ଅମୃତୋତ୍ସବର ଅମୃତକନ୍ୟା
ଅମୃତ ମହୋତ୍ସବର ବେଳା ହେଉଛି ଅମୃତ ମନ୍ଥନର ସମୟ । ସ୍ୱାଧୀନତା ପର ଦୀର୍ଘ ୭୫ ବର୍ଷରେ ଗୁଣ୍ଡୁଚି ମୂଷା ପରି ଦେଶକୁ ଗଢ଼ିବାରେ ସାହାଯ୍ୟ କରିଥିବା ମହାମାନବୀମାନଙ୍କୁ ମନେପକାଇବାର ମୁହୂର୍ତ୍ତ । ନାରୀ କେବଳ ଗୃହିଣୀ ନୁହେଁ, ନାରାୟଣୀ ପରି ବିବିଧ କ୍ଷେତ୍ରରେ ସକ୍ରିୟ ରହି ଜୀବିକାରେ ମଧ୍ୟ ସବୁ ସମୟରେ ସମାଜରେ ଭାଗିଦାରୀ ହୋଇଆସଛି । ନିଜ ଭିତରେ ଅନ୍ୟମାନଙ୍କୁ ଦେଖିବାପାଇଁ ପ୍ରୟାସ କରି ସେ ଶ୍ରଦ୍ଧା, ସହାନୁଭୂତି ସହ ସମର୍ପଣର ଭାବନା ନେଇ କାର୍ଯ୍ୟ କରିଆସିଛି । ଦେଶର କଳା, ସଂସ୍କୃତି, ଶିକ୍ଷା, କ୍ରୀଡ଼ା, ପ୍ରଶାସନ, ଶାସନ, ଅଧ୍ୟାତ୍ମ, ବାଣିଜ୍ୟ, ସମାଜସେବା, ପ୍ରତିରକ୍ଷା ବିଜ୍ଞାନ ଏମିତି ପ୍ରାୟ ସବୁ କ୍ଷେତ୍ରରେ ମହିଳାମାନେ ଆଜି ପୁରୁଷମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଚାଲିଛନ୍ତି । ସମଗ୍ର ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଥିବା ସମୟରେ ୭୫ଜଣ ମହାନ ନାରୀ ପ୍ରତିଭାଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ।
ମୀରା ଅଲ୍ଫସା (ଶ୍ରୀମା)
ସ୍ୱାଧୀନତା ପର ଭାରତର ଜନସାଧାରଣଙ୍କଠାରେ ଯିଏ ସବୁଠୁ ଅଧିକ ଭକ୍ତି, ଶ୍ରଦ୍ଧା, ପ୍ରେମର କେନ୍ଦ୍ର ଥିଲେ ସେ ହେଉଛନ୍ତି ପୁଡୁଚେରୀର ଶ୍ରୀଅରବିନ୍ଦ ଆଶ୍ରମର ମୀରା ଅଲ୍ଫସା ଓରଫ୍ ଶ୍ରୀମା । ୨୧ ଫେବୃଆରୀ ୧୮୭୮ରେ ବ୍ଲାଙ୍କେ ରାଚେଲ ମୀରା ଅଲ୍ଫସା ଭାବେ ଫ୍ରାନ୍ସର ପ୍ୟାରିସ ସହରର ଏକ ଇହୁଦୀ ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା ଥିଲେ ମୋଇସ ମରିସ ଅଲ୍ଫସା ଏବଂ ମାତା ଥିଲେ ମାଥିଲଡେ ଇସମାଲୁନ । ତାଙ୍କ ସ୍ୱାମୀଙ୍କ ନାମ ହେନରୀ ମୋରିସେଟ୍ ଓ ପୁଅ ଆନେ୍ଦ୍ର ମୋରିସେଟ୍ । ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ନାଗରିକତା ତାଙ୍କର ରହିଥିଲା । ଯୁବାବସ୍ଥାରେ ମାକ୍ସଥିଅନଙ୍କ ସହ ଆଧ୍ୟାତ୍ମିକତା ଅନ୍ୱେଷଣରେ ସେ ଆଲଜେରିଆ ଯାଇଥିଲେ । ପ୍ୟାରିସକୁ ଫେରି ଅଧ୍ୟାତ୍ମ ପ୍ରେମୀମାନଙ୍କୁ ଦିଗଦର୍ଶନ ଦେବାକୁ ଲାଗିଲେ । ୧୯୧୪ରେ ପୁଡୁଚେରୀ ଗସ୍ତକାଳରେ ଶ୍ରୀଅରବିନ୍ଦଙ୍କ ସହ ସାକ୍ଷାତ ହେବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ଶ୍ରୀଅରବିନ୍ଦଙ୍କଠାରେ ସେ ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟ କରି ପାରିଥିଲେ । ସେ ଆର୍ଯ୍ୟ ପତ୍ରିକାର ଫ୍ରେଞ୍ଚ୍ ଭାଷାରେ ପ୍ରକାଶନ କ୍ଷେତ୍ରରେ ସାହାଯ୍ୟ କଲେ । ଏଥିରେ ସ୍ୱାଧୀନତା ସଂଗ୍ରାମୀ ଅରବିନ୍ଦଙ୍କ ପରବର୍ତ୍ତୀ କାଳର ରଚନାଗୁଡ଼ିକ ରହିଥିଲା । ପ୍ରଥମ ବିଶ୍ୱଯୁଦ୍ଧ କାଳରେ ସେ ୪ବର୍ଷ ପାଇଁ ଜାପାନକୁ ଚାଲିଯାଇଥିଲେ । ୧୯୨୦ରେ ସବୁଦିନ ପାଇଁ ପଣ୍ଡିଚେରୀରେ ରହିବାକୁ ଚାଲିଆସିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ଭକ୍ତମାନଙ୍କ ସଂଖାବୃଦ୍ଧି ସହ ସେ ଶ୍ରୀଅରବିନ୍ଦଙ୍କ ଆଶ୍ରମର ବିକାଶ ଉପରେ ଅଧିକ ଧ୍ୟାନ ଦେଲେ । ୧୯୪୩ରେ ସେ ଆଶ୍ରମ ମଧ୍ୟରେ ଏକ ବିଦ୍ୟାଳୟ ଆରମ୍ଭ କଲେ । ୧୯୬୮ରେ ଅରୋଭିଲ ସ୍ଥାପନା କଲେ । ଅରୋଭିଲକୁ ସେ ବିଶ୍ୱବାସୀଙ୍କ ପାଇଁ ନିର୍ମାଣ କରିଥିଲେ । ୨୪ ନଭେମ୍ବର ୧୯୨୬କୁ ସିଦ୍ଧି ଦିବସ ଭାବେ ଘୋଷଣା କରି ଅତିମାନସର ଚେତନା ବିଷୟରେ ସମସ୍ତଙ୍କୁ ଶିକ୍ଷା ଦେଲେ । ଶ୍ରୀମାଙ୍କ ରଚନା ଶ୍ରୀମା ରଚନାବଳୀ ଭାବେ ସମ୍ବଳିତ ହୋଇ ପ୍ରକାଶ ପାଇଛି । ଆଧ୍ୟାତ୍ମିକ ଗୁରୁ ଭାବେ; ସେ ଶ୍ରୀ ଅରବିନ୍ଦଙ୍କ ସହଯୋଗୀ ଥିଲେ । ପୁଡୁଚେରୀ ଆଶ୍ରମକୁ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରରେ ପରିଣତ କରିବା ସହ ବିଶ୍ୱରେ ଏହାକୁ ପ୍ରସିଦ୍ଧି ଦେବାରେ ସେ ହିଁ ମୁଖ୍ୟ ଭୂମିକା ନେଇଥିଲେ । ସମସ୍ତଙ୍କର ଶ୍ରଦ୍ଧାର ମାଆଙ୍କ ସ୍ଥାନ ନେଇଥିବା ଶ୍ରୀମା ୧୭ ନଭେମ୍ବର ୧୯୭୩ରେ ପୁଡୁଚେରୀଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀ ଅରବିନ୍ଦଙ୍କ ଦୃଷ୍ଟି ଓ ଦର୍ଶନକୁ ବିଶ୍ୱରେ ପ୍ରସାର ପାଇଁ ଶ୍ରୀମାଙ୍କ ଭୂମିକା ଅଧିକ ଥିଲା । ପୂର୍ଣ୍ଣ ଯୋଗ, ପୂର୍ଣ୍ଣାଙ୍ଗ ଶିକ୍ଷାପାଇଁ ତାଙ୍କ ଦର୍ଶନକୁ ଆଧାର କରି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ନାମରେ ସାରା ବିଶ୍ୱରେ ହଜାର ହଜାର ସଂଖ୍ୟକ ବିଦ୍ୟାଳୟ ଖୋଲିଛି । ଯୋଗଯୁକ୍ତ, ଶିକ୍ଷାଯୁକ୍ତ, ସଂସ୍କାରଯୁକ୍ତ, ବିଶ୍ୱଭାବନାଯୁକ୍ତ ମଣିଷ ସମାଜ ଗଠନପାଇଁ ଶ୍ରୀମାଙ୍କ ଦୃଷ୍ଟି ଓ ଦିଗଦର୍ଶନ ସବୁ ସମୟରେ ସମସ୍ତଙ୍କୁ ବାଟ କଢ଼ାଇବ, ଏଥିରେ ସନେ୍ଦହ ନାହିଁ ।
ମାତା ଅମୃତାନନ୍ଦମୟୀ
ସ୍ୱାଧୀନତା ପର ଭାରତବର୍ଷରେ ଅଧ୍ୟାତ୍ମ କ୍ଷେତ୍ରରେ ଏବେ ସକ୍ରିୟଥିବା ମାତା ଅମୃତାନନ୍ଦମୟୀ ଦେବୀ ସବୁଠୁ ଅଧିକ କାର୍ଯ୍ୟ କରିଛନ୍ତି । ୨୭ ସେପ୍ଟେମ୍ବର ୧୯୫୩ରେ କେରଳର ଅଲାପାଡ଼ଠାରେ ସୁଗୁଣାନନ୍ଦନ ଇଡାମାନ୍ନେଲ ଏବଂ ଦମୟନ୍ତୀ ଇଡାମାନ୍ନେଲଙ୍କ କନ୍ୟା ଭାବେ ଜନ୍ମିତା ସୁଧାମଣି ପରବର୍ତ୍ତୀ କାଳରେ ମାତା ଅମୃତାନନ୍ଦମୟୀ ମଠ ସ୍ଥାପନା କରି ଜନ ବିକାଶର କାର୍ଯ୍ୟ ଜାରି ରଖିଛନ୍ତି । ଅମୃତା ବିଶ୍ୱ ବିଦ୍ୟାପୀଠମ ଶିକ୍ଷାକେନ୍ଦ୍ର ଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଚାଲିଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନକୁ ସବୁଠୁ ଅଧିକ ଦାନ ଦେଇଥିବା ଯୋଗୁଁ ୨୦୧୮ରେ ମାତା ଅମୃତାନନ୍ଦମୟୀଙ୍କୁ ସମ୍ମାନିତ କରାଯାଇଥିଲା । ହିନ୍ଦୁ ପାର୍ଲିଆମେଣ୍ଟ ପକ୍ଷରୁ ତାଙ୍କୁ ପ୍ରଥମ ବିଶ୍ୱରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ୧୯୮୧ରେ ସେ ମାତା ଅମୃତାନନ୍ଦମୟୀ ମଠର ସ୍ଥାପନା କରିଥିଲେ । ୧୯୮୭ରୁ ଦେଶ ବିଦେଶରେ ଆଧ୍ୟାତ୍ମିକ କାର୍ଯ୍ୟ କରି ଆସୁଛନ୍ତି । ସେ ନିଜ ଭକ୍ତଙ୍କ ନିକଟରେ ଆମ୍ମା ବା ମାଆ ଭାବେ ପରିଚିତ । ଅନେକ ସାମାଜିକ ବିଷୟରେ ସେ ସକ୍ରିୟ ରହି କାର୍ଯ୍ୟ କରୁଛନ୍ତି । ମାନବଚାଲାଣ, ବେଶ୍ୟାବୃତ୍ତି ବିରୋଧରେ ସେ କହିବା ସହ ୨୦୧୪ରେ ପୋପ୍ ଫ୍ରାନ୍ସିସଙ୍କ ସହ ଭାଟିକାନ ସିଟିରେ ଦାସତ୍ୱ ବିରୋଧରେ ବିଶ୍ୱଘୋଷଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆବୁଧାବିର ଯୁବରାଜଙ୍କ ସହ ଇଣ୍ଟରନେଟରେ ଶିଶୁଙ୍କ ଯୌନଶୋଷଣ ବିରୋଧରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜୁଲାଇ ୨୦୧୫ରେ ଜାତିସଂଘର ବୈଷୟିକ ଜ୍ଞାନକୌଶଳ ଏବଂ ନିରନ୍ତର ବିକାଶ ସଂକ୍ରାନ୍ତରେ ଅନୁଷ୍ଠିତ ସମ୍ମିଳନୀରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ । ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟ, ସେବା, ଶିକ୍ଷା ଓ ଜୀବନଜୀବିକା ବିଷୟକୁ କେନ୍ଦ୍ରକରି ସେ ସମାଜସେବା କରୁଛନ୍ତି । ଏକକୋଟି ପିଲାଙ୍କୁ ମାଗଣା ଖାଦ୍ୟ ପ୍ରତିବର୍ଷ ତାଙ୍କ ମଠ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଉତ୍ତର ଆମେରିକାର ୪୯ଟି କେନ୍ଦ୍ରରେ ୧୫୦୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ୧୯୮୭ରୁ କାର୍ଯ୍ୟରତ । ମେକ୍ସିକୋ, କୋଷ୍ଟାରିକା, ଫ୍ରାନ୍ସ, ସ୍ପେନ, କେନିୟା, ବ୍ରାଜିଲ, ସ୍ଲୋଭେନିଆ, ଅଷ୍ଟ୍ରିଆ ଆଦି ଦେଶରେ ଭୋକରୁ ମୁକ୍ତି ପାଇଁ ସେ ଭୋଜନ କେନ୍ଦ୍ର ଖୋଲିଛନ୍ତି । ଭାରତର ୫୦୦୦ ଗ୍ରାମରେ ଶୁଦ୍ଧ ପାନୀୟଜଳ ପ୍ରକଳ୍ପ ତାଙ୍କ ମଠ ମାଧ୍ୟମରେ ଚାଲୁ ରହିଛି । ମଠ ପକ୍ଷରୁ ୧୯୯୮ରୁ ଦେଶର ୭୫ଟି ସ୍ଥାନରେ ୪୭୦୦୦ ବାସଗୃହ ନିରାଶ୍ରୟଙ୍କ ପାଇଁ ନିର୍ମାଣ କରାଯାଇଛି । କେରଳରେ ପ୍ରାୟ ୫୦୦ ଅନାଥାଳୟ ଏବଂ ନାଇରୋବିରେ ଏକ ଅନାଥାଳୟ ଚାଲୁ ରହିଛି । କେରଳର କୋଚିଠାରେ ୧୧୦୦ ବେଡ ବିଶିଷ୍ଟ ଡାକ୍ତରଖାନା ୧୯୯୮ରୁ କାର୍ଯ୍ୟରତ । ନୂଆଦିଲ୍ଲୀରେ ୨୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣାଧୀନ ଅବସ୍ଥାରେ ରହିଛି । ୨୦୨୨ ସୁଦ୍ଧା ଏକ ଲକ୍ଷ ଲୋକ ଅମୃତନିଧି ମାଧ୍ୟମରେ ପେନସନ ପାଇବାକୁ ପଞ୍ଜିକୃତ ହୋଇଛନ୍ତି । ଏସ୍ଏଚ୍ଜି ମାଧ୍ୟମରେ ୨ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତାଙ୍କଦ୍ୱାରା ସ୍ଥାପିତ ଅମୃତା ବିଶ୍ୱବିଦ୍ୟାଳୟ ୨୦୨୦ରେ ନାକ୍ର ଏ ଗ୍ରେଡ୍ ପ୍ରାପ୍ତ ଏବଂ ଦେଶରେ ୪ର୍ଥ ସ୍ଥାନ ଦଖଲ କରିଥିବା ଶିକ୍ଷାନୁଷ୍ଠାନ । ୨୦୦୪ରୁ ଏପର୍ଯ୍ୟନ୍ତ ବିଶ୍ୱରେ ୭୫ ମିଲିଅନ ଡଲାର ସାହାଯ୍ୟ ମାତାଙ୍କ ଅନୁଷ୍ଠାନ ଦେଇ ଆସିଛି । ଦେଶର ନମାମି ଗଙ୍ଗେ ପ୍ରକଳ୍ପକୁ ୨୦୧୫ରେ ୧୫ ମିଲିଅନ ଡଲାର ମାତା ପ୍ରଦାନ କରିଛନ୍ତି ।ଶ୍ରୀ ଗୁରୁମା ମାଧୋବୀ
ମାଧୋବୀ ମା’ଙ୍କୁ ଜ୍ଞାନର ଭଣ୍ଡାର କୁହାଯାଇଥାଏ । ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା, ମୁଦ୍ରା ଓ ଯୋଗ ସାଧନା ମାଧ୍ୟମରେ ସେ ଅନେକ ଭକ୍ତଙ୍କ ଚିକିତ୍ସା କରିବା ସହ ଆଧ୍ୟାତ୍ମିକ ଶିକ୍ଷା ଦେଇଥା’ନ୍ତି ।
ମାତା ଆନନ୍ଦମୂର୍ତ୍ତି
ଅମୃତସରରେ ୮ ଏପ୍ରିଲ ୧୯୬୬ରେ ଗୁରୁପ୍ରୀତ କାଉର ନାମରେ ଆନନ୍ଦମୂର୍ତ୍ତି ଜନ୍ମ ନେଇଥିଲେ । ଗୋଟିଏ ଭାଇ, ଦୁଇଭଉଣୀଙ୍କ ମଧ୍ୟରେ ସେ ଥିଲେ ମଝିଆଁ । ପିଲାଟି ବେଳୁ ଅଧ୍ୟାତ୍ମଜ୍ଞାନ ପ୍ରତି ତାଙ୍କର ଆକର୍ଷଣ ରହିଥିଲା । ନଅବର୍ଷ ବେଳୁ ତାଙ୍କ ତୀକ୍ଷ୍ଣ ଜ୍ଞାନ ଦେଖି ଅନ୍ୟମାନେ ଚକିତ ହେଉଥିଲେ । ୩୩ ବର୍ଷ ବୟସରୁ ସେ ବିଶ୍ୱ ଗସ୍ତରେ ବାହାରି ବିଦେଶରେ ନିଜର ଦିବ୍ୟଜ୍ଞାନ ଆଲୋଚନା କରିବାକୁ ଲାଗିଲେ । ଗୀତା ଏବଂ ଗୁରୁବାଣୀରେ ତାଙ୍କର ଗଭୀର ଅଧ୍ୟୟନ ରହିଛି । ସେ ଅନେକଗୁଡ଼ିଏ ପୁସ୍ତକ ରଚନା କରିଛନ୍ତି । ଆତ୍ମବୋଧ, ମାଇଣ୍ଡ ଅନ୍ଡ୍ରେସଡ୍ ହେଉଛି ତାଙ୍କର ଦୁଇଟି ପରିଚିତ ପୁସ୍ତକ । ମଣିଷ ଜୀବନର ଦୁଃଖ ଦୂର କରିବାପାଇଁ ସେ ଅନେକ ସହଜ ପନ୍ଥା ବୁଝାଇଥା’ନ୍ତି । ମନ, ଧ୍ୟାନ, ଯୋଗ, ସ୍ୱାସ୍ଥ୍ୟ, ଭଗବାନ ଓ ବାସ୍ତବତା ଆଦି ବିଷୟରେ ସରଳ ଭାଷାରେ ଲୋକଙ୍କୁ ବୁଝାଇଥା’ନ୍ତି ।
ଗୁରୁମା ଚିଦବିଳାସାନନ୍ଦ
ଗୁରୁମା ଚିଦବିଳାସାନନ୍ଦ ୨୪ ଜୁନ୍ ୧୯୫୫ରେ କର୍ଣ୍ଣାଟକର ମାଙ୍ଗାଲୋର ନିକଟରେ ମାଳତୀ ସେଟ୍ଟି ଭାବେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ଭାରତର ଆଧ୍ୟାତ୍ମିକ ଯୋଗିନୀଙ୍କ ମଧ୍ୟରୁ ଅନ୍ୟତମ । ସିଦ୍ଧଯୋଗର ଏହି ସାଧିକାଙ୍କ ବିଦେଶରେ, ମୁଖ୍ୟ କାର୍ଯ୍ୟାଳୟ ନୁ୍ୟୟର୍କର ଫଲ୍ସବର୍ଗରେ ରହିଛି । ୧୯୮୨ରେ ତାଙ୍କ ଗୁରୁ ମୁକ୍ତାନନ୍ଦଙ୍କ ଦେହାବସାନ ପରେ ସେ ସିଦ୍ଧ ଯୋଗ ଆଶ୍ରମର ମୁଖ୍ୟ ହୋଇଥିଲେ । ୨୦୦୪ରେ ସେ ବଡ଼ କାର୍ଯ୍ୟକ୍ରମକୁ ଛାଡ଼ି ସିଧାସଳଖ ଛୋଟଛୋଟ କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତଙ୍କ ସହ ଯୋଡ଼ି ହେବା ପାଇଁ ଭିଡିଓ କାର୍ଯ୍ୟକ୍ରମ ଉପରେ ଜୋର୍ ଦେଲେ । ଭାରତ, ଫ୍ରାନ୍ସ, ଆମେରିକା, ଅଷ୍ଟ୍ରେଲିଆ, ହଂକଂ, ୟୁରୋପ, ଜାପାନ, ଜର୍ମାନୀ, ମେକ୍ସିକୋଠାରେ ତାଙ୍କର ସିଦ୍ଧଯୋଗ ଶକ୍ତିପୀଠ ରହିଛି । ଗୁରୁମା ଅନେକଗୁଡ଼ିଏ ପୁସ୍ତକ ଇଂରାଜୀରେ ଲେଖିଛନ୍ତି ।
ମାତା ନିର୍ମଳା ଦେବୀ
ମାତା ନିର୍ମଳା ଦେବୀ ସହଜ ଯୋଗ ସାଧିକା । ଜୀବନରେ ସନ୍ତୁଳନ, ଚାପମୁକ୍ତ ଜୀବନପାଇଁ ତାଙ୍କ ଯୋଗବିଦ୍ୟା ଅନେକଙ୍କୁ ସହାୟକ ହୋଇଛି । ମଣିଷର ଶାରୀରିକ, ମାନସିକ, ଭାବପ୍ରବଣ ସ୍ଥିତିକୁ ସନ୍ତୁଳିତ କରି ଜୀବନକୁ ଦୁଃଖ ମୁକ୍ତ, ଚେତନାଯୁକ୍ତ ଭାବେ ଗଢ଼ିତୋଳିବା ଲାଗି ସେ ଶିକ୍ଷା ଦେଇଥା’ନ୍ତି । ବିଶ୍ୱ ନିର୍ମଳ ପ୍ରେମ ଆଶ୍ରମ ମାଧ୍ୟମରେ ମାତା ଅସହାୟା ମହିଳା ଓ ଶିଶୁଙ୍କ ରକ୍ଷଣାବେକ୍ଷଣପାଇଁ ଅନେକ ଅନାଥାଳୟ, ମହିଳା କେନ୍ଦ୍ର ଛଡ଼ା ଆନ୍ତର୍ଜାତିକ ବିଦ୍ୟାଳୟ, କଳା ଏକାଡେମୀ ଆଦି ସ୍ଥାପନ କରିଛନ୍ତି ।
ସିନ୍ଧୁତାଈ ସପକାଲ
ସମାଜସେବାପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା ସିନ୍ଧୁତାଈ ସପକାଲ ଥିଲେ ଅନାଥଙ୍କର ପ୍ରକୃତ ମାଆ । ଚଳିତବର୍ଷ ଜାନୁଆରୀରେ ପୁନେଠାରେ ହୃଦ୍ଘାତରେ ସିନ୍ଧୁତାଈଙ୍କ ଦେହାନ୍ତ ହୋଇଥିଲା । ସେ ତାଙ୍କ ଅନାଥାଳୟରେ ୧୫୦୦ ଶିଶୁଙ୍କୁ ପାଳି ବଡ଼ କରିଥିଲେ । ସେମାନଙ୍କ ମଧ୍ୟରେ ୩୮୨ ଜ୍ୱାଇଁ, ୪୯ଟି ବୋହୂଙ୍କୁ ପାଇଥିଲେ । ସମାଜସେବାପାଇଁ ତାଙ୍କୁ ୭୫୦ ପୁରସ୍କାର ମିଳିଥିଲା । ସେ ପାଇଥିବା ପୁରସ୍କାର ଅର୍ଥକୁ ତାଙ୍କ ଅନାଥାଶ୍ରମପାଇଁ ଜମି କିଣାରେ ଖର୍ଚ୍ଚ କରିଥିଲେ । ୨୦୧୦ରେ ଅନନ୍ତ ମହାଦେବନଙ୍କ ନିଦେ୍ର୍ଦଶନାରେ ମରାଠୀ ସିନେମା ‘ମୀ ସିନ୍ଧୁତାଈ ସପକାଲ’ ସିନ୍ଧୁତାଈଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିଲା ।
