ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ଅକ୍ଷୟତୃତୀୟା ନାମରେ ପରିଚିତ । ହିନ୍ଦୁ ଶାସ୍ତ୍ରକାରଙ୍କ ମତରେ ସତ୍ୟଯୁଗର ଏହା ଆରମ୍ଭ ଦିବସ । ଏ ଦିବସ ଓଡ଼ିଶାର ଜନଜୀବନ ସହିତ ସଂପୃକ୍ତ । ଏହି ଦିନ ଜମିରେ ଅଖିମୁଠି ନେଇ ଧାନବୁଣା କାର୍ଯ୍ୟ ଆରମ୍ଭ ହୁଏ । ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ଓ ରଥ ଅନୁକୁଳ ହୁଏ । ସେହିପରି ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ନୃସିଂହ ଚତୁର୍ଦ୍ଦଶୀ ନାମରେ ବିଦିତ । ନୃସିଂହଙ୍କ ତୁଷ୍ଟି ନିମନ୍ତେ ଏହି ଚତୁର୍ଦ୍ଦଶୀ ପାଳନ କରାଯାଏ । ଏହି ବ୍ରତ ପାଳନ କରି ବ୍ରହ୍ମା ସୃଷ୍ଟି ସର୍ଜନା କରିଥିଲେ । ସେହିପରି ତ୍ରିପୁରାସୁର ବଧ କରିବା ପୂର୍ବରୁ ମହାଦେବ ମଧ୍ୟ ଏହା କରିଥିଲେ । ଏହି ବ୍ରତ ଫଳରେ ମନୁଷ୍ୟ ସହସ୍ର ଦ୍ୱାଦଶୀ ଫଳ ଲାଭ କରେ ବୋଲି କୁହାଯାଏ ।
ବୈଶାଖ ଶୁକ୍ଳ ତୃତୀୟା ଅକ୍ଷୟ ତୃତୀୟା ନାମରେ ପରିଚିତ । ଏ ଦିନ ଯେଉଁ ଦାନପୁଣ୍ୟ କରାଯାଏ, ତାହା ଅକ୍ଷୟ ହୋଇ ରହେ ବୋଲି ପୁରାଣ ମତ । ଏଣୁ ଅକ୍ଷୟ ପୁଣ୍ୟଯୁକ୍ତା ତୃତୀୟା ଭାରତୀୟ ହିନ୍ଦୁ ସଂସ୍କୃତିରେ ଏକ ଉଲ୍ଲେଖଯୋଗ୍ୟ ଓ ବହୁସ୍ମୃତିଧାରକ ପୁଣ୍ୟ ତିଥି । ପୁଣ୍ୟମାସ ବୈଶାଖର ଏହା ପୁଣ୍ୟତମ ଦିବସ ।
ସ୍କନ୍ଧପୁରାଣରେ ମଧ୍ୟ ଅକ୍ଷୟ ତୃତୀୟାର ସ୍ପଷ୍ଟ ଉଲ୍ଲେଖ ଅଛି- “ବୈଶାଖସ୍ୟ ସିତେ ପକ୍ଷେ ତୃତୀୟାଽକ୍ଷୟା କଥ୍ୟତେ” ।
ସର୍ବଭାରତୀୟ ସ୍ତରରେ ଏ ଦିବସଟିର ମହତ୍ତ୍ୱ ମୁଖ୍ୟତଃ ଗଙ୍ଗାସ୍ନାନ, ସତ୍ୟ ଯୁଗ ଉତ୍ପତ୍ତି, ଦାନ ଇତ୍ୟାଦି ଉପରେ ଆଧାରିତ ହୋଇଥିଲେ ମଧ୍ୟ ଉକ୍ରଳରେ ଏହାର ତାତ୍ପର୍ଯ୍ୟ ଇତିହାସ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।
