(୧)
ଆଜି ମୋର ଜନ୍ମଦିନ ।
ସକାଳୁ ସକାଳୁ ଅନେକ ଲୋକ ମୋତେ ଉଇସ୍ କଲେ । ଫେସ୍ବୁକ୍ ଖୋଲି ଟାଇମ୍ଲାଇନ୍ ଦେଖିବାରୁ ଜଣାପଡ଼ିଲା ମୋର ଜନ୍ମଦିନ ବୋଲି । ମୋ ଜନ୍ମଦିନ କେବେ ମୋତେ ଠିକ୍ କରି ଜଣାନଥାଏ । କାରଣ ଏ ଯଉଁ ଜନ୍ମ ତାରିଖ ତମେ ଦେଖୁଚ ଓ ମୋତେ ଉଇସ୍ କରୁଚ ସେଟା ଖାଣ୍ଟି ଜନ୍ମ ତାରିଖ ନୁହେଁ । ସ୍କୁଲରେ ନାଁ ଲେଖାଇବା ବେଳେ ମୋ ବାପା ଓ ସ୍କୁଲର ହେଡ୍ ପଣ୍ଡିତ ମିଶିକି ଗୋଟେ କାଳ୍ପନିକ ଜନ୍ମ ତାରିଖ ସ୍ଥିର କରିଥିଲେ । କାରଣ ମୋର ଅସଲ ଜନ୍ମତାରିଖ କାହାରିକି ଭଲ ଭାବେ ଜଣାନଥିଲା ।
ମୁଁ ଚଇତ୍ର ମାସ ତେଇଶି ଦିନ ଶୁକ୍ଳପକ୍ଷ କି କୃଷ୍ଣପକ୍ଷରେ ଜନ୍ମ ହେଇଥିଲି । ସତସତିକା ହିସାବରେ ମୋତେ ସେତେବେଳେକୁ ଚାରିବର୍ଷ ଚାଲିଥିଲା । ପଣ୍ଡିତେ କହିଲେ- ‘ହବନି । ଆଉ ଦି’ ବର୍ଷ ବଢ଼େଇ ଦିଅ ।’ ବାପା କହିଲେ- ‘ହଉ… ।’ ମାନେ ମୋର ଆଉ ଦି’ବର୍ଷ ବଢ଼େଇକି ନାଁ ଲେଖାହେଲା ।
ସତକୁ ସତ ମୋତେ ଆଜି ପଚାଶ ପୂରିଲା । ମିଛ ବା କାଳ୍ପନିକ ବୟସ ମୋତେ ବାଉନ ପୂରିଲା । ତ’ କ’ଣ ଉଖୁଡିଗଲା?
ମୋ ବାପାଙ୍କୁ ଏଇ ଖଡ଼ାମରା ସଂକ୍ରାନ୍ତି ବେଳକୁ ନବେ ଛୁଇଁବ । ମାନେ ମୁଁ ଆଉ ବାପାଙ୍କ ଭିତରେ ଚାଳିଶ ବର୍ଷର ବ୍ୟବଧାନ । ବାପା ନିଶ୍ଚେ ଶହେ ପାର କରିବେ । ତାଙ୍କ ବୟସର ଲୋକ ଆମ ଗାଁରେ ନାହାନ୍ତି । ଆମ ଜେଜେ ମଧ୍ୟ ଅଠାନବେ ପାର କରିଥିଲେ । ଶହେକୁ ଦି’ବର୍ଷ କମ୍ । ସେ ବେମାର ପଡ଼ିଗଲେ ଦି’ମାସ । ସେତେବେଳେ ବାପାଙ୍କ ପାଖରେ ଏତେ ପଇସା ନଥିଲା । ଡାକ୍ତର ବଇଦ ଦୁର୍ଲଭ ଥିଲେ । ନହେଲେ ଜେଜେ ପୂରା ଶହେ ପାର କରିଯାଇଥାଆନ୍ତେ । ଜେଜେଙ୍କ ବାପାଙ୍କ କଥା ମୁଁ ଜାଣିନି ।
ଆଜି ସକାଳୁ ବର୍ଷା ଲାଗିରହିଚି । ଏବେ ଘରେ କେହି ନାହାନ୍ତି । ପୁଅ ସ୍କୁଲକୁ ଯାଇଚି । ଗଉତମୀ ତା’ ଅଫିସ୍ ଯାଇଚି । ମୁଁ ଘରେ ଏକୁଟିଆ ଅଛି । ବାଲକୋନି ଦେଇ ବର୍ଷାକୁ ଦେଖୁଚି । ବର୍ଷା ଜମାରୁ ଛାଡୁନି । ମୁଁ ଟିକେ ବାହାରକୁ ଯିବା ପାଇଁ ବସିଚି । ଦୂରରୁ କାର୍ଖାନାର ଚିମିନି ଓ କଳାଧୂଅାଁ ଦିଶୁଚି । ପାଖ ଛାତ ଉପରେ ହସକୁରୀ, ଚମ୍ପାଫୁଲ ପରି ତୋଫା ଗୋରୀ ସ୍ତ୍ରୀଲୋକଟି କପଡ଼ା ଶୁଖାଇବା ପାଇଁ ଆସି ଫେରିଯାଉଚି ବର୍ଷାକୁ ଦେଖି । ବର୍ଷା ନଥିଲେ ସେ ଅଧଘଣ୍ଟା ଖଣ୍ଡେ କପଡା ଶୁଖାଇଥାଆନ୍ତା । ସେଇ ବାହାନାରେ ସେ ମୋତେ ଦେଖିଥାନ୍ତା । ମୁଁ ବି ତାକୁ ଦେଖିଥାନ୍ତି । ନାଃ, ସେ ଚାଲିଗଲା । ଇଏ ମୋ ପାଇଁ ଏକ ବିଷାଦର ମୁହୂର୍ତ୍ତ ଥିଲା ।
