ଅଧୁନା ଜ୍ୟୋତିର୍ବିଜ୍ଞାନ ଓ ଫଳିତ ଜ୍ୟୋତିଷ ଉପରେ ଜନସାଧାରଣଙ୍କର ଆଗ୍ରହ ଅତିରିକ୍ତ ବୃଦ୍ଧି ପାଇଛି । ସେଥିପାଇଁ ବହୁ ଟିଭି ଚ୍ୟାନେଲ୍ରେ ଜ୍ୟୋତିଷ ସମ୍ବନ୍ଧୀୟ ଚର୍ଚ୍ଚା ନିୟମିତ ଚାଲିଛି । ପରିସଂଖ୍ୟାନରୁ ଜଣାଯାଏ ଯେ ପୃଥିବୀର ଅଶିଭାଗ ଲୋକ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି । ମାନ୍ୟବର ସୁପ୍ରିମ୍କୋର୍ଟ ତା. ୫.୦୫.୨୦୦୪ରେ ତାଙ୍କ ରାୟରେ ଜ୍ୟୋତିର୍ବିଜ୍ଞାନ ଏକ ଶୁଦ୍ଧ ବିଜ୍ଞାନ ଭାବେ ସ୍ୱୀକାର କରିଛନ୍ତି । ତେଣୁ ୟୁନିର୍ଭସିଟି ଗ୍ରାଣ୍ଟ କମିଶନ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଜ୍ୟୋତିର୍ବିଜ୍ଞାନ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ଅନୁମତି ଦେଇଛନ୍ତି । ଫଳିତ ଜ୍ୟୋତିଷ ଅନୁସାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ଶ୍ରୀ ରାଜୀବ ଗାନ୍ଧୀଙ୍କ ମୃତୁ୍ୟ ଗଣନା ସତ୍ୟ ବୋଲି ପ୍ରମାଣିତ ହୋଇଛି । ବହୁବାର ପାଣିପାଗର ଓ ଝଡ଼ର ସୂଚନା ଓ ପୂର୍ବାନୁମାନ ବିଭାଗୀୟ ସିଦ୍ଧାନ୍ତଠାରୁ ଜ୍ୟୋତିଷୀୟ ସିଦ୍ଧାନ୍ତ ଅଧିକ ଫଳପ୍ରଦ ହେଉଛି । ତେବେ ବ୍ୟକ୍ତିଗତ ଭାବରେ ରାଶିଚକ୍ରକୁ ଭାଗ୍ୟ ବୋଲି ଗ୍ରହଣ କରିନେବା ଉଚିତ୍ ନୁହେଁ । କାରଣ ମନୁଷ୍ୟର ଦୃଢ଼ ଇଚ୍ଛାଶକ୍ତି ଓ କର୍ମନିଷ୍ଠା ବଳରେ ଏହାର ପରିବର୍ତ୍ତନ ସମ୍ଭବ । ମଣିଷର ପ୍ରାରବ୍ଧ ଯାହାକୁ ଆମେ ଭାଗ୍ୟ ବୋଲି ନାମିତ କରୁ ତା’ର ପରିମାଣ ଜୀବନରେ ଶତକଡ଼ା ଦଶଭାଗରୁ ଅଧିକ ନୁହେଁ, ଅବଶିଷ୍ଟ ଆମର କର୍ମ ନିଷ୍ଠା ଉପରେ ନିର୍ଭର କରେ । କର୍ମଫଳ ହିଁ ଭୋଗହୁଏ, ପୁଣି ଏଇ ଜନ୍ମରେ । ଯେଉଁ କର୍ମଫଳ ଭୋଗିବାକୁ ଆୟୁଷ ନଥାଏ ତାହା ପରବର୍ତ୍ତୀ ଜନ୍ମମାନଙ୍କରେ ଭୋଗ ହୋଇଥାଏ ।
