ସେ ଶାଳୀ କଥା କହନା । ତୁମେ ଯେଉଁଠି ଯେଉଁ ଖାଦ୍ୟ ଯେଉଁ ଅବସ୍ଥାରେ ରଖିଥାଅ ନା କାହିଁକି? କୁକୁରୀଟି ତା’ର ବାସ୍ନା ପାଇଯିବ ଏବଂ ଅତ୍ୟନ୍ତ କୌଶଳକ୍ରମେ ବା ସନ୍ତର୍ପଣରେ ସେ ଆସି ସେତକ ଚଳୁକରି ଦେବ ପୋଛାପୋଛି କଲାଭଳି । ତା’ର ଏଇ ଧୃତ ଆଚରଣର ତୁମେ ଟେର ପାଇବ ନାହିଁ । ଗାଁରେ ଆମର ସବୁ ପରିବାରକୁ ସେ ଏମିତି ଚିତାକାଟି ଦେଇଛି । ନହେଲେ ହାଣ୍ଡିଛୁଆଁ କରିଛି ।ମୋତେ ଖୁବ୍ ହସ ଲାଗିଲା । ଭୋକିଲା କୁକୁରୀଟିର ଏଇ ମାନବୀୟ ଆଚରଣ ମତେ ଖୁବ୍ ସ୍ୱଭାବିକ ମନେହେଲା । ତା’ର ଯେଉଁ ଅନ୍ୟ ଆଚରଣଟି ଥିଲା ସେଇଟି ତା’ର ନଷ୍ଟ ଚରିତ୍ର । ମଣିଷ ଯେ କୁକୁରୀର ଚରିତ୍ର ଖୋଜିଲାଣି ତା’ ବିସ୍ମୟକର ଲାଗୁଥିଲା ।
ଜନାଦେଶ ହୋଇଥିଲା- କୁକୁରୀଟିକୁ ମାରିଦିଆଯାଉ ।
ଅବଶ୍ୟ ଏହାର କାରଣ ଥିଲା, ଅତ୍ୟନ୍ତ ବିରକ୍ତିକର ଓ ଦୁଃଖଦ । ସମସ୍ତେ ପ୍ରାୟ କୁକୁରୀଟିର ଆଚରଣରେ ଅତିଷ୍ଠ ହୋଇପଡ଼ିଥିଲେ । ଏପରିକି ତାକୁ ଦେଖିଦେଲେ ଗୋଟାଏ ଅଶୁଭ ଶକୁନ ବୋଲି ମନେ କରୁଥିଲେ । ତାକୁ ଦେଖୁଦେଖୁ ପିଲାମାନେ ଉନ୍ମତ୍ତ ହୋଇ ଉଠୁଥିଲେ । ହାତରେ କାହାର ଠେଙ୍ଗାଟିଏ ଥିଲେ ତାକୁ ପିଟି ଦେଉଥିଲେ । ଟେଳାଟିଏ ଥିଲେ ଫୋପାଡ଼ି ଦେଉଥିଲେ ନହେଲେ ‘ଧୋ’ ଧୋ’ କରୁଥିଲେ । ଏଇ ନିଦେ୍ର୍ଦଶରେ ବୁଲାକୁକୁର ମାନେ ଝପଟି ଆସି କୁକୁରୀଟିର ପଛରେ ଲାଗିଯାଉଥିଲେ ।
କୁକୁରୀଟି ଏଥର ଆତ୍ମରକ୍ଷା ପାଇଁ ଏକମୁହାଁ ହୋଇ ଧାଉଁଥିଲା ଏବଂ ଏକ ସମ୍ଭାବ୍ୟ ନିରାପଦ ସ୍ଥାନରେ ବୁଲିପଡ଼ି ଠିଆ ହୋଇଯାଉଥିଲା ପ୍ରତି ଆକ୍ରମଣର ଢଙ୍ଗରେ । ଆକ୍ରମଣକାରୀ ଦଳଟି ସମ୍ଭବତଃ ଏଇ ଅବସ୍ଥାକୁ ଆକଳନ କରିପାରୁନଥିଲେ । ସେମାନେ ତଟସ୍ଥ ହୋଇ ଆଶଙ୍କାରେ ଠିଆ ହୋଇଯାଆନ୍ତି ଏବଂ ଭୁକିବାକୁ ଲାଗନ୍ତି । ଏତିକି ବେଳେ ଆଉ ପଞ୍ଝାଏ ଅଘୋରୀ ପିଲା ଜମି ଯାଉଥିଲେ । କୁକୁରୀଟିକୁ ମିଳିତ ଭାବେ ଆକ୍ରମଣ କରୁଥିଲେ । ହୋହଲ୍ଲା କରି କୁକୁରୀଟି ଉପରକୁ ଟେକା ଫୋପାଡ଼ୁଥିଲେ । ଏହାଥିଲା ତାଙ୍କର ମିଳିତ ଆକ୍ରମଣ । ଏଇ ବିସ୍ତୀର୍ଣ୍ଣ କ୍ଷେତ୍ରରୁ କୁକୁରୀଟି ନିଜର ଆତ୍ମରକ୍ଷା କୌଶଳ ପାଇଯାଉଥିଲା ।
ଏଇଠି ହିଁ ଘଟଣାଟିର ସାମୟିକ ବିରତି ଘଟୁଥିଲା । ପରବର୍ତ୍ତୀ ଅବସ୍ଥାରେ ଯେଉଁଠି ଯେତେବେଳେ କୁକୁରୀଟି ସାମ୍ନାକୁ ଆସିଯାଉଥିଲା, ସେତେବେଳେ ଆକ୍ରମଣକାରୀମାନେ ନିଜକୁ ସଂଗଠିତ କରି ନେଉଥିଲେ । ଏହାର ଫଳ ହେଉଥିଲା କୁକୁରୀଟି ଆତ୍ମରକ୍ଷାର କୌଶଳରେ ସେ ଅଧିକ ଧୁରୀଣ ଓ ପାରଙ୍ଗମ ହୋଇଉଠୁଥିଲା । ସର୍ବଦା ସତର୍କ ରହୁଥିଲା ।
ତା’ର ଅନୁସରଣ କରୁଥିବା ମୃତୁ୍ୟର ଆକାର ଓ ଅପ୍ରତ୍ୟାଶିତ ରୂପରେଖ । ତଥାପି ଗୋଟିଏ ପ୍ରକାରର ଜୀବନଧାରା ତା’ର ଥିଲା ଅବ୍ୟବହିତ । ସେ ଧାରାରୁ ସେ ଆଦୌ ଓହ୍ଲାଉନଥିଲା । ସାଇର ଲୋକମାନେ ଥିଲେ ବିଭାଜିତ । ଦୁଇଟି କାରଣରୁ କୁକୁରୀଟି ପ୍ରତି ଥିଲେ ଖୁବ୍ ନିଷ୍ଠୁର । କୁକୁରୀଟିର ଥିଲା ନୀଚ ପ୍ରକୃତି ଓ ସ୍ୱଭାବ । ଯାହାକି ସାହିଲୋକମାନେ ଆଦୌ ପସନ୍ଦ କରୁନଥିଲେ ।
କୁକୁରୀଟିକୁ ସେମାନେ ଚୋରଣୀ ବୋଲି କହୁଥିଲେ । ପ୍ରଥମଥର ପାଇଁ ଏଭଳି ଏକ ମାନବୀୟ କ୍ରିୟାକୁ କୁକୁର ସହିତ ସଂଯୋଗିତ କରି ନିଜର ରାଗ, ବିରକ୍ତି, କ୍ରୋଧକୁ ରୂପାୟିତ କରୁଥିଲେ । ନିଜକୁ ଶାନ୍ତ ଓ ସ୍ଥିର କରିବାର କୌଶଳ ନିଜେ ବୁଝିପାରିନଥିଲେ । ତା’ ମୋତେ ଚକିତ କରିଦେଇଥିଲା । ପରେ ଯେତେବେଳେ ଜାଣିଲି- ବିରାଡ଼ି, ପାତି, ମୂଷିକ, କୁକୁର ପ୍ରଭୃତି ଜୀବମାନଙ୍କୁ ବି ଏଭଳି ଏକ ବିଶେଷଣରେ ପରିଚିତ କରାଯାଇପାରେ ଏହା ମୋ’ ଭିତରେ ଅବଦମିତ କୌତୂହଳ ସୃଷ୍ଟି କରିଥିଲା ।
