ଏମାନୁୟେଲ କୁଏର ପୃଥିବୀ
(୧)
ଗଛଟା କାଲି ଥିଲା, ଆଜି ନାହିଁ ।
ବେଡ୍ରୁମ୍ ଝର୍କା ଖୋଲିଲେ ଦିଶେ ସେଇ ବଉଳ ଗଛଟା ।
ଛାତରୁ ଦେଖିଲେ ଲାଗେ ଗୋଟେ ବଡ ସବୁଜ ଛତା ଯେମିତି କିଏ ପୋତି ଦେଇଛି । ନାହିଁ ବୋଲି ଯେତେ ସବୁ ବର୍ଣ୍ଣନା ଚାତୁରୀ ମନକୁ ଆସୁଛି ମ! ନହେଲେ ସେ ଗଛଟାକୁ ସତରେ ଯେ କେବେ ଦେଖିଛି, ମନେ ପଡୁନି ତ! ଦେଖିଲେ ଦେଖିଥିବି ନଦେଖିଲା ପରି । ହୁଏତ ମୋ ଘରକୁ ଆସୁଥିବା ବନ୍ଧୁମାନେ ସେ ଗଛଟାକୁ ଦେଖିଥାଇ ପାରନ୍ତି । କାରଣ ଆମ ଘରକୁ ଆସିବାକୁ ସେଇ ଗଛଟା ହିଁ ଥିଲା ଲ୍ୟାଣ୍ଡ୍ମାର୍କ ।
ଭିଏସ୍ଏସ୍ ନଗର ଓଭର୍ବ୍ରିଜ୍କୁ ଲାଗି ଅଛି ଇନ୍ଷ୍ଟିଚୁ୍ୟଟ୍ ଅଫ ହୋଟେଲ୍ ମ୍ୟାନେଜମେଣ୍ଟ । ତା’ ପାଖକୁ ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କ୍ । କାନ୍ଥକୁ ଲାଗି କାଳୁପଡା ସେକ ଓ ପ୍ରଭୁଜୀ ଇଂଲିସ୍ ମିଡିଅମ୍ ସ୍କୁଲ୍ । ସ୍କୁଲ୍ଗେଟ୍ ପାଖରେ ଦିଟା ପଥରର ସିଂହ, ଗୋଟାକର ଲାଞ୍ଜ ନାହିଁ । ସେଇ ରାସ୍ତା ଦେଇ ସିଧା ଆସି ଆସି ଆସି ରାସ୍ତା ଯୋଉଁଠି ସରିଛି ତା’ରି ଡାହାଣହାତି ବୁଲିଗଲେ ଦିଶିବ ସେଇ ବଉଳ ଗଛଟା । ତାରି ସାମ୍ନାରେ ଆମ ଘର ।
ଆମ ଘରକୁ ଲାଗି ମିଶ୍ରବାବୁଙ୍କ ଘର । ମିଶ୍ରବାବୁଙ୍କ ଘର ପାଖାପାଖି ଅଛି ଗୋଟେ ଲେଡିଜ୍ ହଷ୍ଟେଲ୍ । ଲେଡିଜ୍ ହଷ୍ଟେଲ୍ରେ ଥିବା ସବୁ ଝିଅଙ୍କର ଗୋଟେ ଗୋଟେ ଇତିହାସ ଥାଏ । ଆମେ ଜାଣୁନା । କିନ୍ତୁ ସେ ବଉଳ ଗଛଟା ଜାଣିଲା ପରି ଲାଗେ । ସେଇ ବଉଳଗଛ ମୂଳେ ରାତି ବାରଟାରେ ଗୋଟେ ଗୋଟେ କାର୍ ଅଟକେ । କିଛି ସମୟ ରହିଲା ପରେ ଦରଜା ଖୋଲେ । ତା’ ଭିତରୁ ଗୋଟେ ଝିଅ ବାହାରି ଚାରିଆଡକୁ ସନ୍ତର୍ପଣରେ ଚାହିଁ ସେଇ ହଷ୍ଟେଲ୍ ଆଡ଼କୁ ଚାଲିଯାଏ । ପବନରେ କିଛି ସିଗାରେଟ୍ ଧୂଆଁ ଓ ପରଫୁ୍ୟମ୍ର ମହକ ସଞ୍ଚରି ଯାଏ । ସୁଖ ସାଉଁଟି ଫେରିଥିବା ଜୀବନଟି ଭାବୁଥାଏ କି- ସମୟର ରାସ୍ତାରେ ଘୋରି ହୋଇ ହୋଇ ଯଦି ଦିନେ ଏ ଦେହ ସରିବ ତେବେ ଆଉଟିକେ ଘୋରି ହେଉ । ଆଉଟିକେ ସରୁ । ଜୁଇ ନିଅାଁ ଯଦି ଅନ୍ତିମ କଥା ତେବେ ଜଳିବା ପୂର୍ବରୁ ଜଳିବି କାହିଁକି? ଏକଥା ସେ ଝିଅଟା ଭାବେ କି?
ଦିନ ଦ୍ୱିପହରେ ଗୋଟେ ଦାଢିଆ ଟୋକା ଅପେକ୍ଷା କରେ କାହାକୁ ସେଇ ବଉଳଗଛ ମୂଳେ । କାହାକୁ? ବାଇକ୍ରେ ଷ୍ଟାଣ୍ଡ୍ ମାରି କାହାକୁ ମୋବାଇଲ୍ରେ କହେ- ଆମର ଏଠି ଖରା ହେଉଛି, ତମର? ସେପଟୁ କିଏ ହସେ କି ? ପଚାରେ କି କୋଉଠି ଅଛ? ଉତ୍ତରରେ ଟୋକାଟା କହେ- ବଉଳ ଫୁଲର ବାସ, ଚହଟଇ ଚଉପାଶ । ସେପଟୁ ସେ ହୁଏତ କହେ- ଜାଣିଛି, ନୂଆ ଫୁଲ ବୋଲି ଏତେ ଆଦର, ମଉଳି ଗଲେ କି ନାରଖାର!! ଏପଟୁ ଇଏ କହେ- ଆରେ, ଜାଣିନ କି! ବାସି ବଉଳର ବାସ ବେଶି । ଯେତେ ବାସି ସେତେ ବାସ ।
ଅଧେ କଥା ଶୁଣି ହୁଏ ଅଧେ ହୁଏନା । ତେବେ ମୋତେ ଲାଗେ ସେଇ ବଉଳ ଗଛଟା ବୋଧେ ସେଇ ଅକୁହା କଥାକୁ ଶୁଣିପାରେ । କାରଣ ଯେ କିଛି କହି ପାରେନା ସେ ବୋଧେ ସବୁ ଶୁଣିପାରେ ।
ଦିନେ ସେ ଗଛମୂଳେ ମୁଁ ଛିଡା ହୋଇଛି ଗଛରୁ ଦି ତିନିଟା ଫୁଲ ମୋ ଉପରେ ଖସି ପଡିଲା । କାହାପାଇଁ ଏ ଫୁଲ?
ଗଛ କହିଲା-
ନିଜର ଭାବିଲେ ନିଜର, ନହେଲେ ଏ ଫୁଲ ମାଟିର । ସେ ପରା ମା ।
କହିଲି- ଆହା, ଏଡେ ସୁନ୍ଦର ଫୁଲ ମାଟିରେ ଲୋଟିବ? ଗଛ କହିଲା- ପବନକୁ ମହକ ଦେଲି, ଆଲୁଅକୁ ରୂପ ଦେଲି, ମାଟିକୁ ଦେଲି ଫୁଲ? ମାଟି ପବନ ଆଲୁଅର ତ ଜୀବନ?
