ଗାନ୍ଧୀଙ୍କୁ ପାଣିମାରି ଧୋଉଥିଲେ ମୂଲିଆମାନେ । ରବର୍ ପାଇପ୍ର ମୁହଁରୁ ପିଚ୍ପିଚ୍ ହେଇ ବାହାରୁଥିବା ପାଣିର ମାଡ଼ରେ ଅନେକ ଦିନର ପୁରୁଣା ମଳି ସବୁ ପାଣିସହ ବୋହି ଆସୁଥାଏ ଗାନ୍ଧୀଙ୍କ ଗୋଡ଼ଆଡ଼କୁ । ଗାନ୍ଧୀ ବେଶ୍ ସତେଜ ଲାଗୁଥାନ୍ତି ଯେମିତି । ମହାସ୍ନାନ ପରେ ସେମାନେ ଗାନ୍ଧୀଙ୍କୁ ପୋଛାପୋଛି କରିଦେଲେ ଛିଣ୍ଡା କନାରେ । ତା’ପରେ କିଛି ସମୟ ଖରା ଖାଇବାକୁ ଛାଡ଼ିଦେଇ ଚାଲିଗଲେ ଖାଇବାକୁ । ଖାଇସାରି ଫେରିଲା ବେଳକୁ ଶୁଖି ଯାଇଥିଲେ ଗାନ୍ଧୀ । ଏଥର ଆରମ୍ଭ ହେଲା ରଙ୍ଗ କାମ । ସନ୍ଧ୍ୟା ପୂର୍ବରୁ ସରିଗଲା ରଙ୍ଗ । ଗାନ୍ଧୀ ଏଥର ଚମକିଲେ ଷ୍ଟ୍ରିଟ୍ ଲାଇଟ୍ର ଆଲୁଅରେ ।
ଗାନ୍ଧୀ ଷ୍ଟାଚ୍ୟୁ ଚାରିପାଖର ଲୁହାବାଡ଼ରେ ପୂର୍ବରୁ ରଙ୍ଗ ଦିଆସରିଥିଲା । ରାତାରାତି ନର୍ସରୀରୁ ଫୁଲକୁଣ୍ଡ ଆଣି ସଜେଇ ଦିଆଗଲା ପେଡେଷ୍ଟାଲ ଚାରିପଟେ । ଅକାମି ହୋଇ ପଡ଼ିଥିବା ଲୁହାବାଡ଼ ଭିତରର ଲାଇଟ୍କୁ ସଜାଡ଼ି ଦେଇଥିଲେ ଇଲେକ୍ଟ୍ରିକ୍ବାଲା । ଏବେ ଜଳୁଛି ।
ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସବୁଆଡ଼େ ତତ୍ପରତା । କଲେଜ ଝିଅମାନେ ରାମଧୂନ୍ ଗାଇବେ । ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇବେ । ତା’ପରେ ଡାକ୍ତରଖାନା ଏବଂ କୁଷ୍ଠାଶ୍ରମ ଯାଇ ଫଳ ବାଣ୍ଟିବେ । ସନ୍ଧ୍ୟାରେ ଭାଷଣ । ‘ଗାନ୍ଧୀବାଦର ପ୍ରାସଙ୍ଗିକତା ଏବେ ବି ରହିଛି’ – ଏ ବିଷୟ ଉପରେ ଚର୍ଚ୍ଚା ଏବଂ ତର୍ଜମା କରିବେ ଗାନ୍ଧୀପ୍ରେମୀ ।
ଗାନ୍ଧୀ ଷ୍ଟାଚ୍ୟୁରେ ମାଲ୍ୟାର୍ପଣରୁ ଆରମ୍ଭ ହେବ ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ । ବର୍ଷସାରା ଚାଲିବ ଏ ଉତ୍ସବ ସାରା ଦେଶରେ ।
ମନ୍ତ୍ରୀ ଆସିବା ପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅଫିସର୍ସମାନେ ଆସି ଷ୍ଟାଚ୍ୟୁ ଆଖପାଖ ଯାଞ୍ଚ କଲେ । ସବୁ ଆୟୋଜନ ଠିକ୍ଠାକ୍ ହୋଇଛି କି ନାହିଁ ପରଖିନେଲେ । ସାମ୍ବାଦିକମାନେ ପହଞ୍ଚି ସାରିଥିଲେ । କ୍ୟାମେରା ଫୋକସ୍ କରୁଥିଲେ ଫଟୋଗ୍ରାଫରମାନେ ।
ଏମିତି ସମୟରେ ଗାନ୍ଧୀଙ୍କ ମୁହଁକୁ କ୍ୟାମେରା ଫୋକସ୍ କରି ଜଣେ ଫଟୋଗ୍ରାଫର୍ କହିଲେ- “ଆରେ! ଗାନ୍ଧୀଙ୍କ ଚଷମା କୁଆଡ଼େ ଗଲା?