ପାଣିରେ ଭିଜିଯାଇଥିବା ଗୋଟେ ଲୋଟଣୀ ପାରା ଛାତ ଉପରକୁ ଆସିଲା । ସେ ଗୋଟେ ଟାଇଫଏଡ୍ ରୋଗୀ ପରି ଧୀରେ ଧୀରେ ଚାଲିଲା । ତାକୁ ଦେଖି ମୋତେ ଦୟା ଲାଗିଲା । ପ୍ରତିଦିନ ସେ ଗୋରୀ ସ୍ତ୍ରୀଲୋକଟି ଏତିକି ବେଳେ ଛାତ ଉପରକୁ ଆସେ ଓ ପାରାମାନଙ୍କୁ ଚାଉଳ ଦିଏ । ଆଜି ବର୍ଷା ହଉଚି । ପାରାମାନେ ଭୋକିଲା ରହିବେ ।
ମୋ ବାଲକୋନୀ ସିଧାରେ ଯଉଁ ଘର ଓ ଯଉଁ ଘରେ ସେ ଗୋରୀ ସ୍ତ୍ରୀଲୋକଟି ରହେ, ତା’ ସ୍ୱାମୀ ଗୋଟେ ଦସୁ୍ୟପରି ଦିଶେ । ସେ ଦସୁ୍ୟଟିର କିନ୍ତୁ ଦିଇଟା କୁନିକୁନି ପ୍ରଜାପତି ପରି ପିଲା ଅଛନ୍ତି । ସେମାନେ ତାଙ୍କ ମାଆପରି ଦିଶନ୍ତି । ଦସୁ୍ୟଲୋକଟି ସବୁବେଳେ ତା’ ଛାତକୁ ଲାଗି ବଢ଼ୁଥିବା ଚମ୍ପାଗଛଟାକୁ ହାଣିଦିଏ । ଚମ୍ପାଗଛର ଡାଳ ଲମ୍ବିଆସି ମୋର ବାଲକୋନୀକୁ ଛୁଏଁ । ସଂଜବେଳେ ମୋ ବାଲକୋନୀରେ ମୁଁ ବସି ବସି ଚମ୍ପାଫୁଲର ଖୁସ୍ବୁ ନିଏ । କିନ୍ତୁ ସେ ନିର୍ଦ୍ଦୟ ଦସୁ୍ୟଟି କାହିଁକି ଚମ୍ପା ଗଛକୁ ସହିପାରେନି…?
ଏବେ ବର୍ଷା ଟିକେ ଛାଡିଗଲା ପରି ଲାଗୁଚି । ଏବେ ଯଦି ବାହାରକୁ ଚାଲିଯାଏ, ତେବେ ମୁଁ ଜାଣେ ପୁଣି ବର୍ଷା ଆରମ୍ଭ ହେଇଯିବ । କେତେଥର ଇମିତି ହେଇଚି । ବର୍ଷା ଠିକ୍ ଜଳଦସୁ୍ୟ ପରି । ଲୁଚି ଲୁଚିକି ଆକ୍ରମଣ କରେ । ତମେ ଭାବିଥିବ ‘ହବନି’ । ଛତା କି ରେନ୍କୋଟ କିଛି ନେଇକି ଯାଇନଥିବ । ହବ ଦୁମ ଦୁମ୍ କରି ଅସୁଳାଏ… । ବର୍ଷା ଛାଡିଗଲା ପରେ ସେ ଭିଜିଯାଇଥିବା ଲୋଟଣି ପାରାଟି ପୁଣିଥରେ ଛାତ ଉପରକୁ ଆସୁଚି । ଛାତ ଉପରେ ସେ ତା’ ଗୋଡ଼ମୁଦି ହଜେଇ ଦେଇଥିବା ପରି ଏଠି ସେଠି ଖୋଜି ହଉଚି ଦାନା । ଦାନା ବର୍ଷାପାଣିରେ ବତୁରି ଯାଇ କୁତ୍ସିତ ଦିଶୁଚି । ସେ ଅଭିମାନୀ ପାରାଟି ଜମାରୁ ଦାନା ଖୁମ୍ପୁନି । ସେ ଗୋରୀ ଚମ୍ପାଫୁଲ ପରି ସ୍ତ୍ରୀଲୋକଟି ଆଉ ଛାତ ଉପରକୁ ଆସୁନି । ତା’ ଦସୁ୍ୟପରି ସ୍ୱାମୀଟି ଅଫିସ୍ କାହିଁକି ଯାଉନି…?
