ଆଃ, କାନ୍ଦନା ରମା । ତମେ କାନ୍ଦିଲେ ମୋର ଜମା ସହ୍ୟ ହୁଏନା । ତମମାନଙ୍କୁ ସୁଖରେ ରଖିବା ପାଇଁ ମୋର ଚାକିରି ଓ ରୋଜଗାରର ବିଭିନ୍ନ ଉପାୟ । ସବୁ ଦୋଷ ମୋର । ଗୋଟାଏ କାମ କରିବା । ରୀନାର ବାହାଘର କରିଦେବା । ବାକି ନୀଲୁ…
ଏଥର କାନ୍ଦ କାନ୍ଦ ହୋଇ ମୁହଁ ଫୁଲାଇ ସୁରମା କହିଲେ, ସେ ଯିବ ଜମି ଚାଷ କରିବ ଏଇତ?
ଏଥର ହସିଲେ ଅବିନାଶ ବାବୁ । ଜମି କୋଉ ରହୁଛି ଯେ ଚାଷ କରିବ । ବରଂ ବ୍ୟବସାୟ କରୁ । କିଛି ଗୋଟେ ସଂସ୍ଥା ଖୋଲି ବସୁ । କିଛି ଗୋଟେ ଦୋକାନ କିମ୍ବା କାଠ କୋଇଲା ଡିପୋ ।
ଏକଥା ଶୁଣୁ ଶୁଣୁ ସୁଷମା ରାଗରେ ମୁହଁ ବୁଲାଇ, କାନ୍ଥପଟକୁ ଘୁଞ୍ଚିଗଲେ ।
ଅବିନାଶ ହସିଲେ ବୁଝିଲେ ସୁରମା ଅଭିମାନ କରିଛି । ସେ ତାଙ୍କ ପାଖରେ ବସି ପଡ଼ି କହିଲେ, ମୁଁ ବଞ୍ଚି ଥାଉ ଥାଉ ତମ ପୁଅକୁ କାଠ କୋଇଲା ଡିପୋ କରିବାକୁ ଦେବି ନାହିଁ ରମା । ଏମିତି ଥଟ୍ଟାରେ କହିଦେଲି ନା । ପାଠ ନ ପଢ଼ିଲେ ବେଶ ମୋଟା ଟଙ୍କାର କାରବାର ଖୋଲିବ । ଯଥା… ଯଥା…
ସୁରମା ବିରକ୍ତ ହୋଇ କହିଲେ, ଯାହା କରିବ କର । ଆଉ ବକ୍ ବକ୍ ହୁଅନା । ମତେ ନିଦ ମାଡ଼ିଲାଣି ।
ଅବିନାଶ ବାବୁ ଅନେକ ସମୟ ପର୍ଯ୍ୟନ୍ତ ସୁରମାଙ୍କୁ ଚାହିଁ ରହିଲେ । ତା’ପରେ ଉଠିଯାଇ ଅଧାପଢ଼ା ନଭେଲଟାକୁ ପଢ଼ିବା ପାଇଁ ଡ୍ରୟାର ଖୋଲିଲେ ।
-୨-
ପାଖରୁମ୍ରେ ଠିକ୍ ଏତିକି ବେଳେ ନୀଲୁ ଏକ ଆମେରିକାନ୍ ନଭେଲର ପୃଷ୍ଠ ଓଲଟାଉ ଥିଲା ଓ ରୀନା ଟେବୁଲରେ ପଡ଼ିଥିବା ଫେମିନାରୁ ଏକ ମିନି ଡ୍ରେସ୍ର ଡିଜାଇନ୍ ନକଲ କରୁଥିଲା ।
କେତେବେଳେକେ ରୀନା ଡାକିଲା… ଭାଇ!
… ଉଁ..
ଶୁଣିଲୁ ନା ?
… କଅଣ?
… ଏଇ ବାପା ଯାହା କହିଲେ । ଏଣିକି ତୋର ପାଠପଢ଼ା ବନ୍ଦ । ତୁ କୋଇଲା ଦୋକାନ କରିବୁ ।
ଅଳ୍ପ ହସି ନୀଲୁ କହିଲା ; ବାପା ତୋ ବାହାଘର କଥା ଯାହା କହିଲେ?
