ସୁଖକାହାକୁ କହନ୍ତି ସୁଜୟା! ସୁଖର ସଂଜ୍ଞା କ’ଣ, ସୁଖର ଚେହେରା କେମିତି ??? ଚିଠିଟା ଫଡ ଫଡ ହୋଇ ଉଡୁଥିଲା ଘରର ଅଖଣ୍ଡ ସ୍ତବ୍ଧତା ଭିତରେ । ସୁଜୟା ଓ ଋତ୍ତ୍ୱିକ୍ ସେମିତି ହିଁ ନିର୍ବାକ୍ ହୋଇ ଠିଆ ହୋଇଥିଲେ ପ୍ରଶ୍ନୋତ୍ତରର ପୂର୍ବ ପର୍ଯ୍ୟାୟରେ ।
ସେଦିନ ସୁଜୟା ବି ସେମିତି ହଁ କହିଥିଲା, “ତୁମେ ତ ଜାଣିଛନା ତୁମପାଖେ ଥିଲେ ମୁଁ କେତେ ଖୁସିରେ ଥାଏ । ମୋ ଲାଗି ତୁମ ରୁମ୍ ସାମନାରେ ଗୋଟେ ରୁମ୍ ଦେଖିଦିଅ ନା । ବିଦ୍ୟାରାଣ, ତୁମକୁ ମୁଁ ଜମାବି ଡିଷ୍ଟର୍ବ କରିବିନି । ତୁମ ମୋ ରୁମ୍ ମଝିରେ ଧାଡିଏ ବାରମାସ ଚଢେଇ ରଖିବା ତୁମେ ଯେତେବେଳେ ରୋଗୀ ଦେଖିବ, ମୁଁ ସେମାନଙ୍କ ସାଙ୍ଗେ ଗପିବି । ମାନିଯାଅନା ଶ୍ରୀମୟ , କହିବ ଯଦି ତୁମକୁ ମଝିରେ ମଝିରେ ଚା’ ବି ତିଆରି କରିଦେବି ।
ସେତେବେଳେ କେତେବଡ ଥିଲା ସୁଜୟା? ମୋନି ପରିତ ଥିଲା କୋଡିଏ, ଏକୋଇଶି ବର୍ଷର ସାବାଳିକା ଝିଅଟେ । କିନ୍ତୁ ତଥାପି ବି ତ ସେ ସ୍ୱପ୍ନ ଦେଖୁଥିଲା । ନିଜ ଇଚ୍ଛାର ସୁଖୀ ଜୀବନଟେ ଜିଉଥିଲା, ପକ୍ଷ ନଥାଇ ବି ଉଡୁ ଥିଲା । ଥରେ ଶ୍ରୀମୟକୁ ଆଞ୍ଜୁଳାଏ ସୁନ୍ଦର ଶାମୁକା ଭେଟି ଦେଇଥିଲା, ଆଉଥରେ ଗୋଟେ କୁନମୁନ୍ ଏଣ୍ଡୁଅ । ତା’ ବେକରେ ଲାଲ୍ ସହ ହାଲକା ସାଗୁଆ ରଂଗ ବି ଥିଲା । ଏଣ୍ଡୁଅଟା ନିତିଦିନ ସୁଜୟାର ଝରକା ସାମନାରେ ବସି ଖରା ପୁଉଁଥିଲା ତ ସୁଜୟାକୁ ବହୁତ ଭଲ ଲାଗୁଥିଲା ତାକୁ ଦେଖିବାକୁ ।
ସୁଜୟାକୁ ଶ୍ରୀମୟ ଭଲଲାଗୁଥିଲା ତ ସେ ଭାବୁଥିଲା ଦୁନିଆରେ ତାକୁ ଯେତେ ଯାହା ଭଲ ଲାଗେ ସବୁ ସେ ଶ୍ରୀମୟକୁ ହିଁ ଦେଇଦେବ, କିନ୍ତୁ ଶ୍ରୀମୟକୁ ଏସବୁ ଭଲଲାଗୁଥିଲା କି ନାଇଁ କେଜାଣି ବୁଝୁ ନ ବୁଝୁ ସୁଜୟାର ସାରା କବିତା ସେ ଶୁଣୁଥିଲା ଆଉ କେବେ କେବେ ଦୁଇ ଲାଇନ୍ ଉଦ୍ଧୃତ କରି ଚିଡାଉଥିଲା ବି । ଦୁନିଆ ଯାକର ଅଦ୍ଭୁତ, ଉଦ୍ଭଟ କାମ କରିବାକୁ ସୁଜୟାର ବହୁତ ପସନ୍ଦ ଥିଲା । ରାତି ଅନିଦ୍ରା ହୋଇ କେବେକେବେ ସେ ସାଇତି ରଖିଥିବା କିସମ କିସମ ପଥରରେ ପେଣ୍ଟିଂ କରୁଥିଲା ।