ବୈଶାଖ ଶୁକ୍ଳ ତୃତୀୟା ଗଙ୍ଗାସ୍ନାନ ଭଗବାନ କୃଷ୍ଣଙ୍କର ଚନ୍ଦନ ଅର୍ଚ୍ଚନା ନିମନ୍ତେ ମହତ୍ତ୍ୱପୂର୍ଣ୍ଣ । ଗ୍ରୀଷ୍ମଋତୁର ଏହି ଦିନ ଦାନ ଦୃଷ୍ଟିରୁ ମଧ୍ୟ ପ୍ରଶସ୍ତତର । ବସନ୍ତ ଋତୁର ଦୁଇମାସ ଚୈତ୍ର ଓ ବୈଶାଖ ପ୍ରାଚୀନ ପନ୍ଥୀ ପଣ୍ଡିତମାନଙ୍କ ମତରେ ମଧୁ ଓ ମାଧବ ମାସ ନାମରେ କଥିତ । ମଧୁ ମାସ ଚୈତ୍ର ‘ଫୁଲର ମାସ ମାତ୍ର ମାଧବ ଅର୍ଥାତ୍ ବୈଶାଖ ‘ଫଳ’ର ମାସ । ଏହି ମାସରେ ନାନାବିଧ ଫଳ କୃଷିପ୍ରଧାନ ଭାରତୀୟଙ୍କ ଗୃହକୁ ଆସେ । ଏଣୁ ଏ ମାସ ଦାନ ନିମନ୍ତେ ଏକାନ୍ତ ଅନୁକୂଳ । ଦ୍ୱିତୀୟତଃ ଚୈତ୍ରମାସରେ ମୀନସଂକ୍ରାନ୍ତି (ଖରମାସ) ରହେ । ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ବୈଶାଖ ମାସରେ ଥାଏ । ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ବୈଶାଖ ଓ କାର୍ତ୍ତିକ ଏହି ଦୁଇ ମାସରେ ଥାନ୍ତି । ଏଣୁ ବୈଶାଖର ଅକ୍ଷୟ ତୃତୀୟା ଏବଂ କାର୍ତ୍ତିକର ଅକ୍ଷୟ ନବମୀ ଏହି ଦୁଇଦିନ ଦାନ ନିମନ୍ତେ ପ୍ରକୃଷ୍ଟ ସମୟ । ପୁଣି ପକ୍ଷ ଦିଗରୁ ବିଚାର କଲେ ଜଣାଯାଏ ଯେ ଶୁକ୍ଳପକ୍ଷ ସକଳ ପ୍ରକାର ଦେବକାର୍ଯ୍ୟ ଓ ମାଙ୍ଗଳିକ ବିଧାନ ନିମନ୍ତେ ପ୍ରଶସ୍ତ । ତୃତୀୟତଃ ତୃତୀୟା ତିଥିକୁ ଜୟା ତିଥି ବୋଲି କୁହାଯାଏ । ପୁଣି ଶୁକ୍ଳପକ୍ଷର ଏହି ତିଥି ଶୁଭ ।
ଏହି ଶୁକ୍ଳତୃତୀୟା ପୁଣି ଗୌରୀଙ୍କ ଦିନ ଓ ଚତୁର୍ଥୀ ସିଦ୍ଧିଦାତା ଗଣନାଥଙ୍କ ଦିବସ ରୂପେ ସର୍ବତ୍ର ଜଣାଶୁଣା- ‘ଚତୁର୍ଥୀ ଗଣନାଥସ୍ୟ ଗୌର୍ଯ୍ୟାସ୍ତତ୍ ପୂର୍ବ ବାସରେ ।’
ଏଣୁ ଏହି ଦୁଇ ଦିବସ ବିଘ୍ନନାଶନକାରୀ ଦେବତାଙ୍କ ଦିବସ ରୂପେ ପୁଣ୍ୟ ।
ଅକ୍ଷୟ ତୃତୀୟା ସ୍ନାନ ଓ ଦାନର ପର୍ବ । ଏହି ଦାନ ପୁଣି ସତ୍ ପାତ୍ରରେ ହେବା ବିଧେୟ । ଧର୍ମଶାସ୍ତ୍ର କହେ-
‘ଗୋଭୂତିଳ ହିରଣ୍ୟାନି ପାତ୍ରେ ଦାତବ୍ୟ ମର୍ଚିତେନ୍
ନା ପାତ୍ରେ ବିଦୁଷା କିଞ୍ଚିତ୍ ନହି ଭସ୍ମନି ହୂୟତେ ।’
