ବାଗୁଡ଼ି, କବାଡ଼ି, ଗିଲିଦଣ୍ଡା, ଫୁଟ୍ବଲ୍, ଭଲିବଲ୍ ଖେଳ ସହ ନଈପହଁରା, ଗଛଚଢ଼ା ଓ ଦୌଡ଼ରେ ମୁଁ ମୋର ସମସାମୟିକ ପିଲାଙ୍କଠାରୁ ଅଧିକ ପାରଙ୍ଗମ ଥିଲେ ମଧ୍ୟ ଗୁଡ଼ି ଉଡାଇବା କାର୍ଯ୍ୟଟି ଆଦୌ ମୋଦେଇ ହେଉନଥିଲା । ଅବଶ୍ୟ ଗୁଡ଼ି ଉଡ଼ାଇବା ଏକ ଖେଳ କିମ୍ବା ଶାରୀରିକ ଦକ୍ଷତା ହିସାବରେ ଗଣ୍ୟ ହୁଏନି କି ଆମ ଗାଅାଁ ଗହଳିରେ ଏହା ବର୍ଷସାରା ଚାଲୁଥିବା ଏକ ଆମୋଦଯୁକ୍ତ ଖେଳ ନଥିଲା । ବର୍ଷର ମାତ୍ର ନିର୍ଦ୍ଦିଷ୍ଟ କେତୋଟି ଦିନମାନଙ୍କ ମଧ୍ୟରେ ଏହାର ଆୟୁଷ ସୀମିତ ରହୁଥିଲା ଏବଂ ସୂତା ଛିଣ୍ଡାଇ ନିଖୋଜ ହୋଇଯାଇଥିବା ଗୁଡ଼ିର ସ୍ମୃତି ପରି ସେ ଦିନ କେତୋଟି ଚାଲିଯିବା ପରେ ଆମେ ସମସ୍ତେ ଭୁଲି ଯାଉଥିଲୁ ଗୁଡ଼ି ଉଡ଼ାକୁ । ତଥାପି ସେହି କେତୋଟି ଦିନର ବିମର୍ଷ ବିଫଳତା ଯଥେଷ୍ଟ ହେଉଥିଲା ସାରା ବର୍ଷ ଅସଫଳତାର ଗ୍ଲାନୀକୁ ବୋହିବା ପାଇଁ ।
ମକର ସଂକ୍ରାନ୍ତିର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଯାଏ ଗୁଡ଼ିଉଡ଼ା ପ୍ରସ୍ତୁତି । ବାଉଁଶ କାଟି ସରୁ କଣି ପ୍ରସ୍ତୁତି, ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ, ସୂତାରେ ଅଠାଦେଇ ତାକୁ ମଜଭୁତ କରି ନଟେଇରେ ଗୁଡ଼ାଇବା ଏବଂ ସର୍ବୋପରି ପବନକୁ କାଟି ପାରୁଥିବା ଗୁଡ଼ି ପ୍ରସ୍ତୁତିରେ ଆମେ ଭୁଲି ଯାଉଥିଲୁ ପାଠପଢ଼ା ।
ଗୁଡ଼ିକୁ ଛଲାନ୍ ଦେଇ ଉଡାଇବା ପାଇଁ ଦରକାର ହେଉଥିଲା ସମତଳ ପଡ଼ିଆ । ଧୋଇଆ ଅଞ୍ଚଳର ଗାଅାଁର ଉଚ୍ଚା ଡିହ ଓ ସରୁରାସ୍ତା ଗୁଡ଼ି ଉଡାଇବା ପାଇଁ ଆଦୌ ଅନୁକୂଳ ନଥିବାରୁ ମୁଁ ଓ ମୋର ସାଙ୍ଗସାଥୀମାନେ ପ୍ରାୟତଃ ଧାଉଁଥିଲୁ ଆମ ଗାଅାଁ ସ୍କୁଲ ଖେଳପଡ଼ିଆକୁ ଗୁଡ଼ି ଉଡ଼ାଇବା ପାଇଁ । ଉପରକୁ ଚାହିଁ ଗୁଡ଼ି ଧରି ଉଡ଼ାଉ ଉଡ଼ାଉ ପରସ୍ପର ସହ ଧକ୍କା ଖାଇ ନାକ କାନ ଯେ ନଫାଟିଛି ସେକଥା ନୁହେଁ । ଖେଳହୋସ୍ରେ ସେ ସବୁକୁ ଭୁଲି ଆମେ ଲାଗିପଡୁ ଗୁଡ଼ି ଉଡ଼ାରେ ।
