ମୁଁ ଆପଣମାନଙ୍କୁ ଅତ୍ୟନ୍ତ ଖୁସିର ସହ ଜଣେଇବାକୁ ଚାହୁଁଛି ଯେ, ମୋ ପୁଅ ଶାଶ୍ୱତ, ଯିଏ ନାଁ ଅଢ଼େଇ ବର୍ଷରେ ପ୍ଲେସ୍କୁଲ୍ ଯାଇଥିଲା, ନାଁ ନର୍ସରୀ ନାଁ କିଣ୍ଡର ଗାର୍ଟେନ୍ ସ୍କୁଲ୍ । ମାଆ ତା’ର ଭାବୁଥିଲା ପୁଅ ତା’ର ପାଞ୍ଚବର୍ଷ ଯାଏଁ ଘରେ ରହିଲେ ଅନ୍ୟ ପିଲାଙ୍କଠାରୁ ପଛୁଆ ହୋଇଯିବ । କିନ୍ତୁ ଆଜି ସେ ଶ୍ରେଣୀରେ ସବୁ ବର୍ଷ ସବୁଠାରୁ ଅଧିକ ନମ୍ବର ରଖିଆସୁଥିବାରୁ ଶିକ୍ଷକମାନଙ୍କ ଦ୍ୱାରା ପାଖାପାଖି ଆଠଶହ ପିଲାଙ୍କୁ ପଛରେ ପକାଇ ପ୍ରାଇମେରି ସେକ୍ସନ୍ର କ୍ୟାପ୍ଟେନ୍ ବଛାଯାଇଛି । ତା’ର ଏ ସଫଳତା ପାଇଁ ସେ ଯେତିକି ଖୁସି ନୁହଁ ତା ଠାରୁ ଅନେକ ଗୁଣରେ ମୁଁ ଖୁସି । ତେଣୁ ମୋର ସେହି ଖୁସି ଭରା ମୁହୂର୍ତ୍ତରେ ସାମିଲ୍ ହେବାକୁ ଆଜି ମୁଁ ଆପଣମାନଙ୍କୁ ମୋ ଘରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରୁଛି । ଆଶା ଆପଣମାନେ ସପରିବାର ମୋ ଘରେ ଉପସ୍ଥିତ ରହି ମୋ ଖୁସିକୁ ଆଉ ଶତଗୁଣ ବଢ଼େଇବେ । ଇତି ଆପଣଙ୍କ ପ୍ରତୀକ୍ଷା-ରତ-ହେମନ୍ତ ଘୋଷାଲ୍ ।”
(୧) ସବୁ ତତ୍ତ୍ୱଜ୍ଞାନ, ସମସ୍ତ ବେଦ, ଉପନିଷଦ ଭୁଲିଯାଇଥିବା ଲୋକଟି ହିଁ କେବଳ ମଣିଷରୁ ମେଣ୍ଢା ବନିଯାଇଥାଏ :
ଯେତେବେଳେ ହେମନ୍ତ ଘୋଷାଲ୍ର ନବରଙ୍ଗପୁରରୁ ଭୁବନେଶ୍ୱରକୁ ବଦଳି ହେଲା, ସେ ଖୁସି ହେଇଯାଇଥିଲା । ଖୁସି ହବାର କାରଣ ଅନେକ ଯେମିତି-
(କ) ଭୁବନେଶ୍ୱର ରାଜଧାନୀର ସହର- ଅଛି ଯେଉଁଠି ସପିଂ କରିବାକୁ ଚକାଚକ୍ ସିଟିମଲ୍, ବିଗ୍ବଜାର ଆଉ ଫିଲ୍ମ ଦେଖିବା ପାଇଁ ଆୟୋନେକ୍ସ । କ୍ଳାନ୍ତି ମେଣ୍ଟେଇବା ପାଇଁ ଇନ୍ଦିରାଗାନ୍ଧୀ ପାର୍କ ।
(ଖ) ଭୁବନେଶ୍ୱର ତା’ର ବାଣୀବିହାରର ସହର- ଯେଉଁଠି ସାଇତି ହୋଇ ରହିଛି ତା’ର ସେଇ ନଷ୍ଟାଲ୍ଜିଆ ଖରାବେଳ, ଅପରାହ୍ଣ । ଯିଏ ଏବେବି ତାକୁ ଉଖୁରେଇ ଦିଏ, କୁତୁକୁତୁ କରିଦିଏ ଆଉ ଶୁଆଇଦିଏ ନେଇ ଭଷାବାଦଲ୍ କୋଳରେ ।
(ଗ) ଭୁବନେଶ୍ୱର ତା’ର ପୁରୁଣା ବସ୍ଷ୍ଟାଣ୍ଡ୍ର ସହର- ଯେଉଁଠି ବ୍ୟବଚ୍ଛେଦ କରେ ସେ କବିତାମାନଙ୍କୁ ଭାବ ପ୍ରବଣତାର ମହମ ଟ୍ରେରେ, ସାହିତି୍ୟକ ସତୀର୍ଥଙ୍କ ସହ ।
(ଘ) ଭୁବନେଶ୍ୱର ତା’ର ଛାତ୍ରଜୀବନର ବନ୍ଧୁ ଶିବୁ ବେହେରା, ଗୌରୀ ହୋତା, ସୁରେନ୍ଦ୍ର ପାତ୍ର, ମୀନକେତନ ଜେନା ଆଉ ଅନେକଙ୍କ ସହର, ଯେଉଁମାନଙ୍କ ସହ ବିତେଇ ଆସିଛି ମାଇଲ୍ ମାଇଲ୍ ଅତୀତ ଆଉ ଅସଂଖ୍ୟ ଫଗୁଣର କୁହୁ ।
କିନ୍ତୁ ତେଲ ଲୁଣର ଜୀବନରେ, ସ୍ତ୍ରୀ ପିଲାର ସଂସାରରେ, ଶିଢ଼ି ଚଢ଼ୁଥିବା ଦରଦାମ୍ର ଯୁଗରେ, ତା’ର ମୁଖ୍ୟ ଖୁସି ହବାର ମୁଖ୍ୟ କାରଣ ଥିଲା, ସରକାରୀ ‘କ୍ୱାର୍ଟର୍ସ’ । ବଦଳିଥିବା ଚାକିରି ଜୀବନରେ ସରକାରୀ କ୍ୱାର୍ଟର୍ସ ଖଣ୍ଡେ ମିଳିଗଲେ ଯେ କେତେ ମହଣ ଆଶ୍ୱସ୍ତି ମିଳେ, ତା’ ଭୁକ୍ତ ଭୋଗୀ ହିଁ ଜାଣେ । ଭଡ଼ାଘର ଖଣ୍ଡିଏ ଖୋଜିବାର ସଂଘର୍ଷ ଓ ମନମୁତାବକ ଜାଗାରେ ମନମୁତାବକ ଘରଟିଏ ପାଇବାର ସମ୍ଭାବନା ଯେ କେତେ ଜରାଜୀର୍ଣ୍ଣ ତା’ ହେମନ୍ତ ଘୋଷାଲ୍ ଠାରୁ ଅଧିକ କିଏ ଜାଣେ ? ନବରଙ୍ଗପୁରରେ ତା’ର ଚାକିରି ଜୀବନର ପ୍ରଥମ କେତେ ଦିନ ତ ‘ବାଲାଜୀ ଲଜ୍’ର ଗୋଟିଏ କୋଠରିରେ ରହି, ‘ଲକ୍ଷ୍ମୀବିଳାସ’ ରେଷ୍ଟୁରାଣ୍ଟ୍ରେ ସକାଳ, ସନ୍ଧ୍ୟାରେ ଦୋଷା, ଇଟଲି, ସମ୍ବର ବଡ଼ାର ଜଳଖିଆ, ଖରାବେଳ ଓ ରାତିରେ ସାଉଥ୍ ଇଣ୍ଡିଆନ୍ ଖାନା ଖାଇ ବିତାଉଥିଲା । ସେ ଥିଲା ଏକ ବିଳାସପୂର୍ଣ୍ଣ ଜୀବନ । ଖୋଲା ଖୋଲା ଆକାଶ ଆଉ ଉଡ଼ା ପକ୍ଷୀର ଜୀବନ ।