ଅର୍ଥାତ୍ ଗାଭୀ, ଭୂମି, ସୁବର୍ଣ୍ଣ, ତିଳ ଆଦି ସକ୍ରାର ପୂର୍ବକ ସତ୍ପାତ୍ରରେ ଦାନ କରିବ । ଅପାତ୍ରରେ ଦାନ ପାଉଁଶରେ ହୋମ କରିବା ସମାନ ଅଟେ । କେବଳ ବିଦ୍ୟା ଅଥବା ତପ ଦ୍ୱାରା ପାତ୍ର ବଛାଯାଆନ୍ତି ନାହିଁ । ଯାହାଠାରେ ସଦାଚାର ତପ ଓ ବିଦ୍ୟା ତିନୋଟି ଏକତ୍ର ଥାଏ ସେହି ହିଁ ସତ୍ ପାତ୍ର । ଏଣୁ ଭାରତୀୟ ପଦ୍ଧତି ଅନୁସାରେ ଉପଭୋଗ୍ୟ ବସ୍ତୁ ପ୍ରଥମେ ଦାନ କରିପାର ତାକୁ ଉପଭୋଗ କରିବାକୁ ହେବ ଓ ଋତୁ ଅନୁକୂଳ ବସ୍ତୁ ଦାନ କରିବାକୁ ହେବ । ଏହି ଦୃଷ୍ଟିରୁ ଅକ୍ଷୟ ତୃତୀୟା ଦିନ ବା ଗ୍ରୀଷ୍ମଋତୁରେ ଆନନ୍ଦ ମନରେ ପ୍ରପାନକ, ଜଳ, ଫଳ, ଶୁଷ୍କବସ୍ତ୍ର, ସ୍ୱଚ୍ଛସ୍ୱାଦୁ ମଧୁ, କର୍ପୂର ରଜ ଓ ଉଜ୍ଜ୍ୱଳ ପୁଷ୍ପମାଳା ଦାନ ପକ୍ଷେ ଗଣ୍ୟ, କାରଣ ଏସବୁ ଗ୍ରୀଷ୍ମତାପ ହରଣକାରୀ ।
ଗଙ୍ଗାସ୍ନାନ- ଅକ୍ଷୟ ତୃତୀୟା ଦିନ ଗଙ୍ଗାସ୍ନାନ ଯେ କୌଣସି ହିନ୍ଦୁ ପକ୍ଷେ କରଣୀୟ । କାରଣ ଏହି ନିର୍ଦ୍ଦିଷ୍ଟ ଦିବସରେ ଗଙ୍ଗାସ୍ନାନ କଲେ ସର୍ବପାପ ନାଶ ଯାଏ । ଲେଖାଅଛି-
‘ବୈଶାଖେ ଶୁକ୍ଳପକ୍ଷେ ତୁ
ତୃତୀୟାୟାଂ ତଥୈବ ଚ
ଗଙ୍ଗା ତୋୟେ ନରଃ ସ୍ନାତ୍ୱା,
ମୁଚ୍ୟତେ ସର୍ବକଳ୍ମିଷୈଃ ।’ (ନିର୍ଣ୍ଣୟସିନ୍ଧୁ)
ସ୍ନାନ ମାତ୍ରେ ପବିତ୍ର । ସ୍ନାନ ଦ୍ୱାରା ଆୟୁର୍ବେଦ ମତେ ନିମ୍ନ ଫଳ ପ୍ରାପ୍ତ ହୁଏ ।
‘ଦୀପନଂ ବୃଷ ମାୟୁଷ୍ୟଂ ସ୍ନାନ ମୂର୍ଜାବଳପ୍ରଦମ୍
କଣ୍ଡୂମଳ ଶ୍ରମ ସ୍ୱେଦ ତନ୍ଦ୍ରାତୃଡ୍ଦାହ ପାପଜିତ୍ ।’
ଅର୍ଥାତ୍ ସ୍ନାନ ଅଗ୍ନିକୁ ପ୍ରଦୀପ୍ତ କରେ । ଏହା ଶୁକ୍ରବର୍ଦ୍ଧକ, ଆୟୁକାରକ, ଉତ୍ସାହ ଓ ବଳ ବୃଦ୍ଧିକାରୀ । କୁଣ୍ଡିଆ, ମଇଳା, କ୍ଲାନ୍ତି, ଝାଳ, ତୃଷା, ଜ୍ୱାଳା- ହରଣକାରୀ ଓ ପାପ ପରାସ୍ତକାରୀ ଅଟେ । କୂପ, ପୁଷ୍କରିଣୀରେ ସ୍ନାନ ଅପେକ୍ଷା ନଦୀ ସ୍ନାନ ବେଶି ସ୍ୱାସ୍ଥ୍ୟପ୍ରଦ । ପୁଣି ଗଙ୍ଗାସ୍ନାନ ଏ ପୁଣ୍ୟ ଦିନରେ କୋଟି ଜନ୍ମର ପାତକହାରକ ।