ରମାଦେବୀ ଚୌଧୁରୀ
ଉକ୍ରଳ ଗୌରବ ମଧୂସୁଦନ ଦାସଙ୍କ ସାନଭାଇ ଗୋପାଳ ବଲ୍ଲଭ ଦାସଙ୍କ ଝିଅ ରମାଦେବୀ ସ୍ୱାଧୀନତା ସଂଗ୍ରାମଠାରୁ ସମାଜସେବା, ନାରୀ ଶିକ୍ଷାଠାରୁ ଭୂଦାନ ଆନେ୍ଦାଳନ ପର୍ଯ୍ୟନ୍ତ ଅନେକ ପ୍ରକାର କାର୍ଯ୍ୟରେ ନିଜ ଜୀବନକୁ ଓଡ଼ିଶାବାସୀଙ୍କ କଲ୍ୟାଣ ନିମିତ୍ତ ସମର୍ପି ଦେଇଥିଲେ । ବିନୋବାଙ୍କ ଭୂଦାନପାଇଁ ୪୦୦୦ କିମି ବାଟ ପାଦରେ ଚାଲିଚାଲି ଜମିଦାନପାଇଁ ଲୋକଙ୍କୁ ବୁଝାଇଥିଲେ । ଜରୁରୀ ପରିସ୍ଥିତିକୁ ବିରୋଧ କରି ସେ ଜେଲ୍ ଯାଇଥିଲେ । ସମାଜ କଲ୍ୟାଣ ପାଇଁ ତାଙ୍କୁ ଯମୁନାଲାଲ ବଜାଜ ପୁରସ୍କାର ମିଳିଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡିଫିଲ୍ ସମ୍ମାନ ୧୬ ଏପ୍ରିଲ୍ ୧୯୮୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କ ସମ୍ମାନରେ ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି । କଟକରେ ସେ ଯେଉଁ ଶିଶୁ ବିହାର ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ରମାଦେବୀ ଶିଶୁ ବିହାର ହୋଇଛି । ୨୨ ଜୁଲାଇ ୧୯୮୫ରେ ତାଙ୍କ ଦେହାନ୍ତ ହୋଇଥିଲା ।
ମାଳତୀ ଦେବୀ
ନିଜ ବଡ଼ ଯାଆ ରମାଦେବୀଙ୍କ ପରି ମାଳତୀ ଚୌଧୁରୀ ଥିଲେ ପ୍ରସିଦ୍ଧ ସମାଜସେବୀ । ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପତ୍ନୀ ହୋଇ ମଧ୍ୟ ସେ ବ୍ୟକ୍ତିଗତ ଜୀବନରେ ଥିଲେ ଖୁବ୍ ସରଳ । ବାରିଷ୍ଟର କୁମୁଦନାଥ ସେନ ଏବଂ ସ୍ନେହଲତା ସେନଙ୍କ ଝିଅ ମାଳତୀଙ୍କର ୨୬ ଜୁଲାଇ ୧୯୦୪ରେ ବିହାରରେ ଜନ୍ମ ହୋଇଥିଲା । ଶାନ୍ତି ନିକେତନରେ ପଢ଼ିବା ସମୟରେ ନବକୃଷ୍ଣ ଚୌଧୁରୀଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା । ରବୀନ୍ଦ୍ରନାଥ ତାଙ୍କୁ ମିନୁ ଏବଂ ଗାନ୍ଧିଜୀ ତାଙ୍କୁ ତୋଫାନୀ ବୋଲି ଡାକୁଥିଲେ । ବିବାହ ପରେ ଓଡ଼ିଶାର ଜଗତସିଂହପୁରସ୍ଥ ଅଣଖିଆ ଗ୍ରାମରେ ରହି ଗ୍ରାମୀଣ ବିକାଶପାଇଁ ସେ ତାଙ୍କ ସ୍ୱାମୀ ନବକୃଷ୍ଣଙ୍କ ସହ ମିଶି ଅନେକ କାର୍ଯ୍ୟ କରିଥିଲେ । ଅନୁଗୁଳର ବାଜି ରାଉତ ଛାତ୍ରାବାସ ତାଙ୍କ ପ୍ରକଳ୍ପର ଅନ୍ୟ ଏକ ସଫଳ କେନ୍ଦ୍ର ଥିଲା । ଶିଶୁକଲ୍ୟାଣପାଇଁ ରାଷ୍ଟ୍ରୀୟ ପୁରସ୍କାର (୧୯୮୭), ଯମୁନାଲାଲ ବଜାଜ ପୁରସ୍କାର (୧୯୮୮), ଉକ୍ରଳ ସେବା ସମ୍ମାନ (୧୯୯୪) ଟାଗୋର ସାହିତ୍ୟ ପୁରସ୍କାର (୧୯୯୫), ବିଶ୍ୱଭାରତୀର ଦେଶୀକୋଉମ ସମ୍ମାନଜନକ ଡିଲିଟ୍ ଆଦିରେ ସେ ସମ୍ମାନିତ ହୋଇଥିଲେ । ୧୫ ମାର୍ଚ୍ଚ ୧୯୯୮ରେ ତାଙ୍କର ଦେହାନ୍ତ ହୋଇଥିଲା ।
ଅରୁଣା ରାୟ
ଅରୁଣା ରାୟ ଜଣେ ସଫଳ ପ୍ରାଧ୍ୟାପିକା, ପ୍ରଶାସିକା, ଶ୍ରମିକ ସଂଗଠନ ନେତ୍ରୀ, ବ୍ୟବସ୍ଥା ପରିବର୍ତ୍ତନକାରୀ ଭାବେ ପରିଚିତ । ଦେଶର ସୂଚନା ଅଧିକାର ଆଇନ ପ୍ରସ୍ତୁତି ପଛରେ ତାଙ୍କର ଅବଦାନ ରହିଛି । ସମାଜସେବାପାଇଁ ତାଙ୍କୁ ରମଣ ମାଗାସେସ ପୁରସ୍କାର (୨୦୦୦), ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପୁରସ୍କାର (୨୦୧୦)ରେ ସମ୍ମାନିତ କରାଯାଇଛି ।
ବାଲମଣି ଆମ୍ମା
ବାଲମଣି ଆମ୍ମା ମାଲୟାଲମ ସାହିତ୍ୟର ଜଣେ ଈଶ୍ୱର ଦତ୍ତ ପ୍ରତିଭା ଥିଲେ, ଯିଏ ବିଦ୍ୟାଳୟ ଶିକ୍ଷା ନ ପାଇ ମଧ୍ୟ କବିତା ରଚନାରେ ପ୍ରସିଦ୍ଧିଲାଭ କରିଥିଲେ । କେରଳର ମାଲାବାର ଜିଲ୍ଲା ଅନ୍ତର୍ଗତ ପୁଣ୍ୟାୟୁରକୁଲମଠାରେ ୧୯ଜୁଲାଇ ୧୯୦୯ରେ ବାଲମଣିଙ୍କ ଜନ୍ମ । ତାଙ୍କ ପିତା ଚିତ୍ତଞ୍ଚୁର କୁହ୍ନିରାଜା ଓ ମାତା ଥିଲେ ନାଲାପତ କୋଚ୍ଚୁକୁଟ୍ଟି ଆମ୍ମା । ତାଙ୍କ ମାମୁଙ୍କ ଘରେ ସାଇତା ବହି ହିଁ ତାଙ୍କୁ ଲେଖିବା ପାଇଁ ଅନୁପ୍ରେରିତ କରିଥିଲା । ପରେ ‘ମାତୃଭୂମି’ ଦୈନିକ ସମ୍ବାଦପତ୍ରର ପରିଚାଳନା ନିଦେ୍ର୍ଦଶକ ଭିଏମ୍ ନାୟାରଙ୍କୁ ବିବାହ କଲା ପରେ ତାଙ୍କ ରଚନା ଅଧିକ ଗତିଶୀଳ ହୋଇଥିଲା । ତାଙ୍କର ସଂକଳନ ଆମ୍ମା (ମା), ମୁଥାସୀ (ବୁଢ଼ୀମା), ମାଝୁଭିନ୍ତେ କଥା (କୁରାଢ଼ୀର କାହାଣୀ) ଖୁବ୍ ପ୍ରସିଦ୍ଧ । ପଦ୍ମଭୂଷଣ, ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ସମ୍ମାନ, ଇଟଥାଚାନ ପୁରସ୍କାର, ଅସନ ପୁରସ୍କାର ଆଦି ଅନେକ ସମ୍ମାନ ସେ ଲାଭ କରିଥିଲେ । ତାଙ୍କ ପ୍ରେରଣା ଥିଲେ ମାମୁ ତଥା ମଲୟାଲମ କବି ନାରାୟଣ ମେନନ । ତାଙ୍କର ଚାରି ପିଲାଙ୍କ ମଧ୍ୟରୁ ଜଣେ ଥିଲେ ପ୍ରସିଦ୍ଧ ଲେଖିକା କମଳା ଦାସ । ୨୦୦୪ରେ ୯୫ ବର୍ଷ ବୟସରେ ଆମ୍ମାଙ୍କ ଦେହାନ୍ତ କୋଚିଠାରେ ହୋଇଥିଲା ।
ପ୍ରତିଭା ରାୟ
ପ୍ରତିଭା ରାୟ ଓଡ଼ିଆ ସାହିତ୍ୟର ସର୍ବାଧିକ ଲୋକପ୍ରିୟ ଲେଖିକା, ଯାହାଙ୍କୁ ଭାରତର ଭିନ୍ନଭିନ୍ନ ଭାଷାର ଲୋକେ ପଢ଼ିବାକୁ ଭଲ ପାଇଥା’ନ୍ତି । ତାଙ୍କର ଶିଳାପଦ୍ମ, ଯାଜ୍ଞସେନୀ, ମଗ୍ନମାଟି, ମହାମୋହ, ଆଦିଭୂମି, ଦେହାତୀତ, ଉତ୍ତରମାର୍ଗ, ସମୁଦ୍ରର ସ୍ୱର, ନୀଳତୃଷ୍ଣା, ଅପରିଚିତା, ଅରଣ୍ୟ, ନିଷିଦ୍ଧ ପୃଥିବୀ ଆଦି ଅନେକ ଉପନ୍ୟାସ ପ୍ରକାଶ ପାଇଛି । ‘ଶିଳାପଦ୍ମ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଯାଜ୍ଞସେନୀ’ ପାଇଁ ଶାରଳା ଓ ମୂର୍ତ୍ତିଦେବୀ ସମ୍ମାନ ସମେତ ଜ୍ଞାନପୀଠ, ପଦ୍ମଶ୍ରୀ, ପଦ୍ମବିଭୂଷଣ ସମ୍ମାନ ଲାଭ କରିଛନ୍ତି ।କୃଷ୍ଣା ସୋବତୀ
କୃଷ୍ଣା ସୋବତୀ ଥିଲେ ହିନ୍ଦୀ ସାହିତ୍ୟର ଚର୍ଚ୍ଚିତ ଔପନ୍ୟାସିକା । ତାଙ୍କର ପରିଚିତ ରଚନା ମଧ୍ୟରେ ଜିନ୍ଦଗିନାମା, ମିତ୍ରୋ ମରଜାନୀ, ସୁରଜମୁଖୀ ଅନେ୍ଧରେ କେ ପ୍ରମୁଖ ଉଲ୍ଲେଖନୀୟ । ସାହିତ୍ୟ ରଚନାପାଇଁ ତାଙ୍କୁ ଜ୍ଞାନପୀଠ (୨୦୧୭), ସାହିତ୍ୟ ଏକାଡେମୀ (୧୯୮୦) ପୁରସ୍କାର ମିଳିଥିଲା । ଏହାଛଡ଼ା ସେ ଶିରୋମଣି ପୁରସ୍କାର (୧୯୮୧), ହିନ୍ଦୀ ଏକାଡେମୀ ପୁରସ୍କାର (୧୯୮୨), ଶଲାକା ପୁରସ୍କାର, ବ୍ୟାସ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ରଚନା ସ୍ୱିଡିସ୍, ଋଷିଆନ, ଇଂରାଜୀ, ଊର୍ଦ୍ଦୁ ସମେତ ଭାରତର ପ୍ରାୟ ସମସ୍ତ ପ୍ରାନ୍ତୀୟ ଭାଷାରେ ଅନୂଦିତ ହୋଇଛି । ହିନ୍ଦୀ ରଚନାରେ ଅନେକ ଊର୍ଦ୍ଦୁ ଓ ପଞ୍ଜାବୀ ଶବ୍ଦର ବ୍ୟବହାର କରିବା ତାଙ୍କ ଶୈଳୀ ଥିଲା ।
ଅମୃତା ପ୍ରୀତମ
ପାକିସ୍ତାନର ଗୁଜରନୱାଲାରେ ଅମୃତାପ୍ରୀତମଙ୍କ ଜନ୍ମ । ହିନ୍ଦୀ, ପଞ୍ଜାବୀ ଭାଷାରେ ତାଙ୍କର ୧୦୦ରୁ ଅଧିକ ପୁସ୍ତକ ପ୍ରକାଶିତ । ଭାରତର ଅନେକ ପ୍ରାଦେଶିକ ଭାଷା ସମେତ ପୃଥିବୀର ଅନେକ ଭାଷାରେ ତାଙ୍କ ବହି ଅନୂଦିତ ହୋଇଛି । ଉପନ୍ୟାସ ପିଞ୍ଜର, ସାଗର ୱ÷ର ସିପିୟାଁ, କୋରେ କାଗଜ, ଉଞ୍ଚାସ ଦିନ, ଅଦାଲତ ଆଦି ଖୁବ୍ ପ୍ରସିଦ୍ଧିଲାଭ କରିଛି; କିନ୍ତୁ ତାଙ୍କ ଆତ୍ମକଥା ରସିଦି ଟିକଟ ବହୁ ପଠିତ ଓ ଏବଂ ବହୁ ଅନୂଦିତ ପୁସ୍ତକ । ସାହିତ୍ୟର ବିବିଧ କ୍ଷେତ୍ରରେ ସେ ଲେଖିବାକୁ ପ୍ରୟାସ କରୁଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନପାଇଁ ସେ ପଞ୍ଜାବ ରତନ, ପଦ୍ମବିଭୂଷଣ, ଜ୍ଞାନପୀଠ, ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସ୍ୱାମୀ ପ୍ରୀତମ ସିଂହ ଓ ପିଲାଙ୍କୁ ଛାଡ଼ି ଇମରୋଜ ନାମକ ଜଣେ ଚିତ୍ରକରଙ୍କ ସଙ୍ଗେ ସାରାଜୀବନ ଲିଭାଇନ୍ ଅବସ୍ଥାରେ ନୂଆଦିଲ୍ଲୀର ହଜ୍ଖାସରେ ବାକି ଜୀବନ ଅତିବାହିତ କରିଥିଲେ ।
ଆଶାପୂର୍ଣ୍ଣା ଦେବୀ
ବଙ୍ଗଳା ଭାଷାର ଔପନ୍ୟାସିକା ଆଶାପୂର୍ଣ୍ଣା ଦେବୀ ଜଣେ ସଫଳ ନାରୀ କବି ଥିଲେ । ଶିଶୁ-କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପାଇଁ ସେ ଅନେକ ପୁସ୍ତକ ରଚନା କରିଯାଇଛନ୍ତି । ପ୍ରଥମେ ପ୍ରଥମେ ସେ ପିଲାଙ୍କ ପାଇଁ ଲେଖୁଥିଲେ । ୧୯୩୮ରେ ଛୋଟୋ ଠାକୁରଦାର କାଶୀଯାତ୍ରା ଥିଲା ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ । ପ୍ରେମ ଓ ପ୍ରୟୋଜନ ଥିଲା ବଡ଼ଙ୍କ ପାଇଁ ତାଙ୍କର ପ୍ରଥମ ଉପନ୍ୟାସ, ଯାହା ୧୯୪୪ରେ ପ୍ରକାଶ ପାଇଥିଲା । ପ୍ରଥମ ପ୍ରତିଶ୍ରୁତି ଥିଲା ତାଙ୍କର ସବୁଠୁ ଅଧିକ ଲୋକପ୍ରିୟ ଉପନ୍ୟାସ (୧୯୬୪) । ସାହିତ୍ୟପାଇଁ ଜ୍ଞାନପୀଠ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସେ ସମ୍ମାନିତ ହୋଇଥିଲେ । ଜବଲପୁର, ରବୀନ୍ଦ୍ର ଭାରତୀ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ଡିଲିଟ୍ ସମ୍ମାନ ଲାଭ କରିଥିଲେ । ବିଶ୍ୱଭାରତୀ ଦେଶିକୋତ୍ତମ ସମ୍ମାନ ତାଙ୍କୁ ପ୍ରଦାନ କରିଥିଲା ।
ମହାଶ୍ୱେତା ଦେବୀ
ମହାଶ୍ୱେତା ଦେବୀ ବଙ୍ଗଳା ଭାଷାର ଅନ୍ୟତମ ଶ୍ରେଷ୍ଠ ଲେଖିକା ଥିଲେ । ରୁଦାଲି, ଅରଣ୍ୟେର ଅଧିକାର, ହଜାର ଚୁରାଶିର ମା ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ । ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟର ବନବାସୀମାନଙ୍କ ଅଧିକାର ସଂପର୍କରେ ସେ ଅନେକ ଲେଖା ଲେଖିଛନ୍ତି । ସାହିତ୍ୟପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଜ୍ଞାନପୀଠ, ରମଣ ମାଗାସେସେ, ପଦ୍ମଶ୍ରୀ, ପଦ୍ମବିଭୂଷଣ ପୁରସ୍କାର ଆଦି ସେ ଲାଭ କରିଥିଲେ ।
ମହାଦେବୀ ବର୍ମା
ହିନ୍ଦୀ ସାହିତ୍ୟରେ ମହାଦେବୀ ବର୍ମାଙ୍କ ସ୍ଥାନ ସ୍ୱତନ୍ତ୍ର । ଛାୟାବାଦୀ ଯୁଗର ସେ ଥିଲେ ପ୍ରମୁଖ କବୟିତ୍ରୀ । ସେ ଗଳ୍ପ, ଉପନ୍ୟାସ, କବିତା ସବୁକିଛି ଲେଖୁଥିଲେ । ଯମ, ମେରା ପରିବାର, ପଥକେ ସାଥୀ ଆଦି ତାଙ୍କର ପ୍ରମୁଖ ରଚନା । ତାଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମଭୂଷଣ (୧୯୫୬), ପଦ୍ମବିଭୂଷଣ (୧୯୮୮), ଜ୍ଞାନପୀଠ (୧୯୮୨) ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରୟାଗ ମହିଳା ବିଦ୍ୟାପୀଠର ସେ ଅଧ୍ୟକ୍ଷା ଥିଲେ । ତାଙ୍କର ବାଲ୍ୟ ବିବାହ ହୋଇଥିଲେ ହେଁ ସେ ସାରାଜୀବନ ସନ୍ନ୍ୟାସିନୀ ପ୍ରାୟ ବଞ୍ଚିଥିଲେ । କବି ସୁଭଦ୍ରା କୁମାରୀ ଚୌହାନ ଥିଲେ ତାଙ୍କର କଲେଜ ସଙ୍ଗିନୀ । ହିନ୍ଦୀ ସାହିତ୍ୟ ପ୍ରତି ତାଙ୍କ ଜୀବନ ଥିଲା ସମର୍ପିତ ।
ଅନିତା ଦେଶାଇ
ଅନିତା ଦେଶାଇ ଭାରତରେ ଜନ୍ମିତା ଏବଂ ଆମେରିକାବାସୀ ଔପନ୍ୟାସିକା, ଯିଏ ଇଂରାଜୀରେ ଖୁବ୍ ଚମକ୍ରାର ଲେଖିପାରନ୍ତି । ତାଙ୍କ ଉପନ୍ୟାସ ଫାୟାର ଅନ୍ ଦି ମାଉଣ୍ଟେନ ପାଇଁ ସେ ୧୯୭୮ରେ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୁକର ପୁରସ୍କାରପାଇଁ ତାଙ୍କ ନାମ ତିନିଥର ଯାଇଥିଲା । ଆମେରିକାର ଭିନ୍ନଭିନ୍ନ କଲେଜରେ ଅଧ୍ୟାପନା କରି ସେ ପ୍ରସିଦ୍ଧ ଏମ୍ଆଇଟିର ପ୍ରଫେସର ରହିଥିଲେ । ୨୦୧୪ରେ ତାଙ୍କୁ ପଦ୍ମଭୂଷଣ, ୨୦୦୩ରେ ବେନସନ ମେଡାଲ, ୧୯୯୩ରେ ନେଲଗୁନ୍ ପୁରସ୍କାର, ୨୦୦୦ରେ ଇଟାଲୀର ଏଲବେର୍ଟେ ମେରାଭିଆ ପୁରସ୍କାର ଲାଭ କରିଥିଲେ । ଭାରତ ବାହାରେ ଅନିତାଙ୍କ ପୁସ୍ତକଗୁଡ଼ିକ ପ୍ରକୃତ ଭାରତୀୟ ସଂସ୍କୃତିକୁ ପ୍ରତିନିଧିତ୍ୱ କରିଥାଏ । ଭାରତରେ ଲେଖୁଥିବା ଅନେକ ଇଂରାଜୀ ଲେଖିକାଙ୍କ ପୃଷ୍ଠଭୂମି ହେଉଛି ଭାରତ, ଭାରତୀୟତା, ଭାରତର ସଂସ୍କୃତି, ଭାରତର ବିଧି ଓ ବ୍ୟବସ୍ଥା ବିରୋଧରେ ଲେଖି ବିଦେଶୀ ସଂସ୍ଥାରୁ ବାହାବା ପାଇବା ଅଥଚ ଅନିତା ବିଦେଶରେ ଥାଇ ମଧ୍ୟ କେବେ ଗୋରୀ ଚମଡ଼ାବାଲି ହେବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କ ରଚନାରେ ଭାରତର ଚିତ୍ତଭୂମି ହିଁ ରହିଥାଏ ।
ରୁକ୍ମିଣୀ ଦେବୀ ଅରୁଣ୍ଡଲେ
୨୯ ଫେବୃଆରୀ ୧୯୦୪ରେ ଜନ୍ମିତା ରୁକ୍ମିଣୀ ଦେବୀ ଅରୁଣ୍ଡଲେ ଭରତ ନାଟ୍ୟମର ଜଣେ ସଫଳ ନୃତ୍ୟାଙ୍ଗନା ଥିଲେ । ଭରତ ନାଟ୍ୟମକୁ ସ୍ୱୀକୃତି ଦେବା, ଲୋକପ୍ରିୟ କରାଇବାପାଇଁ ସେ ନୃତ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆଣିଥିଲେ । ନୃତ୍ୟରେ ଅବଦାନପାଇଁ ୧୯୫୬ରେ ତାଙ୍କୁ ପଦ୍ମଭୂଷଣ ଏବଂ ୧୯୬୭ରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।
ଶୋଭନା ନାରାୟଣ
ପଶ୍ଚିମବଙ୍ଗରେ ୨ ସେପ୍ଟେମ୍ବର ୧୯୫୦ରେ ଜନ୍ମିତା କଥକ ନୃତ୍ୟଶିଳ୍ପୀ ଶୋଭନା ନାରାୟଣ ଥିଲେ ପଣ୍ଡିତ ବିରଜୁ ମହାରାଜଙ୍କ ଶିଷ୍ୟା । ଭାରତ ସରକାରଙ୍କର ଜଣେ ପ୍ରଶାସନିକ ସେବା ଅଧିକାରୀ ହୋଇ ମଧ୍ୟ ନୃତ୍ୟ ପ୍ରତି ତାଙ୍କ ଶ୍ରଦ୍ଧା ଥିଲା ଅଧିକ । ସେ ନୃତ୍ୟ କରିବା ସହ ଅନେକ ନୃତ୍ୟର ସଂଯୋଜନା ମଧ୍ୟ କରିଥା’ନ୍ତି । ବିଶ୍ୱର ଅନେକ ଦେଶରେ ଏମିତି ମିଳିତ ନୃତ୍ୟ ପ୍ରଦର୍ଶନ କରିବା ସହ, ସେ ୯ଟି ପୁସ୍ତକ ନୃତ୍ୟ ବିଷୟରେ ଲେଖିଛନ୍ତି । ୧୯୯୨ରେ ପଦ୍ମଶ୍ରୀ ଏବଂ ସେ ୧୯୯୯-୨୦୦୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ।