ପତ୍ନୀ ମାନୁ ଆସିଲା ପରେ ତା’ର ଲଢ଼େଇ ଆରମ୍ଭ ହୋଇଥିଲା ଭଡ଼ାଘରକୁ ନେଇ । ମାତ୍ର ଚାରିବର୍ଷ ଭିତରେ ସେ ବଦଳେଇ ଥିଲା ପାଞ୍ଚଟା ଘର । ପ୍ରତି ଥର ଦୈର୍ଘ୍ୟ, ପ୍ରସ୍ଥ, ଜହ୍ନ, ତାରା, ନଈ, ଝରଣା ଦେଖି ଘର ନେଲା ବେଳକୁ, କିଛିଦିନ ପରେ କିଛି ନା କିଛି କେଁ ବାହାରିଥାଏ । କୋଉ ଘର ସାମ୍ନାରେ ଥିବା ପାନ ଦୋକାନଟାରେ ସକାଳୁ ସଂଜଯାଏ, ଟୋକାମାନଙ୍କ ଖଟି ଓ ଅଶ୍ଳୀଳ ବାର୍ତ୍ତାଳାପ, ଯିବା ଆସିବା ଝିଅ ବୋହୂଙ୍କୁ ଅସାମ୍ବିଧାନିକ ଶବ୍ଦର କଟାକ୍ଷ । ବାହାର ପିଣ୍ଡାରେ ବସି ଟୋପାଏ ଗପସପ କରିବାର ଜୁ ନାହିଁ । ଆଉ କୋଉ ଘରର ପଡ଼ୋଶୀ ଗୃହକର୍ତ୍ତା ଗୋଟିଏ ଘୋଡ଼ାମଦୁଆ । ମଦପିଇ ମାତାଲ୍ ହେଇ ଘରକୁ ଆସିବାର ତା’ର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ସକାଳେ, ଖରାବେଳେ, ସନ୍ଧ୍ୟାରେ ରାତିରେ କେତେବେଳେ ବି ସେ ମାତାଲ୍ ହୋଇଯାଏ ଆଉ ଘରକୁ ଆସି ସ୍ତ୍ରୀ ଛୁଆଙ୍କ ସହ ହାଙ୍ଗାମା କରେ । କେତେବେଳେ ତା’ ମାଡ଼ରେ, ତା’ ସ୍ତ୍ରୀର ଭେଁ କିନା କ୍ରନ୍ଦନ ରଡ଼ି ଆକାଶକୁ ଯାଏ ତ କେତେବେଳେ ମଦୁଆର ଦୋଅକ୍ଷରୀ ଶବ୍ଦମାନେ କାନ ପରଦାକୁ ଫଟେଇଦିଏ । ଆଉ କେଉଁଠି ଘରମାଲିକାଣୀର ଅନାବଶ୍ୟକ ହସ୍ତକ୍ଷେପ ଜୀବନକୁ ଦୁର୍ବିସହ କରିଦିଏ । “ଘରକୁ ଠିକ୍ ସେ ସଫା ରଖୁନ, ପାଣି ଅଧିକ ଖର୍ଚ୍ଚ କରୁଛ” ଆଦି । ମାସକୁ ମାସ ହଜାର ହଜାର ଟଙ୍କା ଭଡ଼ା ନଉଥିବା ମାଲିକାଣୀର ଏ କଥାମାନ, ସେଇ ମୁହୂର୍ତ୍ତରେ ଘରଛାଡ଼ିବାକୁ ବାଧ୍ୟ କରେ ଯେପରି ।
ତେଣୁ ଯେତେବେଳେ ତା’ର ଭୁବନେଶ୍ୱର ବଦଳି ସହ ସରକାରୀ କ୍ୱାର୍ଟର୍ସ ମିଳିବାର ନିଶ୍ଚିତ ହୋଇଗଲା, ସତେ ଯେମିତି ତା’ ପାଇଁ କଚେ ପୁଅ ବାର । ଠିକ୍ ଅଫିସ୍କୁ ଲାଗି, ଅଫିସ୍ ପଛପଟେ ବିଭାଗର କଲୋନୀ । ନହେଲେ ଭୁବନେଶ୍ୱର ଭଳି ଜାଗାରେ ଘରଭଡ଼ା ଯେଉଁଠି ମିଳୁନା କାହିଁକି, ତା’ ଯେ ତା’ ଅଫିସ୍ଠାରୁ ଅତିକମ୍ରେ ସାତ ଆଠ କିଲୋମିଟର ଦୂରରେ ହୋଇଥାନ୍ତା, ଏହା ନିଶ୍ଚିତ । ସକାଳେ କ’ଣ ଟିକେ ଖାଇ ଖରାବେଳ ପାଇଁ ଜଳଖିଆ ଡବା ନେଇ ଆସିବାକୁ ପଡ଼ିଥାନ୍ତା । କାରଣ ଖରାବେଳେ ଘରକୁ ଯାଇ ଖାଇ ଆସିବା ଏକ୍ବାର୍ ଅସମ୍ଭବ କଥା । ଅଫିସ୍ ପଛରେ କଲୋନୀ । ଖରାବେଳେ ଯାଇ ଘରେ ଗରମ୍ ଗରମ୍ ଦି’ ମୁଠା ଖାଇଆସି ହେବ ଭୋଜନ ବିରତି ସମୟରେ ।
ସେ ଏମ୍ତି ଖୁସିର ଭୂମଧ୍ୟ ସାଗରରେ, ଜହ୍ନରାତିରେ ନୌକାବିହାର କରୁଥିବା ସମୟରେ, ପତ୍ନୀ ମାନୁ ଯେ ମେଞ୍ଚାଏ ଅପ୍ରତ୍ୟାଶିତ ତୋଫାନ୍ ଆଣି ତା’ ସାମ୍ନାରେ ଠିଆକରେଇ ଦେବ, ହେମନ୍ତ ଘୋଷାଲ୍ର ଚିନ୍ତାର ବାହାରେ ଥିଲା ତାହା । ଯେତେବେଳେ ସେ କ୍ୱାର୍ଟର୍ସ ମିଳିବା କଥା ଆଉ ବାହାରେ ଭଡ଼ାଘର ରହଣିକୁ ମୁକ୍ତି ମିଳିଲା ବୋଲି ମାନୁ ସାମ୍ନାରେ ଉଛୁଳି ଉଛୁଳି କହିଲା, ସେତେବେଳେ ସେ ଭାବିଥିଲା ମାନୁ ତା’ ଭଳି ବି ଖୁସିରେ ଉଛୁଳି ଉଠିବ । କିନ୍ତୁ ଏ କ’ଣ? ମାନୁ ରୋକ୍ଠୋକ୍ ଶୁଣାଇଦେଲା “ଆମେ ସେ କଲୋନୀ କ୍ୱାର୍ଟର୍ସରେ ରହିବାନି ।”
କାରଣ??
