ଅଚାନକ ଦ୍ୱିତୀୟ ପିତୁଳା, ସିଂହାସନରୁ ଓହ୍ଲେଇ ଆସି କହିଲା : ରାଜା ଭୋଜ ! ତୁମ ନିକଟରେ କ’ଣ ବିକ୍ରମାଦିତ୍ୟଙ୍କ ସଦୃଶ ଶକ୍ତି, ସାମର୍ଥ୍ୟ ଅଛି? ଏ କଥା ଭୁଲି ଯାଅନା ଯେ, ସଂକଟରେ ପଡ଼ିଥିବା ମନୁଷ୍ୟର ସହାୟତା କରିବା ସବୁଠାରୁ ବଡ଼ ଧର୍ମ । ତୁମେ କ’ଣ ଏପ୍ରକାର କାହାରି ଏ ପର୍ଯ୍ୟନ୍ତ ସହାୟତା କରିପାରିଛ… ସେମିତି ହେଲେ ତ ତୁମେ ଅବଶ୍ୟ ଏ ସିଂହାସନ ଉପରେ ଉପବେଶନ କର ।
ରାଜା ଭୋଜ ଏବଂ ସମସ୍ତ ପାରିଷଦବର୍ଗ ବିସ୍ମୟଚକିତ ହୋଇ ଚିତ୍ରଲେଖାକୁ ଦେଖୁଥାଆନ୍ତି ।
ପରଦିନ ପ୍ରଭାତ କାଳରେ ରାଜାଭୋଜ, ପୁନର୍ବାର ସିଂହାସନ ଉପରେ ଆସୀନ ହେବାକୁ ସ୍ଥିର କଲେ । ବ୍ରାହ୍ମଣମାନେ ସ୍ୱସ୍ତିବାଚନ କରିବାରେ ଲାଗିଲେ । ରାଜା ଭୋଜ, ସିଂହାସନ ଉପରେ ବସିବା ପାଇଁ ଗୋଡ଼ ଟେକିବା ମାତ୍ରକେ, ଖୁବ୍ ତୀବ୍ର ବେଗରେ ଗୋଟିଏ ପିତୁଳା ସିଂହାସନରୁ ବାହାରି ସାକାର ରୂପେ ସମ୍ମୁଖକୁ ଚାଲି ଆସି, ଖିଲ ଖିଲ ହୋଇ ହସିବାରେ ଲାଗିଲା । ତା’ ମଧୁର ହସ ଶୁଣି ସମସ୍ତେ ମୁଗ୍ଧ ନିବଦ୍ଧ ଚାହାଣିରେ ଚାହିଁ ରହିଲେ । ପିତୁଳା ହସି ହସି କହିଲା : ରାଜା ଭୋଜ ! ତୁମେ ଏ ସିଂହାସନ ଉପରେ ସେତେବେଳେ ବସି ପାରିବ, ଯେତେବେଳେ କି ଯଦି ବିକ୍ରମାଦିତ୍ୟଙ୍କ ପରି ଗୋଟିଏ ହେଲେ କାର୍ଯ୍ୟ କରିଥିବ !
