ବାବୁଲା ବିସ୍ମୟ ସହ ପ୍ରକଟ କଲା ତା’ ଅସନ୍ତୋଷ- “ବୀର ରାଜପୁତ୍ର ପକ୍ଷୀରାଜ ଘୋଡ଼ା ଚଢ଼ି ଏଯାଏଁ ଆସିନାହିଁ କି ଦୁଷ୍ଟ ଦାନବକୁ ବଧ କରି ତା’ କବଳରୁ ରାଜକନ୍ୟା କି ଜନପଦକୁ ମୁକ୍ତ କରିନାହିଁ, ଗପ ସରିଯିବ କେମିତି?” କଥାଟି କହିଲା ବେଳେ କଳ୍ପିତ ବୀର ରାଜପୁତ୍ରଙ୍କ ତେଜ ତା’ ଆଖି ଆଗରେ ଚମକି ଉଠି ବାବୁଲାର ଆଖି କି ଚକ୍ଚକ୍ କରିଦେଉଥାଏ । ବାପା କହିଲେ- ଆସିବେ ଆସିବେ, ନିଶ୍ଚେ ଆସିବେ ସାହସୀ ରାଜପୁତ୍ର । ଆସିବେ ତୁମରି ଭିତରୁ । ଦାନବ କବଳରୁ ମୁକାଳିବେ ମାନବଙ୍କୁ, ବନ୍ଦିନୀ ରାଜକନ୍ୟାକୁ, ଜନପଦକୁ, ଟିକିଏ ଅପେକ୍ଷା କରିଯା । ଆଉ ରାଜ୍ୟ ଓ ରାଜକନ୍ୟାଙ୍କ ମୁକ୍ତି ମାନେ ଦାନବର ମୃତୁ୍ୟ । ତା’ପରେ ଗପ ଲମ୍ବିବ..
ଅସୁର ଗପଟେ କହ ଜେଜେମା’ । ବାପାଙ୍କ ଲେଖା ଗପ ମତେ ଭଲ ଲାଗୁନାହିଁ । ତାଙ୍କ ଗପରେ ତୋ ଗପ ଭଳି ମଜା ନାହିଁ ।
ବାବୁଲା ଚୁପ୍ଚୁପ୍ କରି କହିଲା ତା’ ଅଶୀତିପର ଜେଜେମା’ଙ୍କୁ, ତାଙ୍କରି ପାଖେ, ତାଙ୍କରି ଶେଯରେ ବସି, ତାଙ୍କ ପାଚିଲା ଚୂଳ ସାଥୀରେ ଖେଳିଲାବେଳେ ।
କାଇଁକିରେ ଟୋକା! ତୋ’ ବାପା କାଳେ ଭଲ ଭଲ ଗପ ଲେଖୁଚି ବୋଲି ଶୁଣୁଚି! ଜେଜେମା’ ସ୍ନେହଭରେ କହିଲେ ନାତିକି ।
କଥା କ’ଣ କି ଜେଜେମା’, ଏବେକା ଲେଖା ଗପ ସବୁରେ ତୋ ଗପ ଭଳି ମଜା ନାହିଁ । ଯୋଉ ଗପରେ ନାହାନ୍ତି ରାଜା-ରାଣୀ, ଗୁଣି ମାଲ୍ୟାଣି, ଅସୁର ଅସୁରୁଣୀ, ସେ ଗପ ମତେ ଜମାରୁ ଭଲ ଲାଗେ ନାହିଁ । ଗପ ଜମିଲେ ସିନା: ଖାଲି ସେଇ ସେଇ କଥା, ସେଇ ସେଇ ଦୁଃଖ, ଥ୍ରୀଲ୍ ନାହିଁ ସସ୍ପେନ୍ସ ନାହିଁ…
‘ଥ୍ରୀଲ୍’ “ସସ୍ପେନ୍ସ’ ଭଳି ଇଂରାଜି ଶବ୍ଦର ଅର୍ଥ ବୁଝୁ କି ନ ବୁଝୁ ଜେଜେମା’ କିନ୍ତୁ କହିଲା- କେଜାଣି ! ଏବେକା ମଣିଷଙ୍କୁ ଏବେକାର ଗପ । ଆମ ବେଳ କଥା, ଆମ ବେଳ ଗପ ଆଉ ଅଛି କି’ରେ!
ବଣ ଜଙ୍ଗଲ, ପାହାଡ଼ ଖୋଲ, ହାଉଁ ମାଉଁ ଖାଉଁ ସବାଖିଆ ଅସୁର ଅସୁରୁଣୀ, ଦୈତ୍ୟ ଦାନବ…
ଅଷ୍ଟମ ଶ୍ରେଣୀ ପରୀକ୍ଷା ସରିଥାଏ । ପରୀକ୍ଷା ସରିଲା ମାତ୍ରକେ ବାବୁଲା ଖୋଜେ ଗପବହି । ପଞ୍ଚତନ୍ତ୍ର ଗପ, ରାଜା-ରାଣୀ ଗପ, ରବିନ୍ ହୁଡ୍ କି ହ୍ୟାରି ପୋଟର୍ । ଟିଭି ସାମ୍ନାରେ ବସି ସୋପ୍ ଅପେରା କି ଶସ୍ତା କମେଡ଼ି ସୋ ଦେଖି ସମୟ ନଷ୍ଟ କରେନାହିଁ ।
ଜେଜେମା’ଙ୍କ ପାଖେ ଅଳି କରି ତାଙ୍କ କଥାପେଡ଼ିରୁ ଆଉ କିଛି ନୂଆ ଅସୁର ଅସୁରୁଣୀ, ରାଜା ରାଣୀ ଗପ ଖୋଜି ନପାଇ ବାବୁଲା ବାଧ୍ୟ ହେଇ ରାଣ ନେଲା ତା’ ବାପାଙ୍କ ପାଖେ । ବାପାଙ୍କୁ ସୁଦ୍ଧା ରୋକ୍ଠୋକ୍ କହିଲା ଜେଜେମା’ଙ୍କୁ କହିଥିବା କଥା ଓ ତହିଁ ପ୍ରଚ୍ଛନ୍ନ ଅଭିଯୋଗର ବ୍ୟଥା ।
ଶୁଣିଲା ପରେ ବାବୁଲାକୁ କହିଲେ ବାପା- ବାବୁରେ! ତୁ ଏବେ ପିଲା । ଆଉ ଟିକେ ବଡ଼ ହେଇଯା, ବଳେ ବୁଝିଯିବୁ, ସେବେକା ଓ ଏବେକା ଗପ ପ୍ରାୟ ସମାନ । ସବୁ ସେଇ ଅସୁର ଗପ । କୋଉଠି ନା କୋଉଠି ଲୁଚିଛପିଥାନ୍ତି ଅସୁର । ବାହାରେ, ଭିତରେ । ଏମିତିକି ନିଜ ଭିତରେ । ତୋ ଭିତରେ, ମୋ ଭିତରେ…
ବାପାଙ୍କ କଥା ବାବୁଲାର ପିଲାମନ ବୁଝିଲାନି । ସେ କହିଲା- କେମିତି ମ! ହେଲା ମୁଁ ପିଲା, ବଡ଼ ହେବି, ହେଲେ ମୁଁ ବଡ଼ ହେଇଗଲେ ଗପ କ’ଣ ବଦଳିଯିବ? ଗପରେ ମୁଁ ଅସୁରଙ୍କୁ କୋଉଠୁ ଖୋଜିବି?
