ଭୂତ କଥା
ଆମେ ସ୍କୁଲରେ ସମୟ ପାଇଲେ ଗପସପରେ ଯେ ମାତିଯାଉଥିଲୁ, ସେଇ ସବୁ ଗପର ବିଷୟବସ୍ତୁ ଭିତରେ ଭୂତର ଭୂମିକା ଥିଲା ସର୍ବାଧିକ । କୋଉ ଗାଁରେ କୋଉ ଦିନ ଭୂତ ମାତିଥିଲା ତା’ର ରୋଚକ ଧାରା ବିବରଣୀ ବର୍ଣ୍ଣନା କରୁଥିଲା ସେଇ ଗାଁର ପିଲା । ମୁଁ ସେସବୁ କାହାଣୀ ଶୁଣି ଡରୁଥିଲି କିନ୍ତୁ ଶୁଣିବାର ଉକ୍ରଣ୍ଠା ବଢ଼ିବାରେ ଲାଗିଥିଲା ।
ଭାସ୍କର ମତ ଦେଇଥିଲା ଯେ, ସବୁ ଭୂତଙ୍କ ଭିତରେ ବଳୁଆ ହେଲା ଗରାଭୂତ ।
ମୁଁ ପଚାରିଥିଲି : ଏ ଗରାଭୂତଟା କିଏ?
ଭାସ୍କର ବୁଝାଇଲା : ଏ ଭୂତଟା ଛାଡ଼ିଲା ବେଳକୁ ଗରାଟାଏ ଦାନ୍ତରେ କାମୁଡ଼ି ନେଇ କି ଯିବ । ଗରାଟା ପୁଣି ପାଣି ଭର୍ତ୍ତି ।
ଆମେ ସମସ୍ତ ଶ୍ରୋତା ଆଖି ବଡ଼ବଡ଼ କରି କହିଥିଲୁ : ଗରାଏ ପାଣି ନେବ । ପୁଣି ଦାନ୍ତରେ ବୋହିକି?
ଭାସ୍କର ସୂଚନା ଦେଇଥିଲା ଯେ, ଦାନ୍ତରେ ଗରାଧରି ସେ କୋଶେ ବାଟ ଦଉଡ଼ିବ । ତା’ପରେ ଗାଁଠୁ ଦୂରକୁ ଯାଇ ବିଲ ଭିତରେ ଗରା ଫୋପାଡ଼ି ସେଇଠି ପଡ଼ିବ । ଯୋଉ ଲୋକ ଦେହରେ ଲାଗିଥିବ, ତାକୁ ଛାଡ଼ି ପଳେଇବ ।
ଯୋଗିଆ ପଚାରିଥିଲା : ଏ କଥା କ’ଣ ସତ?
ଭାସ୍କର ଆଖିଛୁଇଁ କହିଥିଲା : ତ୍ରିବାର ସତ୍ୟ । ମୁଁ ନିଜେ ଦେଖିଚି ।
ମୁଁ ଆଗ୍ରହ ପ୍ରକାଶ କଲି : ମୁଁ ବି ଦେଖିବି!
ଭାସ୍କର ପ୍ରତିଶ୍ରୁତି ଦେଇ ଦେଲା : ଯେବେ ଆମ ଗାଁରେ ଭୂତ ଲାଗିବ, ସେଇଦିନ ତମକୁ ଦେଖାଇଦେବି ।
ମାତ୍ର ଏଇ ଦେଖାଦେଖିଟା ଖୁବ୍ଶୀଘ୍ର ଘଟିପାରିଲା ନାହିଁ । କେବେକେବେ ଭୂତ ଲାଗୁଥିଲା, ଆମେ ଗହଳି କରିଥିବା ଲୋକମାନଙ୍କୁ ଡେଇଁ ଆଗରେ ଠିଆ ହେଉଥିଲୁ । ବୟସ୍କ ଲୋକମାନେ ଆମକୁ ଜାଗା ଛାଡ଼ି ଚାଲିଯିବାକୁ ଧମକ ଦେଉଥିଲେ । ଆମେ ସେଠୁ ଫେରିଆସୁଥିଲୁ । ଅମାନିଆ ହୋଇ ପୁଣି ଲୁଚିକି ଦେଖୁଥିଲୁ । ଗୁଣିଆ ଭୂତ ଝାଡୁଥିଲା । କିନ୍ତୁ ସବୁ କ୍ଷେତ୍ରରେ ପାଣିଗରା କାମୁଡ଼ିବା ପୂର୍ବରୁ ଭୂତ ସେଇଠୁ ହିଁ ଛାଡ଼ି ପଳଉଥିଲା । ଗୁଣିଆର ମନ୍ତ୍ରପଢ଼ା ଓ ଗୋଟାଏ ଦୁଇଟା ବେତମାଡ଼ ପରେ ଭୂତ ପରାକ୍ରମ ହ୍ରାସ ପାଉଥିଲା ଓ ମନ୍ଦାରମାଳ ବେକରେ ପକେଇ, ମଥାରେ ସିନ୍ଦୂର ବୋଳି ନିଜେ ଗୋଟାଏ ଭୂତ ଭଳି ଦିଶୁଥିବା ଗୁଣିଆ ପାଦତଳେ ମୁଣ୍ଡିଆ ମାରି ଭୂତ ପରାଜୟ ସ୍ୱୀକାର କରୁଥିଲା । ଗୁଣିଆ ବିଜୟର ହସ ହସୁଥିଲା ଓ ଭୂତ ଛାଡ଼ିଗଲା ବେଳେ ଲାଗିଥିବା ସ୍ତ୍ରୀଲୋକ ମୂର୍ଚ୍ଛା ଯାଉଥିଲା ।
ମୁଁ ଭାସ୍କରକୁ ପଚାରୁଥିଲି : ଏ ପାଣିଗରା କେତେବେଳେ ଟେକିବ ।
ଭାସ୍କର ଅସନ୍ତୁଷ୍ଟ ହେଲା ଭଳି କହୁଥିଲା : ଏଟା ଜମାରୁ ଗରାଭୂତ ନୁହଁ । ଏ ପାଣିଗରା କ’ଣ ଢାଳଟାଏ ବି ଟେକିପାରିବ ନାହିଁ । ଦେଖିଲୁ ତ ଗୋଟାଏ ଦି’ଟା ବେତମାଡ଼ରେ କେମିତି ପଳେଇଗଲା ।
ଯୋଗିଆ କହିଲା : ଦୁର୍ବଳିଆ ଭୂତଟା ।
ମୁଁ ଦୁଃଖିତ ସ୍ୱରରେ କହିଲି : ଗରାଭୂତ ସହିତ ତେବେ କ’ଣ ଦେଖା ହୋଇପାରିବ ନାହିଁ ।
ଭାସ୍କର ନିର୍ଭର ପ୍ରତିଶ୍ରୁତି ଦେଇ କହୁଥିଲା : ମୁଁ ଦେଖେଇଦେବି । ଦିନେ ନା ଦିନେ ତମମାନଙ୍କୁ ଗରାଭୂତ ଦେଖାଇଦେବି । ତୁମେ ନିଜେ ଦେଖିବ କେମିତି ଦାନ୍ତରେ ପାଣିଗରା ଧରି ଭୂତ ଗହୀର ବିଲରେ ଦଉଡ଼ିଯିବ । ଦେଖିଲେ ଯାଇ ବିଶ୍ୱାସ କରିବ ।
ଏତିକିବେଳେ ଗୋଟେ ଖବର ମିଳିଲା ଯେ ଗଣୁପଣ୍ଡାର ଲୁଗା ଦୋକାନରୁ ଚୋରି ହୋଇଛି । ତାଙ୍କ ଦୋକାନର ପଛକାନ୍ଥ ଭାଙ୍ଗି ଚୋର ଥାନଥାନ ଲୁଗା ନେଇଯାଇଛି । କଥାଟା ଆମ ସ୍କୁଲ୍ରେ ମଧ୍ୟ ଆଲୋଚନା ହୋଇଥିଲା ।
ବିଶୁ କହିଥିଲା : ଆମ ଦାଦି କହୁଥିଲା, ଏ କଥା କୋଉଁଠି ପାଞ୍ଜିରେ ଲେଖା ହୋଇଚି ।
ଆମେ ପଚାରିଲୁ : କ’ଣ ଲେଖା ହୋଇଚି!
