ମଞ୍ଜୁର ଛାତି ଭିତରେ ହାତୁଡି ପିଟୁଥିଲା । ଝିମ୍ ଝିମ୍ ହୋଇ ଯାଉଥିଲା ତା’ର ମୁଣ୍ଡଟା । ତାକୁ ଲାଗୁଥିଲା ସେ ଯେମିତି କେଉଁ ପାହାଡ଼ର ଶିଖରରୁ ତଳକୁ ଗଡ଼ି ପଡ଼ିଛି ! ସତରେ କ’ଣ ତା’ର ରାଜୁଭାଇ ଗୋଟାଏ ଲାଞ୍ଚଖୋର? ଯାହାର ଘରେ କେଉଁ କାଳରୁ କେଜାଣି ଚୂନ ଟିକିଏ ଲାଗି ନାହିଁ, ଯେଉଁ ଦମ୍ପତି କେତେବର୍ଷ ହେଲା ଶାକାହାରୀ ହୋଇଯାଛନ୍ତି । ନିରାଭରଣ ଆଉ ଶ୍ୱେତବସ୍ତ୍ର ପରିହିତ ଯେଉଁ ଦୁଇଜଣଙ୍କୁ ଦେଖିଲେ ଆପେ ଆପେ ଶ୍ରଦ୍ଧା ଆସିଯାଏ, ସେମାନେ ପୁଣି ଏତେ ଆବିଳ?
ତା’ ସାଙ୍ଗରେ ଯିବା ପାଇଁ ଯେତେ ଡାକିଲେ ବି ସୁମନ୍ତ ଆସିଲେ ନାହିଁ ମଞ୍ଜୁ ସାଙ୍ଗରେ । ତାଙ୍କର ଟିକିଏ ଇଗୋ ପ୍ରବ୍ଲେମ୍ । ଟିକିଏ କ’ଣ ଭଲ କରି ଇଗୋ ରହିଛି ତାଙ୍କର । ନିଜଠାରୁ ଟିକିଏ ଉଚ୍ଚସ୍ତରର ଲୋକଙ୍କୁ ଦେଖିଲେ ସଂକୁଚିତ ହୋଇଯାଆନ୍ତି । ମିଶି ପାରନ୍ତି ନାହିଁ ଭଲ କରି । ଆଉ ରାଜୁ ଭାଇ ତ କହିବାକୁ ଗଲେ କାହିଁ କେତେ ପାହାଚ ଉପର ପାହାଚରେ ବସି ରହିଛନ୍ତି ଏମାନଙ୍କଠାରୁ । ସେ ଜଣେ ସରକାରୀ ଏକ୍ଜିକୁ୍ୟଟିଭ୍ ଇଂଜିନିୟର ହୋଇଥିବା ବେଳେ ସୁମନ୍ତ ଗୋଟିଏ ଘରୋଇ ଫାର୍ମରେ କ୍ଲର୍କ ଅଛନ୍ତି । ଆଉ ମଞ୍ଜୁ ପାଠ ପଢ଼ାଏ ଗୋଟିଏ ଇଂଲିସ୍ ମିଡିୟମ୍ ସ୍କୁଲରେ । ସେହି ଅନୁସାରେ ଷ୍ଟାଟସ୍ ବି । ମଞ୍ଜୁ ହେରିକା ଭିଏସ୍ଏସ୍ ନଗରରେ ଗୋଟିଏ ଘରର ଛୋଟ ପୋର୍ସନ୍ରେ ଥିଲାବେଳେ ରାଜୁଭାଇ ରହନ୍ତି ଆଇଆର୍ସି ଭିଲେଜ୍ ପରି ଏକ ଆଭିଜାତ୍ୟ ଅଞ୍ଚଳରେ ।
ଆଭିଜାତ୍ୟ ଅଞ୍ଚଳ ହେଲେ ବି ଘରଟା ତାଙ୍କର ସେମିତି ଚକ୍ମକ୍ ଦେଖାଯାଏ ନାହିଁ । ମଞ୍ଜୁ ଗୋଟିଏ ସେଆର୍ ଅଟୋରେ ବସି ଛକ ପାଖରୁ ଚାଲି ଚାଲି ଆସି ଗେଟ୍ ଖୋଲି ସେହି ନିଷ୍ପ୍ରଭ ଘରକୁ ଆଉ ଥରେ ଦେଖିଲା । ଛୋଟ ଏକତାଲା ଘର । ରଙ୍ଗ ତ ହୋଇ ନାହିଁ ମୋଟେ ହେଲେ । କେଉଁ କାଳରୁ କେଜାଣି ହ୍ୱାଇଟ୍ ୱାସିଂ ବି ହୋଇନାହିଁ । ଯଦିଓ ଭିତରେ ତିନିଟା ବେଡ୍ରୁମ୍ ସହିତ ଲମ୍ବା ବାରନ୍ଦାଟାଏ ରହିଛି ଗ୍ରୀଲ୍ ଦିଆ ହୋଇ, ତଥାପି ତା’ ଭିତରେ ବି କୌଣସି ଚାକଚକ୍ୟ ନାହିଁ । ସାଧାରଣ ଫର୍ଣ୍ଣିଚର । ସାଧାରଣ ଟିଭି, ଫି୍ରଜ୍ ଆଉ ୱାସିଂମେସିନ୍ । ଖାଲି ଦରକାରୀ ଜିନିଷମାନ । ଯାହା ନହେଲେ ନ ଚଳେ ।