ବାପା ହସିହସିକା କହିଲେ- ଆରେ ବାୟା! ଗପ ବଦଳିଯିବ ନାହିଁ ତୋ ବୁଝିବା ବଦଳିଯିବ । ତୁ ବୁଝିବୁ, ମୋ ଗପସବୁରେ, ଏବେକା ଗପସବୁରେ ବି ସେଇ ଦାନବ, ରାଜାରାଣୀ ରାଜକୁମାର, ରାଜମହଲ ଓ ଅସୁରଗୁମ୍ଫା । ତେବେ ତୋ ଜେଜେମା’ କାହାଣୀପେଡ଼ିର ଦାନବଙ୍କ ଭଳି ସେମାନେ ଥନ୍ତଲପେଟିଆ, ବାର୍ହାଦାନ୍ତିଆ, କି ଶିଙ୍ଗବାଲା ହୁଏତ ନୁହଁନ୍ତି । ସେମାନେ ହେଇପାରନ୍ତି ଚହଟଚିକ୍କଣ । ଅପ୍ସରା ଅପ୍ସରୀଙ୍କ ଭଳି ଗୋରା ଗୋରା ସୁନ୍ଦର ସୁନ୍ଦରୀ । ହେଇପାରେ ସେମାନଙ୍କ ବେଶ ପରିପାଟି ଅଲଗା । ସ୍ଥାନ କାଳ ଅଲଗା । ହୁଏତ ସେମାନେ ଗର୍ଜନ କରନ୍ତିନି, ମିଠା କଥା କୁହନ୍ତି, ମନ ମୋହି ନିଅନ୍ତି । ଖାଇବାରେ ବାଛବିଚାର କରନ୍ତିନି, ଯାହା ପାଆନ୍ତି ଖାଆନ୍ତି । ପାହାଡ଼ଖୋଲ କି ଅଗ୍ନାଅଗ୍ନି ବନସ୍ତରେ ରୁହନ୍ତିନି, ବଜାରଘାଟରେ ଖୋଲାମେଲା ଘୂରି ବୁଲନ୍ତି । ସର୍ବତ୍ର ତାଙ୍କର ଆତଯାତ । ସ୍କୁଲ୍, କଲେଜ, କନ୍ୟାଶ୍ରମ, ଅନାଥାଶ୍ରମ, ଡାକ୍ତରଖାନା, କଲେକ୍ଟରେଟ୍ ସେକ୍ରେଟେରିଏଟ୍ ଠୁଁ ବିଧାନସଭା ଲୋକସଭା ଯାଏଁ । ସେବେ ସିନା ଅସୁର ଦାନବଙ୍କ ଘର ଥିଲା ବଣଜଙ୍ଗଲ ପାହାଡ଼ ପର୍ବତ, ଏବେ ମିଳିଯିବେ ଘରେ ଘରେ, ପୁରେପୁରେ, ମାଟି ପାଣି ପବନରେ ।
ବାପା ଗପୁଥିଲେ ବାବୁଲା ଶୁଣୁଥିଲା । ବୁଝୁ ନବୁଝୁ ଶୁଣୁଥିଲା ଓ ବୁଝିବା ଲାଗି ଚେଷ୍ଟା ଚଳାଇଥିଲା । ତା’ର ଆଗ୍ରହକୁ ଲକ୍ଷ୍ୟ କରି କହିଲେ ବାପା- ଗପଟେ ଶୁଣିବୁ? ଦାନବଙ୍କ ଗପ । ବଡ଼ ଭୟଙ୍କର ଦାନବ । କଞ୍ଚାମାଂସ ଖିଆ ଗୋଟା ଗିଳିପକୋଉଥିବା ଅସୁର ।
ବାବୁଲା ପରମ ଆଗ୍ରହରେ ବସିପଡ଼ିଲା ଚେକାମାଡ଼ି, ଗପ ଶୁଣିବ ।
ଶୁଣିବ ପୁଣି କାହାଠାରୁ, ବାପାଙ୍କ ଠାରୁ, ଯାହାଙ୍କ ଗପ ସେ ଜମା ପଢ଼େନାହିଁ, କାରଣ ତାକୁ ସେଠି ଅସୁର କିମ୍ବା ଦାନବ କିମ୍ବା ରାଜାରାଣୀ ରାଜକୁମାରୀ ମିଳନ୍ତି ନାହିଁ ।
ବହୁ ବହୁ ବର୍ଷ ଆଗେ ଯେବେ…, ବାପା ଗପ କହିବା ଆରମ୍ଭ କଲେ ।
ପୃଥିବୀ ସାରା ଜନପଦ ଥିଲା ଖୁବ୍ କମ୍ ଓ ତିନିଭାଗ ଜଳ ବା’ଦେ ଯୋଉ ଭାଗକ ସ୍ଥଳ ତହିଁରୁ ବହୁ ଭାଗ ଥିଲା ଜଙ୍ଗଲ । ସେବେ, ଜନପଦରେ ବିରାଜୁଥାଏ ଅଖଣ୍ଡ ଶାନ୍ତି । ଲୋକେ ଥା’ନ୍ତି ଭ୍ରାତୃତ୍ୱ ଭାବରେ ବନ୍ଧା । ସ୍ନେହ, ସଦିଚ୍ଛା, ପ୍ରଚୁର ଭଲପାଇବା ଭିତରେ କାଳ କାଟୁଥାନ୍ତି ସେମାନେ । ଲୋଭ, ଈର୍ଷା, ଦ୍ୱେଷ ଅବା ଗ୍ରାସ କରିଯିବାର ଅନ୍ୟାୟ ଆକାଂକ୍ଷା ଛୁଇଁ ନଥାଏ ଜନପଦ । ସୂର୍ଯ୍ୟ, ଚନ୍ଦ୍ର, ତାରା ଠିକ୍ମତେ ଆତଯାତ କରୁଥାନ୍ତି ମହାକାଶରେ । ସେମାନଙ୍କ ସହ ତାଳ ଦେଉଥାନ୍ତି ଋତୁ ମାନେ । ଠିକ୍ ବେଳେ ଆସୁଥାନ୍ତି, ଯାଉଥାନ୍ତି । ନଥାଏ ଗ୍ରୀଷ୍ମ ର ପ୍ରାଚୁର୍ଯ୍ୟ ଅବା ମେଘର ବହୁଳତା ଅବା ଶୀତର ନିଅଁଣ୍ଟିଆଭାବ । ଧରାକୁ ବସନ୍ତ ଋତୁରାଜ ଛୁଉଁଥାଏ ନିଶ୍ଚେ ଓ ମଳୟ ବହୁଥାଏ ବେଧଡ଼କ । ପ୍ରଚୁର ସବୁଜିମା ଆଉ ଫୁଲଫଳରେ ଭରପୂର ଥାଏ ପୃଥିବୀ । ଭରପୂର ଥାଏ ବି ପ୍ରାଚୁର୍ଯ୍ୟ ।
ଆମ ସ୍ୱପ୍ନର ପୃଥିବୀ । ସତରେ ଦିନେ ଏମିତି ଥିଲା!! ବାବୁଲା କହିଲା ଓ ବିସ୍ମୟ ପ୍ରକଟ କଲା ।
ଅଘଟଣଟିଏ ଘଟିଲା ଏକଦା । ବାପା କହୁଥାନ୍ତି । ଅଘଟଣଟିକୁ ବିପର୍ଯ୍ୟୟ ହିଁ କୁହାଯାଇପାରିବ । ଶୁଣୁ, କହିଲି ତ ଜନପଦକୁ ସେବେ ଘେରି ରହୁଥାଏ ନିଘଞ୍ଚ ଅରଣ୍ୟ ।
ମାନେ, ଜେଜେମା’ କହିଲା ଭଳି ଅଗନାଅଗନି ବଣ!
ହଁ, ତୋ ଜେଜେମା’ ଗପର ଅଗନାଅଗନି ସେ ବଣରେ ଗଛରୁ ପତରଟେ ଝଡ଼ିଲେ ଶୁଭେ ପଥର ପଡ଼ିଲା ଭଳି । ସେ ଅରଣ୍ୟ ଥାଏ ବଡ଼ ଶୋଭାବନ୍ତ । ତା’ର ଶୋଭା ବଢ଼ାଉଥାନ୍ତି ବିସ୍ତର ବଡ଼ ବଡ଼ ବୃକ୍ଷ । ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରି ସେମାନେ ସତେ ଅବା ସୂର୍ଯ୍ୟଙ୍କୁ ଛୁଇଁବା ଲାଗି ହୋଇଥାନ୍ତି ଆକାଶମୁହାଁ । ସେଇ ଆକାଶଛୁଆଁ ବୃକ୍ଷଗୁଡ଼ିକର ବହଳ ଭେଦି ସୂର୍ଯ୍ୟକିରଣ କଦବାକ୍ୱଚିତ୍ ଛୁଇଁଥାଏ ମାଟି । ସେଦିନ ବଣମୁଲକର ବାସିନ୍ଦାଙ୍କର ଜା’ଣେ ଉତ୍ସବ ମନାଇବା ଦିନ । ଆନନ୍ଦ ମନରେ ମନାଉଥିଲେ ବି । ମନରେ ମନ ମିଳେଇ ହାତରେ ହାତ ଛନ୍ଦି । କେବଳ ଜଣଙ୍କୁ ଛାଡ଼ି । ସେମାନେ କେଡେ ଖୁସିରେ ଖରା ପୋଉଁଥିଲେ, କେତେ କ’ଣ ଦୁଃଖସୁଖ ନିଜ ନିଜ ଭିତରେ ହେଉଥିଲେ, ହସାହସି ହେଉଥିଲେ । କେବଳ ସେଇଜଣଙ୍କୁ ଛାଡ଼ି । ଆଶାଠାରୁ ଅପ୍ରତ୍ୟାଶିତ କମ୍ ସମୟ ଭିତରେ ଖରା-ଅଢ଼େଇ ଦିନିଆ ସାଂସାରିକ ସୁଖ ସମ- ଲେଉଟିଗଲେ ସେମାନେ ମୁହଁ ଶୁଖେଇ ଦଉଥିଲେ ଏବଂ ପୁନରପି ହଜିଯାଉଥିଲେ ଅନ୍ଧାର ଗର୍ଭରେ । କହିବା ବାହୁଲ୍ୟ, ସେଇ ଜଣଙ୍କୁ ଛାଡ଼ି ।
ବାବୁଲାର ଆଗ୍ରହ ଏବେ ଜିଜ୍ଞାସା ପର୍ଯ୍ୟାୟର ।
ସେ ପଚାରିଲା- ସେ ଜଣଙ୍କ କିଏ ମ ବାପା? ବାସିନ୍ଦାଙ୍କ ହସଖୁସି ସୁଖଦୁଃଖରେ ସେ କ’ଣ ଖୁସି ନୁହେଁ ? ସେ କ’ଣ ସେମାନଙ୍କ ଭିତରେ ଜଣେ ନୁହଁ??
