ସୁନାବେଶ ଦର୍ଶନ ସାରି ଫେରିବା ବେଳେକୁ ଭାରି ଠେଲାପେଲା । ଧାଡ଼ିର ନିୟମ ମାନିବାକୁ କେହି ରାଜି ନୁହନ୍ତି । ପୋଲିସ୍, ସ୍ୱେଚ୍ଛାସେବୀ ଆଉ ସେନାର ଲୋକମାନଙ୍କର ସବୁ ଚେଷ୍ଟା ବିଫଳ । ଲୋକମାନେ ଯେମିତି ପଣ କରି ଆସିଛନ୍ତି ଯେ ଠେଲାପେଲା ହେଲେ ହିଁ ଠାକୁର ଦର୍ଶନର ଧର୍ମ ବା ପୁଣ୍ୟଫଳ ମିଳିବ । ମୁଁ ମନେମନେ ଭାବୁଥିଲି ଭଲ ହେଇଛି ଏ ଭିଡ଼ ଭିତରେ ବିକାଶ ଆସିନାହାନ୍ତି । ନହେଲେ ଠେଲାପେଲା ଦେଖିଲେ ସେ ଯେମିତି ଚିଡ଼ିଚିଡ଼ି ହୁଅନ୍ତି ପୂରା ରକ୍ତଚାପ ବଢ଼ିସାରନ୍ତାଣି ତାଙ୍କର ।
ଏତିକିବେଳକୁ ପଟେ ଚପଲ ଖସିଗଲା ମୋ ଗୋଡ଼ରୁ । ଜଣେ ଛୋଟପିଲା କୁଦି ପକେଇଲା ମୋ ପାଦକୁ । ଚପଲ ବହୁ କଷ୍ଟରେ ଉଦ୍ଧାର କଲାବେଳକୁ ତା’ ଆଉ ଗୋଡ଼ରେ ଗଳେଇବା ଅବସ୍ଥାରେ ନାହିଁ । ଅଗତ୍ୟା ମତେ ସେ ଭିଡ଼ ଭିତରେ କଡେଇ ହୋଇ ହୋଇ ଗୋଟେ ଚପଲ ଦୋକାନ ଖୋଜିବାକୁ ହେଲା । ଦୂରରୁ ଦିଶୁଥିଲା ଦୋକାନମାନଙ୍କର ଆଲୁଅ । ରଥଯାତ୍ରାକୁ ଆଖିରେ ରଖି ରଙ୍ଗବେରଙ୍ଗ ଆଲୁଅରେ ଲେଖା ବିଜ୍ଞାପନ, ହୋର୍ଡିଂ । ପଛରେ ନୀଳଚକ୍ର, ଶୂନ୍ୟ ମନ୍ଦିର, ସିଂହଦ୍ୱାର ସାମ୍ନାରେ ତିନିରଥ ଓ ଭିଡ଼ ଭିତରେ ଭକ୍ତମାନଙ୍କର ତୁହାକୁ ତୁହା ‘ଜୟ ଜଗନ୍ନାଥ’ର ସମ୍ମିଳିତ ଭାବବିହ୍ୱଳ ସ୍ୱର ।
ମୁଁ ବହୁ କଷ୍ଟରେ ଭିଡ଼କୁ ପଛରେ ଛାଡ଼ି ଚାଲିଆସିଲି ରାସ୍ତାର ଗୋଟେ କଡ଼ରେ ଥିବା ଗୋଟେ ଛୋଟ ଜୋତା ଦୋକାନକୁ । ଗହଳି ଭିତରୁ ଥରେ ବାହାରିଗଲେ ମନେହୁଏ ଯେମିତି ମୁଁ ଏ ଗହଳିରେ ନାହିଁ । ଏଇ ଟିକିଏ ସମୟ ତଳେ ଏତେ ଠେଲାପେଲା ଭିତରେ ମୁଁ ଝାଳ ସରସର ହେଇଯାଇଥିଲି । ଚପଲ ଦେଖିବା ପୂର୍ବରୁ ଦୋକାନ ବାହାରେ ପଡ଼ିଥିବା ପ୍ଲାଷ୍ଟିକ୍ ଚେୟାରରେ ଟିକିଏ ଥକା ମାରି ବସିପଡ଼ିଲି । ବାହାରୁ ଛୋଟ ଦିଶୁଥିବା ଚପଲ ଦୋକାନଟି ଭିତରେ ପ୍ରକୃତରେ ବେଶ୍ ବଡ଼ ଥିଲା ।
ବଡ଼ଦାଣ୍ଡରେ ଭିଡ଼ ଲାଗିଥିଲା । ବଢ଼ୁଥିଲା ସନ୍ଧ୍ୟା ଗଡ଼ିବା ସହିତ । କେତେପ୍ରକାର ମଣିଷ, କେତେ ବୟସର ମଣିଷ, କେତେ ବେଶଭୂଷାର ମଣିଷ, ଖାଲି ଗୋଟେ ବିରାଟ ସ୍ରୋତ ପରି ଆଗେଇବାରେ ଲାଗିଛନ୍ତି । ଏବେ ତ ଫେରିବା ପଟେ ବି ବେଶ୍ ଭିଡ଼ ହେଇଗଲାଣି । କେଜାଣି କେତେ ରାତି ହେବ, ତାଳବଣିଆର ପାର୍କିଂ ପାଖରେ ପହଞ୍ଚିବାବେଳକୁ?
କେହି ଜଣେ ଡାକିବା ଭଳି ଶୁଭିଲା ହଠାତ୍- ନାନୀ!
ପାଖଆଖରେ ଠିଆ ହୋଇଥିବା ଲୋକମାନଙ୍କୁ ଟିକିଏ ଚଟ୍କରି ଦେଖିନେଇ ମୁଁ ନିଶ୍ଚିତ ହେଲି ଯେ ମତେ କେହି ଡାକିନଥିବ । ତା’ଛଡ଼ା ସଂପର୍କମାନଙ୍କୁ ବାରମ୍ବାର ପଛରେ ଛାଡ଼ି ଆସିବା ମୋର ନିୟତି । ଏଠି ‘ନାନୀ’ ଡାକିବ କିଏ ମତେ?