“ସେ ଶାଳୀ କଥା କହନା ।” ତୁମେ ଯେଉଁଠି ଯେଉଁ ଖାଦ୍ୟ ଯେଉଁ ଅବସ୍ଥାରେ ରଖିଥାଅ ନା କାହିଁକି? କୁକୁରୀଟି ତା’ର ବାସ୍ନା ପାଇଯିବ ଏବଂ ଅତ୍ୟନ୍ତ କୌଶଳକ୍ରମେ ବା ସନ୍ତର୍ପଣରେ ସେ ଆସି ସେତକ ଚଳୁକରି ଦେବ ପୋଛାପୋଛି କଲାଭଳି । ତା’ର ଏଇ ଧୃତ ଆଚରଣର ତୁମେ ଟେର ପାଇବ ନାହିଁ । ଗାଁରେ ଆମର ସବୁ ପରିବାରକୁ ସେ ଏମିତି ଚିତାକାଟି ଦେଇଛି । ନହେଲେ ହାଣ୍ଡିଛୁଆଁ କରିଛି ।
ମୋତେ ଖୁବ୍ ହସ ଲାଗିଲା । ଭୋକିଲା କୁକୁରୀଟିର ଏଇ ମାନବୀୟ ଆଚରଣ ମତେ ଖୁବ୍ ସ୍ୱାଭାବିକ ମନେହେଲା । ତା’ର ଯେଉଁ ଅନ୍ୟ ଆଚରଣଟି ଥିଲା ସେଇଟି ତା’ର ନଷ୍ଟ ଚରିତ୍ର । ମଣିଷ ଯେ କୁକୁରୀର ଚରିତ୍ର ଖୋଜିଲାଣି ତା’ ବିସ୍ମୟକର ଲାଗୁଥିଲା ।
ସେମାନେ ଦେଖୁଥିଲେ, ପଞ୍ଝାଏ କୁକୁର ସହ କୁକୁରୀଟି ସବୁବେଳେ ନଟପଟ ହେଉଛି । ଏତେ ଦେହଖୋରୀ ଯେ ତାକୁ କ୍ୟାନସର ହୋଇଗଲାଣି କି କ’ଣ?ତାକୁ ଏବେ ଦେଖିଲେ ଦେହ ଉଲ୍ସି ଉଠୁଛି ଭୟ ବି ଲାଗୁଛି । ଦେଖନା ତା’ ଦେହରୁ ଲୋମ ସବୁ ଝଡ଼ି ପଡ଼ିଲାଣି । ଭୟଙ୍କର କୁତ୍ସିତ ଦିଶୁଛି ।
ଛି, ଛି, ଇ’ମା ।
ସେଥିରେ କ’ଣ କମ୍ ପାଦୁର୍ଭାବ ତାର ।
ମରିଗଲେ । ରକ୍ଷା ପାଇଯାଆନ୍ତା ମଣିଷ!
ଶାଳୀଟା କ’ଣ ମରୁଛି! ଦୁନିଆଯାକର ସେ ଏମିତି ରୋଗୀ କରି ଛଟପଟ କରିବ, ଯାଇ ମରିବ । ଆମେ ତାକୁ ଯେମିତି ହେଲେ, ମାରିଦେବୁ ନା! ଏଇ ଦେଖ ସଇତାନ ନାଁ ଧରିଲା ବେଳକୁ ସେ ଆସି ପହଞ୍ଚିଗଲା ।
ଆମେ ସମସ୍ତେ ତତ୍କ୍ଷଣାତ ମୁହଁ ବୁଲେଇ ଚାହିଁଲୁ ସେ ନିର୍ଦ୍ଦେଶିତ ଦିଗକୁ ।
ମୁଁ ଦେଖିଲି, ସେ ଭୟାତୁର ଦୁର୍ବଳ ରୁଗ୍ଣ କୁକୁରୀଟିଏ । ଆତଙ୍କ ଜଳଜଳ ହୋଇ ବାଡ଼କଡ଼ରେ ନିଜକୁ ଯେପରି ଅଦୃଶ୍ୟ କରି ଠିଆ ହୋଇଛି । ତାକୁ ଯେପରି ଦେଖିପାରିଲେ ସେମାନେ । ହଠାତ୍ ଆରମ୍ଭ ହୋଇଗଲା ଆକ୍ରମଣର ସିଲ୍ସିଲା ।
