ସାବିତ୍ରୀ
ସୋମବାର ସାବିତ୍ରୀ ଅମାବାସ୍ୟା, ରବିବାର ଛୁଟି । ଶନିବାର ଦିନ ପାଞ୍ଚଟା ପୂର୍ବରୁ ଅନେକ ଅଫିସର ଓ କର୍ମଚାରୀ ଅଫିସ୍ ଛାଡ଼ିସାରିଥିଲେ । ସାବିତ୍ରୀ ପୂଜା ପାଇଁ କିଣାକିଣି କରିବେ । ସବ୍ୟସାଚୀ ଭାବିଲା ସେ ମଧ୍ୟ ଟିକେ ଅଫିସ ଶୀଘ୍ର ଛାଡ଼ି ଚାଲିଯିବ ଏବଂ ଗଲାବାଟରେ ରଂଜନଙ୍କୁ ଦେଖାକରି ଘରକୁ ଫେରିବ । ଏଇ ମାସେ ହେଲା ସେ ଏଠିକୁ ବଦଳି ହୋଇ ଆସିଛି । ତା’ର ଗୋଟିଏ ମିଟିଂରେ ରଂଜନ ସହିତ ଦେଖାହୋଇଥିଲା । ରଂଜନ ସହିତ ତା’ର କିଛି ବର୍ଷ ହେଲା ସମ୍ପର୍କ ନଥିଲା । ମିଟିଂରେ ରଂଜନ ତାକୁ ଦେଖି ଖୁସିହେଲା ଏବଂ ତା’ ସହିତ ତାଙ୍କ ଘରକୁ ଯିବାକୁ ଡାକୁଥିଲା । ସେଦିନ ସେ ଯାଇପାରିନଥିଲା । ଦୁଇଦିନ ତଳେ ସେ ଫୋନ୍ କରିଥିଲା ଏବଂ ବେଶ୍ କିଛି ସମୟ କଥାବାର୍ତ୍ତା ହେଲାପରେ ପୁଣି ତାଙ୍କ ଘରକୁ ସସ୍ତ୍ରୀକ ବୁଲିଯିବାକୁ କହିଥିଲା । ଘରର ଠିକଣା, ରାସ୍ତା ବତେଇ ଦେଇଥିଲା । ଏବେ ସେ ସ୍ଥିରକଲା ଘରକୁ ଫେରିବା ବାଟରେ ରଂଜନ ଘର ଦେଇଯିବ । ପରେ ସବିତାକୁ ସାଙ୍ଗରେ ନେଇ ଆଉ କେବେ ଆସିବ । ଏବେ ଘରଟା ଦେଖିଦେଇ ଯାଇଥିବ ।
ଟ୍ରେନିଂ ପରେ ସବ୍ୟସାଚୀର ବଲାଙ୍ଗୀରରେ ପ୍ରଥମ ନିଯୁକ୍ତି ଏବଂ ସେଠି ତା’ର ରଂଜନ ସହିତ ପରିଚୟ ହୋଇଥିଲା । ସବ୍ୟସାଚୀ ବାହା ହୋଇ ନଥିଲା, ବଲାଙ୍ଗୀରରେ ରହିବାକୁ ଭଡ଼ାରେ ଘରଟିଏ ଖୋଜୁଥିଲା । ତା’ର ଜଣେ ସିନିୟର ଅଫିସର ରଂଜନ ସହିତ ପରିଚୟ କରାଇଦେଇଥିଲେ । ରଂଜନ ଓ ଆଉ ଦୁଇଜଣ ଯୁବ ଅଫିସର ରଂଜନକୁ ମିଳିଥିବା କ୍ୱାର୍ଟର୍ସରେ ରହୁଥିଲେ ଏବଂ ରୋଷେଇ କରିବାକୁ ପିଲାଟିଏ ରଖିଥିଲେ । ସେ ଘର ଖୋଜୁଛି ଜାଣି ରଂଜନ କହିଥିଲା, ମୋ କ୍ୱାର୍ଟର୍ସରେ ଆମେ ତିନିଜଣ ରହୁଛୁ, ତୁମର ଯଦି ଅସୁବିଧା ନହେବ, ତେବେ ତୁମେ ଆମ ସହିତ ରହିପାରିବ । ଅତି ଆନନ୍ଦରେ ସବ୍ୟସାଚୀ ସେମାନଙ୍କ ସହିତ ରହିଥିଲା ।
ସେମାନେ କେହି ବାହା ହୋଇନଥିଲେ । ସବ୍ୟସାଚୀ ଓ ସବିତା ବାହା ହେବାକୁ ସ୍ଥିର କରିଥିଲେ, ଦୁଇଜଣଙ୍କର ଘରଲୋକେ ଅନୁମୋଦନ କରିସାରିଥିଲେ ଏବଂ ଛଅମାସ ପରେ ବାହାହେବାକୁ ଦିନ ଠିକ୍ କରାଯାଇଥିଲା । କିନ୍ତୁ ରଂଜନ ଓ ଅନ୍ୟ ଦୁଇବନ୍ଧୁ, ମହେନ୍ଦ୍ର ଓ ପ୍ରମୋଦର ବାହାଘର ପାଇଁ ଝିଅ ଖୋଜା ଚାଲିଥିଲା । ଅଫିସକୁ ଯିବା ପର୍ଯ୍ୟନ୍ତ ଏବଂ ଅଫିସ୍ରୁ ଫେରି ରାତିରେ ଶୋଇବା ପର୍ଯ୍ୟନ୍ତ ଗୁଲିଖଟି ଚାଲୁଥିଲା । ଅବଶ୍ୟ ଆଲୋଚନାର ବେଶିଭାଗ ଯାଉଥିଲା ଝିଅଙ୍କ ସମ୍ପର୍କରେ । ପାଠପଢ଼ିବା ସମୟରେ ସେମାନଙ୍କ ପ୍ରେମ ଓ ବିଫଳତା । ଅବଶ୍ୟ ଚାରିଜଣଙ୍କ ଭିତରୁ ସଫଳ ପ୍ରେମିକ ଥିଲା ନିଜେ ସବ୍ୟସାଚୀ । ମହେନ୍ଦ୍ର ଓ ପ୍ରମୋଦ ଦୁହେଁ ହତାଶ ପ୍ରେମିକ ଥିଲେ । ରଂଜନର କିନ୍ତୁ ପ୍ରେମାନୁଭୂତି ନଥିଲା । ରଂଜନ କହୁଥିଲା ସ୍କୁଲ୍ରେ ପଢ଼ିଲା ବେଳେ, ଟିଉସନକୁ ଆସୁଥିବା ଝିଅଟିଏ ସହିତ ତା’ର ସମ୍ପର୍କ ଗଢ଼ିଉଠୁଥିଲା, କିନ୍ତୁ ଘରେ ଜାଣିଗଲାପରେ ସେ ନିର୍ଘାତ ପିଟାଖାଇଥିଲା । ପରେ ସେ କେବେ ସେ ଦିଗକୁ ଅଗ୍ରସର ହୋଇପାରିନଥିଲା, ମାଡକୁ ଭୁଲିପାରୁନଥିଲା ।
ବଲାଙ୍ଗୀରର ସେହି ଅଢ଼େଇ ବର୍ଷ ସବ୍ୟସାଚୀ ଜୀବନର ସବୁଠୁ ଆନନ୍ଦ ଓ ସ୍ମରଣୀୟ ସମୟ ଥିଲା । ଖର୍ଚ୍ଚ କରିବାକୁ ହାତରେ ଟଙ୍କା ଥିଲା, କିଛି ଚିିନ୍ତା କିମ୍ବା ସାମାଜିକ ବୋଝ ନଥିଲା । ଭଲ ସାଙ୍ଗ ମିଳିଯାଇଥିଲେ, ହସଖୁସିରେ ଦିନ ଗଡ଼ିଯାଉଥିଲା । ଯଦିଓ ବଲାଙ୍ଗୀରକୁ ଯିବାର ଛଅମାସ ପରେପରେ ସବିତା ସହିତ ତା’ର ବାହାଘର ହେଲା, ସବ୍ୟସାଚୀ ସେହି ମେସ୍ ଛାଡ଼ିନଥିଲା । ସବିତା ଥିଲା ଖୋର୍ଦ୍ଧାରେ ଅଧ୍ୟାପିକା, ସବ୍ୟସାଚୀର ଖୋର୍ଦ୍ଧା, ଭୁବନେଶ୍ୱରକୁ ବଦଳି ହେଉନଥିଲା । ବର୍ଷେ ଦେଢ଼ବର୍ଷ ଭିତରେ ମହେନ୍ଦ୍ର ଓ ପ୍ରମୋଦ ବାହା ହୋଇ ଅନ୍ୟଠି ଭଡ଼ା ନେଇ ରହିଲେ, କିନ୍ତୁ ସବ୍ୟସାଚୀ ଥିଲା ପର୍ଯ୍ୟନ୍ତ ପ୍ରାୟ ନିୟମିତ ଆସୁଥିଲେ । ରଂଜନ ଓ ସେ ସେହି ରଂଜନର କ୍ୱାର୍ଟର୍ସରେ ମେସ୍ କରି ରହୁଥିଲେ । ରଂଜନର ବାହାଘର ଠିକ୍ ହୋଇପାରୁନଥିଲା । ସବ୍ୟସାଚୀ ବଲାଙ୍ଗୀରରୁ ବଦଳି ହୋଇ ଆସିବା ସୁଦ୍ଧା ରଂଜନ ତେଇଶଟି ଝିଅ ଦେଖିସାରିଥିଲା, କିନ୍ତୁ କୋଉଠି ବାହାଘର ଠିକ୍ ହୋଇପାରିନଥିଲା ।
ରଂଜନର ବାହାଘର ସବ୍ୟସାଚୀ ବଲାଙ୍ଗୀର ଛାଡ଼ିଆସିବାର ଦେଢ଼ବର୍ଷ ପରେ ହୋଇଥିଲା । ସବ୍ୟସାଚୀ ତା’ ବାହାଘରରେ ଯୋଗଦେଇପାରି ନଥିଲା । ସେହି ସମୟରେ ସେ ଗୋଟିଏ ଟ୍ରେନିଂରେ ଦିଲ୍ଲୀ ଯାଇଥିଲା ।
ଅଫିସ୍ ର ଅଧିକାଂଶ କର୍ମଚାରୀ ଚାଲିଯାଇଥିଲେ । ସବ୍ୟସାଚୀ ଗୋଟିଏ ଫାଇଲ୍କୁ ଖୋଲି ପଢ଼ୁଥିଲା । ସେହି ଫାଇଲ କାମ ସାରିଦେଲେ ସେ ମଧ୍ୟ ଅଫିସ୍ ଛାଡ଼ିଦେବ । ଷ୍ଟେନୋ ତା’ ରୁମ୍ରେ କମ୍ପୁ୍ୟଟର ସାମ୍ନାରେ ବସିଥିଲା । ସବ୍ୟସାଚୀ ଅଫିସ୍ ଛାଡ଼ିଲେ ସେ ଯିବ, ସେ ସବ୍ୟସାଚୀ ଅଫିସ ଛାଡ଼ିବାକୁ ଅପେକ୍ଷା କରିଥିଲା । ତା’ର ପିଅନ ଆସିବା ଏବଂ ଗୋଟେ ପଲିଥିନ ବେଗ୍ ତା’ ଟେବୁଲ ଉପରେ ରଖିଲା ।
ୟେ’ କ’ଣ? ପଚାରିଲା ସବ୍ୟସାଚୀ ।
ଷ୍ଟେନୋ କହିଲା, ଇଏ ସବୁବର୍ଷ ସାବିତ୍ରୀ ବେଳକୁ ଫଳମୂଳ, ସାବିତ୍ରୀ ପୂଜା ସାମଗ୍ରୀ, ଦୂବ ବରକୋଳି ପତ୍ର ଇତ୍ୟାଦି ପ୍ୟାକେଟ୍ କରି ସବୁ ସାରଙ୍କୁ ଦିଏ । ୟେ’ ବେଗରେ ସାବିତ୍ରୀ ପୂଜା ପାଇଁ ଯାହା ଯାହା ଦରକାର ସବୁ ଥିବ, ଆପଣଙ୍କୁ କିମ୍ବା ମାଡାମ୍ଙ୍କୁ କିଛି ଖୋଜିବାକୁ ପଡ଼ିବନି ।