… ଭାକ୍ ।
… ଭାକ୍ କ’ଣ? ତୋ’ ବାହାଘର ପାଇଁ ତ ବୋଉ ଗହଣାଗାଣ୍ଠି, ଶାଢ଼ି, ବାସନ ସବୁ ସଜାଡ଼ି ରଖି ସାରିଲାଣି । ମୋର ଭାରି ହିଂସା ହେଉଚି ଲୋ? ଝିଅଗୁଡ଼ାଙ୍କୁ ବାପା ବୋଉ ବେଶି ଭଲ ପା’ନ୍ତି ନା?
… ଆଉ ତତେ ଭଲ ପା’ନ୍ତି ନାହିଁ?
… ଆଲୋ, ମତେ କିଏ ଭଲପାଏ? ବୋଉ ତ ସବୁବେଳେ ଚିଡ଼ଚିଡ୍ । ବାପା ତ ପଚାରନ୍ତି ନାହିଁ ଦିନେ ବି । ଭାରି ବାଧେ ଲୋ ମତେ ।
… ଯାଃ ମ! ବାପା ସେମିତି ଜଣାଯାନ୍ତି ନା । ନଚେତ୍ ତତେ ସେ ଖୁବ୍ ଭଲପା’ନ୍ତି । ତୋର ସବୁ ପରୀକ୍ଷା ପରେ ପରେ ତୋର କେଉଁ ଖାତା, କେଉଁଠି କି ଯାଇଚି ସବୁ ସେ ଠାବ କରନ୍ତି । ତାଙ୍କ ଚେଷ୍ଟାରୁ ତୁ ପାସ୍ କରୁ ନା । ନୀଲୁ କହିଲା, ଏଥର ପାସ୍ କରିବି କି ନାଇଁ ଦେଖିବୁ । ଏଥର ଆମର ଏକ ଅଭିନବ ପ୍ଲାନ୍ ।
ହସି ଉଠି ରୀନା କହିଲା, କ’ଣ କପି କରିବାର ପ୍ଲାନ୍?
କଠିନ ସ୍ୱରରେ କହିଲା ନୀଲୁ, ଦେଖ୍, ରୀନା, ଏମିତି କପି କପି ହୁଅନା । ଏହା ଏକ ବିପ୍ଳବ । ଏକ ନୂଆ ପରମ୍ପରା ସୃଷ୍ଟି କରିବାର ବିପ୍ଳବ । ଆମର ଛାତ୍ର ନେତା ନିଖିଳ ସାମନ୍ତରାୟ କ’ଣ କହେ ଜାଣୁ? ସେ କହେ ଯୁଗେ ଯୁଗେ ବିପ୍ଳବ ନାମରେ ଏକ ସବୁଜଶକ୍ତି ସବୁ ରକ୍ଷଣଶୀଳତା ବିରୁଦ୍ଧରେ କାର୍ଯ୍ୟ କରି ଆସିଚି । ନୂଆ ଧାରା ପ୍ରଚଳନ କରିଚି । ଆଜିର ଛାତ୍ର ଅଶାନ୍ତି ତା’ର ନମୁନା ମାତ୍ର । ବିଦ୍ୟାଳୟରେ ଯଦି ଦଣ୍ଡବିଧାନ ଉଠିଗଲା, ଦୋଷୀ ଯଦି ଦଣ୍ଡ ନପାଇବା ନିୟମ ହେଲା, ତେବେ କପି ପ୍ରଚଳନରେ ଏତେ ବାଧା କାହିଁକି? ଦେଖିବୁ, ଏମିତି ଏକ ସମୟ ଆସିବ, ପରୀକ୍ଷା ହଲ ରହିବ ନାହିଁ । ଘରେ ବସି ସମସ୍ତେ ପ୍ରଶ୍ନପତ୍ର ପାଇବେ । ଡାକ ଯୋଗେ ଉତ୍ତର ଲେଖି ପଠାଇବେ ।
ହସି ଉଠି ରୀନା କହିଲା, ବାଃ, ଚମକ୍ରାର ।
