ବାରୁଦ
ପୁଣି ଫୋନ୍ ଆସିଲା ଘଣ୍ଟାକ ପରେ – ଖବର କିଛି ଭଲ ନୁହେଁ । ସେ ମୋର ପୁଅ ପରି ଥିଲା । ରୋଜାଲିନ୍ଙ୍କ ଦୁଇ ଆଖିରୁ ଅଶ୍ରୁର ବାରିଧାରା । ଅର୍ଚ୍ଚିତା ବା କ’ଣ ତାଙ୍କୁ ବୁଝାଇ ପାରିବେ । ଦୁଃଖର ବର୍ଣ୍ଣବୋଧରେ ରୋଜାଲିନ୍ ଆଙ୍କି ଚାଲିଛି ସ୍ମୃତିର ହସ୍ତାକ୍ଷର । ପୋଷ୍ଟମର୍ଟମ କରିସାରି ବୀର ସୈନିକ ଅଭିମନୁ୍ୟଙ୍କ ମରଶରୀରକୁ କଫିନ୍ରେ ଅଣାଗଲା । ଆତ୍ମୀୟସ୍ୱଜନମାନଙ୍କ ଭିତରେ ଶୂନ୍ୟତା, ହାହାକାର ଓ ନିଃସଙ୍ଗତା ଅଭିମନୁ୍ୟ ଭଳି ଜଣେ ବୀର ଯୁବକକୁ ହରେଇଦେବାର ଦୁଃଖରେ ।
ସହର ତଳି ଗାଁ’ । ଗ୍ରାମବାସୀଙ୍କ ସମ୍ମିଳିତ ପ୍ରଚେଷ୍ଟା ଓ ସରକାରଙ୍କ କିଞ୍ଚିତ ସାହାଯ୍ୟରେ ସହିଦ ସ୍ତମ୍ଭ ନିର୍ମାଣ କରାହୋଇଛି । ମୁଖ୍ୟ ରାସ୍ତାରୁ ବଙ୍କେଇ ଯାଇଥିବା ଗାଁ’ମୁଣ୍ଡ ମନ୍ଦିର ଓ ପ୍ରାଇମେରୀ ସ୍କୁଲ ମଝିରେ । ସହିଦ ସ୍ତମ୍ଭକୁ ଉଦ୍ଘାଟନ କରିବାକୁ ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ସୁରକ୍ଷା ବର୍ଗର ଉପ ସେନାନାୟକ ଅଭିମନୁ୍ୟ ମଧ୍ୟ ନିମନ୍ତ୍ରିତ । ସେ ମଞ୍ଚାସୀନ ହୋଇ ଅଭୟ ବାହୁବଳେନ୍ଦ୍ରଙ୍କ ବୀରଗାଥା ବଖାଣିବେ । ମୁଖ୍ୟମନ୍ତ୍ରୀ ଅଭୟଙ୍କ ଶୋକବିଧୁରା ବିଧବା ପତ୍ନୀ ଅର୍ଚ୍ଚିତାଙ୍କୁ ସମ୍ବର୍ଦ୍ଧିତ କରିବେ । ଅର୍ଚ୍ଚିତାଙ୍କ କୋଳରେ ତାଙ୍କ ନଅମାସର ଝିଅ । ଅର୍ଚ୍ଚିତାଙ୍କୁ ପୋଲିସ ଚାକିରିରେ ମୁତୟନ କରିବାର ପ୍ରତିଶ୍ରୁତି ଦେଇ ଫେରିଯିବେ ।
ସଭା ସରିଲା ପରେ ଲୋକ ଗହଳି କମିଗଲା । ଅଭିମନୁ୍ୟ ଅର୍ଚ୍ଚିତାଙ୍କ ସାଥିରେ ଫେରିଲେ ଓ ଅର୍ଚ୍ଚିତାଙ୍କ ଡ୍ରଇଂରୁମରେ ବସି ଅଭୟଙ୍କ ଫଟୋ ଆଡ଼କୁ ଚାହିଁଲେ । ସେଇ ଦର୍ପିତ ଚାହାଣି । ପୋଲିସ ପୋଷାକରେ ଥାଇ ତ ସହିଦ ହୋଇଛି । ଅର୍ଚ୍ଚିତାଙ୍କ ଅନୁରୋଧରେ ଅଭିମନୁ୍ୟ ବସିରହିଲେ କପେ ଚା’ ପିଇଲା ପରେ ଫେରିବେ । ଅଭିମନୁ୍ୟ ଚାହିଁରହିଛନ୍ତି ସେମିତି ଅଭୟଙ୍କ ଫଟୋକୁ ଓ ଅନେକ କଥା ତାଙ୍କର ମନେପଡ଼ିଯାଉଛି । ଅଭୟ ପିଲାଟି ବେଳୁ ସ୍ୱପ୍ନ ଦେଖୁଥିଲା ପୋଲିସ ଚାକିରି କରି ଦେଶ ସେବା କରିବ କିମ୍ବା ସୈନ୍ୟବାହିନୀରେ ଯୋଗ ଦେବ । ତା’ର ପାଠ କମ୍ ଓ ଖେଳକୁଦ ବେଶି ହେଉଥିଲା । ସମର ଶିକ୍ଷାର୍ଥୀ ବାହିନୀର ସେ ସ୍କୁଲରେ କ୍ୟାପ୍ଟେନ୍ ଥିଲା ଓ ଜୁନିୟର ବିଭାଗ ଶିବିରରେ ଗୁଳିଚାଳନା ପ୍ରତିଯୋଗିତାରେ ପଞ୍ଚାନବେ ପ୍ରତିଶତ ନମ୍ବର ରଖିଥିଲା । ରାଜ୍ୟର ବେଷ୍ଟ କ୍ୟାଡ଼େଟ୍ ପୁରସ୍କାର ପାଇଥିଲା ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସରେ ପ୍ୟାରେଡ୍ ଗ୍ରାଉଣ୍ଡରେ । ରାଜ୍ୟ ବାହାରକୁ ଯାଇ ପର୍ବତାରୋହଣ ଶିବିର ଓ ଜୁନିୟର ଆର୍ମି ଶିବିରରେ ମଧ୍ୟ ଯୋଗ ଦେଇ ରାଷ୍ଟ୍ରପତିଙ୍କ ଠାରୁ ବିଶେଷ ପୁରସ୍କାର ଗ୍ରହଣ କରିଥିଲା । ମାଟି୍ରକ୍ରେ ଯାହିତାହି ନମ୍ବର ନ ରଖିଲେ ବି ସେ ଅତିକମ୍ରେ ଦ୍ୱିତୀୟ ଶ୍ରେଣୀ ପାଇ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଲା ଓ ଆଉ ତିନିବର୍ଷ ପଢ଼ିଲା ପରେ ବିଜ୍ଞାନ ସ୍ନାତକ ହୋଇପାରିଲା । ମିଳିତ ପ୍ରତିରକ୍ଷା ସେବା ନ ପାଇଲା ପରେ ସେ ପୋଲିସ ସବ୍ଇନ୍ସପେକ୍ଟର ପୋଷ୍ଟପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିଲା । ପୋଲିସ ଟ୍ରେନିଂ କଲେଜରେ ପ୍ରଥମ ଦିନ ଯେଉଁ ଅଫିସର ଜଣଙ୍କ ତା’ର ଆଚରଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ତାକୁ ପାଖକୁ ଡାକି ପଚାରିଲେ- ତମପାଇଁ ଗର୍ବ କ’ଣ? ଅଭୟ ଉତ୍ତର ଦେଇଥିଲା- ପୋଲିସ ପୋଷାକ ପିନ୍ଧି ଦେଶପାଇଁ ପ୍ରାଣ ଦେବା ହିଁ ମୋପାଇଁ ଗର୍ବ ଓ ପରିବାରପାଇଁ ଗୌରବ । ସେଇ ଅଫିସର ଥିଲେ ନିଜେ, ଅଭିମନୁ୍ୟ । ଉପସେନାନାୟକ ସ୍ୱତନ୍ତ୍ର ସୁରକ୍ଷା ବର୍ଗର । ସେ ଅଭୟ ସହ କରମର୍ଦ୍ଦନ କଲେ- ସାବାସ, ୟଙ୍ଗମ୍ୟାନ୍ । ତୁମ ଭଳି ଦୁଃସାହସୀ ଯୁବକମାନଙ୍କ ପାଇଁ ମୁଁ ଗର୍ବ କରେ । ସେଇଦିନୁ ଅଭିମନୁ୍ୟ ସାର୍ଙ୍କ ଭଲପାଇବା ଅଭୟଙ୍କ ପାଇଁ ଆଶୀର୍ବାଦ ଭଳି ହେଲା । ସମ୍ପର୍କ ବୃଦ୍ଧି ପାଇଲା । ଅର୍ଚ୍ଚିତାଙ୍କ ଠାରୁ ଚା’ପିଇଲା ପରେ ଅଭିମନୁ୍ୟ ଫେରିଆସିଲେ । ଅଭୟ ତାଙ୍କ କ୍ୱାର୍ଟରକୁ ଯାଆନ୍ତି ଛୁଟି ଦିନରେ । ସାର୍ ଡାକୁଡାକୁ ଭାଇ ଡାକିଲେ ଓ ମ୍ୟାଡ଼ାମଙ୍କୁ ଭାଉଜ ଡାକିଲେ । ଭାଉଜ ତ ନିଶ୍ଚେ ଅଭୟଙ୍କୁ ଖୁଆଇ ପିଆଇ ଛାଡ଼ୁଥିଲେ । ଅଭିମନୁ୍ୟଙ୍କ ପୁଅଝିଅ ସାଥିରେ ଅଭୟ ଖେଳୁଥିଲା ଓ ସେମାନଙ୍କୁ ଦେଶପ୍ରେମର କାହାଣୀ ମଧ୍ୟ ଶୁଣାଉଥିଲା । ପ୍ରତି ରବିବାର ଗୋଟେ ଓଳି ଆସିବାଟା ନିଧାର୍ଯ୍ୟ । ଅଭୟ ଏବେ ଯେମିତି ଅଭିମନୁ୍ୟଙ୍କ ନିଜ ସାନଭାଇ । ଅଭିମନୁ୍ୟଙ୍କ ବଡ଼ ଝିଅ ପଞ୍ଚମରେ ଓ ସାନପୁଅ ଦ୍ୱିତୀୟରେ । ଅଭୟର ଦୂର ଜାଗାକୁ ନୂଆ କରି ପୋଷ୍ଟିଂ ହେଲା ଓ ଏକ ବର୍ଷ ପରେ ଅଭିମନୁ୍ୟ ତାଙ୍କପାଇଁ ବୁଝିଥିବା ସୁନ୍ଦରୀ ତନ୍ୱୀ ଅର୍ଚ୍ଚିତା ସାଥିରେ ମଧ୍ୟ ବାହାଘର କରାଇଦେଲା ।
ଅଭିମନୁ୍ୟଙ୍କର ମଧ୍ୟ ରାଜଧାନୀକୁ ବଦଳି ହୋଇଗଲା ଓ ସେଇ ସହର ତଳି ଗାଁ’ରେ ଅଭୟଙ୍କ ପୈତୃକ ଘର ଥିଲା । ଅଭୟଙ୍କ ବହୁତ ବଡ଼ ପରିବାର । ସେଇଠି ଅଭୟଙ୍କ ନବ ବିବାହିତା ସ୍ତ୍ରୀ ଅର୍ଚ୍ଚିତା ରୁହନ୍ତି । ଅଭୟଙ୍କର ନୂଆ ଚାକିରି ଓ ଘର ମିଳି ନ ଥିବାରୁ ସେ ଥାନା ପରିସରରେ ରୁହନ୍ତି । ଅଭିମନୁ୍ୟ ପତ୍ନୀ ରୋଜାଲିନ୍ ଓ ପିଲାମାନଙ୍କୁ ନେଇ ପନ୍ଦର ଦିନକୁ ଥରେ ଛୁଟିଦିନରେ ଅର୍ଚ୍ଚିତା ପାଖକୁ ଆସନ୍ତି । ସେମାନଙ୍କ ପରିବାର ସହ ମିଶନ୍ତି ଓ ଦୁଃଖ ସୁଖ ହୋଇ ଫେରିଯାଆନ୍ତି । ସେମାନଙ୍କ ପାଇଁ ନଅତିଅଣ ଛଅ ଭଜା ହୋଇଥାଏ । ଯେମିତି ହେଲେ ଖୁଆଇ ପିଆଇ ଛାଡ଼ନ୍ତି । ପିଲାମାନଙ୍କୁ ପିଜୁଳି ଓ ଚକୋଲେଟ୍ ବି ଦିଅନ୍ତି । ଅର୍ଚ୍ଚିତା ମଧ୍ୟ ମଝିରେ ମଝିରେ ତାଙ୍କଘର ଆଡ଼େ ବୁଲି ଆସେ । ଥାନା ଅଫିସରଙ୍କ ବଦଳି ହୋଇଯିବାରୁ ତାଙ୍କୁ ସେଠାରେ ଥାନା ଅଫିସର ଦାୟିତ୍ୱ ଦିଆଗଲା । ନିର୍ଭୀକ ଓ ଦେଶପ୍ରେମୀ ଅଭୟ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରୁଥିଲେ । ଏଥର ପୂଜା ଛୁଟିରେ ଘରକୁ ଗଲେ ପତ୍ନୀ ଅର୍ଚ୍ଚିତାକୁ ନେଇ ଆସିବେ ଓ ଖାଲି ହୋଇଥିବା କ୍ୱାର୍ଟରରେ ସେମାନେ ରହିବେ । ଏଇଭଳି ସ୍ୱପ୍ନରେ ବିଭୋର ଥିବା ଅଭୟଙ୍କୁ ଆଦେଶ ଆସିଲା ଯେ ଅଦାଲତ କାମରେ ଯିବାକୁ ପଡ଼ିବ ଆଉ ଏକ ଦୂର ସହରକୁ । ଥାନାର ଗାଡ଼ି ମରାମତିପାଇଁ ଗ୍ୟାରେଜରେ ଥିବାରୁ ଜଙ୍ଗଲ ଘାଟି ଓ ମାଓପ୍ରବଣ ଅଞ୍ଚଳ ଯୋଗୁଁ ସେ ବାଇକ୍ ଅପେକ୍ଷା ଯାତ୍ରୀବାହୀ ବସ୍ରେ ଯିବାକୁ ପସନ୍ଦ କରିଥିଲେ । ଦୁର୍ଦ୍ଧର୍ଷ ଓ ନରପିଶାଚ ମାଓବାଦୀଙ୍କ କ୍ରୂର କାର୍ଯ୍ୟକଳାପ ବଢ଼ିଯାଇଛି ଏଇ କେତେ ମାସ ହେଲା । ବସ୍ରେ ବସିଛନ୍ତି ପୋଲିସ ପୋଷାକ ପିନ୍ଧି ଅଭୟ । ବସ୍ରେ ଅନେକ ଯାତ୍ରୀ । ସିଟ୍ ନ ପାଇ କେତେଜଣ ରଡ୍କୁ ଧରି ଠିଆ ହୋଇଛନ୍ତି । ଡ୍ରାଇଭର ଗାଡ଼ି ଧୀରେଧୀରେ ନେଉଛି । ଆଗରେ ଚମ୍ପାଝରଣ ଜଙ୍ଗଲ ଘାଟୀ ରାସ୍ତାରେ ଅଦୃଶ୍ୟ ମୋଡ଼ । ବସ୍ଟି ମୋଡ଼ରେ ବୁଲିବ କ’ଣ ବ୍ରେକ୍ ମାରି ରହିଗଲା । ଡ୍ରାଇଭର ପାଟି କଲା । ଆଗରେ ରାସ୍ତା ଉପରେ ବଡ଼ବଡ଼ ପଥର ଓ ଶାଳଗଛର ଗଣ୍ଡି ପଡ଼ିଛି । ରାତି ନଅ ହେଲେ ବି ଘନ ଅନ୍ଧାର ଓ ନିର୍ଜନତାରେ ସମଗ୍ର ପରିବେଶ । ଆଉ ମାତ୍ର ଘଣ୍ଟାକର ରାସ୍ତା ଥିଲା ରହଣି ସ୍ଥଳ । କିଛି ବନ୍ଧୁକଧାରୀ ଯୁବକ ବସ୍ଟିକୁ ଘେରିଗଲେଣି । ବସ୍ ଭିତରକୁ ତିନିଜଣ ଯୁବକ ପଶିଆସିଲେ ଓ ଡ୍ରାଇଭର ବସ୍ଲାଇଟ୍କୁ ବନ୍ଦ କରିଦେଇଥିବାରୁ ଟର୍ଚ୍ଚ ମାରି ଚାରିଜଣ ନିରୀହ ଲୋକଙ୍କୁ ଚିହ୍ନଟ କରି ଘୋଷାରି ଘୋଷାରି ନେଇଗଲେଣି ତଳକୁ । ରାସ୍ତକଡ଼ ବୁଦାକୁ । ପୋଲିିସ ଇନ୍ଫର୍ମର ଏମାନେ । ପ୍ରଜାକୋର୍ଟରେ ବିଚାର ହେବ । ଏତେ ବନ୍ଧୁକଧାରୀଙ୍କୁ ଦେଖି ଅଭୟ ଭୟ ନ କରି ସେମାନଙ୍କୁ ବାଧା ଦେବାପାଇଁ ଆଗେଇ ଆସିଲେ । ପୋଲିସ ବର୍ଦ୍ଦିରେ ଥିବା ଅଭୟଙ୍କୁ ଦେଖି ସେମାନେ ବନ୍ଧୁକ ମୁନରେ ତାଙ୍କୁ ଘେରିଗଲେ । ଅଭୟ ପିସ୍ତଲ ବି କାଢ଼ି ପାରିଲେନି ଓ ସେମାନଙ୍କ ଘେରରେ ତଳକୁ ଗଲାପରେ ବି ଭୟ କରି ନ ଥିଲେ । ସେମାନଙ୍କୁ ଆଦେଶ ଦେବା ଭଙ୍ଗୀରେ କହିଲେ ଏଇ ନିରୀହ ଲୋକ ଚାରିଜଣଙ୍କୁ ଛାଡ଼ି ଦେବାକୁ । ସେମାନେ କିଛି ଶୁଣି ନ ଥିଲେ ଓ ଅଭୟଙ୍କ ଠାରୁ ପିସ୍ତଲ କାଢ଼ିନେଇ ଦୁଇ ହାତକୁ ଶକ୍ତକରି ପଛପଟୁ ବାନ୍ଧିଦେଲେ । ଅଭୟ ସେମାନଙ୍କ ସହ ଲଢ଼େଇ କରିପାରିଥା’ନ୍ତେ କିନ୍ତୁ ହଠାତ୍ ଯଦି ବନ୍ଧୁକରୁ ଗୁଳି ଫୁଟାଇ ଏଇ ଚାରିଜଣଙ୍କୁ ମାରିଦେବେ, ତେବେ ଅଭୟ କିଛି କରିପାରିବେନି । ଅଭୟ କହିଲେ ମୋତେ ନିଅ, ପ୍ରଜାକୋର୍ଟରେ ବିଚାର କରିବ, ହେଲେ ଏମାନଙ୍କୁ ଛାଡ଼ିଦିଅ । ସେମାନେ କିଛି ଶୁଣି ନ ଥିଲେ ଓ ସମସ୍ତଙ୍କୁ ଘେରାଉ କରି ଆଗକୁ ଯିବାକୁ ନିଦେ୍ର୍ଦଶ ଦେଲେ । ନିଜର ଜୀବନକୁ ବିପନ୍ନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେ ପାହାଡ଼ି ଉଠାଣି ଗଡ଼ାଣି ଘଞ୍ଚ ବଣବୁଦା ଘେରା ସରୁ କଙ୍କରିଳ ରାସ୍ତାରେ ସେମାନଙ୍କ ସହ ଚାଲିଲେ । ମାଓବାଦୀମାନେ ଚାଲିଯିବା ଦେଖି ଡ୍ରାଇଭର ବସ୍ରେ ଅନ୍ୟ ଯାତ୍ରୀମାନଙ୍କୁ ନେଇ ପଛକୁ ଫେରିଗଲାଣି ।
ପଥର ଚଟାଣ ଉପରେ ପାୟଲି ମିଣିଆକା ଓ ତା’ର ସାଥୀମାନେ । ସେମାନଙ୍କର ଏବେ ଭଲ ସମୟ ଚାଲିଛି । ସେମାନେ ଲୁଚିଛପି ଆକ୍ରମଣ କରି ପାରୁଛନ୍ତି । ଲ୍ୟାଣ୍ଡମାଇନ ବିଛେଇ ସୁରକ୍ଷା ବାହିନୀଙ୍କ ଗାଡ଼ିକୁ ଧ୍ୱଂସ କରିଦେଉଛନ୍ତି । ଅନେକ ସୁରକ୍ଷା ବଳ ପ୍ରାଣ ହରାଉଛନ୍ତି । ଗଛ କାଟି ପଥର ରଖି ରାସ୍ତା ଅବରୋଧ କରୁଛନ୍ତି । ପ୍ରଜାକୋର୍ଟରେ ନିରସ୍ତ୍ର ବ୍ୟକ୍ତିଙ୍କୁ ଅକଥନୀୟ ନିର୍ଯାତନା ଦେଇ ମାରି ଦେଉଛନ୍ତି । ଅଭୟଙ୍କ ସାମ୍ନାରେ ପ୍ରଜାକୋର୍ଟରେ ବିଚାର ହୋଇ ଜଣକ ପରେ ଜଣଙ୍କୁ ଗୁଳିକରି ମାରି ଦିଆହେଲା । ନିରସ୍ତ୍ର ଅଭୟ ସେମାନଙ୍କୁ ନିବୃତ୍ତ୍ କରାଇବାର ଚେଷ୍ଟାରେ ନିଜେ ରକ୍ତାକ୍ତ ହୋଇ ସାରିଲେଣି, ବନ୍ଧୁକର ବଟ୍ ମାଡ଼ ଓ ଛୁରୀର ଆଘାତରେ । ଅଭୟଙ୍କ ଆଖିରେ କଳାକନାର ପଟି ବାନ୍ଧିଦେଲେ । ଆଉ ସେ ଠିଆ ହୋଇପାରୁ ନାହାନ୍ତି ଓ କିଛି ଦେଖିପାରୁ ନାହାନ୍ତି । ତାଙ୍କୁ ଘୋଷାରି ଘୋଷାରି ଅଣାଗଲା ଆଉ ଏକ ପଥର ଚଟାଣକୁ । ତାଙ୍କ ମୁଣ୍ଡକୁ ମୁନିଅାଁ ପଥରରେ ଶକ୍ତ ଆଘାତ ଦେଇ ଶରୀରକୁ ଛୁରୀରେ କ୍ଷତବିକ୍ଷତ କରି ପକେଇ ଦିଆଗଲା । ଯିବା ପୂର୍ବରୁ ପାୟଲି ମିଣିଆକାର ବନ୍ଧୁକର ଗୁଳିଟିଏ ତାଙ୍କ ମସ୍ତିଷ୍କକୁ ବିଦୀର୍ଣ୍ଣ କରିଦେଲା । ତାଙ୍କ ମୃତ ଶରୀରକୁ କିଛିବାଟ ଘୋଷାରି ଘୋଷାରି ନେଇ ଗୋଟେ ଘାସପୂର୍ଣ୍ଣ ଖାଲୁଆ ଜାଗାରେ ପକାଇଦେଇ ସେମାନେ ବିଜୁଳି ବେଗରେ ଅନ୍ତର୍ହିତ ହୋଇଗଲେ ।