ସବିତା ସାବିତ୍ରୀ ଓଷା କରେ ନାହିଁ, ସେ ଉପାସ ରହିପାରେ ନାହିଁ । ସବ୍ୟସାଚୀର ମଧ୍ୟ ପୂଜାପାଠରେ ବିଶ୍ୱାସ ନାହିଁ । ଅବଶ୍ୟ ଘରେ ଠାକୁର ଅଛନ୍ତି, ସବିତା ଗାଧେଇସାରି ଧୂପଟିଏ ଲଗେଇ ମୁଣ୍ଡିଆମାରେ, କିନ୍ତୁ କୌଣସି ଓଷାବାର କରେ ନାହିଁ । ଏବେ ସେ ନନାଙ୍କୁ ମନା କଲେ, ଷ୍ଟେନୋ ଓ ତା’ର ପିଅନ ଭାବିପାରନ୍ତି, ତାଙ୍କ ସ୍ତ୍ରୀ ବୋଧହୁଏ ହିନ୍ଦୁ ନୁହଁନ୍ତି କିମ୍ବା ହିନ୍ଦୁ ହୋଇଥିଲେ କାହିଁକି ନେବେନି ପଚାରିପାରନ୍ତି । ତାକୁ ମିଛି କହିବାକୁ ଭଲ ଲାଗେନି । ସେ ଏହି ସମୟରେ ସେମାନଙ୍କ ସହିତ ତା’ ସ୍ତ୍ରୀ କାହିଁକି ସାବିତ୍ରୀ ପୂଜା କରେନାହିଁ ଆଲୋଚନା କରିବାକୁ ଚାହୁଁନଥିଲା । ବେଗରେ ଫଳମୂଳ ଅଛି, ପୂଜା ନ କରିଲେ ବି ଖାଇହେବ । ସବ୍ୟସାଚୀର ଏହି ଅଫିସ୍ରେ ପ୍ରଥମବର୍ଷ, ପିଅନ ସବୁବର୍ଷ ସାର୍ମାନଙ୍କ ପାଇଁ ଶ୍ରଦ୍ଧାରେ ଆଣିଦେଉଛି । ତା’ ଶ୍ରଦ୍ଧାକୁ ଅବହେଳା କରିବା ଠିକ୍ ନୁହେଁ । ସେ କହିଲା, କେତେ ଟଙ୍କା?
ପିଅନ କହିଲା, ଦୁଇଶହ ଟଙ୍କା ।
ସବ୍ୟସାଚୀ ପିଅନକୁ ଦୁଇଶହ ଟଙ୍କା ଦେଲା ଏବଂ ତା’ ଅଫିସ ବେଗ ଓ ସାବିତ୍ରୀ ସାମଗ୍ରୀ ଗାଡ଼ିରେ ରଖିବାକୁ ନିଦେ୍ର୍ଦଶ ଦେଲା । ଫାଇଲ୍ଟା ବନ୍ଦ କରିଦେଲା, ସୋମବାର ଦିନ କରିବ । ଉଠିଲା ଆସିବାକୁ ।
ସବ୍ୟସାଚୀ ନିଜେ ଏପରି ପୂଜାପାଠରେ ବିଶ୍ୱାସ କରେନାହିଁ, କିନ୍ତୁ ସେ ମନେମନେ ସବିତା ସାବିତ୍ରୀ ଓଷା କରିବାକୁ ଚାହେଁ । ଉପନ୍ୟାସରେ ପଢ଼ିଛି, ସିନେମାରେ ଦେଖିଛି ଏବଂ ତାଙ୍କ ଗାଁରେ ସଧବାମାନେ ସାବିତ୍ରୀ ଓଷା କରିବା ସେ ଦେଖିଛି । ସାବିତ୍ରୀ ଅମାବାସ୍ୟା ଦିନ ସଧବାମାନେ ମୁଣ୍ଡଧୋଇ, ନୂଆଲୁଗା ପିନ୍ଧି, ମୁଣ୍ଡରେ ସିନ୍ଦୂର ଓ ପାଦରେ ଅଳତା ଲଗେଇ କେମିତି ପବିତ୍ର ପବିତ୍ର ଲାଗନ୍ତି, ସୁନ୍ଦର ଦିଶନ୍ତି ଦେବୀପ୍ରତିମା ପରି । ସେହି ରୂପରେ ସେ ସବିତାକୁ ଦିନେ ଦେଖିବାକୁ ଚାହେଁ । କିନ୍ତୁ ସବିତା ଓଷା କରିବାକୁ ମନା କରିଦିଏ । ଯୁକ୍ତିରେ ସେ ସବିତାକୁ ପାରେନାହିଁ, ସେ ସବିତା ସହିତ ଯୁକ୍ତି କରିପାରେ ନାହିଁ । ସବିତା କୁହେ, ସାବିତ୍ରୀ ପରି ଓଷାବାର କେବଳ ନାରୀକୁ ପୁରୁଷ ପାଖରେ ବଶୀଭୂତ କରିବାକୁ ସୃଷ୍ଟି ହୋଇଛି । ଧର୍ମ, ପରମ୍ପରା ନାମରେ ନାରୀକୁ ପୁରୁଷ ଅଧୀନରେ ରଖିବାକୁ ଏପରି ସାମାଜିକ ବନେ୍ଦାବସ୍ତ ହୋଇଛି ।
ବାହାଘରର ପ୍ରଥମବର୍ଷ, ଖରାଛୁଟିରେ ସବିତା ତାଙ୍କ ଗାଁରେ ଥିଲା । ସେହି ସମୟରେ ସାବିତ୍ରୀ ଅମାବାସ୍ୟା ପଡ଼ିଥିଲା । ସେହି ସମୟକୁ ବଲାଙ୍ଗୀରରୁ ଛୁଟିନେଇ ସବ୍ୟସାଚୀ ବି ଗାଁକୁ ଯାଇଥିଲା । ସବ୍ୟସାଚୀ ସବିତାକୁ କହିଲା, ତୁମେ ବିଶ୍ୱାସ କର ବା ନକର, କିନ୍ତୁ ଗାଁରେ ଏହି ବର୍ଷ ସାବିତ୍ରୀ ଓଷା କରିଦିଅ । ନହେଲେ ମା’ ଓ ଗାଁ ମାଇପେ ୟାଡୁସାଡୁ ଗପିବେ । ତଥାପି ସବିତା ଓଷା କରିନଥିଲା । କହିଲା, କହିଲେ କୁହନ୍ତୁ, ମୁଁ ଯେଉଁଥିରେ ବିଶ୍ୱାସ କରେନି, ଦେଖେଇହେବାକୁ କରିବି କାହିଁକି?