ମୋତେ ଆଜି ପଚାଶ କି କାଳ୍ପନିକ ବାଉନ ବର୍ଷ ପୂରିଗଲା । କିନ୍ତୁ ମୋତେ କାହିଁକି ସେମିତି ଲାଗୁନି ! ମୋତେ ଲାଗୁଚି ମୁଁ ଗାଁଦାଣ୍ଡରେ ହାଫପେଣ୍ଟ ପିନ୍ଧି ଫୁଙ୍ଗୁଳା ଦିହରେ ଠିଆ ହେଇ ଆଇସ୍କି୍ରମ୍ ଚୁଚୁମୁ ଥିବା ଗୋଟେ କିଶୋର । ହଁ, ମୁଁ ସେଇଠି ଅଟକିଯାଇଚି । ମୁଁ ବର୍ଷାପାଣିରେ ଭିଜି କାଗଜ ଡଙ୍ଗା ଭସଉଥିବା ବୟସରେ ଅଟକି ରହିଚି । ବେଲୁନ ଓ ପେଁକାଳି ପାଇଁ ଅଳି କରୁଥିବା ଜଣେ ଅବୋଧ ଶିଶୁଟେର ଚପଳତା ବି ମୋ ଭିତରେ ତଥାପି କଉଁଠି କବାଡ଼ି ଖେଳୁଚି ।
ହେଇ… ମୁଁ କହୁଥିଲି ନା, ଏବେ ପୁଣି ଟପ୍ ଟପ୍ ବର୍ଷା ଆରମ୍ଭ ହେଇଗଲା । ଲାଗୁଚି ସେ ମୋତେ ଓ ଲୋଟଣି ପାରା ଓ ସେଇ ଗୋରୀ ସ୍ତ୍ରୀଲୋକଟିକୁ ଆଜି ନାକେଦମ୍ କରି ଛାଡିବ । ଆଉ ସେ ଦସୁ୍ୟ ସ୍ୱାମୀଟି ଆଜି ତା’ ଅଫିସ୍ ଯିବନି । ସେ ଯଦି ଅଫିସ୍ ନଯାଏ, ତେବେ ଘରେ ବସି ବସି କ’ଣ କରିବ? ସେ କଦାପି କବିତା ପଢ଼ୁନଥିବ କି ଲେଖୁନଥିବ । ଟିଭିର କଉଁ ଚାନେଲ୍ ଖୋଲିକି ବସିରହିବ ସାରାଦିନ ଓ ତା’ ସ୍ତ୍ରୀକୁ ବାରମ୍ବାର ହଇରାଣ କରିଚାଲିବ । ଅବଶ୍ୟ ତା’ ସ୍ତ୍ରୀ ତା’ର । ତା’ ଉପରେ ତା’ର ଶହେ ପ୍ରତିଶତ ଅଧିକାର ରହିବା କଥା । କିନ୍ତୁ ତା’ ବୋଲି ସେ ତାକୁ ହଇରାଣ କାହିଁକି କରିବ?
ସେ ଆଜି ଦିନସାରା ତାକୁ ଚା’ କରେଇବ । ତାକୁ ପାଖକୁ ଡାକି ଗେଲ କରିବ ନହେଲେ କଡ଼ା ଭାଷାରେ ଗାଳିଗୁଲଜ କରିବ । ଦସୁ୍ୟମାନେ କାହାରିକୁ ଗେଲ କରିପାରନ୍ତି କି?