ଥରେ ଗୁଡ଼ିର ସୂତାକୁ ତଳେ ପକାଇ ମୁଁ ଯେତେ ଛଲାନ୍ ମାରୁଥିଲେ ବି ଗୁଡ଼ି ଉଠୁନଥିଲା ଉପରକୁ । ହାତେ ଦି’ହାତ ଉଠିଥିବ କି ନାହିଁ ଯେଉଁ ମାଧିଆକୁ ସେଇ ମାଧିଆ ହୋଇ ପଡ଼ିଯିବ ତଳେ । ବାରମ୍ବାର ମୋର ଏହି ଚେଷ୍ଟାକୁ ଦେଖି ଦେଖି ଦାଣ୍ଡକୂଅକୁ ପାଣି ପାଇଁ ଆସିଥିବା ସାମଲ ସାହି ବାସନ୍ତୀ ଅପା (ଯେହେତୁ ସେ ମୋର ଉପର କ୍ଲାସରେ ପଢ଼ୁଥିଲା) କହିଲା- ବୋକାଙ୍କ ପରି ଗୁଡ଼ି ଉଡାଉଛୁ କ’ଣ?
ଗୁଡ଼ି ଉପରକୁ ଉଠୁନଥିବା ଜନୀତ ବିଫଳତା ସହ ମୋର ବିଫଳତାକୁ ଆକ୍ଷେପ କରି ମୋତେ ବୋକା କହିଥିବା ହେତୁ କ୍ଷୁବ୍ଧ ହୋଇ ମୁଁ କହିଲି- ଯା’ ଯା’ ପଣ୍ଡିତିଆଣୀ ଦେଖାନା ।
ସେ ମୋ କଥାକୁ ଘେନା ନକରି କହିଲା- ପବନ ଦିଗରେ ତୁ ଗୁଡ଼ି ଉଡ଼ାଇଲେ ଗୁଡ଼ି ପବନ କାଟିକି କିପରି ଉପରକୁ ଉଠିବ? ବିପରୀତ ଦିଗକୁ ଉଡ଼ାଇଲେ ସିନା ଗୁଡ଼ି ପବନ ଚାପରେ ଉପରକୁ ଉଠନ୍ତା, ଏତିକି ଜାଣିନୁ?
ମୁଁ ତା’ ମୁହଁକୁ ଚାହିଁଥାଏ କେବଳ । ସେ ତା’ କାଖରୁ ମାଠିଆଟିକୁ ତଳେ ରଖି କହିଲା- ଦେଖ୍, ଏମିତି ଛଲାନ୍ ଦେ’ ଗୁଡ଼ିକୁ, କହି ଦୁଇ ତିନିଥର ପ୍ରୟାସ କଲା । ଅବଶ୍ୟ ତା’ ଉଡ଼ାଣରେ ଗୁଡ଼ି ମୋ ଉଡ଼ାଠାରୁ ଯଥେଷ୍ଟ ଉପରକୁ ଉଠିଥିଲା, ମାତ୍ର ଏତେ ଉପରକୁ ନୁହେଁ ଯେ ଗୁଡ଼ି କହିବ ଘୁରାଘୁରା ନଟେଇକୁ, ଛାଡ୍ ଛାଡ୍ ମୋ’ ପାଇଁ ସୂତା, ମୁଁ ଏବେ ଉଡିବି ଅନନ୍ତ ଆକାଶରେ ।
ତା’ ଉଡ଼ାଇବା ବ୍ୟର୍ଥ ହେବା ପରେ ଜଣେ ବିଶେଷଜ୍ଞାଙ୍କ ପରି ମୋ ଗୁଡ଼ିକୁ ଧରି କହିଲା- ତୋ’ ଗୁଡ଼ି ତିଆରିରେ ଡିଫେକ୍ଟ ଅଛି ନିଶ୍ଚୟ, ନଚେତ୍ ଗୁଡ଼ି ତ ଉପରକୁ ଉଠିବା କଥା!