ରାଜୁଭାଇ ଫୋନ୍ରେ କହିଦେଲେ ସିନା, ସତରେ କ’ଣ ସେ ବୁଟୁର ପଢ଼ା ଖର୍ଚ୍ଚ ଦେଇପାରିବେ? ପୂରା ଖର୍ଚ୍ଚ ତ ନୁହେଁ, ଯାହା କିଛି ସାହାଯ୍ୟ ଦେବେ ବୋଲି ମଞ୍ଜୁ ଭାବୁଛି, ତା’ ପାଇଁ ବି ଏବେ ସନେ୍ଦହ ଆସୁଥିଲା ମନରେ । ଗେଟ୍ ଖୋଲି କଲିଂ ବେଲ୍ ବଜାଇବା ସାଙ୍ଗେ ସାଙ୍ଗେ ପ୍ରଭା ଭାଉଜ କବାଟ ଖୋଲି ଦେଇ ସ୍ୱାଗତ ଭଙ୍ଗିରେ କହିଲେ ଆସ ଆସ ମଞ୍ଜୁ, ଏବେ ଏବେ ଭାଇ ତମରି କଥା କହୁଥିଲେ । ବୁଟୁକୁ ସାଙ୍ଗରେ ଆଣିଲ ନାଇଁ? ସୁମନ୍ତ ବି ତୁମକୁ ଏକା ଏକା ଛାଡ଼ିଦେଲେ କେମିତି ସାଙ୍ଗରେ ନ ଆସି?
ପ୍ରଭା ଭାଉଜଙ୍କର ଆତ୍ମୀୟତାରେ ଉଲ୍ଲସି ଉଠିଲା ମଞ୍ଜୁ । ଏ ଭାଇ ଭାଉଜ ତା’ର ନିଜର ନୁହନ୍ତି । ଯୌଥ ପରିବାରର ବଡ଼ବାପାଙ୍କର ପୁଅ ବୋହୂ । ରାଜୁଭାଇ ଟିଉସନ କରି କରି ପାଠ ପଢ଼ିଥିଲେ ଆଉ ଇଂଜିନିୟରିଂ ପଢ଼ିଥିଲେ ଲୋନ୍ ନେଇ । ପ୍ରଭା ଭାଉଜ ଅବଶ୍ୟ ଧନୀଘରର ଝିଅ । କିନ୍ତୁ ରାଜୁଭାଇଙ୍କର ଆଦର୍ଶରେ ନିଜକୁ ଗଢ଼ି ନେଇସାରିଲେଣି । ସେ ଏବେ ସମାଜସେବାରେ ବ୍ରତୀ । ତାଙ୍କର ନିରାଭରଣ ବ୍ୟକ୍ତିତ୍ୱକୁ ଦେଖିଲେ କେମିତି ଗୋଟାଏ ସମ୍ମାନ ଆସିଯାଏ ମନରେ । ଅବଶ୍ୟ ଠିକ୍ ନିରାଭରଣ ନୁହଁ । ସବୁଜ ବର୍ଡର ଥିବା ଧଳା ହ୍ୟାଣ୍ଡଲୁମ୍ ଶାଢ଼ି ସବୁବେଳେ ପିନ୍ଧନ୍ତି ସେ । ଦାମୀ ସୁନା ଗହଣା ନାହିଁ । ହାତରେ ଚାରିପଟ ଲେଖା ସବୁଜ ରଙ୍ଗର ପାଣି କାଚ । କାନରେ ଗଳାରେ ନକଲି ସବୁ ଗହଣାଗୁଡ଼ିକ ତାଙ୍କୁ ବିଭବ ମଣ୍ଡିତା କରି ଦେଉଥିଲା, ଦୁଇ ପାଖରେ ଫୁଟିଥିବା ସଦାବିହାରୀ ଫୁଲଗୁଡ଼ିକ ମାଟି ରାସ୍ତାକୁ ବର୍ଣ୍ଣାଢ଼୍ୟ କରିଦେଲା ପରି ।
ଆଜି ଗୁଡ୍ଫ୍ରାଇଡେର ଛୁଟିଦିନ ବୋଲି ରାଜୁ ଭାଇ ଘରେ ଥିଲେ । ବାରନ୍ଦାରେ ଥିବା ଟିଭିରେ କ୍ରିକେଟ୍ ମ୍ୟାଚ୍ ଦେଖୁ ଦେଖୁ ମଞ୍ଜୁକୁ କହିଲେ ଆ’, ବସ୍ ଏଇଠି । ତୋ’ ପୁଅର କାଗଜପତ୍ର ସବୁ ଆଣିଚୁ ତ?