ଦସୁ୍ୟମାନେ ଗେଲ କରିବା ଜାଣନ୍ତିନି । ଯଦିବା କାହାକୁ ସେମାନେ ଗେଲ କରିବା କଥା ଭାବିବେ; ତେବେ ସେମାନେ ଆଉ ଦସୁ୍ୟ ହେଇରହିବେନି ।
ରୁହ ରୁହ… ସେ ଦସ୍ୟୁ ସ୍ୱାମୀଟି ଗୋଟେ ଛତା ମୁଣ୍ଡେଇ ଛାତ ଉପରକୁ ଆସି ସେ ପାଣିଟାଙ୍କିର ଢାଙ୍କୁଣି ଟେକି ଭିତରକୁ ନଇଁପଡୁଚି । ମୋର ମନହଉଚି ମୁଁ ଏ ଛାତ ଉପରକୁ ଡେଇଁ ପଡ଼ିବି ଓ ତା’ ଗୋଡ଼ ଦୁଇଟାକୁ ତଳୁ ଉଠେଇ ଧରି ପାଣି ଟାଙ୍କି ଭିତରେ ଗଳେଇ ପକେଇବି । … ନାଃ… ସେ ଦସୁ୍ୟଟି ହଠାତ୍ ଯେଉଁଠୁ ଆସିଥିଲା ସେଇଠିକି ଫେରିଗଲା । ଯାଉ…
ମୋ ସ୍ତ୍ରୀ ତା’ ଅଫିସ୍ରୁ ଫେରିବା ପୂର୍ବରୁ ବର୍ଷା କିନ୍ତୁ ଛାଡ଼ିନଥିଲା । ବର୍ଷା ନଛାଡ଼ିଲେ ମୁଁ ଘର ଭିତରେ ବସି ଇଆଡୁ ସିଆଡୁ କଥା ଭାବିବି । ମୁଁ ଘରେ ଏକୁଟିଆ ଥିଲେ ଦିଇଟା କାମ କରେ । ଏକ, ଇଆଡୁ ସିଆଡୁ ଖାଏ ଓ ଭାବେ । ଦୁଇ- ମଝିରେ ମଝିରେ କିଛି କିଛି ପଢ଼େ, ନହେଲେ ଲେଖେ । ଆଜି କିନ୍ତୁ ମୁଁ କିଛି କରିବିନି । କିଛି କରିବାକୁ ମନ ହଉନି । ସକାଳୁ ସକାଳୁ ବର୍ଷାଟା ମୋ ମୁଡ୍ ଖରାପ କରିଦେଇଚି । ସେ ଲୋଟଣି ପାରା ଓ ସେଇ ଗୋରୀ ସ୍ତ୍ରୀଲୋକଟିର ମଧ୍ୟ ମୁଡ୍ ଖରାପ କରିଦେଇଚି ।
ଛାଡ ହୋ… କିଏ କଉଁ କଥା ପାଇଁ ଝୁରୁଚି, ମୁଁ ବର୍ଷା, ଲୋଟଣି ପାରା ଓ ଗୋରୀ ସ୍ତ୍ରୀଲୋକ ପାଇଁ ମରୁଚି । ଏବେ ମୋର ଆଉ ଗୋଟେ କଥା ମନେ ପଡୁଚି.. ରୁହ, ମୁଁ ସେ କଥା ଶୁଣଉଚି ।
(୨)
ମିଷ୍ଟି ସର୍କାର ସାଙ୍ଗେ ମୋର ଦେଖା ହେଇଥିଲା ଏକ ସେମିନାରରେ । ସେ ଶ୍ୟାମଳାଙ୍ଗୀ ଝିଅଟି ଏତେ ବେଶି ଅସାଧାରଣ ଓ ଆକର୍ଷଣୀୟ ଥିଲା ଯେ ସାରା ସେମିନାର ମୁଁ ତାକୁ ଦେଖିଥିଲି । ମୋ ଆଖିର ଏଇ କାମୁକତାକୁ ସେ ଧରିପକେଇଥିଲା । ସେମିନାର ଶେଷ ହେଲାବେଳକୁ ମୁଁ ତା’ ପ୍ରେମରେ ପଡ଼ିସାରିଥିଲି । ତା’ପରେ ଏକ ସଂକ୍ଷିପ୍ତ ପରିଚୟ ଓ ଫୋନ୍ ନମ୍ବର ଆଦାନପ୍ରଦାନ, କାଳକ୍ରମେ ଚାଟିଂ, ରାତି ରାତି ହ୍ୱାଟ୍ସାପ୍ରେ ଭାବବିନିମୟ ପରସ୍ପରଙ୍କୁ ଅଦ୍ଭୁତ ଭାବେ ଯୋଡ଼ିଦେଲା ।
ମିଷ୍ଟି କିଛି କହିଲାନି । ସତେକି ମୋତେ ସେ ଆଦୌ ଜାଣେନି । ମିଷ୍ଟି ଆଉ କାହା ଗାଡ଼ିରେ ବସି ଚାଲିଗଲା । ତା’ପରଦିନ ମୋର ସୁଗାର ବଢ଼ିଗଲା । ମୁଁ ଯେତେବେଳେ ଡାକ୍ତରକୁ ଦେଖେଇଲି; ଡାକ୍ତର କହିଲା- ‘ମିଠା କମ୍ ଖାଆନ୍ତୁ, ବୟସ ତୁଳନାରେ ମିଠା….’ ସେଦିନ ରାତିରେ ମୁଁ ମୋ ମୋବାଇଲ ଫୋନ୍ରୁ ମିଷ୍ଟିର ନମ୍ବର ଡିଲିଟ୍ କରିଦେଲି । ଡିଲିଟ୍ କରିବା ପୂର୍ବରୁ ତା’ ପାଖକୁ ଗୋଟେ ମେସେଜ ପଠେଇଲି ଶେଷଥର ପାଇଁ । ଲେଖିଥିଲି- ‘ମିଠା ଦେହ ପାଇଁ କ୍ଷତିକାରକ… ।’
