ପ୍ରେମର କଥା କହୁଛ ଯେ, କାଲି ଚାଲିଗଲା ହାଡ଼ିବନ୍ଧୁ ଅକସ୍ମାତ । କହୁଥିଲା, ବହୁତ ହେଲା ଦୁଃଖର କଥା । ଏବେ ନିଜ କଥା ଭାବ ହୋ । ପିଲାଛୁଆ- ପିଲାଛୁଆ ହେଇ ତ ଜୀବନଟା ସାରିଦେଲ, ନିଜ ପାଇଁ କେତେବେଳେ ଜିଇଁଲ? ଗୋଟେ କ୍ଲବ୍ ଗଢ଼ିବା । ରମି ଖେଳିବା । ଗାମ୍ବଲିଂ କରିବା, କୈଳାସ ମାନସରୋବର ଯିବା, ଖୋଜି ଦେଖିବା କୋଉଠି ବାବା ବସିଛି । ୟୁରୋପ୍ ନ ହେଉ ହଂକଂ କି ସିଙ୍ଗାପୁର ଟୁର୍ କରିବା । ଅଥଚ ଦେଖ, ରାତି ଅଧିଆ ଚାଲିଗଲା ଚୁପ୍ଚାପ୍ ଯେ କେହି ଟେର୍ ପାଇଲେନି । ତା’ ଏକାଦଶାହକୁ ଯାଇ ପାରିଲେନି ସେ ଆଣ୍ଠୁବାତ ପାଇଁ । ଏବେ ପୃଥିବୀଟା ବଡ଼ ଝାପ୍ସା ଦିଶେ । କେଇ ବର୍ଷ ତଳେ ବଦଳେଇଥିଲେ ସେ ଚଷମାର କାଚ । ଯେଉଁଠି ପୃଥିବୀ ଅସ୍ପଷ୍ଟ ସେଠି ପ୍ରେମ କେମିତି ଝାପ୍ସା ନ ଦିଶନ୍ତା? କାଚକୁ ଯେତେ ଧୋଇଲେ, ପୋଛିଲେ ବି ଆଉ ଦିଶେନା ସେଇ ପୁରୁଣା ଚେହେରା । ଦିଶେନା ଘରଦ୍ୱାର, କୋଠାବାଡ଼ି, ପାର୍କ ଅବା ପ୍ରେମିକାର ମୁହଁ ।
“ନମସ୍କାର” ।
“ନମସ୍କାର”, ଯୁବକଟିକୁ ଚିହ୍ନନ୍ତି ସନ୍ଦୀପନ୍ । ତେଣୁ ପଚାରିଥିଲେ, ‘ଆଉ ଭଲ ସବୁ?’
ମୁଣ୍ଡ ଟୁଙ୍ଗାରି ନିଜର ସମ୍ମତି ଜଣେଇଥିଲା ପିଲାଟି । ଏବେ ଗୋଟେ ପ୍ରତିଷ୍ଠିତ ଖବରକାଗଜ ଅଫିସ୍ରେ କାମ କରେ । ମୁହଁରେ ସମ୍ପାଦକ ସୁଲଭ ଅବଜ୍ଞାରେ ଯୁବକଟି ହଠାତ୍ ତାଙ୍କ ଉଦେ୍ଦଶ୍ୟରେ କହିଥିଲା ‘ଆଉ ହଉନି ।’
“କ’ଣ ହଉନି?”