ସମସ୍ତେ ଅନେଇଲେ ଗାନ୍ଧୀଙ୍କ ମୁହଁକୁ । ଆରେ ହଁ ତ ! ଚଷମା ତ ନାହିଁ!
ସଫେଇ ଦାୟିତ୍ୱରେ ଥିବା ଜଣେ ଅଫିସର କହିଲେ- କାଲି ପାଇପ୍ରେ ପାଣି ମାଡ଼କରି ଧୋଇଲା ବେଳକୁ ବୋଧେ ଛିଟିକି ଯାଇଛି କିମ୍ବା କିଏ ରଙ୍ଗ ଦେଲାବେଳେ କାଢ଼ିକି କେଉଁଠି ରଖିଦେଇଛି ବୋଧେ !
ବହୁତ ଖୋଜାଖୋଜି ପରେ ବି ମିଳିଲାନି । ଗାନ୍ଧୀଙ୍କ ଷ୍ଟାଚୁ୍ୟର ଲୁହାବାଡ଼କୁ ଲାଗି ରୁକ୍ଷ ଚେହେରାର ଦାଢ଼ିବାଲା ବୁଢ଼ା ଭିକାରିଟିଏ ଠିଆହୋଇ ଏକଲୟରେ ଚାହିଁଥିଲା ଗାନ୍ଧୀଙ୍କ ଷ୍ଟାଚୁ୍ୟକୁ । ଗୁଣୁଗୁଣୁ ହୋଇ “ବୈଷ୍ଣବ ଜନତୋ…” ଗୀତଟି ଗାଉଥିଲା ।
ଜଣେ କିଏ କହିଲା- ଏଇ ଲୋକଟା କାଲି ସେଇ ବାଡ଼ ଭିତରେ ବସିଥିଲା, ଯେତେବେଳେ ରଙ୍ଗ ହେଉଥିଲା ଷ୍ଟାଚ୍ୟୁ । ରାତିରେ ବି ଶୋଇଥିଲା ଗାନ୍ଧୀଙ୍କ ପେଡେଷ୍ଟାଲ୍ ତଳେ । ସେଇ ଜାଣିଥିବ !
ଲୋକଟାକୁ ଜଣେ ପୋଲିସବାଲା ପଚାରିଲେ- ହେ ବୁଢ଼ା, ଗାନ୍ଧୀଙ୍କ ଚଷମା କୁଆଡ଼େଗଲା ଜାଣିଛୁ? ତୁ ବସିଥିଲୁ ଏଠି କାଲି ?
ଲୋକଟା ଖୁବ୍ ସହଜ ଭାବେ କହିଲା- ମୁଁ ଖୋଲିଦେଇଛି ବାପୁଙ୍କ ଆଖିରୁ ।
ଏଥର ପୋଲିସବାବୁ ଚଢ଼ାଗଳାରେ ପଚାରିଲେ- ଖୋଲି ଦେଇଛୁ, ମାନେ? ତୋ ସାହସ ତ କମ୍ ନୁହଁ ! ତୁ ଗାନ୍ଧୀଙ୍କ ଚଷମା ଖୋଲିଦେଲୁ?
ଲୋକଟା କହିଲା- ପଚାରିଲେନି ତ କାହିଁକି ଖୋଲିଲି ବୋଲି?