ବିରାଟ ବିଶ୍ୱରେ ନକ୍ଷତ୍ରମାନେ ସ୍ଥିର ଓ ଗ୍ରହ ଉପଗ୍ରହମାନେ ଗତିଶୀଳ । ସେମାନେ ପରସ୍ପରକୁ ଆକର୍ଷଣ ବିକର୍ଷଣ ବଳରେ ସ୍ଥିତାବସ୍ଥାରେ ରହି ଭ୍ରମଣ କରୁଛନ୍ତି । ରାଶିଚକ୍ରରେ ମଧ୍ୟ ସେହିପରି ଗ୍ରହମାନେ ଶୁଭ ଅଶୁଭ ସ୍ଥିତି ସତ୍ତ୍ୱେ ବାଲାନ୍ସ ଅବସ୍ଥାରେ ଥା’ନ୍ତି । ଗ୍ରହମାନଙ୍କର ଶୁଭାଶୁଭ ପ୍ରଭାବରେ ଯେଉଁଠି ବ୍ୟତିକ୍ରମ ଘଟେ ତାହା ଜୀବନକୁ ପ୍ରଭାବିତ କଲେ ଆମେ ଜ୍ୟୋତିଷୀୟ ପ୍ରତିକାର କରିଥାଉ । ଗ୍ରହ ଓ ଉପଗ୍ରହମାନଙ୍କର ପୃଥିବୀର ଜୀବ ଓ ନିର୍ଜୀବ ନିର୍ବିଶେଷରେ ସମସ୍ତଙ୍କ ଉପରେ ପ୍ରଭାବ ଅଛି । ପୃଥିବୀର ୪ଭାଗରୁ ୩ଭାଗ ଜଳରାଶି ହୋଇଥିଲେ ମଧ୍ୟ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କ ପ୍ରଭାବରେ ତାହା ଉଦ୍ବେଳିତ ହୁଏ । ନିର୍ଦ୍ଦିଷ୍ଟ ତିଥିରେ ଚନ୍ଦ୍ର ବୃକ୍ଷମାନଙ୍କରେ ଔଷଧୀୟ ଗୁଣର ବିକାଶ କରିଥାନ୍ତି ଚନ୍ଦ୍ରଙ୍କର ଅନ୍ୟନାମ ଓଷଧୀଶ । ତେଣୁ ଆୟୁର୍ବେଦରେ ରୋଗର ଲକ୍ଷଣକୁ କେଉଁ ଗ୍ରହ ଦ୍ୱାରା ହୋଇଛି, ସେହି ଗ୍ରହ ସମ୍ବନ୍ଧୀୟ ଚେର ମୂଳରୁ ପ୍ରସ୍ତୁତ ଔଷଧ ଦ୍ୱାରା ରୋଗର ଉପଶମ କରିଥାନ୍ତି । ସେଥିପାଇଁ ଆୟୁର୍ବେଦ ଡାକ୍ତରମାନେ ଜ୍ୟୋତିଷ ପଢ଼ିଥାନ୍ତି । ରାତି୍ରରେ ଜହ୍ନ ଆଲୁଅରେ ଖୋଲା ମୁଣ୍ଡରେ ବୁଲିଲେ ସ୍ମୃତିଶକ୍ତି ହ୍ରାସ ହୁଏ ଓ ମତିଭ୍ରମ ହୁଏ । ସେଥିପାଇଁ ଭିନ୍ନ ଧର୍ମୀମାନେ ମୁଣ୍ଡରେ ଧଳାଟୋପି ପିନ୍ଧିଥାନ୍ତି । କାରଣ ସମ୍ଭବତଃ ଆର୍ଯ୍ୟମାନେ ଗୋପାଳନ ଓ କୃଷି ଦ୍ୱାରା ସ୍ଥାୟୀ ବାସିନ୍ଦା ଭାବରେ ଗ୍ରାମ ନଗରରେ ବାସ କରୁଥିବା ବେଳେ ଯେଉଁମାନେ ଶିକାର ଉପରେ ନିର୍ଭର କରୁଥିଲେ ସେମାନେ ଯାଯାବର ଥିଲେ ଓ ରାତ୍ରିଚର ଥିଲେ । ଚୌର୍ଯ୍ୟ ଅପହରଣ, ଆର୍ଯ୍ୟମାନଙ୍କର ଧନ ସମ୍ପତ୍ତି ଲୁଟ୍ କରି ଦୂର ସ୍ଥାନକୁ ଭ୍ରମଣ କରିବା ପାଇଁ ରାତ୍ରି ପ୍ରଶସ୍ତ ଥିଲା । ମତିଭ୍ରମରୁ ରକ୍ଷା ପାଇବା ପାଇଁ ଟୋପି ପିନ୍ଧିବା ଓ ଚନ୍ଦ୍ରଙ୍କୁ ପୂଜା କରିବା ତାଙ୍କର ଧର୍ମର ଲକ୍ଷଣ ହୋଇଗଲା । ମାନସିକ ଶାନ୍ତି ଓ ସୁଖୀ ପାରିବାରିକ ଜୀବନ ପାଇଁ ଚନ୍ଦ୍ର ପୂଜା କରାଯାଏ । ସୂର୍ଯ୍ୟ ଓ ଚନ୍ଦ୍ର ଶ୍ରୀଜଗନ୍ନାଥଙ୍କର ଦୁଇ ଚକ୍ଷୁ । ତେଣୁ ଦିବାରାତ୍ର ସର୍ବଦା ଆଖି ଖୋଲାଥାଏ ।
ଜ୍ୟୋତିଷରେ ଗ୍ରହମାନଙ୍କର ଅଶୁଭତ୍ୱ ବିନାଶ ପାଇଁ ଦଶବିଧ ଉପାୟ ଅଛି । ଆଜିକାଲି ରତ୍ନଧାରଣ ଦ୍ୱାରା ଗ୍ରହ ପ୍ରତିକାର ବିଶେଷ ଲୋକପ୍ରିୟ । କେହି କେହି ଦଶ ଆଙ୍ଗୁଳିରେ ସାତ ଆଠଟି ରତ୍ନ ପିନ୍ଧିବାର ଦେଖାଯାଏ । ଏହା ଆଦୌ ସ୍ପୃହଣୀୟ ନୁହେଁ । ଆଗରୁ ସୂଚନା ଦିଆଯାଇଛି ଯେ ଗୋଟିଏ ଜାତକରେ ସର୍ବାଧିକ ଛଅଟି ଗ୍ରହ ଅଶୁଭ ରହିବେ ଯଥା ଭାବଚକ୍ରରେ ୩,୬,୮,୧୨ ଓ ମାରକାଧୀପ ଓ ବାଧକାଧୀପ, ଏହିପରି ଛଅଟି ଗ୍ରହ ଅଶୁଭ ରହିବେ । ଗ୍ରହ ଶାନ୍ତି ପାଇଁ ରତ୍ନ ଧାରଣ ବ୍ୟୟବହୁଳ ଏବଂ ସଠିକ୍ ରତ୍ନ ନିର୍ଣ୍ଣୟ ଦ୍ୱନ୍ଦ୍ୱପୂର୍ଣ୍ଣ ଓ କଷ୍ଟକର ବ୍ୟାପାର । କେହି ଅଶୁଭଗ୍ରହ ପାଇଁ ତା’ର ରତ୍ନ ପିନ୍ଧିବା ପାଇଁ କହୁଥିବା ବେଳେ ଅନ୍ୟ କେହି ଏହା ସର୍ପକୁ କ୍ଷୀର ପାନ ଭଳି ମନ୍ଦ ଗ୍ରହ ଅଧିକ ଅଶୁଭ ଫଳ ଦେବ । କେହି ଛୁରୀରେ ମାରିବାକୁ ଆସିବା ବେଳେ ତା’ ହାତରୁ ଛୁରୀ ଛଡ଼ାଇ ଖଣ୍ଡା ଧରାଇବା ଭଳି ହେବ ବୋଲି ମତ ଦିଅନ୍ତି । ଶୁଭ ଗ୍ରହକୁ ଅଧିକ ଶୁଭ କରାଇବା ପାଇଁ ରତ୍ନ ଧାରଣ ବ୍ୟବସ୍ଥା କହୁଥିଲେ ମଧ୍ୟ ଏହାର କେତେଦୂର ଠିକ୍ ଜାଣିବା କଷ୍ଟ ପୁଣି ସୁସ୍ଥ ବ୍ୟକ୍ତିକୁ ଭିଟାମିନ୍ ଅଧିକ ଦେଲେ ମଧ୍ୟ କ୍ଷତିକାରକ ।
