ବୁଢ଼ୀଟି ଶିଶୁକନ୍ୟା ପାଖକୁ ଗଲା । ତା’ର ନରମ ଦେହକୁ ଦୁଇହାତରେ ତୋଳି ଆଣିଲା । ଅଚାନକ ବୁଢ଼ୀର ପାପୁଲି ତଳୁ ଭାଙ୍ଗିପଡ଼ିଲା ଶିଶୁକନ୍ୟାର ବେକ! କିଛି ଖୀରସ୍ତାନ ଧାଇଁ ଆସୁଥିଲେ । ବୁଢ଼ୀ ଶିଶୁଟିକୁ ଛାତିରେ ଚାପିଧରି ଜୋରରେ ଧାଇଁବାକୁ ଲାଗିଲା । ସେ ଜାଣିଥିଲା ଯେ ଏହି ଉନ୍ମତ୍ତ ଲୋକଗୁଡ଼ାକ ଫେରିଆସିଲେ ଶେଷକୃତ୍ୟର ପରମ୍ପରାକୁ ନେଇ ପୁଣି ଝଗଡ଼ାରେ ଲାଗିବେ! ବୁଢ଼ୀ ଧାଉଁଥିଲା । ତା’ ପିନ୍ଧାବସନ ଖସିପଡ଼ିଥିଲା ଦେହରୁ । ପଛରୁ କୁକୁରମାନେ ଭୁକୁଥିଲେ । ବୁଢ଼ୀର ଅସାଡ଼ ସ୍ତନରେ ଗୁଞ୍ଜି ଯାଇଥିଲା ଶିଶୁକନ୍ୟାର ମୁହଁ ।
ବନଭୂମିକୁ ଆଂଶିକ ପ୍ରକମ୍ପିତ କରୁଥିଲା ଗୋଟେ ଅର୍ଖ ପିଲାର କାନ୍ଦଣା । ବନଭୂମି କହିଲେ ପାଖାପାଖି ଦଶହଜାର ବର୍ଗଫୁଟର ଛୋଟକାଟର ଜଙ୍ଗଲଟେ । ପୂର୍ବ ଆଉ ଉତ୍ତରରେ ହିନ୍ଦୁ ବସତି, ପଶ୍ଚିମରେ ମୁସଲମାନ ପଡ଼ା ଏବଂ ଦକ୍ଷିଣରେ ମିଶନାରୀ ସଂସ୍ଥା କିଛି । ଗୋଟାଏ ଯୋଜନାବଦ୍ଧ ମିନି ଭାରତ ଯେପରି! ପ୍ରକୃତରେ କେହି ଏମିତି କିଛି ନୀତିନିୟମ ଅନୁସାରେ ଏ ସ୍ଥାନଟି ନିରୂପଣ କରିଛି ନା ଏମିତି ହେଉହେଉ ହୋଇଯାଇଛି ତା’ ଅବଶ୍ୟ ଅନୁସନ୍ଧାନ ସାପେକ୍ଷ ।
ଶିଶୁଟିର କ୍ରନ୍ଦନ ସବୁ ବର୍ଗର, ସବୁ ଧର୍ମର କିଛି ଲୋକଙ୍କୁ ଏକାଠି କରିଦେଇଥିଲା ସେହି ବନଖଣ୍ଡରେ । ଶିଶୁଟି ପ୍ରତି ମମତା, ଦୟା ଅବା ନିଜ ନିଜର ମାନବିକତାର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ଲୋକେ ଏଠି ଜମା ହୋଇନଥିଲେ, ପ୍ରତ୍ୟେକ ପରିତ୍ୟକ୍ତ ଶିଶୁ ପଛରେ କିଛି ଅଶ୍ଳୀଳ ସନେ୍ଦହ ଛପି ରହିଥାଏ, ସେହି ଅଶ୍ଳୀଳତାର ଗୋଟେ ଗୋଟେ କାଳ୍ପନିକ ବୀଭତ୍ସ ରୂପ କଳ୍ପନାର ମଉକାକୁ କିଏ ଛାଡନ୍ତା କି!
ଶିଶୁଟି ଗୌରବର୍ଣ୍ଣର । ହେଲେ, କନ୍ୟା ସନ୍ତାନ!
ମୁହଁର ଓଠ ଆଉ ଚିବୁକ? କାହା ପରି ଦିଶୁଛି ଯେ! ନାଇଁ ଏ ତ ହିନ୍ଦୁ ପରି ଦିଶୁନି । କହିଲେ ଜଣେ ହିନ୍ଦୁ ମାମଲତକାର!
ଆଉ? ଦେଖ ତା’ କପାଳ ଆଉ କାନ । ଓଠ ବି । ଇଏ ମୁସଲମାନ ନୁହେଁ । କହିଲେ ଜଣେ ଖାଁ ଚୌଧୁରୀ ।
ଆଖି ଆଉ ନାକ, ଇଏ ତ ଖୀରସ୍ତାନ ନୁହେଁ । ମିଶନାରୀ ସଂପୃକ୍ତ ନେତା କହିଲେ ।
ଭାରତ ସାର୍ବଭୌମ । ଭାରତ ଧର୍ମନିରପେକ୍ଷ । ଲାଗିଲା ଶିଶୁକନ୍ୟାଟି କହିଲା ପରି । ମୁଁ ତ ନିଜେ ଜାଣେନା ମୋର ଧର୍ମ କ’ଣ? ମୋତେ କିଏ ଏଠି ଫିଙ୍ଗିଛି । ମୁଁ ମୋ ବାପାମା’ଙ୍କୁ ବି ଚିହ୍ନେ ନାହିଁ ।
କିଛି କହିଲା କି ଏ ପିଲାଟି?
ଲାଗୁଛି କିଛି କହିଲା ।
କ’ଣ କହିଲା?
ଛାଡ଼ ମ । ସେ କ’ଣ କହିବ ।
ଏବେ କ’ଣ କରିବା । ପିଲାଟିକୁ କିଏ ନେବ? ନା ଅପେକ୍ଷା କରିବା କୌଣସି ଚାଇଲ୍ଡଲାଇନ୍ ସଂସ୍ଥାକୁ? ପୁଲିସକୁ?
ଯଦି ଆମେ ନେବା, ପିଲାଟି ଅନ୍ୟ ଧର୍ମର ବାହାରିଲା, ତ?