ସୋନାଲ ମାନସିଂହ
ବିଶିଷ୍ଟ ଓଡ଼ିଆ କବି ମାୟାଧର ମାନସିଂହଙ୍କ ବୋହୂ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କ ଜନ୍ମ ୩୦ ଏପ୍ରିଲ ୧୯୪୪ରେ ମୁମ୍ବାଇଠାରେ ହୋଇଥିଲା । ୧୯୬୨ରେ ସେ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରି ୧୯୭୭ରେ ନୂଆଦିଲ୍ଲୀରେ ସେଣ୍ଟର ଫର ଇଣ୍ଡିଆନ କ୍ଲାସିକ ଡ୍ୟାନସେସ ଅନୁଷ୍ଠାନ ଆରମ୍ଭ କଲେ । ତାଙ୍କର ନୃତ୍ୟରେ ଦକ୍ଷତା ପାଇଁ ତାଙ୍କୁ ୧୯୯୨ରେ ପଦ୍ମଭୂଷଣ, ୧୯୮୭ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୩ରେ ପଦ୍ମବିଭୂଷଣ ଏବଂ ବାଲା ସରସ୍ୱତୀ ସମ୍ମାନ ଲାଭ କରିଥିଲେ । ଭାରତୀୟ ନୃତ୍ୟ ସଂକ୍ରାନ୍ତରେ ସେ ତିନୋଟି ପୁସ୍ତକ ରଚନା କରିଛନ୍ତି । ରାଜ୍ୟସଭାର ସଦସ୍ୟା ଭାବେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିଲେ ।
କଳାମଣ୍ଡଳମ କଲ୍ୟାଣୀକୁଟ୍ଟି ଆମ୍ମା
ଏକଦା ମୋହିନୀୟାଟ୍ଟମ ନୃତ୍ୟ ଦେଶରେ ଶେଷ ହୋଇ ଆସୁଥିଲା ବେଳେ କଳାମଣ୍ଡଳମ କଲ୍ୟାଣୀକୁଟ୍ଟି ଆମ୍ମା (୧୯୧୫-୧୯୯୯) ତାକୁ ପୁନର୍ଜୀବନ୍ୟାସ ଦେଲେ । ଏହି ନୃତ୍ୟର ଶାସ୍ତ୍ରୀୟତା ସଂପର୍କରେ ଦୁଇଟି ପୁସ୍ତକ ରଚନା କଲେ । ନୃତ୍ୟ କ୍ଷେତ୍ରରେ ଅବଦାନପାଇଁ ତାଙ୍କୁ କେରଳ ସଙ୍ଗୀତ ନାଟକ ଏକାଡେମୀ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ କାଳିଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ମୃଣାଳିନୀ ସରାଭାଇ
ମୃଣାଳିନୀ ବିକ୍ରମ ସରାଭାଇ କଥାକଲି ନୃତ୍ୟର ନିଦେ୍ର୍ଦଶିକା ଓ ନୃତ୍ୟାଙ୍ଗନା ଥିଲେ । ୧୧ ମଇ ୧୯୧୮ରେ ଗୁଜରାଟରେ ଜନ୍ମିତା ମୃଣାଳିନୀ ଅହମ୍ମଦାବାଦ ସହରରେ ଦର୍ପଣ ଏକାଡେମୀ ଅଫ୍ ପରଫର୍ମିଂ ଆର୍ଟସ ଶିକ୍ଷାନୁଷ୍ଠାନ ମାଧ୍ୟମରେ ନୃତ୍ୟଶିକ୍ଷା ସହ ପ୍ରଦର୍ଶନ ଜାରି ରଖିଥିଲେ । ତାଙ୍କ ଅଧୀନରେ ୧୮୦୦୦ ଛାତ୍ରଛାତ୍ରୀ କଥାକଲି ନୃତ୍ୟର ପ୍ରଶିକ୍ଷଣ ପାଇଥିଲେ । ସେ ୩୦୦ ନୃତ୍ୟ ନାଟିକା ମଞ୍ଚସ୍ଥ କରିଥିଲେ । ନୃତ୍ୟପାଇଁ ତାଙ୍କୁ ୧୯୬୫ରେ ପଦ୍ମଶ୍ରୀ, ୧୯୯୨ରେ ପଦ୍ମଭୂଷଣ, ୧୯୯୪ରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।ଯାମିନୀ କୃଷ୍ଣମୂର୍ତ୍ତି
କୁଚିପୁଡ଼ି ନୃତ୍ୟାଙ୍ଗନା ଯାମିନୀ କୃଷ୍ଣମୂର୍ତ୍ତିଙ୍କର ୨୦ ଡିସେମ୍ବର ୧୯୪୦ରେ ଆନ୍ଧ୍ରପ୍ରଦେଶର ମଦାନାପାଲ୍ଲିଠାରେ ଜନ୍ମ । ରୁକ୍ମିଣୀ ଦେବୀ ଅରୁଣ୍ଡଲେଙ୍କ କଳାକ୍ଷେତ୍ରଠାରେ ତାଙ୍କ ନୃତ୍ୟଶିକ୍ଷା ଆରମ୍ଭ ହୋଇଥିଲା । ୧୯୫୭ରେ ସେ ଚେନ୍ନାଇଠାରେ ପ୍ରଥମେ ନୃତ୍ୟ ପ୍ରଦର୍ଶନ କରିଥିଲେ । ୧୯୯୦ରେ ନୂଆଦିଲ୍ଲୀଠାରେ ସେ ଯାମିନୀ ସ୍କୁଲ୍ ଅଫ୍ ଡ୍ୟାନ୍ସ ଆରମ୍ଭ କରିଥିଲେ । ପଦ୍ମଶ୍ରୀ (୧୯୬୮), ପଦ୍ମଭୂଷଣ (୨୦୦୧), ପଦ୍ମବିଭୂଷଣ (୨୦୧୬) ସମ୍ମାନରେ ସେ ସମ୍ମାନିତା ।
ତାଞ୍ଜୋର ବାଲା ସରସ୍ୱତୀ
ତାଞ୍ଜୋର ବାଲା ସରସ୍ୱତୀ ଭାରତନାଟ୍ୟମର ଜଣେ ସଫଳ ନୃତ୍ୟଶିଳ୍ପୀ, ଯାହାଙ୍କୁ ଲୋକେ କେବଳ ବାଲା ସରସ୍ୱତୀ କହିଲେ ହିଁ ଚିହ୍ନନ୍ତି । ୧୩ ମଇ ୧୯୧୮ରେ ଚେନ୍ନାଇଠାରେ ତାଙ୍କର ଜନ୍ମ । ୧୯୩୪ରେ କୋଲକାତାଠାରେ ସେ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରିଥିଲେ । ଚେନ୍ନାଇଠାରେ ଏକ ନୃତ୍ୟ ଶିକ୍ଷାକେନ୍ଦ୍ର ସ୍ଥାପନା କରି ସେ ଅନେକ ନୃତ୍ୟାଙ୍ଗନାଙ୍କୁ ପ୍ରସ୍ତୁତ କରିଥିଲେ । ନୃତ୍ୟପାଇଁ ତାଙ୍କୁ୧୯୫୭ରେ ପଦ୍ମଭୂଷଣ, ୧୯୭୭ରେ ପଦ୍ମବିଭୂଷଣ ଓ ୧୯୭୩ରେ ସଙ୍ଗୀତ କଳାନିଧି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ବଙ୍ଗଳା ସିନେ ନିଦେ୍ର୍ଦଶକ ସତ୍ୟଜିତ ରାୟ ୧୯୭୬ରେ ‘ବାଲା’ ଶୀର୍ଷକରେ ବାଲା ସରସ୍ୱତୀଙ୍କ ଜୀବନକୁ ନେଇ ଏକ ସିନେମା ନିର୍ମାଣ କରିଥିଲେ ।
ସଂଯୁକ୍ତା ପାଣିଗ୍ରାହୀ
ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ମଧ୍ୟରେ ସର୍ବାଗ୍ରେ ରହିଥିବା ସଂଯୁକ୍ତା ପାଣିଗ୍ରାହୀ ପ୍ରଥମ ଓଡ଼ିଆ ମହିଳା ଭାବେ ଏହି ନୃତ୍ୟକୁ ଗ୍ରହଣ କରିଥିଲେ । ୨୪ ଅଗଷ୍ଟ ୧୯୪୪ରେ ଗଞ୍ଜାମର ବ୍ରହ୍ମପୁରରେ ଜନ୍ମିତା ସଂଯୁକ୍ତା ୧୯୭୫ରେ ପଦ୍ମଶ୍ରୀ, ୧୯୭୬ରେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ । ଭାରତର ଭିନ୍ନଭିନ୍ନ ରାଜ୍ୟକୁ ଛାଡ଼ିଦେଲେ, ସେ ଫିଲିପାଇନ୍ସ (୧୯୬୯), ବ୍ରିଟେନ୍ (୧୯୮୩), ଇସ୍ରାଏଲ୍, ଗ୍ରୀସ୍ (୧୯୮୯), ଫ୍ରାନ୍ସ ଆଦି ଦେଶରେ ନୃତ୍ୟ ପ୍ରଦର୍ଶନ କରି ବହୁ ପ୍ରଶଂସିତ ହୋଇଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ରଘୁନାଥ ପାଣିଗ୍ରାହୀ ଥିଲେ ସଂଯୁକ୍ତାଙ୍କ ସ୍ୱାମୀ । ୨୪ ଜୁନ୍ ୧୯୯୭ରେ ମାତ୍ର ୫୨ବର୍ଷ ବୟସରେ ସଂଯୁକ୍ତାଙ୍କର ଭୁବନେଶ୍ୱରଠାରେ ପରଲୋକ ହୋଇଥିଲା ।
ଇନ୍ଦିରା ବୋରା
ଆସାମର ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଇନ୍ଦିରା ପି.ପି.ବୋରା ଥିଲେ ପ୍ରସିଦ୍ଧ ଗୁରୁ ରୁକ୍ମିଣୀ ଦେବୀ ଅରୁଣ୍ଡଲେଙ୍କ ଭାରତ ନାଟ୍ୟମର ଛାତ୍ରୀ । ପରେ ଭେମ୍ପତି ଚିନ୍ନା ସତ୍ୟମ୍ଙ୍କଠାରୁ ସେ କୁଚିପୁଡ଼ି ଶିକ୍ଷା ଗ୍ରହଣ କରିଥିଲେ । ଆମେରିକା, ଭିଏତ୍ନାମ, ନିଉଜିଲାଣ୍ଡ ଆଦି ଦେଶରେ ସେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିଲେ । ନୃତ୍ୟ ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୬), ରାଜ୍ୟ ବିଷ୍ଣୁରାଭା ପୁରସ୍କାର (୨୦୦୪), ଜୋନାକୀ ପୁରସ୍କାର, ପଦ୍ମଶ୍ରୀ ସମ୍ମାନ (୨୦୨୦) ପ୍ରଦାନ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟପାଇଁ ତାଙ୍କୁ ସିନିଅର ଫେଲୋସିପ୍ ପ୍ରଦାନ କରାଯାଇଛି ।
ୟୁମଲେମବାମ ଗାମ୍ଭିନୀ ଦେବୀ
ମଣିପୁରୀ ରାସର ନାଟ ସଂକୀର୍ତ୍ତନ ଗାୟିକା ୟୁମଲେମବାମ ଗାମ୍ଭିନୀଦେବୀ ଉତ୍ତର-ପୂର୍ବାଞ୍ଚଳର ଏକ ପ୍ରସିଦ୍ଧ ନାମ । ସେ ଜବାହରଲାଲ ନେହେରୁ ମଣିପୁର ଡ୍ୟାନ୍ସ ଏକାଡେମୀର ଅଧ୍ୟାପିକା । ନାଟସଂକୀର୍ତ୍ତକ ୱାଇ.ଗୁଲାପ ସିଂହଙ୍କ ଝିଅ ଗାମ୍ଭିନୀଙ୍କ ଜନ୍ମ ୧୯୪୫ରେ ମଣିପୁରର ୟାଇସ୍କୁଲ ହିରୁହାନ୍ବା ଲେଇକାଇଠାରେ । ପାଞ୍ଚବର୍ଷ ବୟସରୁ ସେ ନୃତ୍ୟ ଓ ସଙ୍ଗୀତ ଶିକ୍ଷା କରି ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ମଣିପୁରୀର ପ୍ରସିଦ୍ଧ ଗୁରୁ ଅମ୍ବୁଡୋନ୍ ଶର୍ମା, ମାଇସନାମ ଆମୁବି ସିଂହ, ଜ୍ଞାନଗୋମ୍ ଯୋଗେନ୍ଦ୍ର ସିଂହ, ତୋମ୍ବାସିଂଙ୍କଠାରୁ ଶିକ୍ଷାଲାଭ କରିଥିଲେ । ସେ ୭ବର୍ଷ ବୟସରୁ ଦେଶ ବିଦେଶରେ ମଞ୍ଚ ପ୍ରଦର୍ଶନ କରିଆସିଛନ୍ତି । ୨୦୦୫ରୁ ତାଙ୍କ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଲ୍ ଇଣ୍ଡିଆ ରେଡିଓ, ଇମ୍ଫାଲର ସେ ପ୍ରଥମ ମଣିପୁରୀ ଟପଗ୍ରେଡ୍ ମହିଳା ଶିଳ୍ପୀ । ମଣିପୁରୀ ନୃତ୍ୟ ଓ ଗୀତ ପାଇଁ ନୃତ୍ୟରତ୍ନ ସମ୍ମାନ (୧୯୭୯) ମଣିପୁର ସାହିତ୍ୟ ପରିଷଦ ପକ୍ଷରୁ ଲାଭ କରିଥିଲେ । ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୮), ପଦ୍ମଶ୍ରୀ (୨୦୦୫) ଆଦି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।
ଇଲମ ଇନ୍ଦିରା ଦେବୀ
ମଣିପୁରର ଇମ୍ଫାଲବାସୀ ଇଲମ ବିଧୁମଣି ସିଂହ ଏବଂ ଇଲମ ରୋସୋମଣି ସିଂହଙ୍କ ଝିଅ ଇଲମ ଇନ୍ଦିରା ଦେବୀ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟର ପ୍ରସିଦ୍ଧ ନୃତ୍ୟାଙ୍ଗନା । ୧ ସେପ୍ଟେମ୍ବର୧୯୫୭ରେ ଜନ୍ମିତା ଇନ୍ଦିରା ୮ବର୍ଷ ବୟସରୁ ଗୁରୁ ଲୌରେମ୍ବାମ୍ ଅମୁୟାଇମା ସିଂହଙ୍କଠାରୁ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ପରେ ସେ ପ୍ରସିଦ୍ଧ ଗୁରୁମାନଙ୍କଠାରୁ ଶିକ୍ଷା ପାଇ ୧୯୬୭ରେ ନୃତ୍ୟ ଚର୍ଯ୍ୟାରେ ଡିପ୍ଲୋମା ଲାଭ କରିଥିଲେ । ଗୌହାଟି ବିଶ୍ୱବିଦ୍ୟାଳୟରୁ ୧୯୭୯ରେ ମଣିପୁରୀ ସାହିତ୍ୟ ଓ ସଂସ୍କୃତିରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୭୨ରେ ମେଇତେଇ ଭାଷାରେ ନିର୍ମିତ ସିନେମା ମାତାମଗି ମଣିପୁରରେ ଇନ୍ଦିରା ଅଭିନୟ କରିଥିଲେ । ସିନେମାଟି ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା । କେନ୍ଦ୍ର ସଂସ୍କୃତି ବିଭାଗରୁ ଜୁନିଅର ଫେଲୋସିପ (୧୯୯୦-୯୨) ନୃତ୍ୟରାଣୀ ଉପାଧି – (୧୯୮୪), ଶ୍ରେଷ୍ଠ ଅଭିନେତ୍ରୀ- ନାଟକ ଉତ୍ସବ (୧୯୭୧), ଏକାଙ୍କିକା ପୁରସ୍କାର (୧୯୭୦), ପଦ୍ମଶ୍ରୀ (୨୦୧୪) ଆଦି ସମ୍ମାନ ସେ ଲାଭ କରିଛନ୍ତି ।
ସୀତାରା ଦେବୀ
ସୀତାରା ଦେବୀ ଥିଲେ କଥକ ନୃତ୍ୟର ଜଣେ ଅନନ୍ୟ କଳାକାର । ୮ ନଭେମ୍ବର ୧୯୨୦ରେ କୋଲକାତାରେ ଜନ୍ମିତା ସୀତାରା ଭାରତ ବାହାରେ ରୟାଲ ଆଲବର୍ଟହଲ୍, ଲଣ୍ଡନ (୧୯୬୭), ନୁ୍ୟୟର୍କର କାର୍ନେରୀ ହଲ (୧୯୭୬)ରେ ନୃତ୍ୟ ପରିବେଷଣ କରିଥିଲେ । ୧୦ ବର୍ଷ ବୟସରୁ ସୀତାରା ଦେବୀ ମଞ୍ଚରେ ନୃତ୍ୟ କରିଥିଲେ । ୧୧ବର୍ଷ ବୟସରେ ମୁମ୍ବାଇର ଆଥିୟା ବେଗମ ପାଲେସରେ ନୃତ୍ୟ କରି ସେ ରବୀନ୍ଦ୍ରନାଥ, ସରୋଜିନୀ ନାଇଡୁ, ସାର କାୱାସଜୀ ଜାହାଙ୍ଗୀରଙ୍କୁ ବହୁ ପ୍ରଭାବିତ କରିଥିଲେ । ରବୀନ୍ଦ୍ରନାଥ ଏକ ଶାଲ ସହ ତାଙ୍କୁ ୫୦ ଟଙ୍କା ଉପହାର ସ୍ୱରୂପ ଦେଇଥିଲେ । ନୃତ୍ୟପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୬୯), ପଦ୍ମଶ୍ରୀ (୧୯୭୩), କାଳିଦାସ ସମ୍ମାନ (୧୯୯୫), ନୃତ୍ୟ ନିପୁଣା ସମ୍ମାନ ପାଇଥିଲେ ।
ପ୍ରତିମା ଦେବୀ
ପ୍ରତିମା ଦେବୀ(୧୮୯୩-୧୯୬୯) ଥିଲେ ପ୍ରସିଦ୍ଧ କବି ରବୀନ୍ଦ୍ରନାଥ ଠାକୁରଙ୍କ ପୁତ୍ର ରଥିନ୍ଦ୍ରନାଥଙ୍କ ସ୍ତ୍ରୀ । ସେ ଥିଲେ ପ୍ରସିଦ୍ଧ ଚିତ୍ରକର ନନ୍ଦଲାଲ ବୋଷ ଏବଂ ରବୀନ୍ଦ୍ରନାଥଙ୍କ ଶିଷ୍ୟା । ଟାଗୋର ପରିବାରଙ୍କ ଦ୍ୱାରା ପରିଚାଳିତ ଇଣ୍ଡିଆନ ସୋସାଇଟି ଅଫ୍ ଆର୍ଟରେ ତାଙ୍କ ଛବି ୧୯୧୫ରେ ପ୍ରଦର୍ଶିତ ହୋଇଥିଲା । ରଥିନ୍ଦ୍ରନାଥଙ୍କୁ ବିବାହ କଲାପରେ ଅଳ୍ପଦିନପାଇଁ ସେ ବାଂଲାଦେଶର ସିଲାଇଡିହଠାରେ ରହି ପରେ ଶାନ୍ତିନିକେତନକୁ ଫେରି ଶିଳ୍ପସଦନର ଦାୟିତ୍ୱ ନେଇଥିଲେ । ରଥିନ୍ଦ୍ର ଶାନ୍ତିନିକେତନର କୁଳପତି ଦାୟିତ୍ୱ ଅଧାରୁ ଛାଡ଼ିଦେଇ ଚାଲିଯାଇଥିଲେ ମଧ୍ୟ ପ୍ରତିମା ଶାନ୍ତିନିକେତନକୁ ଛାଡ଼ି ନ ଥିଲେ । ୯ ଜାନୁଆରୀ ୧୯୬୯ରେ ପ୍ରତିମାଙ୍କର ଦେହାନ୍ତ ହୋଇଥିଲା । ସେ ନିର୍ବାଣ, ସ୍ମୃତିଚିହ୍ନ, ନୃତ୍ୟ ଓ ଚିତ୍ରଲେଖା ଶୀଷର୍କରେ ଚାରିଗୋଟି ପୁସ୍ତକ ସଂକଳିତ କରିଥିଲେ ।
ଅଞ୍ଜୋଲି ଇଲା ମେନନ
ସାଂପ୍ରତିକ ମହିଳା ଚିତ୍ରକରଙ୍କ ମଧ୍ୟରେ ଅଞ୍ଜୋଲି ଇଲା ମେନନ ଏକ ପରିଚିତ ନାମ । ୧୯୪୦ରେ ପଶ୍ଚିମବଙ୍ଗର ବର୍ଣ୍ଣପୁରଠାରେ ଜନ୍ମିତା ଅଞ୍ଜୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମିରାଣ୍ଡା କଲେଜ, ଲରେନ୍ସ ସ୍କୁଲ, ମୁମ୍ବାଇର ସାର ଜେ.ଜେ. ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟରୁ ପ୍ରୟୋଗାତ୍ମକ କଳାରେ ଶିକ୍ଷାଲାଭ କରିଥିଲେ । ଯାତ୍ରା, ଜଣେ ଯୁବ ଅଭିନେତାର ଛବି, ମ୍ୟାଜିକବାଲାର କାହାଣୀ, ଝର୍କା ବାହାରର ଦୃଶ୍ୟ, ହେଉଛି ତାଙ୍କର ଗୋଟିଏ ଗୋଟିଏ ଚମକ୍ରାର ଛବି । ତାଙ୍କ କଳା ସଂପର୍କରେ ଦୁଇଟି ପୁସ୍ତକ ପ୍ରକାଶ ପାଇଛି । ଦେଶ ଓ ଦେଶ ବାହାରେ ତାଙ୍କର ୩୫ରୁ ଅଧିକ ଏକକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ତାଙ୍କୁ ପଦ୍ମଶ୍ରୀ (୨୦୦୦), ଲିମ୍କା ବୁକ୍ ଅଫ୍ ରେକର୍ଡ୍ସ (୨୦୧୦), କାଳିଦାସ ସମ୍ମାନ (୨୦୧୮), ଦିଲ୍ଲୀ ସରକାରଙ୍କ ଦ୍ୱାରା ଜୀବନବ୍ୟାପୀ ସାଧନାପାଇଁ ସମ୍ମାନ ମିଳିଛି ।
ବି.ପ୍ରଭା
ଭାରତର ଆଧୁନିକ କାଳର ମହିଳା ଚିତ୍ରଶିଳ୍ପୀଙ୍କ ମଧ୍ୟରେ ବି. ପ୍ରଭା (୧୯୩୩-୨୦୦୧) ଏକ ପରିଚିତ ନାମ । ଗ୍ରାମାଞ୍ଚଳର ମହିଳାଙ୍କ ତୈଳଚିତ୍ର ଆଙ୍କିବା ଥିଲା ତାଙ୍କର ପ୍ରଥମ ରୁଚି । ସାର୍ ଜେଜେ ସ୍କୁଲ୍ ଅଫ୍ ଆର୍ଟରୁ ଶିକ୍ଷାପ୍ରାପ୍ତ ପ୍ରଭା ଅମୃତା ଶେରଗିଲଙ୍କ ଛବି ଦ୍ୱାରା ପ୍ରଭାବିତ ହୋଇଥିଲେ । ତାଙ୍କ ସ୍ୱାମୀ ବି. ବିଠଲ ଥିଲେ ଜଣେ ମୂର୍ତ୍ତିକାର । ସେ ଛାତ୍ରୀ ଥିଲା ବେଳେ ତାଙ୍କ ପ୍ରଦର୍ଶନୀରୁ ବିଶିଷ୍ଟ ବୈଜ୍ଞାନିକ ହୋମିଭାବା ତିନୋଟି ଛବି କିଣିଥିଲେ । ଏୟାର ଇଣ୍ଡିଆ ସଂସ୍ଥା ପ୍ରଭାଙ୍କ ଛବିକୁ ବ୍ୟବହାର କରୁଥିଲା । ୧୯୫୬ରେ ପ୍ରଭା ପ୍ରଥମ ପ୍ରଦର୍ଶନୀ ଆରମ୍ଭ କରିଥିଲେ । ଦେଶ ଭିତରେ ଓ ଦେଶ ବାହାରେ ପ୍ରାୟ ୫୦ଟି ପ୍ରଦର୍ଶନୀ ତାଙ୍କ ଛବିକୁ ନେଇ ହୋଇଥିଲା ।ଲଳିତା ଲାଜ୍ମୀ
ଲଳିତା ଲାଜ୍ମୀ ପ୍ରସିଦ୍ଧ ହିନ୍ଦୀ ସିନେ ନିଦେ୍ର୍ଦଶକ ଗୁରୁଦତ୍ତଙ୍କ ଭଉଣୀ । ୧୭ ଅକ୍ଟୋବର ୧୯୩୨ରେ କୋଲକାତାରେ ଲଳିତାଙ୍କ ଜନ୍ମ । ମୁମ୍ବାଇର ସାର୍ ଜାମସେଦଜୀ ଜୀଜାଭାଇ ସ୍କୁଲ ଅଫ୍ ଆର୍ଟ୍ସରୁ ସେ ଶିକ୍ଷାଲାଭ କରିଥିଲେ । ୬୦ ଦଶକରୁ ତାଙ୍କର ସକ୍ରିୟ ଶିଳ୍ପୀ ଜୀବନର ଆରମ୍ଭ । ଭାରତୀୟ ସଂସ୍କୃତି, ଶିକ୍ଷା ଗବେଷଣା ସଂସ୍ଥାର ଅନୁଦାନ କ୍ରମେ ସେ ଜର୍ମାନୀ (୧୯୮୩), କାଲିଫର୍ଣ୍ଣିଆ (୧୯୭୭), ଗସ୍ତ କରିଥିଲେ । ବମ୍ବେ ଆର୍ଟସୋସାଇଟି-ମୁମ୍ବାଇ (୧୯୭୯), ଏବଂ ମହାରାଷ୍ଟ୍ର ରାଜ୍ୟ ଚିତ୍ରକଳା ପ୍ରଦର୍ଶନୀ (୧୯୭୮) ପକ୍ଷରୁ ସେ ପୁରସ୍କାର ଲାଭ କରିଥିଲେ ।
ଅତସୀ ବରୁଆ
ଭାରତର ମହିଳା ଚିତ୍ରକରଙ୍କ ମଧ୍ୟରେ ଅତସୀ ବରୁଆ (୧୯୨୮-୨୦୧୬) ଏକ ପରିଚିତ ନାମ । ରେଖାଚିତ୍ର ଆଙ୍କିବାରେ ତାଙ୍କର ବେଶ୍ ଦକ୍ଷତା ରହିଥିଲା । ତାଙ୍କ ପିତା ତାଙ୍କୁ ପିଲାଟି ବେଳୁ ଚିତ୍ର ଆଙ୍କିବା ଶିକ୍ଷା ଦେଇଥିଲେ । ଅଙ୍କନର ସମସ୍ତ କଳା ସଂପର୍କରେ ସେ ଅଳ୍ପଦିନରେ ପରିଚିତ ହୋଇଥିଲେ । କୋଲକାତା ଏକାଡେମୀ ଅଫ୍ ଫାଇନ ଆର୍ଟ୍ସର ୧୧ଶ ବାର୍ଷିକ ପ୍ରଦର୍ଶନୀରେ ସେ ଆର୍ଥିକ ପୁରସ୍କାର ଲାଭ କରିଥିଲେ । ଦେଶ ବାହାରେ ଶ୍ରୀଲଙ୍କା, ତେହେରାନ (ଇରାନ), ଟୋକିଓ (ଜାପାନ), ବ୍ୟାଙ୍କକ୍ (ଥାଇଲାଣ୍ଡ)ରେ ତାଙ୍କ ଛବି ପ୍ରଦର୍ଶିତ ହୋଇଥିଲା । ତାଙ୍କ ସ୍ୱାମୀ ଡକ୍ଟର ଅରବିନ୍ଦ ବରୁଆ ବୌଦ୍ଧ ଥିବାରୁ ବୌଦ୍ଧଧର୍ମର ପ୍ରଭାବ ଅତସୀଙ୍କ ଛବିରେ ଦେଖାଯାଏ । ଯାମିନୀ ରାୟ, ନନ୍ଦଲାଲ ବୋଷଙ୍କ ପରି ଚିତ୍ରକର, କାଳିଦାସ ନାଗ, ନବନୀତା ଦେବ ସେନଙ୍କ ପରି ଲେଖିକା ଏବଂ ହୋଚିମିନ ଓ ବି.ଆର୍.ଆମ୍ବେଦକରଙ୍କ ପରି ନେତାମାନଙ୍କ ସହ ତାଙ୍କର ପରିଚୟ ରହିଥିଲା । ରାଞ୍ଚିର ଜଗନ୍ନାଥ ମନ୍ଦିରର ଛବି ତାଙ୍କର ଏକ ଅନନ୍ୟ କୃତୀ । ବୁଦ୍ଧଙ୍କ ପରିନିର୍ବାଣ, ଜନ୍ମ, କପିଳାବାସ୍ତୁରେ ମହିଳା ଭକ୍ତଙ୍କ ସହ ଗୌତମୀ, ନାୟିକା- ଅଭିସାରିକା ଆଦି ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ଛବି ।
ମଙ୍ଗଳାବାୟି ଥାମ୍ପୁରାଟ୍ଟୀ
ଊନବିଂଶ ଶତାବ୍ଦୀର ପ୍ରଥମ ଭାରତୀୟ ମହିଳା ଚିତ୍ରକର ଭାବେ ମଙ୍ଗଳାବାୟି (୧୮୬୬-୧୯୫୪)ଙ୍କ ନାମ ଆସିଥାଏ । ସ୍ୱାଧୀନତା ପରକାଳ ପର୍ଯ୍ୟନ୍ତ ବଞ୍ଚିଥିବା ମଙ୍ଗଳାବାୟି ଥିଲେ ପ୍ରସିଦ୍ଧ ରାଜା ରବି ବର୍ମାଙ୍କ ଏକମାତ୍ର ଭଉଣୀ । କେରଳର କିଲିମାନୁର ରାଜ ପରିବାରରେ ତାଙ୍କର ଜନ୍ମ । ତାଙ୍କ ପରିବାର ମଧ୍ୟରେ ରୋହିଣୀନାଲ ଥାମ୍ପୁରାଟ୍ଟୀ ଏବଂ ତାଙ୍କ ସାନଭଉଣୀ ମୁଲାମନାଲ କୁଞ୍ଜିକାଭୁ ପ୍ରଥମେ ଚିତ୍ରଶିକ୍ଷା କରିଥିଲେ । କୁଞ୍ଜିକାଭୁଙ୍କ ଛାତ୍ର ଥିଲେ ପ୍ରସିଦ୍ଧ ଭାରତୀୟ ଚିତ୍ରକର ରାଜ ରାଜବର୍ମା । ସେ ତାଙ୍କର ଦୁଇ ପୁତୁରା ଓ ଝିଆରୀ ରାଜା ରବି ବର୍ମା ଏବଂ ମଙ୍ଗଳାବାୟିଙ୍କୁ ମଧ୍ୟ ଚିତ୍ର ଶିକ୍ଷା ଦେଇଥିଲେ । ମଙ୍ଗଳାବାୟି ଭାଇ ରବି ବର୍ମାଙ୍କ ଛବି ଆଙ୍କିବା ଲକ୍ଷ୍ୟ କରି ନିଜେ ଅନେକ ଶିକ୍ଷା କରିଥିଲେ । ଏପରିକି ରବି ବର୍ମାଙ୍କ ଛବିର ସଂଶୋଧନ ମଙ୍ଗଳାବାୟି ମଧ୍ୟ କରୁଥିଲେ । ସେ ୮୪ ବର୍ଷ ବୟସ ପର୍ଯ୍ୟନ୍ତ ଛବି ଆଙ୍କିବା ଅଭ୍ୟାସକୁ ଜାରି ରଖିଥିଲେ । ପ୍ରସିଦ୍ଧ ଚିତ୍ରକର କେ.ଆର୍. ରବି ବର୍ମା ହିଁ ମଙ୍ଗଳାବାୟିଙ୍କ ପୁତ୍ର ଥିଲେ । ବିଶିଷ୍ଟ ଚିତ୍ରକର ଭବାନୀ ଥାମ୍ପୁରାଟ୍ଟୀ ଏବଂ ମାଳତୀ ଥାମ୍ପୁରାଟ୍ଟୀଙ୍କ କଳା ଶିକ୍ଷୟିତ୍ରୀ ଥିଲେ ମଙ୍ଗଳାବାୟି । ତାଙ୍କର ପାଞ୍ଚ ଗୋଟି ଛବି ଏବେ ଦେଖିବାକୁ ମିଳୁଛି ।
ଦମୟନ୍ତୀ ଚାୱଲା
ଦମୟନ୍ତୀ ଚାୱଲା ଥିଲେ ଜଣେ ପ୍ରତିଭାସମ୍ପନ୍ନ ମହିଳା ଶିଳ୍ପୀ । ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ୧୯୩୮ରେ ସ୍ନାତକ ଶିକ୍ଷା ପରେ ସେ ଲାହୋର ସ୍କୁଲ ଅଫ୍ ଫାଇନ ଆର୍ଟ୍ସରେ ଯୋଗ ଦେଇଥିଲେ । ତାଙ୍କ ଛବି ଉଡ୍ଷ୍ଟକ ଗ୍ୟାଲେରୀ (ଇଂଲଣ୍ଡ), ଗ୍ୟାଲେରୀ ହାଉସ ଆମ ଲୁଟ୍ ଜୋ ପ୍ଲାଜ (ବର୍ଲିନ), କୁନ୍ଥାଉସ ଫିସିଙ୍ଗର (ଷ୍ଟୁଟଗାର୍ଟ), ତାଙ୍କ ଛବି ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ (ୱାସିଂଟନ୍ ଡିସି) ଠାରେ ଅନୁଷ୍ଠିତ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ଭାରତର ଡାକ ଓ ଟେଲିଗ୍ରାଫ ବିଭାଗ, ଦିଲ୍ଲୀର ଏଜି ସେଣ୍ଟ୍ରାଲ ବିଲ୍ଡିଂ, ଅଶୋକ ଲେ-ଲାଣ୍ଡ, ଅଲ୍ ଇଣ୍ଡିଆ ହାଣ୍ଡିକ୍ରାଫ୍ଟ ବୋର୍ଡର କାର୍ଯ୍ୟାଳୟରେ ସ୍ଥାନ ପାଇଥିଲା । ୧୯୫୩ରେ ଧୂମିମଲ ଗ୍ୟାଲେରୀ ପକ୍ଷରୁ ତାଙ୍କ ଛବିର ଆଲ୍ବମ୍ ପ୍ରକାଶ ପାଇଥିଲା । ଏପରିକି ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ହିନ୍ଦୁସ୍ଥାନ ଟାଇମ୍ସର କଳା ଆଲୋଚିକା ଭାବେ ମଧ୍ୟ ସେ ୧୯୬୧ରୁ ୬୩ ଯାଏଁ କାର୍ଯ୍ୟ କରିଥିଲେ ।
ଏମ୍ଏସ୍ ସୁବୁଲକ୍ଷ୍ମୀ
ମଦୁରାଇ ସନ୍ମୁଖଭାଡିଭୁ ସୁବୁଲକ୍ଷ୍ମୀ (୧୯୧୨-୨୦୦୪) ଥିଲେ ଭାରତର ଅନ୍ୟତମ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ । ମଦୁରାଇ (ତାମିଲନାଡୁ)ର ଏହି ଶିଳ୍ପୀଙ୍କ ପରିବାର ଥିଲେ ସଙ୍ଗୀତ ପ୍ରତି ସମର୍ପିତ । ତାଙ୍କ ପିତା ସୁବ୍ରମଣ୍ୟ ଆୟାର ଓ ମାତା ସନ୍ମୁଖଭାଡିଭାର ଅମ୍ମାଲ ଥିଲେ ବୀଣା ବାଦନରେ ପାରଙ୍ଗମ । ସାଆନ୍ତ ମା’ ଅକ୍କାମ୍ମଲ ଥିଲେ ଭାଓଲିନ ବାଦିକା; ମାତ୍ର ୧୧ ବର୍ଷ ବୟସରୁ ସର୍ବସାଧାରଣରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସୁବୁଲକ୍ଷ୍ମୀ । ୧୯୩୬ରେ ଚେନ୍ନାଇକୁ ଚାଲିଯାଇ ସେଠାରେ ୧୯୩୮ରେ ସେବାସଦନ ସିନେମାରେ ଅଭିନୟ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ତାଙ୍କର ପ୍ରଥମ ସଙ୍ଗୀତ ବଜାରକୁ ଆସିଥିଲା । କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ସେ ଥିଲେ ଦକ୍ଷ । ସେ ଲଣ୍ଡନ, ନୁ୍ୟୟର୍କ, କାନାଡ଼ା, ମଧ୍ୟପ୍ରାଚ୍ୟ, ପୂର୍ବ ଏସିଆର ଅନେକ ରାଷ୍ଟ୍ର ଗସ୍ତ କରି ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କ ଅଭିନୀତ ତାମିଲ ସିନେମା ଥିଲା ସେବାସଦନ (୧୯୩୮), ଶଙ୍କୁନ୍ତଳାଇ (୧୯୪୦) । ସାବିତ୍ରୀ (୧୯୪୧), ମୀରା (୧୯୪୫), ଅପୂର୍ବ ଚିନ୍ତାମଣି (୧୯୪୭) ଏବଂ ହିନ୍ଦୀର ମୀରା (୧୯୪୭) । ତାଙ୍କ ସଙ୍ଗୀତ ସାଧନା ପାଇଁ ସେ ପଦ୍ମଭୂଷଣ (୧୯୫୪), ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୫୬), ସଙ୍ଗୀତ କଳାନିଧି (୧୯୬୮), ରମଣ ମାଗାସେସେ ପୁରସ୍କାର (୧୯୭୪), ପଦ୍ମବିଭୂଷଣ (୧୯୭୫), ସଙ୍ଗୀତ କଳା ଶିଖମଣି (୧୯୭୫), କାଳିଦାସ ସମ୍ମାନ (୧୯୮୮), ଇନ୍ଦିରା ଗାନ୍ଧି ପୁରସ୍କାର (୧୯୯୦), ଭାରତରତ୍ନ (୧୯୯୮) ସମ୍ମାନ ଲାଭ କରିଥିଲେ ।
ଶ୍ୟାମାମଣି ଦେବୀ (ପଟ୍ଟନାୟକ)
ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ଭାଣିଜୀ ଶ୍ୟାମାମଣି ଦେବୀ (ପଟ୍ଟନାୟକ) ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟିକା ଭାବେ ବେଶ୍ ପରିଚିତ । ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ନିଶାମଣି ପଟ୍ଟନାୟକଙ୍କ ଝିଅ ଶ୍ୟାମାମଣିଙ୍କ ଜନ୍ମ ୨୧ ଡିସେମ୍ବର ୧୯୩୮ରେ; ମାତ୍ର ୧୨ ବର୍ଷ ବୟସରେ ସେ ୧୯୫୦ରେ କଟକସ୍ଥିତ ଅଲ୍ଇଣ୍ଡିଆ ରେଡିଓରେ ଗୀତ ଗାଇବାକୁ ଆରମ୍ଭ କରିଥିଲେ । ସିଂହାରୀ ଶ୍ୟାମସୁନ୍ଦର କର ଏବଂ ପଣ୍ଡିତ ବାଳକୃଷ୍ଣ ଦାସଙ୍କ ପରି ପ୍ରସିଦ୍ଧ ଗୁରୁଙ୍କଠାରୁ ସେ ଶାସ୍ତ୍ରୀୟ ଓଡ଼ିଶୀ ଶିକ୍ଷାଲାଭ କରିଥିଲେ । କୁଣ୍ଡଳା ଆଦି ନାରାୟଣ ରାଓଙ୍କଠାରୁ ମଧ୍ୟ କିଛିଦିନପାଇଁ ଶିକ୍ଷାଲାଭ କରିଥିଲେ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୪), ଜୀବନବ୍ୟାପୀ ସାଧନାପାଇଁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ (୨୦୦୪), ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ (୨୦୧୨), ଗୁରୁ ସିଂହାରୀ ସମ୍ମାନ (୨୦୧୪), ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର (୨୦୧୭), ଦେବ ପ୍ରସାଦ ଦାସ ସମ୍ମାନ (୨୦୧୮), କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୧୯) ଲାଭ କରିଛନ୍ତି ।
ଗଙ୍ଗୁବାଈ ହଙ୍ଗଲ
କର୍ଣ୍ଣାଟକର ଗଙ୍ଗୁବାଈ ହଙ୍ଗଲ ଥିଲେ ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା । ଅଲ୍ ଇଣ୍ଡିଆ ରେଡ଼ିଓପାଇଁ ସେ ସାରା ଦେଶରେ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ତାଙ୍କୁ କର୍ଣ୍ଣାଟକ ସଙ୍ଗୀତ ନୃତ୍ୟ ଏକାଡେମୀ ସମ୍ମାନ (୧୯୬୨), ପଦ୍ମଭୂଷଣ (୧୯୭୧), ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୩), ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ (୧୯୯୬), ପଦ୍ମବିଭୂଷଣ (୨୦୦୨) ସମ୍ମାନ ମିଳିଥିଲା । ମହୀଶୂରଠାରେ ତାଙ୍କ ନାମରେ ଡ. ଗଙ୍ଗୁବାଈ ହଙ୍ଗଲ ମ୍ୟୁଜିକ ଏଣ୍ଡ ପରଫର୍ମିଂ ଆର୍ଟ୍ସ ୟୁନିଭରସିଟି ରାଜ୍ୟ ସରକାର ଖୋଲିଛନ୍ତି ।
ପ୍ରଭା ଅତ୍ରେ
ପ୍ରଭା ଅତ୍ରେ କିରାନା ଘରାନାର ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟିକା । ଶାସ୍ତ୍ରୀୟ ଗାୟିକାମାନଙ୍କ ମଧ୍ୟରେ ସେ ସବୁଠୁ ଅଧିକ ଶିକ୍ଷିତା । ୧୩ ସେପ୍ଟେମ୍ବର ୧୯୩୨ରେ ମହାରାଷ୍ଟ୍ରର ପୁନେଠାରେ ଜନ୍ମିତା ପ୍ରଭା ପୁନେ ମହାବିଦ୍ୟାଳୟରୁ ସ୍ନାତକ ପରେ ଗନ୍ଧର୍ବ ମହାବିଦ୍ୟାଳୟ ମୁ୍ୟଜିକ୍ ସ୍କୁଲରୁ ପିଏଚ୍ଡି ଲାଭ କରିଛନ୍ତି । ସେ ୧୯୫୦ରୁ ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ରହିଛନ୍ତି । ଖୟାଲ, ଠୁମରୀ, ଦାଦ୍ରା, ଗଜଲ, ଗୀତ, ନାଟ୍ୟସଙ୍ଗୀତ ଓ ଭଜନ ଆଦି ସେ ଗାଇଥା’ନ୍ତି । ୧୯୬୯ରୁ ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷା ଦେଉଛନ୍ତି । ପୃଥିବୀର ଅନେକ ବିଶ୍ୱବିଦ୍ୟାଳୟପାଇଁ ସେ ସଙ୍ଗୀତରେ ପ୍ରାଧ୍ୟାପନା କରିଆସିଛନ୍ତି । ନେଦରଲାଣ୍ଡସର ରୋଟରଡାମ କଞ୍ଜରଭେଟରୀ, ମଣ୍ଟ୍ରିଭକ୍ସ ସ୍ୱିଜରଲାଣ୍ଡ, ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆ, ୟୁନିଭରସିଟି ଅଫ୍ କାଲଗାରୀ (କାନାଡା) ଏଥିରେ ପ୍ରମୁଖ ରହିଛି । ମୁମ୍ବାଇ ବିଶ୍ୱବିଦ୍ୟାଳୟର ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗରେ ସେ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଗୋଟିଏ ଦିନରେ ବାଦ୍ୟ ସଂପର୍କରେ ହିନ୍ଦୀ ଓ ଇଂରାଜୀରେ ରଚିତ ତାଙ୍କର ୧୧ଟି ପୁସ୍ତକ ୧୮ ଏପ୍ରିଲ୍ ୨୦୧୬ରେ ନୂଆଦିଲ୍ଲୀଠାରେ ଉନ୍ମୋଚିତ ହେବା ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଏ । ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୧), ପଦ୍ମଶ୍ରୀ (୧୯୯୦), ପଦ୍ମଭୂଷଣ (୨୦୦୨), ପଦ୍ମ ବିଭୂଷଣ (୨୦୨୨)ରେ ସମ୍ମାନିତ କରାଯାଇଛି । ଏହାଛଡ଼ା ଅନେକ ଅନୁଷ୍ଠାନରୁ ସେ ପୁରସ୍କାର ଲାଭ କରିଛନ୍ତି । ନିଜେ ଅନେକଗୁଡ଼ିଏ ଅନୁଷ୍ଠାନ ଏବଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ହୀରାବାଈ ବରୋଡେକର
ହିନ୍ଦୁସ୍ଥାନୀ ସଙ୍ଗୀତର ଅନ୍ୟତମ ଶ୍ରେଷ୍ଠ ଗାୟିକା ଥିଲେ ହୀରାବାଈ ବରୋଡେକର । ମୁମ୍ବାଇର ମିରାଜଠାରେ ୨୯ ମଇ ୧୯୦୫ରେ ଜନ୍ମିତା ହୀରାବାଈଙ୍କ ପିଲାବେଳର ନାମ ଥିଲା ଚମ୍ପାକଲି । ଖୟାଲ, ଠୁମରୀ, ଗଜଲ ଏବଂ ଭଜନ ଆଦି ଗାଇବାକୁ ସେ ଭଲ ପାଉଥିଲେ । ୧୯୨୦ରୁ ୧୯୮୦ ଯାଏ, ସେ ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଥିଲେ । କେଶରବାଈ କେରକରଙ୍କ ଆଶୀର୍ବାଦ କ୍ରମେ ୧୫ ବର୍ଷ ବୟସରେ ସେ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସଙ୍ଗୀତପାଇଁ ଟିକେଟ୍ କିଣି ଶ୍ରୋତା ଆଣିବାର ବ୍ୟବସ୍ଥାକୁ ସେ ପ୍ରଥମେ ଭାରତରେ ପ୍ରଚଳିତ କରିଥିଲେ । ତାଙ୍କ କାର୍ଯ୍ୟକ୍ରମ ଗୁଡ଼ିକରେ ଶ୍ରୋତା ଭରପୂର ରହୁଥିଲେ । ସେ ୧୫ ଅଗଷ୍ଟ ୧୯୪୭ରେ ଲାଲକିଲ୍ଲାରୁ ଜାତୀୟ ସଙ୍ଗୀତ ବନେ୍ଦ ମାତରମ ଗାଇଥିଲେ । ସରୋଜିନୀ ନାଇଡୁ ତାଙ୍କୁ ସଙ୍ଗୀତକୋକିଳା ସମ୍ମାନ ଦେଇଥିଲେ । ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୬୫), ପଦ୍ମଭୂଷଣ (୧୯୭୦), ବିଷ୍ଣୁ ଦାସ ଭାବେ ପୁରସ୍କାର ସଙ୍ଗୀତ ସାଧନାପାଇଁ ମିଳିଥିଲା । ତାଙ୍କ ଛାତ୍ରୀ ପ୍ରଭା ଅତ୍ରେଙ୍କ ଦ୍ୱାରା ୧୯୯୨ରୁ ସୁରେଶବାବୁ ହୀରାବାଈ ସ୍ମୃତି ସଙ୍ଗୀତ ସମାରୋହ ମୁମ୍ବାଇଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି ।