ସବିତା ସାବିତ୍ରୀ ଓଷା କରିନଥିଲା । ସାହିପଡ଼ିଶାର ମାଇପେ ଟୁପୁରୁଟାପୁର ହୋଇଥିଲେ । ମା’ ଦୀର୍ଘଶ୍ୱାସ ପକେଇ କହିଥିବାର ଶୁଣିଥିଲା, ପୁଅ ଆମର ରାଜିରୁଜା ହେଇ ବାହା ହୋଇଛି, ଆମପରି ସେମାନେ କ’ଣ ମରହଟୀ ହୋଇଛନ୍ତି, ପୂଜାପାଠ ଓଷାବ୍ରତ କରିବେ? ନ କରନ୍ତୁ, ଠାକୁରେ ସେମାନଙ୍କୁ ଭଲରେ ରଖିଥାନ୍ତୁ ।
ସାବିତ୍ରୀ ଓଷା ନକରିଲେ ବି ସବିତା ତା’ ପାଇଁ ଶାଢ଼ି ଆଣିଦେବାକୁ କୁହେ । ସବ୍ୟସାଚୀ କୁହେ, ସାବିତ୍ରୀ ଓଷା ତ କରିବ ନାହିଁ, ନୂଆ ଶାଢ଼ି କ’ଣ ଦରକାର?
ସବିତା କୁହେ, ନୂଆଶାଢ଼ି ପିନ୍ଧିଲେ ସ୍ତ୍ରୀମାନେ ଖୁସି ହୁଅନ୍ତି, ମନଫୂର୍ତ୍ତି ରୁହେ, ସ୍ୱାମୀକୁ ଚୁମାଦେବାକୁ ଇଚ୍ଛାହୁଏ । ସ୍ତ୍ରୀଠାରୁ ଚୁମା ଖାଇଲେ ସ୍ୱାମୀର ବି ମନଖୁସି । ତେଣୁ ସାବିତ୍ରୀ ଓଷା ନ କଲେ ବି ତୁମେ ମତେ ଶାଢ଼ି ଆଣିଦେବ ।
ସବ୍ୟସାଚୀ ସବୁବର୍ଷ ସାବିତ୍ରୀ ପାଇଁ ସବିତାକୁ ଶାଢ଼ି ଦିଏ । ଏ ବର୍ଷ ବି ସେ ସବିତା ପାଇଁ ଶାଢ଼ି କିଣି ତା’ କପ୍ବୋର୍ଡରେ ରଖିଛି, ସାବିତ୍ରୀ ଦିନ ସେ ତାକୁ ଦେବ ।
ରଂଜନର ଘର ପାଇବାକୁ କଷ୍ଟ ହେଲାନି, ତା’ ଘର ସାମ୍ନା ଗେଟ୍ରେ ରଂଜନର ନାମଫଳକ ଥିଲା । ରଂଜନ ଗେଟ୍ ଖୋଲି ଭିତରକୁ ଗଲା ଏବଂ କଲିଂବେଲ୍ ସୁଇଚ ଚିପିଲା କବାଟ ଖୋଲିଲା ନାହିଁ । ରଂଜନ କ’ଣ ଅଫିସରୁ ଫେରିନି, ତା’ ସ୍ତ୍ରୀ ଘରେ ଏକା ଅଛି? ରଂଜନର ସ୍ତ୍ରୀକୁ ସେ ଦେଖିନି । ତା’ ସ୍ତ୍ରୀ ଏକା ଥିଲେ ସେ ନିଜ ପରିଚୟ ଦେଇ କହିଦେବ, ଆଉ କେବେ ଆସିବ । ଅନ୍ତତଃ ରଂଜନ ଜାଣିବ ସେ ଆସିଥିଲା । କିନ୍ତୁ ଘର ଭିତରୁ ଝଣଝାଣ ଶବ୍ଦ ଶୁଭିଲା, ସେ କବାଟ ପାଖକୁ ଯାଇ କାନ ଡେରିଲା । ପାଟିତୁଣ୍ଡ ଶୁଭୁଥିଲା, ସେ କିଛି ବୁଝିପାରୁନଥିଲା । ଯୁକ୍ତତର୍କ ହେଉଛି ନା ଦୁଇଜଣ ଝଗଡ଼ା କରୁଛନ୍ତି? ଝଗଡ଼ା କରୁଥାଇପାରନ୍ତି । ସେ ଆଉଥରେ କଲିଂ ବେଲ୍ ସୁଇଚ୍ ଚିପିଲା, ଅପେକ୍ଷା କଲା । ତଥାପି କବାଟ ଖୋଲୁନଥିଲା । ସବ୍ୟସାଚୀ ସ୍ଥିରକଲା ସେ ଫେରିଯିବ, ଆଉ କେବେ ଫୋନ୍ କରି ଆସିବ । କିନ୍ତୁ ରଂଜନ କବାଟ ଖୋଲିଦେଲା, କହିଲା, ତୁମେ? ଭିତରକୁ ଆସ ।
