ଖରାଦିନରେ ଅତ୍ୟଧିକ ଗରମ ଆମ ପାଇଁ ଦୁର୍ବିସହ ହୋଇଥାଏ । ଏମିତିରେ ଦେହ ଓ ତ୍ୱଚାର ଖାସ୍ ଯତ୍ନ ନେବାକୁ ହୁଏ । ଯଦି ଏହି ଯୋଜନା ଅନୁଯାୟୀ ଜଣେ ମହିଳା ସୌନ୍ଦର୍ଯ୍ୟ ଚର୍ଚ୍ଚା କରନ୍ତି ତେବେ ଏହାର କି କମାଲ୍ ରହିଛି ସେ ନିଶ୍ଚିନ୍ତ ଜାଣିପାରିବେ ।
ଆଳସ୍ୟରୁ ଦୂରେଇ ରୁହନ୍ତୁ : ଖରାଦିନରେ ଶୀଘ୍ର ସକାଳ ହୁଏ । ପ୍ରଥମ ସୂର୍ଯ୍ୟ କିରଣ ଧରାପୃଷ୍ଠରେ ପଡିବା ସହ ଆପଣ ଶଯ୍ୟା ତ୍ୟାଗ କରିନେବା ଉଚିତ୍ । କିନ୍ତୁ ଅନେକ ଏମିତି ଅଛନ୍ତି ଯେଉଁମାନେ ନିଦ ଭାଙ୍ଗିଲେ ମଧ୍ୟ ଆଳସ୍ୟ ହେତୁ ବିଛଣାରେ ପଡି ରୁହନ୍ତି । ଏମିତି କଲେ ଦିନସାରା ଆପଣଙ୍କୁ ଅଳସୁଆ ଏବଂ ଅଳସୁଆ ଲାଗିବ । ତେଣୁ ନିଦ ଭାଙ୍ଗିବା ମାତ୍ରେ ଆପଣ ଯଥାଶୀଘ୍ର ବିଛଣାରୁ ଉଠିପଡନ୍ତୁ ଦେଖିବେ କେମିତି ତାଜା ଲାଗିବ ଆପଣଙ୍କୁ ।
ଏରୋବିକ୍ ବ୍ୟାୟାମ୍ କରନ୍ତୁ: ଯଦି ଆପଣଙ୍କ ପାଖରେ ବ୍ୟାୟାମ ପାଇଁ ସମୟ ନାହିଁ ତେବେ କେବଳ ପାଞ୍ଚ ମିନିଟ୍ ସ୍କିଫିଂ କରନ୍ତୁ ନଚେତ୍ ଶିିଢି ଚଢା ଓହ୍ଲା କରନ୍ତୁ । ଏହାଦ୍ୱାରା ଶରୀର ଚୁସ୍ତି ସ୍ଫୂର୍ତ୍ତି ରହିବାସହ ମାଂସପେଶୀ ସୁଦୃଢ ହେବ ।
ପୌଷ୍ଟିକ୍ ପଦାର୍ଥ ଖାଆନ୍ତୁ : ଜଳଖିଆରେ ନିଶ୍ଚିତ ରୂପେ ପାଚିଲା କଦଳୀ ଅଥବା ସେଓ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରକୁ ଭିଟାମିନ୍ ଓ ଖଣିଜ ପଦାର୍ଥ ମିଳିବ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ଖାଇବା ପୂର୍ବରୁ ସୁଲତାନୀ ମାଟି ଅଥବା ମଶୁର ଡାଲି, ଦହିର ଫେସ୍ ପ୍ୟାକ୍ ମୁହଁରେ ଲଗାଇ ପାରନ୍ତି । ଖରାଦିନେ ଏହା ଚେହେରାକୁ ଶୀତଳତା ଦେଇଥାଏ ।
ଚେହେରାର ଦେଖାଶୁଣା : ଖରାଦିନେ ତ୍ୱଚାର ବିଶେଷ ଯତ୍ନ ନେବାକୁ ହୁଏ । ବରଫ ପାଣିରେ ଟାୱେଲ ବତୁରାଇ ମୁହଁ ପୋଛି ଆଣନ୍ତୁ । ନହେଲେ ଥଣ୍ଡା ପାଣିରେ ଭଲଭାବେ ମୁହଁ ଧୋଇ ନିଅନ୍ତୁ ।