ପଦ୍ମାବତୀ ଅନନ୍ତ ଗୋପାଳନ
୧୨ ଜୁଲାଇ ୧୯୩୪ରେ ଚେନ୍ନାଇରେ ଜନ୍ମିତା ପଦ୍ମାବତୀ ଥିଲେ ବୀଣାର ସଫଳ ଶିଳ୍ପୀ । ଜୟନ୍ତୀ କୁମାରେଶ (ବୀଣା), ଉଷା ରାଜଗୋପାଳନ (ଭାଓଲିନ)ଙ୍କ ପରି ଶିଳ୍ପୀମାନେ ତାଙ୍କର ଛାତ୍ରୀ ଥିଲେ । ସେ ତାଙ୍କ ନିଜସ୍ୱ ଗାୟନ ଶୈଳୀପାଇଁ ବେଶ୍ ପ୍ରସିଦ୍ଧ । ଭାରତ ବାହାରେ ବ୍ରିଟେନ, ଆମେରିକା, ମାଲେସିଆ, ସିଙ୍ଗାପୁରଠାରେ ସେ ଅନେକ କାର୍ଯ୍ୟକ୍ରମ କରିଛନ୍ତି । କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷାପାଇଁ ଅଭ୍ୟାସ ମଞ୍ଜରୀ, ସିଙ୍ଗାପୁର ଇଣ୍ଡିଆନ ଫାଇନ୍ ଆର୍ଟ୍ସ ସୋସାଇଟି ପାଇଁ ସବଜାମ ଏବଂ ଋଷବମ ଶୀର୍ଷକ ଦୁଇଟି ପୁସ୍ତକ ରଚନା କରିଛନ୍ତି । ୧୯୮୮ରୁ ଆନ୍ନାନଗର (ଚେନ୍ନାଇ)ଠାରେ ଶ୍ରୀ ସଦ୍ଗୁରୁ ସଙ୍ଗୀତ ବିଦ୍ୟାଳୟ ଖୋଲିଛନ୍ତି । ବୀଣାବାଦନ କ୍ଷେତ୍ରରେ ସେ ଅନେକ ସମ୍ମାନ ଲାଭ କରିଛନ୍ତି ।
ବେଗମ ଅଖତାର
ବେଗମ ଅଖତାର ଥିଲେ ଭାରତୀୟ ସିନେମା ଜଗତର ଅନନ୍ୟ ଗାୟିକା, ଯିଏକି ଶାସ୍ତ୍ରୀୟ ସଙ୍ଗୀତ ସହ ଲଘୁ ସଙ୍ଗୀତ ମଧ୍ୟ ଗାଇପାରୁଥିଲେ । ୭ ଅକ୍ଟୋବର ୧୯୧୪ରେ ଉତ୍ତରପ୍ରଦେଶର ଫୈଜାବାଦଠାରେ ଅଖତାରଙ୍କ ଜନ୍ମ । ତାଙ୍କର ମୂଳନାମ ଥିଲା ଅଖତାର ବାଈ ଫୈଜାବାଦୀ; ମାତ୍ର ୭ବର୍ଷ ବୟସରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ୧୫ ବର୍ଷ ବୟସରେ ସେ ବିହାର-ନେପାଳ ଭୂକମ୍ପ ପ୍ରପୀଡ଼ିତଙ୍କ ପାଇଁ ସହାୟତା ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରଥମେ ଗୀତ ଗାଇଥିଲେ, ଯାହା ପ୍ରସିଦ୍ଧ କବୟିତ୍ରୀ ସରୋଜିନୀ ନାଇଡୁଙ୍କୁ ଭଲ ଲାଗିଥିଲା । ସେ ଗଜଲରାଣୀ ଭାବେ ପ୍ରସିଦ୍ଧ ହୋଇଥିଲେ । ୧୯୩୩ରେ ସେ ନଳ ଦମୟନ୍ତୀ ସିନେମାରେ ସଙ୍ଗୀତ ଗାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ବିବାହ ପରେ ସ୍ୱାମୀଙ୍କ ବିରୋଧ ଯୋଗୁ ତାଙ୍କ ସଙ୍ଗୀତ ଜୀବନ ନଷ୍ଟ ହୋଇଥିଲା । ସେ ପାଞ୍ଚବର୍ଷ ଚୁପ୍ ହୋଇଯାଇଥିଲେ । ତାଙ୍କୁ ପଦ୍ମଶ୍ରୀ (୧୯୬୮), ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୨), ପଦ୍ମଭୂଷଣ (୧୯୭୫), ମରଣୋତ୍ତର ଭାବେ ପ୍ରଦାନ କରାଯାଇଥିଲା । ସେ ମୋଟ୍ ୧୬୭ଟି ଗୀତ ଗାଇଥିଲେ ଯେଉଁଥିରେ ୨୦ଟି ଥିଲା ସିନେମାର ।
ଲତା ମଙ୍ଗେସକର
ସ୍ୱାଧୀନତା ପରବର୍ତ୍ତୀ ସମୟରେ ସବୁଠୁ ଅଧିକ ଶକ୍ତିଶାଳୀ କଣ୍ଠଶିଳ୍ପୀ ଥିଲେ ଲତାବାଈ ମଙ୍ଗେସକର । ନିକଟରେ ୬ ଫେବୃଆରୀ ୨୦୦୨ରେ ମୁମ୍ବାଇଠାରେ ଲତାଙ୍କ ପରଲୋକ ହୋଇଯାଇଛି । ୨୮ ସେପ୍ଟେମ୍ବର ୧୯୨୯ରେ ମଧ୍ୟପ୍ରଦେଶର ଇନେ୍ଦାର ସହରରେ ସେବନ୍ତୀ ମଙ୍ଗେସକର ଓ ଦୀନା ନାଥ ମଙ୍ଗେସକରଙ୍କ ଝିଅ ଭାବେ ଲତାଙ୍କ ଜନ୍ମ । ହେଲେ ପ୍ରଥମେ ତାଙ୍କ ନାମ ହେମା ଥିଲା, ଯାହା ପରବର୍ତ୍ତୀ କାଳରେ ଲତା ହୋଇଥିଲା । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ବେଳେ ପିତାଙ୍କର ୧୯୪୨ରେ ମୃତୁ୍ୟ ହୋଇଥିଲା । ପିତାଙ୍କ ବନ୍ଧୁ ଓ ପ୍ରଯୋଜକ ମାଷ୍ଟର ବିନାୟକ ଦାମୋଦର କର୍ଣ୍ଣାଟକୀ ମଙ୍ଗେସକରଙ୍କ ପରିବାରର ଦାୟିତ୍ୱ ନେଇଥିଲେ । କିଟ୍ଟି ହସଲ ମରାଠୀ ସିନେମାପାଇଁ ସେ ୧୯୪୨ରେ ପ୍ରଥମ ଗୀତଟି ରେକର୍ଡିଂ କରିିଥିଲେ ମଧ୍ୟ ବସନ୍ତ ଯୋଗଲେକର ଗୀତଟିକୁ ସିନେମାରେ ରଖି ନ ଥିଲେ । ତେବେ ମାଷ୍ଟର ବିନାୟକ ନିଜ ମରାଠୀ ସିନେମା ପହିଲି ମଙ୍ଗଳା-ଗୌର (୧୯୪୨)ରେ ତାଙ୍କୁ ଦାଦା ଚଣ୍ଡେକରଙ୍କ ଏକ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏକ ମରାଠୀ ସିନେମା ଗଜାଭାଉ (୧୯୪୩)ରେ ସେ ତାଙ୍କର ପ୍ରଥମ ହିନ୍ଦୀ ଗୀତ ‘ମାତା ଏକ ସପୂତ କୀ’ ଗାଇଥିଲେ । ଲତା ଏବଂ ତାଙ୍କ ଭଉଣୀ ଆଶା ମାଷ୍ଟର ବିନାୟକଙ୍କ ପ୍ରଥମ ହିନ୍ଦୀ ସିନେମା ବଡ଼ିମା’ (୧୯୪୫)ରେ ମାତା ତେରେ ଚରଣେ ମେଁ ଭଜନ ଗାଇଥିଲେ । ପରେ ବିନାୟକଙ୍କ ସୁଭଦ୍ରା (୧୯୪୬)ରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୧୯୪୮ରେ ବିନାୟକଙ୍କ ଦେହାନ୍ତ ପରେ ଘୁଲାମ ହାଇଦରଙ୍କ ନିର୍ମିତ ସହିଦ (୧୯୪୮) ସିନେମାରେ ସେ ଗୀତ ଗାଇବାକୁ ହାଇଦର ଚାହୁଁଥିଲେ ମଧ୍ୟ ସଙ୍ଗୀତ ନିଦେ୍ର୍ଦଶକ ଶଶଧର ମୁଖାର୍ଜୀ ଲତାଙ୍କ ନରମ ଗଳା କହି ଏଡ଼ାଇ ଦେଇଥିଲେ; କିନ୍ତୁ ହାଇଦର ସେହିବର୍ଷ ମଜବୁର (୧୯୪୮) ସିନେମାରେ ନଜିମ ପାନିପତିଙ୍କ ଗୀତ ଦିଲ୍ ମେରା ତୋଡ଼ା ଲତାଙ୍କୁ ଗାଇବାକୁ ଦେଇଥିଲେ, ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା । ୧୯୪୯ରେ ନିର୍ମିତ ମହଲ ସିନେମାର ଗୀତ ଆୟେଗା ଆନେବାଲା ଗୀତ ତାଙ୍କୁ ଖୁବ୍ ପ୍ରସିଦ୍ଧି ଦେଇଥିଲା । ତା’ ପରଠାରୁ ସେ ପଛକୁ ନ ଫେରି ହିନ୍ଦୀ ସିନେମାର ସ୍ୱରସାମା୍ରଜ୍ଞୀ ହୋଇ ପର ସାତ ଦଶନ୍ଧିଯାଏ ସକ୍ରିୟ ରହି ଆସିଥିଲେ । ସେ କେବଳ ହିନ୍ଦୀ ନୁହେଁ, ଭାରତୀୟ ଏବଂ ଭାରତ ବାହାର ଭାଷାରେ ହଜାର ହଜାର ଗୀତ ଗାଇଥିଲେ । ୩୦ ମାର୍ଚ୍ଚ ୨୦୧୯ରେ ମୟୂରେଶ ପାଇଙ୍କ ‘ସୌଗନ୍ଧ ମୁଝେ ଇସ୍ ମିଟ୍ଟିକୀ’ ଭାରତୀୟ ସେନାଙ୍କ ଉଦେ୍ଦଶ୍ୟରେ ଗାଇଥିଲେ । ଲତା ଭାରତ ରତ୍ନ ସମେତ ପଦ୍ମଭୂଷଣ (୧୯୬୯), ପଦ୍ମବିଭୂଷଣ (୧୯୯୯), ଜୀ-ସିନେ ପୁରସ୍କାର (୧୯୯୯) । ଦାଦା ସାହେବ ଫାଲ୍କେ ପୁରସ୍କାର (୧୯୮୯) ସମେତ ଭିନ୍ନଭିନ୍ନ ରାଜ୍ୟରୁ ମଧ୍ୟ ପୁରସ୍କାର ଲାଭ କରିିଥିଲେ । ୮ ଜାନୁଆରୀ ୨୦୨୨ରେ କରୋନା ଗ୍ରସ୍ତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ଅବସରରେ ୯୨ ବର୍ଷ ବୟସରେ ୬ ଫେବୃଆରୀ ୨୦୨୨ ଦିନ ସ୍ୱର୍ଗାରୋହଣ କଲେ । ଫ୍ରାନ୍ସ ସରକାର ତାଙ୍କୁ ଫ୍ରାନ୍ସର ଶ୍ରେଷ୍ଠ ସମ୍ମାନ ଫ୍ରେଞ୍ଚ ଲେଜିଅନ ଅଫ୍ ଅନର (୨୦୦୯) ପ୍ରଦାନ କରିଥିଲେ । ୨୦୨୧ରେ ସେ ଭାରତର ଶ୍ରେଷ୍ଠ ବ୍ୟକ୍ତିତ୍ୱ ମଧ୍ୟରେ ୧୦ମ ସ୍ଥାନ ଲାଭ କରିଥିଲେ । ସେ ବିଦ୍ୟାଳୟକୁ ନ ଯାଇ ମଧ୍ୟ ତିନୋଟି ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ ।
ପୁଲାପକା ସୁଶୀଲା (ପି.ସୁଶୀଲା)
ଆନ୍ଧ୍ରପ୍ରଦେଶର ବିଜୟନଗରମ୍ଠାରେ ୧୩ ନଭେମ୍ବର ୧୯୩୫ରେ ଜନ୍ମିତା ପୁଲାପକା ସୁଶୀଲାଙ୍କୁ ସର୍ବାଧିକ ସଙ୍ଗୀତ ଗାୟିକାର ରେକର୍ଡଧାରିଣୀ ବୋଲି କହିବାକୁ ହେବ । ୧୯୫୦ରୁ ଆଜିଯାଏ ଦେଶର ଭିନ୍ନ ଭିନ୍ନ ଭାଷାରେ ସେ ୫୦,୦୦୦ରୁ ଅଧିକ ଗୀତ ଗାଇଥିବା କଥା କୁହାଯାଏ । ଦକ୍ଷିଣ ଭାରତର ସେ ସର୍ବାଧିକ ଲୋକପ୍ରିୟ ଗାୟିକା । ଏସିଆ ବୁକ୍ ଅଫ୍ ରେକର୍ଡ ଅନୁସାରେ ୨୦୧୬ ସୁଦ୍ଧା ହିସାବ ଥିବା ୧୭,୬୯୫ ଗୀତ ସେ ଦେଶର ୬ଟି ଭାଷାରେ ଗାଇଥିବା ଜଣାପଡ଼େ । ରାଷ୍ଟ୍ରୀୟ ସିନେ ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ପ୍ରଚ୍ଛଦପଟ ଗାୟିକା । ତାମିଲ ସିନେମାପାଇଁ ୧୯୬୯ ଏବଂ ୧୯୭୧, ତେଲୁଗୁ ସିନେମାପାଇଁ ୧୯୭୮, ୧୯୮୨ ଓ ୧୯୮୩ରେ ସେ ରାଷ୍ଟ୍ରୀୟ ସିନେ ପୁରସ୍କାର ଲାଭ କରିଥିଲେ । ଜୀବନବ୍ୟାପୀ ସାଧନାପାଇଁ ୨୦୦୬ରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ସେ ୧୨ଥର ରାଜ୍ୟ ପୁରସ୍କାର ସିନେମା ସଙ୍ଗୀତପାଇଁ ଭିନ୍ନଭିନ୍ନ ରାଜ୍ୟରୁ ଲାଭ କରିଛନ୍ତି । ଏହାଛଡ଼ା ଅଲଗା ଅଲଗା ସଂସ୍ଥାରୁ ସେ ବହୁ ସଂଖ୍ୟାରେ ସମ୍ମାନ ଲାଭ କରିଛନ୍ତି । ପି.ସୁଶୀଲା ୧୨୦୦୦ ତେଲୁଗୁ, ୬୦୦୦ରୁ ଅଧିକ ତାମିଲ ଏବଂ ୫୦୦୦ରୁ ଅଧିକ କନ୍ନଡ଼, ୧୫୦୦ରୁ ଅଧିକ ମଲୟାଲାମ ସଙ୍ଗୀତ ଗାନ କରିଛନ୍ତି । ହିନ୍ଦୀର ୧୦୦ ସିନେମା, ଓଡ଼ିଆ, ବଙ୍ଗଳା, ପଞ୍ଜାବୀ, ଟୁଲୁ, ବାଡୁଗା ଭାଷା ସମେତ ସିଂହଳୀ ସିନେମା ଏବଂ ୧୨୦ ସଂସ୍କୃତ ଭକ୍ତି ସଙ୍ଗୀତ ସେ ଗାଇଛନ୍ତି । ତାମିଲନାଡୁ ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୧ ଏବଂ ୨୦୧୯ରେ ଆନ୍ଧ୍ରପ୍ରଦେଶ ସରକାର ଏବଂ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ୨୦୦୪ରେ, ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ (୨୦୦୮) ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଆଶା ଭୋସ୍ଲେ
ଲତା ମଙ୍ଗେସକରଙ୍କ ସାନ ଭଉଣୀ ଆଶା ଭୋସ୍ଲେଙ୍କ ଜନ୍ମ ୮ ସେପ୍ଟେମ୍ବର ୧୯୩୩ରେ । ୧୯୪୩ରେ ନିଜ ବଡ଼ ଭଉଣୀଙ୍କ ସହ ଏକାଠି ସିନେମାର ସଙ୍ଗୀତ ଗାନ କ୍ଷେତ୍ରରେ ପ୍ରବେଶ କରି ଗତ ସାତ ଦଶନ୍ଧିରେ ୧୨,୦୦୦ରୁ ଅଧିକ ଗୀତ ଗାଇଛନ୍ତି । ତାଙ୍କ ସଙ୍ଗୀତ ସାଧନାପାଇଁ ତାଙ୍କୁ ଦାଦାସାହେବ ଫାଲ୍କେ (୨୦୦୦), ପଦ୍ମ ବିଭୂଷଣ (୨୦୦୮) ସମ୍ମାନ ପ୍ରଦାନ କରାଯାଇଛି । ସେ ଏକାଧାରାରେ ସିନେମା, କୱାଲୀ, ଗଜଲ, ଲୋକଗୀତ, ଭଜନ, ପପ୍, ଶାସ୍ତ୍ରୀୟ, ଗୁରୁବାଣୀ, ରବୀନ୍ଦ୍ର ସଙ୍ଗୀତ, ନଜରୁଲ ଗୀତ ଗାଇଛନ୍ତି । ହିନ୍ଦୀଛଡ଼ା ଦେଶ-ବିଦେଶର ୨୦ଟି ଭାଷାରେ ତାଙ୍କ ଗୀତ ରେକର୍ଡ କରାଯାଇଛି । ସେ ୭ଥର ଫିଲ୍ମଫେୟାର ପୁରସ୍କାର ଲାଭ କରିଛନ୍ତି । ୨୦୦୧ରେ ତାଙ୍କୁ ଜୀବନବ୍ୟାପୀ ସାଧନା ଲାଗି ଫିଲ୍ମ ଫେୟାର ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଯୋଧପୁର ନେସନାଲ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚନ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି । ସେ ୧୭ଥର ମହାରାଷ୍ଟ୍ର ରାଜ୍ୟ ପୁରସ୍କାର ଲାଭ କରିଛନ୍ତି । ସାହିତ୍ୟପାଇଁ ଅମରାବତୀ ଓ ଜଲଗାଓଁର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡି.ଲିଟ୍ ଏବଂ ସାଲଫୋର୍ଡ ବିଶ୍ୱବିଦ୍ୟାଳୟରୁ କଳାରେ ସମ୍ମାନସୂଚକ ଡି.ଲିଟ୍ରେ ସମ୍ମାନିତ ହୋଇଛନ୍ତି । ଏହାଛଡ଼ା ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି । ସେ ଗାଇଥିବା କେତେକ ଲୋକପ୍ରିୟ ସିନେମା ଗୀତ ଏହିପରି: ଗରିବୋଁ କୀ ସୁନୋ (ଦଶଲାଖ, ୧୯୬୬), ପଦେ୍ର୍ଦ ମେଁ ରହନେ ଦୋ (ଶିକାର, ୧୯୬୮), ଦମ୍ ମାରୋ ଦମ୍ (ହରେ ରାମ ହରେ କୃଷ୍ଣ, ୧୯୭୨), ୟହ ମେରା ଦିଲ (ଡନ୍, ୧୯୭୮) ।
ସାରଦା (କବିତା) କୃଷ୍ଣମୂର୍ତ୍ତି
ସାରଦା (କବିତା) କୃଷ୍ଣମୂର୍ତ୍ତି କବିତା ସୁବ୍ରମଣ୍ୟମ ଭାବେ ମଧ୍ୟ ବେଶ୍ ପରିଚିତ । ୨୫ ଜାନୁଆରୀ ୧୯୫୮ରେ ଜନ୍ମିତା କବିତା ୩୬ଟି ଭାଷାରେ ୫୦,୦୦୦ରୁ ଅଧିକ ଗୀତ ଗାଇଥିବା କୁହାଯାଏ । ଚାରିଥର ପିଲ୍ମ ଫେୟାର ପୁରସ୍କାର (୧୯୯୫-୯୭) ପ୍ରଚ୍ଛଦପଟ ଗାୟିକା ଭାବେ ସେ ପାଇଛନ୍ତି । ପଦ୍ମଶ୍ରୀ (୨୦୦୫) ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି । ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ପଢ଼ୁଥିବା ବେଳେ ୧୯୭୧ରେ ଏକ ବଙ୍ଗଳା ସିନେମା ଶ୍ରୀମାନ ପୃଥ୍ୱୀରାଜରୁ ତାଙ୍କ ଗାୟିକା ଜୀବନ ଆରମ୍ଭ ହୋଇଥିଲା । ତେବେ କାଦମ୍ବରୀ (୧୯୭୬) ସିନେମାରେ ସେ ପ୍ରଥମଥର ପାଇଁ ଗୀତ ଗାଇଥିଲେ । ଗୀତଟି ଥିଲା ଆୟେଗା ଆନେୱାଲା ଏବଂ ତାହା ୧୯୪୯ରେ ନିର୍ମିତ ଲତା ମଙ୍ଗେସକରଙ୍କ ଗୀତର ରିମେକ ଥିଲା । ସେହି ଗୀତଟି ହିଟ୍ ହେଲା ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ପରେ ପ୍ୟାର ଝୁକତା ନହିଁ (୧୯୮୫), ମିଷ୍ଟର ଇଣ୍ଡିଆ (୧୯୮୬), ମାଁଗ ଭରୋ ସଜନା (୧୯୮୦), ୧୯୪୨: ଏକ ଲଭ୍ ଷ୍ଟୋରୀ (୧୯୯୦) ସିନେମାରେ ସେ ଗାଇଥିବା ଗୀତଗୁଡ଼ିକ ହିଟ ହୋଇଥିଲା । ଅନେକ ଦେଶରେ ତାଙ୍କର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମୁଗ୍ଧ କରିଛି । ଆମେରିକା, ବ୍ରିଟେନ୍, ଅମିରାତ, ଆଫି୍ରକା, ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ପୂର୍ବ ଏସିଆ-ଏପରିକି ପୃଥିବୀର ବହୁ ଦେଶରେ ସେ ଗୀତ ପରିବେଷଣ ପାଇଁ ଗସ୍ତ କରିଛନ୍ତି । ସଂଗୀତ ଗାନ ପାଇଁ ପଦ୍ମଶ୍ରୀ (୨୦୦୫), ଚାରିଥର ଫିଲ୍ମଫେୟାର ପୁରସ୍କାର, ତିନିଥର ରାଜ୍ୟ ଛଡ଼ା ଅନେକ ରାଜ୍ୟ ଏବଂ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ହୋଇଛନ୍ତି ।ଅଳକା ୟାଗନିକ