ଦିନେ ମୋ ତରଫରୁ ପ୍ରସ୍ତାବ ରଖିଲି; “ଚାଲ, ତମକୁ ଦେଖେଇନେବି ଗୋଟେ ପ୍ରାଗୈତିହାସିକ ଜାଗା । ଜଙ୍ଗଲ ଭିତରେ ଗୋଟେ ପ୍ରାଚୀନ ନଦୀ ଓ ନଦୀର ଅବବାହିକାରେ ଏକ ପ୍ରାଚୀନତମ ପାହାଡ଼, ପାହାଡ଼ର ଗୁମ୍ଫାରେ ଆଦିମ କାରୁକାର୍ଯ୍ୟ । ସେସବୁ ତମ ଗବେଷଣାକୁ ଅଧିକ ତଥ୍ୟ ଯୋଗାଇ ଦବ ।’
ମିଷ୍ଟି ସର୍କାର ମୋ କଥାରେ ରାଜି ହେଇଗଲା । ମୁଁ ସେଦିନ ସବୁଠୁ ସ୍ମାର୍ଟ ଦିଶୁଥିବା ଟିସାର୍ଟ ଓ ଡେନିମ୍ ରଙ୍ଗର ଜିନ୍ସ ପ୍ୟାର୍ଟ ପିନ୍ଧି ଥିଲି । କାର୍ର ଆଗସିଟ୍ରେ ମିଷ୍ଟି । ମୁଁ ରାସ୍ତାକୁ କମ୍, ତାକୁ ବେଶି ଦିଶୁଥିଲି । ମିଷ୍ଟି ମୋତେ ଆକଟ କରି କହିଲା- ‘ରାସ୍ତାକୁ ଦେଖି ଗାଡ଼ିଚଲାଅ ।’, ମୁଁ ହସିଲି ଓ କହିଲି ! ‘ରାସ୍ତା ତ ତମଠୁ ଆରମ୍ଭ ଓ ତମଠାରେ ଶେଷ ।’
ମିଷ୍ଟି କହିଲା : ‘ଭାରି ଶୋଷ’ ।
ମୁଁ ଗାଡ଼ି ରଖିଲି । ରାସ୍ତାକଡ଼ରେ ପଇଡ । ଖୁବ୍ ବଡ଼ ! ମିଷ୍ଟିକୁ ଶୋଷ । ଦି’ଇଟା ପଇଡ ମୋ ଦି’ ହାତରେ । ମିଷ୍ଟି ହସିଲା । କହିଲା : “ଇମିତି କ’ଣ ଦେଖୁଚ? ଖାଇଯିବନା କ’ଣ?”
ଆମେ ଜଙ୍ଗଲ ଭିତରେ ପଶି, ନଈ ପାଖ ପାହାଡ଼ ଭିତରେ ପଶି ଗୋଟେ ଆଦିମ ଗୁମ୍ଫା ଭିତରକୁ ଗଲୁ । ସେ ଗୁମ୍ଫା କଳା କଳା ଅନ୍ଧାରର ଏକ ରହସ୍ୟମୟ ସମ୍ମୋହନ ଥିଲା । ଗୁମ୍ଫା ଭିତରେ କଉଁ ଆଦିମ ବାସ୍ନାର ଅସହ୍ୟ ରୋମାଞ୍ଚ ଥିଲା । ସେ ଗୁମ୍ଫା ଭିତରେ ମିଷ୍ଟି ଆଉ ମିଷ୍ଟି ହେଇ ରହିଲାନି । ଆମେ ଯେତେବେଳେ ଗୁମ୍ଫା ଭିତରୁ ବାହାରିଲୁ ମିଷ୍ଟିର ଦେହସାରା ନଖ ଆମ୍ପୁଡା ଦାଗ । ସତେ ଯେପରି କିଏ ତାକୁ କ୍ଷତବିକ୍ଷତ କରିଦେଇଚି ଅନ୍ଧାରରେ । ନିବୁଜ ନିର୍ଜନତାରେ ।
ମୁଁ ପଚାରିଲି : ତମେ ଗୁମ୍ଫା ଭିତରେ କୁଆଡେ ହଜିଗଲ?
ମିଷ୍ଟି କହିଲା : ବାଘ ମୋତେ ଝାମ୍ପି ନେଇଗଲା, ତମକୁ ଯେତେ ଡାକିଲି ତମେ ଶୁଣିଲନି ।
ରାତିରେ ଫେରିଲାବେଳେ ମିଷ୍ଟି କଥା କହିଲାନି । ରାଗିକି ବସିଥିଲା ପଛସିଟ୍ରେ । ତାକୁ ନେଇ ହଷ୍ଟେଲରେ ଛାଡିବା ବେଳକୁ ରାତି । ସେ କହିଲା : ‘ଏତେ ରାତିରେ ହଷ୍ଟେଲ ଭିତରକୁ ଯିବା ପାଇଁ ଅନୁମତି ମିଳିବନି ।’
‘ତ!’…. ମୁଁ କହିଲି (ପଚାରିଲି) ।
ମିଷ୍ଟି କହିଲା : ମୋତେ ସାରାରାତି ନେଇକି କଉଁଠି ରଖ । ମୁଁ କହିଲି : ‘ଦେଖ, ମୋତେ ସୁଗାର । ଡାଇବେଟିସ୍ ପେସେଣ୍ଟ ମୁଁ ।
ସାରାରାତି ତମକୁ ନେଇ କଉଁଠି ରଖବି?’
ମିଷ୍ଟି କହିଲା : ‘ସେ କଥା ମୁଁ ଜାଣିନି । ମୋତେ କଉଁଠି ହେଲେ ରାତିଟା ରଖ ।’
ମୁଁ ଏବେ କରେ କ’ଣ?