ହଁ, ଚାଲି ନଜାଣି ବାଟର ଦୋଷ । ଛାଡ୍ ଛାଡ୍ ମୋ ଗୁଡ଼ିକୁ ମୁଁ ଦେଖୁଛି ।
ତୁ କ’ଣ ଛେନାଟା ଜାଣିଛୁ ଯେ ଦେଖିବୁ । ତୋ’ ଗୁଡ଼ିରେ ଡିଫେକ୍ଟ ଅଛି ବୋଲି ମୁଁ କହିଲାରୁ ତୋର ଯଦି ବିଶ୍ୱାସ ହେଉନି, ଯାଆ ଦେଖାଇବୁ ଛବି ଭାଉଜଙ୍କୁ । ଜାଣୁ ସେ କଟକ ସହର ଝିଅ । ଛୁଆବେଳୁ ଗୁଡ଼ି ଉଡ଼ାଇ ଉଡ଼ାଇ ଆସିଛନ୍ତି । ତାଙ୍କ ସେଠି ପରା ଗୁଡ଼ି ଉଡ଼ାର ପ୍ରତିଯୋଗିତା ହୁଏ । ସେ ସୁନ୍ଦର ଗୁଡ଼ି ଉଡ଼ାନ୍ତି ବୋଲି ମୋତେ ପରା କେତେଥର କହିଛନ୍ତି ।
ସେହି ମୁହୂର୍ତ୍ତରେ ବାସନ୍ତୀ ଅପାର କଥାକୁ ଏଡାଇ ଦେଲେ ମଧ୍ୟ ପରମୁହୂର୍ତ୍ତରେ ଭାବିଲି ଛବି ଭାଉଜଙ୍କୁ ଥରେ ଗୁଡ଼ି ଦେଖାଇ ପଚାରିଦେଲେ କ୍ଷତି କ’ଣ?
ସନ୍ଧ୍ୟାବେଳକୁ ମୁଁ ଗଲି ତାଙ୍କ ଘରକୁ । ମୋତେ ଦେଖି ତାଙ୍କର କଳିହୂଡ଼ି ଶାଶୂ କହିଲା- କ’ଣ କିରେ ଟୋକା କୁଆଡ଼େ ଆଇଛୁ?
ଛବି ଭାଉଜ ପାଖରେ ଟିକେ କାମ ଥିଲା ।
ସେ କଟକି ଛଟକି ପାଖରେ ତୋ’ର କି କାମ?
ମୋ ଗୁଡ଼ିଟା ତାଙ୍କୁ ଟିକେ ଦେଖାଇ ଥାଆନ୍ତି ।
ଓହୋ- ସିଏ ତାହାଲେ ଗୁଡ଼ି ଉଡ଼ାରେ ମାଷ୍ଟେରାଣୀ । ହଁ, ହେଇଥିବ ଖାଲି ଗୁଡ଼ି ଉଡ଼ା କାହିଁକି ମନ ଉଡ଼େଇବାରେ ଓସ୍ତାଦ ବୋଲି ତ ମୋ ପୁଅକୁ ଫସେଇ ପାରିଲା । ସେଥିପାଇଁ ତ ଘରପାଖ କଟକ ଚାକିରି ଛାଡ଼ି ପୁଅ ମୋର ଏବେ କଲିକତାରେ । ହଉ ଆଇଛୁ ଯଦି ସେଠି କାହିଁକି ଠିଆ ହୋଇ ରହିଲୁ, ଯାଆ, ଭିତରକୁ ଯାଆ!