ମାନୁର କାରଣ ଥିଲା ଯେତିକି ଦୀର୍ଘ ସେତିକି ପ୍ରସ୍ଥ । ବାପା ତା’ର ସରକାରୀ ଚାକିରିଆ ଥିଲେ । ତେଣୁ ସରକାରୀ କଲୋନୀକୁ ନେଇ ତା’ର ଥିଲା ଏକ ତିକ୍ତ ଅନୁଭୂତି । ବଖାଣିଥିଲା ସେ, ଯେଉଁଠି ଯେଉଁଠି ସେମାନେ କଲୋନୀ କ୍ୱାର୍ଟର୍ସରେ ରହିଛନ୍ତି, ଅନେକ ମାନସିକ ଅଶାନ୍ତି ଭୋଗିଛନ୍ତି । କଲୋନୀରେ ସମସ୍ତେ ନିଜ ବିଭାଗର ଲୋକ । ସାମ୍ନାରେ, ପଛରେ, ବାଆଁରେ ଡାହାଣରେ ସମସ୍ତେ ସହକର୍ମୀ ଆଉ ଗୋଟାଏ କାର୍ଯ୍ୟାଳୟର । ଯେଉଁଠି ପ୍ରତିଦିନ ତିଳକୁ ତାଳ ହୁଏ, ତାଳକୁ ତିଳ । ସକାଳ ସନ୍ଧ୍ୟାରେ ନିକିତି ଧରି ଜଣେ ଅନ୍ୟ ଜଣର ଚାଲିଚଳଣର ଓଜନ କରିଥାଏ ।
“ମିଶ୍ରବାବୁଙ୍କ ସ୍ତ୍ରୀ ଦେଖ ବରହମ୍ପୁର ପାଟ ପିନ୍ଧିଛିଲୋ ଆଜି ।”
“ସାହୁବାବୁଙ୍କ ଘରେ ସବୁଦିନ ଆଇଁଷ । ଏତେ ପଇସା ଆଣୁଛି କୋଉଠୁଁ?” “ଦାସ ଘର କି ଶୁଣ୍ଠାଲୋ । ମାସକୁ ଥରେ ବି ତାଙ୍କ ଘରପାଖେ ବିଲେଇ ମୁହଁ ମାରେନି । କିଛି ନହେଲେ ଚୂନାମାଛ ଆଣି ଖାଆତ । କିଏ କହୁଛି ତୁମକୁ ଡେଲି ଖାସି ମାଉଁସ ଖାଇବାକୁ” । “ମହାପାତ୍ରଟା ଏତେ ରୋଜଗାର କୋଉଠୁଁ କରୁଛନ୍ତି କି ଲୋ? ଆମ ସ୍ୱାମୀମାନଙ୍କ ଦରମାଠୁଁ କେତେ ଏମିତି ବେଶୀ ଯେ କାଳି ମୋଟି ସ୍ତ୍ରୀ ପାଇଁ ପ୍ରତି ଜନ୍ମଦିନରେ ସୁନାହାର ନତୁବା ସୁନାର କାନର ଉପହାର ଦଉଛି” । “ମହାନ୍ତିଟା ପିଲାମାନଙ୍କୁ କି ମ୍ଳେଛ କରି ରଖୁଛି ଦେଖୁନ? ଭଲ କପଡ଼ା ଖଣ୍ଡେ ଦଉନି ହୋ । ଏତେ ପଇସା ରଖି କ’ଣ କରିବ ? ଚୋର ଖଣ୍ଟ ଖାଇବେ ଶେଷକୁ ।” “ପୁହାଣ କଥା କୁହନି । ଏଡେ ସୁନ୍ଦରୀ ଡଉଲ ଡାଉଲ ସ୍ତ୍ରୀ ଖଣ୍ଡେ ପାଇଛି । ତା’ ଜନ୍ମଦିନରେ ସୁନାର ନ ହେଲା ନାହିଁ, ରୁପାର ପାଉଁଜି ଖଣ୍ଡେ ଦିଅନ୍ତା ତ । ପାଉଁଜି ଛାଡ଼ ଦାମିକା ଗାଉନ୍ ଖଣ୍ଡେ ବି ଆଣିଦିଏନି । କିଏ କହୁଛି, କୋଉଠି ଗୋଟେ ରଖିଛି ପୁଣି । ସବୁ ସେଇଠି ନେଇ ଢ଼ାଳୁଛି । ଧର୍ମ ସହିଲେ ହେଲା ।”
ତମେ ଭଲରେ ଖାଇଲେ କହିଲେ, ନ ଖାଇଲେ କହିଲେ । ତମେ ଭଲ ପିନ୍ଧିଲେ କହିଲେ ନ ପିନ୍ଧିଲେ କହିଲେ । ତମେ ଭଲରେ ରହିଲେ, ନ ରହିଲେ କହିଲେ । ସବୁ କଥାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବନି । ଜଣେ କଥାଟାକୁ ଗ୍ରହଣ କଲାବେଳକୁ ଆଉ ଜଣେ ଲମ୍ବା ଚଉଡ଼ା ହିସାବ କରି ତାର ଖୁଣ ବାହାର କରିବସେ ।
ମାନୁର ଏ ପ୍ରତିବାଦକୁ ହେମନ୍ତ ଘୋଷାଲ୍ ଏ କାନରେ ପୂରେଇ ସେ କାନରେ କାଢ଼ି ଦେଲା । ମାନୁ ବା କ’ଣ ଜାଣିବ ଭୁବନେଶ୍ୱରରେ ମନମୁତାବକ ଘରଖଣ୍ଡେ ମନମୁତାବକ ଜାଗାରେ ପାଇବା ଏଠି କେବଳ କଷ୍ଟ ନୁହେଁ, ଅସମ୍ଭବର କଥା । କେବଳ ଗୋଟାଏ ସଂଘର୍ଷ ନୁହେଁ ଲମ୍ବା ଏକ ପଲାସୀ ଯୁଦ୍ଧ । ନେପୋଲିଅନ୍ ବୋନାପାର୍ଟଙ୍କ ସେହି ପ୍ରସିଦ୍ଧ ବାକ୍ୟଟା ଏଠି ଆଦୌ କାମ କରିବନି । ମୂଲ୍ୟହୀନ, ଯୁକ୍ତିହୀନ ହେଇ ରହିଥିବ ସବୁଦିନ ପାଇଁ ।
ଖାଲି ଅଫିସ୍ ପଛରେ କ୍ୱାର୍ଟର୍ସଟା ଅଛି ବୋଲି ନୁହେଁ, ସରକାରୀ କ୍ୱାର୍ଟର୍ସର ମଜା ବି ଅନନ୍ୟ । ଘର କାନ୍ଥରେ ଯେତେ ଶହ କଣ୍ଟା ଫଟୋ ଟାଙ୍ଗିବା ପାଇଁ ମାରୁଛ ମାର । କହିବାକୁ କେହି ନାହିଁ । ଯେତେ ପାଣିଖର୍ଚ୍ଚ କରୁଛ କର, ତାଗିଦ୍ କରିବାକୁ କେହି ନାହିଁ । ଘର ସଫା କରୁଛ କି ଅପରିଷ୍କାର, ମାଲିକାଣୀ ଆସି ଝାଙ୍କିବାର ନାହିଁ ବାରମ୍ବାର । ଅଜଣା ଜାଗାରେ ଘରଭଡ଼ା ନେଲେ, ନୂଆ ଜାଗାଟାରେ ଭୟ ଛାଡ଼ୁଛାଡ଼ୁ ଗୁଡାଏ ଦିନ ଲାଗିଯିବ । ଏଠି ତ ପ୍ରଥମ ଦିନରୁ ହିଁ ସମସ୍ତେ ଆପଣାର । ଗୋଟାଏ ଅଫିସ୍ର ଲୋକ ସଭିଏଁ । ପଛରେ କିଏ କ’ଣ କହିଲେ ତା’ର ଯାଏ କେତେ ଆସେ କେତେ?