ବୁଟୁର ମାର୍କସିଟ୍ଗୁଡ଼ିକ ବ୍ୟାଗ୍ରୁ ବାହାର କରି ମଞ୍ଜୁ କହିଲା ବୁଟୁ ଯେତିକି ମାର୍କ ପାଇଛି ଏନ୍ଆଇଟିରେ ପାଇଯାଇ ଥାଆନ୍ତା ଆରାମ୍ରେ । କିନ୍ତୁ ତମେ ତ ଜାଣିଚ ଭାଇ ଆଜିକାଲିର ରିଜର୍ଭେସନ୍ ଯେମିତି… ।’
ତା’ଠାରୁ କଥା ଛଡେଇ ଆଣି ଭାଉଜ କହିଲେ ରିଜର୍ଭେସନ୍ ଯଦି ନଥା’ନ୍ତା ଏଇ ଦଳିତଗୁଡ଼ିକ କ’ଣ ଆଉ ଆଗକୁ ପଢ଼ିପାରୁଥାଆନ୍ତେ? ନା, ତାଙ୍କର ବିକାଶ ହୋଇପାରନ୍ତା? ଆମମାନଙ୍କ ଘରର ପିଲା ତ ଯେମିତି ହେଲେ ବି ଜୀବନ ନିର୍ବାହ କରିପାରିବେ । ପ୍ରାଇଭେଟ୍ କଲେଜ୍ରେ ପାଠ ପଢ଼ନ୍ତୁ କିମ୍ବା ବ୍ୟବସାୟ କରନ୍ତୁ । ନା କ’ଣ କହୁଚ ମଞ୍ଜୁ?
ତମେ ଯଦି ସାହାଯ୍ୟ ନ କରିବ ବୁଟୁ କ’ଣ ଆମର ପଢ଼ି ପାରିବ? ଏ କଥା ମନେ ମନେ ଭାବିଲେ ବି କହିପାରିଲା ନାହିଁ ମଞ୍ଜୁ । କିନ୍ତୁ ତା’ର ମନ କଥା ପଢ଼ିଦେଲା ପରି ରାଜୁଭାଇ କହିଲେ ବୁଟୁର ଆଡ୍ମିସନ୍ କେଉଁ କଲେଜ୍ରେ କରିବୁ ବୋଲି ଭାବୁଛୁ?
‘କିଟ୍ରେ ପଢ଼େଇବାକୁ ଭାବୁଥିଲି ଯେ କିନ୍ତୁ ସେଠି ତ କେତେ ଗୁଡାଏ ଲାଗିଯିବ । ମାଳି ଗଡେଇଲା ପରି ମଞ୍ଜୁର ଗୋଟିଏ ଗୋଟିଏ ଶବ୍ଦ ଶୁଣି ହସି ପକେଇଲେ ରାଜୁ ଭାଇ । କହିଲେ ଆଲୋ ମା’, ଗାଆଁରେ ପରା ଆମେ ଗୋଟିଏ କଂସାରେ ପଖାଳ ଖାଉଥିଲେ । ମୋ’ ପଇସାରେ ତୋର କିଛି ହେଲେ ଅଧିକାର ନାହିଁ? ଭଣଜାଟାକୁ ପଢ଼େଇଲେ ଯାହା ଖର୍ଚ୍ଚ ହେବ ମୁଁ ଦେବି । ସବୁ ବୁଝାବୁଝି କରି ମତେ କହିବୁ । ହେଲା?