ପୁଣି ଫୋପାଡ଼ି ଦେବା ।
ଧର୍ମରେ ନେବା ଆଉ ଫୋପାଡ଼ିବା ସେତେ ସହଜ ନୁହେଁ । ଧର୍ମ ଧାରଣ କରେ । ଯାହା କରିଥାଏ ଧରିଥାଏ ।
ଫୁଃ । ଆଧୁନିକ ସମାଜରେ ଜାତିଧର୍ମର କିଛି ମାନେ ହିଁ ନାହିଁ । ସେହି ହିନ୍ଦୁ ଯୁବକଟି ଏକଥା କହିଲା ଯିଏ ମୁସଲମାନ ପଡ଼ାର ଶେହେନାଜକୁ ପ୍ୟାର୍ କରୁଥିଲା । ଅବଶ୍ୟ ସେଇଟାକୁ ଏକଦମ୍ ପ୍ୟାର୍ କହିହେବନି । ଦିନେ ବୁର୍ଖା ତଳୁ ଶେହେନାଜର ମୁହଁ ଦେଖି ଟୋକାଟି ମନ ଭିତରେ ଗୋଟାଏ ଭୋକ ଉତପଟାଙ୍ଗ ହେଉଛି । ସେତକ ପାଇଁ ବିବାହର ପ୍ରତିଶ୍ରୁତି ଦବାକୁ ହେବ!
କିଏ କହିଲା ଧର୍ମ ନାହିଁ, ଜାତି ନାହିଁ! ଏ ଆଇଏସ୍ଆଇଏସ୍ କ’ଣ? ପଶ୍ଚିମବାଲାଏ ପରା ଶିକ୍ଷିତ, ଏ ମିସନାରୀ କ’ଣ କି ହୋ! ସବୁ ଅଛି । କେବଳ ଶବ୍ଦ ବଦଳିଛି ।
ସୂର୍ଯ୍ୟ ଉଇଁବା ସହିତ କଅଁଳ ଖରାର ସ୍ପର୍ଶରେ ଶିଶୁଟି ଶୋଇପଡ଼ିଲା । ବୋଧେ ଶୋଇବା ଆଗରୁ କହିଗଲା, ତମେମାନେ ଡିସାଇଡ୍ କର । ମୁଁ ଟିକେ ରେଷ୍ଟ ନେଉଛି ।
ହିନ୍ଦୁଧର୍ମରେ ଧର୍ମାନ୍ତରିକରଣ ନାହିଁ । ଯଦି ଆମ ଭିତରୁ କିଏ ୟାକୁ ନେଲା ଆଉ ପରେ ଜଣାପଡ଼ିଲା ଯେ ଇଏ ମୁସଲମାନ କି ଖୀରସ୍ତାନ! ଘର, ଠାକୁର ମାରା ହୋଇଯିବନି! ସେ ଘରକୁ କିଏ ଝିଅ ଦବ ନା ନବ!
ପୁଅ ପିଲାଟେ ହେଇଥିଲେ କିଏ ରିସ୍କ ନେଇଥାନ୍ତ, ନହେଲେ ଏଇଟା ଝିଅଟା ।
ମା’ ଯଦି ତାକୁ ପର କରି ଫିଙ୍ଗିଦେଲା, ଆମର ଏତେ ଦରଦ କାହିଁକି! ପଡୁ ସେ ଏଇଠି । ସେହି ଈଶ୍ୱର ରକ୍ଷା କରିବେ ।
ଇଏ ଥିଲା ପୂର୍ବ-ଉତ୍ତରର କଥା ।
ପଶ୍ଚିମପଟୁ ଗୋଟାଏ ସତର୍କବାଣୀ ଣୁଣାଇ ଦିଆଯାଇଥିଲା, ଯିଏ ଏ ଛୁଆକୁ ଆପଣେଇବାକୁ ଚାହିଁବ ଜଣାପଡ଼ିବ ଏ ଛୁଆ ସହିତ ତାହାର କିଛି ନା କିଛି ସଂପର୍କ ଅଛି!
ମିଶନାରୀ ସଂସ୍ଥା ଏଥିପାଇଁ ସର୍ବଦା ଆଗଭର । ହେଲେ, ସେମାନେ ଦି’ପାଦ ଆଗକୁ ଆସୁଥିଲେ ତ ପାଞ୍ଚପାଦ ପଛକୁ ଫେରୁଥିଲେ । ଏଠି ସେମାନେ ସଂଖ୍ୟାଲଘୁ । ଧର୍ମାନ୍ତରିକରଣ କରେଇବାର ବଦନାମ ବି ଅଛି ଆଗରୁ । ହଠାତ୍ ବାହାରି ପଡ଼ିବାର ମାନେ କିଛି ନାହିଁ ।
ୟାକୁବ ଖାଁ କହିଲା ଆମର ସେ ଫିରଦୋଶ ବୁଢ଼ୀ ତା’ ଶୋହରକୁ ହରେଇ ଅକେଲା ପଡ଼ିଛି । ଘରଟାରେ କେଇ ନଥିବାର । ତାକୁ ଦେଇଦେଲେ କ୍ୟା ହୋଇସ୍ ବେ?
ସଲିମ୍ ବ୍ୟଙ୍ଗ କଲା- ଇସମେ ତୋର୍ ହାତ୍ ରହସିସ୍ ନା କ୍ୟା!
ପାଖାପାଖି ଏପରି ବସ୍ତି ରହିଲେ ଭଲ୍ ଜେହାଦର ବି ସମ୍ଭାବନା । ସରକାରୀ ସ୍କୁଲରେ ଏକତ୍ର ପଢ଼ିବେ, ସେହି କେତୋଟି ପରିବା, ମନୋହରୀ, ଲୁଗା ଦୋକାନର ଗ୍ରାହକ ହେବେ, ଗୋଟିଏ ମାର୍କେଟରେ ପରସ୍ପରକୁ ଭେଟିବେ । ଦେଖାଚାହାଁରେ ଶେହେନାଜ ପରି ଘଟଣା ନ ଘଟିବ କିଏ କହିବ! ଯଦି ଅସତର୍କତାରୁ ଏମିତି କିଛି ଘଟିଯାଏ ତ ଶିଶୁର ଭାଗ୍ୟ ତ ଏମିତି ହେବାକୁ ବାଧ୍ୟ! ସେମିତି କେହି? କୁମାରୀ ମାତୃତ୍ୱ ଓ ଭଲ୍ ଜେହାଦ ଭୋଗୁଥିବା ଝିଅ!