ରାତିରେ ସର୍ଚ୍ଚ ଲାଇଟ ପକାଇ ଅର୍ଦ୍ଧସାମରିକ ବାହିନୀ ଜଙ୍ଗଲ ଭିତରକୁ ତାଙ୍କୁ ଖୋଜିବାକୁ ଭୟ କଲେ । ଲ୍ୟାଣ୍ଡ ମାଇନ୍ର ଡର ଓ ମାଓବାଦୀଙ୍କ ହଠାତ୍ ଗରିଲା ଆକ୍ରମଣ ପ୍ରତି ଭୟ ସଂଚାର ଯୋଗୁ ସକାଳ ହେଲା ପରେ ତନ୍ନତନ୍ନ କରି ଖୋଜା ହେଲା । ଅଭୟଙ୍କ ମରଶରୀର ସହ ଅନ୍ୟ ଚାରିଜଣ ନିରୀହ ପ୍ରଜାଙ୍କ ଶବ ମଧ୍ୟ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇ ଅଣାହେଲା । ପୋଷ୍ଟମର୍ଟମ ହେଲା । ଟିଭି ଖବରକାଗଜରେ ସମ୍ବାଦ ପରିବେଷଣ ହେଲା । ଅଭୟଙ୍କ ମୃତ ଶରୀର ଗାଁ’କୁ ଆସିଲା ବେଳେ ଅର୍ଚ୍ଚିତା ଥିଲେ ନ’ମାସର ଅନ୍ତଃସତ୍ତ୍ୱା । ଶୋକ ବିଧୁରା ଅର୍ଚ୍ଚିତା ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ । ରାଷ୍ଟ୍ରୀୟ ସମ୍ମାନ ଦେଇ ତାଙ୍କର ଅନ୍ତିମ ସଂସ୍କାରବେଳେ ଅଭିମନୁ୍ୟ କୋହଭରା କଣ୍ଠରେ କହୁଥିଲେ- ଧନ୍ୟ ତୁମେ ଅଭୟ । ଶେଷକୁ ପୋଲିସ ପୋଷାକରେ ଦେଶପାଇଁ ସହିଦ ହୋଇଗଲ । ତୁମ ବୀରତ୍ୱର ପଟାନ୍ତର ନାହିଁ । ଯୁଗେଯୁଗେ ତୁମପାଇଁ ଏ ଜାତି ଗର୍ବ ଅନୁଭବ କରିବ । ତୁମକୁ ସାଲୁ୍ୟଟ୍ କରୁଛି । ଅନ୍ତଃସତ୍ତ୍ୱା ଅର୍ଚ୍ଚିର୍ତାର ଚାରିପାଖେ ବାରୁଦ ଗନ୍ଧ ସହ ପ୍ରିୟ ସ୍ୱାମୀଙ୍କୁ ଶାରୀରିକ ନିର୍ଯାତନା ଦେଇ ଅମାନବିକ ଭାବେ ନିଷ୍ଠୁର ହତ୍ୟା କରିବାର ଦୃଶ୍ୟ । ଖରାପ ସମୟ ।
ମୃତ୍ୟୁ କ’ଣ କ୍ଷୁଧାର୍ତ୍ତ ଆତତାୟୀ । ବୁଝେନା ନୂଆ କରି ଜୀବନ ଗଢ଼ୁଥିବା ଯୁବତୀ ସ୍ତ୍ରୀର କେତେ ଦୁଃଖ ଓ ଯନ୍ତ୍ରଣା । ଝୁଣ୍ଟି ପଡ଼ି ଉଠୁଉଠୁ ସରିଯିବକି ଜୀବନର ବେଳ । ମୃତ୍ୟୁକୁ ତ ମାଗିପାରୁନି ଅଦ୍ଭୁତ ବରଟିଏ ଯେ ଫେରେଇ ଦେବ ମୋ ଆତ୍ମାର ଈଶ୍ୱରକୁ । ନିଆଁ ଓ ଧୂଆଁର ଚାଦର ଘୋଡ଼ି ହୋଇ ଜୁଇରେ ଶୋଇଥିବା ମୋ ବୀର ସୈନିକକୁ । ମୃତ୍ୟୁ ତ କେବେ ମିଥ୍ୟା ବାକ୍ୟ ଫେରାଏନା ଓ ଅର୍ଚ୍ଚିତାର ଲୁହଭିଜା ହାତ ପାପୁଲିରେ ରଖିଦିଏ ଚିରନ୍ତନ ସତ୍ୟ ।
ଅର୍ଚ୍ଚିତାକୁ ଲାଗେ ନିବିଡ଼ ଛାଇଟିଏ ହୋଇ ଓ ମୋ ପାଦ ସହ ପାଦକୁ ମିଳାଇ ନିର୍ଜନ ବାଟରେ ତମେ ଚାଲୁଥାଅ ମୋ ପାଖେପାଖେ । ମୋତେ ଲାଗେନି ଆଉ ଜୀବନର ଯେତେ ବାଧାବିଘ୍ନ କିନ୍ତୁ ପ୍ରାଣ ମୋର କାନ୍ଦୁଥାଏ ତୁମକୁ ନ ପାଇ । ଘୁମନ୍ତ ଆକାଶର ନିଷ୍ପ୍ରଭ ଦୀପ୍ତିହୀନ ତାରକାଟିଏ ହୋଇଯାଇଛ ତମେ । ପରିବିର୍ତ୍ତନଶୀଳ ଦୁନିଆରେ ଆଜି ଯାହା ଅଛି କାଲି ତାହା ନ ଥିବ । କାହା ଇଚ୍ଛା ଅନିଚ୍ଛାରେ ଦୁନିଆ ଚାଲେ ନାହିଁ । ତାହା ଚାଲୁଥିଲା, ଚାଲୁଛି ଓ ଚାଲୁଥିବ । ଏଇ ହା ହୁତାଶମୟ ଦୁଃଖପୂର୍ଣ୍ଣ ଜୀବନକୁ ନେଇ ଖାପ୍ ଖୁଆଇ ଆମକୁ ଆଗକୁ ବଢ଼ିବାକୁ ହେବ ।
ଅର୍ଚ୍ଚିତାଙ୍କୁ ସାହସର ଜୀବନ ଜିଇଁବାକୁ ପଛରେ ଠିଆ ହୋଇଛନ୍ତି ଅଭିମନୁ୍ୟ ଓ ରୋଜାଲିନ୍ । କିଛିଦିନ ପରେ ଅର୍ଚ୍ଚିତାଙ୍କର ଝିଅଟିଏ ଜନ୍ମ ହେଲା । ଅଭିମନ୍ୟୁ ଭଳି ବୀର ପୁରୁଷମାନେ ଡେଇଁ ପଡ଼ନ୍ତି ଯୁଦ୍ଧକୁ ଓ ପୋଛିଦିଅନ୍ତି ଅନ୍ୟମାନଙ୍କ ଆଖିରୁ ଲୁହ । କରନ୍ତି ରକ୍ତଦାନ ଦେଶପାଇଁ, ମାତୃଭୂମି ପାଇଁ । ପରୋପକାରରେ ସମୟ ବିତାନ୍ତି । ନିଜ ଉପରେ ରାଗନ୍ତିନି ଜମା । ସମସ୍ତଙ୍କ ଭଲପାଇଁ ମାଗଣାରେ ନିର୍ମାଲ୍ୟ କଣିକା ବାଣ୍ଟନ୍ତି । ଅନ୍ୟମାନଙ୍କ ନିରାପତ୍ତାପାଇଁ । ନର ସଂହାର ଓ ଲୁଟତ୍ରାଜ୍ କରୁଥିବା ମାଓବାଦୀମାନଙ୍କୁ ନିର୍ବିଚାରରେ ଗୁଳିକରି ମାରିଦିଅନ୍ତି ।