ଏହି ପରିପ୍ରେକ୍ଷୀରେ ବୃକ୍ଷ ଦ୍ୱାରା ଗ୍ରହଶାନ୍ତି ଏକ ସାର୍ବଜନୀନ ପ୍ରିୟ ପଦ୍ଧତି । କେହି ବୃକ୍ଷପୂଜା ଓ କେହି ଚେରମୂଳ ଧାରଣ କରି ଏହା ସଂପନ୍ନ କରିଥାନ୍ତି । ନିଜ ବଗିଚାରେ ବୃକ୍ଷ ଲଗାଇ ସେହି ବୃକ୍ଷତଳେ ବସିଲେ ମଧ୍ୟ ଉତ୍ତମ ଫଳ ମିଳେ । ଉଦାହରଣ ସ୍ୱରୂପ ଉତ୍ତରାଷାଢ଼ା-ମକର (୨୧/୧୦) ଶନିବାର ପଣସ ଗଛ ତଳେ ବସିଲେ ସର୍ବଶୁଭ । ସେହିପରି ପଶୁ ଓ ପକ୍ଷୀଙ୍କୁ ଖାଦ୍ୟଦେଇ ଗ୍ରହଶାନ୍ତି କରାଯାଇପାରିବ ।
ଗ୍ରହମାନଙ୍କର ପ୍ରିୟ ବୃକ୍ଷ ଓ ପୁଷ୍ପ
ଗ୍ରହ | ପ୍ରିୟ ଦିଗ | ପ୍ରିୟ ବୃକ୍ଷ | ପ୍ରିୟ ପୁଷ୍ପ | ଗ୍ରହାଧିକୃତ ମୂଳ |
---|---|---|---|---|
ରବି | ପୂର୍ବ | ବେଲ | ମନ୍ଦାର | ବିଲ୍ୱମୂଳ |
ଚନ୍ଦ୍ର | ବାୟୁ | ପଲାଶ | ଶ୍ୱେତକଇଁ | କ୍ଷୀରକୋଳି |
ମଙ୍ଗଳ | ଦକ୍ଷିଣ | ଖଇର | ରକ୍ତବର୍ଣ୍ଣ ପୁଷ୍ପ | ନାଗଜିହ୍ୱା (ସୁଗନ୍ଧି) |
ବୁଧ | ଉତ୍ତର | ବୃଦ୍ଧଦାରକ | ସବୁଜବର୍ଣ୍ଣ ପୁଷ୍ପ | ବୃଦ୍ଧ ଦାରକ |
ବୃହସ୍ପତି | ଐଶାନ୍ୟ | ନଡ଼ିଆ | ପୀତବର୍ଣ୍ଣ ପୁଷ୍ପ | ବ୍ରହ୍ମଯଷ୍ଟି |
ଶୁକ୍ର | ଅଗ୍ନି | ଅରଖ | ଶ୍ୱେତବର୍ଣ୍ଣ ପୁଷ୍ପ | ମାଷପର୍ଣ୍ଣି |
ଶନି | ପଶ୍ଚିମ | ଶମି | ନୀଳ ଅପରାଜିତା | ବାଡ଼ିଅଁଳା |
ରାହୁ | ନୈଋତ | ଦୂବଘାସ | କୃଷ୍ଣବର୍ଣ୍ଣ ପୁଷ୍ପ | ଶ୍ୱେତଚନ୍ଦନ |
କେତୁ | ନୈୠତ | ଦୂବଘାତ | ଘାସଫୁଲ | ଅଶ୍ୱଗନ୍ଧାମୂଳ |
ବୃକ୍ଷମାନ ଗୃହର ନିର୍ଦ୍ଦିଷ୍ଟ ଦିଗରେ ରୋପଣ କଲେ ଗ୍ରହମାନେ ତୁଷ୍ଟ ହୁଅନ୍ତି । ନକ୍ଷତ୍ରମାନଙ୍କର ନିର୍ଦ୍ଦିଷ୍ଟ ଗୁଣ ବହନ କରୁଥିବା ବୃକ୍ଷରାଜି
