ସମ୍ବିତ-ସାଗର ଟ୍ରଷ୍ଟର ପ୍ରତିଷ୍ଠାତା, (ଚେନ୍ନାଇ ମହାବଳୀପୁରମ୍, ରାସ୍ତା ମୁଖ୍ୟ ଆଧ୍ୟାତ୍ମିକ ଆଶ୍ରମ ସଂପ୍ରତି ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନଙ୍କରେ ତଥା ଭାରତର ବିଭିନ୍ନ ପ୍ରାନ୍ତରେ ସଂପ୍ରସାରିତ ସ୍ୱକୀୟ ଆଶ୍ରମ ଉପଗତ ଶିଷ୍ୟମାନଙ୍କୁ ନେଇ ଭବିଷ୍ୟତର ଶିକ୍ଷା ଓ ଜୀବନ ନିର୍ମାଣ ଦିଗରେ ଏକ ବୃହତ୍ତର ଓ ମହତ୍ତର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପବଦ୍ଧ ସ୍ୱାମୀ ଶୁଦ୍ଧାନନ୍ଦ ସରସ୍ୱତୀ ଜଣେ ସିଦ୍ଧିପ୍ରାପ୍ତ ସାଧକ । ନିବିଡ ସମ୍ବେଦନ ଓ ଶ୍ରଦ୍ଧାର ମୂର୍ତ୍ତିମନ୍ତ ପ୍ରତୀକ ଓ ପ୍ରଚୋଦକ ଏହି ନମ୍ରଭାଷୀ, ନିରଳସ ସନ୍ୟାସୀ ଜଣଙ୍କ ୮୦ଦଶକରେ (୧୯୭୨) ରେଭେନ୍ସା କଲେଜରେ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କାଳରେ ତୀବ୍ର ଅନ୍ୱେଷା ଓ ଅନ୍ତର୍ମୁଖୀ ଆହ୍ୱାନର ବଶବର୍ତ୍ତୀ ହୋଇ ହିମାଳୟକୁ ଯୋଗସାଧନା ପାଇଁ ଚାଲିଯାଇଥିଲ । ତପୋବନଜୀ ମହାରାଜାଙ୍କ ଦୁଇ ପ୍ରମୁଖ ଶିଷ୍ୟ ସ୍ୱାମୀ ଦୟାନନ୍ଦ ଓ ସ୍ୱାମୀ ଶିବାନନ୍ଦ ହେଉଛନ୍ତି ତାଙ୍କର ଯଥାକ୍ରମେ ଗୁରୁ ଓ ଦୀକ୍ଷାପ୍ରଦାତ୍ତା । ଆଧ୍ୟାତ୍ମିକତା ସଂପର୍କରେ ଇଂରାଜୀରେ ବହୁ ପୁସ୍ତକର ପ୍ରଣେତା । ଏହି ସନ୍ଥ-ସାଧକଙ୍କ ଭୁବନେଶ୍ୱର ନିକଟବର୍ତ୍ତୀ ଭିଙ୍ଗାରପୁର ନଚ୍ଛିପୁରସ୍ଥିତ ବିସ୍ତାରିତ ତପୋବନରେ ତାଙ୍କ ସହିତ ସାକ୍ଷାତ୍କାର ଅନୁଷ୍ଠିତ ହୋଇଥିଲା । ଏଠାରେ ଶୁଦ୍ଧାନନ୍ଦ ବିଦ୍ୟାଳୟ ନାମରେ ଏକ ଶିକ୍ଷାୟତନ ପ୍ରତିଷ୍ଠା କରି ଶହଶହ ଶିଶୁଙ୍କର ଆଧ୍ୟାତ୍ମିକ ଜୀବନ-ନିର୍ମାଣରେ ବ୍ରତୀ ଏହି ସ୍ୱାମିଜୀଙ୍କ ଜନ୍ମସ୍ଥାନ ହେଉଛି ଜଗତସିଂହପୁର ଜିଲ୍ଲାର ସାତପୁରା ।
ପ୍ର : ଆଧ୍ୟାତ୍ମିକତା ସଂପର୍କରେ ଆପଣଙ୍କ ଧାରଣା ଓ ଅବବୋଧ ନେଇ ଆମର ପାଠକଙ୍କୁ ସମ୍ୟକ ସୂଚନା ଦେବେ କି?