ଧର୍ମ ରଙ୍ଗରେ ପରିବର୍ତ୍ତିତ ହୋଇଗଲାଣି । ଏବେ ଧର୍ମ ବିରୋଧାଭାସରେ ପରିଣତ ହୋଇଗଲାଣି । କୁକୁରମାନେ ଭୁକି ଉଠିଲେ । ବୁଲା କୁକୁର । ଏମାନଙ୍କ ଜାତି ହିିଁ ଏୟା । ନହେଲେ ସରକାରୀ ଜମି ମାଡ଼ିବସି ଦୋତାଲା ଘର ତୋଳିଥିବା ପେଟି କଣ୍ଟ୍ରାକ୍ଟର ବିପିନ ପଟ୍ଟନାୟକର ମାଈ କୁତୀ ଯେଉଁ ତନିଟା ଛୁଆ ଦେଇଛି, ସେଗୁଡ଼ା ବିଦେଶୀ ବ୍ରିଡର । ଗୋଟା ପାଞ୍ଚହଜାର ଦର ହୋଇସାରିଲାଣି । ସାହି ଟୋକାଏ କହନ୍ତି ସେ କୁକୁରଗୁଡ଼ାକ ପୂରା ବିଦେଶୀ ନୁହେଁ । କାଳେ ବିଦେଶିନୀ କୁତୀ ଦେଶୀ କୁକୁରଙ୍କ ସହି ମିଶୁଥିଲା ।
ଦେଖ, ବିଦେଶୀ ଛାପ ଲାଗିଗଲା ବୋଲି କେମିତି ସେମାନେ ବାହାରକୁ ନଆସି ଘରେ ଭଦ୍ର ଭାବରେ ବସିଛନ୍ତି । ଆଉ ଏଗୁଡାକ! ହୁଁ, ପ୍ରକୃତି ନୈବ ମୁଚ୍ୟତେ! କେତେଟା ପିଲା ଖେଦିନେଲେ କୁକୁରଗୁଡ଼ାଙ୍କୁ । ଏଗୁଡ଼ାକ ଯେଉଁଠି ନାଇଁ ସେଠି ଜନ୍ମ ହୋଇ ବୁଲା କୁକୁର ବନିବେ । ନା ଜାତି ନା ଗୋତ୍ର ସବୁବେଳେ ଭୋ ଭୋ!
କେହି ପୁଣି କହିଲା- ଏ ଶିଶୁ ବିଷୟରେ ଆମେ କ’ଣ କରିବା! ଡାକ ପୁଲିସକୁ । ନହେଲେ ଇଏ ମରୁ ଏଇଠି! ଜନ୍ମ ହଉଥିଲା କାହିଁକି!
ଆଉ ଜଣେ କହିଲା- ଶଳା, ୟା’ର ବାପମା’ ଆରାମରେ ଘରେ ବସିଥିବେ ଆଉ ଆମେ ଏଠି…!
କଥାଟି ବି ସତ । ବିଦେଶୀ କୁକୁରକୁ ପାଞ୍ଚହଜାର ଦେଇ କିଣିଲେ ଖାନଦାନୀ ବଢ଼ିବ, ବଡ଼ ହୋଇ କୁକୁର ଘର ଜଗିବ! ଆଉ ଏ ପୁଣି ଝିଅଟିଏ । ହାତୀ ପୋଷିବା ଠାରୁ ଅଧିକା । ବହୁ ପରିବାରରେ ପୂଜାପାଠ, ଚିକିତ୍ସା, ଠୁଣୁକା କରି କରି ଛୁଆଟିଏ ମିଳୁନି, ହେଲେ ଦେଖ, ଏଇମିତି କେତେ ଛୁଆ ପ୍ରତିଦିନ ବାହାରେ ପଡ଼ୁଛନ୍ତି! ସବୁ ଦୋଷ ଏଇ ଛୁଆମାନଙ୍କର! ଜନ୍ମ ହେବୁ, ଜନ୍ମ ହେବୁ କହି କହି ଦୁନିଆକୁ ଡିଅାଁମାରିବାକୁ ବ୍ୟସ୍ତ! ଏ ଛୁଆଗୁଡାକ ଜନ୍ମ ହେବା ପାଇଁ ସିଜରିଆନ୍ ଦରକାର ପଡ଼େନା କି ଧାଈକୁ ଡକାଯାଏନା । ଏମାନେ ମା’ ପେଟରୁ ବାହାରି ଆସି ଖାଲି ଅପନ୍ତରାରେ ପଡ଼ିବାର ସ୍ୱପ୍ନ ଦେଖନ୍ତି!
ଖରା ଟିକେ ଟାଣୁଆ ହେଲାଣି । ଶିଶୁକନ୍ୟାଟି ହଠାତ୍ କାନ୍ଦିଉଠିଲା । ଏଡେ ଜୋରରେ ଯେ କୁକୁରମାନଙ୍କ ଭୁକିବା ବି ବନ୍ଦ ହୋଇଗଲା । ଭୋକ ଲାଗିଲାଣି କି କ’ଣ! ସେ କାନ୍ଦିଲାବେଳେ ତା’ ନାହିନାଡ଼ ପାଖରୁ ଛାତି ଯାଏ ଦୁହିଁ ହୋଇଯାଉଥିଲା । ସେ ଯେମିତି ଜୋରରେ ଚିକ୍ରାର କରି କହୁଥିଲା- ଏ ପୃଥିବୀରେ ମୋର ବି ଭାଗ ଅଛି । ଉଠାଅ ମୋତେ । ଖାଇବାକୁ ଦିଅ ।
କୁଅାଁରୀଏ ତାଙ୍କ ଆଗରେ ଠିଆ ହୋଇଥିବା ବାପା, ଦାଦା, ଭାଇ, ଦର୍ଶକମାନଙ୍କ ଫାଙ୍କ ଦେଇ ଶିଶୁଟିକୁ ଦେଖି ଜିଭ କାମୁଡ଼ି ପକାଉଥିଲେ । ଛିଃ ଛିଃ! ସେମାନଙ୍କୁ ଲାଗୁଥିଲା ଜନ୍ମ ହେବାମାତ୍ରେ ଶିଶୁଟି ସରମରେ ନିଜେ ମରିଯିବା କଥା!