ଗୋଟିଏ ମିନିଟ୍ ପରେ ଟିକିଏ ପାଖରେ ଶୁଭିଲା ‘ରୀତାନାନୀ’ ।
ଏଥର ମୋର ପୂରା ସାମ୍ନାରେ ଠିଆ ହୋଇଥିଲା ସେ ସ୍ୱର ।
“ମତେ ଚିହ୍ନିପାରୁନୁ?” ମୁଁ ଖୁବ୍ ମନେପକେଇଲି । କିନ୍ତୁ ଦୁଇମିନିଟ୍ ଲାଗିଗଲା ତଥାପି ।
ଆଶ୍ଚର୍ଯ୍ୟ ନୁହେଁ, ଅବିଶ୍ୱାସ ହେଉଥିଲା ମୋର- ‘ତୁ ଶୁଭ?’
ସେ ଖୁସିରେ ଗଦ୍ଗଦ୍ ହେଇ ମୋ ପାଦ ଛୁଇଁ ପ୍ରଣାମ କଲା ।
କେତେବର୍ଷ! ତିରିଶ ବର୍ଷ ପାର ହେବାକୁ ବେଳେବେଳେ ତିରିଶ ସେକେଣ୍ଡ ବି ଲାଗେନି । ଏ ଭିତରେ ସେ ବୁଢ଼ା ହେଇଗଲାଣି । ମୁଣ୍ଡରେ ଗୋଛାଏ ଧଳା ବାଳ । ପେଟ ବି ଟିକେ ବାହାରିଯାଇଛି । ଚିହ୍ନିସାରିବା ପରେ ମୁଁ ତାକୁ ଖୁସିରେ କୁଣ୍ଢେଇ ପକେଇଲି । ଶେଷଥର ତାକୁ ଦେଖିବାବେଳକୁ ତାକୁ ତେଇଶ ବା ଚବିଶ ବର୍ଷ ହେଇଥିଲା । ମତେ ସତେଇଶ । ଏବେ ଏତେ ବର୍ଷ ଭିତରେ ତାରୁଣ୍ୟକୁ କେତେ ପଛରେ ଛାଡ଼ି ସେ ବୁଢ଼ା ଦିଶୁଥିଲା । ମୋ ମନତଳେ ତା’ର ସେଇ କେତେବର୍ଷ ତଳର ଚେହେରା ଥିଲା । ତାକୁ ଦେଖିବା ପରେ ମୁଁ ନିଜକୁ ଚାହିଁଲି । ଭାବିଲି ମୁଁ କ’ଣ ଏବେ ବୁଢ଼ୀ ଭଳି ଦିଶିଲିଣି?
ଶୁଭ ଠିଆ ହୋଇଥିଲା ମୋର ପାଖରେ । ଅତିକମ୍ରେ ଷାଠିଏ ବର୍ଷ ବୟସ୍କ ଦିଶୁଥିଲା ସେ । ମୁଁ ଶେଷଥର ଦେଖିଥିବା ଶୁଭ ସହ ମୋ ପାଖରେ ଏବେ ଠିଆ ହୋଇଥିବା ଶୁଭର କିଛି ବି ସାମଞ୍ଜସ୍ୟ ନଥିଲା । ମୁଁ ତା’ ସ୍ୱରରୁ ତାକୁ ଚିହ୍ନିପାରିଲି ସିନା, କିନ୍ତୁ ତିରିଶ ବର୍ଷ ତଳେ ତାକୁ ଦେଖିଥିବା ଯେ କେହି ଦ୍ୱନ୍ଦ୍ୱରେ ପଡ଼ିବ । ମୋର ବିସ୍ମୟପଣକୁ କାଟିଦେଇ ସେ ମତେ ହଲେଇଦେଇ ପଚାରିଲା କ’ଣ ଭାବୁଛୁ ନାନୀ? ମୁଁ ତୋର ସେଇ ଶୁଭ । କ’ଣ ଏବେବି ବିଶ୍ୱାସ ହେଉନି?
ତୁ ଏଠି କ’ଣ କରୁଛୁ? ମୁଁ ପଚାରିଲି ।
ଏଇ ଚପଲ ଦୋକାନଟା ମୋର । ମୁଁ ଏଠି ବସେନି । ଲୋକମାନେ କାମ କରନ୍ତି । ଆଜି ସୁନାବେଶ ଦେଖିବାକୁ ଆସିଥିଲି ତ ଦୋକାନ ଆଡ଼େ ଚାଲିଆସିଲି । ଭଲ ହେଲା, ଏତେ ବର୍ଷ ପରେ ତୋ ସହ ଦେଖାହେବାର ଯୋଗ ଥିଲା । କହୁ କହୁ ଗୋଟେ ଚେୟାର ଆଣିଲା ସେ । ମୋ ସାମ୍ନାରେ ବସିପଡ଼ିଲା ।
ତୁ ବାପାଙ୍କ ସୁଧଘରକୁ ଆସିଲୁନି ଯେ? ମୁଁ ଆଗରୁ ଭାବି ରଖିଥିବା ଭଳି ପ୍ରଶ୍ନଟା ଫିଙ୍ଗିଲି ଏକରକମ ତା’ ଆଡକୁ ।
ତମେ ମାନେ ଆସିଥିଲ ନା କ’ଣ? କଣ’ ତୋ ଭାଇମାନଙ୍କର ରାଗ, ଘୃଣା ସବୁ ସରିଗଲା? ମୋ ପ୍ରଶ୍ନର ଉତ୍ତର ସେ ଏମିତି ପ୍ରଶ୍ନରେ ଦେବାଟା ମତେ ଭଲ ଲାଗିଲାନି ।
ମୁଁ ଖବର ଶୁଣି ରହିପାରିଲିନି ତ ଚାଲିଗଲି । ବିକାଶ ଗଲେନି । କହୁ କହୁ ନିରବ ହୋଇଗଲି ମୁଁ ।
ସେ ମୋ ହାତଧରି କହିଲା- ଚାଲ, ମୋ ଘରକୁ ଯିବା, ଏଇଠୁ ଅଳ୍ପବାଟ ।
ଦେଖ୍, ମୁଁ ଏକା ଆସିଛି, ପଚିଶ ବର୍ଷ ପରେ ସୁନାବେଶ ଦେଖିବାକୁ । ମତେ ଫେରିବାକୁ ହେବ । ଗାଡ଼ି ରଖିଛି ତାଳବଣିଆ ପାର୍କିଂରେ । ଆଜି ନାହିଁ, ଆଉ କେବେ- କହୁ କହୁ ମୁଁ ଉଠିପଡ଼ିଲି ।
