ଫଗୁମାଷ୍ଟ୍ରେ ଠିଆ ହୋଇଥିଲେ କାଠଗଡ଼ାରେ… ହାଡ଼ୁଆ ମୁହଁ, ଥୋମଣିରେ କେରାଏ ଧଳା କେଶ । ଧଳା ସର୍ ସର୍ ମୁଂଡ଼ବାଳ, ଫର୍ ଫର୍ ଉଡ଼ୁଥାନ୍ତି ଫ୍ୟାନ୍ ପବନରେ । ଦେହରେ ଅଧାହାତ ଧଳା କମିଜ, ରଗଡ଼ା ଖଦୀ ଧୋତି । ଛାତିକୁ ଫୁଲେଇ ସେ ଠିଆ ହୋଇଥା’ନ୍ତି ପରାଧୀନ ଭାରତର ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ ଭଳି । କାଠଗଡ଼ା ବାହାରେ ତଳକୁ ମୁହଁ ପୋତି ଠିଆ ହୋଇଥା’ନ୍ତିି ଫଗୁମାଷ୍ଟ୍ରେଙ୍କ ଦୁଇ ପୁଅ ଓ ଜ୍ୱାଇଁ । କଚେରି କୋଠରିର ପରିବେଶ ବେଶ୍ ଗମ୍ଭୀର । ଉପସ୍ଥିତ ପକ୍ଷ, ପ୍ରତିପକ୍ଷ, ଦର୍ଶକ, କଚେରିର କର୍ମଚାରୀ, ଓକିଲମହକିଲ ସମସ୍ତେ… ଏକ ଅନନ୍ୟ ଉକ୍ରଣ୍ଠାପୂର୍ଣ୍ଣ ପରିବେଶ । ପୂର୍ବରୁ ଏମିତି ପରିସ୍ଥିତି କେବେ ଉପୁଜି ଥିବାର ନଜିର ନାହିଁ ବୋଲି ଉପସ୍ଥିତ ଅନେକ ପୁରୁଖା ପାକଳ ବ୍ୟକ୍ତି କୁହାକୁହି ହେଉଥିଲେ ।
ସରକାରୀ ଓକିଲଙ୍କ ଯୁକ୍ତି, “ଫାଲ୍ଗୁନି ମହନ୍ତ ଓରଫ ଫଗୁମାଷ୍ଟ୍ରେ ଆଇନ ବ୍ୟବସ୍ଥାକୁ ବେଖାତିର କରି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ଦେଖାଇଛନ୍ତି । ଏକାଧିକ ଥର ସେମାନଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ବ୍ୟବହାର କରି ଗାଳିଗୁଲଜ କରିଛନ୍ତି । ସେ ଜଣେ ବୟସ୍କ ବ୍ୟକ୍ତି ଭାବି ନିର୍ଯାତିତ କର୍ମଚାରୀମାନେ ତାଙ୍କର ଏପରି ଆଚରଣକୁ ସହ୍ୟ କରି ଆସୁଥିଲେ । କିନ୍ତୁ ଯେତେବେଳେ ସେ ସୌଜନ୍ୟର ସବୁ ସୀମାପାର ହୋଇ ସେମାନଙ୍କୁ ସାଧାରଣରେ ଅପମାନିତ କରିବା ସହିତ ଶାରୀରିକ ଆଘାତ ଦେବାକୁ ଉଦ୍ୟମ କଲେ ସେତେବେଳେ ବାଧ୍ୟ ହୋଇ ଅସହାୟ କର୍ମଚାରୀମାନେ ଆଇନର ଦ୍ୱାରସ୍ଥ ହୋଇଛନ୍ତି । ସଂପୃକ୍ତ କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ରହିଛି, ସେମାନେ ମାନସିକସ୍ତରରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ନ୍ୟାୟମୂର୍ତ୍ତି ମହାଭାଗ ମହୋଦୟ ଘଟଣାର ଗୁରୁତ୍ୱ ବିଚାର କରି ଶ୍ରୀ ମହନ୍ତଙ୍କ ବେଲ୍ ଆବେଦନ ଅଗ୍ରାହ୍ୟ କରିବାକୁ ବିନୀତ ଅନୁରୋଧ । ଶ୍ରୀ ମହନ୍ତଙ୍କ ବିରୋଧରେ ଆଗତ ଅଭିଯୋଗକୁ ବିଚାରକୁ ନେଇ ତୁରନ୍ତ ତାଙ୍କୁ ଜେଲକୁ ପଠାଇ ଦେବାକୁ ପ୍ରାର୍ଥନା କରୁଛୁ ।”
ଫଗୁମାଷ୍ଟ୍ରେ ସରକାରୀ ଓକିଲଙ୍କ ଯୁକ୍ତି ଶୁଣି ଲହରାଇ ଲହରାଇ ହସି ଉଠିଲେ । ତାଙ୍କ ହସରେ ସମଗ୍ର କଚେରି ପରିସର କମ୍ପି ଉଠିଲା । ଫଗୁ ମାଷ୍ଟ୍ରେ୍ରଙ୍କ ହସ ଶୁଣି ବିରକ୍ତିରେ ଚାହିଁଲେ ବିଚାରପତି । ସରକାରୀ ଓକିଲ ମହାଶୟ ଅଧିକ କିଛି କହିବାକୁ ଯାଉଥିଲେ, ହେଲେ ତାଙ୍କ କଥାର ଗଳାକୁ ଯେମିତି ଫଗୁମାଷ୍ଟ୍ରେଙ୍କ ବେଲଗାମ୍ ହସ ଚାପି ଦେଲା ।
ସେ ବାଧ୍ୟବାଧକତାରେ ଚୁପ୍ ରହିବାକୁ ଚେଷ୍ଟା କରୁଥିବା ବେଳେ ପାଖ କାଠଗଡ଼ାରେ ଠିଆ ହୋଇଥିବା କେତେଜଣ ସରକାରୀ କର୍ମଚାରୀ ବିଚାରପତିଙ୍କ ଉଦେ୍ଦଶ୍ୟରେ ହାତଯୋଡ଼ି ଗୁହାରି ଜଣାଇଲେ, ଅତ୍ୟନ୍ତ କରୁଣ ଗଳାରେ, ଅର୍ଥାତ ସଂପୂର୍ଣ୍ଣ ନେହୁରା କଣ୍ଠରେ ପୂରା ପୂରି ବିନମ୍ର ହୋଇ କହିଲେ- “ହଜୁର ଆମ ଜୀବନପ୍ରତି ଘୋର ବିପଦ ରହିଛି । ଦୟା କରି ଏ ବୃଦ୍ଧଙ୍କୁ ମାମଲା ବିଚାର ଶେଷ ଯାଏ ଜେଲ୍୍ରେ ଅଟକ ରଖନ୍ତୁ, ନଚେତ୍ ନିଶ୍ଚିତ ଅଘଟଣ ଘଟିବ । ହଜୁର ଘଟଣାର ଗମ୍ଭୀରତା ହୃଦୟଙ୍ଗମ କରି ଆମ୍ଭମାନଙ୍କ ପ୍ରାର୍ଥନା ଗ୍ରହଣ କରିବାକୁ ନିବେଦନ ଜଣାଉଛୁ । ଆମ ଗୁହାରି ଶୁଣିବା ହେଉ ନ୍ୟାୟମୂର୍ତ୍ତି, ବୃଦ୍ଧଙ୍କୁ ବେଲ୍ ଦିଆନଯାଉ ।”