ବାହା ହବା ଆଗରୁ ଛୁଆର ଜନ୍ମ! ଆମ ଘର ହୋଇଥିଲେ ତଣ୍ଟିଚିପି ମାରିଦେଇଥାନ୍ତେ । ଜଣେ କହିଲା ।
ଦେଖ୍ ସୁଲେଖା, ଭିକି ସହିତ ଗପୁଛୁ, ହ୍ୱାଟ୍ସଆପ କରୁଛୁ, ସେଯାଏ ଠିକ୍ । ଆଗକୁ ବଢ଼ିବୁନି ଆଗରେ ହେଇ ଏମିତିକା ଖାଲ ଆଉ ଖାଲ ।
ସୁଲେଖା ପ୍ରତିବାଦ କରି ପ୍ରୀତିକୁ କହିଲା- ମୋ କଥା ମୁଁ ବୁଝୁଛି । କଣ୍ଟ୍ରାସେଫ୍ଟିଭ ନଥିଲେ ତୋ କଥା କ’ଣ ହୋଇଥାନ୍ତା ତୁ ଭାବ ।
ଭିଡ଼ ଟିକେଟିକେ କମୁଥିଲା । ଭିଡ଼ ଭିତରୁ ବୁଢ଼ୀଟିଏ ବାହାରିଆସିଲା । କନ୍ୟା ଶିଶୁ ଆଡକୁ ଯାଉଥିବାର ଦେଖି ଦେଖଣାହାରି ଅଟକେଇ ଦେଲେ । ଆରେ, ହେ! କିଏ ତୁ! ଜନତା ପଚାରିଲା ।
ଇଏ ଟୁକୁନା ବିଶାଳର ମା’ ନୁହେଁ ତ! ଯାହାକୁ ଗାଁରେ ଏକୁଟିଆ ଛାଡ଼ି ଆସିଥିଲା! ସେ କ’ଣ ସହର ପଳେଇଆସିଛି କି! କିଏ ଇଏ? ପଠାଣ ଘରର ବୁଢ଼ୀ ଅମ୍ମି?
ବୁଢ଼ୀ ଟିକେ ଅଟକିଲା । କହିଲା- ଆରେ ମୋତେ ଯିବାକୁ ଦିଅ । ଦେଖେ ମୋ ଛୁଆଟା ବଞ୍ଚିଛି କି ନାହିଁ!
ଭୋକରେ କାନ୍ଦିକାନ୍ଦି ଶିଶୁକନ୍ୟାଟି ବେହାଲ ହୋଇ ହୋଇପଡ଼ିଥିଲା ନହେଲେ ମୂର୍ଚ୍ଛା ଯାଇଥିଲା । ଏକଥା ଲୋକଙ୍କ ନଜରକୁ ଆସୁନଥିଲା । ବୁଢ଼ୀ ଏଇ ଏଇ କରିଥିବା ଘୋଷଣା ସେମାନଙ୍କ ମଗଜକୁ ଚହଲେଇଦେଲା ।
ବୁଢ଼ୀ କ’ଣ କହିଲା! ତା’ ଛୁଆ!
ସମ୍ଭବ !
ଅସମ୍ଭବ! ସତୁରି ବର୍ଷ ବୟସରେ!!
କାଇଁ ଯଶୋଦା ବି ତ ବୁଢ଼ୀ ବୟସରେ କନ୍ୟାରତ୍ନ ଜନ୍ମ କରିଥିଲେ! କହିଲା ଜଣେ ।
ନା ମ ପୁରାଣ କଥା ସେସବୁ । ପୁରାଣରେ ସବୁ ସମ୍ଭବ ।
ବୁଢ଼ୀର ହାତ ଧରି ଟାଣିଆଣିଲା ଆଉଜଣେ । କହିଲା- କ’ଣ ତୋ ଇଚ୍ଛାରେ ।
ଆରେ ଚଣ୍ଡାଳମାନେ! ପିଲାଟା ବଞ୍ଚିଛି କି ନାହିଁ ଦେଖେ ।
କାହିଁକି? ତମେ ସେ ପିଲାର କ’ଣ କି! ସେ ମରୁ କି ବଞ୍ଚୁ ତମର କ’ଣ ଗଲା!
ଆରେ ହାରାମୀମାନେ! ମୁଁ ଜଣେ ମଣିଷ! ମୁଁ ଜଣେ ମା’ । ମା’ର ଛୁଆ ସହିତ କି ସଂପର୍କ ଥାଏରେ ଚଣ୍ଡାଳ! କହିଲା ବୁଢ଼ୀ ।
ଜନତା ତଥାପି ନାରାଜ ।
କହ ତୋର ଧର୍ମ କ’ଣ? ଜାତି କ’ଣ? ଠିକଣା କ’ଣ? ପଚାରିଲା ଜନତା ।
ହିନ୍ଦୁ?
ନାଃ କହିଲା ବୁଢ଼ୀ ।
ମୁସଲମାନ?
ନା । ବୁଢ଼ୀ କହିଲା । ମୁଁ ଖୀରସ୍ତାନ ବି ନୁହେଁ । ମୋର ଜନ୍ମ ଏଇମିତି ଅଳିଆ ଭିତରୁ । ହେଲେ, ମୁଁ ଦି’ଟା ଛୁଆ ଜନ୍ମ କରିଛି ।
ସାଙ୍ଗିଆ?
ବୁଢ଼ୀର ଇଚ୍ଛା ହେଉଥିଲା ସେ ଗୋଟାଏ ଲେଖାଏ ଚଟକଣି ମାରନ୍ତା ସେମାନଙ୍କ ଗାଲରେ । ହେଲେ, ସେ ସେପରି କରିପାରିବ ନାହିଁ । ହାତଯୋଡ଼ି ସେ ଅନୁରୋଧ କଲା- ମୋ ବଡ଼ପୁଅ ସଂସାରରେ ବକୁଟେ ଛୁଆ ଭଗବାନ ଦେଲେନି । ତା’ରି କୋଳକୁ ଏ ଛୁଆ ଟେକିଦେବି!
ମୁସଲମାନ ସଂପ୍ରଦାୟ ଆଡୁ ପାଟି ଶୁଭିଲା- ଆଲ୍ଲା ତ ବୁଢ଼ୀ କହିନି । କ’ଣ କହିଲା ନା ଭଗବାନ । ଆମେ ପରା ଜାଣୁ ଏପରି ପାପ କାମ ହିନ୍ଦୁମାନେ କରିପାରିବେ!