ପଶ୍ଚିମବଙ୍ଗର କୋଲକାତା ସହରରେ ୨୦ ମାର୍ଚ୍ଚ ୧୯୬୬ରେ ହିନ୍ଦୀ ସିନେମାର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଅଳକା ୟାଗନିକଙ୍କ ଜନ୍ମ । ୟୁଟୁ୍ୟବର ସଙ୍ଗୀତ ତାଲିକାରେ ୨୮୩ ସପ୍ତାହ ଧରି ସେ ୧ ନମ୍ବର ସ୍ଥାନ ଦଖଲ କରିଛନ୍ତି ଏବଂ ୩୦ କୋଟି ଦର୍ଶକ ତାଙ୍କ ସଙ୍ଗୀତ ଶୁଣିଛନ୍ତି । ତେବେ ୬ ବର୍ଷ ବୟସରୁ ଆକାଶବାଣୀର କୋଲକାତାରେ ସେ ଭଜନ ବୋଲିବା ଆରମ୍ଭ କରିଥିଲେ । ପରେ ପାୟଲ କୀ ଝଙ୍କାର (୧୯୮୦) ତାଙ୍କର ପ୍ରଥମ ହିନ୍ଦୀ ସିନେମା ଥିଲା, ଯେଉଁଥିରେ ସେ ଗୀତ ଗାଇଥିଲେ । ପରେ ଲାୱାରୀଶ (୧୯୮୧), ହମାରୀ ବହୁ ଅଲକା (୧୯୮୨), ତେଜାବ (୧୯୮୮)ରେ ତାଙ୍କ ଗୀତ ଲୋକପ୍ରିୟ ହୋଇଥିଲା । ୧୧୧୪ ସିନେମାରେ ୨୪୮୬ଟି ଗୀତ ସେ ଗାଇଛନ୍ତି । ଗୀତପାଇଁ ୭ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।
ନର୍ଗିସ ଦତ୍ତ (ଫାତିମା ରସିଦ)
ଭାରତୀୟ ସିନେମାର ସ୍ୱାଧୀନତା ପୂର୍ବ ଏବଂ ପରକାଳରେ ନର୍ଗିସ ଦତ୍ତ ଥିଲେ ଜଣେ ସଫଳ ଅଭିନେତ୍ରୀ । ତତ୍କାଳୀନ ଅଭିନେତା ଅନୱର ହୁସେନଙ୍କର ସେ ଥିଲେ ସାନଭଉଣୀ । ୧୯୩୫ରେ ତଲାସେ ହକ୍ ସିନେମାରେ ଜଣେ ଶିଶୁ କଳାକାର ଭାବେ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କ ମୂଳ ନାମ ଫାତିମା ରସିଦ ଥିଲା; କିନ୍ତୁ ତଲାସେ ହକ୍ ସିନେମାରେ ସେ ନର୍ଗିସ ଭୂମିକାରେ ଅଭିନୟ କରି ସେହି ନାମରେ ସାରାଜୀବନ ପରିଚିତ ହୋଇଥିଲେ । ୧୪ ବର୍ଷ ବୟସରେ ସେ ମେହବୁବ୍ ଖାଁଙ୍କର ତକ୍ଦୀର ସିନେମାରେ ଅଭିନୟ କରି ପ୍ରଶଂସା ଲାଭ କରିଥିଲେ । ଏହାପରେ ହୁମାୟୁନ (୧୯୪୫), ମେଲା (୧୯୪୮), ଅନୋଖା ପ୍ୟାର (୧୯୩୮), ଆଗ (୧୯୪୮), ଅନ୍ଦାଜ (୧୯୪୯), ଯୋଗନ (୧୯୫୦), ବବୁଲ (୧୯୫୦) ଆଦି ସିନେମାରେ ସେ ଦର୍ଶକଙ୍କ ନିକଟତର ହୋଇଥିଲେ; କିନ୍ତୁ ଆୱାରା (୧୯୫୧), ବରସାତ୍ (୧୯୪୯), ଅନହୋନୀ (୧୯୫୨), ଶ୍ରୀ୪୨୦ (୧୯୫୫), ମଦର ଇଣ୍ଡିଆ (୧୯୫୭) ଆଦି ସିନେମା ଥିଲା; ତାଙ୍କ ସଫଳ ଅଭିନୟର ଗୋଟିଏ ଗୋଟିଏ ମାଇଲଖୁଣ୍ଟ । ତାଙ୍କ ସଫଳତାପାଇଁ ଫିଲ୍ମଫେୟାର ପୁରସ୍କାର (୧୯୫୮), ରାଷ୍ଟ୍ରୀୟ ସିନେମା ପୁରସ୍କାର (୧୯୫୮), ପଦ୍ମଶ୍ରୀ (୧୯୫୮) ଆଦି ସେ ଲାଭ କରିଥିଲେ । ସେ ରାଜ୍ୟସଭାର ସାଂସଦ ହୋଇଥିବା ବେଳେ ୩ ମଇ ୧୯୮୧ରେ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ ।
ମୀନାକୁମାରୀ (ମହଜାବୀନ ବାନୋ)
ଭାରତୀୟ ସିନେମା ଅଭିନୟରେ ଶୋକର ରାଣୀ ଭାବେ ମୀନା କୁମାରୀ ପରିଚିତା । ସେ ତାଙ୍କର ୩୩ବର୍ଷର ଅଭିନୟ ଜୀବନ ମଧ୍ୟରେ ୯୨ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସାହିବ ବିବି ଔର ଗୁଲାମ, ପାକିଜା, ମେରେ ସପ୍ନେ, ଆରତୀ, ବୈଜୁ ବାୱାରା, ପରିଣୀତା, ଦିଲ୍ ଆପ୍ନା ଔର ପ୍ରୀତ ପରାୟି, ଫୁଟପାଥ, ଦିଲ୍ ଏକ ମନ୍ଦିର ଓ କାଜଲ ଆଦି ତାଙ୍କର ଗୋଟିଏ ଗୋଟିଏ ଭଲ ସିନେମା । ବୈଜୁବାୱାରା (୧୯୫୪), ପରିଣୀତା (୧୯୫୫), ସାହେବ ବିବି ଔର ଗୁଲାମ (୧୯୬୦), କାଜଲ (୧୯୬୦) ସିନେମାରେ ଅଭିନୟପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା । ସେହିପରି ସାରଦା (୧୯୫୮), ଆରତୀ (୧୯୬୩), ଦିଲ ଏକ ମନ୍ଦିର (୧୯୬୫), ପାକିଜା (୧୯୭୩) ପାଇଁ ସେ ବଙ୍ଗଳା ସିନେ ସାମ୍ବାଦିକ ସଂଗଠନର ପୁରସ୍କାର ପାଇଥିଲେ । ୨୦୧୧ରେ ଭାରତ ସରକାର ତାଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ପ୍ରଚଳିତ କରିଥିଲେ । ୧୯୭୩ରେ ପ୍ରଥମ ଅଭିନେତ୍ରୀ ଭାବେ ତାଙ୍କୁ ମରଣୋତ୍ତର ଫିଲ୍ମ ଫେୟାର ପୁରସ୍କାର ପାକିଜା ସିନେମାପାଇଁ ପ୍ରଦାନ କରାଯାଇଥିଲା । ‘ନାଜ୍’ ଛଦ୍ମ ନାମରେ ସେ ସାହିତ୍ୟ ରଚନା କରୁଥିଲେ । ୧୯୭୨ରେ ତାଙ୍କ ମୃତୁ୍ୟପରେ କବି ଗୁଲଜାର ତନ୍ହା ଚାନ୍ଦ ଶୀର୍ଷକରେ ମୀନାକୁମାରୀଙ୍କ ରଚିତ କବିତାଗୁଡ଼ିକୁ ସଂକଳିତ କରି ପ୍ରକାଶ କରିଥିଲେ । ୧ ଅଗଷ୍ଟ ୧୯୩୩ରେ ଜନ୍ମିତା ମୀନାଙ୍କ ଜୀବନ ୩୧ ମାର୍ଚ୍ଚ ୧୯୭୨ରେ ଶେଷ ହୋଇଥିଲା ।
ବୈଜୟନ୍ତୀମାଲା
ବୈଜୟନ୍ତୀମାଲା ବାଲି ମାତ୍ର ୧୩ ବର୍ଷ ବୟସରୁ ତାମିଲ ସିନେମା ବାଝକାଇରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ଜୀଭିଥମ (୧୯୫୦) ତେଲୁଗୁ ସିନେମାରେ ଅଭିନୟ କଲେ । ବାହାର (୧୯୫୧) ସିନେମା ମାଧ୍ୟମରେ ହିନ୍ଦୀ ସିନେ ଜଗତରେ ପ୍ରବେଶ କରି ନାଗିନ (୧୯୫୪), ଦେବଦାସ (୧୯୫୫), ମଧୁମତୀ (୧୯୫୮), ଗଙ୍ଗା ଯମୁନା (୧୯୬୧), ସାଧନା (୧୯୬୧), ସଙ୍ଗମ (୧୯୬୧)ରେ ଚମକ୍ରାର ଅଭିନୟ କରିଥିଲେ । ଅଭିନୟପାଇଁ ତାଙ୍କୁ ପଦ୍ମଶ୍ରୀ (୧୯୬୮), ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ସେ ଲୋକସଭା (୧୯୮୪-୧୯୯୧) ଏବଂ ରାଜ୍ୟସଭା (୧୯୯୩-୯୯)ର ଦୁଇଥର ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ।
ହେମାମାଳିନୀ
ହେମାମାଳିନୀ ଏକାଧାରାରେ ଜଣେ ନର୍ତ୍ତକୀ, ଅଭିନେତ୍ରୀ, ନିଦେ୍ର୍ଦଶିକା, ପ୍ରଯୋଜିକା ଏବଂ ନେତ୍ରୀ । ୧୯୬୩ରେ ତାମିଲ ସିନେମା ଇଧୁ ସାଥୀୟାମ୍ରୁ ଅଭିନୟରେ ପ୍ରବେଶ କରି ‘ସୌଦାଗର’ ମାଧ୍ୟମରେ ୧୯୬୮ ମସିହାରେ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ । ପରେ ଜନି ମେରା ନାମ (୧୯୭୦), ଅନ୍ଦାଜ (୧୯୭୧) ଲାଲପଥର (୧୯୭୧), ସୀତା ଔର ଗୀତା (୧୯୭୪), ଶୋଲେ (୧୯୭୫), ଜୁଗନୁ (୧୯୭୮), ଦିଲ୍ଲଗୀ (୧୯୭୮) ଭଳି ଅନେକ ଭଲ ସିନେମାରେ ଚମକ୍ରାର ଅଭିନୟ କରିଥିଲେ । ଦିଲ୍ ଆସନା ହୈ (୧୯୯୨), ମୋହିନୀ (୧୯୯୫), ହିମାଳୟପୁତ୍ର (୧୯୯୭), ବାଘବାନ (୨୦୦୩), ବୀରଜରା (୨୦୦୭), ଏକଥି ରାନୀ ଐସୀ ଭି (୨୦୧୭), ଶିମଳା ମିର୍ଚ୍ଚି (୨୦୨୦) ଆଦି ତାଙ୍କ ପରିଣତ ବୟସର ସିନେମା । ଅଭିନୟ ପାଇଁ ଫିଲ୍ମଫେୟାର ପୁରସ୍କାର (୧୯୭୩), ଜୀବନବ୍ୟାପୀ ସାଧନାପାଇଁ ଫିଲ୍ମଫେୟାର ପୁରସ୍କାର (୨୦୦୦), ପଦ୍ମଶ୍ରୀ (୨୦୧୨), ସାର୍ ପଦମପାତ୍ ସିଂଘାଣିଆ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସେ ଏନ୍ଟିଆର୍ ପୁରସ୍କାର (୨୦୧୩) ଲାଭ କରିଛନ୍ତି । ସେ ରାଜ୍ୟସଭା (୨୦୦୩-୨୦୦୯) ଏବଂ ଲୋକସଭା (୨୦୧୪, ୨୦୧୯)ର ସାଂସଦ ରହିଛନ୍ତି । ସଂପ୍ରତି ସେ ଉତ୍ତର ପ୍ରଦେଶର ମଥୁରା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ।
ସୁଚିତ୍ରା ସେନ
ସୁଚିତ୍ରା ସେନ ବଙ୍ଗଳା ସିନେମାର ଥିଲେ ଅତି ପରିଚିତ ନାମ । ବଙ୍ଗଳାଦେଶର ସିରାଜ ମହକୁମାରେ ୬ ଏପ୍ରିଲ୍ ୧୯୩୧ରେ ଜନ୍ମିତା ରୋମା ଦାସଗୁପ୍ତା ପରେ ସୁଚିତ୍ରା ଭାବେ ପରିଚିତ ହୋଇଥିଲେ । ଶେଷ କଥାୟ (୧୯୫୨)ରେ ତାଙ୍କ ସିନେମା ଅଭିନୟ ଆରମ୍ଭ ହୋଇଥିଲା; କିନ୍ତୁ ତାହା ରିଲିଜ୍ ହୋଇପାରି ନ ଥିଲା । ସାରେ ଚୁଆତ୍ତୋର (୧୯୫୨) ତାଙ୍କର ଦ୍ୱିତୀୟ ସିନେମା ବକ୍ସ ଅଫିସ୍ ହିଟ୍ ହୋଇଥିଲା । ଦେବଦାସ (୧୯୫୫), ଦୀପ ଜ୍ୱେଲେ ଜାଇ (୧୯୫୯), ଉତ୍ତର ଫାଲଗୁନୀ, ସାତପାକେ ବନ୍ଧା (୧୯୬୩) ସମେତ ୬୦ଟି ବଙ୍ଗଳା ଓ ହିନ୍ଦୀ ସିନେମାରେ ସେ ଅଭିନୟ କରିଥିଲେ । ହିନ୍ଦୀ ସିନେମା ଖାମୋସୀ (୧୯୬୯), ଆନ୍ଧୀ (୧୯୨୪)ରେ ମଧ୍ୟ ସେ ଅଭିନୟ କରିଥିଲେ । ସାତପାକେ ବନ୍ଧା ସିନେମାପାଇଁ ସେ ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ତାଙ୍କୁ ପଦ୍ମଶ୍ରୀ (୧୯୭୨), ବଙ୍ଗବିଭୂଷଣ (୨୦୧୨) ଆଦି ସମ୍ମାନ ମଧ୍ୟ ଅଭିନୟ ପାଇଁ ମିଳିଥିଲା ।
ଶ୍ରୀ ଦେବୀ
ଶ୍ରୀ ଆମ୍ମା ୟାଙ୍ଗର ଆୟାପ୍ପାନଙ୍କ ମଞ୍ଚ ନାମ ଥିଲା ଶ୍ରୀଦେବୀ । ତେଲୁଗୁ, ତାମିଲ, କନ୍ନଡ଼, ମଲୟାଲମ, ହିନ୍ଦୀ ଆଦି ଭାଷାରେ ସେ ପ୍ରାୟ ୫୦ ବର୍ଷ ଧରି ଅଭିନୟ କରିଥିଲେ । ୧୩ ଅଗଷ୍ଟ ୧୯୬୩ରେ ଚେନ୍ନାଇଠାରେ ଜନ୍ମିତା ଶ୍ରୀ ଦେବୀ ୧୯୬୭ରେ ତାମିଲ ସିନେମା ବନ୍ଧନ କରୁଣାଇରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପ୍ରବେଶ କରି ୨୦୧୮ ପର୍ଯ୍ୟନ୍ତ ସିନେ ଜଗତରେ ସକ୍ରିୟ ରହିଥିଲେ । ସେ ଶିଶୁକଳାକାର ଭାବେ ତାମିଲ, ତେଲୁଗୁ, ମଲୟାଲମ ଓ କନ୍ନଡ଼ ସିନେମାରେ ଅଭିନୟ କରି ୯ବର୍ଷ ବୟସରେ ରାଣୀ ମେରା ନାମ (୧୯୭୨) ଶୀର୍ଷକ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ । ଜୁଲି (୧୯୭୫) ସିନେମାରେ ତାଙ୍କର ରୋମାଣ୍ଟିକ ଅଭିନୟ ପରେ ସୋଲୱା ସାୱନ (୧୯୭୯), ହିମ୍ମତୱାଲା (୧୯୮୩), ମୱାଲି (୧୯୮୩), ତୋଫା (୧୯୮୪), ମିଷ୍ଟର ଇଣ୍ଡିଆ (୧୯୮୭), ଚାନ୍ଦିନୀ (୧୯୮୯), ସଦମା (୧୯୮୩), ଚାଲବାଜ (୧୯୮୯), ଲାଡ୍ଲା (୧୯୮୪), ଜୁଦାୟି (୧୯୯୭), ମାଳିନୀ ଆୟାର (୨୦୦୫), ଇଂଲିସ ଭିଂଲିସ (୨୦୧୨), ମମ୍ (୨୦୧୭) ଆଦି ଅନେକ ହିନ୍ଦୀ ସିନେମାରେ ଭଲ ଅଭିନୟ କରି ଉଚ୍ଚ ପ୍ରଶଂସା ପାଇଥିଲେ । ଖୁଦା ଗୱାହ ପାଇଁ ଅର୍ଡର ଅଫ୍ ଆଫଗାନିସ୍ଥାନ (୧୯୯୧) ଏବଂ ପଦ୍ମଶ୍ରୀ (୨୦୧୩) ପୁରସ୍କାର ତାଙ୍କୁ ମିଳିଥିଲା । ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କଠାରୁ ସେ ଅନେକ ପୁରସ୍କାର ସିନେ ଅଭିନୟ ପାଇଁ ପାଇଥିଲେ ।
ସୁଚେତା କ୍ରିପଲାନୀ
ସୁଚେତା କ୍ରିପଲାନୀ ଥିଲେ ସ୍ୱାଧୀନତା ସଂଗ୍ରାମୀ, ଯିଏକି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୫୨ରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ତାଙ୍କ ସ୍ୱାମୀ ଜେବି କ୍ରିପଲାନୀଙ୍କ ଦଳ କେଏମ୍ପିପିର ଟିକେଟରେ ଲୋକସଭା ନିର୍ବାଚନ ଲଢ଼ି କଂଗ୍ରେସର ମନମୋହିନୀ ସହଗଲଙ୍କୁ ହରାଇଥିଲେ । ଉତ୍ତରପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀରୁ ୧୯୬୭ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇ (୧୯୬୦-୬୩) ଶ୍ରମମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ (୧୯୬୩-୬୬) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୧ରେ ସେ ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ ।
ଇନ୍ଦିରା ଗାନ୍ଧୀ
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ପ୍ରଥମେ ୧୯୬୬-୭୭ ଏବଂ ପରେ ୧୯୮୦-୮୪ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ୧୯୫୯ରେ ସେ କଂଗ୍ରେସ ଦଳର ଅଧ୍ୟକ୍ଷା ହୋଇଥିଲେ । ଜବାହରଲାଲ ନେହେରୁଙ୍କ ଦେହାନ୍ତ ପରେ ସେ ରାଜ୍ୟସଭାର ସଦସ୍ୟା ହୋଇ ଲାଲବାହାଦୁର ଶାସ୍ତ୍ରୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ପୂର୍ବ ପାକ୍କୁ ବିଭାଜିତ କରି ବଙ୍ଗଳାଦେଶ ଗଠନ କରିବା ତାଙ୍କ ଜୀବନର ସବୁଠୁ ବଡ଼ ସଫଳତା ଥିଲା । କିନ୍ତୁ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା (୧୯୭୫-୭୭) ତାଙ୍କ ଜୀବନର ସବୁଠୁ ବଡ଼ ବିଫଳତା ଥିଲା । ଖଲିସ୍ଥାନୀ ସନ୍ତ୍ରାସବାଦୀଙ୍କୁ ଅମୃତସରର ସ୍ୱର୍ଣ୍ଣମନ୍ଦିର ପରିସରରୁ ହଟାଇବାପାଇଁ ଅପରେସନ ବ୍ଲୁଷ୍ଟାର ତାଙ୍କ ଶାସନ କାଳରେ ଆରମ୍ଭ କରାଯାଇଥିଲା, ଯାହାକି ଶିଖ ସମାଜରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଶେଷରେ ନିଜ ଶିଖ ଅଙ୍ଗରକ୍ଷୀଙ୍କ ଗୁଳି ଚାଳନାରେ ସେ ୩୧ ଅକ୍ଟୋବର ୧୯୮୪ରେ ମୃତୁ୍ୟବରଣ କରିଥିଲେ । ତାଙ୍କୁ ଭାରତ ରତ୍ନ (୧୯୭୧), ବଙ୍ଗଳାଦେଶ ସ୍ୱାଧୀନତା ସମ୍ମାନ (୨୦୧୧) ପ୍ରଦାନ କରାଯାଇଥିଲା । ତାଙ୍କ ନାମରେ ଇନ୍ଦିରା ଆବାସ ଯୋଜନାଠାରୁ ଇନ୍ଦିରା ଗାନ୍ଧୀ ପୁରସ୍କାର ପର୍ଯ୍ୟନ୍ତ ଅନେକ ଯୋଜନା, ପୁରସ୍କାର ଅନୁଷ୍ଠାନ ନାମିତ ହୋଇଛି ।
ନନ୍ଦିନୀ ଶତପଥୀ
ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଲେଖିକା, ସ୍ୱାଧୀନତା ସଂଗ୍ରାମୀ; ମାତ୍ର ୮ବର୍ଷ ବୟସରେ ସେ ୧୯୩୯ରେ କଟକଠାରେ ବ୍ରିଟିଶ ଶାସନକୁ ବିରୋଧ କରି ପୋଷ୍ଟର ଲଗାଇବା ଏବଂ ବ୍ରିଟିଶ ପତାକାକୁ ଓହ୍ଲାଇଦେବା ଦୋଷରେ ପୁଲିସଠାରୁ ମାଡ଼ ଖାଇଥିଲେ । ୧୯୬୨ରେ ଓଡ଼ିଶାର ୧୪୦ ବିଧାନସଭା ଆସନରୁ କଂଗ୍ରେସ ଦଳ ହାତରେ ୮୦ଟି ଆସନ ଥିଲା । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ୧୯୭୨ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ୧୯୭୭ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ । ୧୯୭୭ରେ ସେ କଂଗ୍ରେସ ବିରୋଧୀ ଗୋଷ୍ଠୀରେ ଯୋଗ ଦେଇ ଢ଼େଙ୍କାନାଳ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ୧୯୮୯ରେ ସେ କଂଗ୍ରେସ ଦଳକୁ ଫେରି ୨୦୦୦ ଯାଏଁ ଗଁଦିଆ ଆସନରୁ ବିଜୟୀ ହୋଇ ପ୍ରତିନିଧିତ୍ୱ କରୁଥିଲେ । ୨୦୦୦ ନିର୍ବାଚନ ସେ ଲଢ଼ିନଥିଲେ । ୪ ଅଗଷ୍ଟ ୨୦୦୬ରେ ତାଙ୍କର ଦେହାନ୍ତ ହୋଇଥିଲା । ୧୯୯୮ରେ ସେ ସାହିତ୍ୟ ଭାରତୀ ପୁରସ୍କାର ଲାଭ କରିଥିଲେ ।