ଚପଲ ନେବାକୁ ଆସିଥିଲୁ ପରା? କ’ଣ ଏମିତି ଖାଲି ପାଦରେ ଚାଲିଯିବୁ ନା କ’ଣ କହି ମୋ ପାଦରେ ସେ ଗୋଟେ କଳାରଙ୍ଗର ଚପଲ ଗଳେଇଦେଲା ନିଜ ହାତରେ ଖୁବ୍ ଯତ୍ନରେ । ଯେମିତି ଚପଲ ମୁଁ ପିନ୍ଧୁଥିଲି ଝିଅ ବେଳରେ, ମନେ ରଖିଛି ସେ ।
ତୋ ଭାଇନାଙ୍କୁ ଦେଖିନୁ କି, ସେ ମୋଠୁ ପରା ଟିକେ କମ୍ ଉଚ୍ଚତାରେ । ତେଣୁ ଆଜିକାଲି ହିଲ୍ ପିନ୍ଧିବା ଅଭ୍ୟାସ ନାହିଁ ଆଉ ମୋର । କେବେଠୁ ଫ୍ଲାଟ୍ ପିନ୍ଧୁଛି- ମୁହଁରେ ବହୁ ଚେଷ୍ଟାରେ ଟିକେ ହସ ଫୁଟେଇ ମୁଁ କହିଲି ।
ଚପଲ ଆସିଲା, ମୋ ଇଚ୍ଛା ଅନୁସାରେ । ଶୁଭ ପଇସା ନେବାକୁ ମନା କରିଦେଲା ଦୋକାନୀକୁ । ମୁଁ ବି ଜବରଦସ୍ତି କଲିନି ।
ଶୁଭ ପୁଣିଥରେ ଅନୁରୋଧ କଲା ଭଳି କହିଲା “ନାନୀ ତୁ ସତରେ ମୋ ଘରକୁ ଯିବୁନି? ଏଇଠୁ ଫେରିଯିବୁ? ତୋ ପାଖକୁ ଏତେବର୍ଷ ହେଲା ଯାଇନି ସତ, ହେଲେ ଅନ୍ୟମାନଙ୍କ ପରି ତୁ ବି କ’ଣ ମତେ ଭୁଲିଗଲୁ? ଠିକ୍ରେ ବୁଝିପାରୁଲୁନି?”
ତା’ ସ୍ୱର ପ୍ରାୟ କାନ୍ଦ କାନ୍ଦ ଶୁଭିଲା ମତେ । ମୋ ସାନଭାଇ ଶୁଭ, ମୋ କକେଇଙ୍କର ଏକମାତ୍ର ପୁଅ ଶୁଭ, ମୋ ପ୍ରିୟ ଶୁଭ । ପରସ୍ତ ପରସ୍ତ ହେଇ ଅପସରି ଗଲେ କୁହୁଡ଼ି ସବୁ ଆଖି ସାମ୍ନାରୁ । ପିଲାବେଳର ଖରାଛୁଟିର ଅଖଣ୍ଡ ଖରାବେଳର ଦୁଷ୍ଟାମି ସବୁ ଦିଶିଲେ କାଲିର ପରି । ଶିବୁଅଜାଙ୍କ ବାଡ଼ିରୁ ଆମ୍ବଚୋରି, ପୁଣି କଷି ଆମ୍ବ ଭିତରେ ଳୁଣ ଲଙ୍କାଗୁଣ୍ଡ ଭର୍ତ୍ତି କରି ଖାଇବା, ବୋହୂ ଚୋରି ଖେଳରେ ବୋହୂ ହେଇଥିବା ଶିବୁ, ମୋ ବାଟି ଖେଳର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଏଇ ସାନଭାଇଟି । ଆଉ ସବୁଠୁ ବେଶି ମନେପଡ଼ିଲା ଗାଁସାରାର ଝିଅ, ବୋହୂଙ୍କର ହାତବାରିସି ସାଜିଥିବା ଶିବୁ । କାହାଝିଅ ପ୍ରଥମ କରି କଲେଜ ଯିବ, କୋଉ ବୋହୂ ତା’ ବାପଘରକୁ କ’ଣ ଖବର ପଠେଇବ, କୋଉ ବୟସ୍କା ମହିଳାଙ୍କର ଡାକ୍ତର ପାଖକୁ ଯିବାର ଥିବ, ଏ ସମସ୍ତଙ୍କର ଭରସା ଥିଲା ଶୁଭ ଉପରେ । ସବୁ ଗାଁରେ ଏମିତି ଜଣେ ଜଣେ ଭଲ ପିଲା ଥାଆନ୍ତି ବୋଧହୁଏ । କିନ୍ତୁ ଶୁଭ ଆମର ସତରେ ଭାରି ଭଲ ପିଲା ଥିଲା । ପାଠଶାଠ ବେଶି ନହେଲେ ବି କକେଇ, ଖୁଡୀ ସବୁଦିନେ ଶୁଭର ଭଲପଣିଆ ପାଇଁ ପ୍ରଶଂସାରେ ପୋତି ହେଇପଡୁଥିଲେ । ସାରା ଗାଁର ବୁଢ଼ାବୁଢ଼ୀମାନେ ଶୁଭକୁ କେତେ ଆଶୀର୍ବାଦ କରୁଥିଲେ । କକେଇ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିଲେ । ଶୁଭର ସେଇ ଛୋଟ ବୟସରୁ ସ୍ତ୍ରୀଲୋକଙ୍କ ପାଇଁ ସମ୍ମାନ ଓ ସମ୍ଭ୍ରମତା ବାରି ହେଇପଡ଼େ । ଘରେ ଖୁଡୀଙ୍କ ହାତରୁ ଛଡ଼େଇ ନେଇ ରୋଷେଇ ଘରର କାମ ସବୁ ସେ କରିପକାଏ । କକେଇ, ଖୁଡୀଙ୍କର ଏଇ ଭଲ ପୁଅଟିର ଭଲପଣିଆକୁ ନେଇ ଟିକିଏ ପ୍ରଚ୍ଛନ୍ନ ଅହଙ୍କାର ବି ଥିଲା ।
