ତୈଳ ସମୃଦ୍ଧ କୁଏତରେ ଜଣେ ମହିଳା ତାଙ୍କର ଘରେ କାମ କରୁଥିବା ଇଥିଓପିଆନ୍ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମର ଫିଲ୍ମ କରିବା ଘଟଣା ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି । କୁଏତ୍ରେ ବିଦେଶରୁ ପ୍ରାୟତଃ ଏସିଆ ମହାଦେଶର ୬ଲକ୍ଷରୁ ଊଦ୍ଧ୍ୱର୍ ମହିଳାମାନେ ଅର୍ଥ ଉପାର୍ଜନ ଉଦେ୍ଦଶ୍ୟରେ ସେଠାରେ ଘରେ ଚାକରାଣୀ ଭାବେ କାର୍ଯ୍ୟ କରିଥାନ୍ତି । ମାତ୍ର, ନିଯୁକ୍ତିଦାତାଙ୍କ ଅସହିଷ୍ଣୁ ଏବଂ କ୍ରୁର ସ୍ୱଭାବ ଏସବୁ କର୍ମଜୀବୀମାନଙ୍କୁ ନିର୍ଯାତନା ଦେବା ଘଟଣା ସବୁ ସମୟରେ ପ୍ରକାଶ ପାଏନାହିଁ । ଇଥିଓପିଆନ୍ ମହିଳାଜଣଙ୍କ ସାତତାଲା କୋଠା ଉପରକୁ ଯାଇ ରଶି ମାଧ୍ୟମରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା ତାଙ୍କର ନିଯୁକ୍ତିଦାତା ମହିଳାଜଣଙ୍କ ଜାଣିଲେ ମଧ୍ୟ ସେଥିରୁ ତାଙ୍କୁ ନିବୃତ୍ତ ରହିବାକୁ ପରାମର୍ଶ ନଦେଇ, ଏ ଘଟଣାର ଫଟୋଚିତ୍ର ଉତ୍ତୋଳନ କାର୍ଯ୍ୟରେ ଲିପ୍ତ ରହିଲେ । ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରୁଥିବା ମହିଳାଜଣଙ୍କର ହୃଦୟରେ ପରିବର୍ତ୍ତନ ହୋଇଛି ଏବଂ ବଞ୍ଚିବାକୁ ଇଚ୍ଛାପ୍ରକାଶ କରି ସାହାଯ୍ୟ କରିବାକୁ ଉଚ୍ଚସ୍ୱରରେ ସମସ୍ତଙ୍କୁ ଡାକ ଛାଡ଼ିଛନ୍ତି । ତାଙ୍କ ଡାକ ଶୁଣି କିଛି ବ୍ୟକ୍ତି ମହିଳାଙ୍କୁ ବଞ୍ଚାଇବାକୁ ପାରାମିଲିଟାରୀ ପୋଲିସ୍ ଡକାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ମାଲିକାଣୀ ମହିଳାଜଣକ କିନ୍ତୁ ତାଙ୍କ ଫିଲ୍ମ କାର୍ଯ୍ୟ ବନ୍ଦ କରିନଥିଲେ । ସେଥିପାଇଁ ତାଙ୍କୁ କୁଏତ୍ର ପୋଲିସ ଅବଶ୍ୟ ବନ୍ଦୀ କରିଛନ୍ତି ।
ଆହୁରି ବିଚିତ୍ର ଘଟଣା ଘଟିଛି ମଧ୍ୟପ୍ରଦେଶର ଗୁଣ ଜିଲ୍ଲାରେ ଥିବା ବଞ୍ଜରା ଅଧିବାସୀମାନଙ୍କ ଇଲାକାରେ । ଜଗଦୀଶ ବଞ୍ଜରା ତିନିବର୍ଷ ପୂର୍ବେ ଗୋଟିଏ ଗାଈକୁ ମାରିଥିବା ଅପରାଧରେ ତାଙ୍କର ଗୋଷ୍ଠୀ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଆଲାହାବାଦ ଆସି ଗଙ୍ଗାରେ ସ୍ନାନ କରି ତାଙ୍କ ଗ୍ରାମରେ ଥିବା ତାଙ୍କ ଗୋଷ୍ଠୀର ସମସ୍ତ ପରିବାରଙ୍କୁ ମାଂସଭୋଜନ କରାଇ ତୃପ୍ତ କରାଇଥିଲେ । ଅନେକ ମନ୍ଦିର ବୁଲି ପୂଜାର୍ଚ୍ଚନା କରିବାକୁ ତାଙ୍କୁ ପଞ୍ଚାୟତ ତରଫରୁ କୁହାଗଲା । ସେ ତାହାକୁ ମାନି ସବୁ ମନ୍ଦିର ବୁଲିଲେ । ଏବେ କିନ୍ତୁ ସେ ନିଷ୍ପତ୍ତି ସବୁ ପରିବର୍ତ୍ତନ ହୋଇଗଲା । ଗାଈ ମରିବାର ତିନିବର୍ଷ ବିତି ଯାଇଥିଲେ ମଧ୍ୟ ଏବଂ ପଞ୍ଚାୟତର ସମସ୍ତ ନିଦେ୍ର୍ଦଶକୁ ମୁଣ୍ଡପାତି ସହିଥିଲେ ମଧ୍ୟ, ଏବେ ତାକୁ ତାଙ୍କର ଏକମାତ୍ର ୭ବର୍ଷର କନ୍ୟାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଛି । ଏ ନିଷ୍ପତ୍ତି ଦେଶରେ ଚହଳ ସୃଷ୍ଟି କରିଛି । ମଧ୍ୟପ୍ରଦେଶ ସରକାର ଏହି ଖବର ପାଇଲା ପରେ ଅବଶ୍ୟ କିଛି ଅଫିସର ଏବଂ ପୋଲିସକୁ ସେ ଗ୍ରାମକୁ ପଠାଇଛନ୍ତି । କିନ୍ତୁ, ସଭ୍ୟ ଶିକ୍ଷିତ ସମାଜରେ ଏସବୁ ଘଟୁଥିବା ଘଟଣା ସାମ୍ନାକୁ ଆସିଲେ ବ୍ୟକ୍ତି ଚରିତ୍ର ନୁହେଁ ଗୋଷ୍ଠୀ ଚରିତ୍ର ଏ ଦେଶରେ କେଉଁ ଦିଗକୁ ଧାଉଁଛି, ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ।
ସେହିପରି ଆମେରିକାର ଏକ ଘରୋଇ ଉଡାଜାହାଜର ଜଣେ ଉତ୍ତ୍ୟକ୍ତ ପରିଚାରିକା ଜଣେ ଯାତ୍ରୀଙ୍କୁ ତାଙ୍କ ଶିଶୁ ସନ୍ତାନର ଷ୍ଟୋକ୍ରରେ ମାଡ଼ ମାରିବା ଘଟଣାର ଫଟୋଚିତ୍ର ଫେସ୍ବୁକ୍ରେ ସଂପ୍ରସାରିତ ହୋଇଛି । ନ୍ୟୁୟର୍କ ଡେଲି ଏ ଘଟଣାର ବିବରଣୀ ପ୍ରକାଶ କଲାପରେ, କର୍ମଚାରୀ ପରିଚାଳିକା ଜଣଙ୍କୁ ଅବଶ୍ୟ ନିଲମ୍ବିତ କରାଯାଇଛି । ମାତ୍ର, ଜଣେ ମା’ ତାଙ୍କର ସନ୍ତାନକୁ ଧରି ଯେପରି ଭୟଭୀତ ଅବସ୍ତାରେ ଉଡାଜାହାଜରୁ ଅବତରଣ କରୁଛନ୍ତି, ସେ ଦୃଶ୍ୟ ଆଜି ସମସ୍ତେ ଦେଖିପାରୁଛନ୍ତି । ସମସ୍ତ ଯାତ୍ରୀଙ୍କ ହାତରେ ସ୍ମାର୍ଟଫୋନ୍ ଥିବାରୁ, ଏ ସବୁ ଘଟଣାର ଫଟୋଚିତ୍ର ଉତ୍ତୋଳନ ଏବଂ ଫେସ୍ବୁକ୍ ମାଧ୍ୟମରେ ଏହାର ପ୍ରସାରଣ ଖୁବ୍ କମ୍ ସମୟ ବ୍ୟବଧାନରେ ହୋଇପାରୁଛି ସତ, ମାତ୍ର ଯେଉଁ କ୍ଷୀପ୍ରତାରେ ମଣିଷର କ୍ରୋଧ ଅନ୍ୟଜଣକୁ ନିଃସହାୟ ଅବସ୍ଥାରେ ପକାଉଛି, ତାହା କୌଣସି ଦଣ୍ଡ ମାଧ୍ୟମରେ ବ୍ୟକ୍ତି ଚରିତ୍ରକୁ ପରିବର୍ତ୍ତନ କରିପାରୁନାହିଁ ।
khub bhala lagila
ଧନ୍ୟବାଦ