ହଠାତ୍ ସ୍ୱାତୀ ହସି ଉଠିଲା । ଉତ୍ତେଜକ ଭୁବନ ମୋହିନୀ ହସ । କହିଲା, ରୁହ । ଏଇଟା ମୋ ଦାୟିତ୍ୱ । ତମେ ମୋର ସ୍ୱାମୀ, ତମର ପ୍ରତ୍ୟେକ ଖେଳରେ ମୋର ସାମିଲ ହେବା ଜରୁରୀ । ତମେ ଏମାନଙ୍କ ପତ୍ନୀ ମାନଙ୍କ ସହିତ ଖେଳିଚ । ସେମାନଙ୍କର ମୋ ସହିତ ଖେଳିବା ହକ୍ । ମୁଁ ତାଙ୍କୁ ସେ ସୁଯୋଗ ଦେବି… । ସ୍ୱାତୀ ମାନସିକ ପ୍ରସ୍ତୁତି ନେଇଗଲା । ନାରୀର ସୌନ୍ଦର୍ଯ୍ୟ ମଧ୍ୟ ଶକ୍ତିର ରୂପ ଧାରଣ କରିପାରେ । ସେ ଖୁରାନା ହାତରୁ ସବୁତକ କାଗଜ ଉଠେଇନେଲା ଆଉ ସମସ୍ତଙ୍କୁ ହତଚକିତ କରି ସଂପୂର୍ଣ୍ଣ ଉଲଗ୍ନ ହେଇପଡ଼ି କହିଲା ଆସ… ଆଇ କ୍ୟାନ୍ ମ୍ୟାନେଜ୍ ଇୟୁ ଅଲ୍.. କମ୍…
ସ୍ୱାତୀ ସେଇଠି ଠିଆ ହେଇଥିଲା ।
ସ୍ଥିର ନିରବ ନିଥର ।
ଲାଗୁଥିଲା ପୃଥିବୀର ସବୁ କୋଳାହଳ ଏବେ ନିଶବ୍ଦ ହେଇ ଯାଇଛି । ସ୍ଥବିର ହେଇଯାଇଚି ସମଗ୍ର ଜାଗତିକ ସତ୍ତା । ବିସ୍ମୟ ବିମୂଢ଼ତାର ସର୍ବଶେଷ ସୀମା ପାରି ହେଲାପରେ ମଣିଷ ନିଜ ସ୍ଥିତିକୁ ବି ବିସ୍ମୃତ ହେଇଯାଏ । ତାହାହିଁ ହେଇଥିଲା ଏଇଠି । ତଥାପି ପୃଥିବୀ ହୁଏତ ଚଳପ୍ରଚଳ କରୁଛି, ଏତିକି ଜଣେଇ ଦେଉଥିଲା ତା’ର ନିଃଶ୍ୱାସ ପ୍ରଶ୍ୱାସ, ତାହାବି ହୁଏ ତ ରୋକି ହେଇ ଯାଇଥାନ୍ତା, ଯଦି ତାହା ତା ଅକ୍ତିଆରରେ ଥାନ୍ତା ।
ତା ସାମ୍ନାରେ ବସିଥିଲେ ଛଅଜଣ । କିନ୍ତୁ ସେମାନେ ବସିଲାଭଳି ଦେଖାଯାଉନଥିଲେ । ଦେଖାଯାଉଥିଲେ ଶିକାର ଉପରକୁ ଝାମ୍ପ ମାରିବା ପୂର୍ବରୁ ଯେଉଁ ହିଂସ୍ରତା ଓ ଏକାଗ୍ରତା ନେଇ ଛକି ବସିଥାଏ ବାଘ ।
ଏମିତି ଏକ ଅକଳ୍ପନୀୟ ସ୍ଥିତିକୁ ସେ ସାମ୍ନା କରିବ ଏକଥା ଭାବି ପାରିନଥିଲା ସ୍ୱାତୀ । ଠିକ୍ ବିବାହ ପରେ ପରେ କୁନାଲ ସହିତ ଆସିଲା ତା କାର୍ଯ୍ୟସ୍ଥଳୀ ମୁମ୍ବାଇ । କୁନାଲ ମୁମ୍ବାଇରେ ଅବସ୍ଥାପିତ ଏକ ମଲ୍ଟିନେସନାଲ କମ୍ପାନୀର ଏକଜିକୁ୍ୟଟିଭ୍ ଭାବେ । ସେ ଦେଶର ସର୍ବୋକ୍ରୃଷ୍ଟ ଶିକ୍ଷାନୁଷ୍ଠାନରୁ ଏମ୍.ବି.ଏ. କଲାପରେ ହାଭାର୍ଡ଼ରୁ ଉଚ୍ଚତର ପ୍ରଶିକ୍ଷଣ ପାଇ ଏବେ ଏଇ କମ୍ପାନୀରେ କାର୍ଯ୍ୟରତ । ସ୍ୱାତୀ ଏଠାରେ ଆସି ଦେଖିଲା ଜଣେ ଦକ୍ଷ ଯୁବକାର୍ଯ୍ୟନିର୍ବାହୀକୁ ହାତଛଡ଼ା ନକରିବାକୁ କମ୍ପାନୀ ଯୋଗେଇ ଦେଇଚି ଅକଳ୍ପନୀୟ ସୁବିଧା ସୁଯୋଗ । କୁନାଲ ପୁଞ୍ଜିବଜାରକୁ ଏକଦମ ଜବତ କରି ଦେଉଥିବା ଗୋଟେ ସେଲେବଲ ଆସେଟ୍ ଯେମିତି ସେ କମ୍ପାନୀ ପାଇଁ । କୁନାଲ ଫ୍ଲାଇଟ୍ରେ ଟୁର୍ କରେ, କ୍ରେଡ଼ିଟ୍କାର୍ଡ଼ରେ ମାର୍କେଟିଂ କରେ । ଇଣ୍ଟରନେଟ୍ରେ କମ୍ପାନୀ ଡିଲ୍ କରେ । ସକାଳୁ ଯାଏ ରାତିରେ ଫେରେ । ରାତିସାରା ବି ଲାପଟପ୍ରେ ଥାଏ ଦିନେ ଦିନେ । ବିଜିନେସ୍ରେ ଘୂରୁଥାଏ, ବିଜିନେସ୍ରେ ବଂଚୁଥାଏ ।
ସ୍ୱାତୀ କୁନାଲର ଏ ଜୀବନଚର୍ଯ୍ୟା ଦେଖି ବିସ୍ମିତ ହେଲା । ତାକୁ ଲାଗିଲା ତା ମନ ଭିତରେ ଥାକ ଥାକ ସାଇତା ହେଇଥିବା ସପ୍ତବର୍ଣ୍ଣି ସ୍ୱପ୍ନର କାଚଘରଟି ଝଣଝଣ ଭୁଷୁଡ଼ି ପଡ଼ୁଚି ତଳେ । କୁନାଲ ରହୁଥିବା ଘର ଚଢ଼ୁଥିବା ଗାଡ଼ି ଓ ତା’ର ଚଳଣି ଜଣେଇ ଦେଉଥିଲା ସେ ଏବେ ତା ଚାକିରି କରୁଥିବା କମ୍ପାନୀ ରେସ୍କୋର୍ସରେ ବାଜି ଜିତୁଥିବା ଗୋଟେ ଦୁର୍ଦ୍ଦାନ୍ତ ଘୋଡ଼ା ।
ଏଭଳି ଏକ ଘୋଡ଼ାକୁ ସେ ଲଗାମ ଲଗେଇ ପାରିବ ଏକଥା ଚିନ୍ତା କରିପାରୁନଥିଲା । ସବୁବେଳେ ତା ଭିତରେ ଭିଡ଼ିମୋଡ଼ି ହେଉଥିଲା ଆଶଙ୍କା ଓ ଆତଙ୍କର ସରୀସୃପ । ତାକୁ ଲାଗୁଥିଲା କୁନାଲ ଆକାଶରେ ଉଡ଼ୁଥିବା ଗୋଟେ କ୍ଷୁଧିତ ଇଗଲ ଆଉ ସେ ଘାସ ଉପରେ ଗୁରୁଣ୍ଡୁଥିବା ଗୋଟେ ଅସହାୟ ଠେକୁଆ । ଏତେ ପାର୍ଥକ୍ୟ ଭିତରେ କୁନାଲ ସହିତ ତା’ର ବିବାହ ସୌଭାଗ୍ୟର ବିପୁଳତା କି ଦୁର୍ଭାଗ୍ୟର ବିଡ଼ମ୍ବନା ବୁଝିପାରୁ ନଥିଲା । ସେ ସୁନ୍ଦରୀ ଶିକ୍ଷିତା କିନ୍ତୁ ମଧ୍ୟବର୍ଗର ମାନସିକତା ଭିତରେ ବଢ଼ିଥିବା ତା ପରି ଗୋଟେ ଝିଅ ଏତେ ଉଚ୍ଚବର୍ଗର ଷ୍ଟାଟସ୍ ସହିତ ତାଳମେଳ ରଖି ଦାମ୍ପତ୍ୟ ଜୀବନକୁ ଆଗେଇ ନେଇପାରିବ ଏ ଭରସା ରଖି ପାରୁନଥିଲା ଭିତରେ ।
ଏକଥା ବି ସେ ଖୁବ୍ ଆଶଙ୍କିତ କଣ୍ଠରେ ପଚାରିଥିଲା ଯେତେବେଳେ କୁନାଲ ତା ଆଗରେ ଖୋଲି ଦେଇଥିଲା ତା’ର ଐଶ୍ୱର୍ଯ୍ୟ, ତା ବ୍ୟାଙ୍କ୍ବାଲାନ୍ସ, ତା ଲକରର ଗୁମର । ସେ ପଚାରିଥିଲା, ଏଡ଼େ ଧନପତି କୁବେର ଗୋଟେ ମଧ୍ୟବିତ୍ତକୁ ପସନ୍ଦ କଲା କେମିତି?