ଶ୍ରୀମୟ ରୁମର ଝରକା ତ ସମୁଦ୍ର ପଟକୁ ଥିଲା । ରୁମ୍ ସାରା ଫଡ ଫଡ ଉଡୁଥିବା କାଗଜପତ୍ରକୁ ସୁଜୟାର ହସ୍ତ କଳାର ନିପୁଣତମ ନମୁନା ପେପର ୱେଟ୍ ମାନେ ହିଁ ସମ୍ଭାଳି ରଖୁଥିଲେ । ସୁଜୟା ଖୁସି ହୋଇ ଯାଉଥିଲା ନିଜ କୃତିତ୍ୱକୁ ଦେଖି । ଅଥଚ ବାପା, ମା, ଭାଇଭଉଣୀ, ସାଙ୍ଗସାଥୀ ସୁଜୟାକୁ କେତେ ଅଲଗା ଭାବେ ଦେଖିଥିଲେ । ସୁଜୟା ଭଲ ପଢେ, ସୁଜୟା ସୁନ୍ଦର ଚିତ୍ର ଆଙ୍କେ, ସୁଜୟା ଭଲ ଲେଖାଲେଖି କରେ, ସୁଜୟାର ଲମ୍ବା ବାଳ ଅଛି, ସୁଜୟା ଚୁପ୍ଚାପ୍ ଗମ୍ଭୀର, ଶାନ୍ତଶିଷ୍ଠ ଝିଅଟେ । ସୁଜୟା ଭାରି ଟ୍ୟାଲେଣ୍ଟେଡ୍ , ଗର୍ବୀ, କିଛି ଅଲଗା ଧରଣର ଝିଅ । ଅଥଚ ଯେବେ କଦଳୀଗଛ ପତ୍ରରେ ବଡ ବଡ ଟୋପାର ବର୍ଷା ପଡୁଥିଲା, ସୁଜୟା ତାକୁ ଦେଖି ହଜିଯାଉଥିଲା । ଲାଲ୍ ପତ୍ରଥିବା ଗଛରେ ନୂଆପତ୍ର କଅଁଳିଲେ ସୁଜୟା ମିଠା କିଣି ରୁମମେଟକୁ ଖୁଆଉଥିଲା ।
ତାକୁ ଯେ କେହି ବି ବୁଝୁ ନଥିଲେ, ସେ ନେଇ ସେ ଦୁଃଖ କରୁନଥିଲା । ଶ୍ରୀମୟ ଯେ ଥିଲା, ତାକୁ ସେ ତ ଆରାମରେ କହିପାରୁଥିଲା, “ଶ୍ରୀମୟ ମୋତେ ଗୋଟେ ଟୁଟିପ୍ରୁଂଟି ଆଇସକ୍ରିମ୍ କିଣି ଦିଅନା । ସାରାରାତି ମୋତେ ମୁନଲାଇଟ୍ ଡ୍ରାଇଭରେ ନେଇ ଚାଲନା! ଅଥଚ ଶ୍ରୀମୟ ବି ସୁଜୟା ଠୁ କେତେ ଅଲଗା ଥିଲା, ସାଧାସିଧା, ସାରା ଦୁନିଆ ଯାକ ଲୋକଙ୍କ ପରି । କେବଳ ବିଶେଷତ୍ୱ ଏତିକି ସେ ସୁଜୟାକୁ ପୁରା ବୁଝୁଥିଲା । ନା ଭଲ କ୍ୟାରିଅର ଥିଲା ତା’ର, ନା ଥିଲା ବହୁତ ଟ୍ୟାଲେଣ୍ଟଡ୍ । ସୁଜୟା ବି କେବେ ଏସବୁ ଚାହିଁ ନଥିଲା ।