ବିଶୁ କହିଲା : ପାଞ୍ଜିରେ ଲେଖାହୋଇନି, ଚୋରି ଡକାୟତି ବଢ଼ିବ!
ମୁଁ କଥାଟାକୁ ଫୁକ୍ରାରରେ ଉଡେଇଦେଲି ।
କହିଲି : ଏକଥା ଗତବର୍ଷ ପାଞ୍ଜିରେ ବି ଲେଖା ହୋଇଥିଲା ।
ସମସ୍ତେ ମୋତେ ଘେରିଗଲେ ।
: ତୁ କ’ଣ ପାଞ୍ଚି ପଢ଼ିଚୁ? ଗତବର୍ଷର ପାଞ୍ଜି ତୁ କୋଉଠୁ ପାଇଲୁ?
ମୋ ପାଖରେ ପ୍ରକୃତରେ ଗୋଟେ ପୁରୁଣାବର୍ଷର ପାଞ୍ଜି ଥିଲା । ସେଇ ପାଞ୍ଜିର ଶେଷପୃଷ୍ଠା ଆଡ଼କୁ ଡାକଯୋଗେ ମେଜିକ ଶିକ୍ଷା, ତନ୍ତ୍ରମନ୍ତ୍ର ଶିକ୍ଷା, ବଶୀକରଣ ବିଦ୍ୟା ପ୍ରଭୃତିର ବିଜ୍ଞାପନ ବାହାରିଥିଲା । ମୁଁ ସେଟାକୁ ସାଇତି କରି ରଖିଥିଲି ଓ ଡାକଯୋଗେ ତନ୍ତ୍ରଶିକ୍ଷା କରିବାର ସ୍ୱପ୍ନ ଦେଖୁଥିଲି । ତନ୍ତ୍ରମନ୍ତ୍ର ଶିକ୍ଷା ସରିଗଲେ ମୁଁ ମଧ୍ୟ ଡଜନେ ଭୂତକୁ ସାଧ୍ୟ କରିପକାଇବି । ଏପରି ବିଶ୍ୱାସ ମୋ’ ଭିତରେ କ୍ରମେ ଜାଗ୍ରତ ହେଉଥିଲା ।
ବାହାସ୍ପୋଟ ମାରି କହିଲି : ମୁଁ ବି ପାଞ୍ଜିପଢ଼େ । ଗୁରୁଜୀ ପରା ସେଦିନ ସ୍କୁଲ୍ରେ କହୁଥିଲେ, ଖାଲି ପଢ଼ାବହି ଘୋଷିଦେଲେ ହେବନି, ବାହାରର କିଛିକିଛି ବହି ବି ପଢ଼ିବାକୁ ପଡ଼ିବ । ଜ୍ଞାନ ବଢ଼ିବ ।
ସେମାନେ ସମସ୍ତେ ମିଳିତ ସ୍ୱରରେ କହିଲେ : ଆମକୁ ବି ପୁରୁଣା ପାଞ୍ଜି ଦେ’ । ଆମେ ବି ପଢ଼ିବୁ!
ମୁଁ ସେମାନଙ୍କୁ ପୁରୁଣା ପାଞ୍ଜି ପଢ଼ିବାକୁ ଦେବି ବୋଲି ପ୍ରକାଶ୍ୟରେ ସମ୍ମତି ଜଣାଇଲି, କିନ୍ତୁ ମନେମନେ ସ୍ଥିର କରିନେଲି, ଏମାନଙ୍କୁ କଦାଚ ପାଞ୍ଜି ଦେଖାଇବି ନାହିଁ । ଏମାନେ ଯଦି ଡାକଯୋଗେ ତନ୍ତ୍ରମନ୍ତ୍ର ଶିକ୍ଷାର ବାଟ ପାଇଯାଆନ୍ତି, ତେବେ ସର୍ବନାଶ ହେବ । ମୋର ତାନ୍ତ୍ରିକ ବନିବାର ସ୍ୱପ୍ନ ଭୁଷୁଡ଼ି ପଡ଼ିବ । ଏଥର କଥା ମୋଡ଼ ବଦଳାଇବାକୁ ଯାଇ କହିଲି : ଗଣୁପଣ୍ଡା ଲୁଗାଦୋକନରୁ ଯେ ଚୋରି ହେଲା, ଚୋରିଟା କିଏ କରିଥିବ ବୋଲି ଭାବୁଚ?
ସେମାନେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଲେ । ଯେମିତିକି ମୁଁ ଗୋଟାଏ ପୋଲିସବାଲା । ଚୋର ଧରିବାବାଲା ଅବା ବିଶିଷ୍ଟ ଗୋଟାଏ ଗୋଇନ୍ଦା ।
ମୁଁ କହିଲି : ଏଇଟା ଚୋର ନୁହଁ, ଭୂତମାନଙ୍କ କାରସାଦି ।
ସେମାନେ ଆଶ୍ଚର୍ଯ୍ୟ ଦିଶିଲେ । ଆତଙ୍କିତ ବି ।
ପଚାରିଲେ : ଭୂତ କ’ଣ ଚୋରି କରିପାରେ!
ମୁଁ ମୋର ତାନ୍ତ୍ରିକ ମନର ସାମାନ୍ୟ ଝଲକ ଦେଖାଇଲି ।
କହିଲି : ଗଣୁପଣ୍ଡା ଦୋକାନରେ କି ରକମର ଲୁଗାପଟା ଥିଲା ଜାଣିଚ ତ? ଗୋଟାଏ ଭଲା ରଙ୍ଗିନ ଲୁଗା ଥାଆନ୍ତା? ସେ ଖାଲି ଧଳାଲୁଗା ଗାମୁଛା ରଖିଥାଏ । ଲୋକମାନେ କିଏ କୁଟୁମ୍ବ ମରିଗଲେ ସେଇଠୁ ଧଳାଲୁଗା କିଣନ୍ତି । ଦଶକର୍ମରେ ଲଗାନ୍ତି ।
ସେମାନେ ସେମିତି ସନେ୍ଦହ ଭିତରେ ଥାଇ ପଚାରିଲେ : ତ?
ମୁଁ ବୁଝାଇଦେଲି : ଧଳାଲୁଗା ପିନେ୍ଧ କିଏ? କେବଳ ଭୂତମାନେ ହିଁ ପିନ୍ଧନ୍ତି ।
ଏତେ ଧଳାଲୁଗା ଭୂତମାନେ ପାଇବେ କୋଉଠୁ? ମୋର ପୂରାପୂରି ବିଶ୍ୱାସ ଏଇମାନେ ହିଁ ଚୋରି କରିଛନ୍ତି ।
ସେତେବେଳେ ଆମେ ଯେତେସବୁ ଭୂତଗପ ଶୁଣୁଥିଲୁ, ସବୁଥିଲେ ଗୋଟାଏ ଭୂତୁଣୀ ଧଳାଲୁଗା ପିନ୍ଧି, ବାଳ ମୁକୁଳା କରି ଗାଁ ଗୋହିରି ଦେଇ ଚାଲିଯାଉଥିବାର ଦୃଶ୍ୟଥାଏ । ତେଣୁ ମୋର ସନେ୍ଦହକୁ ସାଙ୍ଗମାନେ ସମର୍ଥନ କରିଗଲେ ।
ତେବେ ଯୋଗିଆ ଗୋଟାଏ ସଂଶୋଧନ କରିଦେଲା ।
କହିଲା : ତେବେ ଚୋରି ଭୂତମାନେ ନୁହେଁ । ଭୂତୁଣୀମାନେ କରିଥିବେ । ଧଳାଲୁଗା ପିନ୍ଧି କେବଳ ଭୂତୁଣୀମାନେ ବୁଲୁଥାଆନ୍ତି । କୋଉ ଭୂତ ଧଳାଲୁଗା ପିନ୍ଧି ବୁଲିବାର ଶୁଣାନାହିଁ ।
ମୁଁ ତା’ କଥାରେ ଏକମତ ହୋଇଗଲି ।
କହିଲି : ଅବଶ୍ୟ ତୋ କଥା ସତ! ଏକାଣ୍ଡ କାରଖାନା ନିଶ୍ଚୟ ସେଇ ଭୂତୁଣୀମାନଙ୍କର ।
ସେତେବେଳେ ଆମ ଗ୍ରାମାଞ୍ଚଳରେ ଭୂତ-ଭୂତୁଣୀମାନଙ୍କର ପ୍ରାଦୁର୍ଭାବ ବହୁତ ବେଶି । ଇଲେକ୍ଟି୍ରସିଟି ଆସିନଥାଏ । ରାତି ଆଠଟା ନଅଟା ବେଳକୁ ଲୋକମାନେ ଶୋଇଯାଆନ୍ତି । କିରୋସିନି ବେଶି ମିଳେନା । ତେଣୁ ଲୋକେ ଲଣ୍ଠନ ବା ଡିବିରି ବେଶି ଜଳାନ୍ତି ନାହିଁ । ତେଣୁ ଖୁବ୍ଶୀଘ୍ର ଗାଁଟି ଅନ୍ଧାର ଭିତରେ ଡୁବିଯାଏ । ଅନ୍ଧାର ଯେତେବଢ଼େ, ଭୂତ ଭୂତୁଣୀମାନଙ୍କ ଦୌରାତ୍ମ୍ୟ ସେତେ ବଢ଼ିବାରେ ଲାଗେ । ମାସେ ପନ୍ଦର ଦିନରେ ଖବର ଆସେ, ଅମୁକ ସାଇରେ ଭୂତ ଲାଗିଛି ଜଣକୁ । ସମୁକ ସାଇରେ ତାନ୍ତ୍ରିକ ଆସି ପୂଜା ବସାଇଲାଣି । ଅମୁକ ଦିନ ରାତିରେ ଭୂତୁଣୀଟାଏ ଧଳାଶାଢ଼ି ପିନ୍ଧି ଚାଲିଚାଲି ଯାଉଥିଲା, ତା’ର ପାଦ କିନ୍ତୁ ମାଟିରେ ଲାଗୁନଥିଲା । ବାଳମୁକୁଳା, ଦାନ୍ତଗୁଡ଼ିକ ମଲ୍ଲୀଫୁଲ ଭଳି ଶୁଭ୍ର । ସେ ମଝିରେ ମଝିରେ ହସୁଥିଲା ଦାନ୍ତ ଦେଖାଇ ।
ଏତେ ସବୁ କାହାଣୀ ଶୁଣୁଥିଲେ ବି, ସ୍କୁଲରେ ଆଲୋଚନା ହେଉଥିଲେ ବି, ସେମାନଙ୍କ ସହିତ ଚାକ୍ଷୁସ ସାକ୍ଷାତ ହୋଇପାରିନଥିଲା ଓ ମୁଁ ମନେ ମନେ ସଂକଳ୍ପ ନେଉଥିଲି ଯେ ଡାକଯୋଗେ ତନ୍ତ୍ରମନ୍ତ୍ର ଶିକ୍ଷା ବହିଟି ଆସିଗଲା ପରେ ଭୂତପ୍ରେତଙ୍କୁ ବଶ କରିବା କାର୍ଯ୍ୟ ଆରମ୍ଭ କରିବି ।
ସେଦିନ ଭାସ୍କର ଆସି ଖବର ଦେଲା ଯେ ଜେନାସାହିରେ ଗୋଟାଏ ଭୂତ ଲାଗିଛି ।
ମୁଁ ପଚାରିଲି : ଗରାଭୂତ?