ସେ ବ୍ୟତିକ୍ରମୀ ଜଣଙ୍କ ଥିଲା ଗୋଟେ ଦାନବ । ସେଇ ଜଣଙ୍କ, ମାନେ ଦାନବଟି ଆନନ୍ଦ ଆତିଶଯ୍ୟରେ ନାଚି ଉଠୁଥିଲା, ଯେବେ ଘୋଟୁଥିଲା ଅନ୍ଧାର । ତା’ ଜଳିଲା ଜଳିଲା ଆଖି ଅନ୍ଧାର ଭିତରେ ବେଶି ବେଶି ଜଳି ଉଠୁଥିଲା । ତୀବ୍ର ଅଟ୍ଟହାସ୍ୟରେ ସେ ଥରେଇ ଦଉଥିଲା ବଣମୁଲକ । ବଣର ବାସିନ୍ଦା ଶାକାହାରୀ, ମାଂସାହାରୀ, ହିଂସ୍ର ଅହିଂସ୍ର ପଶୁପକ୍ଷୀଙ୍କ ଗହଣରେ ସେଇ ବ୍ୟତିକ୍ରମ ଜଣଙ୍କ ଥିଲା ଯେ ଦାନବ, ଜେଜେମା’ ଗପର ଅସୁର ଭଳି ତା’ର ବି ଥିଲା ଅଥାରହାଣ୍ଡି ପରିକା ମୁଣ୍ଡ, ଶଗଡ଼ଚକ ପରିକା ଆଖି ଓ ଧାନମରେଇ ପରିକା ଥନ୍ତଲପେଟ ।
ସେ ସର୍ବଦା ତା’ର ଆଖିଡୋଳା କୁରାଳଚକ୍ର ପରାୟେ ଘୂରେଇ ଘୂରେଇ ଖୋଜୁଥିଲା ଖାଦ୍ୟ । ତା’ ସର୍ବଗ୍ରାସୀ କ୍ଷୁଧାର ପ୍ରଶମନ ପାଇଁକା, ଯାହା ଆଦୌ ପ୍ରଶମିତ ହେଉ ନଥିଲା । ଖାସ୍ ସେଇଥିଲାଗି କି କ’ଣ, ଦାନବ ତା’ ଥନ୍ତଲପେଟକୁ ଢୋଲ ପରିକା ପିଟିପିଟି ଅନବରତ କୁହାଟୁଥିଲା, “ଖାଇବି ଖାଇବି’ । ତା’ର ସେଇ ଅସଭ୍ୟ ଧ୍ୱନି ପ୍ରତିଧ୍ୱନି ତୋଳି ସମୁଦାୟ ଅରଣ୍ୟ ମୁଲକକୁ ଥରେଇ ଦଉଥିଲା ।
ଆଉ ମଣିଷ? ଜନପଦ? ବାବୁଲା ପ୍ରକଟ କଲା ତା’ ଜିଜ୍ଞାସା ।
ଆନନ୍ଦର କଥା ଯେ- ବାପା କହୁଥାନ୍ତି- ଅସୁରର ସେ ଅସଭ୍ୟ “ଖାଇବି ଖାଇବି’ ଗର୍ଜନ ଜଙ୍ଗଲର ବହଳ ଭେଦି ସଭ୍ୟ ଜନପଦରେ ସେ ଯାଏଁ ପ୍ରତିଧ୍ୱନିତ ହୋଇନଥାଏ । ଅତଃ ଜନପଦରେ ବିରାଜୁଥାଏ ସୁଖ, ଶାନ୍ତି ଓ ପ୍ରାଚୁର୍ଯ୍ୟ ।
ସର୍ବଗିଳାଙ୍କ ଅନୁପସ୍ଥିତି ସେଠି ନିଶ୍ଚିତ କରିଥାଏ ସହିଷ୍ଣୁ ସହାବସ୍ଥାନ ଓ ସମାନତା ।
ତେବେ ଲୋକାଳୟ ଥାଏ ସିନା ଶାନ୍ତ, ଦାନବର ଉପସ୍ଥିତି ହେତୁ ବଣମୁଲକ ଥାଏ ସର୍ବଦା ଅଶାନ୍ତ ଓ ଭୀତତ୍ରସ୍ତ । ଅସୁରର ଅବିରାମ ‘ଖାଇବି ଖାଇବି’ ରଡ଼ି ପାଖେ ବଣମୁଲକ ହେଇପଡୁଥାଏ ଅସହାୟ ।
ଦାନବର ଅସଭ୍ୟ ରଡ଼ି ପାଖେ ଏମିତିକି ସୂର୍ଯ୍ୟ ଚନ୍ଦ୍ର ତାରା ସୁଦ୍ଧା ହାର ମାନୁଥାନ୍ତି ।
କୁଳୁକୁଳୁ ନିନାଦିନୀ ପାହାଡ଼ି ଝରଣା କୁହୁ ତୋଳୁଥିବା କୋଇଲିମାନେ ଭୁଲିଯାଉଥାନ୍ତି ତାନ ।
କଅଁଳପତ୍ର, ଦୂବଘାସ, ଆମ୍ବବଉଳ, ଫୁଳକଢ଼ମାନେ ଜଳିଯାଉଥାନ୍ତି । ଫୁଲମାନେ ହେଇ ଯାଉଥାନ୍ତି ବାସ୍ନାହୀନ । ବୃକ୍ଷମାନେ ଲାଜେଇ ଯିବା ହେତୁ ଥମିଯାଉଥାଏ ପବନ । ଯଦିବା ବହୁଥାଏ, ମନେହେଉଥାଏ ତାହା ଅରଣ୍ୟମୁଲକର ଦୀର୍ଘଶ୍ୱାସ ।
ଅନ୍ତତଃ ମଣିଷ ଥାନ୍ତି ସୁରକ୍ଷିତ । ଦୀର୍ଘଶ୍ୱାସ ପକାଇ କହିଲା ବାବୁଲା ।
ଅବଶେଷରେ ଦିନେ…, ବାପା କହୁଥାନ୍ତି, ଜନପଦ ଲାଗି ଆସିଗଲା ଚରମ ଦୁର୍ଦ୍ଦିନ ।