ସେ ଜାଣିନି ଆଦୌ ପଢିବାକୁ ମନ ନଥିଲେ ବି କେଉଁ ଅଜ୍ଞାତ ଶକ୍ତି ବଳରେ ତାକୁ ଭଲ ରେଜଲଟ୍ ମିଳୁଥିଲା, କାହିଁକି ସମସ୍ତେ ତା’ଠୁ ଏତେ ଆଶା କରୁଥିଲେ! ବାପା ତ ତା ଭବିଷ୍ୟତର ସୁନ୍ଦର କାହାଣୀମାନ ସମସ୍ତଙ୍କୁ ଶୁଣାଇବାରେ ଗର୍ବବୋଧ କରୁଥିଲେ । ଝିଅର ଗୁଣଗାରିମାରେ ମା’ଙ୍କର ସ୍ୱପ୍ନର ଇମାରତ୍ ଉଚ୍ଚାରୁ ଉଚ୍ଚା ହୋଇ ଯାଉଥିଲା । ଆଖପାଖ ପରିଧିର ଆଉ ସମସ୍ତେ ଭାବୁଥିଲେ ସୁଜୟାପରି ଝିଅଟା କ’ଣ ନା କ’ଣ ଗୋଟେ ଆଲୁଅ କରିବ! ତା’ର ସ୍ୱପ୍ନତ ଏ ସବୁର ଧାର୍ଇ ଧାରୁନଥିଲା ।
ସୁଜୟାର ସ୍ୱପ୍ନଥିଲା ଗୋଟେ ନିଛାଟିଆ ପାହାଡ ଉପରେ ଗୋଟେ ବଖରା ଘରଥିବ, ସବୁ ରାତି ଶୁକ୍ଳପକ୍ଷ ରାତି ହଉଥିବ, ଲମ୍ବା ଲମ୍ବା ଗଛପତ୍ରରେ ଅସଂଖ୍ୟ ଚଢେଇ ଗୀତ ଗାଉଥିବେ । ଝରଣାଟେ ଥିବ, ନିଜ ଚିତ୍ର, ନିଜ ଲେଖାଲେଖି ନେଇ ସେ ଜୀବନ ବିତାଉଥିବ ସେଠି ଗୋଟେ ଗୋଟେ ପୁଲକରେ । ହଁ ଏମିତିରେ ଏକଲା ଶ୍ରୀମୟ ଯଦି କେବେ ତା’ ଖବର ପଚାରିବାକୁ ଆସେ ତ ସେ’ବି ରହିପାରେ ସେଠି ଦିନେ ଦୁଇଦିନ । ଅଥଚ ଏଥିରେ ରାଗ କରିବାର କ’ଣ ଥିଲା ଶ୍ରୀମୟର! ଗାଳିଦେଇ କହୁଥିଲା “ଶୁଣ ତୁ ମୋତେ ଏସବୁ ଶୁଣାଉଛୁ ତ ଠିକ୍ ଅଛି, ଆଉ କାହା ଆଗରେ କହିବୁ ତ ତୋତେ ପାଗଳୀ ଭାବିବେ” । ଶ୍ରୀମୟ କେତେ ପାଗଳ! ସେ କାଇଁ ଆଉ କାହାକୁ ତା’ର ପ୍ରାଇଭେଟ୍ ସ୍ୱପ୍ନକୁ ଶୁଣାନ୍ତା? କିନ୍ତୁ ସେ ଶୁଣାଉ ବା ନ ଶୁଣାଉ ତାକୁ ତ ଅନ୍ୟମାନଙ୍କ ସ୍ୱପ୍ନର ଖିଆଲ ରଖିବାକୁ ହିଁ ପଡିଥିଲା ।
ଜୀବନ କଅଣ କେବେ ବି ସ୍ୱପ୍ନର ସୁଖ ଦେଇ ପାରେ? ସେ କ’ଣ କରନ୍ତା? ଶେଷ ପର୍ଯ୍ୟନ୍ତ ତା’ପିଛା ପଡିଥିବା କ୍ଲାସମେଟ୍ ଋତ୍ତ୍ୱିକ ସହ ତା’ର ବାହାଘର ହୋଇଗଲା । ଋତ୍ତ୍ୱିକ ବାପାଙ୍କର ଅଖଣ୍ଡ ପଦମର୍ଯ୍ୟାଦା ବଳରେ ଆଖି ବୁଜି ସୁଜୟା ବି ହୋଇଗଲା ଜଣେ ସରକାରୀ କ୍ଳାସୱାନ୍ ଜିଓଲୋଜିଷ୍ଠ, ଋତ୍ତ୍ୱିକ୍ ପରି । ବାପା ମା’, ସାଙ୍ଗ ସାଥୀ ସୁଜୟାକୁ ନେଇ, ଯେତେ ସ୍ୱପ୍ନର ନକ୍ସା ଆଙ୍କିଥିଲେ ସବୁ ସତ ହୋଇ ଗଲା । ପୋଜିସନ୍, ଷ୍ଟାଟସ୍, ଧନସଂପତ୍ତି, ଟ୍ୟାଲେଣ୍ଟ ସବୁର ସମନ୍ୱୟରେ ସୁଜୟା ନିଜେହିଁ ଝଲସି ଗଲା ନିଜକୁ ଦେଖି । ହେଲେ କାଇଁ କେଉଁଠି ଗଲା ତା’ର ସୁଖ??
