ସେଦିନ ମୋ ପୁଅବୋହୂ ନାତିନାତୁଣୀ ଆଉ ବୋହୂର ସବା ସାନ ଭଉଣୀ ଆମେରିକାରୁ ଦିଲ୍ଲୀ ଦେଇ ସଞ୍ଜ ପୂର୍ବରୁ ଆସି ଘରେ ପହଞ୍ଚିଲେ ।
ଦୀର୍ଘଦିନ ଧରି ଶୂନଶାନ ଲାଗୁଥିବା ଆମ ଘରଟା ହଠାତ୍ ଗହଳଚହଳରେ ଫାଟି ପଡ଼ିଲା । ଆନନ୍ଦ ଓ ଆତ୍ମୀୟତାର ଗୋଟିଏ ଅଦୃଶ୍ୟ ଝରଣା ଯେମିତି କୁଳୁକୁଳୁ ହୋଇ ବହିଗଲା ।
ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡ଼ିଲେ ବି ରାତି ତମାମ କେମିତି ସାରା ଘରଟା ଉତ୍ସବ ମୁଖର ଲାଗୁଥିଲା ।
ପୁଅ-ବୋହୂ ଆସିବେ ବୋଲି ଦୀର୍ଘଦିନ ଧରି ତିନିପୁରୁଷର ପୁରୁଣାକାଳିଆ ଘର ଓ ଘର ଚାରିପାଖକୁ ସଫା ସୁତୁରା କରାଯାଉଥିଲା ଓ କେତେକ ଭଙ୍ଗା ଦଦରା ଆସବାବପତ୍ରକୁ ବଦଳାଇ ତା’ ସ୍ଥାନରେ ନୂଆ ନୂଆ ଜିନିଷମାନ ରଖାଯାଉଥିଲା ।
ଘରଟାକୁ ଆଉଥରେ ଭଲକରି ଚୂନ ଦିଆଗଲା ।
କବାଟ ଝରକାରେ ରଙ୍ଗ ଲାଗିଲା ।
ଘର ଆଗ ବଢ଼ି ପଡ଼ିଥିବା କ୍ରୁଟନ ଗଛ ସବୁକୁ ସାଇଜ କରି କଟାଗଲା
ନଡ଼ିଆ ଗଛର ମଲାପତ୍ର ଆଉ ବାହୁଙ୍ଗା ସବୁକୁ କାଢ଼ି ଦିଆଗଲା
ଘରଟା ପୂର୍ବାପେକ୍ଷା ସବୁମତେ ଚିକ୍ଚିକ୍ ଦିଶିଲା ।
ବାପାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ବନ୍ଦ ଥିବା ଠାକୁର ଘରଟାକୁ ବି ଏହି ଅବସରରେ ସଫା କରିବା ପାଇଁ ମୋ ସ୍ତ୍ରୀ ଜିଦ୍ ଧରି ବସିଲା । ସେଦିନ ମୁଁ ପାଖ ସହରରୁ ଫେରିଲା ବେଳକୁ ଘରଟା ବିବାକ ସଫା ହୋଇଯାଇଥିଲା । ବାପାଙ୍କ ସ୍ମୃତିର ସନ୍ତକ ହୋଇ ଆଉ କିଛି ହିଁ ନଥିଲା ସେ ଘରେ ।
ତାଙ୍କ ବଙ୍କୁଲି ବେତବାଡ଼ି ନଥିଲା ।
ତାଙ୍କ କଠଉ ଆଉ ରଙ୍ଗ ବେରଙ୍ଗୀ କୋଥଳି ନଥିଲା ।
ନଥିଲା ତାଙ୍କର ଚନ୍ଦନଛିଟା ଲାଗିଥିବା ସାଇତା ସାନବଡ଼ ଫଟା ଦଦରା ଗୀତା ଭାଗବତ ପୁରାଣ ଆଦି ବହିସବୁ । ମୋ ସ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଅତିମାତ୍ରାରେ ମୁଖୁରା ଆଉ ବୟସ୍କା ପରିଚାରିକାଟି ବାପାଙ୍କ ଜାମାପଟା ସମେତ ତାଙ୍କ ବ୍ୟବହୃତ ସମସ୍ତ ଜିନିଷପତ୍ରକୁ ନିର୍ବିଚାର ଭାବେ ଘର ପଛପଟ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲା ।
ମୁଁ ଜନ୍ମ ହେବା ପୂର୍ବରୁ ବାପା ପୂଜା କରି ଆସୁଥିବା ଗୋଟେ ଧାତୁନିର୍ମିତ ରାମସୀତା ମୂର୍ତ୍ତିଟି ବି ଅଳିଆ ଗଦାକୁ ଫିଙ୍ଗା ହୋଇଥିବା ଆବର୍ଜନାରୁ ବାଦ ଯାଇନଥିଲା । ବାଦ୍ ଯାଇନଥିଲା ଗୋଟେ ଧଳା ପଥରର ଶାଳଗ୍ରାମ, ସାତସିଆଁ ନାମାବଳୀ ଥିବା ଗୋଟେ ପୁରୁଣା ଚଦର, ଗୋଟେ ଭଙ୍ଗା ଚନ୍ଦନ ପେଡ଼ି, ବିଭିନ୍ନ ଧାତୁରେ ତିଆରି କେତୋଟି ଅଚଳ ମୁଦ୍ରା, ଗୋଟେ ପହଲବସା ପିତଳ ପୁରୁଣା ପିକଦାନୀ, ଗୋଟେ ପିତଳ ଛାଟର ଭଙ୍ଗା ଲଣ୍ଠଣ, ଗୁଆକାତି, ଚୂନଡବା ଥିବା ଗୋଟେ ବହୁରଙ୍ଗୀ ପୁରୁଣା ବଟୁଆ ଆଉ ତା’ସହିତ ପୁରୁଣା ଚିଠିଭର୍ତ୍ତି ଗୋଟେ କାଠବାକ୍ସ ।
ମୋ ଛୁଆଟି ଦିନରୁ ବାପା ନିତି ଭୋରରୁ ଉଠି ଯେଉଁ ଭଜନ ସବୁ ତାଙ୍କର ଗୋଟେ ବହୁଦିନରୁ ସାଇତା ତେଲଚିକିଟା ଟିପାଖାତାରେ ଲେଖି ରଖୁଥିଲେ ତା’ର ଛିନ୍ନ ପୃଷ୍ଠାସବୁ ସାରା ଅଳିଆ ଗଦା ଉପରେ ସେଦିନ ବିଛାଡି ହୋଇପଡ଼ିଥିଲା ।
ବହୁଦିନ ଧରି ପରିତ୍ୟକ୍ତ ଠାକୁର ଘରଟା ଏତେଦିନ ପରେ ବିବାକ ସଫା ହୋଇଯାଇଥିବାରୁ ମୋ ସ୍ତ୍ରୀ ମନେ ମନେ ଭାରି ସନ୍ତୋଷ ଅନୁଭବ କରୁଥିଲେ ।
ମୋ ପୁଅ-ବୋହୂ ସଙ୍ଗରେ ଆଣିଥିବା କଣ୍ଢେଇ ଭଳି ଦିଶୁଥିବା ଗୋଟେ ବିଦେଶୀ କୁକୁର ଛୁଆକୁ ସେଇଘରେ ରଖିବାର ସୁବନେ୍ଦାବସ୍ତ ମଧ୍ୟ ସେଦିନ କରାଯାଇଥିଲା ।
ଦୂର ମଫସଲ ଗାଁକୁ ସେମାନେ ସେଦିନ କିନ୍ତୁ ବଡ଼ ଅନିଛାରେ ଆସିଥିଲେ ।
ସେଦିନ ମୁଁ ସଞ୍ଜ ସୁଦ୍ଧା ଫେରିଲା ବେଳକୁ ବାପାଙ୍କ ସେ ଛୋଟ ଠାକୁର ଘରେ ପଶମ ତିଆରି କଣ୍ଢେଇ ଭଳି ଲାଗୁଥିବା ଧଳା ଫିନଫିନ ସେ ବିଦେଶୀ କୁକୁର ଛୁଆଟି ଚେନରେ ବନ୍ଧା ହୋଇଥିଲା ଓ ମୋତେ ଦେଖି ପ୍ରବଳ ଭୁକିଲା ।
ଠିକ୍ ତା’ର ଦି’ବର୍ଷ ପୂର୍ବରୁ ଚୈତ୍ର ବେଳକୁ ପାଞ୍ଚଦିନ ମାତ୍ର ଜ୍ୱର ଭୋଗିଲା ପରେ ବାପା ବିଛଣା ଧରିଲେ ଯେ ଆଖି ଖୋଲି କାହାକୁ ଆଉ ଚାହିଁନଥିଲେ । ଦୂର ଚାକିରି ଜାଗାରୁ ମୁଁ ଆସିଲା ବେଳକୁ ବାପା ଆଉ ନଥିଲେ । ତାଙ୍କ ଜୁଇ ଶୀତଳା ହୋଇସାରିଥିଲା । ଅଠସ୍ତରୀ ବର୍ଷର ଜୀବନ ଲୀଳା ସାଙ୍ଗ କରି ସେ ପବିତ୍ର ବାରୁଣୀ ଦିନ ଆରପୁରକୁ ଚାଲିଯାଇଥିଲେ ।
ମୁଁ ସେଦିନ ଘରେ ପହଞ୍ଚି ଆଗ ବାଡ଼ି ଗଡିଆ ପାଖ ଜାମୁଗଛ ମୂଳକୁ ଧାଇଁଲି; ଜୁଇ ଶୀତଳା ଯାଇ କାଦୁଅରେ ଯେଉଁଠି ଗୋଟେ ପିଣ୍ଡି ବନ୍ଧାଯାଇଥିଲା ଓ ତା’ ଉପରେ ଗୋଟେ ବେଣାମୂଳ ଓ କଳାତୁଳସୀ ଗଛଟିଏ ସ୍ଥାପନା କରାଯାଇଥିଲା ।
ବାଡ଼ି ବଗିଚା ଆଉ ଖଳାବାଡ଼ିରେ ବୁଲୁଥିଲା ବେଳେ ବାପା ଯେଉଁ କଣ୍ଟାବାଉଁଶର ବାଡ଼ିଖଣ୍ଡେ ଧରୁଥିଲେ ତା’କୁ ସେଦିନ ପିଣ୍ଡି ଉପରେ ବି ପୋତି ଦିଆଯାଇଥିଲା ।