ଭିଡ଼ିଆସିଲେ ହିନ୍ଦୁ ଟୋକାଏ ।
ବଡ଼ ବଡ଼ କଥା କହିବ ତ ଦେଖିବ! ତମ ବାହାରିବା ରାସ୍ତା ବନ୍ଦ କରିଦବୁ । ମରିବ ତମ ବସ୍ତି ଭିତରେ ।
କୌନ ବନ୍ଦ କରେଗା! ତୁମ ଲୋଗ ଶଲେ! ସରକାରୀ ଜାଗାକୁ ମାଡ଼ିବସି ଅକ୍ତିଆର କରିଛ । କେତେଥର ନୋଟିସ୍ ହେଲାଣି?
କିଏ ସରକାର ବେ! ଯାଅ ତ ଏଥର !
ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ ଟୋକା ମୁହାଁମୁହିଁ ହୋଇଗଲେ ।
ଭାରତ ଧର୍ମନିରପେକ୍ଷତାରେ ଅଣନିଃଶ୍ୱାସୀ ହୋଇଉଠୁଥିଲା ।
ଫାଲ୍ତୁ କଥାରେ ସମୟ ନଷ୍ଟକରନା । କହିଲେ ଜଣେ ପୁରୁଖା ବ୍ୟକ୍ତି । ଏ ସମୟ ପୁରୁଣା ଝଗଡ଼ା ପାଇଁ ନୁହେଁ । ଏବେ ଆମ ମୁଣ୍ଡ ଉପରେ ଏ ଶିଶୁକନ୍ୟାର ବୋଝ ।
ହଁ ଠିକ୍ କଥା । ଜନତା ବୁଝିଗଲା ।
ଟୋକାଏ ବୁଢ଼ୀକୁ ଟାଣିଆଣି ସେମାନଙ୍କ ଧାଡ଼ିରେ ଠିଆ କରେଇଦେଲେ । କହିଲେ- ଏମିତି କ’ଣ ଛୁଆ ନେଇଯିବୁ ମାଉସୀ! ପୁଲିସ ବାନ୍ଧିନବ ! ଆଗେ ବଞ୍ଚିଯାଉ! ହେଲେ, କିଏ ଶୁଣିବ!
ମିଶନାରୀ ବାଲାଏ ବଡ଼ ଚାଲାକ । ହିନ୍ଦୁ କି ମୁସଲମାନ ଯାହାକୁ ନ ନେବେ ସେମାନେ ନେଇଯିବେ । ବ୍ୟକ୍ତିଗତ ଭାବରେ ସିନା ଶିଶୁକନ୍ୟାକୁ ନିଜର ବୋଲି ଦାବି କଲେ ଅପମାନ! ଧର୍ମନାମରେ ତ ଗ୍ରହଣ କରିହେବ । ଏହା ତାଙ୍କ ଧର୍ମକୁ ମହିମାନ୍ୱିତ କରିବା ଲୋକ ଆକୃଷ୍ଟ ହେବେ । ସେମାନଙ୍କ ଭିତରୁ ଜଣେ କହିଲା- ସମସ୍ତେ ଈଶ୍ୱରଙ୍କ ସନ୍ତାନ । ଇଏ ଶିଶୁକନ୍ୟା ବି । ଆମେ ୟାକୁ ଆମ ଅନାଥାଶ୍ରମକୁ ନେଇଯିବୁ ।
ତମେ ନେଇଯିବ! ଯଦି ଏ ଶିଶୁ ହିନ୍ଦୁ ହୋଇଥାଏ, ତେବେ?
ଯଦି ମୁସଲମାନ ହୋଇଥାଏ ତେବେ?
ତମେମାନେ ଭାବିଛ ଏମିତି ଫନ୍ଦିଫିକର କରି ସମସ୍ତଙ୍କୁ ଖୀରସ୍ତାନ କରିଦେବ! ସେ ଚାଲ୍ ଏଠି ଚଳିବ ନାହିଁ । ହିନ୍ଦୁ-ମୁସଲମାନ ଉଭୟେ କହିଲେ ।
ଶିଶୁକନ୍ୟାଟି ପୁଣିଥରେ କାନ୍ଦି ଉଠି ବଞ୍ଚିବାର ସବୁତ ଦେଲା । ଅଥଚ ଏଥରର କାନ୍ଦର ସ୍ୱର ଏତେଟା ତୀବ୍ର ନଥିଲା । ମା’ମାନଙ୍କ କାଖରେ ଭୋକିଲାଥିବା କିଛି ଛୁଆ ବି କାନ୍ଦିଉଠିଲେ । ଟିକିଏ ଉହାଡ଼କୁ ଯାଇ ମା’ମାନେ ସେମାନଙ୍କ ଛୁଆଟିମାନଙ୍କ ମୁହଁରେ ଥନ ଗୁଞ୍ଜିଦେଲେ ।
ଆଉ ଏ ଛୁଆ ବଞ୍ଚିବ ନାହିଁରେ ନରାଧମ! କହିଲା ବୁଢ଼ୀ । ପୁଲିସିକୁ ଖବର ଦିଅରେ! କେହି ମା’ ତା ମୁହଁରେ ଥନ ଦିଅରେ!