ରାତିସାରା ଗାଡ଼ି ଚଲେଇଲି । ରାତି ପାହିଲା ବେଳକୁ ଗାଡ଼ିର ପେଟ୍ରୋଲ ଖତମ୍ । ଟାଙ୍କି ଶୁଖି ଠନ୍ ଠନ୍ । ରାତିସାରା ଅନିଦ୍ରା, କ୍ଲାନ୍ତି ଓ ଅନୁତାପ । ମିଷ୍ଟି କିନ୍ତୁ ଶୋଇଯାଇଚି ପରିତୃପ୍ତିର ଏକ ନିଶ୍ଚିନ୍ତ ନିଦ୍ରାରେ ।
ଆଉଥରେ ଯେତେବେଳେ ଦେଖାହେଲା ମିଷ୍ଟି ସାଙ୍ଗେ, ସେ ମୋତେ ଚିହ୍ନିପାରିଲାନି । ମୁଁ ତାକୁ ଇସାରା କଲି । ପାଖକୁ ଯାଇ ଡାକିଲି । କହିଲି : ଚାଲ ଏଥର ଯିବା ସେଇ ଆଦିମ ପାହାଡ଼ର ଅନ୍ଧାରୀ ଗୁମ୍ଫାକୁ । ରାସ୍ତାରେ ତମକୁ ପିଆଇବି ପଇଡ । ରାତିସାରା ଗାଡ଼ିରେ ବସି ବୁଲେଇବି ।
ମିଷ୍ଟି କିଛି କହିଲାନି । ସତେକି ମୋତେ ସେ ଆଦୌ ଜାଣେନି । ମିଷ୍ଟି ଆଉ କାହା ଗାଡ଼ିରେ ବସି ଚାଲିଗଲା । ତା’ପରଦିନ ମୋର ସୁଗାର ବଢ଼ିଗଲା । ମୁଁ ଯେତେବେଳେ ଡାକ୍ତରକୁ ଦେଖେଇଲି; ଡାକ୍ତର କହିଲା- ‘ମିଠା କମ୍ ଖାଆନ୍ତୁ, ବୟସ ତୁଳନାରେ ମିଠା….’ ସେଦିନ ରାତିରେ ମୁଁ ମୋ ମୋବାଇଲ ଫୋନ୍ରୁ ମିଷ୍ଟିର ନମ୍ବର ଡିଲିଟ୍ କରିଦେଲି । ଡିଲିଟ୍ କରିବା ପୂର୍ବରୁ ତା’ ପାଖକୁ ଗୋଟେ ମେସେଜ ପଠେଇଲି ଶେଷଥର ପାଇଁ । ଲେଖିଥିଲି- ‘ମିଠା ଦେହ ପାଇଁ କ୍ଷତିକାରକ… ।’
(୩)
ମୋର ଏବେ ପଇଡ ପିଇବାକୁ ଇଚ୍ଛା ହେଉଚି । ମୁଁ ଜାଣେ ଏହା ଅସମ୍ଭବ । କାରଣ ବାହାରେ ବର୍ଷା ହେଉଚି । ପୁଣି ପଇଡ ସୁଗାର ବଢ଼େଇପାରେ । କିନ୍ତୁ ମୋର ତ ପଇଡ ପିଇବାକୁ ଇଚ୍ଛା ହେଉଚି ।
ମୋର ଜନ୍ମଦିନ କଥା ମନେ ପଡୁଚି । ଜନ୍ମଦିନ କଥା ମନେ ପକେଇବା ବେଳେ ମୋ ଆଉ ଗୋଟେ କଥା ମନେ ପଡ଼ିଯାଉଚି । ଶୁଣିବ ସେ କଥା? ରୁହ… କହୁଚି ।
ବହୁତ ଦିନ ତଳର କଥା ।
ଗୋଟେ ଜଙ୍ଗଲ ଥିଲା । ସେତେବେଳେ ଜଙ୍ଗଲ ସବୁ ଜଙ୍ଗଲ ପରି ଦିଶୁଥିଲେ । ଜଙ୍ଗଲରେ ଜଙ୍ଗଲେ ପଶୁପକ୍ଷୀ ରହୁଥିଲେ । ଜଙ୍ଗଲର ପଶୁପକ୍ଷୀଙ୍କର ଜଣେ ରଜା ଥିଲା । ସବୁ ଲୋକକଥାର ଜଙ୍ଗଲରେ ବାଘ କିମ୍ବା ସିଂହ ରଜା ହଉଥିଲେ । ଏ ଲୋକକଥାରେ ବାଘଟିଏ ରଜା ହେଇଥିଲା ।
ସେ ଜଙ୍ଗଲରେ ଠେକୁଆ ଓ ତା’ର ଏକ କୁନି ପରିବାର ଥିଲେ । ସେ ପରିବାରରେ ସବୁଠୁ କନିଷ୍ଠତମ ସଦସ୍ୟ ଭାବେ ବର୍ଷକର ଗୋଟେ କୁନି ଠେକୁଆ ଥିଲା । ବର୍ଷକ ପୂରିଲାରୁ ତା’ର ଜନ୍ମଦିନ ପାଳିବାକୁ ଠେକୁଆ ଠେକୁଆଣୀ ଭାବିଲେ । କେକ୍ ଅର୍ଡର କଲେ । ବେଲୁନ୍ ଫୁଲେଇ ଗଛ ପତ୍ରରେ ଝୁଲେଇଲେ । ସାଇପଡ଼ିଶା, ଭାଇ କୁଟୁମ୍ବଙ୍କୁ ନିମନ୍ତ୍ରଣ କଲେ ।