ଟିକେ ଲାଜ ଲାଗିଲା । ସବୁଠୁଁ ହଡପ୍ କରି ନିଜକୁ ସମୃଦ୍ଧ କରିବାରେ ତ ଆମ ମଣିଷଙ୍କ ଜୀବନ ବିତେ । କେବଳ ଗାରିମା ଓ ଅହଂକାର ଦେବା ଛଡା ଆମ ପାଖରେ ଆଉ ଅଛି କ’ଣ ଯେ? ତଥାପି ମାଗନ୍ତାଙ୍କ ଭଳି ପଚାରିଲି ସମସ୍ତଙ୍କୁ ସବୁ କଥା ଦେଲ, ମୋ ପାଇଁ କ’ଣ ଅଛି? ଗଛ କହିଲା- ବୁଦ୍ଦୁ, ଦେଖିପାରୁନୁ? ତତେ ପରା ଛାଇ ଦେଉଛି । ମନ ପୂରୁନି ଯଦି କିଛି ଦିନ ଅପେକ୍ଷା କର । ମୋ କୋଳି ପାଚିଲେ ଚଢେଇମାନେ ଆସିବେ ଖାଇବାକୁ । ସେମାନଙ୍କ ସହ ତୁ ବି ଦି’ଟା ଖାଇବୁ ।
ଚଢେଇ କଥାରୁ ମନେ ପଡିଲା ସେଇ ଗଛରେ ବସା ବାନ୍ଧିଥିଲେ ହଳେ ବଣି ଚଢେଇ । ଛେରାବଣି । ଗଛ ତଳୁ ଦେଖି ହୁଏନା କିନ୍ତୁ ଛାତଉପରୁ ସେମାନଙ୍କ ବସା ଦେଖାଯାଏ । ଛେରାବଣି ଦେଖିଲେ ବେବିନା ନାକ ଟେକେ । କହେ-ଛିଇ…
(ଏଇ ନାକ ଟେକିବା ଗୁଣଟି ବେବିନାର ବାଇ ଡିଫଲ୍ଟ । ମୁଁ କୋଉ ଜୋତା ପିନ୍ଧି ବାହାରକୁ ଗଲି, କୋଉ ଜୋତା ପିନ୍ଧି ଘରେ ପଶିଲି, ବାହାରକୁ ଖାଲି ପାଦରେ ଗଲି ନା ଜୋତା ପିନ୍ଧି, ଖଟ ଉପରକୁ ଉଠିଲା ବେଳେ ଗୋଡ଼ ଧୋଇଛି କି ନାହିଁ, ପକୁଡ଼ି ଖାଇଲା ପରେ ତେଲ ହାତ କୋଉଠି ପୋଛିଲି, ଖାଇଲା ବେଳେ ହାତ ଧୋଇଛି କି ନାହିଁ, କାନ୍ଥରେ କୋଉଠି ଅଳନ୍ଧୁ ହେଲା, ବହିଥାକରେ କେତେ ଧୂଳି ଜମିଲା ଇତ୍ୟାଦି ଇତ୍ୟାଦି ସବୁ କଥାକୁ ତୀକ୍ଷ୍ଣ ନଜର । ଆଉ ସେ ଇଚ୍ଛିବା କଥାର ବିପରୀତରେ ଥାଇ ମୁଁ ବେଶ୍ ଚଗଲା ଧୂରନ୍ଧର । କିନ୍ତୁ ଏଇ ଛାର ବଣିଙ୍କୁ ନାକ ଟେକିବାର କଣ ଅଛି ଯେ? ସେମାନେ ତ ବହୁବହୁ ଆମ ଭଳି । ଜୀବନ ବିତିବ ଘୁଅ ପଡିଆରେ, ବସା ବାନ୍ଧିବେ ବଉଳ ଗଛରେ । ହାଃ ହାଃ । ବାହାରେ ଯାବତୀୟ ଧନ୍ଧା କରି ବି ପନôୀର ବାହୁପାଶରେ, ମସ୍କୁ୍ୟଟୋ ନେଟ୍ର ସୁରକ୍ଷାରେ, କାଖ ତଳେ ଡିଓ ମାରି ସଦା ପୁଲକିତ ଏ ନଶ୍ୱର ଜୀବନ ।)
ଗଛ ମୂଳେ ଛିଡା ହୋଇଥିଲା ପିଲାଟିଏ । ବୟସ ଅତି ବେଶିରେ କୋଡିଏ କି ବାଇଶ । ସ୍କୁଟି ଉପରେ ବସିଥାଏ । କାହାକୁ ଫୋନ୍ କରି ଚୁପିଚୁପି ହସୁଥେ । ସ୍କୁଟି ଆଇନାରେ ମୁହଁ ଦେଖୁଥେ । ପକେଟରୁ ପାନିଆଁ କାଢ଼ି ମୁଣ୍ଡ କୁଣ୍ଡଉଥେ । ଯାହାପାଇଁ ଅପେକ୍ଷା କରିଥାଏ ଓ ଯେ ତଥାପି ଆସିବାକୁ ସମୟ ନେଉଥାଏ, ସେଇ ଅବଧିରେ ସେ ବଣି ହଗିଦେଲା କି ପିଲାଟାର ମୁଣ୍ଡ ଉପରେ! ମୁଣ୍ଡରୁ ରସ ବୋହି ଚଷମା ଓ ଅଙ୍ଗି ଓଦା । ବିରକ୍ତିରେ ପିଲାଟା ଉପରକୁ ଚାହିଁଲା । ଇଃ,ଇଃ ହେଲା । ରୁମାଲ୍ ବାହାର କରି ପୋଛିବାକୁ ଚେଷ୍ଟା କରି ବିଫଳ, ଅନନ୍ୟୋପାୟ, ହୋଇ ସ୍କୁଟି ସ୍ଟାର୍ଟ କରି ଫୁର୍ ।
ବଉଳଗଛ ତଳେ ସେ ନଥିବା ପିଲାଟିର ଖାଲିପଣକୁ ଧରି ଥିଲା କିଛି ଛାଇଛାଇକା ଖରା । ଝିଅଟା ଆସିଲା । ତାହା କଣ ସେମାନଙ୍କ ପ୍ରଥମ ଦେଖା ଥିଲା କି? ବେଶ୍ ସଜବାଜ ହୋଇ ଆସିଛି । କୁହୁଡି ରଙ୍ଗର ଝିଅ । ଚଉଡା ଓଠରେ ମେଞ୍ଚେ ଲାଲ୍ ଲିପ୍ଷ୍ଟିକ୍ ବୋଳିଛି । ଦେହରେ କମ୍ କପଡାର ପୋଷାକ । ସାନଝିଅ, ଭାରୀ ଦେହ ।
ଯେତେବେଳେ ପିଲାଟା ଥିଲା, ସେତେବେଳେ ଝିଅଟା ନଥିଲା । ଏବେ ଝିଅଟା ଅଛି, ପିଲାଟା ନାହିଁ । ଏଣେ ତେଣେ ଚାହିଁଲା । ମୋବାଇଲ୍ ଲଗାଇଲା । ସୁଇଚ୍ ଅଫ । ଗୋଡ଼ କଚାଡିଲା । ଅସ୍ପଷ୍ଟ ଭାବେ କହିଲା- ‘ଚିଟର୍!’୍ ଓ ଫେରିଗଲା । ସେ ଝିଅଟା (ସାନ ଝିଅ ଭାରି ଦେହ) ଯାଇଛି କି ନାହିଁ ପିଲାଟା ସ୍କୁଟି ଘୂର୍ ଘୂର୍ କରି ଆସି ପହଁଚି ଗଲା । ସାର୍ଟ, ହେୟାର ଷ୍ଟାଇଲ୍ ସବୁ ବଦଳି ଯାଇଛି । ଗଛମୂଳେ କାହାକୁ ନଦେଖି ବ୍ୟସ୍ତ ହେଲା । ମୋବାଇଲ୍ ଲଗେଇଲା- ସୁଇଚ୍ ଅଫ୍ । ମନେ ମନେ କହିଲା- ଉଁ, ତମର ଯଦି ଧୈ÷ର୍ଯ୍ୟ ନାହିଁ ଆମେ କିଆଁ ତମ ପଛରେ ବେକାର ସମୟ ସାରିବୁ? ହୁ କେୟାର୍ସ? ଦି’ଟା ବଉଳ ପତ୍ର ଛିଣ୍ଡାଇଲା ଓ ଅଭିମାନରେ ଚାଲିଗଲା ।
– ‘ସବୁ ତୋ’ରି ପାଇଁ..’ (ଛେରାବଣିକୁ ସେ ଗଛ କହିଲା କି?) ବଣି କିରିକିରି ହୋଇ ହସିଲା । କହିଲା- କାଇଁ ବ୍ୟସ୍ତ ହେଉଛୁ, ମଣିଷମାନେ ପ୍ରେମ କରି ପାରନ୍ତିନି ମ… ସବୁ ପୁଅ ଗୋଟେ ଗୋଟେ ପଞ୍ଜୁରି କାରିଗର ଓ ସବୁ ଝିଅ ମହାକାଶକୁ ଛୁଇଁବା ସ୍ୱପ୍ନରେ ଗୋଟେ ଗୋଟେ ଡେଣାକଟା ଚଢେଇ । ପ୍ରେମ ହେବ? କହ, ହବ?
ସେଇ ଗଛ…
ସେଇ ଗଛକୁ ଘେରି ବହୁ ବର୍ଣ୍ଣମୟ ଘଟଣାର ସମ୍ଭାର । ଘଟଣା ଦିଶେ, ବଉଳଗଛଟା କିନ୍ତୁ ଦିଶେନା । ମୁଁ ତା’ ପାଖରେ ଅନେକ ଥର ଛିଡା ହୋଇଛି । ପ୍ରଚଣ୍ଡ ଖରାରେ ତା ଛାଇରେ ବାଲେନୋ ଗାଡି ରଖିଛି । ବର୍ଷା ଅନ୍ଧାର ରାତିରେ ତାରି ମୂଳେ ମୂତିଛି । ଆମାଜନ୍ ସେଲ୍ସ ଏଜେଣ୍ଟ ସେଠି ଛିଡା ହୁଏ । ତାକୁ ମନା କରିଛି ଗେଟ୍ ଖଟ୍ଖଟ୍ କରିବାକୁ । କାରଣ ଗେଟ୍ ଖଟଖଟ୍ କଲେ ବେବିନା ଜାଣିବ । କହିବ- ୟେ କ’ଣ!! ଚାରି ହଳ ଜୋତା ଥାଉଥାଉ ଆଉ ହଳେ ମଗେଇବା କ’ଣ ନିହାତି ଜରୁରୀ ଥିଲା? ସେ ବାଧ୍ୟତାମୂଳକ ଯୋଗୀ ଆଉ ମୁଁ ହେଉଛି ବେଲଗାମ୍ ଭୋଗୀ । ବୁଝାମଣାରେ ଅମେଳ ରହିବ ।
ସେଇ ଗଛ ମୂଳେ ଭିକାରି ଠିଆହୁଏ । ପରିବାବାଲା ଛିଡାହୁଏ । ପ୍ୟାରୀ ମହାପାତ୍ର ବି ଦିନେ ଛିଡା ହୋଇଥିଲେ । । ସେମାନେ ସବୁ କ’ଣ ଗଛଟାକୁ ଦେଖି ପାରୁଥିବେ? ମୋତେ ଲାଗେନି ଯେ କେହି କେବେ ଦେଖିପାରୁଥିବ । ମଣିଷ କେବେ ବି କିଛି ଦେଖି ପାରେନା । ଏମାନୁଏଲ୍ କୁଏ କହୁଥିଲେ ଯେ ମଣିଷ କେବେ ବି ଦୋଷଦୃଷ୍ଟିରହିତ ହୋଇ ପାରେନା । ତା’ର ସବୁ କିଛି ଦେଖିବା ଭିତରେ ତା’ର ଭାବନା ସାମିଲ ହୋଇ ଦେଖିବାପଣକୁ ନିଜ ମୁତାବକ୍ ତିଆରି କରେ । କୁଏର କଥା ସତ କି?
– ଆଚ୍ଛା, କୁଏ!
– ୟେସ୍!
– କଥାଟା ହଜମ ହେଉନି ମ!
– ତ, ଆଣ୍ଟାସିଡ ଖାଅ!
– ସାର୍, ବୁଝି ହେଲାନି ଏଇ ଦୋଷଦୃଷ୍ଟିଟା କ’ଣ?
– ଭଗବତ ଗୀତାର ନବମ ଅଧ୍ୟାୟର ପ୍ରଥମ ଶ୍ଳୋକଟି ପଢିଛ?
– ପଢିଛି ସାର୍ ।
– କେଲାଟା ପଢିଛ । କହିଲ ଦେଖି?
– ଠିକ୍ଭାବେ ମନେ ପଡୁନି, ତେବେ କଥାଟା ଅଳ୍ପେବହୁତେ ଏମିତି- ହେ ପରନ୍ତପ! ମାନେ ଜନାର୍ଦ୍ଦନ ପାର୍ଥକୁ କହୁଛନ୍ତି । ତୁମେ ଏବେ ଦୋଷଦୃଷ୍ଟିରହିତ । ତେଣୁ ମୁଁ ତୁମକୁ ରାଜବିଦ୍ୟା ରାଜଗୁହ୍ୟର ଗୂଢତମ କଥା କହୁଛି…
– ସେଇ ସେଇ ସେଇ! ସେଇ ହେଉଛି ଦୋଷଦୃଷ୍ଟିରହିତ ।
– ସେଇ କଥାଟା ତ ସିଏ କହିଲେ କୁ ତମେ କହିଲ! ବୁଝି ହେଲେ ତ?
– ବୁଝିବାରେ ଆଉ କ’ଣ ଅଛି, ୟେ ଦୋଷଦୃଷ୍ଟିରେ ସମସ୍ତେ ଆକ୍ରାନ୍ତ ହେ । ମଣିଷଙ୍କ ସବୁ ଦୃଷ୍ଟି ବିଭ୍ରମକାରୀ! ମୂର୍ଚ୍ଛିତଦୃଷ୍ଟି ହିଁ ଦୋଷଦୃଷ୍ଟି ।
– ବିଭ୍ରମକାରୀ? ମୂର୍ଚ୍ଛିତ ଦୃଷ୍ଟି? କେମିତି ମ? ଏଇ ଦେଖନ୍ତୁ ନା… ମୁଁ ଜଣେ ଶିଳ୍ପୀ । ଯେତେଥର ଗଛକୁ ଦେଖିଛି ସେତେଥର ତାର ସବୁଜ ରଙ୍ଗ ମୋତେ ବିମୋହିତ କରିଛି । ଅରଣ୍ୟ ଗଲେ ମୋତେ ଗୋଟେ ଅବାରିତ ହରିତଅର୍ଣ୍ଣବରେ ବୁଡିଗଲା ପରି ଲାଗେ । ମୁଁ ତନ୍ମୟ ହୁଏ । ସେଇ ତନ୍ମୟତା କଣ ବିଭ୍ରମ?
– ହଁ,
– କେମିତି?
– ଜଣେ ଶିଳ୍ପୀ ଭାବେ ଗଛଟେ ଦେଖିଲେ ତୁମକୁ ତା ହରିତ ରଙ୍ଗ ଦିଶେ । କିନ୍ତୁ ଗଛ ଦିଶେ କି? ତୁମେ ଯଦି ଜଣେ ଭିକାରି ହୋଇଥାନ୍ତ ତେବେ ତୁମକୁ ତା’ ପାଚିଲା ଫଳ ଦିଶିଥାନ୍ତା । କ୍ଳାନ୍ତ ପଥଚାରୀକୁ ତା’ ଛାଇ ଦିଶିଥାନ୍ତା । ଗରିବ କାଠୁରିଆକୁ ତା କାଠ ଦିଶିଥାନ୍ତା । ରଙ୍କିକୁ ଜାଳ ଦିଶିଥାନ୍ତା । କବିରାଜକୁ ତା’ ଚେର ଦିଶିଥାନ୍ତା । ସବୁ ପୂରା ଗଛର ଗୋଟିଏ ଗୋଟିଏ ଅଂଶ । ଆଉ ଅଂଶକୁ ଦେଖିଲେ ପୂରା ଗଛ ବାଦ୍ ପଡିଯାଏ ବ୍ରଦର୍ । କଥାଟା ହେଉଛି ଏମିତି- ଯେମିତି ବହିରୁ ଫାଳେ, କବିତାରୁ ଧାଡିଏ ପଢି ସମଗ୍ର ସୃଜନକୁ କିଛିଲୋକ ବିଚାର କରନ୍ତି । ସେଇ ହେଉଛି ଦୋଷଦୃଷ୍ଟି । ଫାଳେ ଚଉଠେ ଦେଖି ପୂରା ବୁଝିଦେଇଥିବାର ଭ୍ରମ । ଗୋଟେ ଗଛର ଅସ୍ତିତ୍ୱକୁ ସାମଗ୍ରିକ ଭାବେ ନଦେଖି ପାରିବା ହେଉଛି ଦୋଷଦୃଷ୍ଟି ।
– ହି ହି, ବୁଝିଲି ବୁଝିଲି ।
– କେଲାଟା ବୁଝିଲ । ଖାଲି ଗଛ ନୁହେଁ ଆମର ସବୁ ସମ୍ପର୍କ, ପ୍ରେମ, ସଂସାର ଈଶ୍ୱର, ସବୁ କିଛିକୁ ଆମେ ଏଇ ଅଧା ହିଁ ଦେଖି ପୂରା ବୋଲି ଭାବି ଦେଉ ।
– ଆରେରେରେ….
– ଆରେରେରେ କ’ଣ? ମୋ କଥା କୋଉ ପୂରା ଶୁଣିଲଣି ଯେ ଆରେରେରେ! ଏଇ ଦୋଷଦୃଷ୍ଟିର ଆଉ ଗୋଟେ ବି ଅର୍ଥ ଅଛି ।
– କହନ୍ତୁ କୁହନ୍ତୁ ସାର୍ । ପ୍ଲିଜ୍ ।
– ନିଜ ଧାରଣାରେ ଜଗତକୁ ଦେଖିବା ।
– ଧାରଣା ମାନେ?
– ଲୋଃ
– ଧାରଣା କଥାଟା ଧରି ହେଉନି ସାର୍ ।
– ରେଳ ଧାରଣା ଦେଖିଚ?
– ଦେଖିଛି ।
– ସେଇ ।
– କି କଥା ମ!
– ଉଁ, କି କଥା ମ? ଆଚ୍ଛା, ରେଳକୁ ଡାକିଲେ ସେ ତୁମକୁ ବସ୍ଷ୍ଟାଣ୍ଡ ଖଟିରୁ ଘରକୁ ପିକ୍ଅପ୍ କରି ନବାକୁ ଆସିବ?
– କି କଥା, ବସଷ୍ଟାଣ୍ଡ୍କୁ କ’ଣ ରେଲ୍ୱେ ଲାଇନ୍ ଯାଇଛି? ରେଳ ପାଇଁ ପରା ବନ୍ଧା ରାସ୍ତା ।
– ଏବେ ହେଜ । ସବୁ ଲୋକଙ୍କ ଭାବନାର ରେଳ ବି ସେମିତି ଆପଣା ଆପଣା ବନ୍ଧା ରାସ୍ତାରେ ଚାଲେ । ଯାହାକୁ ଧାରଣା ବୋଲି କହୁଛ ସେ ହଉଛି କଠିନ ଲୁହାର ଅଟଳ ପଥ । ଫରକ ହେଲା ଯେ କା’ ଧାରଣା ଆଉ କା’ ଧାରଣା ସହ କ୍ୱଚିତ୍ ମେଳଖାଏ । ତମର ପ୍ରକାରେ କୁ ତାଙ୍କର ପ୍ରକାରେ । ସବୁ ଭାବନାର ରେଳ ପାଇଁ ଅଲଗା ଅଲଗା ଧାରଣା । ଖାସ୍ ଏଇ ଭିନ୍ନ ଧାରଣା ଲାଗି ଗୋଟେ କଥାକୁ ତୁମେ ଯେମିତି ବୁଝିବ ଆଉଜଣେ ତା’ ଓଲଟା ବାଗିଆ ବି ବୁଝିପାରେ । ଆଉ ସେଇ ଧାରଣାର ଆଖିରେ ଜଗତକୁ ଦେଖିବା ହିଁ ଦୋଷଦୃଷ୍ଟି । ବୁଝିହେଲା?
ସତକଥା ।
ଦୃଷ୍ଟି କାହିଁ ଯେ ଗଛକୁ ଦେଖିବି? ସବୁ ଦୃଷ୍ଟିତ ଫେରାର୍ ନିଜ ଭିତରୁ ସ୍ୱପ୍ନଲୋକକୁ । ସ୍ୱପର ବନାନୀରେ ଗାୟାଳ ପିଲା ପରି ନିଖୋଜ ଆଖିମାନେ ଘରକୁ ଫେରିଲା ବେଳକୁ ତ ସଞ୍ଜଅନ୍ଧାର । କେମିତି ଦେଖିବି? କିଏ ବା କେମିତି ଦେଖିବ? କିଛି ବାଟ ଅଛି?