ରାଜା ଭୋଜ ନିରବ ନିର୍ବେଦ ରହିଗଲେ ।
ମୋ ନାମ ଚିତ୍ରଲେଖା । ମୁଁ ତୁମକୁ ରାଜା ବିକ୍ରମାଦିତ୍ୟଙ୍କ ଗୋଟିଏ କଥା କହୁଚି । ସ୍ୱୟଂ ମୁଁ ଏହା ଦେଖିଛି…
ଏହି ସିଂହାସନକୁ ପ୍ରାପ୍ତ ହେବା ପରେ ରାଜା ବିକ୍ରମାଦିତ୍ୟ ସୁଖଶାନ୍ତି ପୂର୍ବକ ନିଜ ରାଜ୍ୟ ଶାସନ କରିବାରେ ଲାଗିଲେ । ପ୍ରଜାମାନଙ୍କ ସୁଖ-ଦୁଃଖ ପ୍ରତି ସେ ବହୁତ ଦୃଷ୍ଟି ଦେଉଥିଲେ ।
ଦିନେ ସେ ମୃଗୟା ଉଦେ୍ଦଶ୍ୟରେ ଗଲେ । ଶିକାର ଅନ୍ୱେଷଣ କରି କରି ସେ ଏକ ଉଚ୍ଚପାହାଡ଼ ଉପରକୁ ଚାଲିଗଲେ, ସେଠି ଦେଖିଲେ- ଜଣେ ସାଧୁ ତପସ୍ୟା କରୁଛନ୍ତି । ଖୁବ୍ ଶ୍ରଦ୍ଧାର ସହିତ ପ୍ରଣାମ ଜଣାଇ ଲେଉଟି ଆସିଲେ । କିଛି କହି ତାଙ୍କ ତପସ୍ୟାରେ ବିଘ୍ନ ସୃଷ୍ଟି କରିବାକୁ ଉଚିତ ମନେ କଲେ ନାହିଁ ।
ସେ ଲେଉଟି ଯାଉଥିବା ଦେଖି, ଅଚାନକ ସାଧୁ ଡାକିଲେ- ଶୁଣ ରାଜା ବିକ୍ରମାଦିତ୍ୟ! ରୁହ ।
ରାଜା ଅଟକି ଗଲେ ।
ତୁମର ଶିଷ୍ଟ ଆଚରଣରେ ମୁଁ ପ୍ରସନ୍ନ । ନିଅ ଏ ଫଳ । ଏହାକୁ ଖାଇବା ଲୋକ ପୁତ୍ରବାନ୍ ହେବ । ତେଜସ୍ୱୀ, ଯଶସ୍ୱୀ ପୁତ୍ର ହେବ ।
ରାଜା ସହର୍ଷରେ ଫଳଟିକୁ ଗ୍ରହଣ କରିନେଲେ । ସାଧୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ସେ ଲେଉଟି ଆସିଲେ । ଅକସ୍ମାତ ଦେଖିଲେ- ଜଣେ ସ୍ତ୍ରୀ ପଳାୟନ କରିବାରେ ଲାଗିଛି । ଖୁବ୍ ବ୍ୟସ୍ତବିବ୍ରତ ଥିବା ମନେ ହେଉଛି । ବିକ୍ରମ ତା’ ପଛରେ ଦୌଡିଲେ । ସେହି ସ୍ତ୍ରୀ ଲୋକଟି ଏକ କୂଅ ପାଖେ ଯାଇ ଅଟକିଗଲା । ଝୁଙ୍କିପଡ଼ି ଚାହିଁଲେ- ବୋଧହୁଏ ସେ କୂଅ ଭିତରକୁ ଡେଇଁବା ଅବସ୍ଥାରେ ଥିଲା; ହଠାତ ବିକ୍ରମ ତାକୁ ଧରିପକାଇଲେ… ।
ପଚାରିଲେ : ମରିବାକୁ ଚାହୁଁଛ କାହିଁକି? ରାଜା ତାକୁ ସେଠାରୁ ଦୂରକୁ ଟାଣି ନେଇଗଲେ ।
ମୋତେ ମରିଯିବାକୁ ଦିଅ । ମୋତେ ମରିବାକୁ ଦିଅ… ସେ ନାରୀ କ୍ରନ୍ଦନ କରିବାରେ ଲାଗିଲା ।
ତୁମର କ’ଣ ଏମିତି ଘଟଣା ଘଟିଲା?
ମୋ ପତି ବହୁତ ମାରପିଟ୍ କରୁଛି, ବଞ୍ଚିବା ମୁସ୍କିଲ୍ କରିଦେଇଛି ।
କାହିଁକି? କଥା କ’ଣ?