ଆମେରିକାରୁ ଫେରିଥିବା ମୋ ପୁଅ-ବୋହୂ ଆଉ ନାତିନାତୁଣୀ କେହି ନିକଟରେ ସ୍ୱର୍ଗାରୋହଣ କରିଥିବା ମୋ ବାପାଙ୍କୁ ସ୍ମରଣ କରିନଥିଲେ । କେହି ସେ ଭିଟାମାଟି ଚାଖଣ୍ଡକର ଇତିହାସ ଜାଣିବାକୁ ଚାହିଁନଥିଲେ । ମୋ ସାତପୁରୁଷକୁ ଏ ଘର, ଏ ଗାଁର ମାଟିପାଣି ପବନ କେତେ ଆପଣାର ଲାଗିଥିଲା ସେ କଥା ମୋତେ କେହି ପଚାରି ବୁଝିନଥିଲେ ।
ମହାବଳବାନ ଏ ସମୟ ପ୍ରବାହ ଭିତରେ ଯେଉଁଠି ଆଜି ବିଦେଶୀ କୁକୁରଟିଏ ବନ୍ଧା ହୋଇଛି ସେଇଠି ସେଇ ଠାକୁର ଘରେ ବାପା ଘଣ୍ଟା ଘଣ୍ଟା ଧରି ପୂଜାପାଠ କରୁଥିଲେ ।
ଶୀତ ଓ ବର୍ଷା ରାତିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ପୋଥି ପୁରାଣ ପଢ଼ୁଥିଲେ । ଖନାବଚନ, ହନୁମାନ ଚାଳିଶା ସହିତ ଆଉ ସବୁଦିନ ଶୁଭବେଳା ଜାଣିବା ପାଇଁ ପାଞ୍ଜି ଦେଖୁଥିଲେ |
ସେଇ ବନ୍ଦ କୋଠରି ଥିଲା ଏଇ କେତେବର୍ଷ ହେଲା ଏକାନ୍ତ ମୂଲ୍ୟବାନ ମୋ ପୈତୃକ ସମ୍ପତ୍ତି ଓ ମୋ ଶୈଶବ ସ୍ମୃତିର ଗନ୍ତାଘର ଯେପରି ।
ସେ ଠାକୁର ଘରଟିକୁ ସେଦିନ ସେମିତି ଉଜାଡି ଦେବା ମୋ ଧାରଣାର ବାହାରେ ଥିଲା । ସେଦିନ ସେସବୁ ଦେଖି ମୋ ଆତ୍ମା କାନ୍ଦି ଉଠିଲା । ମୁଁ ତା’ର ପ୍ରତିବାଦ କରିବାର ଅବସ୍ଥାରେ ନଥିଲି ।
ମୁଁ କ୍ରମଶଃ କେମିତି ଶକ୍ତି ହରାଇ ବସିଲି । ମୋ କଥାର ଆଉ କିଛି ତେଜ ରହିଲାନି ।
ଧୁମ୍ ଧାମ୍ ଖାଇବା ପିଇବା, ନାତି ନାତୁଣୀଙ୍କ ଗହଳଚହଳର ମୁଖରିତ ପ୍ରହର ପରେ ସମସ୍ତେ ଯେତେବେଳେ ପ୍ରାୟ ସେଦିନ ରାତିରେ ଶୋଇପଡ଼ିଲେ ମୁଁ ବାପାଙ୍କର କୋଥଳି କଠଉ ଆଉସବୁ ପୂଜା ଜିନିଷକୁ ଠାବ କରିବା ପାଇଁ ଆସ୍ତେ କବାଟ ଖୋଲି ବାଡ଼ିପଟକୁ ବାହାରିଲି ।
ଡଲାର୍ ରୋଜଗାର କରୁଥିବା, ଅଧିକ ସୁଖ ପାଇଁ ସ୍ୱପ୍ନ ଦେଖୁଥିବା ମୋ ପୁଅ ବୋହୂଙ୍କ ପାଇଁ ହୁଏତ ମୋ ବାପାଙ୍କ ସ୍ମୃତି ନିହାତି ଅଦରକାରୀ ନହେଲେ ଅର୍ଥହୀନ ହୋଇଥିବ । ମୋ ବାପାଙ୍କ ଠାକୁରଘରକୁ ସେମାନେ ହୁଏତ ପୁରୁଣା ପିଢ଼ିର ଲୋକଙ୍କ ପଙ୍ଗୁ ପରି ବସି ରହିବାର ଏକ ଆଡାସ୍ଥଳୀ ବୋଲି ଭାବିଥିବେ । ମହାନଗରୀୟ ଜୀବନ ବିତାଇଥିବା ମୋ ନାତି ନାତୁଣୀମାନେ ହୁଏତ ମୋ ବାପାଙ୍କ ପରି ତନ୍ତବୁଣା ଧୋତି ଆଉ ଖଣ୍ଡେ ଗାମୁଛାରେ ଦିନ ନେଇଥିବା ଆଉ ଶାଗ ତୋରାଣିରେ ପେଟ ଭରିଥିବା ଗୋଟେ ନିହାତି ମଫସଲି ମଣିଷର ମୂଲ୍ୟ କେତେ ବୋଲି ବି କଳନା କରୁଥିବେ ।
ସମୁଦ୍ରକୂଳ ଗାଁରେ ଶୂନଶାନ୍ ଚଇତି ରାତି ।
ସେଇ ନିଃଶବ୍ଦ ରାତିରେ କେତେବେଳେ କେମିତି ଟେଁ ଟେଇଁଆ ପକ୍ଷୀର ଗୀତ ଶୁଭିଯାଉଥାଏ ।
ସାତ ପୁରୁଷର ସେ ଘର କେମିତି ଭାରି ଶୂନ୍ୟଗର୍ଭ ଲାଗିଲା ।
ଧୀରେ ଧୀରେ ମୁଁ କବାଟ ଖୋଲି କୂଅ ମୂଳକୁ ଆସିଲି ।
ସମୁଦ୍ର କୂଳ ଗାଁର ନୀରବିତ ରାତି ।
ଦ୍ୱାଦଶୀ ତିଥିର ଜହ୍ନ ।
ସବୁ ଦିଗ୍ବଳୟ କେମିତି ଭାରି ପାଂଶୁଳ ଦିଶୁଥିଲା ।
ସେଦିନ ରାତିର କୂଅମୂଳରେ ବାପାଙ୍କ ପ୍ରତିମା ବିବାକ ଦିଶି ହୋଇଗଲା । ନିମିଷେକେ ମଧୁର ଶୈଶବର ସ୍ମୃତି ସବୁ ଚହଲିଗଲା । ବାପା ଥିଲେ ପାଞ୍ଚଫୁଟ କେତେଇଞ୍ଚର ଈଷତ୍ ଲମ୍ବା ନାକଥିବା ଗୋଟେ ଗେଡା ଅଥଚ ଚଞ୍ଚଳ ପାଦରେ ଚାଲୁଥିବା, ପିଲାଛୁଆ ସମସ୍ତଙ୍କୁ ହସିହସି କୋଳେଇ ନେଲାଭଳି କଥା କହୁଥିବା ମଣିଷଟିଏ ।
ମୋ ଏକାନ୍ତ ଅପାସୋରା ମଧୁର ଶୈଶବ ସ୍ମୃତିର ଅନନ୍ୟ ଈଶ୍ୱର ।
ଯାବତୀୟ ଦୁଃସ୍ଥିତି ଓ ସାଂସାରିକ ତାଡ଼ନା ସତ୍ତ୍ୱେ ଆନନ୍ଦମୟ ଜୀବନର ସ୍ୱପ୍ନ ଦେଖୁଥିବା ମୋ ବାପା ଥିଲେ ସତରେ ମୋ ପାଇଁ ଚଳନ୍ତି ଠାକୁର ।
ତାଙ୍କୁ ସ୍ମରଣ କରିବା କ୍ଷଣି ମୋତେ କାଳିସୀ ଲାଗେ । ମୋ ଭିତରର ଏକାନ୍ତ ମଧୁମୟ ଜୀବନ୍ତ ସ୍ମୃତି ସବୁ ଉଚ୍ଛୁଳି ପଡେ । ଖଜାପିଠା, ଆମ୍ବ ପଣସର ଦିନସବୁ ଗୋଟି ଗୋଟି ହୋଇ ମନେ ପଡ଼ିଯାଏ । ବର୍ଷ ବର୍ଷର ଖରାଦିନ ଦି’ପହର ସବୁ ଝଲସି ଉଠେ ।
ସତ କହିଲେ ଏତେବଡ଼ ସଂସାରରେ ତାଙ୍କ ପରି ମୋତେ ଆଉ ଜଣେ କେହି ମୁଗ୍ଧ କରିପାରିନଥିଲେ । ମୋ ଶୈଶବକୁ ଏତେ ଗଭୀର ଭାବରେ ମୋହି ନେଇପାରିନଥିଲେ ।
ଏପରିକି ମାଆ ନୁହେଁ । ଜୀବନର ଚାରିକଡେ ବିଛୁଡି ହୋଇପଡ଼ିଥିବା ପ୍ରତିଟି ବିଷୟରେ ମାଆ ବାପାଙ୍କ ପରି ଆନନ୍ଦର ମହିମ୍ନ ସତ୍ତାକୁ ଉପଲବ୍ଧି କରିପାରେନା । ଅଭାବ ଅସୁବିଧାକୁ ବେଶି କହିହୁଏ ।
ବାପାଙ୍କର ଗୋଟେ ନିରୀହ ଘର କରଣାର ଅକ୍ଳାନ୍ତ ପରିଶ୍ରମ ଓ ଚରମ ବଳିଦାନ ମୋତେ ଆଜନ୍ମ ଯେପରି ଆବିଷ୍ଟ କରି ରଖିଥିଲା । ମନେ ହେଉଥିଲା ସେ ଗୋଟେ ମୁହୂର୍ତ୍ତ ବି ନିଜ ପାଇଁ ବଞ୍ଚିନଥିଲେ । ଗୋଟେ ମୁହୂର୍ତ୍ତ ବି ସେ ବ୍ୟକ୍ତିଗତ ସୁଖସ୍ୱାର୍ଥର ବଳୟ ଭିତରେ ନଥିଲେ । ଉଚ୍ଛୁର ମଧ୍ୟାହ୍ନରେ ଗୋଟେ ଶୁଖିଲା ଲଙ୍କାରେ ସୋରିଷ ତେଲ ଟିକିଏ ଲଗାଇ ପୋଡ଼ିଆଣି ଶାଗ, ତରକାରି ସହିତ ଖାଇବା ଥିଲା ତାଙ୍କର ଏକମାତ୍ର ବ୍ୟକ୍ତିଗତ ବିଳାସ । ଆଉ ଦ୍ୱିତୀୟ ସୁଖକଥା ମୁଁ ତାଙ୍କର ଜାଣେନା ।