ସେ କହିଲା : ସେକଥା ଏବେଠୁ କହିହେବନି ।
: ତେବେ?
: ଶେଷ ବେଳକୁ ଜଣାପଡ଼ିବ, ଯଦି ସେ ଗରା ଉଠାଏ!
ମୁଁ କହିଲି : ତେବେ ଚାଲ ଯିବା! ବିଳମ୍ବରେ ନାହିଁ ପ୍ରୟୋଜନ ।
ଆମେ ଘଟଣାସ୍ଥଳୀରେ ପହଞ୍ଚିଲା ବେଳକୁ ଜଣକ ଅଗଣାରେ ଭୂତ ଝଡ଼ା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଗୋଟାଏ ଦୁବଲା ପତଲା ଲୋକ ବେକରେ ମାଳି ଗୁଡାଏ ପକାଇ, କଳାଲୁଗା ପିନ୍ଧି ସେଠି ବି ହ୍ଲୀ କ୍ଲୀ ନାଦ କରୁଥିଲା । ନିଃସନେ୍ଦହରେ ତାକୁ ଚିହ୍ନଟ କରାଯାଇପାରେ ଗୁଣିଆ ବୋଲି । ତା’ର ଚେହେରା ଓ ବେଶଭୂଷାରୁ ତାକୁ କେହି କେହି ଜୀଅନ୍ତା ଭୂତ ଭାବି ପାରନ୍ତି । ମାତ୍ର ସେ ଥିଲା ଗୁଣିଆ ଓ ଗୋଟାଏ ପିଢ଼ା ଉପରେ ସ୍ଥାପନ କରିଥିବା ତା’ର ମଣିଷ ଖପୁରି ଉପରକୁ ସେ ମନ୍ଦାରଫୁଲ ଓ ହଳଦୀ ମିଶା ଚାଉଳ ପିଙ୍ଗି, ଧୂପ ନିଅାଁ ଦେଇ ଏକ ଭୟଙ୍କର ପରିବେଶ ସୃଷ୍ଟି କରିଥିଲା । ଯୋଉଟାକୁ ମଣିଷ ଖପୁରି ବୋଲି କୁହାଯାଉଥିଲା, ସେଟା କଳାରଙ୍ଗର ଥିଲା ଓ ଅପେକ୍ଷାକୃତ ଛୋଟ ଥିଲା । ଅନୁମାନ କରାଯାଇପାରେ ଯେ, ଯଦି ତାହା ମଣିଷ ଖପୁରି, ତେବେ ତାହା ଶିଶୁଟିଏର ହିଁ ହୋଇଥିବ । ସେ ମୁହଁରେ ମେଞ୍ଚାଏ ସିନ୍ଦୂର ବୋଳିଥିଲା ଓ ମଝିରେ ମଝିରେ ଗଞ୍ଜେଇ ଟାଣୁଥିଲା ।
ମୁଁ ଅନୁଚ୍ଚ ସ୍ୱରରେ ପଚାରିଲି ଭାସ୍କରକୁ : ଭୂତ କାହିଁ?
ଭାସ୍କର କହିଲା : ଭୂତ ଘର ଭିତରେ ଅଛି । ଏବେଏବେ ତାକୁ ଏଠିକି ଅଣାଯିବ ।
ମୁଁ ଚାରିଦିଗକୁ ଚାହିଁଲି । ଗୋଟାଏ ଦରଜା ଭିତରପଟୁ ବନ୍ଦ ଥିଲା । ସେଟାକୁ ଭୂତର ଘର ବୋଲି ମନେକଲି । ଅଗଣାସାରା ଲୋକ ଭର୍ତ୍ତି!
ଭାସ୍କର କହିଲା : ଏଇଟା ଗରାଭୂତ ହୋଇପାରେ!
ମୁଁ ପଚାରିଲି : କେମିତି ଜାଣିଲୁ?
ସେ ଗୋଟାଏ ଗରା ଆଡକୁ ଇସାରା କଲା । ପାଣି ଭର୍ତ୍ତି ଗରାଟାଏ ଥୁଆ ହୋଇଥିଲା ଅନତି ଦୂରରେ ।
ଭାସ୍କର କହିଲା : ଏଇ ପାଣିଗରାକୁ ଟେକିବାକୁ କୁହାଯିବ ଭୂତକୁ ।
ଯଦି ଟେକି ନପାରିଲା ବହେ ମାଡ଼ ଖାଇବ ।
ମୁଁ ପଚାରିଲି : ଯଦି ଟେକି ପାରିଲା?
ଭାସ୍କର ଅଭିଜ୍ଞ ଲୋକ ଭଳି ଶୁଣାଇଲା : ଯଦି ଟେକିପାରିବ ତେବେ ତାକୁ ଧରି ଗହୀର ଆଡକୁ ଦୌଡ଼ିବ । ଗହୀରରେ ପଡ଼ିଯିବ । ସେଇଠୁ ଭୂତ ଛାଡ଼ି ପଳେଇବ ।
: ତା’ପରେ କ’ଣ ହେବ?
: ହେବ ଆଉ କ’ଣ? ଭୂତ ଛାଡ଼ିଗଲା ପରେ ସମସ୍ତେ ଯେଝା ଘରକୁ ଯିବେ । ଗୁଣିଆ ଗାଁ ମୁଣ୍ଡରେ ବରଗଛରେ କଣ୍ଟାପୋତି ଭୂତକୁ ବାନ୍ଧିଦେବ । ଯେମିତି ସେ ଆଉ ଗାଁ ଭିତରକୁ ପଶି ନଆସେ । କାହାରିକୁ ହଇରାଣ କରିନପାରେ । ଏବେ ଗୁଣିଆର ପ୍ରାରମ୍ଭିକ ପୂଜା ସରିଥିଲା । ସେ ଖୁବ୍ ଉନ୍ନତ ଦିଶୁଥିଲା ।
ଘୋଷଣା କଲା : ତାକୁ ଆଣ?
