ତୁମର ଲଭ୍ ମାରେଜ୍? ପଚାରିଦେଲା ସଂଜୟ ।
ହଠାତ୍ ଶୁଭ୍ରା କହିଲା, ସେ’ଟାକୁ କିଏ ଲଭ୍ କରି ବାହାହେବ?
ଶୁଭ୍ରା କହିଦେଇ ଟିକେ ରହିଗଲା ଏବଂ ସଂଜୟ କିଛି ପ୍ରତିକ୍ରିୟା ଜଣାଇବା ପୂର୍ବରୁ କହିଲା, ଆମର ପୂରାପୂରି ଆରେଞ୍ଜଡ଼ ମାରେଜ୍ । ଘଟକ ମାଧ୍ୟମରେ ପ୍ରସ୍ତାବ ଆସିଥିଲା, ଆମର ବାପା ମା’, ବନ୍ଧୁବାନ୍ଧବ ପରସ୍ପରକୁ ଦେଖି, ଘରକୁ ଯାଇ, ଖାନଦାନି ପଚାରିବୁଝି, କଥାବାର୍ତ୍ତା କରି ଆମ ବାହାଘର ଠିକ୍ କରିଥିଲେ ।
ସାତବର୍ଷ ପରେ ସଂଜୟ ଓ ଶୁଭ୍ରା ଗୋଟିଏ ଅଫିସ୍ରେ ନିଯୁକ୍ତି ପାଇ କାମ କରୁଥିଲେ । ମଧ୍ୟାହ୍ନଭୋଜନ ସାରି ସଂଜୟ ଶୁଭ୍ରାର ପ୍ରକୋଷ୍ଠକୁ ଯାଇଥିଲା । ଶୁଭ୍ରା ନିଜ ପ୍ରକୋଷ୍ଠରେ ଚା’ କରିବାର ସମସ୍ତ ବ୍ୟବସ୍ଥା କରିଥିଲା । ଟି-ମେକର ରଖିଥିଲା ଏବଂ ଗୋଟେ ଡବାରେ ଚା’ ପାଉଚ, ଚିନି ଏବଂ ଅମୂଲ ଗୁଣ୍ଡ କ୍ଷୀର । ଶୁଭ୍ରା ଯୋଉ ଅଫିସ୍କୁ ବଦଳି ହୋଇଯାଏ, ସେହି ଅଫିସରେ ନିଜ ପ୍ରକୋଷ୍ଠରେ ଚା’ କରିବାର ଆୟୋଜନ କରିଥାଏ । ସେ ଚା’ ପାଇଁ ପିଅନ ଉପରେ ନିର୍ଭର କରେ ନାହିଁ । ନିଜେ ଚା’ ପ୍ରସ୍ତୁତ କରି ସଂଜୟକୁ ଗୋଟିଏ କପ୍ ବଢ଼େଇଦେଇ, ଅନ୍ୟ ଗୋଟିଏ କପ୍ରୁ ନିଜେ ପିଉଥିଲା ।
ଶୁଭ୍ରା ହଠାତ୍ କହିଥିବା ଧାଡ଼ି, ସେ’ଟାକୁ କିଏ ଲଭ୍ କରି ବାହାହେବାକୁ, ସଂଜୟ ମନେମନେ ତର୍ଜମା କରୁଥିଲା । ଶୁଭ୍ରା କ’ଣ ତା’ର ବୈବାହିକ ଜୀବନରେ ଅସନ୍ତୁଷ୍ଟ, ତା’ର ସ୍ୱାମୀ ସହିତ ପଡୁନାହିଁ? ସେ ସେମିତିକା ଏକ ଗୁଜବ ପୂର୍ବରୁ ଶୁଣୁଥିଲା । ନା’, ତା’ ସ୍ୱାମୀ ପ୍ରତି ପ୍ରେମ ହେତୁ ଏମିତି ଏକ ଶ୍ରଦ୍ଧାପୂର୍ଣ୍ଣ ବାକ୍ୟ କହିଦେଲା । ସଂଜୟ ବୁଝିପାରୁନଥିଲା । ସେହି ବାକ୍ୟଟି ବିରକ୍ତି ନା ଶ୍ରଦ୍ଧାପୂର୍ଣ୍ଣ, ସେ ନିର୍ଣ୍ଣୟ କରିପାରୁନଥିଲା ।
ସଂଜୟ ତା’ ଜୀବନରେ ଦୁଇଜଣଙ୍କୁ ବୁଝିପାରେ ନାହିଁ, ତା’ ବାପା ଏବଂ ଶୁଭ୍ରାକୁ । ଲୋକେ କୁହନ୍ତି, ନିଜ ବାପାଙ୍କୁ ନ ବୁଝିଲେ, ଦୁନିଆକୁ କ’ଣ ବୁଝିବ? ସଂଜୟ ତା’ ବାପାକୁ ବୁଝିପାରେ ନାହିଁ, ସେ କେମିତି ବା ଶୁଭ୍ରାଙ୍କୁ ବୁଝିପାରନ୍ତା?
ସଂଜୟ ହେତୁ ପାଇଲା ଦିନରୁ ସେ କେବେ ମନେପକେଇ ପାରୁନଥିଲା ତା’ ବାପା ତାକୁ କେବେ ସ୍ନେହରେ କଥା ପଦେ କହିଛନ୍ତି । ତାକୁ ଦେଖିଲେ ବାପା ବିରକ୍ତ ହୁଅନ୍ତି । ଟିକେ ଟିକେ କଥାରେ ଭୁରୁଡ଼ି ମାରନ୍ତି, ହାତ ପାଖରେ ଥିଲେ, ପିଟିପକାନ୍ତି । କାହିଁକି ସେ ଜାଣିପାରେ ନାହିଁ । ସେ ଟିକେ ବଡ଼ ହେଲା ପରେ, ସ୍କୁଲ୍ ବା କଲେଜରେ ପଢ଼ିଲା ବେଳେ, କୁହନ୍ତି, ତୋ ଦ୍ୱାରା କିଛି ହେବନି । ମୁଁ ଯଦି ତତେ ଘରୁ ବାହାର କରିଦେବି, ତୁ ଭୋକେ ମରିଯିବୁ ।
ସଂଜୟ ତା’ ପିଲାଦିନରୁ ବାପାଙ୍କ ଠାରୁ ଦୂରେଇ ରୁହେ । ସେ କଲେଜକୁ ପଢ଼ିବାକୁ ଗଲା, ପାଠ ପଢ଼ିବାକୁ ଯେତେ ନୁହେଁ, ବେଶି ତା’ ବାପାଙ୍କଠାରୁ ଦୂରେଇ ରହିବାକୁ । ତା’ ବାପାଙ୍କର ଏପରି ବ୍ୟବହାର, ଯାହା କି ସେ ଖୁବ୍ ପିଲାଟି ଦିନରୁ ସହୁଥିଲା, ତା’ ଉପରେ ନକାରାତ୍ମକ ପ୍ରଭାବ ପକଉଥିଲା । ସେ ଭାବୁଥିଲା, ହୁଏତ ତା’ ବାପା ତାକୁ ଘରୁ ବାହାର କରିଦେବେ, ସେ ଖାଇବାକୁ ପାଇବ ନାହିଁ । ସେ ଅସହାୟ ହୋଇପଡ଼ିବ । ସେ ଆତ୍ମପ୍ରତୟ ହରାଇଥିଲା । କଲେଜରେ ପଢ଼ିଲାବେଳେ, କ୍ଲାସ୍ରୁମ୍ରେ କିଛି ଆଲୋଚନା ଚାଲୁଥିଲା ବେଳେ, ସେ ଛିଡ଼ା ହୋଇ କିଛି କହିବାକୁ ସାହସ କରୁନଥିଲା । ସେ ପାଠ ଜାଣିଥିଲେ ବି କହିପାରୁନଥିଲା । କିନ୍ତୁ ତା’ଠାରୁ କମ୍ ଜାଣି, ଏପରିକି ଭୁଲ୍ ଜାଣି ମଧ୍ୟ, ତା’ର ସାଙ୍ଗମାନେ ଆଲୋଚନାରେ ଭାଗ ନେଉଥିଲେ, କହୁଥିଲେ, ଯୁକ୍ତି କରୁଥିଲେ ଏବଂ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ, ପ୍ରଶଂସା ପାଉଥିଲେ । ସେ କିନ୍ତୁ ନିରବ ରହୁଥିଲା, ଅଜଣା, ଅଚିହ୍ନା ହୋଇ ରହିଯାଉଥିଲା । ଶୁଭ୍ରାଙ୍କୁ ମଧ୍ୟ ସେ କହିପାରିନଥିଲା ।
***
ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ପ୍ରଶିକ୍ଷଣ ସାରି ଶୁଭ୍ରା ସଂଜୟର ଅଫିସ୍ରେ ଯୋଗ ଦେଇଥିଲା । ସଂଜୟଠାରୁ ଚାରିବର୍ଷ ପରେ ସେ ଚାକିରିରେ ଭର୍ତ୍ତି ହୋଇଥିଲା । ସେହି ଅଫିସରେ ଶୁଭ୍ରା ପରେ ସଂଜୟ ଥିଲା ସବୁଠୁ କନିଷ୍ଠ ଅଧିକାରୀ । ଅନ୍ୟମାନେ ଥିଲେ ବୟସ୍କ ଓ ବରିଷ୍ଠ । ଅଫିସରେ ଯୋଗଦେବା ପରେ ପରେ ଶୁଭ୍ରା ଅଫିସରମାନଙ୍କ ବିଷୟରେ ବୁଝିଦେଇଥିଲା । ତା’ର ଜଣେ ବାନ୍ଧବୀର ବଡ଼ଭାଇର ସାଙ୍ଗ ସଂଜୟ । ତାଙ୍କଠାରୁ ସଂଜୟର ପ୍ରଶଂସା ସେ ଶୁଣିଥିଲା । ଅଫିସ୍ରେ ଯୋଗଦେବା ପରଦିନ ଶୁଭ୍ରା ସଂଜୟର ପ୍ରକୋଷ୍ଠକୁ ଆସି କହିଥିଲା, ମୁଁ ସିନା ଟ୍ରେନିଂ ନେଇଛି, କିନ୍ତୁ ବାସ୍ତବରେ କାମ ଜାଣିନି ପୋଥି ବାଇଗଣ ବାଡ଼ି ବାଇଗଣ ପରି । ଆପଣ ମତେ ବୁଝେଇଦେବେ, ସାହାଯ୍ୟ କରିବେ ।
ଶୁଭ୍ରାର ସ୍ପଷ୍ଟବାଦିତା ମୁଗ୍ଧ କରିଥିଲା ସଂଜୟକୁ । ସଂଜୟ କହିଥିଲା, ନୂଆନୂଆ ଚାକିରିରେ ଯୋଗଦେଲା ବେଳେ ସମସ୍ତଙ୍କର ସେହି ଏକା ଅବସ୍ଥା ହୁଏ । ଟ୍ରେନିଂରେ କେହି ଶିଖିନଥାନ୍ତି, କାମ କଲେ ଶିଖନ୍ତି । ତୁମର ଯାହା ସୁବିଧା ଅସୁବିଧା ମତେ ପଚାରିବ । ମୁଁ ଯେ ସବୁକିଛି ଜାଣିଛି, ସବୁଥିରେ ପଣ୍ଡିତ, ତାହା ମଧ୍ୟ ନୁହେଁ । କିନ୍ତୁ ସମସ୍ୟା ଆସିଲେ ଆମେ ବିଚାର ଆଲୋଚନା କରି ସମାଧାନର ସୂତ୍ର ବାହାର କରିପାରିବା ।
ଶୁଭ୍ରା ସଂଜୟ ସହିତ କଥାବାର୍ତ୍ତା କରିବାକୁ ଏବଂ ତା’ର ବ୍ୟବହାରରେ ସହଜ ଅନୁଭବ କରୁଥିଲା । ଅଫିସ କାମରେ କିଛି ଅସୁବିଧା ହେଲେ, ନିୟମକାନୁନ୍ ବୁଝିପାରୁନଥିଲେ, ସେ ବିନା ଦ୍ୱିଧାରେ ସଂଜୟକୁ ପଚାରୁଥିଲା ଏବଂ ସଂଜୟ ସବୁଥିର ସମାଧାନ ବାଟ ବତେଇ ଦେଉଥିଲା । କିଛି କାମ ନଥିଲେ କିମ୍ବା ମଧ୍ୟାହ୍ନଭୋଜନ ବିରତିରେ ସଂଜୟର ପ୍ରକୋଷ୍ଠରେ ଶୁଭ୍ରା ଆସି ବସୁଥିଲା ଏବଂ ଗପ କରୁଥିଲା ।
ଦିନେ ତାଙ୍କର ଅଫିସ ମୁଖ୍ୟ ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନକୁ ଚଢ଼ଉ କରିବାକୁ ଚାହୁଁଥିଲେ । ତାଙ୍କ ପ୍ରକୋଷ୍ଠରେ ଅଫିସରଙ୍କ ଭିତରେ ଆଲୋଚନା ଚାଲିଥିଲା । ଆଲୋଚନା ପ୍ରସଙ୍ଗରେ ସେ କହିଦେଲେ, ଶୁଭ୍ରା ଝିଅଟେ, ସେ କ’ଣ ଏପରି କାମକୁ ଯିବ?