ଅଭିମନୁ୍ୟ ପିଲାଟି ବେଳୁ ଥିଲା ପ୍ରଚଣ୍ଡ ଦୁଃସାହସୀ । ଦଶମରେ ପଢ଼ୁଥିବା ବେଳେ ସାଲୁଙ୍କି ନଦୀ କୂଳରେ ପାଚିଲା କେନ୍ଦୁକୋଳି ଖାଉଥିବା ବେଳେ କଲାପତରିଆ ବାଘଛୁଆ ହାବୁଡ଼ରେ ପଡ଼ିଥିଲା ଓ ସାହସର ସହ ଲଢ଼େଇ କରି ରାମ୍ପୁଡ଼ା ଦାଗ ସହ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାରେ ଦୁଇମାସ ପଡ଼ିଥିଲା । ଭଲ ହେଲା ପରେ କ୍ୱାର୍ଟରରେ କାମ କରୁଥିବା କନ୍ଧୁଣୀ ବୁଢ଼ୀର ଗାଁ’କୁ ଯାଇ ବାଁ’ ହାତରେ ଚିତା କୁଟେଇ ଥିଲା ‘ବାଘା’ । ସେଇଦିନୁ ଓ ଏବେବି ଦୁର୍ଦ୍ଧର୍ଷ ଅଭିମନୁ୍ୟକୁ ‘ବାଘା’ ବୋଲି ସମସ୍ତେ ଜାଣନ୍ତି । ବନ୍ଧୁମାନଙ୍କୁ ବାଁ’ପଟ ଗାଲ ଓ ପିଠିକୁ ଦେଖାନ୍ତି । ବାଘ ରାମ୍ପୁଡ଼ା ଓ କାମୁଡ଼ାର ଚିହ୍ନ ।
ସ୍ୱତନ୍ତ୍ର ସୁରକ୍ଷା ବର୍ଗରେ ଯୋଗ ଦେଲା ପରେ ସେ ପୁଣି ତାଲିମ ନେଇଛନ୍ତି ଏନ୍ଏସ୍ଜି କମାଣ୍ଡୋ, ବ୍ଲାକ୍ କ୍ୟାଟ୍ କମାଣ୍ଡୋ, ବିଏସ୍ଏଫ୍ ଡେୟାର ଡେଭିଲ ଟିମ୍ ଓ ହଜାରିବାଗ୍ କମାଣ୍ଡୋରେ ଓ ସଫଳତା ସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସା ପତ୍ର ପାଇଛନ୍ତି । ତାଙ୍କ ପ୍ରଶିକ୍ଷଣ ଦ୍ୱାରା ହିଁ ଅନେକ ଦକ୍ଷ କମାଣ୍ଡୋ ସୃଷ୍ଟି ହୋଇପାରିଛନ୍ତି । ନିଃସ୍ୱାର୍ଥପର ହୋଇ ସମସ୍ତଙ୍କୁ କୋଳାଗ୍ରତ କରିବାର ଅଭିନୟରେ ହିଁ ଜୀବନକୁ ଜିଇଁ ହୁଏ । ଭଲ ଲୋକମାନେ ଅର୍ଥବ ନୁହନ୍ତି । ନିଜ ଉପରେ ରାଗନ୍ତିନି । ପୋଛିଦିଅନ୍ତି ଅନ୍ୟର ଲୁହ । ରକ୍ତ ଓ ହୃଦୟ ଦେଇ ଜୀବନଟେ ବଞ୍ଚନ୍ତି ।
ଏବେ ବି ମନେପଡ଼େ । ରୋଜାଲିନକୁ ଦେଖିବାକୁ ଗଲାବେଳେ ସେ ପୂରାପୂରି ଲାଜେଇ ଯାଇଥିଲା । ରୋଜାଲିନ ତାକୁ ନମସ୍କାର କରି ଠିଆ ହୋଇଥିଲେ ବି ସେ ବସିବାକୁ କହି ନ ଥିଲା ଓ କିଛି ବି ପ୍ରଶ୍ନ ପଚାରି ପାରି ନ ଥିଲା । ତେଣୁ ରୋଜାଲିନ ଫେରି ଯାଇଥିଲା ଓ କିିଛି ସମୟ ପରେ ଚା’ ଆଣି ଦେଇଥିଲା । ସେ ଚା’ ପିଇବା ସମୟରେ କେବଳ ପଚାରି ପାରିଥିଲେ ତୁମ ନାଁ କ’ଣ? ରୋଜାଲିନର ଫେରିବାକୁ ସେ ଚାହିଁଥିଲେ । ଗୋରୀ ପତଳି ଡେଙ୍ଗୀ ଝିଅଟେ ଓ ନାଁ ପୁଣି ରୋଜାଲିନ । ଘରକୁ ଫେରିଆସି ବୋଉକୁ କହିଲା ଆଉ ଯେତେ ପ୍ରସ୍ତାବ ରଖିଛୁ ସମସ୍ତଙ୍କୁ ମନା କରିଦେ । ମୋ ବାହାଘର ଯଦି କରିବୁ ସେଇଠି କର । ବୋଉ ଖାଲି ହସିଦେଇଥିଲା ।
ସମୟର ପ୍ରବଞ୍ଚତ ନିଃଶ୍ୱାସରେ ଆଉ ନ ଥିବ ସୂର୍ଯେ୍ୟାଦୟର ସାମାନ୍ୟ ସମ୍ଭାବନା । କୌଣସି କଥା ଶେଷ କଥା ନୁହେଁ । କୋଉ କଥାର ଶେଷ ନ ଥାଏ କି ଆରମ୍ଭ ନ ଥାଏ । ଆଉ ସମୟ ଥାଏ ଆମ ପାଖରେ କେତେବେଳେ କେମିତି । ଇନ୍ଦିରା ପାର୍କର କ୍ରୋଟନ ଗଛ ତଳ ଛାଇ ଆଲୁଅରେ ବସି ଆମେ ଦୁଃଖସୁଖ ହେଉଥିବା ପିଲାମାନେ ଖେଳୁଥିବେ ଆମ ସାମ୍ନାରେ । ଗୁପ୍ଚୁପ୍ ଖାଇବାକୁ ଅଳି କରୁଥିବେ । ତୁମେ ସଦାବେଳେ ମଧ୍ୟାନ୍ତର କଥା କହୁଥିବ ଓ ମୋତେ ଅବଶ୍ୟ ବେଳେବେଳେ ବୁଝିବାକୁ କଷ୍ଟ ହେଉଥିବ । ନିଜ ଅଫିସ କାର୍ଯ୍ୟାଳୟ ସାମ୍ନାରେ ସେମାନେ ଜାଗା କିଣିଥିଲେ । ଅଭିମନ୍ୟୁ କହନ୍ତି ସେଇଠି ଛୋଟ ଘରଟିଏ ଓ ମନ୍ଦିରଟିଏ କରି ଅବସର ଜୀବନ କାଟିବେ । ରୋଜାଲିନ୍ ଉତ୍ତର ଦିଅନ୍ତି, ସହରଠାରୁ ଏତେ ଦୂରରେ ରହିବା କ’ଣ ଉଚିତ ହେବ । ଚାରିଆଡ଼େ ଅପନ୍ତରା, ବଣବୁଦା ଓ ନିର୍ଜନ ଅଞ୍ଚଳ । ଅଭିମନୁ୍ୟ ହସି ଦିଅନ୍ତି । ପିଲାମାନେ ତ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହୋଇ କିଏ କେଉଁଠି ଥିବେ । ଖାଲି ଆମେ ଦୁହେଁ ଥିବା । ପ୍ରତିଦିନ ବାରଣ୍ଡାରେ ବସି ସୁରକ୍ଷାବଳଙ୍କୁ ଦେଖି ମୋ ପେଟ ପୂରି ଯାଉଥିବ । ରୋଜାଲିନ୍ ତାରିଫ କରନ୍ତି, କି ଚମକ୍ରାର ସ୍ୱପ୍ନ ତମର । ହଉ ହେଲା । ତମ ଖୁସିରେ ମୋର ବି ଖୁସି । ଝିଅ ଓ ପୁଅକୁ ବଡ଼ ମଣିଷ କରିବାର ଆକାଶଛୁଅାଁ ସ୍ୱପ୍ନ ଦେଖୁଥିଲେ । ଝିଅକୁ କହନ୍ତି- ମାଆରେ ମନଦେଇ ପାଠପଢ଼ । ଆଇଏଏସ୍ କି ଆଇପିଏସ୍ ହେବୁ । ମୋଠାରୁ ବଡ଼ ହେବୁ । ଦେଶର ନାମ ରଖିବୁ । ଏମିତି ସୁଖ ଓ ସ୍ୱପ୍ନରେ ସେମାନଙ୍କ ସଂସାର ଚାଲୁଥିଲା । ସୁଖୀ ଦାମ୍ପତ୍ୟ ଜୀବନ ।
ରାତି ଏଗାରରେ ମାଓବାଦୀମାନେ ଜିଲ୍ଲା ମହକୁମାର କୋଷାଗାର ଉପରେ ଆକ୍ରମଣ କରି ବିଡ଼ାବିଡ଼ା ଟଙ୍କା ସହ ବନ୍ଧୁକ ଓ ଗୁଳି ନେଇଯାଇଥିଲେ । ଜେଲ୍ ଉପରେ ମଧ୍ୟ ଆକ୍ରମଣ କରି ବିଚାରାଧୀନ ମାଓବାଦୀଙ୍କୁ ମୁକୁଳାଇ ନେଇଥିଲେ । ସହରକୁ ଘେରାବନ୍ଦୀରେ ରଖିଥିଲେ । ବୋମା ଓ ମୋର୍ଟାର ମାଡ଼ କରିଥିଲେ । ଜିଲ୍ଲାପାଳଙ୍କ ଅଫିସ ଭିତରେ ବି ବୋମା ପକାଇଥିଲେ । ସଶସ୍ତ୍ର ବାହିନୀ ଆସିବା ଆଗରୁ ସେହି ସ୍ଥାନ ଛାଡ଼ି ଅରଣ୍ୟକୁ ପଳାଇଥିଲେ । ସହରର କାନ୍ଥ ସାରା ମାଓବାଦୀଙ୍କ ଇସ୍ତାହାର । ପାୟଲି ମଣିଆକାକୁ ଜୀବନ୍ତ କି ମୃତ ଧରାଇଦେଲେ ଦଶଲକ୍ଷ ଟଙ୍କାର ପୁରସ୍କାର ଦେବାପାଇଁ ସରକାର ଘୋଷଣା କରିଛନ୍ତି । ସେଇ ଲୁଣ୍ଠନ ରାତି ଥିଲା ଗୁରୁବାର । ରୋଜାଲିନ ରମା ଏକାଦଶୀ ବ୍ରତ କରିଥିଲେ । ସତୀ ସାଧ୍ୱୀ ରୋଜାଲିନ ସ୍ୱାମୀର ମଙ୍ଗଳ ବିଧାନପାଇଁ ଓ ପରିବାରରେ ଶାନ୍ତିପାଇଁ ନିଷ୍ଠା ଓ କାଷ୍ଠାରେ ଦିନଯାକ ଉପବାସ ରହିଥିଲେ । ରାତିରେ ଏକାଦଶୀର ଭୋଗ ଖାଇ ରୋଜାଲିନ୍ ସହ ଗପସପ ହୋଇସାରି ଶୋଇବାକୁ ଗଲାବେଳେ ଆଇଜିଙ୍କ ପାଖରୁ ଫୋନ୍ ଆସିଲା । ଜିଲ୍ଲା ମହକୁମାରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି । ତୁମେ ଯେଉଁଠି ଅଛ ତୁମ ସଶସ୍ତ୍ର ବଳ ନେଇ ବାହାରି ଆସ ।
ଅଭିମନୁ୍ୟ ସୈନିକ ପୋଷାକ ପିନ୍ଧି ପ୍ରସ୍ତୁତ ହୋଇ ବାହାରି ଆସିଲେ । ରୋଜାଲିନ୍ ତ ଏମିତି ରାତି ଅଧ କି ବେଳ ଅବେଳାରେ ବନ୍ଧୁକ ଧରି କ୍ଷେତ୍ରକୁ ଯିବାର ବହୁତ ଥର ଦେଖିଛନ୍ତି । ତେଣୁ ତାଙ୍କୁ କିଛି ଲାଗିଲାନି । ସେ ପଛେପଛେ ଆସିଲେ । ଫାଟକରେ ତାଲା ପକାଇଲେ ଓ କହିଲେ କାମ ସାରି ଜଲ୍ଦି ଫେରି ଆସିବ । ଅଭିମନୁ୍ୟ ପଛକୁ ମୁହଁ ବୁଲେଇ ରୋଜାଲିନଙ୍କ ହାତ ଧରି କହିଲେ – ସଦାବେଳେ ତ ଏମିତି ପୋଷାକରେ ଦେଖିଛ; କିନ୍ତୁ ପୂରାପୂରି ସୈନିକବେଶରେ ଯୁଦ୍ଧକ୍ଷେତ୍ରକୁ ଯିବାର କେବେ ଦେଖିଛ କି? ସ୍ୱୟଂଚାଳିତ ଅଟେ । ମେଟିକ୍ ବନ୍ଧୁକ, ପିସ୍ତଲ ଓ ମୋର୍ଟାର ପ୍ରଭୃତି ଅଫିସର ଅସ୍ତ୍ରାଗାରରୁ ବାହାର କରି ଏଗାରଟି ସିବିଜେଡ୍ ବାଇକ୍ରେ କୋଡ଼ିଏ ଜଣ ଦୁର୍ଦ୍ଧର୍ଷ ସୈନିକଙ୍କୁ ନେଇ ରାତି ଗୋଟାଏରେ ସେ ବାହାରିପଡ଼ିଲେ । ଗଲାବେଳେ ରୋଜାଲିନକୁ ବାରମ୍ବାର ଫୋନ୍ କରି ବ୍ୟସ୍ତ ନ କରିବାକୁ କହିଥିଲେ । ଜିଲ୍ଲା ମହକୁମାରୁ ମାଓବାଦୀମାନେ ଚାଲିଯାଇଥିଲେ ଓ ଗସ୍ମା ଜଙ୍ଗଲରେ ଲୁଚିଥିଲେ । ବଡ଼ି ଭୋରରେ ରୋଜାଲିନଙ୍କୁ ଫୋନ୍ କଲେ – କେମିତି ଅଛ? ପିଲାମାନେ ଉଠିଲେଣି ନା ଶୋଇଛନ୍ତି?