କେହି ବୁଢ଼ୀର ବାଉଳିଚାଉଳିକୁ ନଜର ଦେଲେନି ।
ଶିଶୁର ମା’ କ’ଣ ଦଶମାସ ଯାଏ ଜାଣିପାରିଲାନି ଯେ ତା’ ପେଟରେ ଛୁଆଟେ ଅଛି? ଜଣେ ପଚାରିଲା ।
ସେହି କଥା ତ! ଭଙ୍ଗେଇ ଆଣିପାରିଥାନ୍ତା! ଆଉ ଜଣେ କହିଲେ ।
ନାଇଁ ମ! ଆଜିକାଲି ସରକାର ଭାରି କଡ଼ା । ଡାକ୍ତର ପା’ ସାହସ କରୁନାହାନ୍ତି । କହିଲେ ଆଉ କିଏ ।
ଏତେ ବଟିକା, ଟିକା ବାହାରିଲା, ଫେର୍ ସେଇ ଛୁଆ ! ଆଶ୍ଚର୍ଯ୍ୟ ବ୍ୟକ୍ତ କଲେ ଆଉ ଜଣେ ।
ଏଇଟା ଗୋଟେ ପ୍ରକାର ଅପରିପକ୍ୱତା । ଶିକ୍ଷିତ ବେକାର ଜଣେ ମତବ୍ୟକ୍ତ କଲା ।
ସରକାର ଦି’ଟଙ୍କିଆ ଚାଉଳ ସ୍କିମ୍ କଲେ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହେଲା । କେତେ ଯୋଜନା । ଗୋଟେ ଯୋଜନା କ’ଣ ଏପରି ଶିଶୁମାନଙ୍କ ପାଇଁ ସରକାର କରିପାରନ୍ତେନି! ଅଠର କି କୋଡ଼ିଏ ବର୍ଷ ପରେ ଏହି ଶିଶୁମାନେ ବଢ଼ି ଭୋଟର ହୋଇଯାଇଥିବେ ଆଉ ଏମାନଙ୍କ ସଂଖ୍ୟା ଏତେ ଅଧିକ ହୋଇଯାଇଥିବ ଯେ ଏମାନେ ନିଜ ବଳରେ ସରକାରକୁ ଜିତେଇ ପାରିବେ । ଥଟ୍ଟାଳିଆ ସ୍ୱର ଶୁଭିଲା ।
ଫୋ.ଶି.ସ? ପ୍ରଶ୍ନ ଆସିଲା ।
ଫୋପଡ଼ା ଶିଶୁ ସନ୍ତାନ! କହିଲେ ପ୍ରଶ୍ନ କର୍ତ୍ତା ।
ହାସ୍ୟରୋଳ କିଛି ସମୟ ଶିଶୁକନ୍ୟାଟିର ଅସ୍ତିତ୍ୱକୁ କମ୍ କରିଦେଲା ।
କିଏ ଜଣେ କିଛି ଫୁସ୍ଫୁସେଇଲା କାହା କାନରେ- ତମେମାନେ ପରା ବିଶ୍ୱାସ କରିବନି । ଆମ ଘରକୁ ତାଙ୍କ ଘର ଲାଗିଛି ପରା!
ହଁ । ତମେ କ’ଣ ଦେଖିଛ? ଉତ୍ସାହୀ ପ୍ରଶ୍ନକର୍ତ୍ତା କହିଲେ ।
ଦେଖିବ କ’ଣ ହୋ । ସେ ଘରେ ଫୁଟଣ ଫୁଟିଲେ ମୋ ଘରକୁ ବାସ୍ନା ପରା । ସୂତ୍ରଧର କହିଲା ।
ତା’ହେଲେ ଦେଖିନାହଁ! କ’ଣ ଶୁଣିଛ?
ଭାଇ, ରାତି ବାରଟା ହବ । ତାଙ୍କ ଘରୁ ଶୂଳ ସମୟର ଶବ୍ଦ ଶୁଭୁଥାଏ । କିଛି ସମୟ ପରେ ଛୁଆର କୁଅାଁକୁଅାଁ! ମୁଁ ନିଜେ ଶୁଣିଛି ।
ସେଇଠୁ?
ତା’ପରେ ତ କବାଟ ଖୋଲିଲା । ଘଣ୍ଟାଏ ପରେ ପୁଣି ବନ୍ଦ!
ମଦନ ଭାର୍ଯ୍ୟାର ଜଳୋଦରୀ ରୋଗ କଥା ମିଛ! ସେ ପ୍ରକୃତରେ ପେଟରେ ହୋଇଥିଲା!! ପଚାରିଲା ଉତ୍ସାହୀ ଲୋକ ଜଣେ । ତା’ ମନ୍ତବ୍ୟରୁ ଲାଗୁଥିଲା ଯେ ସେ ଏପରି ଗୋଟିଏ ଗୁପ୍ତ ଅନ୍ୱେଷଣରେ ଅଂଶୀଦାର ହୋଇପାରିନଥିବାରୁ ମର୍ମାହତ!
ମଦନ ଘରକୁ ତା’ ଭାଇ ନେଖାର ଟୋକାଟେ ଆସେନି! ଦେଖିନ? ମଦନ ଗଲା ପରେ ତ…! ମଦନ ମା’କୁ ଦୁଶୁଛି ନା ଶୁଭୁଛି! କଞ୍ଚା ବୟସରେ ବୋହୂ କି ପାପ କରୁଛି ସେ କେମିତି ଜାଣିବ! ଆମେ ଦେଖୁଛୁ ତ ଜାଣୁଛୁ! ସୂତ୍ରଧର କହିଲା ।
ତ, ଏ ଛୁଆ ତା’ହେଲେ ମଦନ ଭାର୍ଯ୍ୟାର! ଅର୍ବାଚୀନ ଶ୍ରୋତା ପ୍ରଶ୍ନ କଲା ।
ତୋର ନହୋଇଥିବ କାହିଁକି! ଏ ଅଞ୍ଚଳରେ ଖାଲି କ’ଣ ଜଣେ ମଦନ ଭାର୍ଯ୍ୟା ଅଛି! ସବଳ ଦିଶୁଥିବା ଟୋକାଟି କହିଲା ।
ନାଇଁ ମ! ଅନ୍ୟ ଧର୍ମର ପିଲାଙ୍କ ମୁହଁ ପରି ଦିଶୁଛି! ମୁଁ ବେଟ୍ ମାରି କହୁଛି । ରକ୍ତ ପରୀକ୍ଷା କର । ବଳେ ଜାଣିବନି! ଶ୍ରୀରାମ ଦଳର ସଦସ୍ୟ କହିଲା ।
ରକ୍ତ ପରୀକ୍ଷାରୁ ଧର୍ମ ଜଣାପଡ଼େ! ହୋ ବାବୁ ରକ୍ତ ଏ, ବି କି ଓ ହୋଇଥାଏ । ହିନ୍ଦୁ, ମୁସଲମାନ କି ଖୀରସ୍ତାନ ନୁହେଁ! ସ୍ତାନୀୟ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍ କରିଥିବା ଯୁବକ ଉତ୍ତର ଦେଲା ।
ମୋତେ ପାଠ ପଢ଼ାନାରେ ଘୁସ୍ ପଣ୍ଡିତ । ରକ୍ତ ଶୁଂଘିଲା ମାତ୍ରେ ମୁଁ କହିଦେବି! ଶ୍ରୀରାମ ଦଳର ସଦସ୍ୟ ମନ୍ତବ୍ୟ ଦେଲା । ଆମ ରକ୍ତର ଗୋଟେ ଅଲଗା ପ୍ରକାର ବାସ୍ନା ଅଛି! ସେମିତି ହୋଇନଥିଲେ ଆମ ଦେବୀଦେବତା ମଣିଷର ରକ୍ତ ପିଅନ୍ତେ ନାହିଁ ।
ତୁଳସୀପତ୍ର ବାସ୍ନା! ଥଟ୍ଟାର ସ୍ୱର ଶୁଭିଲା ।
ଭିଡ଼ ଭିତରୁ କେହି ଜଣେ ପାଟିକଲା- ପିଲାଟା ମରିଗଲା ବୋଧେ! ସୋରଶବ୍ଦ ନାହିଁ!