ରାଜୁ ଭାଇଙ୍କର ଆଶ୍ୱସ୍ତ ଭରା କଥା ଶୁଣି ମଞ୍ଜୁକୁ ଲାଗିଲା ସେ ଯେମିତି ଲଟେରୀ ପାଇଯାଇଛି । ଖୁସିରେ ଘରକୁ ବାହାରି ଯିବ ବୋଲି ଚାହିଁଲେ ବି ସେଦିନ ଭାଉଜ ଛାଡ଼ିଲେ ନାହିଁ କହିଲେ ବାପଘରକୁ ଆସି ନ ଖାଇ ନ ପିଇ ଚାଲିଯିବ? ସେଇଟା କ’ଣ ହୁଏ? ଶୁକ୍ରବାର ହେଲେ ବି ମାଛ ମାଂସ ନଥିଲା । ଭାଉଜ କହିଲେ ଆମେ ଏବେ ଆଇଁଷ ଛାଡ଼ି ଦେଇଛୁ । ମୁଁ ଏବେ ବସ୍ତିମାନଙ୍କରେ ଦେଖୁଚି ତ, ଦୁନିଆରେ କେତେ ଲୋକ ଖାଇବାକୁ ପାଉନାହାନ୍ତି । ଆମେ ବସି ରାଜକୀୟ ଖାନା ଖାଇବୁ, ସେଥିପାଇଁ ଦୋଷୀ ଦୋଷୀ ଲାଗୁଥିଲା ନିଜକୁ ।
ଖାଇବା ଟେବୁଲରେ ବସି କିନ୍ତୁ ମଞ୍ଜୁର ଭୋକ ବଢ଼ିଗଲା । ମାଛ ମାଂସ ନଥିଲେ ବି ବଛା ବଛା ଜିନିଷ । ଭାତ, ଡାଲ୍ଫ୍ରାଇ, ପନୀର ବଟର ମସଲା, ଦହିବରା, ପୋଟଳ ଭଜା ଆଉ ଖାଇବା ପରେ ଆଇସ୍କ୍ରିମ୍ ।
ରାଜକୀୟ ଖାନା ଆଉ କାହାକୁ କହନ୍ତି?
ରାଜୁଭାଇଙ୍କର ରଙ୍ଗହୀନ ଘର ପରି ଗାଡ଼ିଟା ବି କେଉଁ କାଳର ପୁରୁଣା । ମାରୁତି ଏଇଟି ଫାଇଭ୍ ହଣ୍ଡ୍ରେଡ୍ରେ ମଞ୍ଜୁକୁ ବସେଇଦେଇ ଡ୍ରାଇଭର୍କୁ କହିଲେ ଛାଡ଼ିଦେଇ ଆସିବାକୁ । ବୁଟୁର ପଢ଼ାଭାର ଲାଘବ ହୋଇଯିବାରୁ ମଞ୍ଜୁକୁ ଲାଗୁଥିଲା କାର୍ରେ ନୁହେଁ, ସେ ଯେମିତି ପକ୍ଷୀରାଜ ଘୋଡ଼ାରେ ବସି ଉଡିଯାଉଛି ।
ରାଜୁ ଭାଇଙ୍କର ଘରଟାରେ ଯଦିଓ ଚାକଚକ୍ୟ ନାହିଁ, ତଥାପି ସମ୍ପନ୍ନ ଅଞ୍ଚଳରେ ଥିବାରୁ ତା’ର ଗୋଟାଏ ଅଲଗା ମୂଲ୍ୟ ରହିଛି । ତାଙ୍କରି ଡ୍ରାଇଭର୍ ସାମ୍ନାରେ ନିଜର ଫାଳିକିଆ ଘର ପାଖରେ ଓହ୍ଲେଇ ପଡ଼ିଲା ବେଳକୁ ମଞ୍ଜୁକୁ କେମିତି ଗୋଟାଏ ହୀନିମାନିଆ ଲାଗୁଥିଲା ।
କିନ୍ତୁ ତା’ ଖାଲି କ୍ଷଣକ ପାଇଁ ମାତ୍ର ।
ଘର ଭିତରକୁ ପଶି ଆସି ମଞ୍ଜୁ କୁଣ୍ଢେଇ ଧରିଲା ସୁମନ୍ତକୁ । ନିଜକୁ ସ୍ୱାମୀର ବାହୁ ବନ୍ଧନରୁ ମୁକାଳି ନେଇ ତା’ର ବୁଢ଼ା ଆଙ୍ଗୁଠିଟାକୁ ଦେଖାଇ ଦେଇ କହିଲା ‘ଡନ୍’ । ରାଜୁଭାଇ ରାଜି ହୋଇଗଲେ । ସବୁଯାକ ପେପର ଦେଖିଦେଇ କହିଲେ ତା’ର କିଟ୍ସରେ ପଢ଼ିବାକୁ ଯାହା ଟଙ୍କା ଲାଗିବ ସିଏ ଦେଇ ଦେବେ । ତା’ପରେ ଫୁଲେଇ ହୋଇ କହିଲା ଦେଖିଲ ତ? ରାଜୁ ଭାଇ କେତେ ମହାନ୍ ଆଉ ଉଦାର ହୃଦୟର ଲୋକ । ସିଏ ମୋର ନିଜର ଭାଇ ନହେଲେ ବି ସାହାଯ୍ୟ କରିବାକୁ କେମିତି ହଁ’ ମାରିଦେଲେ? ଆଉ ଏଇଠି ତୁମର ବଡ଼ଭାଇ, ଗଭର୍ଣ୍ଣମେଣ୍ଟ କଲେଜରେ ଲେକ୍ଚରର ହୋଇ ୟୁଜିସି ସ୍କେଲ୍ରେ ଏତେ ଗୁଡାଏ ଟଙ୍କା ଦରମା ପାଉଥିଲେ ବି କେବେ ଥରେ ପଚାରିଛନ୍ତି ଆମର କ’ଣ ଦରକାର ଅଛି କି ନାହିଁ?
“ସମସ୍ତେ କ’ଣ ଆଉ ରାଜୁଭାଇଙ୍କ ପରି ଧର୍ମାତ୍ମା ହେବେ? ଝାଳନାଳ ହୋଇ ଫେରି ଆସିଥିବା ମଞ୍ଜୁ ପାଇଁ ପଙ୍ଖାଟାକୁ ଅନ୍ କରିଦେଇ ସୁମନ୍ତ କହିଲା ସେ ଦିନ ସମାଜରେ ପଢ଼ିଲ ନାହିଁ? ପାତ୍ରପଡ଼ାରେ ଗୋଟିଏ ମନ୍ଦିର ତୋଳା ହେବ ବୋଲି ରାଜୁ ଭାଇ କେମିତି ମୁକ୍ତ ହସ୍ତରେ ପଚାଶ ହଜାର ଟଙ୍କା ଦେଇଦେଲେ !”
ଖଟ ଉପରେ ବସୁ ବସୁ ମଞ୍ଜୁ ହସି ପକେଇଲା । କହିଲା ଲୋକଙ୍କୁ ଦେଖାଇବା ପାଇଁ ସିନା ସେ ଏତିକି ଦେଲେ, ଭାଉଜ କହୁଥିଲେ ରାଜୁଭାଇ କୁଆଡେ ମନ୍ଦିରର ଚଟାଣଟାକୁ ପୂରା ମାର୍ବଲ କରିଦେବେ । ତା’ଛଡ଼ା ସିମେଣ୍ଟ, ଲୁହାଛଡ଼ ଆଉ ମନ୍ଦିର ନିର୍ମାଣର ଅନେକ ଜିନିଷ ଦାନ କରିଦେବେ ବେନାମିରେ । ପିଲାଟି ଦିନରୁ ସେ ପରା ବଡ଼ବାପାଙ୍କ ପରି ବହୁତ ଭଗବତ୍ ବିଶ୍ୱାସୀ !