ସେତେବେଳକୁ ସାମ୍ବାଦିକମାନେ ଲୋକଟା ଚାରିପଟେ ଘେରିଯାଇଥାନ୍ତି । କ୍ୟାମେରା ଫ୍ରେମ୍ରେ ଥାଏ ଲୋକଟା । ମନ୍ତ୍ରୀମାନେ ପହଞ୍ଚି ସାରିଥାନ୍ତି ।
ଲୋକଟା ଗୋଟେ ବିପ୍ଳବୀ ଭଳି ଏଥର କହିଲା- ଗାନ୍ଧୀଙ୍କ ପ୍ରତି ଆପଣମାନଙ୍କ ମନରେ ସତରେ ଶ୍ରଦ୍ଧା-ଭକ୍ତି ଅଛି? ଗାନ୍ଧୀ ଫିଲୋସଫିକୁ ଆପଣମାନେ ଗୁରୁତ୍ୱ ଦେଉଛନ୍ତି? ଗାନ୍ଧୀ ଯେମିତି ଭାରତ ଚାହିଁଥିଲେ ସେମିତି ଭାରତ ହେଇପାରିଛି?
ସମସ୍ତେ ଅବାକ୍ ହୋଇ ଶୁଣୁଥିଲେ ଲୋକଟାର ଅନର୍ଗଳ ଉଚ୍ଛ୍ୱାସକୁ, ଅନେକ ଦିନରୁ ଛାତି ଭିତରେ ଜମି ରହିଥିବା ବିଦ୍ରୋହକୁ ।
ଛେପ ବାହାରି ଆସୁଥିଲା ଲୋକଟାର ପାଟିରୁ । ଆଖି ବୋଧେ ଜକେଇ ଆସିଥିଲା । ସିଏ ତା’ ମଇଳା ଚାଦରରେ ଆଖିପୋଛି ପୁଣି ଆରମ୍ଭ କଲା- ବଢ଼ିଲା ଝିଅଟିଏ ଏକୁଟିଆ ବାହାରକୁ ଗଲେ ସୁରକ୍ଷିତ ଭାବରେ ଫେରିବାକୁ ନେଇ ସନେ୍ଦହ । ବାପା-ମା’ ଆଶଙ୍କା ଏବଂ ଆତଙ୍କ ଭିତରେ ରହୁଛନ୍ତି ଝିଅ ଘରକୁ ନଫେରିବା ଯାଏ । ଗାନ୍ଧୀଙ୍କ ସ୍ୱପ୍ନ କ’ଣ ଏଇଆ ଥିଲା? ସ୍ୱାଧୀନତାର ୭୩ ବର୍ଷ ପରେ ବି ପ୍ରତିଦିନ ବଳାକ୍ରାରର ବୀଭତ୍ସ ଖବରରେ ଭାରାକ୍ରାନ୍ତ ଖବରକାଗଜ । ଏମିତି ସ୍ୱାଧୀନ ଭାରତ କ’ଣ ଚାହିଁଥିଲେ ବାପୁ?
ଗାନ୍ଧୀଙ୍କ ଚଷମା ସ୍ୱଚ୍ଛତା ଅଭିଯାନର ଲୋଗୋ ହୋଇଛି । ସ୍ୱଚ୍ଛତା କହିଲେ କ’ଣ କେବଳ ପରିଚ୍ଛନ୍ନତାକୁ ବୁଝାଏ? ଝାଡ଼ୁରେ ଓଳେଇ ଅନ୍ୟାୟ, ଅନୀତି, ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ କ’ଣ ଦୂର କରିହେବ? ଦୁର୍ନୀତି ତ ଦାନବ ପାଲଟିଛି ଏବେ । ଈଶ୍ୱରଙ୍କ ନାଁରେ ଶପଥ କରି ଶାସନକୁ ଆସୁଥିବା ନେତାଏ କ’ଣ କରୁଛନ୍ତି ସମସ୍ତଙ୍କୁ ଜଣା । ଭଗବାନଙ୍କ ପ୍ରତି ଭୟ ଅଛି ଏମାନଙ୍କର? ଭକ୍ତି ଏକ ଛଳନା କିମ୍ବା ଅଭ୍ୟାସ ଏମାନଙ୍କ ପାଇଁ !