ମୁଁ ଛବି ଭାଉଜଙ୍କୁ ମୋ ଗୁଡ଼ି ଦେଖାଇଲି । ଏପଟ ସେପଟ କରି ଦେଖି ସାରିବା ପରେ ସେ କହିଲେ- ମୁଁ ତମ ପାଇଁ ଗୋଟେ ନୂଆ ଗୁଡ଼ି ତିଆରି କରିଦେବି, ସେଇଟା ପବନକାଟି ଏତେ ଉପରକୁ ଉଠିଯିବ ଯେ ତମେ ତାକୁ ଦେଖିପାରିବ ନାହିଁ ।
ମୁଁ ମନେ ମନେ କୁରୁଳି ଉଠିଲି ଖୁସିରେ ।
ତା’ପରେ ଛବି ଭାଉଜ କହିଲେ- ତମକୁ କିନ୍ତୁ ମୋର ଗୋଟିଏ କାମ କରିବାକୁ ପଡ଼ିବ ।
କଅଣ?
ତମ ଗାଅାଁରେ ଡାକଘର ନାହିଁ, ତମ ଭାଇଙ୍କ ପାଖକୁ ମୁଁ ଚିଠିଟିଏ ପଠାଇ ପାରୁନି, ତାଙ୍କଠାରୁ ଚିଠିପତ୍ର ଆସୁଛି କି ନାହିଁ ଜାଣି ପାରୁନି । ତାଙ୍କ ଖବରଅନ୍ତର ନପାଇ ମନ ଭଲ ଲାଗୁନି ।
କ’ଣ ଚିଠି ଦେବ ତ ଡାକରେ ପକାଇବା ପାଇଁ?
ନା- ଚିଠି ନୁହେଁ, ତମେ ମୋ ପାଇଁ ଗୋଟେ ଟେଲିଗ୍ରାମ୍ କରିଦେବ ।
ଟେଲିଗ୍ରାମ୍!
ହଁ, ଡାକଘରେ ତମେ କହିଲେ ସେମାନେ ବତାଇ ଦେବେ, କ’ଣ ଲେଖାହେବ ମୁଁ ଲେଖି ଦେଉଛି । ତମେ କାଲି ସକାଳୁ ଟେଲିଗ୍ରାମ୍ କରି ଆସିଲା ବେଳକୁ ମୁଁ ତମ ଗୁଡ଼ି ତିଆରି କରିଦେଇଥିବି ।
ଛବି ଭାଉଜଙ୍କ ତିଆରି ଗୁଡ଼ି ଉଡିଲା ଆକାଶ ଛୁଇଁ, ସତେ ଯେମିତି ସେ ଗୁଡ଼ି ବ୍ୟଗ୍ର ହେଉଥିଲା ମୋ ହାତରୁ ମୁକୁଳି ଯାଇ ମୁକ୍ତ ହୋଇ ଆକାଶରେ ଉଡ଼ିବା ପାଇଁ । ସେଥର ମୋତେ ଲାଗିଲା ଯେମିତି ମୋର ସବୁ ବର୍ଷର ବ୍ୟର୍ଥତା ଗୋଟିଏ ବର୍ଷରେ ଶୁଝିଗଲା ।
ଦୁଇ ଚାରି ଦିନ ଯାଇଛି କି ନାହିଁ ସବୀର ଭାଇ ଟେଲିଗ୍ରାମ୍ ପାଇ ଘରେ ଆସି ହାଜର । ସେ ପହଞ୍ଚିଲା ବେଳକୁ ସତକୁ ସତ ଛବି ଭାଉଜଙ୍କ ଦେହ ଖରାପ ହୋଇଥିଲା କି ନାହିଁ ମୋତେ ଜଣାନଥିଲା, ହେଲେ ସବୀର ଭାଇ ପାଟି କରି କହୁଥିବାର ଶୁଣିଲି- ତା’ ଦେହ ଆସି ଏତେ ସରି ହେଲାଣି, ମୋତେ ଆଗରୁ କାହିଁକି ଖବର ନଦେଲ? ଆଜି ଟେଲିଗ୍ରାମ୍ ପାଇବାରୁ ସିନା ମୁଁ ଜାଣିଲି ।
