ଜୀବନ ଆରମ୍ଭରୁ
ଅନେକ ଚେଷ୍ଟା କଲି
ଏ ଜନ୍ମରେ
ଆପଣାର କରିପାରିଲିନି
ନିଜକୁ ।
ହତଭାଗ୍ୟ ହେଇ ରହିଗଲା
ସବୁ ସ୍ୱପ୍ନ, ଅଜସ୍ର ଲକ୍ଷ୍ୟ
ଆପେ ଆପେ
ଅଭିଶପ୍ତ ପାଲଟିଲା
ଆତ୍ମଲିପିର ଅସରନ୍ତି ପୃଷ୍ଠା,
କିଛି ହଜେଇ ଦେଇଛି
କିଛି ଚିରିଲାଣି,
ଆଉ କିଛି
ମିଳେଇବା ଅପେକ୍ଷାରେ
ମୋ ମୃତୁ୍ୟପଥକୁ
ଚାହିଁ ବସିଛନ୍ତି ।
ଛାତିରେ ପିଣ୍ଡୁଳା ହୋଇ ରହିଛି
ଜୀବନର ବଡ଼ ଦୁଃଖ
ସବୁଯାକ ଅବସୋସ
ଅନେକ ବର୍ଷ ପରେ ବି
ଭୁଲେଇ ପାରୁନି ମନ
ଲୁହରେ ବହିଯାଏ
ପିଲାଦିନ ସ୍ୱପ୍ନ ।
ଜହ୍ନ ଆଲୁଅରେ
ଛୁଇଁ ପାରିଲିନି ମନ
ଭଲ ପାଉଥିବା
ମଣିଷକୁ
ଦେଇପାରିଲିନି ସ୍ନେହ
ଅସମାପ୍ତ ରହିଗଲା
ଏଜନ୍ମର ବାସ୍ତବ ସୁଖ
ମିଳନର ପ୍ରତିବିମ୍ବ ।
ସେଇଥିପାଇଁ
ଜହ୍ନଠୁ ଦୂରରେ
ରହିବାକୁ ଇଚ୍ଛା ହୁଏ
ଆଲୁଅ ପଛରେ
ଅନ୍ଧକାର ଦେଖି
ଜୀବନ ବିତାଏ ।
ଏବେବି
ଛାତି ତଳେ
ସେଇମିତି ଅଛି
ଅକ୍ଷତ, ଅକ୍ଷୟ
ସାଇତା ପ୍ରେମର ସ୍ୱର ।
ଫାଟକ ସେପାଖରୁ
ଦେଖିଥିବା ଆଖିର
ଢେଉରେ
ଏବେବି ଦେଖୁଛି
ସେଦିନ ଆଙ୍କିଥିବା
ଫୁଲ ଫଗୁଣର ଚିତ୍ର ।
ଓଠ ତଳେ ହଜିଲା ଅତୀତ
ପାଲଟିଛି
ସମୟର ନିର୍ଜନ ଶବ୍ଦ ।
ଛାତି ତଳେ
ଯନ୍ତ୍ରଣାର ସ୍ୱର
ଗୁଣୁଗୁଣୁ ଗାଇଚାଲେ
ବେଦନାର ଗୀତ ।