ଶୀଲା ଦୀକ୍ଷିତ
ଶୀଲା ଦିକ୍ଷିତ ନୂଆଦିଲ୍ଲୀର ସଫଳ ମୁଖ୍ୟମନ୍ତ୍ରୀ ଭାବେ (୧୯୯୮- ୨୦୧୩) ତିନିଥର ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ । ଅଳ୍ପଦିନପାଇଁ କେରଳର ରାଜ୍ୟପାଳ ଦାୟିତ୍ୱରେ ମଧ୍ୟ ରହିଥିଲେ । ୧୯୮୪ରୁ ୧୯୮୯ ଯାଏଁ ଉତ୍ତର ପ୍ରଦେଶର କନୌଜ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ନୂଆଦିଲ୍ଲୀର ଫ୍ଲାଇଓଭର ନିର୍ମାଣ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ, ମେଟ୍ରୋ ରେଳ ଚଳାଚଳ ପରି ଅନେକ କାର୍ଯ୍ୟ କରିଥିଲେ । ଜୀବନର ଶେଷ ସମୟ ଯାଏ ସେ ଦିଲ୍ଲୀ କଂଗ୍ରେସର ସଭାନେତ୍ରୀ ଥିଲେ । ୨୦ ଜୁଲାଇ ୨୦୧୯ରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।
ଜେ. ଜୟଲଳିତା
ତାମିଲନାଡୁର ଏକାଧିକବାର ମୁଖ୍ୟମନ୍ତ୍ରୀ ହୋଇଥିବା ଜେ. ଜୟଲଳିତା ସାଧାରଣରେ ‘ଆମ୍ମା’ ଭାବେ ପରିଚିତ ଥିଲେ । ୬୦ ଦଶକରେ ସିନେମା ଜଗତରେ ପ୍ରବେଶ କରି ୧୯୬୧ରୁ ୧୯୮୦ ମଧ୍ୟରେ ତାମିଲ, କନ୍ନଡ଼ ଓ ତେଲୁଗୁ ଭାଷାରେ ପ୍ରାୟ ୧୪୦ଟି ସିନେମାରେ ଅଭିନୟ କରି ସେ ବହୁ ଲୋକପ୍ରିୟ ହୋଇଥିଲେ । ୧୯୮୨ରେ ଏଆଇଏଡିଏମ୍କେ ଦଳରେ ଯୋଗ ଦେଇ ୧୯୯୧ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୨୦୦୧ରେ ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମଝିରେ କିଛିଦିନ ପାଇଁ ତାଙ୍କୁ କ୍ଷମତାରୁ ବାହାରେ ରହିବାକୁ ହୋଇଥିଲା । ୨୦୧୧ରେ ସେ ପୁନର୍ବାର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ୨୦୧୬ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୫ ଡିସେମ୍ବର ୨୦୧୬ରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିଲା । ସିନେମା ଜୀବନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତ୍ରୀ ଥିଲେ । ରାଜନୀତିରେ ମଧ୍ୟ ମୃତୁ୍ୟ ପର୍ଯ୍ୟନ୍ତ ଲୋକଙ୍କ ପ୍ରିୟନେତ୍ରୀ ହୋଇ ରହିଥିଲେ । ତାଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ‘ଥାଲାଇଭି’ ୨୦୧୧ରେ ରିଲିଜ ହୋଇଥିଲା ।
ମମତା ବାନାର୍ଜୀ
ମମତା ବାନାର୍ଜୀ ୨୦୧୧ରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ୧୯୯୮ରେ ସେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ଦଳ ଗଠନ କରିଥିଲେ । ୧୯୫୫ରେ କୋଲକାତାରେ ଜନ୍ମିତା ମମତା ୧୬ବର୍ଷ ବୟସରୁ ରାଜନୀତିରେ ପ୍ରବେଶ କରିଥିଲେ । ଜୟପ୍ରକାଶ ନାରାୟଣଙ୍କ କୋଲକାତା ଗସ୍ତକୁ ବିରୋଧ କରି ତାଙ୍କ କାର ଉପରେ ଉଦ୍ଦଣ୍ଡ ନୃତ୍ୟ କରି ସେ ଗଣମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୮୪ ଲୋକସଭା ନିର୍ବାଚନରେ ଯାଦବପୁର ଆସନରେ କମ୍ୟୁନିଷ୍ଟ ନେତା ସୋମନାଥ ଚାଟାର୍ଜୀଙ୍କୁ ପରାସ୍ତ କରି ସେ ସାଂସଦ ହୋଇଥିଲେ । ପରେ ୧୯୯୧, ୧୯୯୬,୧୯୯୮, ୧୯୯୯, ୨୦୦୪, ୨୦୦୯ ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇ ସାଂସଦ ହୋଇଥିଲେ । ୧୯୯୬ରୁ ସେ ଦକ୍ଷିଣ କୋଲକାତାରୁ ପ୍ରତିନିଧିତ୍ୱ କରିଆସିଥିଲେ । ୧୯୯୧ରେ ପି.ଭି. ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ସେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ, ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ରେଳବାଇ ମନ୍ତ୍ରୀ ହୋଇଥିଲେ । ଜଣେ ଲଢ଼ୁଆ ନେତ୍ରୀ ଭାବେ ସେ ବେଶ୍ ପରିଚିତା ।
ମାୟାବତୀ
ଦଳିତବର୍ଗର ନେତ୍ରୀ ମାୟାବତୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ୧୯୮୪ରେ କାନ୍ସୀରାମଙ୍କ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇ ୧୯୮୬ରେ ଦୁଇଟି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୫, ୧୯୯୭, ୨୦୦୨, ୨୦୦୭ରେ ୪ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୩ରୁ ସେ ଦଳର ଅଧ୍ୟକ୍ଷା ରହି ଆସିଛନ୍ତି । ଭିନ୍ନଭିନ୍ନ ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠିବା ସତ୍ତ୍ୱେ ସେ ଉତ୍ତର ପ୍ରଦେଶର ବହୁଜନ ସମାଜରେ ନିଜର ସ୍ଥିତିକୁ ଏବେ ବି ମଜଭୁତ ରଖିଛନ୍ତି ।
ସୁଷମା ସ୍ୱରାଜ
ସୁଷମା ସ୍ୱରାଜ ପେସାରେ ସୁପ୍ରିମକୋର୍ଟର ଓକିଲ ଥିଲେ ହେଁ ଜଣେ ସଫଳ ନେତ୍ରୀ ଭାବେ ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । ଛାତ୍ରୀ ବୟସରୁ ରାଜନୀତିରେ ଯୋଗ ଦେଇ ସେ ୨୫ବର୍ଷ ବୟସରେ ୧୯୭୭ରେ ବିଧାୟିକା ହୋଇ ଯୁବ କ୍ୟାବିନେଟ ମନ୍ତ୍ରୀ ଭାବେ ହରିୟାଣା ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ । ୧୯୯୮ରେ ଅଳ୍ପ କାଳପାଇଁ ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ବାଜପେୟୀ ଏବଂ ମୋଦିଙ୍କ ସରକାରରେ ମନ୍ତ୍ରୀ ରହିଥିଲେ । ମୋଦିଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଥିଲେ । ହୃଦ୍ଘାତରେ ୬ ଅଗଷ୍ଟ ୨୦୧୯ରେ ତାଙ୍କର ମୃତୁ୍ୟ ହୋଇଥିଲା । ସେ ପଦ୍ମବିଭୂଷଣ ସମ୍ମାନ ମରଣୋତ୍ତର ଭାବେ ପାଇଥିଲେ । ସ୍ପେନ ପକ୍ଷରୁ ୨୦୧୯ରେ ତାଙ୍କୁ ଅର୍ଡର ଅଫ୍ ସିଭିଲ ମେରିଟ୍ ସମ୍ମାନ ପ୍ରଦାନ କରାଯାଇଥିଲା ।ମାରୀକମ୍
ଦେଶର ମହିଳା କ୍ରୀଡ଼ାବିତ୍ଙ୍କ ମଧ୍ୟରେ ମାରୀକମ୍ଙ୍କ ସ୍ଥାନ ସ୍ୱତନ୍ତ୍ର । ନିଜର କଠୋର ନିଷ୍ଠା ବଳରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ସେ ପ୍ରଥମ ମହିଳା ବକ୍ସର ଯିଏକି ସବୁ ଫର୍ମାଟର ବକ୍ସିଂରେ ବିଜୟୀ ହୋଇଛନ୍ତି । ୨୪ ନଭେମ୍ବର ୧୯୮୨ରେ ମିଜୋରାମରେ ଜନ୍ମିତା ମାରୀକମ୍ ୫ଥର ବିଶ୍ୱ ପେସାଦାର ବକ୍ସିଂରେ ବିଜୟୀ ହୋଇଛନ୍ତି । ଶୀତକାଳିନ ଅଲିମ୍ପିକ୍ସ ଏବଂ ଲଣ୍ଡନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ସେ ମନୋନୀତ ହୋଇଥିଲେ । ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ ଆଦି ସମ୍ମାନ ତାଙ୍କର କ୍ରୀଡ଼ା ଦକ୍ଷତାକୁ ଦେଖି ପ୍ରଦାନ କରାଯାଇଛି ।
ପିଟି ଉଷା
କେରଳର କୋଝିକୋଡ ଜିଲ୍ଲା ଅନ୍ତର୍ଗତ କୁଟ୍ଟାଲିଠାରେ ୨୭ ଜୁନ୍ ୧୯୬୪ରେ ଜନ୍ମିତା ପିଟି ଉଷାଙ୍କୁ ଭାରତର ଟ୍ରାକ୍ ଏଣ୍ଡ୍ ଫିଲ୍ଡର କୁଇନ ବୋଲି କୁହାଯାଇଥାଏ । କ୍ରୀଡ଼ା ଜଗତରେ ସେ ପାୟୋଲି ଏକ୍ସପ୍ରେସ ଭାବେ ପରିଚିତ । ସଂପ୍ରତି ରେଳବାଇରେ କାର୍ଯ୍ୟରତ ଶ୍ରୀମତୀ ଉଷା ୧୯୭୬ରୁ ୨୦୦୦ ଯାଏ ଦୌଡ଼ରେ ସଂପୃକ୍ତ ରହିଥିଲେ । ୧୯୭୭ରେ ଆଥଲେଟିକ୍ କୋଚ୍ ଓଏମ୍ ନାମ୍ବିଆର କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ଉଷାଙ୍କୁ ଦେଖି ପ୍ରଭାବିତ ହୋଇଥିଲେ । ସେହିବର୍ଷ ତାଙ୍କଠାରୁ କୋଚିଂ ପାଇ ଉଷା ୧୯୭୮ରେ କୋଲ୍ଲମଠାରେ ଅନୁଷ୍ଠିତ ଜୁନିଅର ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ୬ଟି ମେଡାଲ (୪ଟି ସ୍ୱର୍ଣ୍ଣ) ପାଇଥିଲେ । କେରଳ ରାଜ୍ୟ କଲେଜ ପ୍ରତିଯୋଗିତାରେ ସେ ୧୪ଟି ମେଡାଲ ପାଇଥିଲେ । ପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଏସିଆନ ଗେମ୍ସରେ ସିଓଲଠାରେ ୪ଟି ସ୍ୱର୍ଣ୍ଣ (୧୯୮୬) ପଦକ ଲାଭ କରିଥିଲେ । ଏହି କ୍ରୀଡ଼ାରେ ୨ ରୌପ୍ୟ (୧୯୮୨, ନୂଆଦିଲ୍ଲୀ), ବେଜିଂଠାରେ ୪ ରୌପ୍ୟ (୧୯୯୦) ଲାଭ କରିଥିଲେ । ଏସିଆନ ଚାମ୍ପିଅନସିପରେ ୧୯୮୩ରେ କୁଏତଠାରେ ଗୋଟିଏ, ଜାକର୍ତ୍ତାଠାରେ ୫ ସ୍ୱର୍ଣ୍ଣ (୧୯୮୫), ସିଙ୍ଗାପୁରଠାରେ ୩ ସ୍ୱର୍ଣ୍ଣ (୧୯୮୭), ନୂଆଦିଲ୍ଲୀଠାରେ ୪ ସ୍ୱର୍ଣ୍ଣ (୧୯୮୯), ଫୁକୁଓକାଠାରେ ୨ ରୌପ୍ୟ (୧୯୯୯) ଏବଂ ୨ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ସେ କନ୍ନୁର ବିଶ୍ୱବିଦ୍ୟାଳୟ (କେରଳ) ପକ୍ଷରୁ ଡିଲିଟ୍ (୨୦୦୦), କାନପୁର ଆଇଆଇଟିରୁ ଡିଏସ୍ସି (୨୦୧୭), କାଲିକଟ ବିଶ୍ୱବିଦ୍ୟାଳୟରୁ ଡିଲିଟ୍ (୨୦୧୮), ପଦ୍ମଶ୍ରୀ (୧୯୮୫), ଆଇଏଏଫ୍ ଭେଟେରାନ୍ ପିନ୍ (୨୦୧୯) ସମ୍ମାନ ଲାଭ କରିଛନ୍ତି ।
ସାଇନା ନେହୱାଲ
ଅଲିମ୍ପିକ୍ସରେ ପଦକ ବିଜୟିନୀ ହେବା କ୍ଷେତ୍ରରେ ସାଇନା ହେଉଛନ୍ତି ପ୍ରଥମ ମହିଳା ବ୍ୟାଡମିଣ୍ଟନ ଖେଳାଳି । ପ୍ରକାଶ ପାଦୁକୋନଙ୍କ ପରେ ଆନ୍ତର୍ଜାତିକ ସ୍ତରରେ ପ୍ରଥମ ସ୍ଥାନରେ ରହିବା କ୍ଷେତ୍ରରେ ସାଇନା ଦେଶର ପ୍ରଥମ ମହିଳା ଖେଳାଳି । ପ୍ରାୟ ୨୪ଟି ଆନ୍ତର୍ଜାତିକ ଟାଇଟଲ ସେ ହାସଲ କରିଛନ୍ତି । ତନ୍ମଧ୍ୟରୁ ଏଗାରଟି ହେଉଛି ସୁପର ସିରିଜର ଟାଇଟଲ । ଦେଶରେ ବ୍ୟାଡମିଣ୍ଟନ ଖେଳକୁ ଲୋକପ୍ରିୟ କରିବା ପଛରେ ସାଇନାଙ୍କ ଭୂମିକା ରହିଛି । ଖେଳପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ, ପଦ୍ମଭୂଷଣ ଆଦି ସମ୍ମାନ ପ୍ରଦାନ କରାଯାଇଛି ।
ପିଭି ସିନ୍ଧୁ
ସଫଳ ବ୍ୟାଡମିଣ୍ଟନ ଖେଳାଳୀ ପି.ଭି. ସିନ୍ଧୁ ସାନବୟସରୁ ଖେଳ ଆରମ୍ଭ କରି ସେ ଅଲିମ୍ପିକ ସମେତ ଅନେକ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛନ୍ତି । ବ୍ୟାଡମିଣ୍ଟନ ଖେଳରେ ବିଶ୍ୱ ଚାମ୍ପିଅନ ହେବାରେ ସେ ଭାରତର ପ୍ରଥମ ମହିଳା ଖେଳାଳି । ଖେଳରେ ତାଙ୍କର ଅବଦାନପାଇଁ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ଆଦି ପ୍ରଦାନ କରାଯାଇଛି ।
ଅଞ୍ଜୁ ବବି ଜର୍ଜ
ଅଞ୍ଜୁ ବବି ଜର୍ଜ ମହିଳା ଆଥଲେଟ୍ ଖେଳାଳି, ଯିଏକି ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ମେଡାଲ ପାଇବାରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ହୋଇଥିଲେ । ଏହା ପରେ ସେ ବିଶ୍ୱ ଆଥଲେଟିକ୍ସ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ମଣ୍ଟେକାର୍ଲୋଠାରେ ଅନୁଷ୍ଠିତ ୨୦୦୫ ବିଶ୍ୱ ଆଥଲେଟିକ୍ସ ଫାଇନାଲରେ ସ୍ୱର୍ଣ୍ଣପଦକ ପାଇଥିଲେ । କ୍ରୀଡ଼ାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର (୨୦୦୨), ଖେଳରତ୍ନ (୨୦୦୩), ପଦ୍ମଶ୍ରୀ (୨୦୦୪), ବିବିସି ଜୀବନବ୍ୟାପୀ ସଫଳତା ପୁରସ୍କାର (୨୦୨୧) ପ୍ରଦାନ କରାଯାଇଥିଲା । ବୁସାନ ଏସିଆନ ଗେମ୍ସ (୨୦୦୨)ରେ ସ୍ୱର୍ଣ୍ଣ, କଲମ୍ବୋଠାରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତା (୨୦୦୬)ରେ ସ୍ୱର୍ଣ୍ଣ, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା (୨୦୦୨)ରେ ସେ ବ୍ରୋଞ୍ଜ ପଦକ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର (୨୦୦୪) ପାଇଥିଲେ । ସେ ଏବେ ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ ଯୋଜନାର ଅଧ୍ୟକ୍ଷା ଥିଲା ବେଳେ କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଦସ୍ୟା ରହିଛନ୍ତି । ଆଥଲେଟିକ୍ ଫେଡେରେସନ ଅଫ୍ ଇଣ୍ଡିଆର ଉପସଭାପତିଙ୍କୁ ନିଯୁକ୍ତି ଦେବା ତାଙ୍କ ଉପରେ ନ୍ୟସ୍ତ ରହିଛି ।
ପ୍ରଣତି ମିଶ୍ର
ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ୧୨ ମଇ ୧୯୭୦ରେ ଜନ୍ମିତା ପ୍ରଣତି ମିଶ୍ର ଆଥଲେଟିକ୍ସରେ ୧୦୦ମିଟର, ୨୦୦ମିଟର, ୪୦୦ ମିଟର ଏବଂ ରିଲେରେ ଅଂଶଗ୍ରହଣ କରି ବେଶ୍ ପ୍ରସିଦ୍ଧି ପାଇଥିଲେ । ବିଦ୍ୟାଳୟ ଜୀବନରେ ସେ କବାଡ଼ି ଏବଂ ଖୋଖୋ ଖେଳୁଥିଲେ । କଟକସ୍ଥିତ ସାଇ କେନ୍ଦ୍ରରେ କୋଚ୍ ସୁବାସ ଚନ୍ଦ୍ର ଦାସ ମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ବିଦ୍ୟାଳୟ ପ୍ରତିଯୋଗିତାରେ କ୍ରମାଗତ ତିନିବର୍ଷପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍ (୧୯୮୫-୮୭) ହୋଇଥିଲେ । ୧୦୦,୨୦୦ ଏବଂ ୪୦୦ ମିଟର ଦୌଡ଼ରେ ସେ ୧୯୮୫ରୁ ୧୯୯୦ ମଧ୍ୟରେ ଅନେକ ପୁରସ୍କାର ପାଇବା ସହ ରାଜ୍ୟ ରେକର୍ଡ ସ୍ଥାପନା କରିଥିଲେ । ଆନ୍ତଃରାଜ୍ୟ ସ୍ତରରେ ଅନେକ ପ୍ରତିଯୋଗିତାରେ ସେ ସଫଳ କ୍ରୀଡ଼ାବିତ୍ ଥିଲେ । ବେଜିଂ ଏସିଆନ ଗେମ୍ସ (୧୯୯୦)ରେ ପିଟି ଉଷା, ଶାନ୍ତିମୋଲ ଫିଲିପ୍ସ, କେ.ସାରାମ୍ମାଙ୍କ ସହ ମିଶି ସେ ରୌପ୍ୟ ପଦକ ଲାଭ କରିଥିଲେ । ୧୯୯୨ରେ ଆଣ୍ଠୁ ଯନ୍ତ୍ରଣା ଯୋଗୁ ତାଙ୍କ ଖେଳରେ ଅଧିକ ବିକାଶ ହୋଇପାରି ନ ଥିଲା । କିନ୍ତୁ ତାଙ୍କର ସଫଳତା ପରବର୍ତ୍ତୀ କାଳରେ ଓଡ଼ିଶାରେ ଅନେକ ମହିଳା କ୍ରୀଡ଼ାବିତଙ୍କୁ ଆଗକୁ ଆସିବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା ।