ଆଜି ସମୟ ବଦଳିଯାଇଛି । ଶୁଭ ମୋ ଆଗରେ ଠିଆ ହେଇଛି ଅନେକ ବର୍ଷ ପରେ । ମୋର ବିକାଶଙ୍କୁ ବାହା ହେବା ପରେ ଘର ସହ ସମ୍ପର୍କ ନଥିଲେ ବି ଶୁଭ ଆସୁଥିଲା ମୋ ପାଖକୁ କିଛି ବର୍ଷ ଯାଏଁ । ମୋ ପାଖରେ ପହଞ୍ଚଉଥିଲା ମୋ ଅବର୍ତ୍ତମାନରେ ଆମ ଘରେ ଘଟିଯାଉଥିବା ଘଟଣା, ଅଘଟଣାର ଧାରା ବିବରଣୀ । ତା’ପରେ ଶୁଣିଲି, ଶୁଭ କୋଉଠି ଗୋଟେ କମ୍ପାନୀରେ ଛୋଟ ଚାକିରିଟେ ପାଇଛି । ବେଶି ଭଲ ପାଠ ଯେହେତୁ ପଢ଼ୁନଥିଲା, ତେଣୁ ଆଉ ଭଲ ଚାକିରି ପାଇଁ ଅପେକ୍ଷା ନକରି କକେଇ ଖୁବ୍ ଜାକଜମକରେ ତା’ ବାହାଘର ବି କରିଦେଇଥିଲେ । ଖୁଡୀ ସେତେବେଳକୁ ଆଉ କାମକୁ ପାରୁନଥିଲେ । ଚାଷବନ୍ଦି ଘର, କକେଇଙ୍କର ପେନସନ୍ରେ ଘର ଭଲରେ ଚଳୁଥିଲା । ଶୁଣିଥିଲି, ଭାରି ସମ୍ପନ୍ନ ପରିବାରର କମ୍ ପାଠ ପଢ଼ିଥିବା ଝିଅଟିଏକୁ ବୋହୂ କରି ଆଣିଛନ୍ତି । ତା’ ବାହାଘର ପରଠୁ ଶୁଭର ମୋ ପାଖକୁ ଆସିବା ବନ୍ଦ ହେଇଯାଇଥିଲା । ଭାବୁଥିଲି ତା’ର ଦାୟିତ୍ୱ ବଢ଼ିଥିବ, ତେଣୁ ଆସିପାରୁନଥିବ ।
ଅନେକ ଦିନ ପରେ ଯେତେବେଳେ ବାପା ଚାଲିଗଲେ, ସବୁ ମାନ, ଅଭିମାନ ଭାଙ୍ଗି ଘରକୁ ଯିବାକୁ ପଡ଼ିଲା, ସେଇଠି ଦେଖାହେଲା ସାନ କକେଇ ଓ ସୁଷମା ଖୁଡୀଙ୍କୁ । ସମସ୍ତଙ୍କର ଚେହେରା ବଦଳିସାରିଥିଲା ଏତେ ଗୁଡାଏ ବର୍ଷ ଭିତରେ । ଆଉ ସେମିତି ଦୁଃସମୟରେ ବି ମତେ ଦେଖିନେଇ ସୁଷମା ଖୁଡୀ ଓ କକେଇ ଶୁଭ ବିଷୟରେ ଗପିଥିଲେ । ଶୁଭ ଆଉ ଘରକୁ ଆସୁନି । ତା’ ସ୍ତ୍ରୀ କଥାରେ ପଡ଼ି ଭୁଲିଯାଇଛି ବାପା, ମା’ ଆଉ ଗାଁ ମାଟିକୁ । ଦେହ ଖରାପ ହେଲେ ବି ଦେଖିବାକୁ ଆସୁନି ।
ଏବେ ସେଇ ଶୁଭ ମୋ ପାଖରେ ଠିଆ ହେଇ ଅଳି କରୁଛି ତା’ ଘରକୁ ଯିବା ପାଇଁ । ମୁଁ ପଚାରିଲି- “ତୋ ପିଲାପିଲି? ଟିକିଏ ଶୁଖିଲା ହସ ହସିଦେଇ ସେ ପୁଣି ଥରେ ଦୋହରେଇଲା- ଏଇ ପଛପଟେ ମୋ ଘର । ଚାଲ୍, ଆଜି ରାତିସାରା ଗପିବା । ମୋ ଘରକୁ ତତେ ଯିବାକୁ ହେବ ।”
ନା’ରେ, ଆଉ କୋଉଠି ସେମିତି ଗପି ହେଉଛି ରାତିସାରା? ଟିକିଏ ଥଣ୍ଡାରେ ବସିଲେ ତଣ୍ଟି ଦରଜ ହେଇଯାଉଛି । ରାତି ଅନିଦ୍ରା ଆଉ ଦେହରେ ଯାଉନି, ମୋର ପୁଣି ଡାଇବେଟିସ୍ ଓ ହାଇ ବିପି କହିଦେଇ ତା’ ସ୍କୁଟର ପଛରେ ବସିଲି ମୁଁ । ସେଇଠୁ ହିଁ ବିକାଶଙ୍କୁ ଫୋନ୍ କରି କହିଦେଲି ଶୁଭ ସାଙ୍ଗେ ଦେଖାହେବା ଓ ରାତିରେ ତା’ ଘରେ ରହିବା କଥା ।
ପୁରୀ ସହରର ଅଣଓସାରିଆ ଗଳି । ଟିକିଏ ଅପରିଚ୍ଛନ୍ନ ବି । ଗୋଟେ ପଟେ ନଳାରେ ଯାବତୀୟ ଅଳିଆ, ଆବର୍ଜନା ଭାସୁଛି । ଦୁର୍ଗନ୍ଧ ଆସୁଛି ଯେ ନାକରେ ରୁମାଲ୍ ନଦେଲେ ନଚଳେ ।
ଶୁଭ କହିଚାଲିଥିଲା “ଏଇ ଗୁଣ୍ଡିଚା ମାସରେ ପୁରୀର ସବୁଆଡ଼ ଏମିତି ଅସନା ହେଇଯାଏ । କେତେ କୁଆଡୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି ନା । ଏଇ ଘରଟା ମୋ ଶ୍ୱଶୁର ପାଠ ପଢ଼ିଲା ବେଳେ ତାଙ୍କ ବାପା ତାଙ୍କ ପାଇଁ କିଣିଥିଲେ, ପୁରୁଣା ଘର, ଟିକେ ଛୋଟ ବି । ଆମର ଚଳିଗଲାଣି ଜୀବନ ଏଠି ।
ସ୍କୁଟର ରହିଲା ଗୋଟେ ପୁରୁଣାକାଳିଆ ଘର ପାଖରେ । ମୋ ହାତରେ କେବଳ ମୋର ହାତବ୍ୟାଗ୍, ଜାଣିନଥିଲି ଯେ ରାତିରେ ରହିବାକୁ ହେବ । ଘର ଭିତରେ ଭାରି ଶୂନ୍ଶାନ୍ ଥିଲା । ମୁଁ ପଚାରିଲି- “ତୋ ଛୁଆପିଲା? ବୋହୂ?”