ହେ ଭଗବାନ୍! ବାବୁଲା ଆଉଥରେ ଦୀର୍ଘଶ୍ୱାସ ପକାଇଲା ।
ସେ ଦିନର ତିଥି ଥାଏ ଅମାବାସ୍ୟା । ଜହ୍ନ ମୁହଁଛପା ଦେଇଥାଏ । ଗାଢ଼ ଅନ୍ଧକାରର ବହଳ ଚାଦର ଢାଙ୍କିଥାଏ ସମୁଦାୟ ମୁଲକ ।
ଜନପଦରେ ଗାଢ଼ ନିଦରେ ଶୋଇଯାଇଥାନ୍ତି ଶାନ୍ତି ମଣିଷ ।
ଦୁର୍ଭାବନା ରହିତ ସୁଖନିଦ୍ରାରେ ।
ଆମ୍ବଗଛର ବହଳ ଭିତରୁ ରହିରହି ରାବୁଥାଏ କୋଇଲି ।
କବି ଗୁଣୁଗୁଣୋଉ ଥାଏ କବିତା ।
ପ୍ରେମୀଯୁଗଳ ଥାନ୍ତି ସ୍ୱପ୍ନବିଭୋର ।
ମା’ କୋଳରେ ଜାକି ହେଇ ଯାଇଥାନ୍ତି ଶିଶୁ ।
ମୃତୁ୍ୟର ଦ୍ୱାର ଖଟ୍ଖଟୋଉଥିବା ବୃଦ୍ଧଜନେ ମନେ ମନେ ଜପୁଥାନ୍ତି ରାମ ନାମ ।
କୃଷିଜୀବୀ ହାଲ୍କା ପବନରେ ଢ଼େଉ ଖେଳାଉଥିବା ବହଳ ଶସ୍ୟକ୍ଷେତର ମୋହକ ସ୍ୱପ୍ନରେ ଥାନ୍ତି ମସ୍ଗୁଲ୍ । ଏବଂ ଅଚାନକ…
ଅଚାନକ ଶ୍ୱାନପଲକ ରଡ଼ି କରି କାନ୍ଦି ଉଠିଲେ । ବିକଳ ଭାବରେ । ସମସ୍ୱରରେ ।
ବୃଦ୍ଧଜନେ କାଇଁକି କେଜାଣି ଥରି ଉଠିଲେ ଓ ‘ଅକାଳ ଅକାଳ’ ସ୍ୱଗତୋକ୍ତି କରିବା ଭିତରେ ଦୁଇ ହାତ ଯୋଡ଼ି କପାଳ ଛୁଆଁଇଲେ ।
ଅମାବାସ୍ୟାର ସେଇ ଅମାଅନ୍ଧାର ରାତିରେ ନିଜ ନିବାସସ୍ଥଳ ପୁତିଗନ୍ଧମୟ ପାହାଡ଼ ଗୁମ୍ପାରୁ ପଦାକୁ ଗୋଡ଼ କାଢ଼ିଲା ଦାନବ । ଦିଗ୍ବିଦିଗ ଚହଟିଗଲା ପଚା ବାସ୍, ମୁହୂର୍ତ୍ତକ ଭିତରେ । ବାହାରି ପଡ଼ିବା ମାତ୍ରକେ ‘ଖାଇବି ଖାଇବି’ ଗର୍ଜିଲା ଓ ତା’ର ଅସଭ୍ୟ ଗର୍ଜନରେ ଅରଣ୍ୟ ଥରିଗଲା ।
ବୃକ୍ଷମାନେ ସତେବି ଲୋଟିପଡ଼ିଲେ- କ୍ଷୋଭରେ ।
ପାହାଡ଼ ସତେକି ଖଣ୍ଡଖଣ୍ଡ ହୋଇ ଭାଜିପଡ଼ିଲା- ଗ୍ଲାନିରେ ।
ଜହ୍ନ ତ କୋଉକାଳୁ ମୁହଁ ଲୁଚେଇ ସାରିଥିଲା- ଲଜ୍ଜାରେ ।
ଅଳସ ଭାଙ୍ଗି ପଶୁରାଜ ସିଂହ ତିର୍ଯ୍ୟକ୍ ଚାହାଁଣି ଫିଙ୍ଗିଲା ଅସୁରକୁ- ତା’ ଚାହାଣିରେ ଘୃଣା ଓ ତାତ୍ସଲ୍ୟ ।
ମହାବଳ ହେଣ୍ଟାଳି ଦେଲା- ତତେ ଧିକ୍ । ମୁଁ ମାଂସାହାରୀ ଠିକ୍, ଶିକାର କରେ ଠିକ୍, ହେଲେ ଯେତିକି ଲୋଡ଼ା ମତେ ବଞ୍ଚିବା ଲାଗି ଠିକ୍ ସେତିକି ।
ଦନ୍ତାବଳ ହାତୀ ତା’ କୁଲା ପରିକା କାନକୁ ପାଛୁଡ଼ି ଅସୁରରଡ଼ିକୁ ବାଏଁ ବାଏଁ ଉଡେଇ ଦେଲା, ପାଖ ପଶିବାକୁ ଦେଲାନି ।
ଚଢ଼େଇମାନେ ତ ଗୀତ ଗାଇବା କେବେଠାରୁ ଭୁଲିସାରିଥିଲେ, ମାତ୍ର ମାଙ୍କଡ଼ପଲକ ଖତେଇ ହବା ଜମାରୁ ଭୁଲି ନଥିଲେ । ତେଣୁ ସେମାନେ ଅସୁରକୁ ଖତେଇ ହେଲେ, ତାତ୍ସଲ୍ୟ କଲେ, ଖିଙ୍କାରି ହେଲେ ।
ହତଭମ୍ବ ନିରୀହ ଶଶା ଗୋଟିଏ ବୁଦା ଭିତରେ ନିଜକୁ ଜାକିଜୁକି ଦେଇ ଜୁଳୁଜୁଳୁ କିପରି ଚାହିଁଥାଏ, ତା’ ନିରୀହ ଆଖି କ’ଣ କହୁଥାନ୍ତି କେଜାଣି!