ମରିଗଲା? ଆହା!
ମଣିଷର ଶିଶୁ, ଦେବତାର ସନ୍ତାନ!
ଆମରି ଆଗରେ ମରିଗଲା!
ଆମେ କେହି କିଛି କରିପାରିଲେନି! କୁଆଡ଼େ ଗଲା ଆମ ମଣିଷପଣିଆ! ଶିଶୁ ପାଖରେ ଧର୍ମ କଣରେ!
ଆହା! ଆହା! ନିଷ୍ପାପ ଛୁଆ । ନାଲି ଟୁକୁଟୁକୁ ଓଠ!
ହିନ୍ଦୁଏ ମୁସଲମାନଙ୍କୁ, ମୁସଲମାନମାନେ ଖୀରସ୍ତାନଙ୍କୁ ଦୋଷଦେବା ଆରମ୍ଭ ହୋଇଗଲା । ଯେମିତି ଏଠି ଗୋଟାଏ ଶିଶୁ ଏତେ ସମୟ ହେଲା ପଡ଼ିଛି କେହି ଦେଖିନାହାନ୍ତି । ଯେମିତି ଏମାନେ ପହଞ୍ଚିବା ପୂର୍ବରୁ ଶିଶୁଟି ମରିଯାଇଥିଲା!
ଦୁଗ୍ଧବତୀ ମା’ମାନେ କାନ୍ଦି ପକାଇଲେ । କୁଅାଁରୀଏ ଡରିଗଲେ । ଟୋକାଏ ରାଗିଗଲେ । ଧର୍ମ ପ୍ରଚାରକମାନେ ଛଳନାମୟ ହୋଇଗଲେ ।
ବୁଢ଼ୀଟିର ହାତକୁ ମୁଠେଇ ଧରିଥିବା ଟୋକା ଦୁଇଜଣ ହାତକୁ କୋହଳ କରିଦେଲେ । ବୁଢ଼ୀ ଏହି ଶିଶୁଟି ଆଡକୁ ଧାଇଁଯିବାକୁ ବସିଛି ଶିଶୁକନ୍ୟାଟି ପୁଣି ଥରେ କାନ୍ଦିଉଠିଲା । କାନ୍ଦ ତ ନୁହେଁ, ଯେମିତି ପ୍ରାଗ୍ ଐତିହାସିକ ଯୁଗର ମଣିଷର ପ୍ରଥମ ଚିକ୍ରାର! ସମସ୍ତଙ୍କ ଅଲକ୍ଷ୍ୟରେ ଶିଶୁଟିକୁ ଶୁଂଘୁଥିବା ବୁଲାକୁକୁର କେତେଟା ଡରରେ ଜନତାମାନଙ୍କ ଆଡକୁ ଧାଇଁଆସିଲେ ।
ଆରେ ବଞ୍ଚିଛିରେ!
ଏ ଛୁଆଗୁଡ଼ାକଙ୍କର ମରିବାର ଥିଲେ ମା’ ପେଟରୁ ମରିନଥାନ୍ତେ! ରାତିସାରା ଏଇଠି ପଡ଼ି ଏବେ ବି ବଞ୍ଚିଛି ।
ଶଃ! ଆମ ଛୁଆଗୁଡ଼ାଙ୍କୁ ଘଣ୍ଟ ଘୋଡ଼େଇ ରଖିଲା ପରେ ବି ଆଜି ଥଣ୍ଡା ତ କାଲି ଜର! ଭଲଘର ଛୁଆଗୁଡ଼ାକ ବେଶୀ ମରୁଛନ୍ତି! ଏଗୁଡ଼ାକ କିନ୍ତୁ ଅମର !
ହେବେନି! ସଂସାରରେ ପାପ ଭାର ବଢ଼ିବା ଦରକାର । ନହେଲେ ପ୍ରଳୟ ହେବ କେମିତି!
ଏହି ସମୟରେ ଧଳା ରଙ୍ଗ ଉପରେ କଳାର ଗୋଲଗୋଲ ଦାଗଥିବା ଦୁଇଟା ଛୁଆ କୁକୁର ସେଇଠି ପହଞ୍ଚିଗଲେ ।
ବିପିନ ପଟ୍ଟନାୟକର କୁକୁର! ବିପିନ ପଟ୍ଟନାୟକର?
ନାଇଁ ମ! ତା’ କୁକୁର ପିଲିଙ୍କ ଦେହରେ କଳାଚିହ୍ନ ନାହିଁ!
ଇଏ ତ ଦେଶୀ ପରି ଲାଗୁନାହାଁନ୍ତି! ମିକ୍ସଡ୍!
ଏଇ କଥା ପଦିଏ ସମବେତ ଲୋକଙ୍କ ଭିତରେ ଗୋଟେ ପ୍ରକାର ହଇଚଇ ଆଣିଦେଲା । ମିକ୍ସଡ! ମାନେ ଦେଶୀ- ବିଦେଶୀ ମିଶା! ଏପରି କୁକୁର ସହରରେ ବିକିଦେଲେ ଗୋଟା ପାଞ୍ଚହଜାର । ନହେଲା ନାଇଁ, ପାଖରେ ତ ରଖିଦେବ । ଲୋକଙ୍କ ମନରୁ ଧୀରେ ଧୀରେ ଶିଶୁକନ୍ୟାର ଅସ୍ତିତ୍ୱ ଲୋପ ପାଉଥିଲା ।
ପଠାଣପଡ଼ାର ଲୋକେ ଦାବି କଲେ ଯେ ଏ କୁକୁର ଛୁଆ ତାଙ୍କର । ପଡ଼ାର ଲିୟାକତ୍ ମିଅାଁ ସହରରୁ ଗୋଟେ ଏହି ବ୍ରିଡର ଅଣ୍ଡିରା କୁକୁର ଆଣି ପାଳିଛି । ଇଏ ତା’ରି ଛୁଆ!