ଚନ୍ଦନୋତ୍ସବ, ଦ୍ୱାପର ଯୁଗୀୟ ଉତ୍ସବ : ଚନ୍ଦନୋତ୍ସବର ପ୍ରାରମ୍ଭ ଅକ୍ଷୟ ତୃତୀୟାର ଅନ୍ୟତମ ଆକର୍ଷଣ । ବସନ୍ତର ଏହା ଶେଷଭାଗ ଓ ଗ୍ରୀଷ୍ମର ଆରମ୍ଭ ହୋଇଥିବାରୁ ଆୟୁର୍ବେଦମତେ ଚନ୍ଦନ ଲେପନ ଶରୀର ପକ୍ଷେ ଅନୁକୁଳ । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପରେ ଶରୀର ଉତ୍ତପ୍ତ ହୁଏ, ଝାଞ୍ଜୀ ପବନ ପିଟେ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚନ୍ଦନ ସେବନ ଏକ ଅବ୍ୟର୍ଥ ଫଳପ୍ରଦ ବ୍ୟବସ୍ଥା । ଆୟୁର୍ବେଦ ଶାସ୍ତ୍ରରେ ଲେଖାଅଛି-
‘ଚନ୍ଦନଂ ଶୀତଳଂ ରୁକ୍ଷଂ ତିକ୍ତ ମାହ୍ଲାଦନଂ ଲଘୁ
ଶ୍ରମ ଶୋଷ ବିଷ ଶ୍ଳେଷ୍ମ ତୃଷ୍ମା ପିତ୍ତାପ୍ରଦାହନୁତ୍’
(ଭାରତୀୟ ବ୍ରତୋତ୍ସବ ଗ୍ରନ୍ଥରୁ)
ଅର୍ଥାତ୍ ଚନ୍ଦନ ଥଣ୍ଡା ଓ ପ୍ରସନ୍ନକାରୀ ଅଟେ । ଏହାକୁ ସେବନ କରିବା ଦ୍ୱାରା ବିଷ, କଫ, ତୃଷା, ରକ୍ତପିତ୍ତ ଏବଂ ଜଳାପୋଡ଼ା ଦୂର ହୁଏ । ଉକ୍ରଳରେ ଏହି ଚନ୍ଦନ ମହୋତ୍ସବର ଅଗ୍ରଣୀ ନିଜେ ଶ୍ରୀଜଗନ୍ନାଥ । ସାଧାରଣ ମନୁଷ୍ୟ ପରି ତାଙ୍କୁ ଜ୍ୱର ହୁଏ । ସେ ବିଶ୍ରାମ ନିଅନ୍ତି । ତାଙ୍କୁ ଗ୍ରୀଷ୍ମ ବାଧେ । ଏଣୁ ସେ ମଧ୍ୟ ସାଙ୍ଗସାଥୀ ପରିବାରବର୍ଗ ସହ ସାନ୍ଧ୍ୟ ବିହାରରେ ବାହାରନ୍ତି । ଏହା ତାଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଏହି ଚନ୍ଦନଯାତ୍ରା ଅକ୍ଷୟତୃତୀୟାରୁ ହିଁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣପକ୍ଷ ଅଷ୍ଟମୀରେ ଶେଷ ହୁଏ । ଏହି ଚନ୍ଦନଯାତ୍ରା ପ୍ରଥମେ ଦ୍ୱାପର ଯୁଗରେ ପଞ୍ଚପାଣ୍ଡବଙ୍କ ନେତୃତ୍ୱରେ ଭଗବାନ ବ୍ରଜେନ୍ଦ୍ରନନ୍ଦନଙ୍କୁ କେନ୍ଦ୍ର କରି ବିରାଟ ରାଜାଙ୍କ କେଳି ସରୋବରରେ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ‘ସମାଚାର’ରୁ ଜଣାଯାଏ ରାଜା ବିରାଟ ଭକ୍ତି ପରବଶ ହୋଇ ଯୁଧିଷ୍ଠିରଙ୍କୁ ପଚାରିଲେ, “କିପରି ଶ୍ରୀକୃଷ୍ଣଙ୍କୁ ଆପ୍ୟାୟିତ କରିପାରିବି ।” ପାଣ୍ଡବମାନେ କହିଲେ- ‘ତାଙ୍କୁ ମନରେ ଧ୍ୟାନ କରି ଆପଣ ଗ୍ରୀଷ୍ମକାଳରେ କେଳି ସରୋବରରେ ଚନ୍ଦନ ପନିର ଜଳର ସୁଗନ୍ଧିତ ବାତାବରଣରେ ନୌକା ବିହାର କରନ୍ତୁ । ଆମ୍ଭେମାନେ ସେତିକିବେଳେ ରାମକୃଷ୍ଣଙ୍କୁ ଏଠାକୁ ଆବାହନ କରିବୁ । ସେହି କାରଣରୁ ନିଦାଘ ଋତୁର ଯୌବନ କାଳରେ ପଞ୍ଚୁପାଣ୍ଡବ ରାମକୃଷ୍ଣଙ୍କୁ ନେଇ ବିରାଟ ପୁରରେ କେଳି ସରୋବରରେ ଚନ୍ଦନଯାତ୍ରା କରାଇଥିଲେ । ଦ୍ୱାପର ଯୁଗର ଉତ୍ସବଟି ଶ୍ରୀକ୍ଷେତ୍ରରେ ଆଚରିତ ହେଉଛି । ସେହି ପଞ୍ଚପାଣ୍ଡବ ହେଉଛନ୍ତି ପଞ୍ଚଶମ୍ଭୁ । ‘ଚନ୍ଦନମଣ୍ଡପରେ ସ୍ୱତନ୍ତ୍ର ନିର୍ମିତ ଚନ୍ଦନ କୁଣ୍ଡ ଥାଏ । ଦିନଚାପ ପରେ ଠାକୁରମାନଙ୍କୁ ନିଜନିଜ ଚନ୍ଦନ କୁଣ୍ଡରେ ଜଡାଇ ରଖି ଜଳକେଳି କରାଯାଏ । ପ୍ରାୟ ତିନି ଦଣ୍ଡ କାଳ ଏ ଚନ୍ଦନ କ୍ରୀଡ଼ା ହୁଏ । ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତବସନ ବନମାଳୀଙ୍କ ମନ ଭୁଲାଣିଆ ଦୃଶ୍ୟ ଭକ୍ତକୁ ଭାବବିହ୍ୱଳ କରେ । ମଦନମୋହନ ଦେବୀ, ଭୂଦେବୀ ଓ ମୁଖ୍ୟ ଭାବରେ ରାମକୃଷ୍ଣ ଓ ପଞ୍ଚପାଣ୍ଡବ ବଡ଼ଦାଣ୍ଡ ଉଛୁଳାଇ ଚନ୍ଦନ ସରୋବରକୁ ଯାତ୍ରା କରନ୍ତି । ବିରାଟ ପୁଷ୍କରିଣୀରେ ବୈରାଟିକା ଓ ସୁନନ୍ଦା ନାମକ ଦୁଇଟି ପୋତ ସଜ୍ଜିତ ଥାଏ ।
ଶାସ୍ତ୍ର ଉଲ୍ଲେଖ ମତେ ଏହି ତୃତୀୟା ତିଥିରେ ଚନ୍ଦନାର୍ଚ୍ଚିତ ଶିବଙ୍କୁ ଯେ ଦର୍ଶନ କରେ ତାହାର ବ୍ରହ୍ମହତ୍ୟା ପାତକ ଆଦି ଦୂରୀଭୂତ ହୁଏ ।
ମୋଟ ଉପରେ ଅକ୍ଷୟ ତୃତୀୟା ‘ଅଖିମୁଠି ଅନୁକୁଳ’ ବା ନୂତନ ବୀଜ ବପନ ଦୃଷ୍ଟିରୁ କୃଷିଜୀବୀ ଉକ୍ରଳବାସୀଙ୍କ ପକ୍ଷରେ ଯେପରି ଏକ ଭୌଗୋଳିକ ଶୁଭ ଦିବସ, ପୌରାଣିକ ଦୃଷ୍ଟିକୋଣରୁ ମଧ୍ୟ ସେହିପରି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ମରଣୀୟ ଦିବସ ।
ନୃସିଂହ ଚତୁର୍ଦ୍ଦଶୀ