୧. ଅଶ୍ୱିନୀ-କାରସ୍କର (୨) ଭରଣୀ – ଅଁଳା, (୩) କୃତ୍ତିକା-ଉଜୁମ୍ବର, (୪) ରୋହିଣୀ- ଜାମୁ, (୫) ମୃଗଶିରା- ଖଇର, (୬) ଆର୍ଦ୍ରା-କୃଷ୍ଣ, (୭) ପୁନର୍ବସୁ-ବଂଶ, (୮) ପୁଷ୍ୟା-ଅଶ୍ୱତ୍ଥ, (୯) ଅଶ୍ଳେଷା- ନାଗ, (୧୦) ମଘା- ରୋହିଣୀ, (୧୧) ପୂ.ଫାଲଗୁନି- ପଲାଶ, (୧୨) ଉ. ପାଲଗୁନି-ପ୍ଲକ୍ଷ (୧୩) ହସ୍ତା- ଅମ୍ବଷ୍ଟ (୧୪) ଚିତ୍ରା-ଅର୍ଜୁନ, (୧୫) ସ୍ୱାତୀ- ବିକଜ୍ଞତ, (୧୬) ବିଶାଖା- ବକୁଳ, (୧୭) ଅନୁରାଧା-ସରଳ, (୧୮) ଜ୍ୟେଷ୍ଠା-ସର୍ଜ, (୧୯) ମୂଳା-ବ୍ରହ୍ମଯଷ୍ଟି, (୨୦) ପୂର୍ବାଷାଢ଼ା-ନଡ଼ିଆ, (୨୧) ଉତ୍ତରାଷାଢ଼ା-ପଣସ, (୨୨) ଶ୍ରବଣା-ଶ୍ୱେତମନ୍ଦାର, (୨୩) ଧନିଷ୍ଠା-ଶମୀ, (୨୪) ଶତଭିଷା-କଦମ୍ବ, (୨୫) ପୂ.ଭାଦ୍ର- ନିମ୍ବ, (୨୬) ଭଦ୍ରା- ଆମ୍ବ, (୨୭) ରେବତୀ- ମଧୁକ ।
ବୃକ୍ଷବରଣ ନିମନ୍ତେ ପୂଜା ସାମଗ୍ରୀ
ଗୋଟା ଗୁଆ ୧ଟି, ଆରୁଆ ଚାଉଳ ୨୫ଗ୍ରାମ୍, ଚନ୍ଦନ, ସିନ୍ଦୂର, ଧୂପକାଠି, ଗୁଆଘିଅ ଦୀପ, କଞ୍ଚାକ୍ଷୀର ଅଧପାଏ, ଭୋଗ, ଫୁଲ, ଆସନ, ପିତଳ ପାଣିଢାଳ, ପିତଳ ଥାଳୀ, ଡିଆସିଲି, ଚେର ରଖିବା ପାତ୍ର, କଦଳୀ ପତ୍ର ୩ଟି ।
ବୃକ୍ଷ ବରଣ ନିମନ୍ତେ ପୂଜା ବିଧି
୧. ସୂର୍ଯ୍ୟାଦୋୟ ପୂର୍ବରୁ ସ୍ନାନ ଓ ନିତ୍ୟକର୍ମ ସାରି ଉପରୋକ୍ତ ଦ୍ରବ୍ୟଗୁଡ଼ିକ ସଜାଡି, ଶୁଦ୍ଧ ବସ୍ତ୍ର ପରିଧାନ ପୂର୍ବକ ନିଜର କୌଣସି ଶୁଦ୍ଧ ବ୍ୟକ୍ତିକୁ ସଙ୍ଗରେ ନେଇ ପ୍ରଦତ୍ତ ସମୟ ମଧ୍ୟରେ ବୃକ୍ଷ ନିକଟରେ ପହଞ୍ଚି, ଧରିଥିବା ଜଳ ପାତ୍ରରୁ କିଛି ଜଳ ଦକ୍ଷିଣ ହସ୍ତରେ ଧରି, ଓଁ ବିଷ୍ଣୁ ୩ଥର କହି ବୃକ୍ଷମୂଳେ ପାଣି ସିଞ୍ଚନ କରି, ଭୂମିଶୁଦ୍ଧ ପରେ, ଜଳପାତ୍ରକୁ ଯଥା ସ୍ଥାନରେ ରଖି ଉତ୍ତରାଭିମୁଖୀ ହୋଇ ନମସ୍କାର ପୂର୍ବକ- ‘ହେ ବୃକ୍ଷରାଜ, ମୁଁ ତୁମକୁ ପୂଜା କରିବାକୁ ଆସିଛି ମୋର ସମସ୍ତ ଅମଙ୍ଗଳ ହରଣ କରି ମୋତେ ମଙ୍ଗଳ ଯୁକ୍ତ ହୁଅ ।’ ଏହା କହି ପଞ୍ଚାଗ ପ୍ରଣାମ କରିବ । ବୃକ୍ଷ ନିକଟକୁ ଆସିଲା ବେଳେ ବରଣକର୍ତ୍ତା କେବଳ ପାଣିଢ଼ାଳ ଧରିଥିବେ । ସଙ୍ଗରେ ନେଇଥିବା ବ୍ୟକ୍ତିଜଣକ ଉପରୋକ୍ତ ପଦାର୍ଥମାନ ଥାଳୀରେ ସଜାଡି ଧରିଥିବେ ଏବଂ ସାଙ୍ଗ ବ୍ୟକ୍ତି ମଧ୍ୟ ନିଜ ଭଳି ଶୁଦ୍ଧ ଥିବେ ।
୨. ଆସନ ଖଣ୍ଡିଏ ପକାଇ ଉତ୍ତରାଭିମୁଖୀ ହୋଇ ଉପବେସନ ପରେ, ସାମନାରେ କଦଳୀପତ୍ର ଖଣ୍ଡିଏ ପକାଇ ତହିଁରେ ନେଇଥିବା ଚାଉଳ ଓ ଗୁଆ ସ୍ଥାପନ କରି ଏହାକୁ ଗ୍ରହ ବୋଲି ଚିନ୍ତା କରି ନିଜର ଡାହାଣପଟେ ଉଇଁ ଆସୁଥିବା ସୂର୍ଯ୍ୟଙ୍କୁ ଦର୍ଶନ ପୂର୍ବକ ସ୍ଥାପନ କରିଥିବା ଗୁଆ ଉପରେ ଦୃଷ୍ଟି କରି- ହେ ଗ୍ରହରାଜ ଏଠାରେ ବିଜେ କର ବୋଲି ଚିନ୍ତା କରିବେ । ତତ୍ପରେ ପୁଷ୍ପକୁ ଜଳପାତ୍ରରେ ବୁଡାଇ ପୁଷ୍ପରେ ସେହି ଜଳଦ୍ୱାରା ବୃକ୍ଷକୁ ସ୍ନାନ କରାଇ, ହେ ଗ୍ରହରାଜ, ହେ ବୃକ୍ଷରାଜ, ସ୍ନାନ କର ବୋଲି ଚିନ୍ତା କରି ଉକ୍ତ ପୁଷ୍ପକୁ ଅନ୍ୟତ୍ର ଫିଙ୍ଗି ଦେବେ ଓ ହାତ ଧୋଇବେ । ହାତ ଧୋଇସାରି ସଙ୍ଗରେ ନେଇଥିବା ଗାମୁଛାରେ ପୋଛିଦେବେ । ତତ୍ପରେ ବସ୍ତ୍ର ପିନ୍ଧନ୍ତୁ ବୋଲି କହି ଥାଳି ମଧ୍ୟରେ ଥିବା ପୁଷ୍ପକୁ ଗ୍ରହ ଉପରେ ଏବଂ ବୃକ୍ଷ ଉପରେ ଗୋଟିଏ ପ୍ରଦାନ କରିବ ଏବଂ ତତ୍ପରେ ଚନ୍ଦନ ଓ ସିନ୍ଦୂର ପ୍ରଦାନ କରିବ । କିନ୍ତୁ ଗ୍ରହକୁ ପ୍ରଦାନ କରିବା ସମୟରେ ହେ ଗ୍ରହରାଜ ଓ ବୃକ୍ଷକୁ ପ୍ରଦାନ ସମୟରେ ହେ ବୃକ୍ଷରାଜ କହି ପ୍ରଦାନ ପରେ ପ୍ରତ୍ୟେକ ଥର ହାତ ଧୋଇ ପୋଛିଦେବ । କାରଣ ହାତଟି ଉଚ୍ଛିଷ୍ଟ ହେଉଥିବା ହେତୁ ହାତ ଧୋଇ ଗାମୁଛାରେ ପୋଛିବା ନିତାନ୍ତ ଆବଶ୍ୟକ । ନହେଲେ ସମସ୍ତ ଜିନିଷ ମାରା ହେବ ଏବଂ ପୂଜା ନିଷ୍ଫଳ ହେବ । ତତ୍ପରେ ଗ୍ରହ ଓ ବୃକ୍ଷକୁ ମାଲ୍ୟ ପ୍ରଦାନ କରିବ ଯଥା ନିକଟରେ ଥିବା ଫୁଲକୁ ଗୋଟିଏ ଗ୍ରହ ଉପରେ ଓ ବୃକ୍ଷ ଉପରେ ଦେବ ହାତ ଧୋଇବ ଏବଂ ପୋଛିବ । ତତ୍ପରେ ଧୂପରେ ଅଗ୍ନି ସଂଯୋଗକରି ଗୋଟିଏ ପୁଷ୍ପ ପକାଇ ଗ୍ରହ ଓ ବୃକ୍ଷକୁ ଦେଖାଇ ଧୂପକାଠିଟିକୁ ବସୁଧାରେ ପୋତି ଦେଇ ହାତ ଧୋଇବ ଏବଂ ପୋଛିବ । ତତ୍ପରେ ଦୀପରେ ଅଗ୍ନି ସଂଯୋଗ କରି ତନ୍ମଧ୍ୟରେ ଗୋଟିଏ ପୁଷ୍ପ ପକାଇ ଗ୍ରହ ଓ ବୃକ୍ଷକୁ ଦେବ । ତା’ପରେ ଭୋଗ ବାଢ଼ିବ । ଭୋଗକୁ ଗ୍ରହ ଓ ବୃକ୍ଷକୁ ପାଣି ଛଡ଼ାଇ ହାତ ଧୋଇବ ଓ ପୋଛିବ । ଯେଉଁ ଗ୍ରହକୁ ଯେଉଁ ଉଦେ୍ଦଶ୍ୟମାନ ଜଣାଇ ଦିଆଯାଉଛି, ସେଗୁଡ଼ିକ ସେଠାରେ ଜଣାଇ ତତ୍ପରେ ନିଜର ଉନ୍ନତି କାମନା ପାଇଁ ପ୍ରାର୍ଥନା କରିବ ଏବଂ ପଂଚାଗ ପ୍ରଣାମ କରିବ । ଏହାପରେ ଛିଡ଼ା ହେବ ।
୩. ତାହାପରେ ନେଇଥିବା କ୍ଷୀରରେ କିଛି ଚାଉଳ ଓ ପୁଷ୍ପ ପକାଇ ସେହି କ୍ଷୀରକୁ ଗ୍ରହରେ କିଛି ଦେଇ ଅବଶିଷ୍ଟ ବୃକ୍ଷମୂଳେ ଢାଳିଦେବ । କାରଣ ଏହା ଅର୍ଘ୍ୟ ଅଟେ । ଏହାପରେ ହାତଧୋଇ ପୋଛିବ ଏବଂ ନମସ୍କାର ପୂର୍ବକ ଯୋଡ଼ ହସ୍ତରେ- ହେ ଗ୍ରହରାଜ, ହେ ବୃକ୍ଷରାଜ ମୁଁ ଯଦି ଏ ଜନ୍ମରେ କିମ୍ବା ଜନ୍ମାନ୍ତରେ କିଛି ଅପରାଧ କରିଥାଏ ମୁଁ ଶରଣାପନ୍ନ ହୋଇ କହୁଛି ମୋତେ ସେ ଅପରାଧରୁ କ୍ଷମା କରିଦିଅ ଏବଂ ତୁମେ ମୋ ଅଙ୍ଗରେ ଯୁକ୍ତ ହୋଇଥିବା ପର୍ଯ୍ୟନ୍ତ ସବୁବେଳ ପାଇଁ ଶୁଭଯୁକ୍ତ ହେଉଥିବ । ତା’ପରେ ପଂଚାଗ ପ୍ରଣାମ କରିବ ।
୪. ‘ତାହାପରେ ଗ୍ରହକୁ ଗୋଟିଏ ପୁଷ୍ପାଞ୍ଜଳି ଓ ବୃକ୍ଷକୁ ଦୁଇଗୋଟି ପୁଷ୍ପାଞ୍ଜଳି ଏହିପରି ତିନିଗୋଟି ପୁଷ୍ପାଞ୍ଜଳି ପରେ ହାତଧୋଇ ପୋଛି ଠିଆ ହୋଇ ଯୋଡହସ୍ତେ ନମସ୍କାର ପୂର୍ବକ ହେ ବୃକ୍ଷରାଜ ତୁମର ଅଙ୍ଗରେ ଅଂଶକୁ ମୁଁ ନେଉଥିବା ହେତୁ ଯେଉଁ ଅପରାଧ ସୃଷ୍ଟି କରୁଅଛି ତାହା ମୋତେ କ୍ଷମା କରିଦିଅ ଏବଂ ଆପଣ ମୋ ଅଙ୍ଗରେ ଯୁକ୍ତ ଥିବା ପର୍ଯ୍ୟନ୍ତ ସଜୀବ ଆକାରରେ ମୁଁ ଜଣାଇଥିବା ଉଦେ୍ଦଶ୍ୟଗୁଡ଼ିକ ସଫଳକୃତ ହେବ । ଏହାକହି ପଂଚାଗ ପ୍ରଣାମ କରିବ ଏବଂ ବୃକ୍ଷର ମୂଳକୁ ଗ୍ରହଣ କରିବ ।