ଏବେ ଲୋକମାନେ ଭୂତ ଲାଗିଥିବା ଲୋକକୁ ଆଣିବାକୁ ଗଲେ । ବନ୍ଦ ପଡ଼ିଥିବା ଦରଜା ଖୋଲିଲା । ଘରର ଅନ୍ଧାରି କୋଣରୁ ଟଣା ହୋଇ ଆସିଲା ଗୋଟାଏ ସ୍ତ୍ରୀଲୋକ । ବୟସ ବେଶି ନୁହେଁ । ହାତ ବନ୍ଧା ହୋଇଥିଲା । ସେ ଭିଡ଼ିମୋଡ଼ି ହେଉଥାଏ ।
ତାକୁ ସାମ୍ନାରେ ଦେଖିବା ପରେ ଗୁଣିଆ କହିଲା : ତାକୁ ଛାଡ଼ିଦିଅ । ହାତର ଦଉଡ଼ି ଖୋଲିଦିଅ । ସେ ମୋତେ ବଳେଇବ ନାହିଁ । କେତେ କେତେ ମହାଭୂତଙ୍କୁ ମୁଁ ସାବାଡ଼ କରିଛି ।
ସ୍ତ୍ରୀଲୋକଟି ସାମ୍ନାରେ ଚୁପ୍ଚାପ ବସିଥାଏ । ମୁହଁ ପୋତି, ଲୁଗାପଟାକୁ ଜାକିଜୁକି ଧରିଥାଏ ।
ଗୁଣିଆ ପଚାରିଲା : କିଏ ତୁ?
ସ୍ତ୍ରୀଲୋକଟି କିଛି ଉତ୍ତର ଦେଲାନି!
ଗୁଣିଆ ମନ୍ତବ୍ୟ ଦେଲା : ଭୂତଟାର ଗର୍ବ ବହୁତ । ମୋ’ କଥାର ଉତ୍ତର ଦେଉନି । ସେ ମୁଠାଏ ଅରୁଆ ଚାଉଳ ଫିଙ୍ଗି ଦେଲା ଓ ଚିକ୍ରାର କରି କହିଲା : କିଏ ତୁ?
ସ୍ତ୍ରୀଲୋକଟା ଏଥର ଉଚ୍ଚସ୍ୱରରେ କହିଲା : ତୁ କିଏ ବେ?
ଗୁଣିଆ ସର୍ବସାଧାରଣଙ୍କ ଆଡକୁ ଚାହିଁ କହିଲା : ମତେ ପୁଣି ଏ ପଚାରୁଛି, ତୁ କିଏ! ତୁ ଜାଣିନୁ ମୁଁ କିଏ? ମୋ ନାଅାଁ ଶୁଣିଲେ କେତେ କେତେ ଭୂତ ଭୁତୁଣୀଙ୍କ ହଡ଼କମ୍ପ ହୁଏ, ତୁ ପୁଣି ମୋତେ ପଚାରୁଛୁ, ମୁଁ କିଏ?
ଏବେ ଗୁଣିଆ ହାତରେ ଧରିଥିବା ବେତରେ ପାହାରେ ନାଛି ଦେଲା ସ୍ତ୍ରୀଲୋକଟିକୁ ଏବଂ ପଚାରିଲା : କହ, ତୁ କିଏ?
ମାଡ଼ ଖାଇଥିବା ସ୍ତ୍ରୀଲୋକଟା ଚିହିଁକି ଉଠିଲା । ବସିବାଜାଗାରୁ ଉଠି ଠିଆ ହୋଇଗଲା । ଘୋଡ଼ିଘାଡ଼ି ହୋଇଥିବା ମୁହଁ ଦେଖାଇଲା ।
କହିଲା : ତୁ ମୋତେ ମାଇଲୁ?
ଗୁଣିଆ ବିକଟାଳ ହସ ହସି କହିଲା : ମାରି ମାରି ଘାଇଲା କରିଦେବି । କହ ତୁ କିଏ? କୁଆଡ଼େ ଆସିଥିଲୁ ।
ହଠାତ୍ ସ୍ତ୍ରୀଲୋକଟା ଗୁଣିଆ ଆଡକୁ ମାଡ଼ିଗଲା । ତା’ଠୁ ବେତ ଛଡ଼ାଇନେଲା ଓ ଗୁଣିଆକୁ ଗୋଟାଏ ଧକ୍କା ପକାଇଲା । ଦୁବଲାପତଲା ଗୁଣିଆ ଗୋଟାଏ ଧକ୍କାରେ ତଳେ ପଡ଼ିଲା ।
ସ୍ତ୍ରୀଲୋକଟା ଚିକ୍ରାର କରି କହିଲା : ତୁ କିଏ? ତୁ କିଏ ବେ?
ସମବେତ ଲୋକଙ୍କ ଭିତରେ ଟିକିଏ ଚାଞ୍ଚଲ୍ୟ ଦେଖାଗଲା । ଲୋକମାନେ ଟିକେ ବିଚଳିତ ଦିଶିଲେ ଓ ପରସ୍ପରକୁ ଚାହିଁଲେ । ନିଜକୁ ଆଶ୍ୱାସନା ଦେଲେ । ଭୂତଟା ଖୁବ୍ ବଦମାସ ଅଛି । କିନ୍ତୁ କିଛି କରିପାରିବନି । ଗୁଣିଆଟା ଖୁବ୍ ଭଲଗୁଣିଆ । ଏବେ ତା’ର ପରାକ୍ରମ ଦେଖାଇବ । ଗୁଣିଆ ତଳେ ପଡ଼ିଥିଲା । ସ୍ତ୍ରୀଲୋକଟା ତା’ ପାଖକୁ ଯାଇ ଗୋଟାଏ ଗୋଇଠା ମାଡ଼ କଲା । ବେତଟାରେ ପାହାରେ କଷି ଦେଲା । ଗୁଣିଆ ଉଠିବାକୁ ଚେଷ୍ଟା କରୁଥିଲା । ମାତ୍ର ପାରିଲାନି ।
ସ୍ତ୍ରୀଲୋକଟା କହିଲା : ତୁ କିଏ? କ’ଣ ଏଠି ଫାର୍ସ ଚଳେଇଛୁ!