ଉ : ଆଧ୍ୟାତ୍ମିକତା ବା ଭଗବତ୍ ଦିବ୍ୟତା ସଂପର୍କରେ ଆମେ ଯେତେବେଳେ କହୁ, ସାଧାରଣ ଭାବେ ଆମେ ତାହାକୁ ଈଶ୍ୱର ବା ଆଧିଭୌତିକ ଶକ୍ତି ସହିତ ସଂଯୋଜିତ କରିବାର ପ୍ରବଣତା ରଖୁ । ସେତେବେଳେ ଆମେ ଏ ସୃଷ୍ଟିକୁ ନିହାତି ପାର୍ଥିବ, ଅଣଜାଗତିକ କହୁ ଏବଂ ସବୁକିଛି ଦିବ୍ୟତାଠାରୁ ଦୂରରେ ଭଳି ମନେ କରୁ । ଏହା ହେଉଛି ଇଂରାଜୀ ଶବ୍ଦ ସ୍ପିରିଚୁଆଲିଟି କିମ୍ବା ଡିଭାଇନ୍ର ସୀମା ସରହଦ୍ ଯାହା ଏହାର ଅର୍ଥକୁ ଏକ ଧର୍ମତତ୍ତ୍ୱରୁ ନେଇଥାଏ: ଯାହା ଭଗବାନ ଓ ସୃଷ୍ଟିକୁ ଅଲଗା କରିଥାଏ, ଦିବ୍ୟତାକୁ ପାର୍ଥିବ ଠାରୁ ଭିନ୍ନ କରି ଦେଖେ ଏବଂ ଆଧ୍ୟାତ୍ମିକତାକୁ ଭୌତିକତା ବା ବସ୍ତୁବାଦ ଠାରୁ ନିଆରା କରି ଦେଖେ । ବୈଦିକ ବା ଉପନିଷଦୀୟ ପରଂପରାରେ ପ୍ରଦତ୍ତ ବିଦ୍ୟା କହିଥାଏ ଯେ ସୃଷ୍ଟି ଓ ସ୍ରଷ୍ଟାଙ୍କ ମଧ୍ୟରେ କୌଣସି ଦ୍ୱରତ୍ୱ ନାହିଁ ଏବଂ ସେଥିପାଇଁ ସ୍ଥିତିଶୀଳ ରହିଛି ଦିବ୍ୟତା ଓ ପାର୍ଥିବତ୍ୱ । ଏହା ନିର୍ଭର କରେ ଆମେ କେଉଁ ପ୍ରକାର ଅବବୋଧ ନେଇ ଏହାକୁ ଦେଖୁଛୁ । ଆମେ ଯେତେବେଳେ ସମୁଦ୍ର ଶବ୍ଦଟି ଉଚ୍ଚାରଣ କରୁଛେ, ଏଥିରେ ନିହିତ ଅଛି, ପ୍ରତ୍ୟେକ ବିନ୍ଦୁ ଜଳ । ବିନ୍ଦୁଏ ମଧ୍ୟ ସମୁଦ୍ର ଠାରୁ ଅଲଗା ନୁହେଁ । ହେଲେ, ଆମେ ବିନ୍ଦୁଟିକୁ ସିନ୍ଧୁଠାରୁ ଅଲଗା କରି ନିରେଖିଲେ ଏହା ସୀମିତ ଓ କ୍ଷୀଣ ଦିଶେ । ବିନ୍ଦୁଟିଏ ଭିତରେ ସମୁଦ୍ରକୁ ଦେଖିବାର ପ୍ରୟାସ ଆମର ଦୃଷ୍ଟିକୁ ବିଚ୍ଛିନ୍ନତାରୁ ସାମଗ୍ରିକତା ଆଡ଼କୁ ନେଇଯାଏ । ସେହିପରି, ଯଦି ଜଣେ ନିଜକୁ ନିସଂଗ, ବିଚ୍ଛିନ୍ନ କରି ନୀରିକ୍ଷଣ କରେ ତେବେ ପ୍ରତ୍ୟେକ ତାକୁ ପାର୍ଥିବ ବୋଧ ହେବେ । କିନ୍ତୁ ଯେତେବେଳେ ଜଣେ ନିଜକୁ ସାମଗ୍ରିକ ସତ୍ତା ସହ, ବିଶ୍ୱ ବ୍ରହ୍ମାଣ୍ଡ ସହ ଯୋଡ଼ି କରି ଦେଖିବ, ସେଠାରେ କୌଣସି ବସ୍ତୁ ଅଲଗା ଭାବେ ଦୃଶ୍ୟମାନ ହୋଇପାରିବ ନାହିଁ । ଠିକ୍ ସେମିତି ପାଥିବ ସ୍ଥାନରେ ସେହି ଦୃଷ୍ଟି ଭଙ୍ଗୀ ଆରୋପ କରି ସେ ଦିବ୍ୟତାକୁ ଦେଖିପାରିବ ।