ଶୁଭ୍ରା କହିଲା, ଝିଅଟିଏ ବୋଲି ଆପଣ ମତେ ପଠେଇବେନି, ସେମିତି ବିଚାର କରନ୍ତୁ ନାହିଁ । ଯଦି ଅନ୍ୟ ସାର୍ମାନେ ଯାଉଛନ୍ତି, ମୁଁ କାହିଁକି ଯାଇପାରିବି ନାହିଁ? ମତେ ପଠାନ୍ତୁ ।
ସେହି ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଦୁଷ୍ଟ ପ୍ରକୃତିର ଏବଂ ତା’ର ଅସାମାଜିକ ଲୋକଙ୍କ ସହିତ ସଂପର୍କ ବି ଥିଲା । କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ଅଫିସ ମୁଖ୍ୟ ଶୁଭ୍ରାକୁ ପଠେଇବାକୁ ଚାହୁଁନଥିଲେ । କିନ୍ତୁ ସେ ଜୋର ଦେଇ କହିବାରୁ ସଂଜୟ ସହିତ ଶୁଭ୍ରା ଏବଂ କିଛି ଇନ୍ସପେକ୍ଟର ଯିବା ସ୍ଥିର କରାଗଲା ।
ସେଦିନ ସେହି ବ୍ୟବସାୟ ପ୍ରତିଷ୍ଠାନରେ ସେମାନଙ୍କର ଚଢ଼ଉ ସଫଳ ହୋଇଥିଲା । କିଛି ସମସ୍ୟା ହୋଇନଥିଲା । ଶୁଭ୍ରାର ଭଦ୍ର, ଅଥଚ ଦୃଢ଼ ଓ ସିଧାସିଧା କଥାବାର୍ତ୍ତା, ସେ ସେହି ବ୍ୟବସାୟ ପ୍ରତିଷ୍ଠାନର ଦୁଷ୍ଟ ମାଲିକଙ୍କୁ ଭଲ ମୁକାବିଲା କରିଥିଲା । ବରଂ କେବଳ ପୁରୁଷ ଅଫିସର ଓ ଇନ୍ସପେକ୍ଟର ଯାଇଥିଲେ ହୁଏତ ଝାମେଲା ହୋଇଥାନ୍ତା ।
ସଂଜୟର ଛାତି ଜଳୁଥିଲା, ଏସିଡିଟି ହୋଇଯାଇଥିଲା । ଶୁଭ୍ରା ଓ ସଂଜୟ ଗୋଟିଏ ଗାଡ଼ିରେ ଫେରୁଥିଲେ । ସଂଜୟ କହିଲା, ମୋର ଏସିଡିଟି ହୋଇଯାଇଛି ।
ଶୁଭ୍ରା ତା’ ପର୍ସରୁ ଗୋଟିଏ ଆୟୁର୍ବେଦିକ ଆଣ୍ଟାସିଡ୍ ଟାବ୍ଲେଟ୍ ବାହାର କରି ଦେଇ କହିଲା, ଏହି ଟାବ୍ଲେଟ୍ ଖାଇଦିଅନ୍ତୁ, ପାଣି ପିଇଦିଅନ୍ତୁ, ଭଲ ଲାଗିବ ।
ସଂଜୟ ଔଷଧ ଖାଇଲା, ପାଣି ପିଇଲା । କହିଲା, ତୁମେ କ’ଣ ପର୍ସରେ ଔଷଧ ରଖିଥାଅ ।
ଶୁଭ୍ରା କହିଲା, ମୋର ଏସିଡିଟି ହୁଏ ତ, ସେଥିପାଇଁ ରଖିଥାଏ ।
ସଂଜୟ ଭାବୁଥିଲା ପଚାରିବାକୁ, ତୁମେ ଆଉ ସବୁ କ’ଣ କ’ଣ ରଖିଥାଅ, କିନ୍ତୁ ପଚାରିପାରି ନଥିଲା । ଶୁଭ୍ରା ଦିନଯାକର ଖଟଣି ପରେ ବି କ୍ଲାନ୍ତ ଦିଶୁନଥିଲା । ବରଂ ସତେଜ ଓ ସୁନ୍ଦର ଲାଗୁଥିଲା । ବୋଧହୁଏ ସେ କାମକୁ ଉପଭୋଗ କରୁଥିଲା, ସେଥିପାଇଁ କ୍ଲାନ୍ତ ହେଉନଥିଲା ।
ସେମାନେ ଅଫିସକୁ ଫେରିଲେ । ସଂଜ ହୋଇଆସୁଥିଲା । ଅଫିସ୍ରେ କାଗଜପତ୍ର ରଖି ନିଜ ନିଜ ଘରକୁ ଫେରିଲେ । ଦିନଟି କେମିତି କଟିଲା ସଂଜୟ ଜାଣିପାରିଲା ନାହିଁ । ସଂଜ ପରେ ଅଫିସ୍ରେ ବସିଥିଲେ ବି ତାକୁ ଭଲ ଲାଗିଥାନ୍ତା । ଘରକୁ ଆସିଲା ପରେ ଶୁଭ୍ରା ସହିତ କଥାବାର୍ତ୍ତା କରିବାକୁ ତା’ର ଇଚ୍ଛା ହେଲା । ସେ ଫୋନ୍ ଲଗେଇଲା । ଶୁଭ୍ରା ଫୋନ୍ ଧରିଲା । ସଂଜୟ କହିଲା, ଧନ୍ୟବାଦ । ତୁମ ଔଷଧଟା ଭଲ କାମ ଦେଲା, ଏବେ ଭଲ ଲାଗୁଛି ।
ଶୁଭ୍ରା କହିଲା, ଆପଣ ଏକାଏକା ରହୁଛନ୍ତି, ଆପଣଙ୍କର ଖାଇବା ପିଇବାରେ ଠିକ୍ଠିକଣା ରହୁନି, ସେଥିପାଇଁ ଏସିଡିଟି ହେଉଛି ।
ସଂଜୟ କହିଆସୁଥିଲା, ତୁମର ସାହଚର୍ଯ୍ୟ ମିଳିପାରିଲେ ମୋର ଏମିତି ଟିକେଟିକେ ସମସ୍ୟା ହୁଅନ୍ତା ନାହିଁ । କିନ୍ତୁ ସେ କହିପାରିଲା ନାହିଁ । ଠିକ୍ ସମୟରେ ଠିକ୍ କଥା ସେ କେବେ କହିପାରେ ନାହିଁ । ପଚାରିଲା, ଏବେ ଘରେ କ’ଣ କରୁଥିଲ… ଦୁହେଁ କିଛି ସମୟ ଏଣୁତେଣୁ କଥାବାର୍ତ୍ତା ହେଲେ ।
ଶୁଭ୍ରା ଯୋଗଦେବା ପୂର୍ବରୁ ସଂଜୟକୁ ଅଫିସ୍ ଯିବାକୁ ଭଲ ଲାଗୁନଥିଲା । ନଗଲେ ନଚଳେ ସେଥିପାଇଁ ଯିବାକୁ ବାଧ୍ୟ ହେଉଥିଲା । ଯେଉଁଦିନ ଛୁଟିପଡେ, କିମ୍ବା ରବିବାର, ପରଦିନ ତାକୁ ଅଫିସ୍ ଯିବାକୁ ବହୁତ କଷ୍ଟ ଲାଗେ, ଯେମିତି ପିଲାଦିନେ ଛୁଟିପରେ ସ୍କୁଲ୍କୁ ଯିବାକୁ ପଡୁଥିବାରୁ ପିଲାଙ୍କୁ ବିରକ୍ତ ଲାଗେ । କିନ୍ତୁ ଏବେ ଅଫିସ୍ ତାକୁ ବହୁତ ଭଲ ଲାଗୁଥିଲା, ଛୁଟି ହେଲେ ସେ ବିରକ୍ତ ହେଉଥିଲା ଏବଂ ଛୁଟି ପରଦିନକୁ ସେ ଅପେକ୍ଷା କରୁଥିଲା ।
ମଧ୍ୟାହ୍ନଭୋଜନ ସାରି ଦିନେ ସେ ଅଫିସରେ ବସିଥିଲା, ଶୁଭ୍ରା ଆସିଲେ ଚା’ ମଗେଇବ । ଶୁଭ୍ରା ଆସିଲା ଏବଂ ଗୋଟିଏ ନିମନ୍ତ୍ରଣପତ୍ର ବଢ଼େଇଦେଇ କହିଲା, ମୋର ବାହାଘର, ଡିସେମ୍ବର ଷୋହଳ ତାରିଖରେ । ଆପଣ ଆସିବେ ନିଶ୍ଚୟ ।
ସଂଜୟ ବିଶ୍ୱାସ କରିପାରୁନଥିଲା, ସେ ନିମନ୍ତ୍ରଣପତ୍ରଟିକୁ ଦେଖୁଥିଲା ଏବଂ ଲଫାପାରୁ ଖୋଲି ପଢ଼ୁଥିଲା । ଅନ୍ୟମନସ୍କ ହୋଇ ପଚାରିଲା, କୋଉ ବାରରେ ପଡୁଛି?