ମାନୁ ନା ଘର ଖୋଜିବ ନାଁ ଘରୁ ଅଫିସ୍ ଯିବ ଓ ଫେରିବ ରୋଜ୍ । ସେ କ’ଣ ଜାଣିବ ଭଡ଼ାଘର ଖୋଜିବାର ଯନ୍ତ୍ରଣା ଆଉ ଘରଠୁଁ ଅଫିସ୍ ଲମ୍ବା ଦୂରତାର ଦୁଃଖ । ହାତ ପାହାନ୍ତାରେ, ଆଉ ଅଫିସ୍ ପଛରେ, ଅଫିସ୍କୁ ଲାଗି, ଦୁଇଟି ଶୟନକକ୍ଷ, ଆଉ ଗୋଟିଏ ବୈଠକ ଘର ତଥା ଦୁଇଟା ପାଇଖାନା ଥିବା ତଥା ସରକାର ଦେଉଥିବା ଦରମାରେ ମିଳୁଥିବା ଘରକୁ ପାଦରେ ଠେଲି, ବମିଖାଲ୍ କି ଭି.ଏସ.ଏସ. ନଗର ଅବା ଝାରପଡ଼ା କି ମଧୁସୂଦନ ନଗରରେ ଦୁଇଗୁଣ ଘରଭଡ଼ା ଦେଇ ଘର ଖୋଜିବା କେବଳ ବୋକାମି ନୁହଁ ମୂର୍ଖାମି ।
ମାନୁର କଥାକୁ ପବନରେ ଉଡ଼େଇଦେଇ ଅଫିସ୍ କ୍ୱାର୍ଟର୍ସରେ ରହିବାକୁ ନିଜର ନିଷ୍ପତ୍ତିକୁ ବୁଦ୍ଧିମାନର କାମ ବୋଲି ଭାବି, ହେମନ୍ତ ଘୋଷାଲ୍ ନିଜକୁ ସାବାସୀ ଦେଉଥିଲା ମନେ ମନେ ।
କିନ୍ତୁ ସେଦିନ କାହିଁକି କେଜାଣି ପ୍ରଥମ ଥର ପାଇଁ ସେ ଅନୁଭବ କରିଥିଲା, ସରକାରୀ କ୍ୱାର୍ଟର୍ସରେ ରହିବା ଗୋଟିଏ ଭୁଲ୍ ନିଷ୍ପତ୍ତି ଥିଲା କି ଆଉ ? କାରଣ କଲୋନୀରେ ରହିବା ଯୋଗୁଁ ହିଁ କେବଳ ମାନୁ ଓ ତା’ ଭିତରେ ଝଗଡ଼ାଟା ଏପରି ଚରମ ସୀମାରେ ପହଞ୍ଚôଯାଇଥିଲା ଯେ, ପରସ୍ପର ପରସ୍ପରଠାରୁ ଦୂରେଇ ଯିବାର କଥା ବି ଉଠିଥିଲା ।
ଯେଉଁ ଦିନ ପୁଅ ଶାଶ୍ୱତକୁ ଅଢ଼େଇବର୍ଷ ହେବାକୁ ମାସେ କି ଦି ମାସ ଥିଲା, ମାନୁ କହିଥିଲା, ପୁଅକୁ ସ୍କୁଲ୍ ପଠାଇବାର ବ୍ୟବସ୍ଥା କେବେ କରିବ? କଥାଟା ଶୁଣି ହେମନ୍ତ ଘୋଷାଲ୍ ସତେ ଯେମିତି ଗଛ ଉପରୁ ତଳକୁ ଖସିପଡ଼ିଥିଲା ।
‘ସ୍କୁଲ୍”? ‘କିଏ ଯିବ?’ ଆଶ୍ଚର୍ଯ୍ୟ ହେଇ ପଚାରିଥିଲା । ‘ଏମିତି ଆଶ୍ଚର୍ଯ୍ୟ ହଉଛ କ’ଣ ମ । ଆଉ କେଇ ଦିନରେ ଅଢ଼େଇ ବର୍ଷ ହେବ । ତମ ସାଙ୍ଗ ରଥବାବୁ, ପାତ୍ର ବାବୁ, ନାୟକ ବାବୁ, ମିଶ୍ର ବାବୁ, ଆଉ ରାଉତ ବାବୁ ସେମାନଙ୍କ ପିଲାଙ୍କ ପାଇଁ ଗୋଲ୍ଡି କନ୍ଭେଣ୍ଟ ସ୍କୁଲରୁ ଆଡମିସନ୍ ଫର୍ମ ନେଇ ଆସିସାରିଲେଣି । ତାଙ୍କ ପିଲାମାନେ ତ ଆମ ଶାଶ୍ୱତର ବୟସର ହେବେ । ଆଜିକାଲି ଭିତରେ ସେମାନଙ୍କ ଆଡ୍ମିସନ୍ ହେଇଯିବ । ଆଉ ତମେ ଛୁଆକୁ କୁଆ ନେଲା ଭଳି ହଉଚ କ’ଣ ମ ।”
‘ତମ ମାନସିକ ଅବସ୍ଥା ଠିକ୍ ଅଛି ତ ମାନୁ? ଏଇ ବକଟେ ନାକର ଛୁଆ ପାଇଁ ମୁଁ ସ୍କୁଲ୍କୁ ଯାଇ ଫର୍ମ ଆଣିବି?’
“ତମେ କୋଉ ମଙ୍ଗଳ ଗ୍ରହରେ ଅଛ କେଜାଣି, ହଇଓ ବକଟେନାକୁ ଛୁଆ କ’ଣ? ମୁମ୍ବାଇରୁ ‘ମୋନାଲିସା’ ଫୋନ୍ କରିଥିଲା, ତା’ ପୁଅ ପେଟରେ ଥିଲା ବେଳରୁ ହିଁ ସ୍କୁଲ୍ରେ ଆଗତୁରା ଆଡମିସନ କରେଇଥିଲା । ଆଜିକାଲି ଆଉ ତମର ସେ, ଆସ ଆସ ପାରା ଯୋଡ଼ିକ… ଯୁଗର ପାଠପଢ଼ା ଅଛି । ଯୁଗ ଯାଇ କୋଉଠି ଉଙ୍କି ମାରିଲାଣି । ଜହ୍ନ ଯାଇ କୋଉଠି ଉଇଁଲାଣି । ତମେ ବି…” ଟୋପାଏ ତାଚ୍ଛଲ୍ୟ କରି କହିଥଲା ମାନୁ ।
“ଯୁଗ ଯାଇ ଆଉ ଗୋଟାଏ ଗ୍ୟାଲେକ୍ସିରେ ଅଳସ ଭାଙ୍ଗୁ ମୋର ସେଥିରେ କ’ଣ ଯାଏ ଆସେ କହିଲ? ମୁଁ ଏଇଟା ଠିକ୍ ଭାବେ ଜାଣିଛି ଯେ ଯଦି ମୁଁ ମୋ ଅଢ଼େଇବର୍ଷର ଛୁଆକୁ ସ୍କୁଲ ପଠାଏ ତେବେ ତା’ ପ୍ରତି ମୁଁ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛି । ଏହା ନିଃସନେ୍ଦହ” ହେମନ୍ତ ଘୋଷାଲ୍ କହିଥିଲା ।
ମାନୁ ତାଚ୍ଛଲ୍ୟର ହସ ହସି କହିଥିଲା, “କ’ଣ ହିଂସ୍ର ଆଚରଣ? ବର୍ତ୍ତମାନ ସହରରେ ଯେଉଁ ଛୁଆମାନେ ଇଂରାଜୀ ମାଧ୍ୟମରେ ପଢ଼ୁଛନ୍ତି, ଶତପ୍ରତିଶତ ଅଢ଼େଇବର୍ଷରେ ସ୍କୁଲ୍ ଯାଉଛନ୍ତି । ଜାଣ ତମେ? ତମେ କ’ଣ ଭାବୁଛ ମୋ ଛୁଆକୁ ମୁଁ ଚାଟଶାଳୀକୁ “ତୁମ ପରି ଛୋଟ ପିଲାଟିଏ… ପଢ଼େଇବାକୁ ପଠେଇବି ବୁଢ଼ା ବୟସରେ?”