ରଂଜନ ତାକୁ ଦେଖି ଖୁସି ହେଲା ପରି ଜଣାପଡୁନଥିଲା । ସେ ବିଷଣ୍ଣ ଦିଶୁଥିଲା, ତା’ ମୁହଁ ଶୁଖିଯାଇଥିଲା । ବଡ଼ରୁମ୍ଟିଏ, ଡ୍ରଇଂ ଓ ଡାଇନିଂ ରୁମ୍ ମିଶି ଗୋଟିଏ ରୁମ୍ । ସୋଫା ସାମ୍ନାରେ କାନ୍ଥକୁ ଟିଭି ଲାଗିଛି । ସୋଫାର ବାଁପଟ କଡ଼କୁ ଡାଇନିଂ ଟେବୁଲ୍ । ସବ୍ୟସାଚୀ ଦେଖିଲା, ଡାଇନିଂ ଟେବୁଲର ପଛକାନ୍ଥ ପାଖରେ ପ୍ଲେଟଟିଏ ଭାଙ୍ଗି ଖଣ୍ଡଖଣ୍ଡ ହୋଇପଡ଼ିଛି । ଭଙ୍ଗାକପ୍, ଚାମଚ ବି ପଡ଼ିଛି । ସେ ଯାହା ଶବ୍ଦ ଶୁଣୁଥିଲା ଏହି କପପ୍ଲେଟ୍ ପତନର ଶବ୍ଦ ହୋଇଥିବ । ସବ୍ୟସାଚୀ ପଚାରିଲା, ତୁମ ସ୍ତ୍ରୀ?
ରଂଜନ କହିଲା, ଆସୁଛି ।
ରଂଜନର ସ୍ତ୍ରୀ ଭିତରୁ ଆସିଲା ଏବଂ ସୋଫାର କଡ଼ ଚୌକିରେ ବସିଲା ।
ତା’ ସ୍ତ୍ରୀ ଗମ୍ଭୀର ଦିଶୁଥିଲା । ସବ୍ୟସାଚୀ ଜାଣିପାରୁଥିଲା, ଦୁହେଁ ଝଗଡ଼ା କରୁଥିଲେ, ଝଗଡ଼ା ମଧ୍ୟ ହିଂସାତ୍ମକ ରୂପ ନେଇଥିଲା । ସେ ସେହି ସମୟରେ ପହଞ୍ଚିଗଲା । ରୁମ୍କୁ ସଫାକରିବାକୁ ସମୟ ପାଇନାହାନ୍ତି । ଜଣେ କେହି ଆସିଛି, ସେଥିପାଇଁ ଦୁହେଁ ସ୍ୱାଭାବିକ ହେବାକୁ ଚେଷ୍ଟା କରିଛନ୍ତି । ସବ୍ୟସାଚୀ ନହୋଇ ଅନ୍ୟ କେହି ହୋଇଥିଲେ, ରଂଜନ ହୁଏତ ଦୁଆରମୁହଁରୁ ଫେରେଇ ଦେଇଥା’ନ୍ତା । ଯେତେ ଚେଷ୍ଟା କଲେ ବି ମୁହଁର ଭାବରୁ ଜଣାପଡ଼ିଯାଉଥିଲା । ସବ୍ୟସାଚୀ କିପରି କଥା ଆରମ୍ଭ କରିବ ଚିନ୍ତା କରୁକରୁ ରଂଜନର ସ୍ତ୍ରୀ ଆଡକୁ ଚାହିଁ ପଚାରିଦେଲା, ଭଲ ଅଛନ୍ତି?
ତା’ ସ୍ତ୍ରୀ କହିଲା, ହଁ, ଭଲଅଛୁ ।
ରଂଜନ କହିଲା, ଭଲ କ’ଣ? ଏବେ ପା’ ଝଗଡ଼ା କରୁଥିଲ, ସେ ପ୍ଲେଟ୍ଟା ମୋ ଉପରକୁ ଫିଙ୍ଗିଦେଲ, ମୁଣ୍ଡରେ ବାଜିଥିଲେ ମୁଣ୍ଡ ଫାଟିଥାନ୍ତା । ମୁଁ ଘୁଞ୍ଚିଆସିଲି, ପ୍ଲେଟ୍ଟା କାନ୍ଥରେ ବାଜି ଭାଙ୍ଗିଗଲା ।
ସବ୍ୟସାଚୀ ସେହି ଭଙ୍ଗା ପ୍ଲେଟ୍ ଖଣ୍ଡ ଓ କାନ୍ଥକୁ ଚାହିଁଲା । ପ୍ଲେଟ୍ ବାଜିଥିବା ସ୍ଥାନରେ କାନ୍ଥ ଟିକିଏ ଖଣ୍ଡିଆ ହୋଇଯାଇଛି । ଖୁବ୍ ଜୋରରେ ତା’ ସ୍ତ୍ରୀ ଫିଙ୍ଗିଛି, ବାସ୍ତବରେ ମୁଣ୍ଡରେ ବାଜିଥିଲେ ମୁଣ୍ଡ ଫାଟିଥାନ୍ତା । ତା’ ସ୍ତ୍ରୀ କହିଲା, ତୁମେ କ’ଣ କହିଲ? ମୁଁ ଶୂନଟାକୁ ଫିଙ୍ଗିଲି…
ରାଗ ସମୟରେ ରଂଜନ ଠିକ୍ କ’ଣ କହିଥିଲା ତା’ର ମନେପଡୁନଥିଲା । ତା’ ସ୍ତ୍ରୀ ମଧ୍ୟ କ’ଣ ସେ କହିଲା ଏବଂ ସେ ଏତେ ରାଗି ହିଂସାତ୍ମକ ଆଚରଣ କଲା, ହଠାତ୍ ମନେପକେଇପାରିଲା ନାହିଁ । ସବ୍ୟସାଚୀ ପଚାରିଲା, କ’ଣ ପାଇଁ ଏତେ ଝଗଡ଼ା?