ଶୁଭ୍ରା କହିଲା, ରବିବାର ।
ସଂଜୟ ଅଭିନନ୍ଦନ ଦେବାକୁ, ଚା’ ମଗେଇବାକୁ ବି ଭୁଲିଗଲା । ଶୁଭ୍ରା ଉଠିଲା ଯିବାକୁ, କହିଲା ଯାଉଛି, ଅନ୍ୟମାନଙ୍କୁ ନିମନ୍ତ୍ରଣ ଦେବି ।
***
ଶୁଭ୍ରା ସଂଜୟକୁ ଚା’ କପ୍ ବଢ଼େଇଦେଲା ବେଳେ ସେ ଦେଖିଲା ଶୁଭ୍ରାର ବାଁ ହାତ କହୁଣୀ ପାଖାପାଖି ଗୋଟେ ଘା’ ହୋଇଯାଇଛି । ଚମ ଉଠିଯାଇଛି । ସଂଜୟ ପଚାରିଲା, ତୁମ ହାତରେ ଘା’ କେମିତି ହେଲା?
ଶୁଭ୍ରା କହିଲା, ଆଜି ସକାଳେ ତାଙ୍କ ପାଇଁ ପୁରି ଛାଣୁଥିଲି । ଟିକେ ଗରମ ତେଲ କଢ଼େଇରୁ ଛିଟିକି ପଡ଼ିଗଲା ।
ଶୁଭ୍ରା କହିଦେଇ ତା’ ପର୍ସରୁ ଗୋଟେ ଅଏଣ୍ଟମେନ୍ଟ ବାହାର କଲା, ଟୁ୍ୟବ୍ ଚିପି ଔଷଧ ବାହାର କରି ତା’ ଘା’ରେ ଲଗେଇଲା । ବୋତଲରେ ହାତଧୋଇ, ତା’ ପ୍ଲାଷ୍ଟିକ୍ ଡଷ୍ଟବିନ୍ରେ ପାଣି ପକେଇ ହାତ ପୋଛିଲା । କହିଲା, ମୋ’ ମା’କୁ ମୁଁ ଆଜି ଫୋନ୍ରେ କଥାବାର୍ତ୍ତା ହେଲାବେଳେ କହୁଥିଲି । ସେ ମତେ ଏହିସବୁ ଶିଖେଇଛି । ପିଲାଦିନୁ ଦେଖିଛି, ମା’ ଦିନରାତି ଖଟୁଥିବ । ମୋ ବାପା, କିମ୍ବା ଜେଜେବାପା, ଜେଜେମା’ ଯାହା ବରାଦ କଲେ, ସେ କରୁଥିବ । କରିପାରିବ ନାହିଁ, କେବେ କହିବା ମୁଁ ଶୁଣିନି । ମା’ ବି ସବୁକାମ ଶିଖିଥିଲା, ଅନେକ ପ୍ରକାର ଶାଗ, ତର୍କାରି କରିଜାଣିଥିଲା । ଆଜି ସକାଳୁ ସକାଳୁ ଶାଶୂ କହିଲେ, ମୋର କଦଳୀ ଭଣ୍ଡା ତର୍କାରି ଖାଇବାକୁ ଇଚ୍ଛା ହେଉଛି, କରିପାରିବୁନି? ଆମ ବାଡ଼ି କଦଳୀ ଗଛର ଭଣ୍ଡାଟି ଘରେ ଥିଲା, ସେ ଦେଖିଥିଲେ । ମୁଁ କିପରି ମନା କରିବି? ବୁଢ଼ୀଲୋକଟା ଇଚ୍ଛା କରୁଛି । ମୁଁ ତାଙ୍କ ପାଇଁ ଭଣ୍ଡା ତର୍କାରି କଲି । ଭଣ୍ଡା ତର୍କାରୀ କରିବା ଝିନ୍ଝଟ୍ । ସେ କହିଲେ, ପୁରି ଛାଣ, ସେ ପୁରି ଆଳୁକଷା ଖାଇବେ । ସେ ଅନୁଗୁଳରୁ ଆସିଛନ୍ତି, ତାଙ୍କର ହେଡଅଫିସ୍ରେ କାମ ଅଛି । ଖାଇଦେଇ ସେ ତାଙ୍କ ଅଫିସକୁ ଗଲେ । ତରବରରେ ତାଙ୍କ ପାଇଁ କରୁଥିଲି । ଏଣେ ଅଫିସ ଆସିବି…
ଶୁଭ୍ରା ବାହାଘର ପାଇଁ ପନ୍ଦରଦିନ ଛୁଟି ନେଇଥିଲା । ପରେ ପରେ ତା’ର ବଦଳି ହୋଇଗଲା । ତା’ର ସ୍ୱାମୀ ଅନୁଗୁଳରେ ଥିଲେ । ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରି ଅନୁଗୁଳକୁ ସେ ବଦଳି ହୋଇଯାଇଥିଲା । ସେ ଗଲାପରେ ସଂଜୟ ପାଖରେ ଶୁଭ୍ରାର ଖବର ପହଞ୍ଚିଯାଉଥିଲା । ସେ ବାହାହୋଇ ଗଲାପରେ ସଂସ୍ଥାର ଲୋକେ ତା’ ସଂପର୍କରେ ଗପୁଥିଲେ । ବାହାଘର ପୂର୍ବରୁ ମଧ୍ୟ ଗପୁଥିବେ, କିନ୍ତୁ ସେତେବେଳେ ସଂଜୟ ପାଖରେ ସେସବୁ ଖବର ପହଞ୍ଚୁନଥିଲା । ଅବଶ୍ୟ ଏହା ଏକ ସାଧାରଣ କଥା । ଅଫିସ୍ କର୍ମଚାରୀମାନେ ସବୁଦିନ ଅଫିସ୍କୁ ଆସିଆସି, ଗୋଟିଏ ପ୍ରକାର କାମ, ଗୋଟିଏ ପ୍ରକାର ଲୋକଙ୍କୁ ଦେଖିଦେଖି ତାଙ୍କର ମାନସିକ କ୍ଲାନ୍ତି, ଅବସାଦ ଆସିଯାଏ । ସେମାନଙ୍କୁ ଗପିବାକୁ କିଛି ଖୋରାକ ଦରକାର । ପୁରୁଷ ପ୍ରାଧାନ୍ୟ ଅଫିସରେ ଜଣେ ମହିଳା, ପୁଣି ସୁନ୍ଦର ଓ ଫୂର୍ତ୍ତି ସ୍ୱଭାବର ମହିଳା ଅଫିସରଟିଏ ଯୋଗଦେଲେ, ସେମାନଙ୍କୁ ଗପିବାକୁ ଖୋରାକ ମିଳିଯାଏ ।
ସଂଜୟ ଶୁଣୁଥିଲା, ବାହାଘର ପରେ ଶୁଭ୍ରାର ତା’ ସ୍ୱାମୀ ସହିତ ପଡୁନାହିଁ । କିନ୍ତୁ ସେ କାହାକୁ କିଛି କହିପାରୁନାହିଁ । ଯେହେତୁ ନିଜେ ପ୍ରେମକରି ବାହାହୋଇଛି, କାହାକୁ ସେ ଦୋଷ ଦେଇପାରିବ?