ସୁଖଦ ସ୍ନାନ :ଖରାଦିନେ ଅନ୍ୟଦିନ ତୁଳନାରେ ଅତ୍ୟଧିକ ଝାଳ ବାହାରେ । ଏଥିପାଇଁ ଗାଧୋଇଲାବେଳେ ୟୁଡିକୋଲନ୍ ଅଥବା ଅନ୍ୟ କୌଣସି ସୁଗନ୍ଧିତ ପଦାର୍ଥ ପାଣିରେ ପକାଇ ଗାଧାନ୍ତୁ । ଏହା ଫଳରେ ଆପଣଙ୍କୁ ସତେଜ ଲାଗିବା ସହ ମାନସିକ ସ୍ତରରେ ମଧ୍ୟ ଶାନ୍ତି ଲାଗିବ ।
ଦର୍ପଣରେ ନିଜକୁ ପରଖନ୍ତୁ : ଦର୍ପଣ ସମ୍ମୁଖରେ ବସି ଭାବନ୍ତୁ ଯେ, ଆପଣ କେତେ ସ୍ମାର୍ଟ, ସୁସ୍ଥ ଓ ସୁନ୍ଦର ଅଟନ୍ତି । ଏହାଦ୍ୱାରା ଆପଣଙ୍କର ସୁଖଦ ଅନୁଭବ ହାସଲ ହେବ ।
ମେକ୍ଅପ : ଖରାଦିନରେ ଗାଢ ମେକ୍ଅପ୍ ଠିକ୍ ନୁହେଁ । ସେଥିପାଇଁ କୁଆଡେ ଯିବାବେଳେ ସାଧାରଣ ମେକଅପ୍ ନିଅନ୍ତୁ । ସର୍ବପ୍ରଥମେ ମଶ୍ଚୁ୍ୟରାଇଜର ଲଗାନ୍ତୁ । ଏହା ପରେ ଫିକା ରଙ୍ଗର ଫାଉଣ୍ଡେସନ୍ ଲଗାନ୍ତୁ । ଏହାଦ୍ୱାରା ମୁହଁରେ ସମାନ ଭାବରେ ମେକଅପ୍ ହେବ । ହାଲକା ରଂଗର ରୋଜ୍ ବ୍ଲସର ବ୍ୟବହାର କରିବା ଖରାଦିନ ପାଇଁ ଉଚିତ ହେବ ।
ହାଲକା ରଂଗର ଲିପଷ୍ଟିକ୍ ଲଗାଇ ପାରନ୍ତି । ଦିନରେ ବାହାରକୁ ଯିବାବେଳେ ନ୍ୟାଚୁରାଲ କଲର୍ ଲିପଷ୍ଟିକ ଲଗାନ୍ତୁ ।
ଯଦି କିଛି କମ୍ ରହିଯାଇଛି ବୋଲି ଭାବୁଥାନ୍ତି : ଏସବୁ ପରେ ଯଦି ଆଇନା ସାମନା ଚେହେରା ବେଶି ଆପଣଙ୍କୁ ଲାଗେ ନା କିଛି ବାକି ରହିଲା ତେବେ ନିଜ ପୋଷାକ (ଗରମଦିନ)କୁ ଖାପ୍ ଖାଇଲା ଭଳି ଫିକା ଲିପଷ୍ଟିକ୍ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିବ ।
କେଶର ସଜ୍ଜା : ଗରମରୁ ରକ୍ଷା ପାଇବା ପାଇଁ କେଶକୁ ଟେକାଟେକି କରି ବାନ୍ଧିବା ଠିକ୍ । ଟପ୍ ନଟ୍ ଅଥବା ଖୋସା କଲେ ଭଲ । ସବୁ କେଶକୁ ଏକାଠି କରି ଭଲ କରି ଟେକି ଖୋସା କରନ୍ତୁ । ଛୋଟ ଛୋଟ କେଶକୁ କ୍ଲିପ୍ ଦେଇ ସଜାଡି ନିଅନ୍ତୁ । ଶୀତଦିନେ ଗରମ ପୋଷାକ ପିନ୍ଧି, ଦେହରେ ତାପ ସୃଷ୍ଟି କରୁଥିବା ଖାଦ୍ୟ ଓ ପାନୀୟ ଗ୍ରହଣ କରି ଦେହକୁ ଉଷୁମ ରଖିଲେ ଯେଭଳି ମଣିଷ କର୍ମଠ ଓ ଚଞ୍ଚଳ ହୋଇପାରେ ସେଭଳି ଗ୍ରୀଷ୍ମଋତୁରେ ଦେହକୁ ଶୀତଳତାର ଅନୁଭବ ଦେବା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ।