ବିଚାରପତି ମହାଶୟ କିଛି କହିବାକୁ ଯାଉଥିଲେ, ଅଟକି ଗଲେ । ଫଗୁମାଷ୍ଟ୍ରେ ଉଚ୍ଚଗଳାରେ କହିଲେ, “ଜୀବନର ଚାଳିଶ ବର୍ଷ ବେତ ଧରି ମୁଁ ଶାସନ କରିଛି । ଯେ ଭୁଲ୍ କରିବ ସେ ଦଣ୍ଡ ପାଇବ । ବର୍ଷ ବର୍ଷ ଧରି ଏହି ନ୍ୟାୟରେ ମୁଁ ଶାସନ କରିଆସିଛି । ମୋ ବେତମାଡ଼ ଖିଆ ଅନେକ ବଡ଼ ମଣିଷ ହୋଇଛନ୍ତି, ସମ୍ଭ୍ରାନ୍ତ ପଦପଦବୀ ଅଳଙ୍କୃତ କରିଛନ୍ତି, କାହିଁ କାହାର ଜୀବନ ଯିବା ଭଳି ଘଟଣା କେବେ ଘଟିନି ତ! ଆଉ ଏ କାମ ଚୋର ଅଧାବୟସାଙ୍କ ଜୀବନ ପଳାଇବ! ଏ ସବୁ ମିଛ କଥା, ପ୍ରଳାପ… ଅଯଥା ବାହାନା… । ବିଚାରପତି ମହାଶୟ! ମୋ କଥାପ୍ରତି ଦୟାକରି ଧ୍ୟାନ ଦିଅନ୍ତୁ, ଏଠାରେ ଏହି ଅଦାଲତରେ ସର୍ବସମ୍ମୁଖରେ ମୁଁ ଫାଲ୍ଗୁନି ମହନ୍ତ, ପିତା ସ୍ୱର୍ଗତ ଦୟାନିଧି ମହନ୍ତ, ଗାଁ ଘୋଷପଡ଼ା, ଜିଲ୍ଳା ମୟୂରଭଂଜ ଘୋଷଣା କରୁଛି କି ବେଲ୍ ପାଇଁ ମୁଁ ଲାଳାୟିତ ନୁହେଁ । ମୁଁ ବେଲ୍୍ରେ ଯିବାକୁ ଏପରି କାଣ୍ଡ ଘଟାଇ ନାହିଁ, ଜେଲ୍ ଯିବା ନିଶ୍ଚିତ କରି ଏପରି କରିଛି… ।”
ଫଗୁମାଷ୍ଟ୍ରଙ୍କ ବୟାନ ପରେ ସମଗ୍ର କୋର୍ଟ ପରିସର ସଂପୂର୍ଣ୍ଣ ନିରବ, ନିଶ୍ଚଳ ପାଲଟିଗଲା । ସମସ୍ତେ ଏଡ଼େ ଏଡ଼େ ଆଁ ମେଲି ଆଖି ତରାଟି ଚାହିଁଥାନ୍ତି ଫଗୁମାଷ୍ଟ୍ରଙ୍କ ଆଡ଼େ । ବିଚାରପତି ମହୋଦୟ ମଧ୍ୟ ମୋଟା ଚଷମା ଫାଙ୍କ ଦେଇ ଜଳ ଜଳ ହୋଇ ଅନାଇଥାନ୍ତି ଫଗୁମାଷ୍ଟ୍ରଙ୍କ ମୁହଁକୁ । ଏତେ କାଳ ଚାକିରି ମଧ୍ୟରେ ସେ କେବେ ଏମିତି ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହୋଇନଥିଲେ । ଏମିତି ଚରିତ୍ର ବ୍ୟକ୍ତିଙ୍କୁ କେବେ ଦେଖିନଥିଲେ । ବେଲ୍ ଆବେଦନ ଅଗ୍ରାହ୍ୟ ପାଇଁ ଘନ ଘନ ଯୁକ୍ତି ବାଢ଼ୁଥିବା ସରକାରୀ ଓକିଲ ଏବଂ ଅଣ୍ଟା ନୁଆଇଁ ବେଲ୍ ଆବେଦନ ପ୍ରତ୍ୟାଖାନ ପାଇଁ ଗୁହାରି ଜଣାଉଥିବା ବ୍ୟକ୍ତିମାନେ ଅଣ୍ଟା ସଳଖ କରି ଠିଆ ହୋଇ କଣେଇ କଣେଇ ଚାହୁଁଥାନ୍ତି ଫଗୁମାଷ୍ଟ୍ରେଙ୍କ ଆଡ଼େ । ଏବେ କି ଜବାବ୍ ରଖିବେ ପ୍ରତିପକ୍ଷ ଓକିଲ ମହାଶୟ, ଫଗୁମାଷ୍ଟ୍ରେଙ୍କ ଏପରି କଠିନ, ସ୍ପଷ୍ଟ ନିଷ୍ଠୁର ଘୋଷଣାର କି ଉତ୍ତର ଦେବେ ଅଭିଯୋଗକାରୀମାନେ । କେବଳ କାଠଗଡ଼ାରେ ଠିଆ ହୋଇ ପରସ୍ପର ମୁହଁକୁ ଚାହୁଁଥିଲେ, ଓକିଲବାବୁ ରୁମାଲ କାଢ଼ି ନିଜ ମୁହଁକୁ ବାରମ୍ବାର ପୋଛୁଥିଲେ, କ’ଣ କହିବାକୁ ଚେଷ୍ଟା କରି କେବଳ ଖଁ ଖାଁ ଶବ୍ଦ କରି ଗଳା ସଫା କରୁଥିଲେ, ହେଲେ ପଦଟିଏ କହୁନଥିଲେ ।
ଏପରି ସ୍ଥିତିରେ ଫଗୁମାଷ୍ଟ୍ରେଙ୍କ ଆତ୍ମୀୟମାନେ ବଡ଼ ଅସହାୟ ଅବସ୍ଥାରେ… । ବେଲ୍ ପାଇଁ ଆବେଦନ କରିଛନ୍ତି, ହେଲେ ମାଷ୍ଟ୍ରେ ବେଲ୍ରେ ଯିବାକୁ ରୋକ୍ ଠୋକ୍ ମନା କରିଦେବା ବଡ଼ ଅଡୁଆରେ ପକାଇଛି ତାଙ୍କ ଆତ୍ମୀୟ ସ୍ୱଜନ, ପରିବାରବର୍ଗଙ୍କୁ । ବେଲ୍ ପାଇଁ ନିଯୁକ୍ତ ଓକିଲଙ୍କୁ କହିବାକୁ ସୁଯୋଗ ଜୁଟୁନି.. ସରକାରୀ ଓକିଲ ପଦେ କହିଲେ ଫଗୁମାଷ୍ଟ୍ରେ ଦଶ ପଦ କହୁଛନ୍ତି । ବଡ଼ ଅସହାୟ ଅବସ୍ଥାରେ ବେଲ୍ ପାଇଁ ଆବେଦନ କରିଥିବା ବିଚରା ଓକିଲ ମହାଶୟ, ବଡ଼ କାତର ଦୃଷ୍ଟିରେ ଦମେ ବିଚାରପତିଙ୍କ ମୁହଁକୁ ଚାହୁଁଛନ୍ତି, ଆଉ ଦଳେ ଚାହୁଁଛନ୍ତି ବେଲ୍ ଆବେଦନକାରୀ ଫଗୁମାଷ୍ଟ୍ରେ୍ରଙ୍କ ଆତ୍ମୀୟଙ୍କ ମୁହଁକୁ । କାଠଗଡ଼ାରେ ଛାତି ଫୁଲାଇ ଠିଆ ହୋଇଥିବା ଫଗୁମାଷ୍ଟ୍ରେଙ୍କୁ ସେ ନା ଚୁପ୍ କରାଇପାରୁଛନ୍ତି ନା ସରକାରୀ ଓକିଲଙ୍କ ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି । କଚେରି ଭିତର ସ୍ଥିତି ବଡ଼ ବିତିଚ୍ର, ଅଭୁତପୂର୍ବ ପରିବେଶ । ଫଗୁମାଷ୍ଟ୍ରେଙ୍କ ଗିରଫଦାରୀ, ପରେ ବେଲ୍ ପାଇଁ କୋର୍ଟରେ ବିଚାର ଚାଲିଥିବା ଖବର ପ୍ରଚାର ହେବା ପରଠାରୁ ଘଟଣାସ୍ଥଳରେ ଲୋକ ଗହଳି ବଢ଼ିବାରେ ଲାଗିଛି । କଚେରି ଜଗୁଆଳମାନେ ଗହଳି ସମ୍ଭାଳିବାକୁ ନାୟାନ୍ତକ ହୋଇସାରିଲେଣି, ଲୋକ ଗହଳି ଅସମ୍ଭାଳ । ଲୋକଙ୍କ ଠେଲାପେଲା ଦେଖି ଜଗୁଆଳମାନେ କଚେରି ପରିସର ଛାଡ଼ି ଯେ ଜୁଆଡ଼େ ପାର୍ ।
ଗଣମାଧ୍ୟମ ପ୍ରତିନିଧି, ଓକିଲ ସଂଘର ସଦସ୍ୟ, ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ସଂଘର କର୍ମକର୍ତ୍ତା, ସ୍ଥାନୀୟ ଦୁର୍ନୀତି ନିବାରଣ ସଂଘର ଯୁବମଣ୍ଡଳୀ, ବିରୋଧୀ ରାଜନୈତିକ ଦଳର ପ୍ରତିନିଧି, ଫଗୁ ମାଷ୍ଟ୍ରେଙ୍କର ବହୁ ପୁରାତନ ଛାତ୍ର, ସରକାରଙ୍କ ସ୍ୱଚ୍ଛ ଶାସନ ପ୍ରବର୍ତ୍ତନ ନିର୍ଦେଶାଳୟର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ କେତେକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ଅବହେଳିତ ଜନ ସହଯୋଗ ସଂଗଠନର ସ୍ଥାନୀୟ ଶାଖା ସଦସ୍ୟ… ବହୁ ସମଭାବାପନ୍ନ ଅନୁଷ୍ଠାନ, ସଂଗଠନ ତଥା କିସମ କିସମ ଲୋକଙ୍କ ଅହେତୁକ ଭିଡ଼ ଜମିଛି କୋର୍ଟ ପରିସରରେ ।
ବିଚାରପତି ମହୋଦୟ କି ନିଷ୍ପତ୍ତି ନେବେ ସେ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ, କେତେ ନା କେତେ ବିତର୍କ । ଏଣେ ବିଚାରପତି ମହୋଦୟ ବିଷମ ସ୍ଥିତିରେ । ପରିସ୍ଥିତି ବେଶ୍ ଜଟିଳ । ଅଫିସ ସମୟ ସରିଯାଉଛି, କାଲି ପାଇଁ କଥା ବକେୟା ରଖିଲେ ହୁଅନ୍ତା, ହେଲେ ଯେଉଁ କିସମ ଲୋକ କଚେରିରେ ଉପସ୍ଥିତ, ସେମାନେ ଅନର୍ଥ କରିବେ । ଉପସ୍ଥିତଙ୍କ ମଧ୍ୟରେ ଫଗୁମାଷ୍ଟ୍ରେଙ୍କ ସମର୍ଥକଙ୍କ ସଂଖ୍ୟା ବେଶ୍ ଅଧିକ । ଅବଶ୍ୟ ଦେଶର ଫୌଜଦାରୀ ଆଇନ ମତେ ଫଗୁମାଷ୍ଟ୍ରେଙ୍କୁ ଜେଲ୍କୁ ପଠାଇ ଦେବା କଥା, ହେଲେ ଏପରି ନିଦେ୍ର୍ଦଶ ନିଶ୍ଚୟ ଅତ୍ୟନ୍ତ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ଜେଲ୍ ନପଠାଇଲେ ଅବସ୍ଥା ଅଧିକ ବିଗିଡ଼ିବା ଆଶଙ୍କା ବି ଅଛି । କାଠଗଡ଼ାରେ ଠିଆ ହୋଇଥିବା ସରକାରୀ ବାବୁମାନଙ୍କ ସମର୍ଥନରେ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଗର ସ୍ୱତନ୍ତ୍ର ସଭାମଣ୍ଡଳୀର କର୍ମକର୍ତ୍ତାମାନେ ସେତେବେଳକୁ କଚେରିରେ ପହଂଚି ଗଲେଣି । ଫଗୁମାଷ୍ଟ୍ରେଙ୍କୁ ହାଜତକୁ ନପଠାଇଲେ ସେମାନେ ବିଚାରପତିଙ୍କୁ ଘରକୁ ଛାଡ଼ିବେ ନାହିଁ, ଏହି ମର୍ମରେ ଖବର ପ୍ରଚାରିତ ମଧ୍ୟ ହୋଇସାରିଲାଣି । ଫଗୁମାଷ୍ଟ୍ରେଙ୍କୁ ବେଲ୍ ଦିଆଗଲେ କର୍ମଚାରୀ ସଂଘର କର୍ମକର୍ତ୍ତା ତଥା ସ୍ଥାନୀୟ ସରକାରୀ କର୍ମଚାରୀମାନେ ବିଚାରପତିଙ୍କୁ ଘେରାଉ କରିବେ ଏପରି ଧମକ ଦିଆଯାଇଥିବା ଖବର ମଧ୍ୟ ସାଧାରଣରେ ଆଲୋଚିତ ହେଲାଣି । ଏପରି ସ୍ଥଳେ ବିଚାରପତି ମହୋଦୟ ଆଇନ କାନୁନ୍କୁ ତର୍ଜମା କରିବେ କ’ଣ ଉପସ୍ଥିତ ବ୍ୟକ୍ତିତ୍ୱଙ୍କୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି ।