ମୋର ସବୁ ସନ୍ତାନ ଝିଅ । ପୁଅ ନହେବା କାରଣରୁ ମୋର ଏ ଦୁର୍ଦ୍ଦଶା ଘଟୁଛି… ।
ଏଇ ମାତ୍ର କଥା ! ତା’ କଥା ଶୁଣିବା ପରେ ରାଜା ବିକ୍ରମ ଫଳଟିକୁ ସେ ଯୁବତୀକୁ ଦେଇଦେଲେ । ଯୁବତୀଟି ରାଜାଙ୍କୁ ଧନ୍ୟବାଦ ଦେଇ ଚାଲିଗଲା । ଏବେ ଚମକ୍ରାରୀ କଥା ଶୁଣ ରାଜା ଭୋଜ !
ଦିନେ ରାଜ ଦରବାରକୁ ଜଣେ ବ୍ରାହ୍ମଣ ଆସିଲେ ଏବଂ କହିଲେ : ରାଜାଙ୍କୁ ସେ ଏକ ଅମୂଲ୍ୟ ଭେଟି ଦେବାକୁ ଚାହୁଁଛି ।
ରାଜା ତା’ ସହ ଏକାନ୍ତରେ ସାକ୍ଷାତ କଲେ । ଖୁବ୍ ଶ୍ରଦ୍ଧାର ସହ ସେ ରାଜାଙ୍କୁ ସେଇ ଫଳଟିକୁ ଦେଲେ ଏବଂ ପୁତ୍ର କାମନାରେ ଆଗ୍ରହ ପ୍ରକାଶ କଲେ- ଆପଣ ଆମର ରାଜା ଅଟନ୍ତି । ଆପଣଙ୍କର ତେଜସ୍ୱୀ, ଯଶସ୍ୱୀ ପୁତ୍ର ହେବ । ଏଥିରେ ଆମ୍ଭମାନଙ୍କର ହିଁ କଲ୍ୟାଣ ହେବ ।
ବିକ୍ରମ ଆଶ୍ଚର୍ଯ୍ୟଚକିତ ହୋଇ ପଚାରିଲେ : ତୁମ ପାଖକୁ ଫଳ ଆସିଲା କେଉଁଠୁ?
ବ୍ରାହ୍ମଣ ନିଶ୍ଚୁପ ରହିଗଲେ ।
ସତ ସତ କହିବ ।
ତା’ପରେ ସେ ବ୍ରାହ୍ମଣ କହିଲେ : ତା’ ପ୍ରେମିକା ଠାରୁ ତାକୁ ଫଳଟି ମିଳିଛି । ତା’ର ନିଜ ପତି ଉପରେ ଘୃଣା ରହିଛି… ।
ରାଜା ନିର୍ବାକ ରହିଗଲେ, ସ୍ତ୍ରୀର ବିଶ୍ୱାସଘାତକତାରେ ଖୁବ୍ ଦୁଃଖିତ ହେଲେ । ତା’ପରେ ସେ ଫଳଟିକୁ ନେଇ ନିଜ ପତ୍ନୀଙ୍କୁ ଦେଲେ ।
କିଛିଦିନ ପରେ ରାଜାଙ୍କ ନିକଟକୁ ରାଜନର୍ତ୍ତକୀ ଆସି କହିଲା : ମହାରାଜ ! ମୁଁ ତ ପାପିନୀ । ଆପଣଙ୍କ ରାଜ ଶାସନରେ ଖୁବ୍ ସୁଖରେ ଦିନ ଯାପନ କରୁଛି । ଆପଣଙ୍କର ବଂଶ ହିଁ ନିର୍ବିଘ୍ନରେ କାଳ କାଳ ଧରି ଚାଲିଥାଉ । ତେଣୁ ଏ ଫଳଟି ଆପଣଙ୍କୁ ଦେଉଛି… ।