ବାପାଥିଲେ ମୋ ଭିତରର ଏକାନ୍ତ ରହସ୍ୟମୟ ଲାଗୁଥିବା ସଫେଦ ଜହ୍ନରାତିଟିଏ ଯେପରି । ମୋ ସେ ସମୁଦ୍ରକୂଳ ଗାଁର ମେଘରାତି ମନେ ପଡ଼ିଲେ ବାପା ହିଁ ଖାସ୍ ମନେ ପଡନ୍ତି ।
ବାପାଙ୍କର ସ୍ମୃତି ଥିଲା ସତରେ ମୋ ଭିତରର ଜୀବନ୍ତ କବିତା । ବାପା ଚାଲିଗଲା ପରେ ଆଉ କିଛି ନୁହେଁ ତାଙ୍କ ସହିତ କଟାଇଥିବା ସେଇ ମଧୁର ଶୈଶବର ସ୍ମୃତି ହିଁ ମୋର ଆଜି ଏକମାତ୍ର ଆନନ୍ଦର ଉତ୍ସ । ମୁଁ ତାଙ୍କ ଅର୍ଜିତ ସମ୍ପତ୍ତିର ଭାଗୀଦାର ହେବା ପାଇଁ ମନରେ କେବେ ଭାବି ନାହିଁ ।
ବାପା ବଞ୍ଚିଥିଲା ବେଳେ ଏଇ ଘରଟା ଚାରିଆଡେ ଯେମିତି ପୂରି ଉଠିଥିଲା । ଲଙ୍କାଗଛରେ ଧାନୁଆ ଲଙ୍କା କହ, ବାବାଜୀ ଲଙ୍କା କହ ପ୍ରଚୁର ଲଙ୍କା ଫଳୁଥିଲା । କାନ୍ଧି କାନ୍ଧି କଦଳୀ, ଭାରଭାର ସପୁରୀ, ମହଣ ମହଣ ବରକୋଳି । ଆମ୍ବ ପଣସରେ ଡାଳ ଭାଙ୍ଗିଯାଉଥିଲା । ଆମ୍ବତୋଟାର ଗହଳ ଛାଇ କେମିତି ଭାରି ନିବିଡ ଲାଗୁଥିଲା । ସେ ସବୁ ଆଜି ନିର୍ଘାତ ସ୍ମୃତିର ବିଷୟ ହୋଇଯାଇଛି ।
ବାପା ବଡ଼ିଦିଆ ଖଟା ତରକାରି, ଆମ୍ବୁଲ ରାଇତା, ଦହି ବାଇଗଣ ଖାଇବାକୁ ଭଲ ପାଉଥିଲେ ବୋଲି ଆଜି ଖଟା ତରକାରି ହେଲେ ବାପା ବେଶି ବେଶି ମନେପଡନ୍ତି । ମନେପଡେ ସମୁଦ୍ରକୂଳ ଗାଁର ଉଚ୍ଛୁର ମଧ୍ୟାହ୍ନ ସବୁ ।
ବାପାଙ୍କ ପାଇଁ ତାଙ୍କ ଶ୍ୱଶୁରଘରୁ ଆସିଥିବା କଞ୍ଚନ ଥାଳିରେ ଥାଳିଏ ଭାତ ବଢ଼ାଯାଏ । କଳମ ଶାଗଭଜା, ଦିଟା ପଥର ବାଟିରେ ଦହି କାଂଜି ଆଉ ଖମ୍ବଆଳୁ ପଡ଼ିଥିବା ଘାଣ୍ଟ ତରକାରି ।
ବାପା ଖାଇସାରି ତାଙ୍କ ବଟୁଆ ଖୋଲି ପାନ ଭାଙ୍ଗନ୍ତି । ବେଳେବେଳେ ପାନ ଭଙ୍ଗା କାମ ମାଆ କରେ ।
ଘଡିକି ଘଡ଼ି ଗାଈ ବାଛୁରୀଙ୍କ ହମ୍ବାରଡ଼ି ।
ଟିକିଏକୁ ପୁଣି ସୂର୍ଯ୍ୟାସ୍ତ ହୋଇଯାଏ ।
ସଞ୍ଜ ନଇଁ ଆସେ ।
ମାଆ ବିଛଣା ବିଛାଏ ମୋପରି ପଲେ ପୁଅଝିଅଙ୍କ ପାଇଁ ।
ବାପା ଆଜି ସବୁବେଳେ ସବୁକଥାରେ ମନେପଡନ୍ତି । ଆଜି ଆମ ଘର ଆଗ ପୋଖରୀରେ ଦଳଭର୍ତ୍ତି ହୋଇଯାଇଥିଲେ । ଦି’ଟା ବାଉଁଶ ଗଛ ଝଡ଼ ପବନରେ କେବେ କେମିତି ତଳକୁ ପଡ଼ିଯାଇଥିଲେ । ଗାଈ ବଳଦଙ୍କ ଆଗରେ ବିଡେ କୁଟା କି ଘାସ ନଥିଲେ । ସଜନା ଗଛରେ ନାଡ଼ି ରହି ରହି ବୁଢ଼ା ହୋଇଯାଉଥିଲେ । ଗଡ଼ିଆ ତୁଠର ପଥର ଖଣ୍ଡେ ତଳକୁ ଖସି ଆସିଥିଲେ । ଶାଗ ତଳା ଦି’ଟା ତଥାପି ବୁଣା ହୋଇପାରୁନଥିଲେ । ବାଉଁଶ କଣ୍ଟାରେ ଘରବାଡ଼ି ବେଢ଼ା ହୋଇପାରୁନଥିଲେ ।
ବାପା ମନେ ପଡ଼ୁଥିଲେ ଆଜି ମକରକୁ ଚୁଡା ଖଜା ଆସୁନଥିଲେ । ମାସକୁ ଦି’ଥର ନାଲି ଉଖୁଡା ଓ ଆରିସା ପିଠା ହେଉନଥିଲେ । କାର୍ତ୍ତିକକୁ ଆକାଶଦୀପ ଜଳୁନଥିଲେ ।
ବିଷୁବ ସଂକ୍ରାନ୍ତିକୁ ପଣା ହେଉନଥିଲେ । ଶୋକ ଓ ସନ୍ତାପରେ ଥିବା ପିଲା ବୁଢ଼ା କାହାକୁ କେହି ଟିକିଏ ସ୍ନେହ ଓ ସାନ୍ତ୍ୱନା ଦେଉନଥିଲେ ।
ବାପା ମନେପଡୁଥିଲେ, ପ୍ରତିବର୍ଷ ବାରୁଣୀକୁ ପଣସପତ୍ରରେ ପିତୃପୁରୁଷଙ୍କୁ ଚାଉଳରେ ପିଣ୍ଡ ବଢ଼ା ଯାଉନଥିଲେ । ନୁହୁକିରେ ସଭିଙ୍କ ପାଇଁ ପାଛିଏ ଗରମ ମୁଢ଼ିଭଜା ହେଉନଥିଲେ । ପୁଷମାଘରେ ସକାଳ ପହରୁ ଉତ୍ତରା ବହୁଥିଲା ବେଳେ ଦି’ବେଳା ଗରମ ପାଣି ହେଉନଥିଲେ ।
ବାପା ମନେପଡୁଥିଲେ, ଆଜି ରାତିଅଧରେ କାହାକୁ ବାଲିଛନ୍ଦା ଘାଟ ପାଖକୁ ଯିବାକୁ ହେଉଥିଲେ । ପୂଜା ପାର୍ବଣ ପାଇଁ ଭୋଗରାଗ ତିଆରି ହେଉଥିଲେ ।
ରାତି ନପାହୁଣୁ କାମ ଆରମ୍ଭ ହୁଏ ଯେ ବାପାଙ୍କ ହାତରୁ କାମ ଛାଡି ଯାଏନି । ବାପାଥିଲେ ଯେମିତି ବାରମାସ ଯାକ ଗୋଟେ ଅତି ସୁଧାର ଟହଲିଆ; ଯେ ସମସ୍ତଙ୍କ କାମରେ ଯାଇ ମେଣ୍ଟି ପଡନ୍ତି ।
ଘରେ ପୂଜା ପାର୍ବଣ ଦିନମାନଙ୍କରେ ବାପାଙ୍କୁ ନିଶ୍ୱାସ ନେବା ପାଇଁ ବି ଫୁରସତ ନଥାଏ । କେତେବେଳେ ନଡ଼ିଆ ଛଡାଉ ଥାଆନ୍ତି ତ କେତେବେଳେ କାକୁଡି କାଟୁଥାନ୍ତି ।
କେତେବେଳେ ଖଇ ଦି’ଟା ବାଛି ଦେଉଥାନ୍ତି ତ କେତେବେଳେ ପଥୁରୀଟାରେ ଭୋଗ ବାଢ଼ୁଥାଆନ୍ତି । ବାଡିରୁ ଓଲୁଓ ଖୋଳି ଆଣନ୍ତି ଓ ଗଛରୁ ସାଲମା, କଇଁଥ, ଅଷାଢ଼ୁଆ ବିଛାଇ ଆଣନ୍ତି । ବାଡ଼ିରୁ ପନିପରିବା ତୋଳି ଆଣନ୍ତି ତ ଆଚାର ହାଣ୍ଡି ନେଇ ଖରାରେ ବସାନ୍ତି ।
ପର୍ବଦିନମାନଙ୍କରେ ମାଆ ପେଟରାରୁ ଗନ୍ଧଗୁଳି ପଡ଼ିଥିବା ନୂଆ ଶାଢ଼ି କାଢ଼ି ପିନେ୍ଧ । ମହମହ ହଳଦୀ ବାସ୍ନା ହେଉଥାଏ ତ ଝୁଣାଗନ୍ଧରେ ଘର ଉଚ୍ଛୁଳି ପଡୁଥାଏ ।
ଆଜି ବାପା ନାହାନ୍ତି ତ ଘରର ଉଲ୍ଲାସ ନାହିଁ କି ଉତ୍ସବ ନାହିଁ । ପର୍ବପର୍ବାଣିକୁ ଆମ ଘରେ ବାପାଙ୍କ ପରେ ଏମିତି କିଛି ଖାସ୍ ଆଉ ହେଲାନି । ପିଠାପଣା ହେଲାନି । ଦୋପାଗି ନାଲି ଉଖୁଡା ଆଉ ହେଲାନି । ପାନ ବରଜରୁ କଡ଼ା କଡ଼ା ରାଶିପାନ, ମହଣ ପାନ ଆଉ ଆସିଲାନି । ଆଖୁପେଡ଼ା ପରେ ତେଲି ସାହିରୁ ଆଉ ବାଲିଆ ଗୁଡ଼ କଳସା ଆସିଲାନି । ଆମ ଘରକୁ ଖଞ୍ଜାରେ ଆଉ ନିତି ଘୋଳ ଦହି ଆସିଲାନି ।