ଏ କଥା ବାଘ ରଜାକୁ ଜଣାପଡ଼ିଲା । ବାଘ ରଜାକୁ ନିମନ୍ତ୍ରଣ କରିନଥିବାରୁ ବାଘରଜା ନିଜକୁ ଅପମାନିତ ଭାବିଲା । ତାକୁ ଏପରି ଭାବିବା ପାଇଁ ତା’ କାନକୁହା ମନ୍ତ୍ରୀ ଓ ଖୋସାମତିଆ ମିତ୍ରମାନେ ବାଧ୍ୟ କଲେ । ବାଧ୍ୟ କଲାପରେ ସେମାନେ ତାକୁ ଠେକୁଆ-ଠେକୁଆଣୀଙ୍କୁ ଦରବାରକୁ ଡକେଇ ଦଣ୍ଡଦେବାକୁ ଶିଖେଇଲେ । ବାଘରଜା କହିଲା- ‘ସେଇଆକର । ତାଙ୍କୁ ଦରବାରକୁ ଡକେଇ ଉଚିତ୍ ଦଣ୍ଡବିଧାନ କର ।’
ଠେକୁଆ-ଠେକୁଆଣୀ ଦରବାରକୁ ଧରା ହେଇ ଆସିଲେ । ସାଙ୍ଗରେ ତାଙ୍କ କୁନି ଠେକୁଆଟିକୁ ଧରିଆସିଲେ । ଦରବାର ଭିତରେ ସେମାନେ ଅପରାଧୀ ପରି ଠିଆ ହେଇରହିଲେ ଗୋଟେ କୋଣକୁ । କୁନି ଠେକୁଆକୁ ଦେଖି ଶିଆଳ ବାପୁଡା ଓଠ ଚାଟିଲା । ଗଧିଆ ଓ କୁକୁରଙ୍କ ପାଟିରୁ ଲାଳ ଗଡ଼ିଲା ।
ଏଥର ଠେକୁଆ-ଠେକୁଆଣୀଙ୍କର ବିଚାର ଆରମ୍ଭ ହେଲା । ମନ୍ତ୍ରୀ କହିଲା- ‘ରଜାକୁ ଅପମାନ, ମାନେ… ପ୍ରାଣଦଣ୍ଡ ।’ ମୁଖ୍ୟମନ୍ତ୍ରୀ କହିଲା- ‘ପ୍ରାଣଦଣ୍ଡ ମିଳିଥାନ୍ତା, ମାତ୍ର କୁନି ଠେକୁଆର ଜନ୍ମଦିନ ଥିବାରୁ; ଦଣ୍ଡ କୋହଳ କରାଯାଇପାରେ ।’
ବାଘରଜା ପଚାରିଲା- ‘କିପରି?’
ମୁଖ୍ୟମନ୍ତ୍ରୀ କହିଲା- ‘ଠେକୁଆ ଜେଲ୍ରେ ରହୁ । ଠେକୁଆଣୀ ତିନିରାତି ରଜାର ଶଯ୍ୟା ସଙ୍ଗିନୀ ହେଉ ।’
ଅନ୍ୟସବୁ ଯିଏ ଯେଉଁଠି ବସିଥିଲେ ବା ଠିଆ ହୋଇଥିଲେ, ସମସ୍ତେ ଏକସ୍ୱରରେ ସମର୍ଥନ ଜଣେଇବା ପରି କହିଲେ- ‘ସାଧୁ… ସାଧୁ…’ ।
ତା’ପରେ ଗଧିଆ ଓ କୁକୁର ଦି’ଜଣ ଠେକୁଆକୁ ଉଠେଇ ନେଇଗଲେ କୁଆଡେ । ଠେକୁଆଣୀ ଯେହେତୁ ମହିଳା ଥିଲା, ତେଣୁ ତାକୁ ମହିଳା କୁକୁର ଓ ମହିଳା ଗଧିଆ ଉଠେଇ ନେଇଗଲେ ଅନ୍ତଃପୁରକୁ । କୁନି ଠେକୁଆ କିଛି ବୁଝିପାରିବା ଆଗରୁ ତାକୁ ଶିଆଳ ବାପୁଡା ଝାମ୍ପି ନେଇଗଲା ପାକଶାଳାକୁ, ଯେଉଁଠି; ତା’ର ଜନ୍ମଦିନ ପାଳନ କରାଯିବାର ଆୟୋଜନ କରାଯାଇପାରିବ ।
ତା’ପରେ କ’ଣ ହେଲା କହୁଚି ।…
କୁନି ଠେକୁଆର ଜନ୍ମଦିନ ଅବସରରେ ବାପ ଠେକୁଆ ଜେଲ୍ ଯାଇଥିବ । ମାଆ ଠେକୁଆଣୀ ବାଘରଜାର ଶଯ୍ୟାସଙ୍ଗିନୀ ହେବା ପାଇଁ ଅନ୍ତଃପୁରକୁ ଯାଇଥିବ (ଯାଇଥିଲା) ଏବଂ ପ୍ରଥମ ରାତି ଯେତେବେଳେ ବାଘରଜା ଠେକୁଆଣୀକୁ ନିଜ ଶଯ୍ୟାରେ ପାଇ ତାକୁ ଗେଲ କରିବାକୁ ଯାଉଥିବ ସେତେବେଳେ ଠେକୁଆଣୀ ଠୋ ଠୋ ହେଇ ହସିଥିବ ।
‘ହସିବାର କାରଣ କ’ଣ?’ ପଚାରିବ ବାଘରାଜା ।
ଠେକୁଆଣୀ କହିବ- ‘ହାତୀ କି ମୂଷା ସଙ୍ଗେ ପ୍ରେମ ରଚିପାରେ?’