ରାଜା ଫଳକୁ ଦେଖି ଚମକି ପଡ଼ିଲେ । ତୁମ ପାଖକୁ କେମିତି ଆସିଲା? ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ-
ମୋତେ ମହାମନ୍ତ୍ରୀଙ୍କ ପୁତ୍ର ଦେଇଯାଇଛନ୍ତି । ତାଙ୍କୁ ନିଜ ପ୍ରେମିକାଠାରୁ ମିଳିଥିଲା ।
ରାଜାଙ୍କ ମୁଣ୍ଡ ବିଗିଡି ଗଲା । ମହାମନ୍ତ୍ରୀଙ୍କ ପୁତ୍ରକୁ ଡକାଇଲେ, ସେ ଆସି ଜଣାଇଲା- ଫଳଟିକୁ ମହାରାଣୀ ଦେଇଛନ୍ତି… ସେ ଏବଂ ମହାରାଣୀ… କହୁ କହୁ ସେ ଅଟକିଗଲା ।
ରାଜା ବିକ୍ରମଙ୍କ ମନ ଏକପ୍ରକାର ଭାଙ୍ଗିଗଲା । ଉଦାସୀନତା ଖେଳିଗଲା । ତାଙ୍କ ମନ ବୈରାଗ୍ୟରେ ଭରିଗଲା… ସେ ରାଜ୍ୟ ଏବଂ ରାଜପ୍ରାସାଦ ଛାଡି ଚାଲିଗଲେ । ଜଙ୍ଗଲକୁ ଯାଇ ତପସ୍ୟା କରିବାରେ ଲାଗିଲେ ।
ରାଜା ବିକ୍ରମ ତ ଚାଲିଗଲେ । ଭଗବାନ ଇନ୍ଦ୍ର, ତାଙ୍କର ବିଶେଷ ଦୂତ ଅଗିଆ ବେତାଳକୁ ପଠାଇଦେଲେ । ସେ ରାଜା ବିକ୍ରମଙ୍କ ରୂପ ଧାରଣ କରି ରାଜ କାର୍ଯ୍ୟ କରିବାରେ ଲାଗିଲା । ଏହିପରି କାହାକୁ କିଛି ହେଲେ ପତ୍ତା ମିଳିଲା ନାହିଁ ।
କେତେବର୍ଷ ତପସ୍ୟା କରିବା ପରେ ରାଜା ବିକ୍ରମଙ୍କ ମନକୁ ଆସିଲା ଯେ, ଥରେ ନିଜ ରାଜ୍ୟକୁ ଯାଇ ନିଜ ପ୍ରଜାମାନଙ୍କର ହାଲ୍ ଦେଖି ଆସନ୍ତେ । ପ୍ରଜାମାନଙ୍କ ପ୍ରତି ସ୍ନେହଶ୍ରଦ୍ଧା ମନରେ ଲହଡି ଭାଙ୍ଗିଲା । ସେ ନିଜ ରାଜଧାନୀ ଆଡକୁ ଅଗ୍ରସର ହେଲେ । ରାଜଧାନୀ ଉଜ୍ଜୟିନୀରେ ପହଞ୍ଚିବା ବେଳକୁ ରାତି ହୋଇଗଲା ।
ରାତିରେ ସେ ନଗରୀରେ ପ୍ରବେଶ କଲେ । ଅଚାନକ ଅଗିଆ ବେତାଳ ତାଙ୍କୁ ରୋକି ଦେଲା । କିଏ ତୁ?
ମୁଁ ବିକ୍ରମାଦିତ୍ୟ । ତୁ କିଏ?