ଗୁଣିଆ ସମବେତ ଲୋକମାନଙ୍କୁ ଗୁହାରି କଲାଭଳି କହିଲା : ଆରେ ୟାକୁ ବାନ୍ଧି ପକାଅରେ! ଏଇଟାକୁ ଧରିପକାଅ ।
ସ୍ତ୍ରୀଲୋକଟା ଦେଖଣାହାରୀମାନଙ୍କୁ ଚାହିଁଲା ଓ କହିଲା : ସାବଧାନ! କେହି ଟିପେବି ଆଗେଇଲେ ମାରିପକେଇବି ।
ଦେଖଣାହାରୀମାନେ କୋଳାହଳ କରୁଥିଲେ । ମାତ୍ର କେହି ଆଗକୁ ବଢ଼ୁନଥିଲେ । କାରଣ ପ୍ରମାଣ ହୋଇସାରିଥିଲା ଯେ ଭୂତଟା ଖୁବ୍ ଭୟଙ୍କର । ଯେ ଗୁଣିଆକୁ ମାଡ଼ ଦେଇ ପାରୁଛି, ତା ସାମ୍ନାରେ ସାଧାରଣ ଲୋକ କେତେଛାର । କେତେଜଣ ଡରକୁଳା ସେ ସ୍ଥାନ ଛାଡ଼ି ପଳେଇବାକୁ ଉପକ୍ରମ କରୁଥିଲେ । ମତ ଦେଉଥିଲେ, ଏ ଭୂତଟା ଗୁଣିଆକୁ ମାନୁନି । କ’ଣ ଯେ ଏବେ କରିବ, ଠିକଣା ନାଇଁ, ସମସ୍ତଙ୍କୁ ଏବେ ମାରିବ, ରକ୍ତ ପିଇଯିବ । ପଳାଇଯିବାଟା ହିଁ ଭଲ ।
ଏବେ ସ୍ତ୍ରୀଲୋକଟା ଗୁଣିଆ ଛାତିରେ ଆଉଥରେ ଗୋଇଠା ମାରିଲା । ବିକଳରେ ଚିକ୍ରାର କଲା ଗୁଣିଆ ଦେଖେଇ ହଉଚି । ବାଡାÿବାଡ଼ା! ଠକ୍! ଭଣ୍ଡ । ଠକିବାକୁ ଆଉ ଲୋକ ମିଳିଲେନି । ଏଇଠି ଆସି ଫାର୍ସ ଦେଖଚୁ । ଯୋଗିନୀଖିଆ !
ସବୁ ପୂଜା ସାମଗ୍ରୀକୁ ଗୋଇଠା ମାରି ନଷ୍ଟଭ୍ରଷ୍ଟ କରିସାରିଥାଏ ସ୍ତ୍ରୀଲୋକଟି । ଗୁଣିଆ ମାଡ଼ଖାଇ ଘାଇଲା ହୋଇପଡ଼ିଥାଏ । ଆଉ ଉଠିବା ଅବସ୍ଥାରେ ନଥାଏ ।
ସ୍ତ୍ରୀଲୋକଟା ସମବେତ ଲୋକଙ୍କ ଆଡକୁ ଚାହିଁ ପଚାରିଲା! କିଏ ଡାକିଥିଲା ଏ ଗୁଣିଆକୁ? କିଏ ଆଣିଥିଲା ୟାକୁ ।
ସମବେତ ଲୋକମାନେ ଏବେ କାକୁସ୍ଥ ଦିଶୁଥିଲେ । ହାତ ଯୋଡ଼ିଥିଲେ ।
ଭିଡ଼ ଭିତରୁ ବାହାରି ଆସିଲା ଗୋଟେ ବୁଢ଼ାଲୋକ ।
ହାତ ଯୋଡ଼ି କହିଲା : ମୁଁ ଡାକିଥିଲା ମା’!
ବୁଢ଼ାଲୋକ ପଛେପଛେ ବାହାରି ଆସିଲା ଆଉ ଜଣେ ବୁଢ଼ୀଲୋକ । ସିଏ ବି ହାତ ଯୋଡ଼ି ଠିଆ ହେଲା ବୁଢ଼ାଲୋକଟିର ପାଖରେ ।
ସମବେତ ଜନତା ଏବେ ଛତ୍ରଭଙ୍ଗ ଦେବା ଅବସ୍ଥାରେ । ଭୂତ ଏବେ ଖୋଲା ହୋଇଯାଇଛି । ଠିଆ ହୋଇଛି ଭୈରବୀ ମୁଦ୍ରାରେ । ଗୁଣିଆର ପତନ ଘଟିଛି । ଏଭଳି ଅବସ୍ଥାରେ କିଏ ସୁରକ୍ଷା ଦେବ ଜନତାଙ୍କୁ ।
ମୁଁ ନିମ୍ନସ୍ୱରରେ ଭାସ୍କରକୁ ପଚାରିଲି : ଏମାନେ କିଏ?
ଭାସ୍କର ସେମିତି ନିମ୍ନସ୍ୱରରେ ଉତ୍ତର ଦେଲା : ଏମାନେ ତା’ର ବାପା ମା’ ।
ବୃଦ୍ଧ ଦମ୍ପତି ହାତଯୋଡ଼ି ବିନତି କରୁଥାଆନ୍ତି ଯେମିତି ।
କହୁଥାନ୍ତି : ଆମେ ହିଁ ମୂଢ଼ । ଆମେ ଗୁଣିଆକୁ ଡାକିଥିଲୁ ମା’ । ଆମକୁ କ୍ଷମା କରି ଦେ’ ମା’!
ସ୍ତ୍ରୀଲୋକଟା ଏବେ ସ୍ୱାଭାବିକ ଦିଶୁଥିଲା ।
କହିଲା : କାହାକୁ ଏତେ ଦୟିନି କରୁଛ ବାପା! ମୁଁ ପରା ତୁମର ଝିଅ ।
ବୁଢ଼ାଲୋକଟି, ଯାହାକୁ ଭାସ୍କର ମୋତେ ଚିହ୍ନେଇ ଦେଇଥିଲା ତା’ର ମା’ ବୋଲି, ଏବେ ତୁଣ୍ଡ ଖୋଲିଲା । କହିଲା : ତୁ ଆମର ଝିଅ ଲୋ! ତୁ ଆମର ଝିଅ । ତତେ ଆମେ ଜୁହାର କରୁଛୁ ମା’ । ଆମ ଝିଅକୁ ଛାଡ଼ି ଚାଲିଯା’ । ବହୁତ ସହିଲାଣି ସେ । ତାକୁ ଟିକେ ଦୟା କର ମା’! ଆମ ଦୋଷ କ୍ଷମା କରିଦେ ।
ସ୍ତ୍ରୀଲୋକଟା ମୃଦୁ ହସିଲା । କହିଲା : କାହାକୁ ତମେ କ’ଣ ବୋଲି କହୁଚ? ମୁଁ ପରା ତୁମର ଝିଅ । ମୋତେ ଛାଡ଼ିଦେବ କିଏ? କାହିଁକି? ତମେ ଭାବୁଚ କି ମୋତେ କୋଉ ଭୂତ ଗ୍ରାସିଛି ବୋଲି । ସବୁ ମିଛ । ତୁଚ୍ଛା ମିଛ ।
ବୁଢ଼ାଲୋକଟି କହିଲା : ନାଇରେ ମା’! ତୁ ସେମିତି କହନି । ତୋତେ ଭୂତ ଗ୍ରାସିଥିଲା ବୋଲି ତ ମୁଁ ଗୁଣିଆ ଡାକି ଆଣିଥିଲି । ମିଛ କାହିଁକି ହେବ?