ରଂଜନର ସ୍ତ୍ରୀ କହିଲା, ୟେ’ ଜଣେ ନିହାତି ନିକମା, ଅପଦାର୍ଥ । ୟାଙ୍କ ହାତରେ ଦୂବ ମଧ୍ୟ କଅଁଳିବ ନାହିଁ । ମୁଁ କେତେ ଯତ୍ନରେ ଦୂବ ଲଗେଇଥିଲି, ପାଣି ଟିକେ ଦେଇପାରିଲେନି, ମାରିଦେଲେ । ମୁଁ କହିଲାରୁ ସେ ମୋ ସହିତ ପାଟି କରୁଛନ୍ତି ।
ରଂଜନର ସ୍ତ୍ରୀ ତାଙ୍କଘରର ଛାତରେ ଗୋଟିଏ ଗମଲାରେ ଦୂବଗଛ ଲଗେଇଥିଲା । ପୂଜାପର୍ବରେ ଦୂବ ବରକୋଳି ପତ୍ର ଦରକାର । ଗମଲାରୁ ଦୂବ ନେଇ ସେ କାମଚଳାନ୍ତି । ଫୋନି ହେଲା ପରେ ବିଜୁଳି କଟିଗଲା, ପନ୍ଦରଦିନ ପର୍ଯ୍ୟନ୍ତ ବିନା ବିଜୁଳି ଆଲୁଅରେ ଅନ୍ଧାରରେ ଚଳିବାକୁ ହେଲା, ଟାଙ୍କିକୁ ପାଣି ଉଠେଇହେଲାନି । କାଣ୍ଟଛାଣ୍ଟ କରି ପାଣି ବ୍ୟବହାର କଲେ । ଦିନକର ପାଣିକୁ ତିନିଦିନ ଚଳେଇଲେ । ତିନିଦିନରେ ଥରେ ଜେନେରେଟର ଭଡ଼ାରେ ଆଣି, ଥରକୁ ହଜାରେ ଟଙ୍କା ଦେଇ ଟାଙ୍କିକୁ ପାଣି ଉଠେଇଲେ । ସେହି ପନ୍ଦରଦିନ ଛାତ ଉପରେ ଥିବା ଫୁଲକୁଣ୍ଡ, ଗମଲାରେ ଲଗାଯାଇଥିବା ଗଛରେ ପାଣିଦେବାକୁ ରଂଜନ ଭୁଲିଯାଇଥିଲା । ଅବଶ୍ୟ ଫୁଲକୁଣ୍ଡ, ଗମଲାରେ ପାଣିଦେବା ଦାୟିତ୍ୱ ରଂଜନ ସ୍ତ୍ରୀର, କିନ୍ତୁ ସେ ବାପଘରକୁ ଚାଲିଯାଇଥିଲା । ପନ୍ଦରଦିନର ଖରାରେ ଫୁଲଗଛ, ଦୂବ ସବୁ ମରିଗଲା । ଏବେ ସାବିତ୍ରୀ ଅମାବାସ୍ୟା ଆସୁଥିବାରୁ ରଂଜନର ସ୍ତ୍ରୀ ଦେଖିଲା ଦୂବଗଛ ମରିଯାଇଛି । ରଂଜନ ଅଫିସରୁ ଫେରୁଫେରୁ ଦୂବଗଛରେ କାହିଁକି ପାଣି ଦିଆଗଲାନି ତା’ ସ୍ତ୍ରୀ ପାଟିକଲା । ରଂଜନ କହିଲା, ଫନି ପରେ ପରେ ତୁମେ କେମିତି ତୁମ ଘରକୁ ପଳେଇଗଲ, ଏଠି ରହିଲନି, ଫୁଲଗଛ ଦୂବଗଛରେ ପାଣି ଦେଇଥାନ୍ତ…
ଫୋନି ପୁରୀ, ଭୁବନେଶ୍ୱର, କଟକକୁ ଆକ୍ରାନ୍ତ କରିଥିଲା । ରଂଜନର ଶ୍ୱଶୁର ଘର ବାଲେଶ୍ୱର । ଫୋନି ଛାଡ଼ି ଚାଲିଯିବା ପରେ ବିଜୁଳି ଓ ପାଣି ସମସ୍ୟା ହେତୁ ରଂଜନର ସ୍ତ୍ରୀ ବାଲେଶ୍ୱର ଚାଲିଯାଇଥିଲା । ଅବସ୍ଥା ସ୍ୱାଭାବିକ ହେଲା ପରେ ସେ ଫେରିଥିଲା । ତା’ ସ୍ତ୍ରୀ କହିଲା, ତୁମେ ଯୋଉ ସୁଖଗୁଡ଼ାକ ଦେଇଦଉଛ ତ, ବାତ୍ୟା ପରେ ବି ଏମିତି ତୁମ ସହିତ ମିଶି ଦୁଃଖକଷ୍ଟ ସହିତ ରହିଥାନ୍ତି, ଜୀବନ ସଂଗ୍ରାମ କରିଥାନ୍ତି ।