ମୁଁ ରାଜାଙ୍କ ଶାସନର ରକ୍ଷାକର୍ତ୍ତା । ମୋ’ ନାମ ଅଗିଆ ବେତାଳ ।
ମୁଁ ଏଠିକାର ରାଜା ।
ତେବେ ତୁ ରାଜା ବିକ୍ରମାଦିତ୍ୟ ଯଦି, ତେବେ ଆସି ଲଢ଼େଇ କର । ମୋତେ ପରାସ୍ତ କର ।
ହେ ରାଜା ଭୋଜ । ଅଗିଆ ବେତାଳର ଆହ୍ୱାନ ଶୁଣି, ରାଜା ବିକ୍ରମାଦିତ୍ୟ ତାହା ସ୍ୱୀକାର କରି ଯୁଦ୍ଧ କରିବାରେ ଲାଗିଲେ । କିଛି ସମୟ ପରେ ରାଜା ବିକ୍ରମାଦିତ୍ୟ, ନିଜର ସଂପୂର୍ଣ୍ଣ ପରାକ୍ରମ ପ୍ରଦର୍ଶନ କରି ଅଗିଆ ବେତାଳକୁ ପରାସ୍ତ କରିଦେଲେ । ଅଗିଆ ବେତାଳ ପରାଜୟ ସ୍ୱୀକାର କରି କହିଲା : ଜାଣିଗଲି, ତୁମେ ହିଁ ରାଜା ବିକ୍ରମାଦିତ୍ୟ । ହେଲେ ଶୁଣ- ତୁମ ଜୀବନ ପ୍ରତି ସଂକଟ ରହିଛି… ଜଣେ ଯୋଗୀ ତୁମକୁ ହତ୍ୟା କରି ରାଜ୍ୟ ଶାସନ କରିବା ଯୋଜନାରେ ଲାଗିଛି । ସେ ବେତାଳ ସାଧନା ଆରମ୍ଭ କରିଦେଇଛି । ତାକୁ ତତ୍କ୍ଷଣାତ୍ ମାରିଦିଅ ।
ସେ ଯୋଗୀ ଅଛି କେଉଁଠି?
ଗନ୍ଧମାର୍ଦନ ପର୍ବତର ପାଦଦେଶରେ ।
ରାଜା ବିକ୍ରମ ଗନ୍ଧମାର୍ଦନ ଆଡକୁ ମାଡ଼ି ଚାଲିଲେ । ଅଳ୍ପ ଦୂର ଯିବା ପରେ ଦୁର୍ଗମ ଅରଣ୍ୟ ଆରମ୍ଭ ହୋଇଗଲା? କିଛି ବାଟ ଅତିକ୍ରମ କରିବା ପରେ ଦେଖିଲେ- ସେଠି ଜଣେ ଯୋଗୀ ତପସ୍ୟାରତ ଥିଲେ । ତପସ୍ୟାରୁ ନିରତ ହେବା ପରେ ବିକ୍ରମଙ୍କୁ ସେ ଚିହ୍ନି ପାରିଲେ ନାହିଁ ।
ରାଜା ବିକ୍ରମ ତାଙ୍କର ଚେଲା ବନିଗଲେ । କିଛି ସମୟ ପରେ ଯୋଗୀ, ରାଜା ବିକ୍ରମଙ୍କୁ ବେତାଳକୁ ଆଣିବା ପାଇଁ ଆଦେଶ ଦେଲେ । ରାଜା ବିକ୍ରମ ବେତାଳକୁ ଆଣିବା ପାଇଁ ଚାଲିଗଲେ ।
ଘଞ୍ଚ ଅରଣ୍ୟରେ ଏକ ଦ୍ରୁମ ଡାଳରେ, ଓଲଟା ଓହଳି ରହିଥାଏ ବେତାଳ । ତାକୁ ଖୁବ୍ କଷ୍ଟରେ ନିଜ ଅକ୍ତିଆରକୁ ଆଣି ପାରିଲେ ରାଜା ବିକ୍ରମ । କାଳବିଳମ୍ବ ନକରି ସେ, ଯୋଗୀଙ୍କ ପାଖକୁ ଅଗ୍ରସର ହେଲେ ।
ମାର୍ଗରେ ବେତାଳ କହିଲା : ରାଜା ବିକ୍ରମ ! ତୁମେ କ’ଣ ବିଶ୍ୱାସ କରୁଛ ଯେ, ଯୋଗୀ ତୁମକୁ ଜାଣେ ନାହିଁ?