ମଞ୍ଜୁର ତିନି ତିନିଟା ଭାଇ ଥିଲେ ବି ସେମାନଙ୍କ ସହିତ ତା’ର ସେମିତି କିଛି ସମ୍ପର୍କ ନାହିଁ । ଅଭାବୀ ଲୋକ । ସେମାନଙ୍କ ଘରକୁ ଗଲେ ମାଡ଼ି ମାଡ଼ି ପଡେ ମଞ୍ଜୁକୁ । ବେଳାଟାଏ ରହିଗଲେ ସେମାନେ ଯଦି ଖାଇବାକୁ ମୁଠାଏ ବାଢ଼ି ଦିଅନ୍ତି ମଞ୍ଜୁକୁ ଲାଗେ ଭାଉଜ ଘରେ ଯେମିତି ଊଣା ହୋଇଗଲା କିଛି ।
ଅଥଚ୍ ପ୍ରଭା ଭାଉଜଙ୍କ ପାଖରେ ଠିକ୍ ତା’ର ଓଲଟା । ଖାଇପିଇ ସାରି ଫେରିଲା ବେଳକୁ କିଛି ନା କିଛି ପଠେଇ ଦିଅନ୍ତି ମଞ୍ଜୁ ସାଙ୍ଗରେ । କେବେ ମିଠା ତ ଆଉ କେବେ ଫଳ । କିଛି ନଥିଲେ ପନିପରିବାରୁ ବ୍ୟାଗ୍ଟାଏ ।
ମଞ୍ଜୁ ଅବଶ୍ୟ ଖାଲି ହାତରେ ଯାଏନା ଆଜିକାଲି । କେବେ ରାଜୁ ଭାଇଙ୍କୁ ଭଲ ଲାଗେ ବୋଲି ମଣ୍ଡା ପିଠା ତ ଆଉ କେବେ କ୍ଷୀରି ଟିକିଏ ପ୍ରଭା ଭାଉଜଙ୍କ ପାଇଁ ନେଇଯାଏ । ତାକୁ ଏମିତି ଚାଟି ଚାଟି ଖାଇ ଦିଅନ୍ତି ସେମାନେ ଯେମିତି ବହୁ ଦିନରୁ ଅପେକ୍ଷା କରୁ ଥାଆନ୍ତି ମଞ୍ଜୁ ହାତରୁ ସେତକ ଖାଇବା ପାଇଁ ।
ମଞ୍ଜୁ ଏବେ ସମସ୍ତଙ୍କ ପାଖରେ ଗର୍ବ କରି କହେ ରାଜୁଭାଇଙ୍କ କଥା । ନିଜର ଛୋଟ ଘରଟିରେ ରଙ୍ଗ ଲଗେଇବାକୁ ଖର୍ଚ୍ଚ କରନ୍ତି ନାହିଁ । କେଉଁ କାଳର ପୁରୁଣା ମାରୁତି କାର୍ରେ ଚଢ଼ି ବୁଲନ୍ତି । ଦୁଇଜଣଯାକ କେବଳ ଧଳା ଲୁଗାରେ ମ୍ୟାନେଜ୍ କରନ୍ତି । ଆଉ ମାଛ ମାଂସ ବି ଛାଡ଼ି ଦେଇଛନ୍ତି । ସେମାନେ କେମିତି ଦାନ କରନ୍ତି, ସାଙ୍ଗ ସାଥୀ ପଡ଼ା ପଡୋଶୀ ଏମିତି କି ତା’ର ନିଜର ଭାଇ ଭାଉଜଙ୍କ ପାଖରେ ବି କହିହୁଏ ମଞ୍ଜୁ ।
ଅବଶ୍ୟ ବୁଟୁର ପଢ଼ା ଖର୍ଚ୍ଚ ରାଜୁଭାଇ ଯାହା ଦିଅନ୍ତି ସେ କଥା ସେ କହେନାହିଁ କାହା ପାଖରେ । ସେମାନେ ତାକୁ ହୀନ ଦୃଷ୍ଟିରେ ଦେଖିବେ ବୋଲି । ଆଜିକାଲି ତ ଖବରକାଗଜରେ ଫଟୋ ବାହାରେ ପ୍ରଭା ଭାଉଜଙ୍କର । ନିଉଜ୍ ଚ୍ୟାନେଲ୍ମାନଙ୍କରେ ବି ତାଙ୍କୁ ଦେଖାନ୍ତି, ସେ ଯେତେବେଳେ ବସ୍ତି ଅଞ୍ଚଳକୁ ଯାଇ ସମାଜସେବା କରନ୍ତି କିମ୍ବା ସେମିନାର ଆଉ ୱାର୍କସପ୍ରେ ଭାଗ ନିଅନ୍ତି ଗରିବ ଲୋକମାନଙ୍କ ପାଇଁ । ସଭା ସମିତିରେ ତ ପ୍ରାୟ ଭାଷଣ ଦେବାର ଫଟୋ ଦେଖାନ୍ତି ଟିଭି ଆଉ ଖବରକାଗଜବାଲା । ମିଡିଆବାଲା କ’ଣ କମ୍ ସମ୍ମାନ ଦିଅନ୍ତି ମଞ୍ଜୁର ଭାଇ ଭାଉଜଙ୍କୁ ?