୫. ବୃକ୍ଷମୂଳକୁ ଗ୍ରହଣ କରିସାରିବା ପରେ, ଖୋଦିତ ସ୍ଥାନଟିକୁ ପୁନଃରାୟ ପୋତିଦେବ ଏବଂ ସେଠାରେ ପଡ଼ିଥିବା ଫୁଲ, ଚାଉଳ, ଧୂପ, ଦୀପ ଇତ୍ୟାଦିକୁ ସଙ୍ଗରେ ଥିବା ବ୍ୟକ୍ତି ଜଣକ ଯତ୍ନ ପୂର୍ବକ ଗୋଟାଇବ । ସେଠାରେ କୌଣସି ପୂଜାଦ୍ରବ୍ୟ ଯେପରି କାହାରି ପାଦ ଦଳିତ ନହୁଏ । ଏହାଦ୍ୱାରା ପୂଜା ନିଷ୍ଫଳ ହେବ ଏବଂ ପୂଜା ସାମଗ୍ରୀଗୁଡ଼ିକ ସଙ୍ଗରେ ନେଇଥିବା ବ୍ୟକ୍ତି ଧରି ତାହା ଜଳ ମଧ୍ୟରେ ବିସର୍ଜନ କରିବେ ଏବଂ ସେଠାରେ ଉଭୟେ ମନ୍ତ୍ର ସ୍ନାନ କରି ନିଜ ଘରକୁ ଫେରିବେ । ଆସିବା ବାଟରେ ଯେପରି କାହାରିକୁ ଛୁଇଁବେ ନାହିଁ । ତତ୍ପରେ ଗୃହ ମଧ୍ୟରେ କୌଣସି ଏକ କାଚପାତ୍ର ଓ ଡବାରେ ଉକ୍ତ ଚେରକୁ ଯତ୍ନ ପୂର୍ବକ ରଖି ଯେପରି ଉକ୍ତ ଚେରକୁ ନିଜେ କିମ୍ବା ଅନ୍ୟକେହି ବା କୌଣସି ଲୁଗାପଟା ଯେପରି ସ୍ପର୍ଶ ନହୁଏ, ଏହିପରି ଜାଗାରେ ରଖିବେ । ତାହାପରେ ଶିବ ଦର୍ଶନ କରି ନିଜର ଉଦେ୍ଦଶ୍ୟ ଜଣାଇବେ, ପାଦୁକ ଗ୍ରହଣ କରି କିଛି ଜଳପାନ କରିବେ ଏବଂ ଉକ୍ତଦିନ ଏକ ବକ୍ତ ହବିଷାନ୍ନ ରାନ୍ଧି ଶିବଙ୍କୁ ଭୋଗ ପରେ ଯଥାବିଧି ଚଣ୍ଡ ପ୍ରଦାନ କରି ଉକ୍ତ ପ୍ରସାଦ ଗ୍ରହଣ କରିବ । ରାତିରେ ଖାଦ୍ୟ ଗ୍ରହଣ କରିବେ ନାହିଁ । ଉକ୍ତ ଚେରକୁ ରୁଦ୍ରତନ୍ତ୍ର ଦ୍ୱାରା ରୁଦ୍ରାଭିଷେକ ପରେ ନିଜର ଅଙ୍ଗରେ ଧାରଣ ଯୋଗ୍ୟ ହେବ । ସେ ପର୍ଯ୍ୟନ୍ତ ଚେରକୁ ଛୁଇଁବେ ନାହିଁ । ଉକ୍ତ ବିଧିକୁ ସୂଚାରୁରୂପେ ପାଳନ କରିବେ । ଅନ୍ୟଥା ଫଳରେ ହ୍ରାସ କିମ୍ବା ବିଳମ୍ବ ଘଟିବ ।