“ତମ ବୋହୂ ଶୋଇଥିବ ଏବେ । ସେ ପ୍ରାୟ ଶୋଇରହେ ।”
ଶୁଭ ଉଠିଲା ଆଉ ମୋ ହାତଧରି କହିଲା- “ନାନୀ, ତୁ ଏସବୁ କାହାକୁ କହିବୁନି । ସରିତା ବିଷୟରେ ଗୁଡାଏ ଖରାପ କଥା ଶୁଣିବା ଅପେକ୍ଷା ବରଂ ମୁଁ ଖରାପ ପୁଅର ଅପଖ୍ୟାତି ରଟିବା ବେଶ୍ ଭଲ ।” ହଁ, ପୁରୁଷମାନେ ବି ବେଳେବେଳେ ଏମିତି ଅସହାୟ ହୋଇପଡ଼ନ୍ତି । ଆମ ଭିତରର ଗଳ୍ପ ପୁରୁଣା ଦୁର୍ଗର ସେ ଉଚ୍ଚାଉଚ୍ଚା କାନ୍ଥକୁ ଅତିକ୍ରମିବାର ପ୍ରୟାସ କରି କିଏ ବୁଝିବ ପୁରୁଷର ଏ ଅସହାୟତା? ଆକାଶରେ ଏବେବି କେତେ ଆକୃତିର ମେଘ । କେଜାଣି, କେତେ ରାତି ହେଲାଣି । ସରୁନଥିଲା ଶୁଭର ଜୀବନ ଗପ । ସରୁନଥିଲା ବି ରାତିର ଦୀର୍ଘତା ।
ମୋ ଆଖିରେ ବିସ୍ମୟ ଦେଖି ସେ ପୁଣି କହିଲା- ନା, ନା, ସେମିତି ବେଶି କିଛି ଅସୁସ୍ଥତା ନାହିଁ ଏବେ । ଶୋଇ ରହିବାକୁ ଭଲ ପାଏ ସେ ବାସ୍ ।
ଶୁଭର ଘର ଭିତର କିନ୍ତୁ ସଫାସୁତର ନଥିଲା । କେବଳ ଉଠାବସା କରିବା ଜାଗାଟି ବ୍ୟତୀତ ଭିତରର ଘର ଆଉ ରୋଷେଇଘର ଭାରି ଅସଫା ଦିଶୁଥିଲା ।
ମୁଁ କହିଲି- “ଏ ଘର ଏମିତି ମଣିଷ ନରହିବା ଭଳି କାହିଁକି ହେଇଛି କିରେ?”
ମୋ କଥା ନସରୁଣୁ ସେ ଟିକିଏ ହସି ଦେଇ କହିଲା- “କାହିଁକିନା ଏ ଘରେ ଯିଏ ରହୁଛନ୍ତି, ସେମାନେ ମଣିଷ ନୁହନ୍ତି । ବୁଝିଲୁ?”
ତା’ର ଏ ଅବେଳ ମଜା ମତେ ଭଲ ଲାଗିଲାନି । ମୁଁ ଭାବିପାରୁନଥିଲି ଯେ ମୁଁ ଶୁଭ ଘରେ ଠିଆ ହେଇଛି । ସବୁଦିନେ ଚିକ୍ ଚିକ୍ ପ୍ୟାଣ୍ଟସାର୍ଟ ପିନ୍ଧୁଥିବା, ଖୁଡୀଙ୍କ ସହ ମିଶି ଘରକୁ ସଫା କରୁଥିବା, ହାତଗୋଡ଼ ଘଷି ଘଷି ଗାଧଉଥିବା ଆଉ ରବିବାର ଦିନ ଘରସାରର କପଡ଼ା କୂଅମୂଳରେ ବାଡେଇ ବାଡ଼େଇ କାଚୁଥିବା ଶୁଭ ଇଏ ନୁହେଁ ।
ମୁଁ ସୋଫା ଉପରେ ବସିପଡ଼ିଲି । ତଥାପି କହିଲି- “ଖୁଡୀ କହୁଥିଲେ ତୁ ପୂରା ବଦଳି ଯାଇଛୁ । ମୁଁ ବିଶ୍ୱାସ କରୁନଥିଲି । ସତରେ ଆଜି ତୋ ସହ ଭେଟ ନ ହୋଇଥିଲେ ଜାଣିନଥାନ୍ତି ଯେ ତୁ କେତେ ବଦଳି ଯାଇଛୁ ।”
ଶୁଭ କିଛି କହିଲାନି । ମୋ କଥା ଶୁଣିପାରିଲାନି ସମ୍ଭବତ । ମତେ ବାଥ୍ରୁମ୍ ଦେଖେଇଦେଇ ଶୋଇବା ଘରକୁ ଗଲା । ଧୀରେ ଧୀରେ ଡାକିଲା କେତେଥର- “ସରିତା, ସରିତା, ଉଠ, ନାନୀ ଆସିଛି ମୋ ପାଖକୁ ।”
ନା, ସରିତା ନାଁ ସେ ଝିଅଟି ଝଟାପଟ୍ ଉଠିଆସିଲାନି । ଶୁଭ ରୋଷେଇ ଘରେ ପଶିଲା । ଗ୍ୟାସ୍ ଲଗେଇ ମତେ ଭଲ ଲାଗୁଥିବା କଡ଼ା ଚା’ କଲା । ତିନିଟି କପ୍ରେ ଚା’ଢାଳି ଟେବୁଲଟି ଉପରେ ରଖିଲା ।
ଏବେ ପୁଣିଥରେ ଶୋଇବା ଘର ଦିଗରେ ଚାହିଁ ଡାକିଲା- “ସରିତା, ଚା’ ହେଇଗଲାଣି । ଉଠ, ଦେଖ କିଏ ଆସିଛି ।”
ଏଥର ରିତା ନାଁର ସେ ସ୍ତ୍ରୀଲୋକଟି ଉଠିକି ଆସିଲା
ମୁଁ ଆଶାକରିନଥିଲି ଯେ ଶୁଭର ସ୍ତ୍ରୀ ଏତେ ଭୟଙ୍କର ଭାବରେ ମୋଟି ହେଇଥିବ । ଶୋଇବା ଘରୁ ଉଠିଆସି ଏବେ ଗୋରା ତକ୍ ତକ୍ ମୋଟୀ ସ୍ତ୍ରୀ ଲୋକଟିଏ ମତେ ମୁଣ୍ଡିଆ ମାରିଲା । ସୋଫା ଉପରେ ବସି ଚା’ ପିଇଲା ଓ ଭାରି ଶାନ୍ତ ଭାବରେ ପଚାରିଲା “ରୀତା ନାନୀ ନା?”