ମୁଁ ଭାସ୍କରକୁ ପଚାରିଲି : ୟାକୁ କ’ଣ ସତରେ ଭୂତ ଗ୍ରାସିଥିଲା । ଇଏତ ଭଲକଥା କହୁଚି ।
ଭାସ୍କର କହିଲା : ସେ ବାହା ହୋଇଥିଲା । ସ୍ୱାମୀଘରୁ ଭାଗି କି ପଳେଇ ଆସିଥିଲା । ଏଇଠି ହପ୍ତାଏ ହେଲା ଅଛି । ଏକୁଟିଆ ପାଇ ଭୂତ ତାକୁ ମାଡ଼ିବସିଛି ।
ସ୍ତ୍ରୀଲୋକଟା କହିଲା : ମୋତେ କାହିଁକି ଭୂତ ଗ୍ରାସିବ? ଭୂତ ଗ୍ରାସିଛି ଏ ଗୁଣିଆକୁ । ଏ ଲୋକମାନଙ୍କୁ । ତାମସା ଦେଖିବାକୁ ଏଠି ଆସି ପହଞ୍ଚି ଯାଇଛନ୍ତି । ଏବେ ସେ ଗେରେଡେଇ କରି ଚାହିଁଲା ଗୁଣିଆକୁ ।
ଗୁଣିଆ ଏବେ ହାତ ଯୋଡ଼ି ଦେଲା ଓ ମ୍ରିୟମାଣ କଣ୍ଠରେ କହିଲା : ହଁ! ହଁ ! ମୋତେ ହିଁ ଭୂତ ଗ୍ରାସିଛି । ମୋତେ ଏଠୁ ନେଇଯାଅ । ମୋ ଅଣ୍ଟାଟା ଭାଙ୍ଗିଗଲା ଭଳି ଲାଗୁଛି । ଭାରି କଷ୍ଟ । ମତେ ଡାକ୍ତର ପାଖକୁ ନେଇଚାଲ ହେ!
ସ୍ତ୍ରୀଲୋକଟା ଏଥର ତା’ ବାପା ପାଖକୁ ଆସି ଠିଆ ହେଲା ।
କହିଲା : ତମେ କ’ଣ ଚାହୁଁଛ ବାପା! ମୁଁ ସେ ଲୋକଟା ପାଖକୁ ଫେରିଯାଏ । ଶାଶୂଘରକୁ ଚାଲିଯାଏ । ଏତିକି ତ! ଏତିକି କଥା ତ ତମେ ମୋତେ ମୁହଁ ଖୋଲି କହି ଦେଇଥାଆନ୍ତ । ମୁଁ ମୋ ବାଟେବାଟେ ଚାଲିଯାଇଥାଆନ୍ତି । ସେଥିପାଇଁ ଏତେ ତାମ୍ସା କରିବା କ’ଣ ଦରକାର ଥିଲା ।
ବୁଢ଼ାଲୋକଟି ବୁଝାଇବା ସ୍ୱରରେ କହୁଥିଲା : ନାଇଁରେ ମା’, ମୁଁ ଏ ଯାଏଁ ବି ଜାଣିନି । ଏକଥା ସବୁ ମୋତେ କିଏ କହୁଛି । ତୁ ନା, ତୋ ଭିତରେ ଛପିରହିଥିବା ଆତ୍ମା । ତୁ ତ ଏମିତି କଥା ଆଗରୁ କେବେ କହିନଥିଲୁ । ସତ କହ ତୁ କିଏ? ତୁ ସତରେ ମୋ ଝିଅ ନା ଆଉ କିଏ?
ଝିଅ ଏଥର ଶୁଖିଲା ହସ ହସିଲା । କହିଲା : ମୋତେ ତେବେ ତମେ ବିଶ୍ୱାସ କରୁନ । ମୋତେ ଭୂତ ବୋଲି ଭାବୁଚ? ଠିକ୍ ଅଛି । ମୁଁ ତେବେ ଯାଉଚି ।
ଝିଅ ଧୀରେଧୀରେ ଘର ଅଗଣାରୁ ବାହାରି ବାରଣ୍ଡାକୁ ଉଠିଲା ଓ ଏକଣାରେ ଥିବା ଅନ୍ଧାରି ଘର ଭିତରେ ପଶିଗଲା । ଏପର୍ଯ୍ୟନ୍ତ ଚୁପ୍ ଥିବା ଲୋକମାନେ ପାଟି କରି ଶୁଣାଇଲେ, ଏବେ ଘରକୁ ଯାଅରେ ପିଲାମାନେ, ଏଠି ଆଉ ଭିଡ଼ ଜମାଅ ନାହିଁ ।
କେତେଜଣ ଗୁଣିଆ ପାଖରେ ଯାଇ ଠିଆ ହେଲେ । ତାକୁ ଉଠାଇଲେ । ସେ ସିଧା ହୋଇ ଠିଆ ହୋଇପାରୁନଥିଲା । କଷ୍ଟେମଷ୍ଟେ ଠିଆ ହେଲା ଓ ଜଣକ କାନ୍ଧରେ ଭରା ଦେଇ ଆଗକୁ ପାଦ ବଢ଼ାଇଲା । କହିଲା : ମୋତେ ଡାକ୍ତର ପାଖକୁ ନିଅ ।
ତା’ପରଦିନ ସ୍କୁଲରେ ଆମେ ଯେତେବେଳେ ସମୟ ପାଇଲୁ ସେ ବିଷୟରେ ଆଲୋଚନା କଲୁ । ମୁଁ ଲଘୁସ୍ୱରରେ କହିଥିଲି ଏଇଟା ଗୋଟେ ନାଟକରେ ରହିବା କଥା । ନାଟକର ନାମ ହେବ ଗୁଣିଆକୁ ଭୂତର ମାଡ଼ ।
ଭାସ୍କର ମୋତେ ସତର୍କ କରିଦେଲା, କହିଲା : ଏମିତି ଥଟ୍ଟାମଜା କରନି । ଅସଲି କଥାସବୁ ମୋଠୁ ଶୁଣ!