ବାଘକୁ ଏ କଥା ଘୋର ଅପମାନିତ କରିବ ଓ ସେ କ୍ରୋଧରେ ଠେକୁଆଣୀକୁ ତା’ ଶୟନକକ୍ଷର ଜାଲନା ଦେଇ ବାହାରକୁ ଫିଙ୍ଗିଦେବ ଜୋର୍ରେ । ଠେକୁଆଣୀ ଶୂନ୍ୟରେ ଉଡି ଉଡି ଆସି ଖସିପଡ଼ିବ ମୋ ଘରର ଛାତ ଉପରେ ।
ଆଉ କୁନି ଠେକୁଆଟି ପାକଶାଳାରୁ ଉଭାନ ହେଇଯିବ କାହାରିକୁ ନଜଣେଇ । ବାପ ଠେକୁଆ ଜେଲ୍ ଭିତରେ ପ୍ରାଣାୟାମ କରୁ କରୁ ଦିନେ ଚୁପ୍ଚାପ କାରାରକ୍ଷୀକୁ କହିବ- ‘ମୁଁ ଗୋଟେ ଯାଦୁ ଜାଣିଛି । ଏଇ କୋଠରିରେ ବସି ଗୋଟେ ମନ୍ତ୍ର ଜପିଲେ ସିଦ୍ଧି ପ୍ରାପ୍ତ ହେବ । ତା’ପରେ ତମେ ଆଖି ବୁଜିଲେ ତମକୁ ମାଟି ତଳେ ପୋତା ହେଇଥିବା ସୁନା, ରୁପା, ମଣି, ମାଣିକ୍ୟ ସବୁ ଦିଶିବେ ।’
ଏ କଥା ଶୁଣି କାରାରକ୍ଷୀ ସେ ଜେଲ୍ କୋଠରି ଭିତରେ ଆଖିବୁଜି ମନ୍ତ୍ର ଜପିବ ଓ ବାପ ଠେକୁଆ ଚୁପ୍ କରି କୋଠରି ଭିତରୁ ବାହାରି ଆସି ସେ କୋଠରିର ଦରଜା ବନ୍ଦ କରିଦେବ ।
ତା’ପରଦିନ ବାଘରଜା ରାଗିକି ଶିଆଳ, କୁକୁର, ଗଧିଆ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମିତ୍ରମାନଙ୍କୁ ଶୂଳୀ ଚଢ଼େଇଦବ ।
: ‘ତାପରେ?’
ତା’ପରେ ସେ ଠେକୁଆ ତିନିଟା ଆମ ଘରକୁ ଆସିବେ । ଆମ ଘରକୁ ଆସି ସେମାନେ କୁଣିଆ ପରି ବ୍ୟବହାର କରିବେ । ଆମ ପୁଅ ତାଙ୍କୁ ଗୋଟେ କାଠ ପେଟି ଭିତରେ ସାଇତି ରଖିଦବ । ସେମାନେ ଯଉଁ ଦିନ ଆସିଥିଲେ ସେଇଦିନର ସ୍ମୃତିକୁ ପାଳିବା ପାଇଁ ଆମେ ପ୍ରତିବର୍ଷ ସେମାନଙ୍କ ଜନ୍ମଦିନ ପାଳନ କରିବୁ ।
ଆଜି ସେମାନଙ୍କର ଜନ୍ମଦିନ
: ତା’ପରେ?
ତା’ପରେ ଗଉତମୀ ସ୍କୁଲରୁ ଫେରିଲା ଓ ଘର ଭିତରେ ଏଣେତେଣେ ଦଉଡୁଥିବା ଠେକୁଆମାନଙ୍କୁ ଦେଖି ବିରକ୍ତ ହେଲା ଓ କହିଲା- “କ’ଣ ଆଜି ଏମାନଙ୍କର ଜନ୍ମଦିନ ପାଳିବାର ଥିଲା?”