ନୀଲୁ କହିଲା, ସେ ସୁବର୍ଣ୍ଣଯୁଗ ଅବଶ୍ୟ ଆସିବ ରୀନା । ଅବଶ୍ୟ ଆସିବ । ତୁ ସେଇ ସମୟକୁ ଅପେକ୍ଷା କର । ଜମ୍ମା ବାହା ହଅନା । ବାହା ହେଲେ ଜୀବନ ବରବାଦ । ରେସନ୍ର କୁ୍ୟ, ବେବୀ ଫୁଡ୍, ତେଲଲୁଣର ଜଞ୍ଜାଳ, ଧ୍ୟାତ୍ କହୁ କହୁ ନୀଲୁ ଟେବୁଲ୍ ଲ୍ୟାମ୍ପଟା ତା’ ଆଡକୁ ବୁଲାଇ ଦେଲା ଓ ସଜାଡ଼ି ହୋଇ ଶୋଇ ପୁନର୍ବାର ସେ ବହିରେ ଦୃଷ୍ଟି ହଜାଇଲା ।
ରୀନା ନିଜର ଖଟରେ ଶୋଇ ନୀଲୁ କଥା ଶୁଣୁଥିଲା ଓ ଅସଂଲଗ୍ନ ଭାବେ ଚିନ୍ତା କରୁଥିଲା । ନୀଲୁ ଲ୍ୟାମ୍ପଟା ବୁଲାଇ ଦେଲା ବେଳେ ବହିର ମଲାଟଟା ତା’ ଆଖିରେ ପଡ଼ିଲା । ସେ ଡାକିଲା
: ‘ଭାଇ’
: କ’ଣ?
: କି ବହି ସେଇଟା ପଢ଼ୁଚୁ?
: ଗୋଟେ ଇଂରାଜୀ ନଭେଲ
: ଏତେ ଅସନା ବହି ପଢ଼ୁଚୁ, ବୋଉକୁ କହିବି ।
ନୀଲୁ ଏଥର ମୁହଁ ଟେକି ରୀନାକୁ ଚାହିଁ କହିଲା, କାଇଁ, ଅସନା କୋଉଠି? ମଲାଟଟା ତ ଏକଦମ୍ ଚକ୍ଚକ୍ କରୁଚି ।
ପ୍ରଚ୍ଛଦପଟରେ ଥିବା ସେଇ ଅସଂବୃତ୍ତା ନାରୀ ଦେହର ଛବିକୁ ଚାହିଁ ଚାହିଁ ରୀନା କହିଲା… ବଜ୍ଜାରୀ??
ନୀଲୁ ଗୋଟେ ହୁଁ ମାରି ପଢ଼ାରେ ମନଦେଲା ।
ଏତିକି ବେଳେ ପାଖଘରୁ ଅବିନାଶ ବାବୁଙ୍କ ପାଟି ଶୁଭିଲା । ସେ କହୁଥିଲେ ହେ, ରମା କ’ଣ ଶୋଇ ପଡ଼ିଲଣି? ମୋ ଡ୍ରୟାରରୁ ସେ ବହିଟା କିଏ ନେଲା? ମୋ ଡ୍ରୟାର ତ କେହି ଖୋଲିନ୍ତି ନାହିଁ । ଏଇ ରମା, ବହିଟା କ’ଣ ତମେ ନେଇଚ? ତମେ ବି ଏ ବହି ପଢ଼ିଲଣି ।
ବାପାଙ୍କ ପାଟିଶୁଣି ରୀନା ଭୟରେ ଚାଦରରେ ମୁହଁ ଘୋଡ଼ାଇ ଶୋଇବାର ଛଳନା କଲା । ନୀଲୁ କିନ୍ତୁ ବେଶ୍ ନିଶ୍ଚିନ୍ତରେ ମୁଣ୍ଡ ଓ ଗୋଡ଼ ତଳର ତକିଆ ସବୁ ସଜାଡ଼ି ନେଇ ଆରାମରେ ଶୋଇ ଶୋଇ ବହି ପଢ଼ିବାକୁ ଲାଗିଲା ଓ ଭାବିଲା, ବାପା ସକାଳେ ଶୀଘ୍ର ଉଠନ୍ତି ନାହିଁ, ନଅଟା ପୂର୍ବରୁ ତ ଜମ୍ମା ନୁହଁ!!