ହକାରିଲି- କୁଏ ସାର୍! ପଳେଇଲେଣି କି?
ସେ ଯାଉ ଯାଉ ପଛକୁ ଫେରି ଚାହିଁଲେ ।
-ସାର୍ ଗୋଟେ କଥା ଖାଲି କହିଯା’ନ୍ତୁ ଯେ ଏଇ ଗୋଟାପଣେ ଗୋଟେ ଗଛକୁ ଗଛଭଳି କଣ ଦେଖିହେବନି?
ସେ ହସିଲେ । କହିଲେ- ଗୋଟେ ଗଛକୁ କେବଳ ଗଛଟିଏ ହୋଇ ହିଁ ଦେଖିହେବ । କିନ୍ତୁ କେମିତି ହେବ ସେକଥା ଜାଣିନି ।
– ଗଛକୁ ଗଛ ଭଳି?
କୁଏ ଚାଲିଗଲେଣି । ଗଛକୁ ଗଛ ଭଳି ଦେଖିବାର କଳା ସତରେ କଣ? ମଣିଷଟା ପୁଣି କେମିତି ଗଛ ହେବ? ମନେହେଲା-ଏଇ କଥାଟା ଆଗରୁ କେହି କେବେ କହିଥିଲା । କିଏ କହିଥିଲା? ମୁଣ୍ଡକୁ ଠଣା ମାରିମାରି ଭାବୁଭାବୁ ମନେ ପଡିଗଲା ବାଲୁପଣ୍ଡା କଥା ।
ଙ୍ଘ ଙ୍ଘ ଙ୍ଘ
ବାଲୁ ପଣ୍ଡା ଯାଜପୁରରେ ରହେ ଓ ଗୋଟେ ଏନଜିଓ ଚଲାଏ । ଚାକିରି ନଥିଲା ବେଳେ ମୁଁ ସେଇ ଏନ୍ଜିଓରେ ଦିନାକେତେ କାମ କରୁଥିଲି । ବଡ ବିଚିତ୍ର ଲୋକ ବାଲୁ ପଣ୍ଡା । ମୁଁ ତାକୁ ନେଇ ଗୋଟେ ଗପ ବି ଲେଖିଛି ।
ସେଇ ବାଲୁ ପଣ୍ଡା ସାଥିରେ ମୁଁ ଥରେ ଯାଇଥିଲି ମହାକାଳପଡା । ନଈକୂଳିଆ ଗାଁର ଜୀବନ କଥା ନେଇ ଗୋଟେ ରିସର୍ଚ୍ଚ କାମ ଚାଲିଥେ । ସରକାରୀ ଅନୁଦାନ ପାଇ ବାଲୁ ପଣ୍ଡା ମୋତେ କାମରେ ଲଗାଇଥାଏ । ସାହାଯ୍ୟ କରିବାକୁ କଲିକତାରୁ ମଧ୍ୟ ଜଣେ ଲେଡି ରିସର୍ଚ୍ଚ ସ୍କଲାର୍ ଆସିଥାନ୍ତି । ଆମେ ସମସ୍ତେ ମିଶି ବାଲୁପଣ୍ଡାର ଗୋଟେ ଧଡିଆ ଜିପ୍ରେ ବସି ମହାକାଳପଡା ଗଲୁ । ବାଲୁପଣ୍ଡା ଭାରି ଗମ୍ଭୀର ଲୋକ । ସଦାବେଳେ ଧାନଉଷାଁ ହାଣ୍ଡି ପରି ମୁହଁ କରି ବସିଥିବ । କିନ୍ତୁ ମଝିରେମଝିରେ କ’ଣ କ’ଣ ମନ ହେବ ଫେଁ କିନା ହସି ଦେବ ଓ ପୁଣି ଗମ୍ଭୀର ହୋଇଯିବ । ଜିପ୍ରେ ଗଲାବେଳେ ବି ସେମିତି ହସିଲା । ଆମ ସାଥିରେ ଯାଉଥିବା ମ୍ୟାମ୍ ଜଣକ ଚମକି ପଡି କହିଲେ-ହ୍ୱାଟ୍ ହ୍ୟାପନ୍ଡ ମିଃ ପାଣ୍ଡା? ସେତେବେଳକୁ ପାଣ୍ଡା ଗମ୍ଭୀର ହୋଇ ସାରିଲାଣି ।
ପ୍ରଚଣ୍ଡ ଖରା । ମହାକାଳପଡାରେ ଆମେ ଏମିତି ଗୋଟେ ଇଲାକାରେ ଆସି ପହଞ୍ଚିଲୁ ଯେଉଁଠି ରାସ୍ତା ଧାରରେ ଥିଲା ଗୋଟେ ସୁନ୍ଦର ନଈ । ନଈପାଖ ଚଉଡା ରାସ୍ତାକୁ ଘେରି ଥିଲେ ଛୋଟବଡ ଅନେକ ଗଛ । ଗୋଟେ ବିଶାଳ ବରଗଛ ମୂଳେ କିଏ କରିଛି ଗୋଟେ ସୁୁନ୍ଦର ସିମେଣ୍ଟର ଚାନ୍ଦିନୀ । ବାଲୁପଣ୍ଡା ଧାଇଁଯାଇ ରୁମାଲ୍ରେ ଚାନ୍ଦିନୀକୁ ବାଡେଇ ଡାକଦେଲା- ଆସ ହେ ଆସ । ବସ ବସ ।
ପ୍ରଚଣ୍ଡ ଖରା ସତ୍ତ୍ୱେ ବି ପବନ ବହୁଥିଲା । ଆମେ ସମସ୍ତେ ବସିଲୁ? ବାଲୁପଣ୍ଡା ଓଦାଗାମୁଛା ଗୁଡା ହୋଇଥିବା ମାଟି ବୋତଲରୁ ପାଣି ପିଇଲା । ଆମେ ପାଣି ମାଗିବାରୁ ବ୍ୟାଗ୍ରୁ କାଢି ଗୋଟେ ପ୍ଲାଷ୍ଟିକ୍ ବୋତଲ ଧରେଇ ଦେଲା ।
ବିରାଟ ଗଛ, ବିରାଟ ଚାନ୍ଦିନୀ । ନଜର ପଡିଲା ଚାନ୍ଦିନୀର ଗୋଟେ କଣକୁ ଗୋଟେ ବୁଢାଲୋକ ଆମକୁ ଜୁଳୁଜୁଳୁ ଚାହିଁଛି । ମଇଳା ଗାମୁଛା, ମୁହଁରେ ଖୁଣ୍ଟାଖୁଣ୍ଟା ଦାଢି । ବାଲୁପଣ୍ଡା ଆଡକୁ ଚାହିଁ ଆଖି ମିଟିମିଟି କରି କହିଲା କେମିତି ଲାଗୁଛି ?
– ଓହୋ ସ୍ୱର୍ଗ ସୁଖ ହେ
– କିଏ ଚାନ୍ଦିନୀଟିଏ କରିଛି ବୋଲି ସିନା ଏଠି ବସି ପବନ ଖାଉଛନ୍ତି । ନହେଲେ ଖରା ତରାରେ ବୁଲି କୋଉ ଗଛମୂଳେ ମାଟିରେ ଗଡୁଥାନ୍ତ କି ନାହିଁ?
– ସତ କହିଲ ହେ ମଉସା ।
– ତମ ଗାଁରେ କଣ ଗଛ ନାଇଁ?
– ଏ, ପ୍ରବଳ ଗଛ । ୟାହୁଁ ୟାହୁଁ,
– ତମେ ନିଜେ କେତୋଟି ଗଛରେ ଚାନ୍ଦିନୀ କରିଛ?
ବାଲୁପଣ୍ଡା ଫେଁ କିନା ହସି ଦେଲା ଓ ନାସ୍ତିମୁଦ୍ରାରେ ହାତକୁ ହଲେଇ ହଲେଇ ହଳଦିଆ ଦାନ୍ତ ଦେଖେଇ କହିଲା – କରିବା କଥା କୁହନି । ୟେ, ତମେ ସିନା ମଉସା ଖାାଇଲ ପିଇଲ, ଚାନ୍ଦିନୀ ଉପରେ ବସି ଅଇସ କଲ । ମୁଁ ପ୍ରା ଗୋଟେ ଏନଜିଓ ପାଳୁଛି । କାମ କରେଇ କରେଇ ତ ଚୁଟି ଝୋଟ, ବଅସ ମୋଟ, ଥନ୍ତଲ ପେଟ, କରିବି କେତେବେଳେ? ହଜାରେ କାମକୁ ହଜାରେ ଲୋକ । କି କାମ କରିବି? ଗୁରୁ ପରା କହିଛି କାମ କଲେ ନର୍କ, କାମ କରେଇ ପାରିଲେ ସ୍ୱର୍ଗ । ମୁଁ କାମ କରାଏ, କରେନି । ‘ଡୁ’ ମାନେ ପରା ‘ଢୁ’ ।
– ବିଦ୍ୟା କେତେ?
– ହେଃ ହେଃ ଡବଲ ଏମେ ।
– ପିଲା ଝିଲା?
– ଦି ପୁଅ, ଏବେ ଫରେନ୍ରେ (ବାଲୁପଣ୍ଡା ଭ୍ରୁଲତା ଟିଉଁ ଟିଉଁ କଲା)
– ବିଦ୍ୟା ଅର୍ଜିବା, ଛୁଆଙ୍କୁ ଜନ୍ମ ଦେବା, ତାଙ୍କୁ ମଣିଷ କରିବା, ମାଇପକୁ ଆଦର କରିବା,ନିଜେ ଦି ଓଳି ଖାଇବା, ୟେ ସବୁକୁ ନିଜେ କର ନା ଲୋକ ଲଗେଇ କରାଅ?