ନିଦାଘ କାଳରେ କେବଳ ସ୍ନାନଦ୍ୱାରା ଯେ ଶରୀରକୁ ଶୀତଳତାର ସ୍ପର୍ଶ ଦେଇହୁଏ, ସେଭଳି ଭାବିବା ସଂପୂର୍ଣ୍ଣ ଭୁଲ୍ । ଅବଶ୍ୟ ଏକଥା ସତ୍ୟ ଯେ, ସ୍ନାନ ଦ୍ୱାରା ଶରୀର କିଛିକ୍ଷଣ ଶୀତଳତାର ସ୍ପର୍ଶ ପାଇଥାଏ । ସଂପୂର୍ଣ୍ଣ ସ୍ନାନ ସହିତ ଖାଦ୍ୟପେୟ, ପୋଷାକ ତଥା ଆଭରଣର ସଠିକ୍ ଚୟନ କରାଯାଇପାରିଲେ ଦେହ ସହିତ ମନ ମଧ୍ୟ ଶାନ୍ତ ରୁହେ । ସେହି ଦୃଷ୍ଟିରୁ ଗ୍ରୀଷ୍ମକାଳରେ ଦେହ-ମନକୁ ଶୀତଳ ଓ ଶାନ୍ତ ରଖିବାକୁ ନିମ୍ନୋକ୍ତ ଉପାୟ ଅବଲମ୍ବନ କରନ୍ତୁ ।
ମନକୁ ଶାନ୍ତ ରଖିବାର ପ୍ରଥମ ପଦକ୍ଷେପଟି ହେଲା – ଅଯଥା ଅନାବଶ୍ୟକ ଭାବେ ମନରେ ଆସୁଥିବା ଚିନ୍ତାଗୁଡିକୁ ପରିହାର କରିବା, ତାହା ସହିତ ଦିନକୁ ଆଠ-ଦଶ ଗ୍ଲାସ ପାଣିପିଇଲେ ଦେହ ମଧ୍ୟ ଥଣ୍ଡା ରୁହେ ।
ଗ୍ରୀଷ୍ମ ଋତୁରେ ଖାଦ୍ୟ ଓ ପାନୀୟ ମଧ୍ୟରେ ଫଳ, ଫଳରସ, ଥଣ୍ଡାପାନୀୟ, ଆଇସକ୍ରିମ୍ ଆଦିର ମାତ୍ରା ବଢାଇ ଦିଅନ୍ତୁ ।
ଶରୀରରେ ଉତ୍ତେଜନା ସୃଷ୍ଟିକାରୀ କଡା ପାନୀୟଠାରୁ ନିଜକୁ ଦୂରେଇ ରଖନ୍ତୁ । ସେଭଳି ପାନୀୟ ଦେହରେ ଅମ୍ଳର ମାତ୍ରା ବଢାଇ ନାନା ସମସ୍ୟା ସୃଷ୍ଟି କରେ ।
ପଇଡ ପାଣି ଦେହ ଓ ମନରେ ଶୀତଳତାର ସ୍ପର୍ଶ ଆଣିଦିଏ ।
ଲେମ୍ବୁ ପାଣି ଦେହ ଓ ମନକୁ ସତେଜ ରଖେ । ଲେମ୍ବୁପାଣି ପିଇଲେ ପାଚନ ଶକ୍ତି ବୃଦ୍ଧିପାଏ । ଫଳତଃ ବଦହଜମିରୁ ଆଂଶିକ ମୁକ୍ତି ମିଳିଥାଏ । ଥଣ୍ଡା କଫି,ଘୋଳ ଦହି ପାଣି ଓ ଅନ୍ୟ ଥଣ୍ଡା ପାନୀୟ ମଧ୍ୟ ଉଷ୍ଣତାକୁ ଦୂରେଇ ଦିଏ । ମସଲା ଯୁକ୍ତ ଗରିଷ୍ଠ ଭୋଜନ ଯଥା ମାଛ, ମାଂସ ଓ ଅଣ୍ଡା ଆଦି କମ୍ ଖାଆନ୍ତୁ । ଏଭଳି ଖାଦ୍ୟ ଖାଇଲେ ଶରୀରରେ ଅମ୍ଳତ୍ୱ ଓ ଉଷ୍ଣତାର ବୃଦ୍ଧି ଘଟିଥାଏ ।