ସେ ଯାହା ହେଉ, ଆଜି ନ୍ୟାୟମୂର୍ତ୍ତିଙ୍କୁ ଯୁଗାନ୍ତକାରୀ ରାୟ ଦେବାକୁ ହେବ । ଗଣମାଧ୍ୟମ ପ୍ରତିନିଧି ଅଛନ୍ତି, ଗଣମାଧ୍ୟମରେ ଏନେଇ ଯେପରି ପ୍ରତିକୂଳ ଚର୍ଚ୍ଚା ନହୁଏ । ଏ ଘଟଣାକୁ ନେଇ ବୈଦୁ୍ୟତିକ ଗଣମାଧ୍ୟମରେ ଆୟୋଜିତ ବିଶେଷ ଚର୍ଚ୍ଚାରେ ଭାଗ ନେଇ ରାଜ୍ୟର ବରିଷ୍ଠ ଆଇନ ବିଶାରଦ, ରାଜନେତା, ରାଜ୍ୟର ସମାଜସେବୀ ମାନେ ଯେପରିି ବିଚାରପତିଙ୍କ ଆଜିର ରାୟକୁ ପ୍ରଶଂସା କରିବେ ସେଥି ପ୍ରତି ଲକ୍ଷ୍ୟ ଦେବାକୁ ହେବ । ବଡ଼ ବିଷମ ସ୍ଥିତି… ଚିନ୍ତା କରିବାକୁ ତର ନାହିଁ । ଏତେ ହୋ ହଲ୍ଲା… ଏଥିରେ କି କୋର୍ଟ ଚାଲେ! … ତେଣେ ସନ୍ଧ୍ୟା ମାଡ଼ି ଆସୁଛି । ରାତି ହୋଇଗଲେ କଥା ଅଧିକ ସଙ୍ଗୀନ ହୋଇଯିବ । ସାମାନ୍ୟ ବେଲ୍ ମାମଲାରେ ରାତି ହେବାର ଯଥାର୍ଥତା ନାହିଁ… ସମାଲୋଚନାର ଭୟ ଅଧିକ… ।
ଫଗୁମାଷ୍ଟ୍ରେଙ୍କ ଗୋଟାଏ ଜିଦ୍, ସେ ଜେଲ୍ ଯିବେ । ତାଙ୍କର ବେଲ୍ ଲୋଡ଼ା ନାହିଁ । ଇଂରେଜ ସରକାରଙ୍କ ବିରୋଧରେ ଯେଉଁ କିଶୋର ଫଗୁଆ ମେଳି କରି ବ୍ରହ୍ମପୁର ଜେଲ୍ରେ ୧୫ ଦିନ ଥିଲା, ଏବେ ପଛଘୁଂଚା କାହିଁକି ଦେବ! ନିର୍ଭୀକ ଦେଶପ୍ରେମୀ ଫାଲ୍ଗୁନି ଦିନେ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଦାୟିତ୍ୱ ନିର୍ବାହ ଯୁକ୍ତିରେ ଶିକ୍ଷକତାକୁ ପେଷା ଭାବେ ଗ୍ରହଣ କରିଥିଲେ । ସ୍ୱାଧୀନ ଭାରତର ଉପଯୁକ୍ତ ନାଗରିକ ତିଆରି କରିବା ଥିଲା ମୂଳ ଲକ୍ଷ୍ୟ । ହେଲେ ସ୍ୱାଧୀନତା ପରର ପରିବର୍ତ୍ତିତ ମାନଦଣ୍ଡରେ ଶିକ୍ଷକତା ସବୁରି ଦୃଷ୍ଟିରେ ଲଘୁ କର୍ମର ମାନ୍ୟତା ପାଇଲା । ହେଲେ ଫଗୁମାଷ୍ଟ୍ରେଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । ତାଙ୍କ ଯୁକ୍ତି, ବିଶ୍ୱବାସୀଙ୍କ ଦୃଷ୍ଟିରେ ଭାରତକୁ ଉନ୍ନତ, ମାର୍ଜିତ ସମ୍ମାନାସ୍ପଦ କରିବାକୁ ହେଲେ ନିଦା ଚରିତ୍ରବାନ୍ କର୍ମଠ ନାଗରିକ ତିଆରି କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଉତ୍ତମ ନାଗରିକ ତିଆରି କାମରେ ନିଜକୁ ହଜାଇ ଦେଇଥିଲେ ଫାଲଗୁନି ।
ସ୍ୱଭିମାନୀ ଶିକ୍ଷକ ଭାବେ ଆଖପାଖ ଅଞ୍ଚଳରେ ତାଙ୍କର ସୁଖ୍ୟାତି ରହିଛି । ଏକଦା ବାର ଟଙ୍କା ଆଠଅଣା ଦରମା ବ୍ଲକ ଅଫିସରୁ ମିଳୁଥିଲା, ଚାକିରି ଗଲା ବେଳକୁ ଦରମା ବଢ଼ି ହଜାରେ ପଚସ୍ତରୀ ଟଙ୍କା… । ଚାକିରି ସରିଗଲା ପରେ ସେ ଏବେ ପାଉଥିବା ଭତ୍ତା ଦରମାଠୁ ଢେର ଅଧିକ । ପିଲାମାନେ କେଡ଼େ କେଡ଼େ ଚାକିରି କରିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଦରମା । ହେଲେ ସେ ରହୁଥିବା ପୈତୃକ ଘରର ଭେକ ବଦଳୁନି । ପୁଅ ବୋହୂ, ନାତିନାତୁଣୀ ସେ ଘରେ ରହିବାକୁ ନାରାଜ । ବୁଢ଼ୀ ଗଲା ଦିନରୁ ସେ ଏକୁଟିଆ । ପିଲାଏ ଚାହିଁଲେ ଦୁଇ ମାସରେ ଘର ତିଆରି ହୋଇଯିବ । ହେଲେ ଘରଢିଅ ଅଛି ଫଗୁମାଷ୍ଟ୍ରେଙ୍କ ଜେଜେବାପାଙ୍କ ନାଁରେ, ଏହା ଭିତରେ ପୁରୁଷ ପୁରୁଷ ଫରକ । ଫଗୁମାଷ୍ଟ୍ରେଙ୍କ ସହରତଳି ନିପଟ ମଫସଲ ଏବେ ପୌରାଞ୍ଚଳ । ଆଇନ୍ ବଦଳିଛି, ସରକାରୀ ଖାତାରେ ମାଲିକାନା ନଥିଲେ ନିୟମାନୁଯାୟୀ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଔପଚାରିକତା ପୂରଣ କଷ୍ଟସାଧ୍ୟ । ଋଣ ମିଳିବା ସମ୍ଭବ ନୁହେଁ । ଏଇଠି ରହି ସେ ମାଲିକାନା ପରିବର୍ତ୍ତନ କରିପାରିଲେ ନାହିଁ, କାଲି ଏ ପିଲାଏ କରିବେ କେମିତି! ବଡ଼ ଚିନ୍ତାରେ ଫଗୁମାଷ୍ଟ୍ରେ । ବର୍ଷ ବର୍ଷ ଧରି ଧାଉଁଛନ୍ତିି ସେ ଜମିଜମା ଅଫିସକୁ । ହାତଗୋଡ଼ ଧରି କେତେ ନେହୁରା ନ ହୋଇଛନ୍ତି ସେ ହାକିମହୁକୁମାଙ୍କୁ! ହେଲେ ଫଳ କିଛି ହେଲାନି । କାଲି କି ଆସ.. କାଲି କି ଆସ… ବୟସ ନବେ ପାର୍ ହେଲାଣିି, କାଲି ତାଙ୍କ ପାଇଁ ଆସିବ କେଉଁ ଭରସାରେ…?