ନିଜକୁ ଠିକ୍ ଧରିପାରୁନଥିବା ଦୁର୍ବଳ ରୁଗ୍ଣ ଛୋଟି କୁକୁରୀଟି ତା’ର ବାହାରି ଆସିଥିବା ତା’ର ଦଲ୍ଦଲ୍ ଘା’କୁ ଧରି ବୁଲିପଡ଼ିଲା ଆକୁଳ ବିକଳ ହୋଇ । ଉଭାନ ହେଇଯିବାର ବାଟ ଖୋଜିଲା । ତା’ ଆଗରେ ଯେପରି ସେଭଳି କିଛି ବାଟ ନଥିଲା । ଯାହା ଥିଲା ସେଇ ପୁରୁଣା ଗଳିକନ୍ଦିର ବାଟ ।ଯେଉଁଠି ଆକ୍ରମଣକାରୀମାନେ ମହଜୁଦ ଥିଲେ ରକ୍ତମୁଖା ହୋଇ ।
ସେ ବାଟ ପାଉନଥିଲା, କୁଆଡ଼େ ବା ଯିବ! କେଉଁଠି ତାକୁ ନିସ୍ତାର ମିଳିବ ? ଜୀବନ ବଞ୍ଚିଯିବ । ମୁହୂର୍ତ୍ତକ ପାଇଁ ତା’ ଭିତରେ ଗୋଟାଏ ଉପାୟର ଝଲକ ଖେଳିଗଲା । ଆତ୍ମସମର୍ପଣରେ ପଥ ଥିଲା ସେ ଉପାୟଟି । କିନ୍ତୁ କୁକୁରୀଟି ତା’ ଉପରେ ଆସ୍ଥା କରିପାରିଲା ନାହିଁ । ଏ ନିଷ୍ଠୁର ଏକମୁଖୀ ଆକ୍ରମଣକାରୀମାନେ କେବଳ ତା’ର ମୃତୁ୍ୟ ଚାହାଁନ୍ତି । ସେମାନଙ୍କ ପାଖରେ ନିଜକୁ ସମର୍ପଣ କରିଦେବା ବା ଶରଣ ପଶିବାର ଅର୍ଥ କିଛି ନାହିଁ । ସେମାନେ କେବଳ ମାରିଦେବେ । ମରିଯିବା ପୂର୍ବରୁ ବଞ୍ଚିବାର ଶେଷ ପ୍ରୟାସ ଏଥର କୁକୁରୀଟି କଲା ।
ସେ ଆଉ ଠିକ୍ ଭାବରେ ଦୌଡ଼ି ପାରୁନଥାଏ । ତା’ର ପଛଗୋଡ଼ ଦୁଇଟା ଅବଶ ହୋଇପଡ଼ୁଥାଏ । ତା’ର ଗର୍ଭଦ୍ୱାରର ସେ ଘା’ଟି ବାହାରି ପଡ଼ି ତା’ର ସକଳ ଗତିକୁ ଯେପରି ଯନ୍ତ୍ରଣାମୟ କରି ଦେଇ ଛନ୍ଦି ଦେଉଥାଏ । ସେ କାତର ଭାବେ କାନ୍ଦି ଉଠିଲା । ଶେଷଥର ପାଇଁ ନିଜକୁ ସାଉଁଟି ଧରି ବାଡ଼ କନ୍ଦିରେ ଗଳିଯାଇ ରାସ୍ତା ଉପରକୁ ଉଠିଯିବାକୁ ଚେଷ୍ଟା କଲା ଏବଂ ଦେଖିଲା ତା’ ଜୀବନ ପାଇଁ ଆଉ ସମୟ ନାହିଁ । ଆଗରୁ ଛୁଟି ଆସୁଥିବା କାର୍ଟିଏ ହଠାତ୍ ତା’ ଉପରେ ମାଡ଼ିଗଲା ।
ଆକ୍ରମଣକାରୀମାନେ ନିର୍ବାକ ସ୍ତବ୍ଧ ହୋଇଗଲେ । ସେମାନଙ୍କ ଛାତିରୁ ଯେପରି ଅତଡ଼ା ଖସିପଡ଼ିଲା । ସେମାନେ ବାରମ୍ବାର କହିଲେ- କୁକୁରୀଟା ଉପରେ ଗାଡ଼ି ଚଢ଼େଇ ଦେଲାରେ!