ଗ୍ରୀଷ୍ଣ ଋତୁରେ ସବୁଠାରୁ ଉତ୍ତମ ଫଳ ହେଲା – ତରଭୁଜ । ତରଭୁଜ ଖାଇଲେ ପେଟ ଥଣ୍ଡା ରୁହେ ଓ ମନ ମଧ୍ୟ ଶାନ୍ତ ହୁଏ ।
ନିରାମିଷ ସ୍ୱଳ୍ପ ଆହାର ଯେପରି ଦେହକୁ ସତେଜ ଓ କର୍ମଠ ରଖେ ସେଭଳି ଏକ ସଂପୂର୍ଣ୍ଣ ସ୍ନାନ ଦେହମନରେ ଶୀତଳତା ଭରିଦିଏ । ସ୍ନାନ ପରେ ଋତୁକୁ ନେଇ ପୋଷାକ ପିନ୍ଧିଲେ, ଦେହ ଅନେକ ସମୟ ପର୍ଯ୍ୟନ୍ତ ଶୀତଳ ରୁହେ ।
ଗ୍ରୀଷ୍ମ ଋତୁରେ ଫିକା କିମ୍ବା ଧଳା ରଂଗର ପୋଷାକ ପିନ୍ଧିଲେ ଆରାମ ଲାଗେ ।
ଦିନବେଳା ଧଳା, ଇଷତ୍ ଧଳା, ଫିକା ମାଟିଆ ଆଦି ରଂଗର ପୋଷାକ ପିନ୍ଧିଲେ ଦେହ ଓ ମନ ଭଲ ରୁହେ ।
ଗ୍ରୀଷ୍ମ ଋତୁରେ ସ୍ନାନ ଓ ପରିଧାନ : ଗ୍ରୀଷ୍ମଋତୁରେ ସ୍ନାନରେ ସ୍ୱତନ୍ତ୍ର ଆନନ୍ଦ ରହିଛି । ସାୱାର ତଳେ ଖୋଲା ଦେହରେ ଠିଆ ହୋଇ ଗାଧୋଇବା , ବାଥଟବ୍ କିମ୍ବା ସନ୍ତରଣାଗାରରେ ଘଣ୍ଟା ଘଣ୍ଟା ପାଣିରେ ପଡି ରହିବା କାହାକୁ ଭଲ ନଲାଗେ । ଗରମ ଦିନରେ ସ୍ନାନରୁ ଅଧିକ ଆନନ୍ଦ ପାଇବାକୁ ହେଲେ, ନିମ୍ନଲିଖିତ ବିଷୟରେ ଧ୍ୟାନଦେବା ଆବଶ୍ୟକ ।
ଗରମ ଦିନରେ ଅଧିକ ନିଦ ଘାରେ , କାମ କରୁକରୁ ମଣିଷ କ୍ଲାନ୍ତ ହୋଇଯାଏ । ଆଖିପତା ମୁଦି ମଣିଷ ଢୁଳାଇ ପଡେ । ଗାଧୋଇ ପଡିଲେ ଦେହ ଓ ମନ ଫୂର୍ତ୍ତି ହୁଏ । ଆଳସ୍ୟ ଓ ଥକ୍କା ଦୂର ହୋଇଯାଏ ।
ଗ୍ରୀଷ୍ମଋତୁରେ ଘିମିରି, ବ୍ରଣ ଓ ବଥ ଭଳି ଅନେକ ଚର୍ମରୋଗ ହୋଇଥାଏ । ଏଭଳି ରୋଗ ସହ ଲଢିବାର କିଛି ମାତ୍ରାରେ କ୍ଷମତା ଜଳର ରହିଛି । ତେଣୁ ଶୀତଳ ଜଳରେ ସ୍ନାନକଲେ ଏଭଳି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା କମିଯାଏ ।