ହଁ ।
ଏହା ତୁମର ଭ୍ରମ । ସେ ତୁମକୁ ଖୁବ୍ ଭଲ ରୂପେ ଚିହ୍ନି ସାରିଛି । ସେ ତୁମକୁ, ଯେତେବେଳେ ତୁମେ ମୋତେ ନେଇଯିବ, ତେବେ ବଳି ଚଢ଼େଇ ଦେବ… । ବେତାଳ କହିଲା ।
ରାଜା ବିକ୍ରମ ନିଶ୍ଚୁପ ରହିଗଲେ ।
ତୁମେ ସାବଧାନ ରହିବା ଉଚିତ । ମୁଁ ତୁମର ବୀରତ୍ୱ ଉପରେ ପ୍ରସନ୍ନ । ତୁମେ ମୋ’ କଥା ମାନ । ଯଦି ଯୋଗୀକୁ ମାରିଦେବ, ତେବେ ତୁମ କାମ ସଫଳ ହୋଇଯିବ । ଆଉ ମୋର ମଧ୍ୟ ରକ୍ଷା ହେବ । ଯଦି ତୁମେ ମୋ’ ସ୍ଥାନରେ ତାକୁ ବଳି ଚଢ଼େଇ ଦେବ ତେବେ ମୁଁ ଆଜୀବନ ଅଗିଆ ବେତାଳ ସଦୃଶ ତୁମର ମଧ୍ୟ ସେବା କରିଦେଇପାରିବି ।
ରାଜା ବିକ୍ରମ ବେତାଳର କଥା ଶୁଣି ଚୁପ୍ ରହିଗଲେ ।
କିଛି ସମୟ ପରେ ଯୋଗୀ ନିକଟରେ ପହଞ୍ଚିଗଲେ । ଯୋଗୀ, ବେତାଳକୁ ଦେଖି ଖୁସି ହୋଇଗଲା । କହିଲା : ସାବାସ୍ । ତାକୁ ନଇଁପଡ଼ି ଓହ୍ଲେଇ ଦିଅ । ମୁଁ ତାକୁ ବଳି ଦେବି… ।
ରାଜା ବିକ୍ରମ ସମଝିଗଲେ- ଯଦି ସେ ନଇଁପଡ଼ିବେ ତେବେ ଯୋଗୀ, ତାକୁ ବଳି ଚଢ଼େଇ ଦେବ । ତକ୍ରାଳ ତା’ ବେକ କାଟିଦେବ… ।
ତା’ପରେ ରାଜା ବିକ୍ରମ ଯୋଗୀକୁ କହିଲେ : ମୁଁ ବହୁତ କ୍ଲାନ୍ତ ହୋଇପଡ଼ିଛି । ନଇଁ ପାରିବି ନାହିଁ । ଖୁବ୍ କଷ୍ଟ ଅନୁଭବ କରୁଛି । ୟାକୁ ତୁମେ ଟାଣିନିଅ…?