ବାଲୁପଣ୍ଡା ବୁଢାକୁ କୁମ୍ଭାଟୁଆ ଭଳି ଚାହିଁଲା ।
ବୁଢା କହିଲା । ନିଜେ ଧନ କମେଇବ, ନିଜେ ବିଦ୍ୟା ଅର୍ଜିବ, ନିଜେ ପେଟକୁ ଖାଇବ । ନିଜେ ସ୍ତ୍ରୀ ସୁଖ କରିବ । ସବୁ ନିଜେ କରିବ କିନ୍ତୁ ଚାନ୍ଦିନୀଟେ କରିବାକୁ ବେଳ ନାହିଁ? ଏନଜିଓ କରିଛ, ଜାଣିନ ଚାନ୍ଦିନୀ ଥିବା ଗଛ ସହଜେ ଉପୁଡେନି ବୋଲି? ବୃକ୍ଷମାତାଠଉଁ ଖାଲି ସୁଖ ନବ, ସୁଖ ଦବନି? ନିଜକୁ ଗଛ ଭାବିଲେ ସିନା ଗଛର ଆତ୍ମାକୁ ଛୁଇଁବ ।
– ହେ, ହେ, ଗଛ ଭାବିବି? ମଣିଷ କ’ଣ ଗଛ?
– ଓଲଟ ଗଛ । ଜାଣିନ?
– କହନି, କହନି?
ଲୋକଟା ବାଲୁପଣ୍ଡା ସାମ୍ନାକୁ ଆସି ହସିଲା ଓ ଗାମୁଛା କାନ୍ଧରେ ପକେଇ ଯିବାକୁ ବାହାରିଲା । ଯାଉ ଯାଉ ଅଣ୍ଟା ହଲେଇ ସ୍ୱର କରି-
“ହେକ୍, ଓଲଟ ବୃକ୍ଷେ ଖେଳୁଚି, ଲୋଟଣୀ ପା’ ରାଆଆଆ..,
ଅଠାକାଠି, ପଞ୍ଜୁରିରେ, ନଦିଏ.. ନଦିଏ , ଧ’ ରାଆଆ…”
ଗୀତ ରୋଧି କହିଲା- “କଥା ଧରିବନି । ପୁଅ ବୟସର ପା ।”
ଗାମୁଛା ବାଡେଇ ହୁଲୁ ହୁଲୁ ଚାଲିଗଲା । ଖଣ୍ଡେ ବାଟ ଯାଇଛି କି ନାହିଁ ପଛରୁ ବାଲୁ ପଣ୍ଡା ଥଟ୍ଟାଳିଆ ସ୍ୱରରେ ହକାରିଲା-
-“ହୋ ହୋ ହୋ, ମଉସା, ତମ ଚାନ୍ଦିନୀଟା କୋଉଠି ଟିକେ ଦେଖେଇଲନି ତ?”
– “ଯୋଉଠି ବସି ପବନ ଖାଉଛ ।” ବୁଢା ପଛକୁ ବୁଲି କହିଲା ।
ବାଲୁପଣ୍ଡା ଦାନ୍ତ କଡମଡ କଲା । ଚାପା ଗଳାରେ କହିଲା-
“ ୟେ, ୟେଇଟା ବଦ୍ଧ ପାଗଳ ।”
ଙ୍ଘ ଙ୍ଘ ଙ୍ଘ
ସେଇ ବଦ୍ଧ ପାଗଳର କଥା ମନେଅଛି ।
ବେବିନା ଓ ମୁଁ ବହୁ ସମୟରେ ଭାବିଛୁ ସେଇ ସାମ୍ନା ବଉଳ ଗଛରେ ଗୋଟେ ଚାନ୍ଦିନୀ କରିବା ପାଇଁ । ବଉଳଗଛ କଥା ବେଶି ଭାବିନୁ, ଚାନ୍ଦିନୀ କଥା ହିଁ ଭାବିଛୁ । ଚାନ୍ଦିନୀ ହେଲେ ସେଥିରେ ବସି କେମିତି ଜହ୍ନକୁ ଚାହିଁ କେମିତିି ପୁରୁଣା ଦିନର କଥା ସବୁ ମନେ ପକେଇବୁ ସେକଥା ଭାବିଛୁ । କିନ୍ତୁ ଚାନ୍ଦିନୀ କଥା ଭୁଲି ଯାଇଛୁ । ଚାନ୍ଦିନୀଟିଏ ଥିଲେ କଣ ସତରେ ଗଛଟା ଉପୁଡି ଯାଇଥାନ୍ତା?
ଆମେ ଆମ କାଚ ଝର୍କାବାଟେ ଦେଖୁଥିଲୁ ସେ ଗଛଟା ଯେତେବେଳେ ଝଡରେ ଦୋହଲୁଥିଲା । ଆମେ ଥିଲୁ ସୁରକ୍ଷା ବଳୟ ଭିତରେ । ଇଟାକାନ୍ଥର ଚୌହଦିରେ । ବିପଦ ପଡିଲେ ମଣିଷ ଭାରି ସ୍ୱାର୍ଥପର ହୋଇଯାଏ ।
ଫନି ଆସିବ ବୋଲି ତ ଖବର ଦେଇଥିଲା । ଟିଭିରେ ରେଡିଓରେ । କଥା ମୁତାବକ ଆସିଲା ବି । ତଥାପି ତାକୁ ଅଣଦେଖା କଲୁ । ନିଜକଥା ଭାବୁଭାବୁ ଭାବନାରେ ବା କୋଉ ଥିଲା ସେ ଗଛଟା?
ସେଇ ଗଛଟା!
କାଲି ଥିଲା, ଆଜି ନାହିଁ । ଥିଲା ବେଳେ ଦିଶୁ ନଥିଲା ନଥିଲାବେଳେ ବେଶି ଦିଶୁଛି । ଭାବନାରେ ବେଳେବେଳେ ଆସି ମୁରୁକି ହସି କହୁଛି- କାହିଁକି ଏତେ ଡ୍ରାମା କରୁଛୁ? ଥିଲାବେଳେ କୋଉ ମନେ ପକାଉଥିଲୁ ଯେ ନଥିଲା ବେଳେ ଝୁରୁଛୁ?
ମୁଁ ଉଦାସ ହୋଇ କହିଲି- ଦୁଃଖ ତ ଲାଗୁଛି, କରିବି କ’ଣ?
ସେ କହିଲା- ସଦ୍ୟ ଉପୁଡିଥିବା ଦାନ୍ତ ପାଖରେ ନସର ପସର ହେଉଥିବା ଜିଭ କଥା ଟିକେ ଭାବିବୁ । ତୋ ଦୁଃଖଟା ସେମିତି ନୁହଁ ତ? ଦେଖିବୁ ଦିନାକେତେ ପରେ ସେ ଜିଭ ଦାନ୍ତର ନଥିବାପଣ ପାଖରେ ଆରେଇ ଯିବ.. । ଲାଗିବନି ଯେ ଏଠି ଗୋଟେ ଦାନ୍ତଟେ ଥିଲା ବୋଲି । ଖାଲିପଣ ହିଁ ସତ ମ, ଥିବାପଣ ସବୁ ଭର୍ଚୁଆଲ୍ ରିଏଲିଟି । ‘ମୋର’ ବୋଲି କହୁଥିବା ସବୁ ଭ୍ରମ ଦିନେ ଭାଙ୍ଗେ । ନୂଆ ବିଚ୍ଛେଦ ଠିକ୍ ନୂଆ କ୍ଷତ ଭଳି, ପ୍ରଥମେ ପ୍ରଥମେ ଟିକେ ରକ୍ତ କି ଲୁହ ଝରେ, ପରେ ପରେ ସବୁ ଶୁଖିଶାଖି ଯାଏ । ଚିହ୍ନ ରହେ, ଦରଜ ଯାଏ….
(୨)
ସତରେ ସେମିତି? ତୁଳସୀ ପଚାରିଲା ।
ରନôାକର ଅନ୍ୟମନସ୍କ ଭାବେ ପଚାରିଲା- କୋଉ କଥା ଯେ?
ତୁଳସୀ କହିଲା- ଏଇ ଯେଉଁ ଚିହ୍ନ ରହେ ଦରଜ ଯାଏ କଥାଟା?
ରନôାକର କିଛି କହିଲାନି । ନିଜ ଛାତି ଉପରେ ଥରେ ହାତ ବୁଲାଇ ଆଣିଲା । ଦରଜ ଲାଗୁଛି ତ! କେତେଦିନ ଯାଏଁ ରହିବ ଏ ଦରଜ? “ସମୟ ସବୁ ଦରଜର ଉପଶମ” କଥାଟି ସତ କି?