ବଣମୁଲକର ଏ ସକଳ ପ୍ରତିକ୍ରିୟା ପ୍ରତି ଅସୁରର ନଥାଏ ସାମାନ୍ୟ ଭ୍ରୂକ୍ଷେପ । ଅରଣ୍ୟକୁ ମାଡ଼ିମକଚି ସେ ମାଡ଼ିଚାଲୁଥାଏ ଏକମୁହାଁ ଓ ତା’ର ଖରଶ୍ୱାସ ତୋଳୁଥାଏ ‘ଖାଇବି ଖାଇବି’ ଧ୍ୱନି । ନିଃଶ୍ୱାସ ସୁଦ୍ଧା ପ୍ରତିଧ୍ୱନି ତୋଳୁଥାଏ ‘ଖାଇବି ଖାଇବି’ ।
ଖାଇବି ଖାଇବି ରଡ଼ିରଡ଼ି ମାଡ଼ିଚାଲୁଥାଏ ଦାନବ । ତାକୁ ଅନୁସରଣ କରୁଥାଏ ଦୌଡ଼ିଲା ଭଳି ଶୃଗାଳ । କହିବା ବାହୁଲ୍ୟ, ଶୃଗାଳ ହିଁ ଥାଏ ଅରଣ୍ୟମୁଲକରେ ଅବିବେକ ଦାନବର ଏକମାତ୍ର ସଖା, ସୋଦର, ସ୍ତାବକ, ପରାମର୍ଶଦାତା… ଏବଂ ଆଉ ଯେତେ ଯାହା କୁହାଯାଇପାରେ ।
ଅସୁର ଖେଦି ଯାଉଥାଏ ତମାମ ବଣ, ସାଙ୍ଗରେ ଶୃଗାଳ ।
ଯାଚ୍ଛତା ଗିଳି ପକାଉଥାଏ, ବିକଳ ନୟନରେ ଚାହିଁଥାଏ ଶୃଗାଳ ।
ବିକଳି ଶୃଗାଳର ବିକଳ ଚାହାଁଣିକୁ ଦେଖି ଦାନବ ଅଟ୍ଟହାସ୍ୟ କରେ ଓ ଅଇଁଠା ଟୁକୁଡ଼ା ଖଣ୍ଡେଅଧେ ଫିଙ୍ଗିଦିଏ ତା’ ମୁହଁକୁ ।
ଶୃଗାଳ ଚଟାପଟ୍ ସେତକ ଗିଳିଦେଇ ବ୍ୟାକୁଳ ନୟନରେ ପୁଣି ଚାହିଁରହେ ଅସୁରର ଉଚ୍ଛିଷ୍ଟକୁ, ଓଠ ଉପରେ ଲହଲହ ଜିଭ ବୁଲେଇ ।
ଏମିତି ସର୍ବସ୍ୱ ଚରିଯିବା ଭିତରେ ରାତିପାହାନ୍ତାକୁ ଦାନବ ପାଇଲା ଆଚମକା ଧକ୍କା ଓ ଥମ୍ କରି ଛିଡ଼ା ହେଇଗଲା । ଆଖିରେ ମୁହଁରେ ଫୁଟିଲା ଚରମ ଆକ୍ରୋଶ ଯାହା କ୍ରମେ ନେଲା ଅସହାୟତାର ରୂପ ।
ଅସୁର ପଛେପଛେ ଥମିଗଲା ବି ଶୃଗାଳ । ପ୍ରଶ୍ନିଳ ଆଖିରେ ଚାହିଁରହିଲା ଦାନବକୁ ।
“କ’ଣ ଖାଇବି??”- ଆଖି କୁରାଳଚକ୍ର ପରାୟେ ଘୂରେଇ ଭୟଙ୍କର ଗର୍ଜନ ଛାଡ଼ି ଦାନବ ପଚାରିଲା ଅନୁଗତ ଶୃଗାଳକୁ । ବିଚଳିତ ଶୃଗାଳ ଚଟାପଟ୍ ଉତ୍ତର ଦେଲା- କାହିଁକି! ଚରା!!
‘ଚରା କା’ ହିଁ??’- ଦାନବର ନୈରାଶ୍ୟ ଏବେ ଚରମକୁ ଛୁଇଁଲା । ଥନ୍ତଲପେଟକୁ ଡେଙ୍ଗୁରା ଭଳି ପିଟିପିଟି ସେ ତା’ ପୂର୍ବ ପ୍ରଶ୍ନ ଦୋହରାଇଲା- କ’ଣ ଖାଇବି??
ଶୃଗାଳ ଏବେ ହେଲା ସଜାଗ । ତା’ର ସନ୍ଧାନୀ ଦୃଷ୍ଟି ଅରଣ୍ୟ ତମାମ ଘୂରେଇ ଆଣି ସେ ସ୍ୱଗତୋକ୍ତି କଲା- ବୁଝିଲି । ଅରଣ୍ୟମୁଲକରୁ ଚରା ଶେଷ ।
ଦାନବ ଗର୍ଜୁଥାଏ ଘନଘନ- କ’ଣ ଖାଇବି? କ’ଣ ଖାଇବି??
“ଦୈତ୍ୟ ମହାରାଜ!”- ସକଳ ବିଦ୍ୟାବୁଦ୍ଧି ଖଟେଇ ଦୁଷ୍ଟବୁଦ୍ଧି ଶୃଗାଳ ଅସୁରକୁ ପରାମର୍ଶ ଦେଲା- “ନିରାଟ ସତଟି ହେଲା, ବଣମୁଲକରେ ଆଉ ଚରା ନାହିଁ । ସବୁକିଛି ଆମେ ଗର୍ଭସ୍ଥ କରିସାରିଲେଣି ।”
“ତା’ହେଲେ ଏବେ??”