ବୈଶାଖା ମାସ ଶୁକ୍ଳ ଚତୁର୍ଦ୍ଦଶୀ ନୃସିଂହ ଚତୁର୍ଦ୍ଦଶୀ ନାମରେ ବିଦିତ । ନୃସିଂହଙ୍କ ତୁଷ୍ଟି ନିମନ୍ତେ ଏହି ଚତୁର୍ଦ୍ଦଶୀ ପାଳନ କରାଯାଏ ।
ସୂର୍ଯ୍ୟାସ୍ତ ସମୟ ଚତୁର୍ଦ୍ଦଶୀ ତିଥି ହେଲେ ସେହିଦିନ କରିବା ଉଚିତ୍ । ଦୁଇଦିନ ସୂର୍ଯ୍ୟାସ୍ତ ସମୟେ ଚତୁର୍ଦ୍ଦଶୀ ତିଥି ପଡ଼ିଲେ ଦୁଇଦିନ ନ ପାଳି ପରଦିନ ପାଳିବା ବିଧେୟ । ଏ ଦିନ ଶନିବାର ଓ ସ୍ୱାତୀ ନକ୍ଷତ୍ର ହେଲେ ଆହୁରି ଭଲ । ଜ୍ୟୋତିଃଶାସ୍ତ୍ରାନୁସାରେ ଆରମ୍ଭ ଓ ସମାପ୍ତି ଶନିବାର ହେବା ଉଚିତ୍ । ଯଥା- “ସ୍ୱାପ୍ୟଂ ସମାପ୍ୟଂ ଶନି ଭୌମବାରେ’ ପୁଣି ସ୍ୱାତୀ ନକ୍ଷତ୍ର ଅପୁନରାଶମନ ଦିବସ ନାମେ ଗଣ୍ୟ- ଚିତ୍ରା ସ୍ୱାତୀଗତା ମେଧା-ଶ୍ଚିତ୍ରା ସ୍ୱାତୀ ଗତାନରାଃ ନ ପୁନ ଗୃର୍ହମାୟାତି’ ଅର୍ଥାତ୍ ଏ ନକ୍ଷତ୍ରରେ ଗଲେ ଆଉ ଫେରିହୁଏ ନାହିଁ ।
ତାତ୍ପର୍ଯ୍ୟ : ମଧୁଋତୁର ପ୍ରଥମ ମାସ ‘ଚୈତ୍ର’ରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଅବତାର ପୁଣି ଦ୍ୱିତୀୟ ମାସ ‘ମାଧବ’ରେ ‘ନୃସିଂହ’ଙ୍କର । ଜଣେ ‘ଶାନ୍ତ’ ମୂର୍ତ୍ତି ଓ ଅନ୍ୟ ଜଣକ ‘ଉଗ୍ର’ ମୂର୍ତ୍ତି । ଚୈତ୍ର କମନୀୟତାରେ ଜଣେ କାନ୍ତକୋମଳ, ବୈଶାଖର ରୌଦ୍ରତାପରେ ଅନ୍ୟ ଜଣକ ଉଗ୍ର ଓ ଭୀଷଣ । ନୃସିଂହାବତାର ଭଗବାନଙ୍କ ଦଶ ବା ଚବିଶ ଅବତାର ମଧ୍ୟରୁ ଅନ୍ୟତମ । ସାଧାରଣତଃ ଅବତାରମାନଙ୍କ ମଧ୍ୟରେ ରାମ, କୃଷ୍ଣ, ନୃସିଂହ ଓ ବାମନ ଏହି ଚାରି ଅବତାର ଶ୍ରେଷ୍ଠ । ରାମାୟଣରେ ରାମ ଓ ଭାଗବତ ଏବଂ ମହାଭାରତରେ କୃଷ୍ଣମହିମା ଧ୍ୱନିତ । ନୃସିଂହାବତାର କାହାଣୀ ଶ୍ରୀମଦ୍ ଭାଗବତର ସପ୍ତମ ସ୍କନ୍ଧରେ ବିସ୍ତାରିତ । ଭକ୍ତ ପ୍ରହ୍ଲାଦର ତାରଣ ଓ ଅଧର୍ମୀ ହିରଣ୍ୟକଶିପୁର ମାରଣ ଏ ଅବତାରର ଲକ୍ଷ୍ୟ ।