ବାପା ନାହାନ୍ତି ବୋଲି ଘରଟା ଗୋଟାପଣେ ଖାଲି ଖାଲି ଲାଗିଲା । ମଝି ଖଞ୍ଜାରେ ଥିବା ଠାକୁର ଘରଟା ପୂରା ଶ୍ରୀହୀନ ଲାଗିଲା ।
ବାପା ଚାଲିଗଲା ପରେ ଆମ ଘରୁ ପର୍ବପର୍ବାଣିର ଦିନ ସରିଗଲା ଯେମିତି । ସବୁଦିନ ପାଇଁ ଗୋଟେ ଶୁଧୁ ଗେଲବସରର ଜୀବନ ତୁଟି ଗଲା । ତା’ ସହିତ ପାଞ୍ଚ ତରକାରି କରି ଖାଇପିଇବାର ସୁବର୍ଣ୍ଣ ଯୁଗଟିଏ ସରିଗଲା ।
ବାପା ଚାଲିଗଲା ପରେ ଘର ଭିତରେ ବାହାରେ ପୂର୍ବପରି ସବୁ ଥିବା ସତ୍ତ୍ୱେ କିଛି ନଥିଲା ପରି ଲାଗିଲା ।
ସେଦିନୁ ସାଇପଡ଼ିଶାରୁ ଦି’ଜଣ ବୁଢ଼ାବୁଢ଼ୀ ଆସି ଆମ ପିଣ୍ଡାରେ ଆଉ ବସିଲେନି ।
ଚଉରାରେ ଆଉ ମୁରୁଜ ପଡ଼ିଲାନି କି ସଂଜ ବେଳେ ଆଉ ଆକାଶଦୀପ ଉଠିଲାନି ।
ପୂର୍ବପରି ହାଣ୍ଡି ହାଣ୍ଡି ଆଉ ଆଚାର ହେଲାନି କି ବାଡ଼ି ବିଛା ହେଲାନି ।
ଚାଳ ଉପରେ ଲାଉ କଖାରୁର ଡଙ୍କ ଆଉ ମାଡ଼ିଲାନି ।
ବଡ଼ନାନୀ ଘରକୁ ମକରକୁ ଆଉ କେହି ଭାର ନେଇ ଗଲେନି କି ବଡ଼ନାନୀ ଆଉ ଆମ ଘରକୁ ଆସିଲାନି । ଅଜାଘର ବି ଯିବାଆସିବା ବନ୍ଦ କରିଦେଲେ । ଚାହୁଁ ଚାହୁଁ କେତେଟା ବର୍ଷ ଭିତରେ ଗାଁ ଜୀବନର ମାୟା କେମିତି ତୁଟିଗଲା । ହେଲେ ସମୁଦ୍ରକୂଳ ଗାଁର ମାଟିଗନ୍ଧ ମୋ ଛାତିରେ ଭଉଁରି ଖେଳିବା ବନ୍ଦ ହେଲାନି ।
ଘରର ଶିରୀ କେମିତି ଦିନକୁ ଦିନ ତୁଟିଗଲା । ମାୟା କଟିଗଲା ପରି ଘର କେମିତି ସମସ୍ତଙ୍କ ପାଇଁ କ୍ରମଶଃ ଅନାକର୍ଷଣୀୟ ହୋଇଉଠିଲା ।
ବାପାଙ୍କ ଦେହାନ୍ତ ହେଲା ପରେ ଘର ଆଉ ମୋତେ ମହମହ ଲାଗିଲାନି ।
ଘର ଆଉ ପୂର୍ବ ପରି ଜମା ମିଠା ଲାଗିଲାନି ।
ବାପାଙ୍କ ସ୍ମୃତି ମୋତେ କିନ୍ତୁ ନିରନ୍ତର ଆକାଶ ସାମିଆନା ହେଲାପରି ଆବୋରି ବସିଲା । ସବୁ ଅନୁଭବ ସବୁ ସ୍ମୃତିର ଆଦି ହୋଇ ବାପା ମୋ ମନ ହୃଦୟରେ କିନ୍ତୁ ରହିଗଲେ ।
ଆଜି କେତେବେଳେ କେମିତି ଗହିରିଆ ସ୍ମୃତିର ଅନ୍ଧାର ପହଁରୁ ଥିଲେ ମନେପଡେ ସମୁଦ୍ରକୂଳ ଗାଁର ଗଲାହଜିଲା ଦିନସବୁ ।
କେତେ ଅପାସୋରା ଅଶ୍ରୁଳ ମୁହୂର୍ତ୍ତର କଥା ।
କେତେ ପାଣି ପବନର ଦିନସବୁ ।
କେତେ ମଉଚ୍ଛବ ରାତିର ବାଜାଗୀତ ।
ବିଳମ୍ବିତ ରାତି ପହରରେ ବାପାଙ୍କ ହରଗାଁ ହାଟରୁ ଫେରିବାର ସ୍ମୃତି ।
ଗାଁ ଥିଲା ସବୁଦିନେ ମୋ ଆଗରେ ଏକ ବର୍ଣ୍ଣାଢ଼୍ୟ ଦୃଶ୍ୟପଟ୍ଟ ଆଉ ବାପା ଥିଲେ ସେ ଦୃଶ୍ୟପଟ୍ଟର ଏକ ମଧୁର ସତ୍ତା ।
ଆଜି ଆମ୍ବଗଛରେ ବଉଳ ଆସିଲେ ବାପା ମନେପଡନ୍ତି ।
ମନେପଡନ୍ତି ପୂର୍ବାଳି ପବନ ବହିଲେ ।
ଦହି କାଂଜି ଆଉ ଆରିସା ପିଠା ହେଉଥିଲେ ।
ବାପା ସେବର୍ଷ ବାରୁଣୀ ସ୍ନାନଦିନ ସକାଳେ ଚାଲିଗଲେ । ପଡ଼ିରହିଲା ତାଙ୍କ ହାତସ୍ପର୍ଶର ଏକାନ୍ତ ଆପଣାର ଲାଗୁଥିବା ବୈକୁଣ୍ଠ ସମାନ ଆମ ଘର ଆଉ ଘର ବାଡ଼ି । ସେଦିନ ବି ନିରବଧି ମଧୁର ଲାଗୁଥିବା ସମୁଦ୍ର ଗର୍ଜନ ଶୁଭୁଥିଲା । ସଞ୍ଜବେଳକୁ ଘରଟା ଭିତରେ ଅସମ୍ଭବ ଧରଣର ଶୂନ୍ୟତା ଛାଇ ହୋଇଯାଇଥିଲା ।
ମାଆ ଆଖିରୁ ଯାହା ଲୁହ ଶୁଖୁନଥିଲା ।
ଦିନ ଦଶଟା ଯାଇଛି କି ନାହିଁ ପୁଅ-ବୋହୂ, ଝିଅ-ଜୋଇଁ ଯେ ଯୁଆଡେ ନିଜ ନିଜ ଚାକିରି ଜାଗାକୁ ଚାଲିଗଲେ । ବାପା ତିଆରି କରିଥିବା ସମୁଦ୍ରକୂଳ ଗାଁର ସେ ଘର ଖଣ୍ଡିକ ସମସ୍ତଙ୍କ ପାଇଁ କ୍ରମଶଃ ଦୂର ସ୍ମୃତିର ବିଷୟ ହୋଇଗଲା ।
ଆଜି ମୁଁ ଯୁଆଡେ ଗଲେ ବି, ଯେଉଁ ଅବସ୍ତାରେ ଥିଲେ ବି ଆକାଶ ଯେମିତି ମୋ ଉପରେ ନିରନ୍ତର ସାମିଆନା ହୋଇଛି ମୋ ସ୍ମୃତିରେ ବାପା ସେମିତି ଗୋଟାପଣେ ଆଜି ଭରି ହୋଇରହିଛନ୍ତି ।
ଆଜି ବାଡ଼ିବଗିଚାରେ କେତେବେଳେ କେମିତି ଦି’ଟା ଗଛ ଲଗାଇଲା ବେଳେ, ଫୁଲ ତୋଳୁଥିଲା ବେଳେ, ପୂଜାପାର୍ବଣ ଦିନମାନଙ୍କରେ ଭୋଗ ଡାଲା ସଜାଡୁଥିଲା ବେଳେ ବାପା ମନେ ପଡ଼ି ଯାଉଥିଲେ ।
ଦୁଃଖରେ ଆଖିର ଲୁହ ଜକେଇ ଆସୁଥିଲେ ବାପା ଯେମିତି ଆଶ୍ୱାସନା ଦେବା ମୁଦ୍ରାରେ ପାଖକୁ ଚାଲିଆସୁଥିଲେ । ପ୍ରତିବର୍ଷ ପ୍ରଥମେ ଯେତେବେଳେ ମଉସୁମୀ ବର୍ଷା ଆସୁଥିଲା ସେଦିନ ଗହୀର ବିଲରେ ଚାଷ କାମ କରୁଥିବା ବାପାଙ୍କ ଚେହେରା ଦିଶି ଯାଉଥିଲା । ବାପା ଯେମିତି ଏଇଠି କେଉଁଠି ଟପରଟପର ଲଗାଣ ବର୍ଷା ପଡ଼ିବା ପୂର୍ବରୁ ବିହନ ବୁଣୁଛନ୍ତି ବା ଖତ ଛିଡଉଛନ୍ତି ।
ବାପାଙ୍କ ସହିତ ସେହି ଗହୀର ବିଲରେ କେତେଥର ଅସରା ଅସରା ମଉସୁମୀ ବର୍ଷାରେ ଭିଜି ଯାଉଥିଲି । ଧୁମ୍ କୁଆପଥର ବର୍ଷୁଥିଲା । ସାଇଁ ସାଇଁ ହୋଇ ପବନ ବହୁଥିଲା । ପାଣି ହିଡ ଡିଆଁ କରୁଥିଲା ।
ଚାଷବାସ ଦିନରେ ବାପାଙ୍କର ସେହି ନିରୀହ ପ୍ରତିମାଟିଏ ଯେମିତି ଆଜି ମୋ ମନଭିତରେ ଆଙ୍କି ହୋଇଯାଇଛି । ଘର କରଣାରେ ସଦା ମୁଖର ସେ ପ୍ରତିମାଟିକୁ ଆଜି ମୋ ମନ ଭିତରୁ ଆଦୌ ବିସର୍ଜି ଦେଇପାରୁନି ।