ଅସୁର କୁହାଟିଲା ।
“ଏବେ ମୁହାଁଇବାକୁ ହବ ଲୋକାଳୟକୁ ।” ଚଟ୍ କରି କହିଦେଲା ଶୃଗାଳ ।
“ତେବେ ମିଳିବ? ଚରା??” ଶୃଗାଳ ତୁଣ୍ଡରୁ କଥା ବାହାରୁ ନବାହାରୁଣୁ ଦାନବ ପକେଇଲା ବିରାଟ ହାକୁଟି ।
ଶୃଗାଳ କହିଲା ଦାନ୍ତ ଚାପି- ଲୋକାଳୟରେ ପ୍ରଚୁର ଚରା ।
“ଆଚ୍ଛା! ତା’ହେଲେ ମାଡ଼ିଯିବା??”- ଅସୁର ଗର୍ଜିଲା ।
“ହଜୁର, ଯିବା ତ ନିଶ୍ଚେ, ତେବେ ଯିବାକୁ ହେଲେ…”
“ଯିବାକୁ ହେଲେ??”- କଥା ଛଡେଇ ଉଦ୍ଗତ ଲାଳତକ ଶୋଷାଡ଼ିନେଇ ଗର୍ଜିଲା ଅସୁର ଓ ପ୍ରକଟ କଲା ତା’ର ଉଦ୍ବିଗ୍ନତା ।
“ହଜୁର! ଲୋକାଳୟରେ ପଶିବାକୁ ହେଲେ ଆପଣଙ୍କୁ ରଚିବାକୁ ହବ ମାୟା । ହେ ରାଜାଧିରାଜ ଦୈତ୍ୟ ମହାରାଜ! ଆସୁରିମାୟା ପ୍ରୟୋଗରେ ଏ ଭେକ ବଦଳାଇ କରିବାକୁ ହବ ସୁନ୍ଦର ସୁଠାମ । ଆଭିଜାତ୍ୟସମ୍ପନ୍ନ । ଆମ ଭାବନାମାନଙ୍କ ଉପରେ ବହଳ କରି ଲେପିଦେବାକୁ ହେବ ଦାନବିମାୟାର ପୁଟ । ଯେନତେନ ପ୍ରକାରେଣ, ଆପଣଙ୍କୁ ହାତେଇବାକୁ ହବ ଲୋକାଳୟ ପ୍ରଚଳିତ, ଲୋକାଳୟ ପ୍ରିୟ ନିର୍ମଳ ଭାବମୂର୍ତ୍ତି । ଆଉ ‘ଖାଇବି ଖାଇବି’ ଗରଜିବେ ନାହିଁ । ମିଠା ଗଳାରେ, ଆଖିରେ ଅଶ୍ରୁଜଳ ଭରି ଯୋଡ଼ହସ୍ତ ହୋଇ କହିବେ, ‘ସେବିବି ସେବିବି’, ସେବା କରିବା ଲାଗି ମୋର ଜନ୍ମ, ସେବା ମୋର ଧର୍ମ, ସେବା କରୁଥିବି ଶରୀରରେ ଶେଷ ରକ୍ତବିନ୍ଦୁ ପ୍ରବାହିତ ହେଉଥିବାଯାକେ । କହିବେ ଓ କାନ୍ଦକାନ୍ଦ ହେବେ, ଦରକାର ପଡ଼ିଲେ କଇଁ ଉଠେଇ କାନ୍ଦିବେ ।
“ଆଚ୍ଛା! ଆଉ ତୁ??” ସ୍ନେହଭରେ ଶୃଗାଳ ଗାଲରେ ସରୁ ଚଟକଣି ପକାଇ ମୁଲାଏମ୍ ଗଳାରେ ପଚାରିଲା ଦାନବ ।
ଶୃଗାଳ କହିଲା ହାତ ମଳିମଳି- ହେ ମୋ ଜନ୍ମଜନ୍ମାନ୍ତରର ପ୍ରଭୁ! ଯୋଉଠି ଆପଣ ସେଇଠି ମୁଁ । ଆପଣ କାୟା ହେଲେ ମୁଁ ହେବି ଛାୟା । ଆପଣ ଜନତାର ସେବକ ସାଜିଲେ ମୁଁ ହେବି ଆପଣଙ୍କ ସେବକ । ପରମ ସେବକ । ଦାନବି ମାୟାରେ ମୋ ଶୃଗାଳ ଭେକ ବଦଳାଇ ମତେ ବନେଇଦେବେ ବି ମାନବ । ମୁଁ ହେବି ଆପଣଙ୍କ ‘ପାଖଲୋକ’ । ନବ ପ୍ରଜନ୍ମରେ, ଏମିତି ମାୟା ରଚିବେ, ମୁଁ ଯେମିତି ହେବି କାଲ, ଜଡ଼ା ଆଉ ବୋକା ।
କାହା କଥା ଶୁଣିବିନି, ଖାଲି ଆପଣଙ୍କ ଛଡ଼ା ।
କାହା ମୁହଁ ଚାହିଁବିନି, ଖାଲି ଆପଣଙ୍କ ଛଡ଼ା ।
କାହା ଆଗେ କିଛି କହିବିନି, ଆପଣଙ୍କ କଥା ।
“ତା’ହେଲେ? ତା’ହେଲେ ଚରା ମିଳିଯିବ?” ଉଦ୍ଗତ ଲାଳକୁ ଆଉଥରେ ତୋଟି ଭିତରକୁ ଶୋଷାଡ଼ି ନେଇ ଉକ୍ରଣ୍ଠା ପ୍ରକଟ କଲା ଦାନବ ।
ଶୃଗାଳ କହିଲା- ନିଶ୍ଚେ ମିଳିବ । ମିଳିବ ଆଶାତୀତ । ନିର୍ମଳ ଭାବମୂର୍ତ୍ତି ଜନସେବକର ସୁରକ୍ଷିତ କବଚ ତଳେ ‘ସେବକ ସେବକ ସେବିବି ସେବିବି’ ଭଜି ଆପଣ ଧୀରେସୁସ୍ଥେ ସମୁଦାୟ ଲୋକାଳୟଟାକୁ ଚରିଯିବେ । କିଞ୍ଚିତ ଅଇଁଠା, ପ୍ରସାଦ ଭାବେ ପାଇ ମୁଁ କୃତାର୍ଥ ହେଉଥିବି ଏବଂ ଏ ମୋର ତ୍ରିବାର ଶପଥ, ସୂର୍ଯ୍ୟ ଚନ୍ଦ୍ର ତାରା ଆତଯାତ ହେଉଥିବା ଯାକେ ମୁଁ ଆପଣଙ୍କୁ ପ୍ରଭୁ ମଣୁଥିବି ।
“ସାବାସ୍ । ସାବାସ୍ । ସାବାସ୍ ।” ଅସୁର ଶୃଗାଳକୁ ପ୍ରଶଂସାରେ ପୋତି ପକାଇଲା ଏବଂ ତତ୍କ୍ଷଣାତ୍ ପାଦ ବଢ଼ାଇଲା ଲୋକାଳୟକୁ । ଛାଇ ପରିକା ପଶ୍ଚାତ୍ ଧାବନ କଲା ଧୂର୍ତ୍ତ ଶୃଗାଳ ।
ଜନପଦକୁ ଅକ୍ତିଆର କରିନେଲା ଦାନବ ଅଚିରେ ଓ ବନେଇଲା ସ୍ଥାୟୀ ନିବାସ । ରାଜକନ୍ୟାଙ୍କୁ ବନାଇଲା ବନ୍ଦୀ, ରାଜବଂଶ ନିପାତ କରିବା ପରେ । ଜନପଦର ମାନବଙ୍କୁ ଦାନବ ବନାଇଲା ଦାସ ।
ବାପା, ଗପିବା ଭିତରେ ଏଇଠି ପକାଇଲେ ଦୀର୍ଘଶ୍ୱାସ ।
ବାବୁଲା ନୀରବ । ଖାଲି ପଚାରିଦେଲା- ତା’ପରେ?