ମୁଁ ପଚାରିଲି : କ’ଣ ସବୁ ଅସଲି କଥା!
ଭାସ୍କର କହିଲା : ଏ ଭୂତଟା ଥିଲା ଖୁବ୍ ବଳଶାଳୀ । ଚାଲାକ ମଧ୍ୟ । ସେ ଗରାଭୂତଠୁ ବି ଚାଲାକ । ସେ ପ୍ରକୃତରେ ଶେଷ ମୁହୂର୍ତ୍ତରେ କାୟା ପରିବର୍ତ୍ତନ କରିଦେଲା ।
ସେ ସ୍ତ୍ରୀଲୋକଠୁ ଡେଇଁ ଗୁଣିଆ ଭିତରେ ପଶିଗଲା, ଖାଇଲା ମାଡ଼? ଅଣ୍ଟା ଭାଙ୍ଗିପଡ଼ିଲା ।
ମୁଁ ପଚାରିଲି : ସେ ସ୍ତ୍ରୀଲୋକ କୁଆଡ଼େ ଗଲା?
ଭାସ୍କର ଶୁଣାଇଲା : ସେ ତା’ ଶାଶୂଘରକୁ ଚାଲିଯାଇଛି । କହିଦେଇ ଗଲା ଯେ ଶାଶୂଘରେ ପଛେ ଗଞ୍ଜଣା ସହିବ, ବାପଘରେ ଗୁଣିଆଠୁ ମାଡ଼ ଖାଇ ଲୋକହସା ହେବାଠୁ ଏଇଟା ଭଲ ।
ମୁଁ ମନ୍ତବ୍ୟ ଦେଲି : ଠିକ୍ କଥା କହିଚି ଅବଶ୍ୟ ।
ଭାସ୍କର ପ୍ରତିବାଦ କଲା : କିଏ ଠିକ୍ କଥା କହିଲା? ଆରେ ସେ ସ୍ତ୍ରୀଲୋକ କ’ଣ କଥା କୁହେଁ । ଯାହା କୁହେ, ତା’ ଭିତରର ଭୂତ କହେ ପରା ।
ମୁଁ ସନେ୍ଦହପୂର୍ଣ୍ଣ ଦୃଷ୍ଟିରେ ତାକୁ ଚାହିଁ କହିଲି : ତୁ ପରା କହୁଥିଲୁ ଭୂତ ତାକୁ ଛାଡ଼ି ଗୁଣିଆ ଭିତରେ ପଶିଗଲା ବୋଲି । ଭାସ୍କର ବୁଝାଇଲା : ଭୂତଟା ପରା ଅଶରୀରୀ । ସେ କ’ଣ ଦେଖାଯିବ, କୋଉଠି ବସା ବାନ୍ଧିଛି ବୋଲି । ସେ କେତେବେଳେ ଗୁଣିଆ ଭିତରକୁ ଡେଇଁଥିଲା, ପୁଣି କେତେବେଳେ ସେ ସ୍ତ୍ରୀଲୋକ ଦିହରେ ପଶିଯାଉଥିଲା । ଦି’ପଟେ କଥା କହୁଥିଲା । ତୁ ଦେଖିଲୁନି, ସେ ସ୍ତ୍ରୀଲୋକଟା କେମିତି କଥା କହୁଥିଲା । ତା’ ସ୍ୱରଟା କେମିତି ଘାଗରା ଶୁଣାଯାଉନଥିଲା । ସେଇଟା ଭୂତର ହିଁ ସ୍ୱର ।
ଭାସ୍କରର କଥାକୁ ଆମ ଗ୍ରାମର ଅଧାଅଧି ଲୋକ ବିଶ୍ୱାସ କରୁଥିଲେ । ଗୁଣିଆ ଯେ କେବେ କେବେ ମାଡ଼ ଖାଇଯାଇପାରେ ଏପରି ବିଶ୍ୱାସ ମୋର ନଥିଲା । ଏବେ ମୁଁ ଡାକଯୋଗେ ତନ୍ତ୍ରମନ୍ତ୍ର ଶିକ୍ଷା କାର୍ଯ୍ୟକ୍ରମକୁ ପରିତ୍ୟାଗ କରିବା କଥା ମନେ ମନେ ବିଚାର କରୁଥିଲି ।
ମୁଁ ଭାସ୍କରକୁ ପଚାରିଲି : ସେ ଭୂତ ଲାଗିଥିବା ସ୍ତ୍ରୀଲୋକର ଅବସ୍ଥା କ’ଣ?
ଭାସ୍କର ତାଚ୍ଛଲ୍ୟ କରି କହିଲା : ସେ ତା’ ଶାଶୂଘରକୁ ପଳାଇଛି । ସେଠି ବି ତାକୁ ଭୂତ ଗ୍ରାସିବ । ଗୁଣିଆ ଆସି ମାଡ଼ ଦେବ । ମାଡ଼ ନଖାଇଲେ କି ଭୂତ ଛାଡ଼େ ।
ମୁଁ ପ୍ରଶ୍ନ କଲି : ଆମ ଗାଁରେ ଏଇ ସ୍ତ୍ରୀଲୋକମାନଙ୍କୁ କାହିଁକି ଭୂତ ଲାଗେ!
ଭାସ୍କର କହିଲା : ଲାଗେ ବୋଲି ତ ଦେଖୁଚେ, କାହିଁକି ଲାଗେ ମୁଁ ଅବଶ୍ୟ କହିପାରିବି ନାହିଁ ।
ସତୁରି ଦଶକରେ ଆମର ବିଜୁଳିବତି ଆସିନଥିବା ଗାଁରେ ଅନ୍ଧାରର ରାଜୁତି ବେଶି ଥିଲା ଓ ଭୂତ ଲାଗିବା ଜନିତ ନାଟକ ଥିଲା ସବୁଠୁ ରୋମାଞ୍ଚକର ଜୀବନ୍ତ ନାଟକ । ଏବେ ସେ ନାଟକ କାହିଁକି କେଜାଣି କମିଆସିଲା ଓ କ୍ରମେ ନିଶ୍ଚିହ୍ନ ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