‘କବିତା’ ।
ଆଶ୍ଚର୍ଯ୍ୟ ହେଇ ଅନେଇଥିଲେ ସନ୍ଦୀପନ ଯୁବକଟିକୁ । କବିତା ହେଉନି ମାନେ, ମନେ ମନେ ଭାବିଥିଲେ, ନିଜ ପୁଅ ବୟସର ପିଲାଟି ଆଡକୁ ଚାହିଁ । ପିଲାଟି ଜନ୍ମି ନଥିବ ହୁଏତ ସେ କବି ସ୍ୱୀକୃତି ପାଇଲା ବେଳକୁ । ଏଇଟା ଚୌକିର ଅହଂକାର ଅବା କହୁ କହୁ କହିଦେଲା ସେମିତି ।
ଭଲ ହେବା ନହେବା ତ ଅଲଗା କଥା । କିନ୍ତୁ ସର୍ବସାଧାରଣରେ ଏମିତି ମନ୍ତବ୍ୟଟିଏ ଦେଇଦେବା ଟା’ ଅଲଗା । ସମୟ ବଦଳି ଯାଉଛି କି ତାଙ୍କ ଅଜ୍ଞାତରେ । ସେ କ’ଣ ଏବେ ପୁରୁଣା, ଜଙ୍କଲଗା ବତିଖୁଣ୍ଟଟେ ଗଳିକଡ଼ରେ? କିଛିଟା ଉଦାସ ହେଇଯାଇଥିଲେ ସେ ।
‘ସାର୍ ଆଉ ହଉନି ।’ ଯୁବକଟି ଏଥର ପୁନରାବୃତ୍ତି କରିଥିଲା । ନା ସେ ତାଙ୍କ ସମସାମୟିକ ନୁହେଁ, ବନ୍ଧୁ ନୁହେଁ, ସମ୍ପର୍କୀୟ ନୁହେଁ, ଏମିତି କଥାଟେ କହିବାକୁ ଥରେ ହେଲେ ସଂକୋଚବୋଧ କରୁନି କେମିତି । କିଏ ଯେମିତି ତାଙ୍କ ଗାଲକୁ ଠାଏ କରି ଚାପୁଡ଼ାଟେ ଦେଇ ମୁଚୁକି ମୁଚୁକି ହସୁଛି । ସେ ଅପମାନକୁ ଢ଼ୋକି ନେଲେ । ୟା’ର କିଛି ଉତ୍ତର ଦେଲେନି ।
‘ପ୍ରେମ କବିତାଟିଏ ପଠେଇ ଦେଲେଣି ତ?’
‘ପ୍ରେମ କବିତା?’
‘ହଁ, ଏ ସଂଖ୍ୟା ଖାଲି ପ୍ରେମ ।’
‘ମୋତେ ଜଣାନାଇଁ ।’
‘କାହିଁକି ଆମେ ଚିଠି ଦେଇଛୁ ।’
‘ମୋ ପାଖରେ ଚିଠି ପହଞ୍ଚିନି । ତା’ଛଡ଼ା ପ୍ରେମ/ଫ୍ରେମ ଆଉ ଲେଖି ହେଉନି ।’
‘ପ୍ରେମଟା ଏମିତି ନଈ ଯାହା ମଲାଯାଏ ଶୁଖେନି ।’ ଯୁବକଟି ଏଥର ସବ୍ଜାନତା ଭଙ୍ଗୀରେ କହିଥିଲା-
‘ହେଇଥିବ, ହେଲେ ମୋ ନଈ ତ ଶୁଖିଗଲାଣି ।’
‘ସେଇଥିପାଇଁ କହୁଥିଲି, ଆଉ ହଉନି ।’
ୟା’ପରେ ଯୁବକଟି ସଙ୍ଗେ କଥା ହେବା ସମ୍ଭବ ନଥିଲା । ଜୀବନର ଯେ ଏତେ ବର୍ଣ୍ଣଛଟା, ଅଶାନ୍ତି, ଅପ୍ରାପ୍ତି, ଅସନ୍ତୋଷ କେଉଁ ରଙ୍ଗ ବହନ କରେ ସେସବୁ ଯେ? ନାଲି? ନେଳି? ସବୁଜ? କମଳା? ବାଇଗଣୀ ଅବା ଗୋଲାପୀ । କିମ୍ବା ଏସବୁ କିଛି ହିଁ ନୁହଁ କେବଳ ‘ଅଫ୍ କଲର୍’ ହେଇଯାଏ ଜୀବନ ବେଳେ ବେଳେ । ପାଉଁଶିଆ, ମାଟିଆ, କାଦୁଆ, ଗୋବରିଆ ରଙ୍ଗରେ ଭରପୂର କବିତା କେବଳ ଗୀତଗୋବିନ୍ଦ ହେଲେ କାଳଜୟୀ ହେବ, ଭୋକ ଶୋଷ, ଯନ୍ତ୍ରରେ ନୁହଁ? ସେ ବେଶି ଟିକିଏ ରିଆକସ୍ନାରି ହେଇଯାଉଛନ୍ତି କି?
ଯୁକ୍ତିକୁ ଆଗକୁ ନ ବଢେଇ ଭିଡ଼କାଟି ବାହାରି ଆସିଥିଲେ ସେ । ଦିନସାରା ସେଇ ଗୋଟିଏ କଥାର ହେଙ୍ଗଓଭର୍ ଭିତରେ ରହିଥିଲେ ସନ୍ଦୀପନ୍ । ଗୋଟେ ଅବୁଝା, ଅଦ୍ଭୁତ, ଅଛିଣ୍ଡା ବନ୍ଧନୀ ଭିତରେ ଯେମିତି ବନ୍ଦୀ ଥିଲେ ସେ । ବନ୍ଧନୀ ଭାଙ୍ଗି ସହଜରେ ବାହାରି ଆସିବାର ସୂତ୍ର ଜଣାନଥିଲା ତାଙ୍କୁ ।
ଛାତି ଭିତରୁ ଏମିତି ନଈମାନେ ଶୁଖି ଯାଆନ୍ତି କି?
ପିଲାଦିନ, ଧୂଳିଖେଳ ବେଳର, ନଈ ଶୁଖିଯାଏ?
ଆଖିପତା ତଳେ ଢଳ ଢଳ ହେଉଥିବା ଯୌବନର, ନଈ ଶୁଖିଯାଏ?
ପ୍ରେମର…?
ସଂସାର…?
ଭଲ ମନ୍ଦର…? ନଈ ଶୁଖିଯାଏ ।
ସ୍ୱପ୍ନମାନଙ୍କର ନଈ ଶୁଖିଯାଏ, ଏମିତି ଏମିତି ହେଇ ଦିନେ ।
ଯାହା ରହେ, ଚାରିପଟେ କେବଳ ଶୁଖିଲା ଚଡ୍ ଚଡ୍ ମାଟି । ଶିରା-ପ୍ରଶିରାରେ କେବଳ ଧୂସର ଧୂଳି ଉଡ଼ା ଓ ଆକ୍ତାମାକ୍ତା କରି ଦେଉଥିବା ଢେଲା ଲୁହାର ଗନ୍ଧ । ଆଖି ବୁଜିଲେ ହିଁ ଧୂଳି ଧୂସରୀତ ସ୍ୱପ୍ନମାନେ ଉଡୁଥାନ୍ତି ଏଣେତେଣେ କାଗଜ ଟୁକୁଡ଼ା, ଶୁଖିଲା ପତ୍ରପରି । ଇତିହାସ ବହିର ପ୍ରଥମ ପରିଚ୍ଛେଦ ପାଖରେ ରହିଯାଏ ପ୍ରେମ । ଯାହା ଶୀର୍ଷ ବୋଲି ଦୂରରୁ ଦିଶେ ତା’ ପ୍ରକୃତରେ ଶୀର୍ଷ ହିଁ ନୁହେଁ । ଏକ ଅବହେଳିତ ଉଚ୍ଚତା ହିଁ ।
ଚା’ କପେ ପାଇଁ ସବୁଦିନ ବୋହୂର ଦୟାକୁ ଅପେକ୍ଷା କରିଥିବା ସନ୍ଦୀପନ ଯୁବକଟିକୁ ଜୀବନର ବ୍ୟର୍ଥତା କଥା ଶୁଣେଇବା ଉଚିତ୍ ନଥିଲା କି?
ସକାଳ ପାଞ୍ଚଟାରେ ଟ୍ରାକ୍ସୁଟ୍, ସ୍ପୋର୍ଟସ୍ ଜୋତା, ଛୋଟ ରୁଲ୍ବାଡ଼ିଟି ଧରି ବାହାରିଗଲା ପରେ, ଆଉ କେବେବି ଫେରିବାକୁ ଇଚ୍ଛା ହେଉନଥିବା ସେଇ ଘରକୁ ନେଇ ବ୍ୟଥା-ବେଦନାର କବିତା କ’ଣ କମ୍ ଆବେଗମୟ ବିପ୍ରଲମ୍ଭ ଶୃଙ୍ଗାର କବିତା ଠୁଁ?