ରଖ ସେ ଗାଡ଼ିକୁ । ବାଡ଼ାଅରେ ଶଳା ଡ୍ରାଇଭରକୁ, ଗାଁ ଦାଣ୍ଡଟାଏ ଏତେ ସ୍ପିଡ୍ରେ ଗାଡ଼ି ଚଳଉଛି ।
ଗାଡ଼ି ଅଟକିଗଲା । ଦୁର୍ଘଟଣା ସମ୍ବାଦରେ ପ୍ରଚଣ୍ଡ ଆଲୋଡ଼ନକାରୀ ଶକ୍ତି ଖେଳିଗଲା ଚାରିଆଡ଼କୁ । ସ୍କୁଲ୍ ପିଣ୍ଡାରେ ବସି ତାସମାଡ଼ କରୁଥିବା ଯୁବକମାନେ ଠିଆ ହୋଇଗଲେ । ଛୁଟିଆସି ଦେଖିଲେ- ମୃତ କୁକୁରୀଟି ପଡ଼ିଛି ରକ୍ତାକ୍ତ ହୋଇ । ମୁହଁ ବୁଲେଇ ଦେଖିଲେ ଟିକିଏ ଦୂରରେ କାର୍ଟି ଅଟକିଛି । ଡ୍ରାଇଭର ବାହାରି ଆସି, ଗାଡ଼ି ପାଖରେ ଠିଆ ହୋଇଛି ଆଉ ଗ୍ରାମୀଣ ମୂରବୀ ଭଳି ଦିଶୁଥିବା କେଇଜଣ ବୟସ୍କ ଲୋକ ନିରବରେ ବସିଛନ୍ତି ଚୁପ୍ ହୋଇ । ଗାଡ଼ିରୁ ବାହାରି ଆସିବାକୁ ସେମାନେ ସାହସ କରିପାରୁନଥିଲେ । ଗାଡ଼ି ପାଖରେ ଯାହା ଡ୍ରାଇଭର ନଙ୍ଗନଙ୍ଗ ହେଉଥାଏ ଭୟ ଓ ଆଶଙ୍କାରେ । ଟୋକା ଦଳେ ଯାହା ଇଚ୍ଛା ତା’ କରି ଦେଇପାରନ୍ତି ।
ଯୁବନେତା ଜଣେ ଘଟଣାର ଚଳନ୍ତି ଇତିହାସରୁ ନିଜକୁ ମୁକୁଳେଇ ଆଣି ମୃତ କୁକୁରୀଟି ପାଖରେ ଦୁଇପଞ୍ଝାରେ ବସିପଡ଼ି କିଛି ସମୟ ତନ୍ନତନ୍ନ କରି ଦେଖିଲେ- ମୃତୁ୍ୟର ଉତ୍ପାତକୁ । ତା’ପରେ ହଠାତ୍ ଗୋଟାଏ କିଶୋରକୁ ଡାକି ଚାପା ସ୍ୱରରେ କହିଲେ, ଯା’ ଘରୁ ଗୋଟାଏ ପୁରୁଣା ସରୁ ବେଲ୍ଟ ଆଣିବୁ । ଶୀଘ୍ର ଯା । ହଁ ବିଜୁ ତୁମେ ବି ଯାଅ ଖଣ୍ଡେ ସଫାକନା, କିଛି ଫୁଲ, କିଛି ଧୂପକାଠି ବି ଆଣ । ଶୀଘ୍ର ସବୁ କାମ କର ।
ପୂର୍ବ ଆକ୍ରମଣକାରୀମାନେ ନିଜର କାୟା ବଦଳେଇ ଦେଇଥିଲେ । ସେମାନେ ଯେପରି ମୃତ କୁକୁରୀଟିର ପାଳନକର୍ତ୍ତା ଭଳି କଥା ହେଉଥିଲେ ଓ ଦିଶୁଥିଲେ ।
କିଶୋର ଯଥାଶୀଘ୍ର ଯାଇ ବେଲ୍ଟଟିଏ ଆଣି ଆସି ପହଞ୍ଚିଗଲା । ଯୁବକ ଜଣଙ୍କ ସେଇଟିକୁ କୁକୁରୀଟିର ବେକରେ ବାନ୍ଧି ଦିଅ । ବୁଲାକୁକୁରୀଟିକୁ ପାଳିତା କୁତ୍ତାରେ ପରିଣତ କରି ଦେଇ ତା’ ଉପରେ ଧଳାକନା ଖଣ୍ଡେ ଢାଙ୍କିଦେଲେ, ଫୁଲ ପକେଇ ଦେଲେ ଓ ଅଗରବତୀ ଲଗାଇ ଦେଲେ । କୁକୁରୀଟିକୁ ସଂଭ୍ରମ ସମ୍ମାନ ଜଣାଇ ତା’ର ମୃତ ଆତ୍ମାର ସଦ୍ଗତି କାମନା କଲେ । ଏମିତି ଏକ ସଦ୍ୟସ୍ନାତା ପ୍ରାର୍ଥନା ସାରି- ଦର୍ପରେ ଠିଆ ହୋଇଗଲେ । ମନେହେଲା, ସେମାନେ ଯେପରି ଏ ମୃତୁ୍ୟଠାରୁ ନିଜକୁ ମୁକ୍ତ କରିଦେଲେଣି । ପ୍ରସ୍ତୁତ ବି ହୋଇଗଲେଣି କାକୁସ୍ଥ ଡ୍ରାଇଭରକୁ ସାମ୍ନା କରିବାକୁ ।
ଡ୍ରାଇଭର ଭାଇ! ଖସାଗାଡ଼ି ଚଳାଉଛ! କ’ଣ ଟିକିଏ ଦାରୁ ପଡ଼ିଥିଲା ନା, ନାହିଁ!