ସଂସ୍କୃତ ଭାଷାରେ ଆଧ୍ୟାତ୍ମିକତାର ଅର୍ଥ ହେଉଛି ଯାହାର ଆତ୍ମା ସହ, ନିଜ ସତ୍ତା ସହ କାରବାର ଅତୁଟ ଥାଏ । ଇଂରାଜୀ ଅନୁବାଦରେ ଏହାର ବାସ୍ତବ ଅର୍ଥର ପରିପ୍ରକାଶ ଘଟେ ନାହିଁ । ବେଦାନ୍ତ ବା ଉପନିଷଦ ପ୍ରାଥମିକ ଗୁରୁତ୍ୱ ଦିଏ ବ୍ୟକ୍ତି ସତ୍ତାକୁ, ଯେଉଁଠି ସିଏ ତାହାର ବାସ୍ତବ ସ୍ୱରୂପ ଆବିଷ୍କାର କରିଥାଏ । ଜଣେ ସର୍ବତ୍ର ଉପଲବ୍ଧ କରେ ଭଗବତ୍ ଉପସ୍ଥିତି, ବେଦାନ୍ତର ବ୍ୟାଖ୍ୟାନ ମଧ୍ୟ କହିଥାଏ ଜଣେ ଈଶ୍ୱରଙ୍କଠାରୁ ଆରମ୍ଭ କଲେବି ପରିଶେଷରେ ପୁଣି ଫେରି ଆସିବ ନିଜ ଆତ୍ମ-ସତ୍ତା ନିକଟକୁ, ଯେଉଁଠି ଆଦ୍ୟରୁ ଅବସ୍ଥାନ କରିଛନ୍ତି ଭଗବାନ । ଯେଉଁଠାରୁ ଜଣେ ଆରମ୍ଭ କରୁ, ସିଏ ହେଉ ବିନ୍ଦୁ ବା ସିନ୍ଧୁ, ଜଣେ ନିଶ୍ଚିତ ଉପଲବ୍ଧି କରିବ ଆଦିଗନ୍ତ କେବଳ ଜଳର ପ୍ଲାବନ, ସେଠାରେ ନାହିଁ ବିନ୍ଦୁ କିମ୍ବା ସିନ୍ଧୁ କିମ୍ବା ଆଦିଗନ୍ତ ବିସ୍ଥାରିତ ହୋଇଛି କେବଳ ମହାସମୁଦ୍ର ଏବଂ ବିନ୍ଦୁ ସେଠାରେ ବିଚ୍ଛିନ୍ନ ନୁହେଁ । ସେ ବିସ୍ତାରକୁ ଜଣେ ଜଳ କହିପାରେ, କହିପାରେ ମହାସମୁଦ୍ର; କିନ୍ତୁ କୌଣସି ବିନ୍ଦୁ ସ୍ୱାଧୀନ, ସ୍ୱତନ୍ତ୍ର ହୋଇ ଅବସ୍ଥାନ କରୁନାହିଁ । ଏହା ହିଁ ଆଧ୍ୟାତ୍ମିକତା ଯେଉଁଠି ସ୍ୱରୂପହୀନ ଜଳ ହେଉଛି ସୀମାହୀନ ବା ସୁନ୍ଦର, ଯେମିତି ମହାସମୁଦ୍ର ଭିତରେ ଭରି ରହିଛି ବିବିଧ ସ୍ୱରୂପ । ସୁତରାଂ ପ୍ରଚଳିତ ରହିଲା ଧ୍ୟାନ ଓ ଉପାସନାର ଧାରା-ଉଭୟ ରୂପମୟ ଓ ରୂପହୀନ ସତ୍ତା ରହିଲା ବୈଧ ଓ ବଳବତ୍ତର । ଜଣେ ବ୍ୟକ୍ତିକୁ ଯାହା ସୁହାଇବ ସିଏ ତା’ର ଅନୁସରଣ କରିବ, କିନ୍ତୁ ସର୍ବଶେଷରେ ସେ ନିଜକୁ ଉନ୍ମୁକ୍ତ କରିବ ଆତ୍ମସତ୍ତାର ଅନ୍ୱେଷା ଓ ଆବିଷ୍କାର ପାଖରେ ।
ପ୍ର: ବେଦଠାରୁ ବୁଦ୍ଧ ଓ ବିବେକାନନ୍ଦଙ୍କ ଯାଏ ଋଷି ପରମ୍ପରାରେ ମଣିଷ ସର୍ବୋତ୍ତମ ସତ୍ୟ ହୋଇଥିବା ଏବଂ ଉପନିଷଦୀୟ ବର୍ଣ୍ଣନାରେ ମଣିଷ ହୃଦୟରେ ଦେବତା ଅଧିରୂଢ଼ ଥିବା ବେଳେ କେଉଁ ପ୍ରକାର ସାମାଜିକ ବିକୃତି ଓ ବିଚୁ୍ୟତିରୁ ଭାରତବର୍ଷ ସାରା ଜୀଅନ୍ତା ମଣିଷଙ୍କୁ ଏଡ଼େଇ ଦେଇ ପଥର ମନ୍ଦିରମାନ ଗଢ଼ା ହେବା ଆରମ୍ଭ ହେଲା?