ଶୁଭ୍ରା ବାହା ହୋଇଯିବାର ଦୁଇବର୍ଷ ପରେ ସଂଜୟର ଦିନେ ଅନୁଗୁଳ ଯିବାର ଥିଲା, ନିଜର ବ୍ୟକ୍ତିଗତ କାମରେ । ସେ ସ୍ଥିର କରିଥିଲା, ନିଜ କାମ ସାରି ସେ ଅନୁଗୁଳରୁ ଫେରିବା ପୂର୍ବରୁ ଶୁଭ୍ରାକୁ ଅଫିସ୍ରେ ଦେଖାକରିବ । ଶୁଭ୍ରା ସଂଜୟକୁ ଦେଖି ବହୁତ ଖୁସି ହେଲା । ସଂଜୟ ପାଇଁ ସେ ଜଳଖିଆ ମଗେଇଲା । ସଂଜୟର ସେତେବେଳେ ଖାଇବାକୁ ଇଚ୍ଛା ନଥିଲା । ସେ ତା’ ବ୍ୟକ୍ତିଗତ କାମରେ ଯାହାଘରକୁ ଯାଇଥିଲା ସେଠି ଖାଇଦେଇ ଆସିଥିଲା । ଶୁଭ୍ରା କହିଲା, ତେବେ ଛେନାପୋଡ଼ ଖାଆନ୍ତୁ । ଆପଣଙ୍କୁ ଛେନାପୋଡ଼ ଭଲ ଲାଗେ, ଏଠି ଗୋଟେ ମିଠା ଦୋକାନରେ ଭଲ ଛେନାପୋଡ଼ ମିଳେ ।
ସେ ତା’ ପିଅନ ହାତରେ ମଗେଇଲା । ଶୁଭ୍ରା ପୂର୍ବପରି ଫୂର୍ତ୍ତି ଥିଲା ଏବଂ ତା’ ବ୍ୟବହାର ଓ କଥାବାର୍ତ୍ତାରେ ଉଷ୍ମତାର ଊଣା ନଥିଲା । ତା’ କଥାବାର୍ତ୍ତାରୁ ଜଣାପଡୁଥିଲା ସେ ସଂଜୟକୁ ଦେଖି ଏବଂ ତା’ ସହିତ କଥାବାର୍ତ୍ତା କରି ଅତ୍ୟନ୍ତ ଆନନ୍ଦିତ । ସଂଜୟ ପଚାରିଲା, ସୌରଭ କିପରି ଅଛି?
ଶୁଭ୍ରା କହିଲା, ଭଲ ଅଛନ୍ତି । ତାଙ୍କର କୃଷି ବିଭାଗ, ଆମ ପରି ଏତେ କାମ ନାହିଁ । ଆମେ ସକାଳୁ ଦୁହେଁ ଅଫିସ୍ ବାହାରିଯାଉ । ସେ କିନ୍ତୁ ଶୀଘ୍ର ଘରକୁ ଫେରନ୍ତି । ସେ ଘରେ ଥାଆନ୍ତି, ମୁଁ ପରେ ପହଞ୍ଚେ ।
ସଂଜୟ ପଚାରିଲା, ଘରକାମ କରିବାକୁ ଏଠି କାମବାଲୀ ମିଳୁଛନ୍ତି?
ଶୁଭ୍ରା କହିଲା, ହଁ, ସେ କିନ୍ତୁ କେବଳ ଘର ସଫା କରିଦେବ, ବାସକୁସନ ଧୋଇଦେବ । ମତେ ସବୁ କରିବାକୁ ପଡ଼େ । ସେ ଆସି ଖଟରେ ଗଡୁଥିବେ, ଟିଭି ଦେଖୁଥିବେ । ନିଜେ ଚା’ କପେ ବି କରିପାରିବେ ନାହିଁ । ମୁଁ ଅଫିସ୍ରୁ ଫେରିଲା ପରେ ଚା’ କରିବି, ଦୁହେଁ ପିଇବୁ ।
ସଂଜୟ ଛେନାପୋଡ଼ ଖାଉଥିଲା । ଶୁଭ୍ରା ଟି-ମେକରରେ ଚା’ କରିବାକୁ ପାଣି ଗରମ କରୁଥିଲା ଏବଂ ସଂଜୟ ସହିତ ଗପୁଥିଲା । ସେ ଗପୁଡି, ଗପ କରିବାକୁ ତା’ ପାଖରେ ବିଷୟବସ୍ତୁର ଅଭାବ ପଡ଼େ ନାହିଁ । ଅନୁଗୁଳ ଅଫିସ୍ ମୁଖ୍ୟଙ୍କ ବିଷୟରେ କହୁଥିଲା, ଲୋକଟା କେମିିତି ଦୁର୍ନୀତିଗ୍ରସ୍ତ । କିନ୍ତୁ ସେ ଶୁଭ୍ରାକୁ କିଛି କହେନାହିଁ । ସଂଜୟ ପଚାରିଲା, ତୁମେ ଏତେ ଗପୁଡୀ, ଘରେ ତ ଏମିତି ଗପୁଥିବ…
ଶୁଭ୍ରା କହିଲା, ନା ମ । ଘରେ କାହିଁକି ଗପିବି? ଲୋକଟା ଯଦି ଶୁଣୁଥିବ ଜଣେ ଗପିବ । ସେ ସବୁବେଳେ ଗମ୍ଭୀର, ସତେ ଯେମିତି ତୃତୀୟ ବିଶ୍ୱଯୁଦ୍ଧ ହୋଇଯିବ, ପୃଥିବୀ ଧ୍ୱଂସ ପାଇଯିବ, ବିଶ୍ୱଯୁଦ୍ଧକୁ ଅଟକେଇବା ଚିନ୍ତାରେ ସେ ମଗ୍ନ । ଘରେ ମୁଁ ମୋ ରୋଷେଇ କାମ କରେ । ସେ ଟିଭି ଦେଖୁଥାନ୍ତି, ମୁଁ ମୋ କାମ ସାରିଦେଇ ବହିଟିଏ କିମ୍ବା ପତି୍ରକାରୁ ଗପ ପଢ଼େ ।
ସଂଜୟ ଚା’ ପିଇସାରି ଚାଲିଆସିଲା । ସେ ଶୁଣୁଥିଲା, ଶୁଭ୍ରା ଓ ତା’ର ସ୍ୱାମୀ ସହିତ ପଡୁନାହିଁ । କିନ୍ତୁ ଶୁଭ୍ରାର କଥାବାର୍ତ୍ତାରୁ ସେମିତି କିଛି ଆଭାସ ମିଳୁନଥିଲା । ଦୁହେଁ ହୁଏତ ଏକା ଚିନ୍ତାଧାରାର ନୁହନ୍ତି, କିନ୍ତୁ ପଡୁନଥିବା, ମନୋମାଳିନ୍ୟ ଥିବା କିମ୍ବା ଝଗଡ଼ା ହେଉଥିବା ପରି ମନେହେଉନଥିଲା । ଲୋକଟା ଯଦି ଶୁଣିବ ଜଣେ ଗପିବ ବାକ୍ୟର ନିହିତାର୍ଥ ସେ ଚିନ୍ତା କରୁଥିଲା, କିନ୍ତୁ ଏପରି ଏକ ବାକ୍ୟରୁ ତାଙ୍କର ସଂପର୍କ ତିକ୍ତ ନା ମଧୁର ସେ ନିଶ୍ଚୟ ହୋଇପାରୁନଥିଲା । ସେ ସିଧା ତା’ ଅଫିସରୁ ଅନୁଗୁଳ ବସ୍ଷ୍ଟାଣ୍ଡକୁ ଆସିଥିଲା ।