ଅଥଚ… ଶ୍ରୀମୟକୁ ବାହାହବା କଥା ସେ କେବେ ସ୍ୱପ୍ନରେ ବି ତ ଚିନ୍ତା କରି ନଥିଲା! ଶ୍ରୀମୟକୁ ଯେ ସୁଜୟା ଏତେ ଭଲପାଏ, ତାକୁ ନେଇ ତେଲ, ଲୁଣ, ଧୋବାହିସାବ, ଗାଡି ଘୋଡାର ହିସାବ କେମିତି ଲେଖନ୍ତା ସୁଜୟା? ଛି !!
ସୁଜୟାର ବି କ’ଣ ଧାରଣା ଥିଲା ଜୀବନ ଏତେ ବଦଳି ଯିବ! ସୁଜୟା ଓ ଶ୍ରୀମୟ ଚିହ୍ନିଥିବା ନିରିମାଖି ସୁଜୟା ଝିଅଟି ହଜିଯିବ ଆଖିଝଲସା ସ୍ୱାମୀ, ସଂସାର, ଚାକିରି ଓ ନାଁକରା ଲେଖିକା ହେବାର ଗହଳିରେ! ଅନ୍ତତଃ ଶ୍ରୀମୟ ତ ହଜିଯାଉଥିବା ସୁଜୟାକୁ ସାଉଁଟି ଆଣିପାରିଥାନ୍ତା । ସୁଜୟାର ଧାରଣା ହିଁ ନଥିଲା କି ଶ୍ରୀମୟ ଏତେ ଦୂରେଇଯିବ ତା’ଠୁ ବାହାଘର ପରେ । ଶ୍ରୀମୟର ସୁଜୟା ଶେଷରେ ମରିବି ଗଲା ବିଚରା ଶ୍ରୀମୟର ସାହାସ ହିଁ ହେଲାନାଇଁ ଏତେ ସୁରକ୍ଷିତ ସଂସାରର କାନ୍ଥରେ ସିନ୍ଧିକାଟି, ଏତ ଦୃଢ ପହରା ଡେଇଁ ତା’ର ମରଣଟା ଆଉ କେହି ନ ଦେଖିପାରିଲେ ବି, ଶ୍ରୀମୟତ ଦେଖି ପାରିଥା’ନ୍ତା । ଗୋପନରେ ହେଲେ ବି ତ ଲୁହ ଟୋପେ ଝରାଇ ପାରି ଥାଆନ୍ତା ।
ଲାଇଟ୍ଟା ଧପକିନା ଜଳିଉଠିଲାରୁ ସୁଜୟା ଚମକିଗଲା । କ’ଣ କରୁଥିଲା, କ’ଣ କରୁଥିଲା ସେ ଏତେବେଳଯାଏ? ଅଫିସରୁ ଫେରି ନିଜ ରୁମ୍ରେ ପଶୁପଶୁ ହିଁ ଡ୍ରେସିଂ ଟେବୁଲ ଉପରେ ମୋନିର ଚିଠି ତା’ ନଜରରେ ପଡିଥିଲା । ସେହେତୁ ତ ତା’ର ଚିଠି ସାମନାରେ ସେ ସେମିତି ହିଁ ବେହୋସ ହୋଇ ବସି ରହିଥିଲା । ଫ୍ୟାନଟା ବି ଅନ୍ କରିବାକୁ ଭୁଲିଯାଇଥିଲା ସୁଜୟା । ଫ୍ୟାନ୍ ପବନରେ ମୋନିର ଅଧଫାଳ କାଗଜରେ ଲେଖା ଚିଠି ଫଡ ଫଡ ଉଡିବାକୁ ଲାଗିଲା । ଋତ୍ୱିକ ବ୍ୟସ୍ତ ହୋଇଗଲେ “କ’ଣ ହୋଇଛି ସୁ’ ତୁମର, ଦେହ ଭଲ ନାଇଁ?”