ସାର୍, ମୋର କିଛି ଦୋଷ ନାହିଁ । ଦେଖନ୍ତୁ ପଛ ଚକାତଳକୁ କିଲିକାଲିଆ ହୋଇ ସେ କୁତ୍ତୀଟା ପଶିଗଲା, ଡ୍ରାଇଭରଟି ନିଜକୁ ସଂଜତ ତଥା ନିଶୁନ୍ କରି ଦୟା ଚାହିଁ କଥାଟିକୁ ବୁଝେଇବାକୁ ଚେଷ୍ଟା କରୁଥାଏ ।
ଶଳା, କ’ଣ କହିଲୁ- ଗାଁ ପାଳତା କୁକୁରୀଟିକୁ କୁତ୍ତୀ କହିଲୁ । କୁତ୍ତୀର ଅର୍ଥ ଜାଣିଚୁ? ଯଦି ପାଠ ପଢ଼ିଥିବୁ ।
ମୋର ଆଜ୍ଞା କିଛି ଦୋଷ ନାହିଁ । ଡ୍ରାଇଭରଟି ବିନିତ ସ୍ୱରରେ କହିଲା ।
ନା, ନା, ତମେ ସମ୍ପୂର୍ଣ୍ଣ ନିଦେ୍ର୍ଦାଷ । ଦୋଷୀ ଗାଡ଼ିଟା । ସେ ଦୌଡ଼ି ଆସି ଆମ ଗାଁର ରାଣୀ ଉପରେ ଚଢ଼ିଗଲା ।
: ସାର୍ ଦେଖୁନାହାନ୍ତି । ମୁଁ ମିଛ କହୁଛି କି ସତ ? କେବେ ମୁଁ ଗାଡ଼ିଟିକୁ କାଟି ତାକୁ ବଞ୍ଚେଇବାକୁ ଚେଷ୍ଟା କରିଛି । ସେ ତ ଯେପରି ଚକାତଳକୁ ନିଜକୁ ନିଜେ ପଶି ଆସିଲା ।
ଆଉ ସେ ବକବାସ୍! ଭାଷଣ ବନ୍ଦ କର । ସମାଧାନ କର । କୁକୁରୀଟି ଆମ ଗାଁର ରାଣୀ ଥିଲା । ସମସ୍ତେ ତାକୁ ପାଳିଥିଲେ । ସେ ବି ଗାଁକୁ ଜଗୁଥିଲା, ଚୋର ତସ୍କରଙ୍କଠାରୁ । ତୁମେ ତା’ ଉପରେ ଗାଡ଼ି ଚଢ଼େଇ ଦେଲ, ଦେଖିବାକୁ । ତୁମେ ଏ ଗାଁର ଲୋକଙ୍କୁ ଜାଣିନା । ମୁଣ୍ଡକୁ ପିତ୍ତ ଉଠିବ ତ ଗାଡ଼ି ଭିତରେ ରାଣୀର ମୃତଦେହକୁ ପୂରେଇ ନିଅାଁ ଲଗେଇ ଦେବେ । ସେମିତି ତା’ର ସକ୍ରାର ହେବ । ମୁଁ ତୁମକୁ ଭଲରେ କହିଦେଉଛି, ସେଭଳି କିଛି ଘଟିବା ପୂର୍ବରୁ ଏହାର ସମାଧାନ କରିଦିଅ ।
ଡ୍ରାଇଭରଟି ଏଥର ଭୟଭୀତ ହୋଇ ପଡ଼ିଲା, ତା’ ମୁହଁ ଶୁଖି ରକ୍ତହୀନ ଦେଖାଗଲା । ସେ ଆଉ କିଛି ଉପାୟ ନପାଇ କହିଲା- କ’ଣ କରିବି କୁହନ୍ତୁ?