ସରିତାକୁ ଦେଖିନେଇ ହଠାତ୍ ଅକାରଣରେ ମୋ ମନଟି ଖରାପ ହେଇଯାଇଥିଲା । ପ୍ରାୟ ଦେଢ଼ କ୍ୱିଣ୍ଟାଲ ଓଜନର ଏ ସ୍ତ୍ରୀଲୋକଟିକୁ ନେଇ ଶୁଭ କେମିତି ସଂସାର ଚଳଉଥିବ? ମୋର ଶୁଭ ପ୍ରତି ଦୟା ବି ଆସୁଥିଲା । ଏବେ କିନ୍ତୁ ସରିତାର ସ୍ୱର ଶୁଣି ମତେ ନିଜ ଉପରେ ଖରାପ ଲାଗିଲା । ଭାରି କୋମଳ ସେ ସ୍ୱର । କେମିତି ଗୋଟେ ଦେଖିନଥିବା ନିରୀହତା ଥିଲା ତା’ର ବ୍ୟକ୍ତିତ୍ୱରେ । ଭାରି ଶାନ୍ତ ଦିଶୁଥିଲା ସେ । ଚା’ ପିଆ ସରିବା ପରେ ସରିତା ପୁଣି ଚାଲିଗଲା ଶୋଇବା ଘରକୁ । ଶୁଭ ରୋଷେଇ ଘରେ ଖାଲି କପ୍ ସବୁ ରଖିବା ପରେ କ’ଣ ଖୋଜିବା ପରି ଦିଶିଲା ମତେ । ମୁଁ ତା’ ପାଖରେ ଯାଇ ଠିଆ ହେଲି । “ଥାଉ, ତୁ ରୋଷେଇ କରନି । ମୁଁ ରୁଟି କରିଦେବି । ଚାଲ୍, କଥା ହେବା, ଛାତ ଉପରେ, ତୁ କହୁଥିଲୁ ନା? ଏବେ ଆଠଟା ବାଜିଲାଣି । ଦଶଟା ପରେ ଆଉ ବସିହେବନି ଖୋଲା ଛାତରେ । ସହଜେ ବର୍ଷା ଦିନ, କେତେବେଳେ ବର୍ଷିବ, କହିହେବନି ।”
“ମୁଁ ରୋଷେଇ କରୁନି ମ । ତତେ ଖରାପ ଲାଗିବ ବୋଲି ଟିକେ ଡବାଡବିକୁ ଥାକରେ ସଜାଡ଼ି ଦେଉଥିଲି । ଆମର ସନ୍ଧ୍ୟା ନିତ୍ୟାନି ଆସିବ ଦେଢ଼ସେର । ଆଉ
ନରେନ୍ଦ୍ରକୋଣର ଗୋଟେ ଚିହ୍ନା ହୋଟେଲ୍ରୁ ବଢ଼ିଆ ଡାଲେମା ଓ ରୁଟି । ଆମର ଏତକ ରାତିର ଲାଗୁଆ ।”
ମତେ ଅଜବ ଅଜବ ଲାଗୁଥିଲା । ଏ କି ପ୍ରକାର ଘରକରଣା? ଶୁଭ କହିଲା “ସରିତା ଶୋଇବ ଆଉ ଦୁଇଘଣ୍ଟା । ଚାଲ, ଗପିବା ଛାତ ଉପରେ ।
ଆଷାଢ଼ର ଆକାଶରେ ଭର୍ତ୍ତି ହେଇଛି ମେଘ । ଲଗାତାର ଦୁଇଦିନ ବର୍ଷା ପରେ ଆଜି ଟିକେ ଛାଡ଼ିଛି । ବଡ଼ଦାଣ୍ଡର ଗହଳି ବି ଶୁଭୁଥିଲା ।
ମୁଁ ଗୋଟେ ଅଧା ତିଆରି ଇଟାକାନ୍ଥ ଉପରେ ବସିପଡ଼ିଲି । ଶୁଭ ସେଇଠି ତଳେ ବସିଲା, ମୋ ପାଦ ପାଖରେ । ମୋର ଦୁଇହାତକୁ ତା’ ହାତରେ ନେଲା । କହିଲା- “ସତରେ ମୁଁ ବଦଳି ଯାଇଛି ବୋଲି ତୁ ବି ବିଶ୍ୱାସ କରୁଛୁ ନା ନାନୀ?”
ମୁଁ ତ ଭାବିଥିଲି ଶୁଭ ମୋ କଥା ଶୁଣିନି । କିନ୍ତୁ ଏବେ ଚଳେଇବା ପରି କହିଲି- “ମୁଁ ନୁହେଁ, ତୋ ନନା, ବୋଉ ଆଉ ଗାଁ ସାରା ସମସ୍ତେ ସେଇ କଥା କହୁଛନ୍ତି । ତୁ ଘରର ଗୋଟିଏ ବୋଲି ପୁଅ । କକେଇ, ଖୁଡୀ ତତେ କେତେ ଭଲ ପାଆନ୍ତି । ବାହାଘର ପରେ ତୁ ସତରେ ସେମାନଙ୍କୁ ଭୁଲିଗଲୁ?”