ହେମନ୍ତ ଘୋଷାଲ୍ ମାନୁକୁ ବୁଝାଇଥିଲା, “ଆମ ପୁଅ ବି ଇଂରାଜୀ ମାଧ୍ୟମ ସ୍କୁଲ୍ରେ ପଢ଼ିବ ନିଶ୍ଚୟ । କିନ୍ତୁ ତା’ର ସ୍କୁଲ୍ ଯିବାର ବୟସ ଯେତେବେଳେ ହବ ସେତେବେଳେ ଯିବ ସିଏ । ପାଞ୍ଚ ବର୍ଷ ଆଗରୁ ତା’ର ସ୍କୁଲ ଯିବାର ପ୍ରଶ୍ନ ଉଠୁନି । ରଥବାବୁ ତା’ ପୁଅକୁ ଅଢ଼େଇ ବର୍ଷରେ ପଠଉ କି ମହାନ୍ତିବାବୁ ତା’ ଝିଅକୁ । ତମେ ଜାଣିନ ମାନୁ, ଏ ଛୋଟ ଛୋଟ ଛୁଆଙ୍କୁ ସ୍କୁଲ୍ ପଠାଇବାର ପ୍ରଥା ଆରମ୍ଭ ହୋଇଥିଲା ପାଶ୍ଚାତ୍ୟ ଦେଶରୁ । ତା’ର କାରଣ ବି ଯଥାର୍ଥ ନଥିଲେ ବି କିଛିଟା ଗ୍ରହଣୀୟ । ମହିଳାମାନେ ସେଠି ଆମ ଦେଶ ଅପେକ୍ଷା ବହୁତ ଆଗରୁ ବାହାରକୁ ଗୋଡ କାଢ଼ିବା ଆରମ୍ଭ କରିଦେଇଥିଲେ । ସ୍ୱାମୀ ସ୍ତ୍ରୀ ଦୁହେଁ ଚାକିରି କରୁଥିଲେ । ତା’ ସାଥେ ସାଥେ ଯୌଥ ପରିବାରର ଅଭାବ । ସେଥିପାଇଁ ସେମାନଙ୍କୁ ବାଧ୍ୟ କରିଥିଲା ଛୋଟ ଛୋଟ ଛୁଆଙ୍କୁ ପ୍ଳେ ସ୍କୁଲ୍ ବା ନର୍ସରୀ ସ୍କୁଲ୍କୁ ପଠେଇବାକୁ । ଆମର ଏଠି ଯେଉଁ ପରିବାରରେ ବାପା ମାଆ ଦୁହେଁ ଚାକିରି କରନ୍ତି ତଥା ପାଖରେ ଅଜା-ଆଈ କି ଜେଜେ-ଜେଜୀମା, ଅବା କକା-ଖୁଡ଼ୀ କି ପିଉସୀ ନାହାନ୍ତି ସେମାନେ ପଠେଇଲେ କିଛିଟା ଠିକ୍ ଅଛି । ଅବଶ୍ୟ ତାହା ବି ଶିଶୁ ପ୍ରତି ହିଂସାରେ ଗଣାହବ । କିନ୍ତୁ ତମେ ତ ହେଲ ଗୃହିଣୀ । ପୁଅର ଦେଖାଶୁଣା କରିବାକୁ ତମର ଅସୁବିଧା କେଉଁଠି? ତେଣୁ ଆମେ ତାକୁ ଏ ଛୋଟ ବୟସରୁ ପଠାଇବା କାହିଁକି?”
“ତମର ସେ ଭାଷଣ ତମ ପାଖରେ ରଖିଥାଅ । ପାଶ୍ଚାତ୍ୟ ପ୍ରାଚ୍ୟକୁ ନେଇ ତମର ତତ୍ତ୍ୱଜ୍ଞାନ ମତେ ଆଉ ଶୁଣାଅନି । ଅନ୍ୟ କଥା କହୁନି । ଆମର ଏଇ କଲୋନୀରୁ ମୋ ପୁଅ ବୟସର ଆଠ ଆଠଟା ପିଲା ସ୍କୁଲ୍ ଯିବେ । ଆଉ ମୋ ପିଲା ଘରେ ବସି ରହିବ । ତମେ ତାକୁ ମୂର୍ଖ କରିବ? ମୋ ପିଲା ଅନ୍ୟମାନଙ୍କ ଠାରୁ ସବୁଥିରେ ପଛୁଆ ହବ, ଏହା ମୁଁ ଦେଖିପାରିବିନ ।” ମାନୁ ରାଗିକି କହିଥିଲା ।
“କିଏ ପଛୁଆ ହବ ମାନୁ ? କାହିଁକି ପଛୁଆ ହବ ? ଏ ଛୋଟ ବୟସର ପିଲାଙ୍କୁ ସେ ସ୍କୁଲ୍ ମାନଙ୍କରେ ଏମିତି କି ଜ୍ଞାନ ବାଣ୍ଟିବେ ଯେ, ମୋ ପିଲା ସେସବୁ ନ ଶିଖିଲେ ଅଜ୍ଞାନ ହୋଇଯିବ । ହଇଓ ତମେ ଜାଣ କ’ଣ ଶିଖାନ୍ତି ସେମାନେ? ପାଞ୍ଚଟା ଫଳର ନାଁ, ପାଞ୍ଚଟା ଫୁଲର ନାଁ, ଛଅଟା ଚଢ଼େଇର ନାଁ, ସାତଟା ରଙ୍ଗର ନାଁ, ଆକାଶରେ କିଏ ଉଡ଼େ, ଜଳରେ କିଏ ରୁହେ, ଜଳରେ ଯାଉଥିବା ଗାଡ଼ିର ନାଁ…. ଏଇ ଜ୍ଞାନ । ଏଇଟା ଜ୍ଞାନ ନୁହେଁ ବେପାର । ବୁଝିଲ, ତମେ ଜାଣିନ, ଆଜିକାଲି ଏଇଟା ଏକ ମୋଟା ମୁନାଫାର ବେପାରରେ ପରିଣତ ହୋଇଗଲାଣି, ସେଗୁଡ଼ାକ ସ୍କୁଲ ନୁହଁ, ଦୋକାନ । ଶିକ୍ଷାମାଫିଆମାନେ, ବାପ ମାଆଙ୍କ ମନସ୍ତତ୍ତ୍ୱକୁ ଅତି ଚାଲାକିର ସହ ଆତ୍ମସ୍ୱାର୍ଥରେ ଉପଯୋଗ କରୁଛନ୍ତି । ଯାହାକୁ ତମେ ଇଂରାଜୀରେ ଏକ୍ସପ୍ଲୋଏଟେସନ୍ କୁହ । ସେମାନେ ଜାଣିଛନ୍ତି ବାପା ମାଆ ନିଜେ ଭଲ ଖାଇବେନି, ଭଲ ପିନ୍ଧିବେନି, ଅଥଚ ନିଜ ଛୁଆଙ୍କ ପାଇଁ ସବୁକିଛି କରିବାକୁ ସବୁ ସମୟରେ ପ୍ରସ୍ତୁତ । ଏଇ ମାନସିକତାର ଫାଇଦା ନେଇ ସେମାନେ ସୁନ୍ଦର ଭାବରେ ଲୁଣ୍ଠନରେ ମାତିଛନ୍ତି । ନହେଲେ ପାଞ୍ଚଟା ଫୁଲର ନାଁ ଜାଣି ମୋ ପିଲା କି ଜ୍ଞାନୀ ହବ ? ପରେ ସେ କ’ଣ ଫୁଲ ଆଉ ଜଙ୍ଗଲୀ ପଶୁ ବିଷୟରେ ଜାଣିବନି? ତାପରେ ତମେ ମାଆଟି? ତମର ମନ କେମିତି କହୁଛି, କୁନି ପିଲାଟିକୁ ଯିଏ ପରିସ୍ରା ଲାଗିଲେ ଠିକ୍ସେ କହିପାରୁନି, ତାକୁ ଚାରି ପାଞ୍ଚଘଣ୍ଟା ନିଜ ଚକ୍ଷୁଉହାଡ଼ରୁ ରଖିବାକୁ ।” ହେମନ୍ତ ଘୋଷାଲ୍ ବୁଝାଇଥିଲା ।