କୁନାଲ ହସିଲା । ଖୁବ୍ କୁଣ୍ଠିତ ହସ । ସ୍ୱାତୀକୁ ଲାଗିଲା ସେ ହସଟା ତା ହୃଦୟ ଭିତରୁ ନଆସି ମସ୍ତିଷ୍କ ଭିତରୁ ଆସୁଚି । କହିଲା, ମୋ ଚଏସ୍ ଭିତରେ ତମର ବର୍ଗକୁ ପ୍ରାଧାନ୍ୟ ଦେଇନାଇଁ, ଦେଇଚି ତମ ରୂପକୁ, ସୌନ୍ଦର୍ଯ୍ୟକୁ । ତା’ ଛଡ଼ା ମଧ୍ୟବର୍ଗରେ ବଢ଼ିଥିବା ଝିଅମାନେ ଅଧିକ ସମର୍ପିତା ଓ ବଶମ୍ବଦା । ସ୍ୱାମୀଙ୍କୁ ସହିଯିବା ତାଙ୍କର ପାରମ୍ପରିକ ସଂସ୍କାର । ଅଭିଳାଷ ସଂଯତ ଆଉ ଲୁହ ସେମାନଙ୍କ ଦୁଃଖର ସର୍ବଶେଷ ସାନ୍ତ୍ୱନା । ପୁଣି ଈଶ୍ୱର ଓ ଭାଗ୍ୟ ସହ ସେମାନେ ଓତପ୍ରୋତ । ସେଇଠି ସେମାନେ ନିଜକୁ ସମର୍ପିଦେଇ ଯେ କୌଣସି ଦୁଃଖ ଅବିଚାରକୁ ସହିନବାର ସାମର୍ଥ୍ୟ ରଖନ୍ତି ।
କୁନାଲର ଏ ସାମାଜିକ ବିଶ୍ଳେଷଣରେ ବିସ୍ମିତା ସ୍ୱାତୀ ପଚାରିଲା, ତମେ କ’ଣ ଈଶ୍ୱରଙ୍କୁ ବିଶ୍ୱାସ କରନାହିଁ?
ସେଇ ମାପଚୁପ ହସ ଭିତରେ ଈଶ୍ୱର ସତ୍ତାକୁ ଉଡ଼େଇ ଦେଲାପରି କୁନାଲ କହିଲା, ଈଶ୍ୱର ସଂପର୍କରେ ମୋର ଧାରଣାଇ କିଛି ନାହିଁ । ପିଲାବେଳେ ପାଠ ସବୁକୁ ଜାବୁଡ଼ି ଧରି ପଢ଼ିବା ଓ ପରବର୍ତ୍ତୀ ସମୟରେ ଗୋଟେ ବଡ଼ ଚାକିରି ଓ ପ୍ରଚୁର ଅର୍ଥ ଭିତରେ ବୁଡ଼ି ରହିଥିଲା ବେଳେ ମୋର ଈଶ୍ୱରଙ୍କ ସହ ଭେଟ ହେବାର ଆଦୌ ସମ୍ଭାବନା ନାହିଁ । ତା ଛଡ଼ା ଅଭାବୀ ଲୋକମାନେ ଈଶ୍ୱରଙ୍କୁ ଲୋଡ଼ିଥାନ୍ତି, ମୋର କି ଅଭାବ ଯେ ମୁଁ ତାଙ୍କୁ ମନେପକେଇବି?
ସ୍ୱାତୀର ମନ ବିଷଣ୍ଣ ହେଇଗଲା । ଈଶ୍ୱର ଥାନ୍ତୁ ବା ନଥାନ୍ତୁ ସେଇଟା ବଡ଼କଥା ନୁହେଁ, ବଡ଼କଥା ହେଉଚି ବିଶ୍ୱାସ । ଏଇ ବିଶ୍ୱାସଟା ହିଁ ମଣିଷକୁ କରିଥାଏ ଉଦାର, ସଚେତନ, କୋମଳ ଓ ବିଚାରବନ୍ତ । କିନ୍ତୁ କୁନାଲ ଭିତରୁ ଏସବୁ ଖୋଜି ପାଇବା ହୁଏତ ସମ୍ଭବ ନୁହେଁ ।
ସ୍ୱାତୀର ନିରବତାକୁ ଦେଖି କୁନାଲ କହିଲା କ’ଣ ଭାବୁଚ? ଆମର ଉପାର୍ଜନ ଆଉ ଉପଭୋଗ ଭିତରେ ସେ ତୃତୀୟ ପୁରୁଷର ଆବିର୍ଭାବ ଅପ୍ରାସଙ୍ଗିକ । ଅନାବଶ୍ୟକ ଓ ଅପ୍ରାସଙ୍ଗିକ ତତ୍ତ୍ୱ ଉପରେ ଗୁରୁତ୍ୱ ଦେଲେ ମଣିଷ ଲକ୍ଷ୍ୟଭ୍ରଷ୍ଟ ହେବ । କାହିଁକି ସେ ମାୟାରେ ପଡ଼ୁଚ ।
ସ୍ୱାତୀ କହିଲା, ଏଇଟାତ ମୋର ଜନ୍ମଗତ ସଂସ୍କାର ।
ଏବେଠାରୁ ସେ ସଂସ୍କାରକୁ ତ୍ୟାଗକର । କାରଣ ତମର ପୁନର୍ଜନ୍ମ ହେଇଚି । ବିବାହଟାକୁ ପୁନର୍ଜନ୍ମ ଭାବରେ ଗ୍ରହଣ କରାଯାଇପାରେ ନା ନାହିଁ? ଗୋଟେ ଅବସ୍ଥାର ବ୍ୟାପକ ପରିବର୍ତ୍ତନକୁ ପୁନର୍ଜନ୍ମ କୁହାଯାଇପାରେ । ନା କ’ଣ କହୁଚ? ଗୋଟେ ବିଜ୍ଞ ପୁରୁଷ ଭଳି ବୁଝେଇଲା କୁନାଲ ।
ସ୍ୱାତୀ ତଥାପି ପଚାରିଲା, ତେବେ ଏ ଜନ୍ମର ଆଧାର?
ଉପାର୍ଜନ ଓ ଉପଭୋଗ ମୋ ପାଇଁ ହେଲାବେଳେ ତମପାଇଁ ନିସର୍ତ୍ତ ସମର୍ପଣ ଓ ସହଯୋଗ । ବୁଝିଲ?
ସ୍ୱାତୀ ଏ ଲୋକଟାକୁ ଠିକ୍ ଭାବେ ବୁଝିପାରୁ ନଥିଲା, ଭୋଗବାଦୀ ପ୍ରଜନ୍ମର ୟେ’ ଗୋଟେ ନୂଆ ଅବତାର, ଏତକ ହିଁ ବୁଝୁଥିଲା ।
ମନେପଡ଼ୁଚି ତା ବାହାଘର ପରେ ଏଠାକୁ ଆସିବା ପୂର୍ବରୁ ସ୍ୱାତୀ କହିଲା ଆମେ ତ ମୁମ୍ବାଇ ପଳାଇବା । ପୁଣି ଆସୁ ଆସୁ କେବେ । ଚାଲ ଥରେ ଆମଘର ଆଡ଼େ ବୁଲିଆସିବା । କୁନାଲ କହିଲା, ଯଦି ନିହାତି ଇଚ୍ଛା କରୁଚ, ଆଜି ଯାଅ କାଲି ଚାଲି ଆସିବ । ଆମକୁ ଶୀଘ୍ର ଯିବାକୁ ହେବ । କମ୍ପାନୀ ଚାକିରିରେ କ’ଣ ବେଶି ଛୁଟି ନେଇହୁଏ? ସ୍ୱାତୀ ଜିଗର କଲା, ସାଙ୍ଗ ହେଇଯିବା ଆଉ ଫେରିବା । ବହୁ ବାଧ୍ୟବାଧକତାରେ କୁନାଲ ରାଜି ହେଲା । ସ୍ୱାତୀ କହିଲା, ଚାଲ ତୁମକୁ ଗୋଟେ ଭଲ ଜାଗା ଦେଖେଇବି ଆମର ସେ ଛୋଟ ସହରରେ ।
କୁନାଲ ହସିଲା ଗୋଟେ ତାଛଲ୍ୟର ହସ । କମ୍ପାନୀ ପଇସାରେ ପୃଥିବୀର ଅଧେ ଦେଶ ବୁଲି ସାରିଲା ପରେ ତମର କ’ଣ ଅଛି ସେଇ କୁନି ସହରରେ? ମତେ ଦେଖେଇବ? ଆଁ?
ସ୍ୱାତୀ ଅବଶ୍ୟ ଟିକେ ଶଙ୍କିଗଲା । ତଥାପି କହିଲା, ଚାଲ । କାଳେ ତମକୁ ଭଲ ଲାଗିପାରେ ।
ସହର ଠାରୁ କିଛି ଦୂରରେ ପ୍ରଗଳ୍ଭା ନଈ । ନଈ ସେପଟର ଧାଡ଼ି ଧାଡ଼ି ଦି’ ତିନିଟି ପାହାଡ଼, ଯେପରି ଧ୍ୟାନମଗ୍ନ ତପସ୍ୱୀ । ଦିଗନ୍ତ ବିସ୍ତାରୀ ସବୁଜ ଶସ୍ୟକ୍ଷେତ୍ର । ସେଇ ସବୁଜିମାକୁ ଛୁଇଁ ଛୁଇଁ ପହଁରି ଆସୁଚି ମଧୁର ପବନ, ତା’ର ସ୍ପର୍ଶ ଏକ ନିଆରା ଅନୁଭବ । ପୁଣି ପାହାଡ଼ ସେ ପଟରେ ଚମକ୍ରାର ସୂର୍ଯ୍ୟାସ୍ତ ।
ସ୍ୱାତୀର ସେଇଟା ହିଁ ପ୍ରିୟସ୍ଥାନ । ସେଇଠି ସେ କଟେଇଚି କେତେ ମଧୁର ଅପରାହ୍ନ । ସେଇଠିକି ନେଇଗଲା ସ୍ୱାତୀ କୁନାଲକୁ । କୁନାଲ ଚାରିଆଡ଼କୁ ଗୋଟେ ଅନାସକ୍ତ ଦୃଷ୍ଟି ବୁଲେଇ ଆଣି କହିଲା, କାଇଁ କ’ଣ ଅଛି ଏଠି?
ସ୍ୱାତୀ ଦୂରର ସେଇ ଦୃଶ୍ୟ ଆଡ଼କୁ ଆଙ୍ଗୁଳି ବଢ଼େଇ କହିଲା, ଦେଖିଲ – ଏଇଟି ଗୋଟେ ସୁନ୍ଦର ଚିତ୍ରପଟ୍ଟ ଭଳି ଦିଶୁନି? ତା’ର ଇଚ୍ଛା ହେଉଥିଲା କୁନାଲ ତାକୁ ଜଡ଼େଇ ଧରନ୍ତା, ତା କାନ୍ଧରେ ହାତ ପକେଇ ଉପଭୋଗ କରନ୍ତା ସେଇ ନୈସର୍ଗିକ ଦୃଶ୍ୟ । ସବୁ ଭଲ ଜିନିଷ ଗୁଡ଼ାକୁ ଯୁଗ୍ମଭାବରେ ଉପଭୋଗ କଲେ ତା’ର ଗୋଟେ ଅଲଗା ସ୍ୱାଦ ଥାଏ ।
କୁନାଲ କିନ୍ତୁ ସେ ଜାଗାକୁ ଲକ୍ଷ୍ୟ କରୁକରୁ ଜଣେ ବିଜ୍ଞ ଗବେଷକ ପରି କହିଲା ସେପଟେ ଯେଉଁ ବ୍ୟାପକ ଜମି ଅଛି, ଚାଷରୁ କେତେ ପ୍ରଡକ୍ସନ୍ ଆସୁଥିବ? ବରଂ ସେଠାରେ ରିଅଲ ଇଷ୍ଟେଟ୍ ଡେଭଲପ୍ କରାଯାଇ ପାରନ୍ତା । ନହେଲେ ଇଣ୍ଡଷ୍ଟି୍ର । ଏ ନଈ ଉପରେ ବି୍ରଜ୍ଟିଏ କରିଦେଲେ ସହରଟା ବି ବଢ଼ିଯାଇ ପାରନ୍ତା ଆହୁରି । ତା ଛଡ଼ା ଏ ପାହାଡ଼ଗୁଡ଼ିକୁ ବି ସର୍ଭେ କରି ଦେଖାଯାଇ ପାରନ୍ତା, କି ଧାତୁ ଅଛି ଏଠାରେ । କ୍ରୋମ୍, ମାଙ୍ଗାନିଜ୍ କି ଆଇରନ୍ଓର୍ । ଯାହା ଥିଲେ ବି ସେହି ମ୍ୟାଟେରିଆଲକୁ ବେସ୍ କରି ଗୋଟେ ଇଣ୍ଡଷ୍ଟି୍ର ରନ୍ କରିପାରନ୍ତା । ଏବେ ଇଣ୍ଟରନାସ୍ନାଲ୍ ମାର୍କେଟରେ ଓଡ଼ିଶା ମିନେରାଲ୍ର ଖୁବ୍ ଡିମାଣ୍ଡ । ଦେଖୁନ ନହେଲେ କାହିଁ କେତେ ଦୂର ସାଉଥ୍ କୋରିଆର ପୋସ୍କ କମ୍ପାନୀ ଗୋଟେ ହାଇବଜେଟ୍ର ଷ୍ଟିଲ୍ପ୍ଲାଣ୍ଟ୍ କରିବାକୁ ଅଡ଼ିବସିଚି ପାରାଦ୍ୱୀପରେ । ଏ ପାହାଡ଼ ସବୁକୁ ତୁରନ୍ତ ସର୍ଭେ କରାଯିବା ଉଚିତ୍ ।
ଏକଥା ଶୁଣୁ ଶୁଣୁ ସ୍ୱାତୀ ମନରେ ଉଠୁଥିବା ପ୍ରକୃତି ପ୍ରବଣ ପ୍ରଗଳ୍ଭତା ସବୁ କୁଆଡ଼େ ଉଭାନ ହେଇଗଲା । ସେ କିଞ୍ଚôତ୍ ବିରକ୍ତ ହେଇ କହିଲା, ସବୁଗୁଡ଼ାକୁ ବିଜିନେସ୍ ଆଙ୍ଗଲରୁ କାହିଁକି ଦେଖ? ଜମି ଦେଖିଲେ ଇଣ୍ଡଷ୍ଟି୍ର କର ନହେଲେ ପ୍ଲଟିଂ କରି ବିକି୍ରକର, ନହେଲେ କରି ପକାଅ ହାଉସିଂ କମ୍ପ୍ଲେକ୍ସ । ପାହାଡ଼ ଦେଖିଲେ ତାଡ଼ି ଫାଡ଼ି ବିକି୍ରକର । ବୁଝିଲ ତମରି ଭଳି କେଇଟା ଏଇ ବେପାରି ପାଠ ପଢ଼ି ସର୍କାର ମୁଣ୍ଡରେ ଦେଶର ସବୁ ପାହାଡ଼ ପର୍ବତ ଖଣି ଖାଦାନ ବିକି୍ର କରିବାର ବେପାରୀ ବୁଦ୍ଧି ଭର୍ତ୍ତି କରି ସାରିଲେଣି । ସବୁଠି ଖାଲି ମନି ଆଉ ପ୍ରଫିଟ୍ । ଏହା ବ୍ୟତୀତ ଜୀବନରେ ଯେମିତି ଆଉ କିଛି ମହତ୍ତର ଆବଶ୍ୟକତା ନାଇଁ ।
କୁନାଲ ଭୁରୁଡ଼ିଟାଏ ପକେଇଲା ଭଳି କହିଲା ତମେ ଯେଉଁ ମହତ୍ତର ଫହତ୍ତର କଥା କହୁଚ ସେଗୁଡ଼ା ଫାଲ୍ତୁ ଇମୋସନାଲିଟି । ବୁଝିଲ, ସେଥିରେ ପେଟ ପୂରେ ନାଇଁ । ଓନ୍ଲି କ୍ୟାସ୍.. କ୍ୟାସ୍ ମନି । ମନି ଇଜ୍ ଦି ପାୱାର । ମୁଁ ଏବେ ଯେଉଁ ହାଇ ଷ୍ଟାଟସ୍ ମେଣ୍ଟେନ୍ କରୁଛି କା’ ବଳରେ? ଆଁ? ମନି କି ଛାଡ଼ି ମୋର ଆଉ କି କି ଇନ୍ଭେଷ୍ଟମେଣ୍ଟ୍ ଅଛି, ଚାଲ ଦେଖିବ ମୁମ୍ବାଇ ।
ସତରେ ମୁମ୍ବାଇ ଆସି ସେ ଦେଖୁଥିଲା କୁନାଲ ପୁଳାପୁଳା ସୁନା ବି ରଖିଚି ଲକରରେ । ଟଙ୍କା ସବୁ ତା’ର ବିପୁଳତା ଖୋଜି ଚାଲିଚି ବିଭିନ୍ନ ପଲିସି ଆଉ ସେୟାର ମାର୍କେଟ ମାନଙ୍କରେ ।
ସ୍ୱାତୀ ପଚାରିଲା, ଏତେ ସୁନା କାହିଁକି କିଣିଚ?
ହସିଲା କୁନାଲ, କହିଲା ସୁନାର ଦର ଏବେ ଦିନକୁ ଦିନ ଯେଉଁ ଆକାଶଛୁଆଁ ସ୍ତରକୁ ଯାଉଚି ସେଥିରେ ଇନ୍ଭେଷ୍ଟମେଣ୍ଟ୍ କେତେ ପ୍ରଫିଟେବଲ ତମେ କ’ଣ ଜାଣିବ?
ସ୍ୱାତୀ କିଛି କହିଲା ନାଇଁ । ତାକୁ ଲାଗିଲା ଟଙ୍କା ସୁନାଖିଆ ଅସୁରଟାକୁ ହିଁ ସେ ବାହାହେଇ ପଡ଼ିଚି ଲୋଭରେ ।
ତା’ର ଆସୁରିକତାକୁ ବି ସେ ତା ବିବାହର ପ୍ରଥମ ରାତିରେ ହିଁ ଭେଟିଥିଲା । ସେଇଟାକୁ ସେ ତା ସ୍ୱାମୀତ୍ୱର ଅଧିକାର ପଣିଆ ବୋଲି ଭାବି ଭୁଲିଯାଇଥିଲା । ବିବାହ ପୂର୍ବରୁ ସେ କୁନାଲ ସଂପର୍କରେ ଯାହା ଜାଣିଥିଲା ଆଉ ବିବାହ ଭିତରେ ବି ଯାହା ଜାଣିଲା ତାହା ତା ଭିତରର ଗୋଟେ ସ୍ୱାଭାବିକ ଭୟ ସୃଷ୍ଟି କରିଥିଲା । ତା’ର ପ୍ରତ୍ୟେକ କାର୍ଯ୍ୟକଳାପରେ ଅହଂକାର ଆଉ ଔଦ୍ଧତ୍ୟ ବାରିହେଇ ପଡ଼ୁଥିଲା । ପକେଟ୍ଟା ଭାରି ଆଉ ଗରମ ରହିଲେ ଲୋକଙ୍କ ସ୍ୱଭାବ ଆଚରଣ ହୁଏତ ଅନୁରୂପ ହେଇଥାଏ । ଏଇୟା ଭାବି ସେ ମନକୁ ବୁଝେଇ ଦେଇଥିଲା । କିନ୍ତୁ ରାତିରେ ତା’ର ବ୍ୟବହାର ତା ମନଟାକୁ ବିଲ୍କୁଲ୍ ବିପର୍ଯ୍ୟସ୍ତ କରିଦେଲା । ମଧୁଚନ୍ଦି୍ରକାର ସେଇ ମଧୁର ଆବେଗଟିକୁ ଧରି ସେ ଅପେକ୍ଷା କରିଥିଲା କୁନାଲକୁ । କୁନାଲ ଆସିବେ ତା’ର ଅବଗୁଣ୍ଠନ ହଟେଇ ତା ସୁନ୍ଦର ମୁହଁଟିକି ତୋଳିଧରି ପ୍ରେମର ପ୍ରଥମ ଭାଷା ଭିତରେ ତାକୁ ହଜେଇ ଆପଣାର କରିନେବେ । ତା ମନରେ ଥିବା ଭୟଟିକୁ ହୁରୁଡ଼େଇ ଦେଇ ତାକୁ ଆହ୍ଲାଦ ଆଉ ଆଶ୍ୱାସନାର ପ୍ରତିଶ୍ରୁତି ଦେବେ । ଘୁଞ୍ଚôଯିବ ଦୂରତ୍ୱ, ଅପସରି ଯିବ ସବୁ ଅପରିଚ୍ଛନ ଭାବନା । କିନ୍ତୁ ତାହା ହେଲାନାହିଁ । କୁନାଲ ଆସିଲା, ଓଢ଼ଣାଟିକୁ ଟାଣି ଫିଙ୍ଗି ଦେଉ ଦେଉ କହିଲା, ଏଇଟା କ’ଣ ଘୋଡ଼େଇ ହେଇ ବସିଚ? କମ୍ ଆଣ୍ଡ ଏନ୍ଜୟ । ବିସ୍ମିତ ହେଲା ସ୍ୱାତୀ । ଲୋକଟା ଯେ ଶିଷ୍ଟାଚାର ରହିତ! ତଥାପି ହେନାଭାଉଜ କହିଥିଲା ପରି ତା ପାଟି ପାଖକୁ ବଢ଼େଇ ଦେଲା ହୋମ ନଡ଼ିଆ ଖଣ୍ଡେ ।
ଚିହିଁକିଲା କୁନାଲ, ଏଇଟା କ’ଣ?
ନଡ଼ିଆ.. ସହଜ ଉତ୍ତର ଦେଲା ସ୍ୱାତୀ ।
ନଡ଼ିଆ!! ଏ କ୍ଷେତ୍ରକୁ ନଡ଼ିଆ କେମିତି ପଶିଲା ଏଇ ବିସ୍ମୟ ଭାବ ଫୁଟି ଉଠୁଥିଲା ତା କଣ୍ଠରୁ ।
ହଁ ହୋମନଡ଼ିଆ, ପ୍ରତ୍ୟେକ ନବଦମ୍ପତି ଏହାକୁ ଖାଇ ଦାମ୍ପତ୍ୟ ଜୀବନର ଶୁଭାରମ୍ଭ କରନ୍ତି ।
ହସି ଉଠିଲା କୁନାଲ । କହିଲା, କୁକୁଡ଼ା ଗୋଡ଼ ଆଉ ଖାସୀ କଣ୍ଟା ଚୋବଉଥିବା ଦାନ୍ତକୁ ଏ ନଡ଼ିଆ ଫଡ଼ିଆ ସୁହାଏନା ବରଂ ତମ ଦେହର ସ୍ୱାଦିଷ୍ଟ ମାଂସ ବେଶି ଉପଯୋଗୀ । ସ୍ୱାତୀ କିଛି ଭାବିବା ପୂର୍ବରୁ କୁନାଲ ତାକୁ ପଞ୍ଝାଗ୍ରସ୍ତ କରିନେଇଥିଲା ଆଉ ତା’ର ସମସ୍ତ କୋମଳ ଭାବାବେଗକୁ ତଳିତଳାନ୍ତ କରି ଗୋଟେ ଅଭ୍ୟସ୍ତ ଅଶ୍ୱାରୋହୀ ଭଳି ତାକୁ ଲହୁଲୁହାଣ କରିଚାଲିଥିଲା ।
ତା’ ପରଦିନ ତା ସାଙ୍ଗ କେଇଜଣ ତାକୁ ଫୋନ୍କରି ରସାଳ ପ୍ରଶ୍ନମାନ ପଚାରିଥିଲେ । ସ୍ୱାତୀ, ମିଷ୍ଟରଟି ବିଛଣାରେ କେମିତି?
ସ୍ୱାତୀ ଘୃଣାର ଉତ୍ତର ଦେଇଥିଲା, ଅତ୍ୟନ୍ତ ଅଭଦ୍ର ଓ ଅମଣିଷ ।
ଏବେ କିନ୍ତୁ ତା’ର ସବୁ ଅଭଦ୍ରାମି ସୀମାଲଂଘି ଯାଉଚି । ନର୍କର କେଉଁ ଅତଳସ୍ତରକୁ ଚାଲି ଯାଉଛି ତା’ର ଅମଣିଷ ପଣିଆ । ଆଜି ଥିଲା ଛୁଟିଦିନ । ସପ୍ତାହ ସାରା ଅକ୍ଳାନ୍ତ ପରିଶ୍ରମ ପରେ ଛୁଟିଟାକୁ ତା ମର୍ଜିରେ କଟାଏ କୁନାଲ । ଖୁବ୍ ବିଚିତ୍ର ଢ଼ଙ୍ଗରେ ନୂଆ ନୂଆ ତରିକାରେ । ସ୍ୱାତୀକୁ କିଛି ଖରାପ ଲାଗିଲେ ବି ଆପଣେଇ ନିଏ । ଏହା ବ୍ୟତୀତ ତା’ର ଚାରା ହିଁ ନାହିଁ । ଦିନେ ଦିନେ ସକାଳୁ କୁଆଡ଼େ ଚାଲିଯାଏ । ଫେରେ ଖୁବ୍ ବିଳମ୍ବିତ ରାତିରେ । କ୍ଲାନ୍ତ ଶ୍ରାନ୍ତ ଓ ନିଶାଗ୍ରସ୍ତ । ପଚାରିଲେ ଉତ୍ତର ଆସେ କେବେ କ୍ଲବ୍ରେ କେବେ କେଉଁ ବନ୍ଧୁଘରେ ।
ଆଜି ସକାଳୁ କହିଲା, ସ୍ୱାତୀ! ଆଜି ମୋର ବନ୍ଧୁମାନେ ଡିନର୍କୁ ଆସିବେ । ତମେ ଏଠାକୁ ଆସିବା ପରେ ପ୍ରଥମ କରି ଆସୁଚନ୍ତି ତ ସେମାନଙ୍କ ଟି୍ରଟ୍ମେଣ୍ଟ୍ରେ ଯେମିତି ଅବହେଳା ନହୁଏ ।
ସ୍ୱାତୀ କିଛିଟା ଖୁସି ହେଲା । ସବୁଦିନ ପ୍ରାୟ ହୋଟେଲ୍ ପାର୍ସଲରେ ଲଞ୍ଚ୍ ଡିନର୍ ହେଉଥିଲା ବେଳେ ଆଜି ସେ ନିଜେ କିଛି ରୋଷଇ କରିବ । ସେ ଯେ ଭଲ ରୋଷେଇ କରି ଜାଣେ କଥାଟା ସେ ଆଜି ପ୍ରମାଣ କରିଦେବ କୁନାଲର ବନ୍ଧୁମାନଙ୍କ ଆଗରେ । ନାରୀର ସବୁ ଗୁଣ ଗାରିମା ସ୍ୱାଦିଷ୍ଟ ରୋଷେଇ କରିପାରିବାର ଦକ୍ଷତା ପାଖରେ ହିଁଁ ଗୌଣ ହେଇଯାଏ । ସେ ବଡ଼ ଆଗ୍ରହରେ ପଚାରିଲା, କ’ଣ କ’ଣ ସବୁ ରହିବ ମେନୁରେ?
କୁନାଲ ତାକୁ ଗୋଟେ ବକ୍ରଦୃଷ୍ଟିରେ ଚାହିଁ ପଚାରିଲା, ମେନୁ? ତମେ ରୋଷେଇ କରିବନା କ’ଣ?
– ହଁ ତ, ଆଉ କ’ଣ କୁକ୍ ଆଣିବ?
କୁନାଲ ଗୋଟେ ତାଚ୍ଛଲ୍ୟ ହସ ହସି କହିଲା, ଆଜି ଯେଉଁସବୁ ଗେଷ୍ଟ୍ ଆସିବେ ସେମାନେ ସୁନ୍ଦରୀମାନଙ୍କ ପରିବେଷଣରେ ବେଶି ସନ୍ତୁଷ୍ଟ । ଖାଦ୍ୟରେ ନୁହେଁ । ମୁଁ ହୋଟେଲରେ ଅର୍ଡ଼ର ଦେଇ ଦେଇଚି । ଠିକ୍ ଟାଇମ୍ରେ ପାର୍ସଲ ଆସିବ । ତମକୁ ଖାଲି ସର୍ଭ କରିବାକୁ ପଡ଼ିବ । ବୁଝିଲ, ତମକୁ ରୋଷେଇ ଫୋସେଇ କିଛି କରିବାକୁ ପଡ଼ିବ ନାଇଁ, ବରଂ ତମେ ସେମାନଙ୍କୁ କେମିତି କେମିତି ସାଟିସ୍ଫାଏ କରିବ ସେଇ କଥା ଚିନ୍ତାକର ।
ସ୍ୱାତୀ ମନ ଫିକା ପଡ଼ି ଯାଇଥିଲା । ମନକଥା ଚାପିଧରି ସେ କହିଲା, ଠିକ୍ ଅଛି, କ’ଣ କୁଆଡ଼େ ଟେଷ୍ଟ୍ ଟିକେ ଖରାପ ହେଇଥିଲେ ତମକୁ ଥଟ୍ଟା କରିଥାନ୍ତେ, ଏମିତିରେ କିଛି ରିକ୍ସ ନାହିଁ । ଭଲହେଲା ।
କୁନାଲ ଆଉ କିଛି କହିଲା ନାହିଁ । ସ୍ୱାତୀ ଡ୍ରଇଁରୁମ୍ ଓ ଡାଇନିଂ ସଜେଇବାରେ ଲାଗିଲା ।
ରାତି ଆଠଟା ସୁଦ୍ଧା ସେମାନେ ପହଞ୍ଚôଗଲେ । ସମସ୍ତଙ୍କ ଅଲଗା ଅଲଗା ଦାମୀଗାଡ଼ି । ନିଜେ ଡ୍ର୍ରାଇଭିଂ କରି ଆସିଛନ୍ତି । ସମସ୍ତଙ୍କର ରଙ୍ଗଢ଼ଙ୍ଗ ଆଦବ୍ କାଇଦା ଏକାଭଳି । ଗୋଟେ ବଜାରୀ ଔଦ୍ଧତ୍ୟ ବାରିହୋଇ ପଡ଼ୁଚି ସେମାନଙ୍କ ଠାରେ ।
ସେମାନେ ଡ୍ରଇଁରୁମ୍ରେ ବସିଲେ । କୁନାଲ ସେମାନଙ୍କୁ ବସେଇ ଦେଇ ଆସି କହିଲା, ସ୍ୱାତୀ! ଆସ ତମକୁ ଇଣ୍ଟ୍ରୋଡୁ୍ୟସ୍ କରିଦିଏ । ଏମାନେ କର୍ପୋରେଟ୍ ଫିଲ୍ଡର ହାଇଲେଭଲ ପ୍ରଫେସନାଲ । ସମସ୍ତଙ୍କର ଆନୁଆଲ ପ୍ୟାକେଜ୍ ପ୍ରାୟ ପଚିଶରୁ ପଚାଶ ଲକ୍ଷ ଟଙ୍କା ବୁଝିଲ!
ସ୍ୱାତୀର ମନଫିକା ପଡ଼ିଯାଉଥିଲା । ସବୁ କ୍ଷେତ୍ରରେ ଏଇ ଟଙ୍କାଟାକୁ କାହିଁକି ପୁରାନ୍ତି କୁନାଲ? ଯାହାର ଯେଉଁ ପ୍ୟାକେଜ୍ ହେଲା ତା’ର ସେଥିରେ ଯାଏଆସେ କେତେ? ତା’ର ତ ବନ୍ଧୁପତ୍ନୀ ଭାବରେ ସେମାନଙ୍କୁ ଶଙ୍ଖୋଳିବା ଦାୟିତ୍ୱ । ସେ ଟିକେ ଥଟ୍ଟା କରି କହିଲା, କ’ଣ ଯାଇ ଗୋଡ଼ତଳେ ପଡ଼ିଯିବି?
ମାନେ? ଅସହିଷ୍ଣୁ ସ୍ୱରରେ ପଚାରିଲା କୁନାଲ ।
ନାଇଁ… ତମେ କହିଲ ଯେ ସେମାନେ ହାଇଲେଭଲ ପ୍ରଫେସନାଲ ।
କୁନାଲ ବିରକ୍ତ ହେଇ ଚୁପ୍ଚାପ୍ କହିଲା, ତମର ସେ ମିଡ଼ିଲ୍କ୍ଲାସ ମେଣ୍ଟାଲିଟି ଗଲାନାଇଁ । ନିଜେ ତ ହେଇପାରିବ ନାହିଁ, କାହାକୁ ବି ସହ୍ୟ କରିପାରିବନାଇଁ । ଇଡ଼ିୟଟ୍ । ଖୁବ୍ ରାଗି ଆସୁଥିଲେ ବି ନିଜକୁ ଚାପି ଦେଲା ସ୍ୱାତୀ । ଲୋକଟାକୁ ଏଇ ସମୟରେ ବିରକ୍ତ କଲେ କ’ଣ ନାଇଁ କ’ଣ କରିବସିବ । ଲୋକହସା ହେବା ସାର ହେବ । ତେଣୁ ସେ ହସିଦେଇ କହିଲା, ନାଇଁମ… ତମେ ଏମିତି ଭାବୁଚ କ’ଣ? ଘରେ ବନ୍ଧୁ ବସେଇ ପତ୍ନୀ ସହିତ ଝଗଡ଼ା କରନ୍ତି? ଆସ ।
ସ୍ୱାତୀ ସେମାନଙ୍କୁ ନମସ୍କାର କରୁ କରୁ ହିଁ ସେମାନେ ଉଠି ପଡ଼ିଲେ ଓ ହାତଟି ମାନ ବଢ଼େଇ ଦେଲେ ହ୍ୟାଣ୍ଡ୍ସେକ୍ ପାଇଁ । ସ୍ୱାତୀ ଅନିଚ୍ଛା ସତ୍ତ୍ୱେ ହାତମିଳେଇଲା ଓ ଅନୁଭବ କଲା ସେମାନଙ୍କ ହାତସବୁ ଅଧିକ ଚାପଗ୍ରସ୍ତ ହେଇପଡ଼ୁଚି । କୁନାଲ ପରିଚୟ କରେଇ ଦେଲା, ମିଃ କପୁର, ମିଃ ଖୁରାନା, ମିଃ ବନସଲ, ମିଃ ଦତ୍ତ ଆଉ ମିଃ ରେଡ୍ଡିଙ୍କ ସହିତ । ତା ପରେ କୁନାଲ ସ୍ୱାତୀକୁ ଚାହିଁ କହିଲା, ଆଉ ୟେ ମିସେସ୍ ସ୍ୱାତୀ, ମାଇଁ ୱାଇଫ୍, ଏମ୍.ଏ. ଇନ୍ ଇକୋନମିକ୍ସ ।
ଆଉଥରେ ସେମାନଙ୍କ ହାତଟି ମାନ ଲମ୍ବି ଆସିଲା ସ୍ୱାତୀ ଆଡ଼େ ମିଃ ଖୁରାନା କହିଲା, ରିୟଲି ମିଃ କୁନାଲ, ଇୟୋର ୱାଇଫ୍ ଇଜ୍ ଭେରି ସୁଇଟ, ସ୍ଲିମ୍ ଆଣ୍ଡ ସେକ୍ସି । ଆଉଥରେ ସେମାନଙ୍କ ହସ ଉଚ୍ଛୁଳି ଉଠିଲା । ସେମାନଙ୍କର ତାରିଫ୍ରେ କୁନାଲ ଖେଁ ଖେଁ ଖେଁକୁଥିଲା ।
ସ୍ୱାତୀ କିନ୍ତୁ ଲଜ୍ଜା ଆଉ ଅପମାନରେ ଜଳି ପୋଡ଼ିଯାଉଥିଲା ଭିତରେ ଭିତରେ ।
ମିଃ କପୁର କହିଲା, ଆମେ କିନ୍ତୁ ମିସେସ୍ ସ୍ୱାତୀଙ୍କ ଠାରୁ ଗୋଟେ ଏମ୍ବ୍ରାସିଂ ୱେଲ୍କମ୍ ଆଶା କରୁଥିଲୁ, ନା କ’ଣ? ସମସ୍ତେ ନିଜର ମନକଥା ଜାହିର କଲେ, ୟେସ୍ ୟେସ୍ ଡେଫିନାଇଟ୍ଲି…
ଥରଥର ସ୍ୱାତୀ ଥରି ଆସୁଥିଲା, ଏମାନଙ୍କର ଅଭଦ୍ର ଆଚରଣ ଓ ଅଶ୍ଳୀଳ କଥାବାର୍ତ୍ତା ସେ ସହ୍ୟ କରିପାରୁନଥିଲା । ଏତେ ଉଚ୍ଚପଦବୀରେ ଥିବା ଲୋକମାନେ ଏତେ ଇତର ମାନସିକତାରେ କେମିତି ରହନ୍ତି? ବନ୍ଧୁପତ୍ନୀ ହେଲା ବୋଲି କ’ଣ ସେ ଏୟା ଶୁଣିବ?
ମିଃ ରେଡ୍ଡି କହିଲା, ଆରେ ମାଡ଼ାମ୍ ଚାଲିଯାଉଛନ୍ତି ଯେ, ତାଙ୍କୁ ଫାଷ୍ଟମିଟ୍ର ଗିଫ୍ଟଟା ଦିଆଯାଉ ।
ସମସ୍ତେ ଗୋଟେ ଗୋଟେ ଗିଫ୍ଟ ପ୍ୟାକେଟ୍ କାଢ଼ି ଟି ପୟ ଉପରେ ରଖିଲେ । ମିଃ ଦତ୍ତ ସ୍ୱାତୀ ହାତକୁ ବଢ଼େଇ ଦେଉ ଦେଉ କହିଲେ ଇଟ୍ ଇଜ୍ ଅନ ବିହାଫ୍ ଅଫ୍ ସିକ୍ସହଙ୍କ୍ସ ।
ସେମାନେ ହସି ଉଠୁଥିଲେ । ସ୍ୱାତୀ ପ୍ୟାକେଟ୍ ଗୁଡ଼ା ଧରି ପଳେଇ ଆସିଲା ବେଡ୍ରୁମ୍କୁ । ତା ଦେହସାରା ଝାଳକଣ୍ଟି ଯାଉଥିଲା । ତଣ୍ଟି ଅଠା ଅଠା । ମୁହଁଟି ରଙ୍ଗା ପଡ଼ିଯାଇଥିଲା ଲାଜରେ ।
କୁନାଲ ପଶି ଆସିଲେ । ଗିଫ୍ଟ ପ୍ୟାକେଟ୍ ଗୁଡ଼ା ଫୋପଡ଼ା ହେଇ ଥିଲାଭଳି ଦେଖି କିଞ୍ଚôତ୍ ବିରକ୍ତ ହେଇ କହିଲେ, ସେ ପ୍ୟାକେଟ୍ଗୁଡ଼ିକରେ କଷ୍ଟ୍ଲି ଗୋଲ୍ଡ ଅର୍ଣ୍ଣାମେଣ୍ଟ ସବୁ ଅଛି, ତମେ କେୟାରଲେସ୍ଲି ପକେଇ ଦେଇଚ? ହଉ ରଖିଦେଇ ଆସ ।
ଏ ସୁନାଲୋଭୀ ଲୋକଟା ମୁହଁକୁ ପ୍ୟାକେଟ୍ ଗୁଡ଼ିକ ଫୋପାଡ଼ିବାକୁ ଚାହୁଁଥିଲା ସ୍ୱାତୀ । କହିଲା, ମୁଁ ଯିବି ନାଇଁ ।
– ଯିବ ନାଇଁ?
– ମୋତେ ସେମାନଙ୍କ ଆଚରଣ ମୋଟେ ଭଲ ଲାଗୁନାହିଁ ।
– ଭଲ ଲାଗୁନାହିଁ ମାନେ? ସାଙ୍ଗ ମାନେ ତ ଟିକେ ଥଟ୍ଟାମଜା କରିବେ?
– ମଜାଥଟ୍ଟାର ସୀମା ଥାଏ । ମୁଁ ସେମାନଙ୍କୁ ସେକ୍ସି ଦିଶୁଚି? ଆଁ? ପୁଣି ତମ ଗ୍ରୁପ୍ର ନାଁ କ’ଣ ରଖିଚ? ସିକ୍ସହଙ୍କ୍ସ, ହଙ୍କ୍ସ ମାନଙ୍କୁ ତ ସବୁ ନାରୀ ସେକ୍ସି ଲାଗିବେ । ଛିଃ…
ହସି ଉଠିଲେ କୁନାଲ । ତମେ ଏସବୁକୁ ଏତେ ସିରିୟସ୍ଲି କାହିଁକି ନେଉଚ? ଏଇଟା ଗୋଟେ ଗୁଡ୍ କଂପ୍ଲିମେଣ୍ଟ୍ସ ତମପାଇଁ । ହାଇଫାଇ ସୋସାଇଟିରେ ଏସବୁ କମନ୍ । ତମେ ନୂଆ ତ ଟିକେ ଅଡ଼ୁଆ ଲାଗିବ । ଆସ୍ତେ ଆସ୍ତେ ସବୁ ଆଡ୍ଜଷ୍ଟ୍ କରିଯିବ । ଆଉ ଆଡ୍ଜଷ୍ଟ୍ ନକଲେ ତମେ ହିଁ ସଫର କରିବ । ଟେକ୍ ଇଟ୍ ଲାଇଟ୍ଲି, କମ୍.. କମ୍…
କୁନାଲ ଚାଲିଗଲା । ମୃଦୁ ଧମକଟିଏ ଶୁଣେଇ ଦେଇ ଗଲାବି । ସ୍ୱାତୀକୁ କାହିଁକି ଲାଗିଲା ସେ ନିରାପତ୍ତା ହୀନ ହେଇ ପଡ଼ୁଚି । ତାକୁ ସୁରକ୍ଷିତ ରଖିବା ଯାହାର କର୍ତ୍ତବ୍ୟ ସେ’ତ ଠେଲିଦେଲା ଭଳି ଲାଗୁଚି ଅନ୍ଧାର ଗହୀରକୁ । ଅର୍ଥ ଅନ୍ଧମାନେ କିପରି ନୀତି ନୈତିକତା ଠାରୁ ଦୂରକୁ ଚାଲିଯାଆନ୍ତି, ଏମାନେ ହିଁ ତା’ର ଉଦାହରଣ । ସେ ନିଜକୁ ଟିକେ ସଜାଡ଼ିବାକୁ ଚେଷ୍ଟାକଲା । କୁନାଲର ମର୍ଜି ଅନୁଯାୟୀ ଚଳିବା ବ୍ୟତୀତ ତା’ର ଅନ୍ୟ କିଛି ଚାରା ବି ନାହିଁ । ତାଛଡ଼ା ସେ ଏସବୁକୁ ଏତେ ସିରିୟସ୍ଲି କାହିଁକି ନେଉଚି ସତରେ! ସାଙ୍ଗମାନେ ଆସିଚନ୍ତି, ଖାଇପିଇ ଟିକେ ମସ୍ତିକରି ଚାଲିଯିବେ । କୁନାଲଙ୍କ ପତିଆରା ଯେହେତୁ ଏଥିରେ ନିହିତ, ସେ ସେୟାର କରିବା ଉଚିତ୍ । ସେ ଏମିତି ଆଡ଼ହେଲେ ଯେ ସେମାନଙ୍କର ଚରିତ୍ର ବଦଳିଯିବ, ଏ ସମ୍ଭାବନା ନାଇଁ । ସେ କାହିଁକି ତା ଭିତରର ସଂସ୍କାର ବୋଧକୁ ଜାବୁଡ଼ି ଧରୁଚି ମିଛଟାରେ!
ଡ୍ରଇଁରୁମ୍ରେ କଥାବାର୍ତ୍ତା, ଆଲୋଚନା ଜାରି ରହିଥିଲା । କଥା କୋଉଠୁ ଆରମ୍ଭ ହେଇ କୋଉଠି ସରୁଥିଲା ତା’ର ଠିକଣା ନଥିଲା । ତଥାପି ଆମେରିକାରେ ଆର୍ଥିକ ସଂକଟ ସାଙ୍ଗକୁ ରେଟିଂହ୍ରାସ, ସେୟାର ମାର୍କେଟର ଗିରାବଟ ଠାରୁ ଆନ୍ନା ହଜାରେଙ୍କ ଅନଶନ ପର୍ଯ୍ୟନ୍ତ କଥା ଲମ୍ବି ଥିଲାବେଳେ ସେଥିରେ ପଶି ଆସୁଥିଲା ଲିବିଆ ଯୁଦ୍ଧ ଓ ଭାରତର ଓଭାଲ ଟେଷ୍ଟରେ ଦାରୁଣ ବିପର୍ଯ୍ୟୟ ପ୍ରସଙ୍ଗ ।
ଖୁରାନା ଖଙ୍କାରି ହେଲା, କ’ଣ ଏଇଠି ବସି ବିଶ୍ୱ ଆଲୋଚନା ଚାଲିବ? ଏଠାରେ ମଉଜ ମସ୍ତିକରି ଟାଇମ୍ ପାସ୍ କରିବାକୁ ଆସିଛନ୍ତି ନା ନାହିଁ? ରସାଳ କଥା କିଛି ପଡ଼ୁ । ସଙ୍ଗେ ସଙ୍ଗେ ବିଶ୍ୱ ସମସ୍ୟା ସବୁ କାଇଁ କୁଆଡ଼େ ଉଡ଼ିଗଲେ । ପଶିଆସିଲେ ମଲ୍ଲିକା ଶେରାୱତ ଓ ରାକ୍ଷୀ ସାୱନ୍ତ । ଭଲଗାର ଜୋକ୍ସ ସବୁ ଛୁଟି ଆସିଲା ସମସ୍ତ ପାଟିରୁ ।
ସ୍ୱାତୀ ସବୁ ଶୁଣୁଥିଲା ବେଡ୍ରୁମ୍ରେ ଥାଇ । ଏତେ ହାଇପ୍ରଫେସନାଲ ମାନଙ୍କର ଏତେ ଇତର ଅଶ୍ଳୀଳତା ତାକୁ ତାଜୁବ୍ କରୁଥିଲା । ସେ ଭାବୁଥିଲା ଏ ପୁରୁଷ ଗୁଡ଼ା ଶିକ୍ଷା ସଭ୍ୟତାର ଯେତେ ବିକଶିତ ସ୍ତରକୁ ଗଲେ ବି ପ୍ରବୃତ୍ତିଗତ ଆଦିମତା ସେମାନଙ୍କୁ କେବେ ଛାଡ଼ିଯିବ ନାହିଁ । ଏଗୁଡ଼ାଙ୍କୁ ଶିକ୍ଷିତ ଅସଭ୍ୟ କୁହାଯାଇପାରେ ।
ବାହାରୁ କଲିଂବେଲ୍ ବାଜିଲା । ଡିନର ପାର୍ସଲ ଆସିଗଲା ବୋଧେ । ହଁ ହୋଟେଲ ବୟଟି ପ୍ୟାକେଟ୍ ସବୁ ନେଇ ଆସିଲା ଭିତରକୁ । ଆଉଜଣେ ଡ୍ରଇଁରୁମ୍ରେ ସଜେଇ ଦେଲା ଡି୍ରଙ୍କ୍ସ ସରଞ୍ଜାମ ।
ସବୁ ପ୍ରସ୍ତୁତି ପରେ ସେମାନେ ଚାଲିଗଲେ ।
ଭିତରପଟୁ କବାଟ ବନ୍ଦ କରିଦେଲେ କୁନାଲ ।
ଡିନର ସହିତ ଡି୍ରଙ୍କ୍ସ ନେବାଟା ଖୁବ୍ ଗୋଟେ ଗୁରୁତର କଥା ନୁହେଁ ବୋଲି ଏବେ ବୁଝୁଥିଲା ସ୍ୱାତୀ । ମାସକୁ ଦୁଇଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ କମାଉଥିବା ଏ କମ୍ପାନୀ ଏକ୍ଜିକୁ୍ୟଟିଭ୍ ମାନଙ୍କୁ ଆଦୌ ମଦୁଆ କୁହାଯାଇନପାରେ । ସ୍ୱାତୀ ତା’ର ବିବେକ ସହିତ ସାଲିସ୍ କରି ଚାଲିଥିଲା ।
ସେପଟରୁ କିଏ ଜଣେ କହୁଥିଲା ଘର ଭିତରେ ଜଣେ ସୁନ୍ଦରୀ ନାରୀ ଥାଉ ଥାଉ ଆମେ ନିଜ ହାତରେ ଡି୍ରଙ୍କ୍ସ ନେବା? ଭେରି ଇଣ୍ଡିସେଣ୍ଟ୍, କୁନାଲ ଜୀ ବୁଲାଇୟେ ନା ତୁହ୍ମାରୀ ସୁଇଟି ସେକ୍ସିକୋ ।
ହାସ୍ୟରୋଳ ଉଚ୍ଛୁଳି ପଡ଼ୁଥିଲା । କୁନାଲ ଡାକ ପକେଇଲା ସ୍ୱାତୀ… ସ୍ୱାତୀ… ।
ସ୍ୱାତୀ ପହଞ୍ଚôଗଲା ସେଠାରେ । କୁନାଲର ନିଦେ୍ର୍ଦଶ ଅନୁଯାୟୀ ସେ ସମସ୍ତଙ୍କ ହାତକୁ ବଢ଼େଇ ଦେଲା ମଦର ଗ୍ଲାସ ସବୁ । ମୁହଁରେ ଫୁଟେଇ ଥିଲା ସ୍ମିତହାସ୍ୟ । କୁନାଲ ସ୍ୱାତୀର ଏ ବ୍ୟବହାରରେ ଖୁସି ହେଇଗଲା । ତାକୁ ଲାଗିଲା ଏ ସୋସାଇଟି ଭିତରକୁ ପଶିବାର ମାନସିକତା ରଖି ସାରିଲାଣି ସ୍ୱାତୀ । ସେ ଉତ୍ସାହିତ ହେଲାପରି କହିଲା, ଦ୍ୟାଟ୍ସ ଏ ଗୁଡ଼୍ ୱାଇଫ୍ ।
ସ୍ୱାତୀର ଏ ନିଃସଂକୋଚ ଭାବ ମଧ୍ୟ ଉତ୍ସାହିତ କରୁଥିଲା ଅନ୍ୟମାନଙ୍କୁ । ସେମାନେ ନିର୍ବିକାର ଭାବରେ ମଧ୍ୟ ତା ସହିତ ଥଟ୍ଟା କରି ଚାଲୁଥିଲେ । ସେଥିରେ ମଧୁରତା ଠାରୁ ଅଶ୍ଳୀଳତାର ପରିମାଣ ଥିଲା ଅଧିକ ।
ଭାଗ୍ୟ ଭଲ ଏମାନଙ୍କର ଯାବତୀୟ କଥା ଓ ମନ୍ତବ୍ୟ ଇଂରାଜୀରେ ହିଁ ହେଉଥିଲା । ତାହା ଯଦି ତା ମାତୃଭାଷାରେ କୁହାଯାଉଥାନ୍ତା ସ୍ୱାତୀ ହୁଏତ ତାହା ଶୁଣି ପାରୁନଥାନ୍ତା । ଇଂରାଜୀ ଭାଷାର ଏହାହିଁ ମହତ୍ୱ । ଅଶ୍ଳୀଳତାକୁ ମାର୍ଜିତ ଉଚ୍ଚାରଣ ଦେବାରେ ଏହା ମୋଟେ କୁଣ୍ଠିତ ନୁହେଁ ।
ନିଶା ଜମୁଥିଲା ଆଉ ନନ୍ଭେଜ୍ ଆଇଟମ୍ ଗୁଡ଼ାକୁ ସେମାନେ ଅସୁର ଭଳି ଖାଇଚାଲିଥିଲେ । ସ୍ୱାତୀକୁ ଲାଗୁଥିଲା ତା’ର ଉପସ୍ଥିତି ସେମାନଙ୍କୁ ଖାଇବା ପିଇବାରେ ଖୁବ୍ ଉତ୍ସାହିତ କରୁଛି । ସେମାନେ ଖାଦ୍ୟ ପାନୀୟ ସହିତ ଯେମିତି ତାକୁ ହିଁ ଖାଇ ପିଇ ଚାଲିଛନ୍ତି ।
କେତେ ବରଦାସ୍ତ କରନ୍ତା ଆଉ ସେ । ମଦ ସାଙ୍ଗକୁ ନନ୍ଭେଜ ଖାଦ୍ୟ ଗୁଡ଼ିକର ଉକ୍ରଟ ଗନ୍ଧ ତାକୁ ଖୁବ୍ ଅସହ୍ୟ ହେଲାଣି । ବାନ୍ତି ଉଠେଇ ଆସୁଚି ଭିତରୁ । ଦେହସାରା ଝାଳ ଆଉ ବିରକ୍ତିରେ ଭାରାକ୍ରାନ୍ତ ମନ । ସେମାନେ କ୍ରମଶଃ ନିଶା ବଳରେ ଦିଗଭ୍ରଷ୍ଟ ହେଇ ପଡ଼ୁଥିବା ବେଳେ ସେଠାରୁ ଖସି ଆସିଲା ସ୍ୱାତୀ । ବାଥରୁମ୍କୁ ପଶିଯାଇ କେତେ ଚଳା ପାଣି ଛାଟି ପକେଇଲା ମୁହଁରେ । ମୁଣ୍ଡରେ ଛାଟିଲା । ଫି୍ରଜ୍ରୁ ପାଣି ବୋତଲଟା କାଢ଼ି ଆଣି ଢ଼କ ଢ଼କ ପିଇଗଲା । ଓଃ ଏତେ ରାତି ହେଲାଣି କେବେ ଛାଡ଼ିବେ ଘର ଏମାନେ? ଏମାନେ ଗଲାପରେ ହିଁ କୁନାଲ ସହିତ ତା’ର କଥାବାର୍ତ୍ତା । ଇସ୍ କେତେ ଡେଞ୍ଜର ଏ ଲୋକଟା! ପୁଣି ଭାବିଲା ସ୍ୱାତୀ, ଅପର୍ଯ୍ୟାପ୍ତ ପଇସା ସାଙ୍ଗକୁ ଅମଣିଷ ବନ୍ଧୁ ମିଶିଗଲେ ପଥଚୁ୍ୟତ ହେବାକୁ ଖୁବ୍ ଡେରି ହୁଏନାହିଁ । ସେୟା ହେଉଚି କୁନାଲଙ୍କ କ୍ଷେତ୍ରରେ ହୁଏତ । ସେ ତାକୁ ସୁଧାରିବାକୁ ଚେଷ୍ଟା କରିପାରେ ।
ଏମିତି କିଛିକଥା ଭାବୁ ଭାବୁ ପଲଙ୍କ ଉପରେ କେତେବେଳେ ଶୋଇ ପଡ଼ିଚି ସ୍ୱାତୀ । ହଠାତ୍ କୁନାଲଙ୍କ ଡାକ ଶୁଭିଲା । ଚଟାପଟ୍ ଉଠିପଡ଼ିଲା ସେ । ବନ୍ଧୁମାନେ ଯିବାକୁ ବାହାରିଲେଣି ବୋଧେ । କେତେରାତି ହେଲାଣି!! ସେ ଠିଆହେଇ ପଡ଼ିଲା, ୟେ’ କ’ଣ? ଏମାନେ ଡ୍ରଇଁରୁମ୍ ଛାଡ଼ି କ’ଣ ତାଙ୍କ ବେଡ଼୍ରୁମ୍ରେ!! ସେ ଆଶ୍ଚର୍ଯ୍ୟ ହେଇ କୁନାଲକୁ ଚାହିଁଲା । କୁନାଲ ତାକୁ କବ୍ଜା କରି ରଖିଥିôବା ନିଶା ଭିତରୁ ବାହାରି ଆସିବାକୁ ଚେଷ୍ଟା କରୁକରୁ କହିଲା ସ୍ୱାତୀ, ଦ୍ୟାରିଜ୍ ଏ ସରପ୍ରାଇଜ୍ ଫର ୟୁ ।
– ସରପ୍ରାଇଜ୍?
– ୟେସ୍ ସରପ୍ରାଇଜ୍, ଖୁରାନା କହିଲା- ଏଇ ନିଅ ମୋ ହାତରୁ ଖଣ୍ଡେ କାଗଜ ଉଠାଅ ତ!
କାଗଜ? କ’ଣ ଅଛି ସେଥିରେ? ସ୍ୱାତୀ ଏସବୁ କାର୍ଯ୍ୟକ୍ରମର କିଛି ଟେର୍ ପାଇ ପାରୁନଥିଲା ।
– ତମେ ଯେଉଁ କାଗଜଟି ଉଠେଇବ, ସେଥିରେ ଯା’ ନାଁ ଲେଖା ହେଇଥିବ ହି ଉଇଲ ବି ଇୟୋର ବେଡ଼୍ ପାର୍ଟନର ଟୁ ନାଇଟ୍….
ଚମକି ପଡ଼ିଲା ସ୍ୱାତୀ । ୟେ’ କି ଜଘନ୍ୟ ପ୍ରସ୍ତାବ? ସେ ଖୁବ୍ ବିକଳ ହେଇ ଚାହିଁଲା କୁନାଲ ମୁହଁକୁ । କୁନାଲର ପ୍ରତିକି୍ରୟାହୀନ ମୁହଁଟି ତାକୁ ଗୋଟେ କୁକୁର ମୁହଁ ପରି ଦେଖାଗଲା । କିଛି ସମୟ ପରେ ସେ ଭୁକିଲା ପରି କହିଲା, ୟେସ୍ ଇଟ୍ ଇଜ୍ ସିକ୍ସ ହଙ୍କ୍ସ’ସ ସରପ୍ରାଇଜ୍ ଗେମ୍ ସ୍ୱାତୀ…
ବିସ୍ଫୋରଣ କରି ଉଠିଲା ସ୍ୱାତୀ । ବନ୍ଦ୍କର ଏ ଫାଲ୍ତୁ ଗେମ୍ । ତମେମାନେ ମଣିଷ ନା ପଶୁ? ଇସ୍ ମଣିଷ ପୁଣି ଏତେ କୁତ୍ସିତ ସ୍ତରକୁ ଯାଇପାରେ? ଏଇ ତମର ହାଇ ପ୍ରୋଫାଇଲ, ଏଇ ତମର କଲ୍ଚର୍… ବାଷ୍ଟାର୍ଡସ୍… ।
ଇଟ୍ଇଜ୍ ନଟ୍ ଏ ନିୟୁକନସେପ୍ଟ ମାଡ଼ାମ୍ । ଥଟ୍ଟା କଲାଭଳି କହିଲା ବନ୍ସଲ୍ । ଦ୍ରୌପଦୀ ତ ପୁଣି ପାଞ୍ଚ ପାଞ୍ଚଟା ପତିଙ୍କୁ ସାର୍ଟିସ୍ଫାଏ କରୁଥିଲା । ନାରୀର ସୌନ୍ଦର୍ଯ୍ୟ ସବୁ ସମୟରେ ପୁରୁଷକୁ ପ୍ରଲୁବ୍ଧ କରିଆସିଛି ମାଡ଼ାମ୍ । ତମଭଳି ଜଣେ ସୁନ୍ଦରୀ, ପୁଣି ଆମ ବନ୍ଧୁପତ୍ନୀ, ହ୍ୱାଏ ସୁଡ୍ ନଟ୍ ଉଇ ଏନ୍ଜୟ ଇୟୁ?
ରେଡ୍ଡୀ କହିଲା- ଡୋଣ୍ଟ୍ ୱେଷ୍ଟ ଟାଇମ୍, ପ୍ରୋସିଡ୍… ଉଠାଅ ଉଠାଅ କୋଉଟା ଉଠଉଚ । ଯେମିତି ତା’ରି ନାଁ ଲେଖା କାଗଜଟିକୁ ହିଁ ଉଠେଇବ ସ୍ୱାତୀ, ସେଇ ଉତ୍ସାହରେ ସେ କହିଲା ।
କପୁର ଟିକେ ଅଧିକ ରୋମାଣ୍ଟିକ୍ ହେଇ କହିଲା, ଇସି ନାଇଟ କୋ ୟାଦ୍ଗାର କରନେ ଦୋ ନା, ଉଇଥ୍ ଇୟୋର ଏନ୍ଜୟମେଣ୍ଟ୍ ଇଜ୍ ମୋର୍ଦ୍ୟାନ୍ ହେଭେନ୍…
ଏମାନେ ସମସ୍ତେ ନିଶାରେ ଗଧିଆ ଭଳି ହେଉଥିଲେ । ଟିକେ ସୁଯୋଗ ପାଇଲେ ଯେମିତି ସମସ୍ତେ ଝାମ୍ପିପଡ଼ିବେ ଏକାବେଳକେ । ସେ କୁନାଲକୁ ଚାହିଁ ପଚାରିଲା, ୟେ’ କ’ଣ ହେଉଚି କୁନାଲ? ଟିକେ ହୋସ୍କୁ ଆସ!
କୁନାଲ ଖେଙ୍କୁଥିଲା, ଯେମିତି ତାକୁ ଖୁବ୍ ମଜ୍ଜା ଲାଗୁଚି ।
କପୁର କହିଲା, କୁନାଲ କ’ଣ କହିବ? ଆଁ? ହି ହାଜ କମିଟେଡ୍…
ଦତ୍ତ ଗୋଟେ ପ୍ରସ୍ତାବ ଦେଲା, ସେ ଯଦି ଉଠାଉ ନାହାନ୍ତି, କୁନାଲ ଉଠାଉ । ହି ହାଜ୍ ଅଲ୍ସୋ ଓନ୍ ଦିସ୍ ଗେମ୍ ସେଭେରାଲ ଟାଇମ୍ସ ଆଣ୍ଡ୍ ଏନ୍ଜୟଡ଼ ଆୱାର ୱାଇଭ୍ସ… ।
ସମସ୍ତଙ୍କ ମନକୁ ପ୍ରସ୍ତାବଟି ପାଇଗଲା ପରି ହେଣ୍ଟାଳି ଉଠିଲେ ୟେସ୍ ୟେସ୍…
ଏକଥା ଶୁଣୁ ଶୁଣୁ ସ୍ତବ୍ଧ ହେଇଯାଉଥିଲା ସ୍ୱାତୀ । ତା ପାଦତଳର ମାଟି ଯେମିତି ଭୁଶୁଡ଼ି ପଡ଼ୁଥିଲା, କୁନାଲ ତା ହେଲେ….
ସେ ସେଇଠି ଠିଆ ହେଇଥିଲା ।
ସ୍ଥିର ନିରବ ନିଥର ।
ଏମିତି ଘଟଣାଟି ଘଟିପାରେ ପୃଥିବୀର କୌଣସି କୋଣରେ? ଭୋଗବାଦୀ ମଣିଷର କାମନାର ସ୍ତର ଏତେ ଉକ୍ରଟ ଓ ଜଘନ୍ୟ ହେଇପାରେ ସେ ଆଦୌ କଳ୍ପନା କରି ପାରୁନଥିଲା ।
ସେମାନେ ଯେମିତି ଆକାଂକ୍ଷାରେ ଉଚ୍ଚାଟ ହେଉଥିଲେ, କହିଲେ କୁନାଲ ବି କ୍ୱିକ୍ । ଉଠା ଉଠା, ଦେଖିବା, ହୁ ଇଜ୍ ଲକି ଟୁ ଟେକ୍ ଫାଷ୍ଟ ଚାନ୍ସ…
ସ୍ୱାତୀ ପୁଣି ଚମକି ପଡ଼ିଲା ।
ଦେଖିଲା କୁନାଲର ହାତ ଲମ୍ବି ଆସୁଚି, ଖୁରାନା ହାତରେ ଥିବା କାଗଜଖଣ୍ଡ ଆଡ଼କୁ ।
ହଠାତ୍ ସ୍ୱାତୀ ହସି ଉଠିଲା । ଉତ୍ତେଜକ ଭୁବନ ମୋହିନୀ ହସ । କହିଲା, ରୁହ । ଏଇଟା ମୋ ଦାୟିତ୍ୱ । ତମେ ମୋର ସ୍ୱାମୀ, ତମର ପ୍ରତ୍ୟେକ ଖେଳରେ ମୋର ସାମିଲ ହେବା ଜରୁରୀ । ତମେ ଏମାନଙ୍କ ପତ୍ନୀ ମାନଙ୍କ ସହିତ ଖେଳିଚ । ସେମାନଙ୍କର ମୋ ସହିତ ଖେଳିବା ହକ୍ । ମୁଁ ତାଙ୍କୁ ସେ ସୁଯୋଗ ଦେବି…
ୟେସ୍ ୟେସ୍… ସମସ୍ତେ ଉଦ୍ଗ୍ରୀବ ହୋଇ ଉଠିଲେ ।
କୁନାଲ ଆଶ୍ୱସ୍ତ ହେଲାପରି କହିଲେ, ଦ୍ୟାଟ୍ସ ଏ ଗୁଡ଼୍ ୱାଇଫ୍ ।
ସ୍ୱାତୀ ମାନସିକ ପ୍ରସ୍ତୁତି ନେଇଗଲା । ନାରୀର ସୌନ୍ଦର୍ଯ୍ୟ ମଧ୍ୟ ଶକ୍ତିର ରୂପ ଧାରଣ କରିପାରେ । ସେ ଖୁରାନା ହାତରୁ ସବୁତକ କାଗଜ ଉଠେଇନେଲା ଆଉ ସମସ୍ତଙ୍କୁ ହତଚକିତ କରି ସଂପୂର୍ଣ୍ଣ ଉଲଗ୍ନ ହେଇପଡ଼ି କହିଲା ଆସ… ଆଇ କ୍ୟାନ୍ ମ୍ୟାନେଜ୍ ଇୟୁ ଅଲ୍.. କମ୍…
ସ୍ୱାତୀର ଏ ଆକସ୍ମିକତା ସମସ୍ତଙ୍କୁ ହତବମ୍ବ କରି ପକାଉଥିଲା । ସମସ୍ତଙ୍କ ଆଗରେ ଗୋଟେ ନାରୀ ହଠାତ୍ ଏମିତି ଉଲଗ୍ନ ହେଇଯାଇପାରେ! ସେମାନେ ଗୋଟେ ବ୍ୟଙ୍ଗାତ୍ମକ ଦୃଷ୍ଟିରେ କୁନାଲକୁ ଚାହିଁଲେ । କୁନାଲ ମଧ୍ୟ ସ୍ୱାତୀର ଏ ନିର୍ଲଜ ଆଚରଣରେ ସ୍ତମ୍ଭୀଭୂତ ହୋଇଯାଉଥିଲା । ସେ ଚିକ୍ରାର କରି ଆଗେଇ ଯାଉଥିଲା ସ୍ୱାତୀ ଆଡ଼େ, ୟୁ ଆର ସୋ ସେମ୍ଲେସ୍… ଇସ୍… ସେ ଆଉ କିଛି କହିବା ପୂର୍ବରୁ ଗୋଟେ ନିର୍ଘାତ ଗୋଇଠା ତା’ ପେଟରେ ବାଜିଲା । ସେ ଭୁଷୁଡ଼ି ପଡ଼ିଲା ସ୍ୱାତୀର ପାଦତଳେ ।
ଆଉ ଖୁରାନା କପୁର ମାନେ ଦେଖୁଥିଲେ ସ୍ୱାତୀର ସେଇ ନିରାଭରଣା ସୌନ୍ଦର୍ଯ୍ୟ ଭିତରୁ ସେମାନଙ୍କୁ ଗୋଡ଼େଇ ଆସୁଛି ଖଣ୍ଡାଖର୍ପର ଧାରିଣୀ ଗୋଟେ ବୀଭତ୍ସ ଛାଇ । ତା’ପରେ ସେମାନେ ପ୍ରାଣାନ୍ତକ ବେଗରେ କିଏ କୁଆଡ଼େ ଦଉଡ଼ି ପଳଉଥିଲେ ବାହାର ଆଡ଼େ ।
କିଛି ସମୟ ପରେ ପ୍ରକୃତିସ୍ଥ ହେଲାପରି ନିଜ ଭିତରକୁ ଫେରି ଆସିଲା ସ୍ୱାତୀ । ଝରଝର କାନ୍ଦି ପକାଇଲା । ହାତଯୋଡ଼ି ପକେଇ କହିଲା, ମାଆଲୋ! ସତରେ ତୁ କେତେ ବିବଶ ହେଇ ଉଲଗ୍ନ ହେଇଥିବୁ ସେଦିନ!!!
ପାରାଦ୍ୱୀପ
ମୋ -୯୪୩୭୨୭୫୮୦୮