ଆମ ଘର ଆଗରେ ଏବେ ଏଣିକି କେତେ ରକମର ବିଦେଶୀ ଫୁଲ ଚାରା, କେତେ ଆକାର ପ୍ରକାରର କାକଟସ, କେତେ ବର୍ଣ୍ଣିଳ କ୍ରୋଟନ ଗଛର କୁଣ୍ଡ । ଘର ଭିତରର କେତେ ରେକର୍ଡ ଗୀତ, କେତେ ଗହଳଚହଳ, କେତେ ଅଧିକ କୋଳାହଳ, କେତେ ଆଟୋପର ବାଜାଗୀତ ଆଉ ଖାନାପିନା ।
ଡଲାର୍ ରୋଜଗାର କରୁଥିବା, ଅଧିକ ସୁଖ ପାଇଁ ସ୍ୱପ୍ନ ଦେଖୁଥିବା ମୋ ପୁଅ ବୋହୂଙ୍କ ପାଇଁ ହୁଏତ ମୋ ବାପାଙ୍କ ସ୍ମୃତି ନିହାତି ଅଦରକାରୀ ନହେଲେ ଅର୍ଥହୀନ ହୋଇଥିବ ।
ମୋ ବାପାଙ୍କ ଠାକୁରଘରକୁ ସେମାନେ ହୁଏତ ପୁରୁଣା ପିଢ଼ିର ଲୋକଙ୍କ ପଙ୍ଗୁ ପରି ବସି ରହିବାର ଏକ ଆଡାସ୍ଥଳୀ ବୋଲି ଭାବିଥିବେ ।
ମହାନଗରୀୟ ଜୀବନ ବିତାଇଥିବା ମୋ ନାତି ନାତୁଣୀମାନେ ହୁଏତ ମୋ ବାପାଙ୍କ ପରି ତନ୍ତବୁଣା ଧୋତି ଆଉ ଖଣ୍ଡେ ଗାମୁଛାରେ ଦିନ ନେଇଥିବା ଆଉ ଶାଗ ତୋରାଣିରେ ପେଟ ଭରିଥିବା ଗୋଟେ ନିହାତି ମଫସଲି ମଣିଷର ମୂଲ୍ୟ କେତେ ବୋଲି ବି କଳନା କରୁଥିବେ ।
ଚାହୁଁ ଚାହୁଁ ଏବେ ଗୋଟେ ପରେ ଗୋଟେ ସବୁ ପର୍ବ ତ ସରିଗଲା । ଏବେ ହୁଏତ ଖାଲି ନିଶ୍ଚଳ ବାନପ୍ରସ୍ଥର ଦିନ । ସେଇ ଋତୁ ସେଇ ପରିବେଶ ଥିବା ସତ୍ତ୍ୱେ ସମୟ କେମିତି ଭାରି ପଥୁରିଆ ଲାଗୁଛି ।
ମୋ କର୍ମତତ୍ପର ମୁହୂର୍ତ୍ତମାନଙ୍କରେ ବି ବାପା ମନକୁ ଆସନ୍ତି ।
ମୋ ଯାବତୀୟ ସ୍ୱପ୍ନ ଓ ଅଭିଳାଷରେ ତ
ମୋ ଅନାସକ୍ତ ସନ୍ନ୍ୟାସରେ ।
ମୋ ଆଧ୍ୟାତ୍ମିକ ଅଭିପ୍ସାରେ ତ ମୋ ନିରୀହ ନଷ୍ଟାଲଜିକ ହେବାରେ ।
ଦୁମୁକାଣି ବର୍ଷାରେ ସେ ବେଶି ମନେପଡନ୍ତି । ମନେପଡନ୍ତି ପୁଣି ଜ୍ୟେଷ୍ଠ ଶେଷ ଆଉ ଅଣସର ଗୁଳୁଗୁଳିରେ, ଆମ୍ବ ପଣସ ପାଚୁଥିଲା ବେଳେ । ବର୍ଷର ଯାବତୀୟ ପର୍ବପର୍ବାଣି ଦିନମାନଙ୍କରେ । ମୋ ସୁଖ ଆଉ ମୋ ହାରିଯିବାର ଦାରୁଣ ମୁହୂର୍ତ୍ତରେ । ପୁଣି ମୋ ପାପ ପୁଣ୍ୟ ଓ ଅଶ୍ରୁଳ କାରୁଣ୍ୟରେ ଗୋଟାପଣେ ।
ଏବେ ଏଣିକି ଶାମ୍ବଦଶମୀରେ ଅବା ମକର ସଂକ୍ରାନ୍ତି ଦିନ ଆରିସା ପିଠା ଖଣ୍ଡେ ପାଟିକି ନେଲାବେଳେ ବାପାଙ୍କ କଥା ମନେପଡ଼ି ଆଖି କେମିତି ଛଳଛଳ ହୋଇଯାଏ ଘରସାରା ହୁଏତ ମୋ ଆଖିର ଯେଉଁ ଲୁହକୁ ଦେଖିପାରିବେନି ।
ବାପାଙ୍କ ସହିତ କଟାଇଥିବା ସମୁଦ୍ରକୂଳ ଗାଁର ସେ ଖରାବର୍ଷାର ଦିନସବୁକୁ ମୋ ସ୍ତ୍ରୀ କାହିଁ ଜାଣିପାରିବ? ତା’ ମନପ୍ରାଣତ ଅଲଗା ଧାତୁରେ ଗଢ଼ା । କାଦ ଦଢ଼ ଦଢ଼ ଆମ ସେ ମଧୁପୁର ଗାଁର ମେଘ ଦୁଲୁଦୁଲୁ କେତେ ନିଝୁମ୍ ଅନ୍ଧାର ରାତିର ଅପାସୋରା ସ୍ମୃତିକୁ ସେ କାହୁଁ ତଉଲି ପାରିବ ।
ଏ ଜୀବନ ଆନନ୍ଦ ଏବଂ ମୁକ୍ତିର ଉଲ୍ଲାସରେ ପରିପୂର୍ଣ୍ଣ ବୋଲି ମୋ ମଫସଲୀ ବାପା ତାଙ୍କ ହୃଦୟ ଦେଇ ଉପଲବ୍ଧି କରିଥିଲେ ।
ଆଜି ସମସ୍ତେ ସୁଖ ପାଇଁ ଯେଝା ବାଟରେ ଯେଝେ ଦଉଡୁଛନ୍ତି । ଗୋଟେ ରସ ନିବିଡ ଶୈଶବକୁ ଅନୁଭବ କରିବା ପାଇଁ କାହାର ନିଘା ନାହିଁ ।
ସେମାନେ ସବୁ ତ କେରିଅର ତିଆରି କରିବା ପଇଁ ନିର୍ଧୁମ ପଢ଼ାପଢ଼ି ଭିତରେ କେମିତି ପଟେ ପଟେ ମେସିନ୍ ପାଲଟି ଯାଇଛନ୍ତି । ଆବେଗ ବୋଲି କିଛି ପ୍ରବଣତା ବିଧାତା ବୋଧେ ତାଙ୍କ ହୃଦୟରେ ବିଧାନ କରିନାହାନ୍ତି ।
ଟାଇ ପିନ୍ଧିବାରେ ସତେ ଯେପରି ସବୁଦିନ ପାଇଁ ସେମାନଙ୍କ କଣ୍ଠରୁଦ୍ଧ ହୋଇଯାଇଛି । ଯେମିତି କାଳ କାଳ ଧରି ସେମାନେ ହୁଏତ ଆଉ ହୃଦୟର ଭାଷାକୁ କହିପାରିବେନି ।
ୟୁନିଫର୍ମ ପିନ୍ଧିବା ଭିତରେ ସେମାନେ ଯେପରି ଚିରକାଳକୁ ପୂରାପୂରି ଢାଙ୍କି ହୋଇଯାଇଛନ୍ତି; ଯେଉଁ ଆବରଣ ଭିତରୁ ହୁଏତ ସେମାନେ ଆଉ ମୁକୁଳି ପାରିବେନି । ଜୋତା ପିନ୍ଧିବାରେ ସେମାନଙ୍କ ଗୋଡ଼ ଦି’ଟା ଯେମିତି ବନ୍ଧା ହୋଇଯାଇଛି ଆଉ ପ୍ରଗଳ୍ଭ ହୋଇ ତୋଟାପାଟ, ଘାସପଡ଼ିଆ, ନଈ ସମୁଦ୍ରକୂଳରେ ଦୌଡିବା, ଖେଳାଲୀଳା କରିବାର ସମସ୍ତ ସମ୍ଭାବନା ଯେପରି ରୁଦ୍ଧ ହୋଇଯାଇଛି । ସବୁଦିନ ପାଇଁ ସେମାନେ ଯେମିତି ହୁଏତ ପ୍ରାଣହୀନ ପଟେପଟେ ଯନ୍ତ୍ର ଯା’ ପାଲଟି ଯାଇଛନ୍ତି ଏ ଯୁଗର ଚଳପ୍ରଚଳ କରୁଥିବା ଅବିକଳ ରବର୍ଟମାନଙ୍କ ପରି ।
ବାପାଙ୍କ ସହିତ କଟାଇଥିବା ସେ ମଧୁର ଶୈଶବର ସ୍ମୃତି ସବୁ ସେମାନଙ୍କ ପାଇଁ ନିହାତି ନିରର୍ଥକ ଯେପରି । ଆଜି ରାତିର ଜହ୍ନ ଆସିଲେ ମୋ ମନପ୍ରାଣ କେମିତି ବତୁରି ଯାଉଛି ମୋ ନାତି ନାତୁଣୀମାନେ କେହି ସେ କଥା ବୁଝିପାରିବେନି । ସେହି ମଧୁର ଆନନ୍ଦ ଟିକକ ମହୁମାଛି ପରି ଚୋଷି ନେବା ପାଇଁ ହୁଏତ ବିଧାତା ସେମାନଙ୍କୁ ଭାଗ୍ୟଧର କରି ଜନ୍ମ କରିନାହାନ୍ତି ।
ନାଲିଖରା ପଡ଼ିଥିଲା ବେଳେ ସକାଳେ ଖଳାବାଡ଼ିରେ ବସି ଜାଉ ଖାଇବା, ବିଲହିଡରେ ବସି ଭାତ ଖାଇବାର ଆନନ୍ଦ, ପଖାଳଭାତ, କଇଁଥ ଚଟଣୀ, ବଡ଼ିଭଜା, ତୋରାଣି କାଂଜିର ମହକକୁ ସେମାନେ ଜମା ଆଜି ଜାଣିପାରିବେନି ।
ସେଇ ଶୈଶବ ହିଁ ଥିଲା ମୋର ସୁଖର ଦିନ । ତମାମ ଜୀବନ ମୁଁ ସେଇ ଛୁଆଦିନକୁ ହିଁ ଝୁରି ହୋଇଛି । ସବୁଦିନେ ଝଲସି ଉଠିଛି ସମୁଦ୍ରକୂଳ ଗାଁର ସେ ଛବିଳ ନକ୍ସାଟି ।
ବାପା ଥିଲାବେଳେ ବର୍ଷର ବାରମାସ ଫସଲ ହୋଇଥାଏ ଆମ ବଗିଚାରେ ।
ବାପା ହିଁ ସବୁ ଉଠିଆ କରନ୍ତି ।
ଚତୁରମାସିଆ ପାଇଁ ସଜବାଜ ହୁଅନ୍ତି ।
ସାରୁଗଛ ମୂଳରେ ପଙ୍କ କାଢ଼ି ଦିଅନ୍ତି ।
ବାଉଁଶ ଭଲ ବଢ଼ିବ ବୋଲି ତା’ ମୂଳରେ ପତାଣ୍ଡି କୁଢ଼ାନ୍ତି ।
ଭଲ କରି ବିତଳା କୋଶିଳା ଶାଗ କରନ୍ତି ।
ପିତିରି ପିତର ଲାଗୁପଛେ ତା’ ସହିତ ତଳାଟିଏ ହେଲେ ବି ପିଡଙ୍ଗ ଶାଗ
ଅଧାତୋଳା ମେଥି ଆଉ ଅଧାତୋଳା ଧଣିଆ ।
ଦି’ଗଛ ଖଡାତ ଦି’ ଗାତ ଓଲ ଆଉ ଅତି କମ୍ରେ ପାଞ୍ଚ ଛଅ ମନ୍ଦା ଖମ୍ବଆଳୁ ।
ସେଇ ପିତାଳିଆ ପିଡଙ୍ଗ ଶାଗ, ନିମକଢ଼, ପିତାଗମା, ଖମ୍ବଆଳୁ ଆଉ ଖଡ଼ାର ସ୍ୱାଦରେ କି ଗୌରବ ଗୁନ୍ଥା ହୋଇଛି ସେମାନେ ତାହା କାହୁଁ ଜାଣିବେ ।
ଆଷାଢ଼ ଆକାଶରେ ମଉସୁମ ମେଘ ଭାସିଗଲା ପରି ବାପାଙ୍କ ସହିତ ସେ ଶୈଶବର ସ୍ମୃତି ସବୁ ।
ସମୁଦ୍ରକୂଳ ଗାଁର ମେଘ ଦୁଲୁଦୁଲ ଝଡ଼ ପ୍ରବଣ ରାତି । ସବୁ ଋତୁରେ ସମୁଦ୍ରକୂଳ ଗାଁ ଆମର ଅଦ୍ଭୁତ ଭାବରେ କେମିତି ପାଂଶୁଳ ଦିଶେ । ମଉଛବ ରାତିର ବାଜାଗୀତ, ତଳସାଇର ମାଜଣା, ବାପା ଫଗୁଣ ଚଇତ ରାତିରେ ବେଙ୍ଗଳା ପକାନ୍ତି । ମାଘ ମାସ ରାତିର ଜାଡ । ଗୁଡରନ୍ଧାର ବାସ୍ନା । ଶାସନ ବିଲ କିଆବଣରେ ନିଅାଁ ଲାଗିଥାଏ ।
ଦୂରରୁ ଅଜାଘର ନିଶ୍ଚଳ ନୀଳଗିରି ପାହାଡ଼ ଦିଶୁଥାଏ ଆମ ସମୁଦ୍ରକୂଳ ଗାଁକୁ । ଛୁଆମାନେ ଖାଇବେ ବୋଲି କେହି ବାପା ତେଲି ସାଇରୁ ଦିକୁତ ନୂଆ ଗୁଡ ଆଣନ୍ତି । ଶୀତ ସକାଳରେ ମୁଢ଼ି ମୁଅାଁ, ନାଲି ଉଖୁଡାର ସୁଆଦ ଜୀବନ ସାରା ଭୁଲିବାର ନୁହେଁ ।
କେହି ଜାଣିପାରୁନଥିଲେ ମୋ ମନଟା ଗୋଟାପଣେ କେଉଁଠି ଲାଖିଯାଇଛି । କେଉଁ ରାଇଜର ମୁଁ କି କଥା ଖୋଜୁଛି । ସେ ପାଇଁ ମୋ ଆତ୍ମଜ ପୁଅଝିଅ କାହାର ସରାଗ ନଥାଏ । ସ୍ମୃତି ବୋଲି କି ପଦାର୍ଥ ସେମାନେ ବୋଧେ ଜାଣନ୍ତି ନାହିଁ । ଝିଅ ଖଣ୍ଡେ ତ ମାମୁଲି ଲୋକଙ୍କ ଝିଅମାନଙ୍କର ସୋହେଲୀ; ଯେଉଁମାନେ ବିନ୍ଦି, କୁଙ୍କୁମ, ଅଳତା, ଅତର ବ୍ୟତୀତ ସ୍ମୃତି, ସଂପର୍କ, କଳାକବିତା ବୋଲି କିଛି ବୁଝନ୍ତି ନାହିଁ । ମାଇକ୍ରୁ ଗୁଡାଏ ବାଜେ ହିନ୍ଦୀଗୀତ ଶୁଣିବା, ଶସ୍ତା ଆଇସ୍କ୍ରିମ୍ ଖାଇବା, ଅଳପ ଲୋକଙ୍କ ପରି ଦେଖେଇ ହେବା ଯେଉଁମାନଙ୍କର ଫେଶନ, ଅତୀତ ଭାବନାରେ ଯେଉଁମାନଙ୍କ ହୃଦୟରୁ ନରମ କବିତା ଝରେ ନାହିଁ, ପକ୍ଷୀର ଗୀତ ଶୁଭେ ନାହିଁ, ମନ ଓ ଆତ୍ମାର ପରିଚର୍ଯ୍ୟା କରି ଶିଖି ନାହାନ୍ତି ସେଇମାନଙ୍କ ମେଳରୁ ଆମ ଝିଅ ନିଜକୁ ଅଲଗା କରି ରଖି ପାରିଲାନି ।
ଏସଥେଟିକ ବୋଲି କିଛି ଗୋଟେ ସୂକ୍ଷ୍ମଚେତନା କଥା ସେମାନଙ୍କ ମନ ଆତ୍ମାକୁ କେବେ ହୁଏତ ଛୁଇଁନି । ଗୋଟେ ଶୁଦ୍ଧ ରସ ନିବିଡ ଜୀବନ ପ୍ରତି ଉନ୍ମୁଖତା ସେମାନଙ୍କର ନଥାଏ । ବସ୍ତି ଇଲାକାର ଶସ୍ତା ଟାଇମ୍ପାସ୍ ବୁଲାବୁଲି ଭିତରେ ମଜଗୁଲ ହୋଇ ରହିବା ସେମାନଙ୍କର କାମ ।
ମୋ ବାପା କିନ୍ତୁ ସ୍କୁଲ କଲେଜ ଯାଇ ବେଶି କିଛି ପାଠ ପଢ଼ିନଥିଲେ ବି ଜୀବନର ମଧୁର ଉଲ୍ଲାସକୁ ମାପି ପାରିଥିଲେ । ଟିକିଏ କଥାରେ ବିମର୍ଶ ହେବା ଶିଖି ନଥିଲେ ।
ଆନନ୍ଦର ଜୁଆର କେବେ ତାଙ୍କ ଭିତରେ ଭଟ୍ଟା ପଡ଼ି ଯାଉନଥିଲା ।
ସବୁ ଆଡେ ଘର ବାହାରେ ଖାଲି ବାପାଙ୍କ ସ୍ମୃତିର ଚିହ୍ନ ।
ଘରବାଡ଼ିରେ ବାପା କେଉଁଠି ବେଦୀ ବାନ୍ଧି ଥିଲେ ତ କେଉଁଠି ଚଉତରାଟିଏ କରିଥିଲେ । ବର୍ଷାପାଣି ମରିବା ପାଇଁ କେଉଁଠି ଖାଲୁଆ କରିଥିଲେ ତ ବିରି ମୁଗ ବୁଣିବା ପାଇଁ ଢିପ ସବୁ କରିଥିଲେ । କେଉଁଠି ଫୁଲଗଛ ଲଗାଇ ଥିଲେ ତ କେଉଁଠି ଫଳଗଛ ଲଗାଇଥିଲେ ।
କିଏ ସେ ହାତୀ ସାହୁ ମୋ ଜେଜେବାପାଙ୍କର ଜେଜେବାପା କେଉଁ ଦୁଃସାହସରେ ପ୍ରଥମେ ଏ ସମୁଦ୍ରକୂଳକୁ ଆସି ବାଉଁଶବଣ ସଫା କରି ପଲାଘର କରି ରହିଥିଲା । ତା’ ପୁଅ ଗଙ୍ଗାଧର ସାହୁ । ତା’ ପୁଅ ମୋ ଜେଜେବାପା ପ୍ରବଳ ଫୁଲଗଛ ଲଗାଉଥିବା, ପ୍ରତିବର୍ଷ ଧୁମ୍ଧାମ୍ରେ ଅନନ୍ତ ନାରାୟଣ ବ୍ରତ କରୁଥିବା ପରମ ଧାର୍ମିକ ମାନଗୋବିନ୍ଦ ସାହୁ ।
ବାପା ଦୀପାବଳି ଦିନ ସେହିସବୁ ପୂର୍ବପୁରୁଷଙ୍କ ନାଁ ତୁଣ୍ଡରେ ଧରିଲେ ଦେହ ମନରେ କେମିତି ଚମକ ଖେଳିଯାଏ ।
ଗୋଟେ ଜାଗତିକ ସ୍ଥୂଳ ଘରକରଣା ଭିତରେ ବୁଡି ରହିଥିବା ମୋ ସ୍ତ୍ରୀ ସେ କଥା ଆଦୌ ବୁଝି ପାରେନି । ଜୀବନ ତମାମ ଏଇଠି ଏଇ କଥାରେ ମୋର ଭାରି ଅଭିମାନ ।
ସହଧର୍ମିଣୀ ହୋଇ ମୋ ସ୍ତ୍ରୀ ମୋ ଛୁଆଦିନର ସ୍ମୃତିକଥାରେ ଶିହିରି ଉଠିବନି । ଶ୍ରଦ୍ଧାରେ ମୋ ବାପାଙ୍କ ପ୍ରାଣର ଉଲ୍ଲାସକୁ ଜାଣିବନି ଆମ ପୂର୍ବପୁରୁଷର ଇତିହାସ ଜାଣିବନି ।
ବାପାଙ୍କ ମନ ଓ ଆତ୍ମାର ବୁନିଆଦିକୁ ଆପଣା ଭାଗ୍ୟର ସମ୍ପତ୍ତି ବୋଳି ଜ୍ଞାନ କରିବନି ଆଉ କିଏ କରିବ କାହିଁକି?