ଉ : ଦୟାକରି ବୁଝିବାକୁ ଚେଷ୍ଟା କରନ୍ତୁ ଯେ କୌଣସି ବିକୃତି ବା ବିଚୁ୍ୟତିରୁ ବା ବିକୃତ ପରଂପରାରୁ ଇଟା, ପଥରର ମନ୍ଦିର ନିର୍ମାଣ ଧାରା ଆରମ୍ଭ ହୋଇନାହିଁ । ପରଂପରା କେବେ ବିକୃତ ନୁହେଁ, ମଣିଷ ହିଁ ଅଜ୍ଞ । ଗୁରୁ, ଆଚାର୍ଯ୍ୟ ଯିଏ ବା ହୁଅନ୍ତୁ ସେମାନେ ଉପଗତ ଶିଷ୍ୟକୁ ଦେଖି ଅରୂପ କି ରୂପ ଉପରେ ଗୁରୁତ୍ୱ ଦେଇଥାନ୍ତି । ମାତ୍ର ସମୟ ଆସେ ଯେତେବେଳେ କୌଣସି ଗୋଟିଏକୁ ପରିହାର କରିବାକୁ ପଡିଥାଏ । ଏହା ହେଉଛି ଅଙ୍କ ପାଠ ଭଳି । କିଛି ପିଲା ଏକ, ଦୁଇ ତିନି ଭଳି ସଂଖ୍ୟାର ଅବଧାରଣାକୁ ସହଜରେ ଧରିପାରନ୍ତି; ଆଉ କିଛି ପିଲାଙ୍କ ପାଇ ଦରକାର ହୁଏ କାଠି, କାଚଗୁଲି ଭଳି ଚିଜ । ସଂଖ୍ୟା ଧାରଣାଟି ବିଷୟରେ ଅବଗତ କରାଇବାକୁ କାଠି କି ଗୁଲିର ପ୍ରୟୋଗ କରିବାରେ କୌଣସି ଭୁଲ ନାହିଁ, ମାତ୍ର ସ୍ନାତକୋତ୍ତର ଶ୍ରେଣୀ ବେଳକୁ ପିଲାଟି ଆଉ ସେସବୁର ଉପଯୋଗ କରିବ ନାହିଁ । ତଥାପି ସେହି କାଠି, ଗୁଲି, ଗୋଡ଼ିକୁ ସୁରକ୍ଷିତ ରଖିବାକୁ ହେବ କାରଣ ନୂଆ ନୂଆ ପିଢ଼ିର ପିଲାମାନେ ଜନ୍ମ ନେଉଛନ୍ତି ଓ ସେମାନେ ପାଠ ପଢ଼ିବାକୁ ଆସିଲେ ପୁଣି ସେସବୁର ସାହାଯ୍ୟ ଲୋଡ଼ାଯାଇପାରେ । ସେହି ପର୍ଯ୍ୟାୟରେ ହିଁ ମନ୍ଦିର ପରଂପରାର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ରହିଛି । ପ୍ରବୀଣମାନେ ହୃଦୟଙ୍ଗମ କରିବା ଓ ଏହି ପରଂପରାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ, ଯଦି ଏହାଦ୍ୱାରା ସେମାନଙ୍କର ମଙ୍ଗଳ ହେଉଛି । ଅଥଚ, ଯେତେବେଳେ ଖଣ୍ଡେ କାଠି ରଖି ଦେଇ ଜଣେ ସଂଖ୍ୟାକୁ ଉଠାଇ ଦେଉଛି ବା ଏକ ନିର୍ଦ୍ଦିଷ୍ଟ ରୂପରେ ଈଶ୍ୱରଙ୍କୁ ଉପସ୍ଥାପିତ କରୁଛି, ସେତେବେଳେ ଶିକ୍ଷକ ବା ଗୁରୁଜଣଙ୍କ ସତ୍ୟକୁ ବିକୃତ କରୁଛନ୍ତି । ବ୍ୟକ୍ତି ସତ୍ତାର ବିବିଧ ସ୍ତରରେ ଭିନ୍ନ ଭିନ୍ନ ପ୍ରକାର ପରିପକ୍ୱତାକୁ ଆଖି ଆଗରେ ରଖି ଉପନିଷଦରେ ଅଭିବ୍ୟକ୍ତ ହୋଇଥିବା ଶିକ୍ଷା ବା ବିଦ୍ୟା ସର୍ବଦା ଗାରିମାମୟ ଓ ମହତ୍ୱପୂର୍ଣ୍ଣ । ସେଥିପାଇଁ ରୂପର ଉପାସନା କି ଅରୂପର ଅନୁଶୀଳନ କାହାରି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଆଦୌ ସମୀଚୀନ ନୁହେଁ ।
ପ୍ର : ଆପଣଙ୍କର ନିଜସ୍ୱ କିଛି ଆଧ୍ୟାତ୍ମିକ ଉପଲବଧି ଅଛି କି କିମ୍ବା ସେ ଦିଗରେ କୌଣସି ପ୍ରୟାସ?
ଉ : ଯଦି ମୁଁ କହେ- ହଁ; ତେବେ ଆପଣଙ୍କୁ ବିଶ୍ୱାସ କରିବାକୁ ପଡିବ, ଏବଂ କେବେ ବି ଅସଲଟି କ’ଣ ଜାଣିପାରିବେ ନାହିଁ । ଯଦି ମୁଁ କହେ-ନାହିଁ; ତେବେ ଲୋକମାନେ ଟିକେ ଆଶ୍ୱସ୍ତ ଅନୁଭବ କରିବେ ଯେ ଯଦି ଜଣେ ସ୍ୱାମୀ କି ଜଣେ ସାଧୁଙ୍କର ଆତ୍ମିକ ଉପଲବ୍ଧô ହୋଇନାହିଁ ତେବେ ଆମ ପାଇଁ ଉପଲବ୍ଧôର କୌଣସି ଆଶା ଓ ସମ୍ଭାବନା ନାହିଁ କିମ୍ବା ସେମାନେ ଆତ୍ମଜ୍ଞାନ ପ୍ରାପ୍ତି ପାଇଁ କେବେ ପ୍ରୟାସ କରିବେ ନାହିଁ ।
ଯାହା ହେଉ, ବାସ୍ତବତା ହେଉଛି ଜ୍ଞାତା ନହୋଇ ଏହା ମୋତେ ଜ୍ଞାତ (ଓ ଳଦ୍ଭକ୍ଟଙ୍ଗ ସଗ୍ଧ ଙ୍ଗସଗ୍ଧଷକ୍ଟଙ୍କଗ୍ଧ ଭରସଦ୍ଭଶ ଗ୍ଧଷର ଳଦ୍ଭକ୍ଟଙ୍ଗରକ୍ସ)ଏବଂ ପ୍ରତ୍ୟେକ ଦିନେ ନା ଦିନେ ଏହାକୁ ଜାଣିପାରିବେ ।
ସର୍ବୋକ୍ରୃଷ୍ଟ ଜାଣିବା କଥା ହେଲା ଯେକୌଣସି ବ୍ୟକ୍ତି ସତ୍ୟ ପ୍ରତି ଉନ୍ମୁକ୍ତ, ସଜାଗ ରହିପାରିବେ-ଏ ସତ୍ୟ ହେଉଛି ସ୍ୱୟଂ ନିଜର ଆତ୍ମସତ୍ତା ଏବଂ ନିଜକୁ ସେ ଏହି ଶିକ୍ଷା ପାଇଁ ଉନ୍ମୁଖ ରଖିପାରିବେ ।
ପ୍ର : ଆପଣ ନିଜେ କୌଣସି ଧର୍ମରେ ଦୀକ୍ଷିତ କି ଓ କାହିଁକି? ଧର୍ମ ଓ ଆଧ୍ୟାତ୍ମିକତା ଭିତରେ ଆପଣ କେଉଁ ପ୍ରକାର ମୌଳିକ ପ୍ରାର୍ଥକ୍ୟ ଦେଖନ୍ତି?