ଗାନ୍ଧୀ ଏକ ସଫଳ ବ୍ରାଣ୍ଡ୍ ନେମ୍ ଏବେ । ଖଦୀ ବସ୍ତ୍ର ଫ୍ୟାସନ୍ ପାଲଟିଛି । ସ୍ୱଦେଶୀ ପ୍ରୀତି ପ୍ରତିଫଳିତ ହେଉଛି ନେତାଙ୍କ ଖଦଡ଼ ଚୂଡ଼ିଦାର-ପଞ୍ଜାବିରେ । ବୁଲୁଛନ୍ତି ବିଦେଶୀ ଗାଡ଼ିରେ । ବାପୁ ଫିରିଙ୍ଗିକୁ ତଡ଼ିଲେ । ଏମାନେ ଫିରିଙ୍ଗି ଭାଷାକୁ ଛାଡ଼ିପାରୁ ନାହାନ୍ତି । ଫିରିଙ୍ଗି ଥିଲାବେଳେ ଭେଜାଲ ଖାଦ୍ୟ ଏମିତି ଆଇନ ସମ୍ମତ ଭାବରେ ବିକ୍ରି ହେଉନଥିଲା । ଏବେ ତ ଖାଦ୍ୟରେ ବିଷ ମିଶାଯାଉଛି ।
ଲୋକଙ୍କ ହାତପାଆନ୍ତାରେ ମଦ ଦୋକାନ । ପ୍ରତିଦିନ ବଢ଼ୁଛି ମଦଦୋକାନ ସଂଖ୍ୟା । ‘ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ’ ବୈଧାନିକ ସତର୍କବାଣୀ ଧାଡ଼ିଏ ଲେଖିଦେଇ ସରକାର ନିଶ୍ଚିନ୍ତରେ !
ଯଦି କ୍ଷତିକାରକ ତା’ହେଲେ ବିକ୍ରି ଉପରେ ଅଙ୍କୁଶ ଲାଗୁନି କାହିଁକି? ଦୁର୍ନୀତି ସମାଜ ପାଇଁ କ୍ଷତିକାରକ ବ୍ୟାନର ଟାଙ୍ଗିଦେଇ ସରକାରୀ ଅଫିସ୍ରେ ଦୁର୍ନୀତି ପାଇଁ ଅନୁମତି ଦେଇହେବ କି? ବୈଧାନିକ ସତର୍କତାର ମାନେ ଏକ ଛଳନା ନୁହେଁ?
ପୋଲିସ ବାବୁ ଜଣେ କହିଲେ- ଏତେ ଭାଷଣ ନଦେଇ କହ, ଗାନ୍ଧୀଙ୍କ ଚଷମା କାହିଁକି କାଢ଼ିଲୁ ତାଙ୍କ ଆଖିରୁ? ମନ୍ତ୍ରୀମାନେ ଆସିଗଲେଣି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଜାଣିନୁ? ସେମାନେ ଗାନ୍ଧୀଜୀଙ୍କ ଆଖିରେ ଚଷମା ନଥିବାର ଦେଖିଲେ କ’ଣ ଭାବିବେ? ମୋ’ ଚାକିରି ରହିବ? ମୋ’ ଥାନା ଏରିଆ ଭିତରେ ରହିଛି ଏ ଷ୍ଟାଚ୍ୟୁ । ତୁ ଏତେବଡ଼ ସାହସ କଲୁ କେମିତି?
ଲୋକଟା ଏଥର ଅଳ୍ପ ହସି କହିଲା- ଏତେ କଥା କହିବା ପରେ ବି ଜାଣିପାରିଲେନି ଚଷମା କାହିଁକି କାଢ଼ିଲି ବୋଲି? ଏବେ ଯାହାସବୁ ଚାଲିଛି ଦେଶରେ ସେସବୁ କ’ଣ ଗାନ୍ଧୀ ଦେଖିବା ଉଚିତ୍? ତାଙ୍କ ନୀତି ଆଦର୍ଶକୁ ଆମେ ଖତଗଦାକୁ ପକେଇଦେଇ ତାଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଣ୍ଡ ନୁଆଁଇବାର ମାନେ କ’ଣ? ତାଙ୍କ ଜନ୍ମର ଦେଢ଼ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି ଚାରିଆଡ଼େ । ଗାନ୍ଧୀ ନୀତି-ଆଦର୍ଶର ପ୍ରାସଙ୍ଗିକତା ଏବେ ବି ରହିଛି ବୋଲି ଅନେକ ଭାଷଣବାଜି ଚାଲିଛି । ଆଚରଣରେ ତାହା ପ୍ରତିଫଳିତ ହେଉଛି କେଉଁଠି? ସବୁଠି ତ ଛଳନା ! ବାପୁ ଏସବୁ ଦେଖି କଷ୍ଟ ପାଉନଥିବେ? ତେଣୁ ଭାବିଲି, ତାଙ୍କ ଆଖିରୁ ଚଷମା କାଢ଼ିଦେଲେ ସିଏ ଅନ୍ତତଃ ଏସବୁ ବୀଭତ୍ସତାକୁ ତ ଆଉ ଦେଖିବାର ସୁଯୋଗ ପାଇବେନି । ଉଚ୍ଚାରଣ ଆଉ ଆଚରଣ ଭିତରେ ଯେ ଏତେ ଫରକ୍ ଏ କଥା ତ ଜାଣିପାରିବେନି । ତାଙ୍କ ସ୍ୱପ୍ନ ଆଜି ବି ସ୍ୱପ୍ନରେ ରହିଛି ଆଉ ତାଙ୍କ ତ୍ୟାଗ ଧୂଳିସାତ ହୋଇଛି ବୋଲି ତ ଜାଣିପାରିବେନି । ସେଇଥିପାଇଁ ତାଙ୍କ ଚଷମା କାଢ଼ିଦେଇଛି । ହଁ, କେବଳ ନେତାଙ୍କ ଭାଷଣ ଯଦି ସେ ଶୁଣିପାରିବେ ତା’ହେଲେ ନିଶ୍ଚେ ସେ ଖୁସି ହୋଇପାରିବେ । ନେତାଙ୍କ ଭାଷଣରେ ସବୁବେଳେ ଶାନ୍ତି ଅହିଂସାର ବାର୍ତ୍ତା ହିଁ ଥାଏ, ଥାଏ ସଚ୍ଚୋଟତାର ମନ୍ତ୍ର । ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେମାନେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥାନ୍ତି । ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥାନ୍ତି ପରପିଢ଼ିଙ୍କୁ । ଏକଥା ଶୁଣିଲେ ଗାନ୍ଧୀ ଖୁସି ତ ହୋଇପାରିବେ ଅନ୍ତତଃ । ଆଉ ଆପଣମାନେ ଯଦି ଚାହୁଁଛନ୍ତି ସେ ଦେଶର ଅସଲ ଚିତ୍ର ଦେଖନ୍ତୁ ତା’ହେଲେ ମୋର କିଛି ଆପତ୍ତି କରିବାର ନାହିଁ । ନିଅନ୍ତୁ ତାଙ୍କ ଚଷମା, ଆପଣମାନେ ନିଜେ ତାଙ୍କୁ ପିନେ୍ଧଇ ଦିଅନ୍ତୁ । ମୁଁ କିନ୍ତୁ ଆଉ ତାଙ୍କୁ କଷ୍ଟ ଦେବାକୁ ଚାହିଁବିନି ।
ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆସିଥିବା ନେତାମାନେ ସତେଯେମିତି ଚାହୁଁଥିଲେ ଗାନ୍ଧୀ ସେମିତି ବିନା ଚଷମାରେ ଥା’ନ୍ତୁ । କେହି ଲୋକଟା ହାତରୁ ଚଷମାଟା ନେବା ପାଇଁ ସାହସର ସହିତ ହାତ ବଢ଼ାଉ ନଥିଲେ ।
ଗାନ୍ଧୀଙ୍କ ଚଷମା ଚୋରି ଅଭିଯୋଗରେ ବୃଦ୍ଧଙ୍କୁ ଥାନାକୁ ନେଇଗଲା ପୁଲିସ । ପଚରାଉଚରା ପରେ ଜଣାଗଲା ସେ ଜଣେ ସ୍ୱାଧୀନତା ସଂଗ୍ରାମୀ । ଗାନ୍ଧୀଜୀଙ୍କ ବାନର ସେନାରେ ଥିଲେ । ସ୍ୱାଧୀନତା ପରେ ଅନେକ ସମାଜସେବା କରିଛନ୍ତି । କେବେ କିନ୍ତୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇଁ ଆବେଦନ କରିନାହାନ୍ତି । ତାଙ୍କୁ ଏକଥା ପଚରାଯିବାରୁ ସେ କହିଲେ- ଦେଶ ପାଇଁ କାମ କରିଥିଲି, ସେଥିପାଇଁ ପଇସା ନେବି? ବାପୁ କ’ଣ ଭାବିବେ? ତାଙ୍କ ଆତ୍ମା କଷ୍ଟ ପାଇବନି ?