ରଂଜନ ଓ ତା’ ସ୍ତ୍ରୀ ଦୁହେଁ ଗରମ ଥିଲେ, ଦୁହିଁଙ୍କ ରାଗ ଥଣ୍ଡା ପଡ଼ିନଥିଲା । ଝଗଡ଼ା ଚାଲିଥିଲା ସମୟରେ ସେ ପହଞ୍ଚିଥିଲା । ଦେଖୁଥିଲା, ଏବେ ଯେମିତି କଥା କଟାକଟି ଚାଲିଲାଣି, ପୁଣି ବିସ୍ଫୋରଣ ଘଟିବ, ହୁଏତ ପୂର୍ବ ବିସ୍ଫୋରଣ ଠାରୁ ଅଧିକ ଶକ୍ତିଶାଳୀ, ଭୟଙ୍କର ହୋଇପଡ଼ିବ । ସବ୍ୟସାଚୀ କହିଲା, ଟିକେ ମୋ କଥା ଶୁଣ । ବହୁତ ଦିନ ପରେ ରଂଜନ ସହିତ ଦେଖା, ମୁଁ ତୁମକୁ କେବେ ଦେଖିନଥିଲି । ମିଠା ପାକେଟଟିଏ ଆଣିବାକୁ ଭାବିଥିଲି । ପରେ ଭାବିଲି, ଆଜିକାଲି ଅନେକେ ମିଠା ପସନ୍ଦ କରୁନାହାନ୍ତି, ଡାଏଟିଂ କରୁଛନ୍ତି । ପହରଦିନ ସାବିତ୍ରୀ ଅମାବାସ୍ୟା, ତେଣୁ ତୁମ ପାଇଁ ସ୍ପେସିଆଲ୍ ଗୋଟିଏ ପୂଜା ପାକେଟ୍ ନେଇଆସିଥିଲି । ସେଥିରେ ନଡ଼ିଆ, କଦଳୀ, ଦେଶୀ ଖଜୁରୀ, ତାଳସଜ ସମେତ ସବୁ ଆବଶ୍ୟକୀୟ ଫଳମୂଳ ଅଛି । ଦୂବ ବରକୋଳି ପତ୍ର, ଅଳତା-ସିନ୍ଦୂର ବି ଅଛି । ସାବିତ୍ରୀ ପୂଜା ପାଇଁ ଆଉ କିଛି ଖୋଜିବାକୁ ପଡ଼ିବନି । ମଲା ଦୂବଗଛରେ ପାଣିଦେଲେ କଅଁଳିଯିବ । ଦେଖୁନ, ଖରାଦିନେ ଦୂବ ପୋଡ଼ି ମରିଯାଇଥାଏ, ବର୍ଷାହେଲେ ପୁଣି ଦୂବ ଗଜୁରି କେମିତି ଛନଛନିଆ ସବୁଜ ହୋଇ ବାହାରିପଡ଼େ । ମୁଁ ସେହି ପାକେଟ୍ ନେଇଆସୁଛି । ରେଫି୍ରଜରେଟରରେ ରଖିଦେବ, ପହରଦିନକୁ ସତେଜ ଥିବ ।
ସବ୍ୟସାଚୀ ତା’ ଗାଡ଼ିରୁ ପିଅନ ଦେଇଥିବା ସାବିତ୍ରୀ ପୂଜା ପାକେଟ୍ଟି ସୋଫାର ସେଣ୍ଟର ଟେବୁଲ ଉପରେ ରଖି କହିଲା, ମୁଁ ଆସୁଛି, ଆଉ କେବେ ଆସିବି ।
ରଂଜନର ସ୍ତ୍ରୀ କହିଲା, ଏତେ ଦିନ ପରେ ଆସିଛନ୍ତି, ଚା’ ନ ପିଇ କେମିତି ଚାଲିଯିବେ? ବସନ୍ତୁ, ମୁଁ ସଙ୍ଗେସଙ୍ଗେ ଚା’ କରି ନେଇଆସୁଛି ।
ସେ ଉଠିଗଲା ଚା’ କରିବାକୁ । ସବ୍ୟସାଚୀ ରଂଜନ ସହିତ ଅଫିସ ସମ୍ପର୍କରେ ଗପିଲା । ତିନିଜଣକ ପାଇଁ ଚା’ ଆଣି ତା’ ସ୍ତ୍ରୀ ରଖିଲା । ଏପରି ଏକ ଦୃଶ୍ୟ ସବ୍ୟସାଚୀ ସାମ୍ନା କରିଲା ପରେ ସେ ପ୍ରକୃତରେ ଜାଣିପାରୁନଥିଲା କ’ଣ କଥାବାର୍ତ୍ତା କରିବ, ସେଥିପାଇଁ ଅଫିସ ସମ୍ପର୍କରେ ରଂଜନ ସହିତ ଗପୁଥିଲା । ରଂଜନ ଓ ତା’ ସ୍ତ୍ରୀ ମଧ୍ୟ ସଦ୍ୟ ଆଘାତରୁ ମୁକୁଳିପାରିନଥିଲେ । ଚା’ ପିଇଲାବେଳେ ସ୍ୱାଭାବିକ କଥାବାର୍ତ୍ତା କରିପାରୁନଥିଲେ । ଚା’ ପିଆ ଶୀଘ୍ର ସରିଲା, ସବ୍ୟସାଚୀ ଉଠିଲା ଆସିବାକୁ । ରଂଜନର ସ୍ତ୍ରୀ କହିଲା, କିଛି ଖରାପ ଭାବିବେ ନାହିଁ, ଆରଥରକୁ ଭାଉଜଙ୍କୁ ନେଇ ଆସିବେ ।
ଘରେ ପହଞ୍ଚିଲା ବେଳକୁ ସବିତା ଟିଭି ସାମ୍ନାରେ ବସିଥିଲା । ତାକୁ ଦେଖି କହିଲା, ଆଜି ଏତେ ବିଳମ୍ବ କାହିଁକି?