“ତମେ କ’ଣ ଭାବୁଛ ତମେ ହିଁ କେବଳ ତମ ପିଲାଙ୍କୁ ଭଲ ପାଅ ? ମୁଁ ଭଲ ପାଏନା । ବୁଝିଲ ସେ ଫାଲତୁକଥା ଗୁଡ଼ାକ କୁହନି ଆଉ । ମୁଁ କ’ଣ ତାକୁ ଜଙ୍ଗଲକୁ ପଠଉଚି ? ସେ ସ୍କୁଲ୍ ଯିବ, ଯେଉଁଠି ତା’ର ଦେଖାଶୁଣା ପାଇଁ ଶିକ୍ଷୟିତ୍ରୀ ଅଛନ୍ତି । ଆୟାମାନେ ଅଛନ୍ତି ।” ମାନୁ ରାଗିକି କହିଥିଲା ।
“କୋଉ ଶିକ୍ଷୟିତ୍ରୀ? କୋଉ ଆୟା ? ମୁଁ ତୁମକୁ କହିଲି ପରା, ସେଇଟା ସ୍କୁଲ୍ ନୁହଁ, ଦୋକାନ । ସେମାନେ ଶିକ୍ଷୟିତ୍ରୀ କି ଆୟା ନୁହନ୍ତି, କର୍ମଚାରୀ ସେମାନେ । ମାଲିକ ସେହି ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲାଭ କରିବ କିନ୍ତୁ ସେମାନଙ୍କ କର୍ମଚାରୀକୁ ଦେବ ଦୁଇରୁ ଅଢ଼େଇହଜାର ଟଙ୍କା । କି ନିଷ୍ଠାର ସହ ସେମାନେ ଆମ ଛୁଆଙ୍କୁ ଧ୍ୟାନ ଦେବେ କହିଲ ? ମାଲିକ ବି ମୁନାଫା ବଢ଼ାଇବା ପାଇଁ ଯେତିକି କର୍ମଚାରୀ ଆବଶ୍ୟକ ତା’ଠୁଁ କମ୍ ରଖିଥିବ । ଏତେ ଏତେ ପିଲାଙ୍କୁ ଜଣେ ଦି’ଜଣ କି ନଜର ରଖିବେ? ମାନୁ ତମେ ଜାଣିନ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଛୋଟଛୁଆ ଆଉ ବୃଦ୍ଧ ଲୋକଙ୍କୁ ବନ୍ଧନ ଆଦୌ ପସନ୍ଦ ନୁହଁ । ବନ୍ଧନ ତାଙ୍କ ମନୋଭାବ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ତେଣୁ ଅନ୍ତତଃ ମୋ ପୁଅକୁ ପାଞ୍ଚବର୍ଷ ଯାଏଁ ବନ୍ଧନ ମୁକ୍ତ ରଖ । ଗୋଟାଏ ସମୟ ସାରଣୀରେ ବାନ୍ଧନି ତାକୁ । ଥରେ ସ୍କୁଲ ଗଲା ପରେ ଜାଣ ସାରା ଜୀବନ, ସେ ବନ୍ଧନରେ ବାନ୍ଧି ହୋଇଯିବ । ଆଉ କ’ଣ ମୁକ୍ତି ଅଛି ସେ ବନ୍ଧନମାନଙ୍କରୁ । ଠିକ୍ ସମୟରେ ଶେଯରୁ ଉଠିବ । ଠିକ୍ ସମୟରେ ସ୍କୁଲ୍ ଯିବାକୁ ପ୍ରସ୍ତୁତ ହେବ । ଠିକ୍ ସମୟରେ ଗୃହକାର୍ଯ୍ୟ କରିବ । ଠିକ୍ ସମୟରେ ପରୀକ୍ଷା ଦବ । ଓଃ…. ଗୋଟିଏ ଅକ୍ଟୋପସ୍ର ଫାଶରେ ବନ୍ଦୀ ସେ ଜୀବନ । ମୁକୁଳିବାର ସବୁ ରାସ୍ତା ଶୂନ୍ । ଅନେକ ସମ୍ଭାବନା, ଅନେକ ସ୍ୱପ୍ନ, ଅନେକ ଆଶା, ଅନେକ ଇଚ୍ଛା ମାନଙ୍କ ପଛରେ ଗୋଡ଼ଉ ଗୋଡ଼ଉ ଟୋପାଏ ଖୋଲାପବନ ପିଇବାକୁ ସମୟ ପାଇବ କି ନାହିଁ ସନେ୍ଦହ । ଅନ୍ତତଃ ତା’ ଜୀବନର ଏଇ ପାଞ୍ଚବର୍ଷ ତାକୁ ସେହି ଦୌଡ଼ ପ୍ରତିଯୋଗିତାରୁ ଦୂରେଇ ରଖ ମାନୁ । ସାରା ଜୀବନ ତ ଦୌଡ଼ିବ । ଦୌଡ଼ୁ ଦୌଡ଼ୁ କେବେ ଗୋଡ ମୋଡ଼ି ହୋଇଯିବ । କେବେ ଥକିଯାଇ ଟୋପାଏ ବରଗଛ ଛାଇ ଖୋଜୁଥିବ । ଛାଇ ଟୋପାଏ ମିଳୁଥିବ କି ନ ମିଳୁଥିବ ।” ମାନୁକୁ ବୁଝାଇଥିଲା ହେମନ୍ତ ।
“ଦେଖ ତମର ଏ ତତ୍ତ୍ୱଜ୍ଞାନ, ପ୍ରବଚନ, ସମଝଦାରୀ, ସବୁ ତମେ ତମ ପାଖରେ ରଖ । ମୋ କଥା ଶୁଣ, ତମେ ଯଦି ପୁଅକୁ ସ୍କୁଲ୍କୁ ନ ପଠେଇଛ, ତେବେ ମତେ ଏ କଲୋନୀରୁ ବାହାରକର । ବାହାରେ ଘରଭଡ଼ା ନିଅ । ମୁଁ ସାଲିଆ ବସ୍ତିରେ ରହିବି ସିନା, ଏଠି ଗୋଟିଏ ମୁହୂର୍ତ୍ତ ରହି ପାରିବିନି । ଏଇ କଲୋନୀରୁ ଅନ୍ୟମାନଙ୍କ ପିଲା ସ୍କୁଲ୍ ଡ୍ରେସ୍, ବୁଟ୍, ଟାଇ ପିନ୍ଧି ବସ୍ରେ ବସି ମୋର ଆଖି ସାମ୍ନାରେ ସ୍କୁଲ୍ ଯିବେ, ମୋ ପିଲା ଘରେ ବସି ରହିବ, ମୁଁ ତାହା ଦେଖିପାରିବିନି । ଯଦି ତମେ ବାହାରେ ଘରଭଡ଼ା ନନିଅ, ମୁଁ ମୋ ବାପଘରକୁ ଚାଲିଯିବି ।” ମାନୁର ଥିଲା ଏ ରୋକ୍ଠୋକ୍ ଶେଷ ନିଷ୍ପତ୍ତି ।