ଅସହାୟତା ବଢ଼ି ଚାଲିଛି, ଉପାୟ ଶୂନ୍ୟ ଅବସ୍ଥା… । ନାତିନାତୁଣୀ ପୁଅ ବୋହୂଙ୍କ ଜିଦ୍ ସେ ଏ ଜାଗା ଛାଡ଼ି ତାଙ୍କ ପାଖରେ ରୁହନ୍ତୁ, ହେଲେ ଫଗୁମାଷ୍ଟ୍ରେ ଯିବେ କୁଆଡ଼େ? ନିଜ ପିଲାଏ ସିନା ମଣିଷ ହୋଇଗଲେ, ହେଲେ ଏ ନିଃସହାୟଙ୍କ କଥା ବୁଝିବ କିଏ? ଏବେ ବି ସେ ଭୁଶୁଡ଼ିପଡ଼ୁଥିବା ପୈତୃକ ଦଦରାଘର ବାରଣ୍ଡାରେ ମାଗଣାରେ ଦୁଇ ଓଳି ପଂଝାଏ ପିଲାଙ୍କୁ ପଢ଼ାନ୍ତି, ଏଯାଏଁ ତାଙ୍କର ଦାୟିତ୍ୱବାନ୍ ନାଗରିକ ତିଆରି କାମ ସରିନାହିଁ । ଏ ଦାୟିତ୍ୱ ଛିଣ୍ଡିବା କ’ଣ ଏଡ଼େ ସହଜ! ଏ କଥା କାହିଁଁକି ବା ସେ ବୁଝାଇବେ ବା କାହାକୁ! ପିଲାଏ ଚାହୁଁଛନ୍ତି, ଭାଙ୍ଗିପଡ଼ୁଥିବା ପୈତୃକ ଘର ଭାଙ୍ଗି କୋଠା କରନ୍ତେ । ସେମାନେ ରହୁ ଥିବା ଘର ଭଳି ଟାଇଲ ଚଟାଣ, ଘର ଭିତରେ ପାଇଖାନା, ଗାଧୁଆଘର, ଟ୍ୟାପ୍ରେ ଗରମଥଣ୍ଡା ପାଣି, ଅହରହ ବିଦୁ୍ୟତ୍ ଯୋଗାଣ, ଟିଭି, ଏସି ସୁବିଧା ଥିବା ଘର ତୋଳନ୍ତେ । ଅନ୍ତତଃ ବର୍ଷକରେ ଥରେ ପିଲାଛୁଆଙ୍କୁ ଧରି ଭିଟାମାଟିକୁ ସେମାନେ ଆସନ୍ତେ । ଦିନ କେଇଟା ତାଙ୍କ ଜନ୍ମସ୍ଥାନରେ କଟାନ୍ତେ, ଫଗୁମାଷ୍ଟ୍ରେ୍ରଙ୍କ ପାଖରେ ରହନ୍ତେ… । ଫଗୁମାଷ୍ଟ୍ରେ ସହରରେ ରହୁଥିବା ନାତିନାତୁଣୀଙ୍କୁ ଧରି ପାଖ ନଈ, ବିଲଗୋହିରି ବୁଲି ଯାଆନ୍ତେ, ପୋଖରୀରୁ ମାଛ ଧରନ୍ତେ । ନାତିନାତୁଣୀଙ୍କ ମନୋରଂଜନ ପାଇଁ ସାହି ପିଲାଙ୍କୁ ନେଇ ହଜିଯାଉଥିବା ପାଳଭୂତ, ପତ୍ରଭୂତ, ପୁଚି, ଦୋଳି, ବାଗୁଡ଼ି, ବୋହୂଚୋରି ଖେଳକୁଦର ଆୟୋଜନ କରନ୍ତେ । ସାହି ପିଲାଏ ମୁଖା ପିନ୍ଧି ବୁଢ଼ାବୁଢ଼ୀ, ନାଗାଭାଗା ନାଚ କରନ୍ତେ । ନାତିନାତୁଣୀ ଖୁସି ହୁଅନ୍ତେ । ସଂଜରେ ନାତିନାତୁଣୀଙ୍କୁ ଗପ କହନ୍ତେ, ଏମିତି କେତେ ଯୋଜନା… ପିଲାଙ୍କ ସାନିଧ୍ୟ ଟିକକ ପାଇଁ ବ୍ୟାକୁଳ ଫଗୁମାଷ୍ଟ୍ରେ ଜମିଜମା ଅଫିସକୁ ଧାଇଁ ଧାଇଁ ନିରାଶ… ।
ବନ୍ଦୋବସ୍ତ ଗଲା, ଆପତ୍ତି ଅଭିଯୋଗ ଶୁଣାଣି ଗଲା, ଏତେ କାଳ ଥିଲ କୁଆଡ଼େ? ସରକାରୀ କର୍ମଚାରୀଙ୍କ ଏଭଳି ପ୍ରଶ୍ନ ଫଗୁମାଷ୍ଟ୍ରେଙ୍କ ଖଣ୍ଡିଆ ମନର ଯନ୍ତ୍ରଣା ବଢ଼ାଇଦିଏ, ଦଦରା ଦେହରେ ନିଆଁ ଲାଗିଯାଏ । କେବେ ପାଟି ଫିଟାଇ କାହାକୁ କହନ୍ତିନି, ଚାକିରି କାଳରେ ତର ନଥିଲା । ମଣିଷ ତିଆରିରେ ଏମିତି ଲାଗିଥିଲେ ଯେ କେତେବେଳେ ଏତେ କାଳ ହୋଇଗଲା ତାଙ୍କୁ ଜଣାପଡ଼ିଲାନି । ତାଙ୍କର ଘରଢ଼ିଅ ମାଲିକାନା ଲୋଡ଼ା ନାହିଁ, କେତେକାଳ ଆଉ ବଂଚିବେ ଯେ… ପୈତୃକ ଘରଖଣ୍ଡିକ ତାଙ୍କ ପାଇଁ ଢ଼େର । ଖାଲିଯାହା ପୁଅ ନାତିଙ୍କ ସାନିଧ୍ୟ ଟିକିଏ ପାଇଁ, ସେମାନଙ୍କ ସୁଖ ସୁବିଧା ପାଇଁ ସେ ଧାଇଁଛନ୍ତି । ପିଲାଙ୍କ ରହିବା ଭଳି ପୈତୃକ ଡିହରେ ଘରଖଣ୍ଡେ ନହୋଇପାରିଲେ ଜରାଗ୍ରସ୍ତ ଫଗୁଙ୍କୁ ଦିନେ ଗାଁ ଛାଡ଼ିବାକୁ ହେବ । ପିଲାଏ ସେମାନଙ୍କ ପାଖକୁ ତାଙ୍କୁ ନେଇଯିବେ ସେଇ ଭୟରେ ଫଗୁମାଷ୍ଟ୍ରେ ନେହୁରା ହୁଅନ୍ତି, ହେଲେ ଜମିଜମା ଅଫିସକୁ ଧାଇଁ ଧାଇଁ ନିରାଶ ହେବା ପରେ ସେ ଏ ପନ୍ଥା ଆପଣାଇଲେ । ଏସବୁ କହିଲା ବେଳେ ଫଗୁମାଷ୍ଟ୍ରେଙ୍କ ଆଖିରୁ ସତେକି ନିଆଁ ବାହାରୁ ଥିଲା, କାଳବୈଶାଖୀର ବିଜୁଳି ପରି ଚକ୍ ଚକ୍… ପର ମୁହୂର୍ତ୍ତରେ ଘଡ଼ ଘଡ଼ି ଶବ୍ଦ… ଝର ଝର ବର୍ଷା ପରି ଆଖିରୁ ଧାର ଧାର ଲୁହ ଗଡ଼ିପଡୁଥିଲା ।
… ଏସବୁ ଭିତରେ ହଠାତ୍ ବିଜୁଳି ଆଲୁଅ ଚାଲିଗଲା । ପାୱାର୍ କଟ୍ ! ଅନ୍ଧାର .. । ଅନ୍ଧାର ଭିତରେ ଲୋକଙ୍କ କୋଳାହଳ ଅଧିକ ତୀବ୍ର ବୋଧ ହେଉଥାଏ । ଅନ୍ଧାର ଭିତରେ ଫଗୁମାଷ୍ଟ୍ରେଙ୍କ ଗମ୍ଭୀର କଣ୍ଠ ସ୍ୱର ଶୁଭିଲା, “ତୁମର ଯଦି ଆଲୁଅ ବ୍ୟବସ୍ଥା ନାହିଁ ମୋ ପେଟ୍ରୋମାକ୍ସ ନେଇ ଆସ । ତେଲ ପଡ଼ିଛି, ମେଂଟାଲ ଲାଗିଛି, ପମ୍ପ ମାରିବ, ନିଆଁ ଧରାଇ ଦେଲେ ସେ ଜଳିବ ।” ଫଗୁମାଷ୍ଟ୍ରେଙ୍କ ପରାମର୍ଶ ସରକାରୀବାବୁମାନେ ଶୁଣିଲେ, ହେଲେ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ । ଯେମିତି ଯାହା ହେଉ ଅଧଘଣ୍ଟାକ ମଧ୍ୟରେ ଆଲୁଅ ବ୍ୟବସ୍ଥା ହୋଇଗଲା । ଅଣଆୟତ୍ତ ଲୋକଗହଳି… । ସଂପୂର୍ଣ୍ଣ ଅସ୍ୱାଭାବିକ ପରିସ୍ଥିତି… ଅସହାୟ ବୋଧ କରୁଥିବା ବିଚାରପତିଙ୍କ ଡକରା ପାଇ ସହରର ସବୁଠାରୁ ବଡ଼ ପୋଲିସବାବୁ, ପାଖ ଥାନାର ଅଧିକାରୀ ପହଂଚି ଗଲେ କୋର୍ଟ ପରିସରରେ । ପୋଲିସ ବଡ଼ବାବୁଙ୍କ ନିଦେ୍ର୍ଦଶରେ ଦୁଇ ତିନିଟା ଗାଡ଼ିରେ ଶହେ ହେବ ବନ୍ଧୁକଧାରୀ ପୋଲିସ ପହଞ୍ଚି ଯାଇଥିଲେ କଚେରିହତାରେ ।