ଟିକେ ଆଳୁ ପୋସ୍ତକ, ଚୂନା ମାଛ ସଙ୍ଗେ ଟିକେ ଆମ୍ବୁଲ ବେସର, ଛାତି ତଳର ଶୋଷ ହେଉ ହେଉ ସ୍ୱପ୍ନ । ସ୍ୱପ୍ନ ହେଉ ହେଉ ଜୀବନ ମଲାମାଛର ଆଖିପରି ନିଷ୍ପ୍ରଭ ହେଇଯାଏ ବେଳେବେଳେ । କାନ୍ଦୁରା କାନ୍ଦୁରା ହୃଦୟକୁ ଆଶ୍ୱାସନାର ଲମ୍ବା ହାତଟେ ଲୋଡ଼ା ସିନା, ପ୍ରେମ ନୁହେଁ ।
ଅଥଚ ଏଇ ବର୍ଷ କେଇଟା ଆଗରୁ ସେ ପ୍ରେମ କବିତା ଲେଖିବାରେ ଏତେ ମାହିର ଥିଲା ଯେ, ତାଙ୍କ ସମସାମୟିକମାନେ ପକ୍କା ଓସ୍ତାଦ, ପକ୍କା ପାଜିଟା ବୋଲି କହି ବୁଲୁଥିଲେ ତାଙ୍କ ପଛଆଡ଼େ । ମହୁମାଛି ବଦଳରେ ପ୍ରଜାପତିଙ୍କର ବଡ଼ ଭିଡ଼ଥିଲା ତାଙ୍କ ଚାରିପଟେ । ପ୍ରଜାପତିମାନେ ଫୁଲେଇ ହେଉ ଥିଲେ । ରଙ୍ଗ ବେରଙ୍ଗ ଡେଣା ଉଡେଇ ଛଟକ ଦେଖାଉଥିଲେ ।
ସେତେବେଳେ ମର୍ଣ୍ଣିଂୱାକ୍ରେ ଯିବା ଅପେକ୍ଷା ଆଉ ଟିକେ ଶୋଇ ରହିବାକୁ ଇଚ୍ଛା ହେଉଥିଲା । ସେତେବେଳେ ଭୋକ ଶୋଷ ପୋଷା ମାନିଥିଲେ । ସେତେବେଳେ ମଧୁଛନ୍ଦା ପ୍ରେମହୀନା ନାରୀଟେ ମନେ ହେଉଥିଲା ଓ ସେ ପକେଟ୍ରେ ଚାରି ପାଞ୍ଚଟା ପ୍ରଜାପତିଙ୍କ ଠିକଣା ପୂରେଇ ବୁଲୁଥିଲେ । କେତେବେଳେ ପ୍ୟାଣ୍ଟ ପକେଟ୍ରୁ ସାର୍ଟ ପକେଟ୍, ସାର୍ଟ ପକେଟ୍ରୁ ୱାଲେଟ୍, ୱାଲେଟ୍ରୁ ମେସେଞ୍ଜରକୁ ଏଇଭଳି ଭାବରେ ପ୍ରଜାପତିଙ୍କ ଆତଯାତ ଥିଲା ।
ସମୟ ବଦଳି ଯାଇଛି । ଯେତେବେଳେ ଅଧେ ବାଳ ପାଚି ଯାଇଥିଲା । ଏବେ ସବୁଯାକ ଧଳା । ସେତେବେଳେ ଆଖିରେ ଚଢ଼ିଥିଲା ଚାଳିଶିଆ ଚଷମା, ଏବେ ଦି’ ଦି’ଥର ଅପରେସନ ପରେ ବି ବାରମ୍ବାର ବଦଳେଇବାକୁ ପଡ଼େ ଚଷମାର କାଚ । ସେତେବେଳେ ସମୟ ନଥିଲା । ହାଇଁ ପାଇଁ ଲାଗୁଥିଲା । ଏବେ ସମୟ ହିଁ ସମୟ । ଅସରନ୍ତି । ସରିବାର ନାଁ ହିଁ ନିଏନା । ସେତେବେଳେ ମଧୁଛନ୍ଦା ଥିଲା । ଏବେ ମଧୁଛନ୍ଦା ନାଇଁ ।
ବଡ଼ ପ୍ରତିହିଂସା ପରାୟଣ ଥିଲା କି ମଧୁଛନ୍ଦା? ପ୍ରବଳ ଈର୍ଷା ଥିଲା ତା’ର ପ୍ରଜାପତିମାନଙ୍କ ଉପରେ? ଗଲା ବେଳେ ଛାତିରୁ ପ୍ରେମ ଦ୍ରବ୍ୟଟିକୁ ନେଇ ପଳେଇଲା ଯେ ଆରପାରିକୁ । ତା’ ପରଠୁ ଆଖିକୁ ଆଉ କେହି ରଙ୍ଗିନ୍ ଦିଶିଲେନି । ସମସ୍ତେ ବାସିଜହ୍ନ ଭଳି ମଳିଛିଆ ଦିଶିଲେ ।