ହେମନ୍ତ ଘୋଷାଲ୍ ବି ରୋକ୍ଠୋକ୍ ଶୁଣେଇ ଦେଲା, ‘ତମକୁ ଶୁଆ ଶାରି ଭଳି ଏତେ ବୁଝାଇଲା ପରେ ବି, ତମେ ଯଦି ବୁଝି ପାରୁନ, ମୁଁ ନିରୁପାୟ । ମୋର କଲୋନୀ କ୍ୱାର୍ଟର୍ସ ଛାଡ଼ିବାର ପ୍ରଶ୍ନ ହିଁ ଉଠୁନି । ଅଢ଼େଇ ବର୍ଷର ପିଲାକୁ ବି ସ୍କୁଲ୍ ପଠାଇବାର ପ୍ରଶ୍ନ ଉଠୁନି । ତମେ ତମ ଘରକୁ ଯାଇପାର ଅବା କୋଉଁ ଋଷିଆଶ୍ରମକୁ । ମୋର କୌଣସି ପ୍ରତିବାଦ ନାହିଁ ।
ସତକୁ ସତ ମାନୁ ପୁଅକୁ ନେଇ ଚାଲିଯାଇଥିଲା ତା’ ବାପଘରକୁ । କଥା ବହୁତ ଆଗକୁ ବଢ଼ିଗଲା । ଫେରିଆସିବାର ସର୍ତ୍ତ ରଖିଥିଲା ମାନୁ ଯେ, କଲୋନୀ କ୍ୱାର୍ଟସ ଛାଡ଼ି ବାହାରେ କୋଉଠି ଘର ଭଡ଼ା ନବାକୁ । କିନ୍ତୁ ହେମନ୍ତ ଘୋଷାଲ୍ କ୍ୱାଟର୍ସରେ ହିଁ ରହିଥିଲା । ସେ ଜାଣିଥିଲା ଜୀବନରେ ଝଡ଼ ଆସେ, ଆଉ ଝଡ଼ ହଜିଯାଏ । ଝଡ଼ର ସମ୍ମୁଖୀନ ହେଇ ଜୀବନ ବିତେଇବାକୁ ହୁଏ । ତା ଜୀବନରେ ଆସିଥିବା ଝଡ଼ ବି ଦିନେ ଶାନ୍ତ ହବ ।
ସତକୁ ସତ ମାନୁ ଫେରିଥିଲା ସେହି କ୍ୱାର୍ଟର୍ସକୁ । କିନ୍ତୁ ଯେତେବେଳେ ‘ଗୋଲଡି କନ୍ଭେଣ୍ଟ’ ସ୍କୁଲ୍ର ବସ୍ ଆସେ ତା ପୁଅ ବୟସର ପିଲାମାନଙ୍କୁ ନେବାପାଇଁ ଓ ଛାଡ଼ିବା ପାଇଁ, ମାନୁ ସେ ସମୟରେ ଘରର ଝର୍କା ବନ୍ଦ କରିଦିଏ ।
ତାଙ୍କ ପୁଅର ସାଙ୍ଗମାନେ ପ୍ଲେ ସ୍କୁଲ, ନର୍ସରୀ, କି କିଣ୍ଡର ଗାର୍ଟେନ୍ ସ୍କୁଲ୍ ଗଲାବେଳକୁ ତାଙ୍କ ପୁଅ ଆରାମ୍ରେ ଘରେ ରହୁଥିଲା । ସେମାନେ ସକାଳ ଛଅରୁ ନିୟମିତ ଶଯ୍ୟା ତ୍ୟାଗ କଲାବେଳକୁ ତାଙ୍କ ପୁଅ ଉଠୁଥିଲା ସକାଳ ନଅରେ । ତାଙ୍କ ସାଙ୍ଗମାନେ ରାତି ନଅରେ ବିଛଣା ଧରୁଥିବା ବେଳେ ତାଙ୍କ ପୁଅ ରାତି ଏଗାରରେ ହେମନ୍ତ ଘୋଷାଲ୍ ସହ କଲୋନୀରେ ଚକର୍ କାଟୁଥିଲା । କୌଣସି ବାଧ୍ୟବାଧକତା ନଥିଲା ତା’ ପାଇଁ । ଗୋଟାଏ ବନ୍ଧନ ବିହୀନ ବିଳାସପୂର୍ଣ୍ଣ ଜୀବନ ତା’ର । ଶୈଶବକୁ ଜୀବନ ଭରି ଉପଭୋଗ କରୁଥିଲା ସେ । ସ୍କୁଲ୍ ଡ୍ରେସ, ବୁଟ୍ ଟାଇ, ଗୃହକାର୍ଯ୍ୟ, ସ୍କୁଲ୍ ଡାଏରୀ, ପ୍ରାର୍ଥନା କି ଗୀତ କିଛିର ବନ୍ଧନ ନଥିଲା ତା ପାଇଁ । ସତେ ଯେମିତି ସ୍ୱାଧୀନ ଚଢ଼େଇଟି, ଉଡୁଛି ସାରା ଆକାଶ । ଧରିବାକୁ ଯାଉଛି ଆକାଶର ଚନ୍ଦ୍ରମାକୁ । ସବୁବେଳେ ଖୁସ୍ ମିଜାସରେ ଥାଏ । ତା’ ସାଙ୍ଗମାନେ ସ୍କୁଲ୍ରୁ ଆସିଲାପରେ ଥକା ଥକା ଲାଗିଲା ବେଳକୁ ଏ’ତ ସଜଳ ସତେଜ୍ ଥାଏ ସବୁ ସମୟରେ ।
କିନ୍ତୁ ମାନୁ ଅନେକ ସମୟରେ ଘରେ ଆସି ଦୁଃଖିନୀ ହେଇ କୁହେ ଯେ କଲୋନୀରେ ସ୍ତ୍ରୀଲୋକମାନେ ତା ପୁଅର ପାଠପଢ଼ା ନେଇ
ଅନେକ କଥା କୁହନ୍ତି । ଅନେକ ପ୍ରଶ୍ନ ପଚାରନ୍ତି । “ତାକୁ ସ୍କୁଲ୍ କ’ଣ ପାଇଁ ପଠଉନ?” “ଏତେ ବଡ଼ ହେଲାଣି ପଠାଇବା କଥା ନା । ସେ ପରେ ପଛେଇ ଯିବନି ?” ତା’ ସାଙ୍ଗମାନେ ତା’ଠୁ ଆଗକୁ ଚାଲିଯିବେ ।”
ହେମନ୍ତ ଘୋଷାଲ୍ ସେ ସବୁ ଶୁଣି ହସି ହସି କୁହେ “ତମେ ସେମାନଙ୍କୁ ଏଥର ପଚାରିଲେ କହିଦବ ଯେ ମୋ ପୁଅ ଆଦୌ ପାଠ ପଢ଼ିବନି । ସେ ଗୁଣ୍ଡା ବଦ୍ମାସ୍ ହବ । ଚାକୁ ଛୁରୀ ନେଇ ରକ୍ତରେ ହୋଲି ଖେଳିବ । ପରେ ବଡ଼ ଡନ୍ ହେବ । ବଙ୍ଗଳା, ଘୋଡ଼ା, ଗାଡ଼ି, ଉଡ଼ାଜାହାଜର ମାଲିକ ହବ । ପାଠପଢ଼ି ଆମଭଳି ନୌକର କ’ଣ ପାଇଁ ହେବ ଯେ । ଅମେରୁଦଣ୍ଡୀ ଭଳି କିନ୍ତୁ ପରମୁହୂର୍ତ୍ତରେ ଗମ୍ଭୀର ହେଇ କୁହେ, “ତମେ ସେମାନଙ୍କ କଥା କାହିଁ ଶୁଣୁଚ କହିଲ? ସେମାନଙ୍କୁ ମଣିଷ ବୋଲି ମୁଁ ଭାବେନା । ମେଣ୍ଢା ସେମାନେ, ମେଣ୍ଢା ଯେପରି ଆଗପଛ ନ ବିଚାରି ଆଗ ମେଣ୍ଢାକୁ ଅନୁସରଣ କରେ, ଏମାନେ ସେମ୍ତି, ଆଗପଛ ନବିଚାରି ଜଣେ ଅନ୍ୟଜଣକୁ ଅନୁସରଣ କରୁଛନ୍ତି । ତମେ ବ୍ୟସ୍ତ ହୁଅନି, ପୁଅକୁ ଚାରିବର୍ଷର ହେଉ, ତା’ପାଇଁ ଛବି ବହି ଆଣିବା, ଘରେ ତା’ର ମନ ହେବାବେଳେ ଛବି ଦେଖେଇବା । ଖେଳରେ ଖେଳରେ ତାକୁ ଏ.ବି.ସି. ଶିଖାଇବା ।”