***
ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଶୁଭ୍ରା ଭୁବନେଶ୍ୱର ବଦଳି ହୋଇ ଆସିଥିଲା ଏବଂ ସାତବର୍ଷ ପରେ ସଂଜୟ ଯେଉଁ ଅଫିସରେ ଚାକିରି କରୁଥିଲା, ସେହି ଅଫିସ୍କୁ ତା’ର ବଦଳି ହୋଇଥିଲା । ଶୁଭ୍ରାର ପୁଅଟିଏ ହୋଇଥିଲା ଏବଂ ସେ ମାଟର୍ନିଟି ଲିଭ୍ରେ ଥିଲା । ପରେପରେ ସେ ଭୁବନେଶ୍ୱରରେ ଯୋଗଦେଇଥିଲା । ଭୁବନେଶ୍ୱରରେ ତା’ ବାପାମା’ ରହୁଥିଲେ । ସେ ତା’ ବାପାମା’ ରହୁଥିବା ଘର ପାଖାପାଖି ଘର ଭଡ଼ା ନେଇ ରହୁଥିଲା । ସେ ଅଫିସ୍ ଆସିଲା ବେଳେ ତାଙ୍କ ନିଜଘରେ ପୁଅକୁ ଛାଡ଼ିଦେଇ ଆସୁଥିଲା । ଯଦିଓ ତା’ ଶାଶୂ ପାଖରେ ରହୁଥିଲେ, ଶାଶୂଙ୍କର ବୟସ ଅଧିକ ହୋଇଯାଇଥିଲା, ଅଶୀ ପାଖାପାଖି, ତେଣୁ ତା’ର ଅନୁପସ୍ଥିତିରେ ଶାଶୂ ପୁଅକୁ ସମ୍ଭାଳିବା ସେ ଭରସା କରିପାରୁନଥିଲା ।
ଶୁଭ୍ରା ଅନେକ କାମ କରିପାରୁଥିଲା । ସୌରଭ ଅନୁଗୁଳରେ ରହୁଥିଲା, ସେ ଶନିବାର ସକାଳେ ଆସେ ଏବଂ ସୋମବାର ସକାଳେ ଚାଲିଯାଏ । ଶୁଭ୍ରା ଘରର ସବୁକାମ କରୁଥିଲା । ଶାଶୂଙ୍କ କଥା ବୁଝୁଥିଲା, ପୁଅର ଯତ୍ନ ନେଉଥିଲା, ରୋଷେଇ କରୁଥିଲା । ସୌରଭ ଆସିଲେ, ମେଞ୍ଚାଏ ମଇଳା ଜାମାପେଣ୍ଟ ଆଣୁଥିଲା । ସେସବୁକୁ ଶୁଭ୍ରା ସଫା କରି ଇସ୍ତ୍ରୀ ଦେଉଥିଲା ଏବଂ ସୋମବାର ଦିନ ସକାଳୁ ସେ ଅନୁଗୁଳ ନେଇଯାଉଥିଲା । ଅଫିସ୍କୁ ଠିକ୍ ସମୟରେ ଦଶଟା ବେଳକୁ ଆସୁଥିଲା ଏବଂ ଅଫିସ୍ କାମ କରୁଥିଲା । ପାଞ୍ଚଟା ବେଳକୁ ସେ ଅଫିସ୍ ଛାଡ଼ି ଘରକୁ ଯାଉଥିଲା । ଶୁଭ୍ରା ଇଣ୍ଟରକମ୍ରେ କହିଲା, ସାର୍, ଆପଣ ଆଜି କ୍ୟାଣ୍ଟିନ୍ରୁ ମଗେଇବେ ନାହିଁ, ମୁଁ ଆପଣଙ୍କ ପାଇଁ ଖାଇବା ନେଇଆସିଛି ।
ସଂଜୟ ବାହା ହୋଇନଥିଲା । ଚାକିରି କଲା ପରେ ତା’ ବାପା ବାହା କରିଦେବାକୁ ଚାହିଁଲେ ଏବଂ ସେ ଝିଅ ସ୍ଥିର କଲେ । ସେହି ଝିଅକୁ କିମ୍ବା ସେ ସ୍ଥିର କରୁଥିବା ଝିଅକୁ ବାହାହେବାକୁ ବାଧ୍ୟ କଲେ । ସଂଜୟ ଚାକିରି କଲା ପରେ ତା’ର ଟିକେ ସାହସ ଆସିଥିଲା ଏବଂ ବାପା ସ୍ଥିର କରିଥିବା ଝିଅକୁ ବାହାହେବାକୁ ପସନ୍ଦ ନକରୁଥିବାରୁ ସେ ମନାକଲା । କିନ୍ତୁ ନିଜେ କୋଉଠି ସ୍ଥିର କରି ବାହା ହୋଇନଥିଲା । ସେ ସକାଳୁ ନିଜେ ଜଳଖିଆ ପ୍ରସ୍ତୁତ କରି ଖାଇ ଆସୁଥିଲା ଏବଂ ମଧ୍ୟାହ୍ନଭୋଜନ ସମୟରେ କ୍ୟାଣ୍ଟିନରେ ଖାଇଦେଉଥିଲା । ରାତିରେ ପୁଣି ନିଜେ ଖାଇବା ପ୍ରସ୍ତୁତ କରୁଥିଲା । ଯେତେବେଳେ ରୋଷେଇ କରିବାକୁ ଇଚ୍ଛା ହେଉନଥିଲା, ସେ ପାଖ ହୋଟେଲରେ ଖାଇଦେଉଥିଲା କିମ୍ବା ହୋଟେଲରୁ ମଗେଇ ଖାଉଥିଲା ।
ଶୁଭ୍ରା ପିଠା ତିଆରି କରି ଆଣିଥିଲା, ମଣ୍ଡାପିଠା ଓ ଘାଣ୍ଟ ତର୍କାରି । ବହୁଦିନ ହେବ ସେ ମଣ୍ଡାପିଠା ଖାଇନଥିଲା । ମଣ୍ଡାପିଠା ଖାଉଖାଉ ସଂଜୟ ପଚାରିଲା, ତୁମ ନାମରେ ଦୁଇଟି ଗୁଜବ ଶୁଣାଯାଏ । ପ୍ରଥମ, ତୁମେ ପ୍ରେମ ବିବାହ କରିଛ, ଯାହାକି ସତ ନୁହଁ, ଦ୍ୱିତୀୟ, ତୁମ ସ୍ୱାମୀ ସହିତ ତୁମର ପଡ଼େ ନାହିଁ ।
ଶୁଭ୍ରା କହିଲା, ମୁଁ ଜାଣେ । ମୋ ସ୍ୱାମୀ ଅବାଗିଆ ଲୋକ, କିନ୍ତୁ ଅନ୍ୟମାନେ ଯାହା କୁହନ୍ତି, ତାହା ନୁହେଁ । ସେମାନେ ବଢ଼େଇକୁଢ଼େଇ, ବନେଇଚୁନେଇ ଅତିରଞ୍ଜିତ କରି କୁହନ୍ତି ।