ଏମିତି କ’ଣ ଜଣଙ୍କ ଅଜାଣତରେ ପ୍ରେମ ଚୋରି ହେଇଯାଏ ଦିନେ? ପ୍ରେମ ବୋଲି ଶବ୍ଦଟେ ପୃଥିବୀରେ ଥିଲା ବୋଲି ଭୁଲି ହେଇଯାଏ । ଟିକେ ଆଳୁ ପୋସ୍ତ ଓ ଆମ୍ବୁଲବେସର ସଙ୍ଗେ ଚୁନା ମାଛରେ ଅଟକି ଯାଏ ଜୀବନ । କପେ ଚା’ ଶୋଷରେ ଡହଳ ବିକଳ ହୁଏ ପ୍ରାଣ । ଘରଟା ମନେହୁଏ ଶ୍ମଶାନ ଆଉ ଅନାତ୍ମୀୟ ହେଇପଡ଼େ ଦେଖୁ ଦେଖୁ ।
କେଉଁଦିନୁ, ହୁଇସ୍କି ତ ଦୂରର କଥା ବିଅର୍ ଠୋପେ ମୁହଁରେ ବାଜିନି । ଲୋଡ଼ା ନାଇଁ ବ୍ଲଡ୍ସୁଗାର କରେଇବା, ଦରକାର ନାଇଁ ବ୍ଲଡ୍ପ୍ରେସର ମପେଇବା । ନା, ଲୋଡ଼ା ନାଇଁ କୋଲ୍ଷ୍ଟ୍ରଲ୍ର ଖବର ନବା, ଲୋଡ଼ା ନାଇଁ ସୋଡିଅମ୍ କମୁଛି କି ବଢ଼ୁଛି ଜାଣିବା ।
ଏବେ ମନେପଡ଼େ ରାତିଅଧରେ, କଲ୍ଭର୍ଟ ଉପରେ ସେଇ ପାଗଳୀର ସୀକ୍ରାର । ‘ଆରୋ ଦାଓ, ଆରୋ ଦାଓ ।” ଆଉ ପାଗଳୀଠୁ ଆହୁରି ଉନ୍ମତ ପାଲଟିଥିବା କାମାତୁର ଲୋକଟି ମଣିଷପଣିଆର ପୋଷାକ ଖୋଲି ଦେଇ ଗୋଟେ ପାଗଳୀ ପାଖରୁ ଖୋଜି ନେଉଥିବା ଉତ୍ତାପ (ଅପ୍ରେମ) ଯାହା ଆପାତତଃ ପାଗଳୀକୁ ପ୍ରେମ ଭଳି ଦିଶେ, ମନେପଡ଼େ । ବାରମ୍ବାର ମନେପଡ଼େ ।
ପ୍ରେମ କଥା କହୁଛ ଯେ ଠୋପେ ବିଅର ନ ପିଇ ପାଟି ଖଟା ଖଟା ଲାଗିଲାଣି । ପ୍ରେମ ତ ଖୁବ୍ ଦୂରରେ । ବହୁଦିନ ତଳେ ଝିଅଟେ ଲେଖିଥିଲା ମୋର କିଛି ଲୋଡ଼ା ନାଇଁ ସାର୍, ଖାଲି ଗୋଟେ ଫ୍ରେଞ୍ଚକିସ୍ । ସମଗ୍ର ଜୀବନ ଜିଇଁ ହେଇଯିବ ଓଠ ପାଖୁଡ଼ାରେ ଶିହରଣ ତକ ସାଇତି ରଖି ।
ତା’ କ’ଣ ଫ୍ଲାଟାରୀ ଥିଲା? ଗୋଟେ ଫଟୋ ଫ୍ରେମ୍ ଭିତରେ ଯୋଡ଼ି ହେବାର ଅପଚେଷ୍ଟା? ଏଡେ ଲମ୍ବା ଜୀବନ ଭିତରେ, ଅସଂଖ୍ୟ ଚିହ୍ନା-ଅଚିହ୍ନାଙ୍କ ଭିଡ଼ରେ କେତେ କେତେଟା ଫଟୋ ଆମେ ବନେ୍ଧଇ କରି ରଖୁ ଯେ, ଦିନେ ତ ମାଟିଆ ହୋଇଯାଏ ଫଟୋ ଓ ଫ୍ରେଞ୍ଚ କିସ୍ । ସବୁ କିଛି ।
ଓଠରେ ଏମିତି କ’ଣ ଅଛି? ଥରେ ପଚାରିଥିଲା ମଧୁଛନ୍ଦା । ଦି’ ଧାଡ଼ି ଦାନ୍ତକୁ ଘୋଡେଇବା ପାଇଁ, ଖଣ୍ଡେ କମଳା ପାଖୁଡ଼ା ପରି ଓଠ । ସେ କେମିତି ବା ପ୍ରେମର ମାଧ୍ୟମ ହେବ । ଦାନ୍ତରୁ ବାହାରୁ ଥିବ ପାଇରିଆ ଗନ୍ଧ, ପିଆଜ ଖିଆ କି ଆଇଁଷିଆ ଲାଗୁଥିବ ଦାନ୍ତ ପୋକଖାଇ କଣା କରିଥିବ ଠାଏଁ ଅଧେ, ଛି ।
ସେଇ ଜଙ୍ଗଲ ଅଞ୍ଚଳର ଝିଅଟି ଏବେ କ’ଣ କରୁଥିବ? କବିତା ଲେଖୁ ଲେଖୁ ଆଉ କାହାର ଫ୍ରେଞ୍ଚ କିସ୍ ପ୍ରତ୍ୟାଶାରେ ବସିଥିବ କି? ଅବା କ୍ରମଶଃ ପୃଥୁଳା ଓ ପ୍ରୌଢ଼ା ହେଇ ଆସିବଣି?