ପାଞ୍ଚହଜାର ଟଙ୍କା ଦେ’ ସବୁ କଥା ମୁଁ ବୁଝିବି ।
‘ପାଞ୍ଚ ହଜାର’!
ହଁ, ଗୋଟାଏ ଜୀବନ ପାଇଁ ପାଞ୍ଚ ହଜାର କ’ଣ ଅଧିକ?
“ମୁଁ କେଉଁଠୁ ଆଣିବି ଆଜ୍ଞା?”
ଗାଡ଼ି ଥାଉ, ଯା’ କୋଉଁଠୁ ଆଣିକି ଆସିବୁ ।
ଏଥର ଡ୍ରାଇଭରଟି ମୁଣ୍ଡରେ ହାତ ଦେଇ ତଳେ ବସିଗଲା । ମୁହୂର୍ତ୍ତକ ପରେ ସେ ଆକୁଳ ହୋଇ କହିଲା- ଆପଣଙ୍କ ଗୋଡ଼ ଧରୁଛି, ମୋତେ ଛାଡ଼ି ଦିଅନ୍ତୁ । ଏ ଦୁର୍ଘଟଣାରେ ମୁଁ ଆଦୌ ଦୋଷୀ ନୁହେଁ । ମୋ ଗାଡ଼ି ତଳେ କୁକୁରୀଟି ଯେମିତି ଆତ୍ମହତ୍ୟା କଲା ।
ତୁ ଶଳା କିଛି ବୁଝିବୁ ନାହିଁ । କି ତତେ ବୁଝେଇ ଆଉ ଲାଭ ନାହିଁ । ସେ ଡାହାଳ ପଞ୍ଝାକ ଆସନ୍ତୁ ତୋ ପାଖକୁ । ତୁ ବୁଝିବୁ କି ସେମାନେ ବୁଝିବେ । ଯୁବକ ଜଣକ ମୁହଁ ବୁଲେଇ ଅନ୍ୟମାନଙ୍କ ଉଦେ୍ଦଶ୍ୟରେ କହିବାକୁ ଲାଗିଲା- ତମେ ଯାହା କରୁଛ କର । ମୋ ଦ୍ୱାରା ସମାଧାନ ହୋଇପାରୁନାହିଁ । ଟିକିଏ ଦୂରେଇକି ରହିଥିବା ଟୋକା ଗୁଡାକ ଭୁକି ଉଠିଲେ ।
ଡ୍ରାଇଭର ଜଣକ ଖୁବ୍ ଡରିଗଲା । ଯୁବନେତାଙ୍କ ହାତକୁ ଧରି ପକେଟରେ ହାତ ପୂରେଇ ପାଞ୍ଚଶହ ଟଙ୍କା ବାହାରି କରି କହିଲା- ଏତିକି ଭଡ଼ା ଏମାନଙ୍କଠାରୁ ରଖିଥିଲି ସାର୍, ନିଅନ୍ତୁ । ମତେ, ଆମକୁ ଛାଡ଼ି ଦିଅନ୍ତୁ । ଆଉ ମୁଁ ଦେଇପାରିବି ନାହିଁ ।
ତୋ ବୋପା ଦବ । ବୁଝିଲୁ । ତୁ ଭଲରେ ଦେବୁ ନାହିଁ । ଗାଡ଼ି ମଡେଇ ଦେବାକୁ ହଂକ ହଂକ ହେଉଥିଲୁ । ଦିଅ ବେ ଶଳା ଜାଳି ଗାଡ଼ିକୁ ।
ଡ୍ରାଇଭରଟି କିଂକର୍ତ୍ତବ୍ୟ ବିମୁଢ଼ ପାଲଟି ଯାଇ, ନିଜକୁ ଅଣ୍ଡାଳି ପକେଇଲା । ଚୋରା ପକେଟରେ ରଖିଥିଲା ଦୁଇହଜାର ଟଙ୍କା ବାହାର କରି ଯୁବନେତାଙ୍କ ହାତରେ ଜବରଦସ୍ତ ଗୁଞ୍ଜି ଦେଇ କହିଲା- ଇଏ ମୋର ଶେଷ ଟଙ୍କା ତକ । ବାବୁଙ୍କଠାରୁ ଆଣିଥିଲି ଗାଡ଼ିର ମରାମତି ପାଇଁ । ରଖନ୍ତୁ ମତେ ଛାଡ଼ି ଦିଅନ୍ତୁ ଗାଡ଼ି ସହ । ନହେଲେ ମୁଁ ଯାଉଛି ବାବୁଙ୍କୁ ଡାକି ଆଣିବି ।