ମେ’ ମାସର ଖରା, ତାପମାତ୍ରା ଚାଳିଶ ଡିଗ୍ରୀରୁ ଅଧିକ ଥିଲା । ରୁମ୍ର ଏସି ଖରାପ ହୋଇଯାଇଥିଲା । ମେକାନିକ୍କୁ ଖବର ଦିଆଯାଇଥିଲା । ସେ ସଜାଡ଼ିବାକୁ ଏପର୍ଯ୍ୟନ୍ତ ଆସିନଥିଲା । ସଂଜୟ ତା’ ପ୍ରକୋଷ୍ଠର ଝରକା ଖୋଲି ଦେଇଥିଲା । ଝରକା ଦେଇ ରାଜପଥ ଦିଶୁଥିଲା, ରାଜପଥରେ ଗାଡ଼ି ଯାଉଥିବା ଶବ୍ଦ ଶୁଭୁଥିଲା । ଶୁଭ୍ରା କହିଲା, ସେ ଏକଶିଙ୍ଗା ଲୋକ, ଯାହା ବୁଝିଥିବେ ସେୟା । ଜିଦିଖୋର, ସେ ଭାବନ୍ତି ସେ ଯାହା କୁହନ୍ତି ଠିକ୍ । ମୋର ପିଲାପିଲି ହେବା ବେଳକୁ ମୁଁ ମାର୍ଟରନିଟି ଲିଭ୍ ନେଲି । କହିଲି, ମୁଁ ଘରକୁ ଯାଉଛି, ଆମ ଘରେ ରହିବି । ସେ କହିଲେ ନା, ଏଠି ରୁହ । କେମିତି ସେଠି ରହିଥାନ୍ତି? ସେ ତ ସକାଳୁ ଅଫିସ୍ ଯିବେ, ସଂଜବେଳକୁ ଆସିବେ । ହଁ, କାମବାଲୀଟିଏ ରଖିଥିଲୁ । କିନ୍ତୁ ସେ ସକାଳେ, ସଂଜବେଳେ ଆସେ । ଦିନମାନ ମୁଁ ଏକା ରହିଥାନ୍ତି । କ’ଣ ଦରକାର ପଡ଼ିଲେ, କେମିତି ମୁଁ କରିଥାନ୍ତି? ସେ କିନ୍ତୁ ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ମୁଁ ଗୋଟିଏ ଗାଡ଼ି ଭଡ଼ା କରି ଆମ ଘରକୁ ଚାଲିଆସିଲି । ସେ ଆମଘରକୁ ଦେଖିବାକୁ ବି ଆସିଲେ ନାହିଁ । ଏମିତିକି ପୁଅ ହେଲାପରେ ବି ଆସିଲେ ନାହିଁ । ପୁଅ ହେବାର ମାସକ ପରେ ମତେ ଦେଖିବାକୁ ଆସିଲେ ।
ହଠାତ୍ ପବନ ଆରମ୍ଭ ହୋଇଗଲା, ବାହାରେ ଧୂଳି ଉଠିଲା । ପାଣିପାଗ ବିଭାଗ ସୂଚନା ଦେଇଥିଲା, କାଳବୈଶାଖୀ ଝଡ଼ ହୋଇପାରେ । ଝଡ଼ ଆରମ୍ଭ ହୋଇଗଲା ।
ସଂଜୟର ମନେପଡ଼ିଲା । ଶୁଭ୍ରା ତା’ ପୁଅର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିଥିଲା, ଗୋଟେ ଭୋଜି ଦେଇଥିଲା । ସଂଜୟ ଯାଇଥିଲା । କିନ୍ତୁ ସଂଜୟ ସେଦିନ ସୌରଭକୁ ଦେଖିନଥିଲା । ସେ ପଚାରିବ ବୋଲି ଭାବୁଥିଲା, ଭୁଲିଯାଇଥିଲା । କହିଲା, ତୁମ ପୁଅର ପ୍ରଥମ ଜନ୍ମବାର୍ଷିକୀ ଦିନ ବୋଧହୁଏ ସୌରଭ ଆସିନଥିଲା । ମୁଁ ତାକୁ ଦେଖିନଥିଲି ।
ଶୁଭ୍ରା କହିଲା, ହଁ, ସେ ଆସିନଥିଲେ । ମତେ କହିଲେ, ପୁଅର ଜନ୍ମବାର୍ଷିକୀ ଅନୁଗୁଳରେ ପାଳନ କରିବା । ମୁଁ କହିଲି, ଏମିତି କିପରି ହେବ । ମୁଁ ଏଠି ବାପାଙ୍କ ଘର ପାଖରେ ରହୁଛି, ଭଲମନ୍ଦ ସବୁଥିରେ ମୋ ବାପଘର ଲୋକେ ମୋ ପାଖରେ ଛିଡ଼ା ହେଉଛନ୍ତି । ମୁଁ ଅନୁଗୁଳରେ କଲେ, ହଁ, ବାପା, ଭାଇ ଯିବେ । ସମସ୍ତେ କ’ଣ ଯାଇପାରିବେ? କିନ୍ତୁ ତାଙ୍କର ଜିଦି । ମୁଁ ଏଠି କଲି, ସେ ଆସିଲେ ନାହିଁ ।
ବାହାରେ ଝଡ଼ । ଧୂଳି ଉଠୁଥିବାରୁ ସଂଜୟ ପିଅନକୁ ଡକେଇ ଘରର ଝରକା ବନ୍ଦ କରିଦେଲା । ପବନ ହେତୁ କରେଣ୍ଟ ଚାଲିଗଲା । ଘର ଅନ୍ଧାର ହୋଇଗଲା । ସଂଜୟ ପିଅନଙ୍କୁ କହିଲା, ଜେନେରେଟର ଚଳେଇବାକୁ । ଆଲୋକ ଆସିବା ପର୍ଯ୍ୟନ୍ତ ଚୁପ୍ଚାପ ବସିଥିଲେ ଶୁଭ୍ରା ଓ ସଂଜୟ । ଫ୍ୟାନ୍ ବୁଲୁଥିଲେ ବି ଗରମ ଲାଗୁଥିଲା । ଦୁହେଁ ଖାଇସାରିଥିଲେ । ସଂଜୟ କହିଲା, ସତ କଥାଟିଏ କହୁଛି, ମୁଁ ମନେମନେ ତୁମକୁ ଭଲ ପାଉଥିଲି । କେମିତି କହିବି ଜାଣିପାରୁନଥିଲି । ମୁଁ କହିବା ପୂର୍ବରୁ ତମେ ତୁମ ବାହାଘର ନିମନ୍ତ୍ରଣପତ୍ର ଦେଲ…
ଶୁଭ୍ରା ଚାହିଁଥିଲା ସଂଜୟର ମୁହଁକୁ । ସେ ମୁହଁ ତଳକୁ କରିଦେଲା । ତା’ର ଲୁଗାକାନିକୁ ମୋଡୁଥିଲା । କହିଲା, ମୁଁ ଅପେକ୍ଷା କରିଥିଲି ଆପଣ କହିବାକୁ । ସେଥିପାଇଁ ବାହାଘର ପ୍ରସ୍ତାବ ଆସୁଥିଲେ ବି ମୁଁ ଏଡେଇ ଦଉଥିଲି । ଦେଖିଲି, ଆପଣ କିଛି କହୁନାହାନ୍ତି । ଭାବିଲି, ଆପଣ ଚାହୁଁନାହାନ୍ତି । ତେଣୁ ସୌରଭ ସହିତ ଆସିଥିବା ପ୍ରସ୍ତାବରେ ରାଜି ହୋଇଗଲି ।
