ପାହାନ୍ତିଆ ପହରରେ ସ୍ୱପ୍ନ ଗୋଟେ ଦେଖିଥିଲି ଯାହା । କୌଣସି ଇଚ୍ଛା ନଥିଲା ମନରେ । ଅଚାନକ ଯିବାର କୌଣସି କାରଣ ବି ନଥିଲା ।
କାରଣ ହେଉ ବା ଅକାରଣ ହେଉ, ଆକର୍ଷଣ ସର୍ବୋପରି । ସେଥିପାଇଁ ପରା ଯାଇ ପହଞ୍ଚିଗଲି ।
କି ଏକ ଆଶ୍ଚର୍ଯ୍ୟର କଥା ଦେଖ । ସାକ୍ଷାତ ହେବାର କୌଣସି ସମ୍ଭାବନା ନଥାଇ ବି ସାକ୍ଷାତ ହୋଇଗଲା ତମ ସହ ।
ସେଇ ଭଞ୍ଜ ବିହାରରେ ।
ସେଇ ଶିବ ମନ୍ଦିର ସାମ୍ନାରେ ।
ସେଇ ସନ୍ଧ୍ୟାବେଳେ ।
ଏଥର କିନ୍ତୁ ତ ମୋ ବାନ୍ଧବୀ ମାମୁନି ନଥିଲା ତମସହ ।
ଏଥର ବି ମୋ ବନ୍ଧୁ ବାବୁଲା ନଥିଲା ମୋ ସହ ।
ଏବେ କିନ୍ତୁ ମୁଁ ଦ୍ୱିଧାମୁକ୍ତ । ତେଣୁ ବେଶ୍ ସହଜରେ ଅଗ୍ରସର ହେଲି ତିନିପାଦ ।
କିନ୍ତୁ ତୁମେ ଏବେବି ଦ୍ୱିଧାଯୁକ୍ତ । ସେଥିପାଇଁ ହୁଏତ ତିନିପାଦ ଅଗ୍ରସର ହେଲ, ଅବଶ୍ୟ କୁଣ୍ଠିତ ପଦକ୍ଷେପରେ ।
କେମିତି ଅଛ? ଭଲ?
ହସିଦେଲି ମୁଁ ।
ତମେ କିନ୍ତୁ ହସିପାରିଲନି ।
ତମ ଆଖିରେ ଏବେବି ପୌଷର ପ୍ରଭାବ ପରି ବିଷାଦର ସାନ୍ଧ୍ର କୁହୁଡ଼ି । ତେଣୁ ତମେ କହିଲ ପରା ଊଣେଇଶ ଶହ ଅଠାଅଶୀରୁ ଦୁଇହଜାର ଅଠର । ତିରିଶ ବର୍ଷ ତମେ ବହୁ ଡେରି କରିଦେଲ ।
ମୁଁ ଦ୍ୱିଧାଗ୍ରସ୍ତ ଥିଲି । ତମ ପ୍ରତି ମୋର ଆକର୍ଷଣ ଆସକ୍ତି ନା ପ୍ରେମ ଜାଣିପାରି ନଥିଲି । ଏବେ କିନ୍ତୁ ଜାଣିପାରିଲି ଯେ ଆସକ୍ତି ଅତୀତ ହୋଇଯାଇପାରେ ପ୍ରେମ କିନ୍ତୁ ସଦାସର୍ବଦା ବର୍ତ୍ତମାନ ।
ତାହାହେଲେ?
ତମେ ଏବେ ବି ଶୀତରେ ଅଛ । ବସନ୍ତ ଏବେ ବି ଦୂରରେ ।
ତିରିଶ ବର୍ଷ ପରେ ବି ତମକୁ ଭୁଲିପାରିନାହିଁ । ଏବେବି ଅନ୍ୟମନସ୍କ ଭାବେ ତମକୁ ଡାକେ ଓ ଉତ୍ତର ଦେବାକୁ ଯାଇ ମୋ ସ୍ତ୍ରୀ ‘ଓ’ କରେ ।
ପଲକ ଉଠାଇ ଚାହିଁଲ ତମେ ।
ବିବାହ ବେଦୀରେ ମୋ ସ୍ତ୍ରୀକୁ ଏଇ ନାଁ ହିଁ ଦେଇଥିଲି ।
ଚମକି ଗଲ ତମେ । ଏବେ ମୋତେ ଚମକାଇ ଦେଇ ହସିବାକୁ ଆରମ୍ଭ କଲ ଏବଂ ତମ ବନ୍ଧନମୁକ୍ତ ହସର ଉତ୍ତାପରେ ତରଳିବାକୁ ଆରମ୍ଭ କଲା ବିଷାଦର କୁହୁଡ଼ି ।
କାହାକୁ କହିନି କେବେ । ଲୋପାମୁଦ୍ରା ଗୋଟେ ଝିଅର ନାଁ ନୁହେଁ । ଆଉ ।
ମୋ ବଞ୍ଚିବାର ରାହା ।
ଏତେ ପ୍ରାଚୁର୍ଯ୍ୟ ଭିତରେ ରହିବି ଏତେ ପ୍ରାପ୍ତି ଭିତରେ ରହିବି ଆଜି ପର୍ଯ୍ୟନ୍ତ ମୋର ମନେ ହେଉଥିଲା ମୁଁ ହିଁ ପୃଥିବୀର ରିକ୍ତତମ ମଣିଷ । ଆଉ ନୁହେଁ ।
ହଁ ଫେସ୍ବୁକ୍ରେ ମୁଁ ଦେଖିଛି ତମର ପ୍ରାଚୁର୍ଯ୍ୟର ପ୍ରାବଲ୍ୟ ଓ ପ୍ରାପ୍ତିର ଇସ୍ତାହାର । ପତି ଓ କନ୍ୟା ସହ ତମର ପରିପୂର୍ଣ୍ଣ ପରିବାର ।
ପୁଣିଥରେ ପଲକଟେକି ଚାହିଁଲି ।
ଅପ୍ରାପ୍ତିକୁ କେବେ ବି ମୁଁ ପ୍ରାପ୍ତି ରୂପେ ସ୍ୱୀକାର କରିନାହିଁ ।
କିନ୍ତୁ ଏଇ ମୁହୂର୍ତ୍ତରେ ତମେ କରିଦେଲ ମୋ ଜୀବନକୁ ପ୍ରାପ୍ତିର ଅକ୍ଷୟ ଭଣ୍ଡାର । ଏଣିକି ପୃଥିବୀକୁ ଫେରିପାରେ ମୁଁ ।
ତମେ ଯେ ଅଛ ।
ହଁ, ମୁଁ ତ ଅଛି ତମ ପାଇଁ ।
ଅନନ୍ତ କାଳ ଯାଏଁ ।
ଗପ ଛୋଟ ହେଲେବି ଭଲ ଲାଗିଲା।
ଧନ୍ୟବାଦ ଆଜ୍ଞା