କଥା- ହରିଣ୍ୟକଶିପୁ ବଧ ପରେ ନୃସିଂହଙ୍କର କୋପ ଶାନ୍ତ ହେଲା । ଭକ୍ତ ପ୍ରହ୍ଲାଦ ପ୍ରଭୁଙ୍କ କୋଳରେ ବସି କରପତ୍ର ଯୋଡ଼ି ପଚାରିଲେ, “ହେ ପ୍ରଭୁ! ଆପଣଙ୍କ ପ୍ରତି ମୋର ଭକ୍ତିର କାରଣ କହନ୍ତୁ ।” ଭଗବାନ କହିଲେ, “ପୁତ୍ର କଳ୍ପରେ ତୁମେ ଏକ ବ୍ରାହ୍ମଣପୁତ୍ର ଥିଲ । ତୁମ ନାମ ଥିଲା ‘ବାସୁଦେବ’ । ତୁମେ ବେଶ୍ୟାଗାମୀ ଥିଲ । ତୁମର ପିତା ବସୁଶର୍ମା ଧାର୍ମିକ ଥିଲେ । ତୁମର ମା’ ମଧ୍ୟ ସୁଶୀଳା ଥିଲେ । ତୁମକୁ ମିଶାଇ ତୁମେ ପାଞ୍ଚଭାଇ ଥିଲ । ତୁମେ ସବୁଠାରୁ ସାନ ଥିଲ । ବେଶ୍ୟାସଙ୍ଗ, ଧନ ଚୋରିରେ ତୁମେ ପ୍ରବୃତ୍ତ ଥିଲ । ଦିନେ ସେ ବେଶ୍ୟାସହ ତୁମର ଝଗଡ଼ା ହେଲା । ତୁମେ ଭୋଜନ କଲ ନାହିଁ, ସେ ବେଶ୍ୟା ମଧ୍ୟ ନିରାହାରରେ ରହିଲା । ଉଭୟ ଏହିପରି ଉପବାସ କଲ । ତୁମ ଅଜ୍ଞାତରେ ସେଦିନ ମୋର ଶ୍ରେଷ୍ଠ ବ୍ରତ ପଡ଼ିଥିଲା । ଉଭୟ ମଧ୍ୟ ଜାଗରଣରେ ରହିଥିଲ । ତେଣୁ ଅତ୍ୟନ୍ତ ପୁଣ୍ୟ ଫଳ ତୁମ ଦୁହିଁଙ୍କୁ ଅଜ୍ଞାତରେ ମିଳିଲା ।”
ବ୍ରତଫଳ : ଏହି ବ୍ରତ ପାଳନ କରି ପ୍ରଥମେ ବ୍ରହ୍ମା ସୃଷ୍ଟି ସର୍ଜନା କରିଥିଲେ । ତ୍ରିପୁରାସୁର ବଧ କରିବା ପୂର୍ବରୁ ଶିବ ମଧ୍ୟ ଏହା କରିଥିଲେ । ବହୁ ରାଜା ଓ ଋଷି ଏ ବ୍ରତ କରି ପୁଣ୍ୟ ଫଳ ପ୍ରାପ୍ତ ହୋଇଅଛନ୍ତି । ଏହି ବ୍ରତ ପ୍ରଭାବରେ ସେ ବେଶ୍ୟା ମଧ୍ୟ ଅନ୍ୟ ଜନ୍ମରେ ଅପ୍ସରା ହୋଇ ସ୍ୱର୍ଗବାସ କରି ପରେ ମୋକ୍ଷପଦ ଲାଭକଲା । ଧନ, ଜଳ, ଗୋପଲକ୍ଷ୍ମୀ ସହ ଅଶେଷ ପୁଣ୍ୟ ଓ ସିଦ୍ଧି ଏ ବ୍ରତ କଲେ ମିଳେ ।
ଏ ବ୍ରତ ଫଳରେ ମନୁଷ୍ୟ ସହସ୍ର ଦ୍ୱାଦଶୀ ଫଳ ଲାଭ କରେ । ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସର୍ବ ପାପନାଶକ ଅଟେ । ଏ ଦିନ ପ୍ରାତଃରୁ ଦନ୍ତ ଧାବନ କରି ନିମ୍ନ ମନ୍ତ୍ର ମତେ ନିୟମ ପାଳନ କରିବା ଉଚିତ୍ ।
“ନୃସିଂହଦେବ ଦେବେଶ ତବ ଜନ୍ମଦିନେ ଶୁଭେ
ଉପବାସଂ କରିଷ୍ୟାମି ସର୍ବ-ଭୋଗ-ବିବର୍ଜିତମ୍
ଶ୍ରୀନୃସିଂହ ମହୋଗ୍ରସ୍ତ୍ୱଂ ଦୟାଂ କୃତ୍ୱା ମମୋପରି
ଅଦ୍ୟାହଂ ପ୍ରବିଧାସ୍ୟାମି ବ୍ରତଂ ନିର୍ବିଘ୍ନତାଂ ନୟ ।”