ଝଡ଼ ସହ ବର୍ଷା ହେଉଥିଲା । ବର୍ଷା ବିନ୍ଦୁ ଝରକାର କବାଟରେ ବାଜି ଶବ୍ଦ ସୃଷ୍ଟି କରୁଥିଲା । ସଂଜୟର ମନ ଓ ହୃଦୟରେ କମ୍ପନ ଆସୁଥିଲା । ଶୁଭ୍ରା ସଂଜୟର ଟେବୁଲର କଡ଼ ଚୌକିରେ ବସିଥିଲା । ବର୍ଷା ବିନ୍ଦୁ ପବନର ଶବ୍ଦ ଓ ଛାତିର କମ୍ପନ ବ୍ୟତୀତ କୋଠରିରେ ସଂପୂର୍ଣ୍ଣ ନିରବତା ବିରାଜୁଥିଲା । କେହି କାହାକୁ କିଛି କହୁନଥିଲେ । କିଛି ମୁହୂର୍ତ୍ତ ଗଡ଼ିଗଲା । ସଂଜୟ ଅସ୍ଥିର ଅନୁଭବ କଲା ଏବଂ କହିଲା, ସେତେବେଳେ ମୁଁ କହିପାରିନଥିଲି । ଆଜି କହୁଛି । ମୁଁ ତୁମକୁ ଏବେ ବି ଭଲ ପାଏ ସବୁଦିନ ଭଲ ପାଉଥିବି । ତୁମେ ଚାହିଁଲେ ଆମେ ଆମର ଘର କରିପାରିବା । ତୁମ ପୁଅକୁ ମୁଁ ଗ୍ରହଣ କରିବି, ତୁମର ପୁଅ ଆମର ପୁଅ ହେବ ।
ଏମିତି ପ୍ରସ୍ତାବ ଆଶା କରୁନଥିଲା ଶୁଭ୍ରା । ସେ ଚମକି ପଡ଼ିଲା ପରି ଚାହିଁଲା ସଂଜୟକୁ । କିଛି କହିଲା ନାହିଁ । ସେ ତା’ ସାମ୍ନାରୁ ଉଠି ଚାଲିଗଲା ନିଜ ପ୍ରକୋଷ୍ଠକୁ ।ଝଡ଼ ଓ ବର୍ଷା ଛାଡ଼ିଯାଇଥିଲା । କରେଣ୍ଟ ବି ଆସିସାରିଥିଲା । ପିଅନ ଝରକା ଖୋଲିଦେଲା । ଘର ଭିତରକୁ ଥଣ୍ଡା ପବନ ଆସୁଥିଲା । ସଂଜୟର କାମ କରିବାକୁ ଇଚ୍ଛା ହେଉନଥିଲା । ସେ ଚା’ ମଗେଇ ପିଇଲା । ସେମିତି ବସିରହିଥିଲା ନିଜ ଚୌକିରେ । ଶୁଭ୍ରାର ପ୍ରକୋଷ୍ଠକୁ ଯିବାକୁ ଇଚ୍ଛା ହେଉନଥିଲା । ତାକୁ ଅସ୍ଥିର ଲାଗୁଥିଲା । ସେ କାନ୍ଥଘଡ଼ିକୁ ଚାହୁଁଥିଲା । ପାଞ୍ଚଟା ବାଜିଲା । ସେ ଇଣ୍ଟରକମ୍ରେ ଶୁଭ୍ରା ସହିତ କଥା ହେବାକୁ ଚାହିଁଲା । ଶୁଭ୍ରା ଇଣ୍ଟରକମ୍ର ରିସିଭର ଉଠଉନଥିଲା । ଶୁଭ୍ରା ଫୋନ୍ ନ ଧରିବାକୁ ସେ ପିଅନକୁ ଡାକି କହିଲା, ଶୁଭ୍ରା ମାଡାମଙ୍କୁ କହ ଆସିବେ ।
ପିଅନ କହିଲା, ସେ ଅଧଘଣ୍ଟାଏ ହେବ ଅଫିସ୍ ଛାଡ଼ି ଚାଲିଗଲେଣି ।
ସବୁଦିନ ଅଫିସ ଛାଡ଼ିଗଲା ପୂର୍ବରୁ ଶୁଭ୍ରା ସଂଜୟର ପ୍ରକୋଷ୍ଠକୁ ଆସି ଯାଉଛି ବୋଲି କହିଦେଇ ଯାଏ, କିନ୍ତୁ ଆଜି ତା’ ପ୍ରକୋଷ୍ଠକୁ ନ ଆସି ଚାଲିଯାଇଥିଲା । ସବୁଦିନ ସେ ପାଞ୍ଚଟା ପରେ ଅଫିସ୍ ଛାଡ଼େ, ଆଜି ସାଢ଼େ ଚାରିଟା ବେଳକୁ ଚାଲିଯାଇଛି । ସଂଜୟ ଅଫିସ ଛାଡ଼ି ଘରକୁ ଆସିଲା, ଘରେ ଏକା । ଟିଭି ଲଗେଇ ସମ୍ବାଦ ଦେଖିଲା । ସେ ଯନ୍ତ୍ରଟିଏ ପରି ଦେଖୁଥିଲା, ମୁଣ୍ଡରେ କିଛି ପଶୁନଥିଲା । ତା’ ମନରେ ଶୁଭ୍ରା ଥିଲା । ସମ୍ବାଦ ସରିବା ପରେ ସେ ରୋଷେଇ କଲା । ଭାତ, ଡାଲମା । ଖାଇସାରି ସେ ବାସନକୁସନ ସିଂକ୍ରେ ପକେଇଦେଲା । ତା’ର ମୋବାଇଲ୍ ଫୋନ୍ ଅନ୍ କଲା । ଦେଖିଲା ଶୁଭ୍ରାର ବାର୍ତ୍ତା ଆସିଛି । ସେ ପଢ଼ିଲା । ଶୁଭ୍ରା ଲେଖିଥିଲା, ମୁଁ ଏପରି ଏକ ସାମାଜିକ, ପାରିବାରିକ ପରିବେଶରେ ବଢ଼ିଛି ଯେ ଏମିତି ଏକ ପଦକ୍ଷେପ ନେଇପାରିବି ନାହିଁ । ମୋର ଡଙ୍ଗାଟା ଫୁଟା ହେଲେ ବି ସେହି ଫଟା ଡଙ୍ଗାଟିକୁ ମରାମତି କରି ହନ୍ତସନ୍ତ ହୋଇ ଜୀବନ ନଈ ପାରିହେବି ପଛକେ, ଫୁଟାଡଙ୍ଗାକୁ ଛାଡ଼ି ଜାହାଜକୁ ଯାଇପାରିବି ନାହିଁ । ଆଶା କରୁଛି, ମତେ ବୁଝିପାରୁଥିବେ ।
କାଳବୈଶାଖୀ ଝଡ଼ ଓ ବର୍ଷା ଛାଡ଼ିଯାଇଥିଲା । ବର୍ଷା ହେତୁ ଗରମ କମିଯାଇଥିଲା । ସଂଜୟ ତା’ ଫ୍ଲାଟର ବାଲ୍କୋନୀରେ ବସିଥିଲା । ଥଣ୍ଡା ପବନ ବୋହୁଥିଲା । ତାକୁ ନିଦ ଆସୁଥିଲା, ଯେମିତିକି ବହୁବର୍ଷର କ୍ଲାନ୍ତି ତା’ ଦେହରେ ଜମାଟା ବାନ୍ଧିଥିଲା ଏବଂ ଥଣ୍ଡାପବନରେ କ୍ଲାନ୍ତି ଦୂରେଇଗଲା । ସେ ଘର ଭିତରକୁ ଆସି ଶୋଇପଡ଼ିଲା ଏବଂ ତାକୁ ହଠାତ୍ ନିଦ ଆସିଯାଇଥିଲା ।