ଯୁବନେତା ଜଣକ ସବୁ ଟଙ୍କା ଧରି ଡ୍ରାଇଭରଟିକୁ ଚାହିଁଲା ତୀକ୍ଷ୍ଣ ଭାବେ । ଅନୁଭବ କଲେ ଆଉ ଅଧିକ ବଳାକ୍ରାର କଲେ ପ୍ରତିରୋଧର ଶକ୍ତି ସୃଷ୍ଟି ହେବ । ମାମଲା ବଢ଼ିବ । ଥାନା ସହ ପୋଲିସ ଘଟଣା ଭିତରକୁ ପଶିଆସି ପାରନ୍ତି । ହଉ ଯାହା ହେଲା- ଏଥର ଯୁବନେତାଟି ଡ୍ରାଇଭରଟିକୁ କହିଲା, ହଉ ତୁ ପଳା ।
ଡ୍ରାଇଭରଟି ଟିକିଏ ଚାପରୁ ମୁକ୍ତ ହେଲା ଭଳି ଅନୁଭବ କଲା ଏବଂ ଯୁବନେତାଙ୍କୁ କହିଲା- ତମେ ଯଦି ମୋତେ ବିଶ୍ୱାସ କରୁନ, ଗାଡ଼ି ଏଠାରେ ପଡ଼ିଥାଉ ମୁଁ ଯାଇ ଗାଡ଼ିର ମାଲିକଙ୍କୁ କହିବି, ସେ ଆସି ଗାଡ଼ିଟିକୁ ନେଇ ଯିବେ ଏବଂ ସାଙ୍ଗରେ ପୋଲିସ ଆସିଥିବେ । ଏହା ସେଇ ଅବସ୍ଥାରେ ସମାଧାନ ହେବ ।
ଯୁବକମାନେ ସେଇଠାରେ ବିିକ୍ଷିପ୍ତ ଭାବରେ ରହି ଦେଖୁଥିଲେ ଓ ଶୁଣୁଥିଲେ କାହାଣୀଟିର ରୂପରେଖ । ପୋଲିସ କଥା ଶୁଣି ସେମାନେ ବି ହଡବଡ଼େଇ ଗଲେ । ଯୁବନେତାଟି ଏଥର କହିଲେ, ହଉ ତୁ ଏଥର ଗାଡ଼ି ନେଇ ପଳା । ତତେ ଆମେ ମାଫ୍ କରିଦେଲୁ ।
ଡ୍ରାଇଭରଟି ଏକଥା ଶୁଣି ଖୁବ୍ ଆଶ୍ୱସ୍ତ ହେଲା ଏବଂ କହିଲା- ଆଉ କେଉଁ ଗାଁ ହୋଇଥିଲେ ଏପରି ଘଟି ନଥାଆନ୍ତା ।
ଗାଡ଼ିର ମାଲିକକୁ ତମେ ଜାଣିନ! ସେ ‘ରତନ ମାଝୀ’ । ଜାଣିଥିବ ତାଙ୍କ ନାଁ, ସେ ଗୁଣ୍ଡାଙ୍କ ସର୍ଦ୍ଦାର । ତାଙ୍କ ପାଖକୁ ଏଇ କେସ୍ଟି ଗଲେ ସେ ଏହାର ସମାଧାନ ବି କରି ଦେଇପାରିବେ ।
ଡ୍ରାଇଭରଟି ଏଥର ଗାଡ଼ିଟି ଷ୍ଟାର୍ଟ କରିଦେଇ ଦ୍ରୁତ ଗତିରେ ଚାଲିଲା ।
ଚର୍ଯ୍ୟାୟୁଧ, ଶ୍ରୀବିହାର, ଖୋର୍ଦ୍ଧା
ମୋ. ୯୮୬୧୪୧୫୫୭୫