ହୋଇପାରେ । କହିଲା ହିନ୍ଦୁ ଯୁବକ ଜଣେ । ହେଲେ ଯେଉଁ ମାଈ କୁକୁର ସାଙ୍ଗରେ ସେ ବୁଲୁଥିଲା ସେଇଟା ଆମ ବସ୍ତିର । ଏଣୁ, ଏ କୁକୁର ସବୁ ଆମର ।
ଆହାରେ! ଚିଡେଇବା ପରି ଲିୟାକତ କହିଲା । ବାପ ଅନୁସାରେ ଛୁଆ ନା ମା’ ଅନୁସାରେ! ଏ କୁକୁରଛୁଆ ଆମର ।
ହୋଇପାରିବନି । ବାପ ଯିଏ ହେଇଥାଉ! କୁତୀଟା କିଛିଦିନ ହେବ ଛୁଆଙ୍କୁ ନେଇ କୁଆଡ଼େ ପଳେଇଥିଲା । ଆମେ କେତେ ଖୋଜିଛୁ!
ଭଲକଥା କରୁନ ତମେମାନେ । ଏଠି କ’ଣ ନାଇଁ କଣ ହୋଇଯିବ । ଲିୟାକତ ଧମକ ଦେଲା ।
ଓହୋ, ଆମେ ତ ହାତରେ ଚୁଡ଼ି ପିନ୍ଧି ବସିଛୁ ନା! ରକ୍ତର ନଈ ବୁହାଇଦେବୁ । ହିନ୍ଦୁ ଯୁବକ ଏତକ କହିଲାବେଳକୁ ସମ୍ମିଳିତ ସ୍ୱର ଶୁଭିଲା- ଜୟ, ଶ୍ରୀରାମ ଚନ୍ଦ୍ର କି ଜୟ । ସିୟା ପତି ରଘୁବୀର କି ଜୟ!
କୁକୁରମାନଙ୍କ ପାଖରେ ଲଭ୍ ଜେହାଦ କ’ଣ ଦେଖାଯାଏ! ପୁଅ ପଠାଣ ଆଉ ଝିଅ ହିନ୍ଦୁ ହେଲେ ଆହୁରି ଭଲ” ଆଉ କଥାଟିଏ ଯେ ହିନ୍ଦୁ ବସ୍ତିରେ ରହୁଥିବା ହିନ୍ଦୁ ମାଈକୁକୁରର ଇଏ ବି ତ ସବୁ ଅବୈଧ ସନ୍ତାନ! ଅବୈଧମାନଙ୍କୁ ପରା ଏହି ଶିଶୁକନ୍ୟା ପରି ଅଳିଆରେ ଫୋପାଡ଼ି ଦିଆଯାଏ! ତେବେ, ଏଠି ଏ ଅବୈଧ ଛୁଆଙ୍କୁ ନେବା ପାଇଁ ଏ ଯୁଦ୍ଧ କାହିଁକି! ମଣିଷ ପିଲାଟେ କୁକୁର ପିଲାଠୁ ବି ହୀନ!
ଏପରି ପ୍ରଶ୍ନର ଉତ୍ତର ଧର୍ମ ଆଉ ସମାଜ ପାଖରେ କେତେବେଳେ ନଥାଏ । ଏବେବି ନଥିଲା ।
ଗୋଡ଼ାଗୋଡ଼ି ଭିତରେ କୁକୁର ଛୁଆମାନେ କାହା ପାଦ ତଳେ ପଶି ଧାଇଁବାକୁ ଆରମ୍ଭ କରିଦେଲେ । ଜନତା ଛତ୍ରଭଙ୍ଗ ଦେଲା । କିଛି ସମୟ ପରେ ପ୍ରାୟ ଜନତା ସେହି ଦଶହଜାର ବର୍ଗଫୁଟ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ । ଆଗେ ଆଗେ କୁକୁର, ପଛେ ପଛେ ମଣିଷ ।
ଏଥର ବୁଢ଼ୀଟି ଶିଶୁକନ୍ୟା ପାଖକୁ ଗଲା । ତା’ର ନରମ ଦେହକୁ ଦୁଇହାତରେ ତୋଳି ଆଣିଲା । ଅଚାନକ ବୁଢ଼ୀର ପାପୁଲି ତଳୁ ଭାଙ୍ଗିପଡ଼ିଲା ଶିଶୁକନ୍ୟାର ବେକ!
କିଛି ଖୀରସ୍ତାନ ଧାଇଁ ଆସୁଥିଲେ । ବୁଢ଼ୀ ଶିଶୁଟିକୁ ଛାତିରେ ଚାପିଧରି ଜୋରରେ ଧାଇଁବାକୁ ଲାଗିଲା । ସେ ଜାଣିଥିଲା ଯେ ଏହି ଉନ୍ମତ୍ତ ଲୋକଗୁଡ଼ାକ ଫେରିଆସିଲେ ଶେଷକୃତ୍ୟର ପରମ୍ପରାକୁ ନେଇ ପୁଣି ଝଗଡ଼ାରେ ଲାଗିବେ!
ବୁଢ଼ୀ ଧାଉଁଥିଲା । ତା’ ପିନ୍ଧାବସନ ଖସିପଡ଼ିଥିଲା ଦେହରୁ । ପଛରୁ କୁକୁରମାନେ ଭୁକୁଥିଲେ । ବୁଢ଼ୀର ଅସାଡ଼ ସ୍ତନରେ ଗୁଞ୍ଜି ଯାଇଥିଲା ଶିଶୁକନ୍ୟାର ମୁହଁ ।
ସେ ଚୁଁ ଚୁଁ କରି ସ୍ତନ୍ୟପାନ କରୁଥିଲା ଏବଂ ଯେତେବେଳେ ପେଟ ପୂରିଗଲା ପୁଚୁକାଏ କ୍ଷୀର ତା’ ପାଟିରୁ ବାହାରିଆସିଲା । ସେ ଗୋଟାଏ ବଡ଼ ହାକୁଟି ମାରିଲା । ସେ କହିଲା- ମା’ ଲୋ! ମୋତେ ଏବେ ଛାଡ଼ି ଦେ । ମୁଁ କୁକୁରଛୁଆ ହେବି!
କିଛିବାଟ ପରେ ବୁଢ଼ୀ ଗୋଟିଏ କଟା ତାଳଗଛ ପରି ପଡ଼ିଲା ବାଞ୍ଝ ପଡ଼ିଆ ଉପରେ । ଜଙ୍ଗଲ ଭିତରୁ ଯୁଦ୍ଧର ଶବ୍ଦ ଶୁଭୁଥିଲା ।