ଦିନ ଦଶଟାରେ ରୋଜାଲିନ୍ଙ୍କୁ ଫୋନ୍ କରି କହିଲେ, ଭାରି ଭୋକ ହେଲା । ଅଘଷା ପାଟିରେ ଚାରିଟା ଆଳୁଚପ ଖାଇଦେଇଛି । ମୋପାଇଁ ବ୍ୟସ୍ତ ହେବନି । ମୁଁ ଭଲରେ ଅଛି । ସନ୍ଧ୍ୟା ପୂର୍ବରୁ କାମ ସାରି ଘରେ ପହଞ୍ଚିଯିବି । ମୋପାଇଁ ପୁରି ଓ ଚିକେନ୍ ତରକାରି କରିଥିବ । ଏକାଠି ମିଶି ରାତିରେ ଖାଇବା । ଲଞ୍ଚ୍ ଟାଇମ୍ ବି ଗଡ଼ିଗଲା । ତାଙ୍କ ସେଲ୍ ଫୋନ୍ରୁ ଗୋଟେ ବ୍ଲାଙ୍କ୍ ମେସେଜ୍ ଆସିଲା । ରୋଜାଲିନ ସାଙ୍ଗେ ସାଙ୍ଗେ ଫୋନ୍ କଲେ । ଅଭିମନୁ୍ୟ ମୋବାଇଲ ଧରିଲେ; କିନ୍ତୁ ତାଙ୍କ ଦୀର୍ଘଶ୍ୱାସରୁ ସଁ ସଁ ଶବ୍ଦ ଶୁଭୁଥାଏ ।
ଏତିକି କହିଲେ- ମୋର କିଛି ହେଇନି । ମୁଁ ଘରକୁ ଫେରିଲେ ସବୁ କହିବି ।
ଅଭିମନୁ୍ୟ ନିଘଞ୍ଚ ନିବୁଜ ଅରଣ୍ୟରେ ଘୂରିବୁଲି ଖୋଜିଚାଲିଛି । ଏକୁଟିଆ ମାତି ଉଠି କୁହାଟ ଛାଡ଼ୁଛି । ହାତରେ ଏକେ ୪୦୭ ସ୍ୱୟଂଚାଳିତ ରାଇଫଲ ଓ କାନ୍ଧରେ ଓହଳିଛି ମୋର୍ଟାରର ବ୍ୟାଗ୍ । ପାହାଡ଼ର ପାଦ ଦେଶରେ ଅଭିମନୁ୍ୟ ଓ ପାହାଡ଼ର ଉନ୍ନତ ଉଚ୍ଚତାର ପଥର ଚଟାଣରେ ବଢ଼ିଥିବା ବୁଦିବୁଦିକିଆ ଜଙ୍ଗଲରେ ମିଣିଆକା ସହ ମାଓବାଦୀଙ୍କ ଅଜସ୍ର ଗୁଳିର ସୁଅ । ନିରୋଳା ରାସ୍ତାର ଅନ୍ଧାରରେ ଯେମିତି ଜଳୁଥାଏ ନିଆଁଠାରୁ ଅଝାଲ । କିଛି ଅଘଟଣ ଆଶଙ୍କା କରି ରୋଜାଲିନଙ୍କ ମନ ଛଟପଟ ହେଉଥାଏ । ଯେମିତି କେହି ଜଣେ କହୁଥିଲେ, ଅଭିମନୁ୍ୟ କେବେ ହାରେନା । ସମସ୍ତଙ୍କୁ ପରାସ୍ତ କଲାପରେ ବି ଯଦି ଅନ୍ୟାୟ ଯୁଦ୍ଧ କରାଯାଏ, ତେବେ ବି ସେ ଶେଷ ରକ୍ତବିନ୍ଦୁ ଥିଲା ପର୍ଯ୍ୟନ୍ତ ଯୁଦ୍ଧ କରେ । ଜୀବନ ଭିକ୍ଷା ମାଗେନା ।
ଆଖି ଆଗରେ କୁହୁଡ଼ି ଆଉ ମନର ଆଶଙ୍କା ତାଙ୍କୁ ପୂରାପୂରି ଅନ୍ଧାର ଗହ୍ୱରକୁ ଠେଲିଦେଲା । ସେଇଦିନ ଟିଭିରୁ ଖବର ଶୁଣି ଅର୍ଚ୍ଚିତା ନିଜ ବର୍ଷକର ଝିଅକୁ ନେଇ ଆସି ପହଞ୍ଚିଲା । ରୋଜାଲିନ ବୁଝାଉଥିଲା – ଭାଇଙ୍କର କିଛି ହେବନି । ଦେଖିବ, ଭାଇ ବିଜୟୀ ହୋଇ ଫେରିବେ । ପାୟଲି ମିଣିଆକାର ଶବକୁ ଘୋଷାରି ଆଣିବେ ନିଜ ବାଇକ୍ ପଛରେ ଜଞ୍ଜିରରେ ବାନ୍ଧିଦେଇ । ଡାଇରେକ୍ଟର ଫୋନ୍ କରି କହିଲେ ଯେ ଦିନ ଚାରିଟାରୁ ଅଭିମନୁ୍ୟ ନିଖୋଜ୍ ଅଛନ୍ତି । ଗସମା ଜଙ୍ଗଲରେ ତନ୍ନତନ୍ନ କରି ସଶସ୍ତ୍ର ବାହିନୀ ତାଙ୍କୁ ଖୋଜି ଚାଲିଛି । ଗସମା ଜଙ୍ଗଲରେ ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେଲା । ପାହାଡ଼ ଉପରେ ଥିବା ନକ୍ସଲଙ୍କ ଉପରକୁ ତଳେ ଥାଇ ଅଭିମନୁ୍ୟ ମୋର୍ଟାର ମାଡ଼ କରି ବୀରତ୍ୱର ସହ ଆଗେଇ ଚାଲିଥାଆନ୍ତି । ହଠାତ୍ ଫାୟାରିଂ ବନ୍ଦ ହୋଇଗଲା ଓ ଏମାନେ ଭାବିଲେ ଯେ ମାଓବାଦୀମାନେ ଛତ୍ରଭଙ୍ଗ ଦେଲେ; କିନ୍ତୁ ମାଓବାଦୀମାନେ ମାତ୍ର ତିରିଶ ମିଟର ଦୂରତାରେ ପାହାଡ଼ ଉପରେ ଘଞ୍ଚ ବଣବୁଦାରେ ଲୁଚିଛପି ରହିଥାଆନ୍ତି । ଏମାନେ କିଛି ଜାଣିବା ଆଗରୁ ସେମାନଙ୍କ ବନ୍ଧୁକ ଗର୍ଜି ଉଠିଲା । ଅଭିମନୁ୍ୟ ପେଟରେ ବାଜିଲା ଗୋଟିଏ ଗୁଳି । ତଥାପି ସେ ନକ୍ସଲଙ୍କ ଉପରକୁ ଅଟେ । ମେଟିକ୍ ବନ୍ଧୁକରୁ ଗୁଳି ଚଳାଉଥା’ନ୍ତି । ଆଉ ତିନୋଟି ଗୁଳି ଛାତିରେ, ଜଂଘରେ ଓ ବେକରେ ବାଜିଲା ପରେ ସେ ତଳୁ ଉଠି ପାରି ନ ଥିଲେ । ହାତରୁ ବନ୍ଧୁକ ଖସିପଡ଼ିଥିଲା । ନିଜ ପିସ୍ତଲକୁ ହାତରେ ଧରି ଗୁଳି ଚଳାଇବା ପୂର୍ବରୁ ସେ ଟଳିପଡ଼ିଥିଲେ । ଶେଷ ନିଃଶ୍ୱାସ ଟିକକ ଚାଲିଗଲା । ସବୁଦିନ ପାଇଁ ସହିଦ ହୋଇଗଲେ ।
ପୁଣି ଫୋନ୍ ଆସିଲା ଘଣ୍ଟାକ ପରେ – ଖବର କିଛି ଭଲ ନୁହେଁ । ସେ ମୋର ପୁଅ ପରି ଥିଲା । ରୋଜାଲିନ୍ଙ୍କ ଦୁଇ ଆଖିରୁ ଅଶ୍ରୁର ବାରିଧାରା । ଅର୍ଚ୍ଚିତା ବା କ’ଣ ତାଙ୍କୁ ବୁଝାଇ ପାରିବେ । ଦୁଃଖର ବର୍ଣ୍ଣବୋଧରେ ରୋଜାଲିନ୍ ଆଙ୍କି ଚାଲିଛି ସ୍ମୃତିର ହସ୍ତାକ୍ଷର । ପୋଷ୍ଟମର୍ଟମ କରିସାରି ବୀର ସୈନିକ ଅଭିମନୁ୍ୟଙ୍କ ମରଶରୀରକୁ କଫିନ୍ରେ ଅଣାଗଲା । ଆତ୍ମୀୟସ୍ୱଜନ ମାନଙ୍କ ଭିତରେ ଶୂନ୍ୟତା, ହାହାକାର ଓ ନିଃସଙ୍ଗତା ଅଭିମନୁ୍ୟ ଭଳି ଜଣେ ବୀର ଯୁବକକୁ ହରେଇଦେବାର ଦୁଃଖରେ । ବାପା କାନ୍ଦୁଥିଲେ ଅଭିମନୁ୍ୟଙ୍କୁ ଝୁରିଝୁରି । ଈଶ୍ୱର ଆଉ କେମିତିକା ପୁଅ ଦେଇଥା’ନ୍ତେ । କାଳଯମ କାହାର ଦୁଃଖସୁଖ ଜାଣେନି । ବଡ଼ ନିଦାରୁଣ ଓ ଦାରୁଣ ଦୁଃଖ ଦେଇ ପାଚିଲାକୁ ରଖି କଞ୍ଚା ବାଛିନେବ । ପୁଅର ଶବକୁ ନଉକା କରି ପାରିହେବା ଯାହା, କାନ୍ଧରେ ତା’ କୋକେଇ ବୋହିବା ଓ ଶ୍ମଶାନରେ କାଠକୁ ସଜିଲ କରିବା ତାହା ।