ଉ : ଏକ ନିର୍ଦ୍ଦିଷ୍ଟ ଧର୍ମରେ ମୁଁ ଦୀକ୍ଷିତ କି? ଏହାର ଉତ୍ତର ଉଭୟ ଅସ୍ତିବାଚକ ଓ ନାସ୍ତିବାକଚ-ହଁ ଓ ନାହିଁ । ହଁ, ଏଇଥିପାଇଁ ଯେ ସନାତନ ବୈଦିକ ଧାରା ବା ଉପନିଷଦ ହିଁ ମୋତେ ସତ୍ୟ ଉପଲବ୍ଧି କରାଇଲା, ସୁତରାଂ ମୁଁ କହିପାରେ ଏହି ସନାତନ ହିନ୍ଦୁ ଧର୍ମରେ ମୁଁ ଦୀକ୍ଷିତ । ତଥାପି ମୁଁ ନା ମଧ୍ୟ କହିପାରିବି, କାରଣ ସେହି ସନାତନ ଧାରାର ଧର୍ମ ମୋତେ ଶିଖାଇଲା ଯେ ମୋର ସତ୍ତା ହିନ୍ଦୁ ନୁହେଁ: ସତ୍ୟ ହେଉଛି ସମସ୍ତ ପ୍ରକାର ଜାତି, ସଂପ୍ରଦାୟ, ଲିଙ୍ଗ, ଧର୍ମ, ବର୍ଣ୍ଣର ଊଦ୍ଧ୍ୱର୍ରେ ଏକ ବୃହତ୍ତର ଓ ମହତ୍ତର ଅବସ୍ଥିତି ।
ଇଂରାଜୀ ଶବ୍ଦ ରିଲିଜିଅନ ଏକ ଲାଟିନ୍ ଶବ୍ଦରୁ ଉଦ୍ଧୃତ । ଯାହାର ଅର୍ଥ ଯିଏ ବାନ୍ଧି ରଖେ ବା ଯୋଡ଼ିଥାଏ । ସୁତରାଂ ଧର୍ମ ଯଦି ମୋତେ ବିଭାଜିତ କଲା ତେବେ ଏଥିରେ ଅଭାବ ରହିଛି ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ବା ଦର୍ଶନର । ଏଠାରେ ଏକତ୍ରଭାବ, ସଂଘବର୍ଦ୍ଧତାର ଅର୍ଥ ନୁହେଁ ସମସ୍ତେ ଗୋଟିଏ ଧର୍ମ ବା ବଶ୍ୱାସର ଅନୁଗାମୀ ହେବେ । ଏହା କହିଥାଏ ଭିନ୍ନ ଭିନ୍ନ ଭୂମିକା ନିର୍ବାହ କରୁଥିଲା ବେଳେ ପ୍ରତ୍ୟେକ ନିଜ ଭିତରେ ସତ୍ୟକୁ ଆବିଷ୍କାର କରିବେ । ଦୃଷ୍ଟାନ୍ତ ସ୍ୱରୂପ: ଭାରତୀୟ, ୟୁରୋପୀୟ, ମାର୍କିନ ଭାବେ ଅବସ୍ଥାନ କରିବି ଆମେ ଆବିଷ୍କାର କଲୁ ଯେ ଆମେ ଗୋଟିଏ ପୃଥିବୀର ବାସିନ୍ଦା ଏବଂ ଏ ପୃଥିବୀର କୌଣସି ସୀମାରେଖା ନାହିଁ, କେବଳ ଶାସନଗତ ନିୟନ୍ତ୍ରଣ ପାଇଁ ଦେଶଗୁଡ଼ିକ ମଧ୍ୟରେ ସୀମାରେଖା । ଯଦିଏ ଗୋଟିଏ ପୃଥିବୀ ରହିବାର ଦର୍ଶନ କି ଦୃଷ୍ଟିଭଙ୍ଗୀ ହେଉଛି ଆଧ୍ୟାତ୍ମିକ; ତେବେ ବିଭିନ୍ନ ଦେଶର ସୀମାରେଖା ନାମରେ ଦ୍ୱନ୍ଦ୍ୱ, କଳହ, ଲଢ଼େଇ କରିବା ହେବ ଧର୍ମଗତ ସଂକୀର୍ଣ୍ଣତା ।