ଇଚ୍ଛାହୁଏ ଝିଅଟିକୁ ଡାକି ଆଣି ଦେଖେଇ ଦେବାକୁ, ସେଇ ସବୁ ଦୃଶ୍ୟ ଯାହା କେବେ ଦେଖି ନଥିବ, ଭୋଗି ନଥିବ ଝିଅଟି ହୁଏତ । କେମିତି ବିତେ କବିର ଜୀବନ । କର୍କଶ ମଧ୍ୟାହ୍ନ । ଅଳସ ଅପରାହ୍ଣ ଗୋଟେ ଆଟିଷ୍ଟିକ୍ ଶିଶୁ ସାଙ୍ଗରେ । କେତେ ଅର୍ଥହୀନ, ଅଦରକାରୀ ହେଇଯାଏ ଶବ୍ଦମାନ ଓ ଫେରିଆସେ ବୁମେରାଂ ହେଇ କ୍ଷତ ବିକ୍ଷତ କରିବାକୁ ବାରମ୍ବାର ।
ଶିଶୁଟିଏ ଏବେ ନିଜ ଭିତରେ ବନ୍ଦୀ ଓ ସନ୍ଦୀପନ ତା’ର ଜଗୁଆଳ । ଆଟିଷ୍ଟିକ୍ ଶିଶୁଟି କ’ଣ ଜାଣେ କେତେ ଭାଷାରେ, କେତେ ଶବ୍ଦରେ, କେତେ ଭାବ ଓ ଇଙ୍ଗିତରେ, କେତେ ଚିତ୍ରକଳ୍ପ ରୂପକଳ୍ପର ଆବାହନରେ, ଅବଗାହନରେ ଉତୁରି ଆସେ କବିତାଟେ ।
କେମିତି ସେ ଦୁନିଆ, ଯେଉଁଠି ବୁଦ୍ଧିଥିବ, ବୋଧଥିବ, ଅଥବା ନିଜକୁ ଉନ୍ମୁକ୍ତ କରିଦେବାର ରାସ୍ତା ଖୋଜିଲେ ମିଳୁନଥିବ । ଦିନ ରାତି ସେ ଗପୁଥିବେ ସେ ଶିଶୁଟି ସଙ୍ଗରେ, ଅଥଚ ପ୍ରତିବଦଳରେ ଥିବ ଗୋଟେ ଚିକ୍ରାର । ଚିକ୍ରାର ଅର୍ଥ ବୁଝିବା ସାମର୍ଥ୍ୟ ନଥିବ କବିତାଟିର ତା’ଠୁ ବଡ଼ ଅସହାୟତା ଆଉ କ’ଣ? ନିଜର ସତ୍ତା ଜାହିର କରିବା ପାଇଁ ପ୍ରଚଣ୍ଡ ଉଦ୍ଦାମତାରେ ଫାଟି ପଡୁଥିବ ଶିଶୁଟେ । ଖଟରୁ ସୋଫା, ସୋଫାରୁ ପଢ଼ା ଟେବୁଲ୍ । ଧାଇଁ ବୁଲୁଥିବ ଗାଧୁଆ ଘରୁ ବଗିଚା ବାଲ୍କୋନୀ ଠାକୁର ଘର ଯାଏଁ । କାକୁସ୍ଥ କବିତାର ଧାଡ଼ିମାନେ ଅକାଳରେ ମୃତୁ୍ୟ ଲଭନ୍ତି ସେଇ ମୁହୂର୍ତ୍ତରେ । ଶବ୍ଦମାନେ ଶବ ପାଲଟିଲା ପରେ ପ୍ରେମ ଅପ୍ରେମର କିଛି ମାନେ ଥାଏ?