ଅନ୍ନା ରାଜମ ମାଲହୋତ୍ରା
କେରଳର ନିରାନାମଠାରେ ୧୭ ଜୁଲାଇ ୧୯୨୭ରେ ଜନ୍ମିତା ଅନ୍ନାରାଜମ ମାଲହୋତ୍ରା ଥିଲେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ୧୯୫୧ ବ୍ୟାଚ୍ରେ ପ୍ରଶିକ୍ଷିତ ମାଲହୋତ୍ରାଙ୍କୁ ତତ୍କାଳୀନ ୟୁପିଏସ୍ସିର ଅଧ୍ୟକ୍ଷ ଆର୍ଏନ୍ ମୁଖାର୍ଜୀଙ୍କ ସମେତ ଅନ୍ୟ ତିନିଜଣ ଆଇସିଏସ୍ ଅଧିକାରୀ କେନ୍ଦ୍ରୀୟ ସେବା କିମ୍ବା ବିଦେଶ ସେବାରେ ଯୋଗଦେବାଲାଗି ପ୍ରବର୍ତ୍ତାଇଥିଲେ ମଧ୍ୟ ଅନ୍ନା ରାଜି ହୋଇନଥିଲେ । ସେ ସେମାନଙ୍କ ସହ ତର୍କ କରି ନିଜର ଦୃଢ଼ ସଂକଳ୍ପ ନେଇ ସ୍ପଷ୍ଟ କରିଥିଲେ ।
ତତ୍କାଳୀନ ମାଡ୍ରାସ ରାଜ୍ୟରେ ତିରୁପାତ୍ତୁର ଜିଲ୍ଲାରେ ସବ୍-କଲେକ୍ସର ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେ ସମୟର ମୁଖ୍ୟମନ୍ତ୍ରୀ ସି.ରାଜ ଗୋପାଳଚାରୀ ପ୍ରଥମେ ତାଙ୍କୁ ଜିଲ୍ଲା ଦାୟିତ୍ୱ ନଦେଇ ସଚିବାଳୟରେ ନିଯୁକ୍ତି ଦେବା ପାଇଁ ଚିନ୍ତା କରିଥିଲେ । ଘୋଡ଼ାଚଢ଼ା, ବନ୍ଧୁକ ଚାଳନା ଆଦି ସମସ୍ତ ପ୍ରଶିକ୍ଷଣ ପାଇଥିଲେ ଅନ୍ନା । ସେ ସାତଜଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସଫଳତାର ସହ କାର୍ଯ୍ୟକରି ଏସିଆଡ୍ ପ୍ରକଳ୍ପ ପାଇଁ ରାଜିବ ଗାନ୍ଧିଙ୍କ ସହ କାର୍ଯ୍ୟ କରିଥିଲେ । ମୁମ୍ବାଇର ପ୍ରଥମ କମ୍ପୁ୍ୟଟର ନିୟନ୍ତ୍ରିତ ବନ୍ଦର ଭାରସୋଭାର ନିର୍ମାଣ ଦାୟିତ୍ୱ ସେ ନେଇଥିଲେ । କେନ୍ଦ୍ର ସରକାରଙ୍କ ସଚିବାଳୟରେ ସଚିବସ୍ତରୀୟ ପଦବୀ ପାଇବାରେ ସେ ଥିଲେ ପ୍ରଥମ କେରଳୀ ମହିଳା । ତାଙ୍କୁ ୧୯୮୯ରେ ପଦ୍ମଭୂଷଣ ସମ୍ମାନ ମିଳିଥିଲା । ୨୦୧୮ରେ ୯୧ବର୍ଷ ବୟସରେ ଅନ୍ନାଙ୍କ ଦେହାନ୍ତ ହେଲା ।
କିରଣ ବେଦୀ
କିରଣ ବେଦୀ ଭାରତୀୟ ପୁଲିସ ସେବାରେ କାର୍ଯ୍ୟ କରିଥିବା ପ୍ରଥମ ମହିଳା ଅଧିକାରୀ ରହିଥିଲେ । ୧୯୭୨ରେ ସେ କାର୍ଯ୍ୟରେ ଯୋଗ ଦେଇ ୩୫ବର୍ଷ କାଳ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟକରି ୨୦୦୭ରେ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଏଣ୍ଡ୍ ଡେଭଲପମେଣ୍ଟର ଡିରେକ୍ଟର ଜେନେରାଲ ଦାୟିତ୍ୱରୁ ସ୍ୱେଚ୍ଛାରେ ଅବସର ନେଇଥିଲେ । ୯ ଜୁନ୍ ୧୯୪୯ରେ ଅମୃତସରଠାରେ ପ୍ରକାଶ ପେଶୱାରିଆ ଏବଂ ପ୍ରେମଲତାଙ୍କ ଝିଅ ଭାବେ ଜନ୍ମିତା କିରଣଙ୍କ ଶିକ୍ଷା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର, ଆଇଆଇଟି ଦିଲ୍ଲୀ (ଡି.ଫିଲ୍)ରୁ ହୋଇଥିଲା । ୧୯୬୬ରେ ସେ ଜାତୀୟ ଜୁନିଅର ଟେନିସରେ ଚାମ୍ପିଅନ ହୋଇଥିଲେ । ୧୯୬୫ରୁ ୧୯୭୮ ମଧ୍ୟରେ ଟେନିସରେ ଅନେକଗୁଡ଼ିଏ ଟାଇଟଲ ଜିତିଥିଲେ । ଚାକିରୀରେ ଯୋଗ ଦେବା ପରେ ସେ ଦିଲ୍ଲୀ, ଗୋଆ, ଚଣ୍ଡିଗଡ଼ ଏବଂ ମିଜୋରାମରେ କାର୍ଯ୍ୟ କରିଥିଲେ । ଦିଲ୍ଲୀର ଚାଣକ୍ୟପୁରୀରେ ଏଏସ୍ପି ଦାୟିତ୍ୱରେ ଥିଲା ବେଳେ ୧୯୭୯ରେ ରାଷ୍ଟ୍ରପତି ପୁଲିସ ମେଡାଲ ଲାଭ କରିଥିଲେ । ଉତ୍ତର ଦିଲ୍ଲୀର ପୁଲିସ କମିସନର ଥିଲା ବେଳେ ସେ ନିଶା କାରବାର ବିରୋଧରେ ପଦକ୍ଷେପ ନେଇଥିଲେ, ଯାହା ନଭଜ୍ୟୋତି ଦିଲ୍ଲୀ ପୁଲିସ ଫାଉଣ୍ଡେସନର ତତ୍ତ୍ୱାବଧାନରେ ହୋଇଥିଲା । ୧୯୯୩ରେ ଦିଲ୍ଲୀ କାରାଗାରର ଆଇଜି ଥିଲା ବେଳେ ତିହାର ଜେଲ୍ରେ ଅନେକ ସଂସ୍କାର ଆଣି ୧୯୯୪ରେ ରମଣ ମାଗାସେସେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଜାତିସଂଘ ଶାନ୍ତି ଅଭିଯାନ ବିଭାଗର ପୁଲିସ ପରାମର୍ଶଦାତା ଏବଂ ଜାତିସଂଘ ପୁଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷେତ୍ରରେ ସେ ଥିଲେ ପ୍ରଥମ ଭାରତୀୟ ଏବଂ ପ୍ରଥମ ମହିଳା । ୨୦୦୭ରେ ସେ ପଦବୀରୁ ଇସ୍ତଫା ଦେଇ ସାମାଜିକ କାର୍ଯ୍ୟରେ ସଂପୃକ୍ତ ହେବାପାଇଁ ଇଣ୍ଡିଆ ଭିଜନ ଫାଉଣ୍ଡେସନ ଗଠନ କଲେ । ୨୦୧୧ରେ ଦୁର୍ନୀତି ବିରୋଧୀ ଅଭିଯାନ, ଆପ୍କୀ କଚେରି ନାମକ କାର୍ଯ୍ୟକ୍ରମ ୨୦୦୮ରୁ ୨୦୧୧ଯାଏ ଚଳାଇଥିଲେ । ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ତାଙ୍କର ସଫଳତାପାଇଁ ସେ ୧୭ଟି ସମ୍ମାନ ଦେଶ ବିଦେଶରୁ ଲାଭ କରିଥିଲେ । ସେ ୧୮ଟି ପୁସ୍ତକ ରଚନା କରିଛନ୍ତି ।
ଚୋନିରା ବେଲ୍ଲିଆପ୍ପା ମୁଥାମ୍ମା
ଭାରତୀୟ ବିଦେଶ ସେବାରେ ପ୍ରଥମ ମହିଳା ଅଧିକାରୀ ଥିଲେ ସି.ବି.ମୁଥାମ୍ମା । କୁର୍ଗ ଜିଲ୍ଲାର ବିରାଜପେଟଠାରେ ଜନ୍ମିତ (୧୯୨୪) ମୁଥାମ୍ମାଙ୍କ ପିତା ଥିଲେ ଜଣେ ଜଙ୍ଗଲ ଅଧିକାରୀ । ତାଙ୍କୁ ମାତ୍ର ୯ବର୍ଷ ହୋଇଥିଲା ବେଳେ ପିତାଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ମାଆ ଚାରି ଭାଇ ଭଉଣୀଙ୍କ ଶିକ୍ଷାରେ କୌଣସି ଅବହେଳା କରି ନ ଥିଲେ । ଚେନ୍ନାଇର ପ୍ରେସିଡେନ୍ସୀ କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୪୮ରେ ଉତ୍ତୀର୍ଣ୍ଣ ହୋଇ ବିଦେଶ ସେବା ପ୍ରାର୍ଥୀଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରି ୧୯୪୯ରେ କାର୍ଯ୍ୟରେ ଯୋଗ ଦେଇଥିଲେ; କିନ୍ତୁ ଚାକିରିରେ ଯୋଗ ଦେଲା ବେଳେ ସେ ବିବାହ କଲେ, ଚାକିରିରୁ ଇସ୍ତଫା ଦେବେ ବୋଲି ଏକ ଘୋଷଣାପତ୍ର ତାଙ୍କଠାରୁ ଲେଖାଇ ନିଆଯାଇଥିଲା, ଯାହା ବିରୋଧରେ ସେ ପରବର୍ତ୍ତୀ ସମୟରେ ଲଢ଼ି ସଫଳତା ପାଇଥିଲେ ଏବଂ ମହିଳାଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ନିୟମ ବଦଳାଇବାକୁ ବାଧ୍ୟ ହୋଇଥିଲେ । ମହିଳା ଅଧିକାରୀଙ୍କ ପଦୋନ୍ନତି କ୍ଷେତ୍ରରେ ଲିଙ୍ଗଭେଦ ନେଇ ସେ ମକଦ୍ଦମା କରି ବିଜୟୀ ହୋଇଥିଲେ । ମୁଥାମ୍ମାଙ୍କୁ ପ୍ୟାରିସ୍, ରେଙ୍ଗୁନ୍ (ୟାଙ୍ଗନ), ଲଣ୍ଡନ, ହଙ୍ଗେରୀ, ଘାନା, ନେଦରଲାଣ୍ଡସରେ କାର୍ଯ୍ୟ କରିବାକୁ ହୋଇଥିଲା । ୧୯୭୦ରେ ସେ ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ହଙ୍ଗେରୀରେ ନିଯୁକ୍ତି ପାଇଥିଲେ । ୧୯୮୨ରେ ୩୨ ବର୍ଷ କାର୍ଯ୍ୟ କଲାପରେ ସେ ଚାକିରିରୁ ଅବସର ନେଇଥିଲେ । ମହିଳା ଅଧିକାରୀଙ୍କ ଅଧିକାରଗତ ଅସୁବିଧାକୁ ନେଇ ସେ ୨୦୦୩ରେ “ସ୍ଲେନ୍ ବାୟ ଦି ସିଷ୍ଟମ” ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ । ସୁପ୍ରିମକୋର୍ଟର ଜଷ୍ଟିସ ଭି.ଆର୍. କ୍ରିଷ୍ଣାଆୟରଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ୧୯୭୯ରେ ମୁଥାମ୍ନାଙ୍କ ଅଭିଯୋଗ ମାମଲାରେ ଯେଉଁ ରାୟ ଦେଇଥିଲେ, ତାହା ଥିଲା ଐତିହାସିକ । ପଦୋନ୍ନତି ବେଳେ ଲିଙ୍ଗଗତ ବାଛବିଚାର ନେଇ କାର୍ଯ୍ୟ କରାଯାଇପାରିବ ନାହିଁ । ପୁରୁଷ ଅଧିକାରୀଙ୍କ ପରି ମହିଳା ଅଧିକାରୀ ସମସ୍ତ ସୁବିଧା ପାଇବାକୁ ହକ୍ଦାର ବୋଲି ରାୟରେ ଉଲ୍ଲେଖ ଥିଲା । ମୁଥାମ୍ମା ନୂଆଦିଲ୍ଲୀରେ ଥିବା ନିଜର ୧୫ ଏକର ଜମିକୁ ଏକ ଅନାଥାଳୟ ଖୋଲିବାକୁ ଦାନ କରିଥିଲେ । ସେ ନିଜ ବାସସ୍ଥାନ ବିରାଜ ପେଟଠାରେ ଗୋନିକୋପ୍ପଲା ହାଇସ୍କୁଲର ପାଠାଗାର ଏବଂ ଏକ ବାଣିଜ୍ୟ ଶିକ୍ଷାନୁଷ୍ଠାନର କୋଠା ନିର୍ମାଣପାଇଁ ମୃତୁ୍ୟର ଶେଷ ସପ୍ତାହରେ ଚେକ୍ ମାଧ୍ୟମରେ ଅର୍ଥଦାନ କରିଥିଲେ । ୨୦୦୯ରେ ବାଙ୍ଗାଲୋରଠାରେ ତାଙ୍କର ଦେହାନ୍ତ ହୋଇଥିଲାଟେସୀ ଥୋମାସ
ବୈମାନିକ ବ୍ୟବସ୍ଥାର ମହାନିଦେ୍ର୍ଦଶିକା ଟେସୀ ଥୋମାସଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନନୀ ବୋଲି କୁହାଯାଏ । ଭାରତର ଅଗ୍ନି-୪ କ୍ଷେପଣାସ୍ତ୍ର ପ୍ରକଳ୍ପର ସେ ଥିଲେ ପ୍ରଥମ ମହିଳା ପ୍ରକଳ୍ପ ନିଦେ୍ର୍ଦଶକ । କେରଳର ଆଲାପୁଝାଠାରେ ୧୯୬୩ରେ ଟେସୀଙ୍କ ଜନ୍ମ । ତ୍ରିସୁରରୁ ବିଟେକ୍ ଏବଂ ପୁନେରୁ ଏମ୍ଟେକ ଶିକ୍ଷା ପରେ ୧୯୮୮ରେ ଟେସୀ ଡିଆର୍ଡିଓରେ ମହିଳା ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ଏ.ପି.ଜେ ଅବଦୁଲ କାଲାମ ହିଁ ତାଙ୍କୁ ଅଗ୍ନି ପ୍ରକଳ୍ପରେ ନିଯୁକ୍ତ କରିଥିଲେ । ୨୦୧୧ରେ ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଥିଲା । ପରେ ୨୦୦୯ରେ ଅଗ୍ନି-୫ (୫୦୦ କିମି କ୍ଷମତା) କ୍ଷେପଣାସ୍ତ୍ରର ନିଦେ୍ର୍ଦଶିକା ଭାବେ ଦାୟିତ୍ୱ ନେଇଥିଲେ ଯାହା ୧୨ ଏପ୍ରିଲ୍ ୨୦୧୨ରେ ସଫଳତାର ସହ ପରୀକ୍ଷଣ ହୋଇଥିଲା । ସେ ନେସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ, ଇନଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ ଇଣ୍ଡିଆ ଏବଂ ଟାଟା ଆଡମିନିଷ୍ଟ୍ରେଟିଭ ସର୍ଭିସ ପରି ଅନେକଗୁଡ଼ିଏ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶିକା ରହିଛନ୍ତି । କ୍ଷେପଣାସ୍ତ୍ର ଜ୍ଞାନ କୌଶଳପାଇଁ ଥୋମାସଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପୁରସ୍କାର ମିଳିଛି । କ୍ଷେପଣାସ୍ତ୍ର ବିଜ୍ଞାନ ସଂପର୍କରେ ତାଙ୍କର ଅନେକଗୁଡ଼ିଏ ଲେଖା ପ୍ରକାଶ ପାଇଛି ।
କମଳା ସୋହେନୀ
ବିଜ୍ଞାନ ଗବେଷଣାରେ ପିଏଚ୍ଡି ଲାଭ କରିବା କ୍ଷେତ୍ରରେ କମଳା ସୋହେନୀ ଥିଲେ ପ୍ରଥମ ଭାରତୀୟ ମହିଳା । ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସରେ ରିସର୍ଚ୍ଚ ଫେଲୋସିପ୍ପାଇଁ ଆବେଦନ କରି ଜଣେ ମହିଳା ହେବା କାରଣରୁ ପ୍ରବେଶ ପାଇ ନ ଥିଲେ । ପ୍ରଫେସର ସିଭି ରମଣଙ୍କର ସେ ଥିଲେ ପ୍ରଥମ ଛାତ୍ରୀ । ରମଣ ଅନୁଷ୍ଠାନର ନିଦେ୍ର୍ଦଶକ ଥିବା ଯୋଗୁ ସ୍ୱତନ୍ତ୍ର ଭାବେ ତାଙ୍କୁ ଗବେଷଣାପାଇଁ ଅନୁମତି ପ୍ରଦାନ କରିଥିଲେ । କମଳା ଗବେଷଣାରେ ଜାଣିପାରିଥିଲେ ଯେ ଗଛର ପ୍ରତ୍ୟେକ କୋଷରେ ଥିବା ଟିସୁରେ ସାଇଟ୍ରୋକୋମ-ସି ଏନ୍ଜାଇମ ରହିଥାଏ, ଯାହା ବୃକ୍ଷର ପ୍ରତ୍ୟେକ କୋଷରେ ଅମ୍ଳଜାନ ପହଞ୍ଚିବା ବ୍ୟବସ୍ଥା କରିଥାଏ । ସେ ୧୯୩୯ରେ ତାଙ୍କ ଗବେଷଣାପାଇଁ ପିଏଚ୍ଡି ଲାଭ କରିଥିଲେ । ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସରେ ତାଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବା ପରେ ଅନ୍ୟ ମହିଳାମାନଙ୍କ ପାଇଁ ସେଠାରେ ପ୍ରବେଶର ରାସ୍ତା ଫିଟିଥିଲା । ସେ ଗବେଷଣାପାଇଁ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଗବେଷଣାପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେଠାରେ ଫ୍ରେଡେରିକ ଗବେଷଣାଗାରରେ ସେ ଗବେଷଣା କାର୍ଯ୍ୟ କରିଥିଲେ ।
ଏ.ଲଳିତା
ଆୟାଲାସୋମାୟାଜୁଲା ଲଳିତାଙ୍କୁ ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଭାବେ ଗଣାଯାଇଥାଏ । ୨୭ ଅଗଷ୍ଟ ୧୯୧୯ରେ ଚେନ୍ନାଇଠାରେ ଲଳିତାଙ୍କ ଜନ୍ମ ।୧୯୩୭ରେ ତାଙ୍କ ଝିଅ ଜନ୍ମ ପରେ ସ୍ୱାମୀଙ୍କ ମୃତୁ୍ୟ ହେବା ଯୋଗୁ ସେ ଶିକ୍ଷାନୁଷ୍ଠାନକୁ ଫେରି ଗୁଣ୍ଡିସ୍ଥିତ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ । ତାଙ୍କ ପିତା ପପୁ ସୁବାରାଓ ସେଠାରେ ପ୍ରାଧ୍ୟାପକ ରହିଥିଲେ । ୧୯୪୩ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ଲାଭ କରି ସେ ଜମାଲପୁରସ୍ଥିତ ରେଳ କାରଖାନାରେ ଯୋଗ ଦେଇଥିଲେ । ପରେ ସେ ଭାକ୍ରାନାଙ୍ଗଲ ନଦୀବନ୍ଧ ଯୋଜନାର ବିଦ୍ୟୁତ୍ ପରିବହନ, ସବଷ୍ଟେସନ ନିର୍ମାଣ ଆଦିର ଡିଜାଇନ କରିଥିଲେ । ୧୯୪୮ରେ କୋଲକାତା ସ୍ଥିତ ବ୍ରିଟିସ୍ କମ୍ପାନୀ ଆସୋସିଏଟେଡ୍ ଇଲେକ୍ଟ୍ରିକାଲ ଇଣ୍ଡଷ୍ଟ୍ରୀଜରେ ଯୋଗ ଦେଇ ପ୍ରାୟ ୩୦ ବର୍ଷ କାର୍ଯ୍ୟ କଲାପରେ ୧୯୭୭ରେ ଅବସର ନେଇଥିଲେ । ନିଉୟର୍କଠାରେ ୧୯୬୪ରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ମହିଳା ଇଞ୍ଜିନିୟର ସମ୍ମିଳନୀରେ ସେ ଏକମାତ୍ର ଭାରତୀୟ ମହିଳା ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ଲଣ୍ଡନର ଇନଷ୍ଟିଚୁ୍ୟସନ ଅଫ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟର୍ସ କାଉନସିଲରେ ସେ ୧୯୫୫ରେ ଯୋଗ ଦେଇ ୧୯୬୬ ବେଳକୁ ପୂର୍ଣ୍ଣ ସଦସ୍ୟା ହୋଇଥିଲେ । ୧୯୬୫ରେ ବ୍ରିଟିଶ ଓମେନ୍ସ ଇଞ୍ଜିନିୟରିଂ ସୋସାଇଟିକୁ ସେ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ । ୧୯୭୯ରେ ୬୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