ମନେପଡେ ବାପାଙ୍କ ଚାଷବାସ କଥା । ବାପା କହନ୍ତି ମାଟିରୁ ଫଳେଇ ଖାଇବ । ତପସ୍ୟା ନଥିଲେ ଜଣେ ମାଟିରୁ କିଛି ଫଳେଇ ପାରେନି । ବାପା ସବୁପ୍ରକାର ଫସଲକୁ ସୁନା ବୋଲି ଜ୍ଞାନ କରୁଥିଲେ ।
ସମୁଦ୍ର କୂଳିଆ ପନ୍ତା ଜମି ଚାଷରେ ବାପା ଗୋଟାପଣେ ମଜି ଯାଉଥିଲେ । ମାଆ ଭାତ ତରକାରି କରି ଆମ ସାଙ୍ଗରେ ପଠାଇ ଦିଅନ୍ତି ବିଲମଝିକୁ । ଦ୍ୱିପ୍ରହର ଗଡ଼ିଲା ବେଳକୁ ମୂଲିଆଙ୍କୁ ନେଇ ବାପା ବିଲରୁ ଉଠନ୍ତି । ହିଡମୁଣ୍ଡରେ କଦଳୀପତ୍ର ବିଛାଇ ଭାତ ଖାଆନ୍ତି
ତମାମ ଉତ୍ତରା ପବନ ବହୁଥାଏ ।
ଦେହ ହାତ ଶୀତେଇ ଉଠୁଥାଏ ।
ଖାଇ ଦେଇ ସେଇ କଳେଇ ଗଦା ଉପରେ ଗାମୁଛା ଖଣ୍ଡେ ପାରି ବାପା ଟିକିଏ ଗଡ଼ି ପଡନ୍ତି । ମାଆ ଦେଇଥିବା ପାନ ଖଣ୍ଡେ ଗାଲରେ ଜାକି ଦିଅନ୍ତି । ସମୁଦ୍ର ପନ୍ତାରେ ଆମେ ମାଛ କଙ୍କଡ଼ା ଧରିବାରେ ଲାଗିଯାଉଁ । ତମ୍ପ, ଗୋଖର, ସାଲୁବାଲୁ ହେଉଥାନ୍ତି । ପଲପଲ ମଇଁଷି ଆଉ ଦଳଦଳ ସମୁଦ୍ରକୂଳିଆ ପକ୍ଷୀ ।
ପାଣି ପରି ସମୟର ସୁଅ କେମିତି ବହିଗଲା ।
ନିବିଡ ଲାଗୁଥିବା ସ୍ମୃତି ସ୍ନିଗ୍ଧ ସେ ଛୁଆଦିନ କୁଆଡେ ବି ଚାଲିଗଲା ।
କୁଆଡେ ଚାଲିଗଲା ମାଛ କଙ୍କଡ଼ା ଧରିବାର ସେ ଆନନ୍ଦଦାୟକ ପ୍ରହର ସବୁ ।
ମଧୁର ଶୈଶବ ଆଉ ସବୁ କଥାକୁ ଉତ୍ସୁକ ମହମହ ସେ କୈଶୋରର ବୟସ ।
ବାପାମାଆ କେ’ଦିନୁ ମାଟି ଧରିଲେଣି । ହେଲେ ତାଙ୍କ ସ୍ମୃତି ଚାରିଆଡେ ବିଛାଡି ହୋଇପଡ଼ିଛି । ବାପା ପୋଖରୀ ହୁଡ଼ାରେ ଦିବୋଦା ବାଉଁଶ କେଉଁଠି ପୋତିଛନ୍ତି ତ ଓଉଗଛଟିଏ ପଣସ ଗଛଟିଏ କେଉଁଠି ଲଗାଇଛନ୍ତି । ଘର ଭିତର କାନ୍ଥରେ ଠଣାଟିଏ କି ଭାଡ଼ିଟିଏ କେଉଁଠି ତିଆରି କରିଛନ୍ତି ତ, କେଉଁ ହୁଡି ମୂଳରୁ ବଳଦଗାଡ଼ିରେ ମାଙ୍କଡ଼ା ପଥର ଆଣି ପୋଖରୀ ତୋଠକ ଲାଗି ପକା ଚଉତରାଟିଏ କରିଯାଇଛନ୍ତି । ବାଲିଜମି ବିକି ଦେଇ ହୁଏତ ଦିପାଆ କଳିନ୍ଦ ଗହୀର ଜମି କିଣିଛନ୍ତି । ପୋତି ଯାଇଥିବା ବାଡ଼ି ଗଡ଼ିଆଟିଏ ଖୋଳାଇ ମାଟି ଧୋଇଯିବ ବୋଳି ସେ ଗଡ଼ିଆ ଚାରିପଟେ ପହିଟେକି ତାଳଗଛ ଲଗାଇ ଯାଇଛନ୍ତି ।
ସେଥିରୁ ଆଉ କାହାକୁ କିଛି ନମିଳିଲେ ବି ସେତକ ମୋ ପାଇଁ ଆଜି ମଧୁବନ ତୋଟା । ମାଟୁପରେ ଥୁଆ ହୋଇଥିବା ଆଳୁକୁଚି ମାଳୁକୁଚି ପାଛିଆରେ ସେମାନେ ଯେଉଁ ଦୁର୍ଲଭ ଇନ୍ଦ୍ର ସମ୍ପତ୍ତି ଛାଡି ଯାଇଛନ୍ତି ମୋ ପିଲାମାନେ ସେ କଥା ଜମା ଆଜି ବୁଝିପାରିବେନି ।
ମୋ ବାପାଙ୍କ ସହିତ କଟାଇଥିବା ସେ ମଧୁର ଶୈଶବର ସ୍ମୃତି ଟିକକ ହିଁ ଆଜି ମୋ ଛାତି ଉପରେ ଗୋଟେ ଶୀତଳ ଜଳଧାର ହୋଇ ବହିଯାଉଛି; ପବିତ୍ର ସ୍ୱର୍ଗ ଗଙ୍ଗାଭଳି ।
ମୋ ସ୍ତ୍ରୀ ସହିତ ମୋ ସହରୀ ପୁଅବୋହୂ, ନାତି ନାତୁଣୀ ଆଜି ଅଲଗା ନିଶାରେ, ଅଲଗା ଧୁମ୍ଧାମରେ ମାତିଛନ୍ତି । ବିଲାତି କୁକୁର ଛୁଆ ହୁଏତ ସେମାନଙ୍କ କୋଠ ସମ୍ପତ୍ତି ପାଲଟି ଯାଇଛି; ଛାତିରେ ଲଗାଇ ଯାହାକୁ ସେମାନେ ଗେଲ କରୁଛନ୍ତି ।
ଏତେପ୍ରାଣ ଭରି ରହିଛି ବାପାଙ୍କ ସହିତ କଟାଇଥିବା ସେଦିନମାନଙ୍କର ସ୍ମୃତିରେ । ଏତେ ନିରୀହତା, ଏତେ କୋମଳ ସୁନ୍ଦରପଣ ତାହା ସେମାନେ ଆଜି ଉପଲବ୍ଧି କରିପାରୁନାହାନ୍ତି ବୋଲି ଆଜି ମୋର ଦୁଃଖ ବଳିପଡ଼ିଛି ।
ଜାପାନୀ କଣ୍ଢେଇ ଭଳି ଭାରି ବର୍ଣ୍ଣିଳ ଲାଗୁଥିବା ଗୋରୀ ନାତୁଣୀଟି ମୋର ଯଦି ଆହା ବୁଝି ପାରୁଥାନ୍ତା କେଳାପଦି ପଦ୍ମପୋଖରୀର ପାଣି ସତରେ କେତେ ଶୀତଳ, କେତେ ମନଲୋଭା ସେ ପଦ୍ମପୋଖରୀର, ତା’ର କାଚକେନ୍ଦୁ ଭଳି ପାଣି କେତେ ସୁଆଦିଆ ଶୀତ ସକାଳର ଜାଉ ଆଉ ମୁଢ଼ିମୁଆଁ, କେତେ ମାଦକଭରା ମେଘ ମହଳ ଜହ୍ନରାତି, କେତେ କବିତାମୟ ଏ ସମୁଦ୍ରକୂଳ ଗାଁର ମେଘପବନର ଦିନସବୁ । ଆହା ଗୌରାଙ୍ଗୀ ନାତୁଣୀଟି ମୋର ସେସବୁ କିଛି ବୁଝେନି । ପ୍ରାଣହୀନ ଗୋଟେ ରବର୍ଟ ଛୁଆ ଯେମିତି ।
ବିଦେଶୀ ପାଣି ପବନରେ ବଢ଼ିଥିବା ସେ ରୋଜି ବୋଲି ନାତୁଣୀଟା କିଛି ବୁଝି ପାରେନି ବୋଲି ମୋର ଆଜି ବେଶି ଅସହାୟତା । କେଜାଣି ବୁଝିବା ପାଇଁ ଈଶ୍ୱର ତା’କୁ କିଛି ପ୍ରାଣ, କିଛି ପ୍ରବଣତା ଦେଇଛନ୍ତି କି ନାହିଁ ।