ଶୁଭ ମୋ ପାଦ ପାଖରୁ ଉଠି ଠିଆହେଲା । ଟିକିଏ ଗଳା ସଫା କଲା । ଟିକିଏ ସମୟ ଚୁପ୍ ରହିଲା । ଆକାଶର ସେଇ ଅନ୍ଧାର ରଙ୍ଗ ଭିତରକୁ ଚାହିଁ ମତେ ନୁହେଁ, ଆଉ କାହାକୁ ଶୁଣେଇବା ପରି କହିଲା- “ଦେଖିଲୁ, ଆକାଶରେ କେତେ ମେଘ । ହେଲେ ଟିକିଏ ସେ ମେଘର ଉପରକୁ ଉଠିଗଲେ ଚାରିଆଡ଼ ଫର୍ଚ୍ଚା ଥାଏ ନା? ତୁ ତ ଉଡାଜାହାଜରେ ଯିବାଆସିବା ବେଳେ ଦେଖିଥିବୁ ନିଶ୍ଚୟ । ସେମିତି ଆକାଶରେ ଏ ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ଉପଗ୍ରହ ମାନେ ବି ସବୁବେଳେ ଥାଆନ୍ତି । ଖାଲି ଫରକ୍ ଏତିକି ଯେ ଆମ ଏ ବିରାଟ ପୃଥିବୀର କୋଉଠି କୋଉ ବିନ୍ଦୁରେ ରହିଗଲେ ସେମାନେ କେତେବେଳେ ଦିଶନ୍ତି, କେତେବେଳେ ପୁଣି ଦିଶନ୍ତି ନାହିଁ । ତା’ ବୋଲି କ’ଣ ସେମାନେ କେବେ, ମୁହୂର୍ତ୍ତକ ପାଇଁ ବି ନଥାନ୍ତି କି?”
ମୋ ପାଖରେ ତା’ ପ୍ରଶ୍ନର କିଛି ଉତ୍ତର ନଥିଲା । ମୁଁ ବି ତ କେବଳ ଶୁଭ ନୁହେଁ, ଏମିତି ଅନେକ ପୁଅମାନେ ବଦଳିଯାଇଥିବାର ଶୁଣିଛି ପିଲାବେଳୁ; ଆଉ କେବେକେବେ ବିଶ୍ୱାସ ବି କରିଛି ଯେ ବାହାଘର ପରେ କୋଉଠି କୋଉଠି ପୁଅମାନେ ବଦଳିଯାଆନ୍ତି, ଅଧିକ ଗୁରୁତ୍ୱ ଦିଅନ୍ତି ତାଙ୍କ ପତ୍ନୀ ଓ ଶ୍ୱଶୁର ଘରର ପରିବାରକୁ । ଭୁଲିଯାଆନ୍ତି ନିଜ ପରିବାର ଆଉ ସମ୍ପର୍କୀୟମାନଙ୍କୁ । ଏବେ ଶୁଭ ପୁଣି କହିଲା- ସରିତାକୁ ମୁଁ ଚିହ୍ନିନଥିଲି କି ଦେଖିବାକୁ ବି ଯାଇନଥିଲି । ସେ ଧନୀଘରର ଝିଅ, ପିଲାବେଳରୁ ଘର କାମ କରିବା ଶିଖିନି କି ତା’ର ଅଭ୍ୟାସ ନାହିଁ । ଭଲ ପାଠ ପଢ଼ୁନଥିଲା ବୋଲି ଉଚ୍ଚକୂଳ ଦେଖି ତା’ ବାପା ମା’, ଗାଁ ପାଖରେ ଆମ ଘରେ ପ୍ରସ୍ତାବ ପକେଇଲେ । ଆଉ ମୋ ନନା, ବୋଉ ଏତେ ବଡ଼ଘରେ ବନ୍ଧୁ ବାନ୍ଧିବାକୁ ଖୁବ୍ ଖୁସିରେ ରାଜି ହେଇଗଲେ । ସରିତା ମୋ’ ପତ୍ନୀ ହେଇ ଆମ ଘରକୁ ଆସିଲା । ତୁ ତ ଜାଣିଚୁ ସେ ମୋ ଜୀବନର ପ୍ରଥମ ନାରୀ । ମୁଁ ତାକୁ ଭଲ ପାଇଲି । ଖୁବ୍ ଭଲ ପାଇଲି । ହେଲେ ମୋର କୋଉଠି, କେମିତି ଭୁଲ୍ ରହିଲା ଯେ ଖୋଜି ଖୋଜି ଜାଣିପାରୁନି ଏଯାଏଁ ।
ମୁଁ ଧୈର୍ଯ୍ୟ ରଖି ତା’ର ଲମ୍ବା କଥା ଶୁଣିପାରୁନଥିଲି । ମଝିରେ ତାକୁ ଅଟକେଇ ଦେଇ ପଚାରିଲି “କିନ୍ତୁ ଏମିତି ସବୁ ତୋ ସହିତ କାହିଁକି ହେଲା? କେମିତି?