ରାତି ଦଶଟା ବାଜିିଲାଣି, ହେଲେ ଫଗୁମାଷ୍ଟ୍ରେଙ୍କ ମାମଲା ସରିବାର ନାହିଁ । ରାତି ବଢ଼ି ବଢ଼ି ଯାଉଛି, ଫଗୁମାଷ୍ଟ୍ରେଙ୍କୁ ସମର୍ଥନ କରି ଦଳେ ରାହା ଧରିି ଚିକ୍ରାର କରୁଥିବା ବେଳେ, ଦଳେ ସରକାରୀବାବୁଙ୍କ ସମର୍ଥନରେ ରଡ଼ି ଛାଡ଼ୁଥା’ନ୍ତି । କେ’ କାହାକୁ ଶୁଣିବାକୁ ନାରାଜ… ହୋ ହଲ୍ଲା ଭିତରେ ଦୁଇ ପକ୍ଷର ଓକିଲ ଯୁକ୍ତି ବାଢ଼ୁ ଥିଲେ ଯେ’ ଯା’ ସପକ୍ଷରେ, ହେଲେ ସେସବୁ ଶୁଭୁନଥାଏ ବିଚାରପତିଙ୍କୁ । କଦର୍ଯ୍ୟ ସ୍ଥିତି… ଏସବୁଭିିତରେ ରାତି ଅଧା ହେବାକୁ ବସିଲାଣି । ହେଲେ କଥା ଛିଣ୍ଡୁନି… ।
ପୋଲିସ ବାବୁଙ୍କ ହସ୍ତକ୍ଷେପରେ ସାମାନ୍ୟ ଥଂଡ଼ାପଡ଼ିଲା ପରିବେଶ । ବିଚାରପତି ଠିଆ ହେଲେ, ନିରବ ନିଶବ୍ଦ ପଡ଼ିଗଲା ବିଚାରାଳୟ ପରିବେଶ । ଆଖି ବନ୍ଦକରି କାଠଗଡ଼ାରେ ପଥର ମୂର୍ତ୍ତିଟାଏ ପରି ଅବିଚଳିତ ଭଙ୍ଗୀରେ ଠିଆ ହୋଇଥାନ୍ତି ଫଗୁମାଷ୍ଟ୍ରେ । ନିରବତା ଭଙ୍ଗ କରି ଗମ୍ଭୀର କଣ୍ଠରେ ରାୟ ଶୁଣାଇଲେ ବିଚାରପତି, “ଆଜିର ଏଘଟଣାକୁ ବିଶ୍ଳେଷଣ କଲେ ଆମର ଯାହା ହୃଦୟଙ୍ଗମ ହେଉଛି, ସରକାରୀ କାର୍ଯ୍ୟଧାରାରେ ସୁଧାର ଅଣାଯିବା ଜରୁରି ହୋଇପଡ଼ିଛି… ଏ ଦିଗରେ ଦାୟିତ୍ୱରେ ଥିବା ଅଧିକାରୀମାନେ ଯତ୍ନଶୀଳ ହେବାକୁ ପରାମର୍ଶ । ଫାଲ୍ଗୁନି ମହନ୍ତ ବୟସାଧିକ୍ୟ ହେତୁ ମାନସିକ ଭାରସାମ୍ୟ ହରାଇ ବେଆଇନ ଆଚରଣ କରିଥିବା ହୃଦ୍ବୋଧ ହେଉଛି । ତାଙ୍କୁ ସତର୍କ କରାଇଦିଆଯାଉଛି ଯେ ସେ ଭବିଷ୍ୟତରେ ଆଇନ ହାତକୁ ନେବା ଉଦ୍ୟମରୁ କ୍ଷାନ୍ତ ରହିବେ । ଏଥି ସହିତ ତାଙ୍କର ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଗଲା । ସରକାରୀ କାର୍ଯ୍ୟାଳୟରେ ଯାହା ବି କାର୍ଯ୍ୟ ରହିଛି ସେସବୁ ସେ କେବଳ ଲିଖିତ ଭାବେ ମଧ୍ୟସ୍ଥଙ୍କ ଜରିଆରେ କରାଇ ପାରିବେ… ।”
ବିଚାରପତିଙ୍କ ବକ୍ତବ୍ୟ ଅଟକିଗଲା । ସରକାରୀ ଓକିଲ, କାଠଗଡ଼ାରେ ଠିଆ ହୋଇଥିବା ଅଧିକାରୀ ଓ ଉପସ୍ଥିତ କର୍ମଚାରୀ ସଂଘ କର୍ମକର୍ତ୍ତା ଏକ ସଙ୍ଗେ ଚିକ୍ରାର କରି ଉଠିଲେ, “ହଜୁର! ଫଗୁ ମହନ୍ତଙ୍କୁ କ’ଣ ବେଲ୍ ଦେଇଦେଲେ?”
ଅନ୍ୟପକ୍ଷରେ ଫଗୁମାଷ୍ଟ୍ରଙ୍କ ସମର୍ଥକମାନଙ୍କ ପାଲଟା ସମ୍ମିଳିତ ଗର୍ଜନ ଶୁଭିଲା, “ଫଗୁମାଷ୍ଟ୍ରେ ବେଲ୍ ପାଇବେ… ଜରୁର ପାଇବେ… ତାଙ୍କୁ ଜେଲ୍ ପଠେଇବ କିଏ?… ତାଙ୍କ ଭଳି ଦେଶପ୍ରେମୀ ନିସ୍ୱାର୍ଥପର ଅଭିଜ୍ଞ ଶିକ୍ଷକ ତଥା ସମାଜର ଜଣେ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଲଗାଯିବା ଦୁର୍ଭାଗ୍ୟଜନକ ନିଷ୍ପତି, ଏଭଳି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ, ନଚେତ ଜନଆନେ୍ଦାଳନ କରାଯିବ, ନ୍ୟାୟ ପାଇଁ ଏ ସହରର ସାଧାରଣ ଜନତା ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟହେବେ… ।” ଶହ ଶହ ଲୋକଙ୍କ ମିଳିତ ଚେତାବନୀ । ବିଚଳିତ ହୋଇପଡ଼ିଲେ ବିଚାରପତି ।
ବିଚାରପତି ମହୋଦୟ ବୋଧହୁଏ କ’ଣ କହିବାକୁ ଯାଉଥିଲେ, ଏତିକି ବେଳେ ସେଠାରେ ଉପସ୍ଥିତ ଫଗୁମାଷ୍ଟ୍ରେ୍ରଙ୍କ ତ୍ପୁଅ, ଜ୍ୱାଇଁ ଏକ ସ୍ୱରରେ ଚିକ୍ରାର କଲେ, “ବାପା ଗଲେ କୁଆଡ଼େ?… ବାପା… ବାପା.. ।” ଚୁପ୍ ପଡ଼ିଗଲା ହୋ ହଲ୍ଲା, ପାଟି ତୁଣ୍ଡ । କଚେରି ବାହାରକୁ ଧାଇଁଲେ ପୁଲିସବାଲା, ତାଙ୍କ ପଛେ ପଛେ ଉପସ୍ଥିତ ଲୋକେ । ଧାଁ ଧପଡ଼ ଚାଲିଲା ଏଣେ ତେଣେ.. ଫଗୁମାଷ୍ଟ୍ରେ ଗଲେ କୁଆଡ଼େ…?