ଯୋଗୀ ସହମତ ହୋଇଗଲା । ସେ ଶିର ଉଠେଇବା ମାତ୍ରକେ ରାଜା ବିକ୍ରମ ନିଜ ତରବାରି ବାହାର କରି ତା’ କାମ ଶେଷ କରିଦେଲେ ।
ବେତାଳ, ରାଜା ବିକ୍ରମଙ୍କର ଜୟ ଜୟକାର କରିବାରେ ଲାଗିଲା । ଯୋଗୀ ହାତରେ ତା’ ବଳି ଅଟକିଗଲା । ସେ ନିଶ୍ଚୟ ଗଣ୍ଡିମୁଣ୍ଡ ଅଲଗା କରିଦେଇଥା’ନ୍ତା । ସେ ରାଜା ବିକ୍ରମଙ୍କୁ କହିଲା : ରାଜା ! ମୁଁ ତୁମ ସାଥିରେ ବରାବର ରହି ସାହାଯ୍ୟ କରିବି । ତୁମେ ମୋ’ ଜୀବନ ବଞ୍ଚେଇ ବଡ଼ ଉପକାର କରିଛ… ।
ସେତେବେଳେକୁ ଅଗିଆ ବେତାଳ ଆସିଗଲା । କହିଲା : ରାଜନ୍ ! ନିଜ ରାଜ୍ୟ ଶାସନ ସମ୍ଭାଳ । ମୋତେ ଆଦେଶ ଦିଅ, ମୁଁ ଟିକିଏ ବିଶ୍ରାମ ନିଏ । ଯେତେବେଳେ ତୁମେ ସ୍ମରଣ କରିବ, ମୁଁ ତୁମ ସହାୟତା ପାଇଁ ଆସି ପହଞ୍ଚିଯିବି ।
ହେ ରାଜା ଭୋଜ ! ଏହିପରି ଅଗିଆ ବେତାଳ ଏବଂ ବେତାଳ, ରାଜା ବିକ୍ରମଙ୍କର ଗୁପ୍ତରକ୍ଷକ ବନିଗଲେ ଏବଂ ତାଙ୍କ ସାଥିରେ ରହିଲେ ।
କ’ଣ ଏପ୍ରକାରର ଗୁଣ ତୁମ ନିକଟରେ ରହିଛି? ତୁମେ କ’ଣ ରାଜା ବିକ୍ରମଙ୍କ ପରି ଦାନୀ ଏବଂ ବୀର ? ଯଦି ସେପରି ତେବେ ଏ ସିଂହାସନ ଉପରେ ବସିପାର ।
ନିଜ କଥା କହିସାରି ଚିତ୍ରଲେଖା ଆକାଶକୁ ଉଡିଗଲା… । ରାଜା ଭୋଜ ଏବଂ ଦରବାରର ଲୋକେ ଆଶ୍ଚର୍ଯ୍ୟ ଚକିତ ଚାହାଣିରେ ଏସବୁ ଦୃଶ୍ୟ ଦେଖି ସ୍ତବ୍ଧ ପାଲଟି ଗଲେ, ରାଜା ଭୋଜଙ୍କ ନିକଟରେ ଚିତ୍ରଲେଖାର କଥାର ଉତ୍ତର ନଥିଲା ।
ରାଜା ଭୋଜ, ଏହାପରେ ଖୁବ୍ ଦ୍ୱନ୍ଦ୍ୱରେ ପଡ଼ିଗଲେ । ଏବେ କ’ଣ କରିବା ଉଚିତ୍? ଏହି ସିଂହାସନ ଉପରେ ବସିବାକୁ କିପରି ମିଳିବ? ସେ ତା’ପରେ ଉପବେଶନ କରିବାକୁ ଖୁବ୍ ଲାଳାୟିତ ଥିଲେ । ସେ ପଣ୍ଡିତଗଣଙ୍କଠାରୁ ପରାମର୍ଶ ଗ୍ରହଣ କଲେ । ସମସ୍ତେ ମିଳି ରାଜା ଭୋଜଙ୍କୁ ପରାମର୍ଶ ଦେଲେ- ରାଜା, ଆପଣ ପ୍ରୟାସ କରି ଚାଲନ୍ତୁ । ଅବଶ୍ୟ ଆପଣ ଏଥିରେ ସଫଳତା ଅର୍ଜନ କରିପାରିବେ!
ରାଜା ଭୋଜ ନିଜର ପ୍ରଯତ୍ନ ଜାରି ରଖି ସେହି ସିଂହାସନ ଉପରେ ଆସନୀ ହେବାକୁ ଉପାୟ ଚିନ୍ତା କରିବାରେ ଲାଗିଲେ ।