ଟେଲିଗ୍ରାମ୍! କିଏ କରିଛି, ପଚାରିଲା ତାଙ୍କ ବୋଉ । ଟେଲିଗ୍ରାମ୍ କ’ଣ ତୁ ଆଉ କରିଥାଆନ୍ତୁ କି, ରାଜି ହୋଇ ବାହା ହୋଇଛି ବୋଲି ତ ସିଏ ତତେ ଗନ୍ଧାଉଛି, ସିଏ ନିଜେ ନିଜେ ବ୍ୟବସ୍ଥା କରି କାହା ହାତରେ ଗୋଟେ ଟେଲିଗ୍ରାମ୍ କରିଥିଲା । ଢେର ହୋଇଗଲା, ତା’ର ଆଉ ଏଠି ରହି ଏମିତି ହନ୍ତସନ୍ତ ହବା ଦରକାର ନାହିଁ, ମୁଁ ତାକୁ ନେଇ ଆଜି ହିଁ ଘର ଛାଡ଼ି ଯାଉଛି ।
ଛବି ଭାଉଜଙ୍କ ହାତତିଆରି ଗୁଡ଼ି ଆକାଶ ଛୁଇଁ ଉଡିବା ପରି ଛବି ଭାଉଜ ବି ସେଦିନ ଗାଅାଁ ଛାଡ଼ି ଉଡ଼ିଗଲେ । ସେ ଗାଅାଁ ଛାଡ଼ିବା ପରେ ତାଙ୍କ ରାହାବାଳୀ ଶାଶୂ ଖୋଜିଲା ମୋତେ, ମିଛ ଟେଲିଗ୍ରାମ୍ କରି ତାଙ୍କ ଘର ଭାଙ୍ଗି ଦେଇଥିବାରୁ । ଢେର ଗାଳି କଲା ମତେ ଗାଅାଁ ମଝିଟାରେ ।
ଛବି ଭାଉଜ ସେବେଠୁ ଯାଇଛନ୍ତି ଯେ ଯାଇଛନ୍ତି- ଆଉ କେବେ କଲିକତାରୁ ଗାଅାଁକୁ ଫେରିବା ନାଅାଁ ଧରିନାହାନ୍ତି । ମୋର ଗୁଡ଼ିଉଡ଼ା ବୟସ ସରିଯାଇଥିଲେ ମଧ୍ୟ ମୁଁ ଆଜିଯାଏ ସାଇତି ରଖିଛି ଛବି ଭାଉଜ ଓ ତାଙ୍କ ହାତ ତିଆରି ଗୁଡ଼ିକୁ । ବିଶେଷ କରି ମନେ ରଖିଛି ଅନ୍ତତଃ ଥରଟିଏ ପାଇଁ ହେଲେ ମଧ୍ୟ ବିଫଳତାକୁ ଧୋଇଦେଇ ଆକାଶକୁ ମୁହାଁଉଥିବା ମୋ ଗୁଡ଼ିର ସେହି ଚରମ ଉତ୍ତରଣ ମୁହୂର୍ତ୍ତକୁ ଏବଂ ମୋର ପରମ ସୁଖର ଅନୁଭୂତିକୁ । ଏବେ ଯେବେ ଗୁଡ଼ି ଉଡ଼ା ଦେଖେ, ମୋର ମନେପଡ଼ନ୍ତି ଛବି ଭାଉଜ, ଠିକ୍ ଯେମିତି ସୂତା ଛିଣ୍ଡାଇ ଉଡ଼ିଯାଇଥିବା ଗୁଡ଼ିର ସ୍ମୃତିପରି ।
[…] ଗୁଡ଼ି ଓ ଛବି ଭାଉଜ […]