ଅରଣ୍ୟ ମୁଲକର ସେହି ଦୃଶ୍ୟମାନ୍ ଅସଭ୍ୟ ଦାନବ ଓ ତା’ ପାଖଲୋକ ଭେକରେ ଦୃଷ୍ଟ ଶୃଗାଳ ରକ୍ତବୀର୍ଯ୍ୟ ଭଳି କ୍ରମଶଃ ବଂଶ ବିସ୍ତାରି ସମୁଦାୟ ଲୋକାଳୟକୁ ସ୍ଥୂଳରୂପରେ ତ ଗ୍ରାସ କରିଗଲେ, କ୍ରମେ ଲୋକଙ୍କ ସୂକ୍ଷ୍ମ ଚେତନାକୁ ସୁଦ୍ଧା ଆସୁରିମାୟାରେ କବଳିତ କରିନେବା ଲାଗି ଆରମ୍ଭ କରିଦେଲେ ପ୍ରସ୍ତୁତି । ଯେମିତି ମାନବ ପାଲଟିବେ ଦାନବ । ଆଉ ବନ୍ଦୀ ରାଜକନ୍ୟାଙ୍କ ଲାଗି ଦରଦ ରହିବ ନାହିଁ କାହାରି ।
“ସେଇଠୁ??” ବାବୁଲାର ଉକ୍ରଣ୍ଠା ଏବେ ଚରମରେ ।
ବାପା କିନ୍ତୁ ଏଇଠୁ ଚୁପ୍ ହୋଇଗଲେ ଓ ପକାଇଲେ ଆଉ ଏକ ଦୀର୍ଘଶ୍ୱାସ । ପୁଅର ଅଲରା ଚୂଳକୁ ସ୍ନେହଭରେ ସାଉଁଳିଦେଇ କହିଲେ- ଅସୁରଗପ ଏଇଠି ସରିଲା ।
“କେମିତି ମ!!”- ବାବୁଲା ବିସ୍ମୟ ସହ ପ୍ରକଟ କଲା ତା’ ଅସନ୍ତୋଷ- “ବୀର ରାଜପୁତ୍ର ପକ୍ଷୀରାଜ ଘୋଡ଼ା ଚଢ଼ି ଏଯାଏଁ ଆସିନାହିଁ କି ଦୁଷ୍ଟ ଦାନବକୁ ବଧ କରି ତା’ କବଳରୁ ରାଜକନ୍ୟା କି ଜନପଦକୁ ମୁକ୍ତ କରିନାହିଁ, ଗପ ସରିଯିବ କେମିତି??”
କଥାଟି କହିଲା ବେଳେ କଳ୍ପିତ ବୀର ରାଜପୁତ୍ରଙ୍କ ତେଜ ତା’ ଆଖି ଆଗରେ ଚମକି ଉଠି ବାବୁଲାର ଆଖି କି ଚକ୍ଚକ୍ କରିଦେଉଥାଏ ।
ବାପା କହିଲେ- ଆସିବେ ଆସିବେ, ନିଶ୍ଚେ ଆସିବେ ସାହସୀ ରାଜପୁତ୍ର । ଆସିବେ ତୁମରି ଭିତରୁ । ଦାନବ କବଳରୁ ମୁକାଳିବେ ମାନବଙ୍କୁ, ବନ୍ଦିନୀ ରାଜକନ୍ୟାକୁ, ଜନପଦକୁ, ଟିକିଏ ଅପେକ୍ଷା କରିଯା । ଆଉ ରାଜ୍ୟ ଓ ରାଜକନ୍ୟାଙ୍କ ମୁକ୍ତି ମାନେ ଦାନବର ମୃତୁ୍ୟ । ତା’ପରେ ଗପ ଲମ୍ବିବ…
ବାପା ଏତିକିଯାକେ ଗପି ପୂରାପୂରି ଅନ୍ୟମନସ୍କ ହୋଇଗଲେ ।
ତାଙ୍କ କଥାରୁ କିଛି ଖିଅ ପାଇଲାନି ବାବୁଲା । ତା’ ଆଖିରେ ଅସନ୍ତୋଷ, ଅନୁସନ୍ଧିତ୍ସା । ଜାରି ରହିଲା ପୂର୍ବବତ୍ ।
ବାପା କହିଲେ, କେତେବେଳେକେ, ଧନରେ! ଆଉ ଟିକେ ବଡ଼ ହେଇ ଯା । ବଳେ ବୁଝିଯିବୁ, ତୋ ଜେଜେମା’ ଗପପେଡ଼ିର ଅସୁର ଓ ଏବେକା ଗପ ସବୁର ଅସୁର ଭିତରେ ସୂତାଏ ବି ଫରକ୍ ନାହିଁ ।
ଫ୍ଲାଟ୍ ଡି/୫, କାଲ୍ଭିକ୍ ଓଁକାରା ମ୍ୟାନ୍ସନ୍, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ୱର
ମୋ. ୯୪୩୭୫୦୯୧୭୨