ଏମିତି ତ ମଞ୍ଜୁ ଟିକିଏ ଜଲ୍ଦି ଉଠି ପାରେନା । ସେଦିନ ସକାଳେ ଶୋଇ ରହି କ’ଣ ଗୋଟାଏ ମିଠା ମିଠା ସ୍ୱପ୍ନ ଦେଖୁଚି, ଏତିକି ବେଳେ ତା’ର ମୋବାଇଲ୍ଟା ଗୀତ ଗାଇ ଉଠିଲା ‘ସାରେ ଯାହାଁ ସେ ଆଚ୍ଛା’… । ଧଡ୍ପଡ୍ କରି ମଞ୍ଜୁ ଉଠିପଡ଼ି ଦେଖିଲା କାନ୍ଥଘଣ୍ଟାରେ ସାତଟା ଦଶ । ସୁମନ୍ତ ସକାଳ ଚାଲିବାକୁ ଯାଇ ଫେରି ନଥିବେ । ମୋବାଇଲ୍ଟା ବାଜୁଚି ତ ବାଜି ଚାଲିଛି ।
ଏଇ ଦାମୀ ମୋବାଇଲ୍ଟା ତାକୁ ତା’ର ପୁଅ ବୁଟୁ ଦେଇଥିଲା ଚାକିରି କଲା ପରେ ତା’ର ପ୍ରଥମ ମାସର ଦରମାରେ । ସେଇ ସ୍ମାର୍ଟଫୋନ୍ଟାକୁ ଧରି ଦେଖିଲା ବେଳକୁ ତା’ ଦିଅର ହେମନ୍ତର ନମ୍ବର ।
ଦିନେ ନାହିଁ କି କାଳେ ନାହିଁ ଏ ଅପୂର୍ବ ଫୋନ୍କଲ୍ ଆଜି କାହିଁକି? ଖାଲି ହେମନ୍ତ କାହିଁକି, କେହିହେଲେ ବି ଫୋନ୍ କରନ୍ତି ନାହିଁ ଦରକାର ନଥିଲେ । ଖାଲି ମଞ୍ଜୁ ଯାହା ସମସ୍ତଙ୍କ ସହିତ ସମ୍ପର୍କ ରଖେ ଏଇ ଫୋନ୍ ଜରିଆରେ । ବିଶେଷତଃ ବୁଟୁ ତା’ର ଏଇ ଫୋନ୍ର ଅନ୍ଲିମିଟେଡ୍ ପେମେଣ୍ଟ ଦେବା ପରଠାରୁ । ପୁଅ କଥା ଗର୍ବରେ ଭାବୁ ଭାବୁ ରାଜୁଭାଇ ବି ଚମକି ଉଠିଲେ ବିଜୁଳି ପରି ଛାଅାଁକୁ ଛାଅାଁ । ଫୋନ୍ଟା ଅନ୍ କରି ପଚାରିଲା ହେଲୋ ହେମନ୍ତ? ଆଜି ମୋର ବଡ଼ ଭାଗ୍ୟ ଯେ ତୁମଠାରୁ ଫୋନ୍ ପାଇଲି । କ’ଣ ସବୁ ଭଲ ତ?’
‘ଭଲ ଆଉ କ’ଣ ଭାଉଜ । ଏବେ ଏବେ ଟିଭି ଖବରରେ ଦେଖିଲି ଯେ ତୁମର ପ୍ରିୟ ରାଜୁଭାଇ ଆରେଷ୍ଟ ହୋଇଛନ୍ତି । ସେ ଜଣେ କଣ୍ଟ୍ରାକ୍ଟର ପାଖରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗଲେ । ତାଙ୍କ ପାଖରେ କୁଆଡ଼େ ଆୟ ବହିର୍ଭୁତ ସମ୍ପତ୍ତି ବହୁ ପରିମାଣରେ ଜବତ ହୋଇଛି । ସବୁ ଟିଭି ଚ୍ୟାନେଲ୍ରେ ଏବେ ଏଇ ଖବର । ତମେ ନିଜେ ଦେଖିଲେ ଜାଣିପାରିବ ଯେ !’
ମଞ୍ଜୁର ଛାତି ଭିତରେ ହାତୁଡି ପିଟୁଥିଲା । ଝିମ୍ ଝିମ୍ ହୋଇ ଯାଉଥିଲା ତା’ର ମୁଣ୍ଡଟା । ତାକୁ ଲାଗୁଥିଲା ସେ ଯେମିତି କେଉଁ ପାହାଡ଼ର ଶିଖରରୁ ତଳକୁ ଗଡ଼ି ପଡ଼ିଛି !