ଗାଧୋଇବା ସମୟରେ ଜଳରେ କିଛି ବିନ୍ଦୁ ୟୁଡିକୋଲନ୍ ପକାଇଲେ ଦିନସାରା ଦେହ ତାଜା ରୁହେ । ଗରମ ଦିନରେ ପାଣିରେ ନିମପତ୍ର ପକାଇ ପାଣିକୁ ଫୁଟାଇ ଦିଅନ୍ତୁ । ସେହି ପାଣିକୁ ଥଣ୍ଡାକରି ଗାଧୋଇଲେ ଦେହରେ ଶୀତଳତାର ଆନନ୍ଦ ଭରିଯାଏ । ପାଣିରେ କିଛି ଗୋଲାପ ପାଖୁଡା ପକାଇ ଗ୍ରୀଷ୍ମଋତୁରେ ଦେହ ଓ ମନ ହାଲକା ଲାଗେ, ଧଳା ଶାଢି, ହାଲକା ନୀଳ ଓ ପର୍ପଲ ରଙ୍ଗର ପ୍ରିଣ୍ଟ ଥିବା ଶାଢି ପିନ୍ଧିଲେ ଶରୀର ଆକର୍ଷଣୀୟ ଦେଖାଯାଏ ।
ଗ୍ରୀଷ୍ମଋତୁରେ ସିନ୍ଥେଟିକ୍ , ସିଲକ୍, ପଲିଷ୍ଟର ଶାଢି ପିନ୍ଧିବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବଢେ । ତେଣୁ ଏଭଳି ଲୁଗା ପିନ୍ଧିବା ଉଚିତ୍ ନୁହେଁ ।
କଟନ୍, ଜର୍ଜେଟ ଓ ସିଫନ ଶାଢି ଗ୍ରୀଷ୍ମ ଋତୁରେ ଅନୁକୂଳ । ବିଶେଷ କରି ଖଦୀ ବସ୍ତ୍ର ଏଭଳି ଜଳବାୟୁର ସଂପୂର୍ଣ୍ଣ ଉପଯୋଗୀ ବସ୍ତ୍ର । ଗ୍ରୀଷ୍ମଋତୁରେ ସବୁଠୁ ବଡ ସମସ୍ୟା ହେଉଛି ଦେହର ଝାଳ । ଦେହରୁ ପର୍ଯ୍ୟାପ୍ତ ଝାଳ ବୋହି ଶୁଖିଗଲେ ଦେହର ଲୋମକୂପ ବନ୍ଦ ହୋଇଯାଏ । ଫଳରେ ଦେହରେ ମଇଳା ଜମି ଯାଏ । ଏଭଳି ଅବସ୍ଥାରେ ଦେହକୁ ସ୍ନାନଦ୍ୱାରା ଉତ୍ତମ ରୂପେ ସଫା ନକଲେ ଦେହରେ ଚର୍ମରୋଗ ହେବାର ସମ୍ଭାବନା ସୃଷ୍ଟି ହୁଏ । ଗ୍ରୀଷ୍ମ ଦିନରେ ପ୍ରବାହିତ ହେଉଥିବା ଉଷ୍ଣ ପବନ ଯୋଗୁଁ ସମୟ ସମୟରେ ପ୍ରାଣହାନି ଘଟିଥାଏ । ସ୍ନାନ କଲେ ଦେହରେ ଜଳାପୋଡା ହୁଏ ନାହିଁ ।
ଗ୍ରୀଷ୍ମ ଋତୁରେ ଭୋକ କମିଯାଏ । ସ୍ନାନଦ୍ୱାରା ରକ୍ତବାହୀ ଶିରା ପ୍ରଶିରାରେ ଉତ୍ତେଜନା ବୃଦ୍ଧି ହୁଏ, ସେହି ହେତୁ ସ୍ନାନ କଲାପରେ ଭୋକ ଲଗେ ।
ମେ ଓ ଜୁନ୍ ମାସରେ ଦିନକୁ ୪-୫ ଥର ସ୍ନାନ ମଧ୍ୟ କରାଯାଇପାରେ, ଏଭଳି ସ୍ନାନ କଲେ ଦେହ-ମନ ତାଜା ରୁହେ ।
କୁହାଯାଏ ଯେ, ଯାହାର ପାଦ ଶିତଳ ସେ ରୌଦ୍ରତାପ ଯନ୍ତ୍ରଣା କମ୍ ପାଇଥାଏ । ତେଣୁ ଗ୍ରୀଷ୍ମଋତୁରେ ଦିନକୁ ଅନେକ ଥର ପାଦ ଓ ମୁହଁ ଧୋଇଲେ ଆରାମ ଲାଗେ ।
ଗ୍ରୀଷ୍ମଋତୁରେ ଦିନରେ ସ୍ନାନ ପରେ ଉତ୍ତମ ମାନର ଲୋସନ୍ ଡିଓଡ୍ରେଣ୍ଟ ବ୍ୟବହାର କରିବା ଲାଗି ଭୁଲନ୍ତୁ ନାହିଁ ।