ପ୍ରେମର କଥା କହୁଛ ଯେ, କାଲି ଚାଲିଗଲା ହାଡ଼ିବନ୍ଧୁ ଅକସ୍ମାତ । କହୁଥିଲା, ବହୁତ ହେଲା ଦୁଃଖର କଥା । ଏବେ ନିଜ କଥା ଭାବ ହୋ । ପିଲାଛୁଆ- ପିଲାଛୁଆ ହେଇ ତ ଜୀବନଟା ସାରିଦେଲ, ନିଜ ପାଇଁ କେତେବେଳେ ଜିଇଁଲ? ଗୋଟେ କ୍ଲବ୍ ଗଢ଼ିବା । ରମି ଖେଳିବା । ଗାମ୍ବଲିଂ କରିବା, କୈଳାସ ମାନସରୋବର ଯିବା, ଖୋଜି ଦେଖିବା କୋଉଠି ବାବା ବସିଛି । ୟୁରୋପ୍ ନ ହେଉ ହଂକଂ କି ସିଙ୍ଗାପୁର ଟୁର୍ କରିବା । ଅଥଚ ଦେଖ, ରାତି ଅଧିଆ ଚାଲିଗଲା ଚୁପ୍ଚାପ୍ ଯେ କେହି ଟେର୍ ପାଇଲେନି । ତା’ ଏକାଦଶାହକୁ ଯାଇ ପାରିଲେନି ସେ ଆଣ୍ଠୁବାତ ପାଇଁ । ଏବେ ପୃଥିବୀଟା ବଡ଼ ଝାପ୍ସା ଦିଶେ । କେଇ ବର୍ଷ ତଳେ ବଦଳେଇଥିଲେ ସେ ଚଷମାର କାଚ । ଯେଉଁଠି ପୃଥିବୀ ଅସ୍ପଷ୍ଟ ସେଠି ପ୍ରେମ କେମିତି ଝାପ୍ସା ନ ଦିଶନ୍ତା? କାଚକୁ ଯେତେ ଧୋଇଲେ, ପୋଛିଲେ ବି ଆଉ ଦିଶେନା ସେଇ ପୁରୁଣା ଚେହେରା । ଦିଶେନା ଘରଦ୍ୱାର, କୋଠାବାଡ଼ି, ପାର୍କ ଅବା ପ୍ରେମିକାର ମୁହଁ ।
ଆଖି ସାମ୍ନାକୁ ଚାଲିଆସେ ସେଇ କୁହୁଡ଼ିଆ ସକାଳ । ରାତିଅଧରେ ଆରୋ ଦାଓ, ଆରୋ ଦାଓ ଚିକ୍ରାର କରୁଥିବା ପାଗଳୀର ସୀକ୍ରାର । ରାତି ୱାଚ୍ମାନ୍ ପାଖ ଦେଇ ଚାଲିଯା, । ହସି ହସି । ହାତ ପାପୁଲିରେ ଦୋକତା ମକଚି ମକଚି । କିଛି ସମୟ ପାଇଁ ଭୁଲିଯାଏ ତା’ ଓଠରେ ହୁଇସିଲ୍ଟା ରହିବାର ଥିଲା । ସେ ବି ନିରସ୍ତ୍ର ହୋଇ ଚାଲିଯାଆନ୍ତି ଆପଣା ବାଟରେ ।
ତା’ କି ପ୍ରେମ ଥିଲା? ପରଦିନ କୁହୁଡ଼ିଆ ସକାଳରେ, ଖବର ପ୍ରଚାର ହେଇଯାଏ ଦୀର୍ଘଦିନ ହେବ ଛକ ଉପରେ ଅର୍ଦ୍ଧନଗ୍ନ ହେଇ ବୁଲୁଥିବା ପାଗଳୀଟିର ମୃତଦେହ ପଡ଼ିଛି କଲଭର୍ଟ ଉପରେ । ତଳେ ପଡ଼ିଥିବା ଛିଣ୍ଡା ମଇଳା ଲୁଗା ଖଣ୍ଡକ କେହି ଘୋଡେଇ ଦେଇ ଯାଏ ନାହିଁ । ପୋଲିସ ପହଞ୍ଚିବାକୁ ତଥାପି ଡେରିଥାଏ । ରାତିର ୱାଚ୍ମ୍ୟାଚ୍ ରାତି ଡୁ୍ୟଟି ସାରି ଶୋଇଯାଇଥାଏ । ଛାତି ଭିତରେ ଦୁଇଟି ଶବ୍ଦ ଧାଇଁ ବୁଲୁଥାଏ ତାଙ୍କର ଆରୋ ଦାଓ, ଆରୋ ଦାଓ । ତା’ କି ପ୍ରେମ ଥିଲା?