ସୁଜୟା ମୋନିର ଚିଠିଟିକୁ ଚାହିଁ ରହିଚି ପାଷାଣ ପ୍ରତିମାଟିଏ ପରି -ବାପାଙ୍କୁ ବୁଝାଇ ଦବ ମମ୍ମୀ । ମୁଁ ଜାଣେ ତୁମମାନଙ୍କର ସବୁ ଆଶା ଆକାଙ୍କ୍ଷା , ସ୍ୱପ୍ନ । ମୁଁ ତୁମମାନଙ୍କର ଏକମାତ୍ର ସନ୍ତାନ । ଶୁଣିବାକୁ ଖରାପ ଲାଗିଲେ ବି ସତ କହୁଛି ମମ୍ମୀ ମୁଁ ତୁମ ସ୍ୱପ୍ନର ଯୂପକଠାରେ ବଳିପଡ଼ିବାକୁ ଚାହୁଁନି । ମୋତେ ଲାଗୁଛି ତୁମ ପାଖରେ, ତୁମମାନଙ୍କର ଉଚ୍ଚା ଆଉ ମୋଟା ମୋଟା ଆକାଙ୍କ୍ଷା ଅଭିଳାଷର ପହରା ଡେଇଁ ମୋ ଇଚ୍ଛାର ଜୀବନଟେ ଜିଇବାର ଅନୁମତି ମୋତେ କେବେ ମିଳିବ ନାଇଁ । ମୁଁ କଥା ଦେଉଛି ମମ୍ମୀ ମୁଁ ଯେଉଁଠି ବି ରହିବାକୁ ଯାଉଛି ସୁଖରେ ନିଜ ଜୀବନ ବିତାଇ ପାରିବି । ତୁମେ ଆଉ ପାପା ମୋର ସୁଖ ଛଡା ମୋ ପାଇଁ ଆଉ ବେଶି କ’ଣ ଚାହଁ? ମୋ ଲାଗି ମୋତେ ଥରେ ବଞ୍ଚିବାର ଅନୁମତି ଦିଅନା! ଆଶୀର୍ବାଦ ଦିଅ ମୋତେ । ୟାଠୁ ବି ବେଶି ଖୁସି ତୁମେ ମୋ ପାଇଁ ଆଉ କ’ଣ ଚାହିଁବ? ଖୁବ୍ ଗୋଟେ ବଡ କିଛି କରି ତୁମକୁ ଚମକାଇ ପାରିବାର ଆଶାତ ନାଇଁ ତେବେ ଅସଲ ସୁଖର ଚେହେରାଟା ଦିନେ ନା ଦିନେ ତୁମକୁ ଆସି ଜଣାଇବି ।
ସ୍ନେହର ମୋନି ।
ସୁଖକାହାକୁ କହନ୍ତି ସୁଜୟା! ସୁଖର ସଂଜ୍ଞା କ’ଣ, ସୁଖର ଚେହେରା କେମିତି??? ଚିଠିଟା ଫଡ ଫଡ ହୋଇ ଉଡୁଥିଲା ଘରର ଅଖଣ୍ଡ ସ୍ତବଧ୍ତା ଭିତରେ । ସୁଜୟା ଓ ଋତ୍ତ୍ୱିକ୍ ସେମିତି ହିଁ ନିର୍ବାକ୍ ହୋଇ ଠିଆ ହୋଇଥିଲେ ପ୍ରଶ୍ନୋତ୍ତରର ପୂର୍ବ ପର୍ଯ୍ୟାୟରେ ।