ଆରସାଇ ଘନକେଉଟ ଥରେ ସାବିତ୍ରୀ ପୂର୍ବଦିନ ତାଳ ଗଛରେ ଚଢିଥିଲା । ଗୋଡରେ ଗୋଟେ ଦଉଡି ଛନ୍ଦିଛନ୍ଦି ଗଛ ଉପରକୁ ଉଠିବାକୁ ହୁଏ । ଓହ୍ଲେଇଲା ବେଳକୁ ଛନ୍ଦଣି ଛିଡିଗଲା । ଚିତ ହୋଇ ତଳେ ପଡିଲା । ନିଃଶ୍ୱାସ ସହଜ ହେବାକୁ ଲାଗିଲା ଦେଢଦିନି । ବିଛଣାରେ ପଡିଲା ଦେଢମାସେ । ରାତି ଅଧରେ ଗୋଟେ ଚାପା କୁନ୍ଥାଣର ଶବ୍ଦ ରାତିର ଛାତି ଚିରେ ।
ଏ ପୀଡାଟା କ’ଣ ସେମିତି କି? ରନôାକର ମନେମନେ ଭାବିଲା ।
ଘନର ବଡପୁଅ ଥାଏ କଲିକତା ଚଟକଳରେ । ଭଡାଗାଡିରେ ଲଦି ବାପାକୁ ନେଇଗଲା । ବର୍ଷେ ପର୍ଯ୍ୟନ୍ତ ଘନକୁ କେହି ଦେଖି ନାହାଁନ୍ତି । ଗୋରୁ ବନସ୍ତରେ ହଜିଗଲା ଭଳି ହଜିଗଲା କୁଆଡେ । ବର୍ଷେ ପରେ ଯେତେବେଳେ ଫେରିଲା ଗାଁକୁ, ଚିହ୍ନି ହେଲାନି । ଚୁଟି ସବୁ ଝୋଟ । କୁଜା ହୋଇ ପେଙ୍ଗେଇ ପେଙ୍ଗେଇ ଚାଲୁଛି । ପଚାରିଲେ କହେ- ଘାତପୀଡା ନାଇଁ ଯେ ଦାଦି, ବଳ କିନ୍ତୁ ନେଇଗଲା । ଅଇଛାଁ ଖାଲି ନିଃଶ୍ୱାସ ବଳରେ ପେଲି ହୋଇ ଚାଲିବା କଥା ।
“ନିଃଶ୍ୱାସ ବଳରେ ଚାଲିବା କଥା?”
ସନ୍ତର୍ପଣରେ ତୁଳସୀକୁ ଚାହିଁ ରନôାକର ଧୀରେ ଧୀରେ ଉଠି ଛିଡା ହେବ । ଆସ୍ତେ ଆସ୍ତେ ନିଃଶ୍ୱାସ ନେଇ ପାଦ ଟିପେଇ ଟିପେଇ ପେଲି ହୋଇଚାଲିବ । ଓଃ ଭାରି କଷ୍ଟ! ଧଇଁସଇଁ ହେଇଯିବ । ଘନକୁ ପଚାରିବ କି କେମିତି ନିଃଶ୍ୱାସ ବଳରେ ଚାଲେ ଜୀବନ? ଏବେ ତ ମନେ ପକେଇଲେ ବି ମନେପଡୁନି କେମିତି ନିଃଶ୍ୱାସ ନିଆଯାଏ । ଶ୍ୱାସକ୍ରିୟା ଅଟକି ଗଲେ ମଣିଷ ମରିଯାଏ ବୋଲି ସେ ଶୁଣିଥିଲା, ବିଜ୍ଞାନ ବହିରେ ବି ପଢିଥିଲା । କିନ୍ତୁ କି ବିଚିତ୍ର କଥା ବିନା ନିଃଶ୍ୱାସରେ ସେ ବଞ୍ଚିଚି ତ? ବହି ପାଠରେ କି ସବୁ ଭୁଲ୍ଭାଲ୍ ଲେଖାଥାଏ? ବହିର ଲେଖକ କେମିତି ଜାଣିବ? ବିଜ୍ଞାନୀଏ କେମିତି ଜାଣିବେ? ଗୋଟେ ଗୋଟେ ଦୀର୍ଘଶ୍ୱାସରେ ତ ସରିଯାଏ ଅବଶିଷ୍ଟ ଆୟୁଷର ଯେତେସବୁ ସଞ୍ଚିତ ନିଃଶ୍ୱାସ । ବାକି ରହିଲେ ତ!
ରନôାକର ଭାବନାରୁ ଗୋଟେ ଆରତ ସ୍ୱର ଭାସି ଆସିଲା- ହେ ମତେ ଟିକେ କିଏ କଲିକତା ନିଅରେ…ମୁଁ ତ ଆକାଶରୁ ଖସି ପଡିଛି…
ଙ୍ଘ ଙ୍ଘ ଙ୍ଘ
ହେଇ କାଲିର କଥା । ସାତହାତିଆ ମରଦ ଥିଲା ରଘୁ ମିସ୍ତ୍ରୀ । ବାହା ହୋଇନ୍ଥେ । ସାନଭାଇ ମନୁଆ ଘରେ ରହୁଥେ । ସାନଭାଇ ବାହାସାହା ହୋଇ ଗୋଟେ ପଶୁଡାକ୍ତରଖାନାରେ ହେଲ୍ପର୍ । ରଘୁ ଇଲେକ୍ଟ୍ରି ମିସ୍ତ୍ରୀ । ଖୁଣ୍ଟିଚଢେ, ଘରୋଇ କାମ ବି କରେ । ଲାଇନ୍ କଟିଲାମାନେ ରଘୁମିସ୍ତ୍ରୀର ଗୋଡ ଧର । ମନୁଆର ସ୍ତ୍ରୀ ସର ବେଳେବେଳେ ସ୍ୱାମୀକୁ ଥଟ୍ଟା କରି କୁହେ- ଦି’ ଭାଇଙ୍କ ଭାଗ୍ୟକୁ ଦେଖ, ଜଣକ ଗୋଡ ଗାଁ ସାରା ଧରନ୍ତି, ଆଉ ଜଣେ ରାତି ପାଇଲେ ଗାଈ ଗୋରୁ, କୁକୁର ବିଲେଇଙ୍କ ଗୋଡ ଧରେ । କହି ଚାପା ହସଟିଏ ହସେ । ସତକଥା । ସର ମିଛ କହିନି । ଗୁଳୁଗୁଳିରେ ଏମିତି କାହାର ଲାଇନ୍ କଟିନି ନା କିଏ ରଘୁମିସ୍ତ୍ରୀର ଗୋଡ ଧରିନି? କଥାଟା ସର ଆଢୁଆଳରୁ କହିଲେ ବି ରଘୁମିସ୍ତ୍ରୀ ଶୁଣିପାରେ । ଶବ୍ଦର ମାଦକତାରେ ମତ୍ତ ହୁଏ । ମତୁଆଲା ପବନରେ ଝାଉଁଗଛ ବାଇ ହେଲା ପରି ରଘୁମିସ୍ତ୍ରୀର ହଂସା ଦୋହଲେ । ଚାପା ହସର କଳ୍ପ ଉତ୍ତେଜନାରେ ଶାରୀରିକ ବଳ ପାଏ । କିନ୍ତୁ ସେ ବଳ କୋଉ ରହିଲା?
ଗାଁ ମୁଣ୍ଡରେ ଟ୍ରାନ୍ସମିଟର୍ ବସୁଥେ । ଦାୟିତ୍ୱ ନେଇଥାଏ ରଘୁମିସ୍ତ୍ରୀ । ‘ଲଗାରେ ଲଗା ହେଇଁସା’ କହି ଲୁହାଖୁଣ୍ଟି ଟେକା ହଉଛି, ରଘୁମିସ୍ତ୍ରୀ ହାଁ’ କରି ଅନେଇଛି, ଗଳିପଡିଲା ଲୁହାଖୁଣ୍ଟି । ସିଧା ରଘୁମିସ୍ତ୍ରୀ ଉପରେ ପଡିଲା । ପାଆଁଶ କେଜି ଓଜନର ଲୁହାଖୁଣ୍ଟି । ରଘୁ ଅତର୍ଚ୍ଛା ଘୁଞ୍ଚିଲା ବେଳକୁ ଖୁଣ୍ଟି ଚାପାରେ ତା’ର ଡାହାଣ ହାତଟା ଛିଡି ତଳେ ପଡିଲା । ଛାତିର ଦିଟା ପଞ୍ଜରା ହାଡ ଭାଙ୍ଗିଗଲା ଓ ଆଖିର ଡୋଳା ଦିଟା ଡିମାଡିମା ହୋଇ ପଦାକୁ ବାହାରି ଆସିଲା । ଲାଗିଲା ଯେମିତି ସମୁଦ୍ରବୁଡାଳୀଙ୍କ ଚଷମା ପିନ୍ଧିଛି । ସମସ୍ତେ ଭାବିଲେ ଆଉ ବଞ୍ଚିବନି ରଘୁମିସ୍ତ୍ରୀ, କିନ୍ତୁ ବଞ୍ଚିଲା ।
ଦିର୍ଘଦିନ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଫେରିଲା ବେଳକୁ ରଘୁମିସ୍ତ୍ରୀ ଭାଙ୍ଗି ପଡିଥିଲା । କୁଆଡେ ଗଲା ସେ ଉଚ୍ଚାଟପଣ? ପାଟିରେ ହୁଇସିଲ୍ ମାରି ଖୁଣ୍ଟି ଚଢୁଥିବା ସେଇ ବେପରୁଆ ମଣିଷଟା କୁଆଡେ ଗଲା? ଅହଂକାରୀ ଲୋକଟା ନରମି ଯାଇଛି । ସାର୍ଟର ସ୍ଲିଭ୍ ଭିତରୁ ଗୋଟେ ହାତ ବାହାରିଛି । ଆର ହାତଟା ନାହିଁ । ସତୀର୍ଥଙ୍କ ଚୁଚୁକାର ପାଇଁ ତା’ର ଉତ୍ତର ଥିଲା ଗୋଟେ ମୁଚୁକି ହସ । ଖୁଣ୍ଟି ଚଢିଲା ବେଳେ ଯେମିତି ପାଟିରେ ହୁଇସିଲ୍ ମାରୁଥିଲା ସେମିତି ହୁଇସିଲ ମାରିଲା । କହିଲା – ଦେଖିବନିକି ଆସନ୍ତା ଆଶ୍ୱିନ ମାସ ବେଳକୁ କାନ୍ଧରୁ ଆଉ ଗୋଟେ ହାତ କଅଁଳି ଥିବ ।
– କେମିତି?