ରୋଜାଲିନର ଲୁହ ଅଚଳନ୍ତି କଣା ପଇସାର ବୃତ୍ତ୍ାକାର ଫାଙ୍କା ପରିଧିରେ ଜମାଟ ବାନ୍ଧୁଛି । ରୋଜାଲିନ୍ ପ୍ରଳାପ କରୁଛି ଯେ ମୋତେ ନ ନେଇ ତୁମେ କେମିତି ଚାଲିଗଲ । ମୋର କୁହୁକିତ ଯୌବନକୁ ଢାଙ୍କିଦେଲ ବିଧବାର ଶୁଭ୍ରଶାଢ଼ିରେ । କେତେ ଯେ ନିଷ୍ଠୁର । ରଙ୍ଗହୀନ କାନ୍ଥରେ ଟଙ୍ଗା ହୋଇଥିବା ସୌଖୀନ ତରବାରି ମୁଁ ଲଗେଇଦେବି ମୋ ଗଳାରେ ଓ ଖୁସିରେ ଖୁସିରେ ଚାଲିଯିବି ତୁମରି ପାଖକୁ । ରୋଜାଲିନ୍ର ଦୁଇଚକ୍ଷୁରେ ଉଦାସୀନତାର ରାଗ ଆଶାବରୀ । କେମିତି ବଞ୍ଚିବ? ତା’ର କେହି ଜଣେ ଥିଲା, ଏବେ ନାହିଁ କି ଆଗକୁ ନ ଥିବ, ଯାହା ହାତଧରି ଲମ୍ବାବାଟ ଚାଲିବାକୁ ଦୀପ ଛୁଇଁଥିଲା । ସାବିତ୍ରୀ ଅମାବାସ୍ୟାରେ ନୂଆ ଶାଢ଼ି, ସିନ୍ଦୂର ଓ ନାଲିଚୁଡ଼ି ପିନ୍ଧି ଅଭିମନୁ୍ୟଙ୍କ ପାଦ ସ୍ପର୍ଶ କରି ଯମକୁ ଡରାଉଥିଲା ଯେ ସ୍ୱାମୀ ମୋର ଅମର ରୁହନ୍ତୁ; କିନ୍ତୁ ଏବେ ପାଖରେ ପଡ଼ିଛି ତା’ ସ୍ୱାମୀର ଗୁଳିବିଦ୍ଧ ନିଷ୍ପନ୍ଦ ଶରୀର । ଯାହା ହଜିଗଲା ତାହା ତ ହଜିଗଲା ତମ ଜୀବନରୁ । ଆଉ ଖୋଜିହେବ କି କାହାନ୍ତି ସେମାନେ? ବରଂ ତାଙ୍କ ଆତ୍ମାର ସଦ୍ଗତି କାମନା କରି ପିଲାମାନଙ୍କୁ ଆଦର୍ଶର ସହ ଗଢ଼ି ତୋଳିବା । ସେ ହୁଏତ ସ୍ୱର୍ଗରେ ଥାଇ ଆଶୀର୍ବାଦ କରୁଥିବେ । ନୈଶ ନିଃସଙ୍ଗତା ଜାଳୁଥାଏ ସ୍ୱାମୀର ବିରହରେ ଦେହକୁ ମନକୁ । ଅଜଗର ଭଳି ପାଟି ମେଲା କରି ଗିଳୁଥାଏ ଶୋକାତ୍ତର୍୍ ଶରୀର । ଅଖଳ ଖଣି ଶୂନ୍ୟତାରେ ଆସୁଥାଏ ନିଃଶବ୍ଦ କମ୍ପନ । ଅଭିମନୁ୍ୟର ଶରୀର ମିଶିଯିବ ମରୁତ୍, ଆପ୍, ତେଜ, ବ୍ୟୋମ ଓ କ୍ଷିତିରେ । ବିରହ, ବିବଶ, ଦୁଃଖ ଓ ବିଷାଦ ସଂଗୀତରେ ଭାରାକ୍ରାନ୍ତ ପରିବେଶ ଏଠି । କୁଆଡ଼େ ଗଲ ଯେ? ଫେରିବାର କଥା ତ ଦେଇଥିଲ କିନ୍ତୁ ନ ଫେରି ଆଉ କୁଆଡ଼େ ଗଲ ଯେ । ଆମକୁ ନିରାଶ୍ରୟ କରିଦେଲ ।
ଅଭିମନୁ୍ୟର ଶବକୁ ରାଷ୍ଟ୍ରୀୟ ସମ୍ମାନ ଦେଇ ଶ୍ମଶାନକୁ ନେଇ ଗଲା ବେଳେ ମୁଖ୍ୟ ରାସ୍ତାର କେଉଁ ଏକ ଗଳିରେ ଯୋଗୀ କେନ୍ଦରାର ଗୀତ ଧୀରେ ଧୀରେ କାନରେ ବାଜୁଥିଲା- ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି?
ଅନ୍ତିମ ସଂସ୍କାର ସ୍ଥଳରେ ଅଗଣିତ ନରନାରୀ, ଆତ୍ମୀୟ ସଜ୍ଜନ, ପୋଲିସବାହିନୀ ଓ ରାଜନେତାମାନେ । ବୀର ସୈନିକମାନେ ପ୍ରାଣବଳି ଦେଇଥା’ନ୍ତି ଦେଶପାଇଁ, ଜାତିପାଇଁ । ପାୟଲି ମିଣିଆକା କ’ଣ ବୁଝିବ ଏମାନଙ୍କ ଦୁଃଖ ଓ ଶୋକ? ରୋଜାଲିନ୍ ନିଜ ପୁଅଝିଅଙ୍କୁ ଧରି ଜୀବନ ସଂଗ୍ରାମରେ ଆଗକୁ ବଢ଼ୁଥିବା ବେଳେ ଦେଖେ ବୀର ସୈନିକ ଅଭିମନୁ୍ୟର ଛାଇ ତାଙ୍କ ଆଗେଆଗେ ଚାଲିଛି ଓ ଖାଲି ବାରୁଦର ଗନ୍ଧ । ଅଭିମନୁ୍ୟଙ୍କ ଆତ୍ମା ଛାଇପରି ସେମାନଙ୍କ ଆଗେଆଗେ ସଦାବେଳେ ପ୍ରତିମୁହୂତ୍ତର୍୍ରେ । ରୋଜାଲିନଙ୍କ ପଛରେ ସାନଭଉଣୀ ଅର୍ଚ୍ଚିତା ନିଜ ବର୍ଷକର ଝିଅକୁ କାଖେଇ ଚାଲୁଥାଏ ଜୀବନର କଷ୍ଟକୁ ଲାଘବ କରିବାପାଇଁ । ଆଗରେ ଦେଖେ ଅଭୟ ହସି ହସି ଛାଇ ଭଳି ଆଗେଇ ଯାଉଛନ୍ତି । ରୋଜାଲିନ ଓ ଅର୍ଚ୍ଚିତାଙ୍କ ଆଗରେ ଖାଲି ଧୂଅାଁ ଓ ନିଅାଁ ସହ ବାରୁଦର ଉକ୍ରଟ ଗନ୍ଧ । ସେଇ ଧୂଅାଁର କୁଣ୍ଡଳୀରେ ହାତ ହଲେଇ ଡାକୁଛନ୍ତି ଅଭିମନୁ୍ୟ ଓ ଅଭୟ । ଆଗେଇ ଆସ । ଜୀବନକୁ ଜିଇଁବାକୁ ହେଲେ, ପିଲାମାନଙ୍କୁ ବଡ଼ ମଣିଷ କରିବାକୁ ହେଲେ ପାଦ ପକେଇ ଚାଲ । ଦେଖିବ, ଜୀବନ ଯୁଦ୍ଧରେ ଜିତିଯିବ ।
ପାୟଲି ମିଣିଆକା ବହୁତ ବର୍ଷ ପରେ ଆତ୍ମସମର୍ପଣ କଲା ଓ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହୋଇଗଲା ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