ଫଗୁମାଷ୍ଟ୍ରେଙ୍କ ଆତ୍ମୀୟ ସ୍ୱଜନଙ୍କ ବିକଳ ଡାକରେ ଖଣ୍ଡମଣ୍ଡଳ କମ୍ପି ଯାଉଥାଏ । ଫଗୁମାଷ୍ଟ୍ରେଙ୍କ ବେଲ୍କୁ ବିରୋଧ କରୁଥିବା ବ୍ୟକ୍ତିମାନେ ଆକ୍ରୋଶରେ ଫଗୁମାଷ୍ଟ୍ରେକୁ ଅପହରଣ କରିଥିବା କେତେକ ଆଶଙ୍କା ବ୍ୟକ୍ତ କଲେ । ଏପରି ଆଶଙ୍କା ପ୍ରକାଶ ପାଇବା ମାତ୍ରେ ଏକ ପ୍ରକାର ହିଂସ୍ର ପରିବେଶ ସୃଷ୍ଟିର ଲକ୍ଷଣ ପ୍ରକାଶ ପାଇଲା । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିଦେ୍ର୍ଦଶରେ ଫଗୁମାଷ୍ଟ୍ରେଙ୍କ ବେଲ୍କୁ ବିରୋଧ କରୁଥିବା ଆବେଦନକାରୀ ଓ ସେମାନଙ୍କ ସମର୍ଥକମାନଙ୍କୁ ପୋଲିସ ସୁରକ୍ଷା ବଳୟମଧ୍ୟରେ ରଖାଯିବା ପ୍ରୟାସ ଆରମ୍ଭ ହୋଇଗଲା । ପୋଲିସର ଏପରି ଆଚରଣରେ ନିଖୋଜ ଫଗୁମାଷ୍ଟ୍ରେଙ୍କୁ ନଖୋଜି ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ବୋଲି କେତେକ ଅଭିଯୋଗ ଉଠାଇଥିଲେ । ଖାଲି ସେତିକି ନୁହେଁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏପରି ଅଭିଯୋଗକୁ ଗୁରୁତ୍ୱ ଦେଇ ଅଭିଯୋଗକାରୀଙ୍କ ସାକ୍ଷାତକାରର ସିଧାପ୍ରସାରଣ ଆରମ୍ଭ କରିଦେଲେ । ଫଗୁମାଷ୍ଟ୍ରେ ମାମଲାର ଆଖି ଦେଖା ହାଲ୍ ପ୍ରସାରଣ କରୁଥିବା ଗଣମାଧ୍ୟମ ଯେତେବେଳେ କାଠଗଡ଼ାରୁ ଫଗୁମାଷ୍ଟ୍ରେଙ୍କ ନିଖୋଜ ଖବର ସିଧା ପ୍ରସାରଣ ଆରମ୍ଭ କରିଦେଲେ ସେତେବେଳେ ଘରେ ବସି ଢ଼ୋଳାଇ ଢୋଳାଇ ଟିଭି ଦେଖୁଥିବା ଲୋକଙ୍କ ଆଖିରୁ ନିଦ ଛାଡ଼ିଗଲା । ଟିଭିର ଭଲୁ୍ୟମ୍ ବଢ଼ିଗଲା, ସେ ଶବ୍ଦରେ ନିଦରେ ଶୋଇଥିବା ଲୋକେ ଉଠିିପଡ଼ିିଲେ । ପୂରା ଭଲୁ୍ୟମ୍ରେ ହଜାର ହଜାର ଟିଭି ସେଟ୍ ଏକ ସଙ୍ଗେ ବାଜିବା ଦ୍ୱାରା ତମାମ ସହରରେ ଏକ ପ୍ରକାର ଉକ୍ରଣ୍ଠା ମିଶ୍ରିତ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଗଲା । ଅସମୟରେ ଘରେ ଘରେ ଆଲୁଅ ଜଳିବା ସହ ସହରର ଗଳିକନ୍ଦିରେ ଜନସାଧାରଣଙ୍କ କୋଳାହଳ ଶବ୍ଦରେ ବୁଲାକୁକୁରଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତ ଜୀବଜଗତ ଆତଙ୍କିତ ହୋଇପଡ଼ିଲେ । ଆରମ୍ଭ ହୋଇଗଲା ସେମାନଙ୍କ କଳରବ, ଅଧରାତିଟାରେ ସହର ତମାମ ବିଚିତ୍ର ପରିବେଶ ସୃଷ୍ଟି ହେଲା । କେତେକ ଯୁବକ ତଥା ଯୁବସୁଲଭ କୌତୂହଳ ପରାୟଣ ବ୍ୟକ୍ତିବିଶେଷ ନିଜ ଆଖିରେ ଏହି ଐତିହାସିକ ଘଟଣାଟିକୁ ଦେଖିବାକୁ ଦଳ ଦଳ ହୋଇ କଚେରି ପରିସରରେ ପହଞ୍ଚି ଗଲେ, ଅନ୍ଧାର ରାତିରେ କଚେରି ପରିସର ଜନାରଣ୍ୟରେ ପରିଣତ ହେଲା । ଫଗୁମାଷ୍ଟ୍ରେଙ୍କୁ ଖୋଜିବାକୁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଗଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିକଟସ୍ଥ ପରିତ୍ୟକ୍ତ କୂଅ ପୋଖରୀରେ ପଶି ଫଗୁମାଷ୍ଟ୍ରେଙ୍କୁ ଖୋଜୁଥିବା ବେଳେ ବନବିଭାଗ କର୍ମଚାରୀମାନେ ମୁଣ୍ଡରେ ବଡ଼ ବଡ଼ ଲାଇଟ୍ ଲଗାଇ କୋର୍ଟ ପରିସର ତଥା ନିକଟବର୍ତ୍ତୀ ଅଞ୍ଚଳର ବୁଦାଗହଳି, ଆଖପାଖରେ ଥିବା ବଡ଼ବଡ଼ ଗଛକୁ ଆଲୁଅ ପକାଇ ଫଗୁମାଷ୍ଟ୍ରେଙ୍କୁ ଖୋଜିବାରେ ଲାଗିପଡ଼ିଲେ । ପୋଲିସବାବୁମାନେ ହାତରେ ଚାରିସେଲିଆ ଟର୍ଚ୍ଚଲାଇଟ୍ ଧରି ଫଗୁମାଷ୍ଟ୍ରେଙ୍କୁ ଖୋଜୁଥିବା ବେଳେ ଅନ୍ୟ କେତେକ ପୋଲିସ ବଳ ଭିଡ଼ ସମ୍ଭାଳିବାରେ ଲାଗିଥାନ୍ତି । ସହରର ସମସ୍ତ ରାସ୍ତା ଘାଟ, ବସ୍ ଷ୍ଟାଣ୍ଡÿ, ରେଳଷ୍ଟେସନ୍ରେ ପୋଲିସ ବିଭାଗ ପକ୍ଷରୁ ଖାନତଲାସି