ସତରେ କ’ଣ ତା’ର ରାଜୁଭାଇ ଗୋଟାଏ ଲାଞ୍ଚଖୋର? ଯାହାର ଘରେ କେଉଁ କାଳରୁ କେଜାଣି ଚୂନ ଟିକିଏ ଲାଗି ନାହିଁ, ଯେଉଁ ଦମ୍ପତି କେତେବର୍ଷ ହେଲା ଶାକାହାରୀ ହୋଇଯାଇଛନ୍ତି । ନିରାଭରଣ ଆଉ ଶ୍ୱେତବସ୍ତ୍ର ପରିହିତ ଯେଉଁ ଦୁଇଜଣଙ୍କୁ ଦେଖିଲେ ଆପେ ଆପେ ଶ୍ରଦ୍ଧା ଆସିଯାଏ, ସେମାନେ ପୁଣି ଏତେ ଆବିଳ?
ଚ୍ୟାନେଲ୍ ପରେ ଚ୍ୟାନେଲ୍ ବଦଳେଇ ଚାଲିଥିଲା ମଞ୍ଜୁ । ପ୍ରତ୍ୟେକ ଚ୍ୟାନେଲରେ ସେହି ଏକ ଖବରର ଦୃଶ୍ୟ । ସେଇ ଗୋଟିଏ ସମ୍ବାଦର ଅବତାରଣା । ରାଜକିଶୋର ବେହେରା ଏକ୍ଜୁକୁ୍ୟଟିଭ୍ ଇଂଜିନିୟରଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଛି । ଦିଲ୍ଲୀ, ବାଙ୍ଗାଲୋର, ବମ୍ବେ ପରି ମେଟ୍ରୋରେ ତାଙ୍କର ଦାମୀ ଦାମୀ ଫ୍ଲାଟ୍ଗୁଡିଏ ରହିଛି । କୋଟି କୋଟି ଟଙ୍କାର ସୁନା ଗହଣା, ଜମିବାଡ଼ି, ପ୍ଲଟ୍, ବିଡା ବିଡା ଟଙ୍କାର ବଣ୍ଡଲ୍ ଦେଖାଉ ଥିଲେ ଟିଭି ସ୍କି୍ରନ୍ରେ ।
ମଞ୍ଜୁ ସ୍ତମ୍ଭୀତ, ଅପଲକ ଆଶ୍ଚର୍ଯ୍ୟରେ ମଞ୍ଜୁର ନିଶ୍ୱାସ ବନ୍ଦ ହୋଇଯାଉଥିଲା ବେଳେ ସୁମନ୍ତ ଆସି ତା’ର କାନ୍ଧରେ ହାତଟିଏ ରଖି ଛିଡ଼ା ହୋଇଗଲେ । କହିଲେ ଏଇ ଖବରଟାକୁ ମୁଁ ଏବେ ବାଟସାରା ଶୁଣି ଶୁଣି ଆସୁଛି । ସମସ୍ତେ ଆଲୋଚନା କରି କହୁଛନ୍ତି ଯେ ସବୁ କଣ୍ଟ୍ରାକ୍ଟରମାନେ ମିଶିଯାଇ ତାକୁ କୁଆଡେ ଧରା ପକେଇ ଦେଇଛନ୍ତି । ସେ ସମସ୍ତଙ୍କ ପାଖରୁ ପର୍ସେଣ୍ଟ ଦାବି କରୁଥିଲେ । ସତରେ ମଞ୍ଜୁ, ତମର ସେ ଭାଇଟା ଏଡେ ଚୋର?
“ସିଏ କ’ଣ ମୋର ନିଜର ଭାଇ ଯେ ମତେ ଏମିତି ଛଳେଇକି କହୁଛ?” ଏମିତି ହିସାବରେ କଜିନ୍ ତ ମୋର ହଜାରେ ଲୋକ ଥିବେ । ଛି ! ଲାଞ୍ଚଖୋର ଚୋରଟାଏ ।
ରାଜୁ ବେହେରାକୁ ଛି’ ଛା’ କହିବାକୁ ଏବେ ଆଉ ଦ୍ୱିଧା ହେଉନଥିଲା ମଞ୍ଜୁର । କାରଣ ରାଜୁ ବେହେରାର ଟଙ୍କାରେ ପାଠ ପଢ଼ିସାରି ମଞ୍ଜୁର ପୁଅ ଏବେ ଚାକିରି କରିସାରିଥିଲା ।