ସବିତା ସବୁଦିନ କଲେଜରୁ ଶୀଘ୍ର ଫେରେ, କିନ୍ତୁ ସବ୍ୟସାଚୀ ଫେରୁଫେରୁ ସନ୍ଧ୍ୟା ସାଢ଼େ ଛଅ, ସାତ ହୋଇଯାଏ । ସବ୍ୟସାଚୀ ଫେରିଲେ ଦୁହେଁ ସାଙ୍ଗହୋଇ ଚା’ ପିଅନ୍ତି । ସାଢ଼େ ସାତଟା ହୋଇଯାଇଥିଲା । ସବ୍ୟସାଚୀ କହିଲା, ମୁଁ ଆସି ଅଫିସରୁ ଫେରିଲା ବାଟରେ ଜଣେ ବନ୍ଧୁଙ୍କ ଘରକୁ ଚାଲିଯାଇଥିଲି । ତୁମେ ମୋଠାରୁ ତା’ ନାଁ ଶୁଣିଛ, ରଂଜନ । ଆମେ ବଲାଙ୍ଗୀରରେ ଚାକିରି ଆରମ୍ଭ କଲା ବେଳକୁ ସାଙ୍ଗ ହୋଇ ରହୁଥିଲୁ ।
ସବ୍ୟସାଚୀ ଧୁଆଧୁଇ ହେବାକୁ ବାଥରୁମ୍କୁ ଗଲା, ସବିତା ଗଲା ରୋଷେଇଘରକୁ ଚା’ କରିବାକୁ । ସବ୍ୟସାଚୀ ଧୁଆଧୁଇ ହୋଇ ଲୁଗା ବଦଳେଇ ତା’ କପ୍ବୋର୍ଡରୁ ସେ କିଣିଥିବା ଶାଢ଼ିଟି ଆଣି ସବିତାକୁ ଦେଇ କହିଲା, ଶାଢ଼ିଟା କେମିତି ହୋଇଛି?
ଶାଢ଼ିକୁ ଦେଖି ସବିତା କହିଲା, ବହୁତ ସୁନ୍ଦର । ତୁମେ କେବେ ଆଣିଲ? ସାବିତ୍ରୀ ତ ପହରଦିନ ।
ସାଧାରଣତ ନାରୀମାନଙ୍କର ଶାଢ଼ି ପ୍ରତି ଦୁର୍ବଳତା ଥାଏ, କିନ୍ତୁ ସବିତାର ଅନ୍ୟମାନଙ୍କ ଠାରୁ ଟିକେ ଅଧିକ ଦୁର୍ବଳତା । ନୂଆ ଶାଢ଼ିଟିଏ ପାଇଲେ ସେ ଅପେକ୍ଷା କରେନି, ଶୀଘ୍ର ପିନ୍ଧିପକାଏ । ଠିକ୍ ସାବିତ୍ରୀ ଦିନ ସବ୍ୟସାଚୀ ସବିତାକୁ ଶାଢ଼ି ଦିଏ, ଆଗରୁ କିଣିଥିଲେ ବି ତାକୁ ଦେଖେଇନଥାଏ । ଅନ୍ୟ ଅଧ୍ୟାପିକାମାନେ ବି ସେଦିନ ନୂଆଶାଢ଼ି ପିନ୍ଧିଥାନ୍ତି । କିନ୍ତୁ ଆଜି ଶନିବାର, ପରଦିନ ରବିବାର ଛୁଟି, ସାବିତ୍ରୀ ସୋମବାର ଦିନ । ସବ୍ୟସାଚୀ କହିଲା ସାବିତ୍ରୀ ଦିନ ସହିତ ଆମର ସମ୍ପର୍କ କ’ଣ? ଏହି ଶାଢ଼ିଟା ସାବିତ୍ରୀ ଉପଲକ୍ଷେ, କିନ୍ତୁ ଆମେ ଆମ ବାଟରେ ସାବିତ୍ରୀ ପାଳିଦେବା । କାଲି ରବିବାର ଅଛି । କାଲି ବାହାରେ ଖାଇବା, ଆଇନକ୍ସରେ ସିନେମା ଦେଖିବା, ମୁଁ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଦେଉଛି । ଆମେ ସାବିତ୍ରୀ କାଲି ପାଳିଦେବା ।
ସବିତା ସବ୍ୟସାଚୀକୁ କିଛି ମୁହୂର୍ତ୍ତ ଚାହିଁଲା । ସବ୍ୟସାଚୀ ଖୁସିଥିଲା । ସବିତା ତା’ ଓଠରେ ଚୁମା ଦେଲା, ଏକ ଲମ୍ବା ଚୁମା ଏବଂ କହିଲା, ଜାଣିଛ, ବିଜ୍ଞାନଶାସ୍ତ୍ର ଅନୁସାରେ ଚୁମାଦେବା ଏବଂ ଚୁମାନେବା ଲୋକର ମାନସିକ ଗ୍ଲାନି, ଅବସାଦ ଦୂରେଇଯାଏ ଏବଂ ଲୋକେ ଦୀର୍ଘାୟୁ ହୁଅନ୍ତି ସେଥିପାଇଁ ତ ବିଶ୍ୱ ଚୁମ୍ବନ ଦିବସ ପାଳନ କରାଯାଏ, ଜୁଲାଇ ୬ ତାରିଖରେ । କିନ୍ତୁ ଚୁମାଦେବାକୁ ବାର କ’ଣ ଦରକାର?
ଅପମୃତ୍ୟୁ
ପକ୍ଷୀ
ମାତୃ ହୃଦୟ
ଗୁଡ଼ି ଚଢ଼େଇ