ଏ ଦିନ ବ୍ରତାଚାରୀମାନେ ମିଥ୍ୟାଭାଷଣ ପରିତ୍ୟାଗ କରିବେ । ସ୍ତ୍ରୀ ଓ ଜୁଆ ଖେଳ ବର୍ଜନ କରି ନୃସିଂହ ରୂପ ସ୍ମରଣ କରିବେ । ସ୍ନାନାନ୍ତେ ଉତ୍ତମ କରି ବସ୍ତ୍ର ପରିଧାନ କରି ଭକ୍ତିପୂର୍ବକ ନୃସିଂହ ରୂପ ଧ୍ୟାନ କରି ଭୂମିରେ ଗୋମୟ ଲେପନ ପୂର୍ବକ ଅଷ୍ଟଦଳ କମଳ ଲେପନ ତିଆରି କରିବେ । ଏହା ଉପରେ ପୂଜା ଉପକରଣ ରଖି ନୃସିଂହ ମୂର୍ତ୍ତିକୁ ନୈବେଦ୍ୟ ଅର୍ପଣ କଲାବେଳେ ଏହି ମନ୍ତ୍ର ପାଠ କରିବେ-
“ନୃସିଂହାଚୁ୍ୟତ ଦେବେଶ ଲକ୍ଷ୍ମୀକାନ୍ତ ଜଗତ୍ପତେ
ଅନେନାର୍ଘ୍ୟପ୍ରଦାନେନ ତୁଷ୍ଟୋଭବ ମମୋ ପରି ।”
ଯେକୌଣସି ବର୍ଣ୍ଣର ଲୋକେ ଏ ବ୍ରତ କରିପାରିବେ । ନିମ୍ନ ମତେ ମନ୍ତ୍ର ପଢ଼ି ଧ୍ୟାନ କରିପାରିବେ-
“ମଦ୍ ବଂଶେ ଯେ ନରା ଜାତା
ଯେ ଜନିଷ୍ୟନ୍ତି ଚାପରେ
ତାନ୍ ସମୁଦ୍ଧର ଦେବେଶ
ଦୁଃଖଦାଦ୍ ଭବସାଗରାତ୍ ।
‘ପାତକାର୍ଣ୍ଣବ-ମଗ୍ନସ୍ୟ ମହା-ଦୁଃଖ-ଗତସ୍ୟ ମେ
କରାବଲମ୍ବନଂ ଦେହି ଶେଷଶାୟିନ୍ ଜଗତ୍ପତେ ।
ଶ୍ରୀନୃସିଂହ ରମାକାନ୍ତ ଭକ୍ତାନାଂ ଭୟନାଶକ
ବ୍ରତୋନାନେନ ମେ ଦେବ ଭୁକ୍ତିମୁକ୍ତିପ୍ରଦୋଭବ ।”
‘ଉପବାସ’ ଏ ବ୍ରତର ମୂଳ ଓ ଏହି ଉପବାସର ଗୁରୁତ୍ୱ ସମ୍ବନ୍ଧରେ ଆୟୁର୍ବେଦ ଶାସ୍ତ୍ରରେ କଥାଟିଏ ଅଛି । ଥରେ ଜଣେ ପଣ୍ଡିତ ଆୟୁର୍ବେଦବିତ୍ ବୈଦ୍ୟଙ୍କୁ ନିମ୍ନମତେ ପ୍ରଶ୍ନ କରିଥିଲେ-
“ଅଭୁମିଜଂ ନିରାକାରଂ ପଥ୍ୟଂ ଷଡ୍ରସବର୍ଜିତମ୍
ଚରକେଶ ସମାଖ୍ୟାତଂ ବଦବୈଦ୍ୟ କିମୋଷଧମ୍ ।”
ଅର୍ଥାତ୍ ଭୂମିରୁ ଜନ୍ମି ନାହିଁ, ଆକାର ଶୂନ୍ୟ, ପଥ୍ୟ ଛ’ ପ୍ରକାର ରସ ମଧ୍ୟରୁ କୌଣସି ରସଯୁକ୍ତ ନୁହେଁ, ତେଣୁ ରସ ହୀନ । ଏପରି କେଉଁ ଔଷଧିୀ ବର୍ଣ୍ଣନା ଚରକ କରିଛନ୍ତି । ଉତ୍ତରରେ ବୈଦ୍ୟ ମହାଶୟ କହିଥିଲେ- ‘ଲଙ୍ଘନଂ’ ବା ଉପବାସ । ଈଶ୍ୱର ପ୍ରାପ୍ତି ପାଇଁ ଦରକାର ସାଧନା ଓ ଏହି ସାଧନା ଅବଶ୍ୟ କରେ ସୁସ୍ଥ ଦେହ ଓ ସୁସ୍ଥ ମନ । ସୁସ୍ଥ ଦେହ ଓ ସୁସ୍ଥ ମନର ଏକମାତ୍ର ନିର୍ଭରଯୋଗ୍ୟ ସହାୟକ ହେଉଛି ଉପବାସ ।