ଯେତେ ଶୁଆଶାରି, ପାରା, ମୈନାପରି ମନକୁ ବୁଝାଇଲେ ବି ତା’ର ମନ ମାନେନା । ତା’ ଭିତରେ ଏକ ଅଜଣା ଭୟ ବସା ବାନ୍ଧି ଥାଏ ଯେ, ତା’ ପୁଅ ଅନ୍ୟମାନଙ୍କ ଠାରୁ ପଛରେ ରହିଯିବ । ପାଠରେ ପଛେଇବ । ଚାଲାକ୍ ଚତୁର୍ରେ ପଛେଇବ । ହେମନ୍ତ ଯେତେ ଯାହା କହିଲେ କ’ଣ ହେଲା, ତିନିବର୍ଷ ଗୋଟାଏ ପିଲା ଯଦି ସ୍କୁଲ୍ ଯାଏ ସେ କିଛି ତ ଶିଖିବ ସେଠୁଁ । ତା’ ପୁଅ ଯେତେବେଳେ ପ୍ରଥମ ଶ୍ରେଣୀରେ ସ୍କୁଲ୍ୟିବ, ତା ଅନ୍ୟସବୁ ସାଙ୍ଗମାନେ ସ୍କୁଲ୍ ଯିବାରେ ତା’ଠାରୁ ତିନିବର୍ଷ ଆଗୁଆ ଥିବେ । ୟେ ତାଙ୍କ ସହ କେମିତି ଖାପ ଖୁଆଇ ପାରିବ? ତାଙ୍କଠାରୁ ଆଗକୁ ଯିବା କଥା ଭାବିବା କେବଳ ବୋକାମି ଓ ବାଚାଳାମି ହିଁ କେବଳ । ମନର ଦୁଃଖକୁ ତା’ର ମନରେ ଚାପିରଖିଥାଏ । ମନର ଭୟ ତା’ର ମନ ଭିତରେ ଲୁଚେଇ ରଖେ । ଯେତେବେଳେ ଅତି ଦୁଃଖିନୀ ହୋଇଯାଏ, ଅତ୍ୟଧିକ ଡରିଯାଏ, ସମୟ ଉପରେ ଭରସା ରଖି ନିରବ ରୁହେ ।
(୨) ଫୁଟିବାକୁ ଚାହୁଁଥିବା ଫୁଲକୁ ନା ରୋକିପାରେ ଭୂକମ୍ପ/ଭୂମଧ୍ୟସାଗରର ଢେଉ
ମାନୁଘରେ ଆସି ପହଞ୍ଚି ଦେଖେ ଯେ ତାଲା ପଡ଼ିଛି । କାଲି ସିଏ କଟକ ଯାଇଥିଲା । ମାଉସୀ ତା’ର ବଡ଼ ମେଡ଼ିକାଲ୍ର ଆଇସିୟୁରେ ଅଛନ୍ତି । ତାଙ୍କୁ ଦେଖିବାକୁ ଯାଇଥିଲା । ପୁଅକୁ ନେଇନଥିଲା ସାଙ୍ଗରେ । ପୁଅର ସ୍କୁଲ୍ରେ ସିସିଏ ପ୍ରୋଗ୍ରାମ୍ରେ କବିତା ଆବୃତ୍ତି ଥିଲା । କୁଆଡ଼େ ଗଲେ ବାପା ପୁଅ ? ଅପରାହ୍ଣ ଛଅଟା ପାଖାପାଖି ହବ । ନିଜ ପାଖରେଥିବା ଚାବିରେ ତାଲାଖୋଲି ଘର ଭିତରକୁ ପଶିଲା ।
ଘର ଭିତରେ ନଜର ଟୋପାଏ ବୁଲଉ ବୁଲଉ ଦେଖିଲା ଟି’ପୟ ଉପରେ ଗୋଟାଏ ସୁନ୍ଦର ରଙ୍ଗିନ୍ କାର୍ଡଟିଏ ଥୁଆ ହେଇଛି, ନିମନ୍ତ୍ରଣ ପତ୍ର ଭଳି । କାହାର ସେଇଟା ଭାବି ଉଠେଇ ପଢ଼ିବାକୁ ଲାଗିଲା ।
ମୁଁ ଆପଣମାନଙ୍କୁ ଅତ୍ୟନ୍ତ ଖୁସିର ସହ ଜଣେଇବାକୁ ଚାହୁଁଛି ଯେ, ମୋ ପୁଅ ଶାଶ୍ୱତ, ଯିଏ ନାଁ ଅଢ଼େଇ ବର୍ଷରେ ପ୍ଲେସ୍କୁଲ୍ ଯାଇଥିଲା, ନାଁ ନର୍ସରୀ ନାଁ କିଣ୍ଡର ଗାର୍ଟେନ୍ ସ୍କୁଲ୍ । ମାଆ ତା’ର ଭାବୁଥିଲା ପୁଅ ତା’ର ପାଞ୍ଚବର୍ଷ ଯାଏଁ ଘରେ ରହିଲେ ଅନ୍ୟ ପିଲାଙ୍କଠାରୁ ପଛୁଆ ହୋଇଯିବ । କିନ୍ତୁ ଆଜି ସେ ଶ୍ରେଣୀରେ ସବୁ ବର୍ଷ ସବୁଠାରୁ ଅଧିକ ନମ୍ବର ରଖିଆସୁଥିବାରୁ ଶିକ୍ଷକମାନଙ୍କ ଦ୍ୱାରା ପାଖାପାଖି ଆଠଶହ ପିଲାଙ୍କୁ ପଛରେ ପକାଇ ପ୍ରାଇମେରି ସେକ୍ସନ୍ର କ୍ୟାପ୍ଟେନ୍ ବଛାଯାଇଛି । ତା’ର ଏ ସଫଳତା ପାଇଁ ସେ ଯେତିକି ଖୁସି ନୁହଁ ତା ଠାରୁ ଅନେକ ଗୁଣରେ ମୁଁ ଖୁସି । ତେଣୁ ମୋର ସେହି ଖୁସି ଭରା ମୁହୂର୍ତ୍ତରେ ସାମିଲ୍ ହେବାକୁ ଆଜି ମୁଁ ଆପଣମାନଙ୍କୁ ମୋ ଘରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରୁଛି । ଆଶା ଆପଣମାନେ ସପରିବାର ମୋ ଘରେ ଉପସ୍ଥିତ ରହି ମୋ ଖୁସିକୁ ଆଉ ଶତଗୁଣ ବଢ଼େଇବେ । ଇତି ଆପଣଙ୍କ ପ୍ରତୀକ୍ଷା-ରତ-ହେମନ୍ତ ଘୋଷାଲ୍ ।”
ନିମନ୍ତ୍ରଣ ପତ୍ରଟି ପାଠ କଲାପରେ ମାନୁ ଆଖି ଜକେଇ ଯାଇଥିଲା । ତାକୁ ସବୁ କିଛି ଜାଲ୍ ଜାଲୁଆ ଦେଖାଯାଉଥିଲା ଛଳଛଳ ଆଖିରେ ।
ତାଲପୁରି ଇଣ୍ଟରନ୍ୟାସନାଲ କଲୋନୀ
ସିଭିକ୍ ସେଣ୍ଟର, ଭିଲାଇ, ଦୁର୍ଗ