ଠିକ୍ରେ ଠିଆ ହୋଇପାରୁ ନଥିବା ରଘୁମିସ୍ତ୍ରୀ ଧଇଁ ପେଲି ପେଲି ହସିଲା । କହିଲା- ଆଜିକାଲି ଯୁଗରେ ଅସମ୍ଭବ ବୋଲି କିଛି ନାହିଁ । ଇ ହାତ ତ ଛାର କଥା । ବିଜ୍ଞାନୀଏ ଚାହିଁଲେ ଦେହଟିଏ ବି କଅଁଳେଇ ଦେବେ ।
ଓଲଟପୁରରେ ରହୁଛି ତା’ ଭାଇର ଶଳା । ସେ କହିଛି ଗୋଟେ ପ୍ଳାଷ୍ଟିକ୍ ହାତ ଲଗେଇ ଦେବ । ଅବିକଳ ସତ ହାତ ଭଳି । ଦେହର ସବୁ ଅଙ୍ଗପ୍ରତ୍ୟଙ୍ଗ ସେଇଠି ବନା ହଉଛି । ଅସଲି ହାତ ଯେତିକି କାମ ନକରିବ ତା’ର ତିନିଗୁଣା କାମ କରିବ ସେଇ ନକଲି ହାତ । ଅବଶ୍ୟ କେତେ ଆଶ୍ୱିନ ଏ ଭିତରେ ଗଲାଣି । ତଥାପି ଓଲଟପୁରରୁ ସେ ହାତ ଆସି ପାରିନି । ବୟସ ତ ଗିଳୁଛି ରଘୁମିସ୍ତ୍ରୀକୁ ଅଜଗର ଭଳି । କେବେ ଆଉ ଆସିବ ସେ ପ୍ଲାଷ୍ଟିକ୍ ହାତ?
ରଘୁମିସ୍ତ୍ରୀର ମୁହଁଟାକୁ ମନେମନେ ଆଙ୍କିଲା ରନôାକର । ବସନ୍ତମୁହାଁ ହସକୁରା ଲୋକଟା । କଥା ହେଲାବେଳେ ଦି ଚାରିଥର ହୁଇସିଲ୍ ମାରିବ । ମନରେ ଆଶା ଜାଗିଲା କି? ନରମା ଗଳାରେ ପଚାରିଲା- ପ୍ଳାଷ୍ଟିକ୍ ହାତର କ’ଣ ଜୀବନ ଥାଏ ରଘୁଭାଇ?
– ଓରିଜିନାଲ୍କୁ ପଛରେ ପକେଇ ଦବ । ଛୁରିରେ କାଟିଲେ ବାଧିବନି କିନ୍ତୁ କିଏ ଛୁଇଁଲେ ଜାଣି ପକେଇବ । ବିଜ୍ଞାନୀଙ୍କୁ ମାନିବାକୁ ପଡିବ ।
ରଘୁମିସ୍ତ୍ରୀ ସବ୍ଜାନ୍ତା ଭଳି ହସିଲା ।
ରନôାକର ନେହୁରା ହେଲା । ଆରତ ବିଗଳିତ ସ୍ୱରରେ କହିଲା- ତା’ହେଲେ ସେମାନେ ତ ଗୋଟେ ନଚିକେତା ତିଆରି କରିଦେବେ?
– ନଚିକେତା?
– ମୋ ପୁଅ । ଗଲାକାଲି ନଈରେ ବୁଡି ମରି ଯାଇଛି ।
– କେମିତି ବୁଡିଲା?
– ଜାଣିନି ରଘୁଆଇ । ଥାନା ପାଖେ ତା ସ୍କୁଟି, ବ୍ୟାରେଜ୍ ପାଖେ ତା ଚପଲ୍ । ଦି ସାଙ୍ଗ ଗାଧେଇ ଯାଇଥିଲେ ଫେରି ନାହାଁନ୍ତି ।
– କ’ଣ କହୁଛ?
– ତିନିଦିନ ଧରି ଲାପତା , କାଲିି ତା’ ଦେହ ମିଳିଲା । କଙ୍କି ଭଳି ପିଲାଟା ହାତୀ ଭଳି ଫୁଲି ଯାଇଛି । ବାଲି ପଠାରେ ଲାଗିଥିଲା । ହାତର ବଳା ମୁହଁର ଦାଢିରୁ ଚିହ୍ନିଲୁ । ଦାହକରି ଫେରୁଛି । ଏବେ ବି ଧୂଆଁ ମରିନି ଜୁଇରୁ । ବାପା ମୁହଁରେ ପୁଅ ନିଅାଁ ଦିଏ । କିନ୍ତୁ ପୁଅ ମୁହଁରେ ନିଆଁ ଦେବା କଥା ଶୁଣିଛ? ତମେ ପରା କହୁଛ ବିଜ୍ଞାନୀଏ ସବୁ ପାରିବେ । ଚାହିଁଲେ ଦେହଟିଏ ବି କଅଁଳେଇ ଦେବେ । ଛୁରୀରେ କାଟିଲେ ଯାହାକୁ ବାଧିବନି କିନ୍ତୁ ଛୁଇଁ ଦେଲେ ଜାଣି ପକେଇବ । ତାକୁ ଢେର୍ ଛୁରିରେ କାଟିଚି ରଘୁଆଇ । ଏବେ କିନ୍ତୁ ତାକୁ ଖାଲି ଟିକେ ଛୁଇଁବି । କଣ ଟିକେ କେମିତି କର!
– ମୁଁ କ’ଣ କରିବି ହେ?
– ତମେ ହିଁ ପାରିବ । କହୁଥିଲ ନା ବିଜ୍ଞାନୀଏ ସବୁ ପାରିବେ! ସେଥିପାଇଁ ତ ସବୁ ହରେଇଲା ପରେ ବି ହୁଇସିଲ୍ ମାରି ପାରୁଛ । ସମସ୍ତେ ତମ ଗୋଡ ଧରିଛନ୍ତି ରଘୁଆଇ କେବଳ ମୁଁ ଧରିନି । ହେଇ ଧରୁଛି ।
ରଘୁମିସ୍ତ୍ରୀ ଲିଭିଲିଭି ଯାଉଛି, ଅନ୍ଧାରରେ ଅଶରୀରୀର ଛାଇ ଭଳି ।
ହୁଇସିଲ୍ ମାରୁନି ତ!
ରନôାକର ଟଳି ଟଳି ବାରଣ୍ଡା ଉପରେ ବସୁଛି । ଅନ୍ଧାରକୁ ଚାହିଁ କାହାକୁ ଯେମିତି ଖୋଜୁଛି । ଅନ୍ଧାର ଭିତରେ ଛିଡା ହୋଇଥିବା ସେ ଲୋକଟି କିଏ? ରନôାକର ଚିହ୍ନି ପାରିଲାନି । ଏଇ କିଛି ସମୟ ତଳେ କାନରେ ପଡିଥିବା ପଦିଏ କଥା କି ମଣିଷ ରୂପ ନେଇ ଛିଡା ହୋଇଛି? “ଗଛକୁ ଗଛଟିଏ ନହେଲେ ଚିହ୍ନି ହେବନି ।” ମାନିଲି ତୁମ କଥା । ହେଲେ ସେଇ ଗଛ କାହିଁ? ଗଛ ତ ଉପୁଡି ପଡିଛି ବାତ୍ୟାରେ । ଏବେ ମୁଁ ଗଛଟିଏ ହୋଇ କେମିତି ପଶିବି ଗୋଟେ ନଥିବା ଗଛର ଛାତିରେ?
ଲୋକଟା କିଛି କହୁନି । ରନôାକରର କଥା ତାକୁ ଶୁଭୁନି ନା ସେ ଜାଣି ଜାଣି ଉତ୍ତର ଦେଉନି? ରନôାକର କାନ୍ଧରେ ପଡିଥିବା ଗାମୁଛାରେ ଆଖି ପୋଛିଲା । ଆଖିରେ ଲୁହ ନାଇଁ, ତଥାପି ଗାମୁଛାଧରା ହାତ ପଳାଉଛି ଆଖି ପାଖକୁ । ପୁଅ ମରିଛି ଏଣେ ଆଖିରେ ଲୁହ ନାଇଁ? ଆଖିର ସବୁ ଲୁହ କ’ଣ ମହାନଦୀର ପାଣି ହୋଇଗଲେ?
ଲାସ୍କଟା ଘରପାଖେ ଥିବା ଗୋଟେ ଚାକୁଣ୍ଡା ଗଛ ତଳେ ଲାଇନ୍ରେ ଆହୁରି ତିନିଟା ଡେଡ୍ବଡି ଅଛନ୍ତି । ତା’ପଛକୁ ନଚିକେତା । ଲାଗୁଛି ଧଳା ଚଦରରେ ମୁହଁ ଘୋଡି ହୋଇ ଶୋଇଛି । ଏଇନା ହୁଦାସ୍ ଉଠିବ କି? ଚାରିଆଡକୁ ବଲବଲ କରି ଚାହିଁବ । ଭାବିବ ଯେମିତି ଏଇନା ଜନ୍ମ ନେଲି । ଛାତ ଉପରେ ଶୋଇଥିଲା ବେଳେ ବେଳେବେଳେ ରନôାକର ତାକୁ ହଲେଇ ଉଠେଇ ଦିଏ । ନିଦରୁ ଉଠି ବସି ପଡିବ ବୋକାଙ୍କ ଭଳି ଚାରିଆଡକୁ ଅନେଇବ । ଗାଉଁକିନା ଜାବ୍ଡା ଖାଇବ । ବେଳ ଆସି କେତେ ହେଲାଣି ବାବୁଙ୍କ ପହଡ ଭାଙ୍ଗୁନି?