ଜିଇଁ ରହିଥିଲେ କ’ଣ ବା ବୟାନ ଦେଇଥାନ୍ତା ପାଗଳୀଟା? କ’ଣ ବା ମାନେ ଥାଏ ତା’ ବୟାନରେ? ଅଥଚ ଦୀର୍ଘଦିନ ଧରି ମୁକୁଳି ପାରିନଥିଲେ ସନ୍ଦୀପନ, ଆରୋଦାଓର ଆଳାପରୁ ।
ପ୍ରେମ କଥା କହୁଛ ଯେତେବେଳେ, ଶୁଣ, ମୁଁ ତମକୁ ଗୋଟେ ଅଜବ ପ୍ରେମ କାହାଣୀ ଶୁଣଉଛି । ଯିଏ ପ୍ରତି ରାତିରେ ଆସେ, ଆଖି ବନ୍ଦ କଲେ, ଗଭୀର ନିଦ ହେଲେ ଆସେ । ରାତି ଅଧରେ ନୁହଁ, ଭୋର୍ ବେଳାରେ ହିଁ ଆସେ । ସୌମ୍ୟା ଶାନ୍ତ- ରୂପା । ସ୍ନିଗ୍ଧା । ଆସେ ମୋ କପାଳ ସ୍ପର୍ଶ କରେ । ତା’ର ଶାନ୍ତ, ସ୍ନିଗ୍ଧ ସୌମ୍ୟ ରୂପ ଦେଖି ମୋତେ ମା’ ବୋଲି ଡାକିବାକୁ ଇଚ୍ଛାହୁଏ । ଯେକୌଣସି ମନ୍ଦିରର ପଥର ମୂର୍ତ୍ତି ପରି କଠିନ ନିଟୋଳ ଦିଶୁଥିବା ନାରୀଟି କୁହେ ମୋ ହାତ ସ୍ପର୍ଶ କର । ଓଠ ସ୍ପର୍ଶ କର, ନାଭି ସ୍ପର୍ଶ କର, ସ୍ତନ ସ୍ପର୍ଶ କର । ମୁଁ ଦାସଟିଏ ପରି ସବୁ ଛୁଇଁ ଛୁଇଁ ଯାଏ ଓ ଡାକେ ମା’, ନା, ନା, ସେ ସ୍ପର୍ଶରେ ନଥାଏ ଗୋଟେ ପଥର ଚଟାଣର ସ୍ପର୍ଶ । ଥାଏ ଗୋଟେ ମା’ର ହୃଦୟ ।
ନାରୀଟି ହସେ ଓ କହେ “ଯା’, ତୋ ଭିତରେ ଆଉ ପଦ୍ମ ଫୁଟିବ ନାଇଁ ।” ସେ ଉଭାନ ହେଇଗଲା ବେଳକୁ ଦେହ ଝାଳରେ ସରସର ହେଇଯାଇଥାଏ । ନିଦ ଭାଙ୍ଗେ ପାଖରେ କେହି ବି ନଥାନ୍ତି । ନା ପଥର ମୂର୍ତ୍ତି, ନା ସୌମ୍ୟ, ଶାନ୍ତ ରୂପା, ନା ପ୍ରେମିକା ନା ମା’ ।
ସନ୍ଦୀପନ୍ ବସିରହନ୍ତି । ଅନ୍ଧାରକୁ କିଏ ଧୀରେ ଧୀରେ ରବରରେ ପୋଛୁଥାଏ । ସବୁ ଆଡ଼ ଫର୍ଚ୍ଚା ହେବା ଯାଏ ବସି ରୁହନ୍ତି । ମନେପଡ଼େ ପୁଅକୁ ଛୋଟ ବେଳେ ପଢ଼ଉଥିଲା ବେଳେ, ତା’ ଭୂଗୋଳ ବହିରେ ପ୍ରଶ୍ନଟିଏ ଥିଲା “ହାଓ ଗ୍ରୀନ୍ ଇଜ୍ ଗ୍ରୀନ୍ଲାଣ୍ଡ?” ସେଇ ପ୍ରଶ୍ନଟିକୁ ନିଜ ଉପରକୁ ଦୋହରେଇ ନିଅନ୍ତି ପ୍ରେମ ବୋଲି କିଛି ଥାଏ କି?
ଏବେ ତୁମକୁ ମୋ ଉତ୍ତର ମିଳିଯାଇଥିବ ଯୁବ ବନ୍ଧୁ । ଆଶା ବୁଝି ପାରିବ ବୟସର ପରିକ୍ରମଣରେ ଛାଡ଼ି ଆସିଥିବା ପ୍ରେମକୁ କେଡେ ଅର୍ଥହୀନ ମନେ ହୁଏ । ପରବର୍ତ୍ତୀ ଜୀବନରେ । ଏୟା ହିଁ ତୁମ କବିର ଜୀବନ ।