ଆରମ୍ଭ ହୋଇଗଲା । ସରକାରୀ କର୍ମଚାରୀ ସଂଘର ଅଭିଯୋଗ, ଫଗୁମାଷ୍ଟ୍ରେ ଗିରଫ ଭୟରେ ସହର ଛାଡ଼ି ପଳାଇ ଯାଇଛନ୍ତି । ଏପରି ଅଭିଯୋଗରେ ଉତ୍କ୍ଷିପ୍ତ ଫଗୁମାଷ୍ଟ୍ରେ୍ରଙ୍କ କେତେକ ସମର୍ଥକ ଗଣମାଧ୍ୟମ ଆଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମାଷ୍ଟ୍ରେଙ୍କ ନାମରେ ଏପରି ଅପପ୍ରଚାର ବନ୍ଦ କରିବା ସହିତ ତୁରନ୍ତ ତାଙ୍କୁ ଖୋଜି ଆଣିବାକୁ ଦାବି ଜଣାଇଲେ । ସହରର କେତେଜଣ ବରିଷ୍ଠ ନାଗରିକ କୋର୍ଟ ପରିସରରେ ପହଞ୍ଚିି ଫଗୁମାଷ୍ଟ୍ରେଙ୍କ ଅନ୍ତର୍ଦ୍ଧାନରେ ମି୍ରୟମାଣ ହୋଇ ଏପରି ଶୋକବ୍ୟକ୍ତ କଲେ ଯେ ସମଗ୍ର ପରିବେଶ ଶୋକାକୁଳ ହୋଇଗଲା । ଫଗୁମାଷ୍ଟ୍ରେ ନିଖୋଜ ଘଟଣାରେ କେତେକ ଭାଙ୍ଗିପଡ଼ି କୋହ ସମ୍ଭରଣ କରିନପାରି ରାହାଧରି କାନ୍ଦିବାକୁ ଲାଗିଲେ, ସେମାନଙ୍କ କାନ୍ଦ ଦେଖି ଜଣକ ପରେ ଜଣେ ଏମିତି ଶହ ଶହ ଫଗୁପ୍ରେମୀ ଏପରି ରାହା ଧରି କାନ୍ଦିଲେ ଯେ ହୋ ହଲ୍ଲା, ରାଗରୋଷ,ଗର୍ଜନ, ପ୍ରତିଗର୍ଜନ ଉତ୍ତେଜନାପୂର୍ଣ୍ଣ କଚେରି ପରିବେଶ ତୁହାକୁ ତୁହା କୋହ, କ୍ରନ୍ଦନ ଶବ୍ଦରେ ଫାଟି ପଡ଼ିିଲା । ପୋଲିସ କର୍ମଚାରୀମାନେ ନାଲିଆଖି ଦେଖାଇ ଠେଙ୍ଗା ହଲାଇ ଅବସ୍ଥାକୁ ସମ୍ଭାଳିବେ କ’ଣ ନରମ ଗଳାରେ ଶୋକ ଜର୍ଜରିତ କଣ୍ଠରେ ଲୋକଙ୍କୁ ବୁଝାଇବାରେ ଲାଗିିଲେ । ରାତି ସରିବାକୁ ବସିଲାଣି ହେଲେ ଫଗୁମାଷ୍ଟ୍ରେଙ୍କ ପତ୍ତା ମିଳୁନି, ସମସ୍ତେ ଚିନ୍ତିତ । ଖୋଜାଖୋଜି କରି ନୟାନ୍ତ ହେଲେଣି ତଥାପି ଖୋଜା ଚାଲିଛି, ମାଷ୍ଟ୍ରେ ଗଲେ କୁଆଡ଼େ?
ସୂର୍ଯ୍ୟ ଉଇଁଲା.. ତୋଫା ଦିଶିଲା କଚେରିଘର, ବାରଣ୍ଡା, କୋଟର୍୍ ପରିସର, ରାସ୍ତା ଘାଟ । ପୁଅ, ଜ୍ୱାଇଁ, ଆତ୍ମୀୟସ୍ୱଜନ, ସରକାରୀ ଅଧିକାରୀ, ପୋଲିସ ପ୍ରଶାସନ ସମସ୍ତେ ଚିନ୍ତିତ… । ଚିନ୍ତାଗ୍ରସ୍ତ ବିଚାରପତି… ବିଷଣ୍ଣ… ଅନିଦ୍ରାଜନିତ କ୍ଲାନ୍ତି … ଧୀରେ ଧୀରେ ପାଦ ବଢ଼ାଉଥିଲେ ପ୍ରକୋଷ୍ଠ ଛାଡ଼ି ବାରଣ୍ଡା ଆଡକୁ… ଏତିକି ବେଳେ ଜଣେ କିଏ ଖବର ଦେଲା, “ଫଗୁମାଷ୍ଟ୍ରେ ଭ୍ୟାନ୍ରେ… ।”
ବିଚାରପତି ଏକମୁହାଁ ହୋଇ ଧାଇଁଲେ କୋର୍ଟଭ୍ୟାନ୍ ନିକଟକୁ ।
…ଫଗୁମାଷ୍ଟ୍ରେ ଭ୍ୟାନ୍ ଗେଟ୍ ପାଖରେ ହାତଯୋଡ଼ି ଠିଆ ହୋଇଥା’ନ୍ତି…. “ହଜୁର! ମୋତେ ଜେଲ୍ ପଠାଇଦିଅନ୍ତୁ… ମୁଁ ତ ସେଇଥି ପାଇଁ ପୁଅ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କୁ ଡକାଇଥିଲି, ଶେଷଥର ପାଇଁ ଆଖି ପୂରାଇ ଦେଖିବାକୁ । ଥାନାରେ ଖବର ଦେଇଥିଲି ମୋତେ ବାନ୍ଧି ହାଜତ ନେବାକୁ । ଖବରକାଗଜ, ଟିଭିବାଲାଙ୍କୁ ଡକାଇଥିଲି, ଏକ ଅସହାୟ ପ୍ରଜାର କରୁଣ କାହାଣୀ ସମାଜ ଓ ସରକାରକୁ ଜଣାଇବାକୁ ।… ହଜୁର! ଆଉ ନୁହେଁ । ସେ ଦରଭଙ୍ଗା ପୈତୃକ ଘରର ନିର୍ଜନତାଠାରୁ ଜେଲ୍ ଢ଼େର୍ ଭଲ… ଜେଲ୍ ତ ଏବେ ଆଉ ଅସାମାଜିକ, ଅପରାଧୀଙ୍କ ଖୁଆଡ଼ ହୋଇରହିନାହିଁ । ଶିକ୍ଷିତ, ପ୍ରତିଷ୍ଠିତ, ଧନାଢ଼୍ୟଙ୍କ ବାସସ୍ଥଳୀ ପାଲଟିଛି.. ମୋତେ ଲାଜ ମାଡ଼ିବନି । ମୋ ଦୋଷ ମୁଁ ସ୍ୱୀକାର କରୁଛି… ସରକାରୀବାବୁଙ୍କୁ ଅଶାଳୀନ ବ୍ୟବହାର କରିଛି… ଦଣ୍ଡନୀୟ ଅପରାଧ… ମୋ ଗୁହାରି ଗ୍ରହଣ କରିବା ହୁଅନ୍ତୁ ହଜୁର ।”
ନିର୍ବାକ ବିଚାରପତି । ଫଗୁମାଷ୍ଟ୍ରେଙ୍କ ପକ୍ଷ, ବିପକ୍ଷ ସମସ୍ତେ ନିରବ । କେବଳ ହସୁଥିଲେ ଫଗୁମାଷ୍ଟ୍ରେ, ପ୍ରଚଳିତ ଅବ୍ୟବସ୍ଥାରେ ନିଷ୍ପେସିତ …ଏକ ପରାଜିତର ନିର୍ଲଜ ହସ… ।