କେତେ ମାଡ ଖାଇଚି, କେତେ ଗାଳି ଶୁଣିଛି ହେଲେ ଯାହାକୁ ସେଇଆ । ସଦାବେଳେ ତ ବାପପଣ ଜାହିର କରିଛି । ‘ତୋ ଭଲପାଇଁ ସବୁ କୁହାଯାଉଛି’ କହିବା ଭିତରେ କେବଳ ନିଜ ଓରମାନକୁ ଲଦି ଦେଇଛି ତା’ ଉପରେ । ସବୁ ବାପା କୁହନ୍ତି ଯେ ଆମେ ଆମ ପୁଅକୁ ଜାଣିଛୁ । ସେ ବି କଥା ଅକଥାରେ କୁହେ- ମୋ ପୁଅ, ମୁଁ ତାକୁ ଜାଣିନି? କିନ୍ତୁ ସତରେ କ’ଣ ଜାଣିଛି?
(ଏମାନୁୟାଲ୍ କୁଏ ଏବେ ବି ଛିଡା ହୋଇଚି ଅନ୍ଧାରରେ । କହୁଛି- ନିଜର ଉଦେ୍ଦଶ୍ୟ ଓ ଆବଶ୍ୟକତା ଦ୍ୱାରା ସବୁ ଦେଖିବା ହେ ।)
ରନôାକର ବୁଝୁଛି ଯେ ନଚିକେତାକୁ ଦେଖିବାକୁ ହେଲେ ନିଜେ ନଚିକେତା ହୋଇ ତା’ ଛାତି ଭିତରେ ପଶିବାର ଥିଲା । ନଚିକେତାକୁ କେବେ ଭଲକରି ଦେଖିଛି ବୋଲି ମନେ ପଡିଲାନି ରନôାକରର । ଏବେ ତା’ ଛାତି ଭିତରେ ପଶି ତାକୁ ପରଖିବାକୁ ସେ ନାହିଁ କି ତା’ ଛାତି ନାହିଁ । ଗୋଟେ ଅନୁଚ୍ଚାରିତ ଭଙ୍ଗା ସ୍ୱର ବାହାରିଆସିଲା ଛାତି ଭିତରୁ- କୁଆଡେ ଗଲୁରେ ବାପା ମୋର….
କିଏ ଗୋଟେ ପାନ ଆଣି ଦେଉଚି । ରନôାକର ତାକୁ ନଅନେଇ କହୁଛି ଆଉ କେତେ ଡେରି? ସିଏ କ’ଣ କହୁଛି ଶୁଭୁନି । ବରଗଛ ଫାଙ୍କରୁ ଧାପେ ଖରା ଆସି ମୁହଁରେ ପଡିଛି । ଦିଶୁଛି ଧଳା ଛଉଭଳି ।
ପୋଷ୍ଟମର୍ଟମ୍ ଘର ପାଖରେ ଥିବା ଗୋଟେ ବରଗଛ ମୂଳେ ବସି ରନôାକର ଭାବୁଥିଲା ଜିଅନ୍ତା ମଣିଷ ଅପେକ୍ଷା ମଲାମଣିଷ ବହୁତ ଭାରୀ । ଏତେ ଭାରୀକୁ ମୁଣ୍ଡେଇ ସେ ଗାଁ ପର୍ଯନ୍ତ ଯାଇ ପାରିବ ତ? ଓଃ ବହୁତ ଭାରୀ, ବହୁତ ଭାରୀ…
(୩)
ତୁଳସୀ ଏବେ ବି ଭାବେ ଯେ ନଚିକେତା ଫେରିବ । ସବୁ ଥିବାକଥା ଯଦି ନଥିବା କଥାରୁ ଆସିଛି ତେବେ ନଥିବା କଥା କାହିଁକି ଫେରିବନି?
ଆହା ଆହା କରିବାକୁ ଆସିଥିବା ଲୋକମାନେ ଭିଡ କରିଛନ୍ତି । ତୁଳସୀ ପିଣ୍ଡା ଉପରେ ବସି ହସୁଛି । (ଶବମାନେ ହସିଲା ପରି?) ବାଳ ମୁକୁଳା । କହୁଛି- କାହିଁକି ଜମା ହୋଇଛ? ସେ ଫେରିବ, ଫେରିବ । ତା ନଈ ଗାଧୁଆ ସରିଲେ ଫେରିବ । ତା ଛଡା…
– ତା’ ଛଡା? ରନôାକର ପଚାରେ ।
– ନଚିକେତାମାନେ ସଦାବେଳେ ଫେରନ୍ତି । କୋଉ ଗୋଟେ ବହି ପଢି କହୁ ନଥିଲ? ନଚିକେତାର କାହାଣୀ । ମନେ ପଡୁନି?
– ସତରେ ଫେରନ୍ତି? ଭାବୁ ଭାବୁ କଳ୍ପନାରେ ହଜିଯାଏ ରନôାକର । ପଢିଥିବା କଥା ଚିତ୍ର ହୋଇ ଯାଏ । ପୁଣିଥରେ ନଚିକେତାକୁ ଦେଖିହୁଏ ପ୍ରାଗ୍ଐତିହାସିକ ସମୟର ମଞ୍ଚ ଉପରେ ।
ଙ୍ଘ ଙ୍ଘ ଙ୍ଘ
ଦାନଉତ୍ସବ ମନାଉଛନ୍ତି ଋଷି ଉଦ୍ଦାଳକ ।
ପୁଅ ନଚିକେତା ଦେଖୁଚି ।
ହୁଁ, ତା’ପରେ…? ରନôାକର ନିଜକୁ ନଜେ ପଚାରୁଛି ।
ନିଜେ କଥକ ନିଜେ ସ୍ରୋତା ।
ବାପା ବ୍ରାହ୍ମଣଙ୍କୁ ଦାନ କରୁଛନ୍ତି ବାଞ୍ଝଗାଈ । ଇଏ ପୁଣି କି ଦାନ? ଯେଉଁ ଗାଈ ଦୁଗ୍ଧହୀନ, ଗର୍ଭହୀନ ସେଇ ଗାଈ? (‘ଅହଂକାର ପାଇଁ ନାନା ଅର୍ଥହୀନ ଛଳନାର ଆଶ୍ରୟ ନିଏ ମଣିଷ’ ରନôାକର ନିଜକୁ ନିଜେ କହିଲା) ନଚିକେତା ଆଖି ତରାଟି ଦେଖୁଛି । ସମ୍ଭାଳି ପାରିଲାନି ଶେଷକୁ ପଚାରିଦେଲା ବି- ବାପା ମ, ବାଞ୍ଝ ଗାଈ ଭଳି ମୋତେ କାହାକୁ ଦାନ କରୁଛ? ଥରେ ନୁହେଁ, ତିନି ଚାରିଥର ସେଇ ଏକା ପ୍ରଶ୍ନକୁ ଦୋହରାଇଲା ପରେ ଉଦ୍ଦାଳକ କ୍ରୋଧରେ ଅଗ୍ନିଶର୍ମା ହୋଇ କହୁଛନ୍ତି- ତୋତେ ଯମକୁ ଦଉଛି । ବାସ୍ ଏତିକି କଥାରେ ନଚିକେତା ଚାଲିଗଲା ମୃତୁ୍ୟଲୋକକୁ?
ଯେମିତି ତମଠୁଁ ଗାଳି ଶୁଣି କାନ୍ଧରେ ବ୍ୟାଗ୍ପ୍ୟାକ ପକେଇ ପୁଅ ହଷ୍ଟେଲ୍ ପଳାଏ , ସେମିତି ନା? ତୁଳସୀ ଭାବନା ଭିତରକୁ ପଶି ଆସି କହେ ।
– ହଁ, ରନôାକର ଅନ୍ୟମନସ୍କ ହୋଇ କହେ- ଫେରି ଆସିଲା ତ । କିନ୍ତୁ ଆମ ପୁଅ କୋଉଠି ଅଟକି ଗଲା?
ତୁଳସୀ କହିଲା- ଫେରିବ ଫେରିବ । କାନ୍ଥର ଝିଟିପିଟି କହିଲା-ସତ୍ ସତ୍ ।
ଙ୍ଘ ଙ୍ଘ ଙ୍ଘ
କେତେ ଦିନ ବିତି ଗଲାଣି ।
ଏବେ ବି ରନôାକରର ଫୋନ୍ ବେଳେ ବେଳେ ଆସେ । କହେ- ନଚିକେତାକୁ ଆଜିକାଲି ମୁଁ ସ୍ୱପ୍ନରେ ଦେଖେ ଗୋଟେ ଗଛମୂଳେ ଛିଡା ହୋଇ କାହା ସହ ମୋବାଇଲ୍ରେ ଗପୁଛି । ମୁଁ କହେ- ଗୋଟେ ବଉଳ ଗଛମୂଳେ ନା?
ରନôାକର କହେ- ହଁ
ମୁଁ କହେ- ମୁଁ ବି ସେଇ ଏକା ସ୍ୱପ୍ନ ଦେଖୁଛି ।
– ସତ ନା କ’ଣ?
– ହଁ, ଫରକ୍ ଖାଲି ଏତିକି ଯେ ତୁମେ ବଉଳଗଛ ତଳେ ନଚିକେତାକୁ ଦେଖୁଛ, ଆଉ ମୁଁ ନଚିକେତା ପଛରେ ବଉଳଗଛକୁ ଦେଖୁଛି ।
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