ମୋ ସେ ପ୍ରାଣପ୍ରିୟ ନାତୁଣୀଟି ଭିତରେ ଯଦି ସତରେ ଅତୀତକୁ ଝୁରି ହେବାର ପ୍ରବଣତାଟିଏ ନଥିବ କେତେ ପ୍ରାଣହୀନ ହୋଇଯିବ ସତରେ ସେ । ସେତକ ତ ହୃଦୟର ସମ୍ପତ୍ତି । ଯଦି ସେତକ ନଥିବ ଆଉ କ’ଣ ତା’ର ରହିଲା ଯେ? ଏ ରସମୟଜଗତକୁ ସେ ଭୋଗ କରିବ କେମିତି ।
ସେ ଟିକି ଝିଅଟି ଭିତରୁ ସବୁଦିନ ପାଇଁ କବିତା ଯେମିତି ମରିଯିବ ଅବା ମେଘ ମେଦୁରିତ ବର୍ଷା କାଳ ଯେମିତି ଉଭେଇଯିବ ।
ରାତି ଶେଷ ପହରକୁ ସେଦିନ ନିଦ ଭାଙ୍ଗିଗଲା ।
ପିଲାଦିନର ସ୍ମୃତି କେତେ ଢେଉ ଭାଙ୍ଗିଲା ମନରେ । ଘରର ସାନବଡ଼ ଆଉ ସମସ୍ତେ ନିଶ୍ଚିନ୍ତରେ କିନ୍ତୁ ଶୋଇ ପଡ଼ିଥିଲେ ।
ଆଉ କିଛି ନୁହେଁ ସୁଖ ସ୍ୱାଚ୍ଛନ୍ଦ୍ୟ, ସମ୍ପତ୍ତି ବାଡ଼ିର ଅଭାବ ନୁହେଁ ଅଥଚ କେମିତି ଗୋଟେ ଅସହାୟ ଲାଗିଲା । ଖରାକାଳ ଦିପହର ପରି ଭାରି ନିଛାଟିଆ ଭାରି ଶୂନଶାନ ଲାଗିଲା ଜୀବନଟା ।
ଏତେ ଘର କରଣାର ଗହଳି ଭିତରେ ବାପା ଦିନ କଟାଉଥିଲେ ।
କେତେ ଶୀଘ୍ର ପାଣି ପରି ଦିନସବୁ ବହିଗଲା ।
କେତେ ସହଳ ପିଲାଦିନ ଦୂର ସ୍ମୃତିର ବିଷୟ ହୋଇଗଲା ।
କେତେ ଶୀଘ୍ର ବଦଳିଗଲା ସୁଆଦ ଚାଖୁଥିବା ଏ ଜିଭ ଖଣ୍ଡିକ ।
କେତେ ଶୀଘ୍ର ମନ ମରିଗଲା ।
ଦିନ ପରେ ଦିନ ମାସ ବର୍ଷ ବିତି ଯାଉଛି । ପାର୍ଥିବ ସୁଖ ଭୋଗ ପାଇଁ ସ୍ମୃତି ବୋଧେ କାହାର କିଛି ଦର୍କାର ନଥାଏ । ମଝି ବାଟରେ ଛିଡ଼ା ହୋଇ ମୁଁ କାହାକୁ ଛାଡି ପାରିବି?
ପୂର୍ବ ପୁରୁଷମାନଙ୍କୁ ନା ଉତ୍ତର ପୁରୁଷମାନଙ୍କୁ ।
ଅତୀତକୁ ନା ବର୍ତ୍ତମାନକୁ ।
ଇହକାଳକୁ ନା ପରକାଳକୁ ।
ମଝି ଆକାଶରେ ଯେମିତି ମୁଁ ଆଜି ଅଣଆୟତ୍ତ ହୋଇ ଅଲଝି ରହିଛି । ମୁଁ ସ୍ୱପ୍ନ ଖୋଜିବି ନା ସ୍ମୃତି ଖୋଜିବି? ନାତିନାତୁଣୀଙ୍କ ମେଳରେ ସଂସାର ସୁଖର ଉଷୁମ ଟାଣିବି ନା ବସି ବସି ଖାଲି ସ୍ମୃତିର ହରରଙ୍ଗୀ ଶାମୁକା ସାଉଁଟିବି?
ମନେପଡେ ସମୁଦ୍ରକୂଳର ସେ ମହାବାତ୍ୟା ବର୍ଷ । ଠିକ୍ ବାରୁଣୀ ଦିନ ସେ ବର୍ଷ, ଯେଉଁଦିନ ବାପା ଇହଲୀଳା ସମ୍ବରଣ କରିଥିଲେ ବାପାଙ୍କ ଉଦେ୍ଦଶ୍ୟରେ ତିଳତର୍ପଣ କରିବା ପାଇଁ ମୁଁ ସମୁଦ୍ର କୂଳକୁ ଗଲି । ତିନିପୁରୁଷଙ୍କୁ ପିଣ୍ଡ ବାଢ଼ିଲି ।
ସମୁଦ୍ରରୁ ସେଦିନ ଉଠି ଆସିଲା ବେଳେ ପୂର୍ବ ଆକାଶ ଆଡ଼େ ବାପା ଯେମିତି ଦିଶି ଗଲେ । ଦିଶି ଗଲା ତାଙ୍କ କର୍ମପ୍ରବଣ ହାତ ଦୁଇଟି; ଯେଉଁ ଦୁଇ ହାତରେ ସେ ଆମ ସମୁଦ୍ରକୂଳ ଗାଁରେ ଆମମାନଙ୍କ ସୁଖଭୋଗ ପାଇଁ ବୈକୁଣ୍ଠ ସମାନ ସ୍ୱପ୍ନ ସଦନଟିଏ ଗଢ଼ି ଦେଇଯାଇଥିଲେ ।
ସବୁ ସେ ସ୍ମୃତିର ବିଷୟ ହୋଇଗଲାଣି ।
ସେଦିନ ରାତି ପାହିବା ପୂର୍ବରୁ ମୁଁ ସମୁଦ୍ର କୂଳକୁ ଚାଲିଯାଇଥିଲି ।
ଉଦିୟାନ ସୂର୍ଯ୍ୟ ଉପରକୁ ଉଠିଲା ।
ଉପରେ ଥିଲା ଅନନ୍ତ ଆକାଶ ଆଉ ତଳେ ନିରବଧି ଗର୍ଜୁଥିବା ସମୁଦ୍ର ।
ସମୁଦ୍ର ଭିତରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ମୁଁ ବାପାଙ୍କ ସ୍ୱର୍ଗତ ଆତ୍ମା ଉଦେ୍ଦଶ୍ୟରେ ପ୍ରଣାମ କରି ତାଙ୍କ ଆଶୀର୍ବାଦ ଭିକ୍ଷା କଲି ।
ସମୁଦ୍ରରେ ଜୁଆର ଆସିବା ସେଦିନ ସେତେବେଳକୁ ଆଉ କିଛି ସମୟ ତଥାପି ବାକି ଥିଲା । ସମୁଦ୍ର କ୍ରମଶଃ ଅଶାନ୍ତ ହୋଇପଡୁଥିଲା ।
ଚତୁର୍ଦ୍ଦିଗ ସେହି ବାପାଙ୍କ ସ୍ମୃତିରେ ହିଁ ଭରିଗଲା । ମୋ ମନ ଓ ପ୍ରାଣରେ ଆଉ କିଛି କଥାର ଖିଅ ନଥିଲା । ପାହାନ୍ତି ପହରର ଆକାଶ ତଳେ ସମୁଦ୍ର ପାଣିରେ ଛିଡ଼ା ହୋଇଥିଲା
ବେଳେ ମୋର କାହା ପ୍ରତି କିଛି ଅସୂୟା ନଥିଲା କି କୌଣସି ବିଷୟରେ ମୋ ମନରେ କିଛି ଘୃଣା ନଥିଲା । ଗୋଲାପ କଢ଼ି ଭଳି ଫୁଟି ଆସୁଥିବା ମୋର ସେ ପ୍ରିୟ ନାତୁଣୀଟି ପ୍ରତି ମୋ ପ୍ରାଣରେ କିଛି ବିମୁଖତା ବି ନଥିଲା ।
ସେତେବେଳେ ସତ କହିଲେ ମୋର କୌଣସି ସ୍ୱପ୍ନ ନଥିଲା ।
କାମିନୀ କାଞ୍ଚନ ପ୍ରତି କୌଣସି ଲାଳସା ନଥିଲା ।
ସେଦିନ ସେ ପାହାନ୍ତା ପହରରେ ବାପାଙ୍କ ଉଦାରତା ମୋତେ ଆକାଶଠାରୁ ଆହୁରି ବିସ୍ତୀର୍ଣ୍ଣ ଲାଗିଲା ।
ମୁହୂର୍ତ୍ତକୁ ମୁହୂର୍ତ୍ତ ଖାଲି ବାପା ହିଁ ମନେପଡିଲେ । ଆଉ କେହି ନୁହେଁ ।