ସେ କୋହ ଭର୍ତ୍ତି ସ୍ୱରରେ କହିଲା- “ଜାଣିନି ନାନୀ, କିଛି ଜାଣିନି ମୁଁ । ବାହାଘର ପରେ ଆମ ଘରର ଚଳଣି, ମୋ ଛୋଟ ଚାକିରି, ସବୁ କଥାରେ ହିସାବକରା ଖର୍ଚ୍ଚ, ଏସବୁ ଦେଖି ସେ ଖୁବ୍ କଷ୍ଟ ପାଇଲା । ସମସ୍ତେ ତା’ର ନିରବତାକୁ ବୋହୂପଣିଆ ଭାବିଲେ । ସେ କାନ୍ଦିଲେ, ଘରେ ଭାବିଲେ ଅଳ୍ପଦିନ ପରେ ବାପଘରକୁ ଝୁରିବା ସରିଯିବ । କିନ୍ତୁ ଏସବୁ କିଛି ହେବାର ନଥିଲା । ତା’ ଅବସ୍ଥା ଦେଖି ମତେ କଷ୍ଟ ହେଲା । ତା’ର କ୍ରମାଗତ ଅବସାଦରୁ ହାଇପର୍ସୋମ୍ନିଆ ନାଁର ଗୋଟିଏ ରୋଗର ଶିକାର ହେଲା ସେ । ସବୁବେଳେ ଶୋଇରହିଲା । ଘରେ ଅଶାନ୍ତି ବଢ଼ିଲା । ନନା, ବୋଉ ବିରକ୍ତ ହେଲେ । ଘରକୁ ବନ୍ଧୁବାନ୍ଧବ, ଅତିଥି ଅଭ୍ୟାଗତ ଯିଏ ବି ଆସିଲେ ସେ ଶୋଇବା ଘରୁ ଉଠିକି ଆସେନି । ସାରାଦିନ ଶୋଇ ରହିବ ଓ ସମସ୍ତେ ଶୋଇବାପରେ ରାତିସାରା ଉଜାଗର ରହିବ । ସେଇ ରୋଗଟା ହିଁ ସେଇଆ । ଡାକ୍ତରଙ୍କ କଥାରେ ତାକୁ ସାଙ୍ଗରେ ନେଇ ମୁଁ ଘର ଛାଡ଼ିଲି ।”
ମୁଁ ବି କିଛିଦିନ ଅଶାନ୍ତି ଭୋଗିଲି । ନା ଏ ପଟର, ନା ସେପଟର ଅବସ୍ଥା । ସରିତାକୁ ଯେତେ ଯାହା କହିଲେ, ସେ ରାଗେନି । କିନ୍ତୁ ପ୍ରତିକ୍ରିୟା ନାହିଁ ତାର । ତାକୁ ମନେ ପକେଇ ଔଷଧ ଦେବା ଦାୟିତ୍ୱ ବି ମୋର । ତଳକୁ ଚାଲ, ତତେ ଦେଖେଇବି, ସରିତା କେତେ ସୁନ୍ଦରୀ ଥିଲା ସେତେବେଳେ । ଏଇ ରୋଗ ପାଇଁ ସିନା, ନହେଲେ ସରିତାର ଆଉ କିଛି ବି ଖରାପ ଗୁଣ ନାହିଁ ନାନୀ । ମୁଁ ତାକୁ ଭଲ ପାଏ, ଖୁବ୍ ବେଶି । କେମତି ତାକୁ ଏକେଲା କରିଦେଇଥାନ୍ତି ଏମିତି ଅବସ୍ଥାରେ? ତା’ଛଡ଼ା ନନା, ବୋଉ କେତେ ସହଜରେ ସମସ୍ତଙ୍କୁ କହିଲେ ଯେ ପୁଅ ତାଙ୍କର ସ୍ତ୍ରୀ ବୁଦ୍ଧିରେ ପଡ଼ି ବଦଳିଗଲାଣି । ସ୍ତ୍ରୀକୁ ଯେ ସେମାନେ ମୋ ପାଇଁ ଖୋଜି ଆଣି ଦେଇଥିଲେ, ସେକଥା ବି ଭାବିଲେନି । ଠିକ୍ ଅଛି ନାନୀ । ମୁଁ ବୁଝିପାରୁଛି, ସେମିତି କହିବାରେ ବି ତାଙ୍କର ଗୋଟେ ପ୍ରଚ୍ଛନ୍ନ ଅହଙ୍କାର ଅଛି । ନିଜ ପୁଅର ସରଳପଣିଆ ଆଉ ପର ଝିଅର କୁଟିଳତାକୁ ଇଙ୍ଗିିତ କରି ସେମାନେ ନିଜର ଅହଂକୁ ସନ୍ତୁଷ୍ଟ କରିଚାଲିଛନ୍ତି । ବରଂ ସେଇଆ ଭାବନ୍ତୁ ସେମାନେ । ଆମ ଭିତରର କଳିକଜିଆ, ବାଡ଼ିଆପିଟା ବା ସେମାନେ ବାଛିଥିବା ଝିଅଟିକୁ ମୁଁ ଦୂରେଇ ଦେଇଥିଲେ ତାଙ୍କର ମୁରବୀପଣିଆକୁ ଧକ୍କା ହେଇନଥାନ୍ତା? ନିମ୍ନ ମଧ୍ୟବିତ୍ତ ପରିବାରରେ, ପୁଣି ଗାଁ ଭିତରେ ଛାଡ଼ପତ୍ର କଥା ଉଠିଥିଲେ ଉଭୟ ପରିବାର ପାଇଁ କ’ଣ କମ୍ ନିନ୍ଦା ହେଇଥାନ୍ତା?”
ଶୁଭର ଅସରନ୍ତି କଥା ସରୁନଥିଲା । ମୋ ଭିତରର ଅନେକଦିନର ଜମାଟବନ୍ଧା ଅଳିଆ ଅଳନ୍ଧୁ ସବୁ ଧୀରେ ଧୀରେ ଅପସରି ଯାଉଥିଲା । ମୁଁ ଖାଲି ଶୁଣୁ ନଥିଲି, ନିଜକୁ ବି ଦେଖୁଥିଲି ତା’ ଆଖିରେ । ରାତି ବଢ଼ିଚାଲିଥିଲା । ବଡ଼ଦାଣ୍ଡର ଗହଳି ଆଉ ଶୁଭୁନଥିଲା । ବରଂ ସମୁଦ୍ରର ଲହଡ଼ିର ଶବ୍ଦ ଶୁଭୁଥିଲା ରହି ରହି । ମୁଁ କହିଲି, ହଉ, ଏବେ ଚାଲ, ତଳକୁ ଯିବା, ସରିତା ଉଠିବଣି । ମୁଁ ତାକୁ ଆଉଥରେ ଟିକିଏ ଦେଖିବି ।”
ଶୁଭ ଉଠିଲା ଆଉ ମୋ ହାତଧରି କହିଲା- “ନାନୀ, ତୁ ଏସବୁ କାହାକୁ କହିବୁନି । ସରିତା ବିଷୟରେ ଗୁଡାଏ ଖରାପ କଥା ଶୁଣିବା ଅପେକ୍ଷା ବରଂ ମୁଁ ଖରାପ ପୁଅର ଅପଖ୍ୟାତି ରଟିବା ବେଶ୍ ଭଲ ।”
ହଁ, ପୁରୁଷମାନେ ବି ବେଳେବେଳେ ଏମିତି ଅସହାୟ ହୋଇପଡ଼ନ୍ତି । ଆମ ଭିତରର ଗଳ୍ପ ପୁରୁଣା ଦୁର୍ଗର ସେ ଉଚ୍ଚାଉଚ୍ଚା କାନ୍ଥକୁ ଅତିକ୍ରମିବାର ପ୍ରୟାସ କରି କିଏ ବୁଝିବ ପୁରୁଷର ଏ ଅସହାୟତା? ଆକାଶରେ ଏବେବି କେତେ ଆକୃତିର ମେଘ । କେଜାଣି, କେତେ ରାତି ହେଲାଣି । ସରୁନଥିଲା ଶୁଭର ଜୀବନ ଗପ । ସରୁନଥିଲା